ଅଧ୍ୟୟନ ଲେଖା ୨୭
ଯିହୋବାଙ୍କ ଉପରେ ଆଶା ରଖନ୍ତୁ
“ଯିହୋବାଙ୍କ ଉପରେ ଆଶା ରଖ, ସାହସୀକ ହୁଅ, ନିଜ ହୃଦୟକୁ ମଜବୁତ୍ ରଖ ।”—ଗୀତ. ୨୭:୧୪, NWT.
ଗୀତ ୧୨୮ ହାମେ ଆନ୍ତ ତାକ୍ ଧିରଜ ରାଖନା ହାୟ
ଲେଖାର ଝଲକ a
୧. (କ) ଯିହୋବାଙ୍କଠାରୁ ଆମକୁ କʼଣ ଆଶା ମିଳିଛି ? (ଖ) “ଯିହୋବାଙ୍କ ଉପରେ ଆଶା” ରଖିବାର ଅର୍ଥ କʼଣ ? (“ଏହାର ଅର୍ଥ କʼଣ ?” ଦେଖନ୍ତୁ ।)
ଆମ ପାଖରେ କେତେ ବଢ଼ିଆ ଆଶା ଅଛି ! ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ସେ ଖୁବ୍ ଶୀଘ୍ର ସବୁ ଦୁଃଖକଷ୍ଟ, ରୋଗ ଓ ମୃତ୍ୟୁକୁ ଶେଷ କରିଦେବେ । (ପ୍ରକା. ୨୧:୩, ୪) ସେ ପୃଥିବୀକୁ ପୁଣିଥରେ ସୁନ୍ଦର ବଗିଚା କରିବା ପାଇଁ ‘ନମ୍ର ଲୋକମାନଙ୍କୁ’ ସାହାଯ୍ୟ କରିବେ । (ଗୀତ. ୩୭:୯-୧୧) କେବଳ ଏତିକି ନୁହେଁ, ସେସମୟରେ ଆମେ ଯିହୋବାଙ୍କର ଆହୁରି ନିକଟତର ଅନୁଭବ କରିବା । କିନ୍ତୁ ଆମେ କାହିଁକି ଭରସା ରଖିପାରିବା ଯେ ଯିହୋବାଙ୍କର ଏହି ସବୁ ପ୍ରତିଜ୍ଞାଗୁଡ଼ିକ ପୂରା ହେବ ? କାରଣ ସେ ଆଜିଯାଏ ଯାହା ବି କହିଛନ୍ତି, ସେ ସବୁ ପୂରା ହୋଇଛି । ତେଣୁ ଆମେ “ଯିହୋବାଙ୍କ ଉପରେ ଆଶା” ରଖିପାରୁ । b (ଗୀତ. ୨୭:୧୪, NWT) କିନ୍ତୁ ଆମେ କିପରି ଦେଖାଇପାରିବା ଯେ ଆମକୁ ଯିହୋବାଙ୍କ ଉପରେ ଆଶା ଅଛି ? ଆମକୁ ଧୈର୍ଯ୍ୟ ଧରିବାକୁ ପଡ଼ିବ ଓ ଖୁସିର ସହ ସେହି ଦିନକୁ ଅପେକ୍ଷା କରିବାକୁ ହେବ, ଯେବେ ଯିହୋବା ନିଜ ପ୍ରତିଜ୍ଞାଗୁଡ଼ିକୁ ପୂରା କରିବେ ।—ଯିଶା. ୫୫:୧୦, ୧୧.
୨. ଯିହୋବା କʼଣ ପ୍ରମାଣିତ କରିସାରିଛନ୍ତି ?
୨ ଯିହୋବା ପ୍ରମାଣିତ କରିଛନ୍ତି ଯେ ସେ ନିଜ ସବୁ ପ୍ରତିଜ୍ଞାଗୁଡ଼ିକୁ ପୂରଣ କରନ୍ତି । ଆସନ୍ତୁ ଏହାର ଗୋଟିଏ ଉଦାହରଣ ଦେଖିବା । ପ୍ରକାଶିତ ବାକ୍ୟ ବହିରେ ଯିହୋବା ଲେଖାଇଥିଲେ ଯେ ଆମ ସମୟରେ ସବୁ ଜାତି, ବଂଶ ଓ ଭାଷାର ଲୋକମାନେ ଏକା ସହ ମିଶି ତାଙ୍କର ଉପାସନା କରିବେ । ଏହି ଖାସ୍ ସମୂହକୁ “ମହା ଜନତା” କୁହାଯାଇଛି । (ପ୍ରକା. ୭:୯, ୧୦) ଆଜି ଯିହୋବାଙ୍କର ଏହି ପ୍ରତିଜ୍ଞା ପୂରା ହେଉଛି । ଏହି ମହା ଜନତା ମଧ୍ୟରେ ପୁରୁଷ, ସ୍ତ୍ରୀ ଓ ପିଲାମାନେ ସମସ୍ତେ ଅଛନ୍ତି । ଏହି ଲୋକମାନେ ଅଲଗା ଅଲଗା ଭାଷା କହନ୍ତି, ଅଲଗା ଅଲଗା ଦେଶର ଅଟନ୍ତି ଓ ସେମାନଙ୍କର ରହିବାର ଶୈଳୀ ମଧ୍ୟ ଅଲଗା ଅଲଗା । ତଥାପି ସେମାନଙ୍କ ମଧ୍ୟରେ ପ୍ରେମ ଓ ଏକତା ଅଛି । (ଗୀତ. ୧୩୩:୧; ଯୋହ. ୧୦:୧୬) ସେମାନେ ଉତ୍ସାହର ସହ ଲୋକମାନଙ୍କୁ ନିଜ ଆଶା ବିଷୟରେ କହନ୍ତି ଯେ ଖୁବ୍ ଶୀଘ୍ର ସବୁକିଛି ଠିକ୍ ହୋଇଯିବ । (ମାଥି. ୨୮:୧୯, ୨୦; ପ୍ରକା. ୧୪:୬, ୭; ୨୨:୧୭) ଯଦି ଆପଣ ମଧ୍ୟ ମହା ଜନତାର ଭାଗ ଅଟନ୍ତି, ତେବେ ଆପଣଙ୍କ ପାଇଁ ମଧ୍ୟ ଏହି ଆଶା ବହୁମୂଲ୍ୟ ଥିବ ଓ ଆପଣ ଆଗ୍ରହର ସହ ସେହି ସମୟକୁ ଅପେକ୍ଷା କରୁଥିବେ, ଯେବେ ଏହା ପୂରା ହେବ ।
୩. ଶୟତାନ କʼଣ ଚାହେଁ ?
୩ ଶୟତାନ ପୂରା ଚେଷ୍ଟା କରେ ଯେ ଆମେ ନିଜ ଆଶା ହରାଇଦେଉ । ସେ ଚାହେଁ ଯେ ଆମେ ଏହା ଭାବୁ ଯେ ଯିହୋବା ଆମର ଚିନ୍ତା କରନ୍ତି ନାହିଁ ଆଉ ସେ ନିଜ ପ୍ରତିଜ୍ଞା ପୂରା କରିବେ ନାହିଁ । କିନ୍ତୁ ଯଦି ଆମେ ନିଜ ଆଶା ହରାଇଦେବା, ତେବେ ଆମେ ନିରାଶ ହୋଇଯିବା ଓ ହୁଏତ ଯିହୋବାଙ୍କ ସେବା କରିବା ବି ଛାଡ଼ିଦେବା । ଶୟତାନ ଆୟୁବଙ୍କ ସହ ମଧ୍ୟ ଏପରି କରିବାକୁ ଚେଷ୍ଟା କରିଥିଲା ।
୪. ଏହି ଲେଖାରେ ଆମେ କʼଣ ଜାଣିବା ? (ଆୟୁବ ୧:୯-୧୨)
୪ ଏହି ଲେଖାରେ ଆମେ ଜାଣିବା ଯେ ଶୟତାନ, ଆୟୁବଙ୍କ ବିଶ୍ୱସ୍ତତା ଭାଙ୍ଗିବା ପାଇଁ କʼଣ କʼଣ କଲା । (ଆୟୁବ ୧:୯-୧୨ ପଢ଼ନ୍ତୁ ।) ଆମେ ଏହା ବି ଜାଣିବା ଯେ ଆୟୁବଙ୍କଠାରୁ ଆମେ କʼଣ ଶିଖିପାରିବା ଓ ଆମେ କାହିଁକି ମନେରଖିବା ଉଚିତ୍ ଯେ ଯିହୋବା ଆମକୁ ପ୍ରେମ କରନ୍ତି ଓ ସେ ନିଜ ପ୍ରତିଜ୍ଞା ପୂରା କରିବେ ।
ଶୟତାନ ଚେଷ୍ଟା କଲା ଯେ ଆୟୁବ ନିଜ ଆଶା ହରାଇ ଦିଅନ୍ତୁ
୫-୬. ଆୟୁବଙ୍କ ସହ ଗୋଟିଏ ପରେ ଗୋଟିଏ କʼଣ ହେଲା ?
୫ ଆୟୁବଙ୍କ ଜୀବନରେ ସବୁକିଛି ଭଲରେ ଚାଲୁଥିଲା । ତାଙ୍କର ଯିହୋବାଙ୍କ ସହିତ ଗୋଟିଏ ଭଲ ସମ୍ପର୍କ ଥିଲା, ସୁନ୍ଦର ପରିବାର ଥିଲା ଆଉ ସେ ବହୁତ ଧନୀ ଥିଲେ । (ଆୟୁ. ୧:୧-୫) କିନ୍ତୁ ଦିନେ ସବୁକିଛି ବଦଳିଗଲା । ତାଙ୍କର ସବୁ ସମ୍ପତ୍ତି ଲୁଟି ନିଆଗଲା । (ଆୟୁ. ୧:୧୩-୧୭) ଆଉ ତାʼପରେ ତାଙ୍କର ସବୁ ପିଲାମାନଙ୍କର ମୃତ୍ୟୁ ହୋଇଗଲା । ଟିକେ ଭାବନ୍ତୁ, ସେସମୟରେ ଆୟୁବଙ୍କୁ କିପରି ଲାଗିଥିବ । ଯେତେବେଳେ ବାପାମାଆଙ୍କ ଆଗରେ ପିଲାମାନଙ୍କର ମୃତ୍ୟୁ ହୋଇଯାଏ, ତେବେ ସେମାନଙ୍କର ସଂସାର ଛାରଖାର ହୋଇଯାଏ । ଆଉ ଆୟୁବଙ୍କର ତ ଘର ଧସି ପଡ଼ିବାରୁ ଦଶ ଜଣ ପିଲାଙ୍କ ଏକା ସାଙ୍ଗରେ ମୃତ୍ୟୁ ହୋଇଗଲା । ଆୟୁବ ଓ ତାଙ୍କ ସ୍ତ୍ରୀଙ୍କୁ ବହୁତ ବଡ଼ ଧକ୍କା ଲାଗିଥିବ, ସେମାନେ ଏହି ଦୁଃଖରେ ବୁଡ଼ିଯାଇଥିବେ ଓ ସେମାନେ ନିଜକୁ ବହୁତ ଅସହାୟ ମନେ କରିଥିବେ । ତେଣୁ ଆୟୁବ ଦୁଃଖରେ ନିଜ କପଡ଼ା ଚିରିଲେ ଓ ଭୂମିରେ ପଡ଼ିଗଲେ ।—ଆୟୁ. ୧:୧୮-୨୦.
୬ ତାʼପରେ ଶୟତାନ ଆୟୁବଙ୍କୁ ଗୋଟିଏ କଷ୍ଟଦାୟକ ରୋଗରେ ପୀଡ଼ିତ କଲା ଆଉ ତାଙ୍କର ସବୁ ମାନସମ୍ମାନ ମାଟିରେ ମିଶାଇଦେଲା । (ଆୟୁ. ୨:୬-୮; ୭:୫) ଏପରି ଏକ ସମୟ ଥିଲା ଯେବେ ଲୋକମାନେ ଆୟୁବଙ୍କର ବହୁତ ସମ୍ମାନ କରୁଥିଲେ ଓ ତାଙ୍କଠାରୁ ପରାମର୍ଶ ନେବା ପାଇଁ ଆସୁଥିଲେ । (ଆୟୁ. ୨୯:୭, ୮, ୨୧) କିନ୍ତୁ ଏବେ ତାଙ୍କୁ କେହି ପଚାରୁ ନ ଥିଲେ । ତାଙ୍କ ଭାଇମାନେ ତାଙ୍କୁ ଅଣଦେଖା କରିଦେଲେ, ତାଙ୍କର ସବୁଠୁ ଭଲ ସାଙ୍ଗମାନେ ତାଙ୍କୁ ଛାଡ଼ି ଚାଲିଗଲେ, ଏପରିକି ତାଙ୍କ ଦାସମାନେ ମଧ୍ୟ ତାଙ୍କ କଥା ଶୁଣୁ ନ ଥିଲେ ।—ଆୟୁ. ୧୯:୧୩, ୧୪, ୧୬.
୭. (କ) ଆୟୁବଙ୍କୁ କʼଣ ଲାଗିଥିବ ଯେ କିଏ ତାʼ ଉପରେ ସମସ୍ୟା ଆଣୁଛି ? କିନ୍ତୁ ସେ କʼଣ କଲେ ନାହିଁ ? (ଖ) ଆଜି ଆମେ ମଧ୍ୟ ହୁଏତ କେଉଁଭଳି ସମସ୍ୟାଗୁଡ଼ିକର ସାମନା କରୁ ? (ଚିତ୍ର ଦେଖନ୍ତୁ)
୭ ଶୟତାନ ଚାହୁଁଥିଲା ଯେ ଆୟୁବ ଏହା ଭାବନ୍ତୁ ଯେ ଯିହୋବା ତାଙ୍କୁ ରାଗିଛନ୍ତି, ତେଣୁ ତାʼ ଉପରେ ଏତେ ସମସ୍ୟା ଆଣୁଛନ୍ତି । ଏଥିପାଇଁ ଶୟତାନ ପ୍ରଥମେ ସ୍ୱର୍ଗରୁ ନିଆଁ ବର୍ଷାଇଲା, ଯେଉଁଥିରେ ତାଙ୍କ ମେଷ ଓ ମେଷଗୁଡ଼ିକର ଦେଖାଶୁଣା କରୁଥିବା ଦାସମାନେ ମରିଗଲେ । (ଆୟୁ. ୧:୧୬) ତାʼପରେ ସେ ବହୁତ ଜୋର୍ରେ ଝଡ଼ତୋଫାନ ବହାଇଲା, ଯାହାଦ୍ୱାରା ସେହି ଘର ଧସିପଡ଼ିଲା, ଯେଉଁଠି ଆୟୁବଙ୍କ ପିଲାମାନେ ଖାଉଥିଲେ । (ଆୟୁ. ୧:୧୮, ୧୯) ଯେପରି ଭାବେ ଝଡ଼ତୋଫାନ ଆସିଲା ଓ ଆକାଶରୁ ନିଆଁ ବର୍ଷିଲା, ତାହା ଯୋଗୁଁ ଆୟୁବ ଭାବିଥିବେ ଯେ ନିଶ୍ଚୟ ଏହା ପଛରେ ଯିହୋବାଙ୍କର ହାତ ଥିବ । ତାଙ୍କୁ ଲାଗିଲା ଯେ ବୋଧେ ସେ କିଛି ଭୁଲ କରିଛନ୍ତି, ତେଣୁ ଯିହୋବା ତାଙ୍କୁ ରାଗିଛନ୍ତି । ତଥାପି ସେ ଯିହୋବାଙ୍କ ବିଷୟରେ ଖରାପ କଥା କହିଲେ ନାହିଁ । ସେ ମନେପକାଇଲେ ଯେ ଯିହୋବା ଏବେଯାଏ ତାଙ୍କୁ କେତେ ଆଶିଷ ଦେଇଛନ୍ତି ଓ ଭାବିଲେ ଯେ ଯଦି ସେ ‘ଯିହୋବାଙ୍କ ହସ୍ତରୁ ମଙ୍ଗଳ ଗ୍ରହଣ କରିଛନ୍ତି, ତେବେ ଅମଙ୍ଗଳ ମଧ୍ୟ ଗ୍ରହଣ କରିବା ଉଚିତ୍ ।’ ତେଣୁ ସେ କହିଲେ, “ସଦାପ୍ରଭୁଙ୍କ ନାମ ଧନ୍ୟ ହେଉ ।” (ଆୟୁ. ୧:୨୦, ୨୧; ୨:୧୦) ଏବେଯାଏ ଆୟୁବଙ୍କ ସବୁ ସମ୍ପତ୍ତି ଲୁଟି ନିଆଯାଇଥିଲା, ତାଙ୍କ ପିଲାମାନେ ମରିଯାଇଥିଲେ ଓ ତାଙ୍କୁ ଗୋଟିଏ ବଡ଼ ରୋଗ ହୋଇଯାଇଥିଲା, ତଥାପି ସେ ଯିହୋବାଙ୍କର ବିଶ୍ୱସ୍ତ ରହିଲେ । କିନ୍ତୁ ଏବେ ଶୟତାନ ଆଉ କିଛି କରେ ।
୮. ଶୟତାନ ଏବେ କେଉଁ ଉପାୟ ଆପଣାଏ ?
୮ ଶୟତାନ ଆଉ ଗୋଟିଏ ଉପାୟ ଆପଣାଏ । ସେ ଆୟୁବଙ୍କ ତିନି ସାଙ୍ଗମାନଙ୍କ ଜରିଆରେ ତାଙ୍କୁ ଏହା ଅନୁଭବ କରାଇବାକୁ ଚେଷ୍ଟା କଲା ଯେ ସେ ବିଲକୁଲ୍ ବେକାର ଅଟନ୍ତି ଆଉ କିଛି କାମର ନୁହନ୍ତି । ସେମାନେ ତାଙ୍କୁ କହନ୍ତି ଯେ ସେ ନିଶ୍ଚୟ ବହୁତ ପାପ କରିଥିବେ, ସେଥିପାଇଁ ତାଙ୍କ ସହିତ ଏତେ କିଛି ହେଉଛି । (ଆୟୁ. ୨୨:୫-୯) ଆଉ ଯଦି ବି ସେ ଭଲ କାମ କରିଥିବେ, ହେଲେ ବି ତାʼର ଯିହୋବାଙ୍କ ଉପରେ କିଛି ଫରକ ପଡ଼େ ନାହିଁ । (ଆୟୁ. ୪:୧୮; ୨୨:୨, ୩; ୨୫:୪) ସେ ତାଙ୍କୁ ଭରସା କରାଇବାକୁ ଚାହୁଁଥିଲା ଯେ ଈଶ୍ୱର ତାଙ୍କୁ ପ୍ରେମ କରନ୍ତି ନାହିଁ, ତାଙ୍କର ଚିନ୍ତା କରନ୍ତି ନାହିଁ ଆଉ ତାଙ୍କ ସେବା କରିବାର ବି କିଛି ଲାଭ ନାହିଁ । ଏ କଥା ଶୁଣି ଆୟୁବ ନିରାଶ ହୋଇପାରିଥାʼନ୍ତେ ।
୯. ଆୟୁବ କାହିଁକି ସାହସ ଧରିପାରିଲେ ଓ ଯିହୋବାଙ୍କ ବିଶ୍ୱସ୍ତ ରହିପାରିଲେ ?
୯ ଟିକେ ଭାବି ଦେଖନ୍ତୁ, ଆୟୁବ ଭସ୍ମ ବା ପାଉଁଶ ଉପରେ ବସିଛନ୍ତି ଏବଂ ବହୁତ କଷ୍ଟରେ ଅଛନ୍ତି । (ଆୟୁ. ୨:୮) ତାଙ୍କ ଉପରେ ସମସ୍ୟାର ଝଡ଼ ଆସିଯାଇଛି ଓ ପିଲାମାନଙ୍କ ବିଷୟରେ ଭାବିଭାବି ସେ ବହୁତ ଦୁଃଖରେ ଅଛନ୍ତି, ତଥାପି ସେ ଚୁପ୍ ଅଛନ୍ତି । (ଆୟୁ. ୨:୧୩–୩:୧) ତାଙ୍କୁ ଚୁପ୍ ରହିବାର ଦେଖି ତାଙ୍କ ସାଙ୍ଗମାନେ ଭାବିଥିବେ ଯେ ସେ ଆଉ ଯିହୋବାଙ୍କ ବିଶ୍ୱସ୍ତ ରହିବେ ନାହିଁ ଏବଂ ତାଙ୍କ ନିନ୍ଦା କରିବେ । କିନ୍ତୁ ଏପରି କିଛି ହେଲାନି । ତାଙ୍କ ସାଙ୍ଗମାନେ ଲଗାତାର ତାଙ୍କୁ ଅପମାନ କରନ୍ତି ଓ ତାଙ୍କ ବିଷୟରେ ଖରାପ କଥା କୁହନ୍ତି । ଶେଷରେ ଆୟୁବ ସେମାନଙ୍କୁ ଉତ୍ତର ଦେଲେ । କଳ୍ପନା କରନ୍ତୁ ଯେ ସେ ନିଜ ମୁଣ୍ଡ ଉଠାନ୍ତି ଏବଂ ନିଜ ସାଙ୍ଗମାନଙ୍କ ଆଖିରେ ଆଖି ମିଶାଇ କହନ୍ତି, “ମୁଁ ମରଣ ପର୍ଯ୍ୟନ୍ତ ମୋହର ସରଳତା ଆପଣାଠାରୁ ଦୂର କରିବି ନାହିଁ ।” (ଆୟୁ. ୨୭:୫) ଏତେ ସବୁ ହେଲା ପରେ ବି ଆୟୁବ କାହିଁକି ସାହସ ଧରିପାରିଲେ ଓ ଯିହୋବାଙ୍କ ବିଶ୍ୱସ୍ତ ରହିପାରିଲେ ? ଏପରି ସମସ୍ୟା ସମୟରେ ମଧ୍ୟ ସେ ଆଶା ହରାଇଲେ ନାହିଁ । ସେ ଆଶା ରଖିଲେ ଯେ ଦିନେ ଯିହୋବା ତାଙ୍କ ସବୁ କଷ୍ଟକୁ ଦୂର କରିଦେବେ । ତାଙ୍କୁ ଭରସା ଥିଲା ଯେ ଯଦି ତାଙ୍କର ମୃତ୍ୟୁ ବି ହୋଇଯାଏ, ହେଲେ ବି ଯିହୋବା ତାଙ୍କୁ ଜୀବିତ କରିବେ ।—ଆୟୁ. ୧୪:୧୩-୧୫.
ଆୟୁବଙ୍କଠାରୁ ଶିଖନ୍ତୁ
୧୦. ଆୟୁବଙ୍କ ଘଟଣାରୁ ଆମେ କʼଣ କʼଣ ଶିଖୁ ?
୧୦ ଆୟୁବଙ୍କ ଘଟଣାରୁ ଆମେ ଶିଖୁ ଯେ ଶୟତାନ ଆମକୁ ଯିହୋବାଙ୍କୁ ଛାଡ଼ିବା ପାଇଁ ଜୋର ଜବରଦସ୍ତି କରିପାରିବ ନାହିଁ । ଯିହୋବା ଭଲଭାବେ ଜାଣନ୍ତି ଯେ ଆମ ଉପରେ କʼଣ ଘଟୁଛି । ଆମେ ଏହା ବି ଶିଖୁ ଯେ ଶୟତାନ କେଉଁ କେଉଁ ଉପାୟ ଆପଣାଇଥାଏ, ଯାହାଫଳରେ ଆମେ ଯିହୋବାଙ୍କ ବିଶ୍ୱସ୍ତ ରହିପାରିବା ନାହିଁ । ଆସନ୍ତୁ ଏବିଷୟରେ ଆହୁରି ଜାଣିବା ।
୧୧. ଯଦି ଆମକୁ ଯିହୋବାଙ୍କ ଉପରେ ଭରସା ଥିବ, ତେବେ ଆମେ କେଉଁ କଥାର ଭରସା ରଖିପାରିବା ? (ଯାକୁବ ୪:୭)
୧୧ ଆୟୁବଙ୍କ ଭଳି ଯେବେ ଆମକୁ ବି ଯିହୋବାଙ୍କ ଉପରେ ଭରସା ଥିବ, ତେବେ ଆମେ ସମସ୍ୟାଗୁଡ଼ିକର ସାମନା କରିପାରିବା ଓ ଶୟତାନର ବିରୋଧ କରିପାରିବା । ବାଇବଲରେ ଆମକୁ ଭରସା ଦିଆଯାଇଛି ଯଦି ଆମେ ଯିହୋବାଙ୍କ ଉପରେ ଭରସା ରଖିବା ତେବେ ଶୟତାନ ଆମ ନିକଟରୁ ପଳାଇଯିବ ।—ଯାକୁବ ୪:୭ ପଢ଼ନ୍ତୁ ।
୧୨. ମରିଯାଇଥିବା ଲୋକେ ଜୀବିତ ହେବେ ଏହି ଆଶାରୁ ଆୟୁବଙ୍କୁ କିପରି ସାହସ ମିଳିଲା ?
୧୨ ଆମେ ପୂରା ଭରସା ରଖିବା ଉଚିତ୍ ଯେ ଯଦି ଆମେ ମରି ବି ଯାଉ ତେବେ ଯିହୋବା ଆମକୁ ଜୀବିତ କରିପାରିବେ । ଆପଣଙ୍କୁ ମନେଥିବ ଯେ ଆମେ ପୂର୍ବ ଲେଖାରେ ଶିଖିଥିଲୁ ଶୟତାନ ଚାହେଁ ଯେ ଆମେ ମୃତ୍ୟୁକୁ ଡରିଯାଉ ଆଉ ନିଜ ଜୀବନକୁ ରକ୍ଷା କରିବା ପାଇଁ ବାଇବଲର ସିଦ୍ଧାନ୍ତକୁ ଭାଙ୍ଗିଦେଉ । ଆୟୁବଙ୍କ ସହ ବି ସେ ଏପରି ହିଁ କିଛି କଲା । ସେ ଆରୋପ ଲଗାଇଲା ଯେ ଆୟୁବ ନିଜ ଜୀବନକୁ ରକ୍ଷା କରିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ହୋଇଯିବେ, ଏପରିକି ଯିହୋବାଙ୍କୁ ବି ଛାଡ଼ି ଦେବେ । କିନ୍ତୁ ଆୟୁବ ଶୟତାନକୁ ମିଛ ପ୍ରମାଣିତ କଲେ । ଯେବେ ତାଙ୍କୁ ଆଶାର କିଛି କିରଣ ଦେଖା ଯାଉ ନ ଥିଲା ଓ ତାଙ୍କୁ ଲାଗୁଥିଲା ଯେ ସେ ଏବେ ତ ମରି ହିଁ ଯିବେ, ତେବେ ବି ସେ ଯିହୋବାଙ୍କ ବିଶ୍ୱସ୍ତ ରହିଲେ । ତାଙ୍କୁ ଭରସା ଥିଲା ଯେ ଯିହୋବା ବହୁତ ଭଲ ଅଟନ୍ତି ଆଉ ଦିନେ ସବୁକିଛି ଠିକ୍ କରି ଦେବେ । ଆଉ ଯଦି ତାଙ୍କ ବଞ୍ଚିଥିବା ଯାଏ ଏପରି ନ ହୁଏ, ତେବେ ବି ତାଙ୍କୁ ପୂରା ଆଶା ଥିଲା ଯେ ଯିହୋବା ଭବିଷ୍ୟତରେ ତାଙ୍କୁ ଜୀବିତ କରିଦେବେ ଆଉ ସବୁକିଛି ଠିକ୍ ହୋଇଯିବ । ଆୟୁବଙ୍କୁ ଭରସା ଥିଲା ଯିହୋବା ମରିଯାଇଥିବା ଲୋକଙ୍କୁ ଜୀବିତ କରିପାରିବେ । ଯଦି ଆମକୁ ବି ଏହି କଥା ଉପରେ ପୂରା ଭରସା ଥିବ, ତେବେ ଆମକୁ ଯିହୋବାଙ୍କ ବିଶ୍ୱସ୍ତ ରହିବାରେ କୌଣସି କଥା ରୋକିପାରିବନି, ଏପରିକି ମୃତ୍ୟୁ ବି ନୁହଁ ।
୧୩. ଶୟତାନ ଆୟୁବଙ୍କ ସମୟରେ ଯେଉଁ ଫାନ୍ଦଗୁଡ଼ିକ ଆପଣାଇଥିଲା, ଆମେ ସେଗୁଡ଼ିକ ଉପରେ କାହିଁକି ଧ୍ୟାନ ଦେବା ଉଚିତ୍ ?
୧୩ ଶୟତାନ ଆଜି ବି ସେହି ଉପାୟ ଆପଣାଇଥାଏ ଯାହା ଆୟୁବଙ୍କ ସମୟରେ ଆପଣାଇଥିଲା । ଧ୍ୟାନ ଦିଅନ୍ତୁ ଯେ ଶୟତାନ କେବଳ ଆୟୁବଙ୍କ ଉପରେ ଆରୋପ ଲଗାଇ ନ ଥିଲା ବରଂ ସବୁ ମଣିଷମାନଙ୍କ ବିଷୟରେ କହିଲା, “ଆପଣା ପ୍ରାଣ ନିମନ୍ତେ ମଣିଷ ନିଜ ସର୍ବସ୍ୱ ଦେବ ।” (ଆୟୁ. ୨:୪, ୫) ଏପରି କହି ଶୟତାନ ଦାବି କରୁଥିଲା ଯେ ଆମେ ଯିହୋବାଙ୍କୁ କେବଳ ନିଜ ସ୍ୱାର୍ଥ ପାଇଁ ପ୍ରେମ କରୁ ଓ ଯଦି ଆମ ଜୀବନ ବିପଦରେ ପଡ଼େ, ତେବେ ଆମେ ତାଙ୍କୁ ଛାଡ଼ିଦେବା । ଶୟତାନ ଏହା ବି ଦାବି କରୁଥିଲା ଯେ ଯିହୋବା ଆମକୁ ପ୍ରେମ କରନ୍ତି ନାହିଁ ଓ ଆମେ ତାଙ୍କୁ ଖୁସି କରିବା ପାଇଁ ଯାହା ବି କରୁ ସେଥିରୁ ତାଙ୍କୁ କିଛି ଫରକ ପଡ଼େନାହିଁ । ଆମେ ଶୟତାନର ଫାନ୍ଦଗୁଡ଼ିକୁ ଭଲଭାବେ ଜାଣିଛୁ, ତେଣୁ ଆମେ ତାʼ କଥାରେ ପଡ଼ିବା ନାହିଁ ଓ ଯିହୋବାଙ୍କ ଉପରେ ଆଶା ରଖିବା ।
୧୪. ଯେବେ ଆମ ଉପରେ ସମସ୍ୟା ଆସେ, ତେବେ ଆମେ କʼଣ ଦେଖିପାରୁ ? ଗୋଟିଏ ଉଦାହରଣ ଦେଇ ବୁଝାନ୍ତୁ ।
୧୪ ଯେବେ ଆମ ଉପରେ ସମସ୍ୟା ଆସେ ତେବେ ଆମେ ଦେଖିପାରୁ ଯେ ଆମଠାରେ କʼଣ କʼଣ ଦୁର୍ବଳତା ରହିଛି । ଯେବେ ଆୟୁବଙ୍କ ଉପରେ ସମସ୍ୟା ଆସିଲା, ତେବେ ସେ ଦେଖିପାରିଲେ ଯେ ତାଙ୍କର କିଛି ଦୁର୍ବଳତା ରହିଛି ଏବଂ ତାʼପରେ ସେ ନିଜଠାରେ ସୁଧାର କଲେ । ଯେପରି ତାଙ୍କୁ ଅନୁଭବ ହେଲା ଯେ ତାଙ୍କୁ ଆହୁରି ନମ୍ର ହେବାକୁ ପଡ଼ିବ । (ଆୟୁ. ୪୨:୩) ଭାଇ ନିକୋଲାଇଙ୍କ c ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ସେ ବହୁତ ବେମାର ଥିଲେ ତଥାପି ତାଙ୍କୁ ଜେଲ୍ରେ ପୂରାଇ ଦିଆଗଲା । ସେ କହନ୍ତି, “ଜେଲ୍ ଯିବା ଏକ୍ସ-ରେ କରିବା ଭଳି ଅଟେ । ସେଥିରୁ ଜଣାପଡ଼ିଯାଏ ଯେ ଆମେ ଭିତରୁ କିପରି ମଣିଷ ଅଟୁ, ଆମଠାରେ କʼଣ ଭଲ ଗୁଣଗୁଡ଼ିକ ରହିଛି ଓ କʼଣ ଦୁର୍ବଳତା ଅଛି ।” ସତରେ, ଯେବେ ଆମକୁ ଜଣାପଡ଼ିଯାଏ ଯେ ଆମଠାରେ କʼଣ ଦୁର୍ବଳତାଗୁଡ଼ିକ ରହିଛି, ତେବେ ଆମେ ନିଜଠାରେ ସୁଧାର କରିପାରିବା ।
୧୫. ଆୟୁବଙ୍କ ଭଳି ଆମେ କାହା କଥା ଶୁଣିବା ଉଚିତ୍ ଏବଂ କାହିଁକି ?
୧୫ ଆମେ ଶତ୍ରୁମାନଙ୍କ କଥା ଉପରେ ଧ୍ୟାନ ଦେବା ଉଚିତ୍ ନୁହେଁ, ବରଂ ଯିହୋବାଙ୍କ କଥା ଶୁଣିବା ଉଚିତ୍ । ଆୟୁବ ବି ଏପରି ହିଁ କଲେ । ତାଙ୍କ ଚିନ୍ତାଧାରା ସୁଧାର କରିବା ପାଇଁ ଯିହୋବା ତାଙ୍କୁ ଅନେକ କଥା ମନେ ପକାଇଦେଲେ । ସେ ଯେପରି ଆୟୁବଙ୍କୁ କହିଲେ, ‘କʼଣ ତୁ ଦେଖିପାରୁ ନାହୁଁ ଯେ ମୁଁ କʼଣ କʼଣ ସୃଷ୍ଟି କରିଛି ? କʼଣ ତତେ ଲାଗେନି ଯେ ମୁଁ ତୋର ଯତ୍ନ ନେଇପାରିବି ? ମୁଁ ଭଲଭାବେ ଜାଣେ ଯେ ତୋ ଉପରେ କʼଣ କʼଣ ଘଟିଛି ।’ ଯିହୋବାଙ୍କ କଥା ଶୁଣି ଆୟୁବଙ୍କୁ ଭରସା ହୋଇଗଲା ଯେ ସେ ତାଙ୍କର ଚିନ୍ତା କରନ୍ତି । ତାଙ୍କ ହୃଦୟ କୃତଜ୍ଞତାରେ ଭରିଗଲା ଆଉ ସେ କହିଲେ, “ମୁଁ କର୍ଣ୍ଣରେ ତୁମ୍ଭ ବିଷୟ ଶୁଣିଥିଲି; ମାତ୍ର ଏବେ ମୋହର ଚକ୍ଷୁ ତୁମ୍ଭଙ୍କୁ ଦେଖୁଅଛି ।” (ଆୟୁ. ୪୨:୫) ଏହି କଥା ହୁଏତ ଆୟୁବ ପାଉଁଶ ଉପରେ ବସିଥିବା ସମୟରେ କହିଥିଲେ । ଏବେ ବି ତାଙ୍କ ଶରୀରରେ ବଥ ଥିଲା ଆଉ ନିଜ ପିଲାମାନଙ୍କ ମୃତ୍ୟୁ ଯୋଗୁଁ ଏବେ ବି ସେ ଦୁଃଖିତ ଥିଲେ । ଏପରି ପରିସ୍ଥିତିରେ ବି ଯିହୋବା ତାଙ୍କୁ ଭରସା ଦେଲେ ଯେ ସେ ତାଙ୍କୁ ପ୍ରେମ କରନ୍ତି ଆଉ ତାଙ୍କ ଉପରେ ଖୁସି ଅଛନ୍ତି ଆଉ ଆୟୁବ ଧ୍ୟାନ ଦେଇ ତାଙ୍କ କଥା ଶୁଣିଲେ ।—ଆୟୁ. ୪୨:୭, ୮.
୧୬. ଯିଶାଇୟ ୪୯:୧୫, ୧୬ ପଦ ଅନୁସାରେ, ସମସ୍ୟା ଆସିଲେ ଆମେ କେଉଁ କଥାକୁ ଧ୍ୟାନ ରଖିବା ଉଚିତ୍ ?
୧୬ ହୁଏତ ଲୋକେ ଆଜି ଆମକୁ ଖରାପ ଖରାପ କଥା କହିବେ, ଆମର ଅପମାନ କରିବେ, ଆମକୁ ନୀଚ ଦେଖାଇବେ କିମ୍ବା ଆମ ସଂଗଠନ ବିରୁଦ୍ଧରେ ‘ମିଥ୍ୟା ଓ ମନ୍ଦ କଥା କହିବେ ।’ (ମାଥି. ୫:୧୧) କିନ୍ତୁ ଆୟୁବଙ୍କ ଘଟଣାରୁ ଜଣାପଡ଼େ ଯେ ଯିହୋବାଙ୍କୁ ଆମ ଉପରେ ପୂରା ଭରସା ଅଛି ଯେ ସମସ୍ୟା ସତ୍ତ୍ୱେ ଆମେ ବିଶ୍ୱସ୍ତ ରହିବା । ସେ ଆମକୁ ବହୁତ ପ୍ରେମ କରନ୍ତି ଆଉ ଯେଉଁମାନେ ତାଙ୍କ ଉପରେ ଆଶା ରଖନ୍ତି, ସେମାନଙ୍କୁ ସେ କେବେ ବି ଛାଡ଼ନ୍ତି ନାହିଁ । (ଯିଶାଇୟ ୪୯:୧୫, ୧୬ ପଢ଼ନ୍ତୁ ।) ତେଣୁ ଯେବେ ଲୋକେ ଆପଣଙ୍କୁ କିମ୍ବା ସଂଗଠନକୁ ବଦନାମ କରନ୍ତି, ତେବେ ସେମାନଙ୍କ କଥା ଉପରେ ଧ୍ୟାନ ଦିଅନ୍ତୁ ନାହିଁ । ତୁର୍କୀରେ ରହୁଥିବା ଜେମ୍ସଙ୍କ ଅନୁଭୂତି ପ୍ରତି ଧ୍ୟାନ ଦିଅନ୍ତୁ । ତାଙ୍କ ପରିବାର ଅନେକ ସମସ୍ୟାର ସାମନା କରିଥିଲା । ସେବିଷୟରେ ସେ କହନ୍ତି, “ଲୋକେ ଯିହୋବାଙ୍କ ସଂଗଠନ ବିଷୟରେ ମିଛ କଥା କହୁଥିଲେ । ଆମକୁ ଅନୁଭବ ହେଲା ଯେ ଯଦି ଆମେ ସେମାନଙ୍କ କଥା ଉପରେ ଧ୍ୟାନ ଦେଉଥିବା, ତେବେ ଆମେ ନିରାଶ ହୋଇଯିବା ଆଉ ଆମ ସାହସ ଭାଙ୍ଗିଯିବ । ତେଣୁ ଆମେ ନିଜ ଆଶା ବିଷୟରେ ଲଗାତାର ଭାବିଲୁ ଆଉ ଯିହୋବାଙ୍କ ସେବା ଉତ୍ସାହର ସହ କରିବା ଜାରି ରଖିଲୁ । ତେଣୁ ଆମେ ସମସ୍ୟା ସତ୍ତ୍ୱେ ଖୁସିରେ ରହିପାରିଲୁ ।” ତେବେ ଆସନ୍ତୁ ଆମେ ବି ଶତ୍ରୁମାନଙ୍କୁ ନିଜ ଆଶାକୁ ଦୁର୍ବଳ କରିବା ପାଇଁ ସୁଯୋଗ ଦେବା ନାହିଁ ଆଉ ଆୟୁବଙ୍କ ଭଳି ଯିହୋବାଙ୍କ କଥା ଶୁଣିବା ଜାରି ରଖିବା ।
ଆଶା ଥିଲେ ଆମେ ବିଶ୍ୱସ୍ତ ରହିପାରିବା
୧୭. ଏବ୍ରୀ ୧୧ ଅଧ୍ୟାୟରେ ଦିଆଯାଇଥିବା ବିଶ୍ୱସ୍ତ ଲୋକମାନଙ୍କଠାରୁ ଆମେ କʼଣ ଶିଖିପାରିବା ?
୧୭ ଆୟୁବ ଏକା ଏପରି ବ୍ୟକ୍ତି ନ ଥିଲେ, ଯିଏ ସାହସର ସହିତ ସମସ୍ୟାଗୁଡ଼ିକର ସାମନା କଲେ ଓ ଯିଏ ଯିହୋବାଙ୍କର ବିଶ୍ୱସ୍ତ ରହିଲେ । ପାଉଲ ଏବ୍ରୀ ମଣ୍ଡଳୀକୁ ଲେଖିଥିବା ଚିଠିରେ ଏପରି ହିଁ କିଛି ବିଶ୍ୱସ୍ତ ଲୋକମାନଙ୍କ ବିଷୟରେ ଲେଖିଲେ ଓ ସେମାନଙ୍କୁ ‘ବୃହତ ମେଘ ତୁଲ୍ୟ ସାକ୍ଷୀ’ ବୋଲି କହିଲେ । (ଏବ୍ରୀ ୧୨:୧) ସେମାନେ ସମସ୍ତେ ବଡ଼ ବଡ଼ ସମସ୍ୟାଗୁଡ଼ିକର ସାମନା କରିଥିଲେ, ତଥାପି ସେମାନେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଯିହୋବାଙ୍କର ବିଶ୍ୱସ୍ତ ରହିଲେ । (ଏବ୍ରୀ ୧୧:୩୬-୪୦) ଏହା ସତ ଯେ ସେମାନେ ଯିହୋବାଙ୍କର ସବୁ ପ୍ରତିଜ୍ଞାଗୁଡ଼ିକୁ ପୂରା ହେବାର ଦେଖିପାରିଲେ ନାହିଁ, କିନ୍ତୁ ସେମାନଙ୍କୁ ଯିହୋବାଙ୍କ ଉପରେ ଆଶା ଥିଲା । ସେମାନେ ଜାଣୁଥିଲେ ଯେ ଯିହୋବା ସେମାନଙ୍କ ଉପରେ ଖୁସି ଅଛନ୍ତି, ତେଣୁ ସେମାନଙ୍କୁ ଭରସା ଥିଲା ଯେ ଭବିଷ୍ୟତରେ ସେମାନେ ଯିହୋବାଙ୍କ ପ୍ରତିଜ୍ଞାଗୁଡ଼ିକୁ ପୂରା ହେବାର ଦେଖିବେ । (ଏବ୍ରୀ ୧୧:୪, ୫) ତେଣୁ ଆସନ୍ତୁ ଆମେ ସେମାନଙ୍କଠାରୁ ଶିଖିବା ଓ ଯାହା ବି ହୋଇଯାଉନା କାହିଁକି ଯିହୋବାଙ୍କ ଉପରେ ଆଶା ରଖିବା !
୧୮. ଆପଣ କʼଣ କରିବା ପାଇଁ ଦୃଢ଼ ନିଷ୍ପତ୍ତି ନେଇଛନ୍ତି ? (ଏବ୍ରୀ ୧୧:୬)
୧୮ ଏହି ଦୁନିଆ ଦିନକୁ ଦିନ ଖରାପ ହୋଇ ହୋଇ ଯାଉଛି । (୨ ତୀମ. ୩:୧୩) ଆଉ ଶୟତାନ ଗୋଟିଏ ପରେ ଗୋଟିଏ ଯିହୋବାଙ୍କ ଲୋକମାନଙ୍କ ଉପରେ ଅନେକ ସମସ୍ୟା ଆଣୁଛି । କିନ୍ତୁ ଆମ ଉପରେ ଯେତେ ବି ସମସ୍ୟା ଆସୁ ନା କାହିଁକି ଆମେ ଦୃଢ଼ ନିଷ୍ପତ୍ତି ନେବା ଉଚିତ୍ ଯେ ଆମେ ମନପ୍ରାଣ ଦେଇ ଯିହୋବାଙ୍କ ସେବା କରିବା ଜାରି ରଖିବା । କାରଣ ଆମେ “ଜଣେ ଜୀବିତ ଈଶ୍ୱରଙ୍କ ଉପରେ ଭରସା [ଆଶା] ରଖୁ ।” (୧ ତୀମ. ୪:୧୦, NWT) ଆୟୁବ ଯିହୋବାଙ୍କର ବିଶ୍ୱସ୍ତ ରହିଲେ, ତେଣୁ ଯିହୋବା ତାଙ୍କୁ ପୁରସ୍କାର ଦେଲେ ଓ ପ୍ରମାଣିତ କଲେ ଯେ ସେ ଦୟାରେ ପରିପୂର୍ଣ୍ଣ ଓ କୃପାବାନ ଈଶ୍ୱର ଅଟନ୍ତି । (ଯାକୁ. ୫:୧୧) ଆସନ୍ତୁ ଆମେ ବି ଯିହୋବାଙ୍କର ବିଶ୍ୱସ୍ତ ରହିବା ଓ ଭରସା ରଖିବା ଯେ ସେ “ତାହାଙ୍କ ଅନ୍ୱେଷଣକାରୀମାନଙ୍କର ପୁରସ୍କାରଦାତା ।”—ଏବ୍ରୀ ୧୧:୬ ପଢ଼ନ୍ତୁ ।
ଗୀତ ୧୫୦ ଅପନେ ବଚାୱ କେ ଲିଏ ୟହୋୱା କୀ ଖୋଜ କରେଁ
a ଯେବେ ଆପଣ କୌଣସି ଏପରି ବ୍ୟକ୍ତି ବିଷୟରେ ଭାବନ୍ତି, ଯାହା ଉପରେ ବହୁତ ସମସ୍ୟା ଆସିଛି, ତେବେ ହୁଏତ ଆପଣଙ୍କ ମନରେ ଆୟୁବଙ୍କ ଚିତ୍ର ଆସିଥିବ । ସେ ଅନେକ ସମସ୍ୟା ସତ୍ତ୍ୱେ ବିଶ୍ୱସ୍ତ ରହିଲେ । କିନ୍ତୁ ଆମେ ତାଙ୍କ ଘଟଣାରୁ ଆଉ କʼଣ ଶିଖିପାରିବା ? (୧) ଶୟତାନ ଆମକୁ ଯିହୋବାଙ୍କୁ ଛାଡ଼ିବା ପାଇଁ ଜୋର ଜବରଦସ୍ତି କରିପାରିବ ନାହିଁ । (୨) ଯିହୋବା ଭଲଭାବେ ଜାଣନ୍ତି ଯେ ଆମ ଉପରେ କʼଣ ଘଟୁଛି । (୩) ଯେପରି ଯିହୋବା ଆୟୁବଙ୍କ ସମସ୍ୟାଗୁଡ଼ିକୁ ଦୂର କରିଦେଲେ, ସେହିପରି ଦିନେ ସେ ଆମ ସମସ୍ୟାଗୁଡ଼ିକୁ ମଧ୍ୟ ପୂରାପୂରି ଦୂର କରିଦେବେ । ଯେବେ ଆମକୁ ଏହି କଥାଗୁଡ଼ିକ ଉପରେ ପୂରା ଭରସା ଥିବ ଆଉ ଆମେ ତାʼ ମୁତାବକ କାମ କରିବା, ତେବେ ଆମେ ଦେଖାଇବା ଯେ ଆମେ “ଯିହୋବାଙ୍କ ଉପରେ ଆଶା” ରଖୁ ।
b ଏହାର ଅର୍ଥ କʼଣ ? ଯେଉଁ ଏବ୍ରୀ ଶବ୍ଦର ଅନୁବାଦ “ଆଶା” କରାଯାଇଛି, ତାʼର ଅର୍ଥ କୌଣସି ଜିନିଷକୁ ଆଗ୍ରହର ସହ ଅପେକ୍ଷା କରିବା । ଏହାର ଅର୍ଥ କାହାରି ଉପରେ ଭରସା କରିବା କିମ୍ବା ତାʼ ଉପରେ ନିର୍ଭର ରହିବା ମଧ୍ୟ ହୋଇପାରେ ।—ଗୀତ. ୨୫:୨, ୩; ୬୨:୫.
c ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ ।