इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଈଶ୍ୱର ଓ ପଡ଼ୋଶୀମାନଙ୍କ ପ୍ରତି ପ୍ରେମ କିପରି ବଢ଼ାଇବା

ଈଶ୍ୱର ଓ ପଡ଼ୋଶୀମାନଙ୍କ ପ୍ରତି ପ୍ରେମ କିପରି ବଢ଼ାଇବା

ମୋଶାଙ୍କ ନିୟମରେ ସବୁଠାରୁ ଶ୍ରେଷ୍ଠ ଦୁଇଟି ଆଜ୍ଞା ହେଉଛି— ଈଶ୍ୱରଙ୍କୁ ପ୍ରେମ କରିବା ଏବଂ ପଡ଼ୋଶୀମାନଙ୍କୁ ପ୍ରେମ କରିବା। ଯଦିଓ ମୋଶାଙ୍କ ନିୟମ ଖ୍ରୀଷ୍ଟିୟାନମାନଙ୍କ ପାଇଁ ନୁହେଁ, ତଥାପି ଏହି ଦୁଇଟି ଆଜ୍ଞା ଆମ ଉପରେ ମଧ୍ୟ ଲାଗୁ ହୁଏ ଏବଂ ଏଗୁଡ଼ିକରୁ ଜଣାପଡ଼େ ଯେ ଆଜି ମଧ୍ୟ ଯିହୋବା ଆମଠାରୁ କʼଣ ଚାହାନ୍ତି। (ମାଥି ୨୨:୩୭-୩୯) ଏଭଳି ପ୍ରେମ ଜନ୍ମରୁ ନ ଥାଏ। ଏହାକୁ ନିଜଠାରେ ବଢ଼ାଇବାକୁ ପଡ଼େ। ଏହାକୁ ବଢ଼ାଇବାର ଗୋଟିଏ ଉପାୟ ହେଉଛି, ପ୍ରତିଦିନ ବାଇବଲର ଅଧ୍ୟୟନ କରିବା। ଆମେ ବାଇବଲରୁ ଯିହୋବାଙ୍କ ଗୁଣଗୁଡ଼ିକ ବିଷୟରେ ଜାଣିପାରୁ। ଯେତେବେଳେ ଆମେ ସେହି ଗୁଣଗୁଡ଼ିକ ଉପରେ ଚିନ୍ତନ କରୁ, ସେତେବେଳେ ଆମେ ‘ଯିହୋବାଙ୍କ ସୌନ୍ଦର୍ଯ୍ୟ’ ଦେଖିପାରୁ। (ଗୀତ ୨୭:୪) ଏପରି କରିବା ଦ୍ୱାରା ଆମ ହୃଦୟରେ ତାହାଙ୍କ ପ୍ରତି ପ୍ରେମ ବଢ଼େ ଏବଂ ଆମେ ତାହାଙ୍କ ଭଳି ଚିନ୍ତା କରିବା ଆରମ୍ଭ କରିଥାଉ। ଫଳସ୍ୱରୂପ, ଆମେ ତାହାଙ୍କ ଆଜ୍ଞାଗୁଡ଼ିକୁ ପାଳନ କରିବା ପାଇଁ ପ୍ରେରଣା ପାଇଥାଉ। ସେହି ଆଜ୍ଞାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି, ଅନ୍ୟମାନଙ୍କୁ ପ୍ରେମ କରିବା ଏବଂ ସେମାନଙ୍କ ମଙ୍ଗଳ ପାଇଁ କିଛି ତ୍ୟାଗ କରିବା। (ଯୋହ ୧୩:୩୪, ୩୫; ୧ଯୋହ ୫:୩) ଆମେ ନିଜ ବାଇବଲ ପଠନରୁ କିପରି ଆହୁରି ଆନନ୍ଦ ଉଠାଇପାରିବା, ତାʼର ତିନୋଟି ଉପାୟ ତଳେ ଦିଆଯାଇଛି:

  • ନିଜ କଳ୍ପନା ଶକ୍ତି ଓ ଇନ୍ଦ୍ରିୟଗୁଡ଼ିକୁ ବ୍ୟବହାର କରନ୍ତୁ। କୌଣସି ଘଟଣା ବିଷୟରେ ପଢ଼ିବା ସମୟରେ କଳ୍ପନା କରନ୍ତୁ ଯେ ଆପଣ ସେଠାରେ ଉପସ୍ଥିତ ଅଛନ୍ତି। ଆପଣ କʼଣ ଦେଖୁଛନ୍ତି, କʼଣ ଶୁଣୁଛନ୍ତି ଏବଂ ଆଖପାଖରୁ କିପରି ବାସ୍ନା ଆସୁଛି? ଘଟଣାରେ ଥିବା ବ୍ୟକ୍ତିମାନେ କିପରି ଅନୁଭବ କରୁଛନ୍ତି?

  • ଭିନ୍ନ ଭିନ୍ନ ଉପାୟ ଆପଣାନ୍ତୁ। ବାଇବଲ ପଢ଼ିବାର ଅନେକ ଉପାୟ ରହିଛି। ଉଚ୍ଚାରଣ କରି ପଢ଼ନ୍ତୁ କିମ୍ବା ଅଡିଓ ରେକଡିଙ୍ଗ୍‌ ଶୁଣିବା ସମୟରେ ବାଇବଲ ଦେଖନ୍ତୁ। ବାଇବଲର ଅଧ୍ୟାୟଗୁଡ଼ିକୁ କ୍ରମ ଅନୁସାରେ ପଢ଼ିବା ପରିବର୍ତ୍ତେ, ବାଇବଲର କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି କିମ୍ବା ବିଷୟ ଉପରେ ପଢ଼ି ଗବେଷଣା କରନ୍ତୁ। ଉଦାହରଣସ୍ୱରୂପ— ଯୀଶୁଙ୍କ ବିଷୟରେ ପଢ଼ିବା ସମୟରେ ଆପଣ www.pr418.com ୱେବ୍‌ସାଇଟ୍‌ରେ ‘ପ୍ରକାଶନ’ ଟ୍ୟାବ୍‌କୁ ଯାଇ ‘ବହି ଓ ପୁସ୍ତିକା’ ବିଭାଗରେ ଥିବା ପୃଥିବୀରେ ଯୀଶୁଙ୍କ ଶେଷ ସଯ୍ତାହ ନାମକ ପ୍ରକାଶନ ଦେଖନ୍ତୁ। ଦୈନିକ ପାଠର ପଦ ବାଇବଲର ଯେଉଁ ଅଧ୍ୟାୟରୁ ନିଆଯାଇଛି, ସେହି ସମ୍ପୂର୍ଣ୍ଣ ଅଧ୍ୟାୟକୁ ପଢ଼ନ୍ତୁ। କିମ୍ବା ବାଇବଲର ବହିଗୁଡ଼ିକୁ ଯେଉଁ କ୍ରମରେ ଲେଖାଯାଇଛି, ସେହି କ୍ରମରେ ପଢ଼ନ୍ତୁ।

  • ବୁଝିବା ଉଦ୍ଦେଶ୍ୟରେ ପଢ଼ନ୍ତୁ। ବହୁତଗୁଡ଼ିଏ ଅଧ୍ୟାୟ ସାରିବା ଉଦ୍ଦେଶ୍ୟରେ ପଢ଼ନ୍ତୁ ନାହିଁ। ଏହା ପରିବର୍ତ୍ତେ, ଯଦି ପ୍ରତିଦିନ ଗୋଟିଏ ଅଧ୍ୟାୟ ପଢ଼ି ତାକୁ ଭଲ ଭାବେ ବୁଝିବେ ଏବଂ ତାʼ ଉପରେ ଚିନ୍ତନ କରିବେ, ତେବେ ଆପଣ ଅଧିକ ଲାଭ ପାଇପାରିବେ। ଅଧ୍ୟାୟରେ କୁହାଯାଇଥିବା ଘଟଣା କେବେ ଓ କେଉଁ ପରିସ୍ଥିତିରେ ଘଟିଥିଲା, ସେବିଷୟରେ ଜାଣିବାକୁ ଚେଷ୍ଟା କରନ୍ତୁ। ସେଥିରେ ଥିବା ଟିକିନିଖି ତଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ସମ୍ବନ୍ଧୀୟ ପଦ ଓ ମାନଚିତ୍ରର ସାହାଯ୍ୟ ନିଅନ୍ତୁ। ଯେଉଁ ବିଷୟଗୁଡ଼ିକୁ ଆପଣ ବୁଝିପାରନ୍ତି ନାହିଁ, ସେମଧ୍ୟରୁ ଅତି କମ୍‌ରେ ଗୋଟିଏ ବିଷୟ ଉପରେ ଗବେଷଣା କରନ୍ତୁ। ଯଦି ସମ୍ଭବ, ତେବେ ଆପଣ ଯେତେ ସମୟ ପଢ଼ିବାରେ ବିତାନ୍ତି, ସେତେ ସମୟ ଚିନ୍ତନ କରିବାରେ ମଧ୍ୟ ଦିଅନ୍ତୁ।