इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଜୀବନ କାହାଣୀ

ଯିହୋବା ବିଶ୍ୱସ୍ତ ଲୋକମାନଙ୍କୁ ଅନେକ ଆଶିଷ ଦିଅନ୍ତି

ଯିହୋବା ବିଶ୍ୱସ୍ତ ଲୋକମାନଙ୍କୁ ଅନେକ ଆଶିଷ ଦିଅନ୍ତି

କʼଣ ଅନେକ ବର୍ଷ ପୂର୍ବେ ଆପଣ କାହାରି ସହିତ କୌଣସି କଥା ହୋଇଥିଲେ ଯାହା ଆପଣଙ୍କୁ ଆଜି ବି ମନେଅଛି ? ମୋତେ ମଧ୍ୟ ୫୦ ବର୍ଷ ପୂର୍ବେ ଜଣେ ସାଙ୍ଗ ସହିତ ହୋଇଥିବା କଥା ମନେଅଛି । ଆମେ ସେସମୟରେ କେନିଆ ଦେଶରେ ଥିଲୁ । ଆମେ ଦୁଇ ଜଣ ଅନେକ ମାସରୁ ଯାତ୍ରା କରୁଥିଲୁ ଆଉ ଖରା ଯୋଗୁଁ ଆମ ଦେହର ରଙ୍ଗ ବଦଳି ଯାଇଥିଲା । ଆମେ ନିଆଁ ଜଳାଇ ବସିଥିଲୁ ଆଉ ଗୋଟିଏ ଫିଲ୍ମ ବିଷୟରେ କଥା ହେଉଥିଲୁ । ସେଥିରେ କିଛି ଧାର୍ମିକ କଥାଗୁଡ଼ିକ ବିଷୟରେ କୁହାଯାଇଥିଲା । ମୋ ସାଙ୍ଗ କହିଲା, “ଏଠାରେ ବାଇବଲ ବିଷୟରେ ଯାହା କୁହାଯାଇଥିଲା, ତାହା ଭୁଲ ଥିଲା ।”

ତାʼ କଥା ଶୁଣି ମୋତେ ହସ ମାଡ଼ିଲା । ମୋତେ ଲାଗୁ ନ ଥିଲା ଯେ ସେ ଧାର୍ମିକ କଥାଗୁଡ଼ିକ ପାଇଁ ଆଗ୍ରହୀ । ମୁଁ କହିଲି, “ତୁ ବାଇବଲ ବିଷୟରେ କʼଣ ଜାଣୁ ?” ପୂର୍ବେ ତ ସେ କିଛି କହିଲାନି । କିନ୍ତୁ କିଛି ସମୟ ପରେ ସେ କହିଲା ଯେ ମୋ ମାଆ ଯିହୋବାଙ୍କ ସାକ୍ଷୀ ଥିଲେ ଆଉ ସେମାନେ ମୋତେ ବାଇବଲ ବିଷୟରେ କିଛି କଥା କହିଥିଲେ । ମୁଁ ତାକୁ କହିଲି ଯେ ଏବିଷୟରେ ସେ ମୋତେ ଆହୁରି କହୁ ।

ଆମେ ସେହି ରାତିରେ ବହୁତ ଡେରି ଯାଏ କଥା ହେଲୁ । ମୋ ସାଙ୍ଗ ମୋତେ କହିଲା, ବାଇବଲରେ ଲେଖାଅଛି ଯେ ଏହି ଦୁନିଆର ରାଜା ଶୟତାନ ଅଟେ ଓ ସେ ଦୁନିଆକୁ ଶାସନ କରୁଛି । (ଯୋହ. ୧୪:୩୦) ହୋଇପାରେ, ଆପଣ ଏହି କଥା ଛୋଟ ବେଳୁ ଜାଣିଥିବେ, କିନ୍ତୁ ମୁଁ ଏହା ପ୍ରଥମ ଥର ଶୁଣିଥିଲି । ଏବେ ଯାଏ ମୁଁ ଏହା ହିଁ ଶୁଣିଥିଲି ଯେ ଦୁନିଆକୁ ଈଶ୍ୱର ଶାସନ କରୁଛନ୍ତି ଯେ ଆମକୁ ବହୁତ ପ୍ରେମ କରନ୍ତି ଆଉ କେବେ କାହାରି ସହିତ ଅନ୍ୟାୟ କରନ୍ତି ନାହିଁ । କିନ୍ତୁ ଦୁନିଆରେ ମୁଁ ଏହାର ପୂରା ଓଲଟା ଦେଖିଥିଲି । ମୁଁ କେବଳ ୨୬ ବର୍ଷ ବୟସର ଥିଲି, କିନ୍ତୁ ମୁଁ ଦୁନିଆରେ ଏତେ ଦୁଷ୍ଟତା ଦେଖିଥିଲି ଯେ ତାʼଯୋଗୁଁ ମୁଁ ବହୁତ ବ୍ୟସ୍ତ ହୋଇ ପଡ଼ୁଥିଲି । ତେଣୁ ମୋ ସାଙ୍ଗ ଯାହା ବି କହିଲା, ସେବିଷୟରେ ମୁଁ ଆହୁରି ଜାଣିବା ପାଇଁ ଚାହୁଁଥିଲି ।

ମୋ ବାପା ଆମେରିକାର ବାୟୁ ସେନାର ପାୟଲଟ ଥିଲେ । ତେଣୁ ଛୋଟ ବେଳୁ ମୁଁ ଶୁଣିଥିଲି ଯେ କେବେ ବି ପରମାଣୁ ଯୁଦ୍ଧ ଆରମ୍ଭ ହୋଇପାରେ, କେବଳ ବଟନ୍‌ ଦବାଇବାର ଅପେକ୍ଷା ଅଛି । ଯେବେ ମୁଁ କାଲିଫର୍ନିଆ କଲେଜରେ ପଢ଼ୁଥିଲି, ତେବେ ଭିଏତନାମ ଯୁଦ୍ଧ ଚାଲୁଥିଲା । ଅନ୍ୟ ବିଦ୍ୟାର୍ଥୀମାନଙ୍କ ସହ ମୁଁ ବିକ୍ଷଭ ପ୍ରଦର୍ଶନ କରିବାକୁ ଲାଗିଲି । ପୋଲିସମାନେ ବାଡ଼ି ଧରି ଆମ ପିଛା କରୁଥିଲେ । ସେମାନେ ଲୁହ ଗ୍ୟାସର ଗୁଳି ଛାଡ଼ୁଥିଲେ, ତେଣୁ ଆମକୁ ନିଶ୍ୱାସ ନେବା ବହୁତ କଠିନ ହୋଇଯାଉଥିଲା ଆଉ ଆମକୁ ଭଲଭାବେ କିଛି ଦେଖା ବି ଯାଉ ନ ଥିଲା । ତଥାପି ଆମେ ଯାହାତାହା କରି ସେଠାରୁ ପଳାଇ ଯାଉଥିଲୁ । ଚାରିଆଡ଼େ ଗଡ଼ବଡ଼ି ଲାଗି ରହିଥିଲା, ଲୋକେ ସରକାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲେ, ରାଜନୈତିକ ଯୋଗୁଁ ଲୋକମାନଙ୍କୁ ମାରି ଦିଆଯାଉଥିଲା ଆଉ ଲୋକମାନେ ଦଙ୍ଗା କରୁଥିଲେ । କʼଣ କରିବା ଉଚିତ୍‌ ଓ କʼଣ ନୁହେଁ, ଏବିଷୟରେ ସମସ୍ତଙ୍କ ନିଜର ହିଁ ମତ ଥିଲା । କିଛି ବୁଝା ପଡ଼ୁ ନ ଥିଲା ।

ଲଣ୍ଡନରୁ ମଧ୍ୟ ଆଫ୍ରିକାର ଯାତ୍ରା

୧୯୭୦ ମସିହାରେ ଆଲାସ୍କା ସହରର ଉତ୍ତର ତଟରେ ମୋତେ ଚାକିରି ମିଳିଗଲା ଓ ମୁଁ ବହୁତ ପଇସା ରୋଜଗାର କଲି । ଆଉ ତାʼପରେ ମୁଁ ଉଡ଼ାଜାହାଜରେ ଲଣ୍ଡନ ଚାଲିଗଲି, ଆଉ ଗୋଟିଏ ଗାଡ଼ି କିଣିଲି । ସେଥିରେ ବସି ମୁଁ ବିନା ଭାବିଚିନ୍ତି ଦକ୍ଷିଣ ଆଡ଼କୁ ବାହାରି ପଡ଼ିଲି । ମୁଁ ଭାବି ନ ଥିଲି ଯେ ମୁଁ କେଉଁଠି ଯିବି, କେବଳ ମୁଁ ଘରୁ ବାହାରି ପଡ଼ିଲି । ଅନେକ ମାସ ପରେ ମୁଁ ଆଫ୍ରିକା ପହଞ୍ଚିଲି । ରାସ୍ତାରେ ମୁଁ ଏପରି ଲୋକମାନଙ୍କୁ ଭେଟିଲି ଯେଉଁମାନେ ଅନେକ ସମସ୍ୟାର ସାମନା କରୁଥିଲେ ଆଉ ମୋ ଭଳି ସବୁ ଛାଡ଼ି ଦୂରକୁ ପଳାଇ ଯିବା ବିଷୟରେ ଭାବୁଥିଲେ ।

ମୁଁ ଯାହା ଦେଖିଲି ଓ ଯାହା ଶୁଣିଥିଲି ତାʼଯୋଗୁଁ ମୋତେ ବାଇବଲର ଏହି ଶିକ୍ଷା ଠିକ୍‌ ଲାଗିଲା ଯେ ଏହି ଦୁନିଆକୁ ଶୟତାନ ଶାସନ କରୁଛି । କିନ୍ତୁ ପରେ ମୁଁ ଭାବିବାକୁ ଲାଗିଲି, “ଯଦି ଈଶ୍ୱର ଏହି ଦୁନିଆକୁ ଶାସନ କରୁ ନାହାନ୍ତି, ତାହେଲେ ସେ କʼଣ କରୁଛନ୍ତି ?”

କିଛି ମାସ ପରେ ମୋତେ ଏହି ପ୍ରଶ୍ନର ଉତ୍ତର ମିଳିଗଲା । ସମୟ ଗଡ଼ିବା ସହ ମୋତେ ଏପରି ସାଙ୍ଗମାନେ ମିଳିଲେ ଯେଉଁମାନେ ଅଲଗା ଅଲଗା ପରିସ୍ଥିତିରେ ମଧ୍ୟ ବିଶ୍ୱସ୍ତତାର ସହ ସତ୍ୟ ଈଶ୍ୱରଙ୍କ ସେବା କରୁଥିଲେ ।

ଉତ୍ତର ଆୟରଲ୍ୟାଣ୍ଡ—“ବୋମା ଓ ବନ୍ଧୁକଗୁଡ଼ିକର ଅଞ୍ଚଳ”

କିଛି ସମୟ ପରେ ମୁଁ ପୁଣି ଲଣ୍ଡନ ଫେରିଲି । ସେଠାରେ ମୁଁ ମୋ ସାଙ୍ଗର ମାଆଙ୍କୁ ଭେଟିଲି ଆଉ ସେ ମୋତେ ଗୋଟିଏ ବାଇବଲ ଦେଲେ । ତାʼପରେ ମୁଁ ନେଦରନ୍ୟାଣ୍ଡସ୍‌ର ଏମଷ୍ଟରଡମ ସହରକୁ ଚାଲିଗଲି । ଦିନେ ମୁଁ ରାସ୍ତା କଡ଼ରେ ଥିବା ବୁଜୁଳି ବତି ତଳେ ବସି ବାଇବଲ ପଢ଼ୁଥିଲି । ତେବେ ସେହି ବାଟ ଦେଇ ଜଣେ ସାକ୍ଷୀ ଗଲେ, ଯେବେ ସେ ମୋତେ ଦେଖିଲେ, ତେବେ ସେ ମୋତେ ଆହୁରି ବାଇବଲ ବିଷୟରେ କହିବାକୁ ଲାଗିଲେ । ତାʼପରେ ମୁଁ ଆୟରଲ୍ୟାଣ୍ଡର ଡବଲିନ୍‌ ସହରରେ ଥିବା ସାକ୍ଷୀମାନଙ୍କ ଶାଖା କାର୍ଯ୍ୟାଳୟକୁ ଗଲି ଓ ସେଠାର କବାଟ ବାଡ଼ାଇଲି । ତାʼପରେ ମୁଁ ଭାଇ ଆର୍ଥର ମୈଥ୍ୟୁଙ୍କ ସହ ଭେଟ ହେଲି । ସେ ବହୁତ ବୁଦ୍ଧିମାନେ ଥିଲେ ଓ ତାଙ୍କ ପାଖରେ ଅନେକ ବର୍ଷର ଅନୁଭୂତି ଥିଲା । ମୁଁ ତାଙ୍କୁ କହିଲି କʼଣ ସେ ମୋ ବାଇବଲ ଅଧ୍ୟୟନ କରାଇବେ ଓ ସେ ରାଜି ହୋଇଗଲେ ।

ମୁଁ ବହୁତ କିଛି ଜାଣିବାକୁ ଚାହୁଁଥିଲି । ତେଣୁ ମୁଁ ବହୁତ ଧ୍ୟାନର ସହ ଅଧ୍ୟୟନ କରିବାକୁ ଲାଗିଲି । ଯିହୋବାଙ୍କ ସାକ୍ଷୀମାନଙ୍କ ଦ୍ୱାରା ମୋତେ ଯାହା ବି ବହି ପତ୍ରିକା ମିଳୁଥିଲା, ସବୁ ପଢ଼ୁଥିଲି ଆଉ ମୁଁ ପୂରା ବାଇବଲକୁ ବି ପଢ଼ି ପକାଇଲି । ମୁଁ ଯେଉଁ ନୂଆ ନୂଆ କଥା ଶିଖୁଥିଲି, ତାହା ମୋତେ ବହୁତ ଭଲ ଲାଗୁଥିଲା । ମଣ୍ଡଳୀର ସଭାଗୁଡ଼ିକରେ ମୁଁ ଦେଖିଲି ଯେ ଛୋଟ ପିଲାମାନେ ମଧ୍ୟ ଏପରି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତି ଯାହାର ଉତ୍ତର ବଡ଼ ବଡ଼ ବିଦ୍ୱାନମାନେ ମଧ୍ୟ ଅନେକ ବର୍ଷରୁ ଦେଇପାରି ନାହାନ୍ତି । ଯେପରି, ‘ଦୁନିଆରେ ଏତେ ଦୁଃଖକଷ୍ଟ କାହିଁକି ଅଛି ? ଈଶ୍ୱର କିଏ ? ମୃତ୍ୟୁ ପରେ କʼଣ ହୁଏ ?’ ସେହି ଦେଶରେ ମୋର ଯେତେ ବି ସାଙ୍ଗ ଥିଲେ ସମସ୍ତେ ଯିହୋବାଙ୍କ ସାକ୍ଷୀ ଥିଲେ, କାରଣ ସେଠାରେ ମୁଁ ଆଉ କାହାରିକୁ ବି ଚିହ୍ନି ନ ଥିଲି । ସେମାନେ ମୋତେ ଯିହୋବାଙ୍କୁ ଜାଣିବା ପାଇଁ ବହୁତ ସାହାଯ୍ୟ କଲେ । ମୁଁ ଯିହୋବାଙ୍କୁ ପ୍ରେମ କରିବାକୁ ଲାଗିଲି ଆଉ ମୁଁ ଯିହୋବାଙ୍କ ଇଚ୍ଛା ପୂରା କରିବାକୁ ଚାହୁଁଥିଲି ।

ନାଇଜେଲ, ଡେନିସ୍‌ ଓ ମୁଁ

୧୯୭୨ ମସିହାରେ ମୋର ବାପ୍ତିସ୍ମ ହୋଇଗଲା । ତାʼର ବର୍ଷେ ପରେ ମୁଁ ଅଗ୍ରଦୂତ ସେବା କରିବାକୁ ଲାଗିଲି । ମୁଁ ଉତ୍ତର ଆୟରଲ୍ୟାଣ୍ଡର ନ୍ୟୁରି ନାମକ ଜାଗାର ଗୋଟିଏ ଛୋଟିଆ ମଣ୍ଡଳୀରେ ଯିବାକୁ ଲାଗିଲି । ସେଠାର ମୁଁ ପାହାଡ଼ିଆ ଅଞ୍ଚଳରେ ପଥରରୁ ତିଆରି ହୋଇଥିବା ଗୋଟିଏ ଘର ଭଡ଼ାରେ ନେଲି । ସେହି ଜାଗାର ପାଖରେ କୌଣସି ବି ଘର ନ ଥିଲା । କିନ୍ତୁ ସେ ପାଖରେ ଗୋଟିଏ ଖେତ ଥିଲା ଯେଉଁଥିରେ ବହୁତ ଗାଈମାନେ ରହୁଥିଲେ ଆଉ ମୁଁ ତାଙ୍କ ଆଗରେ ନିଜର ଭାଷଣର ଅଭ୍ୟାସ କରୁଥିଲି । ସେମାନଙ୍କୁ ଦେଖି ଏପରି ଲାଗୁଥିଲା ଯେ ସେମାନେ ପାକୁଳି କରି କରି ମୋ ଭାଷଣ ଶୁଣୁଛନ୍ତି । ସେମାନେ ଏହା ତ କହିପାରୁ ନ ଥିଲେ ଯେ ମୋତେ କʼଣ ସୁଧାର କରିବାର ଅଛି, କିନ୍ତୁ ଏପରି କରି ମୁଁ ସଭାରେ ଉପସ୍ଥିତ ହୋଇଥିବା ଲୋକମାନଙ୍କ ସହ ଆଖିରେ ଆଖି ମିଶାଇ କଥା ହେବା ପାଇଁ ଶିଖିଲି । ୧୯୭୪ ମସିହାରେ ମୋତେ ବିଶେଷ ଅଗ୍ରଦୂତ ଭାବେ ସେବା କରିବା ପାଇଁ କୁହାଗଲା ଆଉ ଭାଇ ନାଇଜେଲ ପିଟ୍‌ଙ୍କୁ ମୋ ସହ ସେବା କରିବା ପାଇଁ ପଠାଗଲା । ଆମେ ଦୁହେଁ ଭଲ ସାଙ୍ଗ ହୋଇଗଲୁ ।

ସେସମୟରେ ଉତ୍ତର ଆୟରଲ୍ୟାଣ୍ଡରେ ରାଜନୈତିକ ଗଡ଼ବଡ଼ି ହେଉଥିଲା ଓ ବହୁତ ଦଙ୍ଗାଗୁଡ଼ିକ ଚାଲୁଥିଲା । ତେଣୁ ସେହି ଜାଗାକୁ ଠିକ୍‌ ନାମ ଦିଆଯାଇଥିଲା, “ବୋମା ଓ ବନ୍ଧୁକଗୁଡ଼ିକର ଅଞ୍ଚଳ ।” ରାସ୍ତାରେ ଲଢ଼େଇ ହେବା, ଗୁଳି ଚଳାଇବା ଓ ବୋମାରୁ କାର୍‌ଗୁଡ଼ିକୁ ଉଡ଼ାଇ ଦେବା ସାଧାରଣ ଥିଲା । ଏସବୁରେ ଧର୍ମର ବି ହାତ ଥିଲା । କିନ୍ତୁ ପ୍ରୋଟେଷ୍ଟାଣ୍ଟ ଓ କ୍ୟାଥ୍‌ଲିକ ଚର୍ଚ୍ଚର ଲୋକମାନେ ଜାଣିଥିଲେ ଯେ ଯିହୋବାଙ୍କ ସାକ୍ଷୀମାନେ ରାଜନୈତିକ ମାମଲାରେ କାହାରି ପକ୍ଷ ନିଅନ୍ତିନି । ତେଣୁ ଆମକୁ କିଛି କ୍ଷତି ହେଲାନି ଓ ଆମେ ବିନା ଅସୁବିଧାରେ ପ୍ରଚାର କରିପାରିଲୁ । ଅନେକଥର ପ୍ରଚାର କରିବା ସମୟରେ ଲୋକମାନେ ଆମକୁ ଜଣାଇ ଦେଉଥିଲେ ଯେ କେବେ ଓ କେଉଁଠି ଦଙ୍ଗା ହେବ ଯାହାଦ୍ୱାରା ଆମେ ସେହି ଜାଗାରେ ନ ଯାଉ ।

କିନ୍ତୁ କିଛି ସମସ୍ୟା ମଧ୍ୟ ଆସିଲା । ଦିନେ ଭାଇ ଡେନିସ୍‌ କ୍ୟାରିଗନ୍‌ ଆଉ ମୁଁ ପାଖ ଜାଗାରେ ପ୍ରଚାର କରୁଥିଲୁ । ସେ ମଧ୍ୟ ଅଗ୍ରଦୂତ ଥିଲେ । ସେହି ଅଞ୍ଚଳରେ ଆଉ କୌଣସି ବି ସାକ୍ଷୀ ନ ଥିଲେ ଆଉ ଆମେ ସେହି ଜାଗାକୁ ଦ୍ୱିତୀୟ ଥର ଯାଇଥିଲୁ । ସେଠାର ଗୋଟିଏ ଚାʼ ଦୋକାନର ଜଣେ ସ୍ତ୍ରୀ ଆମ ଉପରେ ଆରୋପ ଲଗାଇଲା ଯେ ଆମେ ବ୍ରିଟେନ୍‌ର ଗୁଇନ୍ଦା ସୈନିକ ଅଟୁ । ତାକୁ ହୁଏତ ଏଥିପାଇଁ ଏପରି ଲାଗିଲା କାରଣ ଆମ କହିବାର ଢଙ୍ଗ ସେହି ଜାଗାର ଲୋକମାନଙ୍କଠାରୁ ଅଲଗା ଥିଲା । ଯଦି ସେସମୟରେ କେହି ସୈନିକମାନଙ୍କ ସହ ଭଲରେ କଥା ବି ହୋଇଯାଉଥିଲେ, ତେବେ ତାକୁ ଜୀବନରୁ ମାରି ଦିଆଯାଉଥିଲା କିମ୍ବା ତାʼ ଆଣ୍ଠୁରେ ଗୁଳି ମାରି ଦିଆଯାଉଥିଲା । ତେଣୁ ତାʼ କଥା ଶୁଣି ଆମେ ଦୁଇ ଜଣ ଡରି ଗଲୁ । ଆମେ ବାହାରେ ଛିଡ଼ା ହୋଇ ବସ୍‌ର ଅପେକ୍ଷା କରିବାକୁ ଲାଗିଲୁ । ଆମକୁ ବହୁତ ଥଣ୍ଡା ଲାଗୁଥିଲା ଆଉ ଆଖପାଖରେ କେହି ବି ନ ଥିଲେ । ଠିକ୍‌ ସେତିକି ବେଳେ ଗୋଟିଏ କାର୍‌ ସେହି ଚାʼ ଦୋକାନରେ ଆସି ଛିଡ଼ା ହେଲା । ତେବେ ସେହି ସ୍ତ୍ରୀ ବାହାରେ ଆସି ସେହି କାର୍‌ରେ ବସିଥିବା ଦୁଇ ଜଣ ଲୋକଙ୍କ ସହ କଥା ହେବାକୁ ଲାଗିଲା । ଆଉ ସେ ଆମକୁ ଦେଖାଇ ସେହି ଦୁଇ ଜଣ ଲୋକଙ୍କ ସହ କଥା ହେଉଥିଲା । ତାʼପରେ ସେମାନେ ଧିରେ ଧିରେ ଗାଡ଼ିରେ ଆମ ପାଖକୁ ଆସିଲେ ଆଉ ବସ୍‌ ବିଷୟରେ ଆମକୁ କିଛି ପ୍ରଶ୍ନ ପଚାରିବାକୁ ଲାଗିଲେ । ଯେତେବେଳେ ବସ୍‌ ଆସିଲା ସେସମୟରେ ସେମାନେ ଡ୍ରାଇଭର ସହ କଥା ହେବାକୁ ଲାଗିଲେ । ଆମେ ସେମାନଙ୍କ କଥା ଶୁଣି ପାରିଲୁନି । କିନ୍ତୁ ବସ୍‌ ପୂରା ଖାଲି ଥିଲା, ତେଣୁ ଆମକୁ ଲାଗିଲା, ‘ଏବେ ତ ଆମେ ବଞ୍ଚିପାରିବାନି ! ସେମାନେ ନିଶ୍ଚୟ ତାକୁ କହୁଥିବେ ଯେ ସେ ଆମକୁ ଏହି ଜାଗାରୁ ବାହାରକୁ ନେଇ ଛାଡ଼ି ଦେଉ ଓ ସେଇଠି ସେମାନେ ଆମକୁ ଦେଖି ନେବେ ।’ କିନ୍ତୁ ଏପରି କିଛି ବି ହେଲାନି । ଯେବେ ମୁଁ ବସ୍‌ରୁ ଓହ୍ଲାଇଲି ତେବେ ମୁଁ ତାକୁ ପଚାରିଲି, “କʼଣ ସେମାନେ ଆମ ବିଷୟରେ କହୁଥିଲେ ?” ସେ କହିଲା, “ମୁଁ ଜାଣେ ଯେ ତମେମାନେ କିଏ ଅଟ ଆଉ ମୁଁ ସେମାନଙ୍କୁ ତାହା ଜଣାଇଦେଲି । ତମେମାନେ ଚିନ୍ତା କରନି, ତମମାନଙ୍କୁ କିଛି ବି ହେବନି ।”

ମାର୍ଚ୍ଚ ୧୯୭୭, ଆମ ବିବାହ ଦିନ

୧୯୭୬ ମସିହାରେ ଡବଲିନ୍‌ରେ ଗୋଟିଏ ଜିଲ୍ଲା ସମ୍ମିଳନୀ a ରଖାଗଲା । ସେଠାରେ ମୁଁ ପୋଲିନ୍‌ ଲୋମେକ୍ସ ନାମକ ଜଣେ ଭଉଣୀଙ୍କ ସହ ଭେଟିଲି । ସେ ଇଂଲଣ୍ଡରୁ ଏହି ଅଧିବେଶନରେ ଆସିଥିଲେ ଆଉ ସେ ଜଣେ ବିଶେଷ ଅଗ୍ରଦୂତ ଥିଲେ । ସେ ଯିହୋବାଙ୍କୁ ବହୁତ ପ୍ରେମ କରୁଥିଲେ ଓ ସେ ବହୁତ ନମ୍ର ଥିଲେ ଆଉ ବହୁତ ଭଲ ଥିଲେ । ସେ ଆଉ ତାଙ୍କ ଭାଇ ରେ ଲୋମେକ୍ସ ଛୋଟ ବେଳୁ ହିଁ ସତ୍ୟ ବିଷୟରେ ଜାଣିଥିଲେ । ଜିଲ୍ଲା ଅଧିବେଶନରେ ଭେଟିବାର ଏକ ବର୍ଷ ପରେ ପୋଲିନ୍‌ ଓ ମୁଁ ବିବାହ କଲୁ । ତାʼପରେ ଆମେ ଉତ୍ତର ଆୟରଲ୍ୟାଣ୍ଡର ବୈଲିମିନା ସହରରେ ବିଶେଷ ଅଗ୍ରଦୂତ ଭାବେ ସେବା କରିବାକୁ ଲାଗିଲୁ ।

କିଛି ସମୟ ଯାଏ ମୁଁ ସର୍କିଟ ଅଧ୍ୟକ୍ଷ ଭାବେ ସେବା କଲି । ମୋତେ ଓ ପୋଲିନ୍‌ଙ୍କୁ ବେଲଫାଷ୍ଟ, ଲଣ୍ଡନଡେରି ଆଉ ଏପରି ଅନ୍ୟ ଅଞ୍ଚଳଗୁଡ଼ିକରେ ଯିବାକୁ ପଡ଼ୁଥିଲା ଯେଉଁଠି ବହୁତ ବିପଦ ଥିଲା । ସେଠାରେ ଆମେ ଏପରି ଭାଇଭଉଣୀମାନଙ୍କୁ ଭେଟିଲୁ ଯେଉଁମାନେ ପୂର୍ବେ ଲୋକମାନଙ୍କୁ ଭେଦଭାବ କରୁଥିଲେ, ନିଜ ଧର୍ମକୁ ନେଇ ବହୁତ କଟରପନ୍ଥୀ ଥିଲେ ଓ ଯେଉଁମାନଙ୍କ ଭିତରେ ପୂର୍ବେ ଘୃଣାଭାବ ଭରି ରହିଥିଲା । କିନ୍ତୁ ପରେ ସେମାନେ ଯିହୋବାଙ୍କ ଉପରେ ବିଶ୍ୱାସ କଲେ ଆଉ ଏସବୁ ଛାଡ଼ି ଦେଲେ । ଯିହୋବା ସେମାନଙ୍କୁ ଅନେକ ଆଶିଷ ଦେଲେ ଆଉ ସେମାନଙ୍କର ସୁରକ୍ଷା କଲେ । ସେମାନଙ୍କ ବିଶ୍ୱାସ ଦେଖି ଆମର ବହୁତ ଉତ୍ସାହ ବଢ଼ିଲା ।

ମୁଁ ଦଶ ବର୍ଷରୁ ଆୟରଲ୍ୟାଣ୍ଡରେ ଥିଲି । ତାʼପରେ ୧୯୮୧ ମସିହାରେ ଆମକୁ ଗିଲିୟଡ ସ୍କୁଲର ୭୨ତମ କ୍ଲାସ୍‌ ପାଇଁ ଡକାଗଲା । ସ୍କୁଲ ପରେ ଆମକୁ ପଶ୍ଚିମ ଆଫ୍ରିକାର ସିଏରା ଲିୟୋନ ଦେଶରେ ଯାଇ ସେବା କରିବା ପାଇଁ କୁହାଗଲା ।

ସିଏରା ଲିୟୋନ—ଗରୀବ ଅବସ୍ଥାରେ ମଧ୍ୟ ଦୃଢ଼ ବିଶ୍ୱାସ

ଆମେ ଗୋଟେ ଘରେ ହିଁ ୧୧ ଜଣ ଭାଇଭଉଣୀ ରହୁଥିଲୁ । ଆମେ ସମସ୍ତଙ୍କୁ ସିଏରା ଲିୟୋନରେ ମିଶନାରୀ ଭାବେ ସେବା କରିବା ପାଇଁ ପଠା ଯାଇଥିଲେ । ସେମାନେ ବହୁତ ଭଲ ଥିଲେ । କିନ୍ତୁ ସେଠାରେ କେବଳ ଗୋଟେ ରୋଷେଇ ଘର, ତିନୋଟି ଶୌଚାଳୟ, ଦୁଇଟି ଗାଧୁଆ ଘର, ଗୋଟିଏ କପଡ଼ା ଧୋଇବା ଓ ଗୋଟିଏ କପଡ଼ା ଶୁଖାଇବାର ମେସିନ୍‌ ଥିଲା ଆଉ ଗୋଟିଏ ହିଁ ଟେଲିଫୋନ୍‌ ଥିଲା । ସେଠାରେ କେବେ ବି ବିଜୁଳି କଟି ଯାଉଥିଲା । ସେହି ଘରର ଛାତରେ ମୂଷାମାନେ ବୁଲୁଥିଲେ ଆଉ ଘର ତଳେ ବିଷଧର ସାପମାନେ ଯିବା ଆସିବା କରୁଥିଲେ ।

ପାଖର ଗିନି ଦେଶରେ ଥିବା ଗୋଟିଏ ଅଧିବେଶନରେ ଯିବା ପାଇଁ ନଦୀ ପାର କରୁଥିବାର ଚିତ୍ର

ଏପରି ଘରେ ରହିବା ଏତେ ସହଜ ନ ଥିଲା, କିନ୍ତୁ ସେଠାରେ ପ୍ରଚାର କରିବା ବହୁତ ମଜା ଆସୁଥିଲା ! ଲୋକମାନେ ବାଇବଲ ପାଇଁ ବହୁତ କୃତଜ୍ଞ ମନେ କରୁଥିଲେ ଆଉ ପ୍ରଚାର କରିବା ସମୟରେ ବହୁତ ଧ୍ୟାନର ସହ ଶୁଣୁଥିଲେ । ଅନେକ ଲୋକମାନେ ବାଇବଲ ଅଧ୍ୟୟନ କରିବାକୁ ଲାଗିଲେ ଓ ସାକ୍ଷୀ ହୋଇଗଲେ । ସେଠାରେ ଲୋକମାନେ ମତେ “ମିଷ୍ଟର ରୋବର୍ଟ” ଓ ପୋଲିନ୍‌କୁ “ମିସେସ୍‌ ରୋବର୍ଟ” କହୁଥିଲେ । କିଛି ସମୟ ପରେ ମତେ ଶାଖା କାର୍ଯ୍ୟାଳୟ ତରଫରୁ ଅନେକ କାମ ମିଳିଲା ତେଣୁ ମୁଁ ପ୍ରଚାର ପାଇଁ ବେଶି ଯାଇପାରୁ ନ ଥିଲି । ତେଣୁ ସେମାନେ ପୋଲିନ୍‌କୁ “ମିସେସ୍‌ ପୋଲିନ୍‌” ଓ ମୋତେ “ମିଷ୍ଟର ପୋଲିନ୍‌” କହୁଥିଲେ । ଏହା ଶୁଣି ପୋଲିନ୍‌ଙ୍କୁ ବହୁତ ମଜା ଆସୁଥିଲା ।

ସିଏରା ଲିୟୋନରେ ପ୍ରଚାର କରିବା ପାଇଁ ଯିବା ସମୟର ଚିତ୍ର

ଆମ ଅନେକ ଭାଇଭଉଣୀମାନେ ବହୁତ ଗରୀବ ଥିଲେ । କିନ୍ତୁ ଯିହୋବା ସବୁବେଳେ ସେମାନଙ୍କ ଆବଶ୍ୟକତାଗୁଡ଼ିକର ଧ୍ୟାନ ରଖିଲେ ଓ ଅନେକଥର ଏପରି ଭାବେ ସାହାଯ୍ୟ କରୁଥିଲେ ଯାହା ସେମାନେ କେବେ ବି ଭାବି ନ ଥିଲେ । (ମାଥି. ୬:୩୩) ମୋତେ ମନେଅଛି ଯେ ଥରେ ଜଣେ ଭଉଣୀଙ୍କ ପାଖରେ ଏତିକି ପଇସା ଥିଲା ଯେ ସେ କେବଳ ସେଦିନ ପାଇଁ ହିଁ ନିଜ ଓ ନିଜ ପିଲାମାନଙ୍କ ପାଇଁ ଖାଇବା ଜିନିଷ କିଣି ପାରନ୍ତି । କିନ୍ତୁ ସେମାନେ ସେହି ସବୁ ପଇସା ଜଣେ ଭାଇଙ୍କୁ ଦେଇ ଦେଲେ ଯାହାଙ୍କୁ ମ୍ୟାଲେରିଆ ହୋଇଯାଇଥିଲା, କାରଣ ତାଙ୍କ ପାଖରେ ଔଷଧ କିଣିବା ପାଇଁ ପଇସା ନ ଥିଲା । କିନ୍ତୁ ସେଦିନ ଜଣେ ସ୍ତ୍ରୀ ସେହି ଭଉଣୀଙ୍କ ପାଖରେ କେଶ ସଜାଇବା ପାଇଁ ଆସିଲେ ଆଉ ତାʼପାଇଁ ସେହି ଭଉଣୀଙ୍କୁ ପଇସା ଦେଲେ । ସେହି ଭଉଣୀଙ୍କ ଭଳି ଆହୁରି ଅନେକ ଭାଇଭଉଣୀମାନେ ଦେଖିଲେ ଯେ ଯିହୋବା କିପରି ସେମାନଙ୍କୁ ସମ୍ଭାଳୁଛନ୍ତି ।

ନାଇଜେରିଆ—ନୂଆ ସଂସ୍କୃତି ଶିଖିଲୁ

ଆମେ ନୂଆ ବର୍ଷ ଯାଏ ସିଏରା ଲିୟୋନରେ ରହିଲୁ ତାʼପରେ ଆମକୁ ନାଇଜେରିଆର ଶାଖା କାର୍ଯ୍ୟାଳୟରେ ଯିବା ପାଇଁ କୁହାଗଲା । ଏହା ବହୁତ ବଡ଼ ଥିଲା । ସେଠାରେ ମୋତେ ସେହିପରି କାମ ଦିଆଗଲା ଯେପରି ସିଏରା ଲିୟୋନରେ କରିଥିଲି । କିନ୍ତୁ ପୋଲିନ୍‌ ପାଇଁ ସବୁ ନୂଆ ଥିଲା । ପୂର୍ବେ ସେ ପ୍ରତି ମାସ ୧୩୦ ଘଣ୍ଟା ପ୍ରଚାର କରୁଥିଲେ । ଆଉ ଏପରି ଅନେକ ଲୋକମାନଙ୍କୁ ବାଇବଲ ଅଧ୍ୟୟନ କରାଉଥିଲେ ଯେଉଁମାନେ ପ୍ରଗତି କରୁଥିଲେ । ସେଠାରେ ତାକୁ ସିଲାଇ କରିବାର କାମ ଦିଆଗଲା । ପୂରା ଦିନ ସେ ପୁରୁଣା କପଡ଼ାଗୁଡ଼ିକ ସିଲାଇ କରୁଥିଲେ । ଆରମ୍ଭରେ ତାଙ୍କୁ ଏହି ପରିବର୍ତ୍ତନ କରିବା ବହୁତ କଠିନ ଲାଗିଲା । କିନ୍ତୁ ଯେବେ ସେ ଦେଖିଲେ ଯେ ଭାଇଭଉଣୀମାନେ ତାଙ୍କ କାମ ପାଇଁ କେତେ କୃତଜ୍ଞ ଅଛନ୍ତି ତେବେ ଧିରେ ଧିରେ ଏହି କାମ ତାଙ୍କୁ ଭଲ ଲାଗିଲା । ଆଉ ସେ ପୂରା ଚେଷ୍ଟା କରୁଥିଲେ ଯେ ଯେବେ ବି ତାଙ୍କୁ ସୁଯୋଗ ମିଳିବ, ତେବେ ସେ ବୈଥେଲରେ କାମ କରୁଥିବା ଭାଇଭଉଣୀମାନଙ୍କ ଉତ୍ସାହ ବଢ଼ାଇବେ ।

ନାଇଜେରିଆର ଲୋକମାନଙ୍କ ଜୀବନ ଶୈଳୀ ଓ ସଂସ୍କୃତି ବହୁତ ଅଲଗା ଥିଲା । ଆଉ ତାହା ଏବେ ବି ଆମେ ଶିଖୁଥିଲୁ । ଥରେ ଯେବେ ମୁଁ ଅଫିସରେ ଥିଲି ତେବେ ଜଣେ ଭାଇ ଜଣେ ଭଉଣୀଙ୍କୁ ମୋ ସହ ଭେଟ କରିବା ପାଇଁ ଆଣିଲେ । ଯିଏ ନୂଆ ନୂଆ ବୈଥେଲରେ ଆସିଥିଲେ । ମୁଁ ଯେପରି ହାତ ମିଳେଇବା ପାଇଁ ହାତ ଆଗକୁ ବଢ଼ାଇଲି ସେ ମୋ ଆଗରେ ଭୂମିରେ ନଇଁ ପଡ଼ିଲେ । ଏହା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି ! ମୋତେ ତୁରନ୍ତ ଦୁଇଟି ପଦ ମନେପଡ଼ିଲା: ପ୍ରେରିତ ୧୦:୨୫, ୨୬ ଓ ପ୍ରକାଶିତ ବାକ୍ୟ ୧୯:୧୦. ମୁଁ ଭାବିଲି, ‘ଏ ଭଉଣୀ କʼଣ କରୁଛନ୍ତି ? କʼଣ ମୁଁ ତାଙ୍କୁ କହିବି ଯେ ସେ ଏପରି ନ କରନ୍ତୁ ।’ କିନ୍ତୁ ତାʼପରେ ମୁଁ ଭାବିଲି ଯଦି ତାଙ୍କୁ ବୈଥେଲରେ ଡାକିଛନ୍ତି ତାହେଲେ ତାଙ୍କୁ ଏବିଷୟରେ ନିଶ୍ଚୟ ଜଣାଥିବ ଯେ ବାଇବଲରେ ଏବିଷୟରେ କʼଣ ଲେଖାଅଛି ।

ଯେବେ ଯାଏ ଆମ କଥାବର୍ତ୍ତା ଚାଲିଲା ମୋତେ ବହୁତ ଅଜବ ଲାଗୁଥିଲା । କିନ୍ତୁ ତାଙ୍କ ଯିବା ପରେ ମୁଁ ଏବିଷୟରେ ଅନୁସନ୍ଧାନ କଲି । ତେବେ ମୋତେ ଜଣାପଡ଼ିଲା ଯେ ଏହା ସେଠାର ଗୋଟିଏ ସଂସ୍କୃତି ଅଟେ ଯାହା ସେ ଦେଶର ଅନେକ ଅଞ୍ଚଳରେ କରାଯାଏ । ଏହା କେବଳ ସ୍ତ୍ରୀମାନେ ନୁହେଁ ବରଂ ପୁରୁଷମାନେ ମଧ୍ୟ ମାନନ୍ତି । ଆଉ ଏହା ସେମାନେ ଉପାସନା ଉଦ୍ଦେଶ୍ୟରେ ନୁହେଁ, ବରଂ ଲୋକମାନଙ୍କର ଆଦର କରିବା ପାଇଁ କରନ୍ତି । ବାଇବଲରେ କିଛି ବିଶ୍ୱସ୍ତ ସେବକମାନଙ୍କ ବିଷୟରେ କୁହାଯାଇଛି ଯେଉଁମାନେ ଏପରି କରିଥିଲେ । (୧ ଶାମୁ. ୨୪:୮) ମୁଁ ଭାବିଲି, ଭଲ ହେଲା ମୁଁ ତାଙ୍କୁ ବିନା ଭାବିଚିନ୍ତି ଏପରି କିଛି କହିଲିନି ଯାହାଦ୍ୱାରା ତାଙ୍କୁ ଖରାପ ଲାଗନ୍ତା ।

ଆମେ ନାଇଜେରିଆରେ ଏପରି ଅନେକ ଲୋକଙ୍କ ସହ ଭେଟିଲୁ ଯେଉଁମାନେ ବିଶ୍ୱସ୍ତତାର ସହ ଯିହୋବାଙ୍କ ସେବା କରୁଥିଲେ । ଏପରି ଜଣେ ଭାଇ ଥିଲେ ଆଇଜେୟା ଆଡାଗୋବନା । b ସେ ଯୁବା ସମୟରେ ହିଁ ସତ୍ୟ ବିଷୟରେ ଶିଖିଥିଲେ । କିନ୍ତୁ ପରେ ତାଙ୍କୁ କୁଷ୍ଠ ରୋଗ ହୋଇଗଲା । ତେଣୁ ତାଙ୍କୁ ଏପରି ଜାଗାରେ ପଠାଗଲା ଯେଉଁଠି କେବଳ କୁଷ୍ଠ ରୋଗୀମାନେ ଥିଲେ । ସେଠାରେ ସେ ଏକୁଟିଆ ସାକ୍ଷୀ ଥିଲେ । ତାଙ୍କର ବହୁତ ବିରୋଧ କରାଗଲା । ତଥାପି ସେ ଲଗାତାର ପ୍ରଚାର କରୁଥିଲେ । ସେ ୩୦ରୁ ବି ଅଧିକ କୁଷ୍ଠ ରୋଗୀଙ୍କୁ ସାକ୍ଷୀ ହେବା ପାଇଁ ସାହାଯ୍ୟ କଲେ । ପରେ ସେଠାରେ ଗୋଟିଏ ମଣ୍ଡଳୀ ମଧ୍ୟ ହୋଇଗଲା ।

କେନିଆ—ଭାଇମାନେ ମୋ ପାଇଁ ବହୁତ ଧୈର୍ଯ୍ୟ ଧରିଲେ

କେନିଆରେ ଗୋଟେ ଅନାଥ ଗେଣ୍ଡା ସହ

୧୯୯୬ ମସିହାରେ ଆମକୁ କେନିଆ ଶାଖା କାର୍ଯ୍ୟାଳୟ ପଠାଗଲା । ମୁଁ ଆରମ୍ଭରେ ଯେଉଁ ଘଟଣା ବିଷୟରେ କହିଥିଲି, ତାʼପରେ ମୁଁ ପ୍ରଥମ ଥର କେନିଆ ସହରକୁ ଆସିଲି । ଆମେ ବୈଥେଲରେ ରହୁଥିଲୁ । ସେଠାରେ ଲୋକମାନଙ୍କ ଛଡ଼ା ମାଙ୍କଡ଼ମାନେ ମଧ୍ୟ ବୈଥେଲ ବୁଲିବା ପାଇଁ ଆସୁଥିଲେ । ଯଦି ସେମାନେ କୌଣସି ଭଉଣୀଙ୍କ ହାତରେ ଫଳ ଦେଖୁଥିଲେ, ତେବେ ତାହା “ଲୁଟି” ନେଇ ଯାଉଥିଲେ । ଥରେ ଜଣେ ଭଉଣୀ ନିଜ ରୁମ୍‌ରୁ ବାହାରକୁ ଗଲେ ଆଉ ଝରକା ଖୋଲା ଛାଡ଼ି ଦେଲେ । ଫେରିବା ସମୟରେ ସେ ଦେଖିଲେ ଯେ ମାଙ୍କଡ଼ମାନେ ବହୁତ ମଜା ନେଇ ତାଙ୍କ ଖାଦ୍ୟ ଖାଉଛନ୍ତି । ସେ ଡରିଯାଇ ଜୋର୍‌ରେ ଚିଲାଇଲେ ଆଉ ବାହାରକୁ ପଳାଇଗଲେ । ମାଙ୍କଡ଼ମାନେ ମଧ୍ୟ ଜୋର୍‌ରେ ଚିଲାଇଲେ ଆଉ ଝରକାରୁ ଡେଇଁ ପଳାଇଲେ ।

ମୁଁ ଆଉ ପୋଲିନ୍‌ ସ୍ୱାହିଲି ଭାଷା କହୁଥିବା ମଣ୍ଡଳୀରେ ଯିବାକୁ ଲାଗିଲୁ । କିଛି ସମୟ ପରେ ମୋତେ ମଣ୍ଡଳୀ ପୁସ୍ତକ ଅଧ୍ୟୟନ (ଯାହାକୁ ଆଜି ମଣ୍ଡଳୀର ବାଇବଲ ଅଧ୍ୟୟନ କୁହାଯାଏ) ଚଳାଇବା ପାଇଁ କୁହାଗଲା । କିନ୍ତୁ ସେହି ନୂଆ ଭାଷା କହିବା ମାମଲାରେ, ମୁଁ ଏବେ ବି ଛୋଟ ଛୁଆ ଭଳି ଥିଲି । ମୁଁ ବହୁତ ପୂର୍ବରୁ ହିଁ ଏହି ଅଧ୍ୟୟନ ପାଇଁ ପ୍ରସ୍ତୁତି କରୁଥିଲି ତେଣୁ ମୁଁ ପ୍ରଶ୍ନ ତ ଭଲଭାବେ ପଢ଼ି ଦେଉଥିଲି, କିନ୍ତୁ ଯଦି ଭାଇଭଉଣୀମାନେ ନିଜ ଉତ୍ତର ପାରାଗ୍ରାଫରୁ ଟିକେ ବି ଏପଟ ସେପଟ ଦେଉଥିଲେ, ତେବେ ମୋତେ ବୁଝା ପଡ଼ୁ ନ ଥିଲା । ମୋତେ ବହୁତ ଅଜବ ଲାଗୁଥିଲା ଆଉ ଭାଇଭଉଣୀମାନଙ୍କ ବିଷୟରେ ଭାବି ବହୁତ ଖରାପ ଲାଗୁଥିଲା । କିନ୍ତୁ ସେମାନେ ବହୁତ ଧୈର୍ଯ୍ୟ ଧରିଲେ । ସେମାନେ କେବେ ବି ଏପରି ଦେଖାଇଲେ ନାହିଁ ଯେ ମୁଁ ବାଇବଲ ଅଧ୍ୟୟନ ଚଳାଇବାର ଯୋଗ୍ୟ ନୁହେଁ, ସେମାନେ ବହୁତ ନମ୍ର ଥିଲେ । ସେମାନଙ୍କ ଏହି କଥା ମୋ ହୃଦୟକୁ ଛୁଇଁଗଲା ।

ଆମେରିକା—ପଇସା ଉପରେ ନୁହେଁ, ଯିହୋବାଙ୍କ ଉପରେ ଦୃଢ଼ ବିଶ୍ୱାସ

ଆମେ କେନିଆ ସହରରେ ଗୋଟେ ବର୍ଷ ହିଁ ରହିଲୁ । ୧୯୯୭ ମସିହାରେ ଆମକୁ ନ୍ୟୁ ୟର୍କର ବ୍ରୁକଲିନ୍‌ ବୈଥେଲରେ ଡକାଗଲା । ଏଠାରେ ଅଧିକାଂଶ ଲୋକମାନେ ବହୁତ ଧନୀ ଅଛନ୍ତି ଓ ତାʼଯୋଗୁଁ ମଧ୍ୟ ଅନେକ ସମସ୍ୟା ସୃଷ୍ଟି ହୋଇପାରେ । (ହିତୋ. ୩୦:୮, ୯) କିନ୍ତୁ ଏଠାର ଭାଇଭଉଣୀ ବିଶ୍ୱସ୍ତତାର ସହ ଯିହୋବାଙ୍କ ସେବା କରୁଛନ୍ତି । ସେମାନେ ନିଜ ସମୟ ଓ ଜିନିଷଗୁଡ଼ିକୁ ନିଜ ସୁଖ ସୁବିଧା ପାଇଁ ନୁହେଁ, ବରଂ ଯିହୋବାଙ୍କ କାମଗୁଡ଼ିକରେ ଲଗାନ୍ତି ।

ଏତେ ବର୍ଷ ମଧ୍ୟରେ ଆମେ ଦେଖିଲୁ ଯେ ଭାଇଭଉଣୀମାନେ କିପରି ଅଲଗା ଅଲଗା ପରିସ୍ଥିତିରେ ମଧ୍ୟ ବିଶ୍ୱସ୍ତତାର ସହ ଯିହୋବାଙ୍କ ସେବା କରୁଛନ୍ତି । ଯେପରିକି ଆୟରଲ୍ୟାଣ୍ଡରେ ଲଢ଼େଇ ଓ ଦଙ୍ଗାଗୁଡ଼ିକ ସତ୍ତ୍ୱେ ମଧ୍ୟ ଭାଇଭଉଣୀମାନଙ୍କ ବିଶ୍ୱାସ ଦୃଢ଼ ରହିଲା । ଆଫ୍ରିକାରେ ଦରିଦ୍ରତା ଓ ଭାଇଭଉଣୀମାନଙ୍କଠାରୁ ଦୂରେ ରହିବା ସତ୍ତ୍ୱେ ମଧ୍ୟ ଯିହୋବାଙ୍କ ଲୋକମାନଙ୍କର ବିଶ୍ୱାସ ଦୁର୍ବଳ ପଡ଼ିଲାନି । ଆଉ ଆମେରିକାରେ ଲୋକମାନେ ପଇସା ଉପରେ ଭରସା କରନ୍ତି କିନ୍ତୁ ଆମ ଭାଇଭଉଣୀମାନଙ୍କ ଯିହୋବାଙ୍କ ଉପରେ ଦୃଢ଼ ବିଶ୍ୱାସ ଅଛି । ଭାବନ୍ତୁ, ଯେବେ ଯିହୋବା ଏହା ଦେଖନ୍ତି ଯେ ତାଙ୍କ ଲୋକମାନେ ଅଲଗା ଅଲଗା ପରିସ୍ଥିତିରେ ମଧ୍ୟ କିପରି ବିଶ୍ୱସ୍ତ ରହନ୍ତି, ତେବେ ତାଙ୍କୁ କେତେ ଖୁସି ଲାଗୁଥିବ !

ପୋଲିନ୍‌ଙ୍କ ସହ ୱାରୱିକ୍‌ ବୈଥେଲରେ

ସମୟ ବହୁତ ଶୀଘ୍ର ଚାଲିଗଲା, ‘ତନ୍ତୀର ନଳୀଠାରୁ ମଧ୍ୟ ଶୀଘ୍ର ।’ (ଆୟୁ. ୭:୬) ଆଜି ଆମେ ନ୍ୟୁ ୟର୍କର ୱାରୱିକ୍‌ରେ ଥିବା ବିଶ୍ୱ ମୁଖ୍ୟାଳୟରେ ସେବା କରୁଛୁ । ଆମକୁ ଆଜି ମଧ୍ୟ ଏପରି ଭାଇଭଉଣୀମାନଙ୍କ ସହ ସେବା କରି ଖୁସି ମିଳେ ଯେଉଁମାନେ ସତରେ ପରସ୍ପରକୁ ବହୁତ ପ୍ରେମ କରନ୍ତି । ଆଜି ଆମେ ଯାହା ବି କରିପାରୁ ସେଥିରୁ ଆମକୁ ବହୁତ ଖୁସି ମିଳେ । ଆମେ ଜାଣୁ ଯେ ଆମେ ନିଜ ରାଜା ଯୀଶୁଙ୍କ ସହଯୋଗ କରୁଛୁ ଯିଏ ଖୁବ୍‌ ଶୀଘ୍ର ସମସ୍ତ ବିଶ୍ୱସ୍ତ ସେବକମାନଙ୍କୁ ପୁରସ୍କାର ଦେବେ ।—ମାଥି. ୨୫:୩୪.

a ପୂର୍ବେ ଆଞ୍ଚଳିକ ଅଧିବେଶନକୁ ଜିଲ୍ଲା ସମ୍ମିଳନୀ କୁହାଯାଉଥିଲା ।

b ଭାଇ ଆଇଜେୟା ଆଡାଗୋବନାଙ୍କ ଜୀବନ କାହାଣୀ ପଢ଼ିବା ପାଇଁ ୧ ଏପ୍ରିଲ୍‌, ୧୯୯୮ ମସିହାର ପ୍ରହରୀଦୁର୍ଗର ପୃଷ୍ଠା ୨୨-୨୭ ଦେଖନ୍ତୁ । ୨୦୧୦ ମସିହାରେ ଭାଇଙ୍କ ମୃତ୍ୟୁ ହୋଇଗଲା ।