इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୨୪

ସ୍ୱର୍ଗଦୂତ କିଏ ଓ ସେମାନେ କʼଣ କରନ୍ତି ?

ସ୍ୱର୍ଗଦୂତ କିଏ ଓ ସେମାନେ କʼଣ କରନ୍ତି ?

ଯିହୋବା ଚାହାନ୍ତି ଯେ ଆମେ ସ୍ୱର୍ଗରେ ଥିବା ତାଙ୍କ ପରିବାର ବିଷୟରେ ଜାଣୁ । ତାଙ୍କ ପରିବାରରେ ସ୍ୱର୍ଗଦୂତ ଅଛନ୍ତି, ଯେଉଁମାନଙ୍କୁ “ପରମେଶ୍ୱରଙ୍କ ପୁତ୍ରଗଣ” ବୋଲି କୁହାଯାଇଛି । (ଆଦି ପୁସ୍ତକ ୬:୨; ଆୟୁବ ୩୮:୭) ବାଇବଲରେ ସ୍ୱର୍ଗଦୂତମାନଙ୍କ ବିଷୟରେ କʼଣ ଲେଖାଯାଇଛି ? କʼଣ ସେମାନେ ଆମକୁ ସାହାଯ୍ୟ କରନ୍ତି ନା କ୍ଷତି ପହଞ୍ଚାନ୍ତି ? କʼଣ ସବୁ ସ୍ୱର୍ଗଦୂତ ଯିହୋବାଙ୍କ ପରିବାରର ସଦସ୍ୟ ଅଟନ୍ତି ? ଆସନ୍ତୁ ଜାଣିବା ।

୧. ସ୍ୱର୍ଗଦୂତ କିଏ ?

ପୃଥିବୀକୁ ସୃଷ୍ଟି କରିବା ପୂର୍ବରୁ ଯିହୋବା ସ୍ୱର୍ଗଦୂତମାନଙ୍କୁ ସୃଷ୍ଟି କରିଥିଲେ । ଯେପରି ଆମେ ଯିହୋବାଙ୍କୁ ଦେଖିପାରି ନ ଥାଉ, ଠିକ୍‌ ସେହିପରି ଆମେ ସ୍ୱର୍ଗଦୂତମାନଙ୍କୁ ମଧ୍ୟ ଦେଖିପାରି ନ ଥାଉ । (ଏବ୍ରୀ ୧:୧୪) ସ୍ୱର୍ଗରେ କୋଟି କୋଟି ସ୍ୱର୍ଗଦୂତ ଅଛନ୍ତି ଏବଂ ସେମାନେ ପରସ୍ପରଠାରୁ ପୂରା ଅଲଗା । (ପ୍ରକାଶିତ ବାକ୍ୟ ୫:୧୧) ସ୍ୱର୍ଗଦୂତମାନେ ‘ଯିହୋବାଙ୍କର ଆଦେଶ ମାନନ୍ତି ଓ ତାଙ୍କର ବାକ୍ୟଗୁଡ଼ିକ ପାଳନ କରନ୍ତି ।’ (ଗୀତସଂହିତା ୧୦୩:୨୦, ଇଜି-ଟୁ-ରିଡ୍‌ ଭର୍ସନ) ପ୍ରାଚୀନ ସମୟରେ ଯିହୋବା ନିଜ କଥା ଲୋକମାନଙ୍କ ପାଖକୁ ପହଞ୍ଚାଇବା ପାଇଁ ସ୍ୱର୍ଗଦୂତମାନଙ୍କୁ ବ୍ୟବହାର କରିଥିଲେ । ସେ ସ୍ୱର୍ଗଦୂତମାନଙ୍କୁ ବ୍ୟବହାର କରି ଲୋକମାନଙ୍କୁ ସାହାଯ୍ୟ କଲେ ଏବଂ ସେମାନଙ୍କୁ ରକ୍ଷା ମଧ୍ୟ କଲେ । ଆଜି ସ୍ୱର୍ଗଦୂତମାନେ ସତ୍ୟ ଖ୍ରୀଷ୍ଟିୟାନମାନଙ୍କୁ କିପରି ସାହାଯ୍ୟ କରନ୍ତି ? ସେମାନେ ଏପରି ଲୋକମାନଙ୍କୁ ଖୋଜିବାରେ ସାହାଯ୍ୟ କରନ୍ତି, ଯେଉଁମାନେ ଈଶ୍ୱରଙ୍କ ବିଷୟରେ ଜାଣିବାକୁ ଚାହାନ୍ତି ।

୨. ଶୟତାନ ଓ ଦୁଷ୍ଟ ସ୍ୱର୍ଗଦୂତମାନେ କିଏ ?

କିଛି ସ୍ୱର୍ଗଦୂତ ଯିହୋବାଙ୍କର ବିଶ୍ୱସ୍ତ ରହିଲେନି । ଯେଉଁ ସ୍ୱର୍ଗଦୂତ ପ୍ରଥମେ ଯିହୋବାଙ୍କ ବିରୁଦ୍ଧରେ ଗଲା, ସେ “ଦିଆବଳ ଓ ଶୟତାନ ନାମରେ ଖ୍ୟାତ” ଓ ସେ ‘ସର୍ବ ଜଗତର ପ୍ରବଞ୍ଚକ ଅଟେ ।’ ଅର୍ଥାତ୍‌ ସେ ପୃଥିବୀବାସୀଙ୍କୁ ଭୁଲ ରାସ୍ତାରେ ନିଏ । (ପ୍ରକାଶିତ ବାକ୍ୟ ୧୨:୯) ଶୟତାନ ଅନ୍ୟମାନଙ୍କ ଉପରେ ଶାସନ କରିବାକୁ ଚାହୁଁଥିଲା । ତେଣୁ ସେ ପ୍ରଥମ ସ୍ତ୍ରୀ-ପୁରୁଷ ଆଦମ ଓ ହବାକୁ ଭୁଲ କାମ କରାଇ ଯିହୋବାଙ୍କ ବିରୁଦ୍ଧରେ କରିଦେଲା । ତାʼସହ ସେ ଅନ୍ୟ ସ୍ୱର୍ଗଦୂତମାନଙ୍କୁ ମଧ୍ୟ ଯିହୋବାଙ୍କ ବିରୁଦ୍ଧରେ କରିଦେଲା । ଯିହୋବାଙ୍କ ବିରୁଦ୍ଧରେ ଯାଇଥିବା ଏହି ସ୍ୱର୍ଗଦୂତମାନଙ୍କୁ ଦୁଷ୍ଟ ସ୍ୱର୍ଗଦୂତ କୁହାଯାଏ । ଯିହୋବା ଶୟତାନ ଓ ଦୁଷ୍ଟ ସ୍ୱର୍ଗଦୂତମାନଙ୍କୁ ସ୍ୱର୍ଗରେ ରହିବା ପାଇଁ ଦେଲେ ନାହିଁ । ସେମାନଙ୍କୁ ପୃଥିବୀରେ ଫିଙ୍ଗି ଦିଆଗଲା ଏବଂ ଆଗକୁ ଯାଇ ସେମାନଙ୍କୁ ବିନାଶ କରିଦିଆଯିବ ।—ପ୍ରକାଶିତ ବାକ୍ୟ ୧୨:୯, ୧୨ ପଢ଼ନ୍ତୁ ।

୩. ଶୟତାନ ଓ ଦୁଷ୍ଟ ସ୍ୱର୍ଗଦୂତମାନେ କିପରି ଲୋକମାନଙ୍କୁ ଭୁଲ ବାଟକୁ ନେଇଯାଆନ୍ତି ?

ଶୟତାନ ଓ ଦୁଷ୍ଟ ସ୍ୱର୍ଗଦୂତମାନେ ଯାଦୁବିଦ୍ୟା ଓ ଭୂତବିଦ୍ୟା ଜରିଆରେ ଲୋକମାନଙ୍କୁ ଭୁଲ ବାଟକୁ ନେଇଯାଆନ୍ତି । ଯାଦୁବିଦ୍ୟା ଓ ଭୂତବିଦ୍ୟା କରିବାର ଅର୍ଥ ହେଉଛି, ଦୁଷ୍ଟ ସ୍ୱର୍ଗଦୂତମାନଙ୍କ ସହ ସମ୍ପର୍କ କରିବା । ଯେପରି, ଜ୍ୟୋତିଷମାନଙ୍କ ପାଖକୁ ଯିବା, ତନ୍ତ୍ରମନ୍ତ୍ର କରିବା କିମ୍ବା ରାଶିଫଳ ଦେଖିବା । କିଛି ଲୋକ ଏପରି ଉପାୟରେ ଚିକିତ୍ସା କରାନ୍ତି, ଯେଉଁଥିରେ ଯାଦୁବିଦ୍ୟା ଓ ଭୂତବିଦ୍ୟା ସାମିଲ୍‌ ଥାଏ । ଆଉ କିଛି ଲୋକଙ୍କୁ କୁହାଯାଏ ଯେ ସେମାନେ ମରିଯାଇଥିବା ଲୋକମାନଙ୍କ ସହ କଥା ହୋଇପାରିବେ । a କିନ୍ତୁ ଯିହୋବା ଆମକୁ କହନ୍ତି, “ତୁମ୍ଭେମାନେ ଭୂତୁଡ଼ିଆ କି ଗୁଣିଆମାନଙ୍କର ଅନୁସରଣ କର ନାହିଁ ।” (ଲେବୀ ପୁସ୍ତକ ୧୯:୩୧) ଯିହୋବା ଆମକୁ ଶୟତାନ ଓ ଦୁଷ୍ଟ ସ୍ୱର୍ଗଦୂତମାନଙ୍କଠାରୁ ରକ୍ଷା କରିବା ପାଇଁ ଚାହାନ୍ତି, ତେଣୁ ସେ ଆମକୁ ଏପରି ଆଜ୍ଞା ଦେଇଛନ୍ତି । ସେମାନେ ଈଶ୍ୱରଙ୍କର ଶତ୍ରୁ ଅଟନ୍ତି ଏବଂ ଆମକୁ କ୍ଷତି ପହଞ୍ଚାଇବାକୁ ଚାହାନ୍ତି ।

ଭାବନ୍ତୁ ଓ ଶିଖନ୍ତୁ

ଜାଣନ୍ତୁ ଯେ ଭଲ ସ୍ୱର୍ଗଦୂତମାନେ କʼଣ କରନ୍ତି । ଏହା ମଧ୍ୟ ଜାଣନ୍ତୁ ଯେ ଯାଦୁବିଦ୍ୟା ଓ ଭୂତବିଦ୍ୟା କରିବାରେ କʼଣ ବିପଦ ରହିଛି ଏବଂ ଆମେ ନିଜକୁ ଶୟତାନ ଓ ଦୁଷ୍ଟ ସ୍ୱର୍ଗଦୂତମାନଙ୍କଠାରୁ କିପରି ରକ୍ଷା କରିପାରିବା ।

୪. ଯିହୋବାଙ୍କ ବିଷୟରେ ଶିଖିବା ପାଇଁ ସ୍ୱର୍ଗଦୂତମାନେ ଲୋକମାନଙ୍କୁ ସାହାଯ୍ୟ କରନ୍ତି

ଏହା ସତ ଯେ ସ୍ୱର୍ଗଦୂତମାନେ ନିଜେ ଯାଇ ପ୍ରଚାର କରନ୍ତିନି । କିନ୍ତୁ ସେମାନେ ଆମକୁ ଏପରି ଲୋକମାନଙ୍କୁ ଖୋଜିବା ପାଇଁ ସାହାଯ୍ୟ କରନ୍ତି, ଯେଉଁମାନେ ଈଶ୍ୱରଙ୍କ ବିଷୟରେ ଶିଖିବାକୁ ଚାହାନ୍ତି । ପ୍ରକାଶିତ ବାକ୍ୟ ୧୪:୬, ୭ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ପ୍ରଚାର କରିବା ପାଇଁ ଆମକୁ କାହିଁକି ସ୍ୱର୍ଗଦୂତମାନଙ୍କର ସାହାଯ୍ୟ ଦରକାର ?

  • କʼଣ ଏହା ଜାଣି ଆପଣଙ୍କର ଉତ୍ସାହ ବଢ଼େ ଯେ ସ୍ୱର୍ଗଦୂତମାନେ ଆମକୁ ନମ୍ର ଲୋକମାନଙ୍କୁ ଖୋଜିବାରେ ସାହାଯ୍ୟ କରନ୍ତି ? ଆପଣ ଏପରି କାହିଁକି କହନ୍ତି ?

୫. ଯାଦୁବିଦ୍ୟା ଓ ଭୂତବିଦ୍ୟାଠାରୁ ଦୂରେଇ ରହନ୍ତୁ

ଶୟତାନ ଓ ଦୁଷ୍ଟ ସ୍ୱର୍ଗଦୂତମାନେ ଯିହୋବାଙ୍କର ଶତ୍ରୁ ଅଟନ୍ତି । ସେମାନେ ଆମର ବି ଶତ୍ରୁ ଅଟନ୍ତି । ଲୂକ ୯:୩୮-୪୨ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଦୁଷ୍ଟ ସ୍ୱର୍ଗଦୂତମାନେ ଲୋକମାନଙ୍କ ସହ କିପରି ବ୍ୟବହାର କରନ୍ତି ?

ଆମେ ନିଜକୁ ଯାଦୁବିଦ୍ୟା ଓ ଭୂତବିଦ୍ୟା ସହ ଜଡ଼ିତ ସବୁ ଜିନିଷଠାରୁ ଦୂରେଇ ରଖିବାକୁ ଚାହୁଁ । ଦ୍ୱିତୀୟ ବିବରଣ ୧୮:୧୦-୧୨ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଦୁଷ୍ଟ ସ୍ୱର୍ଗଦୂତମାନେ କେଉଁ କେଉଁ ଉପାୟରେ ଆମକୁ ଭୁଲ ବାଟରେ ନେଇଯାʼନ୍ତି ଏବଂ ଆମ ସହ ସମ୍ପର୍କ କରିବା ପାଇଁ ଚେଷ୍ଟା କରନ୍ତି ? ଆପଣଙ୍କ ଅଞ୍ଚଳରେ ଲୋକମାନେ ଏହା କେଉଁ କେଉଁ ଉପାୟରେ କରନ୍ତି ?

  • ଯିହୋବା ଯାଦୁବିଦ୍ୟା ଓ ଭୂତବିଦ୍ୟା କରିବାକୁ ମନା କରନ୍ତି । କʼଣ ଏହି ପରାମର୍ଶ ଠିକ୍‌ ? ଆପଣଙ୍କୁ ଏପରି କାହିଁକି ଲାଗେ ?

ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।

  • ଆପଣଙ୍କୁ କʼଣ ଲାଗେ, ପଲେସାଙ୍କ ଝିଅର ହାତରେ ଡେଉଁରିଆ ଭଳି ଯାହା ବନ୍ଧା ଯାଇଥିଲା, ସେଥିରୁ କʼଣ ତାକୁ କିଛି କ୍ଷତି ପହଞ୍ଚୁଥିଲା ? ଆପଣଙ୍କୁ ଏପରି କାହିଁକି ଲାଗେ ?

  • ଦୁଷ୍ଟ ସ୍ୱର୍ଗଦୂତମାନଙ୍କଠାରୁ ରକ୍ଷା ପାଇବା ପାଇଁ ପଲେସାଙ୍କୁ କʼଣ କରିବାର ଥିଲା ?

ସତ୍ୟ ଖ୍ରୀଷ୍ଟିୟାନମାନେ ଆଗରୁ ହିଁ ଦୁଷ୍ଟ ସ୍ୱର୍ଗଦୂତମାନଙ୍କୁ ବିରୋଧ କରି ଆସୁଛନ୍ତି । ପ୍ରେରିତ ୧୯:୧୯ ୧ କରିନ୍ଥୀୟ ୧୦:୨୧ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଆପଣ କʼଣ ଭାବନ୍ତି, ଯାଦୁବିଦ୍ୟା ଓ ଭୂତବିଦ୍ୟା ସହ ଜଡ଼ିତ ସବୁ ଜିନିଷକୁ କାହିଁକି ନଷ୍ଟ କରିବା ଜରୁରୀ ?

୬. ଆପଣ ଶୟତାନ ଓ ତାʼର ଦୁଷ୍ଟ ସ୍ୱର୍ଗଦୂତମାନଙ୍କଠାରୁ ଜିତିପାରିବେ

ଦୁଷ୍ଟ ସ୍ୱର୍ଗଦୂତମାନଙ୍କ ଉପରେ ଶୟତାନ ଶାସନ କରୁଛି । କିନ୍ତୁ ବିଶ୍ୱସ୍ତ ସ୍ୱର୍ଗଦୂତମାନେ ପ୍ରଧାନ ସ୍ୱର୍ଗଦୂତ ମୀଖାୟେଲଙ୍କ ଅଧୀନରେ ଅଛନ୍ତି । ମୀଖାୟେଲ, ଯୀଶୁଙ୍କ ଅନ୍ୟ ଏକ ନାମ ଅଟେ । ମୀଖାୟେଲ ପାଖରେ କେତେ ଶକ୍ତି ଅଛି, ତାହା ଜାଣିବା ପାଇଁ ପ୍ରକାଶିତ ବାକ୍ୟ ୧୨:୭-୯ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • କିଏ ବେଶି ଶକ୍ତିଶାଳୀ, ମୀଖାୟେଲ ଓ ତାଙ୍କ ସ୍ୱର୍ଗଦୂତ ନା ଶୟତାନ ଓ ତାʼ ଦୁଷ୍ଟ ଦୂତ ?

  • ଆପଣ କʼଣ ଭାବନ୍ତି, କʼଣ ଯୀଶୁଙ୍କ ଶିଷ୍ୟମାନଙ୍କୁ ଶୟତାନ ଓ ତାʼ ଦୁଷ୍ଟ ସ୍ୱର୍ଗଦୂତମାନଙ୍କୁ ଡରିବା ଉଚିତ୍‌ ?

ଆପଣ ଶୟତାନ ଓ ତାʼର ଦୁଷ୍ଟ ସ୍ୱର୍ଗଦୂତମାନଙ୍କଠାରୁ ଜିତିପାରିବେ । ଯାକୁବ ୪:୭ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଶୟତାନ ଓ ତାʼର ଦୁଷ୍ଟ ସ୍ୱର୍ଗଦୂତମାନଙ୍କଠାରୁ ରକ୍ଷା ପାଇବା ପାଇଁ ଆପଣ କʼଣ କରିପାରିବେ ?

କିଛି ଲୋକ କହନ୍ତି: “ଭୂତପ୍ରେତ କିଛି ନ ଥାଏ, ଆମେ କେବଳ ମଜା ପାଇଁ ଏପରି ଫିଲ୍ମ ଦେଖୁ ଆଉ ଖେଳ ଖେଳୁ ।”

  • ଏପରି ଭାବିଲେ କʼଣ କ୍ଷତି ହେବ ?

ଆମେ କʼଣ ଶିଖିଲୁ ?

ବିଶ୍ୱସ୍ତ ସ୍ୱର୍ଗଦୂତମାନେ ଆମକୁ ସାହାଯ୍ୟ କରନ୍ତି । ଶୟତାନ ଓ ତାʼ ଦୁଷ୍ଟ ସ୍ୱର୍ଗଦୂତମାନେ ଯିହୋବାଙ୍କ ଶତ୍ରୁ ଅଟନ୍ତି । ସେମାନେ ଯାଦୁବିଦ୍ୟା ଓ ଭୂତବିଦ୍ୟା ଜରିଆରେ ଲୋକମାନଙ୍କୁ ଭୁଲ ବାଟରେ ନେଇଯାʼନ୍ତି ।

ଆପଣ କʼଣ କହିବେ ?

  • ଭଲ ସ୍ୱର୍ଗଦୂତମାନେ ଏପରି ଲୋକମାନଙ୍କୁ କିପରି ସାହାଯ୍ୟ କରନ୍ତି, ଯେଉଁମାନେ ଯିହୋବାଙ୍କ ବିଷୟରେ ଜାଣିବାକୁ ଚାହାନ୍ତି ?

  • ଶୟତାନ ଓ ଦୁଷ୍ଟ ସ୍ୱର୍ଗଦୂତମାନେ କିଏ ଅଟନ୍ତି ?

  • ଆପଣ କାହିଁକି ଯାଦୁବିଦ୍ୟା ଓ ଭୂତବିଦ୍ୟାଠାରୁ ନିଜକୁ ଦୂରେଇ ରଖିବେ ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

ଆମେ କାହିଁକି କହିପାରିବା ଯେ ଯୀଶୁ ହିଁ ପ୍ରଧାନ ସ୍ୱର୍ଗଦୂତ ମୀଖାୟେଲ ଅଟନ୍ତି ? ଆସନ୍ତୁ ଜାଣିବା ।

“ପ୍ରଧାନ ସ୍ୱର୍ଗଦୂତ ମୀଖାୟେଲ କିଏ ?” (jw.org ୱେବସାଇଟ୍‌ରେ ଥିବା ଲେଖା)

ଜାଣନ୍ତୁ ଯେ ଏହା କହିବା କାହିଁକି ସଠିକ୍‌ ହେବ ଯେ ଶୟତାନ ଆମ ଭିତରେ ଥିବା କୌଣସି ଖରାପ ଗୁଣ ନୁହେଁ, ବରଂ ସେ ସତରେ ଅଛି ।

“କʼଣ ଶୟତାନ ବାସ୍ତବରେ ଅଛି ?” (jw.org ୱେବସାଇଟ୍‌ରେ ଥିବା ଲେଖା)

ଆସନ୍ତୁ ପଢ଼ିକି ଦେଖିବା ଯେ ଜଣେ ମହିଳା ନିଜକୁ ଦୁଷ୍ଟ ସ୍ୱର୍ଗଦୂତମାନଙ୍କ ଫାନ୍ଦରୁ କିପରି ରକ୍ଷା କଲେ ।

“ତାଙ୍କୁ ବଞ୍ଚିବାର ଗୋଟିଏ କାରଣ ମିଳିଲା” (ପ୍ରହରୀଦୁର୍ଗ ଲେଖା-ହି)

ଆସନ୍ତୁ ଜାଣିବା ଯେ ଶୟତାନ କିପରି ଯାଦୁବିଦ୍ୟା ଓ ଭୂତବିଦ୍ୟା ଦ୍ୱାରା ଲୋକମାନଙ୍କୁ ଠକୁଛି ।

“ଯାଦୁବିଦ୍ୟା ଓ ଭୂତବିଦ୍ୟା ବିଷୟରେ ସତ୍ୟ” (ଅନଲାଇନ୍‌ ଲେଖା-ହି)

a ମରିଯାଇଥିବା ଲୋକମାନେ କିଛି ଜାଣିପାରନ୍ତି ନାହିଁ । ଏବିଷୟରେ ଆମେ ପାଠ ୨୯ରେ ଆହୁରି ଅଧିକ ଦେଖିବା ।