इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ସାତ ଅଧ୍ୟାୟ

ମରିଯାଇଥିବା ଲୋକଙ୍କୁ ପୁଣିଥରେ ଜୀବିତ କରାଯିବ !

ମରିଯାଇଥିବା ଲୋକଙ୍କୁ ପୁଣିଥରେ ଜୀବିତ କରାଯିବ !

୧-୩. (କ) ଆମେ ସମସ୍ତେ କେଉଁ କାରାଗାରରେ ବନ୍ଦୀ ଅଟୁ ? (ଖ) ଯିହୋବା ଆମକୁ କିପରି ମୁକ୍ତ କରିବେ ?

 କଳ୍ପନା କରନ୍ତୁ ଯେ ଆପଣଙ୍କୁ ଏପରି ଏକ ଅପରାଧ ପାଇଁ ଆଜୀବନ କାରାଦଣ୍ଡ ଦିଆଯାଇଛି, ଯେଉଁ ଅପରାଧ ଆପଣ କେବେ କରି ନ ଥିଲେ । ଆପଣ ଜେଲ୍‌ରୁ କେବେ ମଧ୍ୟ ମୁକୁଳିବାର କୌଣସି ସମ୍ଭାବନା ନାହିଁ । ଆପଣଙ୍କ ଭବିଷ୍ୟତ ଆଶାଶୂନ୍ୟ ଜଣା ପଡ଼ୁଛି ଏବଂ ଆପଣ ଏବିଷୟରେ କିଛି କରିପାରୁ ନାହାନ୍ତି । କିନ୍ତୁ ଠିକ୍‌ ଏହି ସମୟରେ, ଯେତେବେଳେ ଆପଣ ସମସ୍ତ ଆଶା ଛାଡ଼ି ଦେଇଛନ୍ତି, ଆପଣ ଜାଣିବାକୁ ପାଆନ୍ତି ଯେ ଜଣକ ପାଖରେ ଆପଣଙ୍କୁ ମୁକୁଳାଇବା ପାଇଁ ସାମର୍ଥ୍ୟ ରହିଛି ଏବଂ ସେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରତିଜ୍ଞା କରିଛନ୍ତି ! ଆପଣ କିପରି ଅନୁଭବ କରିବେ ?

ଆମେ ସମସ୍ତେ ମୃତ୍ୟୁର କାରାଗାରରେ ବନ୍ଦୀ ଅଟୁ । ଆମେ ଯାହା ମଧ୍ୟ କରୁ ନା କାହିଁକି, ମୃତ୍ୟୁକୁ ଆମେ ଏଡ଼ାଇପାରିବା ନାହିଁ । କିନ୍ତୁ ସର୍ବଶକ୍ତିମାନ ଈଶ୍ୱର ଯିହୋବାଙ୍କ ପାଖରେ ଆମକୁ ମୃତ୍ୟୁର କବଳରୁ ମୁକ୍ତ କରିବା ପାଇଁ ସାମର୍ଥ୍ୟ ଅଛି । ସେ ପ୍ରତିଜ୍ଞା କରିଛନ୍ତି ଯେ “ଶେଷ ଶତ୍ରୁ ସ୍ୱରୂପେ ମୃତ୍ୟୁକୁ ଲୋପ କରାଯିବ ।”— ୧ କରିନ୍ଥୀୟ ୧୫:୨୬.

କଳ୍ପନା କରି ଦେଖନ୍ତୁ, ଯେତେବେଳେ ଆପଣଙ୍କ ମନରେ ମରିବାର ଭୟ ଆଉ ରହିବ ନାହିଁ, ଆପଣ କେତେ ଆଶ୍ୱସ୍ତ ଅନୁଭବ କରିବେ ! କିନ୍ତୁ ଯିହୋବା କେବଳ ମୃତ୍ୟୁକୁ ଦୂର କରିବେ ନାହିଁ, ବରଂ ଯେଉଁମାନେ ମରିଯାଇଛନ୍ତି, ସେମାନଙ୍କୁ ପୁଣିଥରେ ଜୀବନ ଦେବେ । ଭାବି ଦେଖନ୍ତୁ ଯେ ଏହା ଆପଣଙ୍କ ପାଇଁ କʼଣ ଅର୍ଥ ରଖିବ । ଆମର ଯେଉଁ ଆତ୍ମୀୟମାନେ ମରିଯାଇଛନ୍ତି, ଆମେ ସେମାନଙ୍କୁ ପୁଣିଥରେ ଭେଟିପାରିବା ! ହଁ, ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ମୃତ ଲୋକମାନଙ୍କୁ ସେ ପୁଣିଥରେ ଜୀବିତ କରିବେ । (ଯିଶାଇୟ ୨୬:୧୯) ବାଇବଲ ଏହାକୁ ପୁନରୁତ୍ଥାନ ବୋଲି କହିଥାଏ ।

ଯେତେବେଳେ ଆମର କୌଣସି ଆତ୍ମୀୟଙ୍କ ମୃତ୍ୟୁ ହୁଏ

୪. (କ) ଯେତେବେଳେ ଆମର କେହି ଜଣେ ପରିବାର ସଦସ୍ୟ କିମ୍ବା ଘନିଷ୍ଠ ସାଙ୍ଗ ମରିଯାʼନ୍ତି, ଆମକୁ କେଉଁଠାରୁ ସାନ୍ତ୍ୱନା ମିଳିପାରିବ ? (ଖ) ଯୀଶୁଙ୍କର ଘନିଷ୍ଟ ମିତ୍ରମାନଙ୍କ ମଧ୍ୟରେ କିଏ କିଏ ଥିଲେ ?

ଯେତେବେଳେ ଆମର କେହି ଜଣେ ପରିବାର ସଦସ୍ୟ କିମ୍ବା ଘନିଷ୍ଠ ସାଙ୍ଗ ମରିଯାʼନ୍ତି, ଆମର ଦୁଃଖ ଓ ମାନସିକ ଯନ୍ତ୍ରଣା ଅସହ୍ୟ ହୋଇଯାଏ । ଆମେ ଅସହାୟ ହୋଇପଡ଼ୁ । ଆମେ ଭାବୁ, ‘କାଳେ ମୁଁ ତାଙ୍କୁ ପୁଣି ଫେରାଇ ଆଣିପାରନ୍ତି !’ କିନ୍ତୁ ଆମେ କିଛି କରିପାରି ନ ଥାଉ । ଏପରି ସମୟରେ ବାଇବଲରୁ ଆମକୁ ପ୍ରକୃତ ସାନ୍ତ୍ୱନା ମିଳିଥାଏ । (୨ କରିନ୍ଥୀୟ ୧:୩, ୪ ପଢ଼ନ୍ତୁ ।) ଆସନ୍ତୁ ଏକ ଉଦାହରଣ ପ୍ରତି ଧ୍ୟାନ ଦେବା, ଯାହା ଦେଖାଏ ଯେ ଯିହୋବା ଏବଂ ଯୀଶୁ ଖ୍ରୀଷ୍ଟ ମରିଯାଇଥିବା ଆମର ଆତ୍ମୀୟମାନଙ୍କୁ ପୁଣିଥରେ ଜୀବିତ କରିବା ପାଇଁ କେତେ ଆଗ୍ରହୀ ଅଟନ୍ତି । ଯେତେବେଳେ ଯୀଶୁ ପୃଥିବୀରେ ଥିଲେ, ସେ ଲାଜାର ଏବଂ ତାଙ୍କ ଦୁଇ ଭଉଣୀ ମାର୍ଥା ଓ ମରୀୟମଙ୍କ ଘରକୁ ପ୍ରାୟ ଯାଉଥିଲେ । ସେ ତିନି ଜଣଯାକ ଯୀଶୁଙ୍କ ଭଲ ମିତ୍ର ଥିଲେ । ବାଇବଲ କହେ: “ଯୀଶୁ ମାର୍ଥା, ତାଙ୍କ ଭଉଣୀ ଓ ଲାଜାରଙ୍କୁ ସ୍ନେହ କରୁଥିଲେ ।” କିନ୍ତୁ ତାʼପରେ ଦିନେ ଲାଜାରଙ୍କ ମୃତ୍ୟୁ ହେଲା ।— ଯୋହନ ୧୧:୩-୫.

୫, ୬. (କ) ଯେତେବେଳେ ଯୀଶୁ ଲାଜାରଙ୍କ ପରିବାର ସଦସ୍ୟ ଓ ଅନ୍ୟମାନଙ୍କୁ କାନ୍ଦୁଥିବାର ଦେଖିଲେ, ସେ କʼଣ କଲେ ? (ଖ) ମୃତ୍ୟୁ ବିଷୟରେ ଯୀଶୁ ଯାହା ଅନୁଭବ କଲେ, ତାହା ଜାଣି ଆମକୁ କାହିଁକି ସାନ୍ତ୍ୱନା ମିଳେ ?

ଯୀଶୁ ଖ୍ରୀଷ୍ଟ ମାର୍ଥା ଓ ମରୀୟମଙ୍କୁ ସାନ୍ତ୍ୱନା ଦେବା ପାଇଁ ଗଲେ । ଯେତେବେଳେ ମାର୍ଥା ଶୁଣିଲେ ଯେ ଯୀଶୁ ଆସୁଛନ୍ତି, ସେ ତାହାଙ୍କୁ ଭେଟିବା ପାଇଁ ସହର ବାହାରକୁ ଗଲେ । ସେ ଯୀଶୁଙ୍କୁ ଦେଖି ବହୁତ ଖୁସି ହେଲେ, କିନ୍ତୁ ସେ ତାହାଙ୍କୁ କହିଲେ: ‘ଯଦି ଆପଣ ଏଠାରେ ଥାଆନ୍ତେ, ତାʼହେଲେ ମୋର ଭାଇ ମରି ନ ଥାʼନ୍ତା ।’ ମାର୍ଥା ଭାବୁଥିଲେ ଯେ ଯୀଶୁ ଆସିବାରେ ବିଳମ୍ବ କରିଦେଲେ । ତାʼପରେ ଯୀଶୁ ମରୀୟମ ଓ ଅନ୍ୟମାନଙ୍କୁ କାନ୍ଦୁଥିବାର ଦେଖିଲେ । ସେମାନଙ୍କ ଦୁଃଖ ଦେଖି ସେ ଅତି ଦୁଃଖିତ ହେଲେ ଏବଂ ସେ ମଧ୍ୟ କାନ୍ଦି ପକାଇଲେ । (ଯୋହନ ୧୧:୨୧, ୩୩, ୩୫) ସେ ଅନୁଭବ କଲେ ଯେ ଯେତେବେଳେ ଆମେ କୌଣସି ଆତ୍ମୀୟଙ୍କୁ ମୃତ୍ୟୁରେ ହରାଉ, ଆମ ମନରେ କିଭଳି ଗଭୀର ଦୁଃଖ ଓ ଯନ୍ତ୍ରଣା ଭରିଯାଏ ।

ଯେତେବେଳେ ଆମେ ଜାଣୁ ଯେ ଯୀଶୁ ମୃତ୍ୟୁ ବିଷୟରେ ଠିକ୍‌ ଆମ ଭଳି ଅନୁଭବ କରନ୍ତି, ଏହା ଆମକୁ କେତେ ସାନ୍ତ୍ୱନା ଦିଏ ! ଯୀଶୁ ଠିକ୍‌ ତାହାଙ୍କ ପିତାଙ୍କ ଭଳି ଅଟନ୍ତି, ତେଣୁ ଆମେ ସମ୍ପୂର୍ଣ୍ଣ ଭରସା ରଖିପାରିବା ଯେ ତାହାଙ୍କ ପିତା ଯିହୋବା ମଧ୍ୟ ଆମ ଦୁଃଖକୁ ବୁଝନ୍ତି । (ଯୋହନ ୧୪:୯) ଯିହୋବାଙ୍କ ପାଖରେ ମୃତ୍ୟୁକୁ ଚିରଦିନ ପାଇଁ ଦୂର କରିବାର ସାମର୍ଥ୍ୟ ଅଛି ଏବଂ ସେ ଖୁବ୍‌ ଶୀଘ୍ର ଏପରି କରିବେ ।

‘ଲାଜାର, ବାହାରି ଆସ !’

୭, ୮. ମାର୍ଥା କାହିଁକି ଚାହୁଁ ନ ଥିଲେ ଯେ ଲାଜାରଙ୍କ ଗୁମ୍ଫାରୁ ପଥରକୁ ଘୁଞ୍ଚାଯାଉ ? କିନ୍ତୁ ଯୀଶୁ କʼଣ କଲେ ?

ଲାଜାରଙ୍କ ମୃତ ଶରୀରକୁ ଏକ ଗୁମ୍ଫାରେ ରଖାଯାଇଥିଲା ଏବଂ ତାʼର ମୁହଁକୁ ଏକ ବଡ଼ ପଥର ଦ୍ୱାରା ବନ୍ଦ କରାଯାଇଥିଲା । ଯେତେବେଳେ ଯୀଶୁ ସେହି ଗୁମ୍ଫା ପାଖରେ ପହଞ୍ଚିଲେ, ସେ ଲୋକମାନଙ୍କୁ କହିଲେ: “ଏହି ପଥର ଘୁଞ୍ଚାଇଦିଅ ।” କିନ୍ତୁ ମାର୍ଥା ଚାହୁଁ ନ ଥିଲେ ଯେ ସେମାନେ ଏପରି କରନ୍ତୁ । କାହିଁକି ? କାରଣ ଲାଜାରଙ୍କ ଶରୀର କବରରେ ରହିବାର ଚାରିଦିନ ବିତିଯାଇଥିଲା । (ଯୋହନ ୧୧:୩୯) ମାର୍ଥା ଜାଣି ନ ଥିଲେ ଯେ ଯୀଶୁ କʼଣ କରିବାକୁ ଯାଉଥିଲେ ।

କଳ୍ପନା କରନ୍ତୁ, ଯେତେବେଳେ ଲାଜାରଙ୍କୁ ପୁନରୁତ୍ଥାନ କରାଗଲା, ତାଙ୍କ ପରିବାର ଓ ମିତ୍ରମାନେ କେତେ ଖୁସି ହୋଇଥିବେ !— ଯୋହନ ୧୧:୩୮-୪୪

ପଥରଟିକୁ ଘୁଞ୍ଚାଇଦିଆଗଲା । ତାʼପରେ ଯୀଶୁ ଲାଜାରଙ୍କୁ କହିଲେ: ‘ବାହାରି ଆସ !’ ମାର୍ଥା ଓ ମରୀୟମ ଯାହା ଦେଖିଲେ, ତାହା ସେମାନଙ୍କ ପାଇଁ ଅତି ବିସ୍ମୟକର ଥିଲା । “ମୃତ ଲୋକଟି ବାହାରି ଆସିଲେ; ତାଙ୍କ ହାତ ଓ ପାଦ ସମାଧିବସ୍ତ୍ରରେ ବନ୍ଧା ହୋଇଥିଲା ।” (ଯୋହନ ୧୧:୪୩, ୪୪) ଲାଜାରଙ୍କୁ ପୁଣିଥରେ ଜୀବିତ କରାଯାଇଥିଲା ! ସେ ପୁଣିଥରେ ତାଙ୍କ ପରିବାର ଓ ମିତ୍ରମାନଙ୍କ ସହିତ ଯାଇ ମିଶିଲେ । ବର୍ତ୍ତମାନ, ସେମାନେ ତାଙ୍କୁ ଛୁଇଁ ପାରିଲେ, ତାଙ୍କୁ ଆଲିଙ୍ଗନ କରିପାରିଲେ ଏବଂ ତାଙ୍କ ସହିତ କଥା ହୋଇପାରିଲେ ! ଏହା କେତେ ବଡ଼ ଚମତ୍କାର ଥିଲା ! ଯୀଶୁ ଖ୍ରୀଷ୍ଟ ଲାଜାରଙ୍କୁ ପୁନରୁତ୍ଥାନ କରିଥିଲେ ।

“ଆଗୋ ବାଳିକା, ମୁଁ ତୋତେ କହୁଅଛି, ଉଠ୍‌ !”

୯, ୧୦. (କ) ଯୀଶୁଙ୍କୁ ମୃତ ଲୋକମାନଙ୍କୁ ପୁନରୁତ୍ଥାନ କରିବାର ଶକ୍ତି କିଏ ଦେଲେ ? (ଖ) ପୁନରୁତ୍ଥାନର ଘଟଣାବଳୀଗୁଡ଼ିକୁ ପଢ଼ିବା କାହିଁକି ଆମ ପାଇଁ ଲାଭଦାୟକ ଅଟେ ?

ଯୀଶୁ ଖ୍ରୀଷ୍ଟ କʼଣ ନିଜ ଶକ୍ତିରେ ଲୋକମାନଙ୍କୁ ପୁନରୁତ୍ଥାନ କରିଥିଲେ ? ନା ! ଲାଜାରଙ୍କୁ ପୁନରୁତ୍ଥାନ କରିବା ପୂର୍ବରୁ ଯୀଶୁ ଯିହୋବାଙ୍କୁ ପ୍ରାର୍ଥନା କଲେ । ଆଉ, ଯିହୋବା ତାହାଙ୍କୁ ଲାଜାରଙ୍କ ପୁନରୁତ୍ଥାନ କରିବା ପାଇଁ ଶକ୍ତି ଦେଲେ । (ଯୋହନ ୧୧:୪୧, ୪୨ ପଢ଼ନ୍ତୁ ।) କିନ୍ତୁ ଲାଜାର ଏକମାତ୍ର ବ୍ୟକ୍ତି ନ ଥିଲେ, ଯାହାଙ୍କୁ ପୁନରୁତ୍ଥାନ କରାଯାଇଥିଲା । ବାଇବଲ ଆମକୁ ଜଣେ ୧୨ ବର୍ଷ ବୟସର ଝିଅ ବିଷୟରେ କହେ, ଯିଏ ରୋଗରେ ଅତ୍ୟନ୍ତ ପୀଡ଼ିତ ଥିଲା । ତାʼର ପିତା ଯାଈରସ ଅତ୍ୟନ୍ତ ବ୍ୟାକୁଳ ହୋଇ ଯୀଶୁଙ୍କୁ ଅନୁରୋଧ କଲେ ଯେ ସେ ତାକୁ ସୁସ୍ଥ କରିଦିଅନ୍ତୁ । କାରଣ ସେ ତାଙ୍କ ଏକମାତ୍ର ଝିଅ ଥିଲା । ଠିକ୍‌ ଯେତେବେଳେ ସେ ଯୀଶୁଙ୍କ ସହିତ କଥା ହେଉଥିଲେ, ସେସମୟରେ କିଛି ଲୋକ ଆସି କହିଲେ: “ଆପଣଙ୍କ ଝିଅଟି ମରିଗଲାଣି, ଗୁରୁଙ୍କୁ କାହିଁକି ଆଉ କଷ୍ଟ ଦେଉଅଛନ୍ତି ?” କିନ୍ତୁ ଯୀଶୁ ଯାଈରସଙ୍କୁ କହିଲେ: “ଭୟ କର ନାହିଁ, କେବଳ ବିଶ୍ୱାସ କର, ଆଉ ସେ ବଞ୍ଚିବ ।” ତାʼପରେ ସେ ଯାଈରସଙ୍କ ସହିତ ତାଙ୍କ ଘରକୁ ଗଲେ । ଯେତେବେଳେ ସେମାନେ ଘର ନିକଟକୁ ପହଞ୍ଚିଲେ, ଯୀଶୁ ଲୋକମାନଙ୍କୁ କାନ୍ଦୁଥିବାର ଦେଖିଲେ । ଯୀଶୁ ସେମାନଙ୍କୁ କହିଲେ: ‘କାନ୍ଦ ନାହିଁ; ସେ ମରି ନାହିଁ, ମାତ୍ର ଶୋଇପଡ଼ିଅଛି ।’ ଝିଅଟିର ବାପାମାଆଙ୍କ ମନରେ ନିଶ୍ଚିତ ଭାବେ ପ୍ରଶ୍ନ ଉଠିଥିବ ଯେ ଯୀଶୁ କାହିଁକି ଏପରି କହିଲେ । ଯୀଶୁ ସମସ୍ତଙ୍କୁ ବାହାରି ଯିବା ପାଇଁ କହିଲେ ଏବଂ ଝିଅଟିର ବାପାମାଆଙ୍କୁ ସେହି କୋଠରୀକୁ ନେଇଗଲେ, ଯେଉଁଠାରେ ଝିଅଟିକୁ ରଖାଯାଇଥିଲା । ଯୀଶୁ ଝିଅଟିର ହାତ ଧରି ତାକୁ କହିଲେ: “ଆଗୋ ବାଳିକା, ମୁଁ ତୋତେ କହୁଅଛି, ଉଠ୍‌ ।” ସେ ତୁରନ୍ତ ଉଠି ଚାଲିବାକୁ ଲାଗିଲା ! କଳ୍ପନା କରନ୍ତୁ, ଏହା ଦେଖି ତାʼର ବାପାମାʼ କେତେ ଯେ ଖୁସି ହୋଇ ନ ଥିବେ ! ହଁ, ଯୀଶୁ ସେମାନଙ୍କ ଝିଅକୁ ପୁନରୁତ୍ଥାନ କରିଥିଲେ । (ମାର୍କ ୫:୨୨-୨୪, ୩୫-୪୨; ଲୂକ ୮:୪୯-୫୬) ସେହିଦିନଠାରୁ ଯେତେବେଳେ ମଧ୍ୟ ସେମାନେ ନିଜ ଝିଅକୁ ଦେଖିଥିବେ, ସେମାନେ ମନେ ପକାଇଥିବେ ଯେ ଯୀଶୁଙ୍କ ଜରିଆରେ ଯିହୋବା ସେମାନଙ୍କ ପାଇଁ କʼଣ ନ କରିଥିଲେ ! a

୧୦ ଯେଉଁ ମୃତ ଲୋକମାନଙ୍କୁ ଯୀଶୁ ଖ୍ରୀଷ୍ଟ ଜୀବିତ କଲେ, ସେମାନେ ପରେ ପୁଣି ମରିଗଲେ । ତଥାପି ଏହି ଘଟଣାଗୁଡ଼ିକ ବିଷୟରେ ପଢ଼ିବା ଆମ ପାଇଁ ଲାଭଦାୟକ ଅଟେ, କାରଣ ଏଗୁଡ଼ିକରୁ ଆମକୁ ଏକ ପ୍ରକୃତ ଆଶା ମିଳିଥାଏ । ଆଉ, ତାହା ହେଉଛି— ଯିହୋବା ଲୋକମାନଙ୍କୁ ପୁନରୁତ୍ଥାନ କରିବାକୁ ଚାହାନ୍ତି ଏବଂ ସେ ଏହା ନିଶ୍ଚୟ କରିବେ ।

ପୁନରୁତ୍ଥାନର ଘଟଣାବଳୀଗୁଡ଼ିକରୁ ଆମେ କʼଣ ଶିଖୁ

ପିତର ଖ୍ରୀଷ୍ଟିୟାନ ମହିଳା ଦର୍କାଙ୍କୁ ପୁନରୁତ୍ଥାନ କଲେ ।— ପ୍ରେରିତ ୯:୩୬-୪୨

ଏଲୀୟ ଜଣେ ବିଧବାଙ୍କ ପୁଅକୁ ପୁନରୁତ୍ଥାନ କଲେ ।— ୧ ରାଜାବଳୀ ୧୭:୧୭-୨୪

୧୧. ଉପଦେଶକ ୯:୫ ପଦ ଲାଜାରଙ୍କ ବିଷୟରେ ଆମକୁ କʼଣ ଶିଖାଏ ?

୧୧ ବାଇବଲ ସ୍ପଷ୍ଟ ଭାବରେ କହେ ଯେ “ମୃତ ଲୋକମାନେ କିଛି ଜାଣନ୍ତି ନାହିଁ ।” ଲାଜାରଙ୍କ କ୍ଷେତ୍ରରେ ମଧ୍ୟ ଏହା ସତ ଥିଲା । (ଉପଦେଶକ ୯:୫) ଠିକ୍‌ ଯେପରି ଯୀଶୁ କହିଥିଲେ, ଲାଜାରଙ୍କ ମୃତ୍ୟୁ ନିଦରେ ଶୋଇବା ସଙ୍ଗେ ସମାନ ଥିଲା । (ଯୋହନ ୧୧:୧୧) ଯେତେବେଳେ ଲାଜାର କବରରେ ଥିଲେ, ସେ ‘କିଛି ଜାଣୁ ନ ଥିଲେ ।’

୧୨. ଲାଜାରଙ୍କ ପୁନରୁତ୍ଥାନ ପ୍ରକୃତରେ ହୋଇଥିଲା ବୋଲି ଆମେ କିପରି ଜାଣିପାରୁ ?

୧୨ ଯେତେବେଳେ ଯୀଶୁ ଲାଜାରଙ୍କୁ ପୁନରୁତ୍ଥାନ କଲେ, ଅନେକ ଲୋକ ଏହା ଦେଖିଲେ । ଏପରିକି ଯୀଶୁଙ୍କ ଶତ୍ରୁମାନେ ମଧ୍ୟ ଜାଣିଥିଲେ ଯେ ସେ ଏହି ଅଲୌକିକ କାମ କରିଥିଲେ । ଆଉ, ଲାଜାର ଜୀବିତ ଥିଲେ । ଏହା ପ୍ରମାଣିତ କରୁଥିଲା ଯେ ପୁନରୁତ୍ଥାନ ପ୍ରକୃତରେ ହୋଇଥିଲା । (ଯୋହନ ୧୧:୪୭) କେବଳ ସେତିକି ନୁହଁ, ଅନେକ ଲୋକ ଲାଜାରଙ୍କୁ ଦେଖିବାକୁ ଆସିଲେ ଏବଂ ସେମାନେ ବିଶ୍ୱାସ କରିବାକୁ ଲାଗିଲେ ଯେ ଯୀଶୁଙ୍କୁ ଈଶ୍ୱର ପଠାଇଥିଲେ । ଯୀଶୁଙ୍କ ଶତ୍ରୁମାନେ ଏହାକୁ ପସନ୍ଦ କଲେ ନାହିଁ । ତେଣୁ ସେମାନେ ଯୀଶୁ ଓ ଲାଜାର ଉଭୟଙ୍କୁ ହତ୍ୟା କରିବା ପାଇଁ ଯୋଜନା କଲେ ।— ଯୋହନ ୧୧:୫୩; ୧୨:୯-୧୧.

୧୩. ଆମେ କାହିଁକି ନିଶ୍ଚିତ ହୋଇପାରିବା ଯେ ଯିହୋବା ମୃତ ଲୋକମାନଙ୍କୁ ପୁନରୁତ୍ଥାନ କରିବେ ?

୧୩ ଯୀଶୁ ଖ୍ରୀଷ୍ଟ କହିଥିଲେ ଯେ ‘ସମାଧିସ୍ଥ ସମସ୍ତଙ୍କୁ’ ପୁନରୁତ୍ଥାନ କରାଯିବ । (ଯୋହନ ୫:୨୮) ଏହାର ଅର୍ଥ ହେଉଛି, ଏପରି ସମସ୍ତେ ଯେଉଁମାନଙ୍କୁ ଯିହୋବା ସ୍ମରଣରେ ରଖିଛନ୍ତି, ସେମାନେ ପୁଣିଥରେ ଜୀବିତ ହେବେ । କିନ୍ତୁ ଏଥିପାଇଁ ଯିହୋବାଙ୍କୁ ସେମାନଙ୍କ ବିଷୟରେ ସବୁକିଛି ମନେ ରଖିବାକୁ ହେବ । ସେ କʼଣ ଏହା ପ୍ରକୃତରେ କରିପାରିବେ ? ଟିକିଏ ଭାବି ଦେଖନ୍ତୁ, ସମଗ୍ର ବିଶ୍ୱରେ କୋଟି କୋଟି ତାରା ଅଛନ୍ତି । ଆଉ, ବାଇବଲ କହେ ଯେ ଯିହୋବା ପ୍ରତ୍ୟେକ ତାରାର ନାମ ଧରି ଡାକନ୍ତି । (ଯିଶାଇୟ ୪୦:୨୬ ପଢ଼ନ୍ତୁ ।) ଯଦି ସେ ପ୍ରତ୍ୟେକ ତାରାର ନାମକୁ ମନେ ରଖିପାରନ୍ତି, ତେବେ ସେ ଯେଉଁମାନଙ୍କୁ ପୁଣିଥରେ ଜୀବିତ କରିବେ, ସେମାନଙ୍କ ବିଷୟରେ ସବୁକିଛି ନିଶ୍ଚିତ ଭାବେ ମନେ ରଖିପାରିବେ । ଏହାଠାରୁ ମଧ୍ୟ ବଡ଼ କଥା ହେଉଛି, ଯିହୋବା ସବୁକିଛି ସୃଷ୍ଟି କରିଛନ୍ତି । ତେଣୁ ଆମେ ଜାଣୁ ଯେ ତାହାଙ୍କ ପାଖରେ ମୃତ ଲୋକମାନଙ୍କୁ ପୁଣିଥରେ ଜୀବିତ କରିବାର ସାମର୍ଥ୍ୟ ଅଛି ।

୧୪, ୧୫. ଆୟୁବ ଯାହା କହିଲେ, ସେଥିରୁ ଆମେ ପୁନରୁତ୍ଥାନ ବିଷୟରେ କʼଣ ଶିଖୁ ?

୧୪ ଈଶ୍ୱରଙ୍କ ବିଶ୍ୱସ୍ତ ସେବକ ଆୟୁବ ପୁନରୁତ୍ଥାନ ଉପରେ ବିଶ୍ୱାସ କରୁଥିଲେ । ସେ ପଚାରିଥିଲେ: “ମନୁଷ୍ୟ ମଲେ କʼଣ ପୁନର୍ବାର ବଞ୍ଚିବ ?” ତାʼପରେ ସେ ନିଜେ ଯିହୋବାଙ୍କୁ କହିଥିଲେ: “ତୁମ୍ଭେ ଡାକିବ ଓ ମୁଁ ତୁମ୍ଭକୁ ଉତ୍ତର ଦେବି; ତୁମ୍ଭେ ଆପଣା ହସ୍ତକୃତ କର୍ମ ପ୍ରତି କରୁଣା କରିବ ।” ହଁ, ଆୟୁବ ଜାଣିଥିଲେ ଯେ ଯିହୋବା ଆଗ୍ରହର ସହିତ ସେହି ସମୟର ଅପେକ୍ଷାରେ ଅଛନ୍ତି, ଯେତେବେଳେ ସେ ମୃତ ଲୋକମାନଙ୍କୁ ଜୀବିତ କରିବେ ।— ଆୟୁବ ୧୪:୧୩-୧୫.

୧୫ ପୁନରୁତ୍ଥାନର ଆଶା ବିଷୟରେ ଆପଣ କʼଣ ଭାବନ୍ତି ? ଆପଣ ହୁଏତ ଭାବୁଥିବେ, ‘ମୋର ଯେଉଁ ପରିବାର ସଦସ୍ୟ ଓ ସାଙ୍ଗସାଥୀମାନେ ମରିଯାଇଛନ୍ତି, ସେମାନଙ୍କ ବିଷୟରେ କʼଣ ? କʼଣ ସେମାନଙ୍କର ମଧ୍ୟ ପୁନରୁତ୍ଥାନ ହେବ ?’ ଏହା ଜାଣି ଆମକୁ ସାନ୍ତ୍ୱନା ମିଳେ ଯେ ଯିହୋବା ମରିଯାଇଥିବା ଲୋକମାନଙ୍କୁ ପ୍ରକୃତରେ ପୁଣିଥରେ ଜୀବିତ କରିବାକୁ ଚାହାନ୍ତି । କିନ୍ତୁ କେଉଁମାନଙ୍କୁ ପୁନରୁତ୍ଥାନ କରାଯିବ ଏବଂ ସେମାନେ କେଉଁଠି ରହିବେ ? ଆସନ୍ତୁ ଆମେ ଦେଖିବା ଯେ ଏବିଷୟରେ ବାଇବଲ କʼଣ କହେ ।

‘ସେମାନେ ତାହାଙ୍କ ସ୍ୱର ଶୁଣିବେ ଏବଂ ବାହାରି ଆସିବେ’

୧୬. ଯେଉଁମାନଙ୍କୁ ଏହି ପୃଥିବୀରେ ପୁନରୁତ୍ଥାନ କରାଯିବ, ସେମାନେ କେଉଁ ପ୍ରକାରର ଜୀବନର ଆନନ୍ଦ ନେବେ ?

୧୬ ଅତୀତରେ ଯେଉଁମାନଙ୍କର ପୁନରୁତ୍ଥାନ ହୋଇଥିଲା, ସେମାନେ ଏହି ପୃଥିବୀରେ ନିଜ ପରିବାର ସଦସ୍ୟ ଓ ମିତ୍ରମାନଙ୍କ ସହିତ ପୁଣିଥରେ ମିଶିଲେ । ଏହା ଭବିଷ୍ୟତରେ ମଧ୍ୟ ହେବ, କିନ୍ତୁ ସେସମୟରେ ଏହା ସମ୍ପୂର୍ଣ୍ଣ ଅଲଗା ଏବଂ ଆହୁରି ଉତ୍ତମ ହେବ । କାହିଁକି ? କାରଣ ଯେଉଁମାନଙ୍କୁ ପୁଣିଥରେ ଜୀବିତ କରାଯିବ, ସେମାନଙ୍କ ପାଖରେ ଏହି ପୃଥିବୀରେ ଚିରଦିନ ଜୀବିତ ରହିବାର ସୁଯୋଗ ରହିବ ଏବଂ ସେମାନେ କେବେ ମଧ୍ୟ ମରିବେ ନାହିଁ । କେବଳ ସେତିକି ନୁହଁ, ସେମାନଙ୍କୁ ନୂତନ ପୃଥିବୀରେ ଜୀବିତ କରାଯିବ, ଯାହା ଆମେ ରହୁଥିବା ଆଜିର ଏହି ଜଗତଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିବ । ସେଠାରେ ଯୁଦ୍ଧ ନ ଥିବ, ଅପରାଧ ନ ଥିବ ଏବଂ ରୋଗ ମଧ୍ୟ ନ ଥିବ ।

୧୭. କେଉଁମାନଙ୍କର ପୁନରୁତ୍ଥାନ ହେବ ?

୧୭ କେଉଁମାନଙ୍କର ପୁନରୁତ୍ଥାନ ହେବ ? ଯୀଶୁ କହିଥିଲେ ଯେ ‘ସମାଧିସ୍ଥ ସମସ୍ତେ ତାହାଙ୍କ ସ୍ୱର ଶୁଣିବେ ଏବଂ ବାହାରି ଆସିବେ ।’ (ଯୋହନ ୫:୨୮, ୨୯) ପ୍ରକାଶିତ ବାକ୍ୟ ୨୦:୧୩ ଆମକୁ କହେ: “ସମୁଦ୍ର ଆପଣାର ମଧ୍ୟବର୍ତ୍ତୀ ମୃତମାନଙ୍କୁ ସମର୍ପଣ କଲା, ଆଉ ମୃତ୍ୟୁ ଓ ପାତାଳ [କବର] ସେମାନଙ୍କ ମଧ୍ୟବର୍ତ୍ତୀ ମୃତମାନଙ୍କୁ ସମର୍ପଣ କଲେ ।” ହଁ, କୋଟି କୋଟି ମୃତ ଲୋକମାନେ ପୁଣିଥରେ ଜୀବିତ ହେବେ । ପାଉଲ ମଧ୍ୟ କହିଥିଲେ ଯେ “ଧାର୍ମିକ ଓ ଅଧାର୍ମିକ ଉଭୟଙ୍କର ପୁନରୁତ୍ଥାନ ହେବ ।” (ପ୍ରେରିତ ୨୪:୧୫ ପଢ଼ନ୍ତୁ ।) ଏହାର ଅର୍ଥ କʼଣ ?

ଯେତେବେଳେ ପୃଥିବୀ ଏକ ସୁନ୍ଦର ପାରଦୀଶରେ ପରିଣତ ହୋଇଯିବ, ସେତେବେଳେ ମୃତ ଲୋକମାନଙ୍କୁ ପୁନରୁତ୍ଥାନ କରାଯିବ ଏବଂ ସେମାନେ ନିଜ ଆତ୍ମୀୟମାନଙ୍କ ସହିତ ପୁଣି ମିଶିବେ

୧୮. ପୁନରୁତ୍ଥାନ କରାଯିବାକୁ ଥିବା “ଧାର୍ମିକ” ଲୋକମାନଙ୍କ ମଧ୍ୟରେ କେଉଁମାନେ ସାମିଲ୍‌ ଅଛନ୍ତି ?

୧୮ “ଧାର୍ମିକ” ଲୋକମାନଙ୍କ ମଧ୍ୟରେ ଯିହୋବାଙ୍କର ଏପରି ବିଶ୍ୱସ୍ତ ସେବକମାନେ ସାମିଲ୍‌ ଅଛନ୍ତି, ଯେଉଁମାନେ ଯୀଶୁ ଖ୍ରୀଷ୍ଟ ପୃଥିବୀକୁ ଆସିବା ପୂର୍ବରୁ ବଞ୍ଚିଥିଲେ । ନୋହ, ଅବ୍ରହାମ, ସାରା, ମୋଶା, ରୂତ ଏବଂ ଏଷ୍ଟରଙ୍କ ଭଳି ବ୍ୟକ୍ତିମାନେ ଏହି ପୃଥିବୀରେ ପୁନରୁତ୍ଥାନ ପାଇବେ । ଆପଣ ସେହି ପୁରୁଷ ଓ ସ୍ତ୍ରୀମାନଙ୍କ ମଧ୍ୟରୁ କେତେକଙ୍କ ବିଷୟରେ ଏବ୍ରୀ ବହିର ୧୧ ଅଧ୍ୟାୟରେ ପଢ଼ିପାରିବେ । କିନ୍ତୁ ଆଜି ଆମ ସମୟରେ ଯିହୋବାଙ୍କର ଯେଉଁ ବିଶ୍ୱସ୍ତ ସେବକମାନେ ମରିଯାʼନ୍ତି, ସେମାନଙ୍କ ବିଷୟରେ କʼଣ ? ସେମାନେ ମଧ୍ୟ “ଧାର୍ମିକ” ଅଟନ୍ତି, ତେଣୁ ସେମାନଙ୍କର ମଧ୍ୟ ପୁନରୁତ୍ଥାନ ହେବ ।

୧୯. (କ) “ଅଧାର୍ମିକ” ଲୋକମାନଙ୍କ ମଧ୍ୟରେ କେଉଁମାନେ ସାମିଲ୍‌ ଅଛନ୍ତି ? (ଖ) ଯିହୋବା ସେମାନଙ୍କୁ କʼଣ ସୁଯୋଗ ଦେବେ ?

୧୯ “ଅଧାର୍ମିକ” ଲୋକମାନଙ୍କ ମଧ୍ୟରେ ଏପରି କୋଟି କୋଟି ଲୋକ ସାମିଲ୍‌ ଅଛନ୍ତି, ଯେଉଁମାନେ ଯିହୋବାଙ୍କ ବିଷୟରେ ଜାଣିବା ପାଇଁ ସୁଯୋଗ ପାଇ ନ ଥିଲେ । ଯଦିଓ ସେମାନେ ମରିଯାଇଛନ୍ତି, ଯିହୋବା ସେମାନଙ୍କୁ ଭୁଲି ନାହାନ୍ତି । ସେ ସେମାନଙ୍କୁ ପୁନରୁତ୍ଥାନ କରିବେ ଏବଂ ସେମାନେ ତାହାଙ୍କ ବିଷୟରେ ଶିଖିବା ଓ ତାହାଙ୍କ ସେବା କରିବାର ସୁଯୋଗ ପାଇବେ ।

୨୦. ମରିଯାଇଥିବା ପ୍ରତ୍ୟେକ ବ୍ୟକ୍ତିକୁ କାହିଁକି ପୁନରୁତ୍ଥାନ କରାଯିବ ନାହିଁ ?

୨୦ ଏହାର ଅର୍ଥ କʼଣ ମରିଯାଇଥିବା ପ୍ରତ୍ୟେକ ଲୋକର ପୁନରୁତ୍ଥାନ ହେବ ? ନା । ଯୀଶୁ କହିଥିଲେ ଯେ କେତେକ ଲୋକଙ୍କୁ ପୁଣିଥରେ ଜୀବିତ କରାଯିବ ନାହିଁ । (ଲୂକ ୧୨:୫) ଜଣେ ବ୍ୟକ୍ତିକୁ ପୁନରୁତ୍ଥାନ କରାଯିବ କି ନାହିଁ, ଏହା କିଏ ସ୍ଥିର କରିବ ? ଯିହୋବା ହିଁ ଅନ୍ତିମ ବିଚାରକର୍ତ୍ତା ଅଟନ୍ତି, କିନ୍ତୁ ସେ ଯୀଶୁଙ୍କୁ ମଧ୍ୟ “ମୃତ ଓ ଜୀବିତମାନଙ୍କର ବିଚାରକର୍ତ୍ତା ହେବା ନିମନ୍ତେ” ଅଧିକାର ଦେଇଛନ୍ତି । (ପ୍ରେରିତ ୧୦:୪୨) ଏପରି ଯେକୌଣସି ବ୍ୟକ୍ତି ଯିଏ ନିଜ ଜୀବନରେ ପରିବର୍ତ୍ତନ ଆଣିବାକୁ ଚାହେଁ ନାହିଁ ଏବଂ ଯାହାକୁ ଦୁଷ୍ଟ ବୋଲି ବିଚାର କରାଯିବ, ତାହାକୁ ପୁନରୁତ୍ଥାନ କରାଯିବ ନାହିଁ ।— ଅଧିକ ବିବରଣୀ-୧୯ ଦେଖନ୍ତୁ ।

କିଛି ଲୋକଙ୍କୁ ସ୍ୱର୍ଗରେ ଜୀବନ ଦିଆଯିବ

୨୧, ୨୨. (କ) ଯେଉଁମାନଙ୍କୁ ସ୍ୱର୍ଗରେ ଜୀବନ ପାଇବା ପାଇଁ ପୁନରୁତ୍ଥାନ କରାଯାଏ, ସେମାନେ କିପରି ଶରୀର ପାଇବେ ? (ଖ) ଏପ୍ରକାରର ପୁନରୁତ୍ଥାନ ପାଇବାରେ କିଏ ପ୍ରଥମ ବ୍ୟକ୍ତି ଥିଲେ ?

୨୧ ବାଇବଲ ଆମକୁ ଏହା ମଧ୍ୟ କହେ ଯେ କିଛି ଲୋକ ମରିବା ପରେ ସ୍ୱର୍ଗକୁ ଯିବେ । ଯେତେବେଳେ ସ୍ୱର୍ଗରେ ଜୀବନ ପାଇବା ପାଇଁ କାହାରିକୁ ପୁନରୁତ୍ଥାନ କରାଯାଏ, ସେ ମଣିଷ ଶରୀରରେ ଆଉ ଜୀବିତ ହୁଏ ନାହିଁ । ବରଂ ସେ ଏକ ଆତ୍ମିକ ଅର୍ଥାତ୍‌ ଅଦୃଶ୍ୟ ଶରୀରରେ ସ୍ୱର୍ଗରେ ପୁନରୁତ୍ଥାନ ପାଇଥାଏ ।

୨୨ ଏହି ପ୍ରକାରର ପୁନରୁତ୍ଥାନ ପାଇବାରେ ଯୀଶୁ ଖ୍ରୀଷ୍ଟ ପ୍ରଥମ ବ୍ୟକ୍ତି ଥିଲେ । (ଯୋହନ ୩:୧୩) ଯୀଶୁଙ୍କୁ ହତ୍ୟା କରାଯିବାର ତିନି ଦିନ ପରେ ଯିହୋବା ତାହାଙ୍କୁ ପୁନରୁତ୍ଥାନ କଲେ । (ଗୀତସଂହିତା ୧୬:୧୦; ପ୍ରେରିତ ୧୩:୩୪, ୩୫) ଯୀଶୁଙ୍କୁ ମଣିଷ ଶରୀରରେ ପୁନରୁତ୍ଥାନ କରାଯାଇ ନ ଥିଲା । ପିତର କହିଥିଲେ ଯେ ଯୀଶୁ “ଶରୀରରେ ମୃତ୍ୟୁଭୋଗ କଲେ ସତ, କିନ୍ତୁ ଆତ୍ମାରେ ଜୀବିତ ହେଲେ ।” (୧ ପିତର ୩:୧୮) ଯୀଶୁଙ୍କୁ ଏକ ଶକ୍ତିଶାଳୀ ଆତ୍ମିକ ପ୍ରାଣୀ ଭାବରେ ପୁନରୁତ୍ଥାନ କରାଯାଇଥିଲା ! (୧ କରିନ୍ଥୀୟ ୧୫:୩-୬) କିନ୍ତୁ ବାଇବଲ କହେ ଯେ ଯୀଶୁଙ୍କ ବ୍ୟତୀତ ଅନ୍ୟମାନଙ୍କୁ ମଧ୍ୟ ସ୍ୱର୍ଗରେ ଜୀବନ ପାଇବା ପାଇଁ ପୁନରୁତ୍ଥାନ କରାଯିବ ।

୨୩, ୨୪. (କ) କେଉଁମାନଙ୍କୁ ସ୍ୱର୍ଗରେ ରହିବା ପାଇଁ ପୁନରୁତ୍ଥାନ କରାଯାଇଥାʼନ୍ତା ? (ଖ) ‘ସାନ ପଲର’ ସଂଖ୍ୟା କେତେ ?

୨୩ ଯୀଶୁ ଖ୍ରୀଷ୍ଟ ନିଜ ମୃତ୍ୟୁର କିଛି ସମୟ ପୂର୍ବେ ତାହାଙ୍କ ବିଶ୍ୱସ୍ତ ଶିଷ୍ୟମାନଙ୍କୁ କହିଲେ: “ମୁଁ ତୁମ୍ଭମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରିବାକୁ ଯାଉଅଛି ।” (ଯୋହନ ୧୪:୨) ଏହାର ଅର୍ଥ ଥିଲା ଯେ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ କେତେକଙ୍କୁ ସ୍ୱର୍ଗରେ ତାହାଙ୍କ ସହିତ ରହିବା ପାଇଁ ପୁନରୁତ୍ଥାନ କରାଯାଇଥାʼନ୍ତା । କିନ୍ତୁ କେତେ ଜଣଙ୍କୁ ଏହି ପୁନରୁତ୍ଥାନ ମିଳିବ ? ଯୀଶୁ ସେମାନଙ୍କୁ “ସାନ ପଲ” କହିଥିଲେ, ଅର୍ଥାତ୍‌ ସେମାନଙ୍କ ସଂଖ୍ୟା ଅଳ୍ପ ହୋଇଥାʼନ୍ତା । (ଲୂକ ୧୨:୩୨) ଯୋହନ ଏହାର ସଠିକ୍‌ ସଂଖ୍ୟା ଦେଇଥିଲେ । ସେ ଯୀଶୁଙ୍କୁ ‘[ସ୍ୱର୍ଗୀୟ] ସିୟୋନ ପର୍ବତ ଉପରେ ଏକ ଲକ୍ଷ ଚୌରାଳିଶ ସହସ୍ର ଲୋକଙ୍କୁ ତାହାଙ୍କ ସହିତ ଠିଆ ହୋଇଥିବାର ଦେଖିଲେ ।’— ପ୍ରକାଶିତ ବାକ୍ୟ ୧୪:୧.

୨୪ ଏହି ୧,୪୪,୦୦୦ ଜଣ ଖ୍ରୀଷ୍ଟିୟାନମାନଙ୍କୁ କେବେ ପୁନରୁତ୍ଥାନ କରାଯାଇଥାʼନ୍ତା ? ବାଇବଲ ଆମକୁ କହେ ଯେ ଯୀଶୁ ସ୍ୱର୍ଗରେ ଶାସନ ଆରମ୍ଭ କରିବା ପରେ ଏହା କରାଯାଇଥାʼନ୍ତା । (୧ କରିନ୍ଥୀୟ ୧୫:୨୩) ଆଜି ଆମେ ଠିକ୍‌ ସେହି ସମୟରେ ବଞ୍ଚୁଅଛୁ । ଏହି ୧,୪୪,୦୦୦ ଜଣ ମଧ୍ୟରୁ ଅନେକଙ୍କ ପୁନରୁତ୍ଥାନ ସ୍ୱର୍ଗରେ ହୋଇଯାଇଛି ଏବଂ ଯେଉଁମାନେ ପୃଥିବୀରେ ଏପର୍ଯ୍ୟନ୍ତ ଅଛନ୍ତି, ସେମାନଙ୍କ ମଧ୍ୟରୁ ଯେତେବେଳେ କାହାରି ମୃତ୍ୟୁ ହୋଇଯାଏ, ତାଙ୍କୁ ତୁରନ୍ତ ସ୍ୱର୍ଗରେ ପୁନରୁତ୍ଥାନ କରାଯାଏ । କିନ୍ତୁ, ଅଧିକାଂଶ ଲୋକଙ୍କୁ ପାରଦୀଶରେ ପରିଣତ ଏହି ପୃଥିବୀରେ ହିଁ ପୁନରୁତ୍ଥାନ କରାଯିବ ।

୨୫. ପରବର୍ତ୍ତୀ ଅଧ୍ୟାୟରେ ଆମେ କେଉଁ ବିଷୟରେ ଶିଖିବା ?

୨୫ ଖୁବ୍‌ ଶୀଘ୍ର, ଯିହୋବା ସମଗ୍ର ମାନବଜାତିକୁ ମୃତ୍ୟୁର କବଳରୁ ମୁକ୍ତ କରିବେ । ସେ ମୃତ୍ୟୁକୁ ଚିରଦିନ ପାଇଁ ଦୂର କରିଦେବେ ! (ଯିଶାଇୟ ୨୫:୮ ପଢ଼ନ୍ତୁ ।) କିନ୍ତୁ ଯେଉଁମାନେ ସ୍ୱର୍ଗକୁ ଯିବେ, ସେମାନେ ସେଠାରେ କʼଣ କରିବେ ? ବାଇବଲ କହେ ଯେ ସେମାନେ ଏକ ସ୍ୱର୍ଗୀୟ ରାଜ୍ୟ ବା ସରକାରରେ ଯୀଶୁଙ୍କ ସହିତ ଶାସନ କରିବେ । ଏହି ସରକାର ବିଷୟରେ ଆମେ ପରବର୍ତ୍ତୀ ଅଧ୍ୟାୟରେ ଅଧିକ ଶିଖିବା ।

a ବାଇବଲରେ ପୁନରୁତ୍ଥାନର ଆହୁରି ଅନେକ ଘଟଣାବଳୀଗୁଡ଼ିକ ଦିଆଯାଇଛି । ସେଗୁଡ଼ିକରେ କୁହାଯାଇଛି ଯେ କିପରି ଯୁବା ଓ ବୟସ୍କ, ପୁରଷ ଓ ସ୍ତ୍ରୀ, ଇସ୍ରାଏଲୀୟ ଓ ବିଦେଶୀମାନଙ୍କୁ ପୁନରୁତ୍ଥାନ କରାଯାଇଥିଲା । ସେଗୁଡ଼ିକୁ ଆପଣ ଏହି ପଦଗୁଡ଼ିକରେ ପଢ଼ିପାରିବେ: ୧ ରାଜାବଳୀ ୧୭:୧୭-୨୪; ୨ ରାଜାବଳୀ ୪:୩୨-୩୭; ୧୩:୨୦, ୨୧; ମାଥିଉ ୨୮:୫-୭; ଲୂକ ୭:୧୧-୧୭; ୮:୪୦-୫୬; ପ୍ରେରିତ ୯:୩୬-୪୨; ୨୦:୭-୧୨.