इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୧

ଭରସା ରଖନ୍ତୁ ଯେ ଈଶ୍ୱରଙ୍କ ବାକ୍ୟରେ ଲେଖାଥିବା ପ୍ରତ୍ୟେକ କଥା ସତ ଅଟେ

ଭରସା ରଖନ୍ତୁ ଯେ ଈଶ୍ୱରଙ୍କ ବାକ୍ୟରେ ଲେଖାଥିବା ପ୍ରତ୍ୟେକ କଥା ସତ ଅଟେ

୨୦୨୩ ମସିହାର ବାର୍ଷିକ ପଦ: ‘ତୁମ୍ଭର ସମସ୍ତ ବାକ୍ୟ ସତ୍ୟ ଅଟେ ।’ଗୀତ. ୧୧୯:୧୬୦.

ଗୀତ ୯୬ ୟାହ କି ପୱିତ୍ର କିତାବ—ଏକ ଖଜାନା

ଲେଖାର ଝଲକ a

୧. ଆଜି କାହିଁକି ଅନେକ ଲୋକମାନଙ୍କୁ ବାଇବଲ ଉପରେ ଭରସା କରିବା କଷ୍ଟ ଲାଗେ ?

 ଆଜି ଅନେକ ଲୋକଙ୍କୁ ଜଣାନାହିଁ ଯେ ସେମାନେ କାହା ଉପରେ ଭରସା କରିପାରିବେ ଓ କାହା ଉପରେ ନୁହେଁ । ସେମାନେ ସମସ୍ତଙ୍କୁ ସନ୍ଦେହ କରନ୍ତି । ନେତା, ବୈଜ୍ଞାନିକ, ବଡ଼ ବଡ଼ ବେପାରୀ ଓ ଧର୍ମଗୁରୁମାନଙ୍କ ଉପରୁ ସେମାନଙ୍କ ଭରସା ଉଠିଯାଉଛି । ଯେପରି, ଯଦି ଆମେ ଚର୍ଚ୍ଚର ପାଦରିମାନଙ୍କ ବିଷୟରେ ଦେଖିବା, ସେମାନେ ଏପରି କାମ ସବୁ କରିଛନ୍ତି ଯାହାଦ୍ୱାରା ସେମାନଙ୍କୁ ଲୋକମାନେ ଆଦର କରନ୍ତିନି ଏବଂ ସେମାନଙ୍କ ଉପରେ ସନ୍ଦେହ କରନ୍ତି । ତେଣୁ ଅନେକ ଲୋକ ବାଇବଲ ଉପରେ ମଧ୍ୟ ଭରସା କରିପାରନ୍ତିନି ।

୨. ଗୀତସଂହିତା ୧୧୯:୧୬୦ ପଦ ଅନୁସାରେ ଆମକୁ କେଉଁ କଥା ଉପରେ ଭରସା ହେବା ଉଚିତ୍‌ ?

କିନ୍ତୁ ଆମକୁ ଭରସା ଅଛି ଯେ ଆମ ଈଶ୍ୱର ଯିହୋବା “ସତ୍ୟମୟ ପରମେଶ୍ୱର” ଅଟନ୍ତି ଓ ସେ ସବୁବେଳେ ଆମର ଭଲ ଚାହାନ୍ତି । (ଗୀତ. ୩୧:୫; ଯିଶା. ୪୮:୧୭) ଆମେ ଜାଣୁ ଯେ ଆମେ ତାଙ୍କ ବାକ୍ୟ ବାଇବଲ ଉପରେ ମଧ୍ୟ ଭରସା କରିପାରିବା କାରଣ ସେଥିରେ ଲେଖାଥିବା ପ୍ରତ୍ୟେକ କଥା ସତ ଅଟେ । (ଗୀତସଂହିତା ୧୧୯:୧୬୦ ପଢ଼ନ୍ତୁ ।) ବାଇବଲର ଜଣେ ବିଦ୍ୱାନ ଏବିଷୟରେ ବିଲକୁଲ୍‌ ସଠିକ୍‌ କଥା ଲେଖିଲେ, “ଈଶ୍ୱର କେବେ ବି ମିଛ କହନ୍ତି ନାହିଁ, ତାଙ୍କ ସବୁ କଥା ସତ ହୁଏ । ତେଣୁ ଈଶ୍ୱରଙ୍କ ଲୋକମାନଙ୍କୁ ତାଙ୍କ ଉପରେ ପୂରା ଭରସା ଅଛି ଏବଂ ସେମାନେ ତାଙ୍କ କଥାଗୁଡ଼ିକ ଉପରେ ମଧ୍ୟ ଭରସା କରିପାରିବେ ।”

୩. ଏହି ଲେଖାରେ ଆମେ କେଉଁ ବିଷୟରେ ଚର୍ଚ୍ଚା କରିବା ?

ଆମେ ଏହା ବିଶ୍ୱାସ କରୁ ଯେ ବାଇବଲରେ ଲେଖାଥିବା କଥା ସତ ଅଟେ, କିନ୍ତୁ ଆମେ ଅନ୍ୟମାନଙ୍କୁ କିପରି ଭରସା କରାଇପାରିବା ? ଆସନ୍ତୁ ଏପରି ତିନୋଟି କଥା ଉପରେ ଚର୍ଚ୍ଚା କରିବା ଯେଉଁଥିରୁ ସ୍ପଷ୍ଟ ହୋଇଯାଏ ଯେ ଆମେ ବାଇବଲ ଉପରେ ଭରସା କରିପାରିବା: (୧) ବାଇବଲରେ ଲେଖାଥିବା କଥା ଏବେ ବି ବଦଳି ନାହିଁ, (୨) ଏଥିରେ ଲେଖାଥିବା ଭବିଷ୍ୟତବାଣୀଗୁଡ଼ିକ ପୂରା ହୋଇଛି ଏବଂ (୩) ଏଥିରେ ଯେଉଁ ପରାମର୍ଶ ଦିଆଯାଇଛି ତାହା ମାନି ଲୋକମାନଙ୍କ ଜୀବନ ଭଲ ହୋଇଛି ।

ବାଇବଲରେ ଲେଖାଥିବା କଥାଗୁଡ଼ିକ ବଦଳି ନାହିଁ

୪. କିଛି ଲୋକଙ୍କୁ କାହିଁକି ଲାଗେ ଯେ ବାଇବଲରେ ଲେଖାଥିବା କଥା ବଦଳି ଯାଇଥିବ ?

ଯିହୋବା ୪୦ ଜଣ ବିଶ୍ୱସ୍ତ ଲୋକମାନଙ୍କ ଜରିଆରେ ବାଇବଲର ଅନ୍ୟ ଅନ୍ୟ ବହି ଲେଖାଇଥିଲେ । କିନ୍ତୁ ସେସମୟରେ ସେମାନେ ଯେଉଁ ଜିନିଷ ଉପରେ ସେସବୁ ଲେଖିଥିଲେ, ତାହା ବହୁତ ଆଗରୁ ନଷ୍ଟ ହୋଇଯାଇଛି । ଯେମିତି ସମୟ ଗଡ଼ିଲା ଅନେକଥର ତାʼର ନକଲଗୁଡ଼ିକ ତିଆରି କରାଗଲା ଓ ଆଜି ଆମ ପାଖରେ ଯେଉଁ ହସ୍ତଲିପିଗୁଡ଼ିକ ଅଛି, ତାହା ବି କେବଳ ନକଲଗୁଡ଼ିକ ଅଟେ । b ତେଣୁ ଲୋକମାନଙ୍କୁ ଲାଗେ ଯେ ବାଇବଲରେ ଲେଖାଥିବା କଥା ବଦଳି ଯାଇଥିବ ଏବଂ ସେମାନେ ତାହା ଉପରେ ଭରସା କରିପାରିବେନି । କʼଣ ଆପଣ ମଧ୍ୟ ଏବିଷୟରେ କେବେ ଭାବିଛନ୍ତି ? ଆସନ୍ତୁ ଜାଣିବା ଯେ ଆମେ କାହିଁକି ଭରସା କରିପାରିବା ଯେ ବାଇବଲରେ ଲେଖାଥିବା କଥାଗୁଡ଼ିକ ବଦଳି ନାହିଁ ।

ନକଲ ତିଆରି କରୁଥିବା ବ୍ୟକ୍ତିମାନେ ବହୁତ ଧ୍ୟାନର ସହ ଏବ୍ରୀ ଶାସ୍ତ୍ରର ନକଲଗୁଡ଼ିକୁ ପ୍ରସ୍ତୁତ କରୁଥିଲେ ଓ ସେମାନେ ନିଶ୍ଚିତ କରୁଥିଲେ ଯେ ସେମାନେ ଯେଉଁ ନକଲ ତିଆରି କରିଛନ୍ତି, ତାହା ବିଲକୁଲ୍‌ ଠିକ୍‌ ରହୁ । (ପାରାଗ୍ରାଫ ୫)

୫. ଏବ୍ରୀ ଶାସ୍ତ୍ରର ନକଲଗୁଡ଼ିକ କିପରି ପ୍ରସ୍ତୁତ କରାଗଲା ? (ବାହାରେ ଦିଆଯାଇଥିବା ଚିତ୍ର ଦେଖନ୍ତୁ ।)

ଯିହୋବା ଚାହୁଁ ନ ଥିଲେ ଯେ ସେ ଯେଉଁ କଥା ଲେଖାଇଥିଲେ, ତାହା ସମୟ କ୍ରମେ ବଦଳିଯାଉ । ତାହାକୁ ଠିକ୍‌ ଭାବରେ ରଖିବା ପାଇଁ ସେ ଏହି ଆଜ୍ଞା ଦେଲେ ଯେ ଇସ୍ରାଏଲର ପ୍ରତ୍ୟେକ ରାଜା ମୋଶାଙ୍କ ନିୟମର ବିଲକୁଲ୍‌ ସେହିଭଳି ନକଲ ପ୍ରସ୍ତୁତ କରନ୍ତୁ । ସେ ଏହା ବି ଆଜ୍ଞା ଦେଲେ ଯେ ଲେବୀୟମାନେ ଏଥିରେ ଲେଖାଥିବା କଥାଗୁଡ଼ିକୁ ଲୋକମାନଙ୍କୁ ଶିଖାନ୍ତୁ । (ଦ୍ୱିବି. ୧୭:୧୮; ୩୧:୨୪-୨୬; ନିହି. ୮:୭) ଯେବେ ଯିହୁଦୀମାନଙ୍କୁ ବାବିଲରୁ ମୁକ୍ତ କରାଗଲା, ତାʼ ପରଠାରୁ କିଛି ପୁରୁଷ ଏବ୍ରୀ ଶାସ୍ତ୍ରର ନକଲ ପ୍ରସ୍ତୁତ କରିବାକୁ ଲାଗିଲେ । (ଏଜ୍ରା ୭:୬) ସେମାନଙ୍କୁ ନକଲ ନବିସ କୁହାଯାଉଥିଲା । ସେମାନେ ବହୁତ ଧ୍ୟାନର ସହ ଏହାକୁ ପ୍ରସ୍ତୁତ କରୁଥିଲେ । ଆଗକୁ ଯାଇ ଯେବେ ସେମାନେ ନକଲଗୁଡ଼ିକ ପ୍ରସ୍ତୁତ କଲେ ସେସମୟରେ ସେମାନେ କେବଳ ଶବ୍ଦକୁ ନୁହେଁ, ବରଂ ଗୋଟେ ଗୋଟେ ଅକ୍ଷରକୁ ମଧ୍ୟ ଗଣନା କରୁଥିଲେ ଯାହାଦ୍ୱାରା ସେମାନେ ନିଶ୍ଚିତ କରିପାରୁଥିଲେ ଯେ ସେମାନେ ଯାହା ଲେଖିଛନ୍ତି, ତାହା ଠିକ୍‌ ଅଟେ । କିନ୍ତୁ ତାʼ ଅର୍ଥ ଏହା ନୁହେଁ ଯେ ତାଙ୍କ ଦ୍ୱାରା କିଛି ଭୁଲ ହେଲାନି ? ସେମାନେ ମଧ୍ୟ ମଣିଷ ଥିଲେ, ତେଣୁ ତାଙ୍କ ଦ୍ୱାରା ମଧ୍ୟ କିଛି ଛୋଟ ଛୋଟ ଭୁଲ ହୋଇଗଲା । କିନ୍ତୁ ଆଜି ଆମ ପାଖରେ ବାଇବଲର ହସ୍ତଲିପିଗୁଡ଼ିକର ଅନେକ ନକଲ ଅଛି । ତେଣୁ ଆମେ ସେହି ଭୁଲଗୁଡ଼ିକୁ ଧରିପାରିବା । ଆସନ୍ତୁ ଏବିଷୟରେ ଆହୁରି ଜାଣିବା ।

୬. ବାଇବଲର କୌଣସି ହସ୍ତଲିପିରେ କିଛି ଭୁଲ ଅଛି ନା ନାହିଁ ତାହା ଜାଣିବା ପାଇଁ ଆଜି ବିଦ୍ୱାନମାନେ କʼଣ କରନ୍ତି ?

ଭାବନ୍ତୁ ଯେ ୧୦୦ ଜଣ ଲୋକଙ୍କୁ କୁହାଯାଏ ଯେ ସେମାନେ ନିଜ ହାତରେ ଗୋଟିଏ ଲେଖାର ନକଲ ପ୍ରସ୍ତୁତ କରନ୍ତୁ, କିନ୍ତୁ ସେମଧ୍ୟରୁ ଜଣେ ବ୍ୟକ୍ତି ଦ୍ୱାରା କିଛି ଭୁଲ ହୋଇଯାଏ । ତାହେଲେ ତାʼ ଭୁଲକୁ ଧରିବାର ଗୋଟିଏ ଉପାୟ ହେଉଛି ଯେ ୯୯ ଜଣ ଲୋକଙ୍କ ନକଲକୁ ତାʼ ନକଲ ସହିତ ତୁଳନା କରି ଦେଖିବା । ଆଜି ବାଇବଲର ବିଦ୍ୱାନମାନେ ମଧ୍ୟ ଏପରି ହିଁ କରନ୍ତି । ସେମାନେ ବାଇବଲର ଅନ୍ୟ ଅନ୍ୟ ହସ୍ତଲିପିଗୁଡ଼ିକୁ ପରସ୍ପର ସହ ତୁଳନା କରି ଦେଖନ୍ତି ଯେ କାହା ଦ୍ୱାରା କିଛି ଭୁଲ ତ ହୋଇଯାଇନି କିମ୍ବା ସେମାନେ କିଛି ଛାଡ଼ି ତ ଦେଇ ନାହାନ୍ତି । ଭୁଲ ଧରିବାର ଏହା ବହୁତ ବଢ଼ିଆ ଉପାୟ ଅଟେ ।

୭. ଆମେ କାହିଁକି କହିପାରିବା ଯେ ନକଲ ପ୍ରସ୍ତୁତ କରୁଥିବା ଲୋକମାନେ ବହୁତ ଧ୍ୟାନର ସହ ନକଲଗୁଡ଼ିକୁ ତିଆରି କରୁଥିଲେ ?

ଏହି ହସ୍ତଲିପିଗୁଡ଼ିକର ଅନେକଥର ନକଲ ତିଆରି କରାଗଲା, ତେଣୁ ହୁଏତ କିଛି ଲୋକମାନଙ୍କୁ ଲାଗିପାରେ ଯେ ସମୟ ଗଡ଼ିବା ସହ ଏଥିରେ ଲେଖାଥିବା କଥାଗୁଡ଼ିକ ମଧ୍ୟ ବଦଳି ଯାଇଥିବ । କିନ୍ତୁ ନକଲ କରୁଥିବା ଲୋକମାନେ ବହୁତ ଧ୍ୟାନର ସହ ଏହାର ନକଲଗୁଡ଼ିକ ତିଆରି କରୁଥିଲେ ଓ ଚେଷ୍ଟା କରୁଥିଲେ ଯେ ଏଥିରେ ଯେପରି କୌଣସି ଭୁଲ ନ ହେଉ । ଆମେ ଏପରି କାହିଁକି କହିପାରିବା ? ଟିକେ ଏକଥା ଉପରେ ଧ୍ୟାନ ଦିଅନ୍ତୁ । କିଛି ବର୍ଷ ପୂର୍ବେ ଆମ ପାଖରେ ସମ୍ପୂର୍ଣ୍ଣ ଏବ୍ରୀ ଶାସ୍ତ୍ରର ଯେଉଁ ସବୁଠାରୁ ପୁରୁଣା ହସ୍ତଲିପି ଥିଲା, ତାହା ୧୦୦୮ ବା ୧୦୦୯ ମସିହାର ଥିଲା । ଏହି ହସ୍ତଲିପିକୁ ‘ଲେନିନ୍‌ଗ୍ରାଡ କୋଡେକ୍ସ’ କୁହାଯାଏ । କିନ୍ତୁ କିଛି ସମୟ ପୂର୍ବେ ହିଁ ଅନୁସନ୍ଧାନକାରୀମାନଙ୍କୁ ବାଇବଲର ଆଉ କିଛି ହସ୍ତଲିପିଗୁଡ଼ିକ ଏବଂ ତାʼର କିଛି ଖଣ୍ଡଗୁଡ଼ିକ ମିଳିଲା ଯାହା ‘ଲେନିନ୍‌ଗ୍ରାଡ କୋଡେକ୍ସ’ ଠାରୁ ମଧ୍ୟ ପାଖାପାଖି ୧୦୦୦ ବର୍ଷ ପୁରୁଣା ଅଟେ । ହୁଏତ କିଛି ଲୋକଙ୍କୁ ଲାଗିପାରେ ଯେ ଏହି ପୁରୁଣା ହସ୍ତଲିପିଗୁଡ଼ିକ ଓ ‘ଲେନିନ୍‌ଗ୍ରାଡ କୋଡେକ୍ସ’ ଭିତରେ ବହୁତ ପାର୍ଥକ୍ୟ ଥିବ, କିନ୍ତୁ ଏପରି ନୁହେଁ । ଯେବେ ବିଦ୍ୱାନମାନେ ଏହି ପୁରୁଣା ହସ୍ତଲିପିଗୁଡ଼ିକୁ ‘ଲେନିନ୍‌ଗ୍ରାଡ କୋଡେକ୍ସ’ ସହ ତୁଳନା କଲେ, ତେବେ ସେମାନେ ଦେଖିଲେ ଯେ କିଛି ଜାଗାରେ ଶବ୍ଦଗୁଡ଼ିକ ଟିକେ ଏପଟ ସେପଟ ହୋଇଯାଇଛି, କିନ୍ତୁ ଏହି ହସ୍ତଲିପିଗୁଡ଼ିକରେ ଏକା ଭଳି କଥା ହିଁ ଲେଖା ହୋଇଛି ।

୮. ଖ୍ରୀଷ୍ଟିୟାନ ଗ୍ରୀକ୍‌ ଶାସ୍ତ୍ରର ହସ୍ତଲିପିଗୁଡ଼ିକୁ, ସେସମୟର ଅନ୍ୟ ବହିଗୁଡ଼ିକର ହସ୍ତଲିପିଗୁଡ଼ିକ ସହ ତୁଳନା କଲେ କʼଣ ଜଣାପଡ଼େ ?

ଯେପରି ନକଲ ତିଆରି କରୁଥିବା ଲୋକମାନେ ଏବ୍ରୀ ଶାସ୍ତ୍ରର ନକଲଗୁଡ଼ିକ ତିଆରି କରୁଥିଲେ, ସେହିପରି ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନେ ଗ୍ରୀକ୍‌ ଶାସ୍ତ୍ରର ୨୭ଟି ବହିଗୁଡ଼ିକର ନକଲ ତିଆରି କଲେ, ଯେଉଁଗୁଡ଼ିକୁ ସେମାନେ ସଭାଗୁଡ଼ିକରେ ଓ ପ୍ରଚାର କରିବା ସମୟରେ ବ୍ୟବହାର କରୁଥିଲେ । ଜଣେ ବିଦ୍ୱାନ ତୁଳନା କରି ଦେଖିଲେ ଯେ ଆଜି ଆମ ପାଖରେ ଖ୍ରୀଷ୍ଟିୟାନ ଗ୍ରୀକ୍‌ ଶାସ୍ତ୍ରର କେତେ ହସ୍ତଲିପିଗୁଡ଼ିକ ଅଛି ଓ ପ୍ରଥମ ଶତାବ୍ଦୀରେ ଲେଖାଯାଇଥିବା ବହିଗୁଡ଼ିକର କେତେ ହସ୍ତଲିପିଗୁଡ଼ିକ ଅଛି । ସେ ଏହା ବି ତୁଳନା କରି ଦେଖିଲେ ଯେ ସେଗୁଡ଼ିକ କେଉଁ ପରିସ୍ଥିତିରେ ଅଛି । ଯେପରି, କʼଣ ସେଥିରୁ କିଛି ଭାଗ ହଜି ତ ଯାଇନି । ସେ କହନ୍ତି, ‘ଅନ୍ୟ ବହିଗୁଡ଼ିକ ତୁଳନାରେ ଗ୍ରୀକ୍‌ ଶାସ୍ତ୍ରର ହସ୍ତଲିପିଗୁଡ଼ିକ ଅଧିକ ଅଛି ଓ ବେଶି ଭଲ ଅବସ୍ଥାରେ ଅଛି ।’ ଅନୈଟମି ଅଫ ଦା ନ୍ୟୁ ଟେସ୍ଟାମେଣ୍ଟ୍‌ ନାମକ ଗୋଟିଏ ବହିରେ ଲେଖାଅଛି, “ଆଜି ଯଦି ଆମେ ଗ୍ରୀକ୍‌ ଶାସ୍ତ୍ରର କୌଣସି ଭଲ ଅନୁବାଦ ପଢ଼ୁ, ତାହେଲେ ଆମେ ଭରସା ରଖିପାରିବା ଯେ ସେଥିରେ ସେହି କଥାଗୁଡ଼ିକ ଲେଖାଥିବ ଯାହା ବାଇବଲର ଲେଖକମାନେ ଆରମ୍ଭରେ ଲେଖିଥିଲେ ।”

୯. ଯିଶାଇୟ ୪୦:୮ ପଦ ଅନୁସାରେ ବାଇବଲ ବିଷୟରେ କʼଣ କୁହାଯାଇପାରେ ?

ଆଜି ଆମ ପାଖରେ ଯେଉଁ ବାଇବଲ ଅଛି ସେଥିରେ ସେହି କଥାଗୁଡ଼ିକ ଲେଖାଅଛି ଯାହା ବାଇବଲର ଲେଖକମାନେ ଆରମ୍ଭରେ ଲେଖିଥିଲେ । ଅନେକ ବର୍ଷ ଯାଏ ନକଲ ତିଆରି କରୁଥିବା ଲୋକମାନେ ବହୁତ ଧ୍ୟାନର ସହ ବାଇବଲର ହସ୍ତଲିପିଗୁଡ଼ିକର ନକଲ ତିଆରି କଲେ । c ଏହି କାମ ପଛରେ ନିଶ୍ଚୟ ଯିହୋବାଙ୍କର ହାତ ଅଛି, କାରଣ ସେ ଚାହୁଁଥିଲେ ଯେ ତାଙ୍କ ବାକ୍ୟ ଠିକ୍‌ ସେହିପରି ଭାବରେ ହିଁ ଲୋକମାନଙ୍କ ପାଖରେ ପହଞ୍ଚୁ ଯେପରି ଏହା ଆରମ୍ଭରେ ଲେଖାଥିଲା । (ଯିଶାଇୟ ୪୦:୮ ପଢ଼ନ୍ତୁ ।) କିନ୍ତୁ ହୁଏତ କିଛି ଲୋକମାନେ କହିବେ, ଏହା ସତ ଯେ ଏତେ ବର୍ଷରୁ ବାଇବଲରେ ଲେଖାଥିବା କଥାଗୁଡ଼ିକ ବଦଳି ନାହିଁ, କିନ୍ତୁ ଏଥିରୁ ଏହା ପ୍ରମାଣିତ ହୁଏ ନାହିଁ ଯେ ଈଶ୍ୱର ହିଁ ଏହାକୁ ଲେଖାଇଛନ୍ତି । ଆସନ୍ତୁ କିଛି ପ୍ରମାଣଗୁଡ଼ିକ ଉପରେ ଧ୍ୟାନ ଦେବା ଯେଉଁଥିରୁ ଜଣାପଡ଼େ ଯେ ବାଇବଲକୁ ଈଶ୍ୱର ହିଁ ଲେଖାଇଛନ୍ତି ।

ବାଇବଲରେ ଲେଖାଥିବା ଭବିଷ୍ୟତବାଣୀଗୁଡ଼ିକ ପୂରା ହେଲା

Left: C. Sappa/​DeAgostini/​Getty Images; right: Image © Homo Cosmicos/​Shutterstock

ବାଇବଲରେ ଦିଆଯାଇଥିବା ଭବିଷ୍ୟତବାଣୀଗୁଡ଼ିକ ପୂର୍ବେ ବି ପୂରା ହେଲା ଓ ଆଜି ବି ପୂରା ହେଉଛି । (ପାରାଗ୍ରାଫ ୧୦-୧୧) e

୧୦. ଗୋଟିଏ ଉଦାହରଣ ଦିଅନ୍ତୁ ଯେଉଁଥିରୁ ଜଣାପଡ଼େ ଯେ ୨ ପିତର ୧:୨୧ ପଦରେ ଲେଖାଥିବା କଥା ସତ ଅଟେ । (ଚିତ୍ରଗୁଡ଼ିକ ଦେଖନ୍ତୁ ।)

୧୦ ବାଇବଲରେ ଲେଖାଥିବା ଅନେକ ଭବିଷ୍ୟତବାଣୀଗୁଡ଼ିକ ପୂରା ହୋଇସାରିଛି । ଏମଧ୍ୟରୁ ଅନେକ ଭବିଷ୍ୟତବାଣୀ ପୂରା ହେବାର ବହୁତ ବର୍ଷ ପୂର୍ବେ ହିଁ ଲେଖା ଯାଇଥିଲା । ଆଉ ଇତିହାସରୁ ମଧ୍ୟ ଜଣାପଡ଼େ ଯେ ଯେପରି ଲେଖାଥିଲା ଠିକ୍‌ ସେହିପରି ହିଁ ହେଲା । ଏହା ଜାଣି ଆମକୁ ଆଶ୍ଚର୍ଯ୍ୟ ଲାଗେନି, କାରଣ ଏହି ଭବିଷ୍ୟତବାଣୀଗୁଡ଼ିକୁ ଯିହୋବା ଲେଖାଇଥିଲେ । (୨ ପିତର ୧:୨୧ ପଢ଼ନ୍ତୁ ।) ଏହାକୁ ବୁଝିବା ପାଇଁ ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଖ୍ରୀଷ୍ଟ ପୂର୍ବ ୭୭୮ ଓ ୭୩୨ ମଧ୍ୟରେ ଭବିଷ୍ୟତବକ୍ତା ଯିଶାଇୟ ବାବିଲ ସହର ବିଷୟରେ ଭବିଷ୍ୟତବାଣୀ କରିଥିଲେ । ସେହି ସହରକୁ ହରାଇବା ଏତେ ସହଜ ନ ଥିଲା, କିନ୍ତୁ ସେ ଭବିଷ୍ୟତବାଣୀ କରିଥିଲେ ଯେ ସେହି ସହରକୁ ହରାଇ ଦିଆଯିବ । ସେ କହିଥିଲେ ଯେ କୋରସ୍‌ ନାମକ ଜଣେ ବ୍ୟକ୍ତି ସେହି ସହର ଉପରେ ବିଜୟ ହାସଲ କରିବ ଓ ଏହା ବି କହିଲେ ଯେ ସେ ଏହା କିପରି କରିବ । (ଯିଶା. ୪୪:୨୭–୪୫:୨) ଯିଶାଇୟ ଏହା ମଧ୍ୟ ଭବିଷ୍ୟତବାଣୀ କରିଥିଲେ ଯେ ଦିନେ ବାବିଲ ସହର ଧ୍ୱଂସ ହୋଇଯିବ ଓ ସେଠାରେ କେହି ରହିବେ ନାହିଁ । (ଯିଶା. ୧୩:୧୯, ୨୦) ଆଉ ଏହା ଠିକ୍‌ ଏପରି ହିଁ ହେଲା । ଖ୍ରୀଷ୍ଟ ପୂର୍ବ ୫୩୯ ମସିହାରେ ମାଦୀୟ ଓ ପାରସିକମାନେ ବାବିଲ ଉପରେ କବ୍ଜା କରିନେଲେ । ଆଉ ଆଜି ବାବିଲ ସହର ଧ୍ୱଂସ ହୋଇ ପଡ଼ିରହିଛି ।—ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିର ପାଠ ୩ର ପଏଣ୍ଟ ୫ ସହ ଦିଆଯାଇଥିବା ଭିଡିଓ ବାବିଲକୁ ପରାସ୍ତ କରାଯିବାର ଭବିଷ୍ୟତବାଣୀ ଦେଖନ୍ତୁ ।

୧୧. ବୁଝାନ୍ତୁ ଯେ ଦାନିୟେଲ ୨:୪୧-୪୩ ପଦରେ ଲେଖାଥିବା ଭବିଷ୍ୟତବାଣୀ ଆଜି କିପରି ପୂରା ହେଉଛି ।

୧୧ ବାଇବଲର ଭବିଷ୍ୟତବାଣୀଗୁଡ଼ିକ କେବଳ ପ୍ରାଚୀନ ସମୟରେ ହିଁ ପୂରା ହୋଇ ନାହିଁ ବରଂ ଆଜି ମଧ୍ୟ ପୂରା ହେଉଛି । ଟିକେ ଧ୍ୟାନ ଦିଅନ୍ତୁ ଯେ ଦାନିୟେଲ ବ୍ରିଟେନ୍‌ ଆମେରିକା ବିଶ୍ୱଶକ୍ତି ବିଷୟରେ କʼଣ ଭବିଷ୍ୟତବାଣୀ କରିଥିଲେ । (ଦାନିୟେଲ ୨:୪୧-୪୩ ପଢ଼ନ୍ତୁ ।) ସେ କହିଥିଲେ ଯେ ଏହି ବିଶ୍ୱଶକ୍ତିର ‘ଏକାଂଶ ଲୁହା ଭଳି ଦୃଢ଼ ରହିବ ଓ ଏକାଂଶ ମୃତ୍ତିକା ଭଳି ଭଗ୍ନ ବା ଦୁର୍ବଳ ହେବ ।’ ଆଉ ସେ ଯେପରି କହିଥିଲେ ଆଜି ବିଲକୁଲ୍‌ ସେହିପରି ହେଉଛି । ଏହି ବିଶ୍ୱଶକ୍ତି ସତରେ ଲୁହା ଭଳି ଶକ୍ତିଶାଳୀ ଅଟେ । ବ୍ରିଟେନ୍‌ ଓ ଆମେରିକା ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ମୁଖ୍ୟ ଭୂମିକା ତୁଲାଇଥିଲେ ଓ ଦୁଇଥର ଯାକ ସେମାନଙ୍କ ପକ୍ଷ ହିଁ ଜିତିଲା । ଆଉ ଆଜି ଏହି ବିଶ୍ୱଶକ୍ତି ପାଖରେ ସବୁଠାରୁ ବଡ଼ ଓ ଶକ୍ତିଶାଳୀ ସେନା ଅଛି । କିନ୍ତୁ ଏହାର ନାଗରିକମାନେ ଏହାର ଲୁହା ଭଳି ଶକ୍ତିକୁ ଦୁର୍ବଳ କରିଦିଅନ୍ତି । ସେମାନେ ନିଜ ଦାବି ପୂରା କରାଇବା ପାଇଁ ୟୁନିଅନ୍‌ ତିଆରି କରନ୍ତି, ସ୍ୱାଧୀନତା ପାଇଁ ଓ ନିଜ ନାଗରିକ ଅଧିକାର ପାଇବା ପାଇଁ ଲଢ଼ନ୍ତି ଓ ସରକାର ବିରୁଦ୍ଧରେ ଆନ୍ଦୋଳନ କରନ୍ତି । ବର୍ତ୍ତମାନ ସମୟରେ ରାଜନୀତି ବିଷୟରେ ଭଲଭାବେ ଜାଣିଥିବା ଜଣେ ବିଦ୍ୱାନ ଲେଖନ୍ତି, “ଦୁନିଆର ସବୁ ବଡ଼ ବଡ଼ ଗଣତାନ୍ତ୍ରିକ ଦେଶଗୁଡ଼ିକ ମଧ୍ୟରୁ ଆମେରିକାର ଲୋକମାନେ ରାଜନୈତିକ ମାମଲାରେ ସବୁଠାରୁ ଅଧିକ ବିଭକ୍ତ ହୋଇ ରହିଛନ୍ତି ଓ ଏହାର ସରକାରରେ ସବୁଠାରୁ ଅଧିକ ବିଶୃଙ୍ଖଳା ରହିଛି ।” ଆଉ ଯଦି ବ୍ରିଟେନ୍‌ ବିଷୟରେ କହିବା ତାହେଲେ ଗତ କିଛି ବର୍ଷଗୁଡ଼ିକରେ ସେଠାର ଲୋକମାନେ ଏକଥାକୁ ନେଇ ଆହୁରି ବିଭକ୍ତ ହୋଇଯାଇଛନ୍ତି ଯେ ସେମାନଙ୍କୁ ୟୁରୋପୀୟ ସଂଘର ଅନ୍ୟ ଦେଶଗୁଡ଼ିକ ସହ ସମ୍ପର୍କ ରଖିବା ଉଚିତ୍‌ ନା ନୁହେଁ । ଏହି କାରଣ ଯୋଗୁଁ ବ୍ରିଟେନ୍‌ ଆମେରିକା ବିଶ୍ୱଶକ୍ତି ଯାହା ଯାହା କରିବାକୁ ଚାହେଁ, ତାହା ସେ କରିପାରେ ନାହିଁ ।

୧୨. ବାଇବଲରେ ଲେଖାଥିବା ଭବିଷ୍ୟତବାଣୀଗୁଡ଼ିକରୁ ଆମକୁ କେଉଁ କଥାର ଭରସା ହୋଇଯାଏ ?

୧୨ ବାଇବଲରେ ଲେଖାଥିବା ଅନେକ ଭବିଷ୍ୟତବାଣୀଗୁଡ଼ିକ ପୂରା ହୋଇଛି । ଏଥିରୁ ଆମର ଭରସା ବଢ଼ିଯାଏ ଯେ ଯିହୋବା ଭବିଷ୍ୟତ ବିଷୟରେ କରିଥିବା ନିଜ ପ୍ରତିଜ୍ଞାଗୁଡ଼ିକୁ ନିଶ୍ଚୟ ପୂରା କରିବେ । ଗୀତସଂହିତାର ଜଣେ ରଚୟିତା ଭଳି ଆମେ ବି ଈଶ୍ୱରଙ୍କ ତରଫରୁ “ମିଳୁଥିବା ଉଦ୍ଧାର ପାଇଁ ଆଗ୍ରହୀ କାରଣ ତାଙ୍କ ବାକ୍ୟ ଆମ ପାଇଁ ଆଶା ଅଟେ ।” (ଗୀତ. ୧୧୯:୮୧, NWT) ନିଜ ବାକ୍ୟ ବାଇବଲରେ ସେ ଆମକୁ ଆଶା ଦେଇଛନ୍ତି ଯେ ଆମ ଭବିଷ୍ୟତ ଭଲ ହେବ । (ଯିରି. ୨୯:୧୧) ଆମ ଆଶା ପୂରା ହେବ ନା ନାହିଁ, ଏହା ଲୋକମାନେ କʼଣ କରନ୍ତି ଓ କʼଣ କରନ୍ତିନି ତାʼ ଉପରେ ନିର୍ଭର କରେ ନାହିଁ । ଏହି ଆଶା ଆମକୁ ଯିହୋବା ଦେଇଛନ୍ତି, ତେଣୁ ଆମେ ଭରସା ରଖିପାରିବା ଯେ ଏହା ନିଶ୍ଚୟ ପୂରା ହେବ । ତେଣୁ ଆସନ୍ତୁ ଆମେ ବାଇବଲରେ ଲେଖାଥିବା ଭବିଷ୍ୟତବାଣୀଗୁଡ଼ିକ ଉପରେ ଭଲଭାବେ ଅଧ୍ୟୟନ କରିବା । ଏଥିରୁ ଆମକୁ ଭରସା ହୋଇଯିବ ଯେ ବାଇବଲରେ ଲେଖାଥିବା କଥାଗୁଡ଼ିକ ସତ ଅଟେ ।

ବାଇବଲରେ ଦିଆଯାଇଥିବା ପରାମର୍ଶ ଲାଭଦାୟକ ଅଟେ

୧୩. ଗୀତସଂହିତା ୧୧୯:୬୬, ୧୩୮ ପଦ ଅନୁସାରେ ଆମେ ଆଉ କେଉଁ କାରଣ ଯୋଗୁଁ ବାଇବଲ ଉପରେ ଭରସା କରିପାରିବା ?

୧୩ ଆମେ ଏଥିପାଇଁ ମଧ୍ୟ ବାଇବଲରେ ଲେଖାଥିବା କଥାଗୁଡ଼ିକ ଉପରେ ଭରସା କରିପାରିବା, କାରଣ ଏଗୁଡ଼ିକୁ ପାଳନ କରି ଆଜି ଅନେକ ଲୋକମାନଙ୍କୁ ଲାଭ ହେଉଛି । (ଗୀତସଂହିତା ୧୧୯:୬୬, ୧୩୮ ପଢ଼ନ୍ତୁ ।) ଉଦାହରଣ ପାଇଁ ଏପରି ଅନେକ ସ୍ୱାମୀ ସ୍ତ୍ରୀ ଥିଲେ ଯେଉଁମାନେ ପରସ୍ପରକୁ ଛାଡ଼ପତ୍ର ଦେବା ପାଇଁ ଭାବୁଥିଲେ, କିନ୍ତୁ ବାଇବଲର ପରାମର୍ଶ ମାନି ସେମାନଙ୍କର ସମ୍ପର୍କ ଭଲ ହୋଇଗଲା । ଏବେ ତାଙ୍କ ଘରେ ଭଲ ପରିବେଶ ଅଛି । ସେମାନେ ନିଜ ପିଲାମାନଙ୍କର ଭଲଭାବେ ଲାଳନପାଳନ କରିପାରୁଛନ୍ତି ଓ ଘରେ ସମସ୍ତେ ପରସ୍ପରକୁ ବହୁତ ପ୍ରେମ କରନ୍ତି ।—ଏଫି. ୫:୨୨-୨୯.

୧୪. ଗୋଟିଏ ଉଦାହରଣ ଦିଅନ୍ତୁ ଯେଉଁଥିରୁ ଜଣାପଡ଼େ ଯେ ବାଇବଲରେ ଲେଖାଥିବା ପରାମର୍ଶକୁ ମାନି ଲୋକମାନଙ୍କ ଜୀବନ ବଦଳି ଯାଇପାରେ ।

୧୪ ବାଇବଲର ପରାମର୍ଶ ମାନି ବଡ଼ ବଡ଼ ଅପରାଧୀମାନେ ମଧ୍ୟ ବଦଳି ଯାଇଛନ୍ତି । ଜ୍ୟାକ ସହ ମଧ୍ୟ ଏପରି ହିଁ କିଛି ହେଲା । d ତାଙ୍କୁ ଜେଲରେ ବନ୍ଦୀ କରାଯାଇଥିଲା । ତାଙ୍କୁ ଓ ଅନ୍ୟ ଅପରାଧୀମାନଙ୍କୁ ମୃତ୍ୟୁ ଦଣ୍ଡ ଦେବା ପାଇଁ ଘୋଷଣା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜ୍ୟାକ ସବୁଠାରୁ ହିଂସ୍ରକ ଥିଲେ । ଦିନେ କିଛି ଭାଇମାନେ ଜେଲରେ ବାଇବଲ ଅଧ୍ୟୟନ ଚଲାଉଥିଲେ । ଜ୍ୟାକ ସେମାନଙ୍କ ପାଖରେ ଆସି ବସିଗଲେ ଓ ଶୁଣିବାକୁ ଲାଗିଲେ । ସେହି ଭାଇମାନଙ୍କ ବ୍ୟବହାର ଦେଖି ଜ୍ୟାକଙ୍କୁ ବହୁତ ଭଲ ଲାଗିଲା ଓ ସେ ମଧ୍ୟ ବାଇବଲ ଅଧ୍ୟୟନ କରିବା ପାଇଁ ଆରମ୍ଭ କରିଦେଲେ । ଜ୍ୟାକ ଯାହା ଶିଖୁଥିଲେ ତାହା ମାନିବାକୁ ବି ଲାଗିଲେ । ଆଉ ଧିରେ ଧିରେ ସେ ଭଲ ବ୍ୟକ୍ତି ହୋଇଗଲେ ଓ ସମସ୍ତଙ୍କ ସହ ଭଲ ବ୍ୟବହାର କରିବାକୁ ଲାଗିଲେ । କିଛି ସମୟ ପରେ ସେ ଜଣେ ପ୍ରଚାରକ ହୋଇଗଲେ ଓ ତାʼପରେ ସେ ବାପ୍ତିସ୍ମ ନେଲେ । ସେ ଅନ୍ୟ ଅପରାଧୀମାନଙ୍କୁ ଉତ୍ସାହର ସହ ଈଶ୍ୱରଙ୍କ ରାଜ୍ୟ ବିଷୟରେ କହୁଥିଲେ ଓ ସେ ପ୍ରାୟ ଚାରି ଜଣ ଲୋକଙ୍କୁ ବାଇବଲ ଅଧ୍ୟୟନ କରାଇଲେ । ଯେଉଁ ଦିନ ଜ୍ୟାକଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବାର ଥିଲା, ସେହିଦିନ ଯାଏ ଜ୍ୟାକ ପୂରାପୂରି ବଦଳି ଯାଇଥିଲେ । ତାଙ୍କ ଜଣେ ଓକିଲ କହିଲେ, “୨୦ ବର୍ଷ ପୂର୍ବେ ମୁଁ ଯେଉଁ ଜ୍ୟାକଙ୍କୁ ଜାଣିଥିଲି, ସେ ସେହି ଜ୍ୟାକ ନୁହନ୍ତି । ଯିହୋବାଙ୍କ ସାକ୍ଷୀମାନେ ତାଙ୍କୁ ଯେଉଁ କଥାଗୁଡ଼ିକ ଶିଖାଇଲେ ତାʼ ଯୋଗୁଁ ସେ ପୂରାପୂରି ବଦଳି ଯାଇଛନ୍ତି ।” ଜ୍ୟାକଙ୍କ ଦଣ୍ଡ ତ ବଦଳିଲାନି, କିନ୍ତୁ ଏହି ଘଟଣାରୁ ଆମର ଭରସା ବଢ଼ିଯାଏ ଯେ ବାଇବଲର ପରାମର୍ଶ ଲାଭଦାୟକ ଅଟେ ଓ ଏହାକୁ ମାନି ଜଣେ ବ୍ୟକ୍ତିର ଜୀବନ ବଦଳି ଯାଇପାରିବ ।—ଯିଶା. ୧୧:୬-୯.

ବାଇବଲରେ ଦିଆଯାଇଥିବା ପରାମର୍ଶ ମାନି ଅନ୍ୟ ଅନ୍ୟ ଜାଗାର ଲୋକମାନେ ନିଜକୁ ବଦଳାଇ ପାରିଛନ୍ତି । (ପାରାଗ୍ରାଫ ୧୫) f

୧୫. ବାଇବଲର ସତ୍ୟଗୁଡ଼ିକୁ ମାନିବା ଯୋଗୁଁ ଆଜି ଯିହୋବାଙ୍କ ଲୋକମାନେ କିପରି ଦୁନିଆର ଲୋକମାନଙ୍କଠାରୁ ଅଲଗା ଅଟନ୍ତି ? (ଚିତ୍ର ଦେଖନ୍ତୁ ।)

୧୫ ଆଜି ଦୁନିଆ ରାଜନୀତି, ଧନୀ-ଗରିବ, ରୂପ-ରଙ୍ଗ ଓ ଜାତି ଯୋଗୁଁ ବିଭକ୍ତ ହୋଇଯାଇଛି, କିନ୍ତୁ ଯିହୋବାଙ୍କ ଲୋକମାନଙ୍କ ମଧ୍ୟରେ ଶାନ୍ତି ଓ ଏକତା ଅଛି, କାରଣ ସେମାନେ ବାଇବଲରେ ଲେଖାଥିବା କଥାଗୁଡ଼ିକୁ ମାନନ୍ତି । (ଯୋହ. ୧୩:୩୫; ୧ କରି. ୧:୧୦) ଏହି କଥା ଆଫ୍ରିକାରେ ରହୁଥିବା ଜୋନ୍‌ଙ୍କୁ ବହୁତ ଭଲ ଲାଗିଲା । ଯେବେ ତାଙ୍କ ଦେଶରେ ଗୃହ ଯୁଦ୍ଧ ଆରମ୍ଭ ହେଲା, ତେବେ ସେ ସେନାରେ ଭର୍ତ୍ତି ହୋଇଗଲେ । କିନ୍ତୁ କିଛି ସମୟ ପରେ ସେ ଅନ୍ୟ ଦେଶ ପଳାଇଗଲେ । ସେଠାରେ ସେ ଯିହୋବାଙ୍କ ସାକ୍ଷୀମାନଙ୍କୁ ଭେଟିଲେ । ଜୋନ୍‌ କହନ୍ତି, “ଯେଉଁ ଲୋକମାନେ ସତ୍ୟ ଧର୍ମକୁ ମାନନ୍ତି, ସେମାନେ ରାଜନୀତିରେ ଭାଗ ନିଅନ୍ତିନି, ସେମାନଙ୍କ ମଧ୍ୟରେ ଏକତା ଥାଏ ଓ ସେମାନେ ପରସ୍ପରକୁ ପ୍ରକୃତ ପ୍ରେମ କରନ୍ତି । ପୂର୍ବେ ମୁଁ ନିଜ ଦେଶ ପାଇଁ ବଞ୍ଚୁଥିଲି ଓ ତାʼ ପାଇଁ ନିଜ ଜୀବନ ଦେବା ପାଇଁ ମଧ୍ୟ ପ୍ରସ୍ତୁତ ଥିଲି, କିନ୍ତୁ ଯେବେ ମୁଁ ବାଇବଲର ସତ୍ୟ ବିଷୟରେ ଶିଖିଲି, ତେବେ ମୁଁ ଦୃଢ଼ ସଂକଳ୍ପ ନେଲି ଯେ ମୁଁ ଯିହୋବାଙ୍କ ପାଇଁ ବଞ୍ଚିବି ଓ ତାଙ୍କୁ ନିଜ ଜୀବନ ସମର୍ପିତ କରିବି ।” ଜୋନ୍‌ ପୂରାପୂରି ବଦଳି ଗଲେ । ଏବେ ସେ ଅନ୍ୟ ଦେଶ କିମ୍ବା ଜାତିର ଲୋକମାନଙ୍କ ସହିତ ଲଢ଼େଇ କରନ୍ତିନି, ବରଂ ସମସ୍ତଙ୍କୁ ବାଇବଲରେ ଦିଆଯାଇଥିବା ଶାନ୍ତିର ସନ୍ଦେଶ ଶୁଣାନ୍ତି । ସତରେ, ବାଇବଲରେ ଦିଆଯାଇଥିବା ପରାମର୍ଶ ପ୍ରତ୍ୟେକ ଦେଶ ଓ ଜାତିର ଲୋକମାନଙ୍କ ପାଇଁ ଲାଭଦାୟକ ଅଟେ ! ଆମେ ବାଇବଲ ଉପରେ ପୂରା ଭରସା କରିବାର ଏହା ଆଉ ଗୋଟିଏ ପ୍ରମାଣ ଅଟେ ।

ଈଶ୍ୱରଙ୍କ ବାକ୍ୟରେ ଲେଖାଥିବା କଥାଗୁଡ଼ିକ ଉପରେ ଭରସା ରଖନ୍ତୁ

୧୬. ଆମେ ଈଶ୍ୱରଙ୍କ ବାକ୍ୟ ଉପରେ ପୂରା ଭରସା କାହିଁକି କରିବା ଉଚିତ୍‌ ?

୧୬ ଏହି ଦୁନିଆ ଦିନକୁ ଦିନ ଆହୁରି ଖରାପ ହେବାକୁ ଲାଗିଛି, ତେଣୁ ଆମ ପାଇଁ ଈଶ୍ୱରଙ୍କ ବାକ୍ୟ ଉପରେ ଭରସା କରିବା କଷ୍ଟ ହୋଇପାରେ । ହୁଏତ ଲୋକମାନେ ଏପରି କିଛି କଥା କହିପାରନ୍ତି ଯାହା ଯୋଗୁଁ ଆମକୁ ଲାଗିପାରେ ଯେ କେଜାଣେ ବାଇବଲରେ ଲେଖାଥିବା କଥା ସତ ଅଟେ ନା ନୁହେଁ । କିମ୍ବା ହୁଏତ ଆମେ ଭାବିପାରୁ, ‘କʼଣ ଯିହୋବା ସତରେ ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ ଜରିଆରେ ଆମକୁ ନିର୍ଦ୍ଦେଶ ଦେଉଛନ୍ତି ?’ କିନ୍ତୁ ଯଦି ଆମକୁ ବାଇବଲ ଉପରେ ପୂରା ଭରସା ଥିବ, ତେବେ ଆମେ ଲୋକମାନଙ୍କ କଥାରେ ପଡ଼ିବାନି ଓ ‘ଶେଷ ପର୍ଯ୍ୟନ୍ତ ସର୍ବଦା ଯିହୋବାଙ୍କ ବିଧିସବୁ ପାଳନ କରିବା’ ଜାରି ରଖିବା । (ଗୀତ. ୧୧୯:୧୧୨) ଆମେ ଅନ୍ୟମାନଙ୍କୁ ସତ୍ୟ ବିଷୟରେ କହିବା ପାଇଁ ‘ଲଜ୍ଜିତ ନୋହିବା’ ଓ ସେମାନଙ୍କୁ ପ୍ରୋତ୍ସାହନ ଦେବା ଯେ ସେମାନେ ମଧ୍ୟ ବାଇବଲରେ ଲେଖାଥିବା କଥାଗୁଡ଼ିକୁ ମାନନ୍ତୁ । (ଗୀତ. ୧୧୯:୪୬) ଆଉ ହୁଏତ ଆମ ଜୀବନରେ ଯେତେ ବି କଷ୍ଟ ଆସେ କିମ୍ବା ଆମ ଉପରେ ଅତ୍ୟାଚାର କରାଯାଏ, ଆମେ ‘ଖୁସି ଓ ଧୈର୍ଯ୍ୟର ସହ’ ସବୁକିଛି ସହି ନେବା ।—କଲ. ୧:୧୧; ଗୀତ. ୧୧୯:୧୪୩, ୧୫୭.

୧୭. ୨୦୨୩ ମସିହାର ବାର୍ଷିକ ପଦ କେଉଁ କଥା ଉପରେ ଆପଣଙ୍କ ଭରସା ବଢ଼ାଇବ ?

୧୭ ଆମେ ବହୁତ ଖୁସି ଯେ ଯିହୋବା ଆମକୁ ବାଇବଲର ସତ୍ୟ ବିଷୟରେ ଜଣାଇଛନ୍ତି । ଆଜି ଦୁନିଆର ଲୋକମାନଙ୍କୁ ଜଣାନାହିଁ ଯେ ସେମାନେ କାହା ଉପରେ ଭରସା କରିପାରିବେ ଓ କାହା ଉପରେ ନୁହେଁ କିମ୍ବା ସେମାନଙ୍କୁ କʼଣ କରିବା ଉଚିତ୍‌ ଓ କʼଣ ନୁହେଁ । କିନ୍ତୁ ବାଇବଲର ସତ୍ୟ ଜାଣିବା ଯୋଗୁଁ ଆମେ ଜାଣିଛୁ ଯେ ଆମକୁ ନିଜ ଜୀବନରେ କʼଣ କରିବା ଉଚିତ୍‌ । ଆମେ ବାଇବଲର ସତ୍ୟଗୁଡ଼ିକ ବିଷୟରେ ଜାଣୁ ତେଣୁ ଆମେ ସମସ୍ୟା ସମୟରେ ଧୈର୍ଯ୍ୟ ଧରିପାରୁ ଓ ଶାନ୍ତ ରହିପାରୁ । କେବଳ ଏତିକି ନୁହେଁ ଆମ ପାଖରେ ଗୋଟିଏ ଆଶା ଅଛି ଯେ ଆଗକୁ ଯାଇ ଈଶ୍ୱରଙ୍କ ରାଜ୍ୟରେ ଆମକୁ ଭଲ ଜୀବନ ମିଳିବ । ଆମ ଏହା ହିଁ ପ୍ରାର୍ଥନା ଯେ ୨୦୨୩ ମସିହାର ବାର୍ଷିକ ପଦ ଏହି କଥା ଉପରେ ଆପଣଙ୍କ ଭରସା ବଢ଼ାଇବ ଯେ ଈଶ୍ୱରଙ୍କ ବାକ୍ୟରେ ଲେଖାଥିବା ପ୍ରତ୍ୟେକ କଥା ସତ ଅଟେ ।—ଗୀତ. ୧୧୯:୧୬୦.

ଗୀତ ୯୪ ୟହୋୱା କେ ୱଚନ କେ ଲିଏ ଏହସାନମନ୍ଦ

a ୨୦୨୩ ମସିହାର ବାର୍ଷିକ ପଦ ପଢ଼ିଲେ ଆମର ଏକଥା ଉପରେ ଭରସା ବଢ଼ିବ ଯେ ବାଇବଲ ଈଶ୍ୱରଙ୍କ ବାକ୍ୟ ଅଟେ । ଏହା ଗୀତସଂହିତା ୧୧୯:୧୬୦ ପଦରୁ ନିଆଯାଇଛି, ଯେଉଁଥିରେ ଲେଖାଅଛି, ତୁମ୍ଭର ସମସ୍ତ ବାକ୍ୟ ସତ ଅଟେ । ଆପଣ ମଧ୍ୟ ଏହି କଥାକୁ ନିଶ୍ଚୟ ବିଶ୍ୱାସ କରୁଥିବେ । କିନ୍ତୁ ଆଜି କିଛି ଲୋକମାନଙ୍କୁ ବାଇବଲ ଓ ଏଥିରେ ଲେଖାଥିବା କଥାଗୁଡ଼ିକ ଉପରେ ଭରସା କରିବା କଷ୍ଟ ଲାଗେ । ଆମେ ଏହି ଲେଖାରେ ଏପରି ତିନୋଟି କଥା ଉପରେ ଧ୍ୟାନ ଦେବା ଯେଉଁଗୁଡ଼ିକୁ ଆମେ ଅନ୍ୟମାନଙ୍କୁ କହିପାରିବା ଯାହାଫଳରେ ସେମାନଙ୍କୁ ମଧ୍ୟ ବିଶ୍ୱାସ ହୋଇଯିବ ଯେ ବାଇବଲ ଉପରେ ଭରସା କରାଯାଇପାରିବ ଏବଂ ଏଥିରେ ଦିଆଯାଇଥିବା ପରାମର୍ଶକୁ ମାନିଲେ ଆମକୁ ଲାଭ ମିଳେ ।

b “ହସ୍ତଲିପିର” ଅର୍ଥ ହେଉଛି, ପ୍ରାଚୀନ ସମୟର କୌଣସି ଲେଖା ଯାହା ହାତରେ ଲେଖାଯାଇଥିଲା ।

c ବାଇବଲକୁ ଆରମ୍ଭରେ ଯେପରି ଲେଖା ଯାଇଥିଲା ସେହିପରି ରଖିବା ପାଇଁ ଆଉ କʼଣ କʼଣ କରାଗଲା, ଏହା ଜାଣିବା ପାଇଁ JW.ORG ୱେବସାଇଟ୍‌ରେ ଯାʼନ୍ତୁ ଓ ଖୋଜନ୍ତୁ ବକ୍ସରେ “ପବିତ୍ର ଶାସ୍ତ୍ର ଓ ଇତିହାସ” ଟାଇପ୍‌ କରନ୍ତୁ ।

d ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ ।

e ଚିତ୍ର ବିଷୟରେ: ଦିନେ ବାବିଲ ବହୁତ ବଡ଼ ସହର ଥିଲା । କିନ୍ତୁ ଆଗକୁ ଯାଇ ତାହା ଧ୍ୱଂସ ହୋଇ ପଡ଼ିରହିଛି, ଠିକ୍‌ ଯେପରି ଈଶ୍ୱର ଭବିଷ୍ୟତବାଣୀ କରିଥିଲେ ।

f ଚିତ୍ର ବିଷୟରେ: ଜଣେ ଯୁବା ଲୋକ ଯେ ପୂର୍ବେ ଯୁଦ୍ଧଗୁଡ଼ିକରେ ଅନ୍ୟମାନଙ୍କ ସହ ଲଢ଼ୁଥିଲା, ବାଇବଲ ପଢ଼ି ସେ ଏବେ ଶାନ୍ତିରେ ବଞ୍ଚିବା ଶିଖିଲା ଓ ଅନ୍ୟମାନଙ୍କୁ ମଧ୍ୟ ଏବିଷୟରେ କହିଲା ।