इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଆପଣଙ୍କ ପ୍ରଶ୍ନ

ଆପଣଙ୍କ ପ୍ରଶ୍ନ

ଯେବେ ପାଉଲ କହିଲେ ଯେ ସେ “ଅକାଳଜାତ” ପିଲା ଭଳି ଅଟନ୍ତି, ତେବେ ତାଙ୍କର କହିବାର ଅର୍ଥ କʼଣ ଥିଲା ? (୧ କରିନ୍ଥୀୟ ୧୫:୮)

ପ୍ରଥମ କରିନ୍ଥୀୟ ୧୫:୮ ପଦରେ ପାଉଲଙ୍କ ଏହି ଶବ୍ଦ ଲେଖାଅଛି: “ଅବଶେଷରେ ଅକାଳଜାତ ପରି ଜଣେ ଯେ ମୁଁ, ସେ ମୋତେ ମଧ୍ୟ ଦର୍ଶନ ଦେଲେ ।” ପୂର୍ବେ ଆମେ ଭାବୁଥିଲୁ, ଯେବେ ପାଉଲ କହିଲେ ଯେ ସେ “ଅକାଳଜାତ” ବା ସମୟ ପୂର୍ବରୁ ଜନ୍ମ ହୋଇଥିବା ପିଲା ଭଳି ଅଟନ୍ତି, ତେବେ ସେ ସେହି ଘଟଣା ବିଷୟରେ କହୁଥିଲେ ଯେବେ ସେ ଗୋଟିଏ ଦର୍ଶନରେ ଯୀଶୁଙ୍କୁ ସ୍ୱର୍ଗରେ ଦେଖିଥିଲେ । ଆଉ ସେ କହିବାକୁ ଚାହୁଁଥିଲେ ଯେ ସତେ ଯେପରି ତାଙ୍କୁ ସମୟ ପୂର୍ବରୁ ସ୍ୱର୍ଗରେ ଜୀବିତ କରାଗଲା ଆଉ ସମୟ ପୂର୍ବରୁ ସେ ଯୀଶୁଙ୍କୁ ଦେଖିପାରିଲେ । ଆମେ ଏପରି କାହିଁକି ମାନୁଥିଲୁ ? କାରଣ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ଅନେକ ବର୍ଷ ପରେ ଯାଇ ସ୍ୱର୍ଗରେ ଜୀବିତ କରାଯାʼନ୍ତା, କିନ୍ତୁ ପାଉଲ ସେସମୟରେ ହିଁ ଦର୍ଶନରେ ଯୀଶୁଙ୍କୁ ଦେଖିସାରିଥିଲେ । କିନ୍ତୁ ଏବିଷୟରେ ଆହୁରି ଅଧ୍ୟୟନ କଲା ପରେ ଏବେ ଆମକୁ ଲାଗେ ଯେ ଆମେ ଯାହା ମାନୁଥିଲୁ ତାହା ଠିକ୍‌ ନ ଥିଲା ଓ ଆମକୁ କିଛି ପରିବର୍ତ୍ତନ କରିବାକୁ ପଡ଼ିବ ।

ଏହା ସତ ଯେ ପାଉଲ ଏଠାରେ ସେସମୟ ବିଷୟରେ କହୁଥିଲେ ଯେବେ ସେ ଖ୍ରୀଷ୍ଟିୟାନ ହେଲେ । କିନ୍ତୁ ଯେବେ ସେ କହିଲେ ଯେ ସେ “ଅକାଳଜାତ” ବା ସମୟ ପୂର୍ବରୁ ଜନ୍ମ ହୋଇଥିବା ପିଲା ଭଳି ଅଟନ୍ତି, ତେବେ ତାʼର କʼଣ ଅର୍ଥ ଥିଲା ? ଏହାର ଅନେକ ଅର୍ଥ ହୋଇପାରେ, ଯେପରି:

ପାଉଲ ହଠାତ୍‌ ଜଣେ ଖ୍ରୀଷ୍ଟିୟାନ ହୋଇଗଲେ ଓ ତାଙ୍କୁ ବହୁତ କଷ୍ଟ ବି ହେଲା । ଯେବେ ଜଣେ ବାପାମାଆଙ୍କୁ ଜଣାପଡ଼େ ଯେ ତାଙ୍କ ପିଲା ସମୟ ପୂର୍ବରୁ ଜନ୍ମ ହେବ, ତେବେ ସେମାନେ ବହୁତ ଚିନ୍ତାରେ ପଡ଼ିଯାʼନ୍ତି । କାରଣ ଏପରି ହେବ ବୋଲି ସେମାନେ କେବେ ବି ଭାବି ନ ଥାʼନ୍ତି । ପାଉଲଙ୍କ (ସେସମୟରେ ସେ ଶାଉଲ ନାମରେ ଜଣାଯାଉଥିଲେ) ସହ ବି ଏପରି କିଛି ହେଲା । ଥରେ ସେ ଦାମାସ୍‌କସ୍‌ରେ ରହୁଥିବା ଖ୍ରୀଷ୍ଟିୟାନମାନଙ୍କ ଉପରେ ଅତ୍ୟାଚାର କରିବା ପାଇଁ ଯାଉଥିଲେ । ତେବେ ରାସ୍ତାରେ ସେ ହଠାତ୍‌ ଗୋଟିଏ ଦର୍ଶନରେ ଯୀଶୁଙ୍କୁ ସ୍ୱର୍ଗରେ ଥିବାର ଦେଖିଲେ । ତାʼପରେ ସେ ହଠାତ୍‌ ଜଣେ ଖ୍ରୀଷ୍ଟିୟାନ ହୋଇଗଲେ । ସେ କେବେ ବି ଭାବି ନ ଥିଲେ ଯେ ସେ ଦିନେ ଖ୍ରୀଷ୍ଟିୟାନ ହୋଇଯିବେ । ସେ ଯେଉଁ ଖ୍ରୀଷ୍ଟିୟାନମାନଙ୍କ ଉପରେ ଅତ୍ୟାଚାର କରିବା ପାଇଁ ଯାଉଥିଲେ, ସେମାନେ ବି ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିବେ ! ତାʼଛଡ଼ା ଯେବେ ପାଉଲ ଦର୍ଶନରେ ଯୀଶୁଙ୍କୁ ଦେଖିଲେ, ତେବେ ସେ କିଛି ସମୟ ପାଇଁ ଅନ୍ଧ ହୋଇଗଲେ । ତେଣୁ ତାଙ୍କୁ ବହୁତ କଷ୍ଟ ହୋଇଥିବ ।—ପ୍ରେରି. ୯:୧-୯, ୧୭-୧୯.

ପାଉଲ ଭୁଲ ସମୟରେ ଖ୍ରୀଷ୍ଟିୟାନ ହେଲେ, ଏପରି ସମୟରେ ଯେବେ କେହି ବି ଏପରି ହେବାର ଆଶା କରି ନ ଥିଲେ । ଯେଉଁ ଗ୍ରୀକ୍‌ ଶବ୍ଦର ଅନୁବାଦ “ଅକାଳଜାତ” କରାଯାଇଛି, ସେ ଶବ୍ଦର ଅର୍ଥ “ସମୟ ପୂର୍ବରୁ ଜନ୍ମ ହୋଇଥିବା ପିଲା” ବି ହୋଇପାରେ । ଦା ଯିରୁଶାଲମ ବାଇବଲରେ ଏହି ପଦ ଏପରି ଲେଖାଅଛି: “ମୋ ଜନ୍ମ ଏପରି ଥିଲା ଯାହା କେହି ଆଶା ବି କରି ନ ଥିଲେ ।” ଆଉ ଧ୍ୟାନ ଦିଅନ୍ତୁ ୧ କରିନ୍ଥୀୟ ୧୫:୮ ପଦରେ ଲେଖାଥିବା କଥା କହିବା ପୂର୍ବରୁ ପାଉଲ କେଉଁ ଲୋକମାନଙ୍କ ବିଷୟରେ କହିଥିଲେ । ସେ ସେହି ଲୋକମାନଙ୍କ ବିଷୟରେ କହିଲେ, ଯେଉଁମାନଙ୍କୁ ଯୀଶୁ ସ୍ୱର୍ଗ ଯିବା ପୂର୍ବରୁ ଦର୍ଶନ ଦେଇଥିଲେ । (୧ କରି. ୧୫:୪-୮) ପାଉଲ କେବେ ବି ଏହା ଭାବି ନ ଥିବେ ଯେ ସେ ଯୀଶୁଙ୍କୁ ଦେଖିବେ, କାରଣ ସେସମୟ ଯାଏ ଯୀଶୁ ସ୍ୱର୍ଗ ଯାଇ ସାରିଥିଲେ । ତଥାପି ତାଙ୍କୁ ଯୀଶୁଙ୍କୁ ଦେଖିବାର ସୁଯୋଗ ମିଳିଲା, କିନ୍ତୁ ସତେ ଯେପରି ‘ଭୁଲ ସମୟରେ ।’

ପାଉଲ ନିଜକୁ ପ୍ରେରିତ ନାମରେ ଖ୍ୟାତ ହେବାକୁ ଅଯୋଗ୍ୟ ମନେ କରୁଥିଲେ । କିଛି ବିଦ୍ୱାନମାନଙ୍କୁ ଲାଗେ ଯେ ପାଉଲଙ୍କ ସମୟରେ ଯେଉଁ ପିଲାମାନେ ସମୟ ପୂର୍ବରୁ ଜନ୍ମ ହେଉଥିଲେ, ସେମାନଙ୍କୁ ନୀଚ ଦୃଷ୍ଟିରେ ଦେଖାଯାଉଥିଲା । ତେଣୁ ଯେବେ ପାଉଲ ନିଜ ବିଷୟରେ ଏପରି କହିଲେ, ତେବେ ହୁଏତ ସେ ନିଜକୁ ବହୁତ ଛୋଟ ବା ଅଯୋଗ୍ୟ ମନେ କରୁଥିଲେ ଓ ତାଙ୍କୁ ଲାଗୁଥିଲା ଯେ ସେ ଯୀଶୁଙ୍କ ପ୍ରେରିତ ହେବାର ଯୋଗ୍ୟ ନୁହନ୍ତି । ଆଉ ଧ୍ୟାନ ଦିଅନ୍ତୁ, ଆଗକୁ ଥିବା ପଦଗୁଡ଼ିକରେ ମଧ୍ୟ ସେ ଏପରି ହିଁ କିଛି କହିଲେ, “କାରଣ ଈଶ୍ୱରଙ୍କ ମଣ୍ଡଳୀକୁ ତାଡ଼ନା କରିଥିବାରୁ ପ୍ରେରିତମାନଙ୍କ ମଧ୍ୟରେ ମୁଁ କ୍ଷୁଦ୍ରତମ, ପୁଣି ପ୍ରେରିତ ନାମରେ ଖ୍ୟାତ ହେବାକୁ ଅଯୋଗ୍ୟ । କିନ୍ତୁ ମୁଁ ଯାହା ହୋଇଅଛି, ତାହା ଈଶ୍ୱରଙ୍କ ଅନୁଗ୍ରହରେ ହୋଇଅଛି ।—୧ କରି. ୧୫:୯, ୧୦.

ଯେପରି ଆମେ ଦେଖିଲୁ, ଯେବେ ପାଉଲ ୧ କରିନ୍ଥୀୟ ୧୫:୮ ପଦରେ ଲେଖାଥିବା କଥା କହିଲେ, ତେବେ ସେ ଏହା କହିବା ପାଇଁ ଚାହୁଁଥିଲେ ଯେ ଯୀଶୁ କିପରି ହଠାତ୍‌ ତାଙ୍କୁ ଦର୍ଶନ ଦେଲେ । କିମ୍ବା ହୁଏତ ସେ ଏପରି କହିବା ପାଇଁ ଚାହୁଁଥିଲେ ଯେ ସେ ଏପରି ସମୟରେ ଖ୍ରୀଷ୍ଟିୟାନ ହେଲେ, ଯେବେ କେହି ବି ଭାବି ନ ଥିଲେ । ସେ ଏହା ବି କହିବା ପାଇଁ ଚାହୁଁଥିଲେ ଯେ ସେ ପ୍ରେରିତ ହେବାର ଯୋଗ୍ୟ ନୁହନ୍ତି । ତାଙ୍କ କହିବାର ଅର୍ଥ ଯାହା ବି ହେଉନା କାହିଁକି, ଗୋଟିଏ କଥା ସ୍ପଷ୍ଟ ଅଟେ ଯେ ଏହି ଦର୍ଶନ ତାଙ୍କ ପାଇଁ ବହୁତ ମହତ୍ତ୍ୱ ରଖୁଥିଲା । ଏଥିରୁ ପାଉଲଙ୍କୁ ବିଶ୍ୱାସ ହୋଇଗଲା ଯେ ଯୀଶୁଙ୍କୁ ସତରେ ଜୀବିତ କରାଯାଇଛି । ଏହି କାରଣରୁ ଯେବେ ସେ ଲୋକମାନଙ୍କୁ କହୁଥିଲେ ଯେ ଯୀଶୁଙ୍କୁ ଜୀବିତ କରାଯାଇଛି, ତେବେ ସେ ପ୍ରାୟ ଏହି ଦର୍ଶନ ବିଷୟରେ କହୁଥିଲେ ।—ପ୍ରେରି. ୨୨:୬-୧୧; ୨୬:୧୩-୧୮.