इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୧୮

ଲକ୍ଷ୍ୟ ରଖନ୍ତୁ ଓ ତାହା ହାସଲ କରନ୍ତୁ

ଲକ୍ଷ୍ୟ ରଖନ୍ତୁ ଓ ତାହା ହାସଲ କରନ୍ତୁ

“ତୁମ୍ଭର ଉନ୍ନତି ଯେପରି ସମସ୍ତଙ୍କ ନିକଟରେ ପ୍ରକାଶିତ ହୁଅ, ଏଥିନିମନ୍ତେ ଏହି ସମସ୍ତ ବିଷୟରେ ମନୋଯୋଗୀ ହୁଅ, ସେହି ସବୁରେ ପ୍ରବୃତ୍ତ ଥାଅ ।”—୧ ତୀମ. ୪:୧୫.

ଗୀତ ୮୪ ୟହୋୱା କୀ ସେୱା ମେଁ ଆଗେ ବଢ଼ନା

ଲେଖାର ଝଲକ a

୧. ଆମେ କେଉଁ ଲକ୍ଷ୍ୟଗୁଡ଼ିକ ରଖିପାରିବା ?

 ସତ୍ୟ ଖ୍ରୀଷ୍ଟିୟାନ ହୋଇଥିବା ଯୋଗୁଁ ଆମେ ଯିହୋବାଙ୍କୁ ବହୁତ ପ୍ରେମ କରୁ । ଆଉ ତାଙ୍କ ସେବା ମନପ୍ରାଣ ଦେଇ କରିବାକୁ ଚାହୁଁ । କିନ୍ତୁ ଏପରି କରିବା ପାଇଁ ଆମକୁ କିଛି ଲକ୍ଷ୍ୟ ରଖିବାକୁ ହେବ । ଯେପରି ନିଜଠାରେ ଭଲ ଗୁଣ ବଢ଼ାଇବାକୁ ହେବ, କୌଣସି ଦକ୍ଷତା ବଢ଼ାଇବାକୁ ହେବ ଓ ଭାଇଭଉଣୀମାନଙ୍କୁ ଅଲଗା ଅଲଗା ଉପାୟରେ ସାହାଯ୍ୟ କରିବାକୁ ହେବ ।

୨. ଆମେ କାହିଁକି ଲକ୍ଷ୍ୟ ରଖିବା ଉଚିତ୍‌ ଓ ତାହା ହାସଲ କରିବା ଉଚିତ୍‌ ?

ଲକ୍ଷ୍ୟ ରଖିବା ଓ ତାହା ହାସଲ କରିବାର ସବୁଠୁ ବଡ଼ କାରଣ ହେଉଛି ଯେ ଆମେ ନିଜ ପିତା ଯିହୋବାଙ୍କୁ ଖୁସି କରିବାକୁ ଚାହୁଁ । ଯେବେ ଆମେ ତାଙ୍କ ସେବାରେ ଆମର ଦକ୍ଷତାକୁ ବ୍ୟବହାର କରୁ, ତେବେ ଯିହୋବା ବହୁତ ଖୁସି ହୁଅନ୍ତି । ଆଉ ଗୋଟିଏ କାରଣ ହେଉଛି ଯେବେ ଆମେ ଏପରି କରିବା, ତେବେ ଆମେ ଭାଇଭଉଣୀମାନଙ୍କୁ ଆହୁରି ସାହାଯ୍ୟ କରିପାରିବା । (୧ ଥେସ. ୪:୯, ୧୦) ଯିହୋବାଙ୍କ ସେବା କରିବାର ଆମକୁ ଯେତେ ବର୍ଷ ହୋଇଥାଉ ନା କାହିଁକି, ତଥାପି ଆମେ ଲକ୍ଷ୍ୟ ରଖିବା ଉଚିତ୍‌ ଓ ତାହା ହାସଲ କରିବା ଉଚିତ୍‌ । ଆସନ୍ତୁ ଦେଖିବା ଆମେ ଏହା କିପରି କରିପାରିବା ।

୩. ପାଉଲ ତୀମଥିଙ୍କୁ କʼଣ କରିବା ପାଇଁ ପ୍ରୋତ୍ସାହନ ଦେଲେ ? (୧ ତୀମଥି ୪:୧୨-୧୬)

ଯେବେ ପ୍ରେରିତ ପାଉଲ ତୀମଥିଙ୍କୁ ପ୍ରଥମ ଚିଠି ଲେଖିଲେ, ତେବେ ତାଙ୍କୁ ପ୍ରାଚୀନ ହେବାର କିଛି ସମୟ ହୋଇଯାଇଥିଲା । ତଥାପି ପାଉଲ ତାଙ୍କୁ ପ୍ରୋତ୍ସାହନ ଦିଅନ୍ତି ଯେ ସେ ଉନ୍ନତି କରିବା ଜାରି ରଖନ୍ତୁ । (୧ ତୀମଥି ୪:୧୨-୧୬ ପଢ଼ନ୍ତୁ ।) ପାଉଲଙ୍କ ଏହି ପରାମର୍ଶକୁ ଧ୍ୟାନ ଦେଲେ ଜଣାପଡ଼େ ଯେ ତୀମଥିଙ୍କୁ ଉନ୍ନତି କରିବା ପାଇଁ ଦୁଇଟି କଥା ପ୍ରତି ଧ୍ୟାନ ଦେବାର ଥିଲା । ପ୍ରଥମ, ତାଙ୍କୁ ନିଜଠାରେ କିଛି ଭଲ ଗୁଣ ବଢ଼ାଇବାର ଥିଲା । ଯେପରି, ପ୍ରେମ, ବିଶ୍ୱାସ ଓ ପବିତ୍ରତା । ଦ୍ୱିତୀୟ, ତାଙ୍କୁ କିଛି ଦକ୍ଷତା ବଢ଼ାଇବାର ଥିଲା । ଯେପରି, ଅନ୍ୟମାନଙ୍କୁ ପଢ଼ିକି ଶୁଣାଇବା, ସେମାନଙ୍କୁ ପ୍ରୋତ୍ସାହନ ଦେବା ଓ ଶିଖାଇବାର ଦକ୍ଷତା । ଆସନ୍ତୁ ତୀମଥିଙ୍କ ଉଦାହରଣକୁ ଧ୍ୟାନ ଦେବା ଆଉ ଶିଖିବା ଯେ ଲକ୍ଷ୍ୟ ରଖିଲେ ଆମେ ଯିହୋବାଙ୍କ ସେବା ଆହୁରି ଭଲଭାବରେ କିପରି କରିପାରିବା । ଆଉ ଏହା ବି ଜାଣିବା ଯେ କେଉଁ କେଉଁ ଉପାୟରେ ଆମେ ଅନ୍ୟମାନଙ୍କୁ ସାହାଯ୍ୟ କରିପାରିବା ।

ଭଲ ଗୁଣ ବଢ଼ାନ୍ତୁ

୪. ଫିଲିପ୍ପୀୟ ୨:୧୯-୨୨ ପଦ ଅନୁସାରେ, ତୀମଥି ଯିହୋବାଙ୍କ ଜଣେ ଦକ୍ଷ ସେବକ କାହିଁକି ହୋଇପାରିଲେ ?

ତୀମଥି ଯିହୋବାଙ୍କ ଜଣେ ଦକ୍ଷ ସେବକ ଥିଲେ, କାରଣ ସେ ନିଜଠାରେ ଅନେକ ଭଲ ଗୁଣ ବଢ଼ାଇଥିଲେ । (ଫିଲିପ୍ପୀୟ ୨:୧୯-୨୨ ପଢ଼ନ୍ତୁ ।) ପାଉଲ ଯାହା ଲେଖିଲେ ସେଥିରୁ ଜଣାପଡ଼େ ଯେ ତୀମଥି ନମ୍ର, ବିଶ୍ୱସ୍ତ, ପରିଶ୍ରମୀ ଓ ଭରସାଯୋଗ୍ୟ ଥିଲେ । ସେ ଭାଇଭଉଣୀମାନଙ୍କୁ ପ୍ରେମ କରୁଥିଲେ ଓ ସେମାନଙ୍କ ବିଷୟରେ ଚିନ୍ତା କରୁଥିଲେ । ତେଣୁ ପାଉଲ ତାଙ୍କୁ ପ୍ରେମ କରୁଥିଲେ । ସେ ତୀମଥିଙ୍କୁ ପୂରା ଭରସା କରୁଥିଲେ । ତେଣୁ ତାଙ୍କୁ ବଡ଼ ବଡ଼ ଦାୟିତ୍ୱ ଦେଲେ । (୧ କରି. ୪:୧୭) ତୀମଥିଙ୍କ ଭଳି ଯଦି ଆମେ ନିଜଠାରେ ଭଲ ଗୁଣ ବଢ଼ାଇବା, ତେବେ ଯିହୋବା ଆମକୁ ପ୍ରେମ କରିବେ ଏବଂ ଆମେ ଭାଇଭଉଣୀମାନଙ୍କ ଆହୁରି ଅଧିକ ସେବା କରିପାରିବା ।—ଗୀତ. ୨୫:୯; ୧୩୮:୬.

ବାଛନ୍ତୁ ଯେ ଆପଣ କେଉଁ କେଉଁ ଗୁଣ ବଢ଼ାଇବାକୁ ଚାହାନ୍ତି (ପାରାଗ୍ରାଫ ୫-୬)

୫ . (କ) ଆପଣ କିପରି ବାଛିପାରିବେ ଯେ ଆପଣଙ୍କୁ ନିଜଠାରେ କେଉଁ ଗୁଣ ବଢ଼ାଇବାର ଅଛି ? (ଖ) ଯେପରି ଚିତ୍ରରେ ଅଛି, ଜଣେ ଯୁବା ଭଉଣୀ କେଉଁ ଲକ୍ଷ୍ୟ ରଖିଛନ୍ତି ଓ ତାହା ହାସଲ କରିବା ପାଇଁ କʼଣ କରୁଛନ୍ତି ?

ଲକ୍ଷ୍ୟ ରଖନ୍ତୁ । ପ୍ରାର୍ଥନା କରନ୍ତୁ ଓ ଭାବନ୍ତୁ ଯେ ଆପଣଙ୍କୁ ନିଜଠାରେ କʼଣ ସୁଧାର କରିବାର ଅଛି । ତାʼପରେ ଗୋଟିଏ ଗୁଣ ବାଛନ୍ତୁ ଯାହା ଆପଣ ନିଜଠାରେ ବଢ଼ାଇବାକୁ ଚାହାନ୍ତି । ଉଦାହରଣ ପାଇଁ, ଆପଣ ଏପରି ଭାବିପାରନ୍ତି, ‘କʼଣ ମୁଁ ସହାନୁଭୂତିର ଗୁଣ ନିଜଠାରେ ବଢ଼ାଇପାରିବି ? କʼଣ ମୁଁ ଭାଇଭଉଣୀମାନଙ୍କୁ ସାହାଯ୍ୟ କରିବାର ଇଚ୍ଛା ନିଜଠାରେ ବଢ଼ାଇପାରିବି ? କʼଣ ମୁଁ ଶାନ୍ତି ବଜାୟ ରଖେ, ଆଉ ଅନ୍ୟମାନଙ୍କୁ କ୍ଷମା କରିବା ପାଇଁ ପ୍ରସ୍ତୁତ ରହେ ?’ ଏବିଷୟରେ ଆପଣ ନିଜର କୌଣସି ସାଙ୍ଗକୁ ବି ପଚାରିପାରିବେ ଓ ତାଙ୍କଠାରୁ ପରାମର୍ଶ ନେଇପାରିବେ ।—ହିତୋ. ୨୭:୬.

୬. ନିଜଠାରେ କୌଣସି ଗୁଣ ବଢ଼ାଇବା ପାଇଁ ଆପଣ କʼଣ କରିପାରିବେ ?

ଲକ୍ଷ୍ୟ ହାସଲ କରିବା ପାଇଁ ପରିଶ୍ରମ କରନ୍ତୁ । ଏପରି କରିବାର ଗୋଟିଏ ଉପାୟ ହେଉଛି, ଯେଉଁ ଗୁଣ ଆପଣ ନିଜଠାରେ ବଢ଼ାଇବାକୁ ଚାହାନ୍ତି, ତାʼବିଷୟରେ ଅଧ୍ୟୟନ କରନ୍ତୁ । ଭାବନ୍ତୁ ଆପଣ କ୍ଷମାର ଗୁଣ ବଢ଼ାଇବାକୁ ଚାହାନ୍ତି । ତାʼପାଇଁ ଆପଣ ବାଇବଲରୁ ଏପରି ଲୋକମାନଙ୍କ ବିଷୟରେ ପଢ଼ିପାରିବେ ଆଉ ଚିନ୍ତନ କରିପାରିବେ, ଯେଉଁମାନେ ଅନ୍ୟମାନଙ୍କୁ କ୍ଷମା କରିଥିଲେ ଏବଂ ଯେଉଁମାନେ କ୍ଷମା କରି ନ ଥିଲେ । ଉଦାହରଣ ପାଇଁ ଆପଣ ଯୀଶୁଙ୍କ ବିଷୟରେ ପଢ଼ିପାରିବେ । ସେ ଲୋକମାନଙ୍କୁ ହୃଦୟରୁ କ୍ଷମା କରୁଥିଲେ । (ଲୂକ ୭:୪୭, ୪୮) ସେ ସେମାନଙ୍କର ଖରାପ ଗୁଣ ପ୍ରତି ଧ୍ୟାନ ଦେଉ ନ ଥିଲେ । ବରଂ ସେ ଧ୍ୟାନ ଦେଉଥିଲେ ଯେ ସେମାନେ ଆଗକୁ ଯାଇ କʼଣ କʼଣ କରିପାରିବେ । କିନ୍ତୁ ସେସମୟର ଫାରୂଶୀମାନେ ଯୀଶୁଙ୍କଠାରୁ ପୂରା ଅଲଗା ଥିଲେ । ସେମାନେ ଅନ୍ୟ ସମସ୍ତଙ୍କୁ “ତୁଚ୍ଛଜ୍ଞାନ” କରୁଥିଲେ । (ଲୂକ ୧୮:୯) ଏହି ଉଦାହରଣଗୁଡ଼ିକ ଉପରେ ଚିନ୍ତନ କରିବା ପରେ ଆପଣ ନିଜକୁ ପଚାରିପାରିବେ, ‘ମୁଁ ଅନ୍ୟମାନଙ୍କଠାରେ କʼଣ ଦେଖେ ? କʼଣ ମୁଁ ଦେଖେ ଯେ ସେମାନଙ୍କଠାରେ କେଉଁ କେଉଁ ଭଲ ଗୁଣ ରହିଛି ?’ ଯଦି ଆପଣଙ୍କୁ କାହାରିକୁ କ୍ଷମା କରିବା କଷ୍ଟ ଲାଗେ, ତାହେଲେ ଆପଣ ତାଙ୍କର ଭଲ ଗୁଣଗୁଡ଼ିକ ବିଷୟରେ ଲେଖିପାରିବେ । ତାʼପରେ ଆପଣ ନିଜକୁ ପଚାରିପାରିବେ, ‘ଯଦି ଯୀଶୁ ମୋ ଜାଗାରେ ଥାʼନ୍ତେ, ତାହେଲେ ସେ ତାଙ୍କ ବିଷୟରେ କʼଣ ଭାବନ୍ତେ ? କʼଣ ସେ ତାଙ୍କୁ କ୍ଷମା କରନ୍ତେ ?’ ଏପରି ଭାବେ ଯେତେବେଳେ ଆମେ ଅନ୍ୟମାନଙ୍କୁ କ୍ଷମା କରିବା ବିଷୟରେ ଅଧ୍ୟୟନ କରିବା, ସେତେବେଳେ ଆମେ ନିଜ ଚିନ୍ତାଧାରା ବଦଳାଇ ପାରିବା । ହୁଏତ ଆରମ୍ଭରେ ଏପରି କରିବା କଷ୍ଟ ଲାଗିପାରେ । କିନ୍ତୁ ଯଦି ଆମେ ପରିଶ୍ରମ କରିବା ଜାରି ରଖିବା, ତାହେଲେ ଅନ୍ୟମାନଙ୍କୁ କ୍ଷମା କରିବା ଆମ ପାଇଁ ସହଜ ହୋଇଯିବ ।

ଦକ୍ଷତା ବଢ଼ାନ୍ତୁ

ରାଜ୍ୟଘରର ଦେଖାରେଖା କରିବା ଶିଖନ୍ତୁ (ପାରାଗ୍ରାଫ ୭) d

୭. ଆଜି ଯିହୋବା ଦକ୍ଷ ଭାଇଭଉଣୀଙ୍କ ଜରିଆରେ କେଉଁ କେଉଁ କାମ କରାଉଛନ୍ତି ? (ହିତୋପଦେଶ ୨୨:୨୯)

ଆମେ କୌଣସି ଦକ୍ଷତା ବଢ଼ାଇବାର ଲକ୍ଷ୍ୟ ରଖିପାରିବା । ଯେପରି ନିର୍ମାଣ କାମ ସହ ଜଡ଼ିତ କାମର ଦକ୍ଷତା । ଟିକିଏ ଭାବନ୍ତୁ, ବୈଥେଲ ଘର, ସମ୍ମିଳନୀ ଭବନ ଓ ରାଜ୍ୟଘର ନିର୍ମାଣ କରିବାରେ କେତେ ଲୋକଙ୍କ ଦରକାର ହୋଇଥାଏ ! ଯଦି ନିର୍ମାଣ କାମର ଆପଣଙ୍କଠାରେ ଦକ୍ଷତା ନାହିଁ, ତେବେ ଚିନ୍ତା କରନ୍ତୁ ନାହିଁ । ବହୁତ ଲୋକ ଅନୁଭବୀ ଭାଇଭଉଣୀଙ୍କ ସହ କାମ କରି ଅନ୍ୟ ଅନ୍ୟ ଦକ୍ଷତା ଶିଖିପାରିଛନ୍ତି । ଆଉ ଯେପରି ଚିତ୍ରରେ ଦେଖିବାକୁ ପାଉଛୁ, କେବଳ ଭାଇମାନେ ନୁହଁ, ବରଂ ଭଉଣୀମାନେ ମଧ୍ୟ ସମ୍ମିଳନୀ ଭବନ ଓ ରାଜ୍ୟଘରର ଦେଖାରେଖା କରିବା ଶିଖୁଛନ୍ତି । “ଅନନ୍ତକାଳୀନ ରାଜା” ଯିହୋବା ଓ “ରାଜାମାନଙ୍କର ରାଜା” ଯୀଶୁ, ଦକ୍ଷ ଭାଇଭଉଣୀମାନଙ୍କ ଜରିଆରେ ନିର୍ମାଣ କାମ ସହିତ ଆହୁରି ଅନେକ କାମ ମଧ୍ୟ କରାଉଛନ୍ତି । (୧ ତୀମ. ୧:୧୭; ୬:୧୫; ହିତୋପଦେଶ ୨୨:୨୯ ପଢ଼ନ୍ତୁ ।) ତେଣୁ କେତେ ଭଲ ହେବ ଯେ ଆମେ ନିଜ ପ୍ରଶଂସା ପାଇଁ ନୁହେଁ ବରଂ ଯିହୋବାଙ୍କ ପ୍ରଶଂସା କରିବା ପାଇଁ କଠିନ ପରିଶ୍ରମ କରିବା ଓ ନିଜ ଦକ୍ଷତା ସେଥିରେ ଲଗାଇବା ।—ଯୋହ. ୮:୫୪.

୮. ଆପଣ କିପରି ବାଛିପାରିବେ ଯେ ଆପଣଙ୍କୁ କେଉଁ ଦକ୍ଷତା ବଢ଼ାଇବାର ଅଛି ?

ଲକ୍ଷ୍ୟ ରଖନ୍ତୁ । ଆପଣଙ୍କୁ କେଉଁ ଦକ୍ଷତା ବଢ଼ାଇବାର ଅଛି କିମ୍ବା ଶିଖିବାର ଅଛି, ଏବିଷୟରେ ପ୍ରଥମେ ଆପଣ ନିଜେ ଭାବନ୍ତୁ, ଆଉ ନିଜ ମଣ୍ଡଳୀର ପ୍ରାଚୀନମାନଙ୍କୁ ପଚାରନ୍ତୁ । ଯଦି ଆପଣ ଚାହାନ୍ତି, ତେବେ ସର୍କିଟ ଅଧ୍ୟକ୍ଷଙ୍କୁ ବି ପଚାରିପାରିବେ । ହୁଏତ ସେମାନେ ଆପଣଙ୍କୁ କହିବା ଓ ଶିଖାଇବାର ଦକ୍ଷତା ବଢ଼ାଇବା ବିଷୟରେ କହିପାରନ୍ତି । ଏପରି ସମୟରେ ଆପଣ ସେମାନଙ୍କୁ ପଚାରିପାରନ୍ତି, ଶିଖାଇବାର କେଉଁ କ୍ଷେତ୍ରରେ ଆପଣଙ୍କୁ ସୁଧାର କରିବାର ଅଛି । ତାʼପରେ ଆପଣ ସୁଧାର କରିବାରେ ପରିଶ୍ରମ କରନ୍ତୁ ।

୯. କୌଣସି ଦକ୍ଷତା ବଢ଼ାଇବା ପାଇଁ ଆପଣଙ୍କୁ କʼଣ କରିବାକୁ ହେବ ?

ଲକ୍ଷ୍ୟ ହାସଲ କରିବା ପାଇଁ ପରିଶ୍ରମ କରନ୍ତୁ । ଭାବନ୍ତୁ ଯେ ଆପଣ ଶିଖାଇବାର ଦକ୍ଷତା ବଢ଼ାଇବାକୁ ଚାହାନ୍ତି । ତାʼପାଇଁ ଆପଣ ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ ପୁସ୍ତିକାରୁ ଅଧ୍ୟୟନ କରିପାରିବେ । ଯଦି ଆପଣଙ୍କୁ ସପ୍ତାହ ମଝିରେ ହେଉଥିବା ସଭାରେ କିଛି ଭାଗ ମିଳିଛି, ତେବେ ଆପଣ ଜଣେ ଦକ୍ଷ ଭାଇଙ୍କଠାରୁ ସାହାଯ୍ୟ ନେଇପାରିବେ । ଆପଣ ନିଜ ଭାଗ ତାଙ୍କୁ ଆଗରୁ ଶୁଣାଇପାରିବେ, ଆଉ ତାଙ୍କଠାରୁ କିଛି ପରାମର୍ଶ ନେଇପାରିବେ । ଯଦି ଆପଣ ନିଜ ଭାଗକୁ ଭଲଭାବେ କରିବା ପାଇଁ ଆଗରୁ ପ୍ରସ୍ତୁତ କରନ୍ତି, ତେବେ ଅନ୍ୟମାନେ ଦେଖିପାରିବେ ଯେ ଆପଣ କେତେ ପରିଶ୍ରମୀ ଓ ଭରସାଯୋଗ୍ୟ ।—ହିତୋ. ୨୧:୫; ୨ କରି. ୮:୨୨.

୧୦. ଗୋଟିଏ ଉଦାହରଣ ଦେଇ ବୁଝାନ୍ତୁ ଯେ ଯଦି ଆମକୁ କୌଣସି ଦକ୍ଷତା ବଢ଼ାଇବା କଷ୍ଟ ଲାଗେ, ତେବେ ଆମେ କʼଣ କରିବା ଉଚିତ୍‌ ।

୧୦ ଯଦି ଆପଣଙ୍କୁ କୌଣସି ଦକ୍ଷତା ବଢ଼ାଇବା କଷ୍ଟ ଲାଗେ, ତେବେ ଆପଣ କʼଣ କରିପାରିବେ ? ଆପଣ ହାର୍‌ ମାନନ୍ତୁ ନାହିଁ ଓ ପରିଶ୍ରମ କରିବା ଜାରି ରଖନ୍ତୁ । ଗେରୀ ନାମକ ଜଣେ ଭାଇ ଠିକ୍‌ ଭାବରେ ପଢ଼ିପାରୁ ନ ଥିଲେ । ଯେବେ ବି ତାଙ୍କୁ ସଭାରେ ପଢ଼ିବା ପାଇଁ କୁହାଯାଉଥିଲା, ତାଙ୍କୁ ବହୁତ ଲାଜ ଲାଗୁଥିଲା । କିନ୍ତୁ ସେ ପରିଶ୍ରମ କରିବା ଓ ପଢ଼ିବାରେ ନିଜ ଦକ୍ଷତା ବଢ଼ାଇବା ଜାରି ରଖିଲେ । ସେ ଅନ୍ୟ ଭାଇମାନଙ୍କଠାରୁ ଶିଖିଲେ ଓ ପ୍ରକାଶନରେ ଦିଆଯାଇଥିବା ପରାମର୍ଶଗୁଡ଼ିକୁ ବି ମାନିଲେ । ଏପରି କରିବା ଦ୍ୱାରା ଏବେ ସେ କେବଳ ସଭାରେ ନୁହେଁ, ବରଂ ସମ୍ମିଳନୀ ଓ ଅଧିବେଶନଗୁଡ଼ିକରେ ମଧ୍ୟ ଭାଷଣ ଦେଇପାରନ୍ତି ।

୧୧. ତୀମଥିଙ୍କ ଭଳି ଆମେ କʼଣ କରିପାରିବା ?

୧୧ ପାଉଲଙ୍କ ପରାମର୍ଶ ମାନି ତୀମଥି ବଢ଼ିଆ ବକ୍ତା ଓ ବଢ଼ିଆ ଶିକ୍ଷକ ହୋଇପାରିଲେ କି ନାହିଁ, ଏବିଷୟରେ ବାଇବଲରେ କିଛି କୁହାଯାଇନାହିଁ । କିନ୍ତୁ ଆମେ ଏହା ତ ଜାଣୁ ଯେ ସେ ପାଉଲଙ୍କ ପରାମର୍ଶ ମାନି ନିଜ ଦାୟିତ୍ୱ ଆହୁରି ଭଲଭାବେ ତୁଲାଇପାରିଲେ । (୨ ତୀମ. ୩:୧୦) ଯଦି ଆମେ ତୀମଥିଙ୍କ ଭଳି ନିଜ ଦକ୍ଷତା ବଢ଼ାଇବା, ତେବେ ଆମେ ମଧ୍ୟ ଆହୁରି ଭଲଭାବେ ନିଜ ଦାୟିତ୍ୱ ତୁଲାଇପାରିବା ।

ଅଲଗା ଅଲଗା ଉପାୟରେ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତୁ

୧୨. କହନ୍ତୁ ଯେ ଅନ୍ୟମାନେ ଆପଣଙ୍କୁ କିପରି ସାହାଯ୍ୟ କରିଛନ୍ତି ।

୧୨ ଯେବେ ଅନ୍ୟମାନେ ଆମକୁ ସାହାଯ୍ୟ କରନ୍ତି, ତେବେ ଆମକୁ ବହୁତ ଭଲ ଲାଗେ । ଯେପରି, ଯଦି ଆମେ ହସ୍ପିଟାଲରେ ଭର୍ତ୍ତି ଥିବା ବେଳେ ହସ୍ପିଟାଲ ସମ୍ପର୍କ ସମିତି କିମ୍ବା ରୋଗୀ ସାକ୍ଷାତ ଦଳର ପ୍ରାଚୀନମାନେ ଆମକୁ ଭେଟିବାକୁ ଆସନ୍ତି, ତେବେ ଆମକୁ ବହୁତ ଭଲ ଲାଗେ । କିମ୍ବା ଯେବେ ଆମେ ସମସ୍ୟାରେ ଥିବା ବେଳେ ଜଣେ ପ୍ରାଚୀନ ସମୟ ବାହାର କରି ଆମର କଥା ଶୁଣନ୍ତି ଓ ଆମକୁ ସାନ୍ତ୍ୱନା ଦିଅନ୍ତି, ତେବେ ଆମକୁ ବହୁତ ସାହସ ମିଳେ । କିମ୍ବା ଯେବେ ଆମକୁ ବାଇବଲ ବିଦ୍ୟାର୍ଥୀକୁ ଶିଖାଇବାରେ ସାହାଯ୍ୟ ଦରକାର ହୁଏ, ଆଉ ଜଣେ ଦକ୍ଷ ଅଗ୍ରଦୂତ ଆମ ସହିତ ଆସନ୍ତି, ଆଉ ଅଧ୍ୟୟନ ପରେ ଆମକୁ କିଛି ପରାମର୍ଶ ଦିଅନ୍ତି, ତେବେ ଆମକୁ ବହୁତ ଭଲ ଲାଗେ । ଏହି ସବୁ ଭାଇଭଉଣୀମାନଙ୍କୁ ଆମକୁ ସାହାଯ୍ୟ କରିବାରୁ ବହୁତ ଖୁସି ମିଳେ । ଯଦି ଆମେ ଆଗକୁ ଆସି ଅନ୍ୟମାନଙ୍କୁ ସାହାଯ୍ୟ କରିବା, ତେବେ ଆମେ ଏପରି ଖୁସି ପାଇପାରିବା । ଯୀଶୁ କହିଥିଲେ, “ଗ୍ରହଣ କରିବା ଅପେକ୍ଷା ଦାନ କରିବା ଅଧିକ ଶ୍ରେୟସ୍କର ।” (ପ୍ରେରି. ୨୦:୩୫) ତେଣୁ ଆପଣ ମଧ୍ୟ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଲକ୍ଷ୍ୟ ରଖିପାରିବେ ।

୧୩. ଲକ୍ଷ୍ୟ ରଖିବା ସମୟରେ ଆମେ କʼଣ ଧ୍ୟାନ ଦେବା ଉଚିତ୍‌ ?

୧୩ ଯଦି ଆମେ କେବଳ ଏତିକି ଭାବୁଛୁ ଯେ ମୁଁ ମଣ୍ଡଳୀର ଭାଇଭଉଣୀମାନଙ୍କୁ ସାହାଯ୍ୟ କରିବାକୁ ଚାହେଁ, ତାହେଲେ ତାହା ଯଥେଷ୍ଟ ନୁହେଁ । ଏହା ପରିବର୍ତ୍ତେ ଭାବନ୍ତୁ ଯେ ଆପଣ ତାଙ୍କୁ କେଉଁ ବିଶେଷ ଉପାୟରେ ସାହାଯ୍ୟ କରିବାକୁ ଚାହାନ୍ତି । ଏପରି ଲକ୍ଷ୍ୟ ରଖିଲେ ଆପଣ ତାହା ହାସଲ କରିବା ପାଇଁ ପଦକ୍ଷେପ ନେଇପାରିବେ ଓ ଜାଣିପାରିବେ ଯେ ଆପଣ ଲକ୍ଷ୍ୟ ଯାଏଁ ପହଞ୍ଚିଛନ୍ତି ନା ନାହିଁ । ଆପଣ ଲକ୍ଷ୍ୟକୁ ଲେଖିପାରିବେ ଓ ଆପଣ ଏହା ବି ଲେଖିପାରିବେ ଯେ ଆପଣ ଲକ୍ଷ୍ୟ ହାସଲ କରିବା ପାଇଁ କʼଣ କʼଣ କରିପାରିବେ ।

୧୪. ଆମେ କାହିଁକି ନିଜ ଲକ୍ଷ୍ୟ ବଦଳାଇବା ପାଇଁ ପ୍ରସ୍ତୁତ ରହିବା ଉଚିତ୍‌ ?

୧୪ ପରିସ୍ଥିତି ସବୁବେଳେ ଏକା ରହେନି । ତେଣୁ ଆମକୁ ସବୁବେଳେ ନିଜ ଲକ୍ଷ୍ୟ ବଦଳାଇବା ପାଇଁ ପ୍ରସ୍ତୁତ ରହିବା ଉଚିତ୍‌ । ପାଉଲ ବି ଏପରି ହିଁ କରିଥିଲେ । ସେ ଥେସଲନୀକୀୟ ସହରରେ ନୂଆ ମଣ୍ଡଳୀ ଆରମ୍ଭ କରିବାରେ ସାହାଯ୍ୟ କରିଥିଲେ । ତାଙ୍କର ନିଶ୍ଚୟ ଏହା ଲକ୍ଷ୍ୟ ରହିଥିବ ଯେ ସେ ସେଇଠି ହିଁ ରହି ନୂଆ ଭାଇଭଉଣୀମାନଙ୍କ ଉତ୍ସାହ ବଢ଼ାଇବେ । କିନ୍ତୁ କିଛି ସମୟ ପରେ ଲୋକମାନେ ତାଙ୍କୁ ବିରୋଧ କଲେ ଆଉ ତାଙ୍କୁ ସେଇଠୁ ପଳାଇବାକୁ ପଡ଼ିଲା । (ପ୍ରେରି. ୧୭:୧-୫, ୧୦) ଯଦି ସେ ସେଇଠି ହିଁ ରହିଥାʼନ୍ତେ, ତେବେ ଭାଇଭଉଣୀଙ୍କ ଜୀବନ ବି ବିପଦରେ ପଡ଼ିଥାʼନ୍ତା । ଏବେ ସେ ସେହି ଭାଇଭଉଣୀମାନଙ୍କ ସାହାଯ୍ୟ କରିପାରନ୍ତେ ନାହିଁ । ତେଣୁ ସେମାନଙ୍କ ସାହାଯ୍ୟ କରିବା ପାଇଁ ସେ ତୀମଥିଙ୍କୁ ପଠାନ୍ତି । (୧ ଥେସ. ୩:୧-୩) ଟିକିଏ ଭାବନ୍ତୁ, ଯେବେ ଥେସଲନୀକୀୟ ମଣ୍ଡଳୀର ଭାଇଭଉଣୀମାନେ ଦେଖିଥିବେ ଯେ ତୀମଥି ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଆସିଛନ୍ତି, ତେବେ ସେମାନେ କେତେ ଖୁସି ହୋଇଥିବେ ।

୧୫ . ପରିସ୍ଥିତି ବଦଳିଲେ ଆମେ କʼଣ କରିବା ପାଇଁ ପ୍ରସ୍ତୁତ ରହିବା ଉଚିତ୍‌ ? ଗୋଟିଏ ଉଦାହରଣ ଦିଅନ୍ତୁ ।

୧୫ ହୁଏତ ଆମ ପରିସ୍ଥିତି ହଠାତ୍‌ ବଦଳିଯାଏ ଓ ଆମେ ନିଜ ଲକ୍ଷ୍ୟ ହାସଲ କରିପାରୁ ନାହିଁ । (ଉପ. ୯:୧୧) ଏପରି ସମୟରେ ଆମେ ପାଉଲଙ୍କ ଭଳି ନିଜ ଲକ୍ଷ୍ୟ ବଦଳାଇପାରିବା, ଆଉ ଏପରି ଲକ୍ଷ୍ୟ ରଖିପାରିବା ଯାହା ଆମେ କରିପାରିବା । ଟେଡ୍‌ ଓ ତାଙ୍କ ସ୍ତ୍ରୀ ହାଇଡିଙ୍କ ଅନୁଭୂତି ଉପରେ ଧ୍ୟାନ ଦିଅନ୍ତୁ । ସେମାନେ ଦୁହେଁ ବୈଥେଲରେ ସେବା କରୁଥିଲେ, କିନ୍ତୁ ଜଣକର ଦେହ ଠିକ୍‌ ନ ରହିବାରୁ ସେମାନଙ୍କୁ ବୈଥେଲ ଛାଡ଼ିବାକୁ ପଡ଼ିଲା । ସେମାନେ ଯିହୋବାଙ୍କୁ ବହୁତ ପ୍ରେମ କରୁଥିଲେ । ତେଣୁ ସେମାନେ ଭାବିଲେ, ସେମାନେ ଅନ୍ୟ ଉପାୟରେ ଯିହୋବାଙ୍କ ସେବା କରିବେ । ସେମାନେ ଅଗ୍ରଦୂତ ସେବା ଆରମ୍ଭ କରିଦେଲେ । କିଛି ସମୟ ପରେ ସେମାନଙ୍କୁ ବିଶେଷ ଅଗ୍ରଦୂତ ଭାବେ ନିଯୁକ୍ତ କରାଗଲା । ଟେଡ୍‌ଙ୍କୁ ସବସ୍‌ଟିଟ୍ୟୁଟ୍‌ ସର୍କିଟ ଅଧ୍ୟକ୍ଷ ହେବା ପାଇଁ ଟ୍ରେନିଙ୍ଗ ଦିଆଗଲା । ତାʼପରେ ଗୋଟିଏ ପରିବର୍ତ୍ତନ ହେଲା, ସଂଗଠନ କହିଲା ଯେ ଜଣେ ବ୍ୟକ୍ତି ଗୋଟିଏ ନିର୍ଦ୍ଧିଷ୍ଟ ବୟସ ପର୍ଯ୍ୟନ୍ତ ହିଁ ସର୍କିଟ ଅଧ୍ୟକ୍ଷ ଭାବେ ସେବା କରିପାରିବେ । ତେଣୁ ଏବେ ଟେଡ୍‌ ସର୍କିଟ ଅଧ୍ୟକ୍ଷ ଭାବେ ସେବା କରିପାରନ୍ତେ ନାହିଁ । ଏହା ଜାଣି ସେମାନେ ବହୁତ ଦୁଃଖୀ ହେଲେ । କିନ୍ତୁ ସେମାନେ ଭାବିଲେ ଯେ ସେମାନେ ଅନ୍ୟ ଉପାୟରେ ଯିହୋବାଙ୍କ ସେବା କରିବେ । ଟେଡ୍‌ କହନ୍ତି, “ଆମେ ଶିଖିଲୁ ଯେ ଆମେ କେବେ ବି ଏପରି ଭାବିବା ଉଚିତ୍‌ ନୁହେଁ ଯେ ଆମେ ସବୁବେଳେ ଗୋଟିଏ ଉପାୟରେ ହିଁ ଯିହୋବାଙ୍କ ସେବା କରିବା, ବରଂ ଆମେ ଅନ୍ୟ ଉପାୟରେ ବି ଯିହୋବାଙ୍କ ସେବା କରିବା ପାଇଁ ପ୍ରସ୍ତୁତ ରହିବା ଉଚିତ୍‌ ।”

୧୬. ଗାଲାତୀୟ ୬:୪ ପଦରୁ ଆମେ କʼଣ ଶିଖିପାରୁ ?

୧୬ ଅନେକ ଥର ଆମ ଜୀବନରେ ଯାହା ଘଟେ, ତାହା ଆମ ନିୟନ୍ତ୍ରଣ ବାହାରେ ଥାଏ । ଯେପରି ହୁଏତ ଆମେ ଯେଉଁ ଦାୟିତ୍ୱ ତୁଲାଉଛୁ, ତାହା କାଲି ଆମ ପାଖରେ ନ ଥିବ । ଏପରି ସମୟରେ ଆମେ ମନେ ରଖିବା ଉଚିତ୍‌ ଯେ ଯିହୋବା ଆମକୁ ଆମ ଦାୟିତ୍ୱ ଯୋଗୁଁ ପ୍ରେମ କରନ୍ତି ନାହିଁ । ଆମେ ନିଜକୁ ଅନ୍ୟମାନଙ୍କ ସହ ତୁଳନା କରିବା ମଧ୍ୟ ଉଚିତ୍‌ ନୁହେଁ । ହାଇଡି କହନ୍ତି, “ଯଦି ଆମେ ଏହା ଭାବିବା ଯେ ଆମେ ଅନ୍ୟମାନଙ୍କ ତୁଳନାରେ କିଛି ବି କରିପାରୁନାହୁଁ, ତାହେଲେ ଆମ ଖୁସି ଚାଲିଯିବ ।” (ଗାଲାତୀୟ ୬:୪ ପଢ଼ନ୍ତୁ ।) ତେଣୁ ଭଲ ହେବ ଆମେ ଏହା ଭାବିବା ଯେ ଆମେ ନିଜ ପରିସ୍ଥିତି ଅନୁସାରେ ଯିହୋବାଙ୍କ ସେବା ଓ ଅନ୍ୟମାନଙ୍କର ସାହାଯ୍ୟ କିପରି କରିପାରିବା । b

୧୭. ଯିହୋବାଙ୍କର ଅଧିକ ସେବା କରିବା ପାଇଁ ଆପଣ କʼଣ କରିପାରିବେ ?

୧୭ ଯଦି ଆପଣ ଯିହୋବାଙ୍କ ସେବାରେ ଆହୁରି ଅଧିକ କରିବାକୁ ଚାହାନ୍ତି, ତାହେଲେ ଭଲ ହେବ ଆପଣ କମ୍‌ ଜିନିଷରେ ଚଳିବା ପାଇଁ ପ୍ରସ୍ତୁତ ରହନ୍ତୁ । ଦରକାର ନ ଥିଲେ, ଉଧାର ନ ନେବା ମଧ୍ୟ ଭଲ ହେବ । ଆପଣ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ଛୋଟ ଛୋଟ ଲକ୍ଷ୍ୟ ରଖିପାରିବେ । ଯେପରି, ଯଦି ଆପଣ ଅଗ୍ରଦୂତ ହେବା ପାଇଁ ଚାହାନ୍ତି, ତାହେଲେ କʼଣ ଆପଣ କିଛି ମାସ ପର୍ଯ୍ୟନ୍ତ ଲଗାତାର ସହଯୋଗୀ ଅଗ୍ରଦୂତ ସେବା କରିପାରିବେ ? ଯଦି ଆପଣ ସହାୟକ ସେବକ ହେବା ପାଇଁ ଚାହାନ୍ତି, ତାହେଲେ କʼଣ ଆପଣ ପ୍ରଚାର କରିବାରେ ଆହୁରି ବେଶି ସମୟ ଦେଇପାରିବେ ଓ ମଣ୍ଡଳୀରେ ବେମାର ବୟସ୍କ ଭାଇଭଉଣୀଙ୍କୁ ଦେଖା କରିବା ପାଇଁ ଯାଇପାରିବେ ? ଯେବେ ଆପଣ ନିଜ ଛୋଟ ଛୋଟ ଲକ୍ଷ୍ୟ ହାସଲ କରିବେ, ତେବେ ଆପଣ ଆହୁରି ଦକ୍ଷ ହୋଇପାରିବେ ଓ ଆଗକୁ ଯାଇ ଆହୁରି ଦାୟିତ୍ୱ ତୁଲାଇପାରିବେ । ତେଣୁ ଆପଣଙ୍କୁ ଯାହା ମଧ୍ୟ ଦାୟିତ୍ୱ ଦିଆଯାଏ, ତାହା ଭଲଭାବେ ତୁଲାଇବା ପାଇଁ ପୂରା ଚେଷ୍ଟା କରନ୍ତୁ ।—ରୋମୀ. ୧୨:୧୧.

ଏପରି ଲକ୍ଷ୍ୟ ରଖନ୍ତୁ ଯାହା ଆପଣ ହାସଲ କରିପାରିବେ (ପାରାଗ୍ରାଫ ୧୮) e

୧୮. ଭଉଣୀ ବେଭର୍ଲିଙ୍କ ଉଦାହରଣରୁ ଆପଣ କʼଣ ଶିଖନ୍ତି ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୮ ଆମେ ଯେକୌଣସି ବୟସରେ ବି ନିଜ ପାଇଁ ଲକ୍ଷ୍ୟ ରଖିପାରିବା । ଯଦି ଆମେ ବୃଦ୍ଧ ଅଟୁ, ତାହେଲେ ମଧ୍ୟ ଆମେ ନିଜ ପାଇଁ ଲକ୍ଷ୍ୟ ରଖିପାରିବା ଓ ତାହା ହାସଲ କରିପାରିବା । ବେଭର୍ଲି ନାମକ ଜଣେ ଭଉଣୀଙ୍କ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ସେ ୭୫ ବର୍ଷର ଅଟନ୍ତି ଓ ତାଙ୍କ ଦେହ ଠିକ୍‌ ନ ଥିବା ଯୋଗୁଁ ସେ ଭଲଭାବେ ଚାଲିପାରନ୍ତି ନାହିଁ । କିନ୍ତୁ ତାଙ୍କୁ ସ୍ମାରକର ଅଭିଯାନରେ ଅଧିକରୁ ଅଧିକ ଭାଗ ନେବା ପାଇଁ ବହୁତ ଇଚ୍ଛା ଥିଲା । ତେଣୁ ସେ ଛୋଟ ଛୋଟ ଲକ୍ଷ୍ୟ ରଖିଲେ । ଯେତେବେଳେ ସେ ନିଜ ଲକ୍ଷ୍ୟ ହାସଲ କରିପାରିଲେ, ସେତେବେଳେ ତାଙ୍କୁ ବହୁତ ଖୁସି ମିଳିଲା । ଏହା ଦେଖି ଅନ୍ୟ ଭାଇଭଉଣୀମାନଙ୍କୁ ମଧ୍ୟ ଉତ୍ସାହର ସହ ପ୍ରଚାର କରିବା ପାଇଁ ପ୍ରୋତ୍ସାହନ ମିଳିଲା । ଏହା ସତ ଯେ ବୃଦ୍ଧ ଭାଇଭଉଣୀମାନେ ବେଶି କରିପାରନ୍ତି ନାହିଁ, ତଥାପି ଯିହୋବା ସେମାନଙ୍କର ପରିଶ୍ରମରୁ ବହୁତ ଖୁସି ହୁଅନ୍ତି ।—ଗୀତ. ୭୧:୧୭, ୧୮.

୧୯. ଆମେ କେଉଁ କେଉଁ ଲକ୍ଷ୍ୟ ରଖିପାରିବା ?

୧୯ ଏହି ଲେଖାରେ ଆମେ ଶିଖିଲୁ ଯେ ଆମେ ଏପରି ଲକ୍ଷ୍ୟ ରଖିବା ଉଚିତ୍‌ ଯାହା ହାସଲ କରିପାରିବା । ଆମେ ନିଜଠାରେ ଏପରି ଗୁଣ ବଢ଼ାଇବା ଉଚିତ୍‌, ଯେଉଁଥିରୁ ଯିହୋବା ଖୁସି ହେବେ । ଆମେ କିଛି ଦକ୍ଷତା ଶିଖିବା ଉଚିତ୍‌, ଯାହାଫଳରେ ଆମେ ଯିହୋବା ଓ ତାଙ୍କ ସଂଗଠନ ପାଇଁ ଆହୁରି ବେଶି କାମ କରିପାରିବା । ଆମେ ଭାବିବା ଉଚିତ୍‌ ଯେ ଆମେ ଭାଇଭଉଣୀମାନଙ୍କୁ ଆହୁରି ଅଧିକ କିପରି ସାହାଯ୍ୟ କରିପାରିବା । c ଯେତେବେଳେ ଆମେ ଏପରି କରୁ, ସେତେବେଳେ ଯିହୋବା ଆମକୁ ଆଶିଷ ଦେବେ ଓ ‘ଆମ ଉନ୍ନତି ସମସ୍ତଙ୍କ ନିକଟରେ ପ୍ରକାଶିତ ହେବ ।’—୧ ତୀମ. ୪:୧୫.

ଗୀତ ୩୮ ୱହ ତୁମ୍‌ହେ ମଜବୁତ୍‌ କରେଗା

a ତୀମଥି ବହୁତ ଭଲଭାବେ ପ୍ରଚାର କରୁଥିଲେ । ତଥାପି ପ୍ରେରିତ ପାଉଲ ତାଙ୍କୁ ପରାମର୍ଶ ଦେଲେ ଯେ ସେ ଆହୁରି ଉନ୍ନତି କରି କରି ଯାଉ । ଏହି ପରାମର୍ଶକୁ ମାନିବା ଯୋଗୁଁ ତୀମଥି ଯିହୋବାଙ୍କ ସେବା ଆହୁରି ଭଲଭାବେ କରିପାରିଲେ ଓ ଭାଇଭଉଣୀମାନଙ୍କୁ ସାହାଯ୍ୟ କରିପାରିଲେ । ତୀମଥିଙ୍କ ଭଳି ଆପଣ ବି ନିଶ୍ଚୟ ଯିହୋବା ଓ ଭାଇଭଉଣୀମାନଙ୍କ ଆହୁରି ଭଲଭାବେ ସେବା କରିବାକୁ ଚାହାନ୍ତି । ତାʼପାଇଁ ଆପଣ କେଉଁ କେଉଁ ଲକ୍ଷ୍ୟ ରଖିପାରିବେ ଆଉ ତାହା ହାସଲ କରିବା ପାଇଁ ଆପଣଙ୍କୁ କʼଣ କରିବାକୁ ପଡ଼ିବ ?

d ଚିତ୍ର ବିଷୟରେ: ଜଣେ ଭାଇ ଦୁଇଜଣ ଭଉଣୀଙ୍କୁ ଦେଖାରେଖା କରିବା ପାଇଁ ଶିଖାଉଛନ୍ତି । ନୂଆ ଦକ୍ଷତା ଶିଖିବା ପରେ ସେମାନେ ନିଜେ ନିଜେ କାମ କରୁଛନ୍ତି ।

e ଚିତ୍ର ବିଷୟରେ: ଜଣେ ବୃଦ୍ଧା ଭଉଣୀ ଭଲଭାବେ ଚାଲିପାରନ୍ତି ନାହିଁ, ତଥାପି ସେ ଫୋନ୍‌ ଜରିଆରେ ଲୋକମାନଙ୍କୁ ସ୍ମାରକ ପାଇଁ ଡାକୁଛନ୍ତି ।