इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଆପଣ ଏବେଠୁ ହିଁ ନୂଆ ଦୁନିଆରେ ଜୀଇଁବାର ପ୍ରସ୍ତୁତି କରିପାରିବେ

ଖୁବ୍‌ ଶୀଘ୍ର ପୃଥିବୀ ନୂଆ ହୋଇଯିବ !

ଖୁବ୍‌ ଶୀଘ୍ର ପୃଥିବୀ ନୂଆ ହୋଇଯିବ !

ଈଶ୍ୱର ଏହି ପୃଥିବୀକୁ ଲୋକମାନେ ରହିବେ ବୋଲି ସୃଷ୍ଟି କରିଥିଲେ । ସେ ଚାହୁଁଥିଲେ ଯେ ଧାର୍ମିକ ଲୋକମାନେ ସେଥିରେ ସବୁଦିନ ପାଇଁ ରହନ୍ତୁ । (ଗୀତସଂହିତା ୩୭:୨୯) ପ୍ରଥମ ପୁରୁଷ ଆଦମ ଓ ତାʼର ପତ୍ନୀ ହବାକୁ ଈଶ୍ୱର ଏଦନ ନାମକ ଏକ ସୁନ୍ଦର ବଗିଚାରେ ରଖିଥିଲେ । ସେ ଚାହୁଁଥିଲେ ଯେ ସେମାନେ ଦୁହେଁ ଓ ତାଙ୍କ ପିଲାମାନେ ପୂରା ପୃଥିବୀକୁ ଏଦନ ବଗିଚା ଭଳି ସୁନ୍ଦର କରିଦିଅନ୍ତୁ ଏବଂ ତାର ଯତ୍ନ ନିଅନ୍ତୁ ।—ଆଦି ପୁସ୍ତକ ୧:୨୮; ୨:୧୫.

ଦୁଃଖର କଥା ଆଜି ପୃଥିବୀ ଏଦନ ବଗିଚା ଭଳି ସୁନ୍ଦର ନାହିଁ । କିନ୍ତୁ ଈଶ୍ୱର ଯାହା ଭାବିଥିଲେ ତାହା ସେ ନିଶ୍ଚୟ ପୂରା କରିବେ ଏବଂ ଦିନେ ଏହି ପୃଥିବୀ ସୁନ୍ଦର ହୋଇଯିବ । ପୂର୍ବ ଲେଖାରେ ଯେପରି ଦେଖିଥିଲୁ ଈଶ୍ୱର ପୃଥିବୀକୁ ନୁହେଁ, ବରଂ ଦୁଷ୍ଟଲୋକଙ୍କୁ ବିନାଶ କରିବେ ଏବଂ କେବଳ ଧାର୍ମିକ ଲୋକ ଏହି ପୃଥିବୀରେ ରହିବେ । ସେସମୟରେ ପରିସ୍ଥିତି କିପରି ହେବ ? ଆସନ୍ତୁ ଦେଖିବା ।

ସାରା ପୃଥିବୀରେ କେବଳ ଗୋଟିଏ ସରକାର ଥିବ

ଖୁବ୍‌ ଶୀଘ୍ର ଈଶ୍ୱରଙ୍କ ସରକାର ସ୍ୱର୍ଗରୁ ପୂରା ପୃଥିବୀରେ ଶାସନ କରିବ । ସେହି ସମୟରେ ପୃଥିବୀରେ ଭଲ ପରିସ୍ଥିତି ଥିବ । ଲୋକମାନଙ୍କ ମଧ୍ୟରେ ଶାନ୍ତି ଥିବ, ସମସ୍ତଙ୍କ ପାଖରେ କାମ ଥିବ ଏବଂ ସେମାନେ ନିଜ କାମରୁ ଖୁସି ପାଇବେ । ଈଶ୍ୱର ନିଜ ସରକାର ଅର୍ଥାତ୍‌ ତାଙ୍କ ରାଜ୍ୟର ରାଜା ଯୀଶୁଙ୍କୁ ବାଛିଛନ୍ତି । ସେ ଆଜିକାଲିର ନେତାମାନଙ୍କ ଭଳି ନୁହନ୍ତି । ସେ ପ୍ରକୃତରେ ଲୋକମାନଙ୍କ ଚିନ୍ତା କରନ୍ତି ଏବଂ ସେମାନଙ୍କ ଭଲ ଚାହାନ୍ତି । ସେ ସମସ୍ତଙ୍କ ପାଇଁ ନ୍ୟାୟ କରିବେ । ତେଣୁ ତାଙ୍କର ହିଁ ଶାସନ ସବୁଠୁ ବଢ଼ିଆ ହେବ ।—ଯିଶାଇୟ ୧୧:୪.

ଲୋକମାନଙ୍କ ମଧ୍ୟରେ ଏକତା ରହିବ

ଯେତେବେଳେ ଈଶ୍ୱର ଏହି ଦୁନିଆକୁ ନୂଆ କରିଦେବେ, ସେତେବେଳେ ଜାତି, ରାଷ୍ଟ୍ର ଓ ରୂପ ରଙ୍ଗ ଯୋଗୁଁ କେହି ଭେଦଭାବ କରିବେ ନାହିଁ । ସମସ୍ତେ ପରସ୍ପରକୁ ଓ ଈଶ୍ୱରଙ୍କୁ ପ୍ରେମ କରିବେ ଏବଂ ସମସ୍ତଙ୍କ ମଧ୍ୟରେ ଏକତା ରହିବ । (ପ୍ରକାଶିତ ବାକ୍ୟ ୭:୯, ୧୦) ଲୋକମାନେ ମିଳିମିଶି କାମ କରିବେ ଏବଂ ଏହି ପୃଥିବୀକୁ ସୁନ୍ଦର ବଗିଚା କରିବେ ଓ ତାʼର ଯତ୍ନ ନେବେ ଯେପରି ଈଶ୍ୱର ଚାହିଁଥିଲେ ।—ଗୀତସଂହିତା ୧୧୫:୧୬.

ବନ୍ୟା ଓ ଭୂମିକମ୍ପ ଭଳି କିଛି ହେବ ନାହିଁ

ଆଜି ବନ୍ୟା ଓ ଭୂମିକମ୍ପ ଭଳି ବିପତ୍ତି ଯୋଗୁଁ ବହୁତ ଧନଜୀବନ ନଷ୍ଟ ହୁଏ । କିନ୍ତୁ ଯେତେବେଳେ ଯୀଶୁ ଏହି ପୃଥିବୀରେ ଶାସନ କରିବେ, ଏପରି କିଛି ହେବ ନାହିଁ । (ଗୀତସଂହିତା ୨୪:୧, ୨) ପ୍ରାୟ ୨୦୦୦ ବର୍ଷ ପୂର୍ବେ ଯେତେବେଳେ ଯୀଶୁ ପୃଥିବୀରେ ଥିଲେ, ସେ ଏପରି କରି ଦେଖାଇଥିଲେ । ଈଶ୍ୱରଙ୍କ ଶକ୍ତି ସାହାଯ୍ୟରେ ସେ ଭୟଙ୍କର ଝଡ଼ ତୋଫାନକୁ ଶାନ୍ତ କରିଥିଲେ । (ମାର୍କ ୪:୩୯, ୪୧) ଈଶ୍ୱରଙ୍କ ରାଜ୍ୟରେ ଲୋକମାନେ ପରିବେଶକୁ କିଛି କ୍ଷତି ପହଞ୍ଚାଇବେ ନାହିଁ । ପାଣି ପବନ ଶୁଦ୍ଧ ରହିବ । ଲୋକ ଓ ପଶୁମାନଙ୍କୁ ପରସ୍ପର ପ୍ରତି ବିପଦ ରହିବ ନାହିଁ ।—ହୋଶେୟ ୨:୧୮.

ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ରହିବ, ଭରପୂର ଖାଇବାକୁ ମିଳିବ

ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ରହିବ, କେହି ବି ରୋଗୀ ଓ ବୃଦ୍ଧବୃଦ୍ଧା ହେବେ ନାହିଁ । ତାʼଛଡ଼ା କାହାରି ମୃତ୍ୟୁ ମଧ୍ୟ ହେବ ନାହିଁ । (ଯିଶାଇୟ ୩୫:୫, ୬) ପୃଥିବୀ ଏଦନ ବଗିଚା ଭଳି ସଫାସୁତୁରା ଓ ସୁନ୍ଦର ହୋଇଯିବ । ନୂଆ ଦୁନିଆରେ ଭଲ ଫସଲ ହେବ ଏବଂ ସମସ୍ତଙ୍କୁ ଭରପୂର ଖାଇବାକୁ ମିଳିବ । (ଆଦି ପୁସ୍ତକ ୨:୯) ପ୍ରାଚୀନ ସମୟରେ ଈଶ୍ୱରଙ୍କ ଲୋକଙ୍କୁ ଯେପରି ଖାଇବା ଅଭାବ ହେଲା ନାହିଁ, ଠିକ୍‌ ସେହିପରି ନୂଆ ଦୁନିଆରେ ମଧ୍ୟ କାହାରିକୁ ଖାଇବା ଅଭାବ ହେବ ନାହିଁ ।—ଲେବୀ ପୁସ୍ତକ ୨୬:୪, ୫.

ସାରା ପୃଥିବୀରେ ଶାନ୍ତି ରହିବ ଏବଂ କାହାରିକୁ କୌଣସି ଡର ନ ଥିବ

ଲୋକମାନଙ୍କ ମଧ୍ୟରେ ଶାନ୍ତି ରହିବ । ଈଶ୍ୱରଙ୍କ ରାଜ୍ୟରେ ସାରା ପୃଥିବୀରେ ଶାନ୍ତି ଥିବ । ସମସ୍ତେ ପରସ୍ପର ସହ ଭଲ ବ୍ୟବହାର କରିବେ । କୌଣସି ମଣିଷ ନିଜ ଅଧିକାର ଓ ଶକ୍ତିର ଭୁଲ ବ୍ୟବହାର କରିବ ନାହିଁ ଏବଂ ଯୁଦ୍ଧ ହେବ ନାହିଁ । ଈଶ୍ୱର ସମସ୍ତଙ୍କ ଆବଶ୍ୟକତା ପୂରା କରିବେ । ସେ ପ୍ରତିଜ୍ଞା କରିଛନ୍ତି, “ସେମାନେ ପ୍ରତ୍ୟେକେ ଆପଣା ଆପଣା ଦ୍ରାକ୍ଷାଲତା ଓ ଡିମିରି ବୃକ୍ଷ ତଳେ ବସିବେ ଓ କେହି ସେମାନଙ୍କୁ ଭୟ ଦେଖାଇବ ନାହିଁ ।”—ମୀଖା ୪:୩, ୪.

ସମସ୍ତଙ୍କ ନିଜର ଘର ଥିବ, ଲୋକମାନେ ନିଜ ପରିଶ୍ରମରୁ ଖୁସି ପାଇବେ

ସମସ୍ତଙ୍କ ନିଜର ଘର ଥିବ ଏବଂ ତାହା ହରାଇବାର ଡର ନ ଥିବ । ଲୋକମାନେ ନିଜ ପରିଶ୍ରମର ପୂରା ଫଳ ପାଇବେ । ଈଶ୍ୱର ପ୍ରତିଜ୍ଞା କରିଛନ୍ତି ଯେ ନୂଆ ଦୁନିଆରେ କେହି ବି “ବୃଥା ପରିଶ୍ରମ କରିବେ ନାହିଁ ।”—ଯିଶାଇୟ ୬୫:୨୧-୨୩.

ସମସ୍ତଙ୍କୁ ଭଲ ଶିକ୍ଷା ଦିଆଯିବ

ପୃଥିବୀକୁ ସୃଷ୍ଟି କରିଥିବା ଯିହୋବା ଈଶ୍ୱର ବହୁତ ବୁଦ୍ଧିମାନ ଅଟନ୍ତି । ଆମକୁ ନୂଆ ଦୁନିଆରେ ତାଙ୍କଠୁ ବହୁତ କିଛି ଶିଖିବାକୁ ମିଳିବ ଏବଂ ସେ ଯାହା କିଛି ସୃଷ୍ଟି କରିଛନ୍ତି ସେବିଷୟରେ ମଧ୍ୟ ବହୁତ କିଛି ଶିଖିପାରିବା । ପବିତ୍ର ଶାସ୍ତ୍ରରେ ଲେଖାଅଛି, ‘ପୃଥିବୀ ସଦାପ୍ରଭୁ ବିଷୟକ ଜ୍ଞାନରେ ପରିପୂର୍ଣ୍ଣ ହେବ ।’ (ଯିଶାଇୟ ୧୧:୯) ଲୋକମାନେ ନିଜ ବୁଦ୍ଧି ଯୁଦ୍ଧର ଅସ୍ତ୍ର ତିଆରି କରିବାରେ ବ୍ୟବହାର କରିବେ ନାହିଁ ଏବଂ ଅନ୍ୟମାନଙ୍କୁ କ୍ଷତି ପହଞ୍ଚାଇବେ ନାହିଁ । (ଯିଶାଇୟ ୨:୪) ସମସ୍ତେ ଶାନ୍ତିରେ ରହିବେ ଏବଂ ସମସ୍ତେ ମିଶି ପୃଥିବୀକୁ ଆହୁରି ସୁନ୍ଦର କରିବେ ।—ଗୀତସଂହିତା ୩୭:୧୧.

ଅନନ୍ତ ଜୀବନ ମିଳିବ

ଈଶ୍ୱର ପୃଥିବୀକୁ ଏପରି ଭାବେ ସୃଷ୍ଟି କରିଛନ୍ତି ଯେପରି ଲୋକମାନେ ସେଠାରେ ଖୁସିରେ ରହିପାରିବେ । ସେ ଚାହୁଁଥିଲେ ଯେ ଲୋକମାନେ ଏହି ପୃଥିବୀରେ ସବୁଦିନ ପାଇଁ ରହନ୍ତୁ । (ଗୀତସଂହିତା ୩୭:୨୯; ଯିଶାଇୟ ୪୫:୧୮) ଈଶ୍ୱର ପ୍ରତିଜ୍ଞା କରିଛନ୍ତି ଯେ ଖୁବ୍‌ ଶୀଘ୍ର ‘ସେ ମୃତ୍ୟୁକୁ ଅନନ୍ତ କାଳ ନିମନ୍ତେ ଗ୍ରାସ କରିବେ ।’ (ଯିଶାଇୟ ୨୫:୮) ସେ ସମୟରେ “ମୃତ୍ୟୁ ଆଉ ଘଟିବ ନାହିଁ; ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ ।” (ପ୍ରକାଶିତ ବାକ୍ୟ ୨୧:୪) ଯେଉଁମାନେ ଦୁଷ୍ଟ ଦୁନିଆରୁ ରକ୍ଷା ପାଇବେ, ଈଶ୍ୱର ସେମାନଙ୍କୁ ଏପରି ଜୀବନ ଦେବେ ଯାହା କେବେ ଶେଷ ହେବ ନାହିଁ । ଯେଉଁମାନଙ୍କ ମୃତ୍ୟୁ ହୋଇଯାଇଛି, ଯିହୋବା ଈଶ୍ୱର ସେମାନଙ୍କୁ ପୁଣିଥରେ ଜୀବିତ କରିବେ ଏବଂ ସେମାନଙ୍କୁ ସବୁଦିନ ପାଇଁ ବଞ୍ଚିବାର ସୁଯୋଗ ଦେବେ ।—ଯୋହନ ୫:୨୮, ୨୯; ପ୍ରେରିତ ୨୪:୧୫.

ଖୁବ୍‌ ଶୀଘ୍ର ଏହି ପୃଥିବୀ ନୂଆ ହୋଇଯିବ । ସାରା ପୃଥିବୀରେ ଲକ୍ଷ ଲକ୍ଷ ଲୋକ ଏହି ଦିନର ଅପେକ୍ଷା କରୁଛନ୍ତି । ଆଜି ସେମାନେ ଯିହୋବା ଓ ଯୀଶୁଙ୍କୁ ଭଲ ଭାବେ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି ଏବଂ ଶିଖୁଛନ୍ତି ଯେ ନୂଆ ଦୁନିଆରେ ରହିବା ପାଇଁ ସେମାନଙ୍କୁ କʼଣ କରିବାକୁ ହେବ ।—ଯୋହନ ୧୭:୩.

କʼଣ ଆପଣ ପୃଥିବୀର ବିନାଶରୁ ରକ୍ଷା ପାଇବା ପାଇଁ ଚାହାନ୍ତି ଏବଂ ନୂଆ ଦୁନିଆରେ ବଞ୍ଚିବା ପାଇଁ ଚାହାନ୍ତି ? ସାକ୍ଷୀମାନଙ୍କଠାରୁ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହି ନିଅନ୍ତୁ ଓ ତାଙ୍କ ସହ ମିଶି ବାଇବଲ ଅଧ୍ୟୟନ କରିବା ପାଇଁ ଅନୁରୋଧ କରନ୍ତୁ ।