इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୧୬

ଯୀଶୁ ପୃଥିବୀରେ ଥିବା ବେଳେ କʼଣ କʼଣ କଲେ ?

ଯୀଶୁ ପୃଥିବୀରେ ଥିବା ବେଳେ କʼଣ କʼଣ କଲେ ?

ଆପଣ ଯୀଶୁଙ୍କ ବିଷୟରେ କʼଣ ଜାଣିଛନ୍ତି ? ହୁଏତ ଆପଣ ତାଙ୍କର ଜନ୍ମ ଓ ମୃତ୍ୟୁ ବିଷୟରେ କିଛି କଥା ଜାଣିଥିବେ । କିନ୍ତୁ କʼଣ ଆମେ ତାଙ୍କ ବିଷୟରେ ଆହୁରି ଅଧିକ ଜାଣିପାରିବା ? ହଁ । ଯୀଶୁ ପୃଥିବୀରେ ଥିବା ବେଳେ ଅନେକ ମହତ୍ତ୍ୱପୂର୍ଣ୍ଣ କାମ କରିଥିଲେ । ଏହି ପାଠରେ ଆମେ ଦେଖିବା ଯେ ଯୀଶୁ ଖ୍ରୀଷ୍ଟ ଏହି ପୃଥିବୀରେ ଥିବା ବେଳେ କʼଣ କʼଣ କଲେ ଏବଂ ଏହା କିପରି ଆମକୁ ସାହାଯ୍ୟ କରିପାରିବ ।

୧. ଯୀଶୁଙ୍କ ପାଇଁ ସବୁଠୁ ଜରୁରୀ କାମ କʼଣ ଥିଲା ?

ଯୀଶୁଙ୍କ ପାଇଁ ସବୁଠୁ ଜରୁରୀ କାମ ଥିଲା “ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର” କରିବା । (ଲୂକ ୪:୪୩ ପଢ଼ନ୍ତୁ ।) ସେ ଲୋକମାନଙ୍କୁ ପ୍ରଚାର କରି କହିଲେ ଯେ ଈଶ୍ୱରଙ୍କ ରାଜ୍ୟ ବା ତାଙ୍କ ସରକାର ହିଁ ମଣିଷମାନଙ୍କ ସବୁ ସମସ୍ୟାକୁ ଦୂର କରିଦେବ । a ସାଢ଼େ ତିନି ବର୍ଷ ଦିନ ରାତି ପରିଶ୍ରମ କରି ସେ ଲୋକମାନଙ୍କୁ ଏହି ସୁସମାଚାର ଶୁଣାଇଲେ ।—ମାଥିଉ ୯:୩୫.

୨. ଯୀଶୁ କାହିଁକି ଚମତ୍କାର କଲେ ?

ବାଇବଲରେ ଲେଖାଅଛି ଯେ ଯିହୋବା ଯୀଶୁଙ୍କ ଜରିଆରେ ‘ନାନା ଶକ୍ତିର କାର୍ଯ୍ୟ, ଅଦ୍ଭୁତ କର୍ମ ଓ ଚମତ୍କାର’ କଲେ । (ପ୍ରେରିତ ୨:୨୨) ଈଶ୍ୱରଙ୍କ ଶକ୍ତି ଦ୍ୱାରା ଯୀଶୁ ଝଡ଼କୁ ଶାନ୍ତ କଲେ, ହଜାର ହଜାର ଲୋକଙ୍କୁ ଖୁଆଇଲେ, ରୋଗୀମାନଙ୍କୁ ଠିକ୍‌ କଲେ ଏବଂ ମରିଯାଇଥିବା ଲୋକମାନଙ୍କୁ ବି ପୁଣି ଜୀବିତ କଲେ । (ମାଥିଉ ୮:୨୩-୨୭; ୧୪:୧୫-୨୧; ମାର୍କ ୬:୫୬; ଲୂକ ୭:୧୧-୧୭) ଯୀଶୁ ଯେଉଁ ଚମତ୍କାର କଲେ, ସେଥିରୁ ଜଣାପଡ଼େ ଯେ ତାଙ୍କୁ ଯିହୋବା ହିଁ ପଠାଇଥିଲେ । ଆଉ ଯିହୋବାଙ୍କ ପାଖରେ ହିଁ ଆମ ସମସ୍ୟାଗୁଡ଼ିକୁ ଦୂର କରିବାର ଶକ୍ତି ଅଛି ।

୩. ଆମେ ଯୀଶୁଙ୍କଠାରୁ କʼଣ ଶିଖୁ ?

ଯୀଶୁ ସବୁବେଳେ ଯିହୋବାଙ୍କ ଆଜ୍ଞା ପାଳନ କରୁଥିଲେ । (ଯୋହନ ୮:୨୯ ପଢ଼ନ୍ତୁ ।) ତାଙ୍କୁ ବହୁତ ବିରୋଧର ସାମନା କରିବାକୁ ପଡ଼ିଥିଲା, ତଥାପି ସେ ନିଜ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଯିହୋବାଙ୍କ ଆଜ୍ଞା ପାଳନ କଲେ । ତାଙ୍କଠାରୁ ଆମେ ଶିଖୁ ଯେ ଜଣେ ମଣିଷ କଠିନ ପରିସ୍ଥିତି ସତ୍ତ୍ୱେ ଯିହୋବାଙ୍କ ଆଜ୍ଞା ପାଳନ କରିପାରିବ । ଏପରି ଭାବରେ ସେ ନିଜ ପଦଚିହ୍ନରେ ଚାଲିବା ପାଇଁ ଆମମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇ ଦେଇ ଯାଇଛନ୍ତି ।୧ ପିତର ୨:୨୧.

ଭାବନ୍ତୁ ଓ ଶିଖନ୍ତୁ

ଜାଣନ୍ତୁ ଯେ ଯୀଶୁ ଖୁସିର ଖବର ପ୍ରଚାର କରିବା ପାଇଁ ଯାହା କଲେ ଏବଂ ଯେଭଳି ଭାବେ ଚମତ୍କାର କଲେ, ସେଥିରୁ ଆମେ ଯୀଶୁଙ୍କ ବିଷୟରେ କʼଣ ଶିଖିପାରିବା ।

୪. ଯୀଶୁ ଅନ୍ୟମାନଙ୍କୁ ଖୁସିର ଖବର ଶୁଣାଇଲେ

ଯୀଶୁ ଅଧିକରୁ ଅଧିକ ଲୋକଙ୍କୁ ଖୁସିର ଖବର ଶୁଣାଇବା ପାଇଁ ଧୂଳିମାଟି ଭରା ରାସ୍ତାରେ ଶହ ଶହ କିଲୋମିଟର ଚାଲି ଚାଲି ଗଲେ । ଲୂକ ୮:୧ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • କʼଣ ଯୀଶୁ କେବଳ ସେମାନଙ୍କୁ ପ୍ରଚାର କରୁଥିଲେ, ଯେଉଁମାନେ ତାଙ୍କ କଥା ଶୁଣିବାକୁ ଆସୁଥିଲେ ?

  • ଯୀଶୁ ଲୋକମାନଙ୍କୁ ଖୁସିର ଖବର ଶୁଣାଇବା ପାଇଁ କʼଣ କʼଣ କଲେ ?

ଈଶ୍ୱର ବହୁତ ପୂର୍ବରୁ ହିଁ କହିଥିଲେ ଯେ ମସୀହ ସୁସମାଚାରର ପ୍ରଚାର କରିବେ । ଯିଶାଇୟ ୬୧:୧, ୨ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଯୀଶୁ ଏହି ଭବିଷ୍ୟତବାଣୀକୁ କିପରି ପୂରା କଲେ ?

  • ଆପଣ କʼଣ ଭାବନ୍ତି, କʼଣ ଆଜି ଲୋକମାନଙ୍କୁ ଏହି ସୁସମାଚାର ଶୁଣିବା ଜରୁରୀ ?

୫. ଯୀଶୁ ଭଲ ପରାମର୍ଶ ଦେଲେ

ଈଶ୍ୱରଙ୍କ ରାଜ୍ୟ ବିଷୟରେ ସୁସମାଚାର ଶୁଣାଇବା ଛଡ଼ା, ଯୀଶୁ ଜୀବନ ବିଷୟରେ କିଛି ଭଲ ପରାମର୍ଶ ମଧ୍ୟ ଦେଲେ । ଏପରି କିଛି ବଢ଼ିଆ ପରାମର୍ଶ ସେ ନିଜ ଜଣାଶୁଣା ଉପଦେଶରେ ଦେଇଛନ୍ତି, ଯାହାକୁ ପାର୍ବତ୍ୟ ଉପଦେଶ ବୋଲି କୁହାଯାଏ । ମାଥିଉ ୬:୧୪, ୩୪ ୭:୧୨ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଏହି ପଦଗୁଡ଼ିକରେ ଯୀଶୁ କʼଣ ଭଲ ପରାମର୍ଶ ଦେଲେ ?

  • କʼଣ ଏହି ପରାମର୍ଶକୁ ମାନିଲେ ଆଜି ବି ଆମକୁ ଲାଭ ହେବ ?

୬. ଯୀଶୁ ଅନେକ ଚମତ୍କାର କଲେ

ଯିହୋବାଙ୍କ ଶକ୍ତି ସାହାଯ୍ୟରେ ଯୀଶୁ ଅନେକ ଚମତ୍କାର କରିଥିଲେ । ତାଙ୍କର ଗୋଟିଏ ଚମତ୍କାର ବିଷୟରେ ଜାଣିବା ପାଇଁ ମାର୍କ ୫:୨୫-୩୪ ପଢ଼ନ୍ତୁ କିମ୍ବା ଭିଡିଓ ଦେଖନ୍ତୁ  ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।

  • ସେ ମହିଳାକୁ କʼଣ ଭରସା ଥିଲା ?

  • ସେହି ଘଟଣାର କେଉଁ କଥା ଆପଣଙ୍କୁ ବହୁତ ଭଲ ଲାଗିଲା ?

ଯୋହନ ୫:୩୬ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଯୀଶୁ ଯେଉଁ ଚମତ୍କାର କଲେ, ତାହା କେଉଁ “ବିଷୟରେ ସାକ୍ଷ୍ୟ ଦେଉଅଛି” ଅର୍ଥାତ୍‌ ସେଥିରୁ ଯୀଶୁଙ୍କ ବିଷୟରେ କʼଣ ଜଣାପଡ଼େ ?

କʼଣ ଆପଣ ଜାଣନ୍ତି ?

ଯୀଶୁଙ୍କ ବିଷୟରେ ଆମେ ଯାହା ବି ଜାଣୁ, ତାʼର ଅଧିକାଂଶ କଥା ସୁସମାଚାରର ଚାରୋଟି ବହିରେ ଲେଖାଯାଇଛି । ସେଗୁଡ଼ିକ ହେଉଛି— ମାଥିଉ, ମାର୍କ, ଲୂକ ଓ ଯୋହନ । ପ୍ରତ୍ୟେକ ଲେଖକ ନିଜ ନିଜ ବହିରେ ଯୀଶୁଙ୍କ ବିଷୟରେ କିଛି ବିଶେଷ କଥା ଲେଖିଛନ୍ତି, ଯାହା ଅନ୍ୟ ସୁସମାଚାର ବହିଗୁଡ଼ିକରେ ମିଳେନି । ଯେତେବେଳେ ଆମେ ଏହି ଚାରୋଟି ବହିଗୁଡ଼ିକୁ ପଢ଼ୁ, ସେତେବେଳେ ଆମେ ଜାଣିପାରୁ ଯେ ଯୀଶୁଙ୍କ ଜୀବନ କିପରି ଥିଲା ।

  • ମାଥିଉ

    ସେ ସୁସମାଚାରର ପ୍ରଥମ ବହି ଲେଖିଛନ୍ତି । ଯୀଶୁ ଯାହା ଶିଖାଇଲେ, ସେହି କଥାଗୁଡ଼ିକ ଆମେ ଏ ବହିରେ ପାଉ । ବିଶେଷ କରି ଈଶ୍ୱରଙ୍କ ରାଜ୍ୟ ବିଷୟରେ ।

  • ମାର୍କ

    ତାଙ୍କର ବହି ଅନ୍ୟ ସବୁ ସୁସମାଚାର ବହିଗୁଡ଼ିକରୁ ସବୁଠୁ ଛୋଟ । ଯେତେବେଳେ ଆପଣ ଏହି ବହି ପଢ଼ିବେ, ସେତେବେଳେ ଆପଣଙ୍କୁ ଲାଗିବ ଯେ ସତେ ଯେପରି ଆପଣ ସେହି ରୋମାଞ୍ଚକର ଘଟଣାଗୁଡ଼ିକୁ ନିଜ ଆଖିରେ ଦେଖୁଛନ୍ତି ।

  • ଲୂକ

    ତାଙ୍କର ବହିରୁ ଆମେ ପ୍ରାର୍ଥନା କରିବାର ମହତ୍ତ୍ୱ ବିଷୟରେ ଜାଣିପାରୁ । ତାʼସହ ଯୀଶୁ ସ୍ତ୍ରୀମାନଙ୍କ ସହିତ କିପରି ବ୍ୟବହାର କରୁଥିଲେ ତାହା ମଧ୍ୟ ଜାଣିପାରୁ ।

  • ଯୋହନ

    ତାଙ୍କର ବହିରୁ ଜଣାପଡ଼େ ଯେ ଯୀଶୁ କିଭଳି ବ୍ୟକ୍ତି ଥିଲେ, କାରଣ ଯୀଶୁ ନିଜ ସାଙ୍ଗ ଓ ଅନ୍ୟ ଲୋକମାନଙ୍କୁ କʼଣ କʼଣ କହିଥିଲେ ସେବିଷୟରେ ଯୋହନ ଅନେକ କଥା ଏ ବହିରେ ଲେଖିଛନ୍ତି ।

କିଛି ଲୋକ କହନ୍ତି: “ଯୀଶୁ କେବଳ ଆମକୁ ଭଲ ବାଟ ଦେଖାଇବାକୁ ଆସିଥିଲେ ।”

  • ଆପଣ କʼଣ ଭାବନ୍ତି ?

ଆମେ କʼଣ ଶିଖିଲୁ ?

ଯୀଶୁ ଈଶ୍ୱରଙ୍କ ରାଜ୍ୟ ବିଷୟରେ ପ୍ରଚାର କଲେ, ଅନେକ ଚମତ୍କାର କଲେ ଏବଂ ସବୁ ପରିସ୍ଥିତିରେ ଯିହୋବାଙ୍କ ଆଜ୍ଞା ପାଳନ କଲେ ।

ଆପଣ କʼଣ କହିବେ ?

  • ଯୀଶୁଙ୍କ ପାଇଁ ସବୁଠୁ ଜରୁରୀ କାମ କʼଣ ଥିଲା ?

  • ଯୀଶୁ ଯେଉଁ ଚମତ୍କାର କଲେ, ସେଥିରୁ କʼଣ ଜଣାପଡ଼େ ?

  • ଯୀଶୁ ଜୀବନ ବିଷୟରେ କେଉଁ କେଉଁ ଭଲ ପରାମର୍ଶ ଦେଲେ ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

ଆସନ୍ତୁ ଦେଖିବା ଯେ ଆମେ କାହିଁକି ଭରସା କରିପାରିବା ଯେ ଯୀଶୁ ସତରେ ଚମତ୍କାର କରିଥିଲେ ।

“ଯୀଶୁଙ୍କ ଚମତ୍କାରଗୁଡ଼ିକରୁ ଆପଣ କʼଣ ଶିଖିପାରିବେ ?” (ପ୍ରହରୀଦୁର୍ଗ-ହି, ୧୫ ଜୁଲାଇ, ୨୦୦୪)

ଯେତେବେଳେ ଜଣେ ବ୍ୟକ୍ତି ଜାଣିଲେ ଯେ ଯୀଶୁ ଅନ୍ୟମାନଙ୍କର କେତେ ଚିନ୍ତା କରୁଥିଲେ, ସେତେବେଳେ ଏହା ତାଙ୍କ ଉପରେ ଗଭୀର ପ୍ରଭାବ ପକାଇଲା । ଆସନ୍ତୁ ତାଙ୍କର କାହାଣୀ ପଢ଼ିବା ।

“ମୁଁ କେବଳ ନିଜ ବିଷୟରେ ଭାବୁଥିଲି” (ପ୍ରହରୀଦୁର୍ଗ ଲେଖା-ହି)

ଜାଣନ୍ତୁ ଯେ ଯୀଶୁଙ୍କ ପ୍ରଚାର ସେବାର କିଛି ବିଶେଷ ଘଟଣାଗୁଡ଼ିକ କʼଣ ଥିଲା ଏବଂ ସେଗୁଡ଼ିକ କେଉଁ କ୍ରମରେ ଘଟିଥିଲା ।

“ଯୀଶୁଙ୍କ ଜୀବନର କିଛି ବିଶେଷ ଘଟଣା” (ପବିତ୍ର ଶାସ୍ତ୍ରର ନୂତନ ଜଗତ ଅନୁବାଦ-ହି, ଅତିରିକ୍ତ ଲେଖା କ୭)

a ପାଠ ୩୧-୩୩ରେ ଆମେ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଅଧିକ ଶିଖିବା ।