इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୫୭

ଯଦି ଆମ ଦ୍ୱାରା କୌଣସି ଗମ୍ଭୀର ପାପ ହୋଇଯାଏ, ତାହେଲେ ଆମେ କʼଣ କରିବା ?

ଯଦି ଆମ ଦ୍ୱାରା କୌଣସି ଗମ୍ଭୀର ପାପ ହୋଇଯାଏ, ତାହେଲେ ଆମେ କʼଣ କରିବା ?

ଏହା ସତ ଯେ ଆମେ ଯିହୋବାଙ୍କୁ ବହୁତ ପ୍ରେମ କରୁ ଏବଂ ତାଙ୍କୁ ଦୁଃଖ ପହଞ୍ଚାଉଥିବା ଭଳି କାମ ନ କରିବା ପାଇଁ ପୂରା ଚେଷ୍ଟା କରୁ । ତଥାପି ବେଳେ ବେଳେ ଆମ ଦ୍ୱାରା କିଛି ଭୁଲ ହୋଇଯାଏ ଏବଂ କିଛି ଭୁଲଗୁଡ଼ିକ ଅନ୍ୟ ଭୁଲଗୁଡ଼ିକ ତୁଳନାରେ ଅଧିକ ଗମ୍ଭୀର ହୋଇଥାଏ । (୧ କରିନ୍ଥୀୟ ୬:୯, ୧୦) ଯଦି ଆମ ଦ୍ୱାରା କୌଣସି ଗମ୍ଭୀର ପାପ ହୋଇଯାଏ, ତାହେଲେ ଆମେ ମନେ ରଖିବା ଉଚିତ୍‌ ଯେ ଯିହୋବା ଏବେ ମଧ୍ୟ ଆମକୁ ପ୍ରେମ କରନ୍ତି । ସେ ଆମକୁ କ୍ଷମା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ଏବଂ ସାହାଯ୍ୟ କରିବା ପାଇଁ ଚାହାନ୍ତି ।

୧. ଯେତେବେଳେ ଜଣେ ବ୍ୟକ୍ତି ପାପ କରେ, ସେତେବେଳେ ଯିହୋବାଙ୍କଠାରୁ କ୍ଷମା ପାଇବା ପାଇଁ ତାକୁ କʼଣ କରିବାକୁ ପଡ଼ିବ ?

ଯେତେବେଳେ ଯିହୋବାଙ୍କୁ ପ୍ରେମ କରୁଥିବା ଜଣେ ବ୍ୟକ୍ତିଙ୍କ ଦ୍ୱାରା ଗମ୍ଭୀର ପାପ ହୋଇଯାଏ, ସେତେବେଳେ ସେ ଯାହା କରିଛି, ତାʼପାଇଁ ତାକୁ ବହୁତ ଦୁଃଖ ଅନୁଭବ ହୁଏ ଓ ଖରାପ ଲାଗେ । କିନ୍ତୁ ତାକୁ ଯିହୋବାଙ୍କ ଏହି ପ୍ରତିଜ୍ଞାରୁ ସାନ୍ତ୍ୱନା ମିଳେ, “ତୁମ୍ଭମାନଙ୍କର ପାପସବୁ ସିନ୍ଦୂରବର୍ଣ୍ଣ ପରି ହେଲେ ହେଁ ହିମ ପରି ଶୁକ୍ଳବର୍ଣ୍ଣ ହେବ ।” (ଯିଶାଇୟ ୧:୧୮) ଯଦି ସେହି ବ୍ୟକ୍ତି ହୃଦୟରୁ ପଶ୍ଚାତାପ କରେ, ତାହେଲେ ଯିହୋବା ତାକୁ ପୂରାପୂରି କ୍ଷମା କରିବେ । କିନ୍ତୁ ସେ କିପରି ଦେଖାଇପାରିବ ଯେ ସେ ହୃଦୟରୁ ପଶ୍ଚାତାପ କରିଛି ? ସେ ଯାହା କରିଛି, ତାʼପାଇଁ ତାକୁ ଗଭୀର ଦୁଃଖ ଥିବ, ତେଣୁ ସେ ସେହି ଖରାପ କାମକୁ ପୂରାପୂରି ଛାଡ଼ି ଦେବ ଏବଂ ଯିହୋବାଙ୍କୁ ହୃଦୟରୁ କ୍ଷମା ମାଗିବ । ଯେଉଁ ଖରାପ କଥାଗୁଡ଼ିକୁ ଭାବିବା ବା ଖରାପ ଅଭ୍ୟାସଗୁଡ଼ିକ ଯୋଗୁଁ ସେ ପାପ କରିଥିଲା, ତାକୁ ବଦଳାଇବା ପାଇଁ ସେ ଲଗାତାର ପରିଶ୍ରମ କରିବ । ତାʼସହ ସେ ଯିହୋବାଙ୍କ ସ୍ତରଗୁଡ଼ିକ ଅନୁସାରେ ଚାଲିବା ପାଇଁ ପୂରା ଚେଷ୍ଟା କରିବ ।​—ଯିଶାଇୟ ୫୫:୬, ୭ ପଢ଼ନ୍ତୁ ।

୨. ଯେତେବେଳେ ଆମ ଦ୍ୱାରା କିଛି ପାପ ହୋଇଯାଏ, ସେତେବେଳେ ଯିହୋବା ପ୍ରାଚୀନମାନଙ୍କ ଜରିଆରେ ଆମକୁ କିପରି ସାହାଯ୍ୟ କରନ୍ତି ?

ଯଦି ଆମେ କୌଣସି ଗମ୍ଭୀର ପାପ କରୁ, ତାହେଲେ ଯିହୋବା ଆମକୁ ସାହାଯ୍ୟ କରିବା ପାଇଁ ଗୋଟିଏ ବ୍ୟବସ୍ଥା କରିଛନ୍ତି । ସେ ଆମକୁ କହନ୍ତି, ‘ମଣ୍ଡଳୀର ପ୍ରାଚୀନମାନଙ୍କୁ ଡକାଅ ।’ (ଯାକୁବ ୫:୧୪, ୧୫ ପଢ଼ନ୍ତୁ ।) ଏହି ପ୍ରାଚୀନମାନେ ଯିହୋବା ଓ ତାଙ୍କ ମେଷଗୁଡ଼ିକୁ ବହୁତ ପ୍ରେମ କରନ୍ତି । ସେମାନେ ଭଲ ଭାବେ ଜାଣନ୍ତି ଯେ ଆମକୁ କିପରି ସାହାଯ୍ୟ କରାଯିବା କଥା, ଯାହାଫଳରେ ଆମେ ଯିହୋବାଙ୍କ ସହ ନିଜ ସମ୍ପର୍କକୁ ପୁଣିଥରେ ଠିକ୍‌ କରିପାରିବା ।​—ଗାଲାତୀୟ ୬:୧.

ପ୍ରାଚୀନମାନେ କିପରି ଆମକୁ ସାହାଯ୍ୟ କରିବେ ? ଦୁଇ କିମ୍ବା ତିନିଜଣ ପ୍ରାଚୀନ ଆମ ସହ ଦେଖା କରିବେ ଏବଂ ବାଇବଲରୁ ବୁଝାଇବେ ଯେ ଆମେ ଯାହା କରିଛୁ, ତାହା କାହିଁକି ଭୁଲ ଅଟେ । ସେମାନେ ଆମର ଉତ୍ସାହ ବଢ଼ାଇବେ । ତାʼସହ ଆମେ ସେହି ଭୁଲକୁ ପୁଣି ନ ଦୋହରାଇବା ପାଇଁ ସେମାନେ ଆମକୁ କିଛି ପରାମର୍ଶ ଦେବେ । ସେମାନେ ହୁଏତ ଏହା ନିଷ୍ପତ୍ତି ନେଇପାରନ୍ତି ଯେ ଯେପର୍ଯ୍ୟନ୍ତ ଯିହୋବାଙ୍କ ସହ ଆମ ସମ୍ପର୍କ ପୁଣିଥରେ ମଜବୁତ୍‌ ନ ହୁଏ, ସେପର୍ଯ୍ୟନ୍ତ ଆମେ ମଣ୍ଡଳୀର କିଛି କାମଗୁଡ଼ିକରେ ଭାଗ ନ ନେଉ । କିନ୍ତୁ ଯଦି ଜଣେ ବ୍ୟକ୍ତି ଗମ୍ଭୀର ପାପ କଲାପରେ ମଧ୍ୟ ପଶ୍ଚାତାପ କରେ ନାହିଁ, ତାହେଲେ ପ୍ରାଚୀନମାନେ ତାକୁ ବହିଷ୍କାର କରିଦିଅନ୍ତି । କାରଣ ସେମାନେ ଚାହାନ୍ତି ନାହିଁ ଯେ ମଣ୍ଡଳୀର ଭାଇଭଉଣୀମାନଙ୍କ ଉପରେ ସେହି ବ୍ୟକ୍ତିର ଖରାପ ପ୍ରଭାବ ପଡ଼ୁ ।

ଭାବନ୍ତୁ ଓ ଶିଖନ୍ତୁ

ଯେତେବେଳେ ଆମେ କୌଣସି ଗମ୍ଭୀର ପାପ କରୁ, ସେତେବେଳେ ଆମକୁ ସାହାଯ୍ୟ କରିବା ପାଇଁ ଯିହୋବା କʼଣ ବ୍ୟବସ୍ଥା କରିଛନ୍ତି ? ଆସନ୍ତୁ ସେହି ବ୍ୟବସ୍ଥା ବିଷୟରେ ଜାଣିବା ଏବଂ ତାʼପାଇଁ ନିଜ କୃତଜ୍ଞତା ବଢ଼ାଇବା ।

୩. ନିଜ ପାପ ସ୍ୱୀକାର କଲେ, ଯିହୋବାଙ୍କ ସହ ଆମ ସମ୍ପର୍କ ପୁଣିଥରେ ଠିକ୍‌ ହୋଇପାରିବ

ଯେତେବେଳେ ଆମେ କୌଣସି ପାପ କରୁ, ସେତେବେଳେ ଯିହୋବାଙ୍କୁ ବହୁତ ଦୁଃଖ ଲାଗେ । ତେଣୁ ଆମେ ତାଙ୍କ ସାମନାରେ ନିଜ ପାପ ସ୍ୱୀକାର କରିବା କଥା । ଗୀତସଂହିତା ୩୨:୧-୫ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ନିଜ ପାପକୁ ଲୁଚାଇବା ପରିବର୍ତ୍ତେ ଯିହୋବାଙ୍କ ପାଖରେ ତାହା ସ୍ୱୀକାର କରିବା କାହିଁକି ଭଲ ହେବ ?

    ଯିହୋବାଙ୍କ ସାମନାରେ ନିଜ ପାପ ସ୍ୱୀକାର କରିବା ଛଡ଼ା, ପ୍ରାଚୀନମାନଙ୍କ ସାହାଯ୍ୟ ନେବା ବି ଭଲ ହେବ । ଏପରି କଲେ ଆମ ମନକୁ ଟିକେ ଶାନ୍ତି ମିଳିବ ।

ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।

  • ଯିହୋବାଙ୍କ ପାଖକୁ ଫେରିବା ପାଇଁ ପ୍ରାଚୀନମାନେ ଭାଇ କେନନ୍‌କୁ କିପରି ସାହାଯ୍ୟ କଲେ ?

ଆମେ ପ୍ରାଚୀନମାନଙ୍କୁ ସବୁକିଛି ସତ ସତ କହିବା କଥା । କିଛି ବି ଲୁଚାଇବା କଥା ନୁହେଁ । କାରଣ ପ୍ରାଚୀନମାନେ ଆମରି ସାହାଯ୍ୟ ପାଇଁ ଅଛନ୍ତି । ଯାକୁବ ୫:୧୬ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଯେତେବେଳେ ଆମେ ପ୍ରାଚୀନମାନଙ୍କୁ ସବୁ କିଛି ସତ ସତ କହୁ, ସେତେବେଳେ ସେମାନେ ଆମକୁ ଆହୁରି ଭଲ ଭାବେ ସାହାଯ୍ୟ କରିପାରନ୍ତି ?

ନିଜ ପାପ ସ୍ୱୀକାର କରନ୍ତୁ, ପ୍ରାଚୀନମାନଙ୍କୁ ସବୁ କଥା ସତ ସତ କହନ୍ତୁ ଏବଂ ଯିହୋବା ପ୍ରେମର ସହ ଯେଉଁ ସାହାଯ୍ୟ ଦେଉଛନ୍ତି, ତାହା ସ୍ୱୀକାର କରନ୍ତୁ

୪. ବହିଷ୍କାରର ବ୍ୟବସ୍ଥା ଯୋଗୁଁ କʼଣ କʼଣ ଲାଭ ହୁଏ ?

ଯଦି ଜଣେ ବ୍ୟକ୍ତି ଗମ୍ଭୀର ପାପ କରେ, ଆଉ ଯିହୋବାଙ୍କ ସ୍ତରଗୁଡ଼ିକୁ ମାନିବା ପାଇଁ ମନା କରିଦିଏ, ତାହେଲେ ତାକୁ ମଣ୍ଡଳୀର ଭାଗ ହୋଇ ରହିବାକୁ ଦିଆଯାଏନି । ଆମେ ଏପରି ବ୍ୟକ୍ତି ସହ ମିଳାମିଶା କରି ନ ଥାଉ । ଏପରିକି ତାʼ ସହ କଥାବାର୍ତ୍ତା ମଧ୍ୟ ହୋଇ ନ ଥାଉ । ୧ କରିନ୍ଥୀୟ ୫:୬, ୧୧ ୨ ଯୋହନ ୯-୧୧ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଟିକିଏ ବୋଲି ଖମୀର ସମସ୍ତ ମଇଦା ପିଣ୍ଡୁଳାକୁ ଖମୀରମୟ କରିଦିଏ । ଠିକ୍‌ ସେହିପରି, ଯଦି ଆମେ ଏପରି ବ୍ୟକ୍ତି ସହ ମିଳାମିଶା କରୁ, ଯିଏ ପାପ କଲାପରେ ପଶ୍ଚାତାପ କରେ ନାହିଁ, ତାହେଲେ ମଣ୍ଡଳୀ ଉପରେ ତାʼର କʼଣ ପ୍ରଭାବ ପଡ଼ିପାରେ ?

ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କୁ ମଣ୍ଡଳୀରୁ ବହିଷ୍କାର କରାଯାଇଥିଲା । କିନ୍ତୁ ଆଗକୁ ଯାଇ ସେମାନେ ମଣ୍ଡଳୀକୁ ଫେରି ଆସିଲେ । ଏହା ସତ ଯେ ବହିଷ୍କାର କରାଯିବାରୁ ସେମାନଙ୍କୁ ବହୁତ ଦୁଃଖ ଲାଗିଲା । ତଥାପି ଏହି ବ୍ୟବସ୍ଥା ଯୋଗୁଁ ସେମାନେ ନିଜ ଭୁଲ ଜାଣିପାରିଲେ ଓ ପୁଣି ଫେରି ଆସିଲେ । (ଗୀତସଂହିତା ୧୪୧:୫)

ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।

  • ବହିଷ୍କାରର ବ୍ୟବସ୍ଥାରୁ ସୋନିଆଙ୍କୁ କʼଣ ଲାଭ ହେଲା ?

ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରନ୍ତୁ:

  • ବହିଷ୍କାରର ବ୍ୟବସ୍ଥାରୁ ଯିହୋବାଙ୍କ ନାମ କିପରି ପବିତ୍ର ରହେ ?

  • ବହିଷ୍କାରର ବ୍ୟବସ୍ଥାରୁ ଯିହୋବାଙ୍କ ପ୍ରେମ ଓ ନ୍ୟାୟ ଦୁଇଟିଯାକ କିପରି ଜଣାପଡ଼େ ?

୫. ପଶ୍ଚାତାପ କଲେ ଯିହୋବା ଆମକୁ କ୍ଷମା କରନ୍ତି

ଯେତେବେଳେ ଜଣେ ବ୍ୟକ୍ତି ପଶ୍ଚାତାପ କରେ, ସେତେବେଳେ ଯିହୋବାଙ୍କୁ କିପରି ଲାଗେ ? ଏକଥାକୁ ବୁଝିବା ପାଇଁ ଯୀଶୁ ଦେଇଥିବା ଗୋଟିଏ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ଲୂକ ୧୫:୧-୭ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଏହି ଉଦାହରଣରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖନ୍ତି ?

ଯିହିଜିକଲ ୩୩:୧୧ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ପଶ୍ଚାତାପ କରିବା ପାଇଁ ଜଣେ ବ୍ୟକ୍ତିକୁ କେଉଁ ଜରୁରୀ ପଦକ୍ଷେପ ନେବା ଉଚିତ୍‌ ?

ଯିହୋବା ନିଜ ଲୋକମାନଙ୍କ ପାଇଁ ବହୁତ ଚିନ୍ତା କରନ୍ତି, ଠିକ୍‌ ଯେପରି ଜଣେ ମେଷପାଳକ ନିଜ ମେଷଗୁଡ଼ିକ ପାଇଁ ଚିନ୍ତା କରେ

କିଛି ଲୋକ କହନ୍ତି: “ଯଦି ମୁଁ ପ୍ରାଚୀନମାନଙ୍କୁ କହିବି ଯେ ମୁଁ ପାପ କରିଛି, ତାହେଲେ ସେମାନେ ମୋତେ ମଣ୍ଡଳୀରୁ ବାହାର କରିଦେବେ ।”

  • ଯେଉଁ ବ୍ୟକ୍ତି ଏପରି ଭାବେ, ତାକୁ ଆପଣ କʼଣ କହିବେ ?

ଆମେ କʼଣ ଶିଖିଲୁ ?

ଯଦି ଆମ ଦ୍ୱାରା କୌଣସି ଗମ୍ଭୀର ପାପ ହୋଇଯାଏ ଏବଂ ତାକୁ ନେଇ ଆମ ମନରେ ଗଭୀର ଦୁଃଖ ଅଛି ଆଉ ଆମେ ଦୃଢ଼ ସଂକଳ୍ପ କରିଛୁ ଯେ ଆମେ ସେହି ଭୁଲ ପୁଣି କରିବାନି, ତାହେଲେ ଯିହୋବା ନିଶ୍ଚୟ ଆମକୁ କ୍ଷମା କରିଦେବେ ।

ଆପଣ କʼଣ କହିବେ ?

  • ଯିହୋବାଙ୍କ ସାମନାରେ ନିଜ ପାପ ସ୍ୱୀକାର କରିବା କାହିଁକି ଭଲ ହେବ ?

  • ଯେତେବେଳେ ଆମ ଦ୍ୱାରା କୌଣସି ପାପ ହୋଇଯାଏ, ସେତେବେଳେ ଯିହୋବାଙ୍କଠାରୁ କ୍ଷମା ପାଇବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ?

  • ଯଦି ଆମ ଦ୍ୱାରା କୌଣସି ଗମ୍ଭୀର ପାପ ହୋଇଯାଏ, ତାହେଲେ ଆମେ କାହିଁକି ପ୍ରାଚୀନମାନଙ୍କର ସାହାଯ୍ୟ ନେବା ଉଚିତ୍‌ ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

ଜଣେ ବ୍ୟକ୍ତି କିପରି ଯିହୋବାଙ୍କ ସେହି ଦୟାକୁ ଅନୁଭବ କରିପାରିଲେ, ଯାହା ବିଷୟରେ ଯିଶାଇୟ ୧:୧୮ ପଦରେ କୁହାଯାଇଛି ? ଆସନ୍ତୁ ଭିଡିଓ ଦେଖିବା ।

ଯିହୋବା ଆପଣଙ୍କୁ ନିଶ୍ଚୟ କ୍ଷମା କରିବେ (୫:୦୨)

ଯିଏ ସାକ୍ଷୀ ନୁହନ୍ତି, ସେମାନଙ୍କୁ ଆପଣ କିପରି ବୁଝାଇପାରିବେ ଯେ କାହିଁକି ବେଳେ ବେଳେ ବହିଷ୍କାର କରିବା ଜରୁରୀ ହୋଇଥାଏ ?

“କʼଣ ଯିହୋବାଙ୍କ ସାକ୍ଷୀ ସେମାନଙ୍କୁ ନୀଚ ଦୃଷ୍ଟିରେ ଦେଖନ୍ତି, ଯେଉଁମାନେ ପୂର୍ବେ ସେମାନଙ୍କର ଧର୍ମ ସହ ଜଡ଼ିତ ଥିଲେ ?” (jw.org ୱେବସାଇଟ୍‌ରେ ଥିବା ଲେଖା)

“ମୋତେ ଯିହୋବାଙ୍କ ପାଖକୁ ଫେରିବା ଦରକାର ଥିଲା,” ଏହା କାହାଣୀରେ ଜାଣନ୍ତୁ ଯେ ଜଣେ ବ୍ୟକ୍ତି ଯିଏ ସତ୍ୟ ଛାଡ଼ି ଦେଇଥିଲା, ସେ କାହିଁକି କହିଲା ଯେ ଯିହୋବା ତାକୁ ନିଜ ଆଡ଼କୁ ପୁଣିଥରେ ଟାଣିଛନ୍ତି ।

“ବାଇବଲ ଜୀବନ ବଦଳାଇ ଦିଏ” (ପ୍ରହରୀଦୁର୍ଗ-ହି, ଜୁଲାଇ-ସେପ୍ଟେମ୍ବର, ୨୦୧୨)