इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୫୮

ଯିହୋବାଙ୍କ ବିଶ୍ୱସ୍ତ ରହନ୍ତୁ

ଯିହୋବାଙ୍କ ବିଶ୍ୱସ୍ତ ରହନ୍ତୁ

ସତ୍ୟ ଖ୍ରୀଷ୍ଟିୟାନମାନେ ସବୁବେଳେ ଓ ସବୁ ପରିସ୍ଥିତିରେ ଯିହୋବାଙ୍କ ବିଶ୍ୱସ୍ତ ରହିବା ପାଇଁ ଚାହାନ୍ତି । ସେମାନେ ଦୃଢ଼ ସଂକଳ୍ପ କରିଛନ୍ତି ଯେ ଯାହା ବି ହୋଇଯାଉ ନା କାହିଁକି, ସେମାନେ ଯିହୋବାଙ୍କ ସେବା କରିବା ଛାଡ଼ିବେନି । ଆମକୁ ପୂରା ଭରସା ଅଛି ଯେ ଆପଣ ମଧ୍ୟ ସେହିପରି କରିବା ପାଇଁ ଚାହାନ୍ତି । ଯିହୋବା ଆପଣଙ୍କ ବିଶ୍ୱସ୍ତତା ପ୍ରତି ଧ୍ୟାନ ଦିଅନ୍ତି ଓ ତାହା ଦେଖି ବହୁତ ଖୁସି ହୁଅନ୍ତି । (୧ ବଂଶାବଳୀ ୨୮:୯ ପଢ଼ନ୍ତୁ ।) କିନ୍ତୁ ପ୍ରଶ୍ନ ଉଠେ ଯେ ଏପରି କେଉଁ କେଉଁ ପରିସ୍ଥିତିରେ ଯିହୋବାଙ୍କ ବିଶ୍ୱସ୍ତ ରହିବା ଆପଣଙ୍କ ପାଇଁ କଠିନ ହୋଇପାରେ ? ଏପରି ସମୟରେ ଆପଣ କʼଣ କରିପାରିବେ ? ଆସନ୍ତୁ ଜାଣିବା ।

୧. କେଉଁ ଲୋକମାନଙ୍କ ଯୋଗୁଁ ଯିହୋବାଙ୍କ ବିଶ୍ୱସ୍ତ ରହିବା କଠିନ ହୋଇପାରେ ?

ଆମେ ଯେପରି ଯିହୋବାଙ୍କ ସେବା କରିବା ଛାଡ଼ି ଦେଉ, ତାʼପାଇଁ କିଛି ଲୋକ ଚେଷ୍ଟା କରିବେ । କେଉଁମାନେ ଏପରି କରିବେ ? କିଛି ଲୋକମାନେ ସତ୍ୟ ଛାଡ଼ି ଦେଇଛନ୍ତି ଏବଂ ଏବେ ଅନ୍ୟମାନଙ୍କ ବିଶ୍ୱାସକୁ ଶେଷ କରିବା ପାଇଁ ଚାହାନ୍ତି । ତେଣୁ ସେମାନେ ସଂଗଠନ ବିଷୟରେ ଲୋକମାନଙ୍କୁ ମିଛ କଥାଗୁଡ଼ିକ କହନ୍ତି । ଏହି ଲୋକମାନଙ୍କୁ ଧର୍ମତ୍ୟାଗୀ କୁହାଯାଏ । ତାʼଛଡ଼ା, କିଛି ଧର୍ମଗୁରୁ ସାକ୍ଷୀମାନଙ୍କ ବିଷୟରେ ମିଥ୍ୟା କଥାଗୁଡ଼ିକ କହନ୍ତି । ଯେଉଁମାନେ ସେମାନଙ୍କ କଥା ଶୁଣନ୍ତି, ସେମାନେ ତାଙ୍କ ଫାନ୍ଦରେ ପଡ଼ି ସତ୍ୟ ଛାଡ଼ି ଦିଅନ୍ତି । ଯଦି ଆମେ ଏହି ଲୋକମାନଙ୍କ ସହ ତର୍କ କରିବା, ସେମାନଙ୍କର ବହି କିମ୍ବା ବ୍ଲଗ୍‌ ପଢ଼ିବା, ସେମାନଙ୍କର ୱେବସାଇଟ୍‌ରେ ଯିବା କିମ୍ବା ସେମାନଙ୍କର ଭିଡିଓ ଦେଖିବା, ତାହେଲେ ହୁଏତ ଆମେ ବିପଦରେ ପଡ଼ିପାରୁ । ଯୀଶୁଙ୍କ ସମୟରେ ମଧ୍ୟ କିଛି ଧର୍ମଗୁରୁ ଲୋକମାନଙ୍କୁ ଯିହୋବାଙ୍କ ସେବା କରିବାଠାରୁ ରୋକୁଥିଲେ । ସେମାନଙ୍କ ବିଷୟରେ ଯୀଶୁ କହିଲେ, “ସେମାନଙ୍କୁ ଛାଡ଼ିଦିଅ, ସେମାନେ ଅନ୍ଧମାନଙ୍କର ଅନ୍ଧ ପଥପ୍ରଦର୍ଶକ; ଆଉ, ଯେବେ ଅନ୍ଧ ଅନ୍ଧକୁ ବାଟ କଢ଼ାଏ, ତେବେ ଉଭୟେ ଖାତରେ ପଡ଼ିବେ ।”​—ମାଥିଉ ୧୫:୧୪.

କିନ୍ତୁ ଯେତେବେଳେ ଆମ ଚିହ୍ନା ପରିଚୟ ଲୋକଙ୍କ ମଧ୍ୟରୁ କେହି ଜଣେ ଯିହୋବାଙ୍କ ସାକ୍ଷୀ ହୋଇ ରହିବାକୁ ଚାହାନ୍ତି ନାହିଁ, ସେତେବେଳେ ଆମେ କʼଣ କରିବା ? ଯେତେବେଳେ ଆମର ନିଜର କେହି ଏପରି କରନ୍ତି, ସେତେବେଳେ ଆମକୁ ବହୁତ ଦୁଃଖ ଲାଗେ, ଆଉ ସେହି ଦୁଃଖ ସହିବା ଏତେ ସହଜ ନୁହେଁ । ହୁଏତ ସେ ଆମକୁ ଏପରି ପରିସ୍ଥିତିରେ ପକାଇପାରନ୍ତି, ଯେଉଁଠି ଆମକୁ ଯିହୋବା ଓ ତାʼ ମଧ୍ୟରୁ କାହାରି ଜଣକୁ ବାଛିବାକୁ ପଡ଼ିପାରେ । ଏପରି ସମୟରେ ଆମେ ଦୃଢ଼ ସଂକଳ୍ପ କରିବା ଉଚିତ୍‌ ଯେ ଯାହା ବି ହୋଇଯାଉ ନା କାହିଁକି ଆମେ ଯିହୋବାଙ୍କ ବିଶ୍ୱସ୍ତ ରହିବା । (ମାଥିଉ ୧୦:୩୭) ତେଣୁ ଆମେ ଯିହୋବାଙ୍କ ଆଜ୍ଞା ମାନିବା, ଆଉ ଏପରି ଲୋକଙ୍କ ସହ ମିଳାମିଶା କରିବା ନାହିଁ ।​—୧ କରିନ୍ଥୀୟ ୫:୧୧ ପଢ଼ନ୍ତୁ ।

୨. ଆମେ ନିଜ ବ୍ୟକ୍ତିଗତ ନିଷ୍ପତ୍ତିଗୁଡ଼ିକରୁ କିପରି ଦେଖାଇପାରିବା ଯେ ଆମେ ଯିହୋବାଙ୍କର ବିଶ୍ୱସ୍ତ ଅଟୁ ?

ଯଦି ଆମେ ଯିହୋବାଙ୍କୁ ପ୍ରେମ କରୁ, ତାହେଲେ ଆମେ ମିଥ୍ୟା ଧର୍ମଗୁଡ଼ିକ ସହିତ କୌଣସି ସମ୍ପର୍କ ରଖିବା ନାହିଁ । ତେଣୁ ଆମେ ଭାବିବା ଉଚିତ୍‌ ଯେ ଆମେ ଯେଉଁ ଚାକିରି କରୁଛୁ, ଯେଉଁ ସଂଗଠନ କିମ୍ବା ସଂସ୍ଥାର ସଦସ୍ୟ ଅଟୁ କିମ୍ବା ଆମେ ଯାହା ବି କରୁଛୁ, କʼଣ ସେସବୁର ମିଥ୍ୟା ଧର୍ମ ସହ କୌଣସି ସମ୍ପର୍କ ଅଛି । ଯିହୋବା ଆମକୁ ଚେତାବନୀ ଦେଇ କହିଛନ୍ତି, ‘ହେ ଆମ୍ଭର ଲୋକମାନେ, ତାହାଠାରୁ [ମହାନଗରୀ ବାବିଲଠାରୁ] ବାହାରି ଆସ ।’​—ପ୍ରକାଶିତ ବାକ୍ୟ ୧୮:୨, ୪.

ଭାବନ୍ତୁ ଓ ଶିଖନ୍ତୁ

ଆମେ ଦୃଢ଼ ସଂକଳ୍ପ କରିଛୁ ଯେ ଯାହା ବି ହୋଇଯାଉ ନା କାହିଁକି, ଆମେ ଯିହୋବାଙ୍କର ବିଶ୍ୱସ୍ତ ରହିବା । ଜାଣନ୍ତୁ ଯେ ଆମେ କʼଣ କରିପାରିବା, ଯାହାଫଳରେ କେହି ବି ଆମର ଏହି ସମ୍ପର୍କକୁ ଦୁର୍ବଳ କରିପାରିବେ ନାହିଁ ଏବଂ ମହାନଗରୀ ବାବିଲଠାରୁ ବାହାରି ଆସି ଆମେ କିପରି ଦେଖାଇପାରିବା ଯେ ଆମେ ଯିହୋବାଙ୍କର ବିଶ୍ୱସ୍ତ ଅଟୁ ।

୩. ମିଥ୍ୟା ଶିକ୍ଷକମାନଙ୍କଠାରୁ ସାବଧାନ ରହନ୍ତୁ

ଯେତେବେଳେ ଆମକୁ ଯିହୋବାଙ୍କ ସଂଗଠନ ବିଷୟରେ ଓଲଟା ସିଧା କଥାଗୁଡ଼ିକ ଶୁଣିବାକୁ ମିଳେ, ସେତେବେଳେ ଆମେ କʼଣ କରିବା ଉଚିତ୍‌ ? ହିତୋପଦେଶ ୧୪:୧୫ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଆମେ କାହିଁକି ସବୁକଥା ଉପରେ ଆଖିବୁଜି ବିଶ୍ୱାସ କରିବା ଉଚିତ୍‌ ନୁହେଁ ?

୨ ଯୋହନ ୧୦ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଆମେ ଧର୍ମତ୍ୟାଗୀମାନଙ୍କ ସହ କିପରି ବ୍ୟବହାର କରିବା ଉଚିତ୍‌ ?

  • ଯଦିଓ ଆମେ ଧର୍ମତ୍ୟାଗୀମାନଙ୍କ ସହ ସିଧା ସିଧା ଯାଇ କଥା ହୋଇ ନ ଥାଉ, ତଥାପି ସେମାନଙ୍କ ଶିକ୍ଷାଗୁଡ଼ିକ ଆମ ପର୍ଯ୍ୟନ୍ତ କିପରି ପହଞ୍ଚିପାରେ ?

  • ଯଦି ଆପଣ ସେହି ମିଥ୍ୟା କଥାଗୁଡ଼ିକ ପ୍ରତି ଧ୍ୟାନ ଦେବେ, ଯାହା ଯିହୋବା ଓ ତାʼ ସଂଗଠନ ବିଷୟରେ ଲୋକମାନେ କହନ୍ତି, ତାହେଲେ ଯିହୋବାଙ୍କୁ କିପରି ଲାଗିବ ?

୪. ଯେତେବେଳେ କୌଣସି ଭାଇ ପାପ କରେ, ସେତେବେଳେ ଯିହୋବାଙ୍କ ବିଶ୍ୱସ୍ତ ରହନ୍ତୁ

ଯଦି ଆମକୁ ଜଣାପଡ଼େ ଯେ ମଣ୍ଡଳୀରେ କେହି ଜଣେ ଗମ୍ଭୀର ପାପ କରିଛି, ସେତେବେଳେ ଆମ ଦାୟିତ୍ୱ କʼଣ ? ଜାଣିବା ପାଇଁ ଗୋଟିଏ ସିଦ୍ଧାନ୍ତ ପ୍ରତି ଧ୍ୟାନ ଦିଅନ୍ତୁ । ଲେବୀ ପୁସ୍ତକ ୫:୧ ପଢ଼ନ୍ତୁ ।

ଯେପରି ଏହି ପଦରେ କୁହାଯାଇଛି, ଯଦି ଆମକୁ ଜଣାପଡ଼େ ଯେ ଜଣେ ବ୍ୟକ୍ତି ଗମ୍ଭୀର ପାପ କରିଛି, ତାହେଲେ ଆମେ ପ୍ରାଚୀନମାନଙ୍କ ପାଖକୁ ଯାଇ ସବୁକଥା କହିବା ଉଚିତ୍‌ । କିନ୍ତୁ ଭଲ ହେବ ତା ପୂର୍ବରୁ ଆମେ ସେହି ବ୍ୟକ୍ତିକୁ କହିବା ଉଚିତ୍‌ ଯେ ସେ ନିଜେ ଯାଇ ପ୍ରାଚୀନମାନଙ୍କ ପାଖରେ ନିଜ ପାପ ସ୍ୱୀକାର କରୁ । ଯଦି ସେ ଏପରି କରେନି, ତାହେଲେ ଆମେ କʼଣ କରିବା ? ଆମେ ପ୍ରାଚୀନମାନଙ୍କ ପାଖକୁ ଯାଇ ସବୁକଥା କହିବା ଉଚିତ୍‌ । କାରଣ ଆମେ ଯିହୋବାଙ୍କ ବିଶ୍ୱସ୍ତ ରହିବା ପାଇଁ ଚାହୁଁ । ଏପରି କରି ଆମେ ଆଗକୁ ଦିଆଯାଇଥିବା ଲୋକମାନଙ୍କ ପାଇଁ କିପରି ନିଜ ପ୍ରେମ ଓ ବିଶ୍ୱସ୍ତତା ଦେଖାଇପାରିବା:

  • ଯିହୋବା ଈଶ୍ୱରଙ୍କ ପାଇଁ ?

  • ପାପ କରିଥିବା ବ୍ୟକ୍ତି ପାଇଁ ?

  • ମଣ୍ଡଳୀର ଭାଇଭଉଣୀଙ୍କ ପାଇଁ ?

ଯଦି ଜଣେ ଭାଇ ଭୁଲ ବାଟରେ ଯାଉଛି, ତାହେଲେ ତୁରନ୍ତ ତାକୁ ସାହାଯ୍ୟ କରନ୍ତୁ !

୫. ମହାନଗରୀ ବାବିଲଠାରୁ ପୂରାପୂରି ଦୂରେଇ ରହନ୍ତୁ

ଲୂକ ୪:୮ ପ୍ରକାଶିତ ବାକ୍ୟ ୧୮:୪, ୫ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • କʼଣ ମୁଁ ଏବେ ବି କୌଣସି ମିଥ୍ୟା ଧର୍ମର ସଦସ୍ୟ ଅଟେ, ଆଉ ମୋ ନାମ ସେଠାରେ ଲେଖାଅଛି ?

  • କʼଣ ମୁଁ ଏପରି କୌଣସି ସଂଗଠନର ସଦସ୍ୟ ଅଟେ, ଯାହାର ସମ୍ପର୍କ ମିଥ୍ୟା ଧର୍ମ ସହ ଅଛି ?

  • ମୁଁ ଯେଉଁ ଚାକିରି କରେ, କʼଣ ସେଥିରୁ ମୁଁ କୌଣସି ମିଥ୍ୟା ଧର୍ମକୁ ସହଯୋଗ କରେ ?

  • କʼଣ ଏପରି ଆଉ କିଛି ମାମଲା ଅଛି, ଯେଉଁଥିରେ ମୋତେ ମିଥ୍ୟା ଧର୍ମଠାରୁ ଅଲଗା ହେବାକୁ ପଡ଼ିବ ?

  • ଯଦି ମୁଁ ଏମଧ୍ୟରୁ କୌଣସି ବି ପ୍ରଶ୍ନର ଉତ୍ତର ହଁ ଦିଏ, ତାହେଲେ ମୋତେ କʼଣ ପରିବର୍ତ୍ତନ କରିବା ଉଚିତ୍‌ ?

ଏସବୁ ମାମଲାରେ ଆମେ ଏପରି ନିଷ୍ପତ୍ତି ନେବାକୁ ଚାହିଁବା ଯାହାଦ୍ୱାରା ଆମ ବିବେକ ଶୁଦ୍ଧ ରହିବ ଏବଂ ଲୋକମାନେ ଜାଣିପାରିବେ ଯେ ଆମେ ଯିହୋବାଙ୍କ ବିଶ୍ୱସ୍ତ ଅଟୁ ।

ଯଦି କୌଣସି ସଂଗଠନ କିମ୍ବା ସଂସ୍ଥା ଗରିବ ଲୋକମାନଙ୍କ ପାଇଁ ଚାନ୍ଦା ମାଗେ, କିନ୍ତୁ ତାʼ ସମ୍ପର୍କ କୌଣସି ଧର୍ମ ସହ ଅଛି, ତାହେଲେ କʼଣ ଆପଣ (ଚ୍ୟାରିଟି ପାଇଁ) ଚାନ୍ଦା ଦେବେ ?

କିଛି ଲୋକ କହନ୍ତି: “ଧର୍ମତ୍ୟାଗୀମାନେ ଯିହୋବାଙ୍କ ସାକ୍ଷୀମାନଙ୍କ ବିଷୟରେ କʼଣ ଶିଖାନ୍ତି, ତାହା ଜାଣିଲେ ହିଁ ତ ମୁଁ ସେମାନଙ୍କୁ ଭୁଲ ପ୍ରମାଣିତ କରିପାରିବି ।”

  • କʼଣ ଏପରି ଭାବିବା ଠିକ୍‌ ହେବ ? ଆପଣ ଏପରି କାହିଁକି ଭାବନ୍ତି ?

ଆମେ କʼଣ ଶିଖିଲୁ ?

ଯିହୋବାଙ୍କ ବିଶ୍ୱସ୍ତ ରହିବା ପାଇଁ ଆମକୁ ଏପରି ଲୋକମାନଙ୍କ ସହ କୌଣସି ସମ୍ପର୍କ ରଖିବା ଉଚିତ୍‌ ନୁହେଁ ଯେଉଁମାନେ ଯିହୋବାଙ୍କ ବିଶ୍ୱସ୍ତ ନୁହନ୍ତି । ତାʼଛଡ଼ା, ଆମେ ନିଜକୁ ମିଥ୍ୟା ଧର୍ମଠାରୁ ପୂରାପୂରି ଅଲଗା କରିବା ଉଚିତ୍‌ ।

ଆପଣ କʼଣ କହିବେ ?

  • ଆମେ କାହିଁକି ଧର୍ମତ୍ୟାଗୀମାନଙ୍କର ବହି ପଢ଼ିବା, ସେମାନଙ୍କର ପ୍ରୋଗ୍ରାମ ଦେଖିବା ଏବଂ ସେମାନଙ୍କ କଥା ଶୁଣିବା ଉଚିତ୍‌ ନୁହେଁ ?

  • ଯେତେବେଳେ ଜଣେ ବ୍ୟକ୍ତି ଯିହୋବାଙ୍କ ସାକ୍ଷୀ ହୋଇ ରହିବାକୁ ଚାହେଁନି, ସେତେବେଳେ ଆମେ ତାʼ ସହ କିପରି ବ୍ୟବହାର କରିବା ଉଚିତ୍‌ ?

  • ଆମେ ମିଥ୍ୟା ଧର୍ମରୁ ବାହାରି ଆସିବାର ଚେତାବନୀକୁ କିପରି ମାନିପାରିବା ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

ଯେତେବେଳେ ଲୋକମାନେ ଯିହୋବାଙ୍କ ସାକ୍ଷୀମାନଙ୍କ ବିଷୟରେ ମିଛ କଥା କହନ୍ତି, ସେତେବେଳେ ଆମେ କʼଣ କରିପାରିବା ? ଆସନ୍ତୁ ଜାଣିବା ।

“କʼଣ ଆପଣ ସବୁ କଥା ଠିକ୍‌ ଭାବରେ ଜାଣନ୍ତି ?” (ପ୍ରହରୀଦୁର୍ଗ-ହି, ଅଗଷ୍ଟ ୨୦୧୮)

ଆପଣ କିପରି ଜାଣିପାରିବେ ଯେ କୌଣସି କାମ କିମ୍ବା ସଂଗଠନ ମହାନଗରୀ ବାବିଲକୁ ସହଯୋଗ କରେ ?

“ ‘ଶେଷ କାଳର’ ଶେଷ ସମୟରେ ଯିହୋବାଙ୍କ କାମରେ ଲାଗି ରହନ୍ତୁ” (ପ୍ରହରୀଦୁର୍ଗ-ହି, ଅକ୍ଟୋବର ୨୦୧୯, ପାରାଗ୍ରାଫ ୧୬-୧୮)

କିଛି ବିରୋଧୀମାନେ ଆମ ବିଶ୍ୱାସକୁ ଦୁର୍ବଳ କରିବା ପାଇଁ କʼଣ କରିଛନ୍ତି ?

ଠକାମିରେ ପଡ଼ନ୍ତୁ ନାହିଁ (୯:୩୨)

“ମୁଁ ଛୋଟବେଳୁ ଈଶ୍ୱରଙ୍କୁ ଖୋଜୁଥିଲି,” ଏହି କାହାଣୀରେ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କୁହାଯାଇଛି, ଯିଏ ପୂର୍ବେ ଶିଣ୍ଟ ଧର୍ମର ପୂଜାରି ଥିଲେ, କିନ୍ତୁ ପରେ ସେ ମିଥ୍ୟା ଧର୍ମରୁ ନିଜ ସମ୍ପର୍କ ଭାଙ୍ଗି ଦେଲେ । ଆସନ୍ତୁ ତାଙ୍କ କାହାଣୀ ପଢ଼ିବା ।

“ବାଇବଲ ଜୀବନ ବଦଳାଇ ଦିଏ” (ପ୍ରହରୀଦୁର୍ଗ ଲେଖା-ହି)