इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୭

ବାଇବଲର ବାକ୍ୟରୁ ଆପଣଙ୍କୁ ପୂରା ଲାଭ କିପରି ମିଳିବ ?

ବାଇବଲର ବାକ୍ୟରୁ ଆପଣଙ୍କୁ ପୂରା ଲାଭ କିପରି ମିଳିବ ?

‘ବ୍ୟବସ୍ଥାରେ କଅଣ ଲେଖା ଅଛି ? ତୁମ୍ଭେ କʼଣ ପାଠ କରିଛ ?’—ଲୂକ ୧୦:୨୬.

ଗୀତ ୯୭ ଜୀନ୍ଦଗୀ ଟିକି ୟାହ କେ ୱଚନୋ ପେ

ଲେଖାର ଝଲକ a

୧. ଆମେ କାହିଁକି କହିପାରିବା ଯେ ଯୀଶୁଙ୍କ ପାଇଁ ଶାସ୍ତ୍ରରେ ଲେଖାଥିବା କଥାଗୁଡ଼ିକ ବହୁତ ମହତ୍ତ୍ୱ ରଖୁଥିଲା ?

 ଭାବନ୍ତୁ ଯୀଶୁ ଯେବେ କିଛି ଶିଖାଉଥିବେ, ତେବେ ଲୋକମାନଙ୍କୁ କିପରି ଲାଗୁଥିବ ! ସେ ବାରମ୍ବାର ଶାସ୍ତ୍ରର କଥାଗୁଡ଼ିକୁ କହୁଥିବେ ! ତାଙ୍କୁ ସେହି ସବୁ କଥାଗୁଡ଼ିକ ମୁଖସ୍ତ ଥିଲା । ଧ୍ୟାନ ଦିଅନ୍ତୁ ଯେ ବାପ୍ତିସ୍ମ ପରେ ସେ ଯେଉଁ ପ୍ରଥମ କଥା କହିଲେ, ତାହା ସିଧା ଶାସ୍ତ୍ରରୁ ହିଁ ଥିଲା । ଆଉ ମୃତ୍ୟୁ ପୂର୍ବେ ବି ସେ ଯେଉଁ କଥାଗୁଡ଼ିକୁ କହିଲେ, ସେମଧ୍ୟରୁ କିଛି କଥାଗୁଡ଼ିକ ପୂରାପୂରି ଶାସ୍ତ୍ରରେ ଲେଖାଥିବା କଥା ଥିଲା । b (ଦ୍ୱିବି. ୮:୩; ଗୀତ. ୩୧:୫; ଲୂକ ୪:୪; ୨୩:୪୬) ଦେଖିବାକୁ ଗଲେ ପୃଥିବୀରେ ଯେବେ ସେ ସାଢ଼େ ତିନି ବର୍ଷ ସେବା କଲେ, ସେସମୟରେ ସେ ଅନେକଥର ଶାସ୍ତ୍ରରେ ଲେଖାଥିବା କଥାଗୁଡ଼ିକୁ ଲୋକମାନଙ୍କୁ କହୁଥିଲେ, ଚର୍ମପତ୍ରରୁ ପଢ଼ି ଶୁଣାଉଥିଲେ ଓ ତାʼର ଅର୍ଥ ବୁଝାଉଥିଲେ ।—ମାଥି. ୫:୧୭, ୧୮, ୨୧, ୨୨, ୨୭, ୨୮; ଲୂକ ୪:୧୬-୨୦.

ଯୀଶୁଙ୍କ ସାରା ଜୀବନରୁ ଜଣାପଡ଼େ ଯେ ସେ ଶାସ୍ତ୍ରକୁ ବହୁତ ଭଲ ପାଉଥିଲେ ଓ ସେଥିରେ ଲେଖାଥିବା କଥାଗୁଡ଼ିକ ଅନୁସାରେ କାମ ମଧ୍ୟ କରୁଥିଲେ (ପାରାଗ୍ରାଫ ୨)

୨. ଯେବେ ଯୀଶୁ ଛୋଟ ଥିଲେ, ତେବେ କେଉଁ କାରଣ ଯୋଗୁଁ ସେ ଶାସ୍ତ୍ରର କଥାଗୁଡ଼ିକୁ ଭଲଭାବେ ଜାଣିପାରିଲେ ? (ବାହାରେ ଦିଆଯାଇଥିବା ଚିତ୍ର ଦେଖନ୍ତୁ ।)

ପ୍ରଚାର ସେବା ଆରମ୍ଭ କରିବାର କିଛି ବର୍ଷ ପୂର୍ବରୁ ହିଁ ଯୀଶୁ ଅନେକଥର ଈଶ୍ୱରଙ୍କ ବାକ୍ୟ ପଢ଼ିଥିଲେ ଓ ସେଥିରେ ଲେଖାଥିବା କଥା ଶୁଣିଥିଲେ । ଯେବେ ଯୀଶୁ ଛୋଟ ଥିଲେ, ତେବେ ତାଙ୍କ ଘରେ ତାଙ୍କ ବାପାମାଆ ଯୋଷେଫ ଓ ମରୀୟମ ଅନେକଥର ତାଙ୍କୁ ଶାସ୍ତ୍ରର କଥାଗୁଡ଼ିକୁ କହୁଥିବେ ଓ ଯୀଶୁ ବହୁତ ଧ୍ୟାନର ସହ ତାହା ଶୁଣୁଥିବେ । c (ଦ୍ୱିବି. ୬:୬, ୭) ସେ ପ୍ରତି ବିଶ୍ରାମବାରରେ ନିଜ ପରିବାରଙ୍କ ସହ ସଭାଘରେ ମଧ୍ୟ ଯାଉଥିବେ । (ଲୂକ ୪:୧୬) ସେଠାରେ ଯେବେ ଶାସ୍ତ୍ରର କଥାଗୁଡ଼ିକୁ ପଢ଼ି ଶୁଣାଇ ଦିଆଯାଉଥିବ, ତେବେ ସେ ଧ୍ୟାନର ସହ ତାହା ଶୁଣୁଥିବେ । କିଛି ସମୟ ପରେ ସେ ଚର୍ମପତ୍ରଗୁଡ଼ିକରେ ଲେଖାଥିବା କଥାଗୁଡ଼ିକୁ ନିଜେ ବି ପଢ଼ିବା ପାଇଁ ଶିଖିଲେ । ତେଣୁ ସେ ଶାସ୍ତ୍ରର କଥାଗୁଡ଼ିକୁ ଭଲଭାବେ ବୁଝିବାକୁ ଲାଗିଲେ, ଶାସ୍ତ୍ରକୁ ଭଲ ପାଇବାକୁ ଲାଗିଲେ ଓ ସେଥିରେ ଲେଖାଥିବା କଥାଗୁଡ଼ିକ ଅନୁସାରେ କାମ ମଧ୍ୟ କରିବାକୁ ଲାଗିଲେ । ଏହା ଆମକୁ ମନ୍ଦିରରେ ହୋଇଥିବା ସେହି ଘଟଣାରୁ ମଧ୍ୟ ଜଣାପଡ଼େ ଯେବେ ଯୀଶୁ ୧୨ ବର୍ଷ ବୟସର ଥିଲେ । ସେ ଏପରି ଶିକ୍ଷକଙ୍କ ମଝିରେ ବସିଥିଲେ ଯେଉଁମାନେ ମୋଶାଙ୍କ ନିୟମକୁ ଭଲଭାବେ ଜାଣିଥିଲେ । କିନ୍ତୁ ସେ ସମସ୍ତ ଶିକ୍ଷକ “ତାହାଙ୍କ ବୁଦ୍ଧି ଓ ଉତ୍ତରରେ ଆଚମ୍ବିତ ହେଉଥିଲେ ।”—ଲୂକ ୨:୪୬, ୪୭, ୫୨.

୩. ଏହି ଲେଖାରେ ଆମେ କʼଣ ଜାଣିବା ?

ଯେବେ ଆମେ ପ୍ରତିଦିନ ଈଶ୍ୱରଙ୍କ ବାକ୍ୟ ପଢ଼ୁ, ତେବେ ଆମେ ବି ସେହି କଥାଗୁଡ଼ିକୁ ଭଲଭାବେ ବୁଝିପାରୁ ଓ ସେଗୁଡ଼ିକୁ ଭଲ ପାଇବାକୁ ଲାଗୁ । କିନ୍ତୁ ଆମେ ଯାହା ପଢ଼ୁ ସେଥିରୁ ପୂରା ଲାଭ କିପରି ପାଇପାରିବା ? ଏହି ମାମଲାରେ ଆମେ ଯୀଶୁଙ୍କ କଥାଗୁଡ଼ିକରୁ ବହୁତ କିଛି ଶିଖିପାରିବା । ଯୀଶୁଙ୍କ ସମୟରେ ଯେଉଁ ଲୋକମାନେ ନିୟମକୁ ଭଲଭାବେ ଜାଣୁଥିଲେ, ଯେପରି, ଶାସ୍ତ୍ରୀ, ଫାରୂଶୀ ଓ ସାଦ୍ଦୂକୀ, ସେମାନେ ଈଶ୍ୱରଙ୍କ ବାକ୍ୟ ପଢ଼ୁ ତ ଥିଲେ କିନ୍ତୁ ସେଥିରେ ଲେଖାଥିବା କଥାଗୁଡ଼ିକର ଅର୍ଥ ବୁଝିପାରୁ ନ ଥିଲେ । ଯୀଶୁ ସେମାନଙ୍କୁ ଯାହା କହିଲେ ସେଥିରୁ ଏପରି ତିନୋଟି କଥା ଜଣାପଡ଼େ ଯାହା ଶାସ୍ତ୍ରରୁ ପୂରା ଲାଭ ପାଇବା ପାଇଁ ସେମାନଙ୍କୁ କରିବାର ଥିଲା, କିନ୍ତୁ ସେମାନେ କଲେନି । ଯଦି ଆମେ ଯୀଶୁଙ୍କ ସେହି କଥାଗୁଡ଼ିକ ଉପରେ ଧ୍ୟାନ ଦେବା, ତେବେ (୧) ଆମେ ଯାହା ପଢ଼ୁ ତାହା ବୁଝିପାରିବା, (୨) ଆମେ ବହୁମୂଲ୍ୟ ସତ୍ୟ ବା ରତ୍ନଗୁଡ଼ିକୁ ଖୋଜିପାରିବା ଓ (୩) ଈଶ୍ୱରଙ୍କ ବାକ୍ୟ ଅନୁସାରେ ପରିବର୍ତ୍ତନ କରିପାରିବା । ଏହି ଲେଖାରେ ଆମେ ଗୋଟେ ଗୋଟେ କରି ଏହି କଥାଗୁଡ଼ିକ ଉପରେ ଧ୍ୟାନ ଦେବା ।

କେବଳ ପଢ଼ନ୍ତୁ ନାହିଁ, ବୁଝିବା ପାଇଁ ଚେଷ୍ଟା କରନ୍ତୁ

୪. ଲୂକ ୧୦:୨୫-୨୯ ପଦରୁ ଆମେ ବାଇବଲ ପଢ଼ିବା ବିଷୟରେ କʼଣ ଶିଖୁ ?

ଆମେ ବାଇବଲରେ ଯାହା ପଢ଼ୁ ତାʼର ଅର୍ଥ ବି ଆମକୁ ବୁଝିବାର ଅଛି, ନହେଲେ ଆମେ ସେଥିରୁ ପୂରା ଲାଭ ପାଇ ପାରିବାନି । ଟିକେ ଧ୍ୟାନ ଦିଅନ୍ତୁ ଯେ ଯେବେ “ଜଣେ ବ୍ୟବସ୍ଥାଶାସ୍ତ୍ରଜ୍ଞ” ଅର୍ଥାତ୍‌ ଶାସ୍ତ୍ର ବିଷୟରେ ଜାଣିଥିବା ଜଣେ ବ୍ୟକ୍ତି ଯୀଶୁଙ୍କ ପାଖରେ ଆସିଲେ, ତେବେ ସେମାନଙ୍କ ମଧ୍ୟରେ କʼଣ କଥାବାର୍ତ୍ତା ହେଲା । (ଲୂକ ୧୦:୨୫-୨୯ ପଢ଼ନ୍ତୁ ।) ସେ ଯୀଶୁଙ୍କୁ ପଚାରିଲେ ଯେ ଅନନ୍ତ ଜୀବନ ପାଇବା ପାଇଁ ତାଙ୍କୁ କʼଣ କରିବାକୁ ପଡ଼ିବ । ତେବେ ଯୀଶୁ ଈଶ୍ୱରଙ୍କ ବାକ୍ୟ ପ୍ରତି ତାଙ୍କର ଧ୍ୟାନ କେନ୍ଦ୍ରିତ କରାଇ ପଚାରିଲେ, ‘ବ୍ୟବସ୍ଥାରେ କଅଣ ଲେଖା ଅଛି ? ତୁମ୍ଭେ କʼଣ ପାଠ କରିଛ ?’ ସେହି ବ୍ୟକ୍ତି ଶାସ୍ତ୍ରରୁ ବିଲକୁଲ୍‌ ଠିକ୍‌ ଉତ୍ତର ଦେଲେ । ସେ କହିଲେ ଯେ ଆମକୁ ଈଶ୍ୱର ଓ ନିଜ ପ୍ରତିବାସୀ ବା ପଡ଼ୋଶୀଙ୍କୁ ପ୍ରେମ କରିବା ଉଚିତ୍‌ । (ଲେବୀ. ୧୯:୧୮; ଦ୍ୱିବି. ୬:୫) କିନ୍ତୁ ଧ୍ୟାନ ଦିଅନ୍ତୁ ଯେ ଏହା ପରେ ସେ କʼଣ ପଚାରିଲେ, “ତେବେ ମୋର ପ୍ରତିବାସୀ କିଏ ?” ଏହି ପ୍ରଶ୍ନରୁ ଜଣାପଡ଼େ ଯେ ସେ ବ୍ୟକ୍ତି ଯାହା ପଢ଼ିଥିଲେ ତାʼର ଅର୍ଥ ବୁଝି ନ ଥିଲେ । ତେଣୁ ସେ ଶାସ୍ତ୍ରରେ ଲେଖାଥିବା କଥାଗୁଡ଼ିକ ଅନୁସାରେ ଚାଲି ପାରିଲେନି ।

ଆମେ ଯାହା ପଢ଼ୁ, ତାହାକୁ ବୁଝିବା ଏପରି ଦକ୍ଷତା ଅଟେ ଯାହା ଆମେ ବଢ଼ାଇପାରିବା

୫. ପ୍ରାର୍ଥନା କରିବା ଓ ଧିରେ ଧିରେ ବାଇବଲ ପଢ଼ିବା ଦ୍ୱାରା ଆପଣଙ୍କୁ କିପରି ଲାଭ ହୋଇପାରିବ ?

ଯଦି ଆମେ ବାଇବଲ ପଢ଼ିବା ମାମଲାରେ କିଛି ଭଲ ଅଭ୍ୟାସ ରଖୁ, ତେବେ ଆମେ ଶାସ୍ତ୍ରରେ ଲେଖାଥିବା କଥାଗୁଡ଼ିକୁ ଭଲଭାବେ ବୁଝିପାରିବା । ଆପଣ କʼଣ କରିପାରିବେ ? ପଢ଼ିବା ପୂର୍ବରୁ ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ । ଶାସ୍ତ୍ରରେ ଲେଖାଥିବା କଥାଗୁଡ଼ିକୁ ଆମେ ଯିହୋବାଙ୍କ ସାହାଯ୍ୟରେ ହିଁ ବୁଝିପାରିବା, ତେଣୁ ଯିହୋବାଙ୍କୁ ପବିତ୍ର ଶକ୍ତି ମାଗନ୍ତୁ ଯାହାଦ୍ୱାରା ଆପଣ ଧ୍ୟାନ ଦେଇ ଶାସ୍ତ୍ରକୁ ପଢ଼ିପାରିବେ । ତାʼପରେ ଧିରେ ଧିରେ ପଢ଼ନ୍ତୁ । ତେବେ ଆପଣ ଯାହା ପଢ଼ୁଛନ୍ତି ତାହାକୁ ଭଲଭାବେ ବୁଝିପାରିବେ । ଆପଣ ଚାହିଁଲେ କହି କହିକି ବି ପଢ଼ିପାରିବେ କିମ୍ବା ବାଇବଲର ଅଡିଓ ରେକର୍ଡିଙ୍ଗ ଚଳାଇପାରିବେ ଓ ତାʼ ସହ ପାରିବେ । ଯେବେ ଆପଣ ବାଇବଲ ପଢ଼ିବା ସହିତ ତାʼର ଅଡିଓ ରେକର୍ଡିଙ୍ଗ ମଧ୍ୟ ଶୁଣିବେ, ତେବେ ସେଥିରେ ଲେଖାଥିବା କଥାଗୁଡ଼ିକୁ ଆପଣ ନିଜ ମନ ଓ ହୃଦୟରେ ପୂରେଇ ପାରିବେ । (ଯିହୋ. ୧:୮) ପଢ଼ିବା ପରେ ଆଉ ଥରେ ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ । ଯିହୋବାଙ୍କୁ ଧନ୍ୟବାଦ ଦିଅନ୍ତୁ ଯେ ସେ ଆପଣଙ୍କୁ ବଢ଼ିଆ ଉପହାର ଦେଲେ । ଆଉ ଆପଣ ଯାହା ପଢ଼ିଛନ୍ତି ତାʼ ଅନୁସାରେ କାମ କରିବା ପାଇଁ ତାଙ୍କୁ ପ୍ରାର୍ଥନାରେ ସାହାଯ୍ୟ ମାଗନ୍ତୁ ।

ଆପଣ ଯାହା ପଢ଼ନ୍ତି, ସେବିଷୟରେ ଛୋଟ ଛୋଟ ନୋଟ୍‌ସ ନେବା ଦ୍ୱାରା ଆପଣ କିପରି ସେହି କଥାଗୁଡ଼ିକୁ ଆହୁରି ଭଲଭାବେ ବୁଝିପାରିବେ ଓ ମନେ ରଖିପାରିବେ ? (ପାରାଗ୍ରାଫ ୬)

୬. ପଢ଼ିବା ସମୟରେ ନିଜକୁ ପ୍ରଶ୍ନ ପଚାରିଲେ ଓ ଛୋଟ ଛୋଟ ନୋଟ୍‌ସ ନେଲେ ଆପଣଙ୍କୁ କʼଣ ଲାଭ ହେବ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

ବାଇବଲକୁ ଭଲଭାବେ ବୁଝିବା ପାଇଁ ଆପଣ ଆହୁରି ଦୁଇଟି କାମ କରିପାରିବେ । କୌଣସି ଘଟଣା ପଢ଼ିବା ସମୟରେ ନିଜକୁ କିଛି ପ୍ରଶ୍ନ ପଚାରନ୍ତୁ । ଯେପରି, ‘ଏଥିରେ ମୁଖ୍ୟ ଚରିତ୍ର କିଏ ଅଟେ ? କିଏ କଥା ହେଉଛି ? କାହା ସହିତ କଥା ହେଉଛି ? ସେ ଏହି କଥା କାହିଁକି କହୁଛି ? ଏହି କଥାବାର୍ତ୍ତା କେଉଁଠି ଓ କେବେ ହେଉଛି ?’ ଏପରି ଭାବେ ପ୍ରଶ୍ନ କଲେ ଆପଣ ସେହି ଘଟଣା ବିଷୟରେ ଭାବିପାରିବେ ଆଉ ତାʼର ବିଶେଷ କଥାଗୁଡ଼ିକୁ ବୁଝିପାରିବେ । ତାʼ ସହିତ ପଢ଼ିବା ସମୟରେ ଆପଣ ଛୋଟ ଛୋଟ ନୋଟ୍‌ସ ନିଅନ୍ତୁ । କିଛି ଲେଖିବା ପାଇଁ ଟିକେ ଭାବିବାକୁ ପଡ଼େ । ଏପରି କରିବା ଦ୍ୱାରା ସେହି କଥାଗୁଡ଼ିକ ଆମକୁ ଆହୁରି ଭଲଭାବେ ବୁଝାପଡ଼େ । ଲେଖିବା ଦ୍ୱାରା ଆମକୁ ସେହି କଥାଗୁଡ଼ିକ ଲମ୍ବା ସମୟ ଯାଏ ମନେ ବି ରହେ । ଆପଣ କିଛି ପ୍ରଶ୍ନ ଲେଖିପାରିବେ, ଆପଣ ଯାହା ଅନୁସନ୍ଧାନ କରିଛନ୍ତି ସେମଧ୍ୟରୁ କିଛି କଥାଗୁଡ଼ିକୁ ଲେଖିପାରିବେ କିମ୍ବା ସେହି ପଦଗୁଡ଼ିକରୁ ଆପଣ ଯେଉଁ ବିଶେଷ କଥାଗୁଡ଼ିକୁ ଶିଖିଲେ ସେଗୁଡ଼ିକୁ ଲେଖିପାରିବେ । କିମ୍ବା ଏହା ବି ଲେଖିପାରିବେ ଯେ ଆପଣ କୌଣସି ପଦ କେଉଁଠି ଓ କିପରି ବ୍ୟବହାର କରିବେ । ଆପଣ ଯେଉଁ ଘଟଣା ପଢ଼ିଛନ୍ତି ତାହା ଆପଣଙ୍କୁ କିପରି ଲାଗିଲା, ଏହା ବି ଲେଖିପାରିବେ । ଏପରି କଥାଗୁଡ଼ିକୁ ଲେଖିଲେ ଆପଣଙ୍କୁ ଏପରି ଲାଗିବ ଯେପରି ଈଶ୍ୱରଙ୍କ ବାକ୍ୟ ଆପଣଙ୍କ ପାଇଁ ହିଁ ଲେଖାଯାଇଛି ।

୭. ବାଇବଲରେ ଲେଖାଥିବା କଥାଗୁଡ଼ିକୁ ବୁଝିବା ପାଇଁ ଆଉ କʼଣ ଜରୁରୀ ? ଏବଂ କାହିଁକି ? (ମାଥିଉ ୨୪:୧୫)

ମାଥିଉ ୨୪:୧୫ ପଢ଼ନ୍ତୁ । ଏଠାରେ ଯୀଶୁ କହିଥିବା କଥାରୁ ଆମକୁ ବାଇବଲ ପଢ଼ିବା ବିଷୟରେ ଆଉ ଗୋଟିଏ ଜରୁରୀ କଥା ଜଣାପଡ଼େ । ସେ କହିଲେ, “ପାଠକ ବୁଝନ୍ତୁ ।” ଯୀଶୁ ପ୍ରକୃତରେ ‘ସୂକ୍ଷ୍ମ ବିଚାର’ ବିଷୟରେ କଥା କରୁଥିଲେ । କିନ୍ତୁ ସୂକ୍ଷ୍ମ ବିଚାରର ଅର୍ଥ କʼଣ ? ତାʼ ଅର୍ଥ ହେଉଛି ଏହା ବୁଝିବା ଯେ କୌଣସି ଗୋଟିଏ କଥା ଅନ୍ୟ କଥା ସହିତ କିପରି ଜଡ଼ିତ ହୋଇରହିଛି କିମ୍ବା ତାହା ସେଥିରୁ କିପରି ଅଲଗା ଅଟେ ଆଉ ସେହି କଥାଗୁଡ଼ିକୁ ବୁଝିବା ପାଇଁ ଚେଷ୍ଟା କରିବା ଯାହା ସିଧା ସିଧା କୁହାଯାଇ ନାହିଁ । ଏପରି ଭାବେ ସୂକ୍ଷ୍ମ ବିଚାର ଦ୍ୱାରା ଆମେ ବାଇବଲର କଥାଗୁଡ଼ିକୁ ଆହୁରି ଭଲଭାବେ ବୁଝିପାରିବା । ଆଉ ଯେପରି ଯୀଶୁଙ୍କ କଥାରୁ ଜଣାପଡ଼େ, ଯେବେ ଆମକୁ ଏହା ବୁଝିବାର ଥାଏ ଯେ ବାଇବଲର କୌଣସି ଭବିଷ୍ୟତବାଣୀ କିପରି ପୂରା ହେଉଛି, ତେବେ ତାʼପାଇଁ ମଧ୍ୟ ଆମକୁ ସୂକ୍ଷ୍ମ ବିଚାରର ଆବଶ୍ୟକ ହୁଏ । ଦେଖିବାକୁ ଗଲେ ଆମେ ବାଇବଲରେ ଯାହା ବି ପଢ଼ୁ, ସେଥିରୁ ପୂରା ପୂରା ଲାଭ ପାଇବା ପାଇଁ ଆମଠାରେ ସୂକ୍ଷ୍ମ ବିଚାର ହେବା ଉଚିତ୍‌ ।

୮. ଆମେ ବାଇବଲରେ ଯାହା ପଢ଼ୁ ତାହାକୁ ଆହୁରି ଭଲଭାବେ କିପରି ବୁଝିପାରିବା ?

ଯିହୋବା ନିଜ ସେବକମାନଙ୍କୁ ସୂକ୍ଷ୍ମ ବିଚାର ଦିଅନ୍ତି, ତେଣୁ ତାଙ୍କୁ ପ୍ରାର୍ଥନା କରନ୍ତୁ ଯେ ସେ ଆପଣଙ୍କୁ ମଧ୍ୟ ସୂକ୍ଷ୍ମ ବିଚାର ଦିଅନ୍ତୁ । (ହିତୋ. ୨:୬) କିନ୍ତୁ ନିଜ ପ୍ରାର୍ଥନା ଅନୁସାରେ ଆପଣଙ୍କୁ କିଛି କରିବାକୁ ବି ପଡ଼ିବ । ଯେବେ ଆପଣ ବାଇବଲର କୌଣସି ଭାଗ ପଢ଼ନ୍ତି, ତେବେ ଗଭୀରତାର ସହ ଭାବନ୍ତୁ ଯେ ଆପଣ ଯେଉଁ କଥାଗୁଡ଼ିକ ବିଷୟରେ ପୂର୍ବରୁ ଜାଣନ୍ତି, ତାହା ସହିତ ଏହାର କʼଣ ସମ୍ପର୍କ ରହିଛି । ତାʼ ପାଇଁ ଆପଣ ଚାହିଁଲେ ଯିହୋବାଙ୍କ ସାକ୍ଷୀମାନଙ୍କ ପାଇଁ ଗବେଷଣା ଗାଇଡ୍‌ ଭଳି ପ୍ରକାଶନଗୁଡ଼ିକ ସାହାଯ୍ୟରେ ଅନୁସନ୍ଧାନ କରିପାରିବେ । ଏପରି କରିବା ଦ୍ୱାରା ଆପଣ ବାଇବଲର ଘଟଣାଗୁଡ଼ିକୁ ଭଲଭାବେ ବୁଝିପାରିବେ ଓ ଜାଣିପାରିବେ ଯେ ଆପଣ ସେଥିରେ ଦିଆଯାଇଥିବା କଥାଗୁଡ଼ିକ ଅନୁସାରେ କିପରି ଚାଲିପାରିବେ । (ଏବ୍ରୀ ୫:୧୪) ଏପରି ଭାବେ ଯେବେ ଆପଣ ବାଇବଲ ପଢ଼ିବା ସମୟରେ ସୂକ୍ଷ୍ମ ବିଚାରର ବ୍ୟବହାର କରିବେ, ତେବେ ତାʼ ବିଷୟରେ ଆପଣଙ୍କ ସୂକ୍ଷ୍ମ ବିଚାର ଆହୁରି ବଢ଼ି ବଢ଼ି ଯିବ ।

ବାଇବଲ ପଢ଼ିବା ସମୟରେ ବହୁମୂଲ୍ୟ ରତ୍ନ ଖୋଜନ୍ତୁ

୯. ସାଦ୍ଦୂକୀମାନେ ଶାସ୍ତ୍ରର କେଉଁ ମହତ୍ତ୍ୱପୂର୍ଣ୍ଣ ସତ୍ୟକୁ ଅଣଦେଖା କରିଦେଇଥିଲେ ?

ଯୀଶୁଙ୍କ ସମୟରେ ସାଦ୍ଦୂକୀ ଲୋକମାନେ ଏବ୍ରୀ ଶାସ୍ତ୍ରର ପ୍ରଥମ ପାଞ୍ଚଟି ବହି ବିଷୟରେ ଭଲଭାବେ ଜାଣିଥିଲେ । କିନ୍ତୁ ସେହି ବହିଗୁଡ଼ିକରେ ଲେଖାଥିବା କିଛି ମହତ୍ତ୍ୱପୂର୍ଣ୍ଣ ସତ୍ୟଗୁଡ଼ିକୁ ସେମାନେ ବୁଝିପାରିଲେ ନାହିଁ । ଆମେ ଏପରି କାହିଁକି କହିପାରିବା ? ଧ୍ୟାନ ଦିଅନ୍ତୁ ଯେ ଥରେ ଯେବେ ସେମାନେ ମୃତ ଲୋକମାନଙ୍କ ବିଷୟରେ ଯୀଶୁଙ୍କୁ ପ୍ରଶ୍ନ ପଚାରିଲେ, ତେବେ ଯୀଶୁ ସେମାନଙ୍କୁ କʼଣ ଉତ୍ତର ଦେଲେ । ସେ କହିଲେ, “ତୁମ୍ଭେମାନେ କି ମୋଶାଙ୍କ ଶାସ୍ତ୍ରରେ ବୁଦାର ବୃତ୍ତାନ୍ତରେ ପାଠ କରି ନାହଁ ଯେ, ଈଶ୍ୱର କିପରି ତାହାଙ୍କୁ କହିଲେ, ଆମ୍ଭେ ଅବ୍ରହାମଙ୍କ ଈଶ୍ୱର, ଇସ୍‌ହାକଙ୍କ ଈଶ୍ୱର ଓ ଯାକୁବଙ୍କ ଈଶ୍ୱର ?” (ମାର୍କ ୧୨:୧୮, ୨୬) ଏଥିରେ କୌଣସି ସନ୍ଦେହ ନାହିଁ ଯେ ସେହି ସାଦ୍ଦୂକୀମାନେ ଏହି ଘଟଣାକୁ ଅନେକଥର ପଢ଼ିଥିବେ । କିନ୍ତୁ ଯୀଶୁ ସେମାନଙ୍କୁ ଯେଉଁ ପ୍ରଶ୍ନ ପଚାରିଲେ, ସେଥିରୁ ଜଣାପଡ଼େ ଯେ ସେମାନେ ଶାସ୍ତ୍ରର ଗୋଟିଏ ମହତ୍ତ୍ୱପୂର୍ଣ୍ଣ ସତ୍ୟକୁ ଅଣଦେଖା କରିଦେଇଥିଲେ । ତାହା ହେଉଛି, ଯେଉଁ ଲୋକମାନଙ୍କର ମୃତ୍ୟୁ ହୋଇଯାଇଛି ସେମାନଙ୍କୁ ଈଶ୍ୱର ଜୀବିତ କରିବେ ।—ମାର୍କ ୧୨:୨୭; ଲୂକ ୨୦:୩୮. d

୧୦. ବାଇବଲ ପଢ଼ିବା ସମୟରେ ଆମେ କେଉଁ କଥା ଉପରେ ଧ୍ୟାନ ଦେବା ଉଚିତ୍‌ ?

୧୦ ଏହି ଘଟଣାରୁ ଆମେ କʼଣ ଶିଖୁ ? ଯେବେ ଆମେ ବାଇବଲ ପଢ଼ୁ, ତେବେ ଆମେ ଧ୍ୟାନ ଦେବା ଉଚିତ୍‌ ଯେ କୌଣସି ପଦ ବା ଘଟଣାରୁ ଆମେ କେଉଁ କେଉଁ କଥା ଶିଖିପାରିବା ? ଆମେ ବାଇବଲରେ ଲେଖାଥିବା ମୌଳିକ ସତ୍ୟଗୁଡ଼ିକୁ ତ ଶିଖୁ ହିଁ, କିନ୍ତୁ ତାʼ ସହ ଏଥିରେ ଦିଆଯାଇଥିବା ଅନ୍ୟ ମହତ୍ତ୍ୱପୂର୍ଣ୍ଣ କଥାଗୁଡ଼ିକ ଓ ସିଦ୍ଧାନ୍ତଗୁଡ଼ିକ ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ୍‌ ଯାହା ହୁଏତ ସିଧା ସିଧା ଲେଖାଯାଇ ନ ଥିବ । ଏହି କଥାଗୁଡ଼ିକ ଶାସ୍ତ୍ରରେ ଲୁଚି ଯାଇଥିବା ବହୁମୂଲ୍ୟ ରତ୍ନ ଭଳି ଅଟେ ।

୧୧. ୨ ତୀମଥି ୩:୧୬, ୧୭ ପଦକୁ ଧ୍ୟାନରେ ରଖି ଆପଣ ବାଇବଲରୁ ବହୁମୂଲ୍ୟ ରତ୍ନ କିପରି ଖୋଜିପାରିବେ ?

୧୧ ବାଇବଲ ପଢ଼ିବା ସମୟରେ ଆପଣ ଏହି ବହୁମୂଲ୍ୟ ରତ୍ନଗୁଡ଼ିକୁ କିପରି ଖୋଜିପାରିବେ ? ଧ୍ୟାନ ଦିଅନ୍ତୁ ୨ ତୀମଥି ୩:୧୬, ୧୭ ପଦରେ କʼଣ ଲେଖାଯାଇଛି । (ପଢ଼ନ୍ତୁ ।) ସେଠାରେ କୁହାଯାଇଛି ଯେ ସମସ୍ତ ଶାସ୍ତ୍ର (୧) ଶିକ୍ଷା, (୨) ଅନୁଯୋଗ ବା ବୁଝାଇବା, (୩) ସଂଶୋଧନ ଓ (୪) ଶାସନ ବା ଚିନ୍ତାଧାରା ପରିବର୍ତ୍ତନ କରିବା ନିମନ୍ତେ ଉପକାରୀ । ଯେବେ ଆପଣ ବାଇବଲର କୌଣସି ଘଟଣା ପଢ଼ନ୍ତି, ତେବେ ଭାବନ୍ତୁ ଯେ ଆପଣ ସେଥିରୁ ଯିହୋବା ଓ ତାଙ୍କ ଉଦ୍ଦେଶ୍ୟ ବିଷୟରେ କʼଣ ଶିଖିପାରିବେ କିମ୍ବା ଆପଣ କେଉଁ ସିଦ୍ଧାନ୍ତଗୁଡ଼ିକୁ ଶିଖିପାରିବେ । ଏହା ବି ଧ୍ୟାନ ଦିଅନ୍ତୁ ଯେ ବାଇବଲର ସେହି ଘଟଣାରୁ ଯିହୋବା ଆପଣଙ୍କୁ କʼଣ ବୁଝାଇବା ପାଇଁ ଚାହାନ୍ତି । ଆପଣ ଏହା କିପରି ଜାଣିପାରିବେ ? ଭାବନ୍ତୁ ଯେ ସେଥିରୁ ଆପଣଙ୍କୁ କʼଣ ଜଣାପଡ଼େ । କʼଣ ଆପଣଙ୍କ ଭିତରେ କୌଣସି ଖରାପ ଇଚ୍ଛା ତ ନାହିଁ ? କିମ୍ବା ଆପଣଙ୍କ ବ୍ୟବହାର କିପରି ଅଛି ? ତାʼପରେ ଭାବନ୍ତୁ ଯେ ସେହି ଖରାପ ଇଚ୍ଛାଗୁଡ଼ିକୁ ନିଜ ମନରୁ ଆପଣ କିପରି କାଢ଼ିପାରିବେ ଓ ଯିହୋବାଙ୍କ କିପରି ବିଶ୍ୱସ୍ତ ରହିପାରିବେ । ଆପଣ ଏହା ବି ଭାବନ୍ତୁ ଯେ ଏହି ଘଟଣାରୁ ଆପଣ କିପରି ସଂଶୋଧନ କରିପାରିବେ, ଯେପରି ପ୍ରଚାର କରିବା ସମୟରେ ଆପଣ କାହାରି ଭୁଲ ଚିନ୍ତାଧାରାକୁ କିପରି ସୁଧାରି ପାରିବେ । ଏହା ବି ଜାଣିବା ପାଇଁ ଚେଷ୍ଟା କରନ୍ତୁ ଯେ କʼଣ ସେହି ଘଟଣାରେ ଏପରି କୌଣସି କଥା ଲେଖାଅଛି ଯେଉଁଥିରୁ ଆପଣ ନିଜ ଚିନ୍ତାଧାରା ପରିବର୍ତ୍ତନ କରିପାରିବେ ଓ ଯିହୋବାଙ୍କ ଭଳି ଭାବିପାରିବେ । ଯଦି ଆପଣ ବାଇବଲ ପଢ଼ିବା ସମୟରେ ଏହି ଚାରୋଟି କଥା ଉପରେ ଧ୍ୟାନ ଦେବେ, ତେବେ ଆପଣ ଅନେକ ବହୁମୂଲ୍ୟ ରତ୍ନ ଖୋଜିପାରିବେ, ଏପରିକି ସେହି ବହିଗୁଡ଼ିକରେ ବି ଯାହାକୁ ହୁଏତ ଆପଣ ବେଶି ପଢ଼ୁ ନ ଥିବେ । ଏହି ଉପାୟ ଆପଣାଇଲେ ଆପଣଙ୍କୁ ବହୁତ ଲାଭ ହେବ !

ବାଇବଲ ଅନୁସାରେ ନିଜକୁ ପରିବର୍ତ୍ତନ କରନ୍ତୁ

୧୨. “ତାହା କି ତୁମ୍ଭେମାନେ ପାଠ କରି ନାହଁ ?” ଏହି ପ୍ରଶ୍ନ ଯୀଶୁ ଫାରୂଶୀମାନଙ୍କୁ କାହିଁକି ପଚାରିଲେ ?

୧୨ ଆଉ ଗୋଟିଏ ସମୟରେ ଯୀଶୁ ଫାରୂଶୀମାନଙ୍କୁ ପ୍ରଶ୍ନ ପଚାରିଲେ, “ତାହା କି ତୁମ୍ଭେମାନେ ପାଠ କରି ନାହଁ ?” (ମାଥି. ୧୨:୧-୭) e ଏହି ପ୍ରଶ୍ନ ଯୀଶୁ ଏଥିପାଇଁ ପଚାରିଲେ କାରଣ ସେମାନେ ଶାସ୍ତ୍ରକୁ ସଠିକ୍‌ ଉଦ୍ଦେଶ୍ୟରେ ପଢ଼ୁ ନ ଥିଲେ । ସେହି ସମୟରେ ଫାରୂଶୀମାନେ ଯୀଶୁଙ୍କ ଶିଷ୍ୟମାନଙ୍କ ଉପରେ ଏହା ଆରୋପ ଲଗାଇଲେ ଯେ ସେମାନେ ବିଶ୍ରାମବାରର ନିୟମକୁ ପାଳନ କରନ୍ତି ନାହିଁ । ତେବେ ଯୀଶୁ ସେମାନଙ୍କୁ ଶାସ୍ତ୍ରରୁ ଦୁଇଟି ଉଦାହରଣ ଦେଲେ ଓ ହୋଶେୟ ବହିରେ ଲେଖାଥିବା ଗୋଟିଏ କଥା କହିଲେ । ଏପରି ଭାବେ ସେ କହିଲେ ଯେ ଫାରୂଶୀମାନେ ଏହା ବୁଝିପାରୁ ନ ଥିଲେ ଯେ ବିଶ୍ରାମବାରର ନିୟମ କାହିଁକି ଦିଆଯାଇଛି । ତେଣୁ ସେମାନେ ଲୋକମାନଙ୍କ ଉପରେ ଦୟା ମଧ୍ୟ କରୁ ନ ଥିଲେ । ଫାରୂଶୀମାନେ ଈଶ୍ୱରଙ୍କ ବାକ୍ୟ ଅନୁସାରେ ନିଜକୁ କାହିଁକି ପରିବର୍ତ୍ତନ କରୁ ନ ଥିଲେ ? କାରଣ ସେମାନେ ପଢ଼ୁ ତ ଥିଲେ, କିନ୍ତୁ ତାଙ୍କ ଉଦ୍ଦେଶ୍ୟ ଠିକ୍‌ ନ ଥିଲା । ସେମାନେ ନିଜକୁ ବୁଦ୍ଧିମାନ ମନେ କରୁଥିଲେ ଓ ଅନ୍ୟମାନଙ୍କ ଭିତରେ ଭୁଲ ଖୋଜିବା ପାଇଁ ଏହାକୁ ପଢ଼ୁଥିଲେ । ତାଙ୍କର ଏହି ସ୍ୱଭାବ ଯୋଗୁଁ ସେମାନେ ଶାସ୍ତ୍ରରେ ଲେଖାଥିବା କଥାଗୁଡ଼ିକର ପ୍ରକୃତ ଅର୍ଥ ବୁଝି ପାରୁ ନ ଥିଲେ ।—ମାଥି. ୨୩:୨୩; ଯୋହ. ୫:୩୯, ୪୦.

୧୩. ଆମେ କେଉଁ ଉଦ୍ଦେଶ୍ୟରେ ବାଇବଲ ପଢ଼ିବା ଉଚିତ୍‌ ଓ କାହିଁକି ?

୧୩ ଯୀଶୁ ଫାରୂଶୀମାନଙ୍କୁ ଯାହା କହିଲେ, ସେଥିରୁ ଆମେ ଶିଖୁ ଯେ ଆମକୁ ସଠିକ୍‌ ଉଦ୍ଦେଶ୍ୟରେ ବାଇବଲ ପଢ଼ିବା ଉଚିତ୍‌ । ଯଦି ଆମେ ଫାରୂଶୀମାନଙ୍କ ଭଳି ନିଜକୁ ବୁଦ୍ଧିମାନ ମନେ କରିବା କିମ୍ବା ଆମେ ଅନ୍ୟମାନଙ୍କ ଭୁଲ ବାହାର କରିବା ଉଦ୍ଦେଶ୍ୟରେ ବାଇବଲ ପଢ଼ିବା, ତେବେ ଆମେ ଯାହା ପଢ଼ିବା ସେଥିରୁ କୌଣସି ଲାଭ ହେବ ନାହିଁ । ତେଣୁ ଆମକୁ ନମ୍ର ରହିବା ଆଉ ଶିଖିବା ପାଇଁ ପ୍ରସ୍ତୁତ ରହିବା ଉଚିତ୍‌ । ଯାକୁବ ୧:୨୧ ପଦରେ ଲେଖାଅଛି, ‘ଯେଉଁ ରୋପିତ ବାକ୍ୟ ତୁମ୍ଭମାନଙ୍କ ପରିତ୍ରାଣ କରିବା ନିମନ୍ତେ ସମର୍ଥ, ତାହା ନମ୍ର ଭାବରେ ଗ୍ରହଣ କର ।’ ଯଦି ଆମେ କୋମଳ କିମ୍ବା ନମ୍ର ହେବା ଓ ସଠିକ୍‌ ଉଦ୍ଦେଶ୍ୟରେ ବାଇବଲକୁ ପଢ଼ିବା, ତେବେ ଏହାର ଆମ ହୃଦୟ ଉପରେ ପ୍ରଭାବ ପଡ଼ିବ । ଆଉ ତାʼପରେ ଯେବେ ଆମେ ବାଇବଲରେ ଦୟା, କରୁଣା କିମ୍ବା ପ୍ରେମ ବିଷୟରେ କୌଣସି ଘଟଣା ପଢ଼ିବା, ତେବେ ସେ ଅନୁସାରେ ଆମେ ନିଜଠାରେ ପରିବର୍ତ୍ତନ କରିପାରିବା ଓ ଏହି ଗୁଣଗୁଡ଼ିକୁ ନିଜ ଭିତରେ ବଢ଼ାଇପାରିବା ।

ଆମେ କିପରି ଜାଣିପାରିବା ଯେ ଆମେ ଈଶ୍ୱରଙ୍କ ବାକ୍ୟ ଅନୁସାରେ ନିଜକୁ ପରିବର୍ତ୍ତନ କରୁଛୁ ନା ନାହିଁ ? (ପାରାଗ୍ରାଫ ୧୪) f

୧୪. ଆମେ କିପରି ଜାଣିପାରିବା ଯେ ଆମେ ବାଇବଲ ଅନୁସାରେ ନିଜଠାରେ ପରିବର୍ତ୍ତନ କରୁଛୁ ନା ନାହିଁ ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

୧୪ ଆମେ ଅନ୍ୟମାନଙ୍କ ସହିତ ଯେପରି ବ୍ୟବହାର କରୁ, ସେଥିରୁ ଜଣାପଡ଼ିବ ଯେ ଆମେ ଈଶ୍ୱରଙ୍କ ବାକ୍ୟ ଅନୁସାରେ ନିଜକୁ ପରିବର୍ତ୍ତନ କରୁଛୁ ନା ନାହିଁ । ଫାରୂଶୀମାନେ ଈଶ୍ୱରଙ୍କ ବାକ୍ୟ ଅନୁସାରେ ନିଜଠାରେ ପରିବର୍ତ୍ତନ କରିଲେ ନାହିଁ । ତେଣୁ ସେମାନେ ‘ନିର୍ଦ୍ଦୋଷ ଲୋକଙ୍କୁ ଦୋଷୀ କରୁଥିଲେ ।’ (ମାଥି. ୧୨:୭) ଆମେ ଧ୍ୟାନ ଦେବା ଉଚିତ୍‌ ଯେ ଆମେ ଅନ୍ୟମାନଙ୍କ ବିଷୟରେ କʼଣ ଭାବୁ ଓ ସେମାନଙ୍କ ସହିତ କିପରି ବ୍ୟବହାର କରୁ । ଏପରି ଭାବେ ଆମେ ଜାଣିପାରିବା ଯେ ଈଶ୍ୱରଙ୍କ ବାକ୍ୟ ଆମ ଉପରେ ପ୍ରଭାବ ପକାଉଛି ନା ନାହିଁ । ଯେପରି ଆମେ ଭାବିପାରିବା, ‘କʼଣ ମୁଁ ଅନ୍ୟମାନଙ୍କ ଭଲ ଗୁଣଗୁଡ଼ିକ ଉପରେ ଧ୍ୟାନ ଦିଏ ଓ ସେମାନଙ୍କର ପ୍ରଶଂସା କରେ ? ନା ସବୁବେଳେ ସେମାନଙ୍କ ଦୁର୍ବଳତାଗୁଡ଼ିକୁ ବାହାର କରୁଥାଏ ? ଯେବେ ଅନ୍ୟମାନଙ୍କ ଦ୍ୱାରା ଭୁଲ ହୋଇଯାଏ, ତେବେ କʼଣ ମୁଁ ସେମାନଙ୍କୁ କ୍ଷମା କରିବା ପାଇଁ ପ୍ରସ୍ତୁତ ରହେ ମା ସେମାନଙ୍କ ବିଷୟରେ ଖରାପ କଥା କହେ ଓ ସେମାନଙ୍କ ପ୍ରତି ରାଗ ରଖେ ?’ ଏପରି ପ୍ରଶ୍ନ କଲେ ଆମେ ନିଜକୁ ଜାଣିପାରିବା । ଆମେ ଯେପରି ଭାବୁ, ଅନୁଭବ କରୁ ଓ ଯେପରି କାମ କରୁ, ସେଥିରୁ ଜଣାପଡ଼ିବ ଯେ ଆମେ ଈଶ୍ୱରଙ୍କ ବାକ୍ୟ ଅନୁସାରେ ନିଜଠାରେ ପରିବର୍ତ୍ତନ କରିଛୁ ନା ନାହିଁ ।—୧ ତୀମ. ୪:୧୨, ୧୫; ଏବ୍ରୀ ୪:୧୨.

ଏପରି ପଢ଼ନ୍ତୁ ଯାହାଦ୍ୱାରା ଆପଣଙ୍କୁ ଖୁସି ମିଳୁ

୧୫. ଯୀଶୁ ପବିତ୍ର ଶାସ୍ତ୍ର ବିଷୟରେ କିପରି ଅନୁଭବ କରୁଥିଲେ ?

୧୫ ଯୀଶୁ ଶାସ୍ତ୍ରକୁ ବହୁତ ଭଲ ପାଉଥିଲେ । ଆଉ ଏବିଷୟରେ ଗୀତସଂହିତା ୪୦:୮ ପଦରେ ମଧ୍ୟ ଭବିଷ୍ୟତବାଣୀ କରାଯାଇଥିଲା । ସେଠାରେ ଲେଖାଅଛି, “ହେ ମୋହର ପରମେଶ୍ୱର, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୋହର ସନ୍ତୋଷ ।” ତାʼଯୋଗୁଁ ଯୀଶୁ ଖୁସିର ସହ ଯିହୋବାଙ୍କ ସେବା କରିପାରିଲେ ଓ ସବୁ କାମରେ ସଫଳ ହୋଇପାରିଲେ । ଯଦି ଆମେ ବି ବାଇବଲ ପଢ଼ିବା ଓ ବାଇବଲକୁ ଭଲ ପାଇବା, ତେବେ ଖୁସି ରହିପାରିବା ଓ ସଫଳ ହୋଇପାରିବା ।—ଗୀତ. ୧:୧-୩.

୧୬. ଆପଣ ବାଇବଲରେ ଯାହା ପଢ଼ନ୍ତି, ସେଥିରୁ ପୂରା ପୂରା ଲାଭ ପାଇବା ପାଇଁ ଆପଣ କʼଣ କରିବେ ? (“ ଯୀଶୁଙ୍କ କଥାଗୁଡ଼ିକୁ ଧ୍ୟାନ ଦେଲେ ଆପଣ ଯାହା ପଢ଼ନ୍ତି, ତାହାକୁ ବୁଝିପାରିବେ” ନାମକ ବକ୍ସ ଦେଖନ୍ତୁ ।)

୧୬ ଯୀଶୁଙ୍କ ଉଦାହରଣରୁ ଓ ସେ କହିଥିବା କଥାଗୁଡ଼ିକରୁ ଆମେ ଯାହା ଶିଖିଲୁ, ସେଗୁଡ଼ିକୁ ଧ୍ୟାନରେ ରଖି ଆସନ୍ତୁ ଆମେ ଆହୁରି ଭଲଭାବେ ବାଇବଲ ପଢ଼ିବା ପାଇଁ ଚେଷ୍ଟା କରିବା । ବାଇବଲର କୌଣସି ଘଟଣାକୁ ଭଲଭାବେ ବୁଝିବା ପାଇଁ ଆମେ ପ୍ରାର୍ଥନା କରିପାରିବା, ଧିରେ ଧିରେ ପଢ଼ିପାରିବା, କିଛି ପ୍ରଶ୍ନ ପଚାରିପାରିବା ଓ ଛୋଟ ଛୋଟ ନୋଟ୍‌ସ ନେଇପାରିବା । ତାʼଛଡ଼ା ଆମକୁ ସେହି କଥାଗୁଡ଼ିକ ବିଷୟରେ ମଧ୍ୟ ଗଭୀର ଭାବେ ଭାବିବା ଉଚିତ୍‌ ଯାହା ସିଧା ସିଧା ଲେଖାଯାଇ ନାହିଁ । ତାʼ ପାଇଁ ଆମେ ନିଜ ପ୍ରକାଶନଗୁଡ଼ିକରେ ଅନୁସନ୍ଧାନ ମଧ୍ୟ କରିପାରିବା । ବାଇବଲକୁ କେବଳ ଉପରୁ ଉପରୁ ପଢ଼ିବା ପରିବର୍ତ୍ତେ ଆମେ ଏଥିରେ ଥିବା ବହୁମୂଲ୍ୟ ରତ୍ନଗୁଡ଼ିକୁ ଖୋଜିବା ପାଇଁ ମଧ୍ୟ ଚେଷ୍ଟା କରିପାରିବା, ଏପରିକି ସେହି ଭାଗଗୁଡ଼ିକରେ ବି ଯାହା ବିଷୟରେ ଆମେ ଅଧିକ ଜାଣି ନାହୁଁ । ଏପରି ଭାବେ ବାଇବଲରୁ ଆମେ ବହୁତ କିଛି ଶିଖିପାରିବା । ଆଉ ଆମକୁ ବାଇବଲକୁ ସଠିକ୍‌ ଉଦ୍ଦେଶ୍ୟରେ ମଧ୍ୟ ପଢ଼ିବା ବହୁତ ଜରୁରୀ, ତେବେ ଯାଇ ଈଶ୍ୱରଙ୍କ ବାକ୍ୟ ଅନୁସାରେ ଆମେ ନିଜକୁ ପରିବର୍ତ୍ତନ କରିପାରିବା । ଯେବେ ଆମେ ଏହି କଥାଗୁଡ଼ିକୁ ଧ୍ୟାନରେ ରଖି ବାଇବଲ ପଢ଼ିବା, ତେବେ ସେଥିରୁ ଆମକୁ ପୂରା ପୂରା ଲାଭ ହେବ ଓ ଆମେ ଯିହୋବାଙ୍କ ଆହୁରି ନିକଟତର ହୋଇଯିବା ।—ଗୀତ. ୧୧୯:୧୭, ୧୮; ଯାକୁ. ୪:୮.

ଗୀତ ୯୫ ବଢ଼ତି ହୈ ରୌସନି ସଚ୍ଚାଇ କି

a ଯିହୋବାଙ୍କ ସମସ୍ତ ସେବକ ପ୍ରତିଦିନ ବାଇବଲ ପଢ଼ିବା ପାଇଁ ଚେଷ୍ଟା କରନ୍ତି । ଅନ୍ୟ ଲୋକମାନେ ମଧ୍ୟ ବାଇବଲ ପଢ଼ନ୍ତି, କିନ୍ତୁ ସେମାନେ ତାʼର ଅର୍ଥ ବୁଝି ପାରନ୍ତିନି । ଯୀଶୁଙ୍କ ସମୟରେ ମଧ୍ୟ ଏପରି ହିଁ କିଛି ଲୋକ ଥିଲେ । ଯଦି ଆମେ ଧ୍ୟାନ ଦେବା ଯେ ଯୀଶୁ ସେମାନଙ୍କୁ କʼଣ କହିଲେ, ତେବେ ଆମେ ବୁଝିପାରିବା ଯେ ଆଜି ଆମେ ପୂରା ପୂରା ଲାଭ ପାଇବା ପାଇଁ ବାଇବଲକୁ କିପରି ପଢ଼ିବା ଉଚିତ୍‌ ।

b ଯୀଶୁଙ୍କ ବାପ୍ତିସ୍ମ ପରେ ଯେବେ ତାଙ୍କୁ ପବିତ୍ର ଶକ୍ତି ଦ୍ୱାରା ଅଭିଷେକ କରାଗଲା, ତେବେ ସେଥିରୁ ଜଣାପଡ଼େ ଯେ ଯିହୋବା ଏପରି କିଛି କଲେ ଯାହାଯୋଗୁଁ ତାଙ୍କୁ ସ୍ୱର୍ଗରୁ ସବୁ କଥା ମନେପଡ଼ିଲା ।—ମାଥି. ୩:୧୬.

c ମରୀୟମ ଅନେକଥର ଶାସ୍ତ୍ରର କଥାଗୁଡ଼ିକୁ କହୁଥିଲେ । (ଲୂକ ୧:୪୬-୫୫) ସେଥିରୁ ଜଣାପଡ଼େ ଯେ ସେ ଶାସ୍ତ୍ରକୁ ବହୁତ ଭଲଭାବେ ଜାଣୁଥିଲେ । ହୁଏତ ଯୋଷେଫ ଓ ମରୀୟମଙ୍କ ପାଖରେ ଏତେ ପଇସା ନ ଥିଲା ଯେ ସେମାନେ ଶାସ୍ତ୍ରର ଚର୍ମପତ୍ର କିଣି ପାରନ୍ତେ । ତେଣୁ ଯେବେ ସଭାଘରେ ଶାସ୍ତ୍ରରେ ଲେଖାଥିବା କଥାଗୁଡ଼ିକୁ ପଢ଼ି ଶୁଣାଇ ଦିଆଯାଉଥିବ, ତେବେ ସେମାନେ ଧ୍ୟାନର ସହ ତାହା ଶୁଣୁଥିବେ ଯାହାଦ୍ୱାରା ସେମାନେ ସେଥିରେ ଲେଖାଥିବା କଥାଗୁଡ଼ିକୁ ମନେ ରଖିପାରିବେ ।

d ୧ ଏପ୍ରିଲ୍‌, ୨୦୧୩ ମସିହାର ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା “ପରମେଶ୍ୱର କେ କରିବ ଆଓ—‘ୱାହ ଜୀୱିତୋ କା ପରମେଶ୍ୱର ହୈ’ ” ପଢ଼ନ୍ତୁ ।

e ମାଥିଉ ୧୯:୪-୬ ପଦ ମଧ୍ୟ ପଢ଼ନ୍ତୁ ଯେଉଁଠି ଯୀଶୁ ଫାରୂଶୀମାନଙ୍କୁ ସେହି ପ୍ରଶ୍ନ ପଚାରିଲେ, “ତୁମ୍ଭେମାନେ କଅଣ ପାଠ କରି ନାହଁ ?” ସେହି ଫାରୂଶୀମାନେ ଦୁନିଆର ସୃଷ୍ଟି ବିଷୟରେ ଶାସ୍ତ୍ରରେ ଅନେକଥର ପଢ଼ିଥିବେ ଯେବେ ଈଶ୍ୱର ପୁରୁଷ ଓ ସ୍ତ୍ରୀକୁ ଗୋଟିଏ ପବିତ୍ର ବନ୍ଧନରେ ବାନ୍ଧିଥିଲେ । କିନ୍ତୁ ସେମାନେ ଏହା ବୁଝିଲେ ନାହିଁ ଯେ ଈଶ୍ୱରଙ୍କ ଦୃଷ୍ଟିରେ ଏହି ବନ୍ଧନ ବହୁତ ବିଶେଷ ଅଟେ ଓ ଏହାକୁ ଛୋଟ କଥା ଭାବିବା ଉଚିତ୍‌ ନୁହେଁ ।

f ଚିତ୍ର ବିଷୟରେ: ରାଜ୍ୟଘରେ ସଭା ସମୟରେ ଅଡିଓ ଭିଡିଓ ଚଳାଉଥିବା ଜଣେ ଭାଇଙ୍କ ଦ୍ୱାରା କିଛି ଭୁଲ ହୋଇଯାଏ କିନ୍ତୁ ସଭା ପରେ ଅନ୍ୟ ଜଣେ ଭାଇ ତାଙ୍କ ଭୁଲଗୁଡ଼ିକୁ କହିବା ପରିବର୍ତ୍ତେ, ତାଙ୍କ ଭଲ କାମର ପ୍ରଶଂସା କରନ୍ତି ।