इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୧୯

ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ କିଏ ?

ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ କିଏ ?

ଆଧ୍ୟାତ୍ମିକ ଭୋଜନରୁ ଆମ ସମସ୍ତଙ୍କୁ ଲାଭ ମିଳେ

ଯୀଶୁ ନିଜ ମୃତ୍ୟୁର କିଛି ସମୟ ପୂର୍ବେ ନିଜ ଚାରି ଶିଷ୍ୟ ପିତର, ଯାକୁବ, ଯୋହନ ଏବଂ ଆନ୍ଦ୍ରିୟଙ୍କ ସହିତ ଏକାନ୍ତରେ କଥା ହେଉଥିଲେ । ସେ କହୁଥିଲେ ଯେ ଜଗତର ଶେଷକାଳରେ ତାଙ୍କ ଉପସ୍ଥିତିର କି କି ଲକ୍ଷଣ ଦେଖାଯିବ । ସେହି ସମୟରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଲେ: “ପ୍ରଭୁ ଆପଣା ପରିଜନମାନଙ୍କୁ ଯଥା ସମୟରେ ପଡ଼ି ଦେବା ନିମନ୍ତେ ଯାହାକୁ ସେମାନଙ୍କ ଉପରେ ନିଯୁକ୍ତ କଲେ, ଏପରି ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ କିଏ ?” (ମାଥିଉ ୨୪:୩, ୪୫; ମାର୍କ ୧୩:୩, ୪) ଯୀଶୁ ଏଠାରେ ଶାରୀରିକ ପଡ଼ି କିମ୍ବା ଭୋଜନ ବିଷୟରେ କହୁ ନ ଥିଲେ । ଏହି ଭୋଜନର ଅର୍ଥ ଥିଲା, ଈଶ୍ୱରଙ୍କ ଜ୍ଞାନ । ଯୀଶୁ ନିଜ ଶିଷ୍ୟମାନଙ୍କୁ ପ୍ରତିଶ୍ରୁତି ଦେଉଥିଲେ ଯେ ସେ ସେମାନଙ୍କ “ପ୍ରଭୁ” ହୋଇଥିବାରୁ ନିଜ ଦାସଙ୍କୁ ନିଯୁକ୍ତ କରିବେ, ଯିଏ ଶେଷକାଳରେ ତାଙ୍କ ଅନୁଗାମୀମାନଙ୍କୁ ଆଧ୍ୟାତ୍ମିକ ଭୋଜନ ଯୋଗାଉଥିବେ । ସେହି ଦାସ କିଏ ?

ଏହା ଯୀଶୁଙ୍କ ଅଭିଷିକ୍ତ ଶିଷ୍ୟମାନଙ୍କ ଦ୍ୱାରା ଗଠିତ ଏକ ଛୋଟ ସମୂହ ଅଟେ । ଏହି “ଦାସ” ଯିହୋବାଙ୍କ ସାକ୍ଷୀମାନଙ୍କ ପ୍ରଶାସନ ଦଳ ଅଟେ । ଏହା ନିଜ ସହଉପାସକମାନଙ୍କୁ ଠିକ୍‌ ସମୟରେ ଆଧ୍ୟାତ୍ମିକ ଭୋଜନ ଯୋଗାଇଥାଏ । ଆମେ ଏହି ବିଶ୍ୱସ୍ତ ଦାସଙ୍କ ଉପରେ ନିର୍ଭର କରୁ, ଯେଉଁମାନେ ଆମକୁ ‘ଯଥାସମୟରେ ନିରୂପିତ ଭୋଜନ ଯୋଗାଇଥାʼନ୍ତି ।’—ଲୂକ ୧୨:୪୨.

ଏହା ଈଶ୍ୱରଙ୍କ ପରିବାରର ଯତ୍ନ ନିଏ । (୧ ତୀମଥି ୩:୧୫) ଯୀଶୁ ଏହି ଦାସଙ୍କୁ ପୃଥିବୀରେ ଥିବା ଯିହୋବାଙ୍କ ସଂଗଠନକୁ ପରିଚାଳନା କରିବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲେ, ଯେପରି ଏହାର ସମ୍ପତ୍ତିର ରକ୍ଷଣାବେକ୍ଷଣ କରିବା, ପ୍ରଚାର କାମ ବିଷୟରେ ନିର୍ଦ୍ଦେଶ ଦେବା ଏବଂ ମଣ୍ଡଳୀ ମାଧ୍ୟମରେ ଆମକୁ ଶିକ୍ଷା ଦେବା । “ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ” ସଭା, ସମ୍ମିଳନୀ ଏବଂ ପ୍ରକାଶନଗୁଡ଼ିକ ମାଧ୍ୟମରେ ଆମକୁ ଠିକ୍‌ ସେହି ସମୟରେ ଆଧ୍ୟାତ୍ମିକ ଭୋଜନ ଯୋଗାଇଥାʼନ୍ତି, ଯେତେବେଳେ ଆମକୁ ଏହା ଆବଶ୍ୟକ ହୋଇଥାଏ ।

ଏହି ଦାସ ବିଶ୍ୱସ୍ତ ଅଟନ୍ତି, କାରଣ ସେମାନେ ବାଇବଲର ସତ୍ୟକୁ ନିର୍ଭୁଲ ଭାବରେ ଲୋକଙ୍କଠାରେ ପହଞ୍ଚାଇଥାʼନ୍ତି ଏବଂ ଖୁସିର ଖବରକୁ ଉତ୍ସାହର ସହିତ ପ୍ରଚାର କରନ୍ତି । ଏହି ଦାସଙ୍କୁ ବୁଦ୍ଧିମାନ ମଧ୍ୟ କୁହାଯାଏ, କାରଣ ସେମାନେ ଯୀଶୁଙ୍କ ଦ୍ୱାରା ଦିଆଯାଇଥିବା ଦାୟିତ୍ୱକୁ ବୁଦ୍ଧିର ସହିତ ତୁଲାଉଛନ୍ତି । (ପ୍ରେରିତ ୧୦:୪୨) ଏହି ଦାସଙ୍କ ଉପରେ ନିଶ୍ଚିତ ଭାବେ ଯିହୋବାଙ୍କ ଆଶିଷ ରହିଛି, କାରଣ ଏହାଦ୍ୱାରା ଆଜି ବହୁ ମାତ୍ରାରେ ଆଧ୍ୟାତ୍ମିକ ଭୋଜନ ଦିଆଯାଉଛି ଏବଂ ଅନେକ ଲୋକ ଯିହୋବାଙ୍କ ସଂଗଠନ ଆଡ଼କୁ ଆକର୍ଷିତ ହେଉଛନ୍ତି ।—ଯିଶାଇୟ ୬୦:୨୨; ୬୫:୧୩.

  • ଯୀଶୁ ନିଜ ଶିଷ୍ୟମାନଙ୍କୁ ଆଧ୍ୟାତ୍ମିକ ଭୋଜନ ଯୋଗାଇବା ପାଇଁ କାହାକୁ ନିଯୁକ୍ତ କରିଛନ୍ତି ?

  • ଏହି ଦାସ କେଉଁ ଅର୍ଥରେ ବିଶ୍ୱସ୍ତ ଅଟନ୍ତି ଏବଂ ବୁଦ୍ଧିର ସହିତ କାମ କରନ୍ତି ?