इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୪

ଆମେ ନୂତନ ଜଗତ ଅନୁବାଦ କାହିଁକି ବାହାର କଲୁ ?

ଆମେ ନୂତନ ଜଗତ ଅନୁବାଦ କାହିଁକି ବାହାର କଲୁ ?

କଙ୍ଗୋ (କିନ୍‌ଶାସା)

ରୱାଣ୍ଡା

ତୃତୀୟ କିମ୍ବା ଚତୁର୍ଥ ଶତାବ୍ଦୀର ସାଇମେକସ୍‌ର ଏକ ଖଣ୍ଡ, ଯେଉଁଥିରେ ଗୀତସଂହିତା ୬୯:୩୧ରେ ଈଶ୍ୱରଙ୍କ ନାମ ଦିଆଯାଇଛି

ଯିହୋବାଙ୍କ ସାକ୍ଷୀମାନେ ଅନେକ ଦଶନ୍ଧି ଧରି ବାଇବଲର ଭିନ୍ନ ଭିନ୍ନ ଅନୁବାଦ ଛାପିଲେ, ବାଣ୍ଟିଲେ ଏବଂ ବ୍ୟବହାର କଲେ । କିନ୍ତୁ ପରେ ଆମେ ଏକ ନୂଆ ଅନୁବାଦର ଆବଶ୍ୟକତା ଅନୁଭବ କଲୁ, ଯାହା ଲୋକଙ୍କୁ “ସତ୍ୟ ସମ୍ବନ୍ଧରେ ଜ୍ଞାନ” ପାଇବା ପାଇଁ ଆହୁରି ସାହାଯ୍ୟ କରିବ, କାରଣ ସମସ୍ତଙ୍କ ପାଇଁ ଈଶ୍ୱରଙ୍କ ଏହା ହିଁ ଇଚ୍ଛା ଅଟେ । (୧ ତୀମଥି ୨:୩, ୪) ତେଣୁ ୧୯୫୦ରୁ ଆମେ ଭିନ୍ନ ଭିନ୍ନ ଭାଗରେ ଇଂରାଜୀର ନୂତନ ଜଗତ ଅନୁବାଦ ବାହାର କରିବା ଆରମ୍ଭ କଲୁ । ଏଥିରେ ଆମ ସମୟରେ ପ୍ରଚଳିତ ଭାଷା ବ୍ୟବହାର କରାଯାଇଛି । ଏହି ବାଇବଲର ଅନୁବାଦ ୧୩୦ରୁ ଅଧିକ ଭାଷାରେ କରାଯାଇଛି ଏବଂ ଅନୁବାଦ କିପରି ନିର୍ଭୁଲ ହୋଇପାରିବ, ତାହା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି ।

ଏପରି ଏକ ବାଇବଲ ଆବଶ୍ୟକ ଥିଲା, ଯାହା ସହଜରେ ବୁଝି ହେଉଥିବ । ସମୟ ସହିତ ଭାଷା ମଧ୍ୟ ବଦଳିଥାଏ । ବାଇବଲର ଅନେକ ଅନୁବାଦ ବହୁତ ଆଗରୁ କରାଯାଇଥିଲା । ସେଥିପାଇଁ ସେଗୁଡ଼ିକର ଭାଷା ପୁରୁଣା ହୋଇଯାଇଥିଲା ଏବଂ ଅନେକ ଶବ୍ଦ ବୁଝି ମଧ୍ୟ ହେଉ ନ ଥିଲା । ତାʼ ସହିତ, ବାଇବଲର ଆହୁରି ଅନେକ ପ୍ରାଚୀନ ହସ୍ତଲିପି ମିଳିଲା, ଯେଉଁଗୁଡ଼ିକ ବାଇବଲର ମୂଳ-ହସ୍ତଲିପି ସହିତ ସଠିକ୍‌ ଭାବରେ ମିଶୁଥିଲା । ଏହି ହସ୍ତଲିପିଗୁଡ଼ିକ ସାହାଯ୍ୟରେ ସେହି ସମୟର ଏବ୍ରୀ, ଆରାମୀ ଏବଂ ଗ୍ରୀକ୍‌ ଭାଷାକୁ ଆହୁରି ଭଲ ଭାବେ ବୁଝି ହେଲା, ଯେଉଁ ସମୟରେ ବାଇବଲ ଲେଖାଯାଇଥିଲା ।

ଏପରି ଏକ ବାଇବଲ ଆବଶ୍ୟକ ଥିଲା, ଯେଉଁଥିରେ ଈଶ୍ୱରଙ୍କ ବାକ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନ ଥିବ । ଈଶ୍ୱରଙ୍କ ପ୍ରେରଣାରେ ଲେଖାଯାଇଥିବା ବାକ୍ୟରେ ମନଇଚ୍ଛା ପରିବର୍ତ୍ତନ କରିବା ପରିବର୍ତ୍ତେ ବାଇବଲ ଅନୁବାଦକମାନଙ୍କୁ ପୂରା ସଚ୍ଚୋଟତାର ସହିତ ମୂଳ-ହସ୍ତଲିପିର ସଠିକ୍‌ ଅନୁବାଦ କରିବା ଉଚିତ୍‌ । କିନ୍ତୁ ଅଧିକାଂଶ ଅନୁବାଦଗୁଡ଼ିକରେ ଈଶ୍ୱରଙ୍କ ନାମ ଯିହୋବାକୁ କାଢ଼ି ଦିଆଯାଇଛି ।

ଏପରି ଏକ ବାଇବଲ ଆବଶ୍ୟକ ଥିଲା, ଯାହା ବାଇବଲର ପ୍ରକୃତ ଲେଖକ ଅର୍ଥାତ୍‌ ଯିହୋବାଙ୍କୁ ମହିମା ଦେବ । (୨ ଶାମୁୟେଲ ୨୩:୨) ବାଇବଲର ସବୁଠାରୁ ପୁରୁଣା ହସ୍ତଲିପିଗୁଡ଼ିକରେ ଯିହୋବାଙ୍କ ନାମ ପ୍ରାୟ ୭,୦୦୦ ଥର ଆସେ ଏବଂ ନୂତନ ଜଗତ ଅନୁବାଦରେ ସେହି ସମସ୍ତ ଜାଗାଗୁଡ଼ିକରେ ଏହି ନାମ ପୁଣିଥରେ ଲେଖାଯାଇଛି । ତଳେ ଠିକ୍‌ ସେମିତି ଏକ ହସ୍ତଲିପିର ଚିତ୍ର ଦିଆଯାଇଛି । (ଯାତ୍ରା ପୁସ୍ତକ ୬:୩) ବର୍ଷ ବର୍ଷର ପରିଶ୍ରମ ଓ ଗବେଷଣା ପରେ ନୂତନ ଜଗତ ଅନୁବାଦ ବାଇବଲ ପ୍ରସ୍ତୁତ କରାଯାଇଛି । ଏହାକୁ ପଢ଼ି ବହୁତ ଖୁସି ମିଳେ, କାରଣ ଏହା ଆମକୁ ଈଶ୍ୱରଙ୍କ ଚିନ୍ତାଧାରା ବିଷୟରେ ସଠିକ୍‌ ଭାବରେ କହିଥାଏ । ଆପଣଙ୍କ ପାଖରେ ନିଜ ଭାଷାରେ ନୂତନ ଜଗତ ଅନୁବାଦ ଥାଉ କିମ୍ବା ନ ଥାଉ, ଆମେ ଆପଣଙ୍କୁ ଉତ୍ସାହିତ କରୁ ଯେ ପ୍ରତିଦିନ ଯିହୋବାଙ୍କ ବାକ୍ୟ ପଢ଼ିବାର ଭଲ ଅଭ୍ୟାସ ଜାରି ରଖନ୍ତୁ ।—ଯିହୋଶୂୟ ୧:୮; ଗୀତସଂହିତା ୧:୨, ୩.

  • ଆମକୁ ବାଇବଲର ଏକ ନୂଆ ଅନୁବାଦ କାହିଁକି ଆବଶ୍ୟକ ହେଲା ?

  • ଯଦି କେହି ଈଶ୍ୱରଙ୍କ ଇଚ୍ଛା ଜାଣିବାକୁ ଚାହାନ୍ତି, ତାଙ୍କୁ ପ୍ରତିଦିନ କʼଣ କରିବାକୁ ହେବ ?