इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଏଗାର ଅଧ୍ୟାୟ

ଜଗତରେ ଏତେ ଦୁଃଖକଷ୍ଟ କାହିଁକି ରହିଛି ?

ଜଗତରେ ଏତେ ଦୁଃଖକଷ୍ଟ କାହିଁକି ରହିଛି ?

୧, ୨. ଯେତେବେଳେ କୌଣସି ଦୁଃଖଦ ଘଟଣା ଘଟେ, ଅନେକ ଲୋକଙ୍କ ମନରେ କʼଣ ପ୍ରଶ୍ନ ଉଠେ ?

 ଭୟଙ୍କର ସୁନାମୀ ଏକ ଗାଁକୁ ଧ୍ୱଂସ କରିଦିଏ । କିଛି ଆତଙ୍କବାଦୀ ଏକ ହୋଟେଲ୍‌ରେ ପଶି ଆଖିବୁଜା ଗୁଳିଚାଳନା କରିଦିଅନ୍ତି, ଯେଉଁଥିରେ ଅନେକ ନୀରିହ ଲୋକ ପ୍ରାଣ ହରାନ୍ତି, ଅନେକେ ରକ୍ତାକ୍ତ ହୁଅନ୍ତି । କ୍ୟାନସର୍‌ରେ ପୀଡ଼ିତ ଏକ ମାଁ ନିଜ ପାଞ୍ଚଟି ପିଲାକୁ ନିଃସହାୟ କରି ଶେଷରେ ନିଜ ଜୀବନ ହାରିଦିଏ ।

ଯେତେବେଳେ ଏଭଳି କୌଣସି ବିପତ୍ତି କିମ୍ବା ଅତି ଦୁଃଖଦ ଘଟଣା ଘଟେ, ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଠେ, “ଏସବୁ କାହିଁକି ?” ଲୋକେ ପ୍ରଶ୍ନ କରିଥାʼନ୍ତି, ଏଇ ଜଗତ କାହିଁକି ଏତେ ଘୃଣା ଓ ଦୁଃଖକଷ୍ଟରେ ଭରି ରହିଛି । କʼଣ ଆପଣ ଏବିଷୟରେ କେବେ ଚିନ୍ତା କରିଛନ୍ତି ?

୩, ୪. (କ) ହବକ୍‌କୂକ କେଉଁ ପ୍ରଶ୍ନଗୁଡ଼ିକ ପଚାରିଥିଲେ ? (ଖ) ଯିହୋବା ତାହାଙ୍କୁ କʼଣ ଉତ୍ତର ଦେଇଥିଲେ ?

ବାଇବଲରୁ ଆମେ ଜାଣୁ ଯେ ଯେଉଁ ଲୋକମାନେ ଈଶ୍ୱରଙ୍କ ଉପରେ ଦୃଢ଼ ବିଶ୍ୱାସ ରଖିଥିଲେ, ସେମାନେ ମଧ୍ୟ ଏପରି ପ୍ରଶ୍ନସବୁ ପଚାରିଥିଲେ । ସେମଧ୍ୟରୁ ଜଣେ ଥିଲେ ଭବିଷ୍ୟଦ୍‌ବକ୍ତା ହବକ୍‌କୂକ । ହବକ୍‌କୂକ ଯିହୋବାଙ୍କୁ ପଚାରିଲେ: ‘ତୁମ୍ଭେ କାହିଁକି ମୋତେ ଅଧର୍ମ ଦେଖାଉଅଛ ? ତୁମ୍ଭେ କାହିଁକି କୁଟିଳତା ପ୍ରତି ଦୃଷ୍ଟିପାତ କରୁଅଛ ? କାରଣ ମୋʼ ସମ୍ମୁଖରେ ଚୋରୀ ଓ ଦୌରାତ୍ମ୍ୟ ହୁଏ; ପୁଣି, ବିବାଦ ହୁଏ ଓ ବିରୋଧ ବଢ଼ି ଉଠେ ।’— ହବକ୍‌କୂକ ୧:୩.

ହବକ୍‌କୂକ ୨:୨, ୩ ପଦରେ ଆମେ ପଢ଼ୁ ଯେ ହବକ୍‌କୂକ କରିଥିବା ପ୍ରଶ୍ନର ଉତ୍ତର ଈଶ୍ୱର କିପରି ଦେଇଥିଲେ ଏବଂ ପରିସ୍ଥିତିକୁ ସୁଧାରିବା ପାଇଁ ସେ କʼଣ ପ୍ରତିଜ୍ଞା କରିଥିଲେ । ଯିହୋବା ଲୋକମାନଙ୍କୁ ଗଭୀର ପ୍ରେମ କରନ୍ତି । ବାଇବଲ କହେ: “ସେ ତୁମ୍ଭମାନଙ୍କ ନିମନ୍ତେ ଚିନ୍ତା କରନ୍ତି ।” (୧ ପିତର ୫:୭) ଜଗତର ଦୁଃଖକଷ୍ଟକୁ ଦେଖି ଆମକୁ ଯେତେ ଦୁଃଖ ଲାଗେ, ତାʼ ଅପେକ୍ଷା ଈଶ୍ୱର କାହିଁ କେତେ ଅଧିକ ଦୁଃଖିତ ହୁଅନ୍ତି ! (ଯିଶାଇୟ ୫୫:୮, ୯) ତେବେ ଜଗତରେ ଏତେ ଦୁଃଖକଷ୍ଟ କାହିଁକି ଭରି ରହିଛି ? ଆସନ୍ତୁ ଏହି ପ୍ରଶ୍ନ ଉପରେ ଆଲୋଚନା କରିବା ।

ଏତେ ଦୁଃଖକଷ୍ଟ କାହିଁକି ଭରି ରହିଛି ?

୫. ଦୁଃଖକଷ୍ଟ ବିଷୟରେ ଅନେକ ଧର୍ମଗୁରୁମାନେ କʼଣ କହିଥାʼନ୍ତି ? ବାଇବଲ ଏବିଷୟରେ କʼଣ ଶିଖାଏ ?

ଯେତେବେଳେ ଲୋକେ ଦୁଃଖକଷ୍ଟ ଭୋଗନ୍ତି, ଅନେକ ଧର୍ମଗୁରୁମାନେ କହନ୍ତି ଯେ ଏସବୁ ଈଶ୍ୱରଙ୍କ ଇଚ୍ଛା ଅଟେ । କେତେକ କହନ୍ତି ଯେ ଜଣେ ବ୍ୟକ୍ତିର ଜୀବନରେ ଯାହା ମଧ୍ୟ ଘଟେ, ଏପରିକି ଅତି ଦୁଃଖଦ ଘଟଣାଗୁଡ଼ିକ ମଧ୍ୟ ଈଶ୍ୱରଙ୍କ ଦ୍ୱାରା ପୂର୍ବରୁ ନିର୍ଦ୍ଧାରିତ କରାଯାଇଥାଏ । ଆଉ, ଈଶ୍ୱର ଏପରି କାହିଁକି କରନ୍ତି, ତାହାଙ୍କ ଲୀଳାକୁ ଆମେ କେବେ ମଧ୍ୟ ବୁଝିପାରିବା ନାହିଁ । ଆଉ କେତେକ କହନ୍ତି ଯେ ଲୋକମାନଙ୍କ ଏବଂ ଏପରିକି ଛୋଟ ପିଲାମାନଙ୍କ ମଧ୍ୟ ଏଥିପାଇଁ ମୃତ୍ୟୁ ହୁଏ, କାରଣ ଈଶ୍ୱର ସେମାନଙ୍କୁ ନିଜ ପାଖକୁ ବା ସ୍ୱର୍ଗକୁ ଡାକି ନେଇଯାʼନ୍ତି । କିନ୍ତୁ ତାହା ଆଦୌ ସତ ନୁହେଁ । ଯିହୋବା କେବେ ମଧ୍ୟ କାହାରି ସହିତ କୌଣସି ଅନ୍ୟାୟ କରନ୍ତି ନାହିଁ । ବାଇବଲ କହେ: “ପରମେଶ୍ୱର ଯେ ଦୁଷ୍କର୍ମ କରିବେ, ଏହା ତାହାଙ୍କଠାରୁ ଦୂରେ ଥାଉ ଓ ସର୍ବଶକ୍ତିମାନ ଯେ ଅଧର୍ମ କରିବେ, ଏହା ତାହାଙ୍କଠାରୁ ଦୂରେ ଥାଉ ।”— ଆୟୁବ ୩୪:୧୦.

୬. ଜଗତର ସମସ୍ତ ଦୁଃଖକଷ୍ଟ ପାଇଁ ଅନେକ ଲୋକ କାହିଁକି ଈଶ୍ୱରଙ୍କୁ ଦୋଷ ଦେଇଥାʼନ୍ତି ?

ଜଗତର ସମସ୍ତ ଦୁଃଖକଷ୍ଟ ପାଇଁ ଅନେକ ଲୋକ ଈଶ୍ୱରଙ୍କୁ ଦୋଷ ଦେଇଥାʼନ୍ତି, କାରଣ ସେମାନେ ଭାବନ୍ତି ଯେ ଜଗତକୁ ଈଶ୍ୱର ଚଳାଉଛନ୍ତି । କିନ୍ତୁ ଯେପରି ଆମେ ୩ ଅଧ୍ୟାୟରେ ଶିଖିଲୁ, ଏହି ଜଗତର ପ୍ରକୃତ ଶାସକ ହେଉଛି, ଶୟତାନ ।

୭, ୮. ଜଗତରେ କାହିଁକି ଏତେ ଦୁଃଖକଷ୍ଟ ଭରି ରହିଛି ?

ବାଇବଲ ଆମକୁ କହେ ଯେ ‘ସମସ୍ତ ଜଗତ ପାପାତ୍ମାର [ଶୟତାନର] ଅଧୀନ ।’ (୧ ଯୋହନ ୫:୧୯) ଏହି ଜଗତର ଶାସକ ଅତି ଦୁଷ୍ଟ ଓ ନିଷ୍ଠୁର ଅଟେ । ସେ ‘ସମଗ୍ର ପୃଥିବୀବାସୀଙ୍କୁ ଭୁଲ୍‌ ରାସ୍ତାରେ ନିଏ ।’ (ପ୍ରକାଶିତ ବାକ୍ୟ ୧୨:୯, ଇଜି-ଟୁ-ରିଡ୍‌ ଭର୍ସନ) ଫଳସ୍ୱରୂପ, ଆଜି ଅସଂଖ୍ୟ ଲୋକ ଶୟତାନ ପରି ହୋଇଯାଇଛନ୍ତି । ଅତଏବ, ଜଗତ କାହିଁକି ମିଥ୍ୟା, ଘୃଣା ଓ ନିଷ୍ଠୁରତାରେ ଭରି ରହିଛି, ତାʼର କାରଣଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ ।

ଜଗତରେ ଏତେ ଦୁଃଖକଷ୍ଟ କାହିଁକି ଭରି ରହିଛି, ଏହାର ଅନ୍ୟ କାରଣଗୁଡ଼ିକ ମଧ୍ୟ ରହିଛି । ଆଦମ ଓ ହବା ଈଶ୍ୱରଙ୍କ ଆଜ୍ଞା ଉଲ୍ଲଙ୍ଘନ କରିବା ପରେ ସେମାନେ ପାପୀ ହୋଇଗଲେ । ତାʼପରେ ସେମାନଙ୍କଠାରୁ ଯେତେ ମଧ୍ୟ ସନ୍ତାନ ଜନ୍ମ ହେଲେ, ସମସ୍ତେ ପାପୀ ହୋଇ ଜନ୍ମ ହେଲେ । ଏହି ପାପ ଯୋଗୁଁ ମଣିଷମାନେ ଜଣେ ଅନ୍ୟର ଦୁଃଖର କାରଣ ହୋଇଥାʼନ୍ତି । ସେମାନେ ପ୍ରାୟ ସବୁବେଳେ ଅନ୍ୟମାନଙ୍କଠାରୁ ବଡ଼ ହେବାକୁ ଚାହାନ୍ତି । ସେମାନେ ପରସ୍ପର ମଧ୍ୟରେ ଝଗଡ଼ା ହୁଅନ୍ତି, ଅନ୍ୟକୁ ଭୟଭୀତ କରନ୍ତି ଏବଂ ଯୁଦ୍ଧରେ ଭାଗ ନେଇଥାʼନ୍ତି । (ଉପଦେଶକ ୪:୧; ୮:୯) ଏହା ଛଡ଼ା, ବାଇବଲ କହେ: “ସମସ୍ୟାର ବେଳ କାହାରି ଜୀବନରେ ମଧ୍ୟ ଆସିପାରେ ଏବଂ ବିପତ୍ତି କାହାରି ସହିତ ମଧ୍ୟ ଘଟିପାରେ ।” (ଉପଦେଶକ ୯:୧୧, NW) ଅର୍ଥାତ୍‌, ଯେତେବେଳେ ସେମାନେ ଭୁଲ୍‌ ସମୟରେ ଭୁଲ୍‌ ଜାଗାରେ ଥାʼନ୍ତି, ସେମାନଙ୍କ ଜୀବନରେ ଦୁର୍ଘଟଣା ଘଟିପାରେ କିମ୍ବା ଅନ୍ୟ ଦୁଃଖକଷ୍ଟ ଆସିପାରେ ।

୯. ଦୁଃଖକଷ୍ଟକୁ ରହିବାକୁ ଦେବା ପଛରେ ଯିହୋବାଙ୍କ ପାଖରେ ଏକ ଯୁକ୍ତିଯୁକ୍ତ କାରଣ ରହିଛି ବୋଲି ଆମେ କାହିଁକି ନିଶ୍ଚିତ ହୋଇପାରିବା ?

ଯିହୋବା କେବେ ମଧ୍ୟ ମଣିଷମାନଙ୍କ ଜୀବନରେ ଦୁଃଖକଷ୍ଟ ଆଣନ୍ତି ନାହିଁ । ଜଗତରେ ହେଉଥିବା ଯୁଦ୍ଧ, ଅପରାଧ ଓ ଅନ୍ୟାୟ ପାଇଁ ତାହାଙ୍କୁ ଦୋଷ ଦିଆଯାଇପାରିବ ନାହିଁ । ଭୂମିକମ୍ପ, ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପତ୍ତି ପାଇଁ ଈଶ୍ୱର ଦାୟୀ ନୁହନ୍ତି । ତଥାପି ଆପଣ ହୁଏତ ଭାବିପାରନ୍ତି, ‘ଯଦି ଯିହୋବା ସମଗ୍ର ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଅଟନ୍ତି, ତେବେ ସେ କାହିଁକି ଏହି ଭୟଙ୍କର ବିପତ୍ତିସବୁ ଘଟିବାକୁ ଦେଇଥାʼନ୍ତି ?’ ଆମେ ଜାଣୁ ଯେ ଈଶ୍ୱର ଆମକୁ ଗଭୀର ପ୍ରେମ କରନ୍ତି । ତେଣୁ ଯଦି ସେ ଦୁଃଖକଷ୍ଟକୁ ରହିବାକୁ ଦେଇଛନ୍ତି, ତେବେ ଏହା ପଛରେ ନିଶ୍ଚୟ କୌଣସି ଯୁକ୍ତିଯୁକ୍ତ କାରଣ ରହିଥିବ ।— ୧ ଯୋହନ ୪:୮.

ଈଶ୍ୱର ଦୁଃଖକଷ୍ଟକୁ କାହିଁକି ରହିବାକୁ ଦେଇଛନ୍ତି

୧୦. ଶୟତାନ ଯିହୋବାଙ୍କ ଉପରେ କʼଣ ଦୋଷାରୋପ କଲା ?

୧୦ ଏଦନ ଉଦ୍ୟାନରେ ଶୟତାନ ଆଦମ ଓ ହବାକୁ ମିଥ୍ୟା ଜାଲରେ ପକାଇଲା । ସେ ଈଶ୍ୱରଙ୍କୁ ଜଣେ ମନ୍ଦ ଶାସକ ବୋଲି ଦୋଷାରୋପ କଲା । ସେ ଦାବି କଲା ଯେ ଆଦମ ଓ ହବାକୁ ଈଶ୍ୱର ଏପରି କିଛି ବିଷୟଠାରୁ ଦୂରେଇ ରଖୁଥିଲେ, ଯାହା ପାଇବା ଦ୍ୱାରା ସେମାନଙ୍କର ମଙ୍ଗଳ ହୋଇଥାʼନ୍ତା । ଶୟତାନ ଚାହୁଁଥିଲା, ସେମାନେ ବିଶ୍ୱାସ କରନ୍ତୁ ଯେ ସେ ନିଜେ ଯିହୋବାଙ୍କ ଅପେକ୍ଷା ଜଣେ ଉତ୍ତମ ଶାସକ ହୋଇପାରିବ ଏବଂ ସେମାନଙ୍କୁ ଈଶ୍ୱରଙ୍କର କୌଣସି ଆବଶ୍ୟକତା ନାହିଁ ।— ଆଦି ପୁସ୍ତକ ୩:୨-୫; ଅଧିକ ବିବରଣୀ-୨୭ ଦେଖନ୍ତୁ ।

୧୧. ଆମକୁ କେଉଁ ପ୍ରଶ୍ନର ଉତ୍ତର ଜାଣିବା ଦରକାର ?

୧୧ ଆଦମ ଓ ହବା ଯିହୋବାଙ୍କ ଆଜ୍ଞା ଉଲ୍ଲଙ୍ଘନ କଲେ ଏବଂ ତାହାଙ୍କ ବିରୁଦ୍ଧରେ ଗଲେ । ସେମାନେ ଭାବିଲେ ଯେ ସେମାନଙ୍କ ପାଇଁ କʼଣ ଭଲ ଓ କʼଣ ମନ୍ଦ, ତାହା ନିର୍ଣ୍ଣୟ କରିବାର ଅଧିକାର ସେମାନଙ୍କର ଅଟେ । କିନ୍ତୁ ଯିହୋବା କିପରି ପ୍ରମାଣିତ କରିଥାʼନ୍ତେ ଯେ ସେଇ ବିଦ୍ରୋହୀମାନେ ସମ୍ପୂର୍ଣ୍ଣ ଭୁଲ୍‌ ଥିଲେ ଏବଂ ଆମ ପାଇଁ କʼଣ ଉତ୍ତମ ଅଟେ, ତାହା ସେ ହିଁ ଜାଣନ୍ତି ?

୧୨, ୧୩. (କ) ଯିହୋବା ବିଦ୍ରୋହୀମାନଙ୍କୁ କାହିଁକି ତୁରନ୍ତ ବିନାଶ କଲେ ନାହିଁ ? (ଖ) ଯିହୋବା ଶୟତାନ ଓ ମାନବଜାତିକୁ କʼଣ କରିବା ପାଇଁ ସମୟ ଦେଲେ ?

୧୨ ଯିହୋବା ଆଦମ ଓ ହବାକୁ ତୁରନ୍ତ ବିନାଶ କଲେ ନାହିଁ । ଏହା ପରିବର୍ତ୍ତେ, ସେ ସେମାନଙ୍କୁ ସନ୍ତାନ ଜନ୍ମ କରିବାକୁ ଦେଲେ । ତାʼପରେ, ଯିହୋବା ଆଦମ ଓ ହବାଙ୍କର ସନ୍ତାନମାନଙ୍କୁ ଏହା ନିର୍ଣ୍ଣୟ କରିବାକୁ ସୁଯୋଗ ଦେଲେ ଯେ ସେମାନେ କାହାକୁ ନିଜ ଶାସକ ରୂପେ ବାଛିବେ । ଆରମ୍ଭରୁ ଯିହୋବାଙ୍କର ଉଦ୍ଦେଶ୍ୟ ଥିଲା ଯେ ସାରା ପୃଥିବୀ ଏପରି ଲୋକମାନଙ୍କ ଦ୍ୱାରା ପରିପୂର୍ଣ୍ଣ ହେଉ, ଯେଉଁମାନଙ୍କଠାରେ ଆଦୌ ପାପ ନ ଥିବ । ଆଉ, ଶୟତାନ ଯାହା ମଧ୍ୟ ଚେଷ୍ଟା କରୁ ନା କାହିଁକି, ଈଶ୍ୱରଙ୍କ ସେହି ଉଦ୍ଦେଶ୍ୟ ନିଶ୍ଚୟ ପୂରଣ ହେବ ।— ଆଦି ପୁସ୍ତକ ୧:୨୮; ଯିଶାଇୟ ୫୫:୧୦, ୧୧.

୧୩ ଶୟତାନ ଲକ୍ଷ ଲକ୍ଷ ସ୍ୱର୍ଗଦୂତଙ୍କ ସମ୍ମୁଖରେ ଯିହୋବାଙ୍କ ଶାସନ କରିବାର ଅଧିକାର ଉପରେ ପ୍ରଶ୍ନ ଉଠାଇଲା । (ଆୟୁବ ୩୮:୭; ଦାନିୟେଲ ୭:୧୦) ତେଣୁ ତାʼର ଅଭିଯୋଗ ସତ ନା ମିଛ, ତାହା ପ୍ରମାଣ କରିବା ପାଇଁ ଯିହୋବା ଶୟତାନକୁ ସମୟ ଦେଲେ । ସେ ମଣିଷମାନଙ୍କୁ ମଧ୍ୟ ସମୟ ଦେଲେ ଯେ ସେମାନେ ଶୟତାନର ସହାୟତାରେ ନିଜର ସରକାର ଚଳାନ୍ତୁ ଏବଂ ଏହା ପ୍ରମାଣିତ କରି ଦେଖାନ୍ତୁ ଯେ ସେମାନେ ଈଶ୍ୱରଙ୍କ ବିନା ସହାୟତାରେ ଏଥିରେ ସଫଳ ହୋଇପାରିବେ ।

୧୪. ନିଜେ ନିଜକୁ ଶାସନ କରିବାରେ ମଣିଷଜାତିର ଅସଫଳତା କʼଣ ପ୍ରମାଣିତ କରିଛି ?

୧୪ ହଜାର ହଜାର ବର୍ଷ ଧରି ମଣିଷଜାତି ନିଜେ ନିଜକୁ ଶାସନ କରିବା ପାଇଁ ଚେଷ୍ଟା କରିଆସିଛି, କିନ୍ତୁ ଏଥିରେ ଅସଫଳ ହୋଇଛି । ଶୟତାନର ଦାବି ମିଥ୍ୟା ବୋଲି ପ୍ରମାଣିତ ହୋଇଛି । ଏହା ସ୍ପଷ୍ଟ ହୋଇଯାଇଛି ଯେ ମଣିଷଜାତିକୁ ଈଶ୍ୱରଙ୍କ ସହାୟତା ନିହାତି ଆବଶ୍ୟକ ଅଟେ । ଭବିଷ୍ୟଦ୍‌ବକ୍ତା ଯିରିମୀୟ ସମ୍ପୂର୍ଣ୍ଣ ଠିକ୍‌ କହିଥିଲେ: ‘ହେ ସଦାପ୍ରଭୁ, ମୁଁ ଜାଣେ; ମନୁଷ୍ୟର ଗତି ତାହାର ଆୟତ୍ତ ନୁହେଁ; ନିଜ ପାଦଗତିକୁ ସ୍ଥିର କରିବା ମନୁଷ୍ୟର ସାଧ୍ୟ ନୁହେଁ ।’— ଯିରିମୀୟ ୧୦:୨୩.

ଯିହୋବା ଏତେ ଲମ୍ବା ସମୟ ଧରି କାହିଁକି ଦୁଃଖକଷ୍ଟକୁ ରହିବାକୁ ଦେଇଛନ୍ତି ?

୧୫, ୧୬. (କ) ଯିହୋବା ଦୁଃଖକଷ୍ଟକୁ ଏତେ ଲମ୍ବା ସମୟ ପର୍ଯ୍ୟନ୍ତ ରହିବା ପାଇଁ କାହିଁକି ଅନୁମତି ଦେଇଛନ୍ତି ? (ଖ) ଶୟତାନ ଯୋଗୁଁ ଘଟୁଥିବା ସମସ୍ୟାଗୁଡ଼ିକୁ ଯିହୋବା କାହିଁକି ସମାଧାନ କରି ନାହାନ୍ତି ?

୧୫ ଯିହୋବା ଏତେ ଲମ୍ବା ସମୟ ଧରି କାହିଁକି ଦୁଃଖକଷ୍ଟକୁ ରହିବାକୁ ଦେଇଛନ୍ତି ? ସେ କାହିଁକି ଦୁଃଖଦ ଘଟଣାଗୁଡ଼ିକୁ ରୋକନ୍ତି ନାହିଁ ? କାରଣ ଶୟତାନ ଜଗତକୁ ଶାସନ କରିପାରିବ ବୋଲି ଯେଉଁ ଦାବି କରିଥିଲା, ତାହା ପ୍ରମାଣିତ କରିବା ପାଇଁ ତାକୁ ସମୟ ଦେବା ଜରୁରୀ ଥିଲା । କିନ୍ତୁ ଶୟତାନ ଏଥିରେ ବିଫଳ ହୋଇଛି । ମଣିଷଜାତି ମଧ୍ୟ ସବୁ ପ୍ରକାରର ସରକାର ଆପଣାଇ ସାରିଛି, କିନ୍ତୁ ସବୁଥିରେ ବିଫଳ ହୋଇଛି । ଯଦିଓ ମଣିଷ ଆଜି ବିଜ୍ଞାନ ଓ ଟେକ୍ନୋଲୋଜି କ୍ଷେତ୍ରରେ ଅନେକ ଉନ୍ନତି କରିପାରିଛି, ତଥାପି ଅନ୍ୟାୟ, ଦାରିଦ୍ର୍ୟ, ଅପରାଧ ଓ ଯୁଦ୍ଧ ଅତୀତର ଯେକୌଣସି ସମୟ ଅପେକ୍ଷା ଅଧିକ ମାତ୍ରାରେ ବଢ଼ିଯାଇଛି । ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ ମଣିଷଜାତି ନିଜକୁ ନିଜେ ଶାସନ କରିବା ପାଇଁ ସକ୍ଷମ ନୁହେଁ, ମଣିଷଜାତିକୁ ଈଶ୍ୱରଙ୍କ ଶାସନ ଦରକାର ।

୧୬ ଶୟତାନ ଯୋଗୁଁ ଘଟୁଥିବା ସମସ୍ୟାଗୁଡ଼ିକୁ ଯିହୋବା ସମାଧାନ କରି ନାହାନ୍ତି । କାରଣ ଯଦି ସେ କରିଥାʼନ୍ତେ, ତେବେ ଏହାର ଅର୍ଥ ହୋଇଥାʼନ୍ତା ଯେ ଈଶ୍ୱର ଶୟତାନର ଶାସନକୁ ସମର୍ଥନ କରନ୍ତି । ତାʼ ଛଡ଼ା, ଯଦି ସେ ଏପରି କରିଥାʼନ୍ତେ, ତେବେ ମଣିଷଜାତି ବିଶ୍ୱାସ କରନ୍ତା ଯେ ମଣିଷ ନିଜେ ନିଜ ଉପରେ ସଫଳତାପୂର୍ବକ ଶାସନ କରିପାରୁଛି । କିନ୍ତୁ ତାହା ଏକ ମିଥ୍ୟା ଅଟେ ଏବଂ ଯିହୋବା କେବେ ମଧ୍ୟ ମିଥ୍ୟାକୁ ସମର୍ଥନ କରିବେ ନାହିଁ । ସେ କେବେ ମଧ୍ୟ ମିଛ କହନ୍ତି ନାହିଁ ।— ଏବ୍ରୀ ୬:୧୮.

୧୭, ୧୮. ଶୟତାନ ଯୋଗୁଁ ଯାହାସବୁ ହାନି ହୋଇଛି, ତାʼର କ୍ଷତିପୂରଣ ପାଇଁ ଯିହୋବା କʼଣ କରିବେ ?

୧୭ ଶୟତାନ ଓ ମଣିଷମାନେ ଈଶ୍ୱରଙ୍କ ବିରୁଦ୍ଧରେ ଯାଇ ଯାହାସବୁ କ୍ଷତି କରିଛନ୍ତି, କʼଣ ଯିହୋବା ସେସବୁର କ୍ଷତିପୂରଣ କରିପାରିବେ ? ହଁ, ନିଶ୍ଚୟ । ଯିହୋବାଙ୍କ ପାଇଁ ସବୁକିଛି ସମ୍ଭବ ଅଟେ । ସେ ଭଲ ଭାବେ ଜାଣନ୍ତି ଯେ ଶୟତାନ ଦ୍ୱାରା କରାଯାଇଥିବା ସମସ୍ତ ଦୋଷାରୋପ କେବେ ମିଥ୍ୟା ପ୍ରମାଣିତ ହେବ । ତାʼପରେ ଈଶ୍ୱର ପୃଥିବୀକୁ ଏକ ସୁନ୍ଦର ପାରଦୀଶରେ ପରିଣତ କରିବେ, ଠିକ୍‌ ଯେପରି ଆରମ୍ଭରୁ ତାହାଙ୍କର ଉଦ୍ଦେଶ୍ୟ ଥିଲା । ‘ସମାଧିସ୍ଥ ସମସ୍ତଙ୍କର’ ପୁନରୁତ୍ଥାନ ହେବ । (ଯୋହନ ୫:୨୮, ୨୯) ଲୋକେ କେବେ ମଧ୍ୟ ଆଉ ରୋଗରେ ପୀଡ଼ିତ ହେବେ ନାହିଁ କିମ୍ବା ମରିବେ ନାହିଁ । ଯୀଶୁ ଖ୍ରୀଷ୍ଟ ଶୟତାନ ପହଞ୍ଚାଇଥିବା ସମସ୍ତ ହାନିର କ୍ଷତିପୂରଣ କରିବେ । “ଶୟତାନର କାର୍ଯ୍ୟ ବିନାଶ କରିବା” ପାଇଁ ଯିହୋବା ଯୀଶୁଙ୍କୁ ବ୍ୟବହାର କରିବେ । (୧ ଯୋହନ ୩:୮) ସେପର୍ଯ୍ୟନ୍ତ ଯିହୋବା ଆମ ପ୍ରତି ଧୈର୍ଯ୍ୟ ଦେଖାଇଛନ୍ତି । ଏହାଫଳରେ ଆମେ ତାହାଙ୍କୁ ଜାଣିପାରିବା ଏବଂ ନିଷ୍ପତ୍ତି ନେଇପାରିବା ଯେ ଆମେ ତାହାଙ୍କୁ ଆମର ଶାସକ ଭାବରେ ଚାହୁଁ । (୨ ପିତର ୩:୯, ୧୦ ପଢ଼ନ୍ତୁ ।) କେବଳ ସେତିକି ନୁହଁ, ଯେତେବେଳେ ଆମେ ଦୁଃଖକଷ୍ଟର ସମ୍ମୁଖୀନ ହେଉ, ଏହାକୁ ସହ୍ୟ କରିବା ପାଇଁ ସେ ଆମକୁ ସାହାଯ୍ୟ କରିଥାʼନ୍ତି । ଏସବୁ ପାଇଁ ଆମେ ଯିହୋବାଙ୍କଠାରେ କେତେ କୃତଜ୍ଞ ଅଟୁ !— ଯୋହନ ୪:୨୩; ୧ କରିନ୍ଥୀୟ ୧୦:୧୩ ପଢ଼ନ୍ତୁ ।

୧୮ ଯିହୋବା ଆମକୁ କେବେ ମଧ୍ୟ ବାଧ୍ୟ କରନ୍ତି ନାହିଁ ଯେ ଆମେ ତାହାଙ୍କୁ ଆମର ଶାସକ ଭାବରେ ଗ୍ରହଣ କରୁ । ସେ ମଣିଷମାନଙ୍କୁ ନିଜ ନିଷ୍ପତ୍ତି ନିଜେ ନେବାର ସ୍ୱାଧୀନତା ଦେଇଛନ୍ତି । ଏହି ସ୍ୱାଧୀନତା ଆମ ପାଇଁ କʼଣ ଅର୍ଥ ରଖେ ? ଆସନ୍ତୁ ଏବିଷୟରେ ଆଲୋଚନା କରିବା ।

ଆପଣ କʼଣ ନିଷ୍ପତ୍ତି ନେବେ ?

୧୯. ଯିହୋବା ଆମକୁ କେଉଁ ମହାନ ଉପହାର ଦେଇଛନ୍ତି ? ଏହି ଉପହାର ପାଇଁ ଆମେ କାହିଁକି କୃତଜ୍ଞ ହେବା ଉଚିତ୍‌ ?

୧୯ ଯିହୋବା ଆମକୁ ନିଜ ନିଷ୍ପତ୍ତି ନିଜେ ନେବାର ଯେଉଁ ସ୍ୱାଧୀନତା ଦେଇଛନ୍ତି, ତାହା ଏକ ବହୁମୂଲ୍ୟ ଉପହାର ଅଟେ । ଏହା ଆମକୁ ଜୀବଜନ୍ତୁମାନଙ୍କଠାରୁ ସ୍ୱତନ୍ତ୍ର ବା ଭିନ୍ନ କରିଥାଏ । ଜୀବଜନ୍ତୁମାନେ ମୁଖ୍ୟତଃ ସେମାନଙ୍କ ସହଜାତ ପ୍ରବୃତ୍ତି ଅନୁଯାୟୀ କାମ କରିଥାʼନ୍ତି ଏବଂ କʼଣ ଠିକ୍‌ ଓ କʼଣ ଭୁଲ୍‌, ତାହା ନିର୍ଣ୍ଣୟ କରିବାର ସାମର୍ଥ୍ୟ ସେମାନଙ୍କ ପାଖରେ ନ ଥାଏ । କିନ୍ତୁ ଆମେ ନିଜ ଜୀବନ କିପରି ଜୀଇଁବା, ନିଜେ ବାଛିପାରିବା ଏବଂ ଯିହୋବାଙ୍କୁ ଖୁସି କରିବା କି ନାହିଁ, ଆମେ ନିଜେ ନିର୍ଣ୍ଣୟ କରିପାରିବା । (ହିତୋପଦେଶ ୩୦:୨୪-୨୮) ତାʼ ଛଡ଼ା, ଆମକୁ କୌଣସି ରୋବର୍ଟ ବା ଯନ୍ତ୍ରମାନବ ଭଳି ସୃଷ୍ଟି କରାଯାଇ ନାହିଁ, ଯାହା କେବଳ ସେଇ କାମ କରିଥାଏ, ଯେଉଁଥିପାଇଁ ତାକୁ ତିଆରି କରାଯାଇଥାଏ । ଏହା ପରିବର୍ତ୍ତେ, ଆମେ କିଭଳି ବ୍ୟକ୍ତି ହେବା, କେଉଁମାନଙ୍କ ସହିତ ବନ୍ଧୁତା କରିବା ଏବଂ ଜୀବନରେ କʼଣ କରିବା, ଏବିଷୟରେ ନିଷ୍ପତ୍ତି ନେବାର ସ୍ୱାଧୀନତା ଆମ ପାଖରେ ଅଛି । ଯିହୋବା ଆମକୁ ଏଥିପାଇଁ ଏହି ସ୍ୱାଧୀନତା ଦେଇଛନ୍ତି, କାରଣ ସେ ଚାହାନ୍ତି ଯେ ଆମେ ଜୀବନକୁ ଉପଭୋଗ କରୁ ।

୨୦, ୨୧. ବର୍ତ୍ତମାନ ଆପଣ ଏପରି କʼଣ କରିପାରିବେ, ଯାହା ଆପଣଙ୍କ ପାଇଁ ସବୁଠାରୁ ଉତ୍ତମ ନିଷ୍ପତ୍ତି ହେବ ?

୨୦ ଯିହୋବା ଚାହାନ୍ତି ଯେ ଆମେ ତାହାଙ୍କୁ ପ୍ରେମ କରୁ । (ମାଥିଉ ୨୨:୩୭, ୩୮) ସେ ଏପରି ଏକ ପିତା ଭଳି ଅଟନ୍ତି, ଯିଏ ନିଜ ପିଲାଠାରୁ ଏହା ଶୁଣିବାକୁ ଚାହାନ୍ତି, ‘ବାପା, ମୁଁ ତୁମକୁ ବହୁତ ଭଲ ପାଏ ।’ ତେଣୁ ଯେତେବେଳେ ପିଲାଟି କୌଣସି ଚାପରେ ନ ପଡ଼ି ବରଂ ହୃଦୟର ସହିତ ଏହି ପଦଟି କହେ, ତେବେ ପିତାକୁ ଭାରି ଖୁସି ଲାଗେ । ଆମେ ଯିହୋବାଙ୍କ ସେବା କରିବା କି ନାହିଁ, ଯିହୋବା ଆମକୁ ଏହା ନିର୍ଣ୍ଣୟ କରିବାର ସ୍ୱାଧୀନତା ଦେଇଛନ୍ତି । ଶୟତାନ, ଆଦମ ଓ ହବା ଜାଣିଶୁଣି ଯିହୋବାଙ୍କୁ ଅସ୍ୱୀକାର କରିବା ପାଇଁ ନିଷ୍ପତ୍ତି ନେଲେ । ଆପଣ କʼଣ ନିଷ୍ପତ୍ତି ନେବେ ?

୨୧ ଯିହୋବାଙ୍କ ସେବା କରିବା ପାଇଁ ନିଷ୍ପତ୍ତି ନିଅନ୍ତୁ । ଏପରି ଆହୁରି ଲକ୍ଷ ଲକ୍ଷ ଲୋକ ଅଛନ୍ତି, ଯେଉଁମାନେ ଈଶ୍ୱରଙ୍କୁ ଖୁସି କରିବା ଏବଂ ଶୟତାନକୁ ଅସ୍ୱୀକାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । (ହିତୋପଦେଶ ୨୭:୧୧) ବର୍ତ୍ତମାନ ଆପଣ କʼଣ କରିପାରିବେ, ଯାହାଫଳରେ ଈଶ୍ୱରଙ୍କ ସେହି ନୂତନ ପୃଥିବୀରେ ଆପଣ ରହିପାରିବେ, ଯେତେବେଳେ ଈଶ୍ୱର ସମସ୍ତ ଦୁଃଖକଷ୍ଟକୁ ଦୂର କରିଦେବେ ? ପରବର୍ତ୍ତୀ ଅଧ୍ୟାୟରେ ଆମେ ଏହି ପ୍ରଶ୍ନର ଉତ୍ତର ପାଇବା ।