इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଦଶ ଅଧ୍ୟାୟ

ସ୍ୱର୍ଗଦୂତମାନଙ୍କ ବିଷୟରେ ସତ୍ୟତା

ସ୍ୱର୍ଗଦୂତମାନଙ୍କ ବିଷୟରେ ସତ୍ୟତା

୧. ସ୍ୱର୍ଗଦୂତମାନଙ୍କ ବିଷୟରେ ଆମେ କାହିଁକି ଜାଣିବା ଉଚିତ୍‌ ?

 ଯିହୋବାଙ୍କର ଏକ ପରିବାର ଅଛି ଏବଂ ସେ ଚାହାନ୍ତି ଯେ ଆମେ ତାହାଙ୍କ ପରିବାର ବିଷୟରେ ଜାଣୁ । ତାହାଙ୍କ ପରିବାରରେ ସ୍ୱର୍ଗଦୂତମାନେ ଅଛନ୍ତି । ବାଇବଲରେ ସେମାନଙ୍କୁ “ପରମେଶ୍ୱରଙ୍କ ସନ୍ତାନଗଣ” ବୋଲି କୁହାଯାଇଛି । (ଆୟୁବ ୩୮:୭) ସ୍ୱର୍ଗଦୂତମାନେ କʼଣ କରନ୍ତି ? ଅତୀତରେ ସେମାନେ ଲୋକମାନଙ୍କୁ କିପରି ସାହାଯ୍ୟ କରିଛନ୍ତି ? ସେମାନେ ବର୍ତ୍ତମାନ ଆମକୁ ସାହାଯ୍ୟ କରିପାରିବେ କି ?— ଅଧିକ ବିବରଣୀ-୮ ଦେଖନ୍ତୁ ।

୨. ସ୍ୱର୍ଗଦୂତମାନେ କେଉଁଠୁ ଆସିଲେ ? କେତେ ସଂଖ୍ୟାରେ ସେମାନଙ୍କୁ ସୃଷ୍ଟି କରାଯାଇଥିଲା ?

ପ୍ରଥମେ ଆମକୁ ଜାଣିବା ଦରକାର ଯେ ସ୍ୱର୍ଗଦୂତମାନେ କେଉଁଠୁ ଆସିଲେ ? କଲସୀୟ ୧:୧୬ ଆମକୁ କହେ ଯେ ଯିହୋବା ଯୀଶୁଙ୍କୁ ସୃଷ୍ଟି କଲା ପରେ “ସ୍ୱର୍ଗରେ ଓ ପୃଥିବୀରେ ସମସ୍ତ ବିଷୟ” ସୃଷ୍ଟି କରାଗଲା । ଆଉ, ଏଥିରେ ସ୍ୱର୍ଗଦୂତମାନେ ମଧ୍ୟ ସାମିଲ୍‌ ଅଛନ୍ତି । କେତେ ସଂଖ୍ୟାରେ ସେମାନଙ୍କୁ ସୃଷ୍ଟି କରାଯାଇଥିଲା ? ବାଇବଲ କହେ ଯେ କୋଟି କୋଟି ସଂଖ୍ୟାରେ ସ୍ୱର୍ଗଦୂତମାନେ ଅଛନ୍ତି ।— ଗୀତସଂହିତା ୧୦୩:୨୦; ପ୍ରକାଶିତ ବାକ୍ୟ ୫:୧୧.

୩. ଆୟୁବ ୩୮:୪-୭ ପଦ ଆମକୁ ସ୍ୱର୍ଗଦୂତମାନଙ୍କ ବିଷୟରେ କʼଣ କହେ ?

ବାଇବଲ ଆମକୁ ଏହା ମଧ୍ୟ ଶିଖାଏ ଯେ ଯିହୋବା ପୃଥିବୀକୁ ସୃଷ୍ଟି କରିବାର ବହୁତ ପୂର୍ବରୁ ସେ ସ୍ୱର୍ଗଦୂତମାନଙ୍କୁ ସୃଷ୍ଟି କରିଥିଲେ । ଯେତେବେଳେ ସେ ପୃଥିବୀକୁ ସୃଷ୍ଟି କଲେ, ସ୍ୱର୍ଗଦୂତମାନେ ଏହାକୁ ଦେଖି କିପରି ଅନୁଭବ କଲେ ? ଆୟୁବ ବହି କହେ ଯେ ସେମାନେ ଅତି ଆନନ୍ଦିତ ହେଲେ । ଯିହୋବାଙ୍କର ଏହି ପରିବାରରେ ଏକତା ଥିଲା ଏବଂ ସମସ୍ତ ସ୍ୱର୍ଗଦୂତ ମିଶି ତାହାଙ୍କ ସେବା କରୁଥିଲେ ।— ଆୟୁବ ୩୮:୪-୭.

ସ୍ୱର୍ଗଦୂତମାନେ ଈଶ୍ୱରଙ୍କ ଲୋକମାନଙ୍କୁ ସାହାଯ୍ୟ କରନ୍ତି

୪. ଆମେ କିପରି ଜାଣୁ ଯେ ସ୍ୱର୍ଗଦୂତମାନେ ମାନବଜାତି ପ୍ରତି ଆଗ୍ରହ ଦେଖାନ୍ତି ?

ସ୍ୱର୍ଗଦୂତମାନେ ସର୍ବଦା ମାନବଜାତି ପ୍ରତି ଆଗ୍ରହ ଦେଖାଇ ଆସିଛନ୍ତି । ସେମାନେ ଦେଖିବାକୁ ଚାହାନ୍ତି ଯେ ଯିହୋବା ଯେଉଁ ଉଦ୍ଦେଶ୍ୟରେ ପୃଥିବୀ ଓ ମାନବଜାତିକୁ ସୃଷ୍ଟି କରିଛନ୍ତି, ତାହା କିପରି ପୂରଣ ହେବ । (ହିତୋପଦେଶ ୮:୩୦, ୩୧; ୧ ପିତର ୧:୧୧, ୧୨) ତେଣୁ ଯେତେବେଳେ ଆଦମ ଓ ହବା ଈଶ୍ୱରଙ୍କ ଆଜ୍ଞା ଉଲ୍ଲଙ୍ଘନ କଲେ, ସ୍ୱର୍ଗଦୂତମାନେ ଏଥିରେ ଅତି ଦୁଃଖିତ ହୋଇଥିବେ । ଠିକ୍‌ ସେହିପରି, ବର୍ତ୍ତମାନ ଅଧିକାଂଶ ଲୋକ ଯିହୋବାଙ୍କୁ ଅସ୍ୱୀକାର କରୁଥିବାର ଦେଖି ସେମାନେ ନିଶ୍ଚିତ ଭାବେ ତାʼ ଅପେକ୍ଷା ଆହୁରି ଅଧିକ ଦୁଃଖିତ ହେଉଥିବେ । କିନ୍ତୁ, ଯେତେବେଳେ କେହି ମନ ପରିବର୍ତ୍ତନ କରେ ଏବଂ ଈଶ୍ୱରଙ୍କ ପାଖକୁ ଫେରି ଆସେ, ସ୍ୱର୍ଗଦୂତମାନେ ଅତି ଆନନ୍ଦିତ ହୁଅନ୍ତି । (ଲୂକ ୧୫:୧୦) ଯେଉଁ ମଣିଷମାନେ ଈଶ୍ୱରଙ୍କ ସେବା କରନ୍ତି, ସ୍ୱର୍ଗଦୂତମାନେ ସେମାନଙ୍କ ପ୍ରତି ଗଭୀର ଆଗ୍ରହ ଦେଖାଇଥାʼନ୍ତି । ଏହା ଛଡ଼ା, ଯିହୋବା ପୃଥିବୀରେ ନିଜ ସେବକମାନଙ୍କୁ ସାହାଯ୍ୟ କରିବା ଏବଂ ସୁରକ୍ଷା ଦେବା ପାଇଁ ସ୍ୱର୍ଗଦୂତମାନଙ୍କୁ ବ୍ୟବହାର କରିଥାʼନ୍ତି । (ଏବ୍ରୀ ୧:୭, ୧୪) ଆସନ୍ତୁ ଏହାର କେତେକ ଉଦାହରଣ ଦେଖିବା ।

“ମୋର ପରମେଶ୍ୱର ଆପଣା ଦୂତ ପଠାଇ ସିଂହମାନଙ୍କ ମୁଖ ବନ୍ଦ କରିଅଛନ୍ତି ।”— ଦାନିୟେଲ ୬:୨୨

୫. ଅତୀତରେ ସ୍ୱର୍ଗଦୂତମାନେ ଈଶ୍ୱରଙ୍କ ସେବକମାନଙ୍କୁ କିପରି ସାହାଯ୍ୟ କରିଛନ୍ତି ?

ସଦୋମ ଓ ହମୋରା ସହରର ବିନାଶ ପୂର୍ବରୁ ଲୋଟ ଏବଂ ତାଙ୍କ ପରିବାରକୁ ସେଠାରୁ ପଳାୟନ କରିବାରେ ସାହାଯ୍ୟ କରିବା ପାଇଁ ଯିହୋବା ଦୁଇ ଜଣ ସ୍ୱର୍ଗଦୂତଙ୍କୁ ପଠାଇଲେ । (ଆଦି ପୁସ୍ତକ ୧୯:୧୫, ୧୬) ଏହାର ବହୁ ବର୍ଷ ପରେ, ଭବିଷ୍ୟଦ୍‌ବକ୍ତା ଦାନିୟେଲଙ୍କୁ ସିଂହମାନଙ୍କର ଏକ ଗର୍ତ୍ତରେ ଫିଙ୍ଗି ଦିଆଗଲା, କିନ୍ତୁ ତାଙ୍କର କିଛି କ୍ଷତି ହେଲା ନାହିଁ । କାରଣ ‘ପରମେଶ୍ୱର ନିଜ ଦୂତ ପଠାଇ ସିଂହମାନଙ୍କର ମୁହଁ ବନ୍ଦ କରିଦେଲେ ।’ (ଦାନିୟେଲ ୬:୨୨) ପ୍ରଥମ ଶତାବ୍ଦୀରେ ଯେତେବେଳେ ଯୀଶୁଙ୍କ ଶିଷ୍ୟ ପିତର କାରାଗାରରେ ଥିଲେ, ଯିହୋବା ଜଣେ ସ୍ୱର୍ଗଦୂତଙ୍କୁ ପଠାଇ ତାଙ୍କୁ କାରାଗାରରୁ ମୁକ୍ତ କରାଇଲେ । (ପ୍ରେରିତ ୧୨:୬-୧୧) ସ୍ୱର୍ଗଦୂତମାନେ ଏପରିକି ଯୀଶୁଙ୍କୁ ମଧ୍ୟ ଅନେକ ଥର ସାହାଯ୍ୟ କଲେ, ଯେତେବେଳେ ସେ ପୃଥିବୀରେ ଥିଲେ । ଉଦାହରଣସ୍ୱରୂପ, ସେମାନେ ଯୀଶୁଙ୍କ ବାପ୍ତିସ୍ମର କିଛି ସମୟ ପରେ ତାହାଙ୍କୁ ସାହାଯ୍ୟ କଲେ । (ମାର୍କ ୧:୧୩) ଯୀଶୁଙ୍କୁ ମୃତ୍ୟୁଦଣ୍ଡ ଦିଆଯିବାର ଠିକ୍‌ ପୂର୍ବରୁ ମଧ୍ୟ ଜଣେ ସ୍ୱର୍ଗଦୂତ “ତାହାଙ୍କୁ ଶକ୍ତି ପ୍ରଦାନ କଲେ ।”— ଲୂକ ୨୨:୪୩.

୬. (କ) ଆଜି ସ୍ୱର୍ଗଦୂତମାନେ ଈଶ୍ୱରଙ୍କ ଲୋକମାନଙ୍କୁ ସାହାଯ୍ୟ କରନ୍ତି ବୋଲି ଆମେ କିପରି ଜାଣୁ ? (ଖ) ଆମେ ବର୍ତ୍ତମାନ କେଉଁ ପ୍ରଶ୍ନଗୁଡ଼ିକର ଉତ୍ତର ପାଇବା ?

ଆଜି ସ୍ୱର୍ଗଦୂତମାନେ ମଣିଷମାନଙ୍କୁ ଆଉ ଦେଖା ଦିଅନ୍ତି ନାହିଁ । କିନ୍ତୁ ଈଶ୍ୱର ନିଜ ସେବକମାନଙ୍କୁ ସାହାଯ୍ୟ କରିବା ପାଇଁ ସ୍ୱର୍ଗଦୂତମାନଙ୍କୁ ଏବେ ମଧ୍ୟ ବ୍ୟବହାର କରନ୍ତି । ବାଇବଲ କହେ: “ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି, ତାହାଙ୍କର ଦୂତ ସେମାନଙ୍କ ଚାରିଆଡ଼େ ଛାଉଣି କରି ସେମାନଙ୍କୁ ଉଦ୍ଧାର କରନ୍ତି ।” (ଗୀତସଂହିତା ୩୪:୭) ଆମକୁ ସୁରକ୍ଷା କାହିଁକି ଆବଶ୍ୟକ ? କାରଣ ଆମର ଏପରି ଶକ୍ତିଶାଳୀ ଶତ୍ରୁମାନେ ଅଛନ୍ତି, ଯେଉଁମାନେ ଆମକୁ କ୍ଷତି ପହଞ୍ଚାଇବାକୁ ଚାହାନ୍ତି । ସେମାନେ କିଏ ଏବଂ କେଉଁଠୁ ଆସିଲେ ? ସେମାନେ କିପରି ଆମକୁ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି ? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ପାଇବା ପାଇଁ ଆସନ୍ତୁ ଆମେ ଦେଖିବା ଯେ ଆଦମ ଓ ହବାଙ୍କୁ ସୃଷ୍ଟି କରାଯିବାର କିଛି ସମୟ ପରେ କʼଣ ହେଲା ।

ଆମର ଅଦୃଶ୍ୟ ଶତ୍ରୁଗଣ

୭. ଶୟତାନର ମିଥ୍ୟା ଜାଲରେ ପଡ଼ି ଅନେକ ଲୋକ କʼଣ କରିଛନ୍ତି ?

ଆମେ ୩ ଅଧ୍ୟାୟରେ ଶିଖିଲୁ ଯେ ଜଣେ ସ୍ୱର୍ଗଦୂତ ଈଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହ କଲା ଏବଂ ଅନ୍ୟମାନଙ୍କ ଉପରେ ଶାସନ କରିବାକୁ ଇଚ୍ଛା କଲା । ବାଇବଲ ତାକୁ ଶୟତାନ ବା ଦିଆବଳ ବୋଲି କହେ । (ପ୍ରକାଶିତ ବାକ୍ୟ ୧୨:୯) ଶୟତାନ ଚାହେଁ ଯେ ମଣିଷମାନେ ମଧ୍ୟ ଈଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହ କରନ୍ତୁ । ତେଣୁ ସେ ହବାକୁ ମିଥ୍ୟା ଜାଲରେ ପକାଇଲା । ସେହି ସମୟଠାରୁ ଅଧିକାଂଶ ଲୋକ ଶୟତାନର ଜାଲରେ ପଡ଼ି ଈଶ୍ୱରଙ୍କ ବିରୁଦ୍ଧରେ ହୋଇଯାଇଛନ୍ତି । କିନ୍ତୁ ହେବଲ, ହନୋକ ଓ ନୋହ ଭଳି କେତେକେ ଯିହୋବାଙ୍କର ବିଶ୍ୱସ୍ତ ରହିଲେ ।— ଏବ୍ରୀ ୧୧:୪, ୫,.

୮. (କ) କେତେକ ସ୍ୱର୍ଗଦୂତ କିପରି ଦୁଷ୍ଟ ହୋଇଗଲେ ? (ଖ) ଜଳପ୍ଳାବନରୁ ରକ୍ଷା ପାଇବା ପାଇଁ ଦୁଷ୍ଟ ସ୍ୱର୍ଗଦୂତମାନେ କʼଣ କଲେ ?

ନୋହଙ୍କ ସମୟରେ ଆଉ କେତେକ ସ୍ୱର୍ଗଦୂତ ଈଶ୍ୱରଙ୍କ ବିରୁଦ୍ଧରେ ଗଲେ । ସେମାନେ ସ୍ୱର୍ଗୀୟ ପରିବାରରେ ନିଜ ସ୍ଥାନ ଛାଡ଼ି ମଣିଷ ଶରୀର ନେଇ ପୃଥିବୀରେ ରହିବାକୁ ଲାଗିଲେ । କାହିଁକି ? ବାଇବଲ ଆମକୁ କହେ ଯେ ସେମାନେ ପୃଥିବୀର ନାରୀମାନଙ୍କୁ ବିବାହ କରିବାକୁ ଚାହିଁଲେ । (ଆଦି ପୁସ୍ତକ ୬:୨ ପଢ଼ନ୍ତୁ ।) କିନ୍ତୁ ସ୍ୱର୍ଗଦୂତମାନଙ୍କ ପାଇଁ ଏପରି କରିବା ବଡ଼ ଭୁଲ୍‌ ଥିଲା । (ଯିହୂଦା ୬) ସେହି ଦୁଷ୍ଟ ସ୍ୱର୍ଗଦୂତମାନଙ୍କ ଭଳି ସେସମୟରେ ଅଧିକାଂଶ ଲୋକ ଭ୍ରଷ୍ଟ ଓ ହିଂସ୍ର ହୋଇଗଲେ । ତାʼପରେ ଯିହୋବା ନିଷ୍ପତ୍ତି ନେଲେ ଯେ ସେ ସାରା ପୃଥିବୀରେ ଜଳପ୍ଳାବନ ଆଣି ଦୁଷ୍ଟ ଲୋକମାନଙ୍କୁ ବିନାଶ କରିବେ । ଆଉ ସେ ଏପରି ହିଁ କଲେ । କିନ୍ତୁ ସେ ନିଜ ବିଶ୍ୱସ୍ତ ସେବକମାନଙ୍କୁ ରକ୍ଷା କଲେ । (ଆଦି ପୁସ୍ତକ ୭:୧୭, ୨୩) ଦୁଷ୍ଟ ସ୍ୱର୍ଗଦୂତମାନେ ସେହି ଜଳପ୍ଳାବନରୁ ରକ୍ଷା ପାଇବା ପାଇଁ ନିଜ ମାନବୀୟ ଶରୀର ପରିତ୍ୟାଗ କରି ସ୍ୱର୍ଗକୁ ଫେରିଗଲେ । ବାଇବଲ ସେହି ଦୁଷ୍ଟ ସ୍ୱର୍ଗଦୂତମାନଙ୍କୁ ଦୁଷ୍ଟାତ୍ମା ବୋଲି କହେ । ସେମାନେ ଶୟତାନର ବିଦ୍ରୋହରେ ଯୋଗ ଦେଲେ ଏବଂ ଶୟତାନ ସେମାନଙ୍କର ଶାସକ ହେଲା ।— ମାଥିଉ ୯:୩୪.

୯. (କ) ଯେତେବେଳେ ଦୁଷ୍ଟ ସ୍ୱର୍ଗଦୂତମାନେ ସ୍ୱର୍ଗକୁ ଫେରିଗଲେ, ସେମାନଙ୍କର କʼଣ ହେଲା ? (ଖ) ବର୍ତ୍ତମାନ ଆମେ କେଉଁ ବିଷୟରେ ଜାଣିବା ?

ଯିହୋବା ସେହି ଦୁଷ୍ଟ ସ୍ୱର୍ଗଦୂତମାନଙ୍କୁ ନିଜ ପରିବାରରେ ଆଉ ସ୍ୱୀକାର କଲେ ନାହିଁ । (୨ ପିତର ୨:୪) ଆଜି ସେମାନେ ଆଉ ମଣିଷ ଶରୀର ଧାରଣ କରିପାରନ୍ତି ନାହିଁ, କିନ୍ତୁ ସେମାନେ ଏବେ ମଧ୍ୟ ‘ସାରା ପୃଥିବୀବାସୀଙ୍କୁ ଭୁଲ୍‌ ରାସ୍ତାରେ ନିଅନ୍ତି ।’ (ପ୍ରକାଶିତ ବାକ୍ୟ ୧୨:୯, ଇଜି-ଟୁ-ରିଡ୍‌ ଭର୍ସନ; ୧ ଯୋହନ ୫:୧୯) ଆସନ୍ତୁ ଆମେ ଜାଣିବା ଯେ ସେମାନେ କିପରି ଏତେ ସଂଖ୍ୟାରେ ଲୋକମାନଙ୍କୁ ଭୁଲ୍‌ ରାସ୍ତାରେ ନେଉଛନ୍ତି ଏବଂ ମିଥ୍ୟା ଜାଲରେ ପକାଉଛନ୍ତି ।— ୨ କରିନ୍ଥୀୟ ୨:୧୧ ପଢ଼ନ୍ତୁ ।

ଦୁଷ୍ଟ ଦୂତମାନେ ଲୋକମାନଙ୍କୁ କିପରି ମିଥ୍ୟା ଜାଲରେ ପକାନ୍ତି

୧୦. ଦୁଷ୍ଟ ଦୂତମାନେ ଲୋକମାନଙ୍କୁ କିପରି ମିଥ୍ୟା ଜାଲରେ ପକାନ୍ତି ?

୧୦ ଦୁଷ୍ଟ ଦୂତମାନେ ଲୋକମାନଙ୍କୁ ଅନେକ ଉପାୟରେ ମିଥ୍ୟା ଜାଲରେ ପକାନ୍ତି । ଯେତେବେଳେ ଲୋକେ ଦୁଷ୍ଟ ଦୂତମାନଙ୍କୁ ସମ୍ପର୍କ କରନ୍ତି, ସେମାନେ ହୁଏତ ଏହା ସିଧାସଳଖ ଭାବେ କିମ୍ବା ଅନ୍ୟ କାହାରି ଜରିଆରେ କରିଥାʼନ୍ତି, ଯେପରି— ଗୁଣିଆ କିମ୍ବା ତାନ୍ତ୍ରିକମାନଙ୍କ ସାହାଯ୍ୟରେ । ଦୁଷ୍ଟ ଦୂତମାନଙ୍କ ସହିତ ସମ୍ପର୍କ କରିବାକୁ ଯାଦୁବିଦ୍ୟା କିମ୍ବା ଭୂତବିଦ୍ୟା କୁହାଯାଏ । କିନ୍ତୁ ବାଇବଲ ଆମକୁ ସତର୍କ କରାଏ ଯେ ଏପରି ଯାହା କିଛି ଦୁଷ୍ଟ ଦୂତମାନଙ୍କ କାମ ସହ ଜଡ଼ିତ ଅଟେ, ଆମେ ତାʼଠାରୁ ଦୂରେଇ ରହିବା ଉଚିତ୍‌ । (ଗାଲାତୀୟ ୫:୧୯-୨୧) କାହିଁକି ? କାରଣ ଯେପରି ଜଣେ ଶିକାରୀ ଜୀବଜନ୍ତୁଙ୍କୁ ଧରିବା ପାଇଁ ଏକ ଫାନ୍ଦ ବ୍ୟବହାର କରେ, ଠିକ୍‌ ସେହିପରି ଦୁଷ୍ଟ ଦୂତମାନେ ମଧ୍ୟ ଠକାମିର ଭିନ୍ନ ଭିନ୍ନ ଫାନ୍ଦ ବ୍ୟବହାର କରନ୍ତି ଏବଂ ଲୋକମାନଙ୍କୁ ନିଜ ନିୟନ୍ତ୍ରଣରେ ରଖନ୍ତି ।— ଅଧିକ ବିବରଣୀ-୨୬ ଦେଖନ୍ତୁ ।

୧୧. ଜ୍ୟୋତିଷବିଦ୍ୟା କʼଣ ଅଟେ ? ଆମେ କାହିଁକି ଏହାଠାରୁ ଦୂରେଇ ରହିବା ଉଚିତ୍‌ ?

୧୧ ସେମାନଙ୍କ ଫାନ୍ଦଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି, ଜ୍ୟୋତିଷବିଦ୍ୟା ବା ଭାଗ୍ୟଗଣନା କରିବା । ଯେଉଁମାନେ ଏହି କାମ କରନ୍ତି, ସେମାନେ ଦୁଷ୍ଟ ଦୂତମାନଙ୍କ ଶକ୍ତି ସାହାଯ୍ୟରେ ଭବିଷ୍ୟତ କିମ୍ବା କୌଣସି ଅଜଣା ବିଷୟରେ ଜାଣିବାକୁ ଚେଷ୍ଟା କରିଥାʼନ୍ତି । କିଛି ଲୋକ ତାରାଗୁଡ଼ିକୁ ଦେଖି କିମ୍ବା ହାତରେଖା ପଢ଼ି ଏପରି କରିବାକୁ ଚେଷ୍ଟା କରିଥାʼନ୍ତି । ଅନେକ ଲୋକ ଭାବନ୍ତି ଯେ ଏହି କାମଗୁଡ଼ିକ ହାନିକାରକ ନୁହେଁ, କିନ୍ତୁ ଏପରି ଭାବିବା ଭୁଲ୍‌ ଅଟେ । ସେଗୁଡ଼ିକ ଅତି ବିପଦଜ୍ଜନକ ଅଟେ । ଉଦାହରଣସ୍ୱରୂପ, ବାଇବଲରୁ ଜଣାପଡ଼େ ଯେ ଭାଗ୍ୟଗଣନାକାରୀ ଓ ଦୁଷ୍ଟ ଦୂତମାନେ ସାଙ୍ଗରେ ମିଶି କାମ କରନ୍ତି । ପ୍ରେରିତ ୧୬:୧୬-୧୮ ପଦରେ ଆମେ ପଢ଼ୁ ଯେ ଗୋଟିଏ ଦାସୀର ଦେହରେ ଏପରି “ଆତ୍ମା” ଥିଲା, ଯାହାଦ୍ୱାରା ସେ “ଭାଗ୍ୟଗଣନା” କରିପାରୁଥିଲା । କିନ୍ତୁ ପରେ ଯେତେବେଳେ ପାଉଲ ସେହି ଆତ୍ମା ଅର୍ଥାତ୍‌ ଦୁଷ୍ଟ ଦୂତକୁ ଦାସୀଟିର ଦେହରୁ ବାହାର କରିଦେଲେ, ସେ ଭବିଷ୍ୟତ ବିଷୟରେ କହିବାର ସାମର୍ଥ୍ୟ ହରାଇଲା ।

୧୨. (କ) ମୃତ ଲୋକମାନଙ୍କୁ ସମ୍ପର୍କ କରିବାକୁ ଚେଷ୍ଟା କରିବା କାହିଁକି ବିପଦଜ୍ଜନକ ଅଟେ ? (ଖ) ଈଶ୍ୱରଙ୍କ ସେବକମାନେ କାହିଁକି ଯାଦୁବିଦ୍ୟା କିମ୍ବା ଭୂତବିଦ୍ୟାର ପ୍ରଥାଗୁଡ଼ିକରେ ସାମିଲ୍‌ ହୁଅନ୍ତି ନାହିଁ ?

୧୨ ଦୁଷ୍ଟ ଦୂତମାନେ ଲୋକମାନଙ୍କୁ ପଥଭ୍ରଷ୍ଟ କରିବା ପାଇଁ ଆଉ ଏକ ଫାନ୍ଦ ବ୍ୟବହାର କରନ୍ତି । ସେମାନେ ଆମ ମନରେ ଏହି ଧାରଣା ଭରିବାକୁ ଚାହାନ୍ତି ଯେ ମରିଯାଇଥିବା ଲୋକମାନଙ୍କ ସହିତ ଆମେ କଥା ହୋଇପାରିବା ଏବଂ ମରିଯାଇଥିବା ଲୋକମାନେ ପ୍ରକୃତରେ କୌଣସି ଜାଗାରେ ଏପର୍ଯ୍ୟନ୍ତ ଜୀବିତ ଅଛନ୍ତି ଓ ଆମ ସହିତ କଥା ହୋଇପାରନ୍ତି କିମ୍ବା ଆମର କ୍ଷତି କରିପାରନ୍ତି । ଉଦାହରଣସ୍ୱରୂପ, ଜଣେ ବ୍ୟକ୍ତି ଯାହାର କୌଣସି ଆତ୍ମୀୟଙ୍କ ମୃତ୍ୟୁ ହୋଇଯାଇଛି, ହୁଏତ ସେ ଏପରି ଏକ ଗୁଣିଆ ପାଖକୁ ଯିବ, ଯିଏ ଦୁଷ୍ଟ ଦୂତମାନଙ୍କ ମାଧ୍ୟମ ହୋଇଥିବ ଏବଂ ଯିଏ କହେ ଯେ ସେ ମରିଯାଇଥିବା ଲୋକଙ୍କ ସହିତ କଥା ହୋଇପାରିବ । ସେହି ଗୁଣିଆ ହୁଏତ ବ୍ୟକ୍ତି ଜଣକୁ ମୃତ ଆତ୍ମୀୟଙ୍କ ବିଷୟରେ କିଛି କୌତୁହଳପୂର୍ଣ୍ଣ ତଥ୍ୟ ଦେବ ଏବଂ ଏପରିକି ମୃତ ଆତ୍ମୀୟଙ୍କ ସ୍ୱରରେ କଥା ମଧ୍ୟ ହେବ । (୧ ଶାମୁୟେଲ ୨୮:୩-୧୯) ଆମେ ହୁଏତ ଭାବିପାରୁ ଯେ ଆମେ ମୃତ ଲୋକ ସହିତ କଥା ହେଉଛୁ, କିନ୍ତୁ ପ୍ରକୃତରେ ଆମେ ଦୁଷ୍ଟ ଦୂତମାନଙ୍କ ସହିତ ସମ୍ପର୍କ କରିଥାଉ । ଏହା ଛଡ଼ା, ଅନ୍ତ୍ୟେଷ୍ଟି କ୍ରିୟାର ପ୍ରଥାଗୁଡ଼ିକ, ଯେପରି— ଦଶାହ, ଶ୍ରାଦ୍ଧ, ମୃତମାନଙ୍କୁ କିଛି ଉତ୍ସର୍ଗ କରିବା ଓ ବିଧବାମାନଙ୍କ ସହ ଜଡ଼ିତ ବିଭିନ୍ନ ପ୍ରଥାସବୁ ଗୋଟିଏ ସାଧାରଣ ବିଶ୍ୱାସ ଉପରେ ଆଧାରିତ ହୋଇଥାଏ । ତାହା ହେଉଛି: ମଣିଷର ମୃତ୍ୟୁ ପରେ ତାʼର ଆତ୍ମା ଜୀବିତ ରହେ । ଯେତେବେଳେ ପ୍ରକୃତ ଖ୍ରୀଷ୍ଟିୟାନମାନେ ଏହି ପ୍ରଥାଗୁଡ଼ିକରେ ଅଂଶଗ୍ରହଣ କରିବା ପାଇଁ ମନା କରନ୍ତି, ସେମାନଙ୍କ ପରିବାର, ଜାତି କିମ୍ବା ସମ୍ପ୍ରଦାୟର ଲୋକେ ସେମାନଙ୍କୁ ଅପମାନିତ କରନ୍ତି, କିମ୍ବା ସେମାନଙ୍କ ସହିତ କୌଣସି ପ୍ରକାର ସମ୍ପର୍କ ରଖିବା ପାଇଁ ମନା କରିଦିଅନ୍ତି । କିନ୍ତୁ ପ୍ରକୃତ ଖ୍ରୀଷ୍ଟିୟାନମାନେ ଜାଣନ୍ତି ଯେ ମଣିଷ ଦେହରେ ଆତ୍ମା ବୋଲି ଏପରି କିଛି ନାହିଁ, ଯାହା ତାʼର ମୃତ୍ୟୁ ପରେ ଜୀବିତ ରହେ । ମୃତ ଲୋକମାନଙ୍କ ସହିତ ସମ୍ପର୍କ କରିବା ଅସମ୍ଭବ ଅଟେ ଏବଂ ସେମାନେ ଆମକୁ କୌଣସି କ୍ଷତି ପହଞ୍ଚାଇ ପାରିବେ ନାହିଁ । (ଗୀତସଂହିତା ୧୧୫:୧୭) ତେଣୁ ସତର୍କ ରହନ୍ତୁ; ମୃତ ଲୋକ କିମ୍ବା ଦୁଷ୍ଟ ଦୂତମାନଙ୍କ ସହିତ କେବେ ମଧ୍ୟ ସମ୍ପର୍କ କରିବାକୁ ଚେଷ୍ଟା କରନ୍ତୁ ନାହିଁ ଏବଂ କୌଣସି ଯାଦୁବିଦ୍ୟା କିମ୍ବା ଭୂତବିଦ୍ୟାର ପ୍ରଥାଗୁଡ଼ିକରେ କେବେ ମଧ୍ୟ ସାମିଲ୍‌ ହୁଅନ୍ତୁ ନାହିଁ ।— ଦ୍ୱିତୀୟ ବିବରଣ ୧୮:୧୦, ୧୧ ପଢ଼ନ୍ତୁ; ଯିଶାଇୟ ୮:୧୯.

୧୩. ଅନେକ ଲୋକ ଯେଉଁମାନେ ଅତୀତରେ ଭୂତପ୍ରେତଙ୍କ ଭୟରେ ଦିନ କାଟୁଥିଲେ, ସେମାନେ କʼଣ କରିପାରିଛନ୍ତି ?

୧୩ ଦୁଷ୍ଟ ଦୂତମାନେ ଯେ ଲୋକମାନଙ୍କୁ କେବଳ ମିଥ୍ୟା ଜାଲରେ ପକାନ୍ତି ତାʼ ନୁହଁ, ବରଂ ସେମାନଙ୍କୁ ଭୟଭୀତ ମଧ୍ୟ କରାଇଥାʼନ୍ତି । ଆଜି ଶୟତାନ ଓ ତାʼର ଦୂତମାନେ ଜାଣନ୍ତି ଯେ ସେମାନଙ୍କ ପାଖରେ “ସମୟ ଅତି ଅଳ୍ପ” ଅଛି ଏବଂ ଈଶ୍ୱର ଖୁବ୍‌ ଶୀଘ୍ର ସେମାନଙ୍କୁ ପୃଥିବୀରୁ ହଟାଇବେ । ତେଣୁ ସେମାନେ ପୂର୍ବ ଅପେକ୍ଷା ଆହୁରି ହିଂସ୍ର ଓ ଉଗ୍ର ପାଲଟିଛନ୍ତି । (ପ୍ରକାଶିତ ବାକ୍ୟ ୧୨:୧୨, ୧୭) କିନ୍ତୁ ହଜାର ହଜାର ଲୋକ ଯେଉଁମାନେ ଅତୀତରେ ଭୂତପ୍ରେତଙ୍କ ଭୟରେ ଦିନ କାଟୁଥିଲେ, ସେମାନେ ଆଉ ଭୂତପ୍ରେତଙ୍କୁ ଭୟ କରନ୍ତି ନାହିଁ । ସେମାନେ କିପରି ଏହି ଭୟରୁ ମୁକ୍ତ ହୋଇପାରିଲେ ?

ଦୁଷ୍ଟ ଦୂତମାନଙ୍କୁ ବିରୋଧ କରନ୍ତୁ ଏବଂ ସେମାନଙ୍କ କବଳରୁ ମୁକ୍ତ ହୁଅନ୍ତୁ

୧୪. ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କ ଭଳି ଆମେ କିପରି ଦୁଷ୍ଟ ଦୂତମାନଙ୍କ କବଳରୁ ମୁକ୍ତ ହୋଇପାରିବା ?

୧୪ ବାଇବଲ ଆମକୁ କହେ ଯେ ଆମେ ଦୁଷ୍ଟ ଦୂତମାନଙ୍କୁ କିପରି ବିରୋଧ କରିବା ଏବଂ ସେମାନଙ୍କ କବଳରୁ କିପରି ମୁକ୍ତ ହେବା । ଉଦାହରଣସ୍ୱରୂପ, ପ୍ରାଚୀନ କାଳରେ ଏଫିସ ନାମକ ଏକ ସହରରେ ରହୁଥିବା କେତେକ ଲୋକେ ସତ୍ୟ ଶିଖିବା ପୂର୍ବରୁ ଦୁଷ୍ଟ ସ୍ୱର୍ଗଦୂତମାନଙ୍କ ସହିତ ସମ୍ପର୍କ କରୁଥିଲେ । ସେମାନେ ସେଥିରୁ କିପରି ମୁକ୍ତ ହେଲେ ? ବାଇବଲ କହେ: “ଯାଦୁକ୍ରିୟା କରୁଥିବା ଅନେକେ ଆପଣା ଆପଣା ପୁସ୍ତକ ଆଣି ଏକତ୍ର କରି ସମସ୍ତଙ୍କ ସାକ୍ଷାତରେ ପୋଡ଼ିପକାଇଲେ ।” (ପ୍ରେରିତ ୧୯:୧୯) ସେମାନେ ଯାଦୁବିଦ୍ୟା ସହ ଜଡ଼ିତ ନିଜ ସମସ୍ତ ବହିଗୁଡ଼ିକୁ ଜାଳିଦେଲେ, କାରଣ ସେମାନେ ସତ୍ୟ ଈଶ୍ୱରଙ୍କ ଉପାସନା କରିବାକୁ ଚାହୁଁଥିଲେ । ଠିକ୍‌ ସେହିପରି, ଆଜି ଯେଉଁ ବ୍ୟକ୍ତି ଯିହୋବାଙ୍କ ଉପାସନା କରିବାକୁ ଚାହେଁ, ତାକୁ ମଧ୍ୟ ଠିକ୍‌ ସମାନ ପଦକ୍ଷେପ ନେବାକୁ ହେବ । ସେ ଦୁଷ୍ଟ ଦୂତମାନଙ୍କ ସହ ଜଡ଼ିତ ଯେକୌଣସି ଜିନିଷକୁ ନଷ୍ଟ କରିଦେବା ଉଚିତ୍‌, ଯେପରି— ବହି-ପତ୍ରିକା, ରାଶିଫଳ, ଜାତକ, ସିନେମା, ସଂଗୀତ, ଭିଡିଓ-ଗେମ୍‌ସ ଓ ପୋଷ୍ଟର୍‌ । ଏସବୁରେ ଯାଦୁବିଦ୍ୟା, ଭୂତବିଦ୍ୟା ଓ ଅଲୌକିକ ଶକ୍ତିଗୁଡ଼ିକୁ ଏପରି ଆକର୍ଷଣୀୟ ଭାବେ ପ୍ରଦର୍ଶନ କରାଯାଏ, ସତେ ଯେପରି ସେଗୁଡ଼ିକରେ କୌଣସି ବିପଦ ନାହିଁ । ତାʼ ଛଡ଼ା, ଡେଉଁରିଆ ଏବଂ ସେସମସ୍ତ ଜିନିଷ ମଧ୍ୟ ସାମିଲ୍‌ ଅଛି, ଯେଉଁଗୁଡ଼ିକୁ ଲୋକେ ଭୂତପ୍ରେତ କିମ୍ବା ଅଘଟଣଗୁଡ଼ିକରୁ ରକ୍ଷା ପାଇବା ଉଦ୍ଦେଶ୍ୟରେ ପିନ୍ଧିଥାʼନ୍ତି ।— ୧ କରିନ୍ଥୀୟ ୧୦:୨୧.

୧୫. ଶୟତାନ ଓ ଦୁଷ୍ଟ ଦୂତମାନଙ୍କୁ ବିରୋଧ କରିବା ପାଇଁ ଆମକୁ ଆହୁରି କʼଣ କରିବାକୁ ହେବ ?

୧୫ ଯେତେବେଳେ ଏଫିସରେ ସେହି ଲୋକମାନେ ଯାଦୁବିଦ୍ୟାର ନିଜ ବହିଗୁଡ଼ିକୁ ଜାଳିଦେଲେ, ସ୍ୱର୍ଗଦୂତମାନଙ୍କ ବିରୁଦ୍ଧରେ ସେମାନଙ୍କ ସଂଘର୍ଷ ସେଇଠି ସମାପ୍ତ ହୋଇ ନ ଥିଲା । କିଛି ବର୍ଷ ପରେ ପାଉଲ ଲେଖିଲେ ଯେ ସେମାନଙ୍କୁ “ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧରେ” ଏବେ ମଧ୍ୟ “ଯୁଦ୍ଧ” କରିବାର ଥିଲା । (ଏଫିସୀୟ ୬:୧୨) ହଁ, ଦୁଷ୍ଟ ଦୂତମାନେ ଏବେ ମଧ୍ୟ ସେମାନଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରୁଥିଲେ । ତେବେ ସେମାନଙ୍କୁ ଆହୁରି କʼଣ କରିବା ଜରୁରୀ ଥିଲା ? ପାଉଲ ସେମାନଙ୍କୁ କହିଲେ: ‘ବିଶ୍ୱାସର ଢାଲ ଧର । ତାହାଦ୍ୱାରା ତୁମ୍ଭେ ଶୟତାନର ସମସ୍ତ ଜ୍ୱଳନ୍ତ ତୀରଗୁଡ଼ିକୁ ଅଟକାଇ ପାରିବ ।’ (ଏଫିସୀୟ ୬:୧୬, ଇଜି-ଟୁ-ରିଡ୍‌ ଭର୍ସନ) ଯେପରି ଯୁଦ୍ଧରେ ଏକ ଢାଲ ଜଣେ ସୈନିକକୁ ସୁରକ୍ଷା ଦିଏ, ଠିକ୍‌ ସେହିପରି ଆମ ବିଶ୍ୱାସ ଆମକୁ ସୁରକ୍ଷା ଦେବ । ଯଦି ଆମେ ଦୃଢ଼ ବିଶ୍ୱାସ ରଖିବା ଯେ ଯିହୋବା ଆମକୁ ସୁରକ୍ଷା ଦେଇପାରିବେ, ତେବେ ଆମେ ଶୟତାନ ଓ ଦୁଷ୍ଟ ଦୂତମାନଙ୍କୁ ବିରୋଧ କରିବାରେ ସକ୍ଷମ ହୋଇପାରିବା ।— ମାଥିଉ ୧୭:୨୦.

୧୬. ଯିହୋବାଙ୍କ ପ୍ରତି ଆମ ବିଶ୍ୱାସକୁ ଆମେ କିପରି ମଜବୁତ୍‌ କରିପାରିବା ?

୧୬ ଆମେ ଯିହୋବାଙ୍କ ପ୍ରତି ଆମ ବିଶ୍ୱାସକୁ କିପରି ମଜବୁତ୍‌ କରିପାରିବା ? ଆମକୁ ପ୍ରତିଦିନ ବାଇବଲ ପଢ଼ିବାକୁ ହେବ ଏବଂ ଆମର ସୁରକ୍ଷା ପାଇଁ ତାହାଙ୍କ ଉପରେ ନିର୍ଭର କରିବା ଶିଖିବାକୁ ହେବ । ଯଦି ଆମେ ଯିହୋବାଙ୍କ ଉପରେ ଦୃଢ଼ ବିଶ୍ୱାସ ରଖିବା, ତେବେ ଶୟତାନ ଓ ଦୁଷ୍ଟ ଦୂତମାନେ ଆମର କୌଣସି କ୍ଷତି କରିପାରିବେ ନାହିଁ ।— ୧ ଯୋହନ ୫:୫.

୧୭. ଦୁଷ୍ଟ ଦୂତମାନଙ୍କଠାରୁ ରକ୍ଷା ପାଇବା ପାଇଁ ଆମକୁ ଆଉ କʼଣ କରିବା ଆବଶ୍ୟକ ?

୧୭ ଏଫିସର ଖ୍ରୀଷ୍ଟିୟାନମାନଙ୍କୁ ଆଉ କʼଣ କରିବା ଜରୁରୀ ଥିଲା ? ସେମାନେ ଯାଦୁବିଦ୍ୟା ଓ ଭୂତବିଦ୍ୟାରେ ଭରା ସହରରେ ରହୁଥିଲେ । ତେଣୁ ପାଉଲ ସେମାନଙ୍କୁ କହିଲେ: ‘ସର୍ବଦା ପ୍ରାର୍ଥନା କର ।’ (ଏଫିସୀୟ ୬:୧୮) ସେମାନଙ୍କୁ ସବୁ ସମୟରେ ନିଜ ସୁରକ୍ଷା ପାଇଁ ଯିହୋବାଙ୍କୁ ପ୍ରାର୍ଥନା କରିବା ଜରୁରୀ ଥିଲା । ଆମ ବିଷୟରେ କʼଣ ? ଆମେ ମଧ୍ୟ ଆଜି ଏପରି ଏକ ଜଗତରେ ରହୁଛୁ, ଯେଉଁଠି ଯାଦୁବିଦ୍ୟା ଓ ଭୂତବିଦ୍ୟା ଭରି ରହିଛି । ତେଣୁ ଆମେ ନିଜ ସୁରକ୍ଷା ପାଇଁ ଯିହୋବାଙ୍କୁ ପ୍ରାର୍ଥନା କରିବା ଆବଶ୍ୟକ ଏବଂ ଯେତେବେଳେ ଆମେ ପ୍ରାର୍ଥନା କରୁ, ଆମେ ତାହାଙ୍କ ନାମ ନେଇ ପ୍ରାର୍ଥନା କରିବା ଉଚିତ୍‌ । (ହିତୋପଦେଶ ୧୮:୧୦ ପଢ଼ନ୍ତୁ ।) ଯଦି ଆମେ ଯିହୋବାଙ୍କୁ ଲଗାତାର ପ୍ରାର୍ଥନାରେ ଜଣାଇବା ଯେ ସେ ଆମକୁ ଶୟତାନଠାରୁ ରକ୍ଷା କରନ୍ତୁ, ତେବେ ସେ ଆମ ପ୍ରାର୍ଥନାର ନିଶ୍ଚୟ ଉତ୍ତର ଦେବେ ।— ଗୀତସଂହିତା ୧୪୫:୧୯; ମାଥିଉ ୬:୧୩.

୧୮, ୧୯. (କ) ଶୟତାନ ଓ ଦୁଷ୍ଟ ଦୂତମାନଙ୍କ ବିରୁଦ୍ଧରେ ଆମ ଯୁଦ୍ଧରେ ଆମେ କିପରି ଜୟଲାଭ କରିପାରିବା ? (ଖ) ପରବର୍ତ୍ତୀ ଅଧ୍ୟାୟରେ ଆମେ କେଉଁ ପ୍ରଶ୍ନର ଉତ୍ତର ପାଇବା ?

୧୮ ଯଦି ଆମେ ଯାଦୁବିଦ୍ୟା କିମ୍ବା ଭୂତବିଦ୍ୟା ସହ ଜଡ଼ିତ ପ୍ରତ୍ୟେକ ଜିନିଷ ଓ କାର୍ଯ୍ୟକଳାପରୁ ମୁକ୍ତ ହେବା ଏବଂ ଆମ ସୁରକ୍ଷା ପାଇଁ ଯିହୋବାଙ୍କ ଉପରେ ନିର୍ଭର କରିବା, ତେବେ ଆମେ ଶୟତାନ ଓ ଦୁଷ୍ଟ ଦୂତମାନଙ୍କୁ ବିରୋଧ କରିପାରିବା । ଆମେ ସେମାନଙ୍କୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ । (ଯାକୁବ ୪:୭, ୮ ପଢ଼ନ୍ତୁ ।) ଯିହୋବା ଦୁଷ୍ଟ ଦୂତମାନଙ୍କ ଅପେକ୍ଷା କାହିଁ କେତେ ଅଧିକ ଶକ୍ତିଶାଳୀ ଅଟନ୍ତି ! ସେ ନୋହଙ୍କ ସମୟରେ ସେମାନଙ୍କୁ ଦଣ୍ଡ ଦେଇଥିଲେ ଏବଂ ଭବିଷ୍ୟତରେ ସେମାନଙ୍କୁ ବିନାଶ କରିବେ । (ଯିହୂଦା ୬) ମନେ ରଖନ୍ତୁ, ଆମ ଯୁଦ୍ଧରେ ଆମେ ଏକାକୀ ନୋହୁଁ । ଯିହୋବା ଆମକୁ ସୁରକ୍ଷା ଦେବା ପାଇଁ ତାହାଙ୍କ ସ୍ୱର୍ଗଦୂତମାନଙ୍କୁ ବ୍ୟବହାର କରୁଛନ୍ତି । (୨ ରାଜାବଳୀ ୬:୧୫-୧୭) ଆମେ ଦୃଢ଼ ବିଶ୍ୱାସ ରଖିପାରିବା ଯେ ଯିହୋବାଙ୍କ ସାହାଯ୍ୟରେ ଆମେ ଶୟତାନ ଓ ଦୁଷ୍ଟ ଦୂତମାନଙ୍କ ବିରୁଦ୍ଧରେ ଆମ ଯୁଦ୍ଧରେ ଜୟଲାଭ କରିପାରିବା ।— ୧ ପିତର ୫:୬, ୭; ୨ ପିତର ୨:୯.

୧୯ କିନ୍ତୁ, ଯଦି ଶୟତାନ ଓ ତାʼର ଦୁଷ୍ଟ ଦୂତମାନେ ପୃଥିବୀରେ ଏତେ ବେଶି ଦୁଃଖକଷ୍ଟ ଆଣୁଛନ୍ତି, ତେବେ ଈଶ୍ୱର କାହିଁକି ସେମାନଙ୍କୁ ଏପର୍ଯ୍ୟନ୍ତ ବିନାଶ କରି ନାହାନ୍ତି ? ଏହି ପ୍ରଶ୍ନର ଉତ୍ତର ଆମେ ପରବର୍ତ୍ତୀ ଅଧ୍ୟାୟରେ ପାଇବା ।