इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୦୯

ପ୍ରାର୍ଥନା ଦ୍ୱାରା ଯିହୋବାଙ୍କ ନିକଟକୁ ଆସନ୍ତୁ

ପ୍ରାର୍ଥନା ଦ୍ୱାରା ଯିହୋବାଙ୍କ ନିକଟକୁ ଆସନ୍ତୁ

ଆମ ଜୀବନରେ ଅନେକ ଥର ଏପରି ପରିସ୍ଥିତି ଆସେ ଯେତେବେଳେ ଆମେ ବୁଝିପାରି ନ ଥାଉ ଯେ ଆମକୁ କʼଣ କରିବା ଉଚିତ୍‌ । ବେଳେ ବେଳେ ଆମ ମନରେ କିଛି ପ୍ରଶ୍ନ ଆସେ ଯାହାର ଉତ୍ତର ଆମେ ଜାଣିବା ପାଇଁ ଚାହୁଁ । ଅନେକ ଥର ଆମେ କିଛି ଦୁଃଖ ଯୋଗୁଁ ପୂରାପୂରି ଭାଙ୍ଗିପଡ଼ିଥାଉ । ଏପରି ସମୟଗୁଡ଼ିକରେ ପ୍ରାର୍ଥନା କଲେ ଆମକୁ ବହୁତ ସାହାଯ୍ୟ ମିଳିପାରେ । ପ୍ରାର୍ଥନା କରିବା ଦ୍ୱାରା ଯିହୋବାଙ୍କ ସହ ଆମ ସମ୍ପର୍କ ଆହୁରି ମଜବୁତ୍‌ ହୁଏ । କିନ୍ତୁ ଆମେ କିପରି ପ୍ରାର୍ଥନା କରିବା ଉଚିତ୍‌ ? କʼଣ ଈଶ୍ୱର ସମସ୍ତଙ୍କ ପ୍ରାର୍ଥନା ଶୁଣନ୍ତି ? ଯଦି ଆପଣ ଚାହାନ୍ତି ଯେ ଈଶ୍ୱର ଆପଣଙ୍କ ପ୍ରାର୍ଥନା ଶୁଣନ୍ତୁ, ତାହେଲେ ଆପଣଙ୍କୁ କʼଣ କରିବା ଉଚିତ୍‌ ? ଆସନ୍ତୁ ଦେଖିବା ।

୧. ଆମେ କାହାକୁ ପ୍ରାର୍ଥନା କରିବା ଉଚିତ୍‌ ଏବଂ ଆମେ କେଉଁ ବିଷୟରେ ପ୍ରାର୍ଥନା କରିପାରିବା ?

ଯୀଶୁ କହିଥିଲେ ଯେ ଆମେ କାହାକୁ ପ୍ରାର୍ଥନା କରିବା ଉଚିତ୍‌ । ସେ କହିଲେ, “ତୁମ୍ଭେମାନେ ଏହି ପ୍ରକାରେ ପ୍ରାର୍ଥନା କର, ହେ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା . . . ” (ମାଥିଉ ୬:୯) ଏଥିରୁ ଜଣାପଡ଼େ ଯେ ଆମେ କେବଳ ଆମ ପିତା ଯିହୋବାଙ୍କୁ ପ୍ରାର୍ଥନା କରିବା ଉଚିତ୍‌ । ଯୀଶୁ ମଧ୍ୟ ଯିହୋବାଙ୍କୁ ପ୍ରାର୍ଥନା କରୁଥିଲେ । ଯିହୋବାଙ୍କୁ ପ୍ରାର୍ଥନା କରିବା ଦ୍ୱାରା ତାଙ୍କ ସହ ଆମ ସମ୍ପର୍କ ମଜବୁତ୍‌ ହୁଏ ଏବଂ ସେ ଆମର ଜଣେ ଭଲ ସାଙ୍ଗ ହୋଇଯାʼନ୍ତି ।

ଆମେ ଯେକୌଣସି ବିଷୟରେ ଯିହୋବାଙ୍କୁ ପ୍ରାର୍ଥନା କରିପାରିବା । କିନ୍ତୁ ଆମେ ତାଙ୍କ ଇଚ୍ଛା ଅନୁସାରେ ପ୍ରାର୍ଥନା କଲେ ହିଁ ସେ ତାହା ଶୁଣିବେ । ବାଇବଲରେ ଲେଖାଅଛି, “ଆମ୍ଭେମାନେ ଯେବେ ତାହାଙ୍କ ଇଚ୍ଛାନୁସାରେ କୌଣସି ପ୍ରାର୍ଥନା କରୁ, ତେବେ ସେ ଆମ୍ଭମାନଙ୍କର ସେହି ପ୍ରାର୍ଥନା ଶୁଣନ୍ତି ।” (୧ ଯୋହନ ୫:୧୪) ଯୀଶୁ କହିଥିଲେ ଯେ ଆମେ କେଉଁ କେଉଁ ବିଷୟ ପାଇଁ ପ୍ରାର୍ଥନା କରିପାରିବା । (ମାଥିଉ ୬:୯-୧୩ ପଢ଼ନ୍ତୁ ।) ଆମେ ତାଙ୍କୁ ନିଜ ଚିନ୍ତାଗୁଡ଼ିକ କହିପାରିବା । ଆମେ କେବଳ ନିଜ ପାଇଁ ନୁହେଁ, ବରଂ ଅନ୍ୟମାନଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରିପାରିବା । ଈଶ୍ୱର ଆମ ପାଇଁ ଯାହା ଯାହା କରିଛନ୍ତି, ତାʼପାଇଁ ମଧ୍ୟ ଆମେ ତାଙ୍କୁ ଧନ୍ୟବାଦ ଦେଇପାରିବା ।

୨. ଆମେ କିପରି ପ୍ରାର୍ଥନା କରିବା ଉଚିତ୍‌ ?

ଈଶ୍ୱର ଆମକୁ ତାଙ୍କ ଆଗରେ ମନର ସବୁ କଥା ଖୋଲି କହିବା ପାଇଁ କୁହନ୍ତି । (ଗୀତସଂହିତା ୬୨:୮) ଆମେ ହୃଦୟରୁ ପ୍ରାର୍ଥନା କରିବା ଉଚିତ୍‌ । ଆମେ ଉଚ୍ଚ ସ୍ୱରରେ କିମ୍ବା ମନେ ମନେ ଯିହୋବାଙ୍କୁ ପ୍ରାର୍ଥନା କରିପାରିବା । ଆମେ ଛିଡ଼ା ହୋଇ କିମ୍ବା ବସିକି ଆଦରର ସହ ତାଙ୍କୁ ପ୍ରାର୍ଥନା କରିପାରିବା । ଆମେ ଯେକୌଣସି ସମୟରେ ଓ ଯେକୌଣସି ଜାଗାରେ ମଧ୍ୟ ତାଙ୍କୁ ପ୍ରାର୍ଥନା କରିପାରିବା ।

୩. ଈଶ୍ୱର ଆମ ପ୍ରାର୍ଥନାଗୁଡ଼ିକର ଉତ୍ତର କିପରି ଦିଅନ୍ତି ?

ସେ ଅନେକ ଉପାୟରେ ଏପରି କରନ୍ତି । ଉଦାହରଣ ପାଇଁ, ଯିହୋବା ଆମକୁ ନିଜ ବାକ୍ୟ ବାଇବଲ ଦେଇଛନ୍ତି, ଯେଉଁଥିରେ ଆମକୁ ନିଜ ପ୍ରଶ୍ନଗୁଡ଼ିକର ଉତ୍ତର ମିଳେ । ବାଇବଲ “ଅଳ୍ପ ବୁଦ୍ଧିର ଜ୍ଞାନଦାୟକ” ଅର୍ଥାତ୍‌ ଯାହାକୁ ଜୀବନର କୌଣସି ଅନୁଭୂତି ନାହିଁ, ସେ ମଧ୍ୟ ବାଇବଲ ପଢ଼ିଲେ ବୁଦ୍ଧିମାନ ହୋଇଯାଏ । (ଗୀତସଂହିତା ୧୯:୭; ଯାକୁବ ୧:୫ ପଢ଼ନ୍ତୁ ।) ଯେତେବେଳେ ଆମେ ସମସ୍ୟାରେ ଥାଉ, ସେତେବେଳେ ଈଶ୍ୱର ଆମକୁ ମନର ଶାନ୍ତି ଦିଅନ୍ତି । ଅନେକ ସମୟରେ ସେ ନିଜ ସେବକମାନଙ୍କ ଜରିଆରେ ମଧ୍ୟ ଆମକୁ ସାହାଯ୍ୟ କରନ୍ତି ।

ଭାବନ୍ତୁ ଓ ଶିଖନ୍ତୁ

ଜାଣନ୍ତୁ ଯେ ଆମେ କିପରି ପ୍ରାର୍ଥନା କଲେ, ଈଶ୍ୱର ତାହା ଶୁଣିବେ ଏବଂ ପ୍ରାର୍ଥନା କରିବା ଦ୍ୱାରା ଆପଣଙ୍କୁ କʼଣ ଲାଭ ହେବ ।

୪. ଈଶ୍ୱର କହିଛନ୍ତି ଯେ ସେ କାହାର ପ୍ରାର୍ଥନା ଶୁଣନ୍ତି

ଆମେ କʼଣ କଲେ ଈଶ୍ୱର ଆମ ପ୍ରାର୍ଥନା ଶୁଣିବେ ? ଭିଡିଓ ଦେଖନ୍ତୁ 

ଯିହୋବା ଚାହାନ୍ତି ଯେ ଆମେ ତାଙ୍କୁ ପ୍ରାର୍ଥନା କରୁ । ଗୀତସଂହିତା ୬୫:୨ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • କʼଣ “ପ୍ରାର୍ଥନା ଶ୍ରବଣକାରୀ” ଚାହାନ୍ତି ଯେ ଆପଣ ତାଙ୍କୁ ପ୍ରାର୍ଥନା କରନ୍ତୁ ? ଆପଣଙ୍କୁ ଏପରି କାହିଁକି ଲାଗେ ?

ଯଦି ଆମେ ଚାହୁଁ ଯେ ଈଶ୍ୱର ଆମ ପ୍ରାର୍ଥନା ଶୁଣନ୍ତୁ, ତାହେଲେ ଆମେ ଏପରି କାମ କରିବା ଉଚିତ୍‌ ଯାହା ତାଙ୍କ ଦୃଷ୍ଟିରେ ଠିକ୍‌ । ମୀଖା ୩:୪ ୧ ପିତର ୩:୧୨ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • କʼଣ କଲେ ଯିହୋବା ଆମ ପ୍ରାର୍ଥନା ଶୁଣିବେ ?

ଗୋଟିଏ ଯୁଦ୍ଧରେ ଦୁଇଟି ପକ୍ଷର ସୈନିକମାନେ ଜିତିବା ପାଇଁ ପ୍ରାର୍ଥନା କରୁଛନ୍ତି । କʼଣ ଈଶ୍ୱର ଏପରି ପ୍ରାର୍ଥନା ଶୁଣିବେ ?

୫. ଆମେ ମନ ଖୋଲି ନିଜ କଥା ଯିହୋବାଙ୍କୁ କହିବା ଉଚିତ୍‌

କିଛି ଲୋକ ପ୍ରାର୍ଥନାକୁ ମୁଖସ୍ଥ କରି ତାହା ଦୋହରାଇ ଥାʼନ୍ତି । କାରଣ ସେମାନଙ୍କୁ ଏପରି ହିଁ ଶିଖାଯାଇଛି । କିନ୍ତୁ କʼଣ ଈଶ୍ୱର ଏପରି ପ୍ରାର୍ଥନାକୁ ପସନ୍ଦ କରନ୍ତି ? ମାଥିଉ ୬:୭ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଏଠାରେ କୁହାଯାଇଛି ଯେ “ଅନର୍ଥକ ପୁନରୁକ୍ତି କର ନାହିଁ ।” ଆମେ ପ୍ରାର୍ଥନା କରିବା ସମୟରେ ଏକଥାକୁ କିପରି ଧ୍ୟାନରେ ରଖିପାରିବା ?

ପ୍ରତିଦିନ ଭାବନ୍ତୁ ଯେ ଆଜି ଯିହୋବା ଆପଣଙ୍କ ପାଇଁ କʼଣ କରିଛନ୍ତି । ସେହି ଆଶିଷ ପାଇଁ ଯିହୋବାଙ୍କୁ ଧନ୍ୟବାଦ ଦିଅନ୍ତୁ । ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଏପରି କରନ୍ତୁ । ଏପରି ଭାବରେ, ଆପଣ ସାତଟି କଥା ପାଇଁ ଯିହୋବାଙ୍କୁ ଧନ୍ୟବାଦ ଦେଇପାରିବେ ଏବଂ ଗୋଟିଏ କଥାକୁ ବାରମ୍ବାର ଦୋହରାଇବେ ନାହିଁ ।

ଜଣେ ପିତା ଚାହାନ୍ତି ଯେ ତାଙ୍କ ପୁଅ ତାଙ୍କ ସହ ମନ ଖୋଲି କଥା ହେଉ । ଠିକ୍‌ ସେହିପରି, ଯିହୋବା ମଧ୍ୟ ଚାହାନ୍ତି ଯେ ଆମେ ମନ ଖୋଲି ତାଙ୍କୁ ପ୍ରାର୍ଥନା କରୁ

୬. ପ୍ରାର୍ଥନା ଈଶ୍ୱରଙ୍କ ତରଫରୁ ଏକ ଆଶିଷ

ପ୍ରାର୍ଥନା କଲେ ଆମକୁ ଖରାପ ପରିସ୍ଥିତିରେ ମଧ୍ୟ ସାହସ ମିଳେ । ଭିଡିଓ ଦେଖନ୍ତୁ 

ବାଇବଲରେ ଲେଖାଅଛି ଯେ ପ୍ରାର୍ଥନା କଲେ ଆମକୁ ମନର ଶାନ୍ତି ମିଳେ । ଫିଲିପ୍‌ପୀୟ ୪:୬, ୭ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ପ୍ରାର୍ଥନା କଲେ ହୁଏତ ଆମ ସବୁ ସମସ୍ୟା ଦୂର ହୋଇ ନ ପାରେ, କିନ୍ତୁ ଏଥିରୁ ଆମକୁ କʼଣ ଲାଭ ହେବ ?

  • ଆପଣ କେଉଁ କଥାଗୁଡ଼ିକ ପାଇଁ ପ୍ରାର୍ଥନା କରିବାକୁ ଚାହାନ୍ତି ?

କʼଣ ଆପଣ ଜାଣନ୍ତି ?

“ଆମେନ୍‌” ଶବ୍ଦର ଅର୍ଥ ହେଉଛି, “ଏହା ହିଁ ହେଉ” କିମ୍ବା “ନିଶ୍ଚୟ ହେଉ ।” ପ୍ରାଚୀନ କାଳରେ ମଧ୍ୟ ଈଶ୍ୱରଙ୍କ ଲୋକମାନେ ପ୍ରାର୍ଥନାର ଶେଷରେ “ଆମେନ୍‌” କହୁଥିଲେ ।—୧ ବଂଶାବଳୀ ୧୬:୩୬.

୭. ପ୍ରାର୍ଥନା କରିବା ପାଇଁ ସମୟ ବାହାର କରନ୍ତୁ

ବେଳେ ବେଳେ ଆମେ ଏତେ ବ୍ୟସ୍ତ ଥାଉ ଯେ ଆମେ ପ୍ରାର୍ଥନା କରିବା ପାଇଁ ହିଁ ଭୁଲି ଯାଉ । ଯୀଶୁ ପ୍ରାର୍ଥନା କରିବାକୁ କେତେ ମହତ୍ତ୍ୱ ଦେଉଥିଲେ ? ମାଥିଉ ୧୪:୨୩ ମାର୍କ ୧:୩୫ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଯୀଶୁ ପ୍ରାର୍ଥନା କରିବା ପାଇଁ ସମୟ କିପରି ବାହାର କଲେ ?

  • ଆପଣ କେଉଁ ସମୟରେ ପ୍ରାର୍ଥନା କରିପାରିବେ ?

କିଛି ଲୋକ କହନ୍ତି: “ଆମେ ଯାହାକୁ ବି ପ୍ରାର୍ଥନା କରିପାରିବା, ସବୁ ପ୍ରାର୍ଥନା ଈଶ୍ୱରଙ୍କ ପାଖକୁ ଯାଏ ।”

  • ଯଦି କେହି ଏପରି କହନ୍ତି, ତାହେଲେ ଆପଣ କʼଣ କହିବେ ?

ଆମେ କʼଣ ଶିଖିଲୁ ?

ହୃଦୟରୁ ପ୍ରାର୍ଥନା କଲେ ଯିହୋବାଙ୍କ ସହ ଆମ ସମ୍ପର୍କ ମଜବୁତ୍‌ ହୁଏ । ଆମକୁ ମନର ଶାନ୍ତି ମିଳେ ଏବଂ ଯିହୋବାଙ୍କ କଥା ମାନିବା ପାଇଁ ସାହସ ମିଳେ ।

ଆପଣ କʼଣ କହିବେ ?

  • ଆମେ କାହାକୁ ପ୍ରାର୍ଥନା କରିବା ଉଚିତ୍‌ ?

  • ଆମେ କିପରି ପ୍ରାର୍ଥନା କରିବା ଉଚିତ୍‌ ?

  • ପ୍ରାର୍ଥନା କଲେ ଆମକୁ କʼଣ ଲାଭ ହେବ ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

ପ୍ରାର୍ଥନା ସହ ଜଡ଼ିତ ସାତଟି ପ୍ରଶ୍ନର ଉତ୍ତର ଜାଣନ୍ତୁ ।

“ପ୍ରାର୍ଥନା ବିଷୟରେ ଥିବା ସାତଟି ପ୍ରଶ୍ନ” (ଅନଲାଇନ୍‌ ଲେଖା-ହି)

ଜାଣନ୍ତୁ ଯେ ଆମେ କାହିଁକି ପ୍ରାର୍ଥନା କରିବା ଉଚିତ୍‌ ଏବଂ ଆମେ କିପରି ଭଲ ଭାବେ ପ୍ରାର୍ଥନା କରିପାରିବା ।

“ମୁଁ କାହିଁକି ପ୍ରାର୍ଥନା କରିବି ?” (jw.org ୱେବସାଇଟ୍‌ରେ ଥିବା ଲେଖା)

ଆମେ କାହାକୁ ପ୍ରାର୍ଥନା କରିବା ଉଚିତ୍‌ ? ଜାଣନ୍ତୁ ଏବିଷୟରେ ବାଇବଲରେ କʼଣ ଲେଖାଅଛି ।

“କʼଣ ଆମେ ସନ୍ଥମାନଙ୍କୁ ପ୍ରାର୍ଥନା କରିବା ଉଚିତ୍‌ ?” (jw.org ୱେବସାଇଟ୍‌ରେ ଥିବା ଲେଖା)

ସଂଗୀତର ଏହି ଭିଡିଓ ଦେଖନ୍ତୁ । ଏଥିରେ କୁହାଯାଇଛି ଯେ ଆମେ ଯେକୌଣସି ସମୟରେ ଓ ଯେକୌଣସି ଜାଗାରେ ପ୍ରାର୍ଥନା କରିପାରିବା ।

ଯେବେ ବି ଯିହୋବାଙ୍କୁ ପ୍ରାର୍ଥନା କରେ (୧:୨୨)