इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୧୦

ପାରିବାରିକ ଉପାସନା କʼଣ ଅଟେ ?

ପାରିବାରିକ ଉପାସନା କʼଣ ଅଟେ ?

ଦକ୍ଷିଣ କୋରିଆ

ବ୍ରାଜିଲ

ଅଷ୍ଟ୍ରେଲିଆ

ଗିନୀ

ପ୍ରାଚୀନ ସମୟରୁ ଯିହୋବା ଚାହାନ୍ତି ଯେ ପ୍ରତ୍ୟେକ ପରିବାର ଏକା ସାଙ୍ଗରେ ସମୟ ବିତାନ୍ତୁ, ଯାହାଦ୍ୱାରା ପରିବାରର ସମସ୍ତ ସଦସ୍ୟ ଈଶ୍ୱରଙ୍କ ସହିତ ଏବଂ ପରସ୍ପର ମଧ୍ୟରେ ସମ୍ପର୍କ ମଜବୁତ୍‌ କରିପାରିବେ । (ଦ୍ୱିତୀୟ ବିବରଣ ୬:୬, ୭) ସେଥିପାଇଁ ଯିହୋବାଙ୍କ ସାକ୍ଷୀମାନେ ପ୍ରତି ସପ୍ତାହରେ ପାରିବାରିକ ଉପାସନା ପାଇଁ କିଛି ସମୟ ଅଲଗା ରଖନ୍ତି । ଏହି ସମୟରେ ପରିବାରର ସମସ୍ତେ ଆରାମରେ ବସି ବିଭିନ୍ନ ବିଷୟରେ ବାଇବଲରୁ ଚର୍ଚ୍ଚା କରନ୍ତି, ଯେଉଁଥିରୁ ସେମାନଙ୍କୁ ନିଜ ଜୀବନର ସମସ୍ୟାଗୁଡ଼ିକର ସମାଧାନ କିମ୍ବା ପ୍ରଶ୍ନଗୁଡ଼ିକର ଉତ୍ତର ମିଳେ । କିନ୍ତୁ ଯଦି ଆପଣ ଏକୁଟିଆ ରହନ୍ତି, ତେବେ କʼଣ କରିବେ ? ଉପାସନାର ଏହି ସମୟଟି ଈଶ୍ୱରଙ୍କୁ ଭଲଭାବରେ ଜାଣିବା ପାଇଁ ସବୁଠାରୁ ଉତ୍ତମ ସମୟ ହେବ । ଏହି ସମୟରେ ଆପଣ ନିଜ ପସନ୍ଦର ଯେକୌଣସି ବିଷୟରେ ଗଭୀର ଭାବେ ଅଧ୍ୟୟନ କରିପାରିବେ ।

ପାରିବାରିକ ଉପାସନା ଯିହୋବାଙ୍କ ପାଖକୁ ଆସିବାର ସମୟ ଅଟେ । “ଈଶ୍ୱରଙ୍କର ନିକଟବର୍ତ୍ତୀ ହୁଅ, ସେଥିରେ ସେ ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେବେ ।” (ଯାକୁବ ୪:୮) ଯେତେବେଳେ ଆମେ ବାଇବଲରୁ ଯିହୋବାଙ୍କ ବ୍ୟକ୍ତିତ୍ୱ ଏବଂ ତାଙ୍କ କାମଗୁଡ଼ିକ ବିଷୟରେ ଟିକିନିଖି ଶିଖୁ, ଆମେ ତାଙ୍କୁ ଆହୁରି ଭଲ ଭାବରେ ଜାଣିପାରୁ । ପାରିବାରିକ ଉପାସନା ଆରମ୍ଭ କରିବାର ସବୁଠାରୁ ସହଜ ଉପାୟ ହେଉଛି, ସମସ୍ତେ ଏକା ସାଙ୍ଗେ ମିଶି ବାଇବଲ ପଢ଼ିବା । ଜୀବନ ଏବଂ ସେବା ସଭା ପାଇଁ ପ୍ରତି ସପ୍ତାହରେ ବାଇବଲ ପଠନର ଯେଉଁ ତାଲିକା ଦିଆଯାଇଥାଏ, ଆପଣ ସେହି ଅଧ୍ୟାୟଗୁଡ଼ିକୁ ପଢ଼ିପାରିବେ । ପ୍ରତ୍ୟେକ ସଦସ୍ୟ କେଉଁ ଭାଗ ପଢ଼ିବେ, ତାଙ୍କୁ ଆଗରୁ ଆପଣ କହିପାରିବେ । ତାʼପରେ ସମସ୍ତେ ମିଶି ଚର୍ଚ୍ଚା କରିପାରିବେ ଯେ ସେହି ଅଧ୍ୟାୟଗୁଡ଼ିକରୁ ସେମାନେ କʼଣ ଶିଖିଲେ ।

ପାରିବାରିକ ଉପାସନା ପରିବାରରେ ପରସ୍ପର ମଧ୍ୟରେ ସମ୍ପର୍କ ବଢ଼ାଇବାର ସମୟ ଅଟେ । ଯଦି ପରିବାରର ସମସ୍ତେ ମିଶି ବାଇବଲ ଅଧ୍ୟୟନ କରନ୍ତି, ତେବେ ସ୍ୱାମୀ ସ୍ତ୍ରୀ ପରସ୍ପରକୁ ଆହୁରି ଭଲ ଭାବେ ଜାଣିପାରନ୍ତି । ଏହା ସହିତ, ବାପା ମାʼ ଏବଂ ପିଲାମାନଙ୍କ ମଧ୍ୟରେ ସମ୍ପର୍କ ମଜବୁତ୍‌ ହୋଇଥାଏ । ପାରିବାରିକ ଉପାସନା ସମୟରେ ପରିବେଶ ଶାନ୍ତିପୂର୍ଣ୍ଣ ଓ ପ୍ରୀତିକର ହେବା ଉଚିତ୍‌ । ଏହା ଏପରି ସମୟ ହେବା ଉଚିତ୍‌, ଯାହା ପାଇଁ ସମସ୍ତେ ପ୍ରତି ସପ୍ତାହରେ ଆଗ୍ରହର ସହିତ ଅପେକ୍ଷା କରିବେ । ବାପା ମାʼ ନିଜ ପିଲାଙ୍କ ବୟସ ଅନୁସାରେ ଚର୍ଚ୍ଚା କରିବା ପାଇଁ ଏପରି ବିଷୟ ବାଛିପାରିବେ, ଯାହାଦ୍ୱାରା ପିଲାଙ୍କ ଲାଭ ହେବ । ସେମାନେ ପ୍ରହରୀଦୁର୍ଗ ଏବଂ ସଜାଗ ହୁଅ ! ପତ୍ରିକା କିମ୍ବା ଆମ ୱେବ୍‌ସାଇଟ୍‌ jw.orgରେ ଥିବା ସେହି ଲେଖାଗୁଡ଼ିକୁ ବ୍ୟବହାର କରିପାରିବେ, ଯେଉଁଗୁଡ଼ିକ ବିଶେଷତଃ ପିଲାମାନଙ୍କ ଏବଂ କିଶୋର କିଶୋରୀମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । ଯଦି ଆପଣଙ୍କ ପିଲା ସ୍କୁଲରେ କୌଣସି ସମସ୍ୟାର ସାମନା କରୁଛି, ତେବେ ଆପଣ ଚର୍ଚ୍ଚା କରିପାରିବେ ଯେ ସମସ୍ୟାଟିକୁ କିପରି ସମାଧାନ କରାଯାଇପାରିବ । ହୁଏତ JW ପ୍ରସାରଣରେ (tv.pr418.com) ପ୍ରଦର୍ଶିତ ଏକ କାର୍ଯ୍ୟକ୍ରମ ଦେଖିପାରିବେ ଏବଂ ପରେ ତାʼ ବିଷୟରେ ଆଲୋଚନା କରିପାରିବେ । ଯଦି ଆପଣ ଚାହିଁବେ, ଉପାସନା ସମୟରେ ଆସନ୍ତା ସଭାଗୁଡ଼ିକର ଗୀତ ଅଭ୍ୟାସ କରିପାରିବେ ଏବଂ ଶେଷରେ ଚାʼ ଜଳଖିଆର ମଜା ମଧ୍ୟ ନେଇପାରିବେ ।

ପ୍ରତି ସପ୍ତାହରେ ପରିବାରର ସମସ୍ତେ ମିଶି ଯିହୋବାଙ୍କ ଉପାସନା କରିବା କେତେ ଖୁସିର ବିଷୟ ଅଟେ ! ଏହାଦ୍ୱାରା ପରିବାରର ପ୍ରତ୍ୟେକ ସଦସ୍ୟକୁ ଈଶ୍ୱରଙ୍କ ବାକ୍ୟର ଅଧ୍ୟୟନ କରିବାରେ ଖୁସି ମିଳିବ ଏବଂ ଯିହୋବା ଆପଣଙ୍କ ପରିଶ୍ରମ ଉପରେ ଭରପୂର ଆଶିଷ ଦେବେ ।—ଗୀତସଂହିତା ୧:୧-୩.

  • ପାରିବାରିକ ଉପାସନା ପାଇଁ ଆମେ କିଛି ସମୟ ଅଲଗା କାହିଁକି ରଖୁ ?

  • ଏହାକୁ ମଜାଦାର୍‌ କରିବା ପାଇଁ ବାପା ମାʼ କʼଣ କରିପାରିବେ ?