इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଦୁଇ ଅଧ୍ୟାୟ

ବାଇବଲ—ଈଶ୍ୱରଙ୍କ ତରଫରୁ ଏକ ବହି

ବାଇବଲ—ଈଶ୍ୱରଙ୍କ ତରଫରୁ ଏକ ବହି

୧, ୨. ବାଇବଲ କାହିଁକି ଈଶ୍ୱରଙ୍କ ତରଫରୁ ମିଳିଥିବା ଏକ ବହୁମୂଲ୍ୟ ଉପହାର ଅଟେ ?

 ଯେତେବେଳେ ଆପଣଙ୍କ କୌଣସି ବନ୍ଧୁ ଏକ ଉପହାର ଦେଇ ଆପଣଙ୍କୁ ବିସ୍ମିତ କରିଦିଅନ୍ତି, ଆପଣ କିପରି ଅନୁଭବ କରନ୍ତି ? ଆପଣ ବିଳମ୍ବ ନ କରି ତାକୁ ଖୋଲି ଦେଖନ୍ତି ଏବଂ ଏହା ଜାଣି ଆନନ୍ଦରେ ଭରିଯାʼନ୍ତି ଯେ ଆପଣଙ୍କ ବନ୍ଧୁ ଆପଣଙ୍କ ପାଇଁ ଚିନ୍ତା କରନ୍ତି । ଏଥିପାଇଁ ତାଙ୍କୁ ଧନ୍ୟବାଦ ନ ଦେଇ ଆପଣ ରହିପାରନ୍ତି ନାହିଁ ।

ବାଇବଲ ମଧ୍ୟ ଈଶ୍ୱରଙ୍କ ତରଫରୁ ଏକ ଉପହାର ଅଟେ । ଏଥିରୁ ଆମେ ଏପରି ତଥ୍ୟ ଓ ଜ୍ଞାନ ପାଉ, ଯାହା ଅନ୍ୟ କୌଣସି ବହିରେ ପାଇପାରିବା ନାହିଁ । ଉଦାହରଣସ୍ୱରୂପ, ଏହା ଆମକୁ କହେ ଯେ ଈଶ୍ୱର ସ୍ୱର୍ଗକୁ ସୃଷ୍ଟି କଲେ, ତାʼପରେ ପୃଥିବୀ ଏବଂ ପୃଥିବୀରେ ପ୍ରଥମ ପୁରୁଷ ଓ ସ୍ତ୍ରୀକୁ ସୃଷ୍ଟି କଲେ । ଏଥିରେ ଏପରି ପରାମର୍ଶ ଓ ସିଦ୍ଧାନ୍ତଗୁଡ଼ିକ ରହିଛି, ଯାହା ଆମକୁ ଜୀବନର ସମସ୍ୟାଗୁଡ଼ିକୁ ସାମନା କରିବା ପାଇଁ ସାହାଯ୍ୟ କରିଥାଏ । ବାଇବଲରୁ ଆମେ ଜାଣିପାରୁ ଯେ ପୃଥିବୀରେ ଏକ ଉତ୍ତମ ପରିସ୍ଥିତି ଆଣିବା ପାଇଁ ଈଶ୍ୱରଙ୍କ ଯେଉଁ ଉଦ୍ଦେଶ୍ୟ ରହିଛି, ତାହା ସେ ନିଶ୍ଚୟ ପୂରଣ କରିବେ । ବାଇବଲ ପ୍ରକୃତରେ ଆମ ପାଇଁ ଏକ ବହୁମୂଲ୍ୟ ଉପହାର ଅଟେ !

୩. ବାଇବଲ ଅଧ୍ୟୟନ ଜାରି ରଖିବା ଦ୍ୱାରା ଆପଣ କʼଣ ଜାଣିବାକୁ ପାଇବେ ?

ଈଶ୍ୱର ଚାହାନ୍ତି ଯେ ଆପଣ ତାହାଙ୍କ ମିତ୍ର ହୁଅନ୍ତୁ । ଯେତେବେଳେ ଆପଣ ବାଇବଲ ଅଧ୍ୟୟନ କରିବା ଜାରି ରଖିବେ, ଏହି ସତ୍ୟତାକୁ ଆହୁରି ଭଲ ଭାବେ ଜାଣିପାରିବେ । ଆପଣ ଯେତେ ଅଧିକ ତାହାଙ୍କ ବିଷୟରେ ଶିଖିବେ, ସେତେ ଅଧିକ ତାହାଙ୍କ ସହିତ ଆପଣଙ୍କ ମିତ୍ରତା ଘନିଷ୍ଠ ହେବ ।

୪. ବାଇବଲ ଅନ୍ୟ ସମସ୍ତ ବହିଠାରୁ କିପରି ସମ୍ପୂର୍ଣ୍ଣ ଭିନ୍ନ ଅଟେ ?

ଆଜି ବାଇବଲକୁ ପ୍ରାୟ ୨,୮୦୦ ଭାଷାରେ ଅନୁବାଦ କରାଯାଇଛି ଏବଂ କୋଟି କୋଟି ସଂଖ୍ୟାରେ ଛପା ଯାଇଛି । ସାରା ପୃଥିବୀରେ ଶତକଡ଼ା ୯୦ ଭାଗରୁ ଅଧିକ ଲୋକ ସେମାନଙ୍କ ନିଜ ଭାଷାରେ ବାଇବଲ ପଢ଼ିପାରିବେ । ଏହା ଛଡ଼ା, ପ୍ରତି ସପ୍ତାହରେ ଦଶ ଲକ୍ଷରୁ ଅଧିକ ଲୋକଙ୍କୁ ବାଇବଲ ଯୋଗାଇ ଦିଆଯାଏ ! ହଁ, ପ୍ରକୃତରେ ବାଇବଲ ଅନ୍ୟ ସମସ୍ତ ବହିଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ ।

୫. ଆମେ କାହିଁକି କହିପାରିବା ଯେ ବାଇବଲ “ଈଶ୍ୱର ନିଶ୍ୱସିତ” ଅଟେ ?

ବାଇବଲ “ଈଶ୍ୱର ନିଶ୍ୱସିତ” ଅଟେ, ଅର୍ଥାତ୍‌ ଏହା ଈଶ୍ୱରଙ୍କ ପ୍ରେରଣାରେ ଲେଖାଯାଇଛି । (୨ ତୀମଥି ୩:୧୬ ପଢ଼ନ୍ତୁ ।) କିନ୍ତୁ କିଛି ଲୋକ ଭାବିପାରନ୍ତି, ‘ବାଇବଲ ତ ମଣିଷମାନଙ୍କ ଦ୍ୱାରା ଲେଖାଯାଇଥିଲା, ତେବେ ଏହା ଈଶ୍ୱରଙ୍କ ତରଫରୁ କିପରି ହୋଇପାରିବ ?’ ବାଇବଲ ଉତ୍ତର ଦିଏ: “ଈଶ୍ୱର ପ୍ରେରିତ ମନୁଷ୍ୟମାନେ ପବିତ୍ର ଆତ୍ମାଙ୍କ [ଅର୍ଥାତ୍‌ ଈଶ୍ୱରଙ୍କ ପବିତ୍ର ଶକ୍ତି] ଦ୍ୱାରା ଚାଳିତ ହୋଇ କଥା କହିଥିଲେ ।” (୨ ପିତର ୧:୨୧) ଉଦାହରଣସ୍ୱରୂପ, କଳ୍ପନା କରନ୍ତୁ ଯେ ଜଣେ ବ୍ୟବସାୟୀ ଗୋଟିଏ ଚିଠି ଲେଖିବା ପାଇଁ ତାʼର ସେକ୍ରେଟାରୀକୁ ବ୍ୟବହାର କରେ । ସେହି ଚିଠି କାହାର ହେବ, ସେକ୍ରେଟାରୀର ନା ବ୍ୟବସାୟୀର ? ଏହା ସତ ଯେ ସେକ୍ରେଟାରୀ ଚିଠି ଲେଖିଛି, କିନ୍ତୁ ତାହା ବ୍ୟବସାୟୀର ହେବ । ଠିକ୍‌ ସେହିପରି, ଈଶ୍ୱର ବାଇବଲର ପ୍ରକୃତ ଲେଖକ ଅଟନ୍ତି; ସେ ଏହାକୁ ଲେଖିବା ପାଇଁ ବ୍ୟବହାର କରିଥିବା ମଣିଷମାନେ ନୁହନ୍ତି । ଈଶ୍ୱର ସେମାନଙ୍କୁ ନିଜ ଭାବନା ଲେଖିବା ପାଇଁ ମାର୍ଗଦର୍ଶନ ଦେଇଥିଲେ । ବାଇବଲ ପ୍ରକୃତରେ “ଈଶ୍ୱରଙ୍କ ବାକ୍ୟ” ଅଟେ ।— ୧ ଥେସଲନୀକୀୟ ୨:୧୩; ଅଧିକ ବିବରଣୀ-୨ ଦେଖନ୍ତୁ ।

ପବିତ୍ର ଶାସ୍ତ୍ରର ନୂତନ ଜଗତ ଅନୁବାଦ ନାମକ ବାଇବଲ ଅନେକ ଭାଷାରେ ଉପଲବ୍ଧ ଅଛି

ବାଇବଲରେ ଥିବା ସମସ୍ତ ତଥ୍ୟ ନିର୍ଭୁଲ୍‌ ଅଟେ

୬, ୭. ଆମେ କାହିଁକି କହିପାରିବା ଯେ ବାଇବଲର ସମସ୍ତ ବହି ପରସ୍ପର ସହିତ ମେଳ ଖାଏ ?

ବାଇବଲକୁ ଲେଖିବା ପାଇଁ ୧,୬୦୦ ବର୍ଷରୁ ଅଧିକ ସମୟ ଲାଗିଥିଲା । ଏହାର ଲେଖକମାନେ ଭିନ୍ନ ଭିନ୍ନ ସମୟରେ ବଞ୍ଚିଥିଲେ । ସେମାନଙ୍କ ମଧ୍ୟରୁ କେତେକ ଶିକ୍ଷିତ ଓ ଉଚ୍ଚପଦସ୍ଥ ବ୍ୟକ୍ତି ଥିଲେ, ଯେପରି— ଜଣେ ଡାକ୍ତର ଥିଲେ ଏବଂ କିଛି ବିଚାରକର୍ତ୍ତା ଓ ରାଜା ଥିଲେ । ଆଉ କେତେକ କମ୍‌ ଶିକ୍ଷିତ ଓ ସାଧାରଣ ଲୋକ ଥିଲେ, ଯେପରି— ମାଛ ଧରାଳି, କୃଷକ, ମେଷପାଳକ ଓ ଭବିଷ୍ୟଦ୍‌ବକ୍ତା । ଯଦିଓ ଭିନ୍ନ ଭିନ୍ନ ଲୋକେ ବାଇବଲକୁ ଲେଖିଥିଲେ, ଏହାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତ ବହି ପରସ୍ପର ସହିତ ମେଳ ଖାଏ । ଏହା କୌଣସି ପୃଷ୍ଠାରେ ଗୋଟିଏ କଥା ଏବଂ ଅନ୍ୟ ପୃଷ୍ଠାରେ ତାʼର ବିପରୀତ କଥା କହେ ନାହିଁ । a

ବାଇବଲର ପ୍ରାରମ୍ଭିକ ଅଧ୍ୟାୟଗୁଡ଼ିକରେ କୁହାଯାଇଛି ଯେ ଜଗତର ସମସ୍ୟାଗୁଡ଼ିକର ଆରମ୍ଭ କିପରି ହେଲା ଏବଂ ଶେଷ ଅଧ୍ୟାୟଗୁଡ଼ିକରେ କୁହାଯାଇଛି ଯେ ଈଶ୍ୱର କିପରି ଏହି ସମସ୍ତ ସମସ୍ୟାଗୁଡ଼ିକର ସମାଧାନ କରିବେ ଏବଂ ପୃଥିବୀକୁ ଏକ ପାରଦୀଶ ଅର୍ଥାତ୍‌ ଏକ ସୁନ୍ଦର ଉଦ୍ୟାନରେ ପରିଣତ କରିବେ । ଏହା ଛଡ଼ା, ବାଇବଲରେ ହଜାର ହଜାର ବର୍ଷ ଧରି ମାନବଜାତିର ଇତିହାସରେ ହୋଇଥିବା ଘଟଣାଗୁଡ଼ିକ ଲେଖାଯାଇଛି, ଯେଉଁଥିରୁ ଜଣାପଡ଼େ ଯେ ଈଶ୍ୱରଙ୍କ ଉଦ୍ଦେଶ୍ୟ ସର୍ବଦା ପୂରଣ ହୋଇଥାଏ ।

୮. ଆପଣ କିପରି ବୁଝାଇବେ ଯେ ବିଜ୍ଞାନ ସହ ଜଡ଼ିତ ବିଷୟଗୁଡ଼ିକରେ ବାଇବଲ ସର୍ବଦା ନିର୍ଭୁଲ ଅଟେ ?

ବାଇବଲକୁ ବିଜ୍ଞାନ ବିଷୟରେ ଶିଖାଇବା କିମ୍ବା ସ୍କୁଲର ପାଠ୍ୟପୁସ୍ତକ ଭାବରେ ବ୍ୟବହାର କରାଯିବା ପାଇଁ ଲେଖାଯାଇ ନ ଥିଲା, କିନ୍ତୁ ଏହା ବିଜ୍ଞାନ ସହ ଜଡ଼ିତ ବିଷୟଗୁଡ଼ିକରେ ଯାହା କହେ, ତାହା ସର୍ବଦା ନିର୍ଭୁଲ୍‌ ଅଟେ । ଈଶ୍ୱରଙ୍କ ତରଫରୁ ମିଳିଥିବା ବହିରୁ ଏହା ହିଁ ଆମେ ଆଶା କରିବା, ନୁହଁ କି ? ଉଦାହରଣସ୍ୱରୂପ, ବାଇବଲର ଲେବୀ ପୁସ୍ତକରେ ଈଶ୍ୱରଙ୍କର ଏପରି ପରାମର୍ଶଗୁଡ଼ିକ ଲେଖାଯାଇଛି, ଯାହାଯୋଗୁଁ ପ୍ରାଚୀନ ଇସ୍ରାଏଲୀୟମାନେ ଡିଆଁ ରୋଗଗୁଡ଼ିକୁ ରୋକି ପାରୁଥିଲେ । ଜୀବାଣୁ ଓ ଭୂତାଣୁ ଦ୍ୱାରା ରୋଗ କିପରି ବ୍ୟାପିଥାଏ, ସେବିଷୟରେ ଲୋକେ ଜାଣିବାର ବହୁତ ଆଗରୁ ଏଗୁଡ଼ିକ ଲେଖା ଯାଇଥିଲା । ବାଇବଲ ଏହା ମଧ୍ୟ ଶିଖାଏ ଯେ ପୃଥିବୀ ଶୂନ୍ୟରେ ଝୁଲୁଛି, ଯାହା ସମ୍ପୂର୍ଣ୍ଣ ସଠିକ୍‌ ଅଟେ । (ଆୟୁବ ୨୬:୭) ଏହା ଛଡ଼ା, ଯେତେବେଳେ ଅଧିକାଂଶ ଲୋକ ପୃଥିବୀ ଚେପ୍ଟା ବୋଲି ବିଶ୍ୱାସ କରୁଥିଲେ, ଏବିଷୟରେ ବାଇବଲରେ ଆଗରୁ ଲେଖା ଯାଇଥିଲା ଯେ ପୃଥିବୀ ଗୋଲାକାର ଅଟେ ।— ଯିଶାଇୟ ୪୦:୨୨.

୯. ବାଇବଲର ଲେଖକମାନଙ୍କ ସଚ୍ଚୋଟତା ଏହି ବହି ବିଷୟରେ କʼଣ କହେ ?

ବାଇବଲ ଯେତେବେଳେ ଇତିହାସ ବିଷୟରେ କହେ, ଏହା ସର୍ବଦା ନିର୍ଭୁଲ୍‌ ତଥ୍ୟ ଦେଇଥାଏ । କିନ୍ତୁ ଅନେକ ଇତିହାସ ବହିରୁ ସମ୍ପୂର୍ଣ୍ଣ ଭାବେ ସଠିକ୍‌ ତଥ୍ୟ ମିଳି ନ ଥାଏ, କାରଣ ସେଗୁଡ଼ିକର ଲେଖକମାନେ ସଚ୍ଚୋଟ ନ ଥିଲେ । ସାଧାରଣତଃ, ଇତିହାସର ଲେଖକମାନେ ସବୁବେଳେ ଏପରି ସମୟ ବିଷୟରେ ଲେଖୁ ନ ଥିଲେ, ଯେତେବେଳେ ସେମାନଙ୍କ ଦେଶ କିମ୍ବା ଜାତି ଯୁଦ୍ଧରେ ହାରି ଯାଉଥିଲା । ଅନ୍ୟପକ୍ଷରେ, ଇସ୍ରାଏଲୀୟ ଜାତି ଏପରିକି ଯେତେବେଳେ ହାରି ଯାଉଥିଲା, ସେତେବେଳେ ମଧ୍ୟ ବାଇବଲର ଲେଖକମାନେ ସବୁକିଛି ସଚ୍ଚୋଟତାର ସହିତ ଲେଖିଥିଲେ । କେବଳ ସେତିକି ନୁହଁ, ସେମାନେ ନିଜର ଭୁଲ୍‌ଗୁଡ଼ିକ ବିଷୟରେ ମଧ୍ୟ ଲେଖିଥିଲେ । ଉଦାହରଣସ୍ୱରୂପ, ବାଇବଲର ଗଣନା ପୁସ୍ତକରେ ମୋଶା କହିଥିଲେ ଯେ ସେ ଏକ ଗୁରୁତର ଭୁଲ୍‌ କରିଥିଲେ ଏବଂ ଏଥିପାଇଁ ଈଶ୍ୱର ତାଙ୍କୁ ଅନୁଶାସନ ଦେଇଥିଲେ । (ଗଣନା ପୁସ୍ତକ ୨୦:୨-୧୨) ବାଇବଲର ଲେଖକମାନଙ୍କ ଏହି ସଚ୍ଚୋଟତା ଦେଖାଏ ଯେ ବାଇବଲ ଈଶ୍ୱରଙ୍କ ତରଫରୁ ଅଟେ । ଅତଏବ, ଆମେ ବାଇବଲ ଉପରେ ସମ୍ପୂର୍ଣ୍ଣ ଭରସା କରିପାରିବା ।

ବୁଦ୍ଧିଭରା ଉପଦେଶରେ ପରିପୂର୍ଣ୍ଣ ଏକ ବହି

୧୦. ବାଇବଲର ପରାମର୍ଶ କାହିଁକି ଆଜି ମଧ୍ୟ ଆମ ପାଇଁ ଲାଭଦାୟକ ଅଟେ ?

୧୦ ବାଇବଲ “ଈଶ୍ୱର ନିଶ୍ୱସିତ ଏବଂ ଶିକ୍ଷା, ଅନୁଯୋଗ, ସଂଶୋଧନ ଓ ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାରୀ” ଅଟେ । (୨ ତୀମଥି ୩:୧୬) ହଁ, ବାଇବଲର ପରାମର୍ଶ ଆଜି ମଧ୍ୟ ଆମ ପାଇଁ ଉପଯୋଗୀ ଓ ଲାଭଦାୟକ ଅଟେ । ଏହି ପରାମର୍ଶଗୁଡ଼ିକରୁ ସ୍ପଷ୍ଟ ଜଣାପଡ଼େ ଯେ ଯିହୋବା ଆମକୁ କେତେ ଭଲ ଭାବରେ ଜାଣନ୍ତି । ସେ ଆମକୁ ସୃଷ୍ଟି କରିଛନ୍ତି, ତେଣୁ ଆମେ କʼଣ ଚିନ୍ତା କରୁ ଏବଂ କିପରି ଅନୁଭବ କରୁ, ସେ ଭଲ ଭାବରେ ବୁଝିପାରନ୍ତି । ଆମେ ନିଜ ବିଷୟରେ ଯେତେ ଜାଣୁ, ତାʼ ଅପେକ୍ଷା କାହିଁ କେତେ ଗୁଣ ଅଧିକ ସେ ଆମକୁ ଜାଣନ୍ତି । କେବଳ ସେତିକି ନୁହଁ, ସେ ଚାହାନ୍ତି ଯେ ଆମେ ଖୁସିରେ ରହୁ । ସେ ଜାଣନ୍ତି ଯେ ଆମ ପାଇଁ କʼଣ ଭଲ ଏବଂ କʼଣ ମନ୍ଦ ଅଟେ ।

୧୧, ୧୨. (କ) ମାଥିଉ ୫ରୁ ୭ ଅଧ୍ୟାୟରେ ଯୀଶୁ କେଉଁ ବିଷୟଗୁଡ଼ିକରେ ବୁଦ୍ଧିଭରା ପରାମର୍ଶ ଦେଇଥିଲେ ? (ଖ) ଆମେ ବାଇବଲରୁ ଆଉ କʼଣ କʼଣ ଶିଖିପାରିବା ?

୧୧ ବାଇବଲର ମାଥିଉ ନାମକ ବହିର ୫ରୁ ୭ ଅଧ୍ୟାୟରେ ଯୀଶୁ ଖ୍ରୀଷ୍ଟ ଅନେକ ବିଷୟଗୁଡ଼ିକରେ ବୁଦ୍ଧିଭରା ପରାମର୍ଶ ଦେଇଥିଲେ, ଯେପରି— ପ୍ରକୃତ ଖୁସି କିପରି ପାଇବା, ପରସ୍ପର ମଧ୍ୟରେ କିପରି ସୁସମ୍ପର୍କ ରଖିବା, ପ୍ରାର୍ଥନା କିପରି କରିବା ଏବଂ ପଇସା ପ୍ରତି କିପରି ସଠିକ୍‌ ଦୃଷ୍ଟିକୋଣ ରଖିବା । ଯଦିଓ ଏହି ପରାମର୍ଶ ସେ ୨,୦୦୦ ବର୍ଷ ପୂର୍ବେ ଦେଇଥିଲେ, ଏହା ଆଜି ମଧ୍ୟ ପ୍ରଭାବଶାଳୀ, ଉପଯୋଗୀ ଓ ଲାଭଦାୟକ ଅଟେ ।

୧୨ ବାଇବଲରେ ଯିହୋବା ଆମକୁ ଏପରି ସିଦ୍ଧାନ୍ତଗୁଡ଼ିକ ମଧ୍ୟ ଶିଖାନ୍ତି, ଯାହା ଆମକୁ ଏକ ଉତ୍ତମ ପାରିବାରିକ ଜୀବନର ଆନନ୍ଦ ନେବା, ପରିଶ୍ରମୀ ହେବା ଏବଂ ଅନ୍ୟମାନଙ୍କ ସହିତ ଶାନ୍ତି ବଜାୟ ରଖିବା ପାଇଁ ସାହାଯ୍ୟ କରିଥାଏ । ଆମେ ଯେକେହି ହୋଇଥାଉ, ଯେଉଁଠି ମଧ୍ୟ ରହୁଥାଉ ଏବଂ ଯେକୌଣସି ସମସ୍ୟାର ସାମନା କରୁଥାଉ ନା କାହିଁକି, ବାଇବଲର ସିଦ୍ଧାନ୍ତଗୁଡ଼ିକ ଆମକୁ ସବୁବେଳେ ସାହାଯ୍ୟ କରିପାରିବ ।— ଯିଶାଇୟ ୪୮:୧୭ ପଢ଼ନ୍ତୁ; ଅଧିକ ବିବରଣୀ-୩ ଦେଖନ୍ତୁ ।

ଆପଣ ବାଇବଲର ଭବିଷ୍ୟତବାଣୀ ଉପରେ ଭରସା କରିପାରିବେ

ବାଇବଲ ଲେଖକ ଯିଶାଇୟ ଭବିଷ୍ୟତବାଣୀ କରିଥିଲେ ଯେ ବାବିଲକୁ ପରାଜିତ କରାଯିବ

୧୩. ବାବିଲ ସହର ବିଷୟରେ ଯିଶାଇୟ କʼଣ ଭବିଷ୍ୟତବାଣୀ କରିଥିଲେ ?

୧୩ ଅତୀତରେ ବାଇବଲର ଅନେକ ଭବିଷ୍ୟତବାଣୀ ପୂରଣ ହୋଇସାରିଛି । ଉଦାହରଣସ୍ୱରୂପ, ଯିଶାଇୟ ଭବିଷ୍ୟତବାଣୀ କରିଥିଲେ ଯେ ବାବିଲ ସହର ଧ୍ୱଂସ ହେବ । (ଯିଶାଇୟ ୧୩:୧୯) ଏହି ସହରଟିକୁ କିପରି ପରାଜିତ କରାଯିବ, ସେବିଷୟରେ ସେ ଠିକ୍‌ ଠିକ୍‌ ଭାବେ ଆଗରୁ ବର୍ଣ୍ଣନା କରିଥିଲେ । ସହରଟି ଅନେକ ବଡ଼ ବଡ଼ ଓ ମଜବୁତ୍‌ ଫାଟକ ଏବଂ ଏକ ନଦୀ ଯୋଗୁଁ ସୁରକ୍ଷିତ ଥିଲା । କିନ୍ତୁ ଯିଶାଇୟ ଭବିଷ୍ୟତବାଣୀ କରିଥିଲେ ଯେ ନଦୀକୁ ଶୁଖାଇ ଦିଆଯିବ ଏବଂ ଫାଟକଗୁଡ଼ିକୁ ଖୋଲା ଛାଡ଼ି ଦିଆଯିବ । ଆକ୍ରମଣକାରୀମାନେ ବିନା ଯୁଦ୍ଧରେ ସହରକୁ ଜୟ କରିବେ । ଯିଶାଇୟ ଏପରିକି ଏହା ମଧ୍ୟ ଭବିଷ୍ୟତବାଣୀ କରିଥିଲେ ଯେ ବାବିଲକୁ କୋରସ୍‌ ନାମକ ଜଣେ ବ୍ୟକ୍ତି ଜୟ କରିବେ ।— ଯିଶାଇୟ ୪୪:୨୭–୪୫:୨ ପଢ଼ନ୍ତୁ; ଅଧିକ ବିବରଣୀ-୪ ଦେଖନ୍ତୁ ।

୧୪, ୧୫. ଯିଶାଇୟଙ୍କ ଭବିଷ୍ୟତବାଣୀ କିପରି ପୂରଣ ହେଲା ?

୧୪ ଏହି ଭବିଷ୍ୟତବାଣୀ ଲେଖାଯିବାର ୨୦୦ ବର୍ଷ ପରେ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ଏକ ସେନା ବାବିଲକୁ ଆକ୍ରମଣ କରିବା ପାଇଁ ଆସି ପହଞ୍ଚିଲା । ସେହି ସେନାର ମୁଖ୍ୟ କିଏ ଥିଲେ ? ଠିକ୍‌ ଯେପରି ଭବିଷ୍ୟତବାଣୀରେ କୁହାଯାଇଥିଲା, ସେ ଥିଲେ ପାରସ୍ୟର ରାଜା କୋରସ୍‌ । ତାʼପରେ ଭବିଷ୍ୟତବାଣୀର ଅବଶିଷ୍ଟ ଭାଗ ପୂରଣ ହେବା ପାଇଁ ସମୟ ଆସିଯାଇଥଲା ।

୧୫ ଯେଉଁ ରାତିରେ ବାବିଲ ଉପରେ ଆକ୍ରମଣ କରାଗଲା, ସେହି ରାତିରେ ବାବିଲୀୟମାନେ ଏକ ଉତ୍ସବ ପାଳନ କରୁଥିଲେ । ସେମାନଙ୍କ ବିଶାଳ ପ୍ରାଚୀରଗୁଡ଼ିକ ଏବଂ ସେହି ନଦୀ ଯୋଗୁଁ ସେମାନେ ନିଜକୁ ସୁରକ୍ଷିତ ମନେ କରୁଥିଲେ । ସହରର ବାହାରେ କୋରସ୍‌ ଓ ତାଙ୍କ ସେନା ନଦୀର ଜଳସ୍ତରକୁ କମ୍‌ କରିବା ପାଇଁ ଏକ କେନାଲ୍‌ ଖୋଳିଲେ । ଜଳସ୍ତର ଏତେ କମିଗଲା ଯେ ପାରସ୍ୟର ସେନା ସହଜରେ ନଦୀକୁ ଚାଲି ଚାଲି ପାର ହେଲେ । କିନ୍ତୁ ସେମାନେ ବାବିଲର ପ୍ରାଚୀରଗୁଡ଼ିକୁ କିପରି ପାର କରିବେ ? ଠିକ୍‌ ଯେପରି ଭବିଷ୍ୟତବାଣୀରେ କୁହାଯାଇଥିଲା, ସହରର ଫାଟକଗୁଡ଼ିକ ଖୋଲା ଛଡ଼ା ଯାଇଥିଲା । ଯାହାଫଳରେ କୋରସ୍‌ ଓ ତାଙ୍କ ସେନା ବିନା ଯୁଦ୍ଧରେ ସହରକୁ ଜୟ କଲେ ।

୧୬. (କ) ବାବିଲ ବିଷୟରେ ଯିଶାଇୟ ଆଉ କʼଣ ଭବିଷ୍ୟତବାଣୀ କରିଥିଲେ ? (ଖ) ଆମେ କିପରି ଜାଣୁ ଯେ ଯିଶାଇୟଙ୍କ ଭବିଷ୍ୟତବାଣୀ ପୂରଣ ହେଲା ?

୧୬ ଯିଶାଇୟ ଭବିଷ୍ୟତବାଣୀ କରିଥିଲେ ଯେ ଏପରି ଏକ ସମୟ ଆସିବ, ଯେତେବେଳେ ବାବିଲରେ କେହି ମଧ୍ୟ ବାସ କରିବେ ନାହିଁ । ସେ ଲେଖିଥିଲେ: “ତାହା କଦାଚ ବସତିସ୍ଥାନ ନୋହିବ, ପୁରୁଷ ପୁରୁଷାନୁକ୍ରମେ କେହି ତହିଁରେ ବାସ କରିବେ ନାହିଁ ।” (ଯିଶାଇୟ ୧୩:୨୦) ତାହା କʼଣ ସତ ହେଲା ? ଇରାକ୍‌ର ବାଗ୍ଦାଦ୍‌ ସହରର ଦକ୍ଷିଣରେ ପ୍ରାୟ ୮୦ କିଲୋମିଟର ଦୂରରେ ଯେଉଁ ଜାଗାରେ ଦିନେ ବାବିଲ ସହର ଥିଲା, ସେଠାରେ ଆଜି ଏହାର ଧ୍ୱଂସାବଶେଷ ଦେଖିବାକୁ ମିଳେ । ଏପରିକି ଆଜି ମଧ୍ୟ ସେଠାରେ କେହି ବାସ କରନ୍ତି ନାହିଁ । ଯିହୋବା ବାବିଲକୁ “ସଂହାରରୂପ ଝାଡ଼ୁ ଦ୍ୱାରା” ସମ୍ପୂର୍ଣ୍ଣ ସଫା କରିଦେଲେ ।— ଯିଶାଇୟ ୧୪:୨୨, ୨୩. b

ବାବିଲର ଧ୍ୱଂସାବଶେଷ

୧୭. ଆମେ କାହିଁକି ଭରସା କରିପାରିବା ଯେ ଈଶ୍ୱରଙ୍କ ସମସ୍ତ ପ୍ରତିଜ୍ଞା ନିଶ୍ଚୟ ପୂରଣ ହେବ ?

୧୭ ଅତୀତରେ ବାଇବଲର ଏଭଳି ଅନେକ ଭବିଷ୍ୟତବାଣୀ ପୂରଣ ହୋଇସାରିଛି । ତେଣୁ ଆମେ ସମ୍ପୂର୍ଣ୍ଣ ଭରସା କରିପାରିବା ଯେ ଆମ ଭବିଷ୍ୟତ ବିଷୟରେ ବାଇବଲ ଯାହା ଯାହା କହେ, ସେଗୁଡ଼ିକ ମଧ୍ୟ ନିଶ୍ଚୟ ପୂରଣ ହେବ । ଆମେ ନିଶ୍ଚିତ ହୋଇପାରିବା ଯେ ପୃଥିବୀକୁ ପାରଦୀଶରେ ପରିଣତ କରିବା ପାଇଁ ଯିହୋବା ଯେଉଁ ପ୍ରତିଜ୍ଞା କରିଛନ୍ତି, ତାହା ସେ ନିଶ୍ଚୟ ପୂରଣ କରିବେ । (ଗଣନା ପୁସ୍ତକ ୨୩:୧୯ ପଢ଼ନ୍ତୁ ।) ହଁ, ଈଶ୍ୱର ଆମକୁ ‘ବହୁ ପୂର୍ବରୁ ସେହି ଅନନ୍ତ ଜୀବନର ପ୍ରତିଶ୍ରୁତି ଦେଇଥିଲେ ଏବଂ ସେ ମିଛ କହନ୍ତି ନାହିଁ ।’— ତୀତସ ୧:୨, ଇଜି-ଟୁ-ରିଡ୍‌ ଭର୍ସନ । c

ବାଇବଲ ଆପଣଙ୍କ ଜୀବନକୁ ପରିବର୍ତ୍ତନ କରିପାରେ

୧୮. ପାଉଲ “ଈଶ୍ୱରଙ୍କ ବାକ୍ୟ” ବିଷୟରେ କʼଣ କହିଥିଲେ ?

୧୮ ଆମେ ଶିଖିଲୁ ଯେ ବାଇବଲ ପରି ଆଉ କୌଣସି ବହି ନାହିଁ । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବାଇବଲର ସମସ୍ତ ବହି ପରସ୍ପର ସହିତ ମେଳ ଖାଏ । ଯେତେବେଳେ ଏହା ବିଜ୍ଞାନ ଓ ଇତିହାସ ସହ ଜଡ଼ିତ ବିଷୟଗୁଡ଼ିକରେ କହେ, ଏହା ସର୍ବଦା ନିର୍ଭୁଲ୍‌ ହୋଇଥାଏ । ଏହା ଆମକୁ ବୁଦ୍ଧିଭରା ଉପଦେଶ ଦିଏ ଏବଂ ଏଥିରେ ବହୁତଗୁଡ଼ିଏ ଭବିଷ୍ୟତବାଣୀ ମଧ୍ୟ ରହିଛି, ଯେଉଁଗୁଡ଼ିକରୁ ଅନେକ ପୂରଣ ହୋଇସାରିଛି । ଏହା ଛଡ଼ା, ବାଇବଲ ଆଉ ଏକ ମହତ୍ତ୍ୱପୂର୍ଣ୍ଣ କାମ କରିଥାଏ । ପାଉଲ ଲେଖିଥିଲେ: ‘ଈଶ୍ୱରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟ-ସାଧକ ଅଟେ ।’ ତାʼର ଅର୍ଥ କʼଣ ?— ଏବ୍ରୀ ୪:୧୨ ପଢ଼ନ୍ତୁ ।

୧୯, ୨୦. (କ) ଆପଣ କିଏ ଅଟନ୍ତି, ତାହା ଜାଣିବାରେ ବାଇବଲ ଆପଣଙ୍କୁ କିପରି ସାହାଯ୍ୟ କରିପାରେ ? (ଖ) ବାଇବଲ ପାଇଁ ଆପଣ ନିଜ କୃତଜ୍ଞତା କିପରି ଦେଖାଇପାରିବେ ?

୧୯ ବାଇବଲ ଆପଣଙ୍କ ଜୀବନକୁ ପରିବର୍ତ୍ତନ କରିପାରେ । ଆପଣ ପ୍ରକୃତରେ କିଏ ଅଟନ୍ତି, ତାହା ଜାଣିବାରେ ଏହା ଆପଣଙ୍କୁ ସାହାଯ୍ୟ କରିପାରେ । ତାʼ ସହିତ, ଆପଣଙ୍କ ହୃଦୟ ଭିତରେ ଥିବା ଚିନ୍ତା ଓ ଭାବନାକୁ ବୁଝିବାରେ ମଧ୍ୟ ଆପଣଙ୍କୁ ସାହାଯ୍ୟ କରିପାରେ । ଉଦାହରଣସ୍ୱରୂପ, ଆମେ ହୁଏତ ଭାବିପାରୁ ଯେ ଆମେ ଈଶ୍ୱରଙ୍କୁ ପ୍ରେମ କରୁ । କିନ୍ତୁ ବାଇବଲ ପଢ଼ିବା ଦ୍ୱାରା ଆମେ ଜାଣୁ ଯେ ପ୍ରକୃତ ପ୍ରେମରେ କେବଳ ଭାବନା ନ ଥାଏ, ବରଂ ତାʼ ଅନୁଯାୟୀ କାମ କରିବା ମଧ୍ୟ ସାମିଲ୍‌ ରହିଥାଏ । ଈଶ୍ୱରଙ୍କ ପ୍ରତି ଆମ ପ୍ରେମର ପ୍ରମାଣ ଦେବାକୁ ହେଲେ, ବାଇବଲ ଯାହା କହେ, ତାକୁ ଆମ ଜୀବନରେ ଲାଗୁ କରିବାକୁ ହେବ ।

୨୦ ଏଥିରେ କୌଣସି ସନ୍ଦେହ ନାହିଁ ଯେ ବାଇବଲ ଈଶ୍ୱରଙ୍କ ତରଫରୁ ମିଳିଥିବା ବହି ଅଟେ । ସେ ଚାହାନ୍ତି ଯେ ଆପଣ ଏହାକୁ ପଢ଼ନ୍ତୁ, ଅଧ୍ୟୟନ କରନ୍ତୁ ଏବଂ ଏହା ଆପଣଙ୍କ ମନ ପସନ୍ଦ ବହି ହେଉ । ଏହି ଉପହାର ପାଇଁ କୃତଜ୍ଞତା ଦେଖାନ୍ତୁ ଏବଂ ଏହାକୁ ନିୟମିତ ଅଧ୍ୟୟନ କରିବା ଜାରି ରଖନ୍ତୁ । ଏପରି କରିବା ଦ୍ୱାରା ଆପଣ ମାନବଜାତି ପାଇଁ ଈଶ୍ୱରଙ୍କ ଉଦ୍ଦେଶ୍ୟକୁ ଭଲ ଭାବେ ବୁଝିପାରିବେ । ପରବର୍ତ୍ତୀ ଅଧ୍ୟାୟରେ ଆମେ ଏହି ଉଦ୍ଦେଶ୍ୟ ବିଷୟରେ ଆହୁରି ଅଧିକ ଜାଣିପାରିବା ।

a କେତେକ ଲୋକ କହନ୍ତି ଯେ ବାଇବଲରେ ଥିବା କିଛି ବିଷୟ ପରସ୍ପର ସହିତ ମେଳ ଖାଏ ନାହିଁ । କିନ୍ତୁ ଏହା ସତ ନୁହେଁ । ଯିହୋବାଙ୍କ ସାକ୍ଷୀମାନଙ୍କ ଦ୍ୱାରା ପ୍ରକାଶିତ ବାଇବଲଈଶ୍ୱରଙ୍କ ବାକ୍ୟ ନା ମଣିଷର ? (ଇଂରାଜୀ) ନାମକ ବହିର ୭ ଅଧ୍ୟାୟ ଦେଖନ୍ତୁ ।

b ଯଦି ଆପଣ ବାଇବଲର ଭବିଷ୍ୟତବାଣୀଗୁଡ଼ିକ ବିଷୟରେ ଅଧିକ ଜାଣିବାକୁ ଚାହାନ୍ତି, ତେବେ ଯିହୋବାଙ୍କ ସାକ୍ଷୀମାନଙ୍କ ଦ୍ୱାରା ପ୍ରକାଶିତ ସମସ୍ତଙ୍କ ପାଇଁ ଗୋଟିଏ ବହି (ହିନ୍ଦୀ) ନାମକ ପୁସ୍ତିକାର ୨୭-୨୯ ପୃଷ୍ଠା ପଢ଼ିପାରିବେ ।

c ବାଇବଲର ଯେଉଁ ଭବିଷ୍ୟତବାଣୀଗୁଡ଼ିକ ପୂରଣ ହୋଇସାରିଛି, ସେମଧ୍ୟରୁ ବାବିଲର ଧ୍ୱଂସ ମାତ୍ର ଗୋଟିଏ ଉଦାହରଣ ଅଟେ । ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ କରାଯାଇଥିବା ଭବିଷ୍ୟତବାଣୀଗୁଡ଼ିକ କିପରି ପୂରଣ ହେଲା, ତାହା ଜାଣିବା ପାଇଁ ଆପଣ ଅଧିକ ବିବରଣୀ-୫ ପଢ଼ିପାରିବେ ।