इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୯

ଜୀବନ ଈଶ୍ୱରଙ୍କ ତରଫରୁ ଗୋଟିଏ ଉପହାର

ଜୀବନ ଈଶ୍ୱରଙ୍କ ତରଫରୁ ଗୋଟିଏ ଉପହାର

“ତାହାଙ୍କଠାରେ ଆମ୍ଭମାନଙ୍କର ଅସ୍ତି, ଗତି ଓ ସ୍ଥିତି ।”—ପ୍ରେରି. ୧୭:୨୮.

ଗୀତ ୧୪୧ କରିସ୍ମା ହୈ ଜୀୱନ

ଲେଖାର ଝଲକ a

୧. ଯିହୋବାଙ୍କ ପାଇଁ ଆମ ଜୀବନ କେତେ ମହତ୍ତ୍ୱ ରଖେ ?

 ଭାବନ୍ତୁ, ଆପଣଙ୍କ ଜଣେ ସାଙ୍ଗ ଆପଣଙ୍କୁ ଗୋଟିଏ ଘର ଦିଅନ୍ତି । ଆଉ ସେହି ଘର ବହୁତ ମଜବୁତ୍‌ ଓ ସୁନ୍ଦର ଅଛି । ଏହା ସତ ଯେ ତାʼର କିଛି କିଛି ଜାଗାରେ ରଙ୍ଗ ଛାଡ଼ି ଯାଇଛି, କିନ୍ତୁ ଆଜି ବି ସେହି ଘରର ମୂଲ୍ୟ ଲକ୍ଷରୁ ବି ଅଧିକ ହେବ । ତେବେ କʼଣ ଆପଣ ସେହି ଘର, ସେହି ଉପହାର ପାଇଁ କୃତଜ୍ଞ ମନେ କରିବେନି ଓ ତାକୁ ଭଲ ପରିସ୍ଥିତିରେ ରଖିବା ପାଇଁ ଚେଷ୍ଟା କରିବେନି ? ଠିକ୍‌ ସେହିଭଳି ଯିହୋବା ମଧ୍ୟ ଆମ ଜୀବନକୁ ବହୁମୂଲ୍ୟ ଉପହାର ରୂପେ ଦେଇଛନ୍ତି । ଯିହୋବାଙ୍କ ପାଇଁ ଆମ ଜୀବନ ବହୁମୂଲ୍ୟ ଅଟେ । ତେଣୁ ସେ ନିଜ ପୁତ୍ରଙ୍କୁ ଆମ ପାଇଁ ବଳିଦାନ କରିଦେଲେ ।—ଯୋହ. ୩:୧୬.

୨. ୨ କରିନ୍ଥୀୟ ୭:୧ ପଦ ଅନୁସାରେ ଯିହୋବା ଆମଠାରୁ କʼଣ ଚାହାନ୍ତି ?

ଯିହୋବା ହିଁ ଆମ ସମସ୍ତଙ୍କୁ ଜୀବନ ଦିଅନ୍ତି । (ଗୀତ. ୩୬:୯) ପ୍ରେରିତ ପାଉଲ ମଧ୍ୟ ଏହି କଥା ଉପରେ ବିଶ୍ୱାସ କରୁଥିଲେ, ତେଣୁ ସେ କହିଲେ, “ତାହାଙ୍କଠାରେ ଆମ୍ଭମାନଙ୍କର ଅସ୍ତି, ଗତି ଓ ସ୍ଥିତି ।” (ପ୍ରେରି. ୧୭:୨୫, ୨୮) ସତରେ, ଆମ ଜୀବନ ଈଶ୍ୱରଙ୍କ ତରଫରୁ ଗୋଟିଏ ଉପହାର ଅଟେ । ସେ ଆମକୁ ବହୁତ ପ୍ରେମ କରନ୍ତି ଓ ଜୀବିତ ରହିବା ପାଇଁ ଆମକୁ ପ୍ରତ୍ୟେକ ଆବଶ୍ୟକୀୟ ଜିନିଷ ଦିଅନ୍ତି । (ପ୍ରେରି. ୧୪:୧୫-୧୭) କିନ୍ତୁ ସେ କୌଣସି ଚମତ୍କାର କରି ଆମ ଜୀବନକୁ ବିପଦଗୁଡ଼ିକରୁ ବଞ୍ଚାନ୍ତିନି । ସେ ଚାହାନ୍ତି ଯେ ଆମେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେଉ ଆଉ ଆମ ଦ୍ୱାରା ଯାହା ହୋଇପାରେ, ତାହା କରୁ ଓ ଲଗାତାର ଯିହୋବାଙ୍କ ସେବା କରୁ । (୨ କରିନ୍ଥୀୟ ୭:୧ ପଢ଼ନ୍ତୁ ।) କିନ୍ତୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ଓ ନିଜ ଜୀବନର ସୁରକ୍ଷା କରିବା କାହିଁକି ଜରୁରୀ ଓ ଆମେ ଏହା କିପରି କରିପାରିବା ? ଆସନ୍ତୁ ଜାଣିବା ।

ଜୀବନକୁ ବହୁମୂଲ୍ୟ ମନେକରନ୍ତୁ

୩. ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବାର ଗୋଟିଏ କାରଣ କʼଣ ?

ଆମେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାର ଗୋଟିଏ କାରଣ ହେଉଛି ଯେ ଆମେ ମନପ୍ରାଣ ଦେଇ ଯିହୋବାଙ୍କ ସେବା କରିବା ପାଇଁ ଚାହୁଁ । ଯେବେ ଆମ ସ୍ୱାସ୍ଥ୍ୟ ଭଲ ରହିବ, ତେବେ ହିଁ ଏପରି କରିବା ସମ୍ଭବ ହେବ । (ମାର୍କ ୧୨:୩୦) ଆମେ ଚାହୁଁ ଯେ ଆମେ “ଆପଣା ଆପଣା ଶରୀରକୁ ସଜୀବ, ପବିତ୍ର ଓ ଈଶ୍ୱରଙ୍କ ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ” କରିବା । ତେଣୁ ଆମେ ଏପରି କିଛି କରିବାନି ଯାହାଦ୍ୱାରା ଆମ ସ୍ୱାସ୍ଥ୍ୟ ଉପରେ ତାʼର ଖରାପ ପ୍ରଭାବ ପଡ଼ିବ । (ରୋମୀ. ୧୨:୧) ଆମେ ଜାଣୁ ଯେ ଆମେ ପୂରାପୂରି ସୁସ୍ଥ ରହିପାରିବାନି, ବେଳେବେଳେ ଆମେ ରୋଗରେ ପଡ଼ିଯାଉ । କିନ୍ତୁ ଆମ ଦ୍ୱାରା ଯେତିକି ହୋଇପାରିବ ଆମେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ଉଚିତ୍‌ । ଏପରି ଭାବେ ଆମେ ଦେଖାଇବା ଯେ ଯିହୋବା ଆମକୁ ଯେଉଁ ବହୁମୂଲ୍ୟ ଜୀବନ ଦେଇଛନ୍ତି, ତାʼପାଇଁ ଆମେ କୃତଜ୍ଞ ମନେକରୁ ।

୪. ରାଜା ଦାଉଦ କʼଣ ଚାହୁଁଥିଲେ ?

ରାଜା ଦାଉଦ ମଧ୍ୟ ଜୀବନ ପାଇଁ ବହୁତ କୃତଜ୍ଞ ମନେ କରୁଥିଲେ । ଗୋଟିଏ ଗୀତସଂହିତାରେ ସେ ଯାହା ଲେଖିଲେ, ସେଥିରୁ ଜଣାପଡ଼େ ଯେ ସେ ଏପରି କାହିଁକି କରୁଥିଲେ । ସେ ଲେଖିଲେ, “ମୁଁ ଗର୍ତ୍ତକୁ ଗମନ କଲେ, ମୋର ରକ୍ତରେ କି ଲାଭ ? ଧୂଳି କି ତୁମ୍ଭର ପ୍ରଶଂସା କରିବ ? ତାହା କି ତୁମ୍ଭର ସତ୍ୟତା ପ୍ରକାଶ କରିବ ?” (ଗୀତ. ୩୦:୯) ଦାଉଦ ହୁଏତ ଏହି କଥା ବହୁତ ବୃଦ୍ଧ ହୋଇଯାଇଥିବା ସମୟରେ ଲେଖିଥିଲେ । ସେ ଯେକୌଣସି ପରିସ୍ଥିତିରେ ମଧ୍ୟ ନିଜକୁ ସୁରକ୍ଷିତ ରଖିବା ପାଇଁ ଚାହୁଁଥିଲେ ଓ ଲମ୍ବା ସମୟ ଯାଏ ବଞ୍ଚି ରହିବାକୁ ଚାହୁଁଥିଲେ, ଯାହାଦ୍ୱାରା ସେ ଯିହୋବାଙ୍କ ଲଗାତାର ସେବା କରିପାରନ୍ତେ । ଆମେ ସମସ୍ତେ ମଧ୍ୟ ଏହା ହିଁ ଚାହୁଁ ।

୫. ଆମେ ଯେତେ ବି ରୋଗରେ ପଡ଼ିଯାଉ କିମ୍ବା ବୃଦ୍ଧବୃଦ୍ଧା ହୋଇଯାଉ, ତଥାପି ଆମେ କʼଣ କରିପାରିବା ?

ଯେବେ ଆମେ ରୋଗରେ ପଡ଼ିଯାଉ କିମ୍ବା ଆମ ବୟସ ବଢ଼ିବାକୁ ଲାଗେ, ତେବେ ହୁଏତ ଆମେ ପୂର୍ବ ଭଳି କରିପାରିବାନି । ତେଣୁ ବେଳେବେଳେ ହୁଏତ ଆମେ ନିଜ ଉପରେ ରାଗିଯିବା କିମ୍ବା ଦୁଃଖି ହୋଇଯିବା । କିନ୍ତୁ ଏପରି ସମୟରେ ମଧ୍ୟ ଆମକୁ ସାହସ ଛାଡ଼ିବା କଥା ନୁହେଁ, ବରଂ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଆମ ଦ୍ୱାରା ଯାହା ହୋଇପାରିବ, ତାହା କରିବା ଉଚିତ୍‌ । ଆମେ ଯେତେ ବି ରୋଗରେ ପଡ଼ିଯାଉ କିମ୍ବା ବୃଦ୍ଧବୃଦ୍ଧା ହୋଇଯାଉ ନା କାହିଁକି, ଆମେ ଦାଉଦଙ୍କ ଭଳି ଯିହୋବାଙ୍କ ପ୍ରଶଂସା ନିଶ୍ଚୟ କରିପାରିବା । ଆମ ଶରୀର ଯେତେ ବି ଦୁର୍ବଳ ହେଲେ ମଧ୍ୟ ଯିହୋବାଙ୍କ ଦୃଷ୍ଟିରେ ଆମ ମହତ୍ତ୍ୱ କମ୍‌ ହେବନି । ଆଉ ଏହା ଜାଣି ଆମକୁ ବହୁତ ଭଲ ଲାଗେ ! (ମାଥି. ୧୦:୨୯-୩୧) ଆଗକୁ ଯାଇ ଯଦି ଆମର ମୃତ୍ୟୁ ବି ହୋଇଯାଏ, ଯିହୋବା ଆମକୁ ଜୀବିତ କରିଦେବେ ଓ ସେ ଏପରି କରିବା ପାଇଁ ବହୁତ ଉତ୍ସୁକ ! (ଆୟୁ. ୧୪:୧୪, ୧୫) ତେଣୁ ଆଜି ଆମେ ଜୀବିତ ରହିବା ଯାଏ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ପୂରା ଚେଷ୍ଟା କରିବା ଉଚିତ୍‌ ।

ଖରାପ ଅଭ୍ୟାସଗୁଡ଼ିକରୁ ଦୂରେଇ ରହନ୍ତୁ

୬. ଖାଇବା ପିଇବା ଅଭ୍ୟାସଗୁଡ଼ିକ ବିଷୟରେ ଯିହୋବା ଆମଠାରୁ କʼଣ ଚାହାନ୍ତି ?

ବାଇବଲ କୌଣସି ଏପରି ବହି ନୁହେଁ ଯେଉଁଥିରେ ଏହା କୁହାଯାଇଥିବ ଯେ ଆମେ ନିଜ ସ୍ୱାସ୍ଥ୍ୟକୁ କିପରି ଭଲ କରିପାରିବା କିମ୍ବା ତାʼପାଇଁ ଆମେ କʼଣ ଖାଇବା ଉଚିତ୍‌ ଓ କʼଣ ନୁହେଁ । କିନ୍ତୁ ବାଇବଲରୁ ଆମେ ଏହା ନିଶ୍ଚୟ ଜାଣିପାରିବା ଯେ ଏବିଷୟରେ ଯିହୋବାଙ୍କ ଦୃଷ୍ଟିକୋଣ କʼଣ ଅଟେ । ଯେପରି, ବାଇବଲରେ ପରାମର୍ଶ ଦିଆଯାଇଛି ଯେ ଆମେ ଏପରି ପ୍ରତ୍ୟେକ କଥାଗୁଡ଼ିକରୁ ଦୂରେଇ ରହୁ ଯାହା ଆମ ଶରୀରକୁ କ୍ଷତି ପହଞ୍ଚାଇପାରେ । (ଉପ. ୧୧:୧୦) ବାଇବଲରୁ ଆମେ ଏହା ବି ଜାଣିପାରିବା ଯେ ଆମକୁ ଅତ୍ୟଧିକ ମଦ ପିଇବା କିମ୍ବା ଅତ୍ୟଧିକ ଖାଇବା ଉଚିତ୍‌ ନୁହେଁ । ଏପରି କଲେ ଆମ ଶରୀରକୁ କ୍ଷତି ପହଞ୍ଚିପାରେ, ଏପରିକି ଆମ ଜୀବନ ମଧ୍ୟ ଚାଲି ଯାଇପାରେ । (ହିତୋ. ୨୩:୨୦) ଯିହୋବା ଚାହାନ୍ତି ଯେ ଯେବେ ଆମେ ଏହି ନିଷ୍ପତ୍ତି ନେଉ ଯେ ଆମେ କʼଣ ଖାଇବା ପିଇବା କିମ୍ବା କେତେ ଖାଇବା ପିଇବା, ତେବେ ଆମେ ନିଜ ଉପରେ ନିୟନ୍ତ୍ରଣ କରୁ ।—୧ କରି. ୬:୧୨; ୯:୨୫.

୭. ହିତୋପଦେଶ ୨:୧୧ ପଦରେ ଦିଆଯାଇଥିବା ପରାମର୍ଶ ମାନି ଆମେ ସ୍ୱାସ୍ଥ୍ୟ ମାମଲାରେ କିପରି ସଠିକ୍‌ ନିଷ୍ପତ୍ତି ନେଇପାରିବା ?

ଯେବେ ଆମେ ସବୁକିଛି ବୁଝିବିଚାରି କରୁ, ତେବେ ବି ଆମେ ଦେଖାଉ ଯେ ଯିହୋବା ଆମକୁ ଯେଉଁ ଜୀବନ ଦେଇଛନ୍ତି, ତାʼପାଇଁ ଆମେ ବହୁତ କୃତଜ୍ଞ ମନେକରୁ । (ଗୀତ. ୧୧୯:୯୯, ୧୦୦; ହିତୋପଦେଶ ୨:୧୧ ପଢ଼ନ୍ତୁ ।) ଉଦାହରଣ ପାଇଁ, ଖାଇବା ପିଇବା ମାମଲା ବିଷୟରେ ଭାବନ୍ତୁ । ଯଦି ଆମକୁ ଜଣାଅଛି ଯେ କୌଣସି ଖାଦ୍ୟ ଖାଇ ଆମେ ରୋଗରେ ପଡ଼ିଯିବା, ତାହେଲେ ଭଲ ହେବ ଯେ ଆମେ ସେହି ଖାଦ୍ୟକୁ ଖାଇବାନି । ଆମେ ତେବେ ବି ବୁଝିବିଚାରି କାମ କରୁ ଯେବେ ଆମେ ଭଲ ନିଦ ନେଉ, ଲଗାତାର ବ୍ୟାୟାମ କରୁ ଓ ନିଜକୁ ଆଉ ନିଜ ଘରକୁ ସଫାସୁତୁରା ରଖୁ ।

ସାବଧାନ ହୁଅନ୍ତୁ ଓ ସୁରକ୍ଷିତ ରହନ୍ତୁ

୮. ଆମେ କାହିଁକି କହିପାରିବା ଯେ ଯିହୋବା ଚାହାନ୍ତି ଯେ ଆମେ ସବୁବେଳେ ସୁରକ୍ଷାର ଧ୍ୟାନ ରଖୁ ?

ଯିହୋବା ଇସ୍ରାଏଲୀୟମାନଙ୍କୁ ଏପରି ଅନେକ ନିୟମ ଦେଇଥିଲେ ଯାହାକୁ ମାନିଲେ ସେମାନେ ଦୁର୍ଘଟଣାଗୁଡ଼ିକରୁ ବଞ୍ଚିପାରନ୍ତେ ଓ ଘରେ ଆଉ କାମ କରିବା ସମୟରେ ସୁରକ୍ଷିତ ରହିପାରନ୍ତେ । (ଯାତ୍ରା. ୨୧:୨୮, ୨୯; ଦ୍ୱିବି. ୨୨:୮) ଯଦି କୌଣସି ବ୍ୟକ୍ତି ଅଜାଣତରେ କାହାରି ଜୀବନ ନିଅନ୍ତା, ତାହେଲେ ତାକୁ ତାହାର ଖରାପ ପରିଣାମ ଭୋଗିବାକୁ ପଡ଼ନ୍ତା । (ଦ୍ୱିବି. ୧୯:୪, ୫) ଆଉ ଯଦି ଜଣେ ବ୍ୟକ୍ତି ଅଜାଣତରେ ଜଣେ ଗର୍ଭବତୀ ମହିଳାକୁ ଆଘାତ ପହଞ୍ଚାଏ ଓ ତାʼ ପିଲାର ଜୀବନ ଚାଲିଯାଏ, ତାହେଲେ ସେହି ବ୍ୟକ୍ତିକୁ ଦଣ୍ଡ ଦିଆଯିବାର ଥିଲା । (ଦ୍ୱିବି. ୨୧:୨୨, ୨୩) ଏପରି ଭାବେ ବାଇବଲରୁ ଏହା ସ୍ପଷ୍ଟ ଜଣାପଡ଼େ ଯେ ଯିହୋବା ଚାହାନ୍ତି, ଆମେ ସୁରକ୍ଷାର ଧ୍ୟାନ ରଖୁ ।

ଏହି ପରିସ୍ଥିତିଗୁଡ଼ିକରେ ଆମେ କିପରି ଦେଖାଇପାରିବା ଯେ ଆମେ ଜୀବନ ପାଇଁ କୃତଜ୍ଞ ଅଟୁ ? (ପାରାଗ୍ରାଫ ୯)

୯. ଆମେ କେଉଁ କଥାଗୁଡ଼ିକର ଧ୍ୟାନ ରଖିପାରିବା ଯାହାଦ୍ୱାରା କୌଣସି ଦୁର୍ଘଟଣା ନ ଘଟୁ ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

ଯେବେ ଆମେ ଘରେ ଓ କାମ କରିବା ସମୟରେ ସୁରକ୍ଷା ପ୍ରତି ଧ୍ୟାନ ଦେଉ, ତେବେ ଆମେ ଦେଖାଉ ଯେ ଆମେ ଜୀବନ ପାଇଁ କୃତଜ୍ଞ ମନେକରୁ । ଯେପରି, ଆମେ ଧ୍ୟାନ ଦେଉ ଯେ ଧାରୁଆ ଜିନିଷ, ଔଷଧ ଓ କେମିକାଲ ଇତ୍ୟାଦି ପିଲାମାନଙ୍କଠାରୁ ଦୂରରେ ରହୁ । ତାʼସହ ସେଗୁଡ଼ିକୁ ଆମେ ଏପରି ଜାଗାରେ ମଧ୍ୟ ଫିଙ୍ଗିବା ଉଚିତ୍‌ ଯେଉଁଥିରୁ ଅନ୍ୟମାନଙ୍କୁ କ୍ଷତି ନ ପହଞ୍ଚୁ । ଯଦି ଆମେ ନିଆଁ ଜଳାଇଛୁ, ପାଣି ଫୁଟାଉଛୁ କିମ୍ବା ଅନ୍ୟ କୌଣସି ଜିନିଷର ବ୍ୟବହାର କରୁଛୁ, ସେସମୟରେ ମଧ୍ୟ ଆମେ ସାବଧାନ ରହୁ ଆଉ ସେଗୁଡ଼ିକୁ ଏପରି ହିଁ ଛାଡ଼ିକି ପଳେଇ ଯାଇ ନ ଥାଉ । ଆମେ ଏକଥାର ବି ଧ୍ୟାନ ରଖୁ ଯେ ଯଦି ଆମେ ମଦ ପିଇଛୁ କିମ୍ବା କୌଣସି ଏପରି ଔଷଧ ନେଇଛୁ ଯେଉଁଥିରୁ ଆମକୁ ସୁସ୍ତି ଲାଗିପାରେ କିମ୍ବା ନିଦ ପୂରା ହୋଇନି ତାହେଲେ ଆମେ ଗାଡ଼ି ଚଲାଇବାନି । ଆମେ ଏହା ବି ଧ୍ୟାନ ରଖୁ ଯେ ଗାଡ଼ି ଚଲାଇବା ସମୟରେ ଆମେ ଫୋନ୍‌ର ବ୍ୟବହାର କରିବାନି ।

ଯେବେ କୌଣସି ବିପତ୍ତି ଆସେ

୧୦. କୌଣସି ବିପତ୍ତି ଆସିବା ପୂର୍ବରୁ କିମ୍ବା ସେସମୟରେ ଆମେ ନିଜ ସୁରକ୍ଷା ପାଇଁ କʼଣ କରିପାରିବା ?

୧୦ କିଛି ବିପତ୍ତିକୁ ଆମେ ରୋକିପାରିବାନି, ଯେପରି ପ୍ରାକୃତିକ ବିପତ୍ତି, ମହାମାରୀ କିମ୍ବା ଦଙ୍ଗାଗୁଡ଼ିକ । କିନ୍ତୁ ଯେବେ ଏପରି ବିପତ୍ତିଗୁଡ଼ିକ ଆସେ, ତେବେ ଆମେ ନିଜ ସୁରକ୍ଷା ପାଇଁ ବହୁତ କିଛି କରିପାରିବା । ଯେପରି, ଆମେ ଯେଉଁ ଅଞ୍ଚଳରେ ରହୁ ସେଠାରେ ଯଦି କର୍ଫ୍ୟୁ ଲାଗିଯାଏ କିମ୍ବା କିଛି କଟକଣା ଲଗାଯାଏ କିମ୍ବା ସେହି ଅଞ୍ଚଳକୁ ଛାଡ଼ି ଯିବା ପାଇଁ କୁହାଯାଏ, ତେବେ ଆମେ ସେହି ପରାମର୍ଶଗୁଡ଼ିକୁ ମାନିବା । (ରୋମୀ. ୧୩:୧, ୫-୭) କିଛି ବିପତ୍ତି ବିଷୟରେ ପୂର୍ବରୁ ଜଣାପଡ଼େ । ଏପରି ସମୟରେ ଅଧିକାରୀମାନେ ଆମକୁ ଯେଉଁ ନିର୍ଦ୍ଦେଶ ଦିଅନ୍ତି, ତାହା ମାନିଲେ ଆମେ ବିପତ୍ତିଗୁଡ଼ିକର ସାମନା କରିବା ପାଇଁ ପୂର୍ବରୁ ପ୍ରସ୍ତୁତ ରହିପାରିବା । ଯେପରି, ଆମେ ଏକଥାର ଧ୍ୟାନ ରଖିପାରିବା ଯେ ଆମ ପାଖରେ ଯଥେଷ୍ଟ ପାଣି ରହୁ, ଖାଇବା ପିଇବାର ଏପରି ଜିନିଷଗୁଡ଼ିକ ରହୁ ଯାହା ଶୀଘ୍ର ନଷ୍ଟ ହୁଏନି ଓ ଆବଶ୍ୟକୀୟ ଔଷଧଗୁଡ଼ିକ ରହୁ ।

୧୧. ଯଦି ଆମ ଅଞ୍ଚଳରେ କୌଣସି ରୋଗ ବହୁତ ଶୀଘ୍ର ବ୍ୟାପୁଛି, ତେବେ ଆମେ କʼଣ କରିବା ଉଚିତ୍‌ ?

୧୧ ଆମେ ଯେଉଁଠି ରହୁ, ଯଦି ସେଇଠି ଏପରି କୌଣସି ରୋଗ ବ୍ୟାପୁଛି ଯାହା ଶୀଘ୍ର ଜଣକରୁ ଅନ୍ୟ ଜଣକୁ ଡିଏଁ, ତେବେ ଆମେ କʼଣ କରିପାରିବା ? ଏପରି ସମୟରେ ଅଧିକାରୀମାନେ ଆମକୁ ଯାହା ପରାମର୍ଶ ଦିଅନ୍ତି, ଆମେ ତାହା ମାନିବା । ଯେପରି ହୁଏତ ସେମାନେ ଆମକୁ କହିବେ ଯେ ଆମେ ବାରମ୍ବାର ହାତ ଧୋଉ, ଦୂରତା ବଜାୟ ରଖୁ ଓ ମାସ୍କ ପିନ୍ଧୁ ଆଉ ଯଦି ଆମ ଭିତରେ ରୋଗର କୌଣସି ଲକ୍ଷଣ ଦେଖାଯାଏ, ତେବେ ଆମେ ନିଜକୁ ଅନ୍ୟମାନଙ୍କଠାରୁ ଅଲଗା ରଖୁ । ଏପରି ଭାବେ ସାବଧାନ ରହି ଆମେ ଦେଖାଉ ଯେ ଆମେ ଜୀବନ ପାଇଁ ବହୁତ କୃତଜ୍ଞ ମନେକରୁ ।

୧୨. ଯେବେ କୌଣସି ବିପତ୍ତି ଆସେ, ତେବେ ଆମେ ହିତୋପଦେଶ ୧୪:୧୫ ପଦରେ ଦିଆଯାଇଥିବା ସିଦ୍ଧାନ୍ତକୁ କିପରି ମାନିପାରିବା ?

୧୨ ଏହି ପରିସ୍ଥିତିରେ ହୁଏତ ଆମକୁ ନିଜ ସାଙ୍ଗ କିମ୍ବା ପଡ଼ୋଶୀମାନଙ୍କଠାରୁ କିମ୍ବା ଖବରଗୁଡ଼ିକରୁ ଏପରି କଥା ଶୁଣିବାକୁ ମିଳେ ଯାହା ସତ ନ ଥାଏ । ଲୋକମାନଙ୍କ “ସବୁ କଥା” ଆଖି ବୁଜି ବିଶ୍ୱାସ କରିବା ପରିବର୍ତ୍ତେ ଆମକୁ ସରକାରୀ ଅଧିକାରୀ ଓ ଡାକ୍ତରମାନେ ଯେଉଁ ସୂଚନା ଦିଅନ୍ତି, ସେହି ଭରସାଯୋଗ୍ୟ ସୂଚନାଗୁଡ଼ିକ ପ୍ରତି ଧ୍ୟାନ ଦେବା ଉଚିତ୍‌ । (ହିତୋପଦେଶ ୧୪:୧୫ ପଢ଼ନ୍ତୁ ।) ବିଶ୍ୱସ୍ତ ଦାସ ଓ ଶାଖା କାର୍ଯ୍ୟାଳୟର ଭାଇମାନେ ସଠିକ୍‌ ସୂଚନା ପାଇବା ପାଇଁ ବହୁତ ପରିଶ୍ରମ କରନ୍ତି ଆଉ ତାʼପରେ ହିଁ ସେମାନେ ପ୍ରଚାର ଓ ସଭା ବିଷୟରେ କୌଣସି ନିର୍ଦ୍ଦେଶ ଦିଅନ୍ତି । (ଏବ୍ରୀ. ୧୩:୧୭) ଯଦି ଆମେ ସେହି ନିର୍ଦ୍ଦେଶଗୁଡ଼ିକୁ ମାନୁ, ତେବେ ସେଥିରୁ ଆମ ଓ ଅନ୍ୟମାନଙ୍କର ସୁରକ୍ଷା ହେବ । ଏହାଯୋଗୁଁ ହୁଏତ ଆମ ଅଞ୍ଚଳରେ ରହୁଥିବା ଲୋକମାନେ ଯିହୋବାଙ୍କ ସାକ୍ଷୀମାନଙ୍କ ଆହୁରି ଆଦର କରିବାକୁ ଲାଗିବେ ।—୧ ପିତ. ୨:୧୨.

ରକ୍ତର ମାମଲା ଆସିବା ପୂର୍ବରୁ ପ୍ରସ୍ତୁତ ରହନ୍ତୁ

୧୩. ଯେବେ ରକ୍ତ ଚଢ଼ାଇବାର ମାମଲା ଆସେ, ତେବେ ଆମେ କିପରି ଦେଖାଉ ଯେ ଆମେ ଜୀବନକୁ ବହୁତ ବହୁମୂଲ୍ୟ ମନେକରୁ ?

୧୩ ଅନେକ ଲୋକ ଏକଥା ଜାଣନ୍ତି ଯେ ଯିହୋବାଙ୍କ ସାକ୍ଷୀମାନେ ରକ୍ତ ନିଅନ୍ତି ନାହିଁ, କାରଣ ସେମାନେ ଏହାକୁ ପବିତ୍ର ବୋଲି ମାନନ୍ତି । ଯିହୋବା ବାଇବଲରେ ସ୍ପଷ୍ଟ ଭାବେ ଲେଖାଇଛନ୍ତି ଯେ ଆମେ ରକ୍ତ ନେବା ଉଚିତ୍‌ ନୁହେଁ । ଏହି ନିୟମକୁ ଆମେ ଯେକୌଣସି ପରିସ୍ଥିତିରେ ବି ମାନୁ, ଏପରିକି ନିଜ ଜୀବନ ବିପଦରେ ଥିଲେ ମଧ୍ୟ । (ପ୍ରେରି. ୧୫:୨୮, ୨୯) କିନ୍ତୁ ତାʼ ଅର୍ଥ ଏହା ନୁହେଁ ଯେ ଆମେ ନିଜ ଜୀବନକୁ ପ୍ରେମ କରି ନ ଥାଉ । ଈଶ୍ୱର ଆମକୁ ଯେଉଁ ଜୀବନ ଦେଇଛନ୍ତି, ତାହାକୁ ଆମେ ବହୁତ ବହୁମୂଲ୍ୟ ମନେକରୁ । ତେଣୁ ଆମେ ଏପରି ଡାକ୍ତରମାନଙ୍କୁ ଦେଖାଉ ଯେଉଁମାନେ ବିନା ରକ୍ତରେ ବଢ଼ିଆରୁ ବଢ଼ିଆ ଚିକିତ୍ସା କରିବା ପାଇଁ ପ୍ରସ୍ତୁତ ରହନ୍ତି ।

୧୪. କେଉଁ କଥାଗୁଡ଼ିକୁ ଧ୍ୟାନରେ ରଖିଲେ ହୁଏତ ଆମକୁ ଅପରେସନ୍‌ କରିବାକୁ ପଡ଼ିବନି ?

୧୪ ଏବେ ଯାଏ ଆମେ ଏହି ଲେଖାରେ ଯେଉଁ ପରାମର୍ଶଗୁଡ଼ିକ ବିଷୟରେ ଦେଖିଲୁ, ଯଦି ଆମେ ସେଗୁଡ଼ିକୁ ମାନୁ ଓ ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖୁ, ତେବେ ହୁଏତ ଆମକୁ ବଡ଼ ବଡ଼ ଚିକିତ୍ସା କିମ୍ବା ଅପରେସନ୍‌ କରିବାକୁ ପଡ଼ିବନି । ଆଉ ଯଦି ଅପରେସନ୍‌ କରିବାକୁ ପଡ଼ିଲା, ତେବେ ସେସମୟରେ ଆମକୁ ବେଶି ଅସୁବିଧା ହେବନି ଓ ଅପରେସନ୍‌ ପରେ ଆମେ ଶୀଘ୍ର ଠିକ୍‌ ହୋଇଯିବା । ଯଦି ଘରେ ଓ କାମ ଜାଗାରେ ଆମେ ସୁରକ୍ଷା ପ୍ରତି ଧ୍ୟାନ ରଖୁ ଓ ଟ୍ରାଫିକ୍‌ର ନିୟମ ପାଳନ କରୁ, ତେବେ ଅଧିକାଂଶ କ୍ଷେତ୍ରରେ ଆମେ ବଡ଼ ବଡ଼ ଦୁର୍ଘଟଣାରୁ ଓ ବଡ଼ ବଡ଼ ଅପରେସନ୍‌ରୁ ବଞ୍ଚିପାରିବା ।

ଆମେ ଜୀବନକୁ ବହୁମୂଲ୍ୟ ମନେକରୁ, ତେଣୁ ଆମେ ଆଡଭାନ୍‌ସ ହେଲ୍‌ଥ କେୟାର ଡାଇରେକ୍ଟିଭ ଫର୍ମ ଭରୁ ଆଉ ତାହା ସବୁବେଳେ ନିଜ ପାଖରେ ରଖୁ (ପାରାଗ୍ରାଫ ୧୫) d

୧୫. (କ) ଆମେ ଆଡଭାନ୍‌ସ ହେଲ୍‌ଥ କେୟାର ଡାଇରେକ୍ଟିଭ କାର୍ଡରେ ବର୍ତ୍ତମାନର ସୂଚନା ଦେବା ଓ ସବୁବେଳେ ତାହା ନିଜ ପାଖରେ ରଖିବା କାହିଁକି ଜରୁରୀ ? (ଚିତ୍ର ମଧ୍ୟ ଦେଖନ୍ତୁ ।) (ଖ) ଯେପରି ଭିଡିଓରେ ଦେଖାଇ ଦିଆଯାଇଛି, ଆମେ ରକ୍ତ ମାମଲାରେ ବୁଝିବିଚାରି ନିଷ୍ପତ୍ତି କିପରି ନେଇପାରିବା ?

୧୫ ଈଶ୍ୱର ଆମକୁ ଯେଉଁ ଜୀବନ ଦେଇଛନ୍ତି, ଆମେ ତାʼପାଇଁ ବହୁତ କୃତଜ୍ଞ ମନେକରୁ । ତେଣୁ ଆମେ ଆଡଭାନ୍‌ସ ହେଲ୍‌ଥ କେୟାର ଡାଇରେକ୍ଟିଭ (ନୋ ବ୍ଲଡ କାର୍ଡ) ଭରୁ ଓ ସବୁବେଳେ ତାହା ନିଜ ପାଖରେ ରଖୁ । b ଏହି କାର୍ଡରେ ଲେଖା ହୋଇଥାଏ ଯେ ଯଦି ରକ୍ତ ଚଢ଼ାଇବାର ମାମଲା ଆସେ, ତେବେ ଆମର କʼଣ ନିଷ୍ପତ୍ତି ହେବ । ଏଥିରେ ଆମେ ସ୍ୱାସ୍ଥ୍ୟ ଓ ଚିକିତ୍ସା ସହିତ ଜଡ଼ିତ ଆହୁରି ମଧ୍ୟ କିଛି କଥାଗୁଡ଼ିକୁ ଲେଖିପାରିବା । କʼଣ ଆପଣ ଆଡଭାନ୍‌ସ ହେଲ୍‌ଥ କେୟାର ଡାଇରେକ୍ଟିଭ ଭରିଛନ୍ତି ? କʼଣ ସେଥିରେ ଦିଆଯାଇଥିବା ସୂଚନା ପୁରୁଣା ତ ହୋଇଯାଇନି ? ଯଦି ଆପଣ ତାକୁ ଏବେ ଯାଏ ଭରି ନାହାନ୍ତି କିମ୍ବା ଆପଣଙ୍କୁ ଏଥିରେ କିଛି ପରିବର୍ତ୍ତନ କରିବାର ଅଛି ତାହେଲେ ଏଡ଼ାନ୍ତୁ ନାହିଁ, ଶୀଘ୍ର ତାହାକୁ ଭରନ୍ତୁ । ଏହି କାର୍ଡ଼ରେ ଏକଥାଗୁଡ଼ିକୁ ସ୍ପଷ୍ଟ ଭାବରେ ଲେଖିବା ବହୁତ ଲାଭଦାୟକ ଅଟେ । ଯଦି କାଲିକୁ ଆମର ସ୍ୱାସ୍ଥ୍ୟ ସହ ଜଡ଼ିତ କୌଣସି ବଡ଼ ସମସ୍ୟା ଆସେ, ତେବେ ଚିକିତ୍ସା ଆରମ୍ଭ ହେବାରେ ଅଯଥା ସମୟ ଯିବନି । ଆଉ ଡାକ୍ତରମାନେ ମଧ୍ୟ ଆମକୁ କୌଣସି ଏପରି ଔଷଧ ଦେବେନି ଯେଉଁଥିରୁ ଆମ ଜୀବନ ବିପଦରେ ପଡ଼ିପାରେ । c

୧୬. ଯଦି ଆମକୁ ଜଣାନାହିଁ ଯେ ଆଡଭାନ୍‌ସ ହେଲ୍‌ଥ କେୟାର ଡାଇରେକ୍ଟିଭ କିପରି ଭରିବାର ଅଛି, ତେବେ ଆମେ କʼଣ କରିପାରିବା ?

୧୬ ହୋଇପାରେ, ଆପଣ ଯୁବା ଥିବେ ଓ ଆପଣଙ୍କର ସ୍ୱାସ୍ଥ୍ୟ ଭଲ ଥିବ, କିନ୍ତୁ ଦୁର୍ଘଟଣା କାହାରି ସହିତ ବି ହୋଇପାରେ ଆଉ କେବେ ବି କେହି ବି ରୋଗରେ ପଡ଼ିପାରନ୍ତି । (ଉପ. ୯:୧୧) ତେଣୁ ଭଲ ହେବ ଯେ ଆମେ ସମସ୍ତେ ଆଡଭାନ୍‌ସ ହେଲ୍‌ଥ କେୟାର ଡାଇରେକ୍ଟିଭ ଭରିକି ରଖୁ । ଯଦି ଆପଣଙ୍କୁ ଜଣାନାହିଁ ଯେ ଏହି କାର୍ଡ କିପରି ଭରିବାର ଅଛି, ତେବେ ଆପଣ ପ୍ରାଚୀନମାନଙ୍କ ସହିତ କଥା ହୋଇପାରିବେ । ଏହାକୁ ଭରିବା ପାଇଁ ସେମାନେ ଆପଣଙ୍କର ସାହାଯ୍ୟ କରିପାରିବେ, କାରଣ ସାଧାରଣତଃ ସେମାନଙ୍କୁ ଜଣାଥାଏ ଯେ ଏହାକୁ କିପରି ଭରିବାର ଅଛି । ସେମାନେ ଏହାକୁ ବୁଝିବାରେ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିପାରିବେ ଯେ ରକ୍ତ ସହ ଜଡ଼ିତ କିଛି ମାମଲାଗୁଡ଼ିକରେ କʼଣ କʼଣ ନିଷ୍ପତ୍ତି ନିଆଯାଇପାରିବ ଆଉ ତାʼପରେ ସେମାନେ ଆପଣଙ୍କ ନିଷ୍ପତ୍ତିକୁ ସେହି କାର୍ଡରେ ଲେଖିବା ପାଇଁ ଆପଣଙ୍କର ସାହାଯ୍ୟ କରିପାରିବେ । କିନ୍ତୁ ମନେରଖନ୍ତୁ ଯେ ପ୍ରାଚୀନମାନେ ଆପଣଙ୍କ ପାଇଁ କୌଣସି ନିଷ୍ପତ୍ତି ନେବେ ନାହିଁ, ଏହି ନିଷ୍ପତ୍ତି ଆପଣଙ୍କୁ ନିଜେ ନେବାକୁ ପଡ଼ିବ ।—ଗଲା. ୬:୪, ୫.

ମୃଦୁଶୀଳ ବ୍ୟକ୍ତି ହୁଅନ୍ତୁ

୧୭. ସ୍ୱାସ୍ଥ୍ୟ ସହ ଜଡ଼ିତ ମାମଲାଗୁଡ଼ିକରେ ଆମେ କିପରି ଦେଖାଇପାରିବା ଯେ ଆମେ ମୃଦୁପଣ ବ୍ୟକ୍ତି ଅଟୁ ?

୧୭ ଆମେ ସ୍ୱାସ୍ଥ୍ୟ ଓ ଚିକିତ୍ସା ମାମଲାରେ ଅନେକ ନିଷ୍ପତ୍ତି ନେଉ । ଆଉ ଏମଧ୍ୟରୁ କିଛି ନିଷ୍ପତ୍ତି ଆମେ ବାଇବଲରୁ ପ୍ରଶିକ୍ଷିତ ନିଜ ବିବେକ ହିସାବରେ ନେଉ । (ପ୍ରେରି. ୨୪:୧୬; ୧ ତୀମ. ୩:୯) ତେଣୁ କୌଣସି ନିଷ୍ପତ୍ତି ନେବା ସମୟରେ ଆଉ ଏବିଷୟରେ ଅନ୍ୟମାନଙ୍କ ସହିତ କଥା ହେବା ସମୟରେ ଆମେ ଫିଲିପ୍‌ପୀୟ ୪:୫ ପଦରେ ଦିଆଯାଇଥିବା ସିଦ୍ଧାନ୍ତକୁ ଧ୍ୟାନରେ ରଖିବା ଉଚିତ୍‌ । ସେଠାରେ ଲେଖାଅଛି, “ତୁମ୍ଭମାନଙ୍କର ମୃଦୁପଣ ସମସ୍ତ ଲୋକଙ୍କ ନିକଟରେ ପ୍ରକାଶିତ ହେଉ ।” ଯଦି ଆମେ ମୃଦୁପଣ ବ୍ୟକ୍ତି ଅଟୁ ବା ଅନ୍ୟମାନଙ୍କୁ ବୁଝୁ ତାହେଲେ ଆମେ ଅନ୍ୟମାନଙ୍କ ଉପରେ ନିଜ ମତ ଲଦିବାନି । ଯଦି ଅନ୍ୟମାନେ କୌଣସି ଏପରି ନିଷ୍ପତ୍ତି ନିଅନ୍ତି ଯାହା ଆମକୁ ପସନ୍ଦ ଲାଗେନି, ତେବେ ବି ଆମେ ସେମାନଙ୍କୁ ପ୍ରେମ କରୁଥିବା ଓ ସେମାନଙ୍କର ଆଦର କରିବା । ତାʼସହ ଆମେ ମୃଦୁପଣ ବ୍ୟକ୍ତି ସେମାନଙ୍କୁ ମଧ୍ୟ କହୁ ଯେଉଁମାନେ ନିଜ ସ୍ୱାସ୍ଥ୍ୟ ବିଷୟରେ ଅତ୍ୟଧିକ ଚିନ୍ତା କରିନ୍ତିନି ।—ରୋମୀ. ୧୪:୧୦-୧୨.

୧୮. ଆମେ କିପରି ଦେଖାଇପାରିବା ଯେ ଯିହୋବା ଆମକୁ ଯେଉଁ ଜୀବନ ଦେଇଛନ୍ତି, ଆମେ ତାʼପାଇଁ କୃତଜ୍ଞ ଅଟୁ ?

୧୮ ଯେବେ ଆମେ ସୁରକ୍ଷିତ ରହିବା ପାଇଁ ସାବଧାନ ରହୁ ଓ ମନପ୍ରାଣ ଦେଇ ଯିହୋବାଙ୍କ ସେବା କରୁ, ତେବେ ଆମେ ଦେଖାଉ ଯେ ଯିହୋବା ଆମକୁ ଯେଉଁ ଜୀବନ ଦେଇଛନ୍ତି ତାʼପାଇଁ ଆମେ ବହୁତ କୃତଜ୍ଞ ଅଟୁ । (ପ୍ରକା. ୪:୧୧) ଆଜି ଏହି ଦୁନିଆରେ ଆମକୁ ଅନେକ ରୋଗର ସହ ଲଢ଼ିବାକୁ ପଡ଼େ ଓ ବିପତ୍ତିଗୁଡ଼ିକର ସାମନା କରିବାକୁ ପଡ଼େ । କିନ୍ତୁ ଯେବେ ସୃଷ୍ଟିକର୍ତ୍ତା ଆମକୁ ସୃଷ୍ଟି କରିଥିଲେ, ତେବେ ସେ ଏପରି ଚାହିଁ ନ ଥିଲେ । ସେ ଆମକୁ ବହୁତ ପ୍ରେମ କରନ୍ତି ଓ ଖୁବ୍‌ ଶୀଘ୍ର ସେ ଆମକୁ ଅନନ୍ତ ଜୀବନ ଦେବେ । ସେସମୟରେ କାହାରିକୁ ବି କିଛି କଷ୍ଟ ସହିବାକୁ ପଡ଼ିବନି ଓ କାହାରି ବି ମୃତ୍ୟୁ ହେବନି । (ପ୍ରକା. ୨୧:୪) କିନ୍ତୁ ସେସମୟ ଯାଏ ଆମେ ନିଜ ସ୍ୱାସ୍ଥ୍ୟର ଭଲ ଯତ୍ନ ନେବା ଓ ଯିହୋବାଙ୍କ ସେବା କରୁଥିବା ।

ଗୀତ ୧୪୦ ହମେସା କି ଜୀନ୍ଦଗୀ !

a ଆମ ଜୀବନ ଈଶ୍ୱରଙ୍କ ତରଫରୁ ବହୁମୂଲ୍ୟ ଉପହାର ଅଟେ । ଏହି ଲେଖାରେ ଆମେ ଏପରି କଥାଗୁଡ଼ିକ ଉପରେ ଚର୍ଚ୍ଚା କରିବା ଯାହାଦ୍ୱାରା ଜୀବନ ପାଇଁ ଆମର କୃତଜ୍ଞତା ଆହୁରି ବଢ଼ିଯିବ । ଆମେ ଏହା ବି ଜାଣିବା ଯେ ଯେବେ କୌଣସି ବିପତ୍ତି ଆସେ, ତେବେ ଆମେ କିପରି ସୁରକ୍ଷିତ ରହିପାରିବା ଓ ନିଜ ସ୍ୱାସ୍ଥ୍ୟର ଯତ୍ନ ନେଇପାରିବା ଆଉ ଆମେ କʼଣ କରିପାରିବା ଯାହାଦ୍ୱାରା ଆମ ସହିତ କୌଣସି ଦୁର୍ଘଟଣା ନ ଘଟୁ । ଆମେ ଏହା ବି ଚର୍ଚ୍ଚା କରିବା ଯେ ଯେବେ ସ୍ୱାସ୍ଥ୍ୟ ସହ ଜଡ଼ିତ କୌଣସି ବଡ଼ ସମସ୍ୟାଗୁଡ଼ିକ ଆସେ, ତେବେ ତାʼର ସାମନା କରିବା ପାଇଁ ଆମେ ପୂର୍ବରୁ କିପରି ପ୍ରସ୍ତୁତି କରିପାରିବା ।

b ଏହାକୁ ଡି.ପି.ଏ କାର୍ଡ ମଧ୍ୟ କୁହାଯାଏ ।

c jw.org ୱେବସାଇଟ୍‌ରେ ଦିଆଯାଇଥିବା ଭିଡିଓ ଚିକିତ୍ସାରେ ରକ୍ତର ବ୍ୟବହାର ବିଷୟରେ ସଠିକ୍‌ ନିଷ୍ପତ୍ତି ଦେଖନ୍ତୁ ।

d ଚିତ୍ର ବିଷୟରେ: ଜଣେ ଯୁବା ଭାଇ ଆଡଭାନ୍‌ସ ହେଲ୍‌ଥ କେୟାର ଡାଇରେକ୍ଟିଭ ଫର୍ମ ଭରୁଛନ୍ତି ଆଉ ବାହାରେ ଯିବା ସମୟରେ ତାହା ନିଜ ପାଖେ ରଖିଛନ୍ତି ।