इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଭାଗ ୧୧

କେତେକ ଅନୁପ୍ରାଣିତ ଗୀତ—ଯାହା ସାନ୍ତ୍ୱନା ଓ ଶିକ୍ଷା ଦିଏ

କେତେକ ଅନୁପ୍ରାଣିତ ଗୀତ—ଯାହା ସାନ୍ତ୍ୱନା ଓ ଶିକ୍ଷା ଦିଏ

ଦାଉଦ ଓ ଅନ୍ୟ କେତେଜଣ ଉପାସନା ପାଇଁ କେତେକ ଗୀତ ରଚନା କରିଥିଲେ । ଗୀତସଂହିତା ମଧ୍ୟରେ ପ୍ରାୟ ୧୫୦ଟି ଗୀତ ସଂରକ୍ଷିତ ରହିଛି

ବାଇବଲର ସବୁଠାରୁ ଦୀର୍ଘତମ ବହିଟି ହେଲା କେତେକ ପବିତ୍ର ଗୀତଗୁଡ଼ିକର ସଂକଳିତ ବହି । ଏହି ବହିଟିକୁ ପୁରା ଲେଖିବା ପାଇଁ ପ୍ରାୟ ୧୦୦୦ ବର୍ଷ ଲାଗିଥିଲା । ଗୀତସଂହିତାରେ, ବିଶ୍ୱାସର ଏପରି କେତେକ ହୃଦୟସ୍ପର୍ଶୀ କଥା ଅଛି ଯାହା ଆଉ ଅନ୍ୟ କେଉଁଠାରେ ମଧ୍ୟ ଲେଖାଯାଇନାହିଁ । ମନୁଷ୍ୟ ମନର ଆବେଗକୁ ଏଠାରେ ବିଭିନ୍ନ ଦିଗରେ ବ୍ୟାଖ୍ୟା କରାଯାଇଛି ଯେପରି କି ଆନନ୍ଦ, ପ୍ରଶଂସା ଓ ଧନ୍ୟବାଦରୁ ଆରମ୍ଭ କରି ଶୋକ, ଦୁଃଖ ଏବଂ ଅନୁତାପ ପର୍ଯ୍ୟନ୍ତ । ଏହା ସୁସ୍ପଷ୍ଟ ଯେ ଗୀତିସଂହିତାର ରଚକମାନେ ଈଶ୍ୱରଙ୍କଠାରେ ଦୃଢ଼ ବିଶ୍ୱାସ ଓ ସୁସଂମ୍ପର୍କ ରଖିଥିଲେ । ଆସନ୍ତୁ ଆମେ ଏହି ଗୀତଗୁଡ଼ିକ ମଧ୍ୟରୁ କେତେକ ବିଷୟରେ ଚିନ୍ତା କରି ଦେଖିବା ।

ଯିହୋବା ହେଉଛନ୍ତି ଜଣେ ସାର୍ବଭୌମତ୍ୱ ଈଶ୍ୱର, କେବଳ ସେ ହିଁ ଉପାସନା ଓ ପ୍ରଶଂସା ପାଇବା ପାଇଁ ଯୋଗ୍ୟ । ଗୀତସଂହିତା ୮୩:୧୮ ରେ ଆମେ ଏପରି ପଢ଼ୁ “ତୁମ୍ଭେ ଯେ ଯିହୋବା ନାମରେ ଖ୍ୟାତ ଓ ତୁମ୍ଭେ ଯେ ସମଗ୍ର ଭୂମଣ୍ଡଳର ଏକମାତ୍ର ସର୍ବୋପରିସ୍ଥ ଅଟ, ଏହା ସେମାନେ ଜାଣନ୍ତୁ ।” (NIV) ଅନେକ ଗୀତ, ଯିହୋବାଙ୍କ ସୃଷ୍ଟିର କାରୁକାର୍ଯ୍ୟ ପାଇଁ ପ୍ରଶଂସା କରି ରଚନା କରାଯାଇଛି ଯେପରି କି ତାରାଗଣରେ ପରିପୂର୍ଣ୍ଣ ଆକାଶ, ପୃଥିବୀରେ ଭିନ୍ନ ଭିନ୍ନ ଜୀବଜନ୍ତୁ ଏବଂ ମନୁଷ୍ୟ ଶରୀରର ଅଦ୍ଭୁତ ଗଠନ । (ଗୀତସଂହିତା ୮, ୧୯, ୧୩୯, ୧୪୮) ଆଉ କେତେକ ଯିହୋବାଙ୍କୁ ଜଣେ ଧାର୍ମିକର ରକ୍ଷକ ଓ ସୁରକ୍ଷାଦାତା ବୋଲି ପ୍ରଶଂସା କରେ । (ଗୀତସଂହିତା ୧୮, ୯୭, ୧୩୮) ଏହାବ୍ୟତିତ ଅନ୍ୟମାନେ ନ୍ୟାୟର ଈଶ୍ୱର ବୋଲି ତାହାଙ୍କ ସମ୍ମାନ କରନ୍ତି କାରଣ ସେ ଅତ୍ୟାଚାରିତ ଲୋକଙ୍କୁ ଉଦ୍ଧାର କରନ୍ତି ଓ ଦୁଷ୍ଟମାନଙ୍କୁ ଦଣ୍ଡ ଦିଅନ୍ତି ।

ଯିହୋବା, ତାହାଙ୍କୁ ଭଲପାଉଥିବା ଲୋକଙ୍କୁ ସାହାଯ୍ୟ ଓ ସାନ୍ତ୍ୱନା ଦିଅନ୍ତି । ସମ୍ଭବତଃ, ଗୀତସଂହିତା ୨୩ ହେଉଛି ସବୁଠାରୁ ପ୍ରସିଦ୍ଧ ଗୀତ, ଯେଉଁଠାରେ ଦାଉଦ ଯିହୋବାଙ୍କୁ ଜଣେ ଉତ୍ତମ ମେଷ ପାଳକରୂପେ ବର୍ଣ୍ଣନା କରିଛନ୍ତି, ଯିଏ କି ନିଜ ମେଷଗୁଡ଼ିକର ପଥପ୍ରଦର୍ଶକ, ସୁରକ୍ଷାଦାତା ଏବଂ ଯତ୍ନକାରୀ ଅଟନ୍ତି । ଗୀତସଂହିତା ୬୫:୨ ଈଶ୍ୱରଙ୍କ ଉପାସନାକାରୀଙ୍କୁ ମନେ ପକାଇ ଦିଏ ଯେ ଯିହୋବା ହେଉଛନ୍ତି “ପ୍ରାର୍ଥନାଶ୍ରବଣକାରୀ ।” ଅନେକ ଯେଉଁମାନେ ଗୁରୁତର ପାପରେ ପଡ଼ିଛନ୍ତି ସେମାନେ ଗୀତସଂହିତା ୩୯ ଓ ୫୧କୁ ପଢ଼ିବା ଦ୍ୱାରା ବହୁତ ସାନ୍ତ୍ୱନା ପାଇଛନ୍ତି, ଯେଉଁଠାରେ ଦାଉଦ ନିଜ ଗୁରୁତର ପାପ ପାଇଁ ଆନ୍ତରିକ ଅନୁତାପକୁ ଉପସ୍ଥାପନା କରିଛନ୍ତି ଏବଂ ଯିହୋବାଙ୍କ ପାପକ୍ଷମା ଉପରେ ନିଜ ଭରସାକୁ ପ୍ରକାଶ କରିଛନ୍ତି । ଗୀତସଂହିତା ୫୫:୨୨ ଉପଦେଶ ଦିଏ ଯେ ଆମେ ଯିହୋବାଙ୍କୁ ବିଶ୍ୱାସ କରିବା ସହିତ ଆମର ସମସ୍ତ ଚିନ୍ତା ତାହାଙ୍କ ଉପରେ ଛାଡ଼ିଦେବା ।

ଯିହୋବା ମସୀହଙ୍କ ରାଜ୍ୟ ଦ୍ୱାରା ପୃଥିବୀରେ ପରିବର୍ତ୍ତନ ଆଣିବେ । ଗୀତସଂହିତାର ଅନେକ ଗୀତ ମସୀହଙ୍କ ପାଇଁ ସମ୍ପୂର୍ଣ୍ଣ ଉପଯୁକ୍ତ, ଯିଏ ହେଉଛନ୍ତି ସେହି ପ୍ରତିଜ୍ଞାତ ରାଜା । ଗୀତସଂହିତା ୨ ଏହି ଶାସକଙ୍କ ବିଷୟରେ ଭବିଷ୍ୟବାଣୀ କରି କହେ ଯେ ସେ, ତାହାଙ୍କ ବିରୁଦ୍ଧରେ ଯିବା ସମସ୍ତ ଦୁଷ୍ଟ ଦେଶଗୁଡ଼ିକୁ ଧ୍ୱଂସ କରିବେ । ଗୀତସଂହିତା ୭୨ କହେ ଯେ ଏହି ରାଜା ଖାଦ୍ୟ ଅଭାବ, ଅନ୍ୟାୟ ଏବଂ ଅତ୍ୟାଚାରିତାକୁ ସମାପ୍ତ କରିବେ । ଗୀତସଂହିତା ୪୬:୯ ଅନୁସାରେ ମସୀହଙ୍କ ରାଜ୍ୟ ଦ୍ୱାରା, ଈଶ୍ୱର ସମସ୍ତ ଯୁଦ୍ଧକୁ ନିବୃତ୍ତ କରିବେ ଏବଂ ଏପରି କି ସମସ୍ତ ଯୁଦ୍ଧ ଅସ୍ତ୍ରଗୁଡ଼ିକୁ ଧ୍ୱଂସ କରିବେ । ଗୀତସଂହିତା ୩୭ରେ ଆମେ ଏପରି ପଢ଼ିଥାଉ ଯେ, ଦୁଷ୍ଟ ଲୋକ ଆଉ ରହିବେ ନାହିଁ କିନ୍ତୁ ଅନ୍ୟପକ୍ଷରେ ଧାର୍ମିକ ଲୋକମାନେ ପୃଥିବୀରେ ଚୀରକାଳ ରହି ଆନନ୍ଦ ଓ ଶାନ୍ତି ଉପଭୋଗ କରିବେ ।

ଏହା ଗୀତସଂହିତା ପୁସ୍ତକ ଉପରେ ଆଧାରିତ ।