इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୩୭

ଆପଣ ନିଜ ଭାଇଭଉଣୀମାନଙ୍କ ଉପରେ ଭରସା କରିପାରିବେ !

ଆପଣ ନିଜ ଭାଇଭଉଣୀମାନଙ୍କ ଉପରେ ଭରସା କରିପାରିବେ !

“ପ୍ରେମ . . . ସମସ୍ତ ବିଶ୍ୱାସ କରେ, ସମସ୍ତ ଭରସା କରେ ।”—୧ କରି. ୧୩:୪, ୭.

ଗୀତ ୧୨୪ ହାମେସା ୱାଫାଦାର

ଲେଖାର ଝଲକ a

୧. ଆମକୁ ଏହା ଦେଖି କାହିଁକି ଆଶ୍ଚର୍ଯ୍ୟ ହୁଏ ନାହିଁ ଯେ ଆଜି ଲୋକମାନଙ୍କର ପରସ୍ପର ଉପରୁ ଭରସା ଚାଲିଯାଉଛି ?

 ଆଜି ଲୋକମାନଙ୍କର ପରସ୍ପର ଉପରୁ ଭରସା ଧୀରେ ଧୀରେ ଚାଲିଯାଉଛି । ବେପାରୀ, ଧର୍ମଗୁରୁ ଓ ନେତାମାନେ ଏପରି କାମ କରନ୍ତି ଯାହାଦ୍ୱାରା ଲୋକମାନଙ୍କୁ ତାଙ୍କ ଉପରେ ଭରସା କରିବା କଠିନ ଲାଗେ । ଏପରିକି ଲୋକେ ନିଜ ସାଙ୍ଗ, ପଡ଼ୋଶୀ ଓ ଘର ଲୋକଙ୍କ ଉପରେ ବି ଭରସା କରିପାରନ୍ତି ନାହିଁ । କିନ୍ତୁ ଆମେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ନ ଥାଉ । କାରଣ ବାଇବଲରେ ପୂର୍ବରୁ ହିଁ ଲେଖାଯାଇଥିଲା ଯେ ‘ଶେଷ କାଳରେ ଅପବିତ୍ର, ଅପବାଦକ ଓ ବିଶ୍ୱାସଘାତକ ଲୋକେ ଥିବେ ।’ ଦେଖିବାକୁ ଗଲେ ଲୋକମାନଙ୍କର ଏପରି ହେବାର କାରଣ ହେଉଛି ଯେ ଏହି ଦୁନିଆର ଈଶ୍ୱର ଶୟତାନ ବି ଭରସାଯୋଗ୍ୟ ନୁହେଁ ।—୨ ତୀମ. ୩:୧-୪; ୨ କରି. ୪:୪.

୨. (କ) ଆମେ କାହା ଉପରେ ପୂରା ଭରସା କରୁ ? (ଖ) କିଛି ଲୋକମାନଙ୍କୁ ହୁଏତ କʼଣ କରିବା ପାଇଁ କଠିନ ଲାଗେ ?

ଦୁନିଆର ଲୋକମାନେ ଜାଣନ୍ତି ନାହିଁ ଯେ ସେମାନେ କାହା ଉପରେ ଭରସା କରିପାରିବେ, କିନ୍ତୁ ଆମେ ଜାଣୁ । ଆମେ ଯିହୋବାଙ୍କ ଉପରେ ପୂରା ଭରସା କରିପାରିବା । କାରଣ ଆମେ ଜାଣୁ ଯେ ସେ ଆମକୁ ବହୁତ ପ୍ରେମ କରନ୍ତି ଆଉ ସେ ପ୍ରତିଜ୍ଞା କରିଛନ୍ତି ଯେ ସେ ନିଜ ସାଙ୍ଗମାନଙ୍କୁ ‘କେବେ ବି ପରିତ୍ୟାଗ କରିବେ ନାହିଁ ।’ (ଗୀତ. ୯:୧୦; ଯିରି. ୧୭:୭, ୮) ଆମେ ଯୀଶୁଙ୍କ ଉପରେ ମଧ୍ୟ ଭରସା କରିପାରିବା । କାରଣ ସେ ଆମକୁ ଏତେ ପ୍ରେମ କରନ୍ତି ଯେ ସେ ନିଜ ଜୀବନ ଆମ ପାଇଁ ଦେଇଦେଲେ । (୧ ପିତ. ୩:୧୮) ଆଉ ଆମେ ବାଇବଲରେ ଲେଖାଥିବା କଥାଗୁଡ଼ିକ ଉପରେ ବି ପୂରା ଭରସା କରିପାରିବା, କାରଣ ଆମେ ନିଜେ ଦେଖିଛୁ ଯେ ଏଥିରେ ଥିବା ପରାମର୍ଶରୁ କେତେ ଲାଭ ମିଳେ । (୨ ତୀମ. ୩:୧୬, ୧୭) କିନ୍ତୁ ଯେବେ ଭାଇଭଉଣୀମାନଙ୍କ କଥା ଆସେ, ତେବେ ହୁଏତ କିଛି ଲୋକମାନଙ୍କୁ ସେମାନଙ୍କ ଉପରେ ଭରସା କରିବା କଠିନ ଲାଗେ । ଆସନ୍ତୁ ଜାଣିବା ଯେ ଆମେ ସେମାନଙ୍କ ଉପରେ ବି କାହିଁକି ଭରସା କରିପାରିବା ।

ଆମକୁ ଭାଇଭଉଣୀଙ୍କର ଆବଶ୍ୟକ ଅଛି

ସାରା ଦୁନିଆରେ ଆମ ଭାଇଭଉଣୀମାନେ ଆମ ଭଳି ଯିହୋବାଙ୍କୁ ପ୍ରେମ କରନ୍ତି ଓ ଆମେ ସେମାନଙ୍କ ଉପରେ ଭରସା କରିପାରିବା (ପାରାଗ୍ରାଫ ୩)

୩. ଆମ ସମସ୍ତଙ୍କୁ କେଉଁ ବିଶେଷ ସୁଯୋଗ ମିଳିଛି ? (ମାର୍କ ୧୦:୨୯, ୩୦)

ଏହା କେତେ ବଡ଼ କଥା ଅଟେ ଯେ ଯିହୋବା ଆମକୁ ନିଜ ପରିବାରର ଭାଗ ହେବା ପାଇଁ ସୁଯୋଗ ଦେଇଛନ୍ତି । ଆମେ ଏକୁଟିଆ ନାହୁଁ, ସାରା ଦୁନିଆର ଆମ ଭାଇଭଉଣୀମାନେ ଆମ ସାଙ୍ଗରେ ଅଛନ୍ତି । ଏହା କୌଣସି ଆଶିଷଠାରୁ କମ୍‌ ନୁହେଁ ! (ମାର୍କ ୧୦:୨୯, ୩୦ ପଢ଼ନ୍ତୁ ।) ଆମେ ସମସ୍ତେ ଅଲଗା ଅଲଗା ଭାଷା କହୁ, ଆମର ରହିବାର ଶୈଳୀ ମଧ୍ୟ ପରସ୍ପରଠାରୁ ଅଲଗା ଅଟେ ଏବଂ ଆମେ ଅଲଗା ଅଲଗା ପ୍ରକାରର କପଡ଼ା ପିନ୍ଧୁ । ତଥାପି ଯେବେ ଆମେ ପରସ୍ପର ସହ ପ୍ରଥମ ଥର ଭେଟୁ, ତେବେ ଆମକୁ ଏପରି ଲାଗେ ଯେପରି ଆମେ ନିଜ ଲୋକଙ୍କ ସହ ଭେଟୁଛୁ । ଆମେ ସମସ୍ତେ ଯିହୋବାଙ୍କୁ ବହୁତ ପ୍ରେମ କରୁ ଆଉ ତାଙ୍କ ସ୍ତରଗୁଡ଼ିକୁ ମାନିବା ପାଇଁ ପୂରା ଚେଷ୍ଟା କରୁ । ଆଉ ଯେବେ ଆମେ ଏକା ସହ ମିଶି ଯିହୋବାଙ୍କର ଉପାସନା କରୁ, ତେବେ ଆମକୁ ବହୁତ ଭଲ ଲାଗେ ।—ଗୀତ. ୧୩୩:୧.

୪. ଆମକୁ ନିଜ ଭାଇଭଉଣୀମାନଙ୍କ ଆବଶ୍ୟକତା କାହିଁକି ଅଛି ?

ଆଜି ଆମକୁ ଆଗ ଅପେକ୍ଷା ଅଧିକ ନିଜ ଭାଇଭଉଣୀଙ୍କ ସହିତ ନିକଟତର ହୋଇ ରହିବା ଜରୁରୀ ଅଟେ । ଅନେକ ଥର ଆମେ ଚିନ୍ତାଗୁଡ଼ିକ ଯୋଗୁଁ ନିରାଶ ହୋଇଯାଉ ଆଉ ତେବେ ସେମାନେ ଆମର ସାହସ ବଢ଼ାନ୍ତି । (ରୋମୀ. ୧୫:୧; ଗାଲା. ୬:୨) ସେମାନେ ଆମକୁ ଯିହୋବାଙ୍କ ସେବା ଉତ୍ସାହର ସହ କରିବା ପାଇଁ ମଧ୍ୟ ସାହାଯ୍ୟ କରନ୍ତି ଯାହାଦ୍ୱାରା ଆମେ ତାଙ୍କ ସହ ଭଲ ସମ୍ପର୍କ ରଖିପାରୁ । (୧ ଥେସ. ୫:୧୧; ଏବ୍ରୀ ୧୦:୨୩-୨୫) ଭାବନ୍ତୁ ଯଦି ଆମ ଭାଇଭଉଣୀମାନେ ଆମ ସାଙ୍ଗରେ ନ ଥାʼନ୍ତେ, ତେବେ ଆମେ ଶୟତାନର ଆକ୍ରମଣଗୁଡ଼ିକର ସାମନା କିପରି କରିପାରନ୍ତୁ ! ଏହି ଦୁଷ୍ଟ ଦୁନିଆରେ ବଞ୍ଚିବା କେତେ କଷ୍ଟ ହୋଇଯାʼନ୍ତା ! ଖୁବ୍‌ ଶୀଘ୍ର ଶୟତାନ ଓ ତାʼ ସପକ୍ଷବାଦୀମାନେ ମିଶି ଯିହୋବାଙ୍କ ଲୋକମାନଙ୍କ ଉପରେ ଆକ୍ରମଣ କରିବେ, ସେସମୟରେ ଆମକୁ ବହୁତ ଖୁସି ହେବ ଯେ ଆମେ ଏକୁଟିଆ ନାହୁଁ, ଆମ ସହିତ ଭାଇଭଉଣୀ ଅଛନ୍ତି !

୫. କିଛି ଭାଇଭଉଣୀମାନେ କାହିଁକି ଅନ୍ୟମାନଙ୍କ ଉପରେ ଭରସା କରିପାରନ୍ତି ନାହିଁ ?

କିନ୍ତୁ କିଛି ଭାଇଭଉଣୀମାନଙ୍କୁ ଅନ୍ୟ ଭାଇଭଉଣୀମାନଙ୍କ ଉପରେ ଭରସା କରିବା କଠିନ ଲାଗେ । ହୁଏତ ସେମାନେ କାହାରିକୁ କିଛି କଥା କହିଥିଲେ, କିନ୍ତୁ ସେ ଯାଇ ଅନ୍ୟମାନଙ୍କୁ ସେହି କଥା କହିଦେଲେ । କିମ୍ବା ହୁଏତ କୌଣସି ଭାଇ କିମ୍ବା ଭଉଣୀ କହିଥିବେ ଯେ ମୁଁ ଏପରି କରିବି, କିନ୍ତୁ ସେ ସେପରି କଲେନି । ଏପରି ବି ହୋଇପାରେ ଯେ କେହି ସେମାନଙ୍କୁ କିଛି କହିଦେଲେ ବା କିଛି କରିଦେଲେ ଯାହା ତାଙ୍କୁ ବହୁତ ଖରାପ ଲାଗିଲା । ଯେବେ ଏପରି ହୁଏ, ତେବେ ସତରେ ଭରସା କରିବା ବହୁତ କଷ୍ଟ ଲାଗେ । ତେବେ ଆସନ୍ତୁ ଦେଖିବା ଯେ ଆମେ ନିଜ ଭାଇଭଉଣୀଙ୍କ ଉପରେ କିପରି ଭରସା କରିପାରିବା ।

ପ୍ରେମ ଥିଲେ ଭରସା କରିପାରିବା

୬. ଭାଇଭଉଣୀମାନଙ୍କ ଉପରେ ଭରସା କରିବା ପାଇଁ ସେମାନଙ୍କୁ ପ୍ରେମ କରିବା କାହିଁକି ଜରୁରୀ ? (୧ କରିନ୍ଥୀୟ ୧୩:୪-୮)

ଆମେ ଭାଇଭଉଣୀଙ୍କ ଉପରେ ତେବେ ଭରସା କରିପାରିବା ଯେବେ ଆମେ ସେମାନଙ୍କୁ ପ୍ରେମ କରୁଥିବା । ପ୍ରଥମ କରିନ୍ଥୀୟ ୧୩ ଅଧ୍ୟାୟରେ ପ୍ରେମ ବିଷୟରେ ବହୁତଗୁଡ଼ିଏ କଥା ଲେଖାଅଛି । ଏଗୁଡ଼ିକୁ ଧ୍ୟାନରେ ରଖିଲେ ଭାଇଭଉଣୀଙ୍କ ଉପରେ ଭରସା କରିବା ଆମ ପାଇଁ ସହଜ ହୋଇଯିବ ଆଉ ଯଦି କେହି ଆମର ଭରସା ଭାଙ୍ଗି ଦେଇଛନ୍ତି, ତେବେ ଆମେ ପୁଣିଥରେ ତାଙ୍କ ଉପରେ ଭରସା କରିପାରିବା । (୧ କରିନ୍ଥୀୟ ୧୩:୪-୮ ପଢ଼ନ୍ତୁ ।) ଯେପରି ୪ ପଦରେ ଲେଖାଅଛି, ‘ପ୍ରେମ ଦୀର୍ଘସହିଷ୍ଣୁ ଓ ପ୍ରେମ ହିତଜନକ ।’ ଭାବନ୍ତୁ ଆମେ କେତେଗୁଡ଼ିଏ ଭୁଲ କରିଥାଉ ତଥାପି ଯିହୋବା ଧୈର୍ଯ୍ୟ ଧରନ୍ତି । ତେଣୁ ଯଦି ଆମ ଭାଇଭଉଣୀମାନେ ଏପରି କିଛି କରନ୍ତି ଯାହା ଯୋଗୁଁ ଆମକୁ ଖରାପ ଲାଗେ କିମ୍ବା ରାଗ ଲାଗେ, ତେବେ ଆମେ ବି ଧୈର୍ଯ୍ୟ ଧରିବା ଉଚିତ୍‌ । ଆଉ ୫ ପଦରେ ଲେଖାଅଛି, ‘ପ୍ରେମ ବିରକ୍ତ ହୁଏ ନାହିଁ, ଅପକାର ସ୍ମରଣରେ ରଖେ ନାହିଁ ।’ ତେଣୁ ଯଦି ଆମ ଭାଇଭଉଣୀମାନେ କିଛି ଭୁଲ କରନ୍ତି ବା କିଛି ଏପରି କହନ୍ତି ଯାହାଫଳରେ ଆମକୁ ବହୁତ ଖରାପ ଲାଗେ, ତେବେ ଆମକୁ ବି ସେମାନଙ୍କ ଭୁଲଗୁଡ଼ିକୁ ‘ସ୍ମରଣରେ ରଖିବା’ ଉଚିତ୍‌ ନୁହେଁ । ଉପଦେଶକ ୭:୯ ପଦରେ ବି ଲେଖାଅଛି ଯେ ଆମେ ‘କ୍ରୋଧ କରିବା ପାଇଁ ଆପଣା ଆତ୍ମାରେ ଚଞ୍ଚଳ ହେବା ନାହିଁ,’ ଅର୍ଥାତ୍‌ କୌଣସି କଥା ପାଇଁ ଶୀଘ୍ର ଖରାପ ଭାବିବା ଉଚିତ୍‌ ନୁହେଁ । ତାʼପରିବର୍ତ୍ତେ ଆମେ ଏଫିସୀୟ ୪:୨୬ ପଦରେ ଲେଖାଥିବା କଥା ମନେ ରଖିବା ଉଚିତ୍‌ । ସେଠାରେ ଲେଖାଅଛି, “ସୂର୍ଯ୍ୟ ଅସ୍ତ ନ ହେଉଣୁ କ୍ରୋଧ ପରିତ୍ୟାଗ କର ।”

୭. ମାଥିଉ ୭:୧-୫ ପଦରେ ଦିଆଯାଇଥିବା ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖିଲେ ଆମେ ଭାଇଭଉଣୀମାନଙ୍କ ଉପରେ କିପରି ଭରସା କରିପାରିବା ?

ଭାଇଭଉଣୀମାନଙ୍କ ଉପରେ ଭରସା କରିବା ପାଇଁ ଏହା ବି ଜରୁରୀ ଯେ ଆମେ ସେମାନଙ୍କ ସେହି କଥାଗୁଡ଼ିକ ଉପରେ ଧ୍ୟାନ ଦେବା ଯାହା ଉପରେ ଯିହୋବା ଧ୍ୟାନ ଦିଅନ୍ତି । ଯିହୋବା ସେମାନଙ୍କୁ ବହୁତ ପ୍ରେମ କରନ୍ତି ଆଉ ସେମାନଙ୍କ ଭୁଲଗୁଡ଼ିକର ହିସାବ ରଖନ୍ତି ନାହିଁ । ଆମକୁ ବି ଏପରି କରିବା ଉଚିତ୍‌ । (ଗୀତ. ୧୩୦:୩) ସେମାନଙ୍କ ଭୁଲଗୁଡ଼ିକୁ ଧ୍ୟାନ ଦେବା ପରିବର୍ତ୍ତେ ଆମେ ସେମାନଙ୍କର ଭଲ ଗୁଣଗୁଡ଼ିକ ଉପରେ ଧ୍ୟାନ ଦେବା ଉଚିତ୍‌ ଆଉ ଏହା ଭାବିବା ଉଚିତ୍‌ ଯେ ସେମାନେ କେଉଁ କେଉଁ ଭଲ କାମ କରିପାରିବେ । (ମାଥିଉ ୭:୧-୫ ପଢ଼ନ୍ତୁ ।) ପ୍ରେମ ‘ସମସ୍ତ କଥା ଉପରେ ବିଶ୍ୱାସ କରେ,’ ତେଣୁ ଆମେ ଏପରି ଭାବିବା ଉଚିତ୍‌ ନୁହେଁ ଯେ ସେମାନେ ଜାଣିଶୁଣି ଆମ ସହିତ ଖରାପ କରିଥିବେ । (୧ କରି. ୧୩:୭) କିନ୍ତୁ ‘ସମସ୍ତ କଥା ଉପରେ ଭରସା କରିବାର’ ଅର୍ଥ ଏହା ନୁହେଁ ଯେ ଆମେ ଆଖିବୁଜି ଭାଇଭଉଣୀମାନଙ୍କ ଉପରେ ଭରସା କରିବା । ଯିହୋବା ଚାହାନ୍ତି ଯେ ଆମେ ସେମାନଙ୍କ ଅନ୍ୟ କାମଗୁଡ଼ିକ ଉପରେ ବି ଧ୍ୟାନ ଦେବା ଆଉ ତାʼପରେ ସେମାନଙ୍କ ଉପରେ ଭରସା କରିବା । b

୮. ଭାଇଭଉଣୀମାନଙ୍କ ଉପରେ ଭରସା କରିବା ପାଇଁ ଆପଣ କʼଣ କରିପାରିବେ ?

ଯେବେ ଆମେ କାହାରି ସହିତ ସମୟ ବିତାଉ, ତାଙ୍କୁ ଜାଣିବାକୁ ଲାଗୁ ତେବେ ଆମେ ତାଙ୍କର ଆହୁରି ଆଦର କରିବାକୁ ଲାଗୁ । ଭାଇଭଉଣୀମାନଙ୍କ ଉପରେ ଭରସା କରିବା ପାଇଁ ଆମକୁ ଏପରି ହିଁ କିଛି କରିବାକୁ ପଡ଼ିବ । ଆମକୁ ସେମାନଙ୍କୁ ଭଲଭାବେ ଜାଣିବାକୁ ପଡ଼ିବ । ତେଣୁ ଯେବେ ଆପଣ ସଭାକୁ ଯାʼନ୍ତି, ତେବେ ଭାଇଭଉଣୀମାନଙ୍କ ସହ କଥାବାର୍ତ୍ତା ହୁଅନ୍ତୁ ଆଉ ସେମାନଙ୍କ ସହ ମିଶି ପ୍ରଚାର କରନ୍ତୁ । ମନେ ରଖନ୍ତୁ ଯେ ସେମାନଙ୍କ ଉପରେ ଭରସା କରିବା ପାଇଁ ସମୟ ଲାଗିବ, ତେଣୁ ଧୈର୍ଯ୍ୟ ଧରନ୍ତୁ । ହୁଏତ, ଆରମ୍ଭରେ ଆପଣ ତାଙ୍କୁ ନିଜର ସବୁ କଥା କହିବେନି, କିନ୍ତୁ ଧୀରେ ଧୀରେ ଯେପରି ଆପଣ ତାଙ୍କୁ ଜାଣିବାକୁ ଲାଗିବେ, ଆପଣ ତାଙ୍କ ଉପରେ ଆହୁରି ଭରସା କରିବାକୁ ଲାଗିବେ ଆଉ ତେବେ ହୁଏତ ଆପଣ ତାଙ୍କୁ ନିଜ କଥା ଆହୁରି ଖୋଲିକି କହିପାରିବେ । (ଲୂକ ୧୬:୧୦) କିନ୍ତୁ ଯଦି କୌଣସି ଭାଇ କିମ୍ବା ଭଉଣୀ ଆପଣଙ୍କ ଭରସା ଭାଙ୍ଗିଦିଅନ୍ତି, ତେବେ ଆପଣ କʼଣ କରିବେ ? ଏପରି ଭାବନ୍ତୁ ନାହିଁ ଯେ ଆପଣ ତାଙ୍କ ଉପରେ ଆଉ କେବେ ବି ଭରସା କରିପାରିବେ ନାହିଁ । ହୁଏତ କିଛି ସମୟ ପରେ ଆପଣ ତାଙ୍କ ଉପରେ ପୁଣିଥରେ ଭରସା କରିପାରିବେ । ଆଉ ଯଦି କୌଣସି ଭାଇ କିମ୍ବା ଭଉଣୀ ଆପଣଙ୍କ ଭରସା ଭାଙ୍ଗି ଦେଇଛନ୍ତି, ତାʼ ଅର୍ଥ ଏହା ନୁହେଁ ଯେ ଆପଣ କାହାରି ଉପରେ ବି ଭରସା କରିବେ ନାହିଁ । ପ୍ରାଚୀନ ସମୟର କିଛି ଲୋକ ଈଶ୍ୱରଙ୍କ ସେବକମାନଙ୍କ ଭରସା ଭାଙ୍ଗି ଦେଇଥିଲେ । କିନ୍ତୁ ତାʼଯୋଗୁଁ ସେମାନେ ଅନ୍ୟମାନଙ୍କ ଉପରେ ଭରସା କରିବା ଛାଡ଼ିଲେ ନାହିଁ । ଆସନ୍ତୁ ସେ ମଧ୍ୟରୁ କିଛି ଲୋକମାନଙ୍କ ବିଷୟରେ ଚର୍ଚ୍ଚା କରିବା ।

ଯେଉଁମାନେ ଅନ୍ୟମାନଙ୍କ ଉପରେ ଭରସା କଲେ ସେମାନଙ୍କଠାରୁ ଶିଖନ୍ତୁ

ଏଲି ବିନା ଭାବିଚିନ୍ତି ହାନ୍ନାଙ୍କୁ ରାଗିଲେ, ତଥାପି ହାନ୍ନା ଯିହୋବା ଓ ଯିହୋବାଙ୍କ ଦ୍ୱାରା ନିଯୁକ୍ତ କରାଯାଇଥିବା ଲୋକମାନଙ୍କ ଉପରେ ଭରସା ରଖିଲେ (ପାରାଗ୍ରାଫ ୯)

୯. (କ) ଏଲି ଓ ତାଙ୍କ ପୁଅମାନଙ୍କ ଭୁଲଗୁଡ଼ିକ ସତ୍ତ୍ୱେ ହାନ୍ନା କʼଣ କଲେ ? (ଖ) ଆପଣ ହାନ୍ନାଙ୍କଠାରୁ କʼଣ ଶିଖିପାରିବେ ? (ଚିତ୍ର ଦେଖନ୍ତୁ)

କʼଣ ଦାୟିତ୍ୱ ସମ୍ଭାଳୁଥିବା କୌଣସି ଭାଇ ଏପରି କିଛି କରିଛନ୍ତି, ଯାହା ଦେଖି ଆପଣଙ୍କ ଭରସା ଭାଙ୍ଗିଗଲା । ଆପଣ କେବେ ବି ଭାବି ନ ଥିଲେ ? ହାନ୍ନାଙ୍କ ସହ ମଧ୍ୟ ଏପରି ହିଁ କିଛି ହୋଇଥିଲା । ସେ ସମୟରେ ଏଲି ଇସ୍ରାଏଲର ମହାଯାଜକ ଥିଲେ ଆଉ ତାଙ୍କ ପୁଅମାନେ ପବିତ୍ର ଆବାସରେ ସେବା କରୁଥିଲେ । ଏଲିଙ୍କ ପୁଅମାନେ ବହୁତ ଖରାପ କାମ କରୁଥିଲେ, କିନ୍ତୁ ସେ ସେମାନଙ୍କୁ ସୁଧାରିଲେ ନାହିଁ । ଯିହୋବା ସେସବୁ ଦେଖୁଥିଲେ, ତଥାପି କିଛି ସମୟ ପାଇଁ ଏଲିଙ୍କୁ ମହାଯାଜକ ଭାବେ ସେବା କରିବାକୁ ଦେଲେ । ହାନ୍ନା ଭାବି ପାରିଥାʼନ୍ତେ, ଯେବେ ଯାଏ ଏଲି ମହାଯାଜକ ଅଛନ୍ତି, ତେବେ ଯାଏ ସେ ପବିତ୍ର ଆବାସକୁ ଯିହୋବାଙ୍କ ଉପାସନା କରିବା ପାଇଁ ଯିବେ ନାହିଁ । କିନ୍ତୁ ସେ ଏପରି କଲେ ନାହିଁ । ଥରେ ହାନ୍ନା ବହୁତ ଚିନ୍ତାରେ ଥିଲେ ଆଉ ପବିତ୍ର ଆବାସରେ ପ୍ରାର୍ଥନା କରୁଥିଲେ । ଯେବେ ଏଲି ତାଙ୍କୁ ଦେଖିଲେ, ସେ ଭାବିଲେ ଯେ ସେ ନିଶା କରିକି ଆସିଛି, ତେଣୁ ସେ ବିନା ଭାବିଚିନ୍ତି ରାଗରେ ତାଙ୍କ ସହ କଥା ହେଲେ । (୧ ଶାମୁ. ୧:୧୨-୧୬) ହାନ୍ନା ମାନତ କରିଥିଲେ ଯେ ଯଦି ତାଙ୍କର ଗୋଟିଏ ପୁଅ ହେବ, ତେବେ ସେ ତାକୁ ପବିତ୍ର ଆବାସରେ ସେବା କରିବା ପାଇଁ ପଠାଇ ଦେବେ । ସେ ଜାଣୁଥିଲେ ଯେ ସେଇଠି ଏଲି ହିଁ ତାଙ୍କ ପୁଅର ଦେଖାଶୁଣା କରିବେ, ତଥାପି ସେ ଏପରି କରିବା ପାଇଁ ପ୍ରସ୍ତୁତ ହୋଇଗଲେ । (୧ ଶାମୁ. ୧:୧୧) ଆଉ ଏପରି ନ ଥିଲା ଯେ ଯିହୋବା ପବିତ୍ର ଆବାସରେ ଯାହା ସବୁ ହେଉଥିଲା, ତାକୁ ଅଣଦେଖା କରୁଥିଲେ । ଯେବେ ସମୟ ଆସିଲା ଯିହୋବା ଏଲିଙ୍କ ପୁଅମାନଙ୍କୁ ଦଣ୍ଡ ଦେଲେ । (୧ ଶାମୁ. ୪:୧୭) କିନ୍ତୁ ତେବେ ଯାଏ ହାନ୍ନା ଯିହୋବା ଓ ଯିହୋବାଙ୍କ ଦ୍ୱାରା ନିଯୁକ୍ତ କରାଯାଇଥିବା ଲୋକମାନଙ୍କ ଉପରେ ଭରସା କଲେ । ଆଉ ଯିହୋବା ତାଙ୍କୁ ପୁରସ୍କାର ଦେଲେ । ଆଗକୁ ଯାଇ ହାନ୍ନାଙ୍କର ଗୋଟିଏ ପୁଅ ହେଲା, ତାʼ ନାମ ସେ ଶାମୁୟେଲ ରଖିଲେ ।—୧ ଶାମୁ. ୧:୧୭-୨୦.

୧୦. କିଛି ଲୋକମାନେ ଦାଉଦଙ୍କ ଭରସା ଭାଙ୍ଗିଦେଲେ, ତଥାପି ସେ କʼଣ କରିବା ଛାଡ଼ିଲେ ନାହିଁ ?

୧୦ କʼଣ ଆପଣଙ୍କ ସହ କେବେ ଏପରି ହୋଇଛି ଯେ ଆପଣଙ୍କ ଜଣେ ବହୁତ ଭଲ ସାଙ୍ଗ ଆପଣଙ୍କୁ ଧୋକା ଦେଲେ? ଧ୍ୟାନ ଦିଅନ୍ତୁ ଯେ ରାଜା ଦାଉଦଙ୍କ ସହ କʼଣ ହେଲା । ଦାଉଦଙ୍କର ଜଣେ ବହୁତ ଭଲ ସାଙ୍ଗ ଥିଲେ, ଯାହାର ନାମ ଅହୀଥୋଫଲ ଥିଲା । ଯେବେ ଦାଉଦଙ୍କ ପୁଅ ଅବଶୋଲମ ଦାଉଦଙ୍କ ରାଜଗାଦି ହଡ଼ପ କରିବା ପାଇଁ ଚେଷ୍ଟା କଲା, ତେବେ ଅହୀଥୋଫଲ ବି ତାଙ୍କୁ ସହଯୋଗ କଲା । ଟିକେ ଭାବନ୍ତୁ, ସେସମୟରେ ଦାଉଦଙ୍କୁ କେମିତି ଲାଗିଥିବ । ତାଙ୍କ ପୁଅ ଓ ସାଙ୍ଗ, ଦୁହେଁ ତାଙ୍କୁ ଧୋକା ଦେଲେ । କିନ୍ତୁ ଏହି କାରଣ ଯୋଗୁଁ ଦାଉଦ ଅନ୍ୟମାନଙ୍କ ଉପରେ ଭରସା କରିବା ଛାଡ଼ିଲେ ନାହିଁ । ସେ ତାଙ୍କ ସାଙ୍ଗ ହୂଶୟ ଉପରେ ଭରସା କଲେ । ଆଉ ସତରେ ହୂଶୟ ଜଣେ ଭଲ ସାଙ୍ଗ ପ୍ରମାଣିତ ହେଲେ । ସେ ଅବଶୋଲମକୁ ସହଯୋଗ କଲେ ନାହିଁ, ବରଂ ସେ ଦାଉଦଙ୍କ ବିଶ୍ୱସ୍ତ ରହିଲେ । ସେ ଦାଉଦଙ୍କ ପାଇଁ ନିଜ ଜୀବନକୁ ବି ବାଜି ଲଗାଇ ଦେଲେ ।—୨ ଶାମୁ. ୧୭:୧-୧୬.

୧୧. ନାବଲର ଜଣେ ସେବକ କିପରି ଅବୀଗଲକୁ ଭରସା କଲେ ?   

୧୧ ଆମେ ନାବଲର ଜଣେ ସେବକଙ୍କଠାରୁ ବି ଶିଖିପାରିବା । ନାବଲ ଜଣେ ଇସ୍ରାଏଲୀୟ ଥିଲା ଆଉ ସେ ବହୁତ ଧନୀ ଥିଲା । ଦାଉଦ ଆଉ ତାଙ୍କ ଲୋକମାନେ ନାବଲର ଲୋକମାନଙ୍କୁ ରକ୍ଷା କରିଥିଲେ । କିନ୍ତୁ କିଛି ସମୟ ପରେ ଯେବେ ଦାଉଦ ନାବଲକୁ ପଚାରିଲେ ଯେ କʼଣ ସେ ତାଙ୍କ ଲୋକମାନଙ୍କୁ ଖାଇବା ପାଇଁ କିଛି ଦେଇପାରିବ, ତେବେ ସେ ମନା କରିଦେଲା । ଏହା ଶୁଣି ଦାଉଦଙ୍କୁ ବହୁତ ରାଗ ଲାଗିଲା । ସେ ଭାବି ନେଇଥିଲେ ଯେ ସେ ନାବଲର ଘରେ ରହୁଥିବା ଜଣେ ବି ପୁରୁଷକୁ ଜୀବିତ ଛାଡ଼ିବେ ନାହିଁ । ସେଇ ସମୟ ଭିତରେ ନାବଲର ଜଣେ ସେବକ ତାଙ୍କ ସ୍ତ୍ରୀ ଅବୀଗଲକୁ ଯାଇ ସବୁ କଥା କହିଦେଲେ । ତାଙ୍କ ଜୀବନ ବିପଦରେ ଥିଲା, ତେଣୁ ସେ ଚାହିଁଥିଲେ ତାଙ୍କ ଜୀବନ ବଞ୍ଚାଇବା ପାଇଁ ସେଇଠୁ ପଳାଇ ପାରିଥାʼନ୍ତେ । କିନ୍ତୁ ସେ ଏପରି କଲେନି । ସେ ଜାଣିଥିଲେ ଯେ ଅବୀଗଲ ଜଣେ ବୁଦ୍ଧିମାନ ସ୍ତ୍ରୀ ଅଟନ୍ତି ଆଉ ସେ ସବୁକିଛି ସମ୍ଭାଳି ନେବେ । ତାଙ୍କୁ ଭରସା ଥିଲା ଯେ ସେ ତାଙ୍କ ଜୀବନ ବଞ୍ଚାଇ ପାରିବେ ଆଉ ଏପରି ହିଁ ହେଲା । ଅବୀଗଲ ସାହସ କରି ଦାଉଦଙ୍କ ପାଖକୁ ଗଲେ ଆଉ ତାଙ୍କୁ ବହୁତ ବଡ଼ ଭୁଲ କରିବାଠାରୁ ରୋକି ନେଲେ । (୧ ଶାମୁ. ୨୫:୨-୩୫) ତାଙ୍କୁ ବି ଦାଉଦଙ୍କ ଉପରେ ଭରସା ଥିଲା ଯେ ସେ ତାଙ୍କ କଥା ଶୁଣିବେ ଆଉ କିଛି ଭୁଲ କରିବେ ନାହିଁ ।

୧୨. ଶିଷ୍ୟମାନଙ୍କ ଦ୍ୱାରା ଅନେକ ଭୁଲ ହେଲା, ତଥାପି ଯୀଶୁ କʼଣ କଲେ ? ବୁଝାନ୍ତୁ । 

୧୨ ଯୀଶୁଙ୍କ ଶିଷ୍ୟମାନେ ଅନେକ ଭୁଲ କଲେ, କିନ୍ତୁ ଯୀଶୁ ସେମାନଙ୍କ ଉପରେ ଭରସା କରିବା ଛାଡ଼ିଲେ ନାହିଁ । (ଯୋହ. ୧୫:୧୫, ୧୬) ଥରେ ଯୋହନ ଓ ଯାକୁବ ଯୀଶୁଙ୍କୁ କହିଲେ ଯେ ସେମାନେ ତାଙ୍କ ରାଜ୍ୟରେ ଦକ୍ଷିଣ ଓ ବାମ ପଟେ ବସିବାକୁ ଚାହାନ୍ତି । ସେମାନେ ଯାହା ମାଗୁଥିଲେ, ତାହା ଠିକ୍‌ ନ ଥିଲା, କିନ୍ତୁ ଯୀଶୁ ସେମାନଙ୍କ ଉଦ୍ଦେଶ୍ୟ ଉପରେ ସନ୍ଦେହ କଲେ ନାହିଁ ଏବଂ ସେମାନଙ୍କୁ ପ୍ରେରିତ ଭାବେ ରହିବାକୁ ଦେଲେ । (ମାର୍କ ୧୦:୩୫-୪୦) ପରେ ଯେଉଁ ରାତିରେ ଯୀଶୁଙ୍କୁ ଗିରଫ କରାଗଲା, ସେସମୟରେ ତାଙ୍କ ସବୁ ଶିଷ୍ୟମାନେ ତାଙ୍କୁ ଛାଡ଼ିକି ଚାଲିଗଲେ । (ମାଥି. ୨୬:୫୬) କିନ୍ତୁ ଯୀଶୁ ସେମାନଙ୍କୁ ଭରସା କରିବା ଛାଡ଼ିଲେ ନାହିଁ । ସେ ଭଲଭାବେ ଜାଣିଥିଲେ ଯେ ସେମାନଙ୍କଠାରେ ଦୁର୍ବଳତାଗୁଡ଼ିକ ରହିଛି, ତଥାପି ସେ “ସେମାନଙ୍କ ପ୍ରତି ଚୂଡ଼ାନ୍ତ ପ୍ରେମ ପ୍ରକାଶ କଲେ ।” (ଯୋହ. ୧୩:୧) ଅର୍ଥାତ୍‌ ସେମାନଙ୍କୁ ଶେଷ ପର୍ଯ୍ୟନ୍ତ ପ୍ରେମ କରିବା ଜାରି ରଖିଲେ । ଜୀବିତ କଲା ପରେ ଯୀଶୁ ୧୧ ଜଣ ବିଶ୍ୱସ୍ତ ପ୍ରେରିତମାନଙ୍କୁ ଗୋଟିଏ ବଡ଼ ଦାୟିତ୍ୱ ଦେଲେ । ସେ ସେମାନଙ୍କୁ କହିଲେ ଯେ ସେମାନେ ଶିଷ୍ୟ କରିବା କାମର ନେତୃତ୍ୱ ନିଅନ୍ତୁ ଏବଂ ତାଙ୍କ ମେଷମାନଙ୍କର ଦେଖାଶୁଣା କରନ୍ତୁ । (ମାଥି. ୨୮:୧୯, ୨୦; ଯୋହ. ୨୧:୧୫-୧୭) ଆଉ ସେମାନେ ଭରସା ଯୋଗ୍ୟ ପ୍ରମାଣିତ ହେଲେ । ଜୀବିତ ଥିବା ପର୍ଯ୍ୟନ୍ତ ସେମାନେ ଯିହୋବା ଓ ଯୀଶୁଙ୍କର ବିଶ୍ୱସ୍ତ ରହିଲେ । ଯେପରି ଆମେ ଦେଖିଲୁ, ହାନ୍ନା, ଦାଉଦ, ନାବଲର ସେବକ, ଅବୀଗଲ ଓ ଯୀଶୁ ଅପରିପୂର୍ଣ୍ଣ ମଣିଷମାନଙ୍କ ଉପରେ ଭରସା ରଖିଲେ । ଆମେ ବି ଏପରି କରିପାରିବା । 

ଯେବେ କେହି ଆପଣଙ୍କ ଭରସା ଭାଙ୍ଗି ଦିଅନ୍ତି

୧୩. କିଛି ଲୋକ କାହିଁକି ଅନ୍ୟମାନଙ୍କ ଉପରେ ଭରସା କରିପାରନ୍ତି ନାହିଁ ?   

୧୩ କʼଣ ଆପଣ କେବେ କାହାରିକୁ ଏପରି କିଛି କଥା କହିଛନ୍ତି ଯାହା ଆପଣ ଚାହୁଁଥିଲେ ଯେ ସେ ତାହା କାହାରିକୁ ନ କହୁ, କିନ୍ତୁ ପରେ ଆପଣଙ୍କୁ ଜଣାପଡ଼ିଲା ଯେ ସେ ସେହି କଥା ଅନ୍ୟମାନଙ୍କୁ କହିଦେଇଛି ? ଯେବେ କେହି ଏପରି ଆମର ଭରସା ଭାଙ୍ଗିଦିଏ, ତେବେ ଆମକୁ ବହୁତ ଖରାପ ଲାଗେ । ଥରେ ଜଣେ ଭଉଣୀ ଜଣେ ପ୍ରାଚୀନଙ୍କୁ ଭରସା କରି ନିଜ କଥା କହିଲେ । କିନ୍ତୁ ସେହି ପ୍ରାଚୀନ ସେହି କଥା ନିଜ ସ୍ତ୍ରୀଙ୍କୁ କହିଦେଲେ । ପରଦିନ ଯେବେ ସେହି ପ୍ରାଚୀନଙ୍କ ସ୍ତ୍ରୀ ସେହି ଭଉଣୀଙ୍କ ସାହସ ବଢ଼ାଇବା ପାଇଁ ଫୋନ୍‌ କରନ୍ତି, ତେବେ ଭଉଣୀଙ୍କୁ ବହୁତ ବଡ଼ ଧକ୍କା ଲାଗେ । ସେ ଭାବନ୍ତି, ‘ତାଙ୍କୁ ମୋ କଥା କିପରି ଜଣା ପଡ଼ିଲା ?’ ଭଉଣୀଙ୍କ ସେହି ପ୍ରାଚୀନଙ୍କ ଉପରୁ ଭରସା ଉଠିଗଲା, କିନ୍ତୁ ସେ ଏପରି ଭାବିଲେ ନାହିଁ ଯେ ଏବେ ସେ କାହାରି ଉପରେ ଭରସା କରିପାରିବେ ନାହିଁ । ସେ ଅନ୍ୟ ପ୍ରାଚୀନଙ୍କ ସହ ଏବିଷୟରେ କଥା ହୁଅନ୍ତି ଆଉ ତାଙ୍କ ସାହାଯ୍ୟରେ ସେ ପୁଣି ପ୍ରାଚୀନମାନଙ୍କ ଉପରେ ଭରସା କରିବାକୁ ଲାଗିଲେ ।

୧୪. ଜଣେ ଭାଇ କିପରି ପ୍ରାଚୀନମାନଙ୍କ ଉପରେ ପୁଣିଥରେ ଭରସା କରିପାରିଲେ ?

୧୪ ଜଣେ ଭାଇ କୌଣସି କଥାକୁ ନେଇ ଦୁଇ ପ୍ରାଚୀନଙ୍କ ଉପରେ ଲମ୍ବା ସମୟ ଧରି ରାଗ ରଖିଥିଲେ । ତାଙ୍କୁ ଲାଗୁଥିଲା ଯେ ସେମାନେ ଭରସାଯୋଗ୍ୟ ନୁହନ୍ତି । କିନ୍ତୁ ତାଙ୍କୁ ଗୋଟିଏ କଥା ମନେ ପଡ଼ିଲା । ସେହି କଥା ଜଣେ ଭାଇ ତାଙ୍କୁ କହିଥିଲେ, ଯାହାର ସେ ବହୁତ ଆଦର କରୁଥିଲେ । ସେ କହିଥିଲେ, “ଶୟତାନ ଆମର ଶତ୍ରୁ ଅଟେ, ଆମ ଭାଇମାନେ ନୁହଁ ।” ଭାଇ ଏବିଷୟରେ ବହୁତ ଭାବିଲେ ଓ ପ୍ରାର୍ଥନା ବି କଲେ । ଶେଷରେ ସେ ଦୁଇ ପ୍ରାଚୀନମାନଙ୍କ ସହ ବୁଝାମଣା କରିନେଲେ ।  

୧୫. କାହାରି ଉପରେ ପୁଣି ଭରସା କରିବାରେ କାହିଁକି ସମୟ ଲାଗେ ? ଗୋଟିଏ ଉଦାହରଣ ଦେଇ ବୁଝାନ୍ତୁ । 

୧୫ କʼଣ କେବେ ଏପରି ହୋଇଛି ଯେ ଆପଣଙ୍କୁ କୌଣସି ଦାୟିତ୍ୱ ଦିଆଗଲା, କିନ୍ତୁ ତାʼପରେ ତାହା ଆପଣଙ୍କଠାରୁ ଫେରାଇ ନିଆଗଲା ? ଯେବେ ଏପରି ହୁଏ, ତେବେ ବହୁତ ଦୁଃଖ ଲାଗେ । ଗ୍ରେଟାଙ୍କ ସହ ବି ଏପରି ହିଁ କିଛି ହୋଇଥିଲା । ଏହା ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବର କଥା । ସେସମୟରେ ନାଜି ସରକାର ଜର୍ମାନୀରେ ଶାସନ କରୁଥିଲା ଆଉ ଆମ କାମ ଉପରେ କଟକଣା ଲଗାଇଥିଲା । ଭାଇମାନେ ଗ୍ରେଟାଙ୍କୁ ପ୍ରହରୀଦୁର୍ଗ ପତ୍ରିକାର ଲେଖା ଟାଇପ୍‌ କରିବା ପାଇଁ କହିଲେ । କିନ୍ତୁ ଯେବେ ଭାଇମାନଙ୍କୁ ଜଣାପଡ଼ିଲା ଯେ ଗ୍ରେଟାଙ୍କ ବାପା ଯିହୋବା ସାକ୍ଷୀମାନଙ୍କର ବିରୋଧ କରନ୍ତି, ତେବେ ସେମାନେ ଗ୍ରେଟାଙ୍କୁ ପ୍ରହରୀଦୁର୍ଗର ଲେଖା ଟାଇପ୍‌ କରିବା ପାଇଁ ମନା କରିଦେଲେ । ସେମାନେ ଡରୁଥିଲେ ଯେ କାଳେ ତାଙ୍କ ବାପା ନାଜି ସରକାରକୁ ଆମ କାମ ବିଷୟରେ ନ କହିଦିଅନ୍ତୁ । ଭାବନ୍ତୁ, ଯେବେ ଗ୍ରେଟାଙ୍କଠାରୁ ଏହି ଦାୟିତ୍ୱ ଫେରାଇ ନିଆଗଲା, ତେବେ ତାଙ୍କୁ କେତେ ଦୁଃଖ ଲାଗିଥିବ ! କେବଳ ସେତିକି ନୁହଁ, ଯେବେଯାଏ ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲିଲା, ଗ୍ରେଟା ଓ ତାଙ୍କ ମାଆଙ୍କୁ ଭାଇମାନେ ପଢ଼ିବା ପାଇଁ ପତ୍ରିକା ମଧ୍ୟ ଦେଲେ ନାହିଁ । ଆଉ ଯଦି ରାସ୍ତାରେ କେବେ ତାଙ୍କ ସହ ଦେଖା ହେଉଥିଲା, ତେବେ ଭାଇମାନେ କଥା ବି ହେଉ ନ ଥିଲେ । ଭାଇମାନଙ୍କ ଏହି ବ୍ୟବହାର ଦେଖି ଗ୍ରେଟାଙ୍କ ହୃଦୟକୁ ବହୁତ ଆଘାତ ଲାଗିଲା । ତେଣୁ ଭାଇମାନଙ୍କୁ କ୍ଷମା କରିବା ଓ ସେମାନଙ୍କ ଉପରେ ପୁଣି ଭରସା କରିବା ପାଇଁ ତାଙ୍କୁ ବହୁତ ସମୟ ଲାଗିଲା । କିନ୍ତୁ ଶେଷରେ ସେ ସେମାନଙ୍କୁ କ୍ଷମା କରିଦେଲେ । ସେ ଭାବିଲେ, ଯିହୋବା ସେମାନଙ୍କୁ ନିଶ୍ଚୟ କ୍ଷମା କରିଥିବେ, ତେଣୁ ତାଙ୍କୁ ବି ସେମାନଙ୍କୁ କ୍ଷମା କରିଦେବା ଉଚିତ୍‌ । c

“ଶୟତାନ ଆମର ଶତ୍ରୁ ଅଟେ, ଆମ ଭାଇମାନେ ନୁହଁ”

୧୬. ଯଦି ଆମର ଭରସା ଭାଙ୍ଗିଯାଏ, ତାହେଲେ ବି ଆମେ କାହିଁକି ଭାଇଭଉଣୀମାନଙ୍କ ଉପରେ ଭରସା କରିବା ପାଇଁ ଚେଷ୍ଟା କରିବା ଉଚିତ୍‌ ? 

୧୬ ଯଦି କୌଣସି ଭାଇ କିମ୍ବା ଭଉଣୀ ଆପଣଙ୍କ ମଧ୍ୟ ଭରସା ଭାଙ୍ଗିଛନ୍ତି, ତାହେଲେ ହୁଏତ ଅନ୍ୟ ଭାଇଭଉଣୀମାନଙ୍କ ଉପରୁ ବି ଆପଣଙ୍କର ଭରସା ଚାଲିଯାଏ । କିନ୍ତୁ ଏପରି ହେବାକୁ ଦିଅନ୍ତୁ ନାହିଁ । ଭାଇଭଉଣୀମାନଙ୍କ ଉପରେ ପୁଣିଥରେ ଭରସା କରିବା ପାଇଁ ଚେଷ୍ଟା କରନ୍ତୁ । ଏଥିରେ ନିଶ୍ଚୟ ସମୟ ଲାଗିବ, କିନ୍ତୁ ଭରସା ରଖନ୍ତୁ ଏପରି କଲେ ହିଁ ଆପଣଙ୍କର ଲାଭ ହେବ । ଏହାକୁ ବୁଝିବା ପାଇଁ ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଭାବନ୍ତୁ ଆପଣ କିଛି ଏପରି ଜିନିଷ ଖାଇ ଦିଅନ୍ତି ଯାହାଯୋଗୁଁ ଆପଣଙ୍କର ପେଟ ଖରାପ ହୋଇଯାଏ । ତାହେଲେ କʼଣ ଆପଣ ଏହା ଭାବିବେ ଯେ ଏବେଠାରୁ ମୁଁ ଆଉ କିଛି ଖାଇବି ନାହିଁ ? ସେହିପରି ଯଦି କୌଣସି ଭାଇ କିମ୍ବା ଭଉଣୀ ଥରେ ଆପଣଙ୍କର ଭରସା ଭାଙ୍ଗିଛନ୍ତି, ତାʼ ଅର୍ଥ ଏହା ନୁହେଁ ଯେ ଆମେ କେବେ କୌଣସି ଭାଇ କିମ୍ବା ଭଉଣୀ ଉପରେ ଭରସା କରିପାରିବା ନାହିଁ । ଆମେ ସମସ୍ତେ ଅପରିପୂର୍ଣ୍ଣ ଅଟୁ ଏବଂ ଜାଣିଶୁଣି ବା ଅଜାଣତରେ ଅନେକଥର ଭୁଲ କରିଦେଉ । ତେଣୁ ଆମେ ଏକ ଅନ୍ୟକୁ କ୍ଷମା କରିବା ଉଚିତ୍‌ ଓ ପରସ୍ପର ଉପରେ ପୁଣିଥରେ ଭରସା କରିବା ପାଇଁ ଚେଷ୍ଟା କରିବା ଉଚିତ୍‌ । ଯଦି ଆମେ ଏପରି କରିବା, ତାହେଲେ ଆମେ ଅଧିକ ଖୁସିରେ ରହିବା । କେବଳ ଏତିକି ନୁହେଁ, ଆମେ ଏକଥା ଉପରେ ମଧ୍ୟ ଧ୍ୟାନ ଦେଇପାରିବା ଯେ ଆମ କଥା ଓ କାମଗୁଡ଼ିକରୁ ମଣ୍ଡଳୀର ପରିବେଶ ଏପରି ରହୁ ଯେ ସମସ୍ତେ ପରସ୍ପର ଉପରେ ଭରସା କରିପାରିବେ ।

୧୭. (କ) ଭାଇଭଉଣୀଙ୍କ ଉପରେ ଭରସା କରିବା କାହିଁକି ଜରୁରୀ ଅଟେ ? (ଖ) ପରବର୍ତ୍ତୀ ଲେଖାରେ ଆମେ କʼଣ ଜାଣିବା ?

୧୭ ଶୟତାନର ଏହି ଦୁନିଆରେ ଲୋକମାନଙ୍କୁ ଅନ୍ୟମାନଙ୍କ ଉପରେ ଭରସା କରିବା କଷ୍ଟକର ଲାଗେ । କିନ୍ତୁ ଆମେ ନିଜ ଭାଇଭଉଣୀମାନଙ୍କ ଉପରେ ଭରସା କରିପାରିବା, କାରଣ ଆମେ ସେମାନଙ୍କୁ ପ୍ରେମ କରୁ ଓ ସେମାନେ ମଧ୍ୟ ଆମକୁ ପ୍ରେମ କରନ୍ତି । ପରସ୍ପର ଉପରେ ଭରସା କଲେ ଆମ ଭିତରେ ଏକତା ହେବ ଓ ଆମେ ଖୁସିରେ ରହିବା । ଆଉ ଭବିଷ୍ୟତରେ ଯେବେ ସମସ୍ୟା ଆସିବ, ତେବେ ଆମର ସୁରକ୍ଷା ହେବ । କିନ୍ତୁ ଯଦି କେହି ଆପଣଙ୍କର ଭରସା ଭାଙ୍ଗିଛନ୍ତି, ତାହେଲେ ଆପଣ କʼଣ କରିପାରିବେ ? ଯିହୋବାଙ୍କ ଭଳି ସେହି ଭାଇ କିମ୍ବା ଭଉଣୀଙ୍କର ଭଲ ଗୁଣଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ । ବାଇବଲର ସିଦ୍ଧାନ୍ତଗୁଡ଼ିକୁ ମାନନ୍ତୁ । ଭାଇଭଉଣୀମାନଙ୍କୁ ଆହୁରି ପ୍ରେମ କରନ୍ତୁ । ଆଉ ବାଇବଲରେ ଦିଆଯାଇଥିବା ବିଶ୍ୱସ୍ତ ଲୋକମାନଙ୍କର ଉଦାହରଣଗୁଡ଼ିକରୁ ଶିଖନ୍ତୁ । ଯେବେ କେହି ଆମର ଭରସା ଭାଙ୍ଗି ଦିଅନ୍ତି, ତେବେ ଆମକୁ ବହୁତ ଦୁଃଖ ଲାଗିଥାଏ । କିନ୍ତୁ ଆମେ ସେହି କଥାଗୁଡ଼ିକୁ ଭୁଲିପାରିବା ଓ ଅନ୍ୟମାନଙ୍କ ଉପରେ ପୁଣିଥରେ ଭରସା କରିବା ଶିଖିପାରିବା । ଏପରି କଲେ ଆମର ଅନେକ ସାଙ୍ଗ ହେବେ, ଏପରି ସାଙ୍ଗ ମଧ୍ୟ ‘ଯେଉଁମାନେ ଭାଇ ଅପେକ୍ଷା ଅଧିକ ନିକଟ ଲାଗି ରହନ୍ତି ।’ (ହିତୋ. ୧୮:୨୪) ଏହି ଲେଖାରେ ଆମେ ଶିଖିଲୁ ଯେ ଆମେ ଅନ୍ୟମାନଙ୍କ ଉପରେ କିପରି ଭରସା କରିପାରିବା । କିନ୍ତୁ ଆମେ ବି ଜଣେ ଏପରି ବ୍ୟକ୍ତି ହେବା ଉଚିତ୍‌ ଯାହା ଉପରେ ଅନ୍ୟମାନେ ଭରସା କରିପାରିବେ । ପରବର୍ତ୍ତୀ ଲେଖାରେ ଆମେ ଆଲୋଚନା କରିବା ଯେ ଆମେ ଏପରି ବ୍ୟକ୍ତି କିପରି ହୋଇପାରିବା । 

ଗୀତ ୯୯ ଲାଖୋଁ ହାଜାରୋଁ ଭାଇ

a ଆମକୁ ନିଜ ଭାଇଭଉଣୀମାନଙ୍କ ଉପରେ ଭରସା କରିବା ଜରୁରୀ ଅଟେ । କିନ୍ତୁ ଅନେକ ଥର କିଛି ଏପରି ହୁଏ ଯାହା ଯୋଗୁଁ ଆମେ ତାଙ୍କ ଉପରେ ଭରସା କରିପାରି ନ ଥାଉ । ଏହି ଲେଖାରେ ଆମେ ବାଇବଲର କିଛି ସିଦ୍ଧାନ୍ତଗୁଡ଼ିକ ଉପରେ ଧ୍ୟାନ ଦେବା ଓ ପ୍ରାଚୀନ ସମୟର କିଛି ଲୋକମାନଙ୍କର ଉଦାହରଣ ଉପରେ ବି ଚର୍ଚ୍ଚା କରିବା ଯେଉଁମାନେ ଅନ୍ୟମାନଙ୍କ ଉପରେ ଭରସା କରିଥିଲେ । ଏଥିରୁ ଆମେ ଶିଖିବା ଯେ ଆମେ କାହିଁକି ଭାଇଭଉଣୀମାନଙ୍କ ଉପରେ ଭରସା କରିବା ଉଚିତ୍‌ ଆଉ ଯଦି କେହି ଆମର ଭରସା ଭାଙ୍ଗିଦିଅନ୍ତି, ତେବେ ଆମେ ପୁଣିଥରେ ତାଙ୍କ ଉପରେ କିପରି ଭରସା କରିପାରିବା ।

b ବାଇବଲରେ କୁହାଯାଇଛି ଯେ ମଣ୍ଡଳୀରେ ଏପରି ବି କିଛି ଲୋକମାନେ ଥାଇପାରନ୍ତି, ଯେଉଁମାନଙ୍କ ଉପରେ ଭରସା କରାଯାଇପାରିବ ନାହିଁ । (ଯିହୂ. ୪) ହୁଏତ ସେମାନେ “ବିପରୀତ କଥାଗୁଡ଼ାକ” କହି ଭାଇଭଉଣୀମାନଙ୍କୁ ଭୁଲ ବାଟରେ ନେବା ପାଇଁ ଚେଷ୍ଟା କରିବେ । (ପ୍ରେରି. ୨୦:୩୦) ଆମକୁ ଏପରି ଲୋକମାନଙ୍କ କଥା ଉପରେ ଧ୍ୟାନ ଦେବା ଉଚିତ୍‌ ନୁହେଁ ଆଉ ତାଙ୍କୁ ଭରସା ମଧ୍ୟ କରିବା ଉଚିତ୍‌ ନୁହେଁ ।

c ଗ୍ରେଟାଙ୍କ ଅନୁଭୂତି ବିଷୟରେ ଅଧିକ ଜାଣିବା ପାଇଁ ୧୯୭୪ ଯିହୋବାଙ୍କ ସାକ୍ଷୀମାନଙ୍କ ବାର୍ଷିକ ବହିର (ଇଂରାଜୀ) ପୃଷ୍ଠା ୧୨୯-୧୩୧ ପଢ଼ନ୍ତୁ ।