इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୩

ଯିହୋବା ଆପଣଙ୍କୁ ସଫଳତା ପାଇବାରେ ସାହାଯ୍ୟ କରୁଛନ୍ତି !

ଯିହୋବା ଆପଣଙ୍କୁ ସଫଳତା ପାଇବାରେ ସାହାଯ୍ୟ କରୁଛନ୍ତି !

‘ଯିହୋବା ଯୋଷେଫଙ୍କ ସହବର୍ତ୍ତୀ ଥିଲେ; ପୁଣି ସେ ଯାହା କଲେ, ଯିହୋବା ତାହା ସିଦ୍ଧ ବା ସଫଳ କଲେ ।’—ଆଦି. ୩୯:୨୩.

ଗୀତ ୩୦ ୟହୋୱା, ମେରା ପରମେଶ୍ୱର, ପିତା ଔର ଦୋସ୍ତ

ଲେଖାର ଝଲକ a

୧-୨. (କ) ଯେବେ ଆମ ଉପରେ ସମସ୍ୟାଗୁଡ଼ିକ ଆସେ, ତେବେ ଆମେ କାହିଁକି ଆଶ୍ଚର୍ଯ୍ୟ ହୋଇ ନ ଥାଉ ? (ଖ) ଏହି ଲେଖାରେ ଆମେ କʼଣ ଜାଣିବା ?

 ଆମେ ଯିହୋବାଙ୍କ ସେବା କରୁ, ତେଣୁ ଆମକୁ ଜଣାଅଛି ଯେ ଆମ ଜୀବନରେ ସମସ୍ୟାଗୁଡ଼ିକ ଆସିବ ସେଥିପାଇଁ ସମସ୍ୟା ସମୟରେ ଆମେ ଆଶ୍ଚର୍ଯ୍ୟ ହୋଇ ନ ଥାଉ । ବାଇବଲରେ ମଧ୍ୟ ଲେଖାଅଛି, “ଅନେକ କ୍ଳେଶ ମଧ୍ୟ ଦେଇ ଆମ୍ଭମାନଙ୍କୁ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ହେବ ।” (ପ୍ରେରି. ୧୪:୨୨) ଆମେ ଏହା ବି ଜାଣୁ ଯେ ଆମର କିଛି ସମସ୍ୟାଗୁଡ଼ିକ ନୂଆ ଦୁନିଆରେ ହିଁ ଶେଷ ହେବ । ସେସମୟରେ “ମୃତ୍ୟୁ ଆଉ ଘଟିବ ନାହିଁ; ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ ।”—ପ୍ରକା. ୨୧:୪.

ଯିହୋବା ଆମ ଉପରେ ଆସୁଥିବା ସମସ୍ୟାଗୁଡ଼ିକୁ ରୋକନ୍ତି ନାହିଁ, କିନ୍ତୁ ଯେବେ ଆମ ଉପରେ ସମସ୍ୟା ଆସେ ତେବେ ଯିହୋବା ଆମକୁ ସେସବୁ ସହିବା ପାଇଁ ନିଶ୍ଚୟ ଶକ୍ତି ଦିଅନ୍ତି । ଧ୍ୟାନ ଦିଅନ୍ତୁ ଯେ ପାଉଲ ରୋମରେ ରହୁଥିବା ଖ୍ରୀଷ୍ଟିୟାନମାନଙ୍କୁ କʼଣ ଲେଖିଲେ । ସବୁଠୁ ପ୍ରଥମେ ସେ ସେମାନଙ୍କୁ କହିଲେ ଯେ ସେ ଓ ତାଙ୍କ ସାଥୀମାନେ କେଉଁ ସମସ୍ୟାଗୁଡ଼ିକର ସାମନା କରୁଛନ୍ତି । ତାʼପରେ ସେ କହିଲେ, “ଯେ ଆମ୍ଭମାନଙ୍କୁ ପ୍ରେମ କଲେ, ତାହାଙ୍କ ଦ୍ୱାରା ଆମ୍ଭେମାନେ ଏହିସମସ୍ତ ବିଷୟରେ ସର୍ବତୋଭାବେ ବିଜୟୀ ଅଟୁ ।” (ରୋମୀ. ୮:୩୫-୩୭) ଏଥିରୁ ଜଣାପଡ଼େ ଯେ ଆମେ ଯିହୋବାଙ୍କ ସାହାଯ୍ୟରେ ସମସ୍ୟାଗୁଡ଼ିକ ସମୟରେ ମଧ୍ୟ ସଫଳତା ପାଇପାରିବା । ଯୋଷେଫଙ୍କ ସହ ମଧ୍ୟ ଏପରି ହିଁ ହେଲା । ଆସନ୍ତୁ ଜାଣିବା ଯେ ଯେବେ ତାଙ୍କ ଉପରେ ସମସ୍ୟାଗୁଡ଼ିକ ଆସିଲା, ତେବେ ଯିହୋବାଙ୍କ ସାହାଯ୍ୟରେ ସେ କିପରି ସଫଳତା ପାଇପାରିଲେ ଓ ଆଜି ଯେବେ ଆମ ଉପରେ ସମସ୍ୟାଗୁଡ଼ିକ ଆସେ, ତେବେ ଆମେ କିପରି ସଫଳତା ପାଇପାରିବା ।

ଯେବେ ହଠାତ୍‌ ପରିସ୍ଥିତି ବଦଳି ଯାଏ

୩. ଯୋଷେଫଙ୍କ ଜୀବନ କିପରି ହଠାତ୍‌ ବଦଳି ଗଲା ?

ଯାକୁବ ନିଜ ପୁଅ ଯୋଷେଫଙ୍କୁ ବହୁତ ପ୍ରେମ କରୁଥିଲେ । (ଆଦି. ୩୭:୩, ୪) ତେଣୁ ଯୋଷେଫଙ୍କ ବଡ଼ ଭାଇମାନେ ତାଙ୍କୁ ଈର୍ଷା କରିବାକୁ ଲାଗିଲେ ଓ ଯେପରି ହିଁ ତାଙ୍କୁ ସୁଯୋଗ ମିଳିଲା ସେ ଯୋଷେଫଙ୍କୁ ମିଦୀୟନୀୟ ବ୍ୟବସାୟୀଙ୍କ ହାତରେ ବିକ୍ରି କରିଦେଲେ । ଆଉ ସେହି ବ୍ୟବସାୟୀମାନେ ତାଙ୍କୁ ନିଜ ଘରଠାରୁ ବହୁତ ଦୂର ମିଶରକୁ ନେଇଗଲେ । ଆଉ ତାଙ୍କୁ ଫାରୋଙ୍କ ରକ୍ଷକ ସେନାପତି ପୋଟୀଫରଙ୍କ ପାଖରେ ବିକି ଦେଲେ । ଯୋଷେଫଙ୍କ ଜୀବନ ପୂରାପୂରି ବଦଳି ଗଲା । ପୂର୍ବେ ସେ ନିଜ ବାପାଙ୍କ ପ୍ରିୟ ଥିଲେ, କିନ୍ତୁ ଏବେ ମିଶରରେ ସେ ଜଣେ ଦାସ ହୋଇ ରହି ଯାଇଥିଲେ ।—ଆଦି. ୩୯:୧.

୪. ଆମକୁ କିଭଳି ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼ିପାରେ ?

ବାଇବଲରେ ଲେଖାଅଛି, ‘ସମସ୍ତଙ୍କ ପ୍ରତି ସମସ୍ୟା ଘଟେ’ ଅର୍ଥାତ୍‌ ସମସ୍ୟା କାହାରି ଉପରେ ବି ଆସିପାରେ । (ଉପ. ୯:୧୧) ଏହି କଥା କେତେ ସତ ଅଟେ । ଅନେକଥର ଆମେ ଏପରି ସମସ୍ୟାଗୁଡ଼ିକର ସାମନା କରୁ ଯାହା ‘ଅନ୍ୟ ମନୁଷ୍ୟମାନେ’ ମଧ୍ୟ ସାମନା କରିଥାʼନ୍ତି । (୧ କରି. ୧୦:୧୩) କିନ୍ତୁ ବେଳେବେଳେ ଆମ ଉପରେ ଏଥିପାଇଁ ସମସ୍ୟାଗୁଡ଼ିକ ଆସେ କାରଣ ଆମେ ଯୀଶୁଙ୍କ ଶିଷ୍ୟ ଅଟୁ । ଯେପରି ଅନେକଥର ଆମର ମଜାକ ଉଡ଼ାଯାଏ, ବିରୋଧ କରାଯାଏ ଓ ଅନେକଥର ଆମ ଉପରେ ଅତ୍ୟାଚାର ମଧ୍ୟ କରାଯାଏ । (୨ ତୀମ. ୩:୧୨) ଆମ ଉପରେ ଯେକୌଣସି ବି ସମସ୍ୟା ଆସୁ ନା କାହିଁକି, ଯିହୋବାଙ୍କ ସାହାଯ୍ୟରେ ଆମେ ସଫଳ ହୋଇପାରିବା । ଆସନ୍ତୁ ଦେଖିବା ଯେ ଯିହୋବା କିପରି ଯୋଷେଫଙ୍କୁ ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ସାହାଯ୍ୟ କଲେ ।

ଯେବେ ଯୋଷେଫ ମିଶରରେ ପୋଟୀଫରଙ୍କ ଦାସ ଥିଲେ, ତେବେ ବି ଯିହୋବା କିପରି ତାଙ୍କୁ ସଫଳତା ଦେଲେ (ପାରାଗ୍ରାଫ ୫)

୫. ଯୋଷେଫଙ୍କ ସଫଳତା ଦେଖି ପୋଟୀଫର କʼଣ ବୁଝିଗଲେ ? (ଆଦି ପୁସ୍ତକ ୩୯:୨-୬)

ଆଦି ପୁସ୍ତକ ୩୯:୨-୬ ପଢ଼ନ୍ତୁ । ପୋଟୀଫର ଧ୍ୟାନ ଦେଲେ ଯେ ଯୋଷେଫ ବହୁତ ବୁଦ୍ଧିମାନ ଓ ପରିଶ୍ରମୀ ଅଟନ୍ତି । ସେ ଏପରି କାହିଁକି ଅଟନ୍ତି ପୋଟୀଫର ଏହାର କାରଣ ମଧ୍ୟ ବୁଝିଗଲେ । ଆଉ ତାହା ଥିଲା ‘ଯୋଷେଫ ଯାହା ବି କରୁଥିଲେ, ଯିହୋବା ତାହା ସଫଳ କରୁଥିଲେ ।’ b କିଛି ସମୟ ପରେ ପୋଟୀଫର ଯୋଷେଫଙ୍କୁ ନିଜର ବିଶେଷ ସେବକ ବାଛିଲେ ଓ ତାʼପରେ ସେ ତାଙ୍କୁ ନିଜ ଘରର ଅଧିକାରୀ ଭାବେ ମଧ୍ୟ ବାଛିଲେ । ଯୋଷେଫଙ୍କ ଯୋଗୁଁ ପୋଟୀଫରଙ୍କ ଧନ ସମ୍ପତ୍ତି ଆହୁରି ବଢ଼ିଗଲା ।

୬. ଯୋଷେଫଙ୍କ ସହ ଯାହା ହେଉଥିଲା, ସେବିଷୟରେ ତାଙ୍କୁ କିପରି ଲାଗୁଥିବ ?

ଏବେ ପରିସ୍ଥିତିକୁ ଯୋଷେଫଙ୍କ ଦୃଷ୍ଟିରେ ଦେଖିବା ପାଇଁ ଚେଷ୍ଟା କରନ୍ତୁ । ଏହା ସତ ଯେ ଯୋଷେଫଙ୍କୁ ପୋଟୀଫରଙ୍କ ଘରେ ଅନେକ ଅଧିକାର ଦିଆଯାଇଥିଲା, କିନ୍ତୁ କʼଣ ସେ ଏହା ଚାହୁଁଥିଲେ ଯେ ପୋଟୀଫର ତାଙ୍କ ପରିଶ୍ରମ ଉପରେ ଧ୍ୟାନ ଦିଅନ୍ତୁ ଓ ତାଙ୍କୁ ପୁରସ୍କାର ଦିଅନ୍ତୁ ? ନା, ସେ ତ କେବଳ ନିଜ ଘର ଫେରିବାକୁ ଚାହୁଁଥିବେ, ନିଜ ବାପାଙ୍କ ପାଖରେ ଫେରିବାକୁ ଚାହୁଁଥିବେ । କାରଣ ସେ ଜଣେ ଦାସ ଥିଲେ ଆଉ ତାହା ବି ଏପରି ବ୍ୟକ୍ତିର ଯିଏ ଯିହୋବାଙ୍କ ଉପାସନା କରୁ ନ ଥିଲେ । ଆଉ ଯିହୋବା ଏପରି କିଛି କଲେନି ଯାହାଦ୍ୱାରା ଯୋଷେଫଙ୍କୁ ପୋଟୀଫର ମୁକ୍ତ କରିଦିଅନ୍ତୁ ଓଲଟା ଆଗକୁ ଯାଇ ତାଙ୍କୁ ଆହୁରି କଷ୍ଟ ସହିବାକୁ ପଡ଼ିଲା ।

ଯେବେ ପରିସ୍ଥିତି ଆହୁରି ଖରାପ ହୋଇଯାଏ

୭. ଯୋଷେଫଙ୍କ ପରିସ୍ଥିତି କିପରି ଆହୁରି ଖରାପ ହେବାକୁ ଲାଗିଲା ? (ଆଦି ପୁସ୍ତକ ୩୯:୧୪, ୧୫)

ଆଦି ପୁସ୍ତକ ଅଧ୍ୟାୟ ୩୯ରେ କୁହାଯାଇଛି ଯେ ପୋଟୀଫରଙ୍କ ସ୍ତ୍ରୀ ଯୋଷେଫଙ୍କ ଉପରେ ଖରାପ ଦୃଷ୍ଟି ଦେବାକୁ ଲାଗିଲା । ସେ ଯୋଷେଫଙ୍କୁ ବାରମ୍ବାର କହୁଥିଲା ଯେ ଯୋଷେଫ ତାʼ ସହିତ ଶୟନ କରନ୍ତୁ । କିନ୍ତୁ ପ୍ରତ୍ୟେକ ଥର ଯୋଷେଫ ତାକୁ ମନା କରି ଦେଉଥିଲେ । ଦିନେ ତାକୁ ଏତେ ରାଗ ଲାଗିଲା ଯେ ସେ ଯୋଷେଫଙ୍କ ଉପରେ ବଳାତ୍କାର କରିବାର ଆରୋପ ଲଗାଇ ଦେଲା । (ଆଦି ପୁସ୍ତକ ୩୯:୧୪, ୧୫ ପଢ଼ନ୍ତୁ ।) ଯେବେ ପୋଟୀଫରଙ୍କୁ ଏବିଷୟରେ ଜଣାପଡ଼ିଲା, ତେବେ ସେ ଯୋଷେଫଙ୍କୁ ଜେଲରେ ପୂରେଇ ଦେଲେ ଓ ଯୋଷେଫଙ୍କୁ ଅନେକ ବର୍ଷ ଯାଏ ସେଠାରେ ରହିବାକୁ ପଡ଼ିଲା । (ଆଦି. ୩୯:୧୯, ୨୦) ଯୋଷେଫଙ୍କୁ ଯେଉଁଠି ବନ୍ଦୀ କରି ରଖାଯାଇଥିଲା, ସେହି ଜାଗା କିପରି ଥିଲା ? ଯୋଷେଫ ସେହି ବିଷୟରେ କହିବା ପାଇଁ ଯେଉଁ ଏବ୍ରୀ ଶବ୍ଦର ବ୍ୟବହାର କଲେ ତାʼ ଅର୍ଥ, “କାରାକୂପ” ମଧ୍ୟ ହୋଇପାରେ । (ଆଦି. ୪୦:୧୫) ଏଥିରୁ ଜଣାପଡ଼େ ଯେ ହୁଏତ ଯୋଷେଫଙ୍କୁ ଗୋଟିଏ କାରାଗାରରେ ଭର୍ତ୍ତି କରାଯାଇଥିଲା ଓ ସେଠାରେ ସେ ବହୁତ ନିରାଶ ଅନୁଭବ କରୁଥିବେ । ବାଇବଲରେ ଏହା ବି କୁହାଯାଇଛି ଯେ କିଛି ସମୟ ପାଇଁ ବେଡ଼ିରେ ତାଙ୍କର ଚରଣକୁ ଓ ଶୀକୁଳିରେ ତାଙ୍କର ବେକକୁ ବନ୍ଧା ଯାଇଥିଲା । (ଗୀତ. ୧୦୫:୧୭, ୧୮) ଯୋଷେଫଙ୍କ ପରିସ୍ଥିତି ଦିନକୁ ଦିନ ଆହୁରି ଖରାପ ହୋଇ ହୋଇ ଯାଉଥିଲା । ଦେଖିବାକୁ ଗଲେ ଗୋଟେ ସମୟରେ ଯୋଷେଫ ବିଶ୍ୱାସଯୋଗ୍ୟ ଦାସ ଥିଲେ, କିନ୍ତୁ ଏବେ ସେ ସାଧାରଣ କଏଦୀ ଭାବେ ଥିଲେ ।

୮. ଯଦି ଆପଣଙ୍କ ପରିସ୍ଥିତି ଆହୁରି ଖରାପ ହୋଇଯାଏ, ସେସମୟରେ ବି ଆପଣ କେଉଁ କଥାର ଭରସା ରଖିପାରିବେ ?

କʼଣ ଆପଣଙ୍କ ସହ ଏପରି ହୋଇଛି ଯେ ଆପଣ ଯିହୋବାଙ୍କୁ ହୃଦୟ ଖୋଲି ପ୍ରାର୍ଥନା କଲେ, ତଥାପି ଆପଣଙ୍କ ପରିସ୍ଥିତି ଆହୁରି ଖରାପ ହୋଇଗଲା ? ଆମ ସହିତ ଏପରି ହୋଇପାରେ, କାରଣ ଆଜି ଦୁନିଆକୁ ଶୟତାନ ଶାସନ କରୁଛି ଆଉ ଯିହୋବା କୌଣସି ଚମତ୍କାର କରି ଆମକୁ ରକ୍ଷା କରନ୍ତି ନାହିଁ । (୧ ଯୋହ. ୫:୧୯) କିନ୍ତୁ ଆମେ ଗୋଟେ କଥାର ଭରସା ରଖିପାରିବା । ଯିହୋବାଙ୍କୁ ଜଣାଅଛି ଯେ ଆପଣଙ୍କ ଉପରେ କʼଣ ଘଟୁଛି ଓ ସେ ଆପଣଙ୍କର ବହୁତ ଚିନ୍ତା କରନ୍ତି । (ମାଥି. ୧୦:୨୯-୩୧; ୧ ପିତ. ୫:୬, ୭) ସେ ଆମ ମଧ୍ୟରୁ ପ୍ରତ୍ୟେକଙ୍କୁ ପ୍ରତିଜ୍ଞା କରିଛନ୍ତି, “ଆମ୍ଭେ ତୁମ୍ଭକୁ କେବେ ହେଁ ଛାଡ଼ିବା ନାହିଁ, ଆମ୍ଭେ ତୁମ୍ଭକୁ କେବେ ହେଁ ପରିତ୍ୟାଗ କରିବା ନାହିଁ ।” (ଏବ୍ରୀ ୧୩:୫) ଯିହୋବା ଆପଣଙ୍କୁ ସମସ୍ୟାଗୁଡ଼ିକୁ ସହିବା ପାଇଁ ଶକ୍ତି ଦେଇପାରିବେ, ତେବେ ବି ଯେବେ ଆପଣଙ୍କୁ କୌଣସି ଆଶା ଦେଖାଯାଉ ନ ଥିବ । ଆସନ୍ତୁ ଦେଖିବା ଯେ ଯିହୋବା ଯୋଷେଫଙ୍କୁ କିପରି ସାହାଯ୍ୟ କଲେ ।

ଯେବେ ଯୋଷେଫ ଜେଲରେ ଥିଲେ ଓ ଯେବେ ତାଙ୍କୁ ସମସ୍ତ କଏଦୀମାନଙ୍କ ଉପରେ ଅଧିକାରୀ ଭାବେ ନିଯୁକ୍ତି କରାଗଲା, ତେବେ ବି ଯିହୋବା ତାଙ୍କ ସାଙ୍ଗରେ ଥିଲେ (ପାରାଗ୍ରାଫ ୯)

୯. ଆମେ କାହିଁକି କହିପାରିବା ଯେ ଯେବେ ଯୋଷେଫ ଜେଲରେ ଥିଲେ, ତେବେ ବି ଯିହୋବା ତାଙ୍କ ସାଙ୍ଗରେ ଥିଲେ ? (ଆଦି ପୁସ୍ତକ ୩୯:୨୧-୨୩)

ଆଦି ପୁସ୍ତକ ୩୯:୨୧-୨୩ ପଢ଼ନ୍ତୁ । ଯୋଷେଫ ବହୁତ କଠିନ ସମୟର ସାମନା କରୁଥିଲେ, ତଥାପି ଯିହୋବାଙ୍କ ସାହାଯ୍ୟରେ ସେ ସଫଳତା ପାଇପାରିଲେ । ତାହା କିପରି ? ଯେପରି ପୋଟୀଫର ଯୋଷେଫଙ୍କ କାମ ଦେଖି ତାଙ୍କ ଉପରେ ଭରସା କରିବାକୁ ଲାଗିଲେ, ସେହିପରି ଜେଲର କାରାରକ୍ଷକ ମଧ୍ୟ ଯୋଷେଫଙ୍କ ଉପରେ ଭରସା କରିବାକୁ ଲାଗିଲା । କିଛି ସମୟ ପରେ ହିଁ ସେ ଯୋଷେଫଙ୍କୁ ଜେଲରେ ଥିବା ସବୁ କଏଦୀମାନଙ୍କ ଉପରେ ଅଧିକାରୀ ନିଯୁକ୍ତ କରିଦେଲା । ବାଇବଲରେ ଏହା ବି ଲେଖାଅଛି, “କାରାରକ୍ଷକ ଯୋଷେଫଙ୍କର ହସ୍ତଗତ କୌଣସି ବିଷୟରେ ଦୃଷ୍ଟିପାତ କଲା ନାହିଁ ।” ଏବେ ଯୋଷେଫ ଜେଲର ଗୋଟିଏ କୋଣରେ ବସି ରହି ନ ଥିଲେ, ବରଂ ତାଙ୍କ ପାଖରେ କରିବା ପାଇଁ କିଛି କାମ ଥିଲା । ଟିକେ ଭାବନ୍ତୁ, ଯେଉଁ ବ୍ୟକ୍ତିଙ୍କ ଉପରେ ଫାରୋଙ୍କ ରକ୍ଷକ ସେନାପତିଙ୍କ ସ୍ତ୍ରୀଙ୍କ ବଳାତ୍କାର କରିବାର ଆରୋପ ଲଗାଯାଇଥିଲା, ତାଙ୍କୁ ଏତେ ବଡ଼ ଦାୟିତ୍ୱ କିପରି ଦିଆଗଲା ! ଏହାର କେବଳ ଗୋଟିଏ ହିଁ କାରଣ ହୋଇପାରେ । ଆଦି ପୁସ୍ତକ ୩୯:୨୩ ପଦରେ ଲେଖାଅଛି, ‘ଯିହୋବା ତାଙ୍କର ସହବର୍ତ୍ତୀ ଥିଲେ; ପୁଣି ସେ ଯାହା କଲେ, ଯିହୋବା ତାହା ସଫଳ କଲେ ।’

୧୦. ଯୋଷେଫଙ୍କୁ ହୁଏତ କାହିଁକି ଲାଗିଥିବ ଯେ ତାଙ୍କୁ ପ୍ରତ୍ୟେକ କାମରେ ସଫଳତା ମିଳୁ ନାହିଁ ?

୧୦ ପୁଣିଥରେ ପରିସ୍ଥିତିକୁ ଯୋଷେଫଙ୍କ ଦୃଷ୍ଟିରେ ଦେଖିବା ପାଇଁ ଚେଷ୍ଟା କରନ୍ତୁ । ଯୋଷେଫଙ୍କ ଉପରେ ମିଛ ଆରୋପ ଲଗାଯାଇଥିଲା ଓ ତାଙ୍କୁ ଜେଲରେ ପୂରେଇ ଦିଆଯାଇଥିଲା । କʼଣ ସେସମୟରେ ତାଙ୍କୁ ଲାଗିଥିବ ଯେ ତାଙ୍କୁ ପ୍ରତ୍ୟେକ କାମରେ ସଫଳତା ମିଳୁଛି ? ସେସମୟରେ ତାଙ୍କ ମନରେ କʼଣ ଚାଲୁଥିବ ? କʼଣ ସେ ଏହା ଚାହୁଁଥିବେ ଯେ ଜେଲର କାରାରକ୍ଷକ ତାଙ୍କ ଉପରେ ଖୁସି ହୁଅନ୍ତୁ ଓ ତାଙ୍କୁ ଆହୁରି ଦାୟିତ୍ୱ ଦିଅନ୍ତୁ ? ନା, ସେ କେବଳ ଏତିକି ଚାହୁଁଥିବେ ଯେ ତାଙ୍କ ଉପରେ ଲଗାଯାଇଥିବା ମିଛ ଆରୋପ ହଟିଯାଉ ଓ ସେ ମୁକ୍ତ ହୋଇଯାʼନ୍ତୁ । ଯୋଷେଫ ଜଣେ କଏଦୀକୁ ଯିଏ ମୁକ୍ତ ହେବାକୁ ଯାଉଥିଲା, ତାକୁ କହିଥିଲେ ଯେ ସେ ବନ୍ଦୀରୁ ମୁକ୍ତ ହେବା ପରେ ତାଙ୍କ ବିଷୟରେ ଫାରୋଙ୍କୁ କହନ୍ତୁ ଯାହାଫଳରେ ସେ କାରାଗାରରୁ ମୁକ୍ତ ହୋଇପାରିବେ । (ଆଦି. ୪୦:୧୪) କିନ୍ତୁ ସେ ଫାରୋଙ୍କୁ ଯୋଷେଫଙ୍କ ବିଷୟରେ କହିବା ପାଇଁ ଭୁଲି ଗଲା, ତେଣୁ ଯୋଷେଫଙ୍କୁ ଆଉ ଦୁଇ ବର୍ଷ ଯାଏ ଜେଲରେ ରହିବାକୁ ପଡ଼ିଲା । (ଆଦି. ୪୦:୨୩; ୪୧:୧, ୧୪) କିନ୍ତୁ ଏପରି ସମୟରେ ବି ଯିହୋବା ପ୍ରତ୍ୟେକ କାମରେ ତାଙ୍କୁ ସଫଳତା ଦେଉଥିଲେ । ଆସନ୍ତୁ ଜାଣିବା କିପରି ।

୧୧. (କ) ଯିହୋବାଙ୍କ ସାହାଯ୍ୟରେ ଯୋଷେଫ କʼଣ କରିପାରିଲେ ? (ଖ) ଏଥିରୁ ଯିହୋବାଙ୍କ ଉଦ୍ଦେଶ୍ୟ କିପରି ପୂରା ହେଲା ?

୧୧ ଯେବେ ଯୋଷେଫ ଜେଲରେ ଥିଲେ, ତେବେ ଯିହୋବା ଫାରୋଙ୍କୁ ଦୁଇଟି ସ୍ୱପ୍ନ ଦେଖାଇଲେ । ତାʼ ଯୋଗୁଁ ସେ ବହୁତ ବ୍ୟସ୍ତ ହୋଇଗଲେ । ସେ ତାʼର ଅର୍ଥ ଜାଣିବାକୁ ଚାହୁଁଥିଲେ । ଫାରୋଙ୍କୁ କୁହାଗଲା ଯେ ଯୋଷେଫ ତାଙ୍କ ସ୍ୱପ୍ନର ଅର୍ଥ କହିପାରିବେ, ତେଣୁ ଫାରୋ ତାଙ୍କୁ ନିଜ ପାଖକୁ ଡକାଇଲେ । ଯୋଷେଫ ଯିହୋବାଙ୍କ ସାହାଯ୍ୟରେ ସ୍ୱପ୍ନର ଅର୍ଥ କହିଦେଲେ ଓ କିଛି ପରାମର୍ଶ ମଧ୍ୟ ଦେଲେ । ଫାରୋ ତାଙ୍କ ଉପରେ ଖୁସି ହୋଇଗଲେ ଓ ସେ ବୁଝିଗଲେ ଯେ ଯିହୋବା ଯୋଷେଫଙ୍କ ସହ ଅଛନ୍ତି, ତେଣୁ ସେ ଯୋଷେଫଙ୍କୁ ପୂରା ମିଶର ଦେଶର ଖାଦ୍ୟ ଭଣ୍ଡାରର ଅଧିକାରୀ ନିଯୁକ୍ତ କଲେ । (ଆଦି. ୪୧:୩୮, ୪୧-୪୪) ପରେ ମିଶର ଓ କିଣାନ ଦେଶରେ ମରୁଡ଼ି ହେଲା । ସେସମୟରେ ଯୋଷେଫଙ୍କ ପରିବାର କିଣାନ ଦେଶରେ ହିଁ ଥିଲେ । କିନ୍ତୁ ଏବେ ଯୋଷେଫ ଜଣେ ବଡ଼ ଅଧିକାରୀ ହୋଇଯାଇଥିଲେ ଓ ନିଜ ପରିବାରର ଆବଶ୍ୟକତା ପୂରା କରିପାରʼନ୍ତେ, ତେଣୁ ସେ ସେମାନଙ୍କୁ ମିଶର ଦେଶକୁ ଡାକିଲେ । ଏପରି ଭାବେ ସେହି ବଂଶର ରକ୍ଷା ହୋଇପାରିଲା ଯେଉଁ ବଂଶରୁ ଆଗକୁ ଯାଇ ମସୀହ ଜନ୍ମ ହୁଅନ୍ତେ ।

୧୨. ଯିହୋବା କିଭଳି ଭାବରେ ଯୋଷେଫଙ୍କୁ ପ୍ରତ୍ୟେକ କାମରେ ସଫଳତା ଦେଲେ ?

୧୨ ଯୋଷେଫଙ୍କ ଜୀବନରେ ଅନେକ ଅବିଶ୍ୱାସନୀୟ ଘଟଣାଗୁଡ଼ିକ ଘଟିଲା । ଧ୍ୟାନ ଦିଅନ୍ତୁ, ପୋଟୀଫର କାହିଁକି ଜଣେ ସାଧାରଣ ଦାସଙ୍କ ଉପରେ ଧ୍ୟାନ ଦେଲେ ? ଜେଲର ଅଧିକାରୀ କାହିଁକି ଜଣେ କଏଦୀକୁ ଏତେ ବଡ଼ ଦାୟିତ୍ୱ ଦେଲେ ? କିଏ ଫାରୋଙ୍କୁ ସ୍ୱପ୍ନ ଦେଖାଇଲେ ଯାହାଯୋଗୁଁ ସେ ବ୍ୟସ୍ତ ହୋଇଗଲେ ? କିଏ ଯୋଷେଫଙ୍କୁ ସ୍ୱପ୍ନର ଅର୍ଥ କହିବାର ଦକ୍ଷତା ଦେଲେ ? କିଏ ଫାରୋଙ୍କ ମନରେ ଏକଥା ଆଣିଲେ ଯେ ଯୋଷେଫଙ୍କୁ ଶସ୍ୟ ଭଣ୍ଡାରର ଅଧିକାରୀ ନିଯୁକ୍ତ କରନ୍ତୁ ? (ଆଦି. ୪୫:୫) ଏସବୁ ଆପେ ଆପେ ହେଲାନି । ଏହା ପଛରେ ଯିହୋବାଙ୍କ ହାତ ଥିଲା ଓ ସେ ହିଁ ଯୋଷେଫଙ୍କ ପ୍ରତ୍ୟେକ କାମରେ ସଫଳତା ଦେଲେ । ଯୋଷେଫଙ୍କ ଭାଇମାନେ ତ ତାଙ୍କୁ ମାରିବା ପାଇଁ ଚାହୁଁଥିଲେ, କିନ୍ତୁ ଯିହୋବା ପରିସ୍ଥିତିକୁ ଏପରି ବଦଳାଇ ଦେଲେ ଯାହାଦ୍ୱାରା ଯିହୋବାଙ୍କ ଉଦ୍ଦେଶ୍ୟ ପୂରା ହୋଇପାରିଲା ।

ଯିହୋବା ଆପଣଙ୍କୁ କିପରି ସଫଳତା ଦେଇପାରିବେ

୧୩. ଯେବେ ଆମ ଉପରେ ସମସ୍ୟା ଆସେ, ତେବେ ଯିହୋବା କʼଣ କରନ୍ତି ନାହିଁ ? ବୁଝାନ୍ତୁ ।

୧୩ ଯୋଷେଫଙ୍କ କାହାଣୀରୁ ଆମେ କʼଣ ଶିଖୁ ? କʼଣ ଯିହୋବା ଆମ ଉପରେ ଆସୁଥିବା ସମସ୍ତ ସମସ୍ୟାଗୁଡ଼ିକୁ ରୋକି ଦିଅନ୍ତି ? କʼଣ ଯିହୋବା ଆମ ଜୀବନରେ ଆସୁଥିବା ପ୍ରତ୍ୟେକ ପରିସ୍ଥିତିକୁ ଏପରି ବଦଳାଇ ଦିଅନ୍ତି ଯେ ସମସ୍ୟା ସମୟରେ ମଧ୍ୟ କିଛି ଭଲ ହୋଇଯାଏ ? ନା, ବାଇବଲରେ ଏପରି କୁହାଯାଇ ନାହିଁ ଯେ ଯାହା ହୁଏ ତାହା ଆମ ଭଲ ପାଇଁ ହୁଏ । (ଉପ. ୮:୯; ୯:୧୧) କିନ୍ତୁ ବାଇବଲରେ ଏହା କୁହାଯାଇଛି ଯେ ଯେବେ ଆମ ଉପରେ ସମସ୍ୟା ଆସେ ତେବେ ଯିହୋବାଙ୍କୁ ଭଲଭାବେ ଜଣାଥାଏ ଯେ ଆମେ କିପରି ଅନୁଭବ କରୁଛୁ ଏବଂ ଯେବେ ଆମେ ତାଙ୍କୁ ପ୍ରାର୍ଥନା କରୁ ତେବେ ସେ ଶୁଣନ୍ତି । (ଗୀତ. ୩୪:୧୫; ୫୫:୨୨; ଯିଶା. ୫୯:୧) କେବଳ ସେତିକି ନୁହେଁ ଯିହୋବା ଆମକୁ ସମସ୍ୟାର ସାମନା କରିବା ପାଇଁ ସାହାଯ୍ୟ କରନ୍ତି ଓ ସଫଳତା ଦେଇପାରନ୍ତି । ଏହା ସେ କିପରି କରନ୍ତି ?

୧୪. ଯେବେ ଆମ ଉପରେ ସମସ୍ୟାଗୁଡ଼ିକ ଆସେ, ତେବେ ଯିହୋବା ଆମକୁ କିପରି ସାହାଯ୍ୟ କରନ୍ତି ?

୧୪ ଯେବେ ଆମ ଉପରେ ସମସ୍ୟାଗୁଡ଼ିକ ଆସେ, ତେବେ ଯିହୋବା ଆମକୁ ସାନ୍ତ୍ୱନା ଦିଅନ୍ତି ଓ ଆମର ସାହସ ବଢ଼ାନ୍ତି ଯାହାଫଳରେ ଆମେ ସେହି ସମସ୍ୟାଗୁଡ଼ିକୁ ସହିପାରୁ । ଅନେକଥର ସେ ଏପରି ସେସମୟରେ କରନ୍ତି ଯେବେ ଆମକୁ ସାହସର ସବୁଠୁ ଅଧିକ ଦରକାର ଥାଏ । (୨ କରି. ୧:୩, ୪) ତୁର୍କମେନିସ୍ଥାନରେ ରହୁଥିବା ଜଣେ ଭାଇ ଏଜିସ୍‌ଙ୍କ ସହ ମଧ୍ୟ ଏପରି ହିଁ ହେଲା । ବାଇବଲର ଶିକ୍ଷା ମାନିବା ଯୋଗୁଁ ତାଙ୍କୁ ୨ ବର୍ଷ ପାଇଁ ଜେଲ ଦଣ୍ଡ ମିଳିଥିଲା । ସେ କହନ୍ତି, “ଯେଉଁଦିନ ମୋର ଶୁଣାଣି ଥିଲା ସେହିଦିନ ସକାଳେ ଜଣେ ଭାଇ ମୋତେ ଯିଶାଇୟ ୩୦:୧୫ (NWT) ପଦ ଦେଖାଇଲେ ଯେଉଁଠି ଯିହୋବା କହନ୍ତି, ‘ଶାନ୍ତ ରହ ଓ ମୋଠାରେ ଭରସା ରଖ, ତେବେ ତୁମ୍ଭମାନଙ୍କୁ ବଳ ମିଳିବ ।’ ଏହି ପଦ ବିଷୟରେ ଭାବିବାରୁ ତାଙ୍କୁ ବହୁତ ସାହସ ମିଳିଲା । ଯେତେବେଳେ ଯାଏ ମୁଁ ଜେଲରେ ଥିଲି ମୁଁ ଶାନ୍ତ ରହିପାରିଲି ଓ ଯିହୋବାଙ୍କ ଉପରେ ପୂରା ଭରସା ରଖିପାରିଲି ।” କʼଣ ଆପଣଙ୍କୁ କୌଣସି ଏପରି ସମୟ ମନେଅଛି ଯେବେ ଯିହୋବା ଆପଣଙ୍କୁ ସାନ୍ତ୍ୱନା ଦେଲେ ଓ ସାହସ ବାନ୍ଧିଲେ । ତାହା ବି ସେସମୟରେ ଯେବେ ଆପଣଙ୍କୁ ଏହାର ସବୁଠୁ ଅଧିକ ଦରକାର ଥିଲା ।

୧୫-୧୬. ଆପଣ ଭଉଣୀ ଟୋରୀଙ୍କଠାରୁ କʼଣ ଶିଖିଲେ ?

୧୫ ଅନେକଥର ଏପରି ହୁଏ ଯେବେ ଆମେ କୌଣସି ସମସ୍ୟାର ସାମନା କରୁ ତେବେ ଆମେ ବୁଝିପାରି ନ ଥାଉ ଯେ ଯିହୋବା କିଭଳି ଆମର ସାହାଯ୍ୟ କରୁଛନ୍ତି । କିନ୍ତୁ ପରେ ଯେବେ ଆମେ ସେସମୟ ବିଷୟରେ ଭାବୁ ତେବେ ଆମେ ଅନୁଭବ କରୁ ଯେ ଯିହୋବା କିପରି ଆମକୁ ସମ୍ଭାଳି ଥିଲେ । ଭଉଣୀ ଟୋରୀଙ୍କ ସହ ମଧ୍ୟ ଏପରି ହେଲା । ତାଙ୍କ ପୁଅ ମେସନ୍‌କୁ କ୍ୟାନସର ହୋଇଯାଇଥିଲା । ସେ ୬ ବର୍ଷ ଯାଏ ସେହି ରୋଗରେ ପୀଡ଼ିତ ଥିଲା । ତାʼପରେ ତାʼ ମୃତ୍ୟୁ ହୋଇଗଲା । ଭଉଣୀ ଟୋରୀ ପୂରାପୂରି ଭାଙ୍ଗି ପଡ଼ିଲେ । ସେ କହନ୍ତି, “ମୁଁ କହିପାରିବିନି ଯେ ଯେବେ ଜଣେ ମାଆ ନିଜ ପିଲାକୁ ଆଖି ସାମନାରେ ଦେଖେ ଯେ ସେ କିପରି କଷ୍ଟ ସହୁଛି ତେବେ ତାକୁ କିପରି ଲାଗେ । କୌଣସି ବାପାମାଆ ଏହା ଚାହିଁବେନି ଯେ ତାଙ୍କ ପିଲା ଏପରି କଷ୍ଟ ସହୁ । ଯଦିଓ ବାପାମାଆଙ୍କୁ କିଛି ବି ହୋଇଯାଉ, କିନ୍ତୁ ସେମାନେ କେବେ ବି ଚାହିଁବେନି ଯେ ସେମାନଙ୍କ ପିଲାମାନଙ୍କୁ କିଛି ବି ହେଉ ।”

୧୬ ଭଉଣୀ ଟୋରୀଙ୍କ ପାଇଁ ନିଜ ପୁଅକୁ କଷ୍ଟରେ ଦେଖିବା ବହୁତ କଠିନ ଥିଲା । କିନ୍ତୁ ପରେ ଯେବେ ଟୋରୀ ସେସମୟ ବିଷୟରେ ଭାବିଲେ ତେବେ ସେ ବୁଝିପାରିଲେ ଯେ ଯିହୋବା କିପରି ସେମାନଙ୍କ ସାହାଯ୍ୟ କରୁଥିଲେ । ସେ କହନ୍ତି, “ଯେବେ ମୁଁ ସେସମୟ ବିଷୟରେ ଭାବେ ତେବେ ମୁଁ ଅନୁଭବ କରେ ଯେ ଯିହୋବା ସବୁବେଳେ ଆମକୁ ସମ୍ଭାଳୁଥିଲେ । ସେ କେବେ ବି ଆମକୁ ଛାଡ଼ିଲେନି । ଯେବେ ମେସନ୍‌ର ଦେହ ବହୁତ ଖରାପ ହୋଇଗଲା ଓ ସେ କାହାରିକୁ ଭେଟି ପାରୁ ନ ଥିଲା ତେବେ ବି ଭାଇଭଉଣୀମାନେ ୨ ଘଣ୍ଟା ଗାଡ଼ି ଚଲାଇ ହସ୍ପିଟାଲ ଆସୁଥିଲେ । ଭାଇଭଉଣୀ ଆମକୁ କେବେ ବି ଏକୁଟିଆ ଛାଡ଼ିଲେନି । କେହି ନା କେହି ସବୁବେଳେ ହସ୍ପିଟାଲରେ ରହୁଥିଲେ । ସେମାନେ ଆମ ଅନ୍ୟ ଆବଶ୍ୟକତାର ମଧ୍ୟ ଧ୍ୟାନ ରଖିଲେ । ବହୁତ କଠିନ ସମୟରେ ମଧ୍ୟ ଆମକୁ କେବେ କିଛି ଜିନିଷର ବି ଅଭାବ ହେଲାନି ।” ଯିହୋବାଙ୍କ ସାହାଯ୍ୟରେ ଟୋରୀ ଓ ମେସନ୍‌ ସବୁ ସମସ୍ୟାଗୁଡ଼ିକୁ ସହିପାରିଲେ । ତାଙ୍କୁ ଯେଉଁ ଜିନିଷଗୁଡ଼ିକର ଆବଶ୍ୟକ ଥିଲା ଯିହୋବା ସେମାନଙ୍କୁ ତାହା ଦେଲେ ।—“ ଯିହୋବା ଆମକୁ ସେସବୁ ଦେଲେ ଯାହା ଆମକୁ ଆବଶ୍ୟକ ଥିଲା” ନାମକ ବକ୍ସ ଦେଖନ୍ତୁ ।

ଆପଣଙ୍କୁ କେଉଁ କେଉଁ ଆଶିଷ ମିଳିଛି

୧୭-୧୮. ସମସ୍ୟାଗୁଡ଼ିକ ସମୟରେ ଆମେ କʼଣ କରିପାରିବା ଯାହାଦ୍ୱାରା ଆମେ ବୁଝିପାରିବା ଯେ ଯିହୋବା ଆମର ସାହାଯ୍ୟ କରୁଛନ୍ତି ? (ଗୀତସଂହିତା ୪୦:୫)

୧୭ ଗୀତସଂହିତା ୪୦:୫ ପଢ଼ନ୍ତୁ । ଅନେକ ଲୋକମାନଙ୍କୁ ପାହାଡ଼ ଚଢ଼ିବା ବହୁତ ଭଲ ଲାଗେ । ପାହାଡ଼ ଚଢ଼ିବା ସମୟରେ ସେମାନେ ପାହାଡ଼ର ସବୁଠୁ ଉପର ଭାଗକୁ ଚଢ଼ିବା ପାଇଁ ଚାହାନ୍ତି କିନ୍ତୁ ଚଢ଼ିବା ସମୟରେ ସେମାନେ ମଝି ମଝିରେ ଅଟକି ଆଖପାଖର ଦୃଶ୍ୟର ମଜା ନିଅନ୍ତି । ସେହିପରି ଆପଣ ଶୀଘ୍ର ନିଜ ସମସ୍ୟାଗୁଡ଼ିକୁ ପାର କରିବା ପାଇଁ ଚାହୁଁଥିବେ । କିନ୍ତୁ ସମସ୍ୟାର ସାମନା କରିବା ସମୟରେ ମଝି ମଝିରେ ଏବିଷୟରେ ଭାବନ୍ତୁ ଯେ ଯିହୋବା କିପରି ଆପଣଙ୍କର ସାହାଯ୍ୟ କରୁଛନ୍ତି ଓ ଆପଣଙ୍କୁ ସଫଳତା ଦେଉଛନ୍ତି । ଆପଣ ଚାହିଁଲେ ପ୍ରତିଦିନର ଶେଷରେ ଏହି ପ୍ରଶ୍ନଗୁଡ଼ିକ ବିଷୟରେ ଭାବିପାରିବେ: ‘ଯିହୋବା ଆଜି ମୋତେ କିଭଳି ଆଶିଷ ଦେଲେ ? ସମସ୍ୟା ତ ଶେଷ ହୋଇନି କିନ୍ତୁ ଯିହୋବା ତାହାକୁ ସହିବା ପାଇଁ ମୋତେ କିପରି ସାହାଯ୍ୟ କରୁଛନ୍ତି ?’ ଚେଷ୍ଟା କରନ୍ତୁ ଯେ ଆପଣ ପ୍ରତିଦିନ କମ୍‌ ରୁ କମ୍‌ ଗୋଟିଏ ଆଶିଷ ବିଷୟରେ ଭାବନ୍ତୁ ଯେଉଁଥିରୁ ଜଣାପଡ଼ିବ ଯେ ଆପଣ ସଫଳ ହୋଇଛନ୍ତି ।

୧୮ ଆପଣ ନିଶ୍ଚୟ ଏହା ପ୍ରାର୍ଥନା କରୁଥିବେ ଯେ ଆପଣଙ୍କ ସମସ୍ୟା ଶେଷ ହୋଇଯାଉ । ଆଉ ଏପରି ଭାବିବା ଭୁଲ ନୁହେଁ । (ଫିଲିପ୍‌. ୪:୬) କିନ୍ତୁ ଏହି କଥାର ମଧ୍ୟ ଧ୍ୟାନ ରଖନ୍ତୁ ଯେ ଆଜି ଯିହୋବା ଆପଣଙ୍କୁ କʼଣ କʼଣ ଆଶିଷ ଦେଇଛନ୍ତି । ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ସେ ଆପଣଙ୍କୁ ସାହସ ଦେବେ ଓ ସମସ୍ୟା ସହିବା ପାଇଁ ଆପଣଙ୍କୁ ସାହାଯ୍ୟ କରିବେ । କେବେ ବି ଏହା ଭୁଲନ୍ତୁ ନାହିଁ ଯେ ଯିହୋବା ଆପଣଙ୍କ ସାଙ୍ଗରେ ଅଛନ୍ତି ଓ ଏହି କଥା ପାଇଁ ସବୁବେଳେ ଯିହୋବାଙ୍କର କୃତଜ୍ଞ ରହନ୍ତୁ । ତେବେ ଆପଣ ବୁଝିପାରିବେ ଯେ ସମସ୍ୟା ସମୟରେ ମଧ୍ୟ ଯିହୋବାଙ୍କ ସାହାଯ୍ୟରେ ଆପଣ ସଫଳ ହେଉଛନ୍ତି । ଯେପରି ଯୋଷେଫ ସଫଳ ହୋଇଥିଲେ ।—ଆଦି. ୪୧:୫୧, ୫୨.

ଗୀତ ୩୨ ୟହୋୱା କି ଓର ହୋଯା !

a ହୁଏତ ଆମେ ଭାବୁ ଯେ କୌଣସି ସମସ୍ୟାର ସାମନା କଲା ପରେ ହିଁ ଆମକୁ ସଫଳତା ମିଳେ । କିନ୍ତୁ କʼଣ ଆପଣ ଜାଣନ୍ତି ଯେବେ ଆମେ କୌଣସି ସମସ୍ୟାର ସାମନା କରୁ, ତେବେ ବି ଆମେ ସଫଳତା ପାଇପାରିବା ? ଯୋଷେଫଙ୍କ କାହାଣୀରୁ ଆମେ ଏହା ହିଁ ଶିଖୁ । ଯେପରି ସମସ୍ୟା ସମୟରେ ଯିହୋବା ତାଙ୍କୁ ସାହାଯ୍ୟ କଲେ, ସେହିପରି ସେ ଆମକୁ ବି ସାହାଯ୍ୟ କରିବେ ଯାହାଦ୍ୱାରା ଆମେ ସଫଳତା ପାଇପାରିବା । ଏହି ଲେଖାରେ ଆମେ ଏହା ହିଁ ଶିଖିବା ।

b ବାଇବଲର କେବଳ କିଛି ପଦଗୁଡ଼ିକରେ କୁହାଯାଇଛି ଯେ ଯୋଷେଫଙ୍କୁ ଦାସ ଭାବେ ବିକ୍ରି କରାଯିବା ପରେ ତାଙ୍କ ସହ କʼଣ କʼଣ ହେଲା । କିନ୍ତୁ ତାଙ୍କ ସହ ଯାହା ଯାହା ହେଲା ସେଥିରେ ଅନେକ ବର୍ଷ ଲାଗିଥିବ ।