इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୨୪

ସାରା ପୃଥିବୀରେ ଚାଲୁଥିବା ଆମ କାମ ପାଇଁ ପଇସା କେଉଁଠୁ ଆସେ ?

ସାରା ପୃଥିବୀରେ ଚାଲୁଥିବା ଆମ କାମ ପାଇଁ ପଇସା କେଉଁଠୁ ଆସେ ?

ନେପାଳ

ଟୋଗୋ

ବ୍ରିଟେନ୍‌

ଆମ ସଂଗଠନ ପ୍ରତିବର୍ଷ ଲକ୍ଷ ଲକ୍ଷ ବାଇବଲ ଏବଂ ଅନ୍ୟାନ୍ୟ ପ୍ରକାଶନ ଛାପି ବିନା ମୂଲ୍ୟରେ ଲୋକଙ୍କ ପାଖକୁ ପଠାଏ । ଆମେ ରାଜ୍ୟଘର ଏବଂ ଶାଖା କାର୍ଯ୍ୟାଳୟଗୁଡ଼ିକର ନିର୍ମାଣ କରୁ ଏବଂ ସେଗୁଡ଼ିକର ରକ୍ଷଣାବେକ୍ଷଣ ମଧ୍ୟ କରୁ । ଆମେ ବୈଥେଲ ପରିବାରର ହଜାର ହଜାର ସଦସ୍ୟ ଏବଂ ମିଶନାରୀମାନଙ୍କ ଖର୍ଚ୍ଚ ଉଠାଇଥାଉ ଏବଂ ବିପତ୍ତି ସମୟରେ ଭାଇଭଉଣୀଙ୍କୁ ସାହାଯ୍ୟ କରିଥାଉ । ତେଣୁ ଆପଣ ଭାବିପାରନ୍ତି, ‘ଏହିସବୁ କାମ ପାଇଁ ପଇସା କେଉଁଠୁ ଆସେ ?’

ଆମେ ନା କେବେ ରୋଜଗାରର ଦଶମାଂଶ ମାଗୁ, ନା ଥଳି ବୁଲାଇ ଚାନ୍ଦା ମାଗୁ । ଏହା ସତ ଯେ ରାଜ୍ୟର ପ୍ରଚାର କାମରେ ବହୁତ ଖର୍ଚ୍ଚ ହୋଇଥାଏ । ତଥାପି ଆମେ କାହାରିକୁ ପଇସା ମାଗି ନ ଥାଉ । ଆଜିଠାରୁ ପ୍ରାୟ ଶହେ ବର୍ଷ ପୂର୍ବେ ପ୍ରହରୀଦୁର୍ଗ ପତ୍ରିକାର ଦ୍ୱିତୀୟ ସଂସ୍କରଣରେ କୁହାଯାଇଥିଲା—ଆମର ପୂରା ବିଶ୍ୱାସ ଅଛି ଯେ ଯିହୋବା ଆମ ସହିତ ଅଛନ୍ତି ଏବଂ ଆମେ ‘ମଣିଷମାନଙ୍କ ଆଗରେ କେବେ ମଧ୍ୟ ହାତ ପାତି ମାଗିବୁ ନାହିଁ, କି ସାହାଯ୍ୟ ପାଇଁ ସେମାନଙ୍କୁ ଅନୁରୋଧ କରିବୁ ନାହିଁ ।’ ଆଜି ପର୍ଯ୍ୟନ୍ତ ଆମକୁ ଏପରି କରିବାର ଆବଶ୍ୟକତା କେବେ ମଧ୍ୟ ହୋଇ ନାହିଁ ।—ମାଥିଉ ୧୦:୮.

ଆମ କାମ ସ୍ୱେଚ୍ଛାରେ ଦିଆଯାଉଥିବା ଦାନ ଦ୍ୱାରା ଚାଲେ । ଅନେକ ଲୋକ ବାଇବଲରୁ ଦିଆଯାଉଥିବା ଆମ ଶିକ୍ଷାକୁ ପ୍ରଶଂସା କରନ୍ତି ଏବଂ ନିଜ ଇଚ୍ଛାରେ ଏହି କାମ ପାଇଁ ଦାନ ଦିଅନ୍ତି । ସାରା ପୃଥିବୀରେ ଯିହୋବାଙ୍କ ସାକ୍ଷୀମାନେ ଖୁସିର ସହିତ ନିଜ ସମୟ, ଶକ୍ତି, ସମ୍ପତ୍ତି ଏବଂ ସବୁକିଛି ଈଶ୍ୱରଙ୍କ ଇଚ୍ଛା ପୂରା କରିବାରେ ଲଗାନ୍ତି । (୧ ବଂଶାବଳୀ ୨୯:୯) ରାଜ୍ୟଘରେ ଏବଂ ଆମ ସମ୍ମିଳନୀ ଓ ଅଧିବେଶନଗୁଡ଼ିକରେ ଦାନ ବାକ୍ସଗୁଡ଼ିକ ରଖାଯାଏ । ସେଥିରେ ଯିଏ ନିଜ ଇଚ୍ଛାରେ ଦାନ ଦେବା ପାଇଁ ଚାହିଁବେ, ସେ ଦେଇପାରିବେ । କିମ୍ବା ଆମ ୱେବ୍‌ସାଇଟ୍‌ jw.org ମାଧ୍ୟମରେ ମଧ୍ୟ ଦାନ ଦିଆଯାଇପାରିବ । ସାଧାରଣତଃ, ଯେଉଁମାନେ ଦାନ ଦିଅନ୍ତି, ସେମାନେ ଧନୀ ହୋଇ ନ ଥାʼନ୍ତି । ଠିକ୍‌ ସେହି ବିଧବା ଭଳି, ଯିଏ ମନ୍ଦିରରେ ଦାନ ପାତ୍ରରେ କେବଳ ଦୁଇଟି ଛୋଟ ମୁଦ୍ରା ଦେଇଥିଲେ ଏବଂ ଯାହାକୁ ଯୀଶୁ ପ୍ରଶଂସା କରିଥିଲେ । (ଲୂକ ୨୧:୧-୪) ତେଣୁ କେହି ମଧ୍ୟ, ଏପରିକି ସେ ଗରିବ ହୋଇଥାଉ ନା କାହିଁକି, ନିୟମିତ “କିଛି ସଞ୍ଚୟ କରି” ଅଲଗା ରଖିପାରିବ । ଏହାଦ୍ୱାରା ସେ “ଆପଣା ହୃଦୟରେ ଯେପରି ସଂକଳ୍ପ କରିଅଛି,” ସେତିକି ଦାନ ଦେଇପାରିବ ।—୧ କରିନ୍ଥୀୟ ୧୬:୨; ୨ କରିନ୍ଥୀୟ ୯:୭.

ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ‘ଆପଣା ଧନରେ ଯିହୋବାଙ୍କର ଆଦର’ କରିବାକୁ ଚାହାନ୍ତି । (ହିତୋପଦେଶ ୩:୯) ଆମେ ନିଶ୍ଚିତ ଯେ ଯିହୋବା ଏହି ଲୋକମାନଙ୍କ ହୃଦୟକୁ ପ୍ରେରଣା ଦେବେ, ଯାହାଦ୍ୱାରା ରାଜ୍ୟର କାମକୁ ସହଯୋଗ ମିଳିବ ଏବଂ ତାଙ୍କ ଇଚ୍ଛା ପୂରଣ ହୋଇପାରିବ ।

  • ଆମ ସଂଗଠନ କିପରି ଅନ୍ୟ ଧର୍ମଗୁଡ଼ିକଠାରୁ ଭିନ୍ନ ଅଟେ ?

  • ସ୍ୱେଚ୍ଛାରେ ଦିଆଯାଉଥିବା ଦାନକୁ କିପରି ବ୍ୟବହାର କରାଯାଏ ?