इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୭

ଆମ ସଭାଗୁଡ଼ିକରେ କʼଣ ହୁଏ ?

ଆମ ସଭାଗୁଡ଼ିକରେ କʼଣ ହୁଏ ?

ନିଉଜିଲାଣ୍ଡ

ଜାପାନ

ଉଗାଣ୍ଡା

ଲିଥୁଆନିୟା

ଆରମ୍ଭର ଖ୍ରୀଷ୍ଟିୟାନମାନେ ଯେତେବେଳେ ସଭା ପାଇଁ ଏକାଠି ହେଉଥିଲେ, ସେମାନେ ଈଶ୍ୱରଙ୍କ ମହିମା ପାଇଁ ଗୀତ ଗାଉଥିଲେ, ପ୍ରାର୍ଥନା କରୁଥିଲେ ଏବଂ ଶାସ୍ତ୍ରରୁ ପଢ଼ି ତାʼ ଉପରେ ଚର୍ଚ୍ଚା କରୁଥିଲେ । ସେମାନେ କୌଣସି ରୀତିନୀତି ପାଳନ କରୁ ନ ଥିଲେ । (୧ କରିନ୍ଥୀୟ ୧୪:୨୬) ଆଜି ମଧ୍ୟ ଆମ ସଭାଗୁଡ଼ିକ ଠିକ୍‌ ସେହିପରି ହୁଏ ।

ଶିଖାଯାଉଥିବା ବିଷୟଗୁଡ଼ିକ ବାଇବଲ ଆଧାରିତ ଏବଂ ବ୍ୟବହାରିକ ହୋଇଥାଏ । ପ୍ରତ୍ୟେକ ମଣ୍ଡଳୀ ଶନିବାର କିମ୍ବା ରବିବାର ଦିନ ଏକତ୍ରିତ ହୋଇ ୩୦ ମିନିଟ୍‌ର ବାଇବଲ ଆଧାରିତ ଭାଷଣ ଶୁଣନ୍ତି । ଏହି ଭାଷଣରୁ ଆମେ ଜାଣିପାରୁ ଯେ ବର୍ତ୍ତମାନ ଆମେ ଯେଉଁ ସମୟରେ ଅଛୁ, ସେହି ବିଷୟରେ ବାଇବଲ କʼଣ କହେ ଏବଂ ବାଇବଲରେ ଥିବା ବିଭିନ୍ନ ବିଷୟଗୁଡ଼ିକ ଆମ ପାଇଁ କʼଣ ମହତ୍ତ୍ୱ ରଖେ । ଯେତେବେଳେ ବାଇବଲର କୌଣସି ପଦ ପଢ଼ାଯାଏ, ସେତେବେଳେ ଆମ ନିଜ ବାଇବଲରେ ତାକୁ ଦେଖିବା ପାଇଁ ସମସ୍ତଙ୍କୁ ଉତ୍ସାହିତ କରାଯାଏ । ଭାଷଣ ପରେ ଏକ ଘଣ୍ଟାର “ପ୍ରହରୀଦୁର୍ଗ” ଅଧ୍ୟୟନ ହୁଏ, ଯେଉଁଥିରେ ପ୍ରହରୀଦୁର୍ଗର ଅଧ୍ୟୟନ ସଂସ୍କରଣର ଗୋଟିଏ ଲେଖା ଉପରେ ଚର୍ଚ୍ଚା କରାଯାଏ ଏବଂ ସଭାରେ ଉପସ୍ଥିତ ସମସ୍ତେ ଏଥିରେ ଭାଗ ନେଇପାରନ୍ତି । ଏହି ଚର୍ଚ୍ଚାରୁ ଆମେ ଶିଖୁ ଯେ ବାଇବଲର ନିର୍ଦ୍ଦେଶଗୁଡ଼ିକୁ ଜୀବନରେ କେମିତି ଲାଗୁ କରାଯାଏ । ସାରା ଦୁନିଆରେ ଆମର ୧,୧୦,୦୦୦ରୁ ବେଶି ମଣ୍ଡଳୀ ଅଛି ଏବଂ ପ୍ରତି ସପ୍ତାହରେ ପ୍ରତ୍ୟେକ ମଣ୍ଡଳୀରେ ପ୍ରହରୀଦୁର୍ଗର ସମାନ ଲେଖା ଉପରେ ଚର୍ଚ୍ଚା କରାଯାଏ ।

ଆମ ଶିଖାଇବାର ଦକ୍ଷତାକୁ ବଢ଼ାଇବାରେ ସାହାଯ୍ୟ ମିଳେ । ଶନିବାର କିମ୍ବା ରବିବାର ଛଡ଼ା, ଆମେ ସପ୍ତାହର ମଝିରେ ଅନ୍ୟ ଗୋଟିଏ ସନ୍ଧ୍ୟାରେ ଏକାଠି ହେଉ । ଏହି ଦିନ ତିନି ଭାଗବିଶିଷ୍ଟ ଏକ ସଭା ହୁଏ, ଯାହାକୁ ଆମ ଖ୍ରୀଷ୍ଟିୟାନ ଜୀବନ ଏବଂ ସେବା ସଭା କୁହାଯାଏ । ପ୍ରତି ମାସ ଜୀବନ ଏବଂ ସେବା ସଭା ଅନୁଶୀଳନୀ ପୁସ୍ତିକା ଏହି ସଭା ପାଇଁ କାର୍ଯ୍ୟସୂଚୀ ସହିତ ଅଧ୍ୟୟନର ତଥ୍ୟ ଓ ବିଷୟ ଯୋଗାଇଥାଏ । ଏହି ସଭାର ପ୍ରଥମ ଭାଗଟି ହେଉଛି: ପାଆନ୍ତୁ ବାଇବଲର ବହୁମୂଲ୍ୟ ଧନ । ଏଥିରେ ଆମେ ବାଇବଲର ଏକ ନିର୍ଦ୍ଧାରିତ ଅଂଶ ସହିତ ପରିଚିତ ହେଉ, ଯାହା ଆମେ ଆଗରୁ ପଢ଼ି ପ୍ରସ୍ତୁତ ହୋଇ ଆସିଥାଉ । ଦ୍ୱିତୀୟଟି ହେଉଛି: ବଢ଼ାନ୍ତୁ ପ୍ରଚାର ସେବାରେ ଦକ୍ଷତା । ଏଥିରେ ପ୍ରଦର୍ଶନଗୁଡ଼ିକ ମାଧ୍ୟମରେ ଆମେ ଶିଖୁ ଯେ କିପରି ବାଇବଲର ଶିକ୍ଷା ଅନ୍ୟମାନଙ୍କୁ ବୁଝାଇପାରିବୁ । ପରାମର୍ଶଦାତାର ଦାୟିତ୍ୱରେ ଥିବା ଜଣେ ଭାଇ ପ୍ରତ୍ୟେକ ପ୍ରଦର୍ଶନକୁ ଧ୍ୟାନର ସହିତ ଦେଖନ୍ତି ଓ ଶୁଣନ୍ତି, ଯାହାଦ୍ୱାରା ଆମକୁ ନିଜ ପଢ଼ିବା ଓ ଭାଷଣ ଦେବାର ଦକ୍ଷତାକୁ ବଢ଼ାଇବାରେ ସାହାଯ୍ୟ ମିଳିଥାଏ । (୧ ତୀମଥି ୪:୧୩) ତୃତୀୟ ବା ଶେଷ ଭାଗଟି ହେଉଛି: ଜୀଅଁନ୍ତୁ ଖ୍ରୀଷ୍ଟିୟାନମାନଙ୍କ ଭଳି । ଏଥିରେ ଆମେ ଶିଖୁ ଯେ କିପରି ବାଇବଲର ସିଦ୍ଧାନ୍ତଗୁଡ଼ିକୁ ନିଜ ଦୈନନ୍ଦିନ ଜୀବନରେ ଲାଗୁ କରିପାରିବୁ । ଏହା ଛଡ଼ା, ଏଥିରେ ପ୍ରଶ୍ନ-ଉତ୍ତର ମାଧ୍ୟମରେ ଏକ ଚର୍ଚ୍ଚା ହୁଏ, ଯାହାଦ୍ୱାରା ବାଇବଲ ବିଷୟରେ ଆମର ଜ୍ଞାନ ବଢ଼ିଥାଏ ।

ଯେବେ ଆପଣ ଆମ ସଭାକୁ ଆସିବେ, ଆପଣ ନିଜେ ଦେଖିପାରିବେ ଯେ ଏଠାରେ କେତେ ବଢ଼ିଆ ଭାବରେ ବାଇବଲରୁ ଶିକ୍ଷା ଦିଆଯାଏ ।—ଯିଶାଇୟ ୫୪:୧୩.

  • ଯିହୋବାଙ୍କ ସାକ୍ଷୀମାନଙ୍କ ସଭାରେ ଆପଣ କʼଣ ଶିଖିପାରିବେ ?

  • ଆପଣ ଆମ କେଉଁ ସଭାରେ ଆସିବାକୁ ଚାହିଁବେ ?