इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଭାଗ ୧

ସୃଷ୍ଟିକର୍ତ୍ତା ମନୁଷ୍ୟକୁ ଗୋଟିଏ ପାରାଦୀଶ ଦେଲେ

ସୃଷ୍ଟିକର୍ତ୍ତା ମନୁଷ୍ୟକୁ ଗୋଟିଏ ପାରାଦୀଶ ଦେଲେ

ଈଶ୍ୱର ବିଶ୍ୱମଣ୍ଡଳ ଓ ପୃଥିବୀରେ ଜୀବନର ସୃଷ୍ଟି କଲେ । ସେ ସିଦ୍ଧ ପୁରୁଷ ଓ ସ୍ତ୍ରୀଙ୍କୁ ସୃଷ୍ଟି କରି ସେମାନଙ୍କୁ ଗୋଟିଏ ସୁନ୍ଦର ଉଦ୍ୟାନରେ ରଖିଲେ ଏବଂ ପାଳନ କରିବା ପାଇଁ କିଛି ଆଜ୍ଞା ମଧ୍ୟ ଦେଲେ

“ଆଦ୍ୟରେ ପରମେଶ୍ୱର ସ୍ୱର୍ଗ ଓ ପୃଥିବୀର ସୃଷ୍ଟି କଲେ ।” (ଆଦିପୁସ୍ତକ ୧:୧) ଏହି ବାକ୍ୟକୁ ଆଜି ପର୍ଯ୍ୟନ୍ତ ଲେଖାଯାଇଥିବା ସବୁଠାରୁ ପ୍ରାଚୀନ ଓ ଲୋକପ୍ରିୟ ବାକ୍ୟ ବୋଲି କୁହାଯାଏ । ଏହି ସାଧାରଣ, ସରଳ ଓ ଚମତ୍କାର ବାକ୍ୟ ବାଇବଲର ମୁଖ୍ୟ ଚରିତ୍ର ସଙ୍ଗେ ଆମକୁ ପରିଚୟ କରାଏ, ଯିଏ କି ସର୍ବଶକ୍ତିମାନ ଈଶ୍ୱର ଯିହୋବା । ବାଇବଲର ଏହି ପ୍ରଥମ ପଦ କହେ ଯେ ବିଶ୍ୱମଣ୍ଡଳ ଏବଂ ଏହି ଗ୍ରହ ଯେଉଁଠାରେ ଆମେ ବାସ କରୁ ତାହାର ସୃଷ୍ଟିକର୍ତ୍ତା ହେଲେ ଈଶ୍ୱର । ଏହାର ପର ପଦ ଗୁଡ଼ିକ କହେ ଯେ ଅନେକକାଳ ଧରି ଆମର ଏହି ପୃଥିବୀକୁ ବସତି ସ୍ଥାପନ ପାଇଁ ସୃଷ୍ଟି କଲେ ଏବଂ ଅପୂର୍ବ ପ୍ରାକୃତିକ ଜଗତର ଅସ୍ତିତ୍ୱ ଆଣିଲେ ।

ପୃଥିବୀରେ ଈଶ୍ୱରଙ୍କ ସବୁଠାରୁ ଶ୍ରେଷ୍ଠ ସୃଷ୍ଟି ହେଲା ମନୁଷ୍ୟ । ଈଶ୍ୱର ତାହାଙ୍କୁ ନିଜ ସାଦୃଶ୍ୟରେ ସୃଷ୍ଟି କରିଥିଲେ—ଅର୍ଥାତ୍‌ ସେ ଯିହୋବାଙ୍କ ବ୍ୟକ୍ତିଗତ ଗୁଣଗୁଡ଼ିକ ଯେପରି କି ପ୍ରେମ ଓ ବୁଦ୍ଧିକୁ ପ୍ରତିଫଳିତ କରିପାରେ । ଈଶ୍ୱର ମନୁଷ୍ୟକୁ ମାଟିରୁ ସୃଷ୍ଟି କଲେ । ଈଶ୍ୱର ତାʼଙ୍କ ନାମ ଆଦମ ଦେଲେ ଏବଂ ତାହାଙ୍କୁ ପାରାଦୀଶରେ—ଅର୍ଥାତ୍‌ ଏଦନ ଉଦ୍ୟାନରେ ରଖିଲେ । ଈଶ୍ୱର ନିଜେ ଏହି ସୁନ୍ଦର ଓ ଫଳଦାୟକ ବୃକ୍ଷ ଥିବା ଉଦ୍ୟାନଟିକୁ ପ୍ରସ୍ତୁତ କରିଥିଲେ ।

ଈଶ୍ୱର ଜାଣିପାରିଲେ ଯେ ମନୁଷ୍ୟ ପାଇଁ ଜଣେ ସାଥୀ ଦରକାର । ସେ ଆଦମଙ୍କ ପଂଜରା ହାଡ଼ରୁ ଜଣେ ନାରୀକୁ ସୃଷ୍ଟି କରି ଆଦମଙ୍କ ନିକଟକୁ ଆଣିଲେ ଏବଂ ଦୁହିଁଙ୍କୁ ବିବାହ କରାଇଲେ, ତାʼପରେ ସେହି ସ୍ତ୍ରୀର ନାମ ହବା ଦେଲେ । ଏଥିରେ ଖୁସୀ ହୋଇ ଆଦମ ଗୀତ ଗାଇବାକୁ ଲାଗିଲେ: “ଏ ମୋହର ଅସ୍ଥିର ଅସ୍ଥି ଓ ମାଂସର ମାଂସ ।” ଈଶ୍ୱର ବ୍ୟାଖ୍ୟା କରି କହିଲେ: “ଏନିମନ୍ତେ ମନୁଷ୍ୟ ଆପଣା ପିତାମାତାଙ୍କୁ ଛାଡ଼ି ଆପଣା ଭାର୍ଯ୍ୟାଠାରେ ଆସକ୍ତ ହେବ, ଆଉ ସେମାନେ ଏକାଙ୍ଗ ହେବେ ।”—ଆଦିପୁସ୍ତକ ୨:୨୨-୨୪; ୩:୨୦.

ଈଶ୍ୱର ଆଦମ ଓ ହବାଙ୍କୁ ଦୁଇଟି ଆଜ୍ଞା ଦେଲେ । ପ୍ରଥମତଃ, ସେ ସେମାନଙ୍କୁ କହିଥିଲେ ଯେ ସେମାନେ, ନିଜ ପାର୍ଥିବ ଗୃହଟିକୁ ତିଆରି କରି ତାର ଯତ୍ନ ନେବା ସହ ସାରା ପୃଥିବୀରେ ନିଜ ସନ୍ତାନଙ୍କ ଦ୍ୱାରା ପରିପୂର୍ଣ୍ଣ ହୁଅନ୍ତୁ । ଦ୍ୱିତୀୟତଃ, ସେ କହିଲେ ଏହି ବୃହତ ଉଦ୍ୟାନ ମଧ୍ୟରୁ କେବଳ ଗୋଟିଏ ବୃକ୍ଷ ଅର୍ଥାତ୍‌ “ସଦସତ୍‌ ଜ୍ଞାନଦାୟକ ବୃକ୍ଷର” ଫଳ ଖାଇବ ନାହିଁ । (ଆଦିପୁସ୍ତକ ୨:୧୭) ଏହା ଯଦି ସେମାନେ ନ ମାନନ୍ତି ତେବେ ନିଶ୍ଚୟ ମରିବେ । ଏହି ଆଜ୍ଞା ଦ୍ୱାରା ଈଶ୍ୱର ପୁରୁଷ ଓ ସ୍ତ୍ରୀ ନିମନ୍ତେ ଗୋଟିଏ ସୁଯୋଗ ଦେଲେ କି ସେମାନେ, ତାହାଙ୍କୁ ନିଜ ରାଜା ରୂପେ ଗ୍ରହଣ କରନ୍ତୁ । ସେମାନଙ୍କର ଆଜ୍ଞାକାରିତା ତାʼଙ୍କ ପ୍ରତି ପ୍ରେମ ଓ କୃତଜ୍ଞତାକୁ ମଧ୍ୟ ପ୍ରକାଶ କରିଥାନ୍ତା । ସେମାନଙ୍କଠାରେ ଈଶ୍ୱରଙ୍କ ଦୟାପୂର୍ଣ୍ଣ ଶାସନ ଗ୍ରହଣକରିବା ପାଇଁ ଯଥେଷ୍ଟ କାରଣ ଥିଲା । ସେହି ସିଦ୍ଧ ମନୁଷ୍ୟଙ୍କଠାରେ କୌଣସି ଦୋଷ ନ ଥିଲା । ବାଇବଲ କହେ: “ପରମେଶ୍ୱର ଆପଣା ନିର୍ମିତ ପ୍ରତ୍ୟେକ ବସ୍ତୁ ପ୍ରତି ଦୃଷ୍ଟି କଲେ, ଆଉ ଦେଖ, ସମସ୍ତ ଅତ୍ୟୁତ୍ତମ ।”—ଆଦିପୁସ୍ତକ ୧:୩୧.

ଏହା ଆଦିପୁସ୍ତକ ଅଧ୍ୟାୟ ୧ ଓ ୨ ଉପରେ ଆଧାରିତ ।