इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୫୫

ନିଜ ମଣ୍ଡଳୀକୁ ସହଯୋଗ କରନ୍ତୁ

ନିଜ ମଣ୍ଡଳୀକୁ ସହଯୋଗ କରନ୍ତୁ

ସାରା ଦୁନିଆରେ ଥିବା ହଜାର ହଜାର ମଣ୍ଡଳୀଗୁଡ଼ିକରେ ଲକ୍ଷ ଲକ୍ଷ ଲୋକ ଖୁସିରେ ଯିହୋବାଙ୍କର ଉପାସନା କରୁଛନ୍ତି । ସେମାନେ ଯାହା ଶିଖନ୍ତି ଓ ସେମାନଙ୍କୁ ଯେଉଁ ପରାମର୍ଶ ଦିଆଯାଏ, ତାʼପାଇଁ ସେମାନେ ବହୁତ କୃତଜ୍ଞ ଏବଂ ସେମାନେ ନିଜ ମଣ୍ଡଳୀକୁ ଅଲଗା ଅଲଗା ଉପାୟରେ ସହଯୋଗ କରନ୍ତି । କʼଣ ଆପଣ ମଧ୍ୟ ନିଜ ମଣ୍ଡଳୀ ପାଇଁ କୃତଜ୍ଞ ? ଆପଣ ନିଜ ମଣ୍ଡଳୀ ପାଇଁ କʼଣ କରିପାରିବେ ? ଆସନ୍ତୁ ଜାଣିବା ।

୧. ଆମେ ମଣ୍ଡଳୀକୁ ସହଯୋଗ କରିବା ପାଇଁ କେଉଁ କେଉଁ ଉପାୟରେ ନିଜ ସମୟ ଓ ଶକ୍ତି ଲଗାଇପାରିବା ?

ଆମେ ସମସ୍ତେ ମଣ୍ଡଳୀର କାମଗୁଡ଼ିକରେ ସହଯୋଗ କରିପାରିବା । ଯେପରି, ଆମ ମଣ୍ଡଳୀରେ ଥିବା ବୃଦ୍ଧ ଭାଇଭଉଣୀ କିମ୍ବା ଯେଉଁମାନେ ଭଲ ଭାବେ ଚାଲିପାରନ୍ତି ନାହିଁ, ସେମାନଙ୍କୁ ସଭାରେ ଯିବା ଆସିବା ପାଇଁ ଆମେ ସାହାଯ୍ୟ କରିପାରିବା । ଆମେ ଅନ୍ୟ ଉପାୟରେ ବି ସେମାନଙ୍କୁ ସାହାଯ୍ୟ କରିପାରିବା । ଯେପରି, ସେମାନଙ୍କ ପାଇଁ କିଣାକିଣି କରିପାରିବା କିମ୍ବା ସେମାନଙ୍କ ଘରକୁ ସଫାସୁତୁରା କରିପାରିବା । (ଯାକୁବ ୧:୨୭ ପଢ଼ନ୍ତୁ ।) ତାʼଛଡ଼ା, ଆମେ ରାଜ୍ୟଘରକୁ ମଧ୍ୟ ସଫାସୁତୁରା ଓ ଭଲ ଅବସ୍ଥାରେ ରଖିବା ପାଇଁ ସାହାଯ୍ୟ କରିପାରିବା । ଏସବୁ କରିବା ପାଇଁ ଆମକୁ କେହି ବାଧ୍ୟ କରନ୍ତି ନାହିଁ, ବରଂ ଆମେ “ସ୍ୱେଚ୍ଛାରେ” ଏସବୁ କରୁ, କାରଣ ଆମେ ଯିହୋବା ଓ ନିଜ ଭାଇଭଉଣୀମାନଙ୍କୁ ପ୍ରେମ କରୁ ।​—ଗୀତସଂହିତା ୧୧୦:୩.

ଯେଉଁ ଭାଇଭଉଣୀମାନଙ୍କର ବାପ୍ତିସ୍ମ ହୋଇସାରିଛି, ସେମାନେ ଆହୁରି ଅନ୍ୟ ଉପାୟଗୁଡ଼ିକରେ ମଣ୍ଡଳୀକୁ ସହଯୋଗ କରିପାରିବେ । ଯେଉଁ ଭାଇମାନେ ବାଇବଲରେ ଦିଆଯାଇଥିବା ଯୋଗ୍ୟତାଗୁଡ଼ିକୁ ପୂରା କରନ୍ତି, ସେମାନେ ସହାୟକ ସେବକ ଭାବେ ସେବା କରିପାରିବେ ଓ ଆଗକୁ ଯାଇ ପ୍ରାଚୀନ ମଧ୍ୟ ହୋଇପାରିବେ । ତାʼଛଡ଼ା, ଆଉ କିଛି କାମ ଅଛି ଯାହା ଭାଇ ଓ ଭଉଣୀ ଦୁଇଜଣଯାକ କରିପାରିବେ । ଯେପରି, ସେମାନେ ଅଗ୍ରଦୂତ ସେବା କରି ପ୍ରଚାର କାମରେ ସହଯୋଗ କରିପାରିବେ । କିଛି ଖ୍ରୀଷ୍ଟିୟାନମାନେ ଉପାସନାର ଜାଗାଗୁଡ଼ିକୁ ତିଆରି କରିବାରେ ସାହାଯ୍ୟ କରିପାରିବେ କିମ୍ବା ଏପରି ମଣ୍ଡଳୀଗୁଡ଼ିକରେ ଯାଇ ସେବା କରିପାରିବେ, ଯେଉଁଠାରେ ଅଧିକ ଆବଶ୍ୟକତା ରହିଛି ।

୨. ଆମେ ମଣ୍ଡଳୀକୁ ସହଯୋଗ କରିବା ପାଇଁ କେଉଁ କେଉଁ ଉପାୟରେ ନିଜ ପଇସା ଓ ନିଜ ଜିନିଷଗୁଡ଼ିକୁ ବ୍ୟବହାର କରିପାରିବା ?

ଆମେ ‘ଆପଣା ଧନରେ ସଦାପ୍ରଭୁଙ୍କର ସମାଦର’ କରିପାରିବା । (ହିତୋପଦେଶ ୩:୯) ଆମକୁ ବହୁତ ଖୁସି ଲାଗେ ଯେ ଆମେ ନିଜ ପଇସା ଓ ନିଜ ଜିନିଷଗୁଡ଼ିକୁ ଦାନ କରି ମଣ୍ଡଳୀ ଓ ସାରା ଦୁନିଆରେ ହେଉଥିବା ପ୍ରଚାର କାମକୁ ସହଯୋଗ କରିପାରୁଛୁ । (୨ କରିନ୍ଥୀୟ ୯:୭ ପଢ଼ନ୍ତୁ ।) ଆମ ଦାନରୁ ସେହି ଭାଇଭଉଣୀମାନଙ୍କୁ ମଧ୍ୟ ସାହାଯ୍ୟ କରାଯାଏ, ଯେଉଁମାନେ ପ୍ରାକୃତିକ ବିପତ୍ତିର ଶିକାର ହୋଇଥାʼନ୍ତି । ଦାନ କରିବା ପାଇଁ କିଛି ଖ୍ରୀଷ୍ଟିୟାନ ନିୟମିତ ଭାବେ କିଛି ପଇସା ଅଲଗା “ସଞ୍ଚୟ କରି” ରଖନ୍ତି । (୧ କରିନ୍ଥୀୟ ୧୬:୨ ପଢ଼ନ୍ତୁ ।) ଆମେ ଉପାସନାର ଜାଗାରେ ରଖାଯାଇଥିବା ଦାନ ବାକ୍ସଗୁଡ଼ିକରେ ଦାନ ଦେଇପାରିବା କିମ୍ବା donate.pr418.com ୱେବସାଇଟ୍‌ରେ ଯାଇ ଦାନ ଦେଇପାରିବା । ଏପରି ଭାବେ ପଇସା ଓ ଅନ୍ୟ ଜିନିଷଗୁଡ଼ିକୁ ଦାନ କରି ଆମେ ଦେଖାଇପାରିବା ଯେ ଆମେ ଯିହୋବାଙ୍କୁ ବହୁତ ପ୍ରେମ କରୁ ।

ଭାବନ୍ତୁ ଓ ଶିଖନ୍ତୁ

ଜାଣନ୍ତୁ ଯେ ମଣ୍ଡଳୀକୁ ସହଯୋଗ କରିବାର କିଛି ଉପାୟଗୁଡ଼ିକ କʼଣ ।

୩. ଆମେ ଦାନରେ ନିଜ ପଇସା ଓ ଜିନିଷଗୁଡ଼ିକ ଦେଇପାରିବା

ନିଜ ଖୁସିରେ ଦାନ ଦେଉଥିବା ବ୍ୟକ୍ତିକୁ ଯିହୋବା ପ୍ରେମ କରନ୍ତି । ଯୀଶୁ ମଧ୍ୟ ନିଜ ପିତାଙ୍କ ଭଳି ଅଟନ୍ତି । ଉଦାହରଣ ପାଇଁ, ଯୀଶୁ ଜଣେ ଗରିବ ବିଧବା ଉପରେ ଧ୍ୟାନ ଦେଲେ । ସେ ଦେଖିଲେ ଯେ ତାʼ ପାଖରେ କମ୍‌ ପଇସା ଥିବା ସତ୍ତ୍ୱେ ସେ ଯିହୋବାଙ୍କ ପାଇଁ ଦାନ ଦେଲା । ଏହି କଥା ପାଇଁ ଯୀଶୁ ତାକୁ ବହୁତ ପ୍ରଶଂସା କଲେ । ଲୂକ ୨୧:୧-୪ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • କʼଣ ଯିହୋବା କେବଳ ସେତେବେଳେ ଖୁସି ହୁଅନ୍ତି, ଯେତେବେଳେ ଆମେ ବହୁତ ଟଙ୍କା ଦାନ ଦେଉ ?

  • ଯେତେବେଳେ ଆମେ ନିଜ ଇଚ୍ଛାରେ ଦାନ ଦେଉ, ସେତେବେଳେ ଯିହୋବା ଓ ଯୀଶୁଙ୍କୁ କିପରି ଲାଗେ ?

ଆମ ଦାନକୁ ଅଲଗା ଅଲଗା ଉପାୟରେ ବ୍ୟବହାର କରାଯାଏ । କିପରି ? ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।

  • ଆମେ ଯେଉଁ ଦାନ ଦେଉ, ତାହା ସାରା ଦୁନିଆରେ ଥିବା ମଣ୍ଡଳୀଗୁଡ଼ିକର ଲାଭ ପାଇଁ କିପରି ବ୍ୟବହାର କରାଯାଏ ?

୪. ଆମେ ଅନ୍ୟ ଉପାୟରେ ମଧ୍ୟ ସାହାଯ୍ୟ କରିପାରିବା

ପ୍ରାଚୀନ ସମୟରେ ଯିହୋବାଙ୍କର ସେବକମାନେ ଉପାସନାର ଜାଗାଗୁଡ଼ିକୁ ଭଲ ଅବସ୍ଥାରେ ରଖୁଥିଲେ । ସେମାନେ ପଇସା ଦେବା ସହ ଆଉ କିଛି ବି କରୁଥିଲେ । ୨ ବଂଶାବଳୀ ୩୪:୯-୧୧ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ପ୍ରତ୍ୟେକ ଇସ୍ରାଏଲୀୟ ଯିହୋବାଙ୍କ ଗୃହର ଦେଖାରେଖା କରିବା ପାଇଁ କିପରି ସହଯୋଗ କଲେ ?

ଆସନ୍ତୁ ଦେଖିବା ଯେ ଇସ୍ରାଏଲୀୟମାନଙ୍କ ପରି ଆଜି ଯିହୋବାଙ୍କ ସାକ୍ଷୀମାନେ କʼଣ କରନ୍ତି । ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।

  • ନିଜ ରାଜ୍ୟଘରକୁ ସଫାସୁତୁରା ଓ ଭଲ ଅବସ୍ଥାରେ ରଖିବା କାହିଁକି ଜରୁରୀ ?

  • ଆପଣ ଏହି କାମରେ କିପରି ସହଯୋଗ କରିପାରିବେ ?

୫. ମଣ୍ଡଳୀରେ ଅଧିକ ସେବା କରିବା ପାଇଁ ଭାଇମାନେ ଆଗକୁ ବଢ଼ିପାରିବେ

ବାଇବଲରେ ଖ୍ରୀଷ୍ଟିୟାନ ଭାଇମାନଙ୍କୁ ପ୍ରୋତ୍ସାହନ ଦିଆଯାଇଛି ଯେ ସେମାନେ ମଣ୍ଡଳୀର କାମଗୁଡ଼ିକରେ ଅଧିକରୁ ଅଧିକ ସହଯୋଗ କରିବା ପାଇଁ ଆଗକୁ ବଢ଼ନ୍ତୁ । ସେମାନେ ଏହା କିପରି କରିପାରିବେ ? ତାହା ଜାଣିବା ପାଇଁ ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।

  • ଭିଡିଓରେ ରାୟନ ମଣ୍ଡଳୀକୁ ଆହୁରି ଭଲ ଭାବେ ସହଯୋଗ କରିବା ପାଇଁ କʼଣ କଲେ ?

ବାଇବଲରେ ସହାୟକ ସେବକ ଓ ପ୍ରାଚୀନମାନଙ୍କ ପାଇଁ ଯୋଗ୍ୟତାଗୁଡ଼ିକ ଦିଆଯାଇଛି । ୧ ତୀମଥି ୩:୧-୧୩ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଯେଉଁ ଭାଇମାନେ ସହାୟକ ସେବକ ଓ ପ୍ରାଚୀନ ହେବା ପାଇଁ ଆଗକୁ ବଢ଼ନ୍ତି, ସେମାନଙ୍କଠାରୁ କʼଣ ଆଶା କରାଯାଏ ?

  • ସେମାନଙ୍କ ପରିବାରଠାରୁ କʼଣ ଆଶା କରାଯାଏ ?​—ପଦ ୪୧୧ ଦେଖନ୍ତୁ ।

  • ଯେତେବେଳେ ଭାଇମାନେ ବାଇବଲରେ ଦିଆଯାଇଥିବା ଯୋଗ୍ୟତାଗୁଡ଼ିକୁ ପୂରଣ କରିବା ପାଇଁ ପରିଶ୍ରମ କରନ୍ତି, ସେତେବେଳେ ମଣ୍ଡଳୀରେ ସମସ୍ତଙ୍କୁ କିପରି ଲାଭ ହୁଏ ?

ହୁଏତ କେହି ପଚାରିପାରନ୍ତି: “ଯିହୋବାଙ୍କ ସାକ୍ଷୀମାନଙ୍କ କାମ ପାଇଁ ପଇସା କେଉଁଠୁ ଆସେ ?”

  • ଆପଣ କʼଣ ଉତ୍ତର ଦେବେ ?

ଆମେ କʼଣ ଶିଖିଲୁ ?

ଯେତେବେଳେ ଆମେ ନିଜ ସମୟ, ଶକ୍ତି, ପଇସା ଓ ଅନ୍ୟ ଜିନିଷଗୁଡ଼ିକ ଦେଇ ମଣ୍ଡଳୀକୁ ସହଯୋଗ କରୁ, ସେତେବେଳେ ଯିହୋବା ଏହା ଦେଖି ବହୁତ ଖୁସି ହୁଅନ୍ତି ।

ଆପଣ କʼଣ କହିବେ ?

  • ଆମେ ମଣ୍ଡଳୀକୁ ସହଯୋଗ କରିବା ପାଇଁ କେଉଁ କେଉଁ ଉପାୟରେ ନିଜ ସମୟ ଓ ଶକ୍ତି ଲଗାଇପାରିବା ?

  • ଆମେ ମଣ୍ଡଳୀକୁ ସହଯୋଗ କରିବା ପାଇଁ କେଉଁ କେଉଁ ଉପାୟରେ ନିଜ ପଇସା ଓ ଜିନିଷଗୁଡ଼ିକୁ ବ୍ୟବହାର କରିପାରିବା ?

  • ଆପଣ କେଉଁ କେଉଁ ଉପାୟରେ ମଣ୍ଡଳୀକୁ ସହଯୋଗ କରିବା ପାଇଁ ଚାହିଁବେ ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

କʼଣ ଈଶ୍ୱର ଚାହାନ୍ତି ଯେ ଖ୍ରୀଷ୍ଟିୟାନମାନେ ନିଜ ରୋଜଗାରର ଦଶମାଂଶ ଦିଅନ୍ତୁ ? ଆସନ୍ତୁ ଜାଣିବା ।

“ରୋଜଗାରର ଦଶମାଂଶ ଦେବା ବିଷୟରେ ବାଇବଲରେ କʼଣ ଲେଖାଅଛି ?” (jw.org ୱେବସାଇଟ୍‌ରେ ଥିବା ଲେଖା)

ଆସନ୍ତୁ ଏପରି କିଛି ଭାଇମାନଙ୍କ ସହ ଦେଖା ହେବା, ଯେଉଁମାନେ ସାହସର ସହିତ ସମସ୍ୟାକୁ ପାର କରି ଭାଇଭଉଣୀମାନଙ୍କ ଯାଏଁ ପ୍ରକାଶନ ପହଞ୍ଚାନ୍ତି ।

କଙ୍ଗୋରେ ବାଇବଲର ପ୍ରକାଶନଗୁଡ଼ିକର ବଣ୍ଟନ (୪:୨୫)

ଜାଣନ୍ତୁ ଯେ ପଇସା ମାମଲାରେ ଆମ ସଂଗଠନ ଅନ୍ୟ ଧାର୍ମିକ ସଂଗଠନଗୁଡ଼ିକଠାରୁ କିପରି ଅଲଗା ।

“ଯିହୋବାଙ୍କ ସାକ୍ଷୀମାନଙ୍କର କାମ ପାଇଁ ପଇସା କେଉଁଠୁ ଆସେ ?” (jw.org ୱେବସାଇଟ୍‌ରେ ଥିବା ଲେଖା)