इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୧୪

ଅଗ୍ରଦୂତମାନଙ୍କୁ ତାଲିମ ଦେବା ପାଇଁ କʼଣ ବ୍ୟବସ୍ଥା କରାଯାଇଛି ?

ଅଗ୍ରଦୂତମାନଙ୍କୁ ତାଲିମ ଦେବା ପାଇଁ କʼଣ ବ୍ୟବସ୍ଥା କରାଯାଇଛି ?

ଆମେରିକା

ଗିଲିୟଡ୍‌ ସ୍କୁଲ, ପାଟର୍‌ସନ୍‌, ନ୍ୟୁ ୟର୍କ

ପାନାମା

ଯିହୋବାଙ୍କ ସାକ୍ଷୀମାନଙ୍କ ଏକ ବିଶେଷତା ରହିଛି । ସେମାନଙ୍କୁ ଈଶ୍ୱରଙ୍କଠାରୁ ନିୟମିତ ତାଲିମ ପାଇବାର ବିଶେଷ ସୁଯୋଗ ମିଳିଥାଏ । ଯେଉଁମାନେ ପୂର୍ଣ୍ଣ ସମୟ ରାଜ୍ୟର ପ୍ରଚାର କାମରେ ନିଜକୁ ଉତ୍ସର୍ଗ କରନ୍ତି, ସେମାନଙ୍କୁ ତାଲିମ ଦେବା ପାଇଁ ବିଶେଷ ସ୍କୁଲଗୁଡ଼ିକର ବ୍ୟବସ୍ଥା କରାଯାଇଛି, ଯାହାଦ୍ୱାରା ସେମାନେ ‘ସେବାର କାର୍ଯ୍ୟ ସମ୍ପନ୍ନ କରିପାରନ୍ତି ।’—୨ ତୀମଥି ୪:୫.

ଅଗ୍ରଦୂତ ସେବା ସ୍କୁଲ । ଯେତେବେଳେ ଜଣେ ଅଗ୍ରଦୂତ ନିଜ ପୂର୍ଣ୍ଣ ସମୟ ସେବାର ପ୍ରଥମ ବର୍ଷ ପୂରା କରନ୍ତି, ତାଙ୍କୁ ଏହି ସ୍କୁଲରେ ଉପସ୍ଥିତ ହେବା ପାଇଁ ସୁଯୋଗ ମିଳେ । ଏହି ସ୍କୁଲ ୬ ଦିନ ପର୍ଯ୍ୟନ୍ତ ଚାଲେ ଏବଂ ଏହାକୁ ପାଖରେ ଥିବା କୌଣସି ରାଜ୍ୟଘରେ ରଖାଯାଏ । ଏହି ସ୍କୁଲର ଉଦ୍ଦେଶ୍ୟ ହେଉଛି: ଅଗ୍ରଦୂତମାନଙ୍କୁ ସାହାଯ୍ୟ କରିବା, ଯାହାଦ୍ୱାରା ସେମାନେ ଯିହୋବାଙ୍କ ଆହୁରି ପାଖକୁ ଆସିପାରିବେ, ପ୍ରଚାର କାମର ପ୍ରତ୍ୟେକ କ୍ଷେତ୍ରରେ ଆହୁରି ପ୍ରଭାବଶାଳୀ ହୋଇପାରିବେ ଏବଂ ବିଶ୍ୱସ୍ତତାର ସହିତ ନିଜ ସେବାରେ ଲାଗି ରହିବେ ।

ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲ । ଦୁଇ ମାସ ପର୍ଯ୍ୟନ୍ତ ଚାଲୁଥିବା ଏହି ସ୍କୁଲରେ ଅନୁଭବୀ ଅଗ୍ରଦୂତମାନଙ୍କୁ ତାଲିମ ଦିଆଯାଏ । ଏହି ଅଗ୍ରଦୂତମାନେ ନିଜ ଘରଦ୍ୱାର ଛାଡ଼ି ଏପରି ଜାଗାକୁ ଯାଇ ପ୍ରଚାର କରିବା ପାଇଁ ପ୍ରସ୍ତୁତ ଥାʼନ୍ତି, ଯେଉଁଠାରେ ସେମାନଙ୍କ ଆବଶ୍ୟକତା ଥାଏ । ଏପରି କରିବା ଦ୍ୱାରା ସତେ ଯେପରି ସେମାନେ କହିବାକୁ ଚାହାନ୍ତି, “ମୁଁ ଅଛି; ମୋତେ ପଠାଅ ।” ଏହିପରି ଭାବେ ସେମାନେ ଯୀଶୁ ଖ୍ରୀଷ୍ଟଙ୍କୁ ଅନୁକରଣ କରନ୍ତି, ଯିଏ ଆଜି ପର୍ଯ୍ୟନ୍ତ ପୃଥିବୀରେ ସେବା କରିଥିବା ସବୁଠାରୁ ମହାନ ପ୍ରଚାରକ ଅଟନ୍ତି । (ଯିଶାଇୟ ୬:୮; ଯୋହନ ୭:୨୯) ନିଜ ଘର ଛାଡ଼ିବା ପରେ ହୁଏତ ସେମାନଙ୍କୁ ଏମିତି ଜାଗାରେ ରହିବାକୁ ହୁଏ, ଯେଉଁଠାର ଜୀବନଶୈଳୀ ଅତି ସରଳ ହୋଇଥାଏ । ସେହି ଜାଗାର ସଂସ୍କୃତି, ପାଣିପାଗ ଏବଂ ଖାଇବା ପିଇବା ତାଙ୍କ ନିଜ ଅଞ୍ଚଳଠାରୁ ପୂରାପୂରି ଅଲଗା ହୋଇପାରେ । ହୁଏତ ତାଙ୍କୁ ନୂଆ ଭାଷା ଶିଖିବାକୁ ପଡ଼େ । ଏହି ସ୍କୁଲରେ ୨୩ ରୁ ୬୫ ବର୍ଷ ବୟସର ଅବିବାହିତ ଭାଇଭଉଣୀ ଏବଂ ବିବାହିତ ଦମ୍ପତିମାନେ ନିଜ ଭିତରେ ଏମିତି ଖ୍ରୀଷ୍ଟିୟାନ ଗୁଣ ବଢ଼ାଇବା ଶିଖନ୍ତି, ଯାହା ସେମାନଙ୍କ ସେବାରେ ଦରକାର ହେବ । ଏହା ସହିତ, ସେମାନେ ଏପରି କୌଶଳ ଶିଖନ୍ତି, ଯାହାଦ୍ୱାରା ସେମାନେ ଯିହୋବା ଏବଂ ତାଙ୍କ ସଂଗଠନର ନିର୍ଦ୍ଦେଶ ଅନୁସାରେ ଅଧିକରୁ ଅଧିକ ସେବା କରିପାରିବେ ।

ୱାଚ୍‌ଟାୱର ବାଇବଲ ସ୍କୁଲ ଅଫ୍‌ ଗିଲିୟଡ୍‌ । ଏବ୍ରୀ ଭାଷାରେ “ଗିଲିୟଡ୍‌” ଶବ୍ଦର ଯେଉଁ ଅର୍ଥ ରହିଛି, ତାʼର “ସାକ୍ଷ୍ୟ ଦେବା” ସହିତ ସମ୍ବନ୍ଧ ରହିଛି । ଗିଲିୟଡ୍‌ ସ୍କୁଲ ୧୯୪୩ ମସିହାରେ ଆରମ୍ଭ ହୋଇଥିଲା । ସେହି ସମୟରୁ ଆଜି ପର୍ଯ୍ୟନ୍ତ ଏହି ସ୍କୁଲରୁ ତାଲିମ ଦିଆଯାଇଥିବା ୮,୦୦୦ରୁ ଅଧିକ ଭାଇଭଉଣୀଙ୍କୁ “ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ” ପ୍ରଚାର କରିବା ପାଇଁ ମିଶନାରୀ ଭାବରେ ପଠାଯାଇଛି । (ପ୍ରେରିତ ୧୩:୪୭) ଏହି କାମରେ ସେମାନେ ବହୁତ ସଫଳ ହୋଇଛନ୍ତି । ପେରୁ ଦେଶରେ ଯେତେବେଳେ ମିଶନାରୀମାନେ ପ୍ରଥମେ ଆସିଥିଲେ, ସେଠାରେ ଗୋଟିଏ ମଧ୍ୟ ମଣ୍ଡଳୀ ନ ଥିଲା । କିନ୍ତୁ ଆଜି ସେଠାରେ ୧,୦୦୦ରୁ ଅଧିକ ମଣ୍ଡଳୀ ଅଛି । ଯେତେବେଳେ ଆମ ମିଶନାରୀମାନେ ଜାପାନରେ ସେବା ଆରମ୍ଭ କଲେ, ସେଠାରେ ୧୦ରୁ ମଧ୍ୟ କମ୍‌ ସାକ୍ଷୀ ଥିଲେ । କିନ୍ତୁ ଆଜି ସେଠାରେ ୨,୦୦,୦୦୦ରୁ ମଧ୍ୟ ଅଧିକ ସାକ୍ଷୀ ଅଛନ୍ତି । ପାଞ୍ଚ ମାସର ଏହି ଗିଲିୟଡ୍‌ ସ୍କୁଲରେ ବାଇବଲର ଗଭୀର ଭାବରେ ଅଧ୍ୟୟନ ମଧ୍ୟ କରାଯାଏ । ଏହି ସ୍କୁଲରେ ଏପରି ଖ୍ରୀଷ୍ଟିୟାନମାନଙ୍କୁ ନିମନ୍ତ୍ରଣ କରାଯାଏ, ଯେଉଁମାନେ ବିଶେଷ ଅଗ୍ରଦୂତ ଅଟନ୍ତି, ଶାଖା କାର୍ଯ୍ୟାଳୟରେ କାମ କରନ୍ତି, ଆଞ୍ଚଳିକ ନିର୍ଦ୍ଦେଶକ ଅଟନ୍ତି କିମ୍ବା ପୂରା ସମୟ ପ୍ରଚାର କାମ କରୁଥିବା ମିଶନାରୀ ଅଟନ୍ତି । ବିଶ୍ୱାସରେ ମଜବୁତ୍‌ ହେବା ପାଇଁ ଏବଂ ସାରା ପୃଥିବୀରେ ହେଉଥିବା ପ୍ରଚାର କାମକୁ ଆଗକୁ ବଢ଼ାଇବା ପାଇଁ ସେମାନଙ୍କୁ ସବୁ ପ୍ରକାର ତାଲିମ ଦିଆଯାଏ ।

  • ଅଗ୍ରଦୂତ ସେବା ସ୍କୁଲର ଉଦ୍ଦେଶ୍ୟ କʼଣ ?

  • ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲ କେଉଁମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ?