इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଆପଣଙ୍କ ପ୍ରଶ୍ନ

ଆପଣଙ୍କ ପ୍ରଶ୍ନ

ନୂଆ ଦୁନିଆରେ କେଉଁମାନଙ୍କୁ ଜୀବିତ କରାଯିବ ଓ ସେମାନଙ୍କର ନ୍ୟାୟ କିପରି ହେବ ?

ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା ପାଇଁ ଧ୍ୟାନ ଦିଅନ୍ତୁ ଯେ ବାଇବଲରେ କʼଣ କୁହାଯାଇଛି ।

ପ୍ରେରିତ ୨୪:୧୫ ପଦରେ କୁହାଯାଇଛି ଯେ “ଧାର୍ମିକଅଧାର୍ମିକ ଉଭୟଙ୍କର ପୁନରୁତ୍ଥାନ ହେବ ।” ଧାର୍ମିକ ଲୋକମାନଙ୍କ ମଧ୍ୟରେ ସେହି ଲୋକମାନେ ସାମିଲ୍‌ ଅଛନ୍ତି, ଯେଉଁମାନେ ମୃତ୍ୟୁ ପୂର୍ବରୁ ଯିହୋବାଙ୍କର ବିଶ୍ୱସ୍ତ ଥିଲେ, ତେଣୁ ସେମାନଙ୍କର ନାମ ଜୀବନ ପୁସ୍ତକରେ ଲେଖାଅଛି । (ମଲାଖି ୩:୧୬) ଅଧାର୍ମିକ ଲୋକମାନଙ୍କ ମଧ୍ୟରେ ସେହି ଲୋକମାନେ ସାମିଲ୍‌ ଅଛନ୍ତି, ଯେଉଁମାନଙ୍କୁ ମୃତ୍ୟୁ ପୂର୍ବରୁ ଯିହୋବାଙ୍କୁ ଭଲଭାବେ ଜାଣିବାର ସୁଯୋଗ ମିଳିଲା ନାହିଁ, ତେଣୁ ସେମାନଙ୍କ ନାମ ଜୀବନ ପୁସ୍ତକରେ ଲେଖା ନାହିଁ ।

ଯୋହନ ୫:୨୮, ୨୯ ପଦରେ ମଧ୍ୟ ଏହି “ଧାର୍ମିକ” ଓ “ଅଧାର୍ମିକ” ଲୋକମାନଙ୍କ ବିଷୟରେ କୁହାଯାଇଛି । ସେଇଠି ଲେଖାଅଛି ଯେଉଁମାନେ ସତ୍‌କର୍ମ କରିଅଛନ୍ତି ସେମାନେ ଜୀବନର ପୁନରୁତ୍ଥାନ ନିମନ୍ତେ ଜୀବିତ ହେବେ ଏବଂ ଯେଉଁମାନେ ଅସତ୍‌ କର୍ମ କରିଅଛନ୍ତି ସେମାନେ ନ୍ୟାୟ ପାଇବା ପାଇଁ ଜୀବିତ ହେବେ । ଧାର୍ମିକ ଲୋକମାନେ ମୃତ୍ୟୁ ପୂର୍ବରୁ ସତ୍‌କର୍ମ କରିଥିଲେ, ତେଣୁ ସେମାନଙ୍କ ନାମ ଜୀବନ ପୁସ୍ତକରେ ଲେଖାଅଛି ଏବଂ ସେମାନଙ୍କର ପୁନରୁତ୍ଥାନ ଜୀବନ ପାଇବା ପାଇଁ ହେବ । କିନ୍ତୁ ଅଧାର୍ମିକ ଲୋକମାନେ ମୃତ୍ୟୁ ପୂର୍ବରୁ ଅସତ୍‌ କର୍ମରେ ଲାଗି ରହିଥିଲେ, ତେଣୁ ସେମାନଙ୍କ ନାମ ଜୀବନ ପୁସ୍ତକରେ ଲେଖା ନାହିଁ । ଯେବେ ସେମାନଙ୍କୁ ଜୀବିତ କରାଯିବ, ତେବେ ସେମାନଙ୍କର ନ୍ୟାୟ ହେବ । ସେମାନଙ୍କୁ ଯିହୋବାଙ୍କ ବିଷୟରେ ଶିଖିବାର ସୁଯୋଗ ମିଳିବ ଏବଂ ଏହା ମଧ୍ୟ ଧ୍ୟାନ ଦିଆଯିବ ଯେ ସେମାନଙ୍କର ବ୍ୟବହାର କିପରି ଅଛି । ଯଦି ସେମାନେ ନିଜକୁ ବଦଳାଇବେ, ତେବେ ସେମାନଙ୍କ ନାମ ଜୀବନ ପୁସ୍ତକରେ ଲେଖି ଦିଆଯିବ ।

ପ୍ରକାଶିତ ବାକ୍ୟ ୨୦:୧୨, ୧୩ ପଦରେ କୁହାଯାଇଛି ଯେ ଯେଉଁ ଲୋକମାନଙ୍କୁ ଜୀବିତ କରାଯିବ, ସେ ସମସ୍ତଙ୍କୁ ‘ପୁସ୍ତକମାନଙ୍କରେ ଲିଖିତ ବିଷୟଗୁଡ଼ିକୁ’ ମାନିବାକୁ ହେବ ଅର୍ଥାତ୍‌ ସେହି ସବୁ ଆଇନ-କାନୁନଗୁଡ଼ିକୁ ମାନିବାକୁ ହେବ ଯାହା ଯିହୋବା ନୂଆ ଦୁନିଆରେ ଦେବେ । ଯେଉଁମାନେ ଏଗୁଡ଼ିକୁ ମାନିବେ ନାହିଁ ସେମାନଙ୍କୁ ବିନାଶ କରିଦିଆଯିବ ।—ଯିଶା. ୬୫:୨୦.

ଦାନିୟେଲ ୧୨:୨ ପଦରେ ଭବିଷ୍ୟତବାଣୀ କରାଯାଇଛି ଯେ ଯେଉଁମାନଙ୍କ ମୃତ୍ୟୁ ହୋଇଯାଇଛି, ସେମାନଙ୍କ ମଧ୍ୟରୁ “କେତେକେ ଅନନ୍ତ ଜୀବନ ଓ କେତେକେ ଲଜ୍ଜା ଓ ଅନନ୍ତ ଅବଜ୍ଞା ଭୋଗ ପାଇଁ ଉଠିବେ ।” ଏହି ପଦରେ ସେସମୟ ବିଷୟରେ କୁହାଯାଇଛି, ଯେବେ ଜୀବିତ କରାଯାଇଥିବା ଲୋକମାନଙ୍କର ୧,୦୦୦ ବର୍ଷ ପରେ ନ୍ୟାୟ ହେବ, ସେସମୟରେ କିଛି ଲୋକମାନଙ୍କୁ “ଅନନ୍ତ ଜୀବନ” ମିଳିବ ଆଉ କିଛି ଲୋକମାନଙ୍କୁ “ଅନନ୍ତ ଅବଜ୍ଞା ଭୋଗ” କରିବାକୁ ପଡ଼ିବ, ଅର୍ଥାତ୍‌ ସେମାନଙ୍କୁ ସବୁଦିନ ପାଇଁ ବିନାଶ କରିଦିଆଯିବ ।—ପ୍ରକା. ୨୦:୧୫; ୨୧:୩, ୪.

ଏହି କଥାଗୁଡ଼ିକୁ ବୁଝିବା ପାଇଁ ଗୋଟିଏ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ନୂଆ ଦୁନିଆରେ ଯେଉଁ ଲୋକମାନଙ୍କୁ ଜୀବିତ କରାଯିବ ସେମାନଙ୍କ ତୁଳନା ଏପରି ଲୋକମାନଙ୍କ ସହ କରାଯାଇପାରେ, ଯେଉଁମାନେ ଅନ୍ୟ ଦେଶକୁ ଯିବାକୁ ଚାହାନ୍ତି । ଯେବେ କେହି ଅନ୍ୟ ଦେଶକୁ ଯିବାକୁ ଚାହେଁ, ତେବେ ତାକୁ ସେହି ଦେଶର ସରକାରଠାରୁ ଭିସା ନେବାକୁ ପଡ଼େ । ଭିସା ଅନ୍ୟ ଅନ୍ୟ ପ୍ରକାରର ଥାଏ । କିଛି ଲୋକମାନଙ୍କୁ ଏପରି ଭିସା ମିଳେ, ଯାହାଯୋଗୁଁ ସେମାନେ ସେଠି ରହିପାରନ୍ତି, କାମ କରିପାରନ୍ତି ଆଉ ସେମାନଙ୍କୁ କିଛି ଅଧିକାର ବି ମିଳେ । ନୂଆ ଦୁନିଆରେ ଯେଉଁମାନଙ୍କୁ ଜୀବିତ କରାଯିବ ସେମାନେ ମଧ୍ୟ ଏପରି ଲୋକମାନଙ୍କ ଭଳି ଅଟନ୍ତି । କିନ୍ତୁ କିଛି ଲୋକମାନଙ୍କୁ ଏପରି ଭିସା ମିଳେ, ଯାହାକୁ ବ୍ୟବହାର କରି ସେମାନେ କେବଳ ସେହି ଦେଶରେ ବୁଲିବା ପାଇଁ ଯାଇପାରିବେ । ଯଦି ସେମାନଙ୍କୁ ସେଇଠି ଲମ୍ବା ସମୟ ଯାଏ ରହିବାର ଅଛି, ତେବେ ସେମାନଙ୍କୁ ସେହି ଦେଶର ସରକାରର କିଛି ନିୟମ ମଧ୍ୟ ପାଳନ କରିବାକୁ ପଡ଼େ । ନୂଆ ଦୁନିଆରେ ଯେଉଁ ଅଧାର୍ମିକ ଲୋକମାନଙ୍କୁ ଜୀବିତ କରାଯିବ, ସେମାନେ ଏପରି ଲୋକମାନଙ୍କ ଭଳି ଅଟନ୍ତି । ନୂଆ ଦୁନିଆରେ ସବୁଦିନ ଯାଏ ଜୀବିତ ରହିବା ପାଇଁ ସେମାନଙ୍କୁ ଯିହୋବାଙ୍କର ନିୟମ ପାଳନ କରିବାକୁ ପଡ଼ିବ ଓ ନିଜକୁ ବଦଳାଇବାକୁ ପଡ଼ିବ । ଯଦିଓ କୌଣସି ବ୍ୟକ୍ତିଙ୍କୁ କୌଣସି ଦେଶରେ ଲମ୍ବା ସମୟ କିମ୍ବା କମ୍‌ ସମୟ ଯାଏ ରହିବା ପାଇଁ ଭିସା ମିଳିଯାଇଛି, କିନ୍ତୁ ଯଦି ସେ ସେହି ଦେଶର ନିୟମକୁ ମାନେ ନାହିଁ, ତେବେ ତାକୁ ସେହି ଦେଶରୁ ବାହାର କରାଯାଇପାରେ । କିନ୍ତୁ ଯଦି ସେ ସେଠାକାର ନିୟମ ମାନିବା ଜାରି ରଖେ ଓ ଭଲ ବ୍ୟବହାର କରେ, ତେବେ ସେ ସେଠାକାର ନାଗରିକ ମଧ୍ୟ ହୋଇପାରିବ । ସେହିପରି ଯେଉଁ ଲୋକମାନଙ୍କୁ ନୂଆ ଦୁନିଆରେ ଜୀବିତ କରାଯିବ ସେମାନଙ୍କ ବ୍ୟବହାର ଉପରେ ଧ୍ୟାନ ଦିଆଯିବ ଏବଂ ଏହା ମଧ୍ୟ ଦେଖାଯିବ ଯେ ସେମାନେ ଯିହୋବା ଓ ଯୀଶୁଙ୍କ ଉପରେ ବିଶ୍ୱାସ କରନ୍ତି ନା ନାହିଁ । ଆଉ ତାʼ ଆଧାରରେ ଏହି ନିଷ୍ପତ୍ତି ନିଆଯିବ ଯେ ସେମାନେ ସବୁଦିନ ଯାଏ ନୂଆ ଦୁନିଆରେ ରହିପାରିବେ ନା ନାହିଁ ।

ଯିହୋବା ମଣିଷମାନଙ୍କୁ ବହୁତ ପ୍ରେମ କରନ୍ତି । ତେଣୁ ସେ ଧାର୍ମିକ ଲୋକମାନଙ୍କ ସହିତ ସେହି ଲୋକମାନଙ୍କୁ ବି ଜୀବିତ କରିବେ ଯେଉଁମାନେ ତାଙ୍କ ବିଷୟରେ ଶିଖିପାରିଲେ ନାହିଁ । କିନ୍ତୁ ସେ ନ୍ୟାୟ ବି କରନ୍ତି । ଯେଉଁ ଲୋକମାନେ ତାଙ୍କ ସ୍ତରଗୁଡ଼ିକୁ ମାନିବେ ଓ ତାଙ୍କୁ ପ୍ରେମ କରିବେ, କେବଳ ସେହି ଲୋକମାନେ ହିଁ ନୂଆ ଦୁନିଆରେ ସବୁଦିନ ପାଇଁ ବଞ୍ଚିପାରିବେ ।—ଦ୍ୱିବି. ୩୨:୪; ଗୀତ. ୩୩:୫.