इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଭାଗ ୧୮

ଯୀଶୁ ଆଶ୍ଚର୍ଯ୍ୟକର୍ମ କଲେ

ଯୀଶୁ ଆଶ୍ଚର୍ଯ୍ୟକର୍ମ କଲେ

ଯୀଶୁ ଆଶ୍ଚର୍ଯ୍ୟକର୍ମ କରିବା ଦ୍ୱାରା ଦେଖାଇଥିଲେ ଯେ ସେ ରାଜା ହେଲେ ନିଜର ଶକ୍ତିକୁ କିପରି ବ୍ୟବହାର କରିବେ

ଈଶ୍ୱର ଯୀଶୁଙ୍କୁ ଏପରି କିଛି କରିବାକୁ ଶକ୍ତି ଦେଇଥିଲେ ଯାହା ସାଧାରଣତଃ କୌଣସି ବ୍ୟକ୍ତି କରି ପାରିବ ନାହିଁ । ଯୀଶୁ ନାନା ପ୍ରକାର ବଡ଼ ବଡ଼ ଆଶ୍ଚର୍ଯ୍ୟକାମ ଅନେକ ଲୋକମାନଙ୍କ ଆଗରେ କରିଥିଲେ । ଏହି ଆଶ୍ଚର୍ଯ୍ୟକର୍ମଗୁଡ଼ିକ ଦେଖାଏ ଯେ ଯୀଶୁଙ୍କଠାରେ ଶତ୍ରୁଙ୍କୁ ଏବଂ ଯେକୌଣସି ବାଧାବିଘ୍ନକୁ ପ୍ରତିରୋଧ କରିବାର ଶକ୍ତି ରହିଛି, ଯାହା ଅସିଦ୍ଧ ମନୁଷ୍ୟ ଆଜି ପର୍ଯ୍ୟନ୍ତ ସଫଳତାର ସହ କରିପାରି ନାହିଁ । ଆସନ୍ତୁ କେତେକ ଉଦାହରଣଗୁଡ଼ିକୁ ଦେଖିବା ।

ଯୀଶୁ ଖାଦ୍ୟ ଓ ପାନୀୟ ଯୋଗାଇଥିଲେ । ଯୀଶୁଙ୍କ ପ୍ରଥମ ଆଶ୍ଚର୍ଯ୍ୟକର୍ମ ଥିଲା ଜଳକୁ ଦ୍ରାକ୍ଷାରସରେ ପରିଣତ କରିବା । ଅନ୍ୟ ଦୁଇଟି ପରିସ୍ଥିତିରେ ସେ ଅଳ୍ପକେତୋଟି ରୁଟି ଓ ମାଛକୁ ନେଇ ହଜାର ହଜାର ଭୋକିଲା ଲୋକଙ୍କୁ ଖୁଆଇ ଥିଲେ । ଏହି ଉଭୟ ପରିସ୍ଥିତିରେ ପ୍ରତ୍ୟେକଙ୍କ ପାଇଁ ଯଥେଷ୍ଟ ଖାଦ୍ୟ ଥିଲା ।

ଯୀଶୁ ରୋଗୀମାନଙ୍କୁ ସୁସ୍ଥ କରିଥିଲେ । ଯୀଶୁ ଲୋକଙ୍କ “ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାରର” ପୀଡ଼ାକୁ ସୁସ୍ଥ କଲେ । (ମାଥିଉ ୪:୨୩) ଅନ୍ଧ, ବଧିର, କୁଷ୍ଠ ଏବଂ ମୃଗୀ ରୋଗୀ ତାହାଙ୍କ ସ୍ପର୍ଶରେ ସୁସ୍ଥ ହେଲେ । ସେ ଛୋଟା, ଲେଙ୍ଗେଡ଼ା ଓ ବିକଳାଙ୍ଗମାନଙ୍କୁ ମଧ୍ୟ ସୁସ୍ଥ କରିଥିଲେ । ଏପରି କୌଣସି ରୋଗ ନାହିଁ ଯାହା ଯୀଶୁ ସୁସ୍ଥ କରି ନ ପାରନ୍ତି ।

ଯୀଶୁ ଝଡ଼ବାତ୍ୟାକୁ ବନ୍ଦ କଲେ । ଯେତେବେଳେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଗାଲିଲୀ ସାଗରକୁ ନୌକାରେ ପାର ହେଉଥିଲେ ସେତେବେଳେ ହଠାତ୍‌ ଝଡ଼ବାତ୍ୟା ହେଲା । ଶିଷ୍ୟମାନେ ଅତ୍ୟନ୍ତ ଭୟଭୀତ ହେଲେ । ଯୀଶୁ ଝଡ଼କୁ ଦେଖି କହିଲେ: “ତୁନି ହ, ଚୁପ୍‌ କର୍‌ !” ଏହାପରେ ସବୁ ଶାନ୍ତ ହୋଇ ଥମିଗଲା । (ମାର୍କ ୪:୩୭-୩୯) ଆଉ ଥରେ, ସେ ପ୍ରଚଣ୍ଡ ଝଡ଼ ସମୟରେ ପାଣି ଉପରେ ଚାଲିଥିଲେ ।—ମାଥିଉ ୧୪:୨୪-୩୩.

ଯୀଶୁ ଦୁଷ୍ଟଆତ୍ମାଗୁଡ଼ିକୁ ଦମନ କଲେ । ଦୁଷ୍ଟଆତ୍ମାଗୁଡ଼ିକ ମନୁଷ୍ୟମାନଙ୍କଠାରୁ ବହୁତ ଶକ୍ତିଶାଳୀ । ଈଶ୍ୱରଙ୍କର ଏହି ଶତ୍ରୁମାନଙ୍କ କବଳରୁ ମୁକ୍ତ ହେବାକୁ ଅନେକେ ଅସଫଳ ହୋଇଥିଲେ । କିନ୍ତୁ ବାରମ୍ବାର, ଯୀଶୁ ଯେତେଥର ଦୁଷ୍ଟଆତ୍ମାମାନଙ୍କୁ ଆଜ୍ଞା ଦେଇଥିଲେ ସେତେଥର ସେମାନେ ଲୋକମାନଙ୍କୁ ଛାଡ଼ି ଚାଲିଯାଇଥିଲେ । ସେ କେବେହେଲେ ସେହି ଦୁଷ୍ଟଆତ୍ମାଗୁଡ଼ିକୁ ଭୟକରୁ ନ ଥିଲେ । ଅନ୍ୟ ପକ୍ଷେ, ସେମାନେ ଯୀଶୁଙ୍କ ଅଧିକାରକୁ ଜାଣି ତାହାଙ୍କୁ ଭୟ କରୁଥିଲେ ।

ଯୀଶୁ ମୃତ୍ୟୁକୁ ପରାଜିତ କରିଥିଲେ । ଯଥାର୍ଥଭାବେ ମୃତ୍ୟୁକୁ “ଶେଷ ଶତୃ” କୁହାଯାଏ କାରଣ ଏହା ଏକ ଏମିତି ଶତୃ ଯାହାକୁ କୌଣସି ମନୁଷ୍ୟ କେବେ ପରାଜିତ କରି ପାରେନାହିଁ । (୧ କରିନ୍ଥୀୟ ୧୫:୨୬) ତଥାପି, ଯୀଶୁ ମୃତ ଲୋକଙ୍କୁ ପୁନରୁତ୍ଥାନ କରିଥିଲେ, ଜଣେ ବାଳକକୁ ତାʼର ବିଧବା ମାʼ ଓ ଜଣେ ବାଳିକାକୁ ତାʼର ଶୋକାକୁଳ ପିତାମାତାଙ୍କୁ ଫେରାଇ ଦେଇଥିଲେ । ଅନ୍ୟ ଏକ ବିଶେଷ ପରିସ୍ଥିତିରେ ଯୀଶୁ ଏକ ବିରାଟ ଶୋକାକୁଳ ଜନଗହଳିରେ ନିଜ ପ୍ରିୟ ବନ୍ଧୁ ଲାଜାର ଯାହାର ମରିବାର ପ୍ରାୟ ଚାରିଦିନ ବିତିଯାଇଥିଲା ତାହାଙ୍କୁ ପୁନରୁତ୍ଥାନ କରିଥିଲେ ! ଏପରିକି ଯୀଶୁଙ୍କ ଶତ୍ରୁମାନେ ମଧ୍ୟ ସ୍ୱୀକାର କରିଥିଲେ ଯେ ସେ ଏହି ଅଲୌକିକ କାମ କରିଥିଲେ ।—ଯୋହନ ୧୧:୩୮-୪୮; ୧୨:୯-୧୧.

ଯୀଶୁ କାହିଁକି ଏସବୁ ଅଲୌକିକ କାମ କରିଥିଲେ ? ଏହା କି ସତ୍ୟ ନୁହେଁ ଯେ ସେ ଯାହାକୁ ସାହାଯ୍ୟ କରିଥିଲେ ସେମାନେ ପୁଣି ଥରେ ମରିଥିଲେ । ହଁ ଏହା ସତ୍ୟ ଯେ ଯୀଶୁଙ୍କ ଆଶ୍ଚର୍ଯ୍ୟକାମ କିଛି ସ୍ଥାୟୀ ଉପକାର ଆଣିଥିଲା । ଏହା ପ୍ରମାଣ କରେ ଯେ ମସୀହ ରାଜାଙ୍କ ଶାସନ ନିମନ୍ତେ ଯେଉଁସବୁ ଭବିଷ୍ୟତବାଣୀ କରାଯାଇଥିଲା ସେସବୁର ଏହା ଏକ ମୂଳଦୁଆ ଥିଲା । ଏହା ନିଃସନ୍ଦେହ ଯେ ଈଶ୍ୱରଙ୍କ ଅଭିଷିକ୍ତ ରାଜା ଖାଦ୍ୟାଭାବ, ରୋଗ, ଅଶାନ୍ତ ଜଳବାୟୁ, ଦୁଷ୍ଟଆତ୍ମା ଏପରି ମୃତ୍ୟୁକୁ ମଧ୍ୟ ଦୂର କରିବେ । ସେ ଏହି ସମୟ ମଧ୍ୟରେ ଦେଖାଇ ଥିଲେ ଯେ ଈଶ୍ୱର ତାହାଙ୍କୁ ଏସମସ୍ତ ଶକ୍ତି ଦେଇଥିଲେ ।

ଏହା ମାଥିଉ, ମାର୍କ, ଲୂକ ଏବଂ ଯୋହନ ପୁସ୍ତକ ଉପରେ ଆଧାରିତ ।