इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୪୯

ସ୍ୱାମୀ ସ୍ତ୍ରୀ କିପରି ଖୁସିରେ ରହିପାରିବେ ?

ସ୍ୱାମୀ ସ୍ତ୍ରୀ କିପରି ଖୁସିରେ ରହିପାରିବେ ?

ବିବାହର ଦିନ ବରବଧୂଙ୍କ ପାଇଁ ବହୁତ ଖୁସିର ଦିନ ହୋଇଥାଏ । ସେମାନେ ଚାହାନ୍ତି ଯେ ସେମାନେ ଏପରି ହିଁ ସବୁଦିନ ସାଙ୍ଗରେ ଖୁସିରେ ରହନ୍ତୁ । କିନ୍ତୁ କʼଣ ଏହା ସତରେ ହୋଇପାରିବ ? ନିଶ୍ଚୟ ହୋଇପାରିବ । ଏପରି ଅନେକ ଖ୍ରୀଷ୍ଟିୟାନ ଅଛନ୍ତି ଯେଉଁମାନଙ୍କ ବିବାହକୁ ଅନେକ ବର୍ଷ ହୋଇସାରିଛି ଏବଂ ସେମାନେ ପ୍ରତ୍ୟେକ ପରିସ୍ଥିତିରେ ବାଇବଲର ପରାମର୍ଶଗୁଡ଼ିକୁ ମାନିଛନ୍ତି । ସେମାନେ ଆମ ପାଇଁ ଏକ ଭଲ ଉଦାହରଣ । ସେମାନଙ୍କୁ ଦେଖିଲେ ଆମେ ଜାଣିପାରୁ ଯେ ସ୍ୱାମୀ ସ୍ତ୍ରୀ ପରସ୍ପର ସହ ସତରେ ଖୁସିରେ ରହିପାରିବେ ।

୧. ବାଇବଲରେ ସ୍ୱାମୀମାନଙ୍କ ପାଇଁ କʼଣ ପରାମର୍ଶ ଦିଆଯାଇଛି ?

ଯିହୋବା ସ୍ୱାମୀକୁ ପରିବାରର ମୁଖିଆ ଭାବେ ବାଛିଛନ୍ତି । (ଏଫିସୀୟ ୫:୨୩ ପଢ଼ନ୍ତୁ ।) ଯିହୋବା ଚାହାନ୍ତି ଯେ ସ୍ୱାମୀ ନିଜ ପରିବାର ପାଇଁ କʼଣ ଭଲ, ତାହାକୁ ଧ୍ୟାନରେ ରଖି ନିଷ୍ପତ୍ତି ନେଉ । ବାଇବଲରେ ସ୍ୱାମୀମାନଙ୍କୁ ପରାମର୍ଶ ଦିଆଯାଇଛି, “ଆପଣା ଆପଣା ସ୍ତ୍ରୀମାନଙ୍କୁ ପ୍ରେମ କର ।” (ଏଫିସୀୟ ୫:୨୫) ଏହାର ଅର୍ଥ ଜଣେ ସ୍ୱାମୀ ନିଜ ସ୍ତ୍ରୀ ସହ ଭଲ ବ୍ୟବହାର କରିବ, ଏପରିକି ଏକୁଟିଆରେ ଥିଲେ ମଧ୍ୟ କିମ୍ବା ଲୋକମାନଙ୍କ ସାଙ୍ଗରେ ଥିଲେ ମଧ୍ୟ । ସେ ନିଜ ସ୍ତ୍ରୀର ସୁରକ୍ଷା ପ୍ରତି ଧ୍ୟାନ ଦେବ, ତାʼ କଥା ଶୁଣିବ ଏବଂ ତାʼ ଭାବନାଗୁଡ଼ିକୁ ବୁଝିବା ପାଇଁ ଚେଷ୍ଟା କରିବ ଏବଂ ତାʼର ଆବଶ୍ୟକତାଗୁଡ଼ିକୁ ପୂରା କରିବ । (୧ ତୀମଥି ୫:୮) ସବୁଠୁ ଜରୁରୀ, ସେ ନିଜ ସ୍ତ୍ରୀକୁ ଯିହୋବାଙ୍କ ସହ ମଜବୁତ୍‌ ସମ୍ପର୍କ ରଖିବା ପାଇଁ ସାହାଯ୍ୟ କରିବ । (ମାଥିଉ ୪:୪) ଯେପରି, ସେ ତାʼ ସହ ମିଶି ପ୍ରାର୍ଥନା କରିବ ଓ ବାଇବଲ ପଢ଼ିବ । ଯେତେବେଳେ ସ୍ୱାମୀ ପ୍ରେମର ସହ ନିଜ ସ୍ତ୍ରୀର ଯତ୍ନ ନିଏ, ସେତେବେଳେ ସେ ଯିହୋବାଙ୍କ ସହ ନିଜ ସମ୍ପର୍କକୁ ମଧ୍ୟ ଆହୁରି ମଜବୁତ୍‌ କରିପାରେ ।​—୧ ପିତର ୩:୭ ପଢ଼ନ୍ତୁ ।

୨. ବାଇବଲରେ ସ୍ତ୍ରୀମାନଙ୍କ ପାଇଁ କʼଣ ପରାମର୍ଶ ଦିଆଯାଇଛି ?

ବାଇବଲରେ ସ୍ତ୍ରୀମାନଙ୍କୁ କୁହାଯାଇଛି ଯେ ସେମାନେ ନିଜ ସ୍ୱାମୀଙ୍କୁ ଗଭୀର ଆଦର କରନ୍ତୁ । (ଏଫିସୀୟ ୫:୩୩) ଜଣେ ସ୍ତ୍ରୀ ଏହା କିପରି କରିପାରିବ ? ସେ ନିଜ ସ୍ୱାମୀଙ୍କର ଭଲ ଗୁଣଗୁଡ଼ିକ ବିଷୟରେ ଭାବିପାରିବ । ସେ ଏହା ମଧ୍ୟ ଧ୍ୟାନ ଦେଇପାରିବ ଯେ ତାʼ ସ୍ୱାମୀ ତାʼ ପାଇଁ ଓ ତାʼ ପିଲାମାନଙ୍କ ପାଇଁ କେତେ ପରିଶ୍ରମ କରୁଛନ୍ତି । ଏହାଛଡ଼ା, ତାʼ ସ୍ୱାମୀ ଯାହା ବି ନିଷ୍ପତ୍ତି ନିଅନ୍ତି, ସେଥିରେ ସେ ସହଯୋଗ କରିବ, ତାଙ୍କ ସହିତ ପ୍ରେମର ସହ କଥା ହେବ ଏବଂ ତାଙ୍କ ବିଷୟରେ ଖରାପ କଥା କହିବ ନାହିଁ । ତାʼ ସ୍ୱାମୀ ଯିହୋବାଙ୍କ ସେବକ ଥାʼନ୍ତୁ ବା ନ ଥାʼନ୍ତୁ, ସେ ସବୁବେଳେ ଏପରି କରିବ ।

୩. ସ୍ୱାମୀ ସ୍ତ୍ରୀ କିପରି ନିଜ ସମ୍ପର୍କକୁ ମଜବୁତ୍‌ କରିପାରିବେ ?

ବାଇବଲ ସ୍ୱାମୀ ସ୍ତ୍ରୀମାନଙ୍କ ବିଷୟରେ କହେ, “ସେ ଦୁହେଁ ଏକାଙ୍ଗ ହେବେ ।” (ମାଥିଉ ୧୯:୫) ଏହାର ଅର୍ଥ ସେମାନଙ୍କୁ ନିଜ ମନରୁ ଏପରି ଚିନ୍ତାଗୁଡ଼ିକୁ ବାହାର କରିଦେବା ଉଚିତ୍‌, ଯାହା ସେମାନଙ୍କ ସମ୍ପର୍କକୁ ଭାଙ୍ଗିପାରେ । ସେମାନେ ଏହା କିପରି କରିପାରିବେ ? ସେମାନେ ପ୍ରତିଦିନ ପରସ୍ପର ପାଇଁ ସମୟ ବାହାର କରିବେ, ପ୍ରେମର ସହ କଥା ହେବେ ଏବଂ ସେମାନେ କʼଣ ଭାବନ୍ତି କିମ୍ବା କିପରି ଅନୁଭବ କରନ୍ତି, ତାହା ମନ ଖୋଲି ପରସ୍ପରକୁ କହିବେ । ଯିହୋବାଙ୍କ ଛଡ଼ା, ସେମାନେ ଅନ୍ୟ କୌଣସି ବ୍ୟକ୍ତି ବା ଜିନିଷକୁ ନିଜ ଜୀବନସାଥୀଠାରୁ ଅଧିକ ମହତ୍ତ୍ୱ ଦେବେ ନାହିଁ । ବିଶେଷ କରି, ସେମାନେ ଏହା ଧ୍ୟାନ ରଖିବେ ଯେ ସେମାନେ ନିଜ ଜୀବନସାଥୀ ଛଡ଼ା ଅନ୍ୟ କାହାରି ସହ ଏପରି ସମ୍ପର୍କ ଗଢ଼ିବେ ନାହିଁ ଯାହା ଠିକ୍‌ ନୁହେଁ ।

ଭାବନ୍ତୁ ଓ ଶିଖନ୍ତୁ

ଜାଣନ୍ତୁ ଯେ ବାଇବଲର କେଉଁ ସିଦ୍ଧାନ୍ତଗୁଡ଼ିକୁ ମାନି ସ୍ୱାମୀ ସ୍ତ୍ରୀ ନିଜ ସମ୍ପର୍କକୁ ମଜବୁତ୍‌ କରିପାରିବେ ।

୪. ନିଜ ସ୍ତ୍ରୀକୁ ପ୍ରେମ କରନ୍ତୁ ଓ ତାʼର ଭଲ ଭାବେ ଯତ୍ନ ନିଅନ୍ତୁ

ବାଇବଲରେ ସ୍ୱାମୀମାନଙ୍କୁ ପରାମର୍ଶ ଦିଆଯାଇଛି ଯେ ସେମାନେ “ଆପଣା ଆପଣା ସ୍ତ୍ରୀମାନଙ୍କୁ ନିଜ ନିଜ ଶରୀର ସଦୃଶ ପ୍ରେମ କରିବା ଉଚିତ୍‌ ।” (ଏଫିସୀୟ ୫:୨୮, ୨୯) ଏହାର ଅର୍ଥ କʼଣ ? ତାହା ଜାଣିବା ପାଇଁ ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।

  • କେଉଁ କେଉଁ ଉପାୟରେ ଜଣେ ସ୍ୱାମୀ ଦେଖାଇପାରିବ ଯେ ସେ ନିଜ ସ୍ତ୍ରୀକୁ ପ୍ରେମ କରେ ଏବଂ ତାʼର ବହୁତ ଚିନ୍ତା କରେ ?

କଲସୀୟ ୩:୧୨ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଜଣେ ସ୍ୱାମୀ ଏହି ପଦରେ ଦିଆଯାଇଥିବା ଗୁଣଗୁଡ଼ିକୁ କିପରି ଦେଖାଇପାରିବ ?

୫. ନିଜ ସ୍ୱାମୀଙ୍କୁ ପ୍ରେମ କରନ୍ତୁ ଓ ତାଙ୍କୁ ଆଦର କରନ୍ତୁ

ଜଣେ ସ୍ୱାମୀ ଯିହୋବାଙ୍କ ସେବକ ଥାʼନ୍ତୁ ବା ନ ଥାʼନ୍ତୁ, ବାଇବଲ ସ୍ତ୍ରୀମାନଙ୍କୁ ପ୍ରୋତ୍ସାହନ ଦିଏ ଯେ ସେମାନେ ନିଜ ସ୍ୱାମୀଙ୍କୁ ଆଦର କରିବା ଉଚିତ୍‌ । ୧ ପିତର ୩:୧, ୨ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଯଦି ଆପଣଙ୍କ ସ୍ୱାମୀ ଯିହୋବାଙ୍କ ସେବକ ନୁହନ୍ତି, ତାହେଲେ ନିଶ୍ଚୟ ଆପଣ ଚାହିଁବେ ଯେ ସେ ଜଣେ ଯିହୋବାଙ୍କ ସେବକ ହୁଅନ୍ତୁ । କିନ୍ତୁ ଆପଣ କʼଣ ଭାବନ୍ତି, ଆପଣ ତାଙ୍କ ମନରେ ଯିହୋବାଙ୍କ ପାଇଁ ପ୍ରେମ କିପରି ବଢ଼ାଇପାରିବେ, ଦିନସାରା ତାଙ୍କୁ ପ୍ରଚାର କରି ନା ତାଙ୍କୁ ଭଲ ବ୍ୟବହାର ଦେଖାଇ ଓ ତାଙ୍କୁ ଆଦର କରି ? ଆପଣ ଏପରି କାହିଁକି କହିପାରିବେ ?

ସ୍ୱାମୀ ସ୍ତ୍ରୀ ସାଙ୍ଗରେ ମିଶି ଭଲ ନିଷ୍ପତ୍ତି ନେଇପାରିବେ । କିନ୍ତୁ ଯଦି ସ୍ତ୍ରୀର ମତ ସ୍ୱାମୀଙ୍କ ମତଠାରୁ ଅଲଗା ଥାଏ, ତାହେଲେ ସେ କʼଣ କରିବ ? ଏପରି ସମୟରେ ସ୍ତ୍ରୀ ଶାନ୍ତି ଓ ଆଦରର ସହ ନିଜ କଥା କହିପାରିବ । କିନ୍ତୁ ସେ ସବୁବେଳେ ମନେ ରଖିବ ଯେ ଯିହୋବା ପରିବାର ପାଇଁ ନିଷ୍ପତ୍ତି ନେବାର ଦାୟିତ୍ୱ ସ୍ୱାମୀକୁ ଦେଇଛନ୍ତି । ସ୍ୱାମୀ ଯାହା ବି ନିଷ୍ପତ୍ତି ନେବେ, ସ୍ତ୍ରୀ ତାହାକୁ ସହଯୋଗ କରିବା ପାଇଁ ପୂରାପୂରି ଚେଷ୍ଟା କରିବ । ଯେତେବେଳେ ସ୍ତ୍ରୀ ଏପରି କରେ, ସେତେବେଳେ ପରିବାରରେ ଖୁସି ଆହୁରି ବଢ଼ିଯାଏ । ୧ ପିତର ୩:୩-୫ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଯେତେବେଳେ ଯିହୋବା ଦେଖନ୍ତି ଯେ ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ଆଦର କରୁଛି, ସେତେବେଳେ ତାଙ୍କୁ କିପରି ଲାଗେ ?

୬. ସ୍ୱାମୀ ସ୍ତ୍ରୀ ନିଜ ସମସ୍ୟାଗୁଡ଼ିକୁ ସମାଧାନ କରିପାରିବେ

ପ୍ରତ୍ୟେକ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଆସେ । ତେଣୁ ସେମାନଙ୍କୁ ସାଙ୍ଗରେ ମିଶି ସମସ୍ୟାଗୁଡ଼ିକୁ ସମାଧାନ କରିବା ଉଚିତ୍‌ । ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।

  • କେଉଁ କଥାଗୁଡ଼ିକରୁ ଜଣାପଡ଼େ ଯେ ଭିଡିଓରେ ଥିବା ସ୍ୱାମୀ ସ୍ତ୍ରୀ ଧୀରେ ଧୀରେ ପରସ୍ପରଠାରୁ ଦୂରେଇ ଯାଉଥିଲେ ?

  • ସେମାନେ ନିଜ ସମ୍ପର୍କକୁ ମଜବୁତ୍‌ କରିବା ପାଇଁ କʼଣ କʼଣ କଲେ ?

୧ କରିନ୍ଥୀୟ ୧୦:୨୪ କଲସୀୟ ୩:୧୩ ପଢ଼ନ୍ତୁ । ପ୍ରତ୍ୟେକ ପଦକୁ ପଢ଼ିବା ପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଏହି ପରାମର୍ଶକୁ ମାନିଲେ ସ୍ୱାମୀ ସ୍ତ୍ରୀ କିପରି ନିଜ ସମ୍ପର୍କକୁ ମଜବୁତ୍‌ କରିପାରିବେ ?

ବାଇବଲରେ ଲେଖାଅଛି ଯେ ଆମେ ପରସ୍ପରକୁ ଆଦର କରିବା ଉଚିତ୍‌ । କାହାରିକୁ ଆଦର କରିବାର ଅର୍ଥ ହେଉଛି, ତାଙ୍କ ସହ ଭଲ ବ୍ୟବହାର କରିବା, ତାଙ୍କୁ ଆଦର କରିବା ଓ ତାଙ୍କୁ ନୀଚ ମନେ ନ କରିବା । ରୋମୀୟ ୧୨:୧୦ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • କʼଣ ଏପରି ଭାବିବା ଠିକ୍‌ ହେବ ଯେ ଯେତେବେଳେ ମୋ ଜୀବନସାଥୀ ମୋତେ ଆଦର କରିବେ, ତେବେଯାଇ ମୁଁ ତାଙ୍କୁ ଆଦର କରିବି ? ଆପଣ ଏପରି କାହିଁକି କହନ୍ତି ?

କିଛି ଲୋକ କହନ୍ତି: “ଆମ ମଧ୍ୟରେ ଆଗ ଭଳି ଆଉ କିଛି ବି ନାହିଁ ।”

  • ଆପଣ ସେମାନଙ୍କୁ କିପରି ବୁଝାଇପାରିବେ ଯେ ବାଇବଲ ସେମାନଙ୍କୁ ସାହାଯ୍ୟ କରିପାରିବ ?

ଆମେ କʼଣ ଶିଖିଲୁ ?

ଯେତେବେଳେ ସ୍ୱାମୀ ସ୍ତ୍ରୀ ପରସ୍ପରକୁ ପ୍ରେମ କରିବେ, ପରସ୍ପରକୁ ଆଦର କରିବେ ଏବଂ ବାଇବଲର ସିଦ୍ଧାନ୍ତଗୁଡ଼ିକୁ ମାନିବେ, ତେବେଯାଇ ସେମାନେ ଖୁସିରେ ରହିପାରିବେ ।

ଆପଣ କʼଣ କହିବେ ?

  • ନିଜ ପରିବାରକୁ ଖୁସିରେ ରଖିବା ପାଇଁ ଜଣେ ସ୍ୱାମୀ କʼଣ କରିପାରିବ ?

  • ନିଜ ପରିବାରକୁ ଖୁସିରେ ରଖିବା ପାଇଁ ଜଣେ ସ୍ତ୍ରୀ କʼଣ କରିପାରିବ ?

  • ଯଦି ଆପଣ ବିବାହିତ, ତାହେଲେ ବାଇବଲର କେଉଁ ସିଦ୍ଧାନ୍ତ ଆପଣଙ୍କ ସମ୍ପର୍କକୁ ମଜବୁତ୍‌ କରିବାରେ ସାହାଯ୍ୟ କରିପାରିବ ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

ଆପଣ ନିଜ ପରିବାରରେ କିପରି ଖୁସି ଆଣିପାରିବେ, ତାହା ଜାଣିବା ପାଇଁ କିଛି ଉପାୟ ପ୍ରତି ଧ୍ୟାନ ଦିଅନ୍ତୁ ।

ଆପଣଙ୍କ ପରିବାର ସୁଖୀ ହୋଇପାରିବ (ପୁସ୍ତିକା)

ସଙ୍ଗୀତର ଗୋଟିଏ ଭିଡିଓ ଦେଖନ୍ତୁ ଯେଉଁଥିରେ କୁହାଯାଇଛି ଯେ ଈଶ୍ୱରଙ୍କ ପରାମର୍ଶ ମାନିଲେ ସ୍ୱାମୀ ସ୍ତ୍ରୀଙ୍କୁ କʼଣ କʼଣ ଲାଭ ହୋଇପାରେ ।

ପ୍ରେମର ବନ୍ଧନ (୪:୨୬)

ଈଶ୍ୱର ସ୍ୱାମୀକୁ ପରିବାରର ମୁଖିଆ ଭାବେ ବାଛିଛନ୍ତି । ନିଜ ମୁଖିଆର ଅଧୀନରେ ରହିବାର ଅର୍ଥ କʼଣ ? ଆସନ୍ତୁ ଜାଣିବା ।

“ସ୍ତ୍ରୀମାନେ, ଆପଣ କାହିଁକି ନିଜ ମୁଖିଆର ଅଧୀନରେ ରହିବା ଉଚିତ୍‌ ?” (ପ୍ରହରୀଦୁର୍ଗ-ହି, ୧୫ ମେ, ୨୦୧୦)

ଯଦି ସ୍ୱାମୀ ସ୍ତ୍ରୀ ବାଇବଲର ପରାମର୍ଶକୁ ମାନନ୍ତି, ତାହେଲେ ଏହା ତାଙ୍କ ସମ୍ପର୍କ ଉପରେ କେତେ ପ୍ରଭାବ ପକାଇପାରେ, ତାହା ଜାଣିବା ପାଇଁ ଆସନ୍ତୁ ଗୋଟିଏ ଭିଡିଓ ଦେଖିବା ।

ଆମେ ସାଙ୍ଗରେ ଅଛୁ କେବଳ ବାଇବଲ ଯୋଗୁଁ (୭:୧୨)