इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ତେର ଅଧ୍ୟାୟ

ଜୀବନ—ଏକ ବହୁମୂଲ୍ୟ ଉପହାର

ଜୀବନ—ଏକ ବହୁମୂଲ୍ୟ ଉପହାର

୧. କିଏ ଆମକୁ ଜୀବନ ଦେଇଛନ୍ତି ?

 ଯିହୋବା ‘ସତ୍ୟ ଓ ଜୀବିତ ପରମେଶ୍ୱର ଅଟନ୍ତି ।’ (ଯିରିମୀୟ ୧୦:୧୦) ସେ ଆମର ସୃଷ୍ଟିକର୍ତ୍ତା ଅଟନ୍ତି ଏବଂ ସେ ହିଁ ଆମକୁ ଜୀବନ ଦେଇଛନ୍ତି । ବାଇବଲ ତାହାଙ୍କ ବିଷୟରେ କହେ: “ତୁମ୍ଭେ ହିଁ ଏସବୁ ସୃଷ୍ଟି କରିଅଛ । ତୁମ୍ଭ ଇଚ୍ଛା ଅନୁସାରେ ସମସ୍ତ ବିଷୟର ସୃଷ୍ଟି ହୋଇଛି ଓ ଅସ୍ତିତ୍ୱ ପାଇଅଛି ।” (ପ୍ରକାଶିତ ବାକ୍ୟ ୪:୧୧, ଇଜି-ଟୁ-ରିଡ୍‌ ଭର୍ସନ) ଯିହୋବା ଚାହାନ୍ତି ଯେ ମଣିଷମାନେ ଜୀବିତ ରହନ୍ତୁ । ଜୀବନ ତାହାଙ୍କ ତରଫରୁ ମିଳିଥିବା ଏକ ବହୁମୂଲ୍ୟ ଉପହାର ଅଟେ ।— ଗୀତସଂହିତା ୩୬:୯ ପଢ଼ନ୍ତୁ ।

୨. ଯଦି ଆମେ ଜୀବନରେ ପ୍ରକୃତ ଖୁସି ପାଇବାକୁ ଚାହୁଁ, ତେବେ ଆମକୁ କʼଣ କରିବାକୁ ହେବ ?

ଯିହୋବା ଯେ ଆମକୁ କେବଳ ଜୀବନ ଦେଇଛନ୍ତି ତାʼ ନୁହଁ, ବରଂ ସେ ଏପରି ପ୍ରତ୍ୟେକ ଜିନିଷ ଦେଇଛନ୍ତି, ଯାହା ଜୀବିତ ରହିବା ପାଇଁ ଜରୁରୀ ଅଟେ, ଯେପରି— ଖାଦ୍ୟ ଓ ଜଳ । (ପ୍ରେରିତ ୧୭:୨୮) କିନ୍ତୁ ତାʼଠାରୁ ମଧ୍ୟ ସେ ଅଧିକ ଚାହାନ୍ତି ଯେ ଆମେ ଜୀବନର ଆନନ୍ଦ ନେଉ । (ପ୍ରେରିତ ୧୪:୧୫-୧୭) ଯଦି ଆମେ ଜୀବନରେ ପ୍ରକୃତ ଖୁସି ପାଇବାକୁ ଚାହୁଁ, ତେବେ ଆମକୁ ଈଶ୍ୱରଙ୍କ ଆଜ୍ଞାଗୁଡ଼ିକୁ ପାଳନ କରିବାକୁ ହେବ ।— ଯିଶାଇୟ ୪୮:୧୭, ୧୮.

ଜୀବନ ବିଷୟରେ ଯିହୋବାଙ୍କର ଦୃଷ୍ଟିକୋଣ

୩. ଯେତେବେଳେ କୟିନ ହେବଲଙ୍କୁ ହତ୍ୟା କଲା, ଯିହୋବା କʼଣ କଲେ ?

ବାଇବଲ ଆମକୁ ଶିଖାଏ ଯେ ଯିହେବାଙ୍କ ଦୃଷ୍ଟିରେ ମଣିଷମାନଙ୍କ ଜୀବନ ବହୁମୂଲ୍ୟ ଅଟେ । ଉଦାହରଣସ୍ୱରୂପ, ଯେତେବେଳେ ଆଦମ ଓ ହବାଙ୍କ ସନ୍ତାନ କୟିନ ନିଜ ସାନ ଭାଇ ହେବଲଙ୍କ ଉପରେ ଅତ୍ୟନ୍ତ ରାଗିଯାଇଥିଲା, ସେତେବେଳେ ଯିହୋବା କୟିନକୁ ନିଜ କ୍ରୋଧକୁ ନିୟନ୍ତ୍ରଣ କରିବା ପାଇଁ ସତର୍କ କଲେ । କିନ୍ତୁ କୟିନ ଯିହୋବାଙ୍କ କଥା ଆଦୌ ଶୁଣିଲା ନାହିଁ । ସେ ଏତେ ରାଗିଗଲା ଯେ ସେ ‘ଆପଣା ଭାଇ ହେବଲଙ୍କୁ ଆକ୍ରମଣ କରି ହତ୍ୟା କଲା ।’ (ଆଦି ପୁସ୍ତକ ୪:୩-୮) ତେଣୁ ଯିହୋବା କୟିନକୁ ଦଣ୍ଡ ଦେଲେ । (ଆଦି ପୁସ୍ତକ ୪:୯-୧୧) ଏହି ଉଦାହରଣରୁ ଜଣାପଡ଼େ ଯେ କ୍ରୋଧ ଓ ଘୃଣାଭାବର ପରିଣାମ ବିପଦଜ୍ଜନକ ହୋଇଥାଏ । କାରଣ ଏହା ମଣିଷକୁ ନିଷ୍ଠୁର ଓ ହିଂସ୍ର କରିଦିଏ । ଏଭଳି ମଣିଷକୁ ଅନନ୍ତ ଜୀବନ କେବେ ମଧ୍ୟ ମିଳିବ ନାହିଁ । (୧ ଯୋହନ ୩:୧୫ ପଢ଼ନ୍ତୁ ।) ଯଦି ଆମେ ଯିହୋବାଙ୍କୁ ଖୁସି କରିବାକୁ ଚାହୁଁ, ତେବେ ଆମକୁ ସବୁ ଲୋକମାନଙ୍କୁ ପ୍ରେମ କରିବା ଶିଖିବାକୁ ହେବ ।— ୧ ଯୋହନ ୩:୧୧, ୧୨.

୪. ଈଶ୍ୱର ମୋଶାଙ୍କୁ ଦେଇଥିବା ଦଶଟି ଆଜ୍ଞା ମଧ୍ୟରୁ ଗୋଟିଏ ଆଜ୍ଞାରୁ କʼଣ ଜଣାପଡ଼େ ?

ଏହି ଘଟଣାର ହଜାର ହଜାର ବର୍ଷ ପରେ ମଧ୍ୟ ଯିହୋବା ଦେଖାଇଲେ ଯେ ତାହାଙ୍କ ପାଇଁ ଜୀବନ ବହୁମୂଲ୍ୟ ଅଟେ । ସେ ମୋଶାଙ୍କୁ ଯେଉଁ ଦଶଟି ଆଜ୍ଞା ଦେଇଥିଲେ, ସେମଧ୍ୟରୁ ଗୋଟିଏ ଆଜ୍ଞା ଥିଲା, “ତୁମ୍ଭେ ନରହତ୍ୟା କରିବ ନାହିଁ ।” (ଦ୍ୱିତୀୟ ବିବରଣ ୫:୧୭) ଯଦି ଜଣେ ମଣିଷ ଜାଣିଶୁଣି କାହାରିକୁ ହତ୍ୟା କରୁଥିଲା, ତେବେ ତାକୁ ମୃତ୍ୟୁଦଣ୍ଡ ଦିଆଯାଉଥିଲା ।

୫. ଗର୍ଭପାତ ବିଷୟରେ ଈଶ୍ୱରଙ୍କ ଦୃଷ୍ଟିକୋଣ କʼଣ ଅଟେ ?

ଗର୍ଭପାତ ବିଷୟରେ ଈଶ୍ୱରଙ୍କ ଦୃଷ୍ଟିକୋଣ କʼଣ ଅଟେ ? ଗର୍ଭରେ ଥିବା ଶିଶୁର ଜୀବନ ମଧ୍ୟ ଯିହୋବାଙ୍କ ପାଇଁ ବହୁମୂଲ୍ୟ ଅଟେ । ଯିହୋବା ଇସ୍ରାଏଲୀୟମାନଙ୍କୁ ଯେଉଁ ନିୟମ ଦେଇଥିଲେ, ସେଥିରେ ସେ କହିଥିଲେ ଯେ ଯଦି କୌଣସି ଲୋକ ଜଣେ ଗର୍ଭବତୀ ସ୍ତ୍ରୀକୁ ଆଘାତ କରେ ଏବଂ ତାʼର ଶିଶୁର ମୃତ୍ୟୁ ହୋଇଯାଏ, ତେବେ ସେହି ଲୋକକୁ ମୃତ୍ୟୁଦଣ୍ଡ ଦିଆଯିବ । (ଯାତ୍ରା ପୁସ୍ତକ ୨୧:୨୨, ୨୩ ପଢ଼ନ୍ତୁ; ଗୀତସଂହିତା ୧୨୭:୩) ଏହି ନିୟମରୁ ଆମେ ଶିଖୁ ଯେ ଗର୍ଭପାତ କରିବା ସମ୍ପୂର୍ଣ୍ଣ ଭୁଲ୍‌ ଅଟେ ।— ଅଧିକ ବିବରଣୀ-୨୮ ଦେଖନ୍ତୁ ।

୬, ୭. ଆମେ କିପରି ଦେଖାଇପାରିବା ଯେ ନିଜର ଓ ଅନ୍ୟମାନଙ୍କ ଜୀବନକୁ ଆମେ ବହୁମୂଲ୍ୟ ମନେ କରୁ ?

ଆମେ ଯିହୋବାଙ୍କୁ କିପରି ଦେଖାଇପାରିବା ଯେ ଆମେ ନିଜର ଓ ଅନ୍ୟମାନଙ୍କ ଜୀବନକୁ ବହୁମୂଲ୍ୟ ମନେ କରୁ ? ଆମେ ଏପରି କିଛି କରିବା ନାହିଁ, ଯାହାଦ୍ୱାରା ଆମ ନିଜର କିମ୍ବା ଅନ୍ୟମାନଙ୍କ ଜୀବନ ବିପଦରେ ପଡ଼ିବ । ତେଣୁ ଆମେ ତମାଖୁ, ଗୁଆ କିମ୍ବା ନିଶାଦ୍ରବ୍ୟ ସେବନଠାରୁ ଦୂରେଇ ରହିବା, କାରଣ ସେଗୁଡ଼ିକ ଆମ ଶରୀରକୁ କ୍ଷତି ପହଞ୍ଚାଇବା ସହିତ ଆମକୁ ମୃତ୍ୟୁ ଆଡ଼କୁ ନେଇଯାଏ ।

ଯିହୋବା ଆମକୁ ଜୀବନ ଓ ଶରୀର ଦେଇଛନ୍ତି, ତେଣୁ ଆମେ ଏହାର ବ୍ୟବହାର ଏପରି ଭାବେ କରିବା ଉଚିତ୍‌, ଯେପରି ସେ ଚାହାନ୍ତି । ଆମେ ନିଜ ଶରୀରର ଭଲ ଭାବେ ଯତ୍ନ ନେବା ଉଚିତ୍‌ । ଯଦି ଆମେ ଏପରି ନ କରିବା, ତେବେ ଈଶ୍ୱରଙ୍କ ଦୃଷ୍ଟିରେ ଅଶୁଦ୍ଧ ହୋଇଯିବା । (ରୋମୀୟ ୬:୧୯; ୧୨:୧; ୨ କରିନ୍ଥୀୟ ୭:୧) ତାʼ ଛଡ଼ା, ଆମେ ଆମ ଜୀବନଦାତା ଯିହୋବାଙ୍କ ଉପାସନା କରିପାରିବା ନାହିଁ । ଏହା ସତ ଯେ ବଦଭ୍ୟାସଗୁଡ଼ିକୁ ଛାଡ଼ିବା ସହଜ ନୁହେଁ । କିନ୍ତୁ ଯଦି ଆମେ ଜୀବନକୁ ବହୁମୂଲ୍ୟ ମନେ କରୁ ଏବଂ ସେହି ଅଭ୍ୟାସଗୁଡ଼ିକୁ ଛାଡ଼ିବା ପାଇଁ ସଂଘର୍ଷ କରୁ, ତେବେ ଯିହୋବା ଆମକୁ ନିଶ୍ଚୟ ସାହାଯ୍ୟ କରିବେ ।

୮. ଆମେ ଏପରି କʼଣ କରିପାରିବା, ଯାହାଫଳରେ ଆମ ନିଜର କିମ୍ବା ଅନ୍ୟମାନଙ୍କର ଜୀବନ ବିପଦରେ ପଡ଼ିବ ନାହିଁ ?

ଆମେ ଶିଖିଛୁ ଯେ ଜୀବନ ଏକ ବହୁମୂଲ୍ୟ ଉପହାର ଅଟେ । ଯିହୋବାଙ୍କର ଆମ ଉପରେ ଭରସା ଅଛି ଯେ ଆମେ ନିଜର ଓ ଅନ୍ୟମାନଙ୍କ ଜୀବନକୁ ବିପଦରେ ନ ପକାଇବା ପାଇଁ ସବୁବେଳେ ଚେଷ୍ଟା କରିବା । ଯେପରି— କାର, ମୋଟର୍‌ସାଇକେଲ୍‌ କିମ୍ବା ଅନ୍ୟ ଯାନବାହନ ଚଳାଇବା ସମୟରେ ଆମେ ସାବଧାନତା ଅବଲମ୍ବନ କରିବା । ଆମେ ବିପଦଜ୍ଜନକ କିମ୍ବା ହିଂସାତ୍ମକ ଖେଳଗୁଡ଼ିକରେ ଭାଗ ନେବା ନାହିଁ । (ଗୀତସଂହିତା ୧୧:୫) ଆମେ ନିଜ ଘରକୁ ଠିକ୍‌ ଅବସ୍ଥାରେ ରଖିବା, ଯାହାଫଳରେ କାହାରିକୁ କୌଣସି ବିପଦ ଆସିବ ନାହିଁ ଏବଂ କାହାରିକୁ ଆଘାତ ହେବ ନାହିଁ । ଯିହୋବା ଇସ୍ରାଏଲୀୟମାନଙ୍କୁ ଆଜ୍ଞା ଦେଇଥିଲେ: ‘ତୁମ୍ଭେ ନୂତନ ଗୃହ ନିର୍ମାଣ କଲେ, ତହିଁର ଛାତରେ ଛେଦାବାଡ଼ ପ୍ରସ୍ତୁତ କରିବ, ଯେପରି ତହିଁ ଉପରୁ କୌଣସି ମନୁଷ୍ୟ ପଡ଼ିଗଲେ, ତୁମ୍ଭେ ଆପଣା ଗୃହ ଉପରେ ରକ୍ତପାତର ଅପରାଧ ଆଣିବ ନାହିଁ ।’— ଦ୍ୱିତୀୟ ବିବରଣ ୨୨:୮.

୯. ଆମେ ଜୀବଜନ୍ତୁମାନଙ୍କ ପ୍ରତି କିପରି ବ୍ୟବହାର କରିବା ଉଚିତ୍‌ ?

ଆମେ ଜୀବଜନ୍ତୁମାନଙ୍କ ପ୍ରତି କିପରି ବ୍ୟବହାର କରୁ, ତାହା ମଧ୍ୟ ଯିହୋବାଙ୍କ ପାଇଁ ମହତ୍ତ୍ୱ ରଖେ । ସେ ଆମକୁ ଅନୁମତି ଦେଇଛନ୍ତି ଯେ ଆମେ କେତେକ କାମରେ ଜୀବଜନ୍ତୁଙ୍କୁ ବ୍ୟବହାର କରିପାରିବା । ଯଦି ଜୀବଜନ୍ତୁମାନଙ୍କ ମଧ୍ୟରୁ କୌଣସି ପ୍ରାଣୀ ଆମକୁ ଆକ୍ରମଣ କରେ ଏବଂ ଆମ ଜୀବନ ବିପଦରେ ପଡ଼ିଯାଏ, ତେବେ ଆମେ ତାକୁ ହତ୍ୟା କରିପାରିବା । (ଆଦି ପୁସ୍ତକ ୩:୨୧; ୯:୩; ଯାତ୍ରା ପୁସ୍ତକ ୨୧:୨୮) କିନ୍ତୁ ଆମେ କେବଳ ମନୋରଞ୍ଜନ ପାଇଁ ଜୀବଜନ୍ତୁଙ୍କୁ ଶିକାର କରିପାରିବା ନାହିଁ, କିମ୍ବା ସେମାନଙ୍କ ପ୍ରତି ନିଷ୍ଠୁର ବ୍ୟବହାର କରିପାରିବା ନାହିଁ ।— ହିତୋପଦେଶ ୧୨:୧୦.

ଜୀବନକୁ ପବିତ୍ର ମନେ କରନ୍ତୁ

୧୦. ଆମେ କିପରି ଜାଣୁ ଯେ ରକ୍ତ ଜୀବନର ପ୍ରତୀକ ଅଟେ ?

୧୦ ଯିହୋବାଙ୍କ ଦୃଷ୍ଟିରେ ରକ୍ତ ପବିତ୍ର ଅଟେ, କାରଣ ଏହା ଜୀବନର ପ୍ରତୀକ ଅଟେ । କୟିନ ହେବଲଙ୍କୁ ହତ୍ୟା କରିବା ପରେ ଯିହୋବା କୟିନକୁ କହିଲେ, “ତୁମ୍ଭ ଭାଇର ରକ୍ତ ଭୂମିରୁ ଆମ୍ଭ ପ୍ରତି ଡାକ ପକାଉଅଛି ।” (ଆଦି ପୁସ୍ତକ ୪:୧୦) ଏହି ପଦରେ ହେବଲଙ୍କ ରକ୍ତର ଅର୍ଥ ତାଙ୍କ ଜୀବନ ଅଟେ । କୟିନ ହେବଲଙ୍କ ଜୀବନ ନେଇଥିବାରୁ ଯିହୋବା ତାକୁ ଦଣ୍ଡ ଦେଲେ । ନୋହଙ୍କ ସମୟରେ ଆସିଥିବା ଜଳପ୍ଳାବନ ପରେ, ଯିହୋବା ପୁଣିଥରେ ଦେଖାଇଲେ ଯେ ରକ୍ତ ଜୀବନର ପ୍ରତୀକ ଅଟେ । ସେ ନୋହ ଓ ତାଙ୍କ ପରିବାରକୁ ଆଜ୍ଞା ଦେଲେ, ‘ତୁମ୍ଭେମାନେ ସପ୍ରାଣ [ଅର୍ଥାତ୍‌ ରକ୍ତ ସହିତ] ମାଂସ ଖାଇବ ନାହିଁ ।’— ଆଦି ପୁସ୍ତକ ୧:୨୯; ୯:୩, ୪.

୧୧. ଈଶ୍ୱର ଇସ୍ରାଏଲୀୟମାନଙ୍କୁ ରକ୍ତ ବିଷୟରେ କʼଣ ଆଜ୍ଞା ଦେଇଥିଲେ ?

୧୧ ଏହାର ପ୍ରାୟ ୮୦୦ ବର୍ଷ ପରେ, ଯିହୋବା ଇସ୍ରାଏଲୀୟମାନଙ୍କୁ ମଧ୍ୟ ରକ୍ତ ଖାଇବା ପାଇଁ ମନା କଲେ । ସେ ପୁଣିଥରେ ଆଦେଶ ଦେଲେ: ‘କୌଣସି ଇସ୍ରାଏଲୀୟ ହେଉ କିମ୍ବା ସେମାନଙ୍କ ମଧ୍ୟରେ ରହୁଥିବା କୌଣସି ବିଦେଶୀ ଲୋକ ହେଉ, ଯଦି ଶିକାର କରି କୌଣସି ପଶୁ ବା ପକ୍ଷୀକୁ ଖାଇବା ପାଇଁ ବଧ କରେ, ତେବେ ସେ ତାହାର ରକ୍ତ ଭୂମିରେ ଢାଳି ଧୂଳିରେ ଢାଙ୍କିବ ।’ ସେ ପୁଣି କହିଲେ: ‘ତୁମ୍ଭେମାନେ ରକ୍ତ ଖାଇବ ନାହିଁ ।’ (ଲେବୀ ପୁସ୍ତକ ୧୭:୧୩, ୧୪, ଇଜି-ଟୁ-ରିଡ୍‌ ଭର୍ସନ) ଯିହୋବା ଚାହୁଁଥିଲେ ଯେ ତାହାଙ୍କ ଲୋକମାନେ ରକ୍ତକୁ ପବିତ୍ର ମନେ କରନ୍ତୁ । ସେମାନେ ଜୀବଜନ୍ତୁଙ୍କର ମାଂସ ଖାଇପାରୁଥିଲେ, କିନ୍ତୁ ସେଗୁଡ଼ିକର ରକ୍ତ ନୁହଁ । ତେଣୁ ଯେତେବେଳେ ସେମାନେ ଖାଇବା ପାଇଁ କୌଣସି ପଶୁକୁ ମାରୁଥିଲେ, ତାʼର ରକ୍ତକୁ ଭୂଇଁରେ ଢାଳି ଦେଉଥିଲେ ।

୧୨. ରକ୍ତ ବିଷୟରେ ଖ୍ରୀଷ୍ଟିୟାନମାନଙ୍କ ଦୃଷ୍ଟିକୋଣ କʼଣ ଥିଲା ?

୧୨ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁର କିଛି ବର୍ଷ ପରେ, ଯିରୂଶାଲମରେ ତାହାଙ୍କ ୧୨ ଜଣ ଶିଷ୍ୟ ଏବଂ ଖ୍ରୀଷ୍ଟିୟାନ ମଣ୍ଡଳୀର ପ୍ରାଚୀନମାନେ ଏକ ସଭାରେ ଏକତ୍ରୀତ ହେଲେ । ସେମାନଙ୍କୁ ନିଷ୍ପତ୍ତି ନେବାର ଥିଲା ଯେ ଇସ୍ରାଏଲୀୟମାନଙ୍କୁ ଦିଆଯାଇଥିବା ନିୟମାବଳୀର କେଉଁ କେଉଁ ନିୟମ ସେସମୟରେ ଖ୍ରୀଷ୍ଟିୟାନମାନଙ୍କ ପାଇଁ ଲାଗୁ ହେଉଥିଲା । (ପ୍ରେରିତ ୧୫:୨୮, ୨୯ ପଢ଼ନ୍ତୁ; ପ୍ରେରିତ ୨୧:୨୫) ଯିହୋବା ସେମାନଙ୍କୁ ଏହା ବୁଝିବାରେ ସାହାଯ୍ୟ କଲେ ଯେ ରକ୍ତ ଏବେ ମଧ୍ୟ ତାହାଙ୍କ ଦୃଷ୍ଟିରେ ପବିତ୍ର ଥିଲା ଏବଂ ସେମାନଙ୍କୁ ମଧ୍ୟ ରକ୍ତକୁ ପବିତ୍ର ମନେ କରିବା ଆବଶ୍ୟକ ଥିଲା । ସେସମୟର ଖ୍ରୀଷ୍ଟିୟାନମାନେ ନା ରକ୍ତ ଖାଇପାରୁଥିଲେ ନା ପିଇପାରୁଥିଲେ । ସେମାନେ ଏପରି ଜୀବଜନ୍ତୁର ମାଂସ ମଧ୍ୟ ଖାଇପାରୁ ନ ଥିଲେ, ଯାହାର ରକ୍ତ ଭଲ ଭାବେ ବୋହି ନ ଥିବ । ଏହି ନିୟମକୁ ଭାଙ୍ଗିବା ମୂର୍ତ୍ତିପୂଜା କରିବା କିମ୍ବା ଅନୈତିକ ଯୌନ ସମ୍ପର୍କ ରଖିବା ସଙ୍ଗେ ସମାନ ଥିଲା । ତେଣୁ ପ୍ରଥମ ଶତାବ୍ଦୀର ପ୍ରକୃତ ଖ୍ରୀଷ୍ଟିୟାନମାନେ ରକ୍ତ ଖାଉ ନ ଥିଲେ କି ପିଉ ନ ଥିଲେ । ଆଜି ଏବିଷୟରେ କʼଣ ? ଯିହୋବା ଆଜି ମଧ୍ୟ ଚାହାନ୍ତି ଯେ ଆମେ ରକ୍ତକୁ ପବିତ୍ର ମନେ କରିବା ଉଚିତ୍‌ ।

୧୩. ଖ୍ରୀଷ୍ଟିୟାନମାନେ ରକ୍ତ ସଂଚାରଣଠାରୁ କାହିଁକି ଦୂରେଇ ରହନ୍ତି ?

୧୩ ତେବେ ଏହାର ଅର୍ଥ କʼଣ ଏଇୟା ଯେ ଖ୍ରୀଷ୍ଟିୟାନମାନେ ରକ୍ତ ସଂଚାରଣଠାରୁ ଦୂରେଇ ରହିବା ଉଚିତ୍‌ ? ଏହାର ଉତ୍ତର, ହଁ ! ଯିହୋବା ଆମକୁ ଆଜ୍ଞା ଦେଇଛନ୍ତି ଯେ ଆମେ ରକ୍ତ ଖାଇବା କିମ୍ବା ପିଇବା ଉଚିତ୍‌ ନୁହଁ । କଳ୍ପନା କରନ୍ତୁ ଯେ କୌଣସି ବ୍ୟକ୍ତିକୁ ମଦ ପିଇବା ପାଇଁ ଡାକ୍ତର ମନା କରିଛନ୍ତି । କିନ୍ତୁ ଯଦି ସେ ବ୍ୟକ୍ତି ଇଞ୍ଜେକ୍‌ସନ୍‌ ସାହାଯ୍ୟରେ ନିଜ ଶରୀରରେ ମଦ ନିଏ, ତେବେ ଏହା କʼଣ ଠିକ୍‌ ହେବ ? କଦାପି ନୁହଁ ! ଠିକ୍‌ ସେହିପରି, ଈଶ୍ୱର ଆଜ୍ଞା ଦେଇଛନ୍ତି ଯେ ଆମେ ରକ୍ତ ଖାଇବା କିମ୍ବା ପିଇବା ଉଚିତ୍‌ ନୁହଁ । ଏହାର ଅର୍ଥ, ଆମେ ରକ୍ତ ସଂଚାରଣକୁ ମଧ୍ୟ ସ୍ୱୀକାର କରିବା ନାହିଁ ।— ଅଧିକ ବିବରଣୀ-୨୯ ଦେଖନ୍ତୁ ।

୧୪, ୧୫. ଖ୍ରୀଷ୍ଟିୟାନମାନେ ଜୀବନ ପ୍ରତି କିପରି ଦୃଷ୍ଟିକୋଣ ରଖନ୍ତି ? ସେମାନେ କିଛି ଦିନ ବଞ୍ଚିବା ପାଇଁ କʼଣ ଯିହୋବାଙ୍କ ଆଜ୍ଞା ଉଲ୍ଲଙ୍ଘନ କରିବେ ? ବୁଝାନ୍ତୁ ।

୧୪ କିନ୍ତୁ ଯେତେବେଳେ ଜଣେ ଡାକ୍ତର କହନ୍ତି ଯେ ଯଦି ଆପଣ ରକ୍ତ ସଂଚାରଣକୁ ଅସ୍ୱୀକାର କରନ୍ତି, ତେବେ ଆପଣଙ୍କ ଜୀବନ ଚାଲି ଯାଇପାରେ । ଏଭଳି ପରିସ୍ଥିତିରେ ଆପଣ କʼଣ କରିବେ ? ପ୍ରତ୍ୟେକ ମଣିଷକୁ ନିର୍ଣ୍ଣୟ କରିବାକୁ ହେବ ଯେ ରକ୍ତ ବିଷୟରେ ଈଶ୍ୱରଙ୍କ ଆଜ୍ଞାକୁ ସେ ପାଳନ କରିବ କି ନାହିଁ । ଆମେ ଖ୍ରୀଷ୍ଟିୟାନମାନେ ଜୀବନକୁ ଈଶ୍ୱରଙ୍କଠାରୁ ମିଳିଥିବା ଏକ ବହୁମୂଲ୍ୟ ଉପହାର ମନେ କରୁ । ତେଣୁ ଆମେ ନିଜ ଜୀବନ ରକ୍ଷା କରିବା ପାଇଁ ଚିକିତ୍ସାର ଅନ୍ୟ ପଦ୍ଧତିଗୁଡ଼ିକ ଆପଣାଇବା ଏବଂ ଯେକୌଣସି ପରିସ୍ଥିତିରେ ମଧ୍ୟ ଆମେ ରକ୍ତ ସଂଚାରଣକୁ ସ୍ୱୀକାର କରିବା ନାହିଁ ।

୧୫ ଆମେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରିଥାଉ । କିନ୍ତୁ ରକ୍ତ ଜୀବନର ପ୍ରତୀକ ହୋଇଥିବାରୁ ଏବଂ ଏହା ଈଶ୍ୱରଙ୍କ ଦୃଷ୍ଟିରେ ବହୁମୂଲ୍ୟ ହୋଇଥିବାରୁ ଆମେ ଯେକୌଣସି ପରିସ୍ଥିତିରେ ମଧ୍ୟ ନିଜ ଶରୀରରେ ରକ୍ତ ନେଇ ନ ଥାଉ । ଯିହୋବାଙ୍କ ଆଜ୍ଞା ଉଲ୍ଲଙ୍ଘନ କରି କିଛି ଦିନ ବଞ୍ଚିବା ଅପେକ୍ଷା ଯିହୋବାଙ୍କ ଆଜ୍ଞା ପାଳନ କରିବା ଆମ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ । ଯୀଶୁ ଖ୍ରୀଷ୍ଟ କହିଥିଲେ: “ଯେକେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋʼ ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ପ୍ରାପ୍ତ ହେବ ।” (ମାଥିଉ ୧୬:୨୫) ଆମେ ଯିହୋବାଙ୍କ ଆଜ୍ଞା ଏଥିପାଇଁ ପାଳନ କରିଥାଉ, କାରଣ ଆମେ ତାହାଙ୍କୁ ପ୍ରେମ କରୁ । ସେ ଭଲ ଭାବେ ଜାଣନ୍ତି ଯେ ଆମ ପାଇଁ କʼଣ ଉତ୍ତମ ଅଟେ ଏବଂ ଆମେ ମଧ୍ୟ ଯିହୋବାଙ୍କ ଭଳି ଜୀବନକୁ ବହୁମୂଲ୍ୟ ଓ ପବିତ୍ର ମନେ କରୁ ।— ଏବ୍ରୀ ୧୧:୬.

୧୬. ଈଶ୍ୱରଙ୍କ ସେବକମାନେ କାହିଁକି ତାହାଙ୍କ ଆଜ୍ଞା ପାଳନ କରନ୍ତି ?

୧୬ ଈଶ୍ୱରଙ୍କ ବିଶ୍ୱସ୍ତ ସେବକମାନେ ଦୃଢ଼ ନିଷ୍ପତ୍ତି ନେଇଛନ୍ତି ଯେ ସେମାନେ ରକ୍ତ ବିଷୟରେ ଈଶ୍ୱରଙ୍କ ଆଜ୍ଞା ପାଳନ କରିବେ । ସେମାନେ ରକ୍ତ ଖାଇବେ ନାହିଁ କି ପିଇବେ ନାହିଁ ଏବଂ ଚିକିତ୍ସା କ୍ଷେତ୍ରରେ ମଧ୍ୟ ନିଜ ଶରୀରରେ ରକ୍ତ ନେବେ ନାହିଁ । a ନିଜ ଜୀବନକୁ ବଞ୍ଚାଇବା ପାଇଁ ସେମାନେ ଚିକିତ୍ସାର ଅନ୍ୟ ପଦ୍ଧତିଗୁଡ଼ିକୁ ଆପଣାଇବେ । ସେମାନେ ଦୃଢ଼ ବିଶ୍ୱାସ କରନ୍ତି ଯେ ସେମାନଙ୍କ ପାଇଁ କʼଣ ଭଲ ଓ କʼଣ ମନ୍ଦ, ତାହା ରକ୍ତ ଓ ଜୀବନର ସୃଷ୍ଟିକର୍ତ୍ତା ଯିହୋବା ଭଲ ଭାବେ ଜାଣନ୍ତି । ଆପଣଙ୍କ ପାଇଁ ଯାହା ଉତ୍ତମ ଅଟେ, ତାହା ଯିହୋବା ଜାଣନ୍ତି ବୋଲି କʼଣ ଆପଣ ସମ୍ପୂର୍ଣ୍ଣ ବିଶ୍ୱାସ କରନ୍ତି ?

ରକ୍ତର କେବଳ ଏକମାତ୍ର ସଠିକ୍‌ ବ୍ୟବହାର

୧୭. ଇସ୍ରାଏଲୀୟଙ୍କ ପାଇଁ ରକ୍ତର ଏକମାତ୍ର ସଠିକ୍‌ ବ୍ୟବହାର କʼଣ ଥିଲା, ଯାହା ଯିହୋବା ମଞ୍ଜୁର କରିଥିଲେ ?

୧୭ ଯିହୋବା ମୋଶାଙ୍କୁ ଯେଉଁ ନିୟମ ଦେଇଥିଲେ, ସେଥିରେ ଇସ୍ରାଏଲୀୟମାନଙ୍କୁ ସେ କହିଥିଲେ: “ପ୍ରତ୍ୟେକ ଜୀବିତ ପ୍ରାଣୀର ଜୀବନ ତାʼର ରକ୍ତରେ ଥାଏ; ପୁଣି, ମୁଁ ନିଜେ ଏହି ବ୍ୟବସ୍ଥା କରିଛି ଯେ ରକ୍ତ ବେଦୀ ଉପରେ ଢଳାଯାଉ, ଯାହାଫଳରେ ତୁମ୍ଭ ଜୀବନ ପାଇଁ ପ୍ରାୟଶ୍ଚିତ ହେଉ [କିମ୍ବା ତୁମ୍ଭକୁ କ୍ଷମା ମିଳୁ], କାରଣ ରକ୍ତ ଦ୍ୱାରା ହିଁ ପାପର ପ୍ରାୟଶ୍ଚିତ ମିଳିପାରିବ ।” (ଲେବୀ ପୁସ୍ତକ ୧୭:୧୧, NW) ଯେତେବେଳେ ଇସ୍ରାଏଲୀୟମାନେ ପାପ କରୁଥିଲେ, ସେମାନେ ଯିହୋବାଙ୍କୁ କ୍ଷମା ମାଗି ପାରୁଥିଲେ । ଏହାପାଇଁ ସେମାନଙ୍କୁ ପଶୁବଳି ଦେବାକୁ ପଡ଼ୁଥିଲା ଏବଂ ଯାଜକ ପଶୁର କିଛି ରକ୍ତ ନେଇ ମନ୍ଦିରର ବେଦିରେ ଢାଳୁଥିଲେ । ଏହା ରକ୍ତର ଏକମାତ୍ର ସଠିକ୍‌ ବ୍ୟବହାର ଥିଲା, ଯାହା ଯିହୋବା ମଞ୍ଜୁର କରିଥିଲେ ।

୧୮. ଯୀଶୁଙ୍କ ବଳିଦାନରୁ ଆମକୁ କʼଣ ସୁଯୋଗ ମିଳିଛି ?

୧୮ ଯେତେବେଳେ ଯୀଶୁ ଖ୍ରୀଷ୍ଟ ପୃଥିବୀକୁ ଆସିଲେ, ସେ ଆମ ପାପର କ୍ଷମା ପାଇଁ ନିଜ ରକ୍ତ ଅର୍ଥାତ୍‌ ନିଜ ଜୀବନ ଦେଲେ । ତାହାଙ୍କ ଏହି ବଳିଦାନ ଦ୍ୱାରା ସେ ପଶୁମାନଙ୍କ ବଳିଦାନର ନିୟମକୁ ରଦ୍ଦ କରିଦେଲେ । (ମାଥିଉ ୨୦:୨୮; ଏବ୍ରୀ ୧୦:୧) ଯୀଶୁଙ୍କର ଜୀବନ ଅତି ମୂଲ୍ୟବାନ ଥିଲା । ତେଣୁ ଯେତେବେଳେ ଯିହୋବା ଯୀଶୁଙ୍କୁ ପୁନରୁତ୍ଥାନ କଲେ ଏବଂ ଯୀଶୁ ସ୍ୱର୍ଗକୁ ଫେରିଗଲେ, ତାହାଙ୍କ ବଳିଦାନର ଆଧାରରେ ଯିହୋବା ସମଗ୍ର ମାନବଜାତିକୁ ଅନନ୍ତ ଜୀବନ ପାଇବାର ସୁଯୋଗ ଦେଲେ ।— ଯୋହନ ୩:୧୬; ଏବ୍ରୀ ୯:୧୧, ୧୨; ୧ ପିତର ୧:୧୮, ୧୯.

ଆପଣ କିପରି ଦେଖାଇପାରିବେ ଯେ ଜୀବନ ଓ ରକ୍ତକୁ ଆପଣ ବହୁମୂଲ୍ୟ ମନେ କରନ୍ତି ?

୧୯. ଅନ୍ୟମାନଙ୍କ “ରକ୍ତପାତ ଦୋଷର ସମ୍ପୂର୍ଣ୍ଣ ନିର୍ଦ୍ଦୋଷ” ହେବା ପାଇଁ ଆମକୁ କʼଣ କରିବାକୁ ହେବ ?

୧୯ ଆମେ ଯିହୋବାଙ୍କଠାରେ ଚିର କୃତଜ୍ଞ ଅଟୁ, କାରଣ ସେ ଆମକୁ ଜୀବନ ରୂପକ ବହୁମୂଲ୍ୟ ଉପହାର ଦେଇଛନ୍ତି ! ଆମେ ଲୋକମାନଙ୍କୁ ଜଣାଇବାକୁ ଚାହୁଁ ଯେ ଯଦି ସେମାନେ ଯୀଶୁଙ୍କ ଉପରେ ବିଶ୍ୱାସ କରନ୍ତି, ତେବେ ସେମାନେ ଅନନ୍ତ ଜୀବନ ପାଇପାରିବେ । ଆମେ ଲୋକମାନଙ୍କୁ ପ୍ରେମ କରୁ । ତେଣୁ ଆମେ ସେମାନଙ୍କୁ ଏହା ଶିଖାଇବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରିବା ଯେ ସେମାନେ କିପରି ପ୍ରକୃତ ଜୀବନ ପାଇପାରିବେ । (ଯିହିଜିକଲ ୩:୧୭-୨୧) ତେବେ ଯାଇ ଆମେ ମଧ୍ୟ ପାଉଲଙ୍କ ପରି କହିପାରିବା, “ମୁଁ ତୁମ୍ଭମାନଙ୍କର ରକ୍ତପାତ ଦୋଷର ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଅଟେ । କାରଣ ମୁଁ ତୁମ୍ଭମାନଙ୍କ ଆଗରେ ପରମେଶ୍ୱରଙ୍କର ସମସ୍ତ ଇଚ୍ଛା ବିନା ସଙ୍କୋଚରେ ଜଣାଇ ସାରିଛି ।” (ପ୍ରେରିତ ୨୦:୨୬, ୨୭, ଇଜି-ଟୁ-ରିଡ୍‌ ଭର୍ସନ) ହଁ, ଯେତେବେଳେ ଆମେ ଅନ୍ୟମାନଙ୍କୁ ଯିହୋବାଙ୍କ ବିଷୟରେ ଏବଂ ତାହାଙ୍କ ପାଇଁ ଜୀବନ କେତେ ବହୁମୂଲ୍ୟ ଅଟେ ତାʼ ବିଷୟରେ କହୁ, ଆମେ ଦେଖାଉ ଯେ ଆମେ ଜୀବନ ଓ ରକ୍ତକୁ ପବିତ୍ର ମନେ କରିଥାଉ ।

a ରକ୍ତ ସଂଚାରଣ ବିଷୟରେ ଅଧିକ ଜାଣିବା ପାଇଁ “ଈଶ୍ୱରଙ୍କ ପ୍ରେମରେ ନିଜକୁ ସ୍ଥିର କରି ରଖ” (ହିନ୍ଦୀ) ନାମକ ବହିର ୮୭-୮୯ ପୃଷ୍ଠା ଦେଖନ୍ତୁ । ଏହାକୁ ଯିହୋବାଙ୍କ ସାକ୍ଷୀମାନେ ପ୍ରକାଶିତ କରିଛନ୍ତି ।