इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଠର ଅଧ୍ୟାୟ

କʼଣ ମୁଁ ନିଜ ଜୀବନ ଈଶ୍ୱରଙ୍କୁ ସମର୍ପଣ କରି ବାପ୍ତିସ୍ମ ନେବା ଉଚିତ୍‌ ?

କʼଣ ମୁଁ ନିଜ ଜୀବନ ଈଶ୍ୱରଙ୍କୁ ସମର୍ପଣ କରି ବାପ୍ତିସ୍ମ ନେବା ଉଚିତ୍‌ ?

୧. ଏହି ବହିକୁ ଅଧ୍ୟୟନ କରିବା ପରେ ଆପଣ ହୁଏତ କʼଣ ଭାବିପାରନ୍ତି ?

 ଏହି ବହିକୁ ଅଧ୍ୟୟନ କରି ଆପଣ ବାଇବଲରୁ ଅନେକ ସତ୍ୟ ଶିଖିଛନ୍ତି, ଯେପରି— ମଣିଷମାନଙ୍କୁ ଅନନ୍ତ ଜୀବନ ଦେବା ପାଇଁ ଈଶ୍ୱରଙ୍କ ପ୍ରତିଜ୍ଞା, ମରିଯାଇଥିବା ଲୋକଙ୍କ ଅବସ୍ଥା ଏବଂ ପୁନରୁତ୍ଥାନର ଆଶା । (ଉପଦେଶକ ୯:୫; ଲୂକ ୨୩:୪୩; ଯୋହନ ୫:୨୮, ୨୯; ପ୍ରକାଶିତ ବାକ୍ୟ ୨୧:୩, ୪) ଆପଣ ହୁଏତ ଯିହୋବାଙ୍କ ସାକ୍ଷୀମାନଙ୍କର ସଭାଗୁଡ଼ିକରେ ଯାଉଥିବେ ଏବଂ ବିଶ୍ୱାସ ମଧ୍ୟ କରୁଥିବେ ଯେ ସେମାନେ ହିଁ ସତ୍ୟ ଉପାସନା କରନ୍ତି । (ଯୋହନ ୧୩:୩୫) ତାʼ ଛଡ଼ା, ଯିହୋବାଙ୍କ ସହିତ ଆପଣଙ୍କ ମିତ୍ରତା ଦିନକୁ ଦିନ ଘନିଷ୍ଠ ହେବାରେ ଲାଗିଥିବ । ଆପଣ ହୁଏତ ନିଷ୍ପତ୍ତି ମଧ୍ୟ ନେଇ ସାରିଥିବେ ଯେ ଆପଣ ତାହାଙ୍କ ସେବା କରିବାକୁ ଚାହାନ୍ତି । ତେଣୁ ଆପଣ ଭାବିପାରନ୍ତି, ‘ଈଶ୍ୱରଙ୍କ ସେବା କରିବା ପାଇଁ ବର୍ତ୍ତମାନ ମୋତେ କʼଣ କରିବାକୁ ହେବ ?’

୨. ଇଥିଓପିଆର ବ୍ୟକ୍ତି ଜଣକ ବାପ୍ତିସ୍ମ ନେବାକୁ କାହିଁକି ଇଚ୍ଛା କଲେ ?

ଏହି ପ୍ରଶ୍ନଟି ଯୀଶୁଙ୍କ ସମୟରେ ଇଥିଓପିଆ ଦେଶର ଜଣେ ବ୍ୟକ୍ତିଙ୍କ ମନରେ ଉଠିଥିଲା । ଯୀଶୁଙ୍କୁ ପୁନରୁତ୍ଥାନ କରାଯିବାର କିଛି ସମୟ ପରେ ତାହାଙ୍କ ଶିଷ୍ୟ ଫିଲିପ ସେହି ବ୍ୟକ୍ତିଙ୍କୁ ପ୍ରଚାର କଲେ । ଫିଲିପ ତାଙ୍କୁ ଶାସ୍ତ୍ରରୁ ପ୍ରମାଣ ଦେଇ ବୁଝାଇଲେ ଯେ ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି । ଏସବୁ କଥା ସେହି ବ୍ୟକ୍ତିଙ୍କୁ ଏତେ ପ୍ରଭାବିତ କଲା ଯେ ସେ ସଙ୍ଗେ ସଙ୍ଗେ କହି ଉଠିଲେ, “ଏଠାରେ ତ ଜଳ ଅଛି, ମୋହର ବାପ୍ତିଜିତ ହେବା ନିମନ୍ତେ କʼଣ ବାଧା ଅଛି ?”— ପ୍ରେରିତ ୮:୨୬-୩୬.

୩. (କ) ଯୀଶୁ ନିଜ ଶିଷ୍ୟମାନଙ୍କୁ କʼଣ ଆଜ୍ଞା ଦେଇଥିଲେ ? (ଖ) ଜଣେ ବ୍ୟକ୍ତିକୁ କିପରି ବାପ୍ତିସ୍ମ ଦିଆଯିବା ଉଚିତ୍‌ ?

ବାଇବଲ ସ୍ପଷ୍ଟ ଭାବେ କହେ ଯେ ଯଦି ଆପଣ ଯିହୋବାଙ୍କ ସେବା କରିବାକୁ ଚାହାନ୍ତି, ତେବେ ଆପଣଙ୍କୁ ବାପ୍ତିସ୍ମ ନେବାକୁ ହେବ । ଯୀଶୁ ନିଜ ଶିଷ୍ୟମାନଙ୍କୁ ଆଜ୍ଞା ଦେଇଥିଲେ, “ସବୁ ଦେଶର ଲୋକମାନଙ୍କୁ ମୋର ଶିଷ୍ୟ କର । . . . ସେମାନଙ୍କୁ ବାପ୍ତିସ୍ମ ଦିଅ ।” (ମାଥିଉ ୨୮:୧୯, ଇଜି-ଟୁ-ରିଡ୍‌ ଭର୍ସନ) ଯୀଶୁ ନିଜେ ମଧ୍ୟ ବାପ୍ତିସ୍ମ ନେଇଥିଲେ । ଯୀଶୁଙ୍କୁ ତାହାଙ୍କ ମୁଣ୍ଡରେ ପାଣି ଛିଞ୍ଚି ବାପ୍ତିସ୍ମ ଦିଆଯାଇ ନ ଥିଲା, ବରଂ ତାହାଙ୍କୁ ପାଣିରେ ସମ୍ପୂର୍ଣ୍ଣ ଭାବରେ ବୁଡ଼ାଇ ବାପ୍ତିସ୍ମ ଦିଆଯାଇଥିଲା । (ମାଥିଉ ୩:୧୬) ଠିକ୍‌ ସେହିପରି, ଆଜି ଯେତେବେଳେ କେହି ବାପ୍ତିସ୍ମ ନେବାକୁ ଚାହେଁ, ତାକୁ ପାଣିରେ ସମ୍ପୂର୍ଣ୍ଣ ଭାବରେ ବୁଡ଼ାଇ ବାପ୍ତିସ୍ମ ଦିଆଯାଏ ।

୪. ଆପଣଙ୍କ ବାପ୍ତିସ୍ମ କʼଣ ପ୍ରମାଣିତ କରିବ ?

ଯେତେବେଳେ ଆପଣ ବାପ୍ତିସ୍ମ ନିଅନ୍ତି, ଆପଣ ସମସ୍ତଙ୍କ ସମ୍ମୁଖରେ ଦେଖାନ୍ତି ଯେ ଆପଣ ପ୍ରକୃତରେ ଯିହୋବାଙ୍କ ମିତ୍ର ହେବାକୁ ଏବଂ ତାହାଙ୍କ ସେବା କରିବାକୁ ଚାହାନ୍ତି । (ଗୀତସଂହିତା ୪୦:୭, ୮) ଆପଣ ହୁଏତ ଭାବୁଥିବେ, ‘ବାପ୍ତିସ୍ମ ନେବା ପାଇଁ ମୋତେ କʼଣ କରିବାକୁ ହେବ ?’

ଜ୍ଞାନ ଓ ବିଶ୍ୱାସ

୫. (କ) ବାପ୍ତିସ୍ମ ନେବା ପୂର୍ବରୁ ଆପଣଙ୍କୁ ସର୍ବପ୍ରଥମେ କʼଣ କରିବାକୁ ହେବ ? (ଖ) ଖ୍ରୀଷ୍ଟିୟାନ ସଭାଗୁଡ଼ିକରେ ଉପସ୍ଥିତ ହେବା କାହିଁକି ଜରୁରୀ ଅଟେ ?

ବାପ୍ତିସ୍ମ ନେବା ପୂର୍ବରୁ ଆପଣଙ୍କୁ ଯିହୋବା ଏବଂ ଯୀଶୁଙ୍କ ବିଷୟରେ ଜାଣିବାକୁ ହେବ । ଯେଉଁ ଦିନଠାରୁ ଆପଣ ବାଇବଲକୁ ଅଧ୍ୟୟନ କରିବା ଆରମ୍ଭ କଲେ, ସେହି ଦିନଠାରୁ ଆପଣ ଏପରି କରି ଆସୁଛନ୍ତି । (ଯୋହନ ୧୭:୩ ପଢ଼ନ୍ତୁ ।) କିନ୍ତୁ ତାହା ଯଥେଷ୍ଟ ନୁହଁ । ବାଇବଲ କହେ ଯେ ଆପଣଙ୍କୁ ଯିହୋବାଙ୍କ ଇଚ୍ଛା ବିଷୟରେ ‘ସମ୍ପୂର୍ଣ୍ଣ ଜାଣିବାକୁ’ ହେବ । (କଲସୀୟ ୧:୯, ଇଜି-ଟୁ-ରିଡ୍‌ ଭର୍ସନ) ଏଥିପାଇଁ ଆପଣଙ୍କୁ ଯିହୋବାଙ୍କ ସାକ୍ଷୀମାନଙ୍କର ସଭାଗୁଡ଼ିକରେ ଉପସ୍ଥିତ ହେବା ଜରୁରୀ ଅଟେ । ଏହି ସଭାଗୁଡ଼ିକ ଯିହୋବାଙ୍କ ସହିତ ଆପଣଙ୍କ ସମ୍ପର୍କକୁ ଆହୁରି ମଜବୁତ୍‌ କରିବାରେ ସାହାଯ୍ୟ କରିବ । ଏହା ଏକ ଗୁରୁତ୍ୱପୂର୍ଣ୍ଣ କାରଣ ଯେ ଆପଣ ସଭାଗୁଡ଼ିକରେ କାହିଁକି ନିୟମିତ ଭାବେ ଉପସ୍ଥିତ ହେବା ଉଚିତ୍‌ ।— ଏବ୍ରୀ ୧୦:୨୪, ୨୫.

ବାପ୍ତିସ୍ମ ନେବା ପୂର୍ବରୁ ଆପଣଙ୍କୁ ବାଇବଲ ଅଧ୍ୟୟନ କରିବାକୁ ହେବ

୬. ବାପ୍ତିସ୍ମ ନେବା ପାଇଁ ଆପଣଙ୍କଠାରେ ବାଇବଲର କେତେ ଜ୍ଞାନ ହେବା ଜରୁରୀ ଅଟେ ?

ବାପ୍ତିସ୍ମ ନେବା ପାଇଁ ଆପଣଙ୍କୁ ଯେ ବାଇବଲର ସବୁକିଛି ଜାଣିବା ଜରୁରୀ, ଯିହୋବା ଏହା ଆଶା କରନ୍ତି ନାହିଁ । ସେ ଇଥିଓପିଆର ସେହି ବ୍ୟକ୍ତିଙ୍କଠାରୁ ମଧ୍ୟ ଏହା ଆଶା କରି ନ ଥିଲେ । (ପ୍ରେରିତ ୮:୩୦, ୩୧) ଏହା ଛଡ଼ା, ଆମେ ଈଶ୍ୱରଙ୍କ ବିଷୟରେ ଅନନ୍ତ କାଳ ପର୍ଯ୍ୟନ୍ତ ଶିଖୁଥିବା । (ଉପଦେଶକ ୩:୧୧) କିନ୍ତୁ ବାପ୍ତିସ୍ମ ନେବା ପାଇଁ ଆପଣ ବାଇବଲର ପ୍ରାଥମିକ ବା ମୌଳିକ ଶିକ୍ଷାଗୁଡ଼ିକୁ ଜାଣିବା ଏବଂ ସେଗୁଡ଼ିକ ଅନୁଯାୟୀ ଚାଲିବା ଉଚିତ୍‌ ।— ଏବ୍ରୀ ୫:୧୨.

୭. ବାଇବଲର ଅଧ୍ୟୟନ କରିବା ଯୋଗୁଁ ଆପଣଙ୍କୁ କʼଣ ଲାଭ ହୋଇଛି ?

ବାଇବଲ କହେ: ‘ବିଶ୍ୱାସ ବିନା ଈଶ୍ୱରଙ୍କ ସନ୍ତୋଷପାତ୍ର ହେବା ଅସମ୍ଭବ ।’ (ଏବ୍ରୀ ୧୧:୬) ତେଣୁ ବାପ୍ତିସ୍ମ ନେବା ପୂର୍ବରୁ ଆପଣଙ୍କଠାରେ ବିଶ୍ୱାସ ରହିବା ଜରୁରୀ ଅଟେ । ବାଇବଲରୁ ଆମେ ଜାଣୁ ଯେ ପ୍ରାଚୀନ କାଳରେ କରିନ୍ଥ ସହରର କିଛି ଲୋକେ ଯୀଶୁଙ୍କ ଶିଷ୍ୟମାନଙ୍କର ବାର୍ତ୍ତା ଶୁଣି ‘ବିଶ୍ୱାସ କରିବାକୁ ଲାଗିଲେ ଓ ବାପ୍ତିସ୍ମ ନେଲେ ।’ (ପ୍ରେରିତ ୧୮:୮) ଠିକ୍‌ ସେହିପରି, ବାଇବଲର ଅଧ୍ୟୟନ କରିବା ଯୋଗୁଁ ଆପଣ ହୁଏତ ଈଶ୍ୱରଙ୍କ ପ୍ରତିଜ୍ଞାଗୁଡ଼ିକ ଉପରେ ବିଶ୍ୱାସ କରିବା ଆରମ୍ଭ କରିଦେଇଥିବେ । ହୁଏତ ଏହା ମଧ୍ୟ ବିଶ୍ୱାସ କରୁଥିବେ ଯେ ଯୀଶୁଙ୍କ ବଳିଦାନ ଯୋଗୁଁ ଆମେ ପାପ ଓ ମୃତ୍ୟୁରୁ ଉଦ୍ଧାର ପାଇପାରିବା ।— ଯିହୋଶୂୟ ୨୩:୧୪; ପ୍ରେରିତ ୪:୧୨; ୨ ତୀମଥି ୩:୧୬, ୧୭.

ଅନ୍ୟମାନଙ୍କୁ ବାଇବଲର ସତ୍ୟଗୁଡ଼ିକ ବିଷୟରେ କହନ୍ତୁ

୮. ଆପଣ ଯାହା ଶିଖୁଛନ୍ତି, ସେବିଷୟରେ ଅନ୍ୟମାନଙ୍କୁ କହିବା ପାଇଁ ଆପଣଙ୍କୁ କʼଣ ପ୍ରେରଣା ଦେବ ?

ଯେତେବେଳେ ଆପଣ ବାଇବଲରୁ ଆହୁରି ଅଧିକ ଶିଖିବେ ଏବଂ ସେଗୁଡ଼ିକୁ ନିଜ ଜୀବନରେ ଲାଗୁ କରି ଲାଭ ପାଇବେ, ଆପଣଙ୍କ ବିଶ୍ୱାସ ଆହୁରି ମଜବୁତ୍‌ ହେବ । ଏହି ବିଶ୍ୱାସ ଆପଣଙ୍କୁ ପ୍ରେରଣା ଦେବ ଯେ ଆପଣ ଯାହା ଶିଖୁଛନ୍ତି, ସେବିଷୟରେ ଅନ୍ୟମାନଙ୍କୁ କହନ୍ତୁ । (ଯିରିମୀୟ ୨୦:୯; ୨ କରିନ୍ଥୀୟ ୪:୧୩) କିନ୍ତୁ ଆପଣ କାହାକୁ କହିପାରିବେ ?

ଆପଣ ଯାହା ଶିଖନ୍ତି, ସେବିଷୟରେ ଅନ୍ୟମାନଙ୍କୁ କହିବା ପାଇଁ ଆପଣଙ୍କ ବିଶ୍ୱାସ ଆପଣଙ୍କୁ ପ୍ରେରଣା ଦେବ

୯, ୧୦. (କ) ଆପଣ ଯାହା ଶିଖୁଛନ୍ତି, ସେବିଷୟରେ କେଉଁମାନଙ୍କୁ କହିବା ଆରମ୍ଭ କରିପାରିବେ ? (ଖ) ଯଦି ଆପଣ ମଣ୍ଡଳୀର ଭାଇଭଉଣୀମାନଙ୍କ ସହିତ ପ୍ରଚାର କରିବାକୁ ଚାହାନ୍ତି, ତେବେ ଆପଣ କʼଣ କରିବା ଉଚିତ୍‌ ?

ଆପଣ ହୁଏତ ନିଜ ପରିବାର ସଦସ୍ୟ, ସାଙ୍ଗସାଥୀ, ପଡ଼ୋଶୀ ଓ ସାଙ୍ଗରେ କାମ କରୁଥିବା ଲୋକଙ୍କୁ କହିବାକୁ ଚାହାନ୍ତି ଯେ ଆପଣ କʼଣ ଶିଖୁଛନ୍ତି । ଏହା ଅତି ଉତ୍ତମ ଅଟେ, କିନ୍ତୁ ଆପଣ ଏହା ସେମାନଙ୍କୁ ସର୍ବଦା ପ୍ରେମ ଓ ଆଦରର ସହିତ କହିବା ଉଚିତ୍‌ । ସମୟକ୍ରମେ ଆପଣ ମଣ୍ଡଳୀର ଭାଇଭଉଣୀମାନଙ୍କ ସହିତ ମଧ୍ୟ ପ୍ରଚାର କାମରେ ଯାଇପାରିବେ । ଯେବେ ଆପଣ ଅନୁଭବ କରନ୍ତି ଯେ ଆପଣ ଏହା ପାଇଁ ପ୍ରସ୍ତୁତ ଅଛନ୍ତି, ତେବେ ଆପଣଙ୍କୁ ବାଇବଲ ଅଧ୍ୟୟନ କରିବାରେ ସାହାଯ୍ୟ କରୁଥିବା ସାକ୍ଷୀ ଜଣକ ସହିତ କଥା ହୁଅନ୍ତୁ । ଆଉ, ଯଦି ତାଙ୍କୁ ମଧ୍ୟ ଲାଗେ ଯେ ଆପଣ ପ୍ରସ୍ତୁତ ଅଛନ୍ତି ଏବଂ ବାଇବଲର ମାନଦଣ୍ଡ ଅନୁସାରେ ଜୀବନଯାପନ କରୁଛନ୍ତି, ତେବେ ସେ ଓ ଆପଣ ଦୁହେଁ ମିଶି ମଣ୍ଡଳୀର ଦୁଇ ଜଣ ପ୍ରାଚୀନ ଭାଇଙ୍କୁ ସାକ୍ଷାତ କରିବେ ।

୧୦ ସେହି ସାକ୍ଷାତରେ କʼଣ ହେବ ? ପ୍ରାଚୀନ ଭାଇମାନେ ଆପଣଙ୍କ ସହିତ କଥା ହୋଇ ଏହା ଜାଣିବାକୁ ଚେଷ୍ଟା କରିବେ ଯେ ଆପଣ ବାଇବଲର ମୌଳିକ ଶିକ୍ଷାଗୁଡ଼ିକୁ ଭଲ ଭାବରେ ବୁଝିଛନ୍ତି କି ନାହିଁ ଏବଂ ସେଗୁଡ଼ିକୁ ପାଳନ କରୁଛନ୍ତି କି ନାହିଁ । ସେମାନେ ଏହା ମଧ୍ୟ ଦେଖିବେ ଯେ ଆପଣ ବାଇବଲର ସିଦ୍ଧାନ୍ତଗୁଡ଼ିକ ଅନୁସାରେ ଚାଲୁଛନ୍ତି କି ନାହିଁ ଏବଂ ଆପଣ ପ୍ରକୃତରେ ଯିହୋବାଙ୍କ ସାକ୍ଷୀ ହେବାକୁ ଚାହାନ୍ତି କି ନାହିଁ । ମନେ ରଖନ୍ତୁ, ଈଶ୍ୱର ପ୍ରାଚୀନମାନଙ୍କୁ ମଣ୍ଡଳୀର ସମସ୍ତ ସଦସ୍ୟଙ୍କର ଏବଂ ଏପରିକି ଆପଣଙ୍କର ମଧ୍ୟ ଦେଖାଶୁଣା କରିବାର ଦାୟିତ୍ୱ ଦେଇଛନ୍ତି । ତେଣୁ ସେମାନଙ୍କ ସହ କଥା ହେବା ପାଇଁ ଆପଣ ଭୟ କରନ୍ତୁ ନାହିଁ । (ପ୍ରେରିତ ୨୦:୨୮; ୧ ପିତର ୫:୨, ୩) ଏହି ସାକ୍ଷାତ ପରେ ପ୍ରାଚୀନ ଭାଇମାନେ ଆପଣଙ୍କୁ ଜଣାଇବେ ଯେ ଆପଣ ମଣ୍ଡଳୀର ଭାଇଭଉଣୀମାନଙ୍କ ସହିତ ପ୍ରଚାର କାମ ଆରମ୍ଭ କରିପାରିବେ କି ନାହିଁ ।

୧୧. ମଣ୍ଡଳୀ ସହିତ ପ୍ରଚାର କାମ ଆରମ୍ଭ କରିବା ପୂର୍ବରୁ ଆପଣଙ୍କୁ ପରିବର୍ତ୍ତନ କରିବା କାହିଁକି ଜରୁରୀ ଅଟେ ?

୧୧ ପ୍ରାଚୀନ ଭାଇମାନେ ହୁଏତ ଆପଣଙ୍କୁ କହିପାରନ୍ତି ଯେ ମଣ୍ଡଳୀ ସହିତ ପ୍ରଚାର କାମ ଆରମ୍ଭ କରିବା ପୂର୍ବରୁ ଆପଣଙ୍କୁ ଆହୁରି କିଛି ପରିବର୍ତ୍ତନ କରିବା ଆବଶ୍ୟକ ଅଟେ । ଏହି ପରିବର୍ତ୍ତନ କରିବା କାହିଁକି ଜରୁରୀ ଅଟେ ? କାରଣ ଯେତେବେଳେ ଆମେ ଅନ୍ୟମାନଙ୍କୁ ଈଶ୍ୱରଙ୍କ ବିଷୟରେ କହୁ, ଆମେ ଯିହୋବାଙ୍କ ତରଫରୁ କହିଥାଉ । ତେଣୁ ଆମେ ଏପରି ଜୀବନଯାପନ କରିବା ଉଚିତ୍‌, ଯାହାଦ୍ୱାରା ତାହାଙ୍କର ଆଦର ହେବ ।— ୧ କରିନ୍ଥୀୟ ୬:୯, ୧୦; ଗାଲାତୀୟ ୫:୧୯-୨୧.

ମନ ପରିବର୍ତ୍ତନ କରନ୍ତୁ ଏବଂ ଫେରିଆସନ୍ତୁ

୧୨. ସବୁ ମଣିଷମାନଙ୍କୁ ଅନୁତାପ କରିବା କାହିଁକି ଜରୁରୀ ଅଟେ ?

୧୨ ବାପ୍ତିସ୍ମ ନେବା ପୂର୍ବରୁ ଆପଣଙ୍କୁ ଆଉ ଏକ ପଦକ୍ଷେପ ନେବାକୁ ହେବ । ପିତର କହିଥିଲେ: “ଯେପରି ଆପଣମାନଙ୍କର ପାପ-ମୋଚନ ହୋଇପାରେ, ଏଥିନିମନ୍ତେ ମନ ପରିବର୍ତ୍ତନ କରି ଫେରିଆସନ୍ତୁ ।” (ପ୍ରେରିତ ୩:୧୯) ଏଠାରେ ମନ ପରିବର୍ତ୍ତନ କରିବାର ଅର୍ଥ କʼଣ ? ଆମେ ଯାହା ମଧ୍ୟ ଭୁଲ୍‌ କରୁ, ତାʼ ପାଇଁ ଅନୁତାପ କରିବା । ଉଦାହରଣସ୍ୱରୂପ, ଯଦି ଜଣେ ବ୍ୟକ୍ତି ଜୀବନରେ ଅନୈତିକ କାମ କରିଛି, ତେବେ ତାକୁ ଅନୁତାପ କରିବାକୁ ହେବ । କିନ୍ତୁ ଏପରି ଜଣେ ବ୍ୟକ୍ତିକୁ ମଧ୍ୟ ମନ ପରିବର୍ତ୍ତନ କରିବା ଜରୁରୀ ଅଟେ, ଯିଏ ନିଜ ଜୀବନସାରା ସଠିକ୍‌ କାମ କରିବା ପାଇଁ ଚେଷ୍ଟା କରିଆସିଛି । କାହିଁକି ? କାରଣ ଆମେ ସମସ୍ତେ ପାପୀ ଅଟୁ ଓ କୌଣସି ନା କୌଣସି ଭୁଲ୍‌ କରିଥାଉ ଏବଂ ଏଥିପାଇଁ ଆମେ ଈଶ୍ୱରଙ୍କୁ କ୍ଷମା ମାଗିବା ଉଚିତ୍‌ ।— ରୋମୀୟ ୩:୨୩; ୫:୧୨.

୧୩. ‘ଫେରିଆସିବାର’ ଅର୍ଥ କʼଣ ଅଟେ ?

୧୩ ଆମେ ନିଜ ଭୁଲ୍‌ ପାଇଁ କେବଳ ଅନୁତାପ କରିବା ଯଥେଷ୍ଟ କି ? ନା । ପିତର କହିଥିଲେ ଯେ ଆପଣଙ୍କୁ ‘ଫେରିଆସିବା’ ମଧ୍ୟ ଜରୁରୀ ଅଟେ । ଏହାର ଅର୍ଥ ହେଉଛି, ଆପଣ ଭୁଲ୍‌ କାମଗୁଡ଼ିକୁ ଛାଡ଼ିବା ସଙ୍ଗେ ସଙ୍ଗେ ଆପଣଙ୍କୁ ସଠିକ୍‌ କାମଗୁଡ଼ିକୁ ମଧ୍ୟ କରିବାକୁ ହେବ । ଏହାକୁ ବୁଝିବା ପାଇଁ ଏକ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ମନେ କରନ୍ତୁ, ଆପଣ ନିଜ ଗାଡ଼ିରେ ଏକ ନୂଆ ଜାଗାକୁ ଯାଉଛନ୍ତି । କିଛି ଦୂର ଯିବା ପରେ ଆପଣ ଜାଣିବାକୁ ପାʼନ୍ତି ଯେ ଆପଣ ଭୁଲ୍‌ ରାସ୍ତାରେ ଯାଉଛନ୍ତି । ବର୍ତ୍ତମାନ କʼଣ କରିବେ ? ଆପଣ ନିଜ ଗାଡ଼ି ଠିଆ କରିବେ, ତାʼପରେ ଗାଡ଼ିକୁ ବୁଲେଇ ପଛକୁ ଫେରିବେ ଏବଂ ପୁଣି ସଠିକ୍‌ ରାସ୍ତାରେ ଯିବେ । ଠିକ୍‌ ସେହିଭଳି, ଯେପରି ଆପଣ ବାଇବଲକୁ ଅଧ୍ୟୟନ କରିଚାଲିବେ, ଆପଣ ହୁଏତ ଜାଣିବାକୁ ପାଇବେ ଯେ ଆପଣଙ୍କଠାରେ କିଛି ଖରାପ ଅଭ୍ୟାସ ରହିଛି କିମ୍ବା ଆପଣ କିଛି ଭୁଲ୍‌ କାମ କରୁଛନ୍ତି । ଏପରି ସମୟରେ “ଫେରିଆସନ୍ତୁ ।” ଅର୍ଥାତ୍‌ ଆପଣ ଯାହା ପରିବର୍ତ୍ତନ କରିବା ଉଚିତ୍‌, ତାହା କରନ୍ତୁ ଏବଂ ତାʼପରେ ସଠିକ୍‌ କାମ କରନ୍ତୁ ।

ନିଜ ଜୀବନ ଯିହୋବାଙ୍କୁ ସମର୍ପଣ କରନ୍ତୁ

କʼଣ ଆପଣ ଯିହୋବାଙ୍କୁ ପ୍ରତିଜ୍ଞା କରିଛନ୍ତି ଯେ ଆପଣ ତାହାଙ୍କ ସେବା କରିବେ ?

୧୪. ଆପଣ ନିଜ ଜୀବନ ଈଶ୍ୱରଙ୍କୁ କିପରି ସମର୍ପଣ କରିପାରିବେ ?

୧୪ ବାପ୍ତିସ୍ମ ନେବା ପୂର୍ବରୁ ଆପଣଙ୍କୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ହେବ । ତାହା ହେଉଛି, ନିଜ ଜୀବନ ଯିହୋବାଙ୍କୁ ସମର୍ପଣ କରିବା । ଏଥିପାଇଁ ଆପଣଙ୍କୁ ପ୍ରାର୍ଥନାରେ ଯିହୋବାଙ୍କୁ ପ୍ରତିଜ୍ଞା କରିବାକୁ ହେବ ଯେ ଆପଣ କେବଳ ତାହାଙ୍କ ଉପାସନା କରିବେ ଏବଂ ତାହାଙ୍କ ଇଚ୍ଛାକୁ ନିଜ ଜୀବନରେ ସବୁଠାରୁ ଅଧିକ ମହତ୍ତ୍ୱ ଦେବେ ।— ଦ୍ୱିତୀୟ ବିବରଣ ୬:୧୫.

୧୫, ୧୬. ଜଣେ ବ୍ୟକ୍ତିକୁ ନିଜ ଜୀବନ ଈଶ୍ୱରଙ୍କୁ ସମର୍ପଣ କରିବା ପାଇଁ କʼଣ ପ୍ରେରଣା ଦିଏ ?

୧୫ ଯିହୋବାଙ୍କ ସେବା କରିବାକୁ ପ୍ରତିଜ୍ଞା କରିବା ଏପରି ଅଟେ, ସତେ ଯେପରି ଆପଣ ଯାହାକୁ ପ୍ରେମ କରନ୍ତି ତାଙ୍କ ସହିତ ଜୀବନ ସାରା ସାଙ୍ଗରେ ବିତାଇବା ପାଇଁ ତାଙ୍କୁ ପ୍ରତିଜ୍ଞା କରନ୍ତି । କଳ୍ପନା କରନ୍ତୁ ଯେ ଜଣେ ଯୁବକର ଜଣେ ଯୁବତୀ ସହିତ ଦେଖା ହୁଏ । ଧୀରେ ଧୀରେ ଦୁହେଁ ପ୍ରତିଦିନ ପରସ୍ପରକୁ ଦେଖା କରନ୍ତି । ଯେପରି ଯୁବକଟି ଧୀରେ ଧୀରେ ଯୁବତୀକୁ ଜାଣିବାକୁ ଲାଗେ, ସେ ତାକୁ ପ୍ରେମ କରି ବସେ । କିଛି ଦିନ ପରେ ସେ ତାକୁ ବିବାହ କରିବାକୁ ଇଚ୍ଛା କରେ । ଯଦିଓ ସେ ଜାଣେ ଯେ ଏହା ଏକ ବଡ଼ ନିଷ୍ପତ୍ତି ଅଟେ ଏବଂ ଏହା ପରେ ତାʼର ଦାୟିତ୍ୱ ବଢ଼ିଯିବ, ତଥାପି ସେ ଏହି ପଦକ୍ଷେପ ନେବା ପାଇଁ ପ୍ରସ୍ତୁତ ହୁଏ, କାରଣ ସେ ତାକୁ ପ୍ରେମ କରେ ।

୧୬ ଯେପରି ଆପଣ ଧୀରେ ଧୀରେ ଯିହୋବାଙ୍କ ବିଷୟରେ ଶିଖନ୍ତି, ଆପଣ ତାହାଙ୍କୁ ପ୍ରେମ କରିବାକୁ ଲାଗନ୍ତି ଏବଂ ଆପଣଙ୍କ ହୃଦୟରେ ତାହାଙ୍କ ସେବା କରିବା ପାଇଁ ଗଭୀର ଇଚ୍ଛା ଜାଗ୍ରତ ହୁଏ । ଏହି ଇଚ୍ଛା ଆପଣଙ୍କୁ ଏପରି ପ୍ରେରଣା ଦେବ, ଯାହାଫଳରେ ଆପଣ ଯିହୋବାଙ୍କ ସେବା କରିବା ପାଇଁ ତାହାଙ୍କୁ ପ୍ରାର୍ଥନାରେ ପ୍ରତିଜ୍ଞା କରିବେ । ବାଇବଲ କହେ, ଯେକେହି ଯୀଶୁଙ୍କ ଶିଷ୍ୟ ହେବାକୁ ଚାହେଁ, ତାକୁ ‘ନିଜକୁ ଅସ୍ୱୀକାର କରିବାକୁ’ ହେବ । (ମାର୍କ ୮:୩୪) ଏହାର ଅର୍ଥ କʼଣ ? ଏହାର ଅର୍ଥ ହେଉଛି, ଯିହୋବାଙ୍କ ଆଜ୍ଞା ପାଳନ କରିବାକୁ ଆପଣ ଜୀବନରେ ପ୍ରଥମ ସ୍ଥାନ ଦେବେ ଏବଂ ନିଜ ଇଚ୍ଛା ଓ ଲକ୍ଷ୍ୟଗୁଡ଼ିକ ଅପେକ୍ଷା ଯିହୋବାଙ୍କ ଇଚ୍ଛାକୁ ଅଧିକ ମହତ୍ତ୍ୱ ଦେବେ ।— ୧ ପିତର ୪:୨ ପଢ଼ନ୍ତୁ ।

ଅସଫଳ ହେବାର ଭୟକୁ ନିଜ ମନରୁ ଦୂର କରନ୍ତୁ

୧୭. କିଛି ଲୋକ କାହିଁକି ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରନ୍ତି ନାହିଁ ?

୧୭ କିଛି ଲୋକ ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରନ୍ତି ନାହିଁ, କାରଣ ସେମାନେ ଭୟ କରନ୍ତି ଯେ ଯିହୋବାଙ୍କ ସେବା କରିବାର ନିଜ ପ୍ରତିଜ୍ଞାକୁ ସେମାନେ ପୂରଣ କରିପାରିବେ ନାହିଁ । ସେମାନଙ୍କ ମତରେ ସେମାନେ ଯିହୋବାଙ୍କୁ ନିରାଶ କରିବାକୁ ଚାହାନ୍ତି ନାହିଁ । କିମ୍ବା ସେମାନେ ହୁଏତ ଭାବନ୍ତି ଯେ ଯଦି ସେମାନେ ଯିହୋବାଙ୍କୁ ନିଜ ଜୀବନ ସମର୍ପଣ ନ କରିବେ, ତେବେ ନିଜ ଭୁଲ୍‌ଗୁଡ଼ିକର ହିସାବ ଯିହୋବାଙ୍କୁ ଦେବାକୁ ପଡ଼ିବ ନାହିଁ ।

୧୮. ଯିହୋବାଙ୍କୁ ନିରାଶ କରିବାର ଭୟକୁ ଜୟ କରିବା ପାଇଁ ଆପଣଙ୍କୁ କʼଣ ସାହାଯ୍ୟ କରିବ ?

୧୮ ଆପଣଙ୍କର ଏହି ଭୟକୁ ଜୟ କରିବା ପାଇଁ ଯିହୋବାଙ୍କ ପ୍ରତି ଆପଣଙ୍କ ପ୍ରେମ ଆପଣଙ୍କୁ ସାହାଯ୍ୟ କରିବ । ଏହି ପ୍ରେମ ଆପଣଙ୍କୁ ନିଜ ପ୍ରତିଜ୍ଞା ପୂରଣ କରିବା ପାଇଁ ପ୍ରାଣପଣେ ଚେଷ୍ଟା କରିବାକୁ ପ୍ରେରଣା ଦେବ । (ଉପଦେଶକ ୫:୪; କଲସୀୟ ୧:୧୦) ଏହି ପ୍ରେମ ଯୋଗୁଁ ଆପଣ କେବେ ମଧ୍ୟ ଭାବିବେ ନାହିଁ ଯେ ଯିହୋବାଙ୍କ ଇଚ୍ଛା ପୂରଣ କରିବା ଅତି କଷ୍ଟକର ଅଟେ । ଯୋହନ ଲେଖିଥିଲେ, “ଈଶ୍ୱରଙ୍କୁ ପ୍ରେମ କରିବାର ଅର୍ଥ, ତାହାଙ୍କ ଆଜ୍ଞା ପାଳନ କରିବା, ଆଉ ତାହାଙ୍କ ଆଜ୍ଞାସବୁ ଭାରସ୍ୱରୂପ ନୁହେଁ ।”— ୧ ଯୋହନ ୫:୩.

୧୯. ଆପଣ ନିଜ ଜୀବନ ଯିହୋବାଙ୍କୁ ସମର୍ପଣ କରିବା ପାଇଁ କାହିଁକି ଭୟ କରିବା ଉଚିତ୍‌ ନୁହେଁ ?

୧୯ ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରିବା ପୂର୍ବରୁ ଆପଣ ଯେ ସବୁକିଛି ଠିକ୍‌ ଠିକ୍‌ କରିବେ, ତାହା କେବେ ମଧ୍ୟ ସମ୍ଭବ ନୁହେଁ । ସେ ଆମଠାରୁ ଏପରି କିଛି ଆଶା କରନ୍ତି ନାହିଁ, ଯାହା ଆମ ସାମର୍ଥ୍ୟର ବାହାରେ ହୋଇଥାଏ । (ଗୀତସଂହିତା ୧୦୩:୧୪) ଏହା ପରିବର୍ତ୍ତେ, ସେ ଆପଣଙ୍କୁ ସଠିକ୍‌ କାମ କରିବା ପାଇଁ ସାହାଯ୍ୟ କରିବେ । (ଯିଶାଇୟ ୪୧:୧୦) ଆପଣ ସମ୍ପୂର୍ଣ୍ଣ ହୃଦୟର ସହିତ ଯିହୋବାଙ୍କଠାରେ ଭରସା ରଖନ୍ତୁ ଏବଂ ‘ସେ ଆପଣଙ୍କ ପଥସବୁ ସରଳ କରିବେ ।’— ହିତୋପଦେଶ ୩:୫, ୬.

ସମସ୍ତଙ୍କ ସମ୍ମୁଖରେ ନିଜ ବିଶ୍ୱାସର ଘୋଷଣା କରନ୍ତୁ

୨୦. ଈଶ୍ୱରଙ୍କୁ ନିଜ ଜୀବନ ସମର୍ପଣ କରିବା ପରେ ପରବର୍ତ୍ତୀ ପଦକ୍ଷେପ କʼଣ ଅଟେ ?

୨୦ କʼଣ ଆପଣଙ୍କୁ ଲାଗେ ଯେ ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରିବା ପାଇଁ ଆପଣ ପ୍ରସ୍ତୁତ ଅଟନ୍ତି ? ଯଦି ହଁ, ତେବେ ଏପରି ନିଶ୍ଚୟ କରନ୍ତୁ । ତାʼପରେ ଆପଣ ପରବର୍ତ୍ତୀ ପଦକ୍ଷେପ ନେବା ପାଇଁ ପ୍ରସ୍ତୁତ ହେବେ । ତାହା ହେଉଛି ବାପ୍ତିସ୍ମ ।

୨୧, ୨୨. ଆପଣ “ସମସ୍ତଙ୍କ ସମ୍ମୁଖରେ ନିଜ ବିଶ୍ୱାସର ଘୋଷଣା” କିପରି କରିପାରିବେ ?

୨୧ ଆପଣଙ୍କ ମଣ୍ଡଳୀର ପ୍ରାଚୀନମାନଙ୍କ ସମୂହର ସଂଯୋଜକଙ୍କୁ କହନ୍ତୁ ଯେ ଆପଣ ନିଜ ଜୀବନ ଯିହୋବାଙ୍କୁ ସମର୍ପିତ କରିଛନ୍ତି ଏବଂ ବାପ୍ତିସ୍ମ ନେବାକୁ ଚାହାନ୍ତି । ସେ କିଛି ପ୍ରାଚୀନ ଭାଇମାନଙ୍କୁ ଆପଣଙ୍କ ସହିତ ବାଇବଲର ମୌଳିକ ଶିକ୍ଷାଗୁଡ଼ିକ ଉପରେ ଆଲୋଚନା କରିବା ପାଇଁ କହିବେ । ଯଦି ସେହି ପ୍ରାଚୀନମାନଙ୍କୁ ଲାଗେ ଯେ ଆପଣ ବାପ୍ତିସ୍ମ ପାଇଁ ପ୍ରସ୍ତୁତ ଅଛନ୍ତି, ତେବେ ଯିହୋବାଙ୍କ ସାକ୍ଷୀମାନଙ୍କର ଆସନ୍ତା ସମ୍ମିଳନୀ କିମ୍ବା ଅଧିବେଶନରେ ଆପଣ ବାପ୍ତିସ୍ମ ନେଇପାରିବେ ବୋଲି ସେମାନେ ଆପଣଙ୍କୁ ଜଣାଇବେ । ସମ୍ମିଳନୀ କିମ୍ବା ଅଧିବେଶନରେ ବାପ୍ତିସ୍ମ ଉପରେ ଆଧାରିତ ଏକ ଭାଷଣ ଦିଆଯିବ । ଏହି ସମୟରେ ଯେଉଁମାନେ ବାପ୍ତିସ୍ମ ନେବା ପାଇଁ ପ୍ରସ୍ତୁତ ଥାʼନ୍ତି, ସେମାନଙ୍କୁ ଭାଷଣ ଦେଉଥିବା ବକ୍ତା ଜଣକ ଦୁଇଟି ସରଳ ପ୍ରଶ୍ନ ପଚାରିବେ । ସେହି ପ୍ରଶ୍ନଗୁଡ଼ିକର ଉତ୍ତର ‘ହଁ’ କହି ଆପଣ “ସମସ୍ତଙ୍କ ସମ୍ମୁଖରେ ନିଜ ବିଶ୍ୱାସର ଘୋଷଣା” କରିବେ ।— ରୋମୀୟ ୧୦:୧୦, NW.

୨୨ ଏହାପରେ ଆପଣଙ୍କର ବାପ୍ତିସ୍ମ ହେବ । ଆପଣଙ୍କୁ ପାଣିରେ ସମ୍ପୂର୍ଣ୍ଣ ରୂପେ ବୁଡ଼ାଇ ବାପ୍ତିସ୍ମ ଦିଆଯିବ । ଆପଣଙ୍କ ଏହି ବାପ୍ତିସ୍ମରୁ ସମସ୍ତେ ଜାଣିପାରିବେ ଯେ ଆପଣ ନିଜ ଜୀବନ ଯିହୋବାଙ୍କୁ ସମର୍ପିତ କରିଛନ୍ତି ଏବଂ ବର୍ତ୍ତମାନ ଆପଣ ଜଣେ ଯିହୋବାଙ୍କ ସାକ୍ଷୀ ଅଟନ୍ତି ।

ଆପଣଙ୍କ ବାପ୍ତିସ୍ମ କʼଣ ସୂଚିତ କରେ

୨୩. ‘ପିତା, ପୁତ୍ର ଓ ପବିତ୍ର ଆତ୍ମା ନାମରେ ବାପ୍ତିସ୍ମ’ ନେବାର ଅର୍ଥ କʼଣ ଅଟେ ?

୨୩ ଯୀଶୁ ଖ୍ରୀଷ୍ଟ କହିଥିଲେ ଯେ ତାହାଙ୍କ ଶିଷ୍ୟମାନେ “ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ” ନେବେ । (ମାଥିଉ ୨୮:୧୯ ପଢ଼ନ୍ତୁ ।) ଏହାର ଅର୍ଥ କʼଣ ? ଏହାର ଅର୍ଥ ହେଉଛି, ଆପଣ ଯିହୋବାଙ୍କ ଅଧିକାରକୁ ସ୍ୱୀକାର କରନ୍ତି ଏବଂ ତାହାଙ୍କ ଉଦ୍ଦେଶ୍ୟ ପୂରଣ ହେବାରେ ଯୀଶୁଙ୍କର ଯେଉଁ ଭୂମିକା ରହିଛି, ତାକୁ ମଧ୍ୟ ସ୍ୱୀକାର କରନ୍ତି । ଆଉ, ଆପଣ ବିଶ୍ୱାସ କରନ୍ତି ଯେ ଈଶ୍ୱର ନିଜ ଉଦ୍ଦେଶ୍ୟ ପୂରଣ କରିବା ପାଇଁ ତାହାଙ୍କ ପବିତ୍ର ଆତ୍ମା ଅର୍ଥାତ୍‌ ତାହାଙ୍କ ସକ୍ରିୟ ଶକ୍ତିକୁ ବ୍ୟବହାର କରନ୍ତି ।— ଗୀତସଂହିତା ୮୩:୧୮; ମାଥିଉ ୨୮:୧୮; ଗାଲାତୀୟ ୫:୨୨, ୨୩; ୨ ପିତର ୧:୨୧.

ଯେତେବେଳେ ଆପଣ ବାପ୍ତିସ୍ମ ନିଅନ୍ତି, ଆପଣ ଦେଖାନ୍ତି ଯେ ଆପଣ ଈଶ୍ୱରଙ୍କ ଇଚ୍ଛା ପୂରଣ କରିବାକୁ ଚାହାନ୍ତି

୨୪, ୨୫. (କ) ବାପ୍ତିସ୍ମ ନେବା କେଉଁ କଥାକୁ ସୂଚିତ କରେ ? (ଖ) ଶେଷ ଅଧ୍ୟାୟରେ ଆମେ କʼଣ ଆଲୋଚନା କରିବା ?

୨୪ ବାପ୍ତିସ୍ମ ନେବା ଏକ ମହତ୍ତ୍ୱପୂର୍ଣ୍ଣ କଥାକୁ ସୂଚିତ କରେ । ଯେତେବେଳେ ଆପଣଙ୍କ ସମ୍ପୂର୍ଣ୍ଣ ଶରୀର ପାଣି ଭିତରକୁ ଯାଏ, ଏହା ଏପରି ଅଟେ ସତେ ଯେପରି ଆପଣଙ୍କ ଅତୀତ ଜୀବନ ଶେଷ ହୋଇଯାଇଛି କିମ୍ବା ଆପଣ ନିଜ ପୁରୁଣା ଜୀବନ ଛାଡ଼ି ଦେଇଛନ୍ତି । ଯେତେବେଳେ ଆପଣ ପାଣିରୁ ବାହାରି ଆସନ୍ତି, ଏହା ଏପରି ଅଟେ ସତେ ଯେପରି ଆପଣ ଏକ ନୂଆ ଜୀବନର ଆରମ୍ଭ କରୁଛନ୍ତି ଏବଂ ଏହା ପରେ ଆପଣ ଜୀବନ ସାରା ଈଶ୍ୱରଙ୍କ ଇଚ୍ଛା ପୂରଣ କରିବେ । ଆପଣଙ୍କ ବାପ୍ତିସ୍ମ ଦେଖାଏ ଯେ ବର୍ତ୍ତମାନଠାରୁ ଆପଣ ଯିହୋବାଙ୍କ ସେବା କରିବେ । ମନେ ରଖନ୍ତୁ, ଆପଣ କୌଣସି ମଣିଷ, ସଂଗଠନ କିମ୍ବା କୌଣସି କାମ ପାଇଁ ନିଜକୁ ସମର୍ପିତ କରି ନାହାନ୍ତି । ବରଂ ଆପଣ ଯିହୋବାଙ୍କୁ ନିଜ ଜୀବନ ସମର୍ପିତ କରିଛନ୍ତି ।

୨୫ ଆପଣଙ୍କ ସମର୍ପଣ ଯିହୋବାଙ୍କ ସହିତ ଆପଣଙ୍କ ମିତ୍ରତାକୁ ଆହୁରି ଘନିଷ୍ଠ କରିବାରେ ସାହାଯ୍ୟ କରିବ । (ଗୀତସଂହିତା ୨୫:୧୪) କିନ୍ତୁ ବାପ୍ତିସ୍ମ ନେବାର ଅର୍ଥ ଏହା ନୁହେଁ ଯେ ଆପଣଙ୍କ ଉଦ୍ଧାର ସୁନିଶ୍ଚିତ ଅଟେ । ପାଉଲ ଲେଖିଥିଲେ, “ଭୟ ଓ କମ୍ପ ସହ ନିଜ ଉଦ୍ଧାର ପାଇଁ କାମ କରି ଚାଲ ।” (ଫିଲିପ୍ପୀୟ ୨:୧୨, NW) ବାପ୍ତିସ୍ମ କେବଳ ଆରମ୍ଭ ମାତ୍ର । କିନ୍ତୁ ପ୍ରଶ୍ନ ଉଠେ ଯେ ଆପଣ ଯିହୋବାଙ୍କ ସହିତ ଘନିଷ୍ଠ ସମ୍ପର୍କ କିପରି ବଜାୟ ରଖିପାରିବେ ? ଏହି ପ୍ରଶ୍ନର ଉତ୍ତର ଏହି ବହିର ଶେଷ ଅଧ୍ୟାୟରେ ଦିଆଯିବ ।