इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୧୬

ମନପ୍ରାଣ ଦେଇ ଯିହୋବାଙ୍କ ସେବା କରନ୍ତୁ ଓ ଖୁସି ରହନ୍ତୁ

ମନପ୍ରାଣ ଦେଇ ଯିହୋବାଙ୍କ ସେବା କରନ୍ତୁ ଓ ଖୁସି ରହନ୍ତୁ

“ପ୍ରତ୍ୟେକ ଜଣ ଆପଣା କର୍ମ ପରୀକ୍ଷା କରୁ ।”—ଗାଲା. ୬:୪.

ଗୀତ ୩୭ ଦିଲୋଜାନ୍‌ ସେ ୟହୋୱା କୀ ସେୱା କରେଁ

ଲେଖାର ଝଲକ a

୧. ଆମେ କʼଣ କଲେ ବହୁତ ଖୁସି ମିଳେ ?

 ଯିହୋବା ଚାହାନ୍ତି ଯେ ଆମେ ଖୁସିରେ ରହୁ । ଏକଥା ଆମକୁ ଏଥିରୁ ଜଣାପଡ଼େ, କାରଣ ପବିତ୍ର ଶକ୍ତିର ଫଳର ଗୋଟିଏ ଗୁଣ ହେଉଛି, ଖୁସି । (ଗାଲା. ୫:୨୨) ବାଇବଲରେ ଏହା ମଧ୍ୟ କୁହାଯାଇଛି ଯେ ନେବା ଅପେକ୍ଷା ଅନ୍ୟକୁ ଦେବାରେ ଅଧିକ ଖୁସି ମିଳେ । (ପ୍ରେରି. ୨୦:୩୫) ତେଣୁ ଯେବେ ଆମେ ପ୍ରଚାର କରୁ ଓ ଅନ୍ୟ ଅନ୍ୟ ଉପାୟରେ ଭାଇଭଉଣୀମାନଙ୍କୁ ସାହାଯ୍ୟ କରୁ, ତେବେ ଆମକୁ ବହୁତ ଖୁସି ମିଳେ ।

୨-୩. (କ) ଗାଲାତୀୟ ୬:୪ ପଦ ଅନୁସାରେ, ଯଦି ଆମେ ଖୁସିରେ ରହିବାକୁ ଚାହୁଁ, ତାହେଲେ ଆମକୁ କʼଣ କରିବାକୁ ପଡ଼ିବ ? (ଖ) ଏହି ଲେଖାରେ ଆମେ କʼଣ ଶିଖିବା ?

ଗାଲାତୀୟ ୬:୪ ପଦରେ ପ୍ରେରିତ ପାଉଲ କହିଛନ୍ତି ଯେ ଯଦି ଆମେ ଖୁସିରେ ରହିବାକୁ ଚାହୁଁ, ତାହେଲେ ଆମକୁ ଦୁଇଟି କାମ କରିବାକୁ ପଡ଼ିବ । (ପଢ଼ନ୍ତୁ ।) ପ୍ରଥମ, ଯିହୋବାଙ୍କ ସେବାରେ ଆମ ଦ୍ୱାରା ଯାହା କିଛି ହୋଇପାରୁଛି, ତାହା ଆମେ ମନପ୍ରାଣ ଦେଇ କରିବା ଉଚିତ୍‌ । (ମାଥି. ୨୨:୩୬-୩୮) ଦ୍ୱିତୀୟ, ଆମେ ନିଜ ତୁଳନା ଅନ୍ୟମାନଙ୍କ ସହ କରିବା ଉଚିତ୍‌ ନୁହେଁ । ଆମେ ମନେରଖିବା ଉଚିତ୍‌ ଯେ ଆଜି ଆମେ ଯାହା କିଛି ବି କରୁପାରୁଛୁ, ତାହା ଯିହୋବାଙ୍କ ସାହାଯ୍ୟରେ ହିଁ କରିପାରୁଛୁ । ସେ ହିଁ ଆମକୁ ଶିଖାଇଛନ୍ତି ଏବଂ ଶକ୍ତି ଓ ଦକ୍ଷତା ଦେଇଛନ୍ତି । ଯଦି ଅନ୍ୟମାନେ ଆମଠାରୁ ଅଧିକ କରନ୍ତି, ତାହେଲେ ମଧ୍ୟ ଆମେ ଖୁସି ହେବା ଉଚିତ୍‌ । କାରଣ ସେମାନେ ନିଜ ଦକ୍ଷତାର ବ୍ୟବହାର ନିଜର ପ୍ରଶଂସା ପାଇଁ ନୁହେଁ, ବରଂ ଯିହୋବାଙ୍କ ମହିମା ପାଇଁ କରୁଛନ୍ତି । ତେଣୁ ସେମାନଙ୍କଠାରୁ ଆଗେ ରହିବା ପାଇଁ ପ୍ରତିଯୋଗିତା କରିବା ପରିବର୍ତ୍ତେ ଆମେ ସେମାନଙ୍କଠାରୁ ଶିଖିବା ଉଚିତ୍‌ ।

ଅନେକ ଥର ଆମ ପରିସ୍ଥିତି ଭଲ ନ ଥାଏ, ଆଉ ଆମେ ଯିହୋବାଙ୍କ ସେବାରେ ଅଧିକ କରିପାରି ନ ଥାଉ । ତେଣୁ ଆମେ ନିରାଶ ହୋଇପାରୁ । କିମ୍ବା ହୁଏତ ଆମ ପରିସ୍ଥିତି ଭଲ ଥିବ ଏବଂ ଆମ ପାଖରେ କୌଣସି ଦକ୍ଷତା ମଧ୍ୟ ଥିବ, କିନ୍ତୁ ଆମେ ତାʼର ଭଲ ବ୍ୟବହାର କରି ନ ଥାଉ । ଏହି ଲେଖାରେ ଆମେ ଶିଖିବା ଯେ ଆମ ପରିସ୍ଥିତି ଯାହା ବି ଥାଉ ନା କାହିଁକି, ଆମେ ମନପ୍ରାଣ ଦେଇ ଯିହୋବାଙ୍କ ସେବା କରିପାରିବା ଓ ଖୁସି ପାଇପାରିବା । ଆମେ ଏହା ମଧ୍ୟ ଦେଖିବା ଯେ ଆମେ ଅନ୍ୟମାନଙ୍କର ଭଲ ଉଦାହରଣରୁ କʼଣ ଶିଖିପାରିବା ?

ଯଦି ଆମ ପରିସ୍ଥିତି ଭଲ ନ ଥାଏ

ଯଦି ଆମେ ଜୀବନର ସବୁ କ୍ଷେତ୍ରରେ ମନପ୍ରାଣ ଦେଇ ଯିହୋବାଙ୍କ ସେବା କରିବା, ତେବେ ସେ ବହୁତ ଖୁସି ହେବେ (ପାରାଗ୍ରାଫ ୪-୬) b

୪. ଗୋଟିଏ ଉଦାହରଣ ଦେଇ ବୁଝାନ୍ତୁ ଯେ ଆମେ କେବେ ନିରାଶ ହୋଇପାରୁ ?

ଯିହୋବାଙ୍କ କିଛି ସେବକଙ୍କ ବହୁତ ବୟସ ହୋଇଯାଇଛି କିମ୍ବା ସେମାନେ ବେମାର ଅଛନ୍ତି । ତେଣୁ ସେମାନେ ତାଙ୍କ ସେବା ଅଧିକ କରିପାରନ୍ତି ନାହିଁ । ତେଣୁ ସେମାନେ ବେଳେ ବେଳେ ନିରାଶ ହୋଇଯାʼନ୍ତି । କେରଲ୍‌ ନାମକ ଭଉଣୀଙ୍କ ସହ ମଧ୍ୟ ଏପରି ହିଁ ହେଲା । ପୂର୍ବେ ସେ ଏପରି ଜାଗାରେ ସେବା କରୁଥିଲେ, ଯେଉଁଠି ପ୍ରଚାରକଙ୍କ ଅଧିକ ଆବଶ୍ୟକତା ରହିଛି । ତାଙ୍କ ପାଖରେ ୩୫ଟି ବାଇବଲ ଅଧ୍ୟୟନ ଥିଲା ଓ ସେ ଅନେକ ଲୋକଙ୍କୁ ବାପ୍ତିସ୍ମ ନେବା ପାଇଁ ସାହାଯ୍ୟ କରିଥିଲେ । ସେ ବହୁତ ଖୁସି ଥିଲେ । କିନ୍ତୁ ପରେ ସେ ବେମାର ହୋଇଗଲେ ଓ ଏବେ ତାଙ୍କୁ ଅଧିକାଂଶ ସମୟ ଘରେ ହିଁ ରହିବାକୁ ପଡ଼େ । ସେ କହନ୍ତି, “ମୁଁ ଜାଣିଛି ଯେ ମୋ ଦେହ ଠିକ୍‌ ନ ଥିବା ଯୋଗୁଁ ମୁଁ ଅଧିକ କରିପାରୁ ନାହିଁ । ତଥାପି ଯେବେ ମୁଁ ଅନ୍ୟମାନଙ୍କୁ ଅଧିକ ସେବା କରୁଥିବାର ଦେଖେ, ତେବେ ମୋତେ ଲାଗେ ଯେ ମୁଁ ତାଙ୍କ ସେତିକି ବିଶ୍ୱସ୍ତ ନୁହେଁ । ଏହି କଥା ଭାବି ଭାବି ମୁଁ ବହୁତ ନିରାଶ ହୋଇଯାଏ ।” ଏହା ସତ ଯେ କେରଲ୍‌ ବେମାର ଅଛନ୍ତି, ତଥାପି ସେ ମନପ୍ରାଣ ଦେଇ କରିବାକୁ ଚାହାନ୍ତି । ତାଙ୍କର ଏହି ଇଚ୍ଛା ଦେଖି ଯିହୋବା କେତେ ଖୁସି ହେଉଥିବେ ।

୫ . (କ) ଅଧିକ ସେବା କରି ନ ପାରିବା ଯୋଗୁଁ ଯଦି ଆପଣ ନିରାଶ ଅଛନ୍ତି, ତାହେଲେ ଆପଣ କʼଣ ମନେ ରଖିପାରିବେ ? (ଖ) ଯେପରି ଚିତ୍ରରେ ଦିଆଯାଇଛି, ଜଣେ ଭାଇ କିପରି ସାରା ଜୀବନ ଯିହୋବାଙ୍କ ସେବା ମନପ୍ରାଣ ଦେଇ କଲେ ?

ଯଦି ଆପଣ ନିଜ ପରିସ୍ଥିତି ଯୋଗୁଁ ଯିହୋବାଙ୍କ ସେବା ଅଧିକ କରିପାରୁ ନାହାନ୍ତି ଓ ନିରାଶ ଅଛନ୍ତି, ତାହେଲେ ଆପଣ କʼଣ କରିପାରିବେ ? ଆପଣ ମନେ ରଖିପାରିବେ ଯେ ଯିହୋବା ଆପଣଙ୍କଠାରୁ କʼଣ ଚାହାନ୍ତି । ସେ ଚାହାନ୍ତି ଯେ ଆମ ଦ୍ୱାରା ଯେତେ ହୋଇପାରେ, ଆମେ ସେତିକି ମନପ୍ରାଣ ଦେଇ କରୁ । ଭାବନ୍ତୁ ଜଣେ ୮୦ ବର୍ଷ ବୟସର ଜଣେ ଭଉଣୀ ଏହା ଭାବି ବହୁତ ନିରାଶ ଅଛନ୍ତି ଯେ ସେ ଯିହୋବାଙ୍କ ସେବାରେ ସେତେ କରିପାରୁ ନାହାନ୍ତି ଯେତେ ସେ ୪୦ ବର୍ଷ ବୟସର ଥିବା ବେଳେ କରୁଥିଲେ । ଅବଶ୍ୟ ସେ ଏବେ ବି ଯିହୋବାଙ୍କ ସେବା ମନପ୍ରାଣ ଦେଇ କରୁଛନ୍ତି ତଥାପି ତାଙ୍କୁ ଲାଗେ ଯେ ଯିହୋବା ତାଙ୍କ ସେବାରୁ ଖୁସି ନାହାନ୍ତି । କʼଣ ଏହା ସତ ? ସେ ଭଉଣୀ ଯେବେ ୪୦ ବର୍ଷ ବୟସର ଥିଲେ ସେତେବେଳେ ମଧ୍ୟ ଯିହୋବାଙ୍କ ସେବା ମନପ୍ରାଣ ଦେଇ କରୁଥିଲେ ଆଉ ଏବେ ୮୦ ବର୍ଷ ବୟସରେ ମଧ୍ୟ ସେ ମନପ୍ରାଣ ଦେଇ ତାଙ୍କ ସେବା କରୁଛନ୍ତି । ତେଣୁ ଦେଖିବାକୁ ଗଲେ ସେ ମନପ୍ରାଣ ଦେଇ ଯିହୋବାଙ୍କ ସେବା କରିବା କେବେ ଛାଡ଼ି ହିଁ ନାହାନ୍ତି ଏବଂ ଯିହୋବାଙ୍କ ପାଇଁ ଏହା ହିଁ ମହତ୍ତ୍ୱ ରଖେ । ଆମକୁ ଯେବେ ବି ସେହି ଭଉଣୀଙ୍କ ପରି ଲାଗେ ଯେ ଯିହୋବା ଆମ ସେବାରୁ ଖୁସି ନାହାନ୍ତି, ତେବେ ଆମେ ନିଜକୁ ମନେ ପକାଇପାରିବା ଯେ ଯିହୋବା ଜାଣନ୍ତି ଯେ ଆମେ ତାଙ୍କ ସେବାରେ କେତେ କରିପାରିବା । ଆଉ ଯଦି ଆମେ ମନପ୍ରାଣ ଦେଇ ସେବା କରିବା ତାହେଲେ ସେ ବହୁତ ଖୁସି ହେବେ ।—ମାଥିଉ ୨୫:୨୦-୨୩ ସହ ତୁଳନା କରନ୍ତୁ ।

୬. ମାରିଆଙ୍କଠାରୁ ଆମେ କʼଣ ଶିଖିପାରିବା ?

ଆମ ପରିସ୍ଥିତି ଭଲ ଥାଉ ବା ନ ଥାଉ ତଥାପି ଆମେ ଖୁସିରେ ରହିପାରିବା । ଆମେ କʼଣ କରିପାରୁନୁ ତାʼ ବିଷୟରେ ଧ୍ୟାନ ନ ଦେଇ ଆମେ ଏହା ଧ୍ୟାନ ଦେବା ଉଚିତ୍‌ ଯେ ଆମେ କʼଣ କରିପାରିବା । ମାରିଆ ନାମକ ଜଣେ ଭଉଣୀ ମଧ୍ୟ ଏପରି କରନ୍ତି । ତାଙ୍କୁ ଗୋଟିଏ ରୋଗ ଅଛି, ଯାହା ଯୋଗୁଁ ସେ ଅଧିକ ପ୍ରଚାର ସେବା କରିପାରନ୍ତି ନାହିଁ । ଆରମ୍ଭରେ ତାଙ୍କୁ ଲାଗୁଥିଲା ଯେ ସେ କିଛି କାମର ନୁହନ୍ତି ଓ ସେ ବହୁତ ନିରାଶ ହୋଇଯାଉଥିଲେ । କିନ୍ତୁ ପରେ ସେ ଧ୍ୟାନ ଦେଲେ ଯେ ତାଙ୍କ ମଣ୍ଡଳୀରେ ଆଉ ଜଣେ ଭଉଣୀ ଅଛନ୍ତି ଯିଏ କି ବିଛଣାରୁ ଉଠିପାରନ୍ତି ନାହିଁ । ସେ ସେହି ଭଉଣୀଙ୍କୁ ସାହାଯ୍ୟ କରିବା ପାଇଁ ଭାବିଲେ । ସେ କହନ୍ତି, “ମୁଁ ସେହି ଭଉଣୀ ସହ ମିଶି ଫୋନ୍‌ ଓ ଚିଠି ଜରିଆରେ ପ୍ରଚାର କଲେ ମୋତେ ବହୁତ ଖୁସି ମିଳେ ।” ମାରିଆଙ୍କ ଭଳି ଆସନ୍ତୁ ଆମେ ମଧ୍ୟ ଏହା ଧ୍ୟାନ ଦେବା ଯେ ଆମେ କʼଣ କରିପାରୁ । ତାହେଲେ ଆମେ ଖୁସିରେ ରହିପାରିବା । ଯଦି ଆମ ପାଖରେ କୌଣସି ଦକ୍ଷତା ଅଛି ଓ ଆମେ ଯିହୋବାଙ୍କ ସେବାରେ ଅଧିକ କରିପାରିବା, ତେବେ ଆହୁରି ଖୁସି ପାଇବା ପାଇଁ ଆମକୁ କʼଣ କରିବାକୁ ହେବ ?

ଯଦି ଆପଣଙ୍କଠାରେ କୌଣସି ଦକ୍ଷତା ଅଛି

୭. ପିତର ଭାଇଭଉଣୀମାନଙ୍କୁ କʼଣ କରିବା ପାଇଁ ପ୍ରୋତ୍ସାହନ ଦେଲେ ?

ପ୍ରେରିତ ପିତର ନିଜର ପ୍ରଥମ ଚିଠିରେ ଭାଇଭଉଣୀମାନଙ୍କୁ ପ୍ରୋତ୍ସାହନ ଦେଲେ ଯେ ସେମାନଙ୍କଠାରେ ଯାହାବି ଦକ୍ଷତା ଅଛି, ତାʼର ବ୍ୟବହାର କରି ସେମାନେ ଅନ୍ୟମାନଙ୍କର ଉତ୍ସାହ ବଢ଼ାନ୍ତୁ । ସେ ଲେଖିଲେ, “ତୁମ୍ଭ ମଧ୍ୟରୁ ପ୍ରତ୍ୟେକେ ଗୋଟିଏ ଗୋଟିଏ ଆଧ୍ୟାତ୍ମିକ ଦାନ ପରମେଶ୍ୱରଙ୍କଠାରୁ ପାଇଛ । ପରମେଶ୍ୱର ଅନେକ ପ୍ରକାରେ ତାହାଙ୍କର ଅନୁଗ୍ରହ ତୁମ୍ଭକୁ ଦେଖାଇଛନ୍ତି । ତୁମ୍ଭେ ତାହାଙ୍କର ଦାନଗୁଡ଼ିକୁ ଦାୟୀତ୍ୱପୂର୍ଣ୍ଣ ସହିତ ପରମେଶ୍ୱରଙ୍କ ସେବକ ଭଳି ବ୍ୟବହାର କର । ଅତଏବ ଭଲ ସେବକ ହୋଇ ପରସ୍ପରର ସେବାରେ ସେଗୁଡ଼ିକୁ ଲଗାଅ ।” (୧ ପିତ. ୪:୧୦, ଇଜି-ଟୁ-ରିଡ୍‌ ଭର୍ସନ) ଏଥିରୁ ଆମେ ଶିଖୁ ଯେ ଆମେ ଏହା ଭାବି ପଛଘୁଞ୍ଚା ଦେବା ଉଚିତ୍‌ ନୁହେଁ ଯେ ଯଦି ଆମେ ନିଜ ଦକ୍ଷତାର ବ୍ୟବହାର କରିବା, ତାହେଲେ ଅନ୍ୟମାନେ ଆମକୁ ଈର୍ଷା କରିବେ କିମ୍ବା ନିରାଶ ହୋଇଯିବେ । ଯଦି ଆମେ ଏହା ଭାବି ପଛଘୁଞ୍ଚା ଦେବା ତେବେ ଆମେ ଯିହୋବାଙ୍କ ସେବା ମନପ୍ରାଣ ଦେଇ କରୁ ନ ଥିବା ।

୮. ପ୍ରଥମ କରିନ୍ଥୀୟ ୪:୬, ୭ ପଦ ଅନୁସାରେ, ଆମେ କାହିଁକି ନିଜ ଦକ୍ଷତା ବିଷୟରେ ଦେଖେଇହେବା ଉଚିତ୍‌ ନୁହେଁ ?

ଆମେ ନିଜ ଦକ୍ଷତାର ଭଲ ବ୍ୟବହାର କରିବା ଉଚିତ୍‌, କିନ୍ତୁ ଆମେ ଅହଂକାର କରିବା ଉଚିତ୍‌ ନୁହେଁ । (୧ କରିନ୍ଥୀୟ ୪:୬, ୭ ପଢ଼ନ୍ତୁ ।) ଉଦାହରଣ ପାଇଁ, ହୁଏତ ଆପଣ ସହଜରେ ବାଇବଲ ଅଧ୍ୟୟନ ଆରମ୍ଭ କରିପାରନ୍ତି । ଏହା ଆପଣଙ୍କ ଦକ୍ଷତା ଅଟେ ଓ ନିଶ୍ଚୟ ଆପଣ ଏହାର ବ୍ୟବହାର କରିବା ଉଚିତ୍‌ । କିନ୍ତୁ ଆମେ ତାʼପାଇଁ ଦେଖେଇହେବା ନାହିଁ । ଭାବନ୍ତୁ ଯେ ଆପଣ ଏବେ ଏବେ ପ୍ରଚାର କାମ ଶେଷ କରିଛନ୍ତି ଓ ଗୋଟିଏ ବାଇବଲ ଅଧ୍ୟୟନ ମଧ୍ୟ ଆରମ୍ଭ କରିପାରିଛନ୍ତି । ଆପଣ ବହୁତ ଖୁସି ଅଛନ୍ତି ଓ ଅନ୍ୟ ଭାଇଭଉଣୀମାନଙ୍କୁ ମଧ୍ୟ ଏହା ବିଷୟରେ କହିବାକୁ ଚାହାନ୍ତି । କିନ୍ତୁ ଯେବେ ଆପଣ ଭେଟନ୍ତି, ତେବେ ଦେଖନ୍ତି ଯେ ଜଣେ ଭଉଣୀ ନିଜର ଗୋଟିଏ ଅନୁଭୂତି କହୁଛନ୍ତି ଯେ ସେ କିପରି ଜଣକୁ ପତ୍ରିକା ଦେଲେ । ଏବେ ଆପଣ କʼଣ କରିବେ ? ଆପଣଙ୍କ ଅନୁଭୂତିରୁ ମଧ୍ୟ ଭାଇଭଉଣୀଙ୍କ ଉତ୍ସାହ ବଢ଼ିବ । କିନ୍ତୁ ଭାବନ୍ତୁ ସେହି ଭଉଣୀଙ୍କୁ କିପରି ଲାଗିବ । ହୁଏତ ଆପଣଙ୍କ ଅନୁଭୂତି ଶୁଣି ତାଙ୍କୁ ଦୁଃଖ ଲାଗିପାରେ ଓ ତାଙ୍କୁ ଲାଗିପାରେ ଯେ ସେ ଆପଣଙ୍କ ତୁଳନାରେ କିଛି ବି କରି ନାହାନ୍ତି । ଏପରି ଭାବିବା ଦ୍ୱାରା ହୁଏତ ଆପଣ ନିଷ୍ପତ୍ତି ନେବେ ଯେ ନିଜ ଅନୁଭୂତି ଅନ୍ୟ କୌଣସି ଦିନ କହିବେ । ଏପରି କରିବା ଦେଖାଇବ ଯେ ଆପଣ ସେ ଭଉଣୀର ଭଲ ଚାହାନ୍ତି । କିନ୍ତୁ ଆପଣ ନିଜ ଦକ୍ଷତାର ବ୍ୟବହାର କରିବା ଛାଡ଼ନ୍ତୁ ନାହିଁ ।

୯. ଆମେ ନିଜ ଦକ୍ଷତା କʼଣ କରିବା ପାଇଁ ବ୍ୟବହାର କରିବା ଉଚିତ୍‌ ?

ଆମେ ମନେ ରଖିବା ଉଚିତ୍‌ ଯେ ଆମ ପାଖରେ ଯାହା ବି ଦକ୍ଷତା ଅଛି, ତାହା ଆମକୁ ଈଶ୍ୱରଙ୍କଠାରୁ ମିଳିଛି । ତେଣୁ ଆମେ ଏହାର ବ୍ୟବହାର ନିଜକୁ ବଡ଼ ଦେଖାଇବା ପାଇଁ ନୁହେଁ, ବରଂ ମଣ୍ଡଳୀକୁ ସାହାଯ୍ୟ କରିବା ପାଇଁ ବ୍ୟବହାର କରିବା ଉଚିତ୍‌ । (ଫିଲିପ୍‌. ୨:୩) ଯେବେ ଆମେ ଏହି କଥାକୁ ମନେ ରଖିବା ଏବଂ ନିଜ ଶକ୍ତି ଓ ଦକ୍ଷତାଗୁଡ଼ିକୁ ବ୍ୟବହାର କରି ଈଶ୍ୱରଙ୍କ ଇଚ୍ଛା ପୂରଣ କରିବା, ତେବେ ଆମେ ଯିହୋବାଙ୍କ ମହିମା କରିପାରିବା । ଏଥିରୁ ଆମକୁ ଖୁସି ମିଳିବ ।

୧୦. ଆମେ କାହିଁକି ଅନ୍ୟମାନଙ୍କୁ ନୀଚ ମନେକରିବା ଉଚିତ୍‌ ନୁହଁ ?

୧୦ ଯଦି ଆମଠାରେ କିଛି ଦକ୍ଷତା ଅଛି, ତେବେ ଧ୍ୟାନ ଦେବା ଉଚିତ୍‌ ଯେ ଆମେ କାହାରିକୁ ନୀଚ ମନେ ନ କରୁ । ଯେପରି, ହୁଏତ ଜଣେ ଭାଇଙ୍କ ପାଖରେ ଭଲ ଭାଷଣ ଦେବାର ଦକ୍ଷତା ଅଛି । କିନ୍ତୁ ହୁଏତ ସେ ଏପରି ଜଣେ ଭାଇଙ୍କୁ ନୀଚ ମନେ କରିପାରନ୍ତି, ଯିଏ ତାଙ୍କ ଭଳି ଏତେ ଭଲ ଭାଷଣ ଦେଇପାରନ୍ତି ନାହିଁ । କିନ୍ତୁ ଏପରି କରିବା ଭୁଲ ହେବ, କାରଣ ସେହି ଭାଇ ଅନ୍ୟ ମାମଲାଗୁଡ଼ିକରେ ତାଙ୍କଠାରୁ ଭଲ ଥାଇପାରନ୍ତି । ଯେପରି, ସେ ଅତିଥି ସତ୍କାର କରିବା, ନିଜ ପିଲାମାନଙ୍କୁ ଭଲ ଶିକ୍ଷା ଦେବା କିମ୍ବା ଉତ୍ସାହର ସହ ପ୍ରଚାର କରିବାରେ ତାଙ୍କଠାରୁ ଭଲ ଥିବେ । ତେଣୁ ଅନ୍ୟମାନଙ୍କୁ ନୀଚ ମନେ କରିବା ପରିବର୍ତ୍ତେ ଆମେ ଏହା ଧ୍ୟାନ ଦେବା ଉଚିତ୍‌ ଯେ ସେମାନଙ୍କଠାରେ କʼଣ ଦକ୍ଷତା ରହିଛି ଓ ସେମାନେ ଯିହୋବାଙ୍କ ଓ ଅନ୍ୟମାନଙ୍କ ସେବା କରିବାରେ ସେହି ଦକ୍ଷତାକୁ କିପରି ବ୍ୟବହାର କରୁଛନ୍ତି ।

ଅନ୍ୟମାନଙ୍କଠାରୁ ଶିଖନ୍ତୁ

୧୧. ଆମେ କାହିଁକି ଯୀଶୁଙ୍କ ପରି ହେବା ପାଇଁ ଚେଷ୍ଟା କରିବା ଉଚିତ୍‌ ?

୧୧ ଏହା ସତ ଯେ ଆମେ ନିଜ ତୁଳନା ଅନ୍ୟମାନଙ୍କ ସହ କରିବା ଉଚିତ୍‌ ନୁହଁ, କିନ୍ତୁ ଆମେ ଭଲ ଉଦାହରଣଗୁଡ଼ିକରୁ ନିଶ୍ଚୟ ଶିଖିପାରିବା, ଯେପରି ଯୀଶୁଙ୍କ ଉଦାହରଣରୁ । ସେ ପରିପୂର୍ଣ୍ଣ ଥିଲେ, ତଥାପି ସେ ଯେଉଁ ଗୁଣ ଦେଖାଇଲେ ଓ ଯେପରି କାମ କଲେ ସେଥିରୁ ଆମେ ବହୁତ କିଛି ଶିଖିପାରୁ । (୧ ପିତ. ୨:୨୧) ଯଦି ଆମେ ଯୀଶୁଙ୍କ ଭଳି ହେବା ପାଇଁ ପୂରା ଚେଷ୍ଟା କରିବା, ତାହେଲେ ଆମେ ଯିହୋବାଙ୍କ ସେବା ଭଲଭାବେ କରିପାରିବା ଏବଂ ପ୍ରଚାର କରିବାର ଦକ୍ଷତା ବଢ଼ାଇପାରିବା ।

୧୨-୧୩. ଦାଉଦଙ୍କଠାରୁ ଆମେ କʼଣ ଶିଖିପାରିବା ?

୧୨ ବାଇବଲରେ ଆହୁରି ଅନେକ ଲୋକଙ୍କ ବିଷୟରେ କୁହାଯାଇଛି, ଯେଉଁମାନେ ଅପରିପୂର୍ଣ୍ଣ ଥିଲେ ତଥାପି ସେମାନେ ଆମ ପାଇଁ ଏକ ଭଲ ଉ ଦାହରଣ ରଖିଲେ । (ଏବ୍ରୀ ୬:୧୨) ଯେପରି, ଜଣେ ହେଉଛନ୍ତି ଦାଉଦ । ସେ କିଛି ଗମ୍ଭୀର ପାପ କରିଥିଲେ, ତଥାପି ତାଙ୍କ ବିଷୟରେ ଯିହୋବା କହିଲେ, ‘ସେ ଆମ୍ଭର ମନର ମତ’ ବା ହୃଦୟକୁ ପସନ୍ଦ ଥିବା ବ୍ୟକ୍ତି । (ପ୍ରେରି. ୧୩:୨୨) ଯିହୋବା ଏପରି କାହିଁକି କହିଲେ ? କାରଣ ଭୁଲ କଲା ପରେ ଯେତେବେଳେ ଦାଉଦଙ୍କୁ ସୁଧାର କରାଗଲା ଓ କଡ଼ା ଅନୁଶାସନ ଦିଆଗଲା, ସେତେବେଳେ ସେ ନିଜକୁ ଠିକ୍‌ ପ୍ରମାଣିତ କରିବା ପାଇଁ ଚେଷ୍ଟା କଲେନି । ବରଂ ସେ ନିଜ ଭୁଲ ମାନିଲେ ଓ ହୃଦୟରୁ କ୍ଷମା ମାଗିଲେ । ତେଣୁ ଯିହୋବା ତାଙ୍କୁ କ୍ଷମା କରିଦେଲେ ।—ଗୀତ. ୫୧:୩, ୪, ୧୦-୧୨.

୧୩ ଦାଉଦଙ୍କ ଉଦାହରଣ ପ୍ରତି ଧ୍ୟାନ ଦେବା ବେଳେ ଆମେ ନିଜକୁ ପଚାରିପାରିବା, ‘ଯେବେ ମୋ ଭୁଲ ବିଷୟରେ କୁହାଯାଏ, ତେବେ ମୁଁ କʼଣ କରେ ? କʼଣ ମୁଁ ନିଜକୁ ଠିକ୍‌ ପ୍ରମାଣ କରିବା ପାଇଁ ଚେଷ୍ଟା କରେ ? କʼଣ ମୁଁ ନିଜ ଦୋଷ ଅନ୍ୟମାନଙ୍କ ଉପରେ ଲଦି ଦିଏ ? ନା ମୁଁ ନିଜ ଭୁଲ ମାନି ନିଏ ଓ ତାହା ପୁଣି ଥରେ ନ କରିବା ପାଇଁ ଚେଷ୍ଟା କରେ ?’ ଯେବେ ଆପଣ ବାଇବଲରୁ ଅନ୍ୟ ବିଶ୍ୱସ୍ତ ସେବକମାନଙ୍କ ବିଷୟରେ ପଢ଼ନ୍ତି, ତେବେ ଆପଣ ନିଜକୁ ଏପରି ପ୍ରଶ୍ନଗୁଡ଼ିକ ପଚାରିପାରିବେ । ହୁଏତ ସେମାନେ ଆପଣଙ୍କ ଭଳି ସମସ୍ୟାଗୁଡ଼ିକର ସାମନା କରିଥିବେ । ଆପଣ ଭାବିପାରିବେ ଯେ ସେମାନେ କେଉଁ କେଉଁ ଗୁଣ ଦେଖାଇଥିଲେ ଏବଂ ଆପଣ ନିଜକୁ ପଚାରିପାରିବେ, ‘ମୁଁ କିପରି ତାଙ୍କ ପରି ହୋଇପାରିବି ?’

୧୪. ଆମେ ନିଜ ଭାଇଭଉଣୀମାନଙ୍କଠାରୁ କʼଣ ଶିଖିପାରିବା ?

୧୪ ଆମେ ନିଜ ଖ୍ରୀଷ୍ଟିୟାନ ଭାଇଭଉଣୀମାନଙ୍କଠାରୁ ମଧ୍ୟ ଅନେକ କଥା ଶିଖିପାରିବା, ସେମାନେ ଯୁବା ଥାʼନ୍ତୁ ବା ବହୁତ ବୟସର ବ୍ୟକ୍ତି । କʼଣ ଆପଣଙ୍କ ମଣ୍ଡଳୀରେ ମଧ୍ୟ ଏପରି କେହି ଅଛନ୍ତି ଯାହାକୁ ବହୁତ ସମସ୍ୟାର ସାମନା କରିବାକୁ ପଡ଼ୁଛି ତଥାପି ସେ ଯିହୋବାଙ୍କ ସେବା କରିବାରେ ଲାଗି ରହିଛନ୍ତି ? ହୁଏତ ସ୍କୁଲରେ ତାଙ୍କ ସହ ପଢ଼ୁଥିବା ପିଲାମାନେ ତାଙ୍କ ଉପରେ ଚାପ ପକାଉଛନ୍ତି କିମ୍ବା ତାଙ୍କ ପରିବାର ଲୋକେ ତାଙ୍କୁ ବିରୋଧ କରୁଛନ୍ତି କିମ୍ବା ରୋଗ ଯୋଗୁଁ ଅନେକ ସମସ୍ୟାର ସାମନା କରୁଛନ୍ତି । ଯଦି ଆପଣ ଏପରି ଭାଇଭଉଣୀମାନଙ୍କ ବିଷୟରେ ଭାବିବେ, ତେବେ ଆପଣ ସେମାନଙ୍କଠାରୁ ବହୁତ କିଛି ଶିଖିପାରିବେ । ଆପଣ ସେମାନଙ୍କ ଭଳି ଗୁଣ ଦେଖାଇବା ପାଇଁ ଚେଷ୍ଟା କରିପାରିବେ କିମ୍ବା ନିଜ ସମସ୍ୟାର ସାମନା କରିବା ପାଇଁ ଶିଖିପାରିବେ । ଆମେ ବହୁତ ଖୁସି ଅଛୁ ଯେ ଏହି ଭାଇଭଉଣୀମାନେ ଆମ ପାଇଁ ଏକ ଭଲ ଉଦାହରଣ ରଖିଛନ୍ତି ।—ଏବ୍ରୀ ୧୩:୭; ଯାକୁ. ୧:୨, ୩.

ଖୁସିର ସହ ଯିହୋବାଙ୍କ ସେବା କରନ୍ତୁ

୧୫ . ଆଜି ଆମେ ପାଉଲଙ୍କ କେଉଁ ପରାମର୍ଶ ମାନିପାରିବା ?

୧୫ ଯଦି ଆମେ ସମସ୍ତେ ନିଜ ପରିସ୍ଥିତି ମୁତାବକ ମନପ୍ରାଣ ଦେଇ ଯିହୋବାଙ୍କ ସେବା କରିବା, ତାହେଲେ ମଣ୍ଡଳୀରେ ଶାନ୍ତି ଓ ଏକତା ରହିବ । ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ସେମାନଙ୍କ ପାଖରେ ଅଲଗା ଅଲଗା ଅନୁଗ୍ରହଦାନ ବା ବରଦାନ, ଦକ୍ଷତା ଓ ଦାୟିତ୍ୱଗୁଡ଼ିକ ଥିଲା । (୧ କରି. ୧୨:୪, ୭-୧୧) କିନ୍ତୁ ଏହାର ଅର୍ଥ ନ ଥିଲା ଯେ ସେମାନେ ପରସ୍ପର ସହ ପ୍ରତିଯୋଗିତା କରିବା ଆରମ୍ଭ କରିଦେବେ । ପାଉଲ ସେମାନଙ୍କୁ ପ୍ରୋତ୍ସାହନ ଦେଲେ ଯେ ସେମାନେ ନିଜ ଦକ୍ଷତାଗୁଡ଼ିକର ବ୍ୟବହାର ଏପରି ଭାବେ କରନ୍ତୁ, ଯାହାଫଳରେ ଖ୍ରୀଷ୍ଟଙ୍କ ଶରୀର ବୃଦ୍ଧି ପାଉ ଅର୍ଥାତ୍‌ ମଣ୍ଡଳୀ ଆହୁରି ମଜବୁତ୍‌ ହେଉ । ପାଉଲ ଲେଖିଲେ, “ପ୍ରତ୍ୟେକ ଅଙ୍ଗ ନିଜ ନିଜର କାର୍ଯ୍ୟ କରନ୍ତି । ଏହାଦ୍ୱାରା ସମଗ୍ର ଶରୀର ପ୍ରେମରେ ବୃଦ୍ଧି ପାଇ ଶକ୍ତିଶାଳୀ ହୁଏ ।” (ଏଫି. ୪:୧-୩, ୧୧, ୧୨, ୧୬, ଇଜି-ଟୁ-ରିଡ୍‌ ଭର୍ସନ) ଅନେକ ଖ୍ରୀଷ୍ଟିୟାନମାନେ ଏହି ପରାମର୍ଶକୁ ମାନିଲେ, ଯାହାଫଳରେ ମଣ୍ଡଳୀରେ ଶାନ୍ତି ଓ ଏକତା ରହିପାରିଲା । ଆଉ ଏହା ହିଁ ଆଜିର ମଣ୍ଡଳୀଗୁଡ଼ିକରେ ଦେଖିବାକୁ ମିଳେ ।

୧୬. ଏହି ଲେଖାରୁ ଆମେ କʼଣ ଶିଖିଲୁ ? (ଏବ୍ରୀ ୬:୧୦)

୧୬ ନିଜକୁ ଅନ୍ୟମାନଙ୍କ ସହ ତୁଳନା କରନ୍ତୁ ନାହିଁ, ବରଂ ଯୀଶୁଙ୍କଠାରୁ ଶିଖନ୍ତୁ ଓ ତାଙ୍କ ଭଳି ଗୁଣ ବଢ଼ାଇବା ପାଇଁ ଚେଷ୍ଟା କରନ୍ତୁ । ବାଇବଲରେ କୁହାଯାଇଥିବା ବିଶ୍ୱସ୍ତ ଲୋକମାନଙ୍କ ଓ ଭାଇଭଉଣୀମାନଙ୍କଠାରୁ ଶିଖନ୍ତୁ । ଆପଣ ଯାହା କରୁଛନ୍ତି, ଯଦି ତାହା ମନପ୍ରାଣ ଦେଇ କରନ୍ତି, ତେବେ ଯିହୋବା ଆପଣଙ୍କ କାମକୁ କେବେ ମଧ୍ୟ ଭୁଲିବେ ନାହିଁ । (ଏବ୍ରୀ ୬:୧୦ ପଢ଼ନ୍ତୁ ।) ତେଣୁ ମନପ୍ରାଣ ଦେଇ ଯିହୋବାଙ୍କ ସେବା କରିବା ଜାରି ରଖନ୍ତୁ । ଯଦି ଆପଣ ଏପରି କରିବେ ତାହେଲେ ଆପଣଙ୍କୁ ବି ଖୁସି ମିଳିବ ଓ ଯିହୋବା ମଧ୍ୟ ଖୁସି ହେବେ ।

ଗୀତ ୬୫ ଆଗେ ବାଢ଼୍‌ !

a ଅନ୍ୟମାନେ ଯେପରି ଯିହୋବାଙ୍କ ସେବା କରନ୍ତି, ସେଥିରୁ ଆମେ ଅନେକ କଥା ଶିଖିପାରିବା । କିନ୍ତୁ ଆମେ ନିଜ ତୁଳନା ଅନ୍ୟମାନଙ୍କ ସହ କରିବା ଉଚିତ୍‌ ନୁହେଁ । କାରଣ ଏପରି କଲେ ହୁଏତ ଆମେ ଅହଂକାରୀ ହୋଇପାରୁ କିମ୍ବା ନିରାଶ ହୋଇପାରୁ । ଏହି ଲେଖାରେ ଆମେ ଶିଖିବା ଯେ ଆମେ କିପରି ନିଜକୁ ଅନ୍ୟମାନଙ୍କ ସହ ତୁଳନା କରିବାରୁ ଦୂରେଇ ରହିପାରିବା ଓ ଖୁସିର ସହ ଯିହୋବାଙ୍କ ସେବା କରିପାରିବା ।

b ଚିତ୍ର ବିଷୟରେ: ଜଣେ ଭାଇ ଯୁବା ସମୟରେ ବୈଥେଲରେ ସେବା କଲେ । ତାʼପରେ ସେ ବାହା ହୋଇ ନିଜ ସ୍ତ୍ରୀଙ୍କ ସହ ଅଗ୍ରଦୂତ ସେବା କଲେ । କିଛି ସମୟ ପରେ ଯେବେ ତାଙ୍କ ପିଲାମାନେ ହେଲେ, ତେବେ ସେ ସେମାନଙ୍କୁ ପ୍ରଚାର କରିବା ଶିଖାଇଲେ । ଏବେ ସେ ବୃଦ୍ଧ ହୋଇଯାଇଛନ୍ତି ଓ ଚିଠି ଲେଖି ଲୋକମାନଙ୍କୁ ପ୍ରଚାର କରୁଛନ୍ତି । ସେ ସାରା ଜୀବନ ଯିହୋବାଙ୍କ ସେବା ମନପ୍ରାଣ ଦେଇ କଲେ ।