इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୪୦

ଅନେକ ଲୋକଙ୍କୁ ଧର୍ମର ପ୍ରତି ଫେରାଇ ଅଣାଯିବ

ଅନେକ ଲୋକଙ୍କୁ ଧର୍ମର ପ୍ରତି ଫେରାଇ ଅଣାଯିବ

“ଯେଉଁମାନେ ଅନେକଙ୍କୁ ଧର୍ମର ପ୍ରତି ଫେରାଇ ଆଣନ୍ତି, ସେମାନେ ତାରାଗଣର ତୁଲ୍ୟ ଅନନ୍ତ କାଳ ପର୍ଯ୍ୟନ୍ତ ତେଜସ୍ୱୀ ହେବେ ।”—ଦାନି. ୧୨:୩.

ଗୀତ ୧୫୧ ୱାହ ଉନ୍‌ହେ ପୁକାରେଗା

ଲେଖାର ଝଲକ a

୧. ଆମେ କେଉଁ ସମୟର ଉତ୍ସାହର ସହ ଅପେକ୍ଷା କରୁଛୁ ?

 ଭାବନ୍ତୁ, ଯୀଶୁଙ୍କ ହଜାର ବର୍ଷର ଶାସନ ଆରମ୍ଭ ହୋଇସାରିଛି ଓ ଆପଣ ସେସମୟର ଅପେକ୍ଷା କରୁଛନ୍ତି ଯେବେ ଆପଣ ନିଜ ପ୍ରିୟଜନଙ୍କୁ ପୁଣିଥରେ ଭେଟିବେ । ଶେଷରେ ସେହି ଦିନ ଆସି ହିଁ ଯାଏ । ଆପଣ ଏତେ ଖୁସି ଅଛନ୍ତି ଯେ ଆପଣଙ୍କୁ ନିଜ ଆଖି ଉପରେ ଭରସା ହେଉ ନାହିଁ ! ସମସ୍ତେ ନିଜ ପ୍ରିୟଜନଙ୍କୁ ଭେଟୁଛନ୍ତି ଏବଂ ତାଙ୍କୁ ଆଲିଙ୍ଗନ କରୁଛନ୍ତି । ଆମେ ସମସ୍ତେ ସେହି ଦିନର ଉତ୍ସାହର ସହ ଅପେକ୍ଷା କରୁଛୁ । ଯିହୋବା ବି ସେହି ଦିନକୁ ଦେଖିବା ପାଇଁ ଆଗ୍ରହର ସହ ଅପେକ୍ଷା କରୁଛନ୍ତି । (ଆୟୁ. ୧୪:୧୫) ଯଦି ଆପଣ ନିଜ ପ୍ରିୟଜନଙ୍କୁ କିଛି ସମୟ ପୂର୍ବେ ମୃତ୍ୟୁରେ ହରାଇଛନ୍ତି, ତେବେ ହୁଏତ ସେମାନେ ସେହି ଲୋକମାନଙ୍କ ମଧ୍ୟରେ ସାମିଲ୍‌ ଥିବେ ଯେଉଁମାନଙ୍କୁ ପୃଥିବୀରେ ସବୁଠୁ ପ୍ରଥମେ ଜୀବିତ କରାଯିବ । b ଯେପରି ଆମେ ପୂର୍ବ ଲେଖାରେ ଜାଣିଲୁ, “ଧାର୍ମିକ” ଓ “ଅଧାର୍ମିକ” ଦୁଇ ପ୍ରକାରର ଲୋକମାନଙ୍କୁ ଜୀବିତ କରାଯିବ । “ଧାର୍ମିକ” ଲୋକମାନଙ୍କର ନାମ ଜୀବନ ପୁସ୍ତକରେ ଅଛି, ତେଣୁ “ସେମାନେ ଜୀବନର ପୁନରୁତ୍ଥାନ ନିମନ୍ତେ” ଜୀବିତ କରାଯିବେ । କିନ୍ତୁ “ଅଧାର୍ମିକ” ଲୋକମାନଙ୍କ ମଧ୍ୟରେ ସେହି ଲୋକମାନେ ସାମିଲ୍‌ ଅଛନ୍ତି ଯେଉଁମାନଙ୍କୁ ଯିହୋବାଙ୍କ ବିଷୟରେ ଭଲଭାବେ ଜାଣିବା ପାଇଁ କିମ୍ବା ତାଙ୍କ ସେବା କରିବା ପାଇଁ ସୁଯୋଗ ମିଳିଲା ନାହିଁ । ତେଣୁ ସେମାନଙ୍କର ନ୍ୟାୟ ପାଇବା ପାଇଁ ପୁନରୁତ୍ଥାନ ହେବ ।—ପ୍ରେରି. ୨୪:୧୫; ଯୋହ. ୫:୨୯.

୨-୩. (କ) ଯିଶାଇୟ ୧୧:୯, ୧୦ ପଦ ଅନୁସାରେ କେଉଁ କାମ ବହୁତ ମାତ୍ରାରେ କରାଯିବ ? (ଖ) ଏହି ଲେଖାରେ ଆମେ କʼଣ ଚର୍ଚ୍ଚା କରିବା ?

ଯେଉଁମାନଙ୍କୁ ଜୀବିତ କରାଯିବ, ସେମାନଙ୍କୁ ବହୁତ କିଛି ଜାଣିବାକୁ ପଡ଼ିବ । (ଯିଶା. ୨୬:୯; ୬୧:୧୧) ତେଣୁ ସମସ୍ତଙ୍କୁ ଅନେକ କଥା ଶିଖାଇ ଦିଆଯିବ । ଦୁନିଆରେ ପ୍ରଥମ ଥର ଏତେ ବଡ଼ ମାତ୍ରାରେ ଲୋକମାନଙ୍କୁ ଶିଖାଇ ଦିଆଯିବ । (ଯିଶାଇୟ ୧୧:୯, ୧୦ ପଢ଼ନ୍ତୁ ।) ଯେଉଁ “ଅଧାର୍ମିକ” ଲୋକମାନଙ୍କୁ ଜୀବିତ କରାଯିବ, ସେମାନଙ୍କୁ ଯୀଶୁ, ଈଶ୍ୱରଙ୍କ ରାଜ୍ୟ ଓ ମୁକ୍ତିର ମୂଲ୍ୟ ବିଷୟରେ ଶିଖିବାକୁ ପଡ଼ିବ । ସେମାନଙ୍କୁ ଏହା ବି ଶିଖିବାକୁ ହେବ ଯେ ଈଶ୍ୱରଙ୍କ ନାମକୁ ପବିତ୍ର କରାଯିବା କେତେ ଜରୁରୀ ଅଟେ ଆଉ କେବଳ ତାଙ୍କୁ ହିଁ ପୂରା ପୃଥିବୀରେ ଶାସନ କରିବାର ଅଧିକାର ଅଛି । ଯେଉଁ “ଧାର୍ମିକ” ଲୋକମାନଙ୍କୁ ଜୀବିତ କରାଯିବ, ସେମାନଙ୍କୁ ବି ବହୁତ କିଛି ଶିଖିବାକୁ ପଡ଼ିବ । ସେମାନଙ୍କୁ ଜାଣିବାକୁ ହେବ ଯେ ଯିହୋବା ପୃଥିବୀ ପାଇଁ ନିଜ ଉଦ୍ଦେଶ୍ୟ ବିଷୟରେ କʼଣ କʼଣ କହିଛନ୍ତି । ଏପରି ଅନେକ ବିଶ୍ୱସ୍ତ ସେବକମାନଙ୍କୁ ବି ଜୀବିତ କରାଯିବ, ଯେଉଁମାନଙ୍କର ମୃତ୍ୟୁ ବାଇବଲ ଲେଖାଯିବା ପୂର୍ବରୁ ହୋଇ ଯାଇଥିଲା । ଏହି ଲୋକମାନଙ୍କୁ ବି ବହୁତ କିଛି ଶିଖିବାକୁ ହେବ ।

ଏହି ଲେଖାରେ ଆମେ ଦୁଇଟି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା: ଏତେ ମାତ୍ରାରେ ଶିଖାଇବାର କାମ କିପରି କରାଯିବ ? ଓ ଯେଉଁ ଲୋକମାନଙ୍କୁ ଶିଖାଇ ଦିଆଯିବ, କʼଣ ସେହି ସମସ୍ତଙ୍କ ନାମ ଜୀବନ ପୁସ୍ତକରେ ସବୁଦିନ ପାଇଁ ଲେଖାଯିବ ? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା ପାଇଁ ଆମେ ଦାନିୟେଲ ଓ ପ୍ରକାଶିତ ବାକ୍ୟ ବହିରେ ଲେଖାଥିବା ଭବିଷ୍ୟତବାଣୀଗୁଡ଼ିକ ଉପରେ ଧ୍ୟାନ ଦେବା । ଏହି ଭବିଷ୍ୟତବାଣୀଗୁଡ଼ିକ ଉପରେ ଚର୍ଚ୍ଚା କଲେ ଆମେ ବୁଝିପାରିବା ଯେ ଦାନିୟେଲର ବହିରେ ମୃତ୍ୟୁ ହୋଇଯାଇଥିବା ଲୋକଙ୍କୁ ଜୀବିତ କରାଯିବା ବିଷୟରେ ଯେଉଁ ଭବିଷ୍ୟତବାଣୀ କରାଯାଇଛି, ସେବିଷୟରେ ଆମେ ଆଗରୁ ଯାହା ମାନୁଥିଲୁ ସେଥିରେ କʼଣ ପରିବର୍ତ୍ତନ ହୋଇଛି । ଏହା ସତ ଯେ ଏସବୁ ଭବିଷ୍ୟତରେ ହେବ, କିନ୍ତୁ ଆମେ ଜାଣିବା ଯେ ଆଜି ମଧ୍ୟ ଏହି କଥାଗୁଡ଼ିକ ଉପରେ ଧ୍ୟାନ ଦେବା କାହିଁକି ଜରୁରୀ ଅଟେ । ତେଣୁ ଆସନ୍ତୁ ସବୁଠୁ ପ୍ରଥମେ ଦାନିୟେଲ ୧୨:୧, ୨ ପଦରେ ଲେଖାଥିବା ଭବିଷ୍ୟତବାଣୀ ଉପରେ ଚର୍ଚ୍ଚା କରିବା ।

‘ଧୂଳିରେ ଯେଉଁମାନେ ଶୟନ କରନ୍ତି, ସେମାନେ ଜାଗି ଉଠିବେ’

୪-୫. ଦାନିୟେଲ ୧୨:୧ ପଦରେ ଶେଷ କାଳ ବିଷୟରେ କʼଣ କୁହାଯାଇଛି ?

ଦାନିୟେଲ ୧୨:୧ ପଢ଼ନ୍ତୁ । ଦାନିୟେଲଙ୍କ ବହିରୁ ଜଣାପଡ଼େ ଯେ ଶେଷ କାଳରେ ଗୋଟିଏ ପରେ ଗୋଟିଏ କେଉଁ କେଉଁ ରୋମାଞ୍ଚକ ଘଟଣାଗୁଡ଼ିକ ଘଟିବ । ଦାନିୟେଲ ୧୨:୧ ପଦରେ ମୀଖାୟେଲ ଅର୍ଥାତ୍‌ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ କୁହାଯାଇଛି ଯେ ସେ ‘ଈଶ୍ୱରଙ୍କ ଲୋକମାନଙ୍କ ସାହାଯ୍ୟକାରୀ ଭାବେ ଠିଆ ହେବେ ।’ ଏକଥା ୧୯୧୪ ରେ ପୂରା ହେବାକୁ ଲାଗିଲା ଯେବେ ଯୀଶୁ ସ୍ୱର୍ଗରେ ଈଶ୍ୱରଙ୍କ ରାଜ୍ୟର ରାଜା ହେଲେ ।

ଦାନିୟେଲଙ୍କୁ ଏହା ବି କୁହାଯାଇଥିଲା ଯେ “ମନୁଷ୍ୟ ଗୋଷ୍ଠୀର ସ୍ଥିତିକାଳଠାରୁ ସେସମୟ ପର୍ଯ୍ୟନ୍ତ ଯେଉଁ ପ୍ରକାର ସଂକଟର କାଳ କେବେ ହୋଇ ନାହିଁ ଏପରି ସଙ୍କଟର କାଳ ଉପସ୍ଥିତ ହେବ” ଓ ସେସମୟରେ ଯୀଶୁ “ଠିଆ ହେବେ ।” ଏହାର ଅର୍ଥ କʼଣ ? ‘ଏହି ସଙ୍କଟର କାଳ’ ପ୍ରକୃତରେ “ମହାକ୍ଳେଶ” ଅଟେ ଯାହା ବିଷୟରେ ମାଥିଉ ୨୪:୨୧ ପଦରେ କୁହାଯାଇଛି । ଆଉ ଯେବେ ଯୀଶୁ ସଙ୍କଟର କାଳରେ ଠିଆ ହେବେ, ତାʼ ଅର୍ଥ ହେଉଛି ଯେ ସେ ମହାକ୍ଳେଶର ଶେଷରେ ଅର୍ଥାତ୍‌ ହର୍ମିଗିଦ୍ଦୋନ୍‌ ସମୟରେ ଈଶ୍ୱରଙ୍କ ଲୋକମାନଙ୍କର ରକ୍ଷା କରିବେ । ଯେଉଁ ଲୋକମାନଙ୍କୁ ଯୀଶୁ ରକ୍ଷା କରିବେ, ସେମାନଙ୍କୁ ପ୍ରକାଶିତ ବାକ୍ୟ ବହିରେ “ମହା ଜନତା” କୁହାଯାଇଛି ଓ ସେମାନଙ୍କ ବିଷୟରେ କୁହାଯାଇଛି ଯେ ସେମାନେ “ମହାକ୍ଳେଶରୁ ବାହାରି ଆସିଅଛନ୍ତି ।”—ପ୍ରକା. ୭:୯, ୧୪.

୬. ଯେବେ ମହା ଜନତାର ଲୋକମାନେ ମହାକ୍ଳେଶରୁ ରକ୍ଷା ପାଇବେ, ତାʼପରେ କʼଣ ହେବ ? ବୁଝାନ୍ତୁ । (ପୃଥିବୀରେ କେଉଁମାନଙ୍କୁ ଜୀବିତ କରାଯିବ ଓ ସେମାନଙ୍କର ନ୍ୟାୟ କିପରି ହେବ, ଏବିଷୟରେ ଅଧିକ ଜାଣିବା ପାଇଁ ପ୍ରହରୀଦୁର୍ଗର ଏହି ସଂଖ୍ୟାରେ ଦିଆଯାଇଥିବା ଲେଖା “ଆପଣଙ୍କ ପ୍ରଶ୍ନ” ମଧ୍ୟ ଦେଖନ୍ତୁ ।)

ଦାନିୟେଲ ୧୨:୨ ପଢ଼ନ୍ତୁ । ଯେବେ ମହା ଜନତା ସଂକଟର ସେହି କାଳରୁ ରକ୍ଷା ପାଇ ବାହାରି ଯିବ, ତାʼପରେ କʼଣ ହେବ ? ଯେପରି ପଦରେ କୁହାଯାଇଛି, “ଯେଉଁମାନେ ଶୟନ କରନ୍ତି, ସେମାନଙ୍କ ମଧ୍ୟରୁ ଅନେକେ ଜାଗି ଉଠିବେ ।” ଆଗରୁ ଆମେ ମାନୁଥିଲୁ ଯେ ଏହି ପଦରେ ଶେଷ କାଳରେ ଯିହୋବାଙ୍କ ଲୋକମାନଙ୍କର ଲାକ୍ଷଣିକ ଭାବରେ ଜୀବିତ ହେବା ବିଷୟରେ କୁହାଯାଇଛି, ଅର୍ଥାତ୍‌ ସେସମୟରେ ଯେବେ ୧୯୧୮ ମସିହାରେ ହୋଇଥିବା ବିରୋଧ ପରେ ସେମାନେ ପୁଣିଥରେ ଉତ୍ସାହର ସହ ପ୍ରଚାର କରିବାକୁ ଲାଗିଲେ । c କିନ୍ତୁ ଏହି ପଦ ବିଷୟରେ ଆମେ ଆଗରୁ ଯାହା ମାନୁଥିଲୁ, ସେଥିରେ ଏବେ ପରିବର୍ତ୍ତନ ହୋଇଛି । ଏବେ ଆମେ ମାନୁ ଯେ ଏଠାରେ ନୂଆ ଦୁନିଆରେ ମୃତ୍ୟୁ ହୋଇଯାଇଥିବା ଲୋକମାନଙ୍କର ଜୀବିତ ହେବା ବିଷୟରେ କୁହାଯାଇଛି । ଏହି ପରିବର୍ତ୍ତନର କାରଣ କʼଣ ? ଧ୍ୟାନ ଦିଅନ୍ତୁ, ଦାନିୟେଲ ୧୨:୨ ପଦରେ ସେହି ଲୋକମାନଙ୍କ ବିଷୟରେ କୁହାଯାଇଛି ଯେଉଁମାନେ “ଧୂଳିରେ” ମିଶି ଯାଇଛନ୍ତି । ତାʼସହ ଥରେ ଯେବେ ଆୟୁବ ନିଜ ମୃତ୍ୟୁ ବିଷୟରେ କହୁଥିଲେ, ତେବେ ସେ ମଧ୍ୟ “ଧୂଳିରେ” ମିଶିଯିବା ବା “ପାତାଳ” ଅର୍ଥାତ୍‌ କବର ବିଷୟରେ କହିଲେ । (ଆୟୁ. ୧୭:୧୬) ଏଥିରୁ ଆମେ ବୁଝିପାରୁ ଯେ ଦାନିୟେଲ ୧୨:୨ ପଦରେ ସେହି ଲୋକମାନଙ୍କ ଜୀବିତ ହେବା ବିଷୟରେ କୁହାଯାଇଛି, ଯେଉଁମାନଙ୍କ ସତରେ ମୃତ୍ୟୁ ହୋଇଯାଇଛି ଓ ଯେଉଁମାନଙ୍କୁ ଶେଷ କାଳ ଶେଷ ହେବା ପରେ ଓ ହର୍ମିଗିଦ୍ଦୋନ୍‌ ଯୁଦ୍ଧ ପରେ ଜୀବିତ କରାଯିବ ।

୭. (କ) କିଛି ଲୋକମାନଙ୍କୁ “ଅନନ୍ତ ଜୀବନ” ପାଇଁ ଜୀବିତ କରାଯିବ, ତାʼ ଅର୍ଥ କʼଣ ? (ଖ) ସେମାନେ “ଉତ୍କୃଷ୍ଟତର” ଭାବେ ଜୀବିତ ହେବେ, ତାʼ ଅର୍ଥ କʼଣ ?

ଦାନିୟେଲ ୧୨:୨ ପଦରେ ଲେଖାଅଛି ଯେ କିଛି ଲୋକମାନଙ୍କୁ “ଅନନ୍ତ ଜୀବନ” ପାଇଁ ଜୀବିତ କରାଯିବ । ଏହାର ଅର୍ଥ କʼଣ ଅଟେ ? ହଜାର ବର୍ଷର ଶାସନ ସମୟରେ ବହୁତ ଲୋକଙ୍କୁ ଜୀବିତ କରାଯିବ, କିନ୍ତୁ ସେ ମଧ୍ୟରୁ ଯେଉଁମାନେ ଯିହୋବା ଓ ଯୀଶୁଙ୍କ ବିଷୟରେ ଶିଖିବା ଜାରି ରଖିବେ ଓ ତାଙ୍କ ଆଜ୍ଞା ମାନିବେ, ସେମାନଙ୍କୁ ହିଁ ଅନନ୍ତ ଜୀବନ ମିଳିବ । (ଯୋହ. ୧୭:୩) ବାଇବଲରେ ଏହା ବି ଲେଖାଅଛି ଯେ ଏହି ଲୋକମାନେ “ଉତ୍କୃଷ୍ଟତର” ବା ଉତ୍ତମ ଭାବେ ଜୀବିତ କରାଯିବେ । (ଏବ୍ରୀ ୧୧:୩୫) କାରଣ ଯେଉଁ ଲୋକମାନଙ୍କୁ ପୂର୍ବେ ଜୀବିତ କରାଯାଇଥିଲା, ସେମାନଙ୍କ ପୁଣି ମୃତ୍ୟୁ ହୋଇଗଲା । କିନ୍ତୁ ଯେବେ ନୂଆ ଦୁନିଆରେ ଲୋକମାନଙ୍କୁ ଜୀବିତ କରାଯିବ ଓ ସେମାନେ ଯିହୋବାଙ୍କ ବିଷୟରେ ଶିଖିବା ଜାରି ରଖିବେ, ତେବେ ସେମାନେ ପୁଣି କେବେ ବି ମରିବେ ନାହିଁ, ବରଂ ସବୁଦିନ ଯାଏ ବଞ୍ଚିବେ ।

୮. “କେତେକେ ଲଜ୍ଜା ଓ ଅନନ୍ତ ଅବଜ୍ଞା ଭୋଗ ପାଇଁ ଉଠିବେ” ତାʼର ଅର୍ଥ କʼଣ ?

ଦାନିୟେଲଙ୍କ ଭବିଷ୍ୟତବାଣୀରେ ଏହା ବି କୁହାଯାଇଛି ଯେ “କେତେକେ ଅନନ୍ତ ଜୀବନ ଓ କେତେକେ ଲଜ୍ଜା ଓ ଅନନ୍ତ ଅବଜ୍ଞା ଭୋଗ ପାଇଁ ଉଠିବେ ।” ଏହାର ଅର୍ଥ କʼଣ ? ଯେବେ ନୂଆ ଦୁନିଆରେ ଲୋକମାନଙ୍କୁ ଶିଖାଇ ଦିଆଯିବ, ତେବେ ସମସ୍ତେ ଶିଖିବେ ନାହିଁ । ଯେଉଁ ଲୋକମାନେ ଯିହୋବାଙ୍କ ବ୍ୟବସ୍ଥାକୁ ମାନିବେ ନାହିଁ ଓ ନିଜକୁ ବଦଳାଇବେ ନାହିଁ, ତାଙ୍କ ନାମ ଜୀବନ ପୁସ୍ତକରେ ଲେଖାଯିବ ନାହିଁ ଓ ତାଙ୍କୁ ଅନନ୍ତ ଜୀବନ ମଧ୍ୟ ମିଳିବ ନାହିଁ । ତାʼ ପରିବର୍ତ୍ତେ ଏପରି ଲୋକମାନଙ୍କୁ “ଅନନ୍ତ ଅବଜ୍ଞା” ଭୋଗ କରିବାକୁ ପଡ଼ିବ ଅର୍ଥାତ୍‌ ସେମାନଙ୍କର ସବୁଦିନ ପାଇଁ ବିନାଶ କରି ଦିଆଯିବ । ତେଣୁ ଆମେ କହିପାରିବା ଯେ ଦାନିୟେଲ ୧୨:୨ ପଦରେ କୁହାଯାଇଛି ଯେ ଜୀବିତ ହେବା ପରେ ଲୋକମାନେ ଯେପରି କାମ କରିବେ, ତାʼ ଆଧାରରେ ତାଙ୍କର ନ୍ୟାୟ କରାଯିବ । d (ପ୍ରକା. ୨୦:୧୨) କିଛି ଲୋକମାନଙ୍କୁ ଅନନ୍ତ ଜୀବନ ମିଳିବ ଓ କିଛି ଲୋକମାନଙ୍କୁ ସବୁଦିନ ପାଇଁ ବିନାଶ କରି ଦିଆଯିବ ।

‘ସେମାନେ ଅନେକଙ୍କୁ ଧର୍ମର ପ୍ରତି ଫେରାଇ ଆଣିବେ’

୯-୧୦. ଦାନିୟେଲ ୧୨:୩ ପଦ ଅନୁସାରେ ମହାକ୍ଳେଶ ପରେ ଆଉ କʼଣ ହେବ ? ବୁଝାନ୍ତୁ ।

ଦାନିୟେଲ ୧୨:୩ ପଢ଼ନ୍ତୁ । ଦାନିୟେଲ ୧୨:୨ ପଦ ଭଳି ୩ ପଦରେ ମଧ୍ୟ କିଛି କଥାଗୁଡ଼ିକ ବିଷୟରେ କୁହାଯାଇଛି ଯାହା ମହାକ୍ଳେଶ ପରେ ହେବ ।

୧୦ ପଦରେ କୁହାଯାଇଛି ଯେ କିଛି ଲୋକ ‘ଆକାଶର ଦୀପ୍ତିର ତୁଲ୍ୟ ହେବେ ।’ ଏହି ଲୋକମାନେ କିଏ ? ଏହାର ଉତ୍ତର ଆମକୁ ମାଥିଉ ୧୩ ଅଧ୍ୟାୟରେ ମିଳେ । ମାଥିଉ ୧୩:୩୮ ପଦରେ ଯୀଶୁ ‘ରାଜ୍ୟର ସନ୍ତାନମାନଙ୍କ’ ଅର୍ଥାତ୍‌ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କ ବିଷୟରେ କହିଲେ, ଯେଉଁମାନେ ତାଙ୍କ ସହ ସ୍ୱର୍ଗରେ ଶାସନ କରିବେ । ତାʼପରେ ୪୩ ପଦରେ ସେ କହିଲେ, “ସେତେବେଳେ ଧାର୍ମିକମାନେ ସେମାନଙ୍କ ପିତାଙ୍କ ରାଜ୍ୟରେ ସୂର୍ଯ୍ୟ ପରି ତେଜୋମୟ ଦେଖାଯିବେ ।” ତେଣୁ ଆମେ କହିପାରିବା ଯେ ଦାନିୟେଲ ୧୨:୩ ପଦରେ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କ ବିଷୟରେ କୁହାଯାଇଛି ଓ ସେହି କାମ ବିଷୟରେ କୁହାଯାଇଛି ଯାହା ସେମାନେ ହଜାର ବର୍ଷର ଶାସନ ସମୟରେ କରିବେ । 

ହଜାର ବର୍ଷର ଶାସନ ସମୟରେ ଯେବେ ଲୋକମାନଙ୍କୁ ଶିଖାଇ ଦିଆଯିବ, ତେବେ ୧,୪୪,୦୦୦ ଜଣ ଅଭିଷିକ୍ତ ଖ୍ରୀଷ୍ଟିୟାନ ଯୀଶୁଙ୍କ ସହ ମିଶି ଏହି କାମର ନେତୃତ୍ୱ ନେବେ (ପାରାଗ୍ରାଫ ୧୧) 

୧୧-୧୨. ହଜାର ବର୍ଷର ଶାସନ ସମୟରେ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ କʼଣ କରିବେ ? 

୧୧ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ କିପରି “ଅନେକଙ୍କୁ ଧର୍ମର ପ୍ରତି ଫେରାଇ” ଆଣିବେ ? ହଜାର ବର୍ଷର ଶାସନ ସମୟରେ ଯେବେ ସାରା ଦୁନିଆରେ ଲୋକମାନଙ୍କୁ ବହୁତ ମାତ୍ରାରେ ଶିଖାଇ ଦିଆଯିବ, ସେତେବେଳେ ୧,୪୪,୦୦୦ ଜଣ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ଯୀଶୁଙ୍କ ସହ ମିଶି ଏହି କାମର ନେଦୃତ୍ୱ ନେବେ । ସେମାନେ କେବଳ ରାଜା ଭାବେ ଶାସନ କରିବେ ନାହିଁ, ବରଂ ଯାଜକ ଭାବେ ମଧ୍ୟ ସେବା କରିବେ । (ପ୍ରକା. ୧:୬; ୫:୧୦; ୨୦:୬) ସେମାନେ ଯାଜକ ଭାବେ ‘ଜାତି ସମୂହକୁ ଆରୋଗ୍ୟ କରିବା’ ପାଇଁ ସାହାଯ୍ୟ କରିବେ, ଅର୍ଥାତ୍‌ ମଣିଷମାନଙ୍କୁ ଧୀରେ ଧୀରେ ପରିପୂର୍ଣ୍ଣ ହେବା ପାଇଁ ସାହାଯ୍ୟ କରିବେ । (ପ୍ରକା. ୨୨:୧, ୨; ଯିହି. ୪୭:୧୨) ଏହି କାମରେ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ବହୁତ ଖୁସି ମିଳିବ । 

୧୨ କିନ୍ତୁ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ କେଉଁମାନଙ୍କୁ ଧର୍ମ ପ୍ରତି ଫେରାଇ ଆଣିବେ ? ସେହି ଲୋକମାନଙ୍କୁ ଯେଉଁମାନଙ୍କୁ ନୂଆ ଦୁନିଆରେ ଜୀବିତ କରାଯିବ, ଯେଉଁମାନେ ହର୍ମିଗିଦ୍ଦୋନ୍‌ରୁ ରକ୍ଷା ପାଇବେ, ଆଉ ଯେଉଁ ପିଲାମାନେ ନୂଆ ଦୁନିଆରେ ଜନ୍ମ ହେବେ । ହଜାର ବର୍ଷର ଶାସନ ଶେଷ ହେଉ ହେଉ ସବୁ ମଣିଷ ପରିପୂର୍ଣ୍ଣ ହୋଇଯାଇଥିବେ । ତାହେଲେ ସେମାନଙ୍କ ନାମ ଜୀବନ ପୁସ୍ତକରେ ସବୁଦିନ ପାଇଁ କେବେ ଲେଖାଯିବ ? 

ଶେଷ ପରୀକ୍ଷା

୧୩-୧୪. ପୃଥିବୀରେ ଅନନ୍ତ ଜୀବନ ପାଇବା ପାଇଁ ସବୁ ପରିପୂର୍ଣ୍ଣ ଲୋକମାନଙ୍କୁ କʼଣ କରିବାକୁ ହେବ ?

୧୩ ମନେ ରଖନ୍ତୁ, ଅନନ୍ତ ଜୀବନ ପାଇବା ପାଇଁ ଜଣେ ବ୍ୟକ୍ତି କେବଳ ପରିପୂର୍ଣ୍ଣ ହେବା ଯଥେଷ୍ଟ ନୁହେଁ । ଟିକେ ଆଦମ ଓ ହବା ବିଷୟରେ ଭାବନ୍ତୁ । ସେମାନେ ପରିପୂର୍ଣ୍ଣ ଥିଲେ, କିନ୍ତୁ ସେମାନେ ଯିହୋବାଙ୍କ ଆଜ୍ଞା ମାନିଲେ ନାହିଁ, ତେଣୁ ସେମାନଙ୍କୁ ଅନନ୍ତ ଜୀବନ ମିଳିଲା ନାହିଁ । (ରୋମୀ. ୫:୧୨) ଏହାର ଅର୍ଥ ଜଣେ ପରିପୂର୍ଣ୍ଣ ବ୍ୟକ୍ତିକୁ ମଧ୍ୟ ଯିହୋବାଙ୍କ ଆଜ୍ଞା ମାନିବାକୁ ହେବ ଓ ପ୍ରମାଣିତ କରିବାକୁ ପଡ଼ିବ ଯେ ସେ ତାଙ୍କ ବିଶ୍ୱସ୍ତ ଅଟେ । ତାହେଲେ ହିଁ ତାକୁ ଅନନ୍ତ ଜୀବନ ମିଳିବ । 

୧୪ ଯେପରି ଆମେ ଦେଖିଲୁ ହଜାର ବର୍ଷର ଶାସନ ଶେଷ ହେଉ ହେଉ ସବୁ ଲୋକମାନେ ପରିପୂର୍ଣ୍ଣ ହୋଇସାରିଥିବେ । କିନ୍ତୁ କʼଣ ସେମାନେ ସମସ୍ତେ ଆଗକୁ ମଧ୍ୟ ଯିହୋବାଙ୍କ ଶାସନକୁ ସହଯୋଗ କରିବା ଜାରି ରଖିବେ ? ନା ସେମାନଙ୍କ ମଧ୍ୟରୁ କିଛି ଲୋକମାନେ ଆଦମ ଓ ହବା ଭଳି ହୋଇଯିବେ ଯେଉଁମାନେ ପରିପୂର୍ଣ୍ଣ ଥିବା ସତ୍ତ୍ୱେ ଯିହୋବାଙ୍କ ଆଜ୍ଞା ମାନି ନ ଥିଲେ ? ହଜାର ବର୍ଷର ଶାସନ ପରେ କିଛି ଏପରି ହେବ ଯେଉଁଥିରୁ ଏହା ସ୍ପଷ୍ଟ ହୋଇଯିବ ଯେ କିଏ ବିଶ୍ୱସ୍ତ ରହିବ ଓ କିଏ ବିଶ୍ୱସ୍ତ ରହିବ ନାହିଁ । 

୧୫-୧୬. (କ) ସବୁ ଲୋକମାନଙ୍କୁ କେବେ ଏହା ଦେଖାଇବାର ସୁଯୋଗ ମିଳିବ ଯେ ସେମାନେ ଯିହୋବାଙ୍କ ବିଶ୍ୱସ୍ତ ଅଟନ୍ତି ? (ଖ) ଶେଷ ପରୀକ୍ଷା ପରେ କʼଣ ହେବ ? 

୧୫ ହଜାର ବର୍ଷର ଶାସନ ସମୟରେ ଶୟତାନକୁ ବନ୍ଦୀ କରି ଦିଆଯିବ ଓ ସେ ଲୋକମାନଙ୍କର କିଛି କ୍ଷତି କରିପାରିବ ନାହିଁ । କିନ୍ତୁ ହଜାର ବର୍ଷ ଶେଷ ହେବା ପରେ ତାକୁ ମୁକ୍ତ କରାଯିବ ଓ ସେ ଲୋକମାନଙ୍କୁ ଭ୍ରାନ୍ତ କରିବା ପାଇଁ ଚେଷ୍ଟା କରିବ । ସେହି ପରୀକ୍ଷା ସମୟରେ ସବୁ ପରିପୂର୍ଣ୍ଣ ମଣିଷମାନଙ୍କ ପାଖରେ ଏହା ଦେଖାଇବାର ସୁଯୋଗ ଥିବ ଯେ ସେମାନେ ଯିହୋବାଙ୍କ ନାମର ଆଦର ଓ ତାଙ୍କ ଶାସନକୁ ସହଯୋଗ କରନ୍ତି ନା ନାହିଁ । (ପ୍ରକା. ୨୦:୭-୧୦) ସେସମୟରେ ସେହି ଲୋକମାନେ ଯାହା କରିବେ ତାହାର ଆଧାରରେ ଏହି ନିଷ୍ପତ୍ତି ନିଆଯିବ ଯେ ସେମାନଙ୍କ ନାମ ଜୀବନ ପୁସ୍ତକରେ ସବୁଦିନ ପାଇଁ ଲେଖାଯିବ ନା ନାହିଁ । 

୧୬ କିଛି ଲୋକମାନେ ଆଦମ ଓ ହବା ଭଳି ବିଶ୍ୱସ୍ତ ରହିବେ ନାହିଁ ଓ ଯିହୋବାଙ୍କ ଶାସନର ସହଯୋଗ କରିବେ ନାହିଁ । ସେମାନଙ୍କର କʼଣ ହେବ ? ସେମାନଙ୍କୁ ସବୁଦିନ ପାଇଁ ବିନାଶ କରିଦିଆଯିବ । ପ୍ରକାଶିତ ବାକ୍ୟ ୨୦:୧୫ ପଦରେ ଲେଖାଅଛି, “ଯାହାର ନାମ ଜୀବନ ପୁସ୍ତକରେ ଲେଖା ହୋଇଥିବାର ଦେଖା ନ ଗଲା, ତାହାକୁ ଅଗ୍ନିମୟ ହ୍ରଦରେ ପକାଗଲା ।” ଆମେ ଏହା ତ ଜାଣିନୁ ଯେ ସେହି ଶେଷ ପରୀକ୍ଷାରେ କେତେ ଲୋକ ଯିହୋବାଙ୍କ ବିରୁଦ୍ଧରେ ଯିବେ, କିନ୍ତୁ ଆମେ ଏହା ନିଶ୍ଚୟ କହିପାରିବା ଯେ ଅଧିକାଂଶ ଲୋକମାନେ ଯିହୋବାଙ୍କ ବିଶ୍ୱସ୍ତ ରହିବେ । ଆଉ ତାʼପରେ ସେହି ବିଶ୍ୱସ୍ତ ଲୋକମାନଙ୍କର ନାମ ଜୀବନ ପୁସ୍ତକରେ ସବୁଦିନ ପାଇଁ ଲେଖି ଦିଆଯିବ । 

‘ଶେଷ କାଳରେ’ କʼଣ ହେବ ? 

୧୭. ଶେଷ କାଳ ବିଷୟରେ ଦାନିୟେଲଙ୍କୁ କʼଣ କୁହାଗଲା ? (ଦାନିୟେଲ ୧୨:୪, ୮-୧୦)

୧୭ ଆମେ ସେସମୟର ଉତ୍ସାହର ସହ ଅପେକ୍ଷା କରୁଛୁ, ଯେବେ ସେହି ସବୁ ଭବିଷ୍ୟତବାଣୀଗୁଡ଼ିକ ପୂରା ହେବ । କିନ୍ତୁ ଦାନିୟେଲର ବହିରେ କେବଳ ଭବିଷ୍ୟତ ବିଷୟରେ ନୁହେଁ, ବରଂ “ଶେଷ କାଳ” ବିଷୟରେ ବି ଅର୍ଥାତ୍‌ ଆମ ସମୟ ବିଷୟରେ ବି କିଛି ଜରୁରୀ କଥା କୁହାଯାଇଛି । (ଦାନିୟେଲ ୧୨:୪, ୮-୧୦ ପଢ଼ନ୍ତୁ; ୨ ତୀମ. ୩:୧-୫) ସ୍ୱର୍ଗଦୂତ ଦାନିୟେଲକୁ କହିଲେ ଯେ ଶେଷ କାଳରେ ‘ସତ୍ୟ ଜ୍ଞାନର ବୃଦ୍ଧି ହେବ ।’ ତାʼ ଅର୍ଥ ଶେଷ କାଳରେ ଈଶ୍ୱରଙ୍କ ଲୋକମାନେ ବାଇବଲରେ ଲେଖାଥିବା ଭବିଷ୍ୟତବାଣୀଗୁଡ଼ିକୁ ଆହୁରି ଭଲଭାବେ ବୁଝିପାରନ୍ତେ, ଏପରିକି ଦାନିୟେଲର ବହିରେ ଲେଖାଥିବା ଭବିଷ୍ୟତବାଣୀଗୁଡ଼ିକୁ ମଧ୍ୟ । ତାʼପରେ ସ୍ୱର୍ଗଦୂତ ଦାନିୟେଲକୁ ଏହା ବି କହିଲେ ଯେ ‘ଦୁଷ୍ଟମାନେ ଦୁଷ୍ଟାଚରଣ କରିବେ ଓ ଦୁଷ୍ଟମାନଙ୍କ ମଧ୍ୟରୁ କେହି ବି ସେହି କଥାଗୁଡ଼ିକୁ ବୁଝିବେ ନାହିଁ ।’ 

୧୮. ଖୁବ୍‌ ଶୀଘ୍ର ଦୁଷ୍ଟ ଲୋକମାନଙ୍କର କʼଣ ହେବ ?   

୧୮ ଆଜି ଚାରିଆଡ଼େ ଦୁଷ୍ଟତା ବଢ଼ି ବଢ଼ି ଯାଉଛି । ଦୁଷ୍ଟଲୋକମାନଙ୍କୁ କିଛି କଥାର ଡର ନାହିଁ କାରଣ କେହି ସେମାନଙ୍କୁ କିଛି ବି କୁହନ୍ତି ନାହିଁ । (ମଲାଖି ୩:୧୪, ୧୫) କିନ୍ତୁ ଖୁବ୍‌ ଶୀଘ୍ର ଯୀଶୁ ସମସ୍ତଙ୍କର ନ୍ୟାୟ କରିବେ । ସେ ଛାଗ ଭଳି ଲୋକମାନଙ୍କୁ ମେଷ ଭଳି ଲୋକମାନଙ୍କଠାରୁ ଅଲଗା କରିବେ । (ମାଥି. ୨୫:୩୧-୩୩) ମହାକ୍ଳେଶ ସମୟରେ ଦୁଷ୍ଟ ଲୋକମାନଙ୍କୁ ବିନାଶ କରିଦିଆଯିବ ଓ ନୂଆ ଦୁନିଆରେ ସେମାନଙ୍କୁ ଜୀବିତ କରାଯିବ ନାହିଁ । ଯେପରି ମଲାଖି ୩:୧୬ ପଦରେ କୁହାଯାଇଛି ଏପରି ଲୋକମାନଙ୍କର ନାମ ଈଶ୍ୱରଙ୍କ ବହିରେ ଲେଖାଯିବ ନାହିଁ । 

୧୯. ଆଜି ଆମକୁ କିପରି କାମ କରିବା ଉଚିତ୍‌ ଓ କାହିଁକି ? 

୧୯ ମଲାଖି ୩:୧୬-୧୮ ପଢ଼ନ୍ତୁ । ଆଜି ଯିହୋବା ସେହି ଲୋକମାନଙ୍କୁ ଏକାଠି କରୁଛନ୍ତି, ଯେଉଁମାନଙ୍କୁ ସେ “ସଞ୍ଚିତ ଧନ” ବା ଖାସ୍‌ ସମ୍ପତ୍ତି ବୋଲି ମାନନ୍ତି । ଆମେ ସମସ୍ତେ ଚାହୁଁ ଯେ ଯିହୋବା ଆମକୁ ବି ଖାସ୍‌ ସମ୍ପତ୍ତି ମନେ କରନ୍ତୁ, ତେଣୁ ଆମେ ଧ୍ୟାନ ରଖିବା ଉଚିତ୍‌ ଯେ ଆମେ ଦୁଷ୍ଟ ଲୋକମାନଙ୍କ ଭଳି କୌଣସି ଖରାପ କାମ ନ କରୁ, ବରଂ ଭଲ କାମ କରୁ ଏବଂ ଯିହୋବାଙ୍କ ହୃଦୟକୁ ଖୁସି କରୁ । 

ଯେବେ ନୂଆ ଦୁନିଆରେ ଦାନିୟେଲ, ଆମ ପ୍ରିୟଜନ ଓ ଅନ୍ୟ ବିଶ୍ୱସ୍ତ ଲୋକମାନେ ‘ଉଠି ଠିଆ ହେବେ,’ ତେବେ ସେମାନଙ୍କୁ ଭେଟି ଆମକୁ କେତେ ଖୁସି ହେବ !  (ପାରାଗ୍ରାଫ ୨୦) 

୨୦. (କ) ଯିହୋବା ଦାନିୟେଲଙ୍କୁ କʼଣ ପ୍ରତିଜ୍ଞା କରିଥିଲେ ? (ଖ) ଆପଣ ସେହି ପ୍ରତିଜ୍ଞା ପୂରା ହେବାର କାହିଁକି ଅପେକ୍ଷା କରିଛନ୍ତି ?

୨୦ ଆଜି ଅନେକ ଭବିଷ୍ୟତବାଣୀଗୁଡ଼ିକ ପୂରା ହେଉଛି । କିନ୍ତୁ ଭବିଷ୍ୟତରେ ଆହୁରି ରୋମାଞ୍ଚକ ସମୟ ଆସୁଛି । ସେସମୟରେ ଆହୁରି ଭବିଷ୍ୟତବାଣୀଗୁଡ଼ିକ ପୂରା ହେବ । ଦୁଷ୍ଟ ଲୋକମାନଙ୍କୁ ସବୁଦିନ ପାଇଁ ବିନାଶ କରିଦିଆଯିବ । ଆଉ ଯିହୋବା ଦାନିୟେଲଙ୍କୁ ଯେଉଁ ପ୍ରତିଜ୍ଞା କରିଥିଲେ, ତାହା ବି ପୂରା ହେବ । ସେ କହିଥିଲେ, ‘ତୁମ୍ଭେ କାଳର ଶେଷରେ ଆପଣା ଅଧିକାରରେ ଠିଆ ହେବ ।’ (ଦାନି. ୧୨:୧୩) କʼଣ ଆପଣ ସେହି ସମୟର ଉତ୍ସାହର ସହ ଅପେକ୍ଷା କରୁଛନ୍ତି, ଯେବେ ଦାନିୟେଲ ଓ ଆପଣଙ୍କ ପ୍ରିୟଜନ ‘ଉଠି ଠିଆ ହେବେ’ ଓ ଆପଣ ସେମାନଙ୍କୁ ଭେଟିବେ ? ତେଣୁ ଆଜି ଯିହୋବାଙ୍କ ବିଶ୍ୱସ୍ତ ରହିବା ଜାରି ରଖନ୍ତୁ । ତାହେଲେ ଆପଣଙ୍କ ନାମ ଜୀବନ ପୁସ୍ତକରେ ଲେଖା ହୋଇରହିବ । 

ଗୀତ ୮୦ ପାରାଖ୍‌କର ଦେଖୋ କି ୟହୋୱା କିତ୍‌ନା ଭାଲା ହୈ

a ଏହି ଲେଖାରେ ଆମେ ଚର୍ଚ୍ଚା କରିବା ଯେ ଦାନିୟେଲ ୧୨:୨, ୩ ପଦ ବିଷୟରେ ପୂର୍ବରୁ ଆମେ ଯାହା ମାନୁଥିଲୁ, ସେଥିରେ କʼଣ ପରିବର୍ତ୍ତନ ହୋଇଛି । ଏହାକୁ ଧ୍ୟାନରେ ରଖି ଆମେ ଏବିଷୟରେ ମଧ୍ୟ କଥା ହେବା ଯେ ନୂଆ ଦୁନିଆରେ କେଉଁ ପ୍ରକାରର ଲୋକମାନଙ୍କୁ ବହୁତ ମାତ୍ରାରେ ଶିଖାଇ ଦିଆଯିବ ଓ ଏଥିରେ କେଉଁମାନେ ସାମିଲ୍‌ ହେବେ । ଆମେ ଏହା ମଧ୍ୟ ଜାଣିବା ଯେ ଯେବେ ଲୋକମାନଙ୍କୁ ଶିଖାଇ ଦିଆଯିବ, ତେବେ ସେମାନେ ହଜାର ବର୍ଷ ପରେ ଯେଉଁ ଶେଷ ପରୀକ୍ଷା ହେବ, ତାʼର ସାମନା କରିବା ପାଇଁ କିପରି ପ୍ରସ୍ତୁତ ହୋଇପାରିବେ ।

b ହୁଏତ ସବୁଠୁ ପ୍ରଥମେ ସେହି ଲୋକମାନଙ୍କୁ ଜୀବିତ କରାଯିବ, ଯେଉଁମାନଙ୍କର ମୃତ୍ୟୁ ଶେଷ କାଳରେ ହୋଇଥିବ । ତାʼପରେ ହୁଏତ ସେହି ଲୋକମାନଙ୍କୁ ଜୀବିତ କରାଯିବ ଯେଉଁମାନେ ସେମାନଙ୍କଠାରୁ କିଛି ସମୟ ପୂର୍ବେ ବଞ୍ଚିଥିଲେ । ଏପରି ଭାବେ ଗୋଟିଏ ପିଢ଼ିର ଲୋକମାନେ ପୂର୍ବ ପିଢ଼ିର ଲୋକମାନଙ୍କୁ ସ୍ୱାଗତ କରିପାରିବେ, ଯେଉଁମାନଙ୍କୁ ସେମାନେ ଭଲଭାବେ ଜାଣିଥିବେ । ଏହା ସତ ଯେ ଆମେ ଠିକ୍‌ ଠିକ୍‌ ଜାଣିନୁ ଯେ କାହାକୁ କେବେ ଜୀବିତ କରାଯିବ, କିନ୍ତୁ ଆମେ ଭରସା ରଖିପାରିବା ଯେ ଏସବୁ ବ୍ୟବସ୍ଥିତ ଭାବେ ହେବ । କାରଣ ବାଇବଲରେ କୁହାଯାଇଥିଲା ଯେ ଯେବେ ଲୋକମାନଙ୍କୁ ସ୍ୱର୍ଗରେ ଜୀବିତ କରାଯାʼନ୍ତା, ତେବେ ତାହା “ଆପଣା ଆପଣା ଶ୍ରେଣୀରେ” ବା ଠିକ୍‌ କ୍ରମରେ ହୁଅନ୍ତା ।—୧ କରି. ୧୪:୩୩; ୧୫:୨୩.

c ଏହି ପଦ ବିଷୟରେ ଆମେ ପୂର୍ବରୁ ଯାହା ମାନୁଥିଲୁ, ସେ ବିଷୟରେ ଦାନିୟେଲର ଭବିଷ୍ୟତବାଣୀ ଉପରେ ଧ୍ୟାନ ଦିଅନ୍ତୁ ବହିର ୧୭ ଅଧ୍ୟାୟରେ ଓ ୧ ଜୁଲାଇ ୧୯୮୭ ଇଂରାଜୀ ପ୍ରହରୀଦୁର୍ଗର ୨୧-୨୫ ପୃଷ୍ଠାରେ ଦିଆଯାଇଛି । କିନ୍ତୁ ପୂର୍ବରୁ ଆମେ ଯାହା ମାନୁଥିଲୁ ସେଥିରେ ପରିବର୍ତ୍ତନ ହୋଇଛି ।

d କିନ୍ତୁ ପ୍ରେରିତ ୨୪:୧୫ ପଦରେ ଲୋକମାନଙ୍କୁ ସେହି କାମ ଆଧାରରେ “ଧାର୍ମିକ” କିମ୍ବା “ଅଧାର୍ମିକ” କୁହାଯାଇଛି ଯାହା ସେମାନେ ମୃତ୍ୟୁ ପୂର୍ବରୁ କରିଥିଲେ । ସେହିଭଳି ଯେବେ ଯୋହନ ୫:୨୮, ୨୯ ପଦରେ କୁହାଯାଇଛି ଯେ କିଛି ଲୋକମାନେ “ସତ୍‌କର୍ମ କରିଅଛନ୍ତି” ଓ କିଛି ଲୋକମାନେ “ଅସତ୍‌ କର୍ମ କରିଅଛନ୍ତି”, ତେବେ ସେଠାରେ ବି ସେହି କାମ ବିଷୟରେ କୁହାଯାଇଛି ଯାହା ସେମାନେ ମୃତ୍ୟୁ ପୂର୍ବରୁ କରିଥିଲେ ।