इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଷୋହଳ ଅଧ୍ୟାୟ

ଈଶ୍ୱରଙ୍କ ଉପାସନା ସଠିକ୍‌ ପଦ୍ଧତିରେ କରନ୍ତୁ

ଈଶ୍ୱରଙ୍କ ଉପାସନା ସଠିକ୍‌ ପଦ୍ଧତିରେ କରନ୍ତୁ

୧, ୨. ଆପଣ ନିଜକୁ କେଉଁ ପ୍ରଶ୍ନ ପଚାରିବା ଉଚିତ୍‌ ଏବଂ କାହିଁକି ?

 ଆପଣ ବାଇବଲ ଅଧ୍ୟୟନ କରିବା ଦ୍ୱାରା ଶିଖିଛନ୍ତି ଯେ ଅନେକ ଲୋକ ଈଶ୍ୱରଙ୍କ ଉପାସନା କରୁଥିବାର ଦାବି କରନ୍ତି, କିନ୍ତୁ ସେମାନେ ଏପରି ଶିକ୍ଷା ଦିଅନ୍ତି କିମ୍ବା ଏପରି କାମ କରନ୍ତି, ଯେଉଁଗୁଡ଼ିକୁ ଈଶ୍ୱର ଘୃଣା କରିଥାʼନ୍ତି । (୨ କରିନ୍ଥୀୟ ୬:୧୭) ତେଣୁ ଯିହୋବା ଆମକୁ “ମହାନଗରୀ ବାବିଲ” ଅର୍ଥାତ୍‌ ମିଥ୍ୟା ଧର୍ମରୁ ବାହାରି ଆସିବା ପାଇଁ ଆଜ୍ଞା ଦିଅନ୍ତି । (ପ୍ରକାଶିତ ବାକ୍ୟ ୧୮:୨,) କʼଣ ଆପଣ ଏହି ଆଜ୍ଞା ପାଳନ କରିବେ ? ଆମ ମଧ୍ୟରୁ ପ୍ରତ୍ୟେକଙ୍କୁ ଏହାର ନିଷ୍ପତ୍ତି ନେବାକୁ ହେବ । ଆମେ ନିଜକୁ ପଚାରିବା ଉଚିତ୍‌, ‘ମୁଁ ଈଶ୍ୱରଙ୍କ ଉପାସନା କʼଣ ଠିକ୍‌ ସେହିପରି କରିବାକୁ ଚାହୁଁଛି ଯେପରି ସେ ଚାହାନ୍ତି, ନା ଆଜି ପର୍ଯ୍ୟନ୍ତ ଯେଭଳି ଭାବରେ ମୁଁ ଉପାସନା କରିଆସୁଛି ସେହିଭଳି ହିଁ କରିବାକୁ ଚାହୁଁଛି ?’

ଯଦି ଆପଣ ମିଥ୍ୟା ଧର୍ମରୁ ବାହାରି ଆସିଛନ୍ତି, କିମ୍ବା ଗିର୍ଜାରୁ ଇସ୍ତଫା ଦେଇଛନ୍ତି, ତେବେ ଏହା ଅତି ଉତ୍ତମ ଅଟେ । କିନ୍ତୁ ମିଥ୍ୟା ଧର୍ମ ସହ ଜଡ଼ିତ କିଛି ପ୍ରଥା କିମ୍ବା ରୀତିନୀତି ହୁଏତ ଏବେ ମଧ୍ୟ ଆପଣଙ୍କୁ ଭଲ ଲାଗେ । ଆସନ୍ତୁ ସେମଧ୍ୟରୁ କେତୋଟି ବିଷୟରେ ଆଲୋଚନା କରିବା ଏବଂ ଦେଖିବା ଯେ ସେଗୁଡ଼ିକ ପ୍ରତି ଆମେ ଈଶ୍ୱରଙ୍କ ଭଳି ଦୃଷ୍ଟିକୋଣ ରଖିବା କାହିଁକି ଜରୁରୀ ଅଟେ ।

ମୂର୍ତ୍ତିପୂଜା ଏବଂ ପୂର୍ବପୁରୁଷମାନଙ୍କର ପୂଜା

୩. (କ) କିଛି ଲୋକଙ୍କୁ ମୂର୍ତ୍ତିଗୁଡ଼ିକ ବିନା ଉପାସନା କରିବା କାହିଁକି ଅଡ଼ୁଆ ଲାଗିପାରେ ? (ଖ) ଉପାସନାରେ ମୂର୍ତ୍ତିଗୁଡ଼ିକର ବ୍ୟବହାର ବିଷୟରେ ବାଇବଲ କʼଣ କହେ ?

ଯୁଗ ଯୁଗ ଧରି ଲୋକେ ଈଶ୍ୱରଙ୍କ ଉପାସନା କରିବା ପାଇଁ ମୂର୍ତ୍ତି ଓ ପୂଜାଘରଗୁଡ଼ିକର ବ୍ୟବହାର କରିଆସୁଛନ୍ତି । ଯଦି ଆପଣ ମଧ୍ୟ ଏପରି କରୁଛନ୍ତି, ତେବେ ହୁଏତ ଆପଣଙ୍କୁ ସେଗୁଡ଼ିକ ବିନା ଈଶ୍ୱରଙ୍କ ଉପାସନା କରିବା ଅଡ଼ୁଆ ଲାଗିପାରେ, କିମ୍ବା ଆପଣ ଏଭଳି ଉପାସନାକୁ ଭୁଲ୍‌ ମନେ କରିପାରନ୍ତି । କିନ୍ତୁ ମନେ ରଖନ୍ତୁ, ଯିହୋବା ଆମକୁ ଶିଖାନ୍ତି ଯେ ତାହାଙ୍କ ଉପାସନା କିପରି କରାଯିବା ଉଚିତ୍‌ । ସେ ଚାହାନ୍ତି ନାହିଁ ଯେ ଆମେ ଉପାସନାରେ କୌଣସି ପ୍ରକାରର ମୂର୍ତ୍ତି ବ୍ୟବହାର କରୁ । ଏବିଷୟରେ ସେ ବାଇବଲରେ ଆମକୁ ସ୍ପଷ୍ଟ ଭାବେ କହିଛନ୍ତି ।— ଯାତ୍ରା ପୁସ୍ତକ ୨୦:୪, ୫ ପଢ଼ନ୍ତୁ; ଗୀତସଂହିତା ୧୧୫:୪-୮; ଯିଶାଇୟ ୪୨:୮; ୧ ଯୋହନ ୫:୨୧.

୪. (କ) ଆମେ କାହିଁକି ପୂର୍ବପୁରୁଷମାନଙ୍କ ପୂଜା କରିବା ଅନୁଚିତ୍‌ ? (ଖ) ଯିହୋବା ନିଜ ଲୋକମାନଙ୍କୁ ମରିଯାଇଥିବା ଲୋକଙ୍କ ସହିତ ସମ୍ପର୍କ ନ କରିବାକୁ କାହିଁକି ଆଜ୍ଞା ଦେଇଥିଲେ ?

କେତେକ ଏପରି ମଧ୍ୟ ଥାʼନ୍ତି, ଯେଉଁମାନେ ନିଜ ମରିଯାଇଥିବା ପୂର୍ବପୁରୁଷମାନଙ୍କୁ ଖୁସି କରିବା ପାଇଁ ବହୁତ ସମୟ ଓ ଶକ୍ତି ଲଗାଇ ଦିଅନ୍ତି । ଏପରିକି ସେମାନେ ହୁଏତ ସେମାନଙ୍କୁ ପୂଜା ମଧ୍ୟ କରିଥାʼନ୍ତି । କିନ୍ତୁ ଆମେ ଶିଖିଛୁ ଯେ ଯେଉଁମାନେ ମରିଯାଇଛନ୍ତି, ସେମାନେ ଆମକୁ କୌଣସି ସାହାଯ୍ୟ କିମ୍ବା ଆମର କୌଣସି କ୍ଷତି କରିପାରିବେ ନାହିଁ ଏବଂ ସେମାନେ ଅନ୍ୟ କୌଣସି ଜାଗାରେ ଜୀବିତ ନାହାନ୍ତି । ତାʼ ଛଡ଼ା, ସେମାନଙ୍କ ସହିତ କଥା ହେବାକୁ ଚେଷ୍ଟା କରିବା ମଧ୍ୟ ବିପଦଜ୍ଜନକ ଅଟେ । କାରଣ ଯେଉଁମାନେ ମରିଯାଇଥିବା ଲୋକମାନଙ୍କ ସ୍ୱରରେ କଥା ହୁଅନ୍ତି, ସେମାନେ ପ୍ରକୃତରେ ଦୁଷ୍ଟ ସ୍ୱର୍ଗଦୂତ ଅଟନ୍ତି । ସେଥିପାଇଁ ଯିହୋବା ନିଜ ଲୋକମାନଙ୍କୁ ଅର୍ଥାତ୍‌ ଇସ୍ରାଏଲୀୟମାନଙ୍କୁ ମରିଯାଇଥିବା ଲୋକଙ୍କ ସହିତ ସମ୍ପର୍କ କରିବାକୁ ଚେଷ୍ଟା ନ କରିବା ଏବଂ ଭୂତବିଦ୍ୟା କିମ୍ବା ଯାଦୁବିଦ୍ୟା ସହ ଜଡ଼ିତ କୌଣସି କାମରେ ସାମିଲ୍‌ ନ ହେବା ପାଇଁ ଆଜ୍ଞା ଦେଇଥିଲେ ।— ଦ୍ୱିତୀୟ ବିବରଣ ୧୮:୧୦-୧୨; ଅଧିକ ବିବରଣୀ-୨୬ ଏବଂ ୩୧ ଦେଖନ୍ତୁ ।

୫. ମୂର୍ତ୍ତିପୂଜା କିମ୍ବା ପୂର୍ବପୁରୁଷମାନଙ୍କ ପୂଜା ବନ୍ଦ କରିବା ପାଇଁ ଆପଣଙ୍କୁ କʼଣ ସାହାଯ୍ୟ କରିପାରିବ ?

ମୂର୍ତ୍ତିପୂଜା କିମ୍ବା ପୂର୍ବପୁରୁଷମାନଙ୍କ ପୂଜା ବନ୍ଦ କରିବା ପାଇଁ ଆପଣଙ୍କୁ କʼଣ ସାହାଯ୍ୟ କରିପାରିବ ? ଆପଣଙ୍କୁ ବାଇବଲ ପଢ଼ିବାକୁ ହେବ ଏବଂ ଏଗୁଡ଼ିକ ବିଷୟରେ ଯିହୋବାଙ୍କ ଦୃଷ୍ଟିକୋଣ କʼଣ ଅଟେ, ତାʼ ଉପରେ ଗମ୍ଭୀର ଭାବେ ଚିନ୍ତା କରିବାକୁ ହେବ । ଯିହୋବାଙ୍କ ଦୃଷ୍ଟିରେ ଏସବୁ “ଘୃଣିତ” କାମ ଅଟେ । (ଦ୍ୱିତୀୟ ବିବରଣ ୨୭:୧୫) ପ୍ରତିଦିନ ପ୍ରାର୍ଥନାରେ ଯିହୋବାଙ୍କୁ ସାହାଯ୍ୟ ମାଗନ୍ତୁ, ଯାହାଫଳରେ ଆପଣ ଏହି କାମଗୁଡ଼ିକୁ ଯିହୋବାଙ୍କ ଦୃଷ୍ଟିରେ ଦେଖିପାରିବେ ଏବଂ ଆପଣ ତାହାଙ୍କ ଉପାସନା ଏପରି ପଦ୍ଧତିରେ କରିପାରିବେ, ଯେପରି ସେ ଚାହାନ୍ତି । (ଯିଶାଇୟ ୫୫:୯) ଆପଣ ନିଶ୍ଚିତ ହୋଇପାରିବେ ଯେ ଯିହୋବା ଆପଣଙ୍କୁ ଏପରି ସାମର୍ଥ୍ୟ ଦେବେ, ଯାହାଦ୍ୱାରା ଆପଣ ମିଥ୍ୟା ଉପାସନା ସହ ଜଡ଼ିତ ପ୍ରତ୍ୟେକ ଜିନିଷକୁ ନିଜ ଜୀବନରୁ ଦୂର କରିପାରିବେ ।

ଆମେ ବଡ଼ଦିନ ପର୍ବ ପାଳନ କରିବା ଉଚିତ୍‌ କି ?

୬. ଯୀଶୁଙ୍କ ଜନ୍ମଦିନ ପାଳନ କରିବା ପାଇଁ ଡିସେମ୍ବର ମାସ ୨୫ ତାରିଖକୁ କାହିଁକି ବଛାଗଲା ?

ସାରା ପୃଥିବୀରେ କ୍ରିସମାସ୍‌ ବା ବଡ଼ଦିନ ଏକ ଲୋକପ୍ରିୟ ପର୍ବ ଅଟେ । ଅଧିକାଂଶ ଲୋକ ଭାବନ୍ତି ଯେ ଏହି ପର୍ବ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନକୁ ସ୍ମରଣ କରିବା ପାଇଁ ପାଳନ କରାଯାଏ । କିନ୍ତୁ ପ୍ରକୃତରେ ବଡ଼ଦିନ ମିଥ୍ୟା ଉପାସନା ସହ ଜଡ଼ିତ ଏକ ପର୍ବ ଅଟେ । ଏକ ଜ୍ଞାନକୋଷ କହେ ଯେ ମିଥ୍ୟା ଦେବାଦେବୀଙ୍କୁ ପୂଜା କରୁଥିବା ରୋମୀୟ ଲୋକମାନେ ଡିସେମ୍ବର ମାସ ୨୫ ତାରିଖରେ ସୂର୍ଯ୍ୟ ଦେବତାଙ୍କ ଜନ୍ମଦିନ ପାଳନ କରୁଥିଲେ । ଯଦିଓ ଯୀଶୁ ଖ୍ରୀଷ୍ଟ ଏହି ଦିନରେ ଜନ୍ମ ହୋଇ ନ ଥିଲେ, ତଥାପି ଗିର୍ଜାଗୁଡ଼ିକର ନେତୃତ୍ୱ ନେଉଥିବା ଲୋକମାନେ ନିଷ୍ପତ୍ତି ନେଲେ ଯେ ଏହି ତାରିଖରେ ଯୀଶୁଙ୍କର ଜନ୍ମଦିନ ପାଳନ କରାଯାଉ । ସେମାନେ ଏଥିପାଇଁ ଏପରି କଲେ, କାରଣ ସେମାନେ ଚାହୁଁଥିଲେ ଯେ ମିଥ୍ୟା ଧର୍ମଗୁଡ଼ିକରୁ ଅଧିକରୁ ଅଧିକ ଲୋକ ଖ୍ରୀଷ୍ଟିୟାନ ହୋଇଯାʼନ୍ତୁ । (ଲୂକ ୨:୮-୧୨) କିନ୍ତୁ ଯୀଶୁଙ୍କ ଶିଷ୍ୟମାନେ କେବେ ମଧ୍ୟ ବଡ଼ଦିନ ପାଳନ କରି ନ ଥିଲେ । ଗୋଟିଏ ବହି କହେ ଯେ ଯୀଶୁଙ୍କ ଜନ୍ମଠାରୁ ୨୦୦ ବର୍ଷ ପର୍ଯ୍ୟନ୍ତ “କେହି ଜାଣି ନ ଥିଲେ ଯେ ତାହାଙ୍କ ଜନ୍ମ ଠିକ୍‌ କେଉଁ ଦିନ ହୋଇଥିଲା ଏବଂ ଏହା ଜାଣିବା ପାଇଁ କାହାରି ଆଗ୍ରହ ନ ଥିଲା ।” (“ଗଭୀର ଜ୍ଞାନବିଶିଷ୍ଟ ତତ୍ତ୍ୱଗୁଡ଼ିକର ପବିତ୍ର ଆରମ୍ଭ,” ଇଂରାଜୀ) ବଡ଼ଦିନ ପାଳନ କରାଯିବାର ପ୍ରଥା ଯୀଶୁଙ୍କ ଜନ୍ମଠାରୁ ପ୍ରାୟ ୩୦୦ ବର୍ଷ ପରେ ଆରମ୍ଭ ହୋଇଥିଲା ।

୭. ଈଶ୍ୱରଙ୍କ ସତ୍ୟ ଉପାସକମାନେ କାହିଁକି ବଡ଼ଦିନ ପାଳନ କରନ୍ତି ନାହିଁ ?

ଅନେକ ଲୋକ ଜାଣନ୍ତି ଯେ ବଡ଼ଦିନ ଓ ତାʼ ସହିତ ଜଡ଼ିତ ପରମ୍ପରାଗୁଡ଼ିକର ଆରମ୍ଭ ମିଥ୍ୟା ଧର୍ମଗୁଡ଼ିକରୁ ହୋଇଛି, ଯେପରି— ବଡ଼ଦିନରେ ଖାଇବାପିଇବା ଏବଂ ଉପହାର ଦେବାନେବା ଇତ୍ୟାଦି । ଏହି କାରଣରୁ ଥରେ ସାରା ଇଂଲଣ୍ଡ ଓ ଆମେରିକାର ଅନେକ ଜାଗାଗୁଡ଼ିକରେ ବଡ଼ଦିନ ପାଳନ କରାଯିବା ଉପରେ କଟକଣା ଜାରି କରାଯାଇଥିଲା । ଯେକେହି ଏହାକୁ ପାଳନ କରୁଥିଲା, ତାକୁ ଦଣ୍ଡ ଦିଆଯାଉଥିଲା । ତଥାପି ଧୀରେ ଧୀରେ ଲୋକେ ପୁଣିଥରେ ବଡ଼ଦିନ ପାଳନ କରିବାକୁ ଲାଗିଲେ । କିନ୍ତୁ ଈଶ୍ୱରଙ୍କ ସତ୍ୟ ଉପାସକମାନେ କାହିଁକି ବଡ଼ଦିନ ପାଳନ କରନ୍ତି ନାହିଁ ? କାରଣ ସେମାନେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଯିହୋବାଙ୍କୁ ଖୁସି କରିବାକୁ ଚାହାନ୍ତି ।

ଆମେ ଜନ୍ମଦିନ ପାଳନ କରିବା ଉଚିତ୍‌ କି ?

୮, ୯. ପ୍ରଥମ ଶତାବ୍ଦୀରେ ଯୀଶୁଙ୍କ ଶିଷ୍ୟମାନେ କାହିଁକି ଜନ୍ମଦିନ ପାଳନ କରୁ ନ ଥିଲେ ?

ଅନେକ ଲୋକ ନିଜର ଜନ୍ମଦିନ ପାଳନ କରିଥାʼନ୍ତି । ଯିହୋବାଙ୍କ ଉପାସକମାନେ ଜନ୍ମଦିନ ପାଳନ କରିବା ଉଚିତ୍‌ କି ? ବାଇବଲରେ ଜନ୍ମଦିନ ପାଳନ କରାଯିବାର କେବଳ ଦୁଇଟି ଘଟଣା ବିଷୟରେ ଜାଣିବାକୁ ମିଳେ, ଯେଉଁଥିରେ ଏପରି ଲୋକମାନଙ୍କର ଜନ୍ମଦିନ ପାଳନ କରାଯାଇଥିଲା, ଯେଉଁମାନେ ଯିହୋବାଙ୍କ ଉପାସକ ନ ଥିଲେ । (ଆଦି ପୁସ୍ତକ ୪୦:୨୦; ମାର୍କ ୬:୨୧) ଜନ୍ମଦିନ ପର୍ବ ମିଥ୍ୟା ଦେବତାମାନଙ୍କୁ ସମ୍ମାନ ଦେବା ନିମନ୍ତେ ପାଳନ କରାଯାଉଥିଲା । ସେଥିପାଇଁ ପ୍ରଥମ ଶତାବ୍ଦୀରେ ଯୀଶୁ ଖ୍ରୀଷ୍ଟଙ୍କ ଶିଷ୍ୟମାନେ “ଜନ୍ମଦିନ ପାଳନ କରିବାକୁ ମିଥ୍ୟା ଧର୍ମଗୁଡ଼ିକରୁ ଆସିଥିବା ଏକ ପ୍ରଥା ବୋଲି ମାନୁଥିଲେ ।”— ଦି ୱାର୍ଲଡ୍‌ ବୁକ୍‌ ଏନ୍‌ସାଇକ୍ଲୋପିଡିଆ ।

ପ୍ରାଚୀନ ସମୟରେ ରୋମୀୟ ଓ ଗ୍ରୀକ୍‌ମାନଙ୍କର ଅନ୍ଧବିଶ୍ୱାସ ଥିଲା ଯେ ପ୍ରତ୍ୟେକ ମଣିଷ ଯେଉଁ ଦିନ ଜନ୍ମ ହୁଏ, ସେହି ଦିନ କୌଣସି ନା କୌଣସି ଏକ ଦେବତାଙ୍କ ମଧ୍ୟ ଜନ୍ମଦିନ ହୋଇଥାଏ । ଆଉ, ସେହି ଦେବତା ସହିତ ଯେଉଁ ଆତ୍ମାର ସମ୍ପର୍କ ଥାଏ, ସେହି ଆତ୍ମା ମଣିଷଟିର ଜନ୍ମ ସମୟରେ ତାʼ ସହିତ ଉପସ୍ଥିତ ଥାଏ । ତେଣୁ ଯଦି ସେହି ମଣିଷ ଚାହେଁ ଯେ ସେହି ଆତ୍ମା ଜୀବନସାରା ତାକୁ ସୁରକ୍ଷା ଦେଉ, ତେବେ ତାକୁ ନିଜ ଜନ୍ମଦିନ ପାଳନ କରିବାକୁ ହେବ ।

୧୦. ଆଜି ଈଶ୍ୱରଙ୍କ ଉପାସକମାନେ କାହିଁକି ଜନ୍ମଦିନ ପାଳନ କରନ୍ତି ନାହିଁ ?

୧୦ କʼଣ ଆପଣଙ୍କୁ ଲାଗେ ଯେ ଯିହୋବା ଏପରି ପର୍ବପର୍ବାଣୀକୁ ମଞ୍ଜୁର କରନ୍ତି, ଯେଉଁଗୁଡ଼ିକର ମିଥ୍ୟା ଧର୍ମ ସହିତ ସମ୍ପର୍କ ଥାଏ ? (ଯିଶାଇୟ ୬୫:୧୧, ୧୨) ଆଦୌ ନୁହଁ । ତେଣୁ ଆମେ ଜନ୍ମଦିନ ଓ ଏପରି ପର୍ବପର୍ବାଣୀ ପାଳନ କରି ନ ଥାଉ, ଯେଉଁଗୁଡ଼ିକର ମିଥ୍ୟା ଧର୍ମ ସହିତ ସମ୍ପର୍କ ଥାଏ ।

ପର୍ବପର୍ବାଣୀଗୁଡ଼ିକର ଆରମ୍ଭ କେଉଁଠାରୁ ହୋଇଛି, ତାʼ ପ୍ରତି ଗୁରୁତ୍ୱ ଦେବା ଏତେ ଜରୁରୀ କି ?

୧୧. (କ) କିଛି ଲୋକ କାହିଁକି ପର୍ବପର୍ବାଣୀ ପାଳନ କରନ୍ତି ? (ଖ) କେଉଁ ବିଷୟ ଉପରେ ଆମେ ନିଜ ଧ୍ୟାନ କେନ୍ଦ୍ରିତ କରିବା ଉଚିତ୍‌ ?

୧୧ କିଛି ଲୋକ ଏହା ଜାଣନ୍ତି ଯେ ବଡ଼ଦିନ ଓ ଅନ୍ୟ ପର୍ବପର୍ବାଣୀଗୁଡ଼ିକର ଆରମ୍ଭ ମିଥ୍ୟା ଧର୍ମରୁ ହୋଇଥିଲା, ତଥାପି ସେମାନେ ଏଗୁଡ଼ିକୁ ପାଳନ କରିଥାʼନ୍ତି । ସେମାନେ ଭାବନ୍ତି ଯେ ଏଗୁଡ଼ିକୁ ପାଳନ କରିବା ଦ୍ୱାରା ସେମାନଙ୍କୁ ନିଜ ପରିବାର ସଦସ୍ୟମାନଙ୍କ ସହିତ ସମୟ ବିତାଇବା ପାଇଁ ଭଲ ସୁଯୋଗ ମିଳିଥାଏ । କʼଣ ଆପଣ ମଧ୍ୟ ଏପରି ଭାବନ୍ତି ? ନିଜ ପରିବାର ସହିତ ସମୟ ବିତାଇବାକୁ ଚାହିଁବା ଏକ ଭଲ ଉଦ୍ଦେଶ୍ୟ ଅଟେ । ଯିହୋବା ହିଁ ପରିବାରର ଆରମ୍ଭ କରିଥିଲେ ଏବଂ ସେ ଚାହାନ୍ତି ଯେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ସହିତ ଆମର ଏକ ଭଲ ସମ୍ପର୍କ ରହୁ । (ଏଫିସୀୟ ୩:୧୪, ୧୫) କିନ୍ତୁ, ଆମେ ମିଥ୍ୟା ଧର୍ମଗୁଡ଼ିକର ପର୍ବପର୍ବାଣୀରେ ଭାଗ ନେଇ ନିଜ ବନ୍ଧୁବାନ୍ଧବଙ୍କୁ ଖୁସି କରିବା ପରିବର୍ତ୍ତେ, ଯିହୋବାଙ୍କ ସହିତ ଏକ ମଜବୁତ୍‌ ସମ୍ପର୍କ ବଜାୟ ରଖିବା ଉପରେ ନିଜ ଧ୍ୟାନ କେନ୍ଦ୍ରିତ କରିବା ଉଚିତ୍‌ । ପାଉଲ କହିଥିଲେ, ‘ପ୍ରଭୁଙ୍କୁ କଅଣ ସନ୍ତୋଷ ଦିଏ, ତାହା ଅନୁସନ୍ଧାନ କର ।’— ଏଫିସୀୟ ୫:୧୦.

୧୨. ଯିହୋବା କିଭଳି ପର୍ବପର୍ବାଣୀକୁ ମଞ୍ଜୁର କରନ୍ତି ନାହିଁ ?

୧୨ ଅନେକ ଲୋକ ଭାବନ୍ତି ଯେ ପର୍ବପର୍ବାଣୀଗୁଡ଼ିକର ଆରମ୍ଭ କେଉଁଠାରୁ ହୋଇଛି, ତାʼ ପ୍ରତି ଗୁରୁତ୍ୱ ଦେବା ଜରୁରୀ ନୁହଁ । କିନ୍ତୁ ଯିହୋବାଙ୍କ ଦୃଷ୍ଟିକୋଣ ସେଭଳି ନୁହେଁ । ସେ ମିଥ୍ୟା ଧର୍ମରୁ ଆସିଥିବା ପର୍ବପର୍ବାଣୀକୁ ମଞ୍ଜୁର କରନ୍ତି ନାହିଁ । ସେ ଏପରି ଦିବସଗୁଡ଼ିକୁ ମଧ୍ୟ ମଞ୍ଜୁର କରନ୍ତି ନାହିଁ, ଯେଉଁଗୁଡ଼ିକରେ କୌଣସି ମଣିଷ କିମ୍ବା ଦେଶକୁ ଭକ୍ତି ଦିଆଯାଇଥାଏ । ଉଦାହରଣସ୍ୱରୂପ, ପ୍ରାଚୀନ କାଳରେ ମିସରୀୟ ଲୋକେ ନିଜ ମିଥ୍ୟା ଦେବତାମାନଙ୍କ ନିମନ୍ତେ ପର୍ବ ପାଳନ କରୁଥିଲେ । ତେଣୁ ଯେତେବେଳେ ଇସ୍ରାଏଲୀୟମାନେ ମିସରୀୟମାନଙ୍କ ଦାସତ୍ୱରୁ ମୁକ୍ତ ହୋଇ ନିଜ ଦେଶକୁ ଫେରି ଆସିଲେ, ସେମାନେ ମିସରର ଏକ ପର୍ବକୁ ନକଲ କଲେ ଏବଂ ସେହି ପର୍ବକୁ ‘ଯିହୋବାଙ୍କ ଉଦ୍ଦେଶ୍ୟରେ ଉତ୍ସବ’ ବୋଲି କହିଲେ । କିନ୍ତୁ ଇସ୍ରାଏଲୀୟମାନଙ୍କ ଏହି କାମ ଯୋଗୁଁ ଯିହୋବା ସେମାନଙ୍କୁ ଦଣ୍ଡ ଦେଲେ । (ଯାତ୍ରା ପୁସ୍ତକ ୩୨:୨-୧୦) ଆମେ ଭବିଷ୍ୟଦ୍‌ବକ୍ତା ଯିଶାଇୟଙ୍କ ଆଜ୍ଞାକୁ ପାଳନ କରିବା ଉଚିତ୍‌, ଯିଏ କହିଥିଲେ: “କୌଣସି ଅଶୁଚି ବସ୍ତୁ ଛୁଅଁ ନାହିଁ ।”— ଯିଶାଇୟ ୫୨:୧୧ ପଢ଼ନ୍ତୁ ।

ଅନ୍ୟମାନଙ୍କ ପ୍ରତି ପ୍ରେମର ସହିତ ବ୍ୟବହାର କରନ୍ତୁ

୧୩. ଯେତେବେଳେ ଆପଣ ପର୍ବପର୍ବାଣୀ କିମ୍ବା ଜନ୍ମଦିନ ପାଳନ ନ କରିବା ପାଇଁ ନିଷ୍ପତ୍ତି ନିଅନ୍ତି, ଆପଣଙ୍କ ମନରେ କେଉଁସବୁ ପ୍ରଶ୍ନ ଉଠିପାରେ ?

୧୩ ଯେତେବେଳେ ଆପଣ ପର୍ବପର୍ବାଣୀ କିମ୍ବା ଜନ୍ମଦିନ ପାଳନ ନ କରିବା ପାଇଁ ନିଷ୍ପତ୍ତି ନିଅନ୍ତି, ଆପଣଙ୍କ ମନରେ ହୁଏତ ଅନେକ ପ୍ରଶ୍ନ ଉଠିପାରେ । ଉଦାହରଣସ୍ୱରୂପ, ଯଦି ମୋ ସହକର୍ମୀମାନେ ପଚାରନ୍ତି ଯେ ମୁଁ କାହିଁକି ଏହି ପର୍ବ ପାଳନ କରେ ନାହିଁ, ତେବେ ମୁଁ ସେମାନଙ୍କୁ କʼଣ ଉତ୍ତର ଦେବି ? ଯଦି କେହି କୌଣସି ପର୍ବ ସମୟରେ ଉପହାର ଦିଅନ୍ତି, ତେବେ ମୋତେ କʼଣ କରିବାକୁ ହେବ ? ଯଦି ମୋ ଜୀବନସାଥୀ ଚାହାନ୍ତି ଯେ ମୁଁ କୌଣସି ପର୍ବକୁ ପାଳନ କରିବା ଉଚିତ୍‌, ତେବେ ମୁଁ କʼଣ କରିବି ? ମୁଁ ନିଜ ପିଲାମାନଙ୍କୁ କିପରି ସାହାଯ୍ୟ କରିବି, ଯାହାଫଳରେ ସେମାନେ ପର୍ବପର୍ବାଣୀ କିମ୍ବା ଜନ୍ମଦିନ ପାଳନ ନ କରିବା ଯୋଗୁଁ ଦୁଃଖିତ ହେବେ ନାହିଁ ?

୧୪, ୧୫. ଯଦି କେହି ଆପଣଙ୍କୁ କୌଣସି ପର୍ବର ଶୁଭକାମନା କିମ୍ବା ଉପହାର ଦିଅନ୍ତି, ତେବେ ଆପଣ କʼଣ କରିବା ଉଚିତ୍‌ ?

୧୪ ପ୍ରତ୍ୟେକ ପରିସ୍ଥିତିରେ ଆପଣ କʼଣ କରିବେ କିମ୍ବା କʼଣ ଉତ୍ତର ଦେବେ, ଏହା ନିଶ୍ଚିତ କରିବା ବେଳେ ବୁଝିବିଚାରି କାମ କରନ୍ତୁ । ଉଦାହରଣସ୍ୱରୂପ, ଯଦି ଲୋକେ ଆପଣଙ୍କୁ କୌଣସି ପର୍ବ ସହ ଜଡ଼ିତ ଶୁଭକାମନା ଦିଅନ୍ତି, ତେବେ କିଛି ନ କହି ସେଠାରୁ ଚାଲି ଯାଆନ୍ତୁ ନାହିଁ । ଏହା ପରିବର୍ତ୍ତେ ଆପଣ ସେମାନଙ୍କୁ “ଧନ୍ୟବାଦ” କହିପାରିବେ । କିନ୍ତୁ ବେଳେ ବେଳେ ଲୋକେ ହୁଏତ ଜାଣିବାକୁ ଚାହିଁବେ ଯେ ଆପଣ କାହିଁକି ପର୍ବପର୍ବାଣୀ ପାଳନ କରନ୍ତି ନାହିଁ । ଏପରି ସମୟରେ ଆପଣ ସେମାନଙ୍କୁ ଏହାର କାରଣ କହିପାରିବେ । କିନ୍ତୁ ସବୁବେଳେ ଧ୍ୟାନ ରଖିବା ଉଚିତ୍‌ ଯେ ଆପଣ ସେମାନଙ୍କ ସହ ପ୍ରେମ ଓ ଆଦରର ସହିତ ବ୍ୟବହାର କରନ୍ତୁ ଏବଂ ବୁଝିବିଚାରି ନିଜ କଥା କହନ୍ତୁ । ବାଇବଲ କହେ, “ତୁମ୍ଭମାନଙ୍କ ବାକ୍ୟ ସର୍ବଦା ମନୋହର ପୁଣି ଲବଣରେ ସ୍ୱାଦଯୁକ୍ତ ହେଉ, ଯେପରି କାହାକୁ କିପରି ଉତ୍ତର ଦେବାକୁ ହୁଏ, ତାହା ଜାଣି ପାର ।” (କଲସୀୟ ୪:୬) ଆପଣ ସେମାନଙ୍କୁ ବୁଝାଇପାରିବେ ଯେ ଅନ୍ୟମାନଙ୍କ ସହିତ ଭଲ ସମୟ ବିତାଇବା ଏବଂ ଉପହାର ଦେବା ଆପଣ ମଧ୍ୟ ପସନ୍ଦ କରନ୍ତି, କିନ୍ତୁ ପର୍ବପର୍ବାଣୀ ଦିନଗୁଡ଼ିକରେ ଆପଣ ଏପରି କରନ୍ତି ନାହିଁ ।

୧୫ କେହି ଯଦି ଆପଣଙ୍କୁ ଉପହାର ଦିଅନ୍ତି, ତେବେ ଆପଣ କʼଣ କରିବା ଉଚିତ୍‌ ? ଆପଣଙ୍କୁ ଭିନ୍ନ ଭିନ୍ନ ପରିସ୍ଥିତିର ସାମନା କରିବାକୁ ପଡ଼ିପାରେ । ଉଦାହରଣସ୍ୱରୂପ, ଯେଉଁ ବ୍ୟକ୍ତି ଆପଣଙ୍କୁ ଉପହାର ଦିଅନ୍ତି, ସେ ହୁଏତ ଜାଣି ମଧ୍ୟ ନ ଥିବେ ଯେ ଆପଣ ପର୍ବପର୍ବାଣୀ ପାଳନ କରନ୍ତି ନାହିଁ । କିମ୍ବା କେହି କହିପାରନ୍ତି, “ମୁଁ ଜାଣେ ଯେ ଆପଣ ପର୍ବପର୍ବାଣୀ ପାଳନ କରନ୍ତି ନାହିଁ, ତଥାପି ମୁଁ ଆପଣଙ୍କୁ ଏହି ଉପହାର ଦେବାକୁ ଚାହେଁ ।” ପ୍ରତ୍ୟେକ ପରିସ୍ଥିତିରେ ଆପଣ କʼଣ କରିବା ଉଚିତ୍‌, ଏବିଷୟରେ ବାଇବଲ କୌଣସି ନିର୍ଦ୍ଦିଷ୍ଟ ନିୟମ ଦିଏ ନାହିଁ । କିନ୍ତୁ ବାଇବଲ କହେ ଯେ ଆମେ ନିଜ ବିବେକକୁ ଶୁଦ୍ଧ ରଖିବା ଉଚିତ୍‌ । (୧ ତୀମଥି ୧:୧୮, ୧୯) ତେଣୁ ଉଭୟ ପରିସ୍ଥିତିରେ ଆପଣଙ୍କୁ ନିଷ୍ପତ୍ତି ନେବାକୁ ହେବ ଯେ ଆପଣ ଉପହାର ନେବେ କି ନାହିଁ । ଆପଣ ଯାହା ମଧ୍ୟ ନିଷ୍ପତ୍ତି ନିଅନ୍ତି, ଆପଣ ନିଜ ବିବେକକୁ ଶୁଦ୍ଧ ରଖିବା ଉଚିତ୍‌ । ଆମେ ଏପରି କିଛି କରିବା ଉଚିତ୍‌ ନୁହଁ, ଯାହାଦ୍ୱାରା ଯିହୋବାଙ୍କ ସହିତ ଆମର ସମ୍ପର୍କ ଭାଙ୍ଗି ଯାଇପାରେ ।

ଆପଣଙ୍କ ପରିବାର ବିଷୟରେ ଆପଣ କʼଣ କହିବେ ?

ଯେଉଁମାନେ ଯିହୋବାଙ୍କ ଉପାସନା କରନ୍ତି, ସେମାନେ ଖୁସିରେ ରହନ୍ତି

୧୬. ଯଦି ଆପଣଙ୍କ ପରିବାର ସଦସ୍ୟମାନେ କୌଣସି ପର୍ବ ପାଳନ କରିବାକୁ ଚାହାନ୍ତି, ତେବେ ଆପଣ କʼଣ କରିବା ଉଚିତ୍‌ ?

୧୬ ଯଦି ଆପଣଙ୍କ ପରିବାର ସଦସ୍ୟମାନେ କୌଣସି ପର୍ବ ପାଳନ କରିବାକୁ ଚାହାନ୍ତି, ତେବେ ଆପଣ କʼଣ କରିବା ଉଚିତ୍‌ ? ଆପଣଙ୍କୁ ସେମାନଙ୍କ ସହିତ ଯୁକ୍ତିତର୍କ କିମ୍ବା ଝଗଡ଼ା କରିବାର କୌଣସି ଆବଶ୍ୟକତା ନାହିଁ । ମନେ ରଖନ୍ତୁ, ସେମାନେ କʼଣ କରିବାକୁ ଚାହାନ୍ତି, ତାହା ନିର୍ଣ୍ଣୟ କରିବାର ସମ୍ପୂର୍ଣ୍ଣ ଅଧିକାର ସେମାନଙ୍କର ଅଟେ । ତେଣୁ ସେମାନଙ୍କ ନିଷ୍ପତ୍ତିଗୁଡ଼ିକୁ ଆଦର କରନ୍ତୁ, ଠିକ୍‌ ଯେପରି ଆପଣ ଚାହାନ୍ତି ଯେ ଆପଣଙ୍କ ନିଷ୍ପତ୍ତିଗୁଡ଼ିକୁ ସେମାନେ ଆଦର କରନ୍ତୁ । (ମାଥିଉ ୭:୧୨ ପଢ଼ନ୍ତୁ ।) କିନ୍ତୁ, ଯଦି ଆପଣଙ୍କ ପରିବାରର ଲୋକେ ଚାହାନ୍ତି ଯେ କୌଣସି ପର୍ବରେ ସେମାନଙ୍କ ସହିତ ଆପଣ ସମୟ ବିତାନ୍ତୁ, ତେବେ ଆପଣ କʼଣ କରିବା ଉଚିତ୍‌ ? ସର୍ବପ୍ରଥମେ ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ ଯେ ସେ ଆପଣଙ୍କୁ ସଠିକ୍‌ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବେ । ଏହା ଛଡ଼ା, ଆଗରୁ ଚିନ୍ତା କରନ୍ତୁ ଯେ ପର୍ବପର୍ବାଣୀରେ ପରିବାରର ଲୋକଙ୍କ ସହିତ ସମୟ ବିତାଇବା ବେଳେ ଆପଣଙ୍କୁ କେଉଁ କେଉଁ ପରିସ୍ଥିତିର ସାମନା କରିବାକୁ ପଡ଼ିପାରେ ଏବଂ ଏବିଷୟରେ ପୂର୍ବରୁ ତଥ୍ୟ ସଂଗ୍ରହ କରନ୍ତୁ । ମନେ ରଖନ୍ତୁ ଯେ ଆପଣ ଯିହୋବାଙ୍କୁ ସର୍ବଦା ଖୁସି କରିବାକୁ ଚାହାନ୍ତି ।

୧୭. ଯେତେବେଳେ ଆପଣଙ୍କ ପିଲାମାନେ ଅନ୍ୟମାନଙ୍କୁ ପର୍ବ ପାଳନ କରିବାର ଦେଖି ଦୁଃଖିତ ହୁଅନ୍ତି, ଆପଣ ସେମାନଙ୍କୁ କିପରି ସାହାଯ୍ୟ କରିପାରିବେ ?

୧୭ ଯେତେବେଳେ ଆପଣଙ୍କ ପିଲାମାନେ ଅନ୍ୟମାନଙ୍କୁ ପର୍ବ ପାଳନ କରିବାର ଦେଖି ଦୁଃଖିତ ହୁଅନ୍ତି, ସେତେବେଳେ ଆପଣ ସେମାନଙ୍କୁ କିପରି ସାହାଯ୍ୟ କରିପାରିବେ ? ସମୟ ସମୟରେ ଆପଣ ସେମାନଙ୍କ ପାଇଁ କିଛି ବିଶେଷ ଆୟୋଜନ କରିପାରିବେ । ଆପଣ ସେମାନଙ୍କୁ ଉପହାର ଦେଇ ମଧ୍ୟ ଖୁସି କରିପାରିବେ । କିନ୍ତୁ ସବୁଠାରୁ ଉତ୍ତମ ଉପହାର ଯାହା ଆପଣ ସେମାନଙ୍କୁ ଦେଇପାରିବେ, ତାହା ହେଉଛି— ଆପଣଙ୍କ ପ୍ରେମ ଓ ସମୟ ।

ସଠିକ୍‌ ପଦ୍ଧତିରେ ଉପାସନା କରନ୍ତୁ

୧୮. ଆମେ ଖ୍ରୀଷ୍ଟିୟାନ ସଭାଗୁଡ଼ିକରେ କାହିଁକି ଉପସ୍ଥିତ ହେବା ଉଚିତ୍‌ ?

୧୮ ଯିହୋବାଙ୍କୁ ଖୁସି କରିବା ପାଇଁ ଆମକୁ ମିଥ୍ୟା ଧର୍ମ ଏବଂ ତାʼ ସହ ଜଡ଼ିତ ରୀତିନୀତି ଓ ପର୍ବପର୍ବାଣୀଠାରୁ ଦୂରେଇ ରହିବା ଆବଶ୍ୟକ । କିନ୍ତୁ ଏହା କରିବା ଯଥେଷ୍ଟ ନୁହେଁ । ଆମକୁ ସଠିକ୍‌ ପଦ୍ଧତିରେ ଉପାସନା ମଧ୍ୟ କରିବାକୁ ହେବ । ଆମେ ଏହା କିପରି କରିପାରିବା ? ଗୋଟିଏ ଉପାୟ ହେଉଛି, ଖ୍ରୀଷ୍ଟିୟାନ ସଭାଗୁଡ଼ିକରେ ନିୟମିତ ଭାବେ ଉପସ୍ଥିତ ହେବା ଦ୍ୱାରା । (ଏବ୍ରୀ ୧୦:୨୪, ୨୫ ପଢ଼ନ୍ତୁ ।) ସଭାଗୁଡ଼ିକ ସତ୍ୟ ଉପାସନାର ଏକ ମହତ୍ତ୍ୱପୂର୍ଣ୍ଣ ଭାଗ ଅଟେ । (ଗୀତସଂହିତା ୨୨:୨୨; ୧୨୨:୧) ଯେତେବେଳେ ଆମେ ସଭାଗୁଡ଼ିକରେ ଏକାଠି ହେଉ, ଆମେ ପରସ୍ପରର ଉତ୍ସାହ ବଢ଼ାଇଥାଉ ।— ରୋମୀୟ ୧:୧୨.

୧୯. ବାଇବଲରୁ ଆପଣ ଯାହା ଶିଖିଛନ୍ତି, ସେବିଷୟରେ ଅନ୍ୟମାନଙ୍କୁ କହିବା କାହିଁକି ଜରୁରୀ ଅଟେ ?

୧୯ ସତ୍ୟ ଉପାସନା କରିବାରେ ଆଉ ଏକ ବିଷୟ ମଧ୍ୟ ସାମିଲ୍‌ ରହିଛି । ତାହା ହେଉଛି, ବାଇବଲରୁ ଆପଣ ଯାହା ଶିଖିଛନ୍ତି, ସେବିଷୟରେ ଅନ୍ୟମାନଙ୍କୁ କହିବା । ଆଜି ଅନେକ ଲୋକ ଜଗତରେ ଥିବା ଦୁଷ୍ଟତାକୁ ଦେଖି ବହୁତ ଚିନ୍ତିତ ଅଟନ୍ତି । ହୁଏତ ଆପଣ ମଧ୍ୟ ଏପରି କିଛି ଲୋକଙ୍କୁ ଜାଣିଥିବେ । ସେମାନଙ୍କୁ ଭବିଷ୍ୟତର ସୁନ୍ଦର ଆଶା ବିଷୟରେ କହନ୍ତୁ । ଯେତେବେଳେ ଆପଣ ଖ୍ରୀଷ୍ଟିୟାନ ସଭାଗୁଡ଼ିକରେ ଉପସ୍ଥିତ ହେବେ ଏବଂ ଅନ୍ୟମାନଙ୍କୁ ବାଇବଲର ସତ୍ୟ ବିଷୟରେ କହିବେ, ଆପଣ ଦେଖିବାକୁ ପାଇବେ ଯେ ମିଥ୍ୟା ଧର୍ମ ଓ ତାʼର ରୀତିନୀତିଗୁଡ଼ିକ ସହିତ ଆପଣଙ୍କ ସମ୍ପର୍କ ଧୀରେ ଧୀରେ ତୁଟିବାରେ ଲାଗିଛି । ଆପଣ ଭରସା ରଖିପାରିବେ ଯେ ଯଦି ଆପଣ ଯିହୋବାଙ୍କ ଉପାସନା ସଠିକ୍‌ ପଦ୍ଧତିରେ କରନ୍ତି, ତେବେ ଆପଣଙ୍କୁ ଖୁସି ମିଳିବ ଏବଂ ଯିହୋବା ଆପଣଙ୍କୁ ଭରପୂର ଆଶିଷ ଦେବେ ।— ମଲାଖି ୩:୧୦.