इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଞ୍ଚ ଅଧ୍ୟାୟ

ମୁକ୍ତିର ମୂଲ୍ୟ—ଈଶ୍ୱରଙ୍କର ସବୁଠାରୁ ଶ୍ରେଷ୍ଠ ଉପହାର

ମୁକ୍ତିର ମୂଲ୍ୟ—ଈଶ୍ୱରଙ୍କର ସବୁଠାରୁ ଶ୍ରେଷ୍ଠ ଉପହାର

୧, ୨. (କ) କୌଣସି ଏକ ଉପହାର କାହିଁକି ଆପଣଙ୍କ ପାଇଁ ବହୁମୂଲ୍ୟ ହୋଇଯାଏ ? (ଖ) ମୁକ୍ତିର ମୂଲ୍ୟ କାହିଁକି ଈଶ୍ୱରଙ୍କର ସବୁଠାରୁ ଶ୍ରେଷ୍ଠ ଉପହାର ଅଟେ ?

 ଆଜି ପର୍ଯ୍ୟନ୍ତ ଆପଣଙ୍କୁ ଯେତେସବୁ ଉପହାର ମିଳିଛି, ସେମଧ୍ୟରୁ କେଉଁଟି ଆପଣଙ୍କ ପାଇଁ ସବୁଠାରୁ ଉତ୍ତମ ଅଟେ ? ଏକ ଉପହାର ଆପଣଙ୍କ ନିମନ୍ତେ ବହୁମୂଲ୍ୟ ହେବା ପାଇଁ ତାହା ମହଙ୍ଗା ହେବା ଜରୁରୀ ନୁହଁ । ଯେତେବେଳେ ଏକ ଉପହାର ଆପଣଙ୍କୁ ଖୁସି ଦିଏ କିମ୍ବା ତାହା ଆପଣଙ୍କୁ ପ୍ରକୃତରେ ଦରକାର ଥାଏ, ଆପଣ ଏହା ପାଇଁ କୃତଜ୍ଞ ଅନୁଭବ କରିଥାʼନ୍ତି ।

ଈଶ୍ୱର ମଧ୍ୟ ଆମକୁ ଅନେକ ଉପହାର ଦେଇଛନ୍ତି । କିନ୍ତୁ ସେଗୁଡ଼ିକ ମଧ୍ୟରେ ଏପରି ଏକ ଉପହାର ରହିଛି, ଯାହା ଅନ୍ୟ ଯେକୌଣସି ଜିନିଷ ଅପେକ୍ଷା ଆମକୁ ଅଧିକ ଆବଶ୍ୟକ ଅଟେ । ଏହା ମାନବଜାତି ପାଇଁ ଈଶ୍ୱରଙ୍କର ସବୁଠାରୁ ଶ୍ରେଷ୍ଠ ଉପହାର ଅଟେ । ଏହି ଅଧ୍ୟାୟରେ ଆମେ ଶିଖିବା ଯେ ଯିହୋବା ନିଜ ପୁତ୍ର ଯୀଶୁଙ୍କୁ ପୃଥିବୀକୁ ପଠାଇଲେ, ଯାହାଫଳରେ ଆମେ ଚିରଦିନ ପାଇଁ ଜୀବିତ ରହିପାରିବା । (ମାଥିଉ ୨୦:୨୮ ପଢ଼ନ୍ତୁ ।) ଯିହୋବା ନିଜ ପୁତ୍ରଙ୍କୁ ମୁକ୍ତିର ମୂଲ୍ୟ ରୂପେ ପୃଥିବୀକୁ ପଠାଇ ପ୍ରମାଣିତ କରିଛନ୍ତି ଯେ ସେ ଆମକୁ ପ୍ରକୃତରେ ପ୍ରେମ କରନ୍ତି ।

ମୁକ୍ତିର ମୂଲ୍ୟ କʼଣ ଅଟେ ?

୩. ଆମେ କାହିଁକି ମରିଥାଉ ?

ମାନବଜାତିକୁ ପାପ ଓ ମୃତ୍ୟୁରୁ ମୁକ୍ତ କରିବା ପାଇଁ ମୁକ୍ତିର ମୂଲ୍ୟ ଯିହୋବାଙ୍କର ଏକ ବ୍ୟବସ୍ଥା ଅଟେ । (ଏଫିସୀୟ ୧:୭) କିନ୍ତୁ ମୁକ୍ତିର ମୂଲ୍ୟ କାହିଁକି ଆବଶ୍ୟକ ହେଲା ? ଏହାକୁ ବୁଝିବା ପାଇଁ ଆମକୁ ଜାଣିବାକୁ ହେବ ଯେ ହଜାର ହଜାର ବର୍ଷ ପୂର୍ବେ ଏଦନ ଉଦ୍ୟାନରେ କʼଣ ଘଟିଥିଲା । ଆମର ପ୍ରଥମ ପିତାମାତା ଆଦମ ଓ ହବା ପାପ କଲେ । ପାପ କରିବା ଯୋଗୁଁ ସେମାନେ ବୃଦ୍ଧାବସ୍ଥାରେ ପହଞ୍ଚି ଶେଷରେ ମରିଗଲେ । ଆମେ ମଧ୍ୟ ଏଥିପାଇଁ ମରିଥାଉ, କାରଣ ଆମେ ଆଦମ ଓ ହବାଙ୍କ ଉତ୍ତରାଧିକାରୀ ଭାବରେ ସେମାନଙ୍କଠାରୁ ପାପ ପାଇଛୁ ।— ଅଧିକ ବିବରଣୀ-୯ ଦେଖନ୍ତୁ ।

୪. ଯିହୋବା ଆଦମକୁ କʼଣ କʼଣ ଦେଇଥିଲେ ?

ଯେତେବେଳେ ଯିହୋବା ପ୍ରଥମ ମଣିଷ ଆଦମକୁ ସୃଷ୍ଟି କଲେ, ସେ ତାʼକୁ ଏପରି କିଛି ଦେଇଥିଲେ ଯାହା ବହୁମୂଲ୍ୟ ଥିଲା । ସେ ଆଦମକୁ ସିଦ୍ଧ ମଣିଷ ଜୀବନ ଦେଇଥିଲେ । ସେ ତାʼକୁ ସିଦ୍ଧ ମସ୍ତିସ୍କ ଓ ସିଦ୍ଧ ଶରୀର ଦେଇଥିଲେ । ତାʼଠାରେ କୌଣସି ପାପ ନ ଥିଲା । ସେ କେବେ ରୋଗରେ ପୀଡ଼ିତ ହୋଇ ନ ଥାʼନ୍ତା, କେବେ ବୁଢ଼ା ହୋଇ ନ ଥାʼନ୍ତା ଏବଂ କେବେ ମଧ୍ୟ ମରି ନ ଥାʼନ୍ତା । ଯିହୋବା ଆଦମକୁ ସୃଷ୍ଟି କରିଥିବାରୁ ସେ ତାʼ ପାଇଁ ଜଣେ ପିତା ସଦୃଶ ଥିଲେ । (ଲୂକ ୩:୩୮) ଯିହୋବା ତାʼ ସହିତ ନିୟମିତ ଭାବେ କଥା ହେଉଥିଲେ । ସେ ଆଦମକୁ ସ୍ପଷ୍ଟ ଭାବରେ କହିଥିଲେ ଯେ ସେ ତାʼଠାରୁ କʼଣ ଚାହୁଁଥିଲେ । ଏହା ଛଡ଼ା, ଈଶ୍ୱର ତାʼକୁ ଏପରି କାମ ଦେଇଥିଲେ, ଯେଉଁଥିରୁ ସେ ଖୁସି ପାଉଥିଲା ।— ଆଦି ପୁସ୍ତକ ୧:୨୮-୩୦; ୨:୧୬, ୧୭.

୫. ବାଇବଲ କହେ: ଆଦମକୁ “ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ” ସୃଷ୍ଟି କରାଯାଇଥିଲା । ଏହାର ଅର୍ଥ କʼଣ ?

ଆଦମକୁ “ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ” ସୃଷ୍ଟି କରାଯାଇଥିଲା । (ଆଦି ପୁସ୍ତକ ୧:୨୭) ଅର୍ଥାତ୍‌, ଯିହୋବାଙ୍କ ପାଖରେ ଯେଉଁ ଗୁଣଗୁଡ଼ିକ ରହିଛି, ଠିକ୍‌ ସେହି ଗୁଣଗୁଡ଼ିକ ସେ ଆଦମକୁ ଦେଇଥିଲେ ଯେପରି— ପ୍ରେମ, ବୁଦ୍ଧି, ନ୍ୟାୟ ଓ ଶକ୍ତି । ଏହା ସହିତ, ସେ ଆଦମକୁ ଏକ ରୋବର୍ଟ ବା ଯନ୍ତ୍ର-ମାନବ ଭଳି ସୃଷ୍ଟି କରି ନ ଥିଲେ, ବରଂ ତାʼକୁ ନିଜ ପସନ୍ଦ ଓ ନାପସନ୍ଦ କରିବାର ସ୍ୱାଧୀନତା ଦେଇଥିଲେ । ଆଦମ ନିଜେ ସ୍ଥିର କରିପାରୁଥିଲା ଯେ ସେ ଈଶ୍ୱରଙ୍କ ଆଜ୍ଞା ପାଳନ କରିବ କି ନାହିଁ । ଯଦି ଆଦମ ଈଶ୍ୱରଙ୍କ ଆଜ୍ଞା ପାଳନ କରିବା ପାଇଁ ସ୍ଥିର କରିଥାʼନ୍ତା, ତେବେ ସେ ଚିରଦିନ ପାଇଁ ପାରଦୀଶରେ ଜୀବିତ ରହିପାରିଥାʼନ୍ତା ।

୬. (କ) ଯେତେବେଳେ ଆଦମ ଈଶ୍ୱରଙ୍କ ଆଜ୍ଞା ଉଲ୍ଲଙ୍ଘନ କଲା, ସେ କʼଣ ହରାଇଲା ? (ଖ) ଆମ ଉପରେ ଏହାର କʼଣ ପ୍ରଭାବ ପଡ଼ିଲା ?

ଯେତେବେଳେ ଆଦମ ଈଶ୍ୱରଙ୍କ ଆଜ୍ଞା ଉଲ୍ଲଙ୍ଘନ କଲା, ସେ ମୃତ୍ୟୁଦଣ୍ଡ ପାଇଲା । ଏହା ପରେ ସେ ନିଜର ସବୁକିଛି ହରାଇଲା । ସେ ଯିହୋବାଙ୍କ ସହିତ ଥିବା ତାʼର ଖାସ୍‌ ମିତ୍ରତା, ନିଜର ସିଦ୍ଧ ଜୀବନ ଓ ପାରଦୀଶର ଘର ହରାଇଲା । (ଆଦି ପୁସ୍ତକ ୩:୧୭-୧୯) ଆଦମ ଓ ହବା ଜାଣିଶୁଣି ଈଶ୍ୱରଙ୍କ ଆଜ୍ଞା ଉଲ୍ଲଙ୍ଘନ କରିବା ପାଇଁ ସ୍ଥିର କଲେ, ତେଣୁ ସେମାନଙ୍କ ପାଇଁ ଆଉ କୌଣସି ଆଶା ନ ଥିଲା । ଆଦମ ଯାହା କଲା, ତାʼ ଯୋଗୁଁ “ପାପ ଓ ପାପ ଦ୍ୱାରା ମୃତ୍ୟୁ ଜଗତରେ ପ୍ରବେଶ କଲା, ଆଉ ସେହିପ୍ରକାରେ ମୃତ୍ୟୁ ସମସ୍ତ ଲୋକଙ୍କ ପ୍ରତି ଘଟିଲା, ଯେଣୁ ସମସ୍ତେ ତ ପାପ କଲେ ।” (ରୋମୀୟ ୫:୧୨) ଯେତେବେଳେ ଆଦମ ପାପ କଲା, ସେ କେବଳ ନିଜକୁ ନୁହଁ, ବରଂ ଆମ ସମସ୍ତଙ୍କୁ ପାପ ଓ ମୃତ୍ୟୁର ଦାସତ୍ୱରେ “ବିକ୍ରି” କରିଦେଲା । (ରୋମୀୟ ୭:୧୪, ଇଜି-ଟୁ-ରିଡ୍‌ ଭର୍ସନ) ତେବେ କʼଣ ଆମ ପାଇଁ ଏହି ଦାସତ୍ୱରୁ ମୁକ୍ତି ପାଇବାର କିଛି ଆଶା ରହିଛି ? ହଁ, ଯିହୋବା ଆମ ପାଇଁ ମୁକ୍ତିର ମୂଲ୍ୟର ବ୍ୟବସ୍ଥା କଲେ ।

୭, ୮. ମୁକ୍ତିର ମୂଲ୍ୟ କʼଣ ଅଟେ ?

ମୁକ୍ତିର ମୂଲ୍ୟ କʼଣ ଅଟେ ? ଏହାର ଅର୍ଥରେ ମୁଖ୍ୟତଃ ଦୁଇଟି କଥା ସାମିଲ୍‌ ରହିଛି । ପ୍ରଥମତଃ, କାହାରିକୁ ମୁକ୍ତ କରିବା ପାଇଁ କିମ୍ବା ବନ୍ଧା ପଡ଼ିଥିବା କୌଣସି ଜିନିଷକୁ ମୁକୁଳାଇବା ପାଇଁ ଯେଉଁ ଦାମ୍‌ ଦିଆଯାଏ, ତାକୁ ମୁକ୍ତିର ମୂଲ୍ୟ କୁହାଯାଏ । ଦ୍ୱିତୀୟତଃ, କୌଣସି କ୍ଷତିର ଭରଣ ପାଇଁ ଯେଉଁ ଦାମ୍‌ ଦିଆଯାଏ, ତାକୁ ମଧ୍ୟ ମୁକ୍ତିର ମୂଲ୍ୟ କୁହାଯାଏ ।

ଯେତେବେଳେ ଆଦମ ପାପ କଲା ଏବଂ ଆମ ପାଇଁ ମୃତ୍ୟୁ ଆଣିଲା, ସେ ଏତେ ବଡ଼ କ୍ଷତି ଘଟାଇଲା ଯେ କୌଣସି ଅସିଦ୍ଧ ମଣିଷ ଏହା ପାଇଁ ଦାମ୍‌ ଦେଇପାରି ନ ଥାʼନ୍ତେ । କିନ୍ତୁ ଯିହୋବା ଆମକୁ ପାପ ଓ ମୃତ୍ୟୁରୁ ମୁକ୍ତ କରିବା ପାଇଁ ରାସ୍ତା ବାହାର କଲେ । ଆସନ୍ତୁ ଆମେ ଦେଖିବା ଯେ ଏହି ମୁକ୍ତିର ମୂଲ୍ୟ କିପରି ଦିଆଗଲା ଏବଂ ଆମେ ଏଥିରୁ କିପରି ଲାଭ ପାଇପାରିବା ।

ଯିହୋବା କିପରି ମୁକ୍ତିର ମୂଲ୍ୟର ବ୍ୟବସ୍ଥା କଲେ

୯. କେଉଁ ପ୍ରକାରର ମୁକ୍ତିର ମୂଲ୍ୟ ଆବଶ୍ୟକ ଥିଲା ?

ଆଦମ ଯେଉଁ ସିଦ୍ଧ ଜୀବନ ହରାଇଲା, ତାର ଭରଣ ପାଇଁ ଆମ ଭିତରୁ କେହି ଏବଂ କେବେ ମଧ୍ୟ ମୁକ୍ତିର ମୂଲ୍ୟ ଦେଇପାରି ନ ଥାʼନ୍ତେ । କାହିଁକି ? କାରଣ ଆମେ ସମସ୍ତେ ଅସିଦ୍ଧ ଅଟୁ । (ଗୀତସଂହିତା ୪୯:୭, ୮) ଯେଉଁ ମୁକ୍ତିର ମୂଲ୍ୟ ଆବଶ୍ୟକ ହେଲା, ତାହା ଥିଲା— ଅନ୍ୟ ଏକ ସିଦ୍ଧ ମଣିଷ ଜୀବନ । ସେଥିପାଇଁ ଏହାକୁ “ଅନୁରୂପ ମୁକ୍ତିର ମୂଲ୍ୟ” କୁହାଯାଏ । (୧ ତୀମଥି ୨:୬, NW) ଏହି ମୁକ୍ତିର ମୂଲ୍ୟ ଠିକ୍‌ ସେହି ସିଦ୍ଧ ଜୀବନର ମୂଲ୍ୟ ସହିତ ସମାନ ହେବା ଉଚିତ୍‌ ଥିଲା, ଯାହା ଆଦମ ହରାଇଥିଲା ।

୧୦. ଯିହୋବା ମୁକ୍ତିର ମୂଲ୍ୟର କିପରି ବ୍ୟବସ୍ଥା କଲେ ?

୧୦ ଯିହୋବା କିପରି ମୁକ୍ତିର ମୂଲ୍ୟର ବ୍ୟବସ୍ଥା କଲେ ? ଯିହୋବା ନିଜର ପ୍ରିୟ ପୁତ୍ର ଯୀଶୁଙ୍କୁ ପୃଥିବୀକୁ ପଠାଇଲେ । ଏହି ପୁତ୍ର ତାହାଙ୍କ ସର୍ବପ୍ରଥମ ସୃଷ୍ଟି ଥିଲେ । (୧ ଯୋହନ ୪:୯, ୧୦) ଯୀଶୁ ନିଜ ଇଚ୍ଛାରେ ସ୍ୱର୍ଗ ଓ ତାହାଙ୍କ ପିତାଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ଥିଲେ । (ଫିଲିପ୍ପୀୟ ୨:୭) ଯିହୋବା ଯୀଶୁଙ୍କ ଜୀବନକୁ ସ୍ୱର୍ଗରୁ ପୃଥିବୀରେ କୁମାରୀ କନ୍ୟା ମରୀୟମଙ୍କ ଗର୍ଭକୁ ସ୍ଥାନାନ୍ତରିତ କଲେ ଏବଂ ଯୀଶୁ ଜଣେ ସିଦ୍ଧ ମଣିଷ ଭାବରେ ଜନ୍ମ ହେଲେ, ଅର୍ଥାତ୍‌ ତାହାଙ୍କଠାରେ ପାପ ନ ଥିଲା ।— ଲୂକ ୧:୩୫.

ଯିହୋବା ଆମର ଉଦ୍ଧାର ପାଇଁ ମୁକ୍ତିର ମୂଲ୍ୟ ରୂପେ ନିଜର ପ୍ରିୟ ପୁତ୍ରଙ୍କୁ ଦେଇଦେଲେ

୧୧. ଜଣେ ମଣିଷ କିପରି ସମଗ୍ର ମାନବଜାତି ପାଇଁ ମୁକ୍ତିର ମୂଲ୍ୟ ଦେଇପାରିଥାʼନ୍ତା ?

୧୧ ଯେତେବେଳେ ପ୍ରଥମ ମଣିଷ ଆଦମ ଯିହୋବାଙ୍କ ଆଜ୍ଞା ମାନିଲା ନାହିଁ, ସେ ସମଗ୍ର ମାନବଜାତି ପାଇଁ ମଧ୍ୟ ସିଦ୍ଧ ଜୀବନ ହରାଇଲା । କʼଣ ଅନ୍ୟ କୌଣସି ମଣିଷ ଆଦମର ସମସ୍ତ ସନ୍ତାନମାନଙ୍କୁ ମୃତ୍ୟୁର କବଳରୁ ମୁକ୍ତ କରିପାରିବ ? ହଁ । (ରୋମୀୟ ୫:୧୯ ପଢ଼ନ୍ତୁ ।) ଯୀଶୁ ଖ୍ରୀଷ୍ଟ ପୃଥିବୀରେ ଥିବା ସମୟରେ କୌଣସି ପାପ କରି ନ ଥିଲେ । ତେଣୁ ସେ ନିଜ ସିଦ୍ଧ ଜୀବନକୁ ମୁକ୍ତିର ମୂଲ୍ୟ ଭାବରେ ଦେଇପାରିଲେ । (୧ କରିନ୍ଥୀୟ ୧୫:୪୫) ଆଉ, ତାହାଙ୍କ ସିଦ୍ଧ ଜୀବନର ବଳିଦାନ ଯୋଗୁଁ ଆଦମର ସମସ୍ତ ସନ୍ତାନମାନଙ୍କୁ ମୃତ୍ୟୁର କବଳରୁ ମୁକ୍ତ କରାଯାଇପାରିବ ।— ୧ କରିନ୍ଥୀୟ ୧୫:୨୧, ୨୨.

୧୨. ଯୀଶୁଙ୍କୁ କାହିଁକି ଏତେ ବେଶି କଷ୍ଟ ସହିବାକୁ ପଡ଼ିଲା ?

୧୨ ବାଇବଲରୁ ଆମେ ଜାଣିପାରୁ ଯେ ଯୀଶୁଙ୍କୁ ମରିବା ପୂର୍ବରୁ କʼଣ କʼଣ ଅତ୍ୟାଚାର ଓ କଷ୍ଟ ସହିବାକୁ ପଡ଼ିଥିଲା । ତାହାଙ୍କୁ ଅତି ନିଷ୍ଠୁର ଭାବେ ଚାବୁକ୍‌ରେ ପ୍ରହାର କରାଗଲା, କାଠ ଖୁଣ୍ଟରେ କଣ୍ଟା ଦ୍ୱାରା ପିଟି ଦିଆଗଲା ଏବଂ ଅତି କଠିନ ଯନ୍ତ୍ରଣାରେ ମରିବାକୁ ଛାଡ଼ି ଦିଆଗଲା । (ଯୋହନ ୧୯:୧, ୧୬-୧୮, ୩୦) ଯୀଶୁଙ୍କୁ ଏତେ ବେଶି କଷ୍ଟ କାହିଁକି ସହିବାକୁ ପଡ଼ିଲା ? କାରଣ ଶୟତାନ ଦାବି କରିଥିଲା ଯେ ଯେକୌଣସି ମଣିଷକୁ ଯଦି କଠୋର ପରୀକ୍ଷାରେ ପକାଯାଏ, ତେବେ ସେ ଈଶ୍ୱରଙ୍କ ବିଶ୍ୱସ୍ତ ରହିବ ନାହିଁ । କିନ୍ତୁ ଯୀଶୁ ପ୍ରମାଣିତ କଲେ ଯେ ଜଣେ ସିଦ୍ଧ ମଣିଷ ଏପରିକି ଅତ୍ୟନ୍ତ କଠିନ ପରିସ୍ଥିତିରେ ମଧ୍ୟ ଈଶ୍ୱରଙ୍କ ବିଶ୍ୱସ୍ତ ରହିପାରିବ । କଳ୍ପନା କରନ୍ତୁ, ଯୀଶୁଙ୍କ ପାଇଁ ଯିହୋବା କେତେ ଯେ ଗର୍ବ ଅନୁଭବ କରି ନ ଥିବେ !— ହିତୋପଦେଶ ୨୭:୧୧; ଅଧିକ ବିବରଣୀ-୧୫ ଦେଖନ୍ତୁ ।

୧୩. ମୁକ୍ତିର ମୂଲ୍ୟ କିପରି ଦିଆଗଲା ?

୧୩ ମୁକ୍ତିର ମୂଲ୍ୟ କିପରି ଦିଆଗଲା ? ଯିହୁଦୀ କ୍ୟାଲେଣ୍ଡର୍‌ ଅନୁଯାୟୀ ୩୩ ଖ୍ରୀଷ୍ଟାବ୍ଦର ନୀସନ୍‌ ମାସର ୧୪ ତାରିଖରେ ଯିହୋବା ଯୀଶୁଙ୍କୁ ଶତ୍ରୁମାନଙ୍କ ହାତରେ ମରିବାକୁ ଦେଲେ । (ଏବ୍ରୀ ୧୦:୧୦) ଏହାର ତିନି ଦିନ ପରେ ଯିହୋବା ଯୀଶୁଙ୍କୁ ପୁଣିଥରେ ଜୀବିତ କଲେ, କିନ୍ତୁ ମଣିଷ ଜୀବନ ଦେଇ ନୁହଁ, ବରଂ ଜଣେ ଆତ୍ମିକ ପ୍ରାଣୀ ଭାବରେ । ସେ ଯୀଶୁଙ୍କୁ ଏକ ଅଦୃଶ୍ୟ ଶରୀର ଦେଲେ । ପରେ ଯେତେବେଳେ ଯୀଶୁ ସ୍ୱର୍ଗରେ ନିଜ ପିତାଙ୍କ ପାଖକୁ ଫେରିଗଲେ, ସେତେବେଳେ ସେ ନିଜ ସିଦ୍ଧ ମଣିଷ ଜୀବନର ମୂଲ୍ୟକୁ ଈଶ୍ୱରଙ୍କୁ ଅର୍ପଣ କଲେ, ଯାହା ସେ ଆଦମର ସନ୍ତାନମାନଙ୍କ ଉଦ୍ଧାର ପାଇଁ ମୁକ୍ତିର ମୂଲ୍ୟ ରୂପେ ବଳିଦାନ କରିଥିଲେ । (ଏବ୍ରୀ ୯:୨୪) ବର୍ତ୍ତମାନ, ଯେହେତୁ ମୁକ୍ତିର ମୂଲ୍ୟ ଦିଆଯିବା ସରିଯାଇଛି, ଆମେ ପାପ ଓ ମୃତ୍ୟୁରୁ ମୁକ୍ତ ହୋଇପାରିବା ।— ରୋମୀୟ ୩:୨୩, ୨୪ ପଢ଼ନ୍ତୁ ।

ଆପଣ କିପରି ମୁକ୍ତିର ମୂଲ୍ୟରୁ ଲାଭ ପାଇପାରିବେ

୧୪, ୧୫. ଆମର ପାପଗୁଡ଼ିକରୁ ଆମେ କ୍ଷମା କିପରି ପାଇପାରିବା ?

୧୪ ଈଶ୍ୱରଙ୍କ ଏହି ଶ୍ରେଷ୍ଠ ଉପହାରରୁ ଲାଭ ପାଇବା ଆମ ପାଇଁ ଆରମ୍ଭ ହୋଇଯାଇଛି । ଆସନ୍ତୁ ଦେଖିବା ଯେ ଆମେ ବର୍ତ୍ତମାନ କିପରି ଏଥିରୁ ଲାଭ ପାଉଛୁ ଏବଂ ଭବିଷ୍ୟତରେ କିପରି ଲାଭ ପାଇବା ।

୧୫ ଆମର ପାପସବୁ କ୍ଷମା କରାଯାଏ । ସବୁବେଳେ ଠିକ୍‌ କାମ କରିବା ଏତେ ସହଜ ନୁହେଁ । ଆମ ସମସ୍ତଙ୍କ ଦ୍ୱାରା ଭୁଲ୍‌ ହୋଇଥାଏ । ବେଳେ ବେଳେ ଆମେ ଭୁଲ୍‌ କଥା କହିଦେଉ କିମ୍ବା ଭୁଲ୍‌ କାମ କରିଥାଉ । ଆମେ ସେଗୁଡ଼ିକରୁ କ୍ଷମା କିପରି ପାଇପାରିବା ? ଆମେ ଯାହା ଭୁଲ୍‌ କରିଛୁ, ତାʼ ପାଇଁ ପ୍ରକୃତରେ ଅନୁତାପ କରିବା ଉଚିତ୍‌ ଏବଂ କ୍ଷମା ପାଇଁ ନମ୍ରତାର ସହିତ ଯିହୋବାଙ୍କୁ ପ୍ରାର୍ଥନା କରିବା ଉଚିତ୍‌ । ତାʼପରେ, ଆମେ ଦୃଢ଼ ବିଶ୍ୱାସ ରଖିପାରିବା ଯେ ଆମର ପାପଗୁଡ଼ିକୁ ସେ ନିଶ୍ଚୟ କ୍ଷମା କରିବେ ।— କଲସୀୟ ୧:୧୩, ୧୪; ୧ ଯୋହନ ୧:୮, ୯.

୧୬. ଶୁଦ୍ଧ ବିବେକ ରଖିବା ପାଇଁ ଆମକୁ କʼଣ କରିବାକୁ ହେବ ?

୧୬ ଆମେ ଶୁଦ୍ଧ ବିବେକ ରଖିପାରିବା । ଯଦି ଆମ ବିବେକ କହେ ଯେ ଆମେ କିଛି ଭୁଲ୍‌ କରିଛୁ, ତେବେ ଆମେ ନିଜକୁ ଦୋଷୀ ମନେ କରୁ, ଏପରିକି ନିରାଶ ହୋଇଯାଉ ଏବଂ ନିଜକୁ ମୂଲ୍ୟହୀନ ମନେ କରିଥାଉ । କିନ୍ତୁ ଆମେ ହାର୍‌ ମାନିବା ଉଚିତ୍‌ ନୁହଁ । ଯଦି ଆମେ କ୍ଷମା ପାଇଁ ହୃଦୟର ସହିତ ଯିହୋବାଙ୍କୁ ପ୍ରାର୍ଥନା କରିବା, ତେବେ ଆମେ ନିଶ୍ଚିତ ହୋଇପାରିବା ଯେ ଆମ ଗୁହାରି ସେ ଶୁଣିବେ ଏବଂ ଆମକୁ କ୍ଷମା କରିବେ । (ଏବ୍ରୀ ୯:୧୩, ୧୪) ଯିହୋବା ଚାହାନ୍ତି ଯେ ଆମେ ନିଜର ଯେକୌଣସି ସମସ୍ୟା ଓ ଦୁର୍ବଳତାଗୁଡ଼ିକ ବିଷୟରେ ତାହାଙ୍କ ସହିତ ମନ ଖୋଲି କଥା ହେବା ଉଚିତ୍‌ । (ଏବ୍ରୀ ୪:୧୪-୧୬) ପରିଣାମସ୍ୱରୂପ, ଆମେ ଈଶ୍ୱରଙ୍କ ସମ୍ମୁଖରେ ଶୁଦ୍ଧ ବିବେକ ରଖିପାରିବା ।

୧୭. ଯୀଶୁ ଆମ ପାଇଁ ନିଜ ଜୀବନ ଦେଇଥିବାରୁ ଆମେ କʼଣ ଆଶା ରଖିପାରିବା ?

୧୭ ଆମେ ଚିରଦିନ ପାଇଁ ଜୀବିତ ରହିବାର ଆଶା ରଖିପାରିବା । “ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହଦାନ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ ।” (ରୋମୀୟ ୬:୨୩) ଯେହେତୁ ଯୀଶୁ ଆମ ପାଇଁ ନିଜ ଜୀବନ ଦେଲେ, ଆମେ ଉତ୍ତମ ସ୍ୱାସ୍ଥ୍ୟରେ ଚିରଦିନ ପାଇଁ ଜୀବିତ ରହିବାର ଆଶା ରଖିପାରିବା । (ପ୍ରକାଶିତ ବାକ୍ୟ ୨୧:୩, ୪) କିନ୍ତୁ ସେହି ଆଶିଷଗୁଡ଼ିକ ପାଇବା ପାଇଁ ଆମକୁ କʼଣ କରିବାକୁ ହେବ ?

କʼଣ ଆପଣ ମୁକ୍ତିର ମୂଲ୍ୟ ପ୍ରତି ଆଦର ଦେଖାଇବେ ?

୧୮. ଆମେ କିପରି ଜାଣୁ ଯେ ଯିହୋବା ଆମକୁ ପ୍ରେମ କରନ୍ତି ?

୧୮ ଟିକିଏ ଭାବି ଦେଖନ୍ତୁ, ଯେତେବେଳେ କେହି ଜଣେ ଆପଣଙ୍କୁ ଏକ ସୁନ୍ଦର ଉପହାର ଦିଅନ୍ତି, ଆପଣଙ୍କ ହୃଦୟ କିପରି କୃତଜ୍ଞତାରେ ଭରିଯାଏ ! ମୁକ୍ତିର ମୂଲ୍ୟ ସମସ୍ତ ଉପହାରଗୁଡ଼ିକ ମଧ୍ୟରୁ ଅଧିକ ମୂଲ୍ୟବାନ ଅଟେ ଏବଂ ଏହା ପାଇଁ ଆମେ ଯିହୋବାଙ୍କ ପ୍ରତି ଗଭୀର ଭାବେ କୃତଜ୍ଞ ହେବା ଉଚିତ୍‌ । ଯୋହନ ୩:୧୬ କହେ ଯେ ‘ଈଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ ।’ ହଁ, ଯିହୋବା ଆମକୁ ଏତେ ପ୍ରେମ କରନ୍ତି ଯେ ସେ ନିଜ ପ୍ରିୟ ପୁତ୍ର ଯୀଶୁଙ୍କୁ ଆମ ପାଇଁ ଦେଇଦେଲେ । ଆଉ, ଆମେ ଜାଣୁ ଯେ ଯୀଶୁ ମଧ୍ୟ ଆମକୁ ପ୍ରେମ କରନ୍ତି, କାରଣ ସେ ନିଜ ଇଚ୍ଛାରେ ଆମ ପାଇଁ ତାହାଙ୍କ ଜୀବନ ଉତ୍ସର୍ଗ କରିଦେଲେ । (ଯୋହନ ୧୫:୧୩) ମୁକ୍ତିର ମୂଲ୍ୟର ଉପହାରରୁ ଆପଣ ବୁଝିବା ଉଚିତ୍‌ ଯେ ଯିହୋବା ଏବଂ ଯୀଶୁ ଆପଣଙ୍କୁ ବାସ୍ତବରେ ବହୁତ ପ୍ରେମ କରନ୍ତି ।— ଗାଲାତୀୟ ୨:୨୦.

ଯେପରି ଆମେ ଯିହୋବାଙ୍କ ବିଷୟରେ ଶିଖିବା ଜାରି ରଖିବା, ଆମେ ତାହାଙ୍କ ମିତ୍ର ହେବା ଏବଂ ତାହାଙ୍କ ପାଇଁ ଆମ ପ୍ରେମ ଆହୁରି ଗଭୀର ହେବ

୧୯, ୨୦. (କ) ଆପଣ କିପରି ଯିହୋବାଙ୍କ ମିତ୍ର ହୋଇପାରିବେ ? (ଖ) ଆପଣ ଯୀଶୁଙ୍କ ମୁକ୍ତିର ମୂଲ୍ୟ ପ୍ରତି କିପରି ଆଦର ଦେଖାଇପାରିବେ ?

୧୯ ବର୍ତ୍ତମାନ ଯେତେବେଳେ ଆପଣ ଈଶ୍ୱରଙ୍କ ମହାନ ପ୍ରେମ ବିଷୟରେ ଜାଣିପାରିଛନ୍ତି, ଆପଣ କିପରି ତାହାଙ୍କ ମିତ୍ର ହୋଇପାରିବେ ? କାହାରି ସହିତ ମିତ୍ରତା କରିବାକୁ ହେଲେ, ପ୍ରଥମେ ଆପଣଙ୍କୁ ତାଙ୍କ ବିଷୟରେ ଜାଣିବାକୁ ହେବ । ଯୋହନ ୧୭:୩ କହେ ଯେ ଆମେ ଯିହୋବାଙ୍କୁ ଜାଣିପାରିବା । ଯଦି ଆପଣ ଯିହୋବାଙ୍କୁ ଜାଣିବେ, ତାହାଙ୍କ ପାଇଁ ଆପଣଙ୍କ ପ୍ରେମ ଆହୁରି ଗଭୀର ହେବ, ଆପଣ ତାହାଙ୍କୁ ଖୁସି କରିବାକୁ ଚାହିଁବେ ଏବଂ ତାହାଙ୍କ ମିତ୍ର ହେବେ । ତେଣୁ ବାଇବଲର ଅଧ୍ୟୟନ ଦ୍ୱାରା ଯିହୋବାଙ୍କ ବିଷୟରେ ଶିଖିବା ଜାରି ରଖନ୍ତୁ ।— ୧ ଯୋହନ ୫:୩.

୨୦ ଯୀଶୁଙ୍କ ମୁକ୍ତିର ମୂଲ୍ୟ ପ୍ରତି ଆଦର ଦେଖାନ୍ତୁ । ବାଇବଲ କହେ: “ଯେ ପୁତ୍ରଙ୍କଠାରେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି ।” (ଯୋହନ ୩:୩୬) ଏଠାରେ ବିଶ୍ୱାସ କରିବାର ଅର୍ଥ କʼଣ ? ଏହାର ଅର୍ଥ ଯୀଶୁ ଖ୍ରୀଷ୍ଟ ଆମକୁ ଯାହା କରିବା ପାଇଁ ଶିଖାଇଥିଲେ, ତାହା କରିବା । (ଯୋହନ ୧୩:୧୫) ଆମେ ଯୀଶୁଙ୍କୁ ବିଶ୍ୱାସ କରୁ ବୋଲି କହିବା ଯଥେଷ୍ଟ ନୁହଁ । ମୁକ୍ତିର ମୂଲ୍ୟ ପ୍ରତି ଆଦର ଦେଖାଇବା ପାଇଁ ଆମେ ନିଜ ବିଶ୍ୱାସ ଅନୁଯାୟୀ କାମ ମଧ୍ୟ କରିବା ଉଚିତ୍‌ । ଯାକୁବ ୨:୨୬ ପଦ କହେ: ‘କର୍ମ ବିନା ବିଶ୍ୱାସ ମୃତ ଅଟେ ।’

୨୧, ୨୨. (କ) ଆମେ ପ୍ରତିବର୍ଷ ଯୀଶୁଙ୍କ ମୃତ୍ୟୁର ସ୍ମାରକ ସଭାରେ କାହିଁକି ଉପସ୍ଥିତ ହେବା ଉଚିତ୍‌ ? (ଖ) ଆମେ ୬ ଓ ୭ ଅଧ୍ୟାୟରେ କʼଣ ଆଲୋଚନା କରିବା ?

୨୧ ଖ୍ରୀଷ୍ଟଙ୍କ ମୃତ୍ୟୁର ସ୍ମାରକ ସଭାରେ ଉପସ୍ଥିତ ହୁଅନ୍ତୁ । ଯୀଶୁ ନିଜ ମୃତ୍ୟୁର ପୂର୍ବ ରାତିରେ ଶିଖାଇଥିଲେ ଯେ ଆମେ ତାହାଙ୍କ ମୃତ୍ୟୁର ସ୍ମାରକ ପାଳନ କରିବା ଉଚିତ୍‌ । ଏହା ଆମେ ପ୍ରତିବର୍ଷ ପାଳନ କରିଥାଉ, ଯାହାକୁ ସ୍ମାରକ କିମ୍ବା “ପ୍ରଭୁଭୋଜ” ବୋଲି କୁହାଯାଏ । (୧ କରିନ୍ଥୀୟ ୧୧:୨୦; ମାଥିଉ ୨୬:୨୬-୨୮) ଯୀଶୁ ଚାହାନ୍ତି ଯେ ସେ ଯେଉଁ ନିଜର ସିଦ୍ଧ ଜୀବନ ମୁକ୍ତିର ମୂଲ୍ୟ ଭାବରେ ଆମ ପାଇଁ ଦେଲେ, ତାହା ଆମେ ମନେ ପକାଇବା ଉଚିତ୍‌ । ସେ କହିଥିଲେ: “ମୋତେ ସ୍ମରଣ କରିବା ନିମନ୍ତେ ଏହା କର ।” (ଲୂକ ୨୨:୧୯ ପଢ଼ନ୍ତୁ ।) ଯେତେବେଳେ ଆପଣ ସ୍ମାରକ ସଭାରେ ଉପସ୍ଥିତ ହୁଅନ୍ତି, ଆପଣ ମୁକ୍ତିର ମୂଲ୍ୟ ପ୍ରତି ଆଦର ଦେଖାନ୍ତି । ଏହା ସହିତ, ଯିହୋବା ଏବଂ ଯୀଶୁଙ୍କର ଆମ ପ୍ରତି ଯେଉଁ ମହାନ ପ୍ରେମ ରହିଛି, ତାʼ ପ୍ରତି ମଧ୍ୟ ଆପଣ ଗଭୀର ଆଦର ଦେଖାଇଥାʼନ୍ତି ।— ଅଧିକ ବିବରଣୀ-୧୬ ଦେଖନ୍ତୁ ।

୨୨ ମୁକ୍ତିର ମୂଲ୍ୟ ଆମ ପାଇଁ ସବୁଠାରୁ ଶ୍ରେଷ୍ଠ ଉପହାର ଅଟେ । ଏହାଠାରୁ ଅଧିକ ମୂଲ୍ୟବାନ ଉପହାର ଆଉ କିଛି ନାହିଁ । (୨ କରିନ୍ଥୀୟ ୯:୧୪, ୧୫) ଏହି ବହୁମୂଲ୍ୟ ଉପହାରରୁ ଏପରିକି ଲକ୍ଷ ଲକ୍ଷ ମରିଯାଇଥିବା ଲୋକମାନେ ମଧ୍ୟ ଲାଭ ପାଇପାରିବେ । ଆମେ ୬ ଓ ୭ ଅଧ୍ୟାୟରେ ଆଲୋଚନା କରିବା ଯେ ତାହା କିପରି ସମ୍ଭବ ହେବ ।