इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୪୦

ଆମେ ଈଶ୍ୱରଙ୍କ ଦୃଷ୍ଟିରେ ସଫାସୁତୁରା ଓ ଶୁଦ୍ଧ କିପରି ରହିପାରିବା ?

ଆମେ ଈଶ୍ୱରଙ୍କ ଦୃଷ୍ଟିରେ ସଫାସୁତୁରା ଓ ଶୁଦ୍ଧ କିପରି ରହିପାରିବା ?

ଭାବନ୍ତୁ ଜଣେ ମାଆ ନିଜ ଛୋଟ ପିଲାକୁ ସ୍କୁଲ ଯିବା ପାଇଁ ପ୍ରସ୍ତୁତ କରୁଛନ୍ତି । ସେ ତାକୁ ଗାଧୋଇ ଦିଅନ୍ତି, ତାʼପରେ ସଫାସୁତୁରା କପଡ଼ା ପିନ୍ଧାନ୍ତି । ସଫାସୁତୁରା ରହିଲେ ସେହି ପିଲାର ସ୍ୱାସ୍ଥ୍ୟ ଭଲ ରହିବ ଓ ଲୋକମାନେ ମଧ୍ୟ ଦେଖିପାରିବେ ଯେ ସେହି ପିଲାର ବାପାମାଆ ତାʼର କେତେ ଯତ୍ନ ନିଅନ୍ତି । ଆମ ପିତା ଯିହୋବା ମଧ୍ୟ ଆମର ଚିନ୍ତା କରନ୍ତି । ତେଣୁ ସେ ଚାହାନ୍ତି ଯେ ଆମେ ଶାରୀରିକ ଭାବେ ଓ ନୈତିକ ଭାବେ ଶୁଦ୍ଧ ରହୁ । ଅର୍ଥାତ୍‌ ଆମେ ଯାହା ଭାବୁ, ଯାହା କଥାବାର୍ତ୍ତା କରୁ ଓ ଆମ ଚାଲିଚଳନ ସବୁବେଳେ ଶୁଦ୍ଧ ରହୁ । ସଫାସୁତୁରା ଓ ଶୁଦ୍ଧ ରହିଲେ ଆମର ହିଁ ଲାଭ ହୋଇଥାଏ । ତାʼସହ ଯିହୋବା ଈଶ୍ୱରଙ୍କ ମହିମା ମଧ୍ୟ ହୋଇଥାଏ ।

୧. ସଫାସୁତୁରା ରହିବା ପାଇଁ ଆମେ କʼଣ କରିପାରିବା ?

ଯିହୋବା ଆମକୁ କହନ୍ତି, “ତୁମ୍ଭେମାନେ ପବିତ୍ର ହୁଅ ।” (୧ ପିତର ୧:୧୬) ପବିତ୍ର ରହିବା ପାଇଁ ଆମକୁ ନିଜ ଶରୀର, ହୃଦୟ ଓ ମନକୁ ସଫା ଓ ଶୁଦ୍ଧ ରଖିବା ଉଚିତ୍‌ । ନିଜକୁ ସଫା ରଖିବା ପାଇଁ ଆମେ ଗାଧୋଇଥାଉ ଓ ସଫା କପଡ଼ା ପିନ୍ଧିଥାଉ । ଆମେ ନିଜ ଘର ଓ ଗାଡ଼ିକୁ ମଧ୍ୟ ସଫାସୁତୁରା ଓ ଭଲ ଅବସ୍ଥାରେ ରଖିଥାଉ । ଆମେ ନିଜ ରାଜ୍ୟଘରକୁ ମଧ୍ୟ ସଫାସୁତୁରା ରଖିବା ପାଇଁ ସାହାଯ୍ୟ କରିଥାଉ । ଏପରି ଭାବେ ସଫାସୁତୁରା ରହି ଆମେ ନିଜ ଈଶ୍ୱର ଯିହୋବାଙ୍କର ମହିମା କରିଥାଉ ।​—୨ କରିନ୍ଥୀୟ ୬:୩, ୪.

୨. ଶୁଦ୍ଧ ରହିବା ପାଇଁ ଆମକୁ କେଉଁ ଖରାପ ଅଭ୍ୟାସଗୁଡ଼ିକରୁ ଦୂରେଇ ରହିବା ଉଚିତ୍‌ ?

ବାଇବଲ ଆମକୁ ପ୍ରୋତ୍ସାହନ ଦିଏ, ‘ଶରୀର ଓ ମନର ସମସ୍ତ ଅଶୁଦ୍ଧତାରୁ ଆପଣା ଆପଣାକୁ ଶୁଦ୍ଧ କର ।’ (୨ କରିନ୍ଥୀୟ ୭:୧) ତେଣୁ ଆମକୁ ଏପରି ସବୁ କାମ ଓ କଥାଗୁଡ଼ିକରୁ ଦୂରେଇ ରହିବା ପାଇଁ ପୂରା ଚେଷ୍ଟା କରିବା ଉଚିତ୍‌, ଯାହା ଆମ ଶରୀର ଓ ମନକୁ ଦୂଷିତ କରିପାରେ । ତଥାପି ଯଦି ଆମ ମନରେ ଖରାପ ବିଚାର ଆସିଥାଏ, ତାହେଲେ ଆମେ କʼଣ କରିବା ? ଆମେ ତାହାକୁ ତୁରନ୍ତ ନିଜ ମନରୁ କାଢ଼ିବା ଉଚିତ୍‌, କାରଣ ଆମେ ଯିହୋବାଙ୍କୁ ଖୁସି କରିବାକୁ ଚାହୁଁ । (ଗୀତସଂହିତା ୧୦୪:୩୪) ଶୁଦ୍ଧ ରହିବା ପାଇଁ ଆମକୁ ନିଜ କଥାବାର୍ତ୍ତା ମଧ୍ୟ ଶୁଦ୍ଧ ରଖିବା ଉଚିତ୍‌ ।​—କଲସୀୟ ୩:୮ ପଢ଼ନ୍ତୁ ।

କେଉଁ ଜିନିଷ ଓ କାମଗୁଡ଼ିକ ଆମକୁ ଶାରୀରିକ ଓ ନୈତିକ ଭାବେ ଦୂଷିତ କରିପାରେ ? ତମାଖୁ, ଖଇନି, ଗଞ୍ଜେଇ ଓ ଅନ୍ୟ ନିଶାଦ୍ରବ୍ୟଗୁଡ଼ିକ ଆମ ଶରୀରକୁ ଦୂଷିତ କରେ । ତେଣୁ ଆମେ ଏହି ଜିନିଷଗୁଡ଼ିକୁ ସେବନ କରି ନ ଥାଉ । ଯେତେବେଳେ ଆମେ ଏହି ଜିନିଷଠାରୁ ଦୂରେଇ ରହୁ, ସେତେବେଳେ ଆମ ସ୍ୱାସ୍ଥ୍ୟ ଭଲ ରହେ ଏବଂ ଆମେ ଦେଖାଉ ଯେ ଆମେ ନିଜ ଜୀବନକୁ ବହୁମୂଲ୍ୟ ମନେ କରୁ । ତାʼଛଡ଼ା, ଆମେ ଏପରି କାମଗୁଡ଼ିକଠାରୁ ମଧ୍ୟ ଦୂରେଇ ରହୁ, ଯାହା ଆମକୁ ନୈତିକ ଭାବେ ଦୂଷିତ କରିପାରେ । ଯେପରି, ହସ୍ତମୈଥୁନ (ମାଷ୍ଟରବେସନ) କରିବା ଏବଂ ଅଶ୍ଳିଳ ଚିତ୍ର (ପର୍ନୋଗ୍ରାଫି) ଦେଖିବା । (ଗୀତସଂହିତା ୧୧୯:୩୭; ଏଫିସୀୟ ୫:୫) ଏପରି ଅଭ୍ୟାସଗୁଡ଼ିକୁ ଛାଡ଼ିବା କଷ୍ଟକର ଲାଗିପାରେ । କିନ୍ତୁ ଯିହୋବାଙ୍କ ସାହାଯ୍ୟରେ ଆମେ ଏହି ଅଭ୍ୟାସଗୁଡ଼ିକୁ ଛାଡ଼ିପାରିବା ।​—ଯିଶାଇୟ ୪୧:୧୩ ପଢ଼ନ୍ତୁ ।

ଭାବନ୍ତୁ ଓ ଶିଖନ୍ତୁ

ଜାଣନ୍ତୁ ଯେ ଆମେ ସଫାସୁତୁରା ରହିଲେ କିପରି ଯିହୋବାଙ୍କର ମହିମା ହୁଏ ଏବଂ ଆମେ ଖରାପ ଅଭ୍ୟାସଗୁଡ଼ିକୁ କିପରି ଛାଡ଼ିପାରିବା ।

୩. ସଫାସୁତୁରା ରହିଲେ ଯିହୋବାଙ୍କର ମହିମା ହୁଏ

ଯିହୋବା ଇସ୍ରାଏଲ ରାଷ୍ଟ୍ରକୁ ଯେଉଁ ନିୟମ ଦେଇଥିଲେ, ସେଥିରୁ ଜଣାପଡ଼େ ଯେ ସେ ସଫାସୁତୁରା ବିଷୟରେ କʼଣ ଭାବନ୍ତି । ଯାତ୍ରା ପୁସ୍ତକ ୧୯:୧୦ ୩୦:୧୭-୨୦ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ସଫାସୁତୁରା ବିଷୟରେ ଯିହୋବା କʼଣ ଭାବନ୍ତି ?

  • ସଫାସୁତୁରା ରହିବା ପାଇଁ କେଉଁ ଭଲ ଅଭ୍ୟାସଗୁଡ଼ିକ ଆମକୁ ସାହାଯ୍ୟ କରିପାରେ ?

ସଫାସୁତୁରା ରଖିବା ପାଇଁ ପରିଶ୍ରମ ଓ ସମୟ ଲାଗେ । ଆମେ ଯେଉଁଠି ବି ରହୁ ନା କାହିଁକି, ଆମ ପାଖରେ ବେଶି ପଇସା ଥାଉ ବା ନ ଥାଉ, ଆମେ ସବୁ ଜିନିଷକୁ ଭଲ ଭାବେ ସଫାସୁତୁରା ରଖିପାରିବା । ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।

  • ଆମେ ନିଜ ଜିନିଷକୁ ସଫା ଓ ଭଲ ଅବସ୍ଥାରେ ରଖିଲେ ପ୍ରଚାରରେ ଲୋକମାନଙ୍କ ଉପରେ କʼଣ ପ୍ରଭାବ ପଡ଼େ ?

୪. ଖରାପ ଅଭ୍ୟାସଗୁଡ଼ିକୁ ଛାଡ଼ନ୍ତୁ

ଯିହୋବାଙ୍କ ସାହାଯ୍ୟରେ ଆମେ ଯେକୌଣସି ଖରାପ ଅଭ୍ୟାସ ଛାଡ଼ିପାରିବା

ଯଦି ଆପଣ ସିଗାରେଟ୍‌ ପିଅନ୍ତି କିମ୍ବା ଅନ୍ୟ କୌଣସି ନିଶାଦ୍ରବ୍ୟ ସେବନ କରନ୍ତି, ତାହେଲେ ଆପଣ ଜାଣିଥିବେ ଯେ ଏହି ଅଭ୍ୟାସକୁ ଛାଡ଼ିବା ପାଇଁ କେତେ କଷ୍ଟ ହୋଇଥାଏ । ଆପଣ ଏହି ଅଭ୍ୟାସକୁ କିପରି ଛାଡ଼ିପାରିବେ ? ଭାବନ୍ତୁ ଯେ ଏହି ଅଭ୍ୟାସ ଆପଣଙ୍କ ଉପରେ କʼଣ ପ୍ରଭାବ ପକାଇପାରେ । ମାଥିଉ ୨୨:୩୭-୩୯ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ତମାଖୁ କିମ୍ବା ଅନ୍ୟ କୌଣସି ନିଶାଦ୍ରବ୍ୟର ସେବନ କଲେ ଯିହୋବାଙ୍କ ସହ ଆମ ସମ୍ପର୍କ ଉପରେ କʼଣ ପ୍ରଭାବ ପଡ଼େ ?

  • ଏପରି ଖରାପ ଅଭ୍ୟାସ ଥିଲେ, ଆପଣଙ୍କ ପରିବାର ଓ ଆଖପାଖରେ ରହୁଥିବା ଲୋକମାନଙ୍କ ଉପରେ ଏହାର କʼଣ ପ୍ରଭାବ ପଡ଼ିବ ?

ଖରାପ ଅଭ୍ୟାସଗୁଡ଼ିକୁ ଛାଡ଼ିବା ପାଇଁ ଯୋଜନା କରନ୍ତୁ । a ଭିଡିଓ ଦେଖନ୍ତୁ 

ଫିଲିପ୍‌ପୀୟ ୪:୧୩ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ପ୍ରାର୍ଥନା କରିବା, ଅଧ୍ୟୟନ କରିବା ଓ ସଭାଗୁଡ଼ିକରେ ଯିବା ଭଲ ଅଭ୍ୟାସ ଅଟେ । ଏହି ଭଲ ଅଭ୍ୟାସଗୁଡ଼ିକ କିପରି ଆମକୁ ଖରାପ ଅଭ୍ୟାସଗୁଡ଼ିକୁ ଛାଡ଼ିବା ପାଇଁ ସାହାଯ୍ୟ କରିପାରେ ?

୫. ଖରାପ ବିଚାର ଓ ଖରାପ କାମଗୁଡ଼ିକୁ ଛାଡ଼ିବା ପାଇଁ କଠିନ ପରିଶ୍ରମ କରନ୍ତୁ

କଲସୀୟ ୩:୫ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଆମେ କିପରି ଜାଣୁ ଯେ ପର୍ନୋଗ୍ରାଫି, ସେକ୍ସଟିଙ୍ଗ୍‌ b ଓ ହସ୍ତମୈଥୁନ ଯିହୋବାଙ୍କ ଦୃଷ୍ଟିରେ ଅଶୁଦ୍ଧ କାମ ଅଟେ ?

  • ଯିହୋବା ଚାହାନ୍ତି ଯେ ଆମେ ନୈତିକ ଭାବେ ଶୁଦ୍ଧ ରହୁ । କʼଣ ଆପଣଙ୍କୁ ଲାଗେ ଯେ ଯିହୋବା ଆମଠୁ ବହୁତ ବେଶି ଆଶା କରନ୍ତି ? ଆପଣଙ୍କୁ ଏପରି କାହିଁକି ଲାଗେ ?

ଖରାପ ବିଚାରଗୁଡ଼ିକରୁ ଦୂରେଇ ରହିବା ପାଇଁ କʼଣ କରିବା, ଏହା ଜାଣିବା ପାଇଁ ଭିଡିଓ ଦେଖନ୍ତୁ 

ଯୀଶୁ ଗୋଟିଏ ଉଦାହରଣ ଦେଇ ବୁଝାଇଲେ ଯେ ନୈତିକ ରୂପେ ଶୁଦ୍ଧ ରହିବା କେତେ ଜରୁରୀ ଓ ତାʼପାଇଁ ଆମେ କʼଣ ପଦକ୍ଷେପ ନେବା ଉଚିତ୍‌ । ମାଥିଉ ୫:୨୯, ୩୦ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଯୀଶୁ ଏଠାରେ ଶରୀରର କୌଣସି ଅଙ୍ଗକୁ ସତରେ କାଟିବା ବିଷୟରେ କହୁ ନ ଥିଲେ, ବରଂ ସେ କିଛି ପଦକ୍ଷେପ ନେବା ପାଇଁ କହୁଥିଲେ । ଯେତେବେଳେ ଜଣେ ବ୍ୟକ୍ତିର ମନରେ ଖରାପ ବିଚାର ଆସେ, ସେତେବେଳେ ତାକୁ କେଉଁ ଜରୁରୀ ପଦକ୍ଷେପ ନେବା ଉଚିତ୍‌ ? c

ଯଦି ଆପଣ ଖରାପ ବିଚାରଗୁଡ଼ିକୁ ନିଜ ମନରୁ କାଢ଼ିବା ପାଇଁ କଠିନ ପରିଶ୍ରମ କରୁଛନ୍ତି, ତାହେଲେ ଭରସା ରଖନ୍ତୁ ଯେ ଯିହୋବା ତାହା ଧ୍ୟାନ ଦିଅନ୍ତି ଆଉ ବହୁତ ଖୁସି ହୁଅନ୍ତି । ଗୀତସଂହିତା ୧୦୩:୧୩, ୧୪ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଯଦି ଆପଣ କୌଣସି ଖରାପ ଅଭ୍ୟାସକୁ ଛାଡ଼ିବା ପାଇଁ ବହୁତ ଚେଷ୍ଟା କରୁଛନ୍ତି, ତାହେଲେ ଏହି ପଦ ଆପଣଙ୍କୁ କିପରି ହାର ନ ମାନିବା ପାଇଁ ସାହାଯ୍ୟ କରିପାରିବ ?

ହାର ମାନନ୍ତୁ ନାହିଁ !

ବିଫଳ ହେଲେ ହୁଏତ ଆପଣଙ୍କୁ ଲାଗିପାରେ, ‘ଏବେ ଆଉ ଚେଷ୍ଟା କରିବାର କʼଣ ଲାଭ ?’ କିନ୍ତୁ ଏକଥା ଉପରେ ଧ୍ୟାନ ଦିଅନ୍ତୁ: ଯଦି ଜଣେ ଧାବକ ମାରାଥନରେ ଦୌଡ଼ୁ ଦୌଡ଼ୁ ପଡ଼ିଯାଏ, ତାହେଲେ କʼଣ ତାʼର ଅର୍ଥ ଏହା ଯେ ସେ ଦୌଡ଼ରେ ହାରିଗଲା କିମ୍ବା ତାକୁ ପୁଣି ଆରମ୍ଭରୁ ଦୌଡ଼ିବାକୁ ପଡ଼ିବ ? ନୁହେଁ । ସେହିପରି ଯଦି ଆପଣ ଖରାପ ଅଭ୍ୟାସକୁ ଛାଡ଼ିବା ପାଇଁ କଠିନ ପରିଶ୍ରମ କରୁଛନ୍ତି ଏବଂ ଥରେ ଦୁଇଥର ବିଫଳ ହୋଇଯାʼନ୍ତି, ତାʼର ଅର୍ଥ ଏହା ନୁହେଁ ଯେ ଆପଣ ହାରିଗଲେ କିମ୍ବା ଆପଣ ଯେଉଁ ପରିଶ୍ରମ କଲେ, ତାହା ବେକାର ହୋଇଗଲା । ଯିଏ ଚେଷ୍ଟା କରନ୍ତି, ହୁଏତ ତ ସେ ବେଳେ ବେଳେ ପଡ଼ିଯାʼନ୍ତି । ଏହା ସାଧାରଣ କଥା । ସେଥିପାଇଁ ହାର ମାନନ୍ତୁ ନାହିଁ । ଯିହୋବାଙ୍କ ସାହାଯ୍ୟରେ ଆପଣ ଖରାପ ଅଭ୍ୟାସକୁ ନିଶ୍ଚୟ ଛାଡ଼ିପାରିବେ ।

କିଛି ଲୋକ କହନ୍ତି: “ମୁଁ ବହୁତ ଚେଷ୍ଟା କଲି, କିନ୍ତୁ ମୁଁ ଏହି ଅଭ୍ୟାସକୁ ଛାଡ଼ିପାରିବିନି ।”

  • ଆପଣ କେଉଁ ପଦ ଦେଖାଇ ବୁଝାଇବେ ଯେ ଯିହୋବାଙ୍କ ସାହାଯ୍ୟରେ ଜଣେ ବ୍ୟକ୍ତି ଏହି ଅଭ୍ୟାସକୁ ଛାଡ଼ିପାରେ ?

ଆମେ କʼଣ ଶିଖିଲୁ ?

ଆମେ ଶରୀର ଓ ମନରୁ ସଫା ରହି ଏବଂ ଶୁଦ୍ଧ ଚାଲିଚଳନ ରଖି ଯିହୋବାଙ୍କୁ ଖୁସି କରିପାରିବା ।

ଆପଣ କʼଣ କହିବେ ?

  • ସଫା ଓ ଶୁଦ୍ଧ ରହିବା କାହିଁକି ବହୁତ ଜରୁରୀ ଅଟେ ?

  • ସଫାସୁତୁରା ରହିବା ପାଇଁ ଆପଣ କʼଣ କରିପାରିବେ ?

  • ଆପଣ ନିଜ ବିଚାର ଓ ଚାଲିଚଳନକୁ କିପରି ଶୁଦ୍ଧ ରଖିପାରିବେ ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

ଯଦି ଆପଣଙ୍କ ଅଞ୍ଚଳରେ ଅଧିକ ସୁବିଧା ନାହିଁ, ତେବେ ବି ଆପଣ ସଫାସୁତୁରାର ଧ୍ୟାନ କିପରି ରଖିପାରିବେ ? ଆସନ୍ତୁ କିଛି ସହଜ ଉପାୟଗୁଡ଼ିକ ପ୍ରତି ଧ୍ୟାନ ଦେବା ।

ସ୍ୱାସ୍ଥ୍ୟ ଓ ସଫାସୁତୁରା​—ହାତ ଧୁଅନ୍ତୁ (୩:୦୧)

ସିଗାରେଟ୍‌ ପିଇବା ଛାଡ଼ିବା ପାଇଁ ଆପଣ କʼଣ କʼଣ କରିପାରିବେ, ତାହା ଜାଣିବା ପାଇଁ ଏହି ଲେଖା ପଢ଼ନ୍ତୁ ।

“ସିଗାରେଟ୍‌ ପିଇବାର ଅଭ୍ୟାସ ଛାଡ଼ିବା ପାଇଁ କʼଣ କରିବି ?” (ସଜାଗ ହୁଅ !-ହି, ଅକ୍ଟୋବର-ଡିସେମ୍ବର, ୨୦୧୦) (ସଜାଗ ହୁଅ ! ଲେଖା-ହି)

ଜାଣନ୍ତୁ ଯେ ପର୍ନୋଗ୍ରାଫି ଦେଖିଲେ ଆମ ଉପରେ କʼଣ ପ୍ରଭାବ ହୁଏ ।

“କʼଣ ଅଶ୍ଳିଳ ଚିତ୍ର କିମ୍ବା ଭିଡିଓ ଦେଖିଲେ କିଛି କ୍ଷତି ହୁଏ ?” (ପ୍ରହରୀଦୁର୍ଗ ଲେଖା-ହି)

ଜାଣନ୍ତୁ ଯେ ଜଣେ ବ୍ୟକ୍ତି କିପରି ଅଶ୍ଳିଳ ଚିତ୍ର ଦେଖିବାର ଅଭ୍ୟାସକୁ ଛାଡ଼ିପାରିଲେ ।

“ମୁଁ ଅନେକ ଥର ହାରି ମଧ୍ୟ ଜିତିଲି” (ପ୍ରହରୀଦୁର୍ଗ-ହି ସଂ. ୪ ୨୦୧୬)

a ଏହି ପାଠର “ଅଧିକ ଜାଣନ୍ତୁ” ଭାଗରେ “ସିଗାରେଟ୍‌ ପିଇବାର ଅଭ୍ୟାସ ଛାଡ଼ିବା ପାଇଁ କʼଣ କରିବି ?” ନାମକ ଲେଖା ଦିଆଯାଇଛି । ଏହି ଲେଖାରେ କିଛି ଉପାୟ ଦିଆଯାଇଛି, ଯାହା ସାହାଯ୍ୟରେ ଜଣେ ବ୍ୟକ୍ତି ଏହି ଅଭ୍ୟାସକୁ ଛାଡ଼ିପାରିବ ।

b ଫୋନ୍‌ କିମ୍ବା କମ୍ପ୍ୟୁଟର ଜରିଆରେ ଅନ୍ୟମାନଙ୍କୁ ଖରାପ କିମ୍ବା ଅଶ୍ଳିଳ ମେସେଜ୍‌, ଚିତ୍ରଗୁଡ଼ିକ ଓ ଭିଡିଓ ପଠାଇବାକୁ ସେକ୍ସଟିଙ୍ଗ୍‌ କୁହାଯାଏ ।

c ହସ୍ତମୈଥୁନର ଅଭ୍ୟାସକୁ ଛାଡ଼ିବା ପାଇଁ କେଉଁଠାରୁ ସାହାଯ୍ୟ ମିଳିପାରେ ? ଜାଣିବା ପାଇଁ “ହସ୍ତମୈଥୁନ ଛାଡ଼ିବା ପାଇଁ କʼଣ କରିବି ?” ନାମକ ଅନଲାଇନ୍‌ ଲେଖା ପଢ଼ନ୍ତୁ ।