इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୨୦

ପ୍ରଶାସନ ଦଳ ଆଜି କିପରି କାମ କରେ ?

ପ୍ରଶାସନ ଦଳ ଆଜି କିପରି କାମ କରେ ?

ପ୍ରଥମ ଶତାବ୍ଦୀର ପ୍ରଶାସନ ଦଳ

ପ୍ରଶାସନ ଦଳର ଚିଠି ପଢ଼ାଯାଉଛି

ପ୍ରଥମ ଶତାବ୍ଦୀରେ ଏକ ଛୋଟ ସମୂହ ପ୍ରଶାସନ ଦଳ ଭାବରେ କାର୍ଯ୍ୟ କରୁଥିଲା । ଏହି ସମୂହ “ଯିରୂଶାଲମସ୍ଥ ପ୍ରେରିତ ଓ ପ୍ରାଚୀନମାନଙ୍କ” ଦ୍ୱାରା ଗଠିତ ହୋଇଥିଲା ଏବଂ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କ ସମ୍ପୂର୍ଣ୍ଣ ମଣ୍ଡଳୀ ତରଫରୁ ଜରୁରୀ ନିଷ୍ପତ୍ତି ନେଉଥିଲା । (ପ୍ରେରିତ ୧୫:୨) ଯେତେବେଳେ ସେମାନଙ୍କୁ କୌଣସି ବିଷୟରେ ନିଷ୍ପତ୍ତି ନେବାକୁ ପଡ଼ୁଥିଲା, ସେମାନେ ଦେଖୁଥିଲେ ଯେ ଏହା ବିଷୟରେ ଶାସ୍ତ୍ର କʼଣ କହେ ଏବଂ ଈଶ୍ୱରଙ୍କ ପବିତ୍ର ଶକ୍ତିର ନିର୍ଦ୍ଦେଶ ଅନୁସାରେ ଏକମତ ହୋଇ ନିଷ୍ପତ୍ତି ନେଉଥିଲେ । (ପ୍ରେରିତ ୧୫:୨୫) ଆଜିର ପ୍ରଶାସନ ଦଳ ମଧ୍ୟ ଠିକ୍‌ ସେହିପରି କାମ କରେ ।

ଏହା ଜରିଆରେ ଈଶ୍ୱର ନିଜ ଇଚ୍ଛା ପୂରଣ କରୁଛନ୍ତି । ପ୍ରଶାସନ ଦଳରେ ଯେଉଁ ଅଭିଷିକ୍ତ ଭାଇମାନେ ସେବା କରନ୍ତି, ସେମାନେ ଈଶ୍ୱରଙ୍କ ବାକ୍ୟରେ ଗଭୀର ଆଗ୍ରହ ରଖନ୍ତି । ସଂଗଠନକୁ କିପରି ପରିଚାଳନା କରାଯିବା ଉଚିତ୍‌ ଏବଂ ବାଇବଲର ପ୍ରଶ୍ନଗୁଡ଼ିକର ଉତ୍ତର କିପରି ମିଳେ, ଏହା ବିଷୟରେ ସେମାନଙ୍କ ବେଶ୍‌ ଅନୁଭବ ଥାଏ । ପ୍ରତ୍ୟେକ ସପ୍ତାହରେ ସେମାନଙ୍କ ଗୋଟିଏ ବୈଠକ ହୁଏ, ଯେଉଁଥିରେ ସେମାନେ ସାରା ପୃଥିବୀର ଆମ ଭାଇମାନଙ୍କ ଆବଶ୍ୟକତା ବିଷୟରେ ଆଲୋଚନା କରନ୍ତି । ସେମାନେ ମଣ୍ଡଳୀଗୁଡ଼ିକୁ ବାଇବଲରୁ ପରାମର୍ଶ ଦେବା ପାଇଁ ଚିଠି ଲେଖନ୍ତି, କିମ୍ବା ସର୍କିଟ ଅଧ୍ୟକ୍ଷ ଏବଂ ଅନ୍ୟମାନଙ୍କୁ ସେମାନଙ୍କ ପାଖକୁ ପଠାନ୍ତି, ଠିକ୍‌ ଯେପରି ପ୍ରଥମ ଶତାବ୍ଦୀରେ କରାଯାଉଥିଲା । ଏହାଦ୍ୱାରା ଈଶ୍ୱରଙ୍କ ଲୋକମାନଙ୍କ ଚିନ୍ତାଧାରା ଏବଂ କାମରେ ଏକତା ବଜାୟ ରହେ । (ପ୍ରେରିତ ୧୬:୪, ୫) ପ୍ରଶାସନ ଦଳ ସମସ୍ତଙ୍କୁ ପ୍ରଚାର କାମରେ ଆଗ୍ରହର ସହିତ ଭାଗ ନେବା ପାଇଁ ଉତ୍ସାହିତ କରେ । ଏହାର ତତ୍ତ୍ୱାବଧାନରେ ହିଁ ଆଧ୍ୟାତ୍ମିକ ଭୋଜନ ପ୍ରସ୍ତୁତ କରାଯାଏ ଏବଂ ଭାଇମାନଙ୍କୁ ଦାୟିତ୍ୱପୂର୍ଣ୍ଣ ପଦରେ ନିଯୁକ୍ତ କରାଯାଏ ।

ଏହା ଈଶ୍ୱରଙ୍କ ପବିତ୍ର ଶକ୍ତିର ନିର୍ଦ୍ଦେଶକୁ ସାଙ୍ଗେ ସାଙ୍ଗେ ପାଳନ କରେ । ପ୍ରଶାସନ ଦଳ ସାରା ବିଶ୍ୱର ଶାସନକର୍ତ୍ତା ଯିହୋବା ଏବଂ ମଣ୍ଡଳୀର ମସ୍ତକ ଯୀଶୁଙ୍କ ମାର୍ଗଦର୍ଶନ ଅନୁସାରେ ତାʼର ପ୍ରତ୍ୟେକ କାର୍ଯ୍ୟ କରେ । (୧ କରିନ୍ଥୀୟ ୧୧:୩; ଏଫିସୀୟ ୫:୨୩) ଏହାର ସଦସ୍ୟମାନେ ନିଜକୁ ଈଶ୍ୱରଙ୍କ ଲୋକମାନଙ୍କ ନେତା ବୋଲି ଭାବନ୍ତି ନାହିଁ । ସେମାନେ ଅନ୍ୟ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କ ସହିତ ମିଶି “ମେଷଶାବକ [ଯୀଶୁ] ଯେକୌଣସି ସ୍ଥାନକୁ ଗମନ କରନ୍ତି, ସେ ସ୍ଥାନକୁ ସେମାନେ ତାହାଙ୍କର ଅନୁଗାମୀ ହୁଅନ୍ତି ।” (ପ୍ରକାଶିତ ବାକ୍ୟ ୧୪:୪) ଆମେ ସେମାନଙ୍କ ପାଇଁ କରୁଥିବା ପ୍ରାର୍ଥନାକୁ ପ୍ରଶାସନ ଦଳ ଖୁବ୍‌ ପ୍ରଶଂସା କରନ୍ତି ।

  • ପ୍ରଥମ ଶତାବ୍ଦୀର ପ୍ରଶାସନ ଦଳ କେଉଁମାନଙ୍କୁ ନେଇ ଗଠିତ ହୋଇଥିଲା ?

  • ଆଜି ପ୍ରଶାସନ ଦଳ କିପରି ଈଶ୍ୱରଙ୍କ ନିର୍ଦ୍ଦେଶ ପାଇବା ପାଇଁ ଚେଷ୍ଟା କରେ ?