इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୦୪

ସତ୍ୟ ଈଶ୍ୱର କିଏ ?

ସତ୍ୟ ଈଶ୍ୱର କିଏ ?

ଆରମ୍ଭରୁ ହିଁ ମଣିଷ ଅନେକ ଦେବାଦେବୀଙ୍କୁ ପୂଜା କରିଆସୁଛି । କିନ୍ତୁ ବାଇବଲ କହେ ଯେ ଏପରି ଏକ ଈଶ୍ୱର ଅଛନ୍ତି ଯିଏ ‘ସମସ୍ତ ଦେବତାଠାରୁ ମହାନ ଅଟନ୍ତି ।’ (୨ ବଂଶାବଳୀ ୨:୫) ସେ କିଏ ଓ କାହିଁକି ସମସ୍ତ ଦେବତାଙ୍କଠାରୁ ମହାନ ଅଟନ୍ତି ? ଏହି ଈଶ୍ୱର ନିଜେ ତାଙ୍କର ପରିଚୟ ଆମକୁ ଦିଅନ୍ତି । ଏହି ପାଠରେ ଆମେ ଏହି ଈଶ୍ୱରଙ୍କ ବିଷୟରେ ଜାଣିବା ।

୧. ଈଶ୍ୱରଙ୍କ ନାମ କʼଣ ଏବଂ ସେ ସମସ୍ତଙ୍କୁ ନିଜ ନାମ ଜଣାଇବା ପାଇଁ କʼଣ କରିଛନ୍ତି ?

ଈଶ୍ୱର ବାଇବଲରେ ନିଜ ନାମ କହିଛନ୍ତି । ସେ ନିଜେ କହନ୍ତି, “ଆମ୍ଭେ [“ମୁଁ,” NWT] ଯିହୋବାଃ ।” (ଯାତ୍ରା ପୁସ୍ତକ ୬:୨, ୩ ପଢ଼ନ୍ତୁ ।) ଏବ୍ରୀ ଭାଷାରେ ଈଶ୍ୱରଙ୍କ ଯେଉଁ ନାମ ଅଛି, ତାହାର ଓଡ଼ିଆରେ ଉଚ୍ଚାରଣ ହେଉଛି “ଯିହୋବା ।” କିଛି ବିଦ୍ୱାନ୍‌ଙ୍କ ଅନୁସାରେ ଏହି ନାମର ଅର୍ଥ ହେଉଛି, “ସେ ହେବାର କାରଣ ହୁଅନ୍ତି ।” ଯିହୋବା ଚାହାନ୍ତି ଯେ ଆମେ ତାଙ୍କ ନାମ ଜାଣୁ । (ଯାତ୍ରା ପୁସ୍ତକ ୩:୧୫) ଆମେ ଏହା କାହିଁକି କହିପାରିବା ? କାରଣ ବାଇବଲରେ ସେ ନିଜ ନାମକୁ ୭,୦୦୦ରୁ ବି ଅଧିକ ଥର ଲେଖାଇଛନ୍ତି । a ବାଇବଲରେ ଲେଖାଅଛି ଯେ ଯିହୋବା ହିଁ ସ୍ୱର୍ଗରେ ଓ ପୃଥିବୀରେ “ଏକମାତ୍ର ସତ୍ୟ ଈଶ୍ୱର” ଅଟନ୍ତି ।—ଯୋହନ ୧୭:୩.

୨. ବାଇବଲରେ ଯିହୋବାଙ୍କ ବିଷୟରେ କʼଣ କୁହାଯାଇଛି ?

ବାଇବଲରେ କୁହାଯାଇଛି ଯେ ସମସ୍ତ ଈଶ୍ୱରମାନଙ୍କ ମଧ୍ୟରୁ ଯିହୋବା ହିଁ ସତ୍ୟ ଈଶ୍ୱର ଅଟନ୍ତି । ଏହାର କିଛି କାରଣଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତୁ । ଯିହୋବା ହିଁ “ସମୁଦାୟ ଭୂମଣ୍ଡଳରେ ସର୍ବୋପରିସ୍ଥ” ଅଟନ୍ତି । ତାଙ୍କ ପାଖରେ ଯେତିକି ଅଧିକାର ଅଛି, ସେତିକି ଆଉ କାହାରିଠାରେ ନାହିଁ । (ଗୀତସଂହିତା ୮୩:୧୮ ପଢ଼ନ୍ତୁ ।) ସେ “ସର୍ବଶକ୍ତିମାନ” ଅଟନ୍ତି, ଅର୍ଥାତ୍‌ ତାଙ୍କ ପାଖରେ ସବୁକିଛି କରିବା ପାଇଁ ଶକ୍ତି ଅଛି । ସେ ‘ସମସ୍ତ ସୃଷ୍ଟି କରିଅଛନ୍ତି’ ଅର୍ଥାତ୍‌ ସମଗ୍ର ବିଶ୍ୱ ଓ ପୃଥିବୀରେ ଯାହା କିଛି ଅଛି, ସବୁ ସେ ହିଁ ସୃଷ୍ଟି କରିଛନ୍ତି । (ପ୍ରକାଶିତ ବାକ୍ୟ ୪:୮, ୧୧) କେବଳ ସେ ହିଁ ଏପରି ଜଣେ ଈଶ୍ୱର, ଯାହାଙ୍କର କୌଣସି ଆରମ୍ଭ ନାହିଁ କି ଶେଷ ନାହିଁ ।—ଗୀତସଂହିତା ୯୦:୨.

ଭାବନ୍ତୁ ଓ ଶିଖନ୍ତୁ

ଜାଣନ୍ତୁ ଯେ ଈଶ୍ୱରଙ୍କୁ “ପ୍ରଭୁ” ଭଳି ଉପାଧି ନେଇ ଡାକିବା ଏବଂ ତାଙ୍କୁ ଯିହୋବା ନାମ ନେଇ ଡାକିବାରେ କʼଣ ପାର୍ଥକ୍ୟ ଅଛି । ଏହା ମଧ୍ୟ ଜାଣନ୍ତୁ ଯେ ସେ ଆପଣଙ୍କୁ ନିଜ ନାମ କାହିଁକି ଓ କିପରି କହିଛନ୍ତି ।

୩. ଈଶ୍ୱରଙ୍କ ଅନେକ ଉପାଧି ଅଛି, କିନ୍ତୁ ନାମ କେବଳ ଗୋଟିଏ

ଜଣେ ବ୍ୟକ୍ତିର ଉପାଧି ଓ ତାʼ ନାମ ମଧ୍ୟରେ କʼଣ ପାର୍ଥକ୍ୟ ରହିଛି, ତାହା ଜାଣିବା ପାଇଁ ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।

  • ଈଶ୍ୱରଙ୍କୁ “ପ୍ରଭୁ” ଭଳି ଉପାଧି ନେଇ ଡାକିବାରେ ଏବଂ ତାଙ୍କୁ ଯିହୋବା ନାମ ନେଇ ଡାକିବାରେ କʼଣ ପାର୍ଥକ୍ୟ ଅଛି ?

ବାଇବଲରେ ଲେଖାଅଛି ଯେ ଲୋକେ ଅନେକ ଈଶ୍ୱରଙ୍କୁ ଉପାସନା କରନ୍ତି । କିନ୍ତୁ ଦେଖନ୍ତୁ ଯେ ବାଇବଲରେ ଯିହୋବାଙ୍କ ବିଷୟରେ କʼଣ କୁହାଯାଇଛି । ଗୀତସଂହିତା ୧୩୬:୧-୩ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ବାଇବଲରେ ଯିହୋବାଙ୍କ ବିଷୟରେ କʼଣ କୁହାଯାଇଛି ?

୪. ଯିହୋବା ଚାହାନ୍ତି ଯେ ଆପଣ ତାଙ୍କ ନାମ ଜାଣନ୍ତୁ ଏବଂ ତାଙ୍କ ନାମ ନେଇ ତାଙ୍କୁ ଡାକନ୍ତୁ

ଆମେ କାହିଁକି କହିପାରିବା ଯେ ଯିହୋବା ଚାହାନ୍ତି ଆମେ ତାଙ୍କ ନାମ ଜାଣୁ ? ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।

  • କʼଣ ଯିହୋବା ଚାହାନ୍ତି ଯେ ଲୋକେ ତାଙ୍କ ନାମ ଜାଣନ୍ତୁ ? ଆପଣଙ୍କୁ ଏପରି କାହିଁକି ଲାଗେ ?

ଯିହୋବା ଚାହାନ୍ତି ଯେ ଲୋକେ ତାଙ୍କ ନାମ ନେଇ ତାଙ୍କୁ ଡାକନ୍ତୁ । ରୋମୀୟ ୧୦:୧୩ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଆମେ ଯିହୋବାଙ୍କୁ କାହିଁକି ତାଙ୍କ ନାମ ଧରି ଡାକିବା ଉଚିତ୍‌ ?

  • ଯେତେବେଳେ କେହି ଆପଣଙ୍କ ନାମ ମନେ ରଖନ୍ତି ଏବଂ ସେହି ନାମରେ ଆପଣଙ୍କୁ ଡାକନ୍ତି, ଆପଣଙ୍କୁ କିପରି ଲାଗେ ?

  • ଯେତେବେଳେ ଆପଣ ଯିହୋବାଙ୍କୁ ତାଙ୍କ ନାମ ଧରି ଡାକିବେ, ତାଙ୍କୁ କିପରି ଲାଗିବ ?

୫. ଯିହୋବା ଚାହାନ୍ତି ଯେ ଆପଣ ତାଙ୍କୁ ଜାଣନ୍ତୁ

ସୋଟେନ୍‌ ନାମକ ଜଣେ ମହିଳା କହନ୍ତି ଯେ ଯେତେବେଳେ ସେ ଈଶ୍ୱରଙ୍କ ନାମ ଜାଣିଲେ, ସେ ଏତେ ଖୁସି ହେଲେ ଯେତେ ସେ ପୂର୍ବରୁ କେବେ ବି ହୋଇ ନ ଥିଲେ । ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।

  • ଈଶ୍ୱରଙ୍କ ନାମ ଜାଣିଲା ପରେ ସୋଟେନ୍‌ଙ୍କ ଜୀବନ ଉପରେ କʼଣ ପ୍ରଭାବ ପଡ଼ିଲା ?

ଆମେ କାହାରି ସହ ସାଙ୍ଗ ହେବା ପୂର୍ବରୁ ପ୍ରଥମେ ତାଙ୍କ ନାମ ପଚାରୁ । ଯାକୁବ ୪:୮କ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଯିହୋବା ଆପଣଙ୍କୁ କʼଣ କହନ୍ତି ?

  • ଈଶ୍ୱରଙ୍କ ନାମ ଜାଣିବା ଓ ତାଙ୍କୁ ସେହି ନାମ ଧରି ଡାକିବା ଦ୍ୱାରା ଆପଣ କିପରି ତାଙ୍କ ସହ ଏକ ସମ୍ପର୍କ ଗଢ଼ିପାରିବେ ?

କିଛି ଲୋକ କହନ୍ତି: “ଈଶ୍ୱର ତ ଜଣେ, ଆପଣ ତାଙ୍କୁ ଯେଉଁ ନାମରେ ବି ଡାକନ୍ତୁ, ସେଥିରୁ କିଛି ଫରକ ପଡ଼େନି ।”

  • କʼଣ ଆପଣ ବିଶ୍ୱାସ କରନ୍ତି ଯେ ଈଶ୍ୱରଙ୍କ ନାମ ଯିହୋବା ଅଟେ ?

  • ଈଶ୍ୱର ଚାହାନ୍ତି ଯେ ଆପଣ ତାଙ୍କ ନାମ ନେଇ ତାଙ୍କୁ ଡାକନ୍ତୁ । ଆପଣ ଏ କଥା ଅନ୍ୟମାନଙ୍କୁ କିପରି ବୁଝାଇପାରିବେ ?

ଆମେ କʼଣ ଶିଖିଲୁ ?

କେବଳ ଜଣେ ସତ୍ୟ ଈଶ୍ୱର ଅଛନ୍ତି ଏବଂ ତାଙ୍କ ନାମ ହେଉଛି ଯିହୋବା । ସେ ଚାହାନ୍ତି ଯେ ଆମେ ତାଙ୍କ ନାମ ଜାଣୁ, ତାଙ୍କ ନାମ ନେଇ ତାଙ୍କୁ ଡାକୁ ଏବଂ ତାଙ୍କ ସାଙ୍ଗ ହେଉ ।

ଆପଣ କʼଣ କହିବେ ?

  • ଯିହୋବା କିପରି ସମସ୍ତ ଦେବାଦେବୀଙ୍କଠାରୁ ଭିନ୍ନ ଅଟନ୍ତି ?

  • ଆମେ କାହିଁକି ଯିହୋବାଙ୍କୁ ତାଙ୍କ ନାମ ନେଇ ଡାକିବା ଉଚିତ୍‌ ?

  • ଯିହୋବା ଆମକୁ ତାଙ୍କ ବିଷୟରେ ଜଣାଇବା ପାଇଁ କʼଣ କʼଣ କରିଛନ୍ତି ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

ଈଶ୍ୱର ପ୍ରକୃତରେ ଅଛନ୍ତି । ଏହାର ଅନେକ ପ୍ରମାଣ ରହିଛି, ଏ ମଧ୍ୟରୁ ପାଞ୍ଚୋଟି ପ୍ରତି ଧ୍ୟାନ ଦିଅନ୍ତୁ ।

“କʼଣ ଈଶ୍ୱର ପ୍ରକୃତରେ ଅଛନ୍ତି ?” (jw.org ୱେବସାଇଟ୍‌ରେ ଥିବା ଲେଖା)

ଈଶ୍ୱରଙ୍କର କୌଣସି ଆରମ୍ଭ ନାହିଁ । ଏବିଷୟରେ ଜାଣିବା ପାଇଁ ଏହି ଲେଖା ପଢ଼ନ୍ତୁ ।

“ଈଶ୍ୱରଙ୍କୁ କିଏ ସୃଷ୍ଟି କରିଛି ?” (ପ୍ରହରୀଦୁର୍ଗ-ହି, ୧ ଅକ୍ଟୋବର, ୨୦୧୪)

ଆମେ ଜାଣି ନାହୁଁ ଯେ ପ୍ରାଚୀନ କାଳରେ ଈଶ୍ୱରଙ୍କ ନାମକୁ କିପରି ଉଚ୍ଚାରଣ କରାଯାଉଥିଲା । ତଥାପି ଆମେ ତାଙ୍କ ନାମ ନେବା ଉଚିତ୍‌ । ତାହା କାହିଁକି ?

“ଯିହୋବା କିଏ ?” (jw.org ୱେବସାଇଟ୍‌ରେ ଥିବା ଲେଖା)

ଲୋକେ ଈଶ୍ୱରଙ୍କୁ ଅଲଗା ଅଲଗା ନାମ ନେଇ ଡାକନ୍ତି । ଜାଣନ୍ତୁ ଯେ ଆମେ କାହିଁକି କହିପାରିବା ଯେ ଈଶ୍ୱରଙ୍କ ନିଜର ଏକ ନାମ ଅଛି ।

“ଈଶ୍ୱରଙ୍କ କେତୋଟି ନାମ ଅଛି ?” (jw.org ୱେବସାଇଟ୍‌ରେ ଥିବା ଲେଖା)

a ଈଶ୍ୱରଙ୍କ ନାମର ଅର୍ଥ ବିଷୟରେ ଆହୁରି ଅଧିକ ଜାଣିବା ପାଇଁ ଏବଂ କିଛି ବାଇବଲରୁ ଈଶ୍ୱରଙ୍କ ନାମକୁ କାହିଁକି କାଢ଼ି ଦିଆଯାଇଛି, ସେବିଷୟରେ ଜାଣିବା ପାଇଁ ପବିତ୍ର ଶାସ୍ତ୍ରର ନୂତନ ଜଗତ ଅନୁବାଦର (ହିନ୍ଦୀ) ଅତିରିକ୍ତ ଲେଖା କ୪ ଦେଖନ୍ତୁ ।