इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୬

ବାଇବଲ ଏହାର ଲେଖକ ବିଷୟରେ କʼଣ କହେ ?

ବାଇବଲ ଏହାର ଲେଖକ ବିଷୟରେ କʼଣ କହେ ?

“ଆମ୍ଭେ ତୁମ୍ଭକୁ ଯେଉଁ ସକଳ କଥା କହିଅଛୁ, ତାହା ଗୋଟିଏ ପୁସ୍ତକରେ ଲେଖି ରଖ ।”—ଯିରି. ୩୦:୨.

ଗୀତ ୯୬ ୟାହ କି ପାୱିତ୍ର କିତାବ—ଏକ ଖଜାନା

ଲେଖାର ଝଲକ a

୧. ଯିହୋବା ଆମକୁ ବାଇବଲ ଦେଇଛନ୍ତି ତାʼପାଇଁ ଆମେ କାହିଁକି ତାଙ୍କର କୃତଜ୍ଞ ଅଟୁ ?

 ଯିହୋବା ଆମକୁ ବାଇବଲ ଦେଇଛନ୍ତି, ତାʼପାଇଁ ଆମେ ତାଙ୍କର ବହୁତ କୃତଜ୍ଞ ଅଟୁ । ଏଥିରେ ସେ ବଢ଼ିଆ ପରାମର୍ଶ ଦେଇଛନ୍ତି, ଯାହାକୁ ମାନିଲେ ଆଜି ଆମେ ସମସ୍ୟାଗୁଡ଼ିକର ସାମନା କରିପାରୁ । ଏହା ଜରିଆରେ ସେ ଆମକୁ ଭବିଷ୍ୟତ ପାଇଁ ଗୋଟିଏ ବଢ଼ିଆ ଆଶା ମଧ୍ୟ ଦେଇଛନ୍ତି । କେବଳ ଏତିକି ନୁହେଁ ସେ ବାଇବଲ ଜରିଆରେ ଆମକୁ କହିଛନ୍ତି ଯେ ସେ କିପରି ଈଶ୍ୱର ଅଟନ୍ତି ଓ ତାଙ୍କ ଭିତରେ କେଉଁ କେଉଁ ଗୁଣ ରହିଛି । ଯେବେ ଆମେ ଏହି ଗୁଣଗୁଡ଼ିକ ବିଷୟରେ ଚିନ୍ତନ କରୁ ଓ ସେବିଷୟରେ ଗଭୀରତାର ସହ ଭାବୁ, ତେବେ ଆମକୁ ବହୁତ ଖୁସି ମିଳେ । ଆଉ ଆମକୁ ଯିହୋବାଙ୍କର ନିକଟତର ହେବା ପାଇଁ ଓ ତାଙ୍କ ସାଙ୍ଗ ହେବା ପାଇଁ ଇଚ୍ଛା ହୁଏ ।—ଗୀତ. ୨୫:୧୪.

୨. ଯିହୋବା କେଉଁ କେଉଁ ଉପାୟରେ ଲୋକମାନଙ୍କୁ ନିଜ ବିଷୟରେ କହିଲେ ?

ଯିହୋବା ଚାହାନ୍ତି ଯେ ଲୋକମାନେ ତାଙ୍କ ବିଷୟରେ ଜାଣନ୍ତୁ । ପ୍ରାଚୀନ ସମୟରେ ସେ ଲୋକମାନଙ୍କୁ ସ୍ୱପ୍ନ, ଦର୍ଶନ ଓ ସ୍ୱର୍ଗଦୂତମାନଙ୍କ ଜରିଆରେ ନିଜ ବିଷୟରେ କହିଲେ । (ଗଣ. ୧୨:୬; ପ୍ରେରି. ୧୦:୩, ୪) କିନ୍ତୁ ଭାବନ୍ତୁ ଯଦି ସେହି କଥାଗୁଡ଼ିକୁ କେହି ଲେଖି ନ ଥାନ୍ତେ, ତାହେଲେ ଆମେ ତାଙ୍କ ବିଷୟରେ କିପରି ଜାଣି ପାରନ୍ତେ । ତେଣୁ ଯିହୋବା କିଛି ଲୋକଙ୍କ ଜରିଆରେ ଏହି କଥାଗୁଡ଼ିକୁ “ଗୋଟିଏ ପୁସ୍ତକରେ” ଲେଖାଇଲେ । (ଯିରି. ୩୦:୨) ଯିହୋବା ଯାହା ବି କରନ୍ତି, ତାହା ସବୁଠୁ ବଢ଼ିଆ ଥାଏ । ତାଙ୍କ ସବୁ କାମ “ସିଦ୍ଧ” ଅଟେ । ତେଣୁ ଆମେ ଭରସା ରଖିପାରିବା ଯେ ବାଇବଲ ଲେଖାଇ ଯିହୋବା ବିଲକୁଲ୍‌ ଠିକ୍‌ କଲେ । ଯଦି ଆମେ ତାହାକୁ ପଢ଼ିବା ତେବେ ଆମକୁ ବହୁତ ଲାଭ ହେବ ।—ଗୀତ. ୧୮:୩୦.

୩. ବାଇବଲ ସବୁଦିନ ଯାଏ ରହୁ ତାʼପାଇଁ ଯିହୋବା କେଉଁ କଥାର ଧ୍ୟାନ ରଖିଲେ ? (ଯିଶାଇୟ ୪୦:୮)

ଯିଶାଇୟ ୪୦:୮ ପଢ଼ନ୍ତୁ । ଦେଖିବାକୁ ଗଲେ ବାଇବଲ ଏପରି ଜିନିଷଗୁଡ଼ିକରେ ଲେଖା ହୋଇଥିଲା ଯାହା କିଛି ବର୍ଷ ପରେ ନଷ୍ଟ ହୋଇଯାନ୍ତା ଆଉ ଏହା ଆରମ୍ଭରେ ଯେଉଁ ଚର୍ମପତ୍ରଗୁଡ଼ିକରେ ଲେଖାଯାଇଥିଲା ସେମଧ୍ୟରୁ ଗୋଟେ ବି ଆଜି ଆମ ପାଖରେ ନାହିଁ । ତଥାପି ବାଇବଲରେ ଯିହୋବା ଯେଉଁ ବଢ଼ିଆ ପରାମର୍ଶ ଲେଖାଇଥିଲେ, ତାହାକୁ ମାନି ମଣିଷମାନଙ୍କୁ ହଜାର ହଜାର ବର୍ଷରୁ ଲାଭ ମିଳୁଛି । ଏହା କିପରି ହୋଇପାରିଲା ? ଯିହୋବା ଏକଥାର ଧ୍ୟାନ ରଖିଲେ ଯେ ଶାସ୍ତ୍ରର ନକଲଗୁଡ଼ିକ ପ୍ରସ୍ତୁତ କରାଯାଉ । ଯେଉଁ ଲୋକମାନେ ଏହାର ନକଲଗୁଡ଼ିକ ପ୍ରସ୍ତୁତ କରୁଥିଲେ, ସେମାନେ ଅପରିପୂର୍ଣ୍ଣ ଥିଲେ, କିନ୍ତୁ ସେମାନେ ଏକଥାର ଧ୍ୟାନ ରଖୁଥିଲେ ଯେ ସେମାନଙ୍କ ଦ୍ୱାରା କୌଣସି ଭୁଲ ନ ହେଉ । ଗୋଟିଏ ବିଦ୍ୱାନ ମଧ୍ୟ ଏବ୍ରୀ ଶାସ୍ତ୍ର ବିଷୟରେ କହିଲେ, “ଆମେ ପୂରା ବିଶ୍ୱାସର ସହ କହିପାରିବା ଯେ ଏପରି କୌଣସି ବି ପ୍ରାଚୀନ ବହି ନାହିଁ, ଯାହା ବିନା କୌଣସି ପରିବର୍ତ୍ତନ ହୋଇ ଆମ ଯାଏ ପହଞ୍ଚିଛି ।” ତାହେଲେ ଆମେ କʼଣ କହିପାରିବା ? ହଜାର ହଜାର ବର୍ଷ ପୂର୍ବେ ବାଇବଲ ଲେଖାଯାଇଥିଲା, ଆଉ ତାହା ବି ଏପରି ଜିନିଷଗୁଡ଼ିକରେ ଯାହା କିଛି ବର୍ଷ ପରେ ନଷ୍ଟ ହୋଇଯାନ୍ତା ଓ ଏହାର ନକଲଗୁଡ଼ିକ ପ୍ରସ୍ତୁତ କରୁଥିବା ଲୋକମାନେ ମଧ୍ୟ ଅପରିପୂର୍ଣ୍ଣ ଥିଲେ । ତଥାପି ଆମେ ଭରସା ରଖିପାରିବା ଯେ ଆଜି ଆମେ ବାଇବଲରେ ଯାହା ବି ପଢ଼ୁ, ତାହା ସେହି କଥାଗୁଡ଼ିକ ଅଟେ ଯାହା ଯିହୋବା ହଜାର ହଜାର ବର୍ଷ ପୂର୍ବେ ଲେଖାଇଥିଲେ ।

୪. ଏହି ଲେଖାରେ ଆମେ କʼଣ ଜାଣିବା ?

ଯିହୋବାଙ୍କଠାରୁ ହିଁ ଆମକୁ “ସମସ୍ତ ଉତ୍ତମ ଦାନ ଓ ସମସ୍ତ ସିଦ୍ଧ ବର” ମିଳେ । (ଯାକୁ. ୧:୧୭) କʼଣ କେବେ କେହି ଆପଣଙ୍କୁ ଉପହାରରେ ଏପରି ଜିନିଷ ଦେଇଛନ୍ତି ଯାହା ଆପଣଙ୍କୁ ଦରକାର ଥିଲା ? ଏଥିରୁ ଜଣାପଡ଼େ ଯେ ସେହି ବ୍ୟକ୍ତି ଆପଣଙ୍କୁ ଭଲଭାବେ ଜାଣନ୍ତି । ବାଇବଲ ମଧ୍ୟ ଏପରି ହିଁ ଗୋଟିଏ ବଢ଼ିଆ ଉପହାର ଅଟେ । ଏହାକୁ ପଢ଼ିଲେ ଆମେ ଜାଣିପାରୁ ଯେ ଯିହୋବା ଆମକୁ ଭଲଭାବେ ଜାଣନ୍ତି ଓ ତାଙ୍କୁ ଏହା ବି ଜଣାଅଛି ଯେ ଆମକୁ କେଉଁ ଜିନିଷଗୁଡ଼ିକର ଆବଶ୍ୟକ ଅଛି । ଏହାକୁ ପଢ଼ିଲେ ଆମେ ଯିହୋବାଙ୍କ ଗୁଣଗୁଡ଼ିକ ବିଷୟରେ ମଧ୍ୟ ଜାଣିପାରୁ । ଯେପରି, ସେ ବହୁତ ବୁଦ୍ଧିମାନ ଅଟନ୍ତି, ସବୁବେଳେ ନ୍ୟାୟ କରନ୍ତି ଓ ଆମକୁ ବହୁତ ପ୍ରେମ କରନ୍ତି । ଏହି ଲେଖାରେ ଆମେ ତାଙ୍କ ଏହି ତିନୋଟି ଗୁଣ ବିଷୟରେ ଜାଣିବା । ଆସନ୍ତୁ ପ୍ରଥମେ ଆମେ ଜାଣିବା, ବାଇବଲରୁ କିପରି ଜଣାପଡ଼େ ଯେ ଯିହୋବା ବହୁତ ବୁଦ୍ଧିମାନ ଅଟନ୍ତି ।

ବାଇବଲରୁ ଜଣାପଡ଼େ ଯେ ଯିହୋବା ବହୁତ ବୁଦ୍ଧିମାନ ଅଟନ୍ତି

୫. ବାଇବଲରେ ଲେଖାଥିବା କଥାଗୁଡ଼ିକରୁ କିପରି ଜଣାପଡ଼େ ଯେ ଈଶ୍ୱର ବହୁତ ବୁଦ୍ଧିମାନ ଅଟନ୍ତି ?

ଯିହୋବା ଜାଣନ୍ତି ଯେ ଆମକୁ ବଢ଼ିଆ ପରାମର୍ଶର ଦରକାର । ତେଣୁ ଉପହାରରେ ସେ ଆମକୁ ଯେଉଁ ବାଇବଲ ଦେଇଛନ୍ତି, ସେଥିରେ ଅନେକ ମାମଲା ବିଷୟରେ ବଢ଼ିଆ ପରାମର୍ଶ ଦିଆଯାଇଛି । ବାଇବଲର ପରାମର୍ଶ ମାନି ଲୋକମାନଙ୍କୁ ବହୁତ ଲାଭ ହୁଏ ଓ କିଛି ଲୋକମାନଙ୍କ ତ ଜୀବନ ବଦଳି ଯାଏ । ଏଥିରୁ ଜଣାପଡ଼େ ଯେ ଯିହୋବା ବହୁତ ବୁଦ୍ଧିମାନ ଅଟନ୍ତି । ଧ୍ୟାନ ଦିଅନ୍ତୁ ଯେ ଯେବେ ମୋଶା ବାଇବଲର ଆରମ୍ଭ ବହିଗୁଡ଼ିକୁ ଲେଖିଲେ, ତେବେ ସେ ଈଶ୍ୱରଙ୍କ ଲୋକମାନଙ୍କୁ କʼଣ କହିଲେ: “ଯେଣୁ ତାହା ତୁମ୍ଭମାନଙ୍କ ପକ୍ଷରେ ବ୍ୟର୍ଥ କଥା ନୁହେଁ; ମାତ୍ର ତାହା ତୁମ୍ଭମାନଙ୍କର ଜୀବନ ଅଟେ ।” (ଦ୍ୱିବି. ୩୨:୪୭) ଯେଉଁ ଲୋକମାନେ ଶାସ୍ତ୍ରରେ ଲେଖାଥିବା ପରାମର୍ଶକୁ ମାନନ୍ତେ, ସେମାନେ ଗୋଟିଏ ଭଲ ଓ ଖୁସିଭରା ଜୀବନ ବିତାଇ ପାରନ୍ତେ । (ଗୀତ. ୧:୨, ୩) ଏହି କଥା ପୂର୍ବେ ବି ସତ ଥିଲା ଓ ଆଜି ବି ସତ ଅଟେ । ଏହା ସତ ଯେ ବାଇବଲକୁ ହଜାର ହଜାର ବର୍ଷ ପୂର୍ବେ ଲେଖାଯାଇଥିଲା, ତଥାପି ଏଥିରେ ଥିବା କଥା ଆଜି ବି ସେତେ ହିଁ ଲାଭଦାୟକ ଅଟେ ଯେତେ ପୂର୍ବେ ଥିଲା । ବାଇବଲର ପରାମର୍ଶଗୁଡ଼ିକୁ ମାନି ଲୋକମାନଙ୍କ ଜୀବନ କିପରି ବଦଳିଗଲା, ଏହା ଜାଣିବା ପାଇଁ ଆପଣ jw.org ୱେବସାଇଟ୍‌ରେ “ପୱିତ୍ର ଶାସ୍ତ୍ର ସୱାରେ ଜୀନ୍ଦଗି” ନାମକ ସିରିଜ୍‌ ଦେଖିପାରିବେ । ଏଥିରେ ୩୦ରୁ ବି ଅଧିକ ଲୋକମାନଙ୍କ କାହାଣୀ ଦିଆଯାଇଛି । ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ ଯେଉଁ ଲୋକମାନେ ବାଇବଲ ଉପରେ ବିଶ୍ୱାସ କରନ୍ତି, ‘ତାହାଙ୍କ ଅନ୍ତରରେ ଏହା କାର୍ଯ୍ୟ ସାଧନ କରେ ।’—୧ ଥେସ. ୨:୧୩.

୬. ଆମେ କାହିଁକି କହିପାରିବା ଯେ ବାଇବଲ ଭଳି ଅନ୍ୟ କୌଣସି ବହି ନାହିଁ ?

ଦୁନିଆରେ ବାଇବଲ ଭଳି ଅନ୍ୟ କୌଣସି ବି ବହି ନାହିଁ । ଆମେ ଏପରି କାହିଁକି କହିପାରିବା ? ଅନ୍ୟ ବହିଗୁଡ଼ିକ ବିଷୟରେ ଯଦି ଆମେ ଦେଖିବା, ତାହେଲେ ସେହି ବହିଗୁଡ଼ିକର ଲେଖକଙ୍କ କେବେ ନା କେବେ ମୃତ୍ୟୁ ହୋଇଯାଏ ଓ ସେଥିରେ ଲେଖାଥିବା କଥାଗୁଡ଼ିକ ମଧ୍ୟ କିଛି ଦିନ ପରେ କୌଣସି କାମରେ ଆସି ନ ଥାଏ । କିନ୍ତୁ ବାଇବଲର ଲେଖକ ଯିହୋବା ସର୍ବଶକ୍ତିମାନ ଅଟନ୍ତି, ସେ ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ରହିବେ ଓ ସେ ସବୁଠୁ ବୁଦ୍ଧିମାନ ଅଟନ୍ତି । ବାଇବଲରେ ଲେଖାଥିବା କଥାଗୁଡ଼ିକ ମଧ୍ୟ ସବୁବେଳେ କାମରେ ଆସେ, ପ୍ରାଚୀନ ସମୟରେ ମଧ୍ୟ ଲୋକମାନଙ୍କୁ ଏଥିରୁ ଲାଭ ମିଳିଥିଲା ଓ ଆଜି ମଧ୍ୟ ମିଳୁଛି । ଯେବେ ଆମେ ବାଇବଲ ପଢ଼ୁ ଓ ସେବିଷୟରେ ଚିନ୍ତନ କରୁ, ତେବେ ଏହାର ଲେଖକ ଆମକୁ ପବିତ୍ର ଶକ୍ତି ଦିଅନ୍ତି ଯାହାଦ୍ୱାରା ଆମେ ବୁଝିପାରୁ ଯେ ଆମେ ସେହି କଥାଗୁଡ଼ିକୁ କିପରି ମାନିପାରିବା । (ଗୀତ. ୧୧୯:୨୭; ମଲାଖି ୩:୧୬; ଏବ୍ରୀ ୪:୧୨) ଟିକେ ଭାବନ୍ତୁ, ଯେବେ ଏହାର ଲେଖକ ଆମକୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି, ତେବେ କʼଣ ଆମେ ଏହାକୁ ପ୍ରତିଦିନ ପଢ଼ିବା ଓ ଏଥିରୁ ଲାଭ ପାଇବା ପାଇଁ ଚାହିଁବାନି ?

ବାଇବଲ ଯୋଗୁଁ ଯିହୋବାଙ୍କ ଲୋକମାନେ ପ୍ରାଚୀନ ସମୟରେ ଓ ଆଜି ମଧ୍ୟ କିପରି ମିଳିମିଶି ଯିହୋବାଙ୍କ ସେବା କରିପାରିଛନ୍ତି ? (ପାରାଗ୍ରାଫ ୭-୮)

୭. ଶାସ୍ତ୍ର ଯୋଗୁଁ ପ୍ରାଚୀନ ସମୟରେ ଈଶ୍ୱରଙ୍କ ଲୋକମାନଙ୍କ ମଧ୍ୟରେ କିପରି ଏକତା ବଜାୟ ରହିଲା ?

ବାଇବଲ ଯୋଗୁଁ ଈଶ୍ୱରଙ୍କ ଲୋକମାନଙ୍କ ମଧ୍ୟରେ ଏକତା ଥାଏ । ଏଥିରୁ ମଧ୍ୟ ଜଣାପଡ଼େ ଯେ ବାଇବଲର ଲେଖକ ବହୁତ ବୁଦ୍ଧିମାନ ଅଟନ୍ତି । ଯେବେ ଇସ୍ରାଏଲୀୟମାନେ ପ୍ରତିଜ୍ଞାତ ଦେଶରେ ପହଞ୍ଚିଲେ, ତେବେ ସେମାନେ ଅଲଗା ଅଲଗା ଜାଗାରେ ରହିବାକୁ ଲାଗିଲେ ଓ ଅଲଗା ଅଲଗା କାମ କରିବାକୁ ଲାଗିଲେ । ଯେପରି, କିଛି ଲୋକ ମାଛ ଧରିବା, ପଶୁ ପାଳନ କରିବା ଓ କିଛି ଲୋକ ଚାଷ କାମ କରିବାକୁ ଲାଗିଲେ । ଏପରି ସମୟରେ ଗୋଟିଏ ଜାଗାରେ ରହୁଥିବା ଇସ୍ରାଏଲୀୟମାନେ ଅନ୍ୟ ଜାଗାରେ ରହୁଥିବା ନିଜ ଇସ୍ରାଏଲୀୟ ଭାଇଭଉଣୀମାନଙ୍କୁ ଅତି ସହଜରେ ଭୁଲି ପାରନ୍ତେ । କିନ୍ତୁ ଯିହୋବା ଏପରି ହେବାକୁ ଦେଲେନି । ଯିହୋବା ନିଜ ଲୋକମାନଙ୍କୁ ଆଜ୍ଞା ଦେଲେ ଯେ ସେମାନେ ପ୍ରତି ବର୍ଷ କିଛି ବିଶେଷ ସମୟରେ ଏକା ସହ ଏକାଠି ହୁଅନ୍ତୁ, ଯେଉଁଠି ସେମାନଙ୍କୁ ବାଇବଲ ପଢ଼ି ଶୁଣାଇ ଦିଆଯାଉଥିଲା ଓ ସେଥିରେ ଲେଖା କଥା ବୁଝାଇ ଦିଆଯାଉଥିଲା । (ଦ୍ୱିବି. ୩୧:୧୦-୧୩; ନିହି. ୮:୨, ୮, ୧୮) ଭାବନ୍ତୁ, ଯେବେ ଜଣେ ଇସ୍ରାଏଲୀୟ ବ୍ୟକ୍ତି ଯିରୂଶାଲମକୁ ଯାନ୍ତା ଓ ସେଠାରେ ଅଲଗା ଅଲଗା ଜାଗାରୁ ଆସିଥିବା ନିଜ ଲକ୍ଷ ଲକ୍ଷ ଭାଇଭଉଣୀମାନଙ୍କୁ ଦେଖନ୍ତା, ତେବେ ତାକୁ କେତେ ଖୁସି ମିଳନ୍ତା ! ଏପରି ଭାବେ ଯିହୋବା ଧ୍ୟାନ ଦେଲେ ଯେ ସେମାନଙ୍କ ଲୋକମାନଙ୍କ ମଧ୍ୟରେ ଏକତା ବଜାୟ ରହୁ । ପରେ ଯେବେ ଖ୍ରୀଷ୍ଟିୟାନ ମଣ୍ଡଳୀର ଆରମ୍ଭ ହେଲା, ତେବେ ସେଥିରେ ମଧ୍ୟ ଏପରି ଅନେକ ଲୋକ ଥିଲେ ଯେଉଁମାନେ ଅଲଗା ଅଲଗା ଭାଷା କହୁଥିଲେ । ସେମଧ୍ୟରୁ କିଛି ବହୁତ ଧନୀ ଥିଲେ ଓ କିଛି ଗରିବ ଥିଲେ, କିଛି ଉଚ୍ଚ ଶିକ୍ଷିତ ଥିଲେ ଓ କିଛି କମ୍‌ ଶିକ୍ଷିତ ଥିଲେ । କିନ୍ତୁ ସେମାନେ ସମସ୍ତେ ଶାସ୍ତ୍ର ପାଇଁ କୃତଜ୍ଞ ମନେ କରୁଥିଲେ, ତେଣୁ ସେମାନେ ଏକାଠି ହୋଇ ଉପାସନା କରୁଥିଲେ । ଆଉ ଯେଉଁମାନେ ନୂଆ ନୂଆ ଖ୍ରୀଷ୍ଟିୟାନ ହୋଇଥିଲେ, ସେମାନେ ଅନ୍ୟମାନଙ୍କ ସାହାଯ୍ୟ ଯୋଗୁଁ ଓ ଏକାଠି ହୋଇ ଶିଖିବା ଯୋଗୁଁ ଶାସ୍ତ୍ରରେ ଲେଖାଥିବା କଥାଗୁଡ଼ିକୁ ବୁଝି ପାରନ୍ତେ ।—ପ୍ରେରି. ୨:୪୨; ୮:୩୦, ୩୧.

୮. ଆଜି ଯିହୋବା କିପରି ବାଇବଲ ଜରିଆରେ ନିଜ ଲୋକମାନଙ୍କୁ ଏକତାରେ ବାନ୍ଧି ରଖିଛନ୍ତି ?

ଆଜି ମଧ୍ୟ ଯିହୋବା ବାଇବଲ ଜରିଆରେ ନିଜ ଲୋକମାନଙ୍କୁ ଶିଖାଉଛନ୍ତି ଓ ସେମାନଙ୍କୁ ଏକତାରେ ବାନ୍ଧି ରଖିଛନ୍ତି । ତାହା କିପରି ? ବାଇବଲରୁ ହିଁ ଆମେ ସମସ୍ତେ ଯିହୋବାଙ୍କ ବିଷୟରେ ସତ୍ୟଗୁଡ଼ିକୁ ଜାଣିପାରୁ । ଆମେ ସମସ୍ତେ ଲଗାତାର ମଣ୍ତଳୀର ସଭାଗୁଡ଼ିକରେ ଉପସ୍ଥିତ ହେଉ, ସମ୍ମିଳନୀ ଓ ଅଧିବେଶନରେ ମଧ୍ୟ ଯାଉ, ଯେଉଁଠି ବାଇବଲ ପଢ଼ି ଶୁଣାଇ ଦିଆଯାଏ, ବୁଝାଇ ଦିଆଯାଏ ଓ ଚର୍ଚ୍ଚା କରାଯାଏ । ଏପରି ଭାବେ ବାଇବଲ ଯୋଗୁଁ ଯିହୋବାଙ୍କ ଏହି ଉଦ୍ଦେଶ୍ୟ ପୂରା ହୋଇପାରିଛି ଯେ ତାଙ୍କର ଉପାସକ “ଏକମନରେ ତାହାଙ୍କର ସେବା କରିବେ ।” (ସିଫ. ୩:୯) ଏସବୁରୁ ମଧ୍ୟ ଆମକୁ ଜଣାପଡ଼େ ଯେ ଯିହୋବା କେତେ ବୁଦ୍ଧିମାନ ଅଟନ୍ତି ।

୯. ବାଇବଲରେ ଲେଖାଥିବା କଥାଗୁଡ଼ିକୁ କେବଳ କେଉଁ ଲୋକମାନେ ବୁଝିପାରନ୍ତି ? (ଲୂକ ୧୦:୨୧)

ଆଉ ଗୋଟିଏ କଥା ଉପରେ ଧ୍ୟାନ ଦିଅନ୍ତୁ, ଯେଉଁଥିରୁ ଜଣାପଡ଼େ ଯେ ଯିହୋବା ବହୁତ ବୁଦ୍ଧିମାନ ଅଟନ୍ତି । ସେ ଶାସ୍ତ୍ରରେ ଏପରି ଅନେକ କଥା ଲେଖାଇଛନ୍ତି ଯାହାକୁ କେବଳ ନମ୍ର ଲୋକମାନେ ହିଁ ବୁଝିପାରିବେ । (ଲୂକ ୧୦:୨୧ ପଢ଼ନ୍ତୁ ।) ଆଜି ଦୁନିଆରେ ଅନେକ ଲୋକ ବାଇବଲ ପଢ଼ନ୍ତି । ଜଣେ ବିଦ୍ୱାନ ମଧ୍ୟ ବାଇବଲ ବିଷୟରେ କହନ୍ତି ଯେ “ଏହି ବହିକୁ ସବୁଠାରୁ ବେଶି ଲୋକମାନେ ପଢ଼ିଛନ୍ତି ଆଉ ତାହା ବି ବହୁତ ଧ୍ୟାନର ସହ ।” କିନ୍ତୁ କେବଳ ନମ୍ର ଲୋକମାନେ ହିଁ ସେଥିରେ ଲେଖାଥିବା କଥାଗୁଡ଼ିକୁ ବୁଝିପାରନ୍ତି ଓ ପାଳନ କରିପାରନ୍ତି ।—୨ କରି. ୩:୧୫, ୧୬.

୧୦. ବାଇବଲର ଆଉ କେଉଁ କଥାରୁ ଜଣାପଡ଼େ ଯେ ଯିହୋବା ବହୁତ ବୁଦ୍ଧିମାନ ଅଟନ୍ତି ?

୧୦ ବାଇବଲର ଆଉ ଗୋଟିଏ କଥାରୁ ମଧ୍ୟ ଜଣାପଡ଼େ ଯେ ଯିହୋବା ବହୁତ ବୁଦ୍ଧିମାନ ଅଟନ୍ତି । ସେ ବାଇବଲ ଜରିଆରେ ନିଜ ଲୋକମାନଙ୍କୁ ଗୋଟିଏ ସମୂହ ଭାବରେ ଶିଖାନ୍ତି ଆଉ ତାʼସହ ଆମ ମଧ୍ୟରୁ ପ୍ରତ୍ୟେକଙ୍କୁ ବ୍ୟକ୍ତିଗତ ଭାବେ ମଧ୍ୟ ଶିଖାନ୍ତି ଓ ସାନ୍ତ୍ୱନା ଦିଅନ୍ତି । ଯେବେ ଆମେ ବାଇବଲ ପଢ଼ୁ, ତେବେ ଆମ ମଧ୍ୟରୁ ପ୍ରତ୍ୟେକଙ୍କୁ ଅନୁଭବ ହୁଏ ଯେ ଯିହୋବା ଆମର ବହୁତ ଚିନ୍ତା କରନ୍ତି । (ଯିଶା. ୩୦:୨୧) କʼଣ ଆପଣଙ୍କ ସହ କେବେ ଏପରି ହୋଇଛି ଯେ ଆପଣ କୌଣସି ସମସ୍ୟାର ସାମନା କରୁଥିଲେ ଓ ବାଇବଲ ପଢ଼ି ଆପଣଙ୍କୁ ଲାଗିଲା ଯେ ‘ଏହି ପଦ ତ ମୋ ପାଇଁ ହିଁ ଲେଖା ହୋଇଛି ?’ ଆଶ୍ଚର୍ଯ୍ୟର କଥା ଏହା ଯେ ଦୁନିଆର ଲକ୍ଷ ଲକ୍ଷ ଲୋକମାନେ ବାଇବଲ ବିଷୟରେ ଏପରି ହିଁ ଭାବନ୍ତି । କିନ୍ତୁ ଏପରି କେମିତି ହୋଇପାରିବ ଯେ ହଜାର ହଜାର ବର୍ଷ ପୂର୍ବେ ଲେଖାଯାଇଥିବା ଏହି ବହିରୁ ଆଜି ପ୍ରତ୍ୟେକଙ୍କୁ ଲାଭ ହେଉଛି ? କାରଣ ଏହାର ଲେଖକ ସାରା ଦୁନିଆରେ ସବୁଠୁ ବୁଦ୍ଧିମାନ ଅଟନ୍ତି !—୨ ତୀମ. ୩:୧୬, ୧୭.

ବାଇବଲରୁ ଜଣାପଡ଼େ ଯେ ଯିହୋବା ସବୁବେଳେ ନ୍ୟାୟ କରନ୍ତି

୧୧. ଯେପରି ଭାବେ ବାଇବଲ ଲେଖାଗଲା, ସେଥିରୁ କିପରି ଜଣାପଡ଼େ ଯେ ଯିହୋବା ଭେଦଭାବ କରନ୍ତି ନାହିଁ ?

୧୧ ଯିହୋବାଙ୍କ ଆଉ ଗୋଟିଏ ଭଲ ଗୁଣ ରହିଛି ଯେ ସେ ସବୁବେଳେ ନ୍ୟାୟ କରନ୍ତି । (ଦ୍ୱିବି. ୩୨:୪) ସେ ସବୁବେଳେ ତାହା ହିଁ କରନ୍ତି ଯାହା ଠିକ୍‌ ଅଟେ ଆଉ ସେ କେବେ ବି କାହାରି ସହିତ ଭେଦଭାବ କରନ୍ତି ନାହିଁ । (ପ୍ରେରି. ୧୦:୩୪, ୩୫; ରୋମୀ. ୨:୧୧) ସେ ବାଇବଲକୁ ଯେଉଁ ଭାଷାଗୁଡ଼ିକରେ ଲେଖାଇଛନ୍ତି ସେଥିରୁ ମଧ୍ୟ ତାଙ୍କର ଏହି କଥା ଜଣାପଡ଼େ । ବାଇବଲର ପ୍ରଥମ ୩୯ଟି ବହି ବିଶେଷ କରି ଏବ୍ରୀ ଭାଷାରେ ଲେଖା ହୋଇଥିଲା, କାରଣ ସେସମୟରେ ଇସ୍ରାଏଲର ଲୋକମାନେ ସେହି ଭାଷା ହିଁ କହୁଥିଲେ । କିନ୍ତୁ ପ୍ରଥମ ଶତାବ୍ଦୀ ଆସୁ ଆସୁ ଲୋକମାନେ ଗ୍ରୀକ୍‌ ଭାଷା କହିବାକୁ ଲାଗିଲେ । ତେଣୁ ବାଇବଲର ଶେଷ ୨୭ଟି ବହି ବିଶେଷ କରି ଗ୍ରୀକ୍‌ ଭାଷାରେ ଲେଖାଗଲା । ଯିହୋବା ଏହା ଭାବିଲେ ନାହିଁ ଯେ ତାଙ୍କ ବାକ୍ୟ କେବଳ ଗୋଟିଏ ଭାଷାରେ ହିଁ ଲେଖାଯିବା ଉଚିତ୍‌ । କିନ୍ତୁ ଆଜି ଦୁନିଆରେ ପ୍ରାୟ ୮୦୦ କୋଟି ଲୋକ ଅଛନ୍ତି ଆଉ ସେମାନେ ବହୁତଗୁଡ଼ିଏ ଭାଷା କହନ୍ତି, ଏତେ ଅଧିକ ଲୋକମାନେ ଯିହୋବାଙ୍କ ବିଷୟରେ କିପରି ଜାଣିପାରିବେ ?

୧୨. ଆମେ କିପରି କହିପାରିବା ଯେ ଦାନିୟେଲ ୧୨:୪ ପଦରେ ଦିଆଯାଇଥିବା ଭବିଷ୍ୟତବାଣୀ ଏହି ଶେଷ ସମୟରେ ପୂରା ହେଉଛି ?

୧୨ ଭବିଷ୍ୟଦ୍‌ବକ୍ତା ଦାନିୟେଲଙ୍କ ଜରିଆରେ ଯିହୋବା ଭବିଷ୍ୟତବାଣୀ କରିଥିଲେ ଯେ ଶେଷ ସମୟରେ ବାଇବଲରେ ଦିଆଯାଇଥିବା ‘ସତ୍ୟ ଜ୍ଞାନର ବୃଦ୍ଧି ହେବ ।’ ତାʼ ଅର୍ଥ ଅନେକ ଲୋକ ବାଇବଲରେ ଲେଖାଥିବା କଥାଗୁଡ଼ିକୁ ବୁଝି ପାରନ୍ତେ । (ଦାନିୟେଲ ୧୨:୪ ପଢ଼ନ୍ତୁ ।) ଆଉ ଆଜି ଠିକ୍‌ ଏପରି ହିଁ ହେଉଛି । ବାଇବଲ ଓ ତାʼ ଆଧାରିତ ବହି ଓ ପତ୍ରିକାଗୁଡ଼ିକୁ ଅନେକ ଭାଷାରେ ଅନୁବାଦ କରାଯାଉଛି, ଏହାକୁ ବହୁତ ମାତ୍ରାରେ ପ୍ରକାଶିତ କରାଯାଉଛି ଓ ଲୋକମାନଙ୍କୁ ବଣ୍ଟା ଯାଉଛି । ତେଣୁ ଅନେକ ଲୋକ ବାଇବଲରେ ଲେଖାଥିବା କଥାଗୁଡ଼ିକୁ ଭଲଭାବେ ବୁଝି ପାରୁଛନ୍ତି । ଏପରି କୌଣସି ବି ବହି ନାହିଁ ଯାହା ଏତେ ଭାଷାରେ ଅନୁବାଦ କରାଯାଇଥିବ ଓ ଯାହାକୁ ସାରା ଦୁନିଆର ଲୋକମାନେ ପଢ଼ିପାରିବେ । ଦୁନିଆରେ ଯେଉଁ ବାଇବଲ ଛପାଯାଏ ତାହା ଅନେକଥର ବହୁତ ଦାମିକା ଥାଏ । କିନ୍ତୁ ଯିହୋବାଙ୍କ ସାକ୍ଷୀମାନେ ଯେଉଁ ବାଇବଲ ଛାପନ୍ତି, ତାହା କେହି ବି ବିନା ପଇସାରେ ନେଇପାରିବେ । ଏବେ ଯାଏ ଆମେ ପୂରା ବାଇବଲ ଓ ତାʼ ଆଧାରିତ କିଛି ବହିକୁ ୨୪୦ରୁ ବି ଅଧିକ ଭାଷାରେ ଅନୁବାଦ କରିଛୁ । ଏହା ଯୋଗୁଁ ସବୁ ଦେଶର ଲୋକମାନେ ବିନାଶ ହେବା ପୂର୍ବରୁ ଈଶ୍ୱରଙ୍କ “ରାଜ୍ୟର ଏହି ସୁସମାଚାର” ଶୁଣି ପାରୁଛନ୍ତି । (ମାଥି. ୨୪:୧୪) ଆମ ଈଶ୍ୱର ସବୁବେଳେ ନ୍ୟାୟ କରନ୍ତି ଓ ସେ କେବେ ବି କାହାରି ସହିତ ଭେଦଭାବ କରନ୍ତି ନାହିଁ । ସେ ଅଧିକରୁ ଅଧିକ ଲୋକମାନଙ୍କୁ ସୁଯୋଗ ଦେଉଛନ୍ତି ଯେ ସେମାନେ ତାଙ୍କ ବାକ୍ୟ ପଢ଼ନ୍ତୁ ଓ ତାଙ୍କୁ ଜାଣନ୍ତୁ । କାରଣ ସେ ସମସ୍ତଙ୍କୁ ବହୁତ ପ୍ରେମ କରନ୍ତି ।

ବାଇବଲରୁ ଜଣାପଡ଼େ ଯେ ଯିହୋବା ଆମକୁ ପ୍ରେମ କରନ୍ତି

୧୩. ବାଇବଲରୁ ଏହା କିପରି ଜଣାପଡ଼େ ଯେ ଯିହୋବା ଆମକୁ ପ୍ରେମ କରନ୍ତି ? (ଯୋହନ ୨୧:୨୫)

୧୩ ବାଇବଲରୁ ଆମେ ଏହା ବି ଜାଣିପାରୁ ଯେ ଏହାର ଲେଖକଙ୍କ ସବୁଠୁ ବିଶେଷ ଗୁଣ ହେଉଛି ପ୍ରେମ । (୧ ଯୋହ. ୪:୮) ଟିକେ ଏକଥା ଉପରେ ଧ୍ୟାନ ଦିଅନ୍ତୁ ଯେ ଯିହୋବା ବାଇବଲରେ କେଉଁ କଥାଗୁଡ଼ିକୁ ଲେଖାଇଛନ୍ତି ଓ କେଉଁ କଥାଗୁଡ଼ିକୁ ଲେଖାଇ ନାହାଁନ୍ତି । ସେ ବାଇବଲରେ ଲେଖାଇଛନ୍ତି ଯେ ଆମେ କିପରି ତାଙ୍କ ନିକଟତର ହୋଇପାରିବା ଓ ତାଙ୍କ ସାଙ୍ଗ ହୋଇପାରିବା, କିପରି ଖୁସିରେ ରହିପାରିବା ଓ ଅନନ୍ତ ଜୀବନ ପାଇବା ପାଇଁ ଆମେ କʼଣ କରିପାରିବା । କିନ୍ତୁ ସେ ବିନା କାରଣରେ ବହୁତଗୁଡ଼ିଏ ତଥ୍ୟ ଦେଇ ନାହାନ୍ତି, ବରଂ କେବଳ ସେତେ ହିଁ ତଥ୍ୟ ଦେଇଛନ୍ତି ଯେତେ ଆମକୁ ତାଙ୍କ ସେବା କରିବା ପାଇଁ ଦରକାର । ଏଥିରୁ ଜଣାପଡ଼େ ଯେ ସେ ଆମକୁ ପ୍ରେମ କରନ୍ତି !ଯୋହନ ୨୧:୨୫ ପଢ଼ନ୍ତୁ ।

୧୪. ବାଇବଲରୁ ଆହୁରି କିପରି ଜଣାପଡ଼େ ଯେ ଯିହୋବା ଆମକୁ ପ୍ରେମ କରନ୍ତି ?

୧୪ ଯିହୋବା ବାଇବଲରେ ଯାହା ଲେଖାଇଛନ୍ତି ସେଥିରୁ ମଧ୍ୟ ଜଣାପଡ଼େ ଯେ ସେ ଆମକୁ ପ୍ରେମ କରନ୍ତି ଓ ଆମର ଆଦର କରନ୍ତି । ଯିହୋବା ଆମକୁ ଛୋଟ ପିଲା ଭଳି ପ୍ରତ୍ୟେକ ଛୋଟ ଛୋଟ କଥା ପାଇଁ ନିୟମ ସିଦ୍ଧାନ୍ତ ଦେଇ ନାହାନ୍ତି ଯେ ଆମେ କʼଣ କରିପାରିବା ଓ କʼଣ ନୁହେଁ । ଏହା ପରିବର୍ତ୍ତେ ସେ ବାଇବଲରେ ବହୁତ ରୋମାଞ୍ଚକ ଭବିଷ୍ୟତବାଣୀ ଲେଖାଇଛନ୍ତି । ସେ ଏପରି ଅନେକ ଲୋକମାନଙ୍କ ଜୀବନରେ ହୋଇଥିବା ଘଟଣାଗୁଡ଼ିକ ଲେଖାଇଛନ୍ତି ଓ ଏପରି ପରାମର୍ଶଗୁଡ଼ିକ ଲେଖାଇଛନ୍ତି, ଯାହା ପ୍ରତିଦିନ ଆମ କାମରେ ଆସେ । ଏଗୁଡ଼ିକୁ ପଢ଼ି ଆମକୁ ଇଚ୍ଛା ହୁଏ ଯେ ତାଙ୍କୁ ପ୍ରେମ କରୁ ଓ ତାଙ୍କ ଆଜ୍ଞା ପାଳନ କରୁ ।

ଆମେ ଏବିଷୟରେ କାହିଁକି ଚିନ୍ତନ କରିବା ଉଚିତ୍‌ ଯେ ଯିହୋବା ପ୍ରାଚୀନ ସମୟରେ ନିଜ ଲୋକମାନଙ୍କ ସହିତ କିପରି ବ୍ୟବହାର କଲେ ? (ପାରାଗ୍ରାଫ ୧୫)

୧୫. (କ) ବାଇବଲ ପଢ଼ି ଆମେ କିପରି ଜାଣିପାରୁ ଯେ ଯିହୋବା ଆମର ଚିନ୍ତା କରନ୍ତି ? (ଖ) ଚିତ୍ରରେ ଦେଖାଯାଇଥିବା ଛୋଟ ଝିଅ, ଯୁବା ଭାଇ ଓ ବୃଦ୍ଧା ଭଉଣୀ ବାଇବଲରେ ଦିଆଯାଇଥିବା କେଉଁ ଲୋକମାନଙ୍କ ବିଷୟରେ ଭାବୁଛନ୍ତି ? (ଆଦି. ୩୯:୧, ୧୦-୧୨; ୨ ରାଜା. ୫:୧-୩; ଲୂକ ୨:୨୫-୩୮)

୧୫ ବାଇବଲ ପଢ଼ି ଆମେ ଏହା ବି ଜାଣୁ ଯେ ଯିହୋବା ଆମର ବହୁତ ଚିନ୍ତା କରନ୍ତି । କାରଣ ସେ ନିଜ ବାକ୍ୟରେ ଏପରି ଅନେକ ଲୋକଙ୍କ ଘଟଣା ଲେଖାଇଛନ୍ତି ଯେଉଁମାନେ ଆମ ଭଳି ‘ସୁଖଦୁଃଖଭୋଗ’ କରିଥିଲେ । (ଯାକୁ. ୫:୧୭) ତେଣୁ ଆମେ ବୁଝିପାରୁ ଯେ ସେମାନଙ୍କୁ କିପରି ଲାଗିଥିବ । ତାʼଛଡ଼ା ଯେବେ ଆମେ ପଢ଼ୁ ଯେ ଯିହୋବା ସେମାନଙ୍କ ସହିତ କିପରି ବ୍ୟବହାର କଲେ, ତେବେ ଆମେ ଆହୁରି ଭଲଭାବେ ବୁଝିପାରୁ ଯେ ଯିହୋବା “ଦୟାରେ ପରିପୂର୍ଣ୍ଣ ଓ କୃପାବାନ ଅଟନ୍ତି ।”—ଯାକୁ. ୫:୧୧.

୧୬. ଯେଉଁ ଲୋକମାନଙ୍କ ଦ୍ୱାରା କିଛି ଭୁଲ ହୋଇଯାଇଥିଲା, ସେମାନଙ୍କ ସହିତ ଯିହୋବା ଯେପରି ବ୍ୟବହାର କଲେ ସେଥିରୁ ଯିହୋବାଙ୍କ ବିଷୟରେ କʼଣ ଜଣାପଡ଼େ ? (ଯିଶାଇୟ ୫୫:୭)

୧୬ ବାଇବଲରୁ ଆମେ ଏହା ବି ଜାଣିପାରୁ ଯେ ଯେବେ ଆମ ଦ୍ୱାରା କୌଣସି ଭୁଲ ହୋଇଯାଏ, ତେବେ ଯିହୋବା ଆମକୁ ନିଜଠାରୁ ଦୂରେଇ ଦିଅନ୍ତି ନାହିଁ ବରଂ ଆମକୁ କ୍ଷମା କରିଦିଅନ୍ତି । ଏଥିରୁ ବି ଜଣାପଡ଼େ ଯେ ଯିହୋବା ଆମକୁ ବହୁତ ପ୍ରେମ କରନ୍ତି । ଯେପରି ପ୍ରାଚୀନ ସମୟରେ ଇସ୍ରାଏଲୀୟମାନେ ବାରମ୍ବାର ଯିହୋବାଙ୍କ ବିରୁଦ୍ଧରେ ପାପ କଲେ । କିନ୍ତୁ ଯେବେ ସେମାନେ ହୃଦୟରୁ ପଶ୍ଚାତାପ କଲେ, ତେବେ ଯିହୋବା ସେମାନଙ୍କୁ କ୍ଷମା କରିଦେଲେ । (ଯିଶାଇୟ ୫୫:୭ ପଢ଼ନ୍ତୁ ।) ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନେ ମଧ୍ୟ ଜାଣିଥିଲେ ଯେ ଯିହୋବା ସେମାନଙ୍କୁ ବହୁତ ପ୍ରେମ କରନ୍ତି । ଟିକେ ସେ ବ୍ୟକ୍ତି ବିଷୟରେ ଭାବନ୍ତୁ ଯେ ଖରାପ ରାସ୍ତାରେ ବାହାରି ଯାଇଥିଲା ଓ ବହୁତ ବଡ଼ ପାପ କରିଥିଲା । କିନ୍ତୁ ଯେବେ ସେ ହୃଦୟରୁ ପଶ୍ଚାତାପ କଲା, ତେବେ ଯିହୋବା ପାଉଲଙ୍କ ଜରିଆରେ ଖ୍ରୀଷ୍ଟିୟାନମାନଙ୍କୁ ପ୍ରୋତ୍ସାହନ ଦେଲେ ଯେ ସେମାନେ ତାକୁ ‘କ୍ଷମା କରିଦିଅନ୍ତୁ ଓ ସାନ୍ତ୍ୱନା ଦିଅନ୍ତୁ ।’ (୨ କରି. ୨:୬, ୭; ୧ କରି. ୫:୧-୫) ଭାବନ୍ତୁ ଏହା କେତେ ବଡ଼ କଥା ଯେ ଯିହୋବା ନିଜ ସେହି ସମସ୍ତ ସେବକମାନଙ୍କୁ ଛାଡ଼ିଲେ ନାହିଁ ଯେଉଁମାନଙ୍କ ଦ୍ୱାରା ଭୁଲ ହୋଇଯାଇଥିଲା, ବରଂ ସେମାନଙ୍କୁ ପ୍ରେମର ସହ ସାହାଯ୍ୟ କଲେ, ସେମାନଙ୍କୁ ସୁଧାରିଲେ ଓ ପୁଣିଥରେ ସେମାନଙ୍କୁ ନିଜ ପାଖକୁ ଡାକିଲେ । ଆଜି ବି ଯିହୋବା ସେ ସମସ୍ତଙ୍କୁ କ୍ଷମା କରିଦିଅନ୍ତି ଯେଉଁମାନେ ହୃଦୟରୁ ପଶ୍ଚାତାପ କରନ୍ତି ।—ଯାକୁ. ୪:୮-୧୦.

ବାଇବଲ ଗୋଟିଏ ବଢ଼ିଆ ଉପହାର ଅଟେ, ତାʼପାଇଁ କୃତଜ୍ଞ ମନେକରନ୍ତୁ

୧୭. ଆମେ କାହିଁକି କହିପାରିବା ଯେ ବାଇବଲ ଗୋଟିଏ ବଢ଼ିଆ ଉପହାର ଅଟେ ?

୧୭ ବାଇବଲ ସତରେ ଯିହୋବାଙ୍କ ତରଫରୁ ଗୋଟିଏ ବଢ଼ିଆ ଉପହାର ଅଟେ । ଆମେ ଏପରି କାହିଁକି କହିପାରିବା ? ଯେପରି ଆମେ ଏହି ଲେଖାରେ ଶିଖିଲୁ ବାଇବଲରୁ ଆମେ ଜାଣିପାରୁ ଯେ ଯିହୋବା ବହୁତ ବୁଦ୍ଧିମାନ ଅଟନ୍ତି, ସବୁବେଳେ ନ୍ୟାୟ କରନ୍ତି ଓ ଆମକୁ ବହୁତ ପ୍ରେମ କରନ୍ତି । ବାଇବଲରେ ଯିହୋବା ନିଜ ବିଷୟରେ ବହୁତ କିଛି ଲେଖାଇଛନ୍ତି । ଏଥିରୁ ଜଣାପଡ଼େ ଯେ ଯିହୋବା ଚାହାନ୍ତି ଯେ ଆମେ ତାଙ୍କୁ ଜାଣୁ ଓ ତାଙ୍କ ସାଙ୍ଗ ହେଉ ।

୧୮. ଯଦି ଆମେ ବାଇବଲ ପାଇଁ କୃତଜ୍ଞ ମନେକରୁ ତେବେ ଆମେ କʼଣ କରିବା ?

୧୮ ଆମେ ଈଶ୍ୱରଙ୍କ ବାକ୍ୟକୁ ଅର୍ଥାତ୍‌ ଏହି ବଢ଼ିଆ ଉପହାରକୁ, କେବେ ବି ଛୋଟ କଥା ଭାବିବା ଉଚିତ୍‌ ନୁହେଁ । (ଯାକୁ. ୧:୧୭) ତେବେ ଆସନ୍ତୁ ଆମେ ସବୁବେଳେ ତାʼପାଇଁ କୃତଜ୍ଞ ମନେକରିବା । ଆମେ ଏହା କିପରି କରିପାରିବା ? ଏଥିରେ ଲେଖାଥିବା କଥାଗୁଡ଼ିକୁ ପଢ଼ି ଓ ସେଗୁଡ଼ିକ ଉପରେ ଚିନ୍ତନ କରି । ଯେବେ ଆମେ ଏପରି କରିବା, ତେବେ ଆମେ ଭରସା ରଖିପାରିବା ଯେ ଏହାର ଲେଖକ ଆମ ଚେଷ୍ଟାଗୁଡ଼ିକ ଉପରେ ଆଶିଷ ଦେବେ ଓ ଆମେ ‘ପରମେଶ୍ୱରଙ୍କ ବିଷୟରେ ଜ୍ଞାନ’ ହାସଲ କରିପାରିବା ।—ହିତୋ. ୨:୫.

ଗୀତ ୯୮ ପରମେଶ୍ୱର କି ପ୍ରେରଣା ସେ ଲିଖା ଶାସ୍ତ୍ର

a ବାଇବଲ ପଢ଼ି ଆମେ ଯିହୋବାଙ୍କୁ ଆହୁରି ଭଲଭାବେ ଜାଣିପାରିବା ଓ ତାଙ୍କର ନିକଟତର ହୋଇପାରିବା । ଏହି ଲେଖାରେ ଆମେ ଜାଣିବା ଯେ ବାଇବଲରୁ କିପରି ଜଣାପଡ଼େ ଯେ ଈଶ୍ୱର ବହୁତ ବୁଦ୍ଧିମାନ ଅଟନ୍ତି, ସେ ସବୁବେଳେ ନ୍ୟାୟ କରନ୍ତି ଓ ଆମକୁ ବହୁତ ପ୍ରେମ କରନ୍ତି । ଏହା ଜାଣିଲେ ବାଇବଲ ପ୍ରତି ଆମର କୃତଜ୍ଞତା ଆହୁରି ବଢ଼ିବ ଓ ଆମେ ଦେଖିପାରିବା ଯେ ବାଇବଲ ସତରେ ଯିହୋବାଙ୍କ ତରଫରୁ ଗୋଟିଏ ବଢ଼ିଆ ଉପହାର ଅଟେ ।