इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୧୨

ସୃଷ୍ଟିକୁ ଦେଖି, ଯିହୋବାଙ୍କୁ ଜାଣନ୍ତୁ !

ସୃଷ୍ଟିକୁ ଦେଖି, ଯିହୋବାଙ୍କୁ ଜାଣନ୍ତୁ !

“ଜଗତର ସୃଷ୍ଟିକାଳାବଧି ତାହାଙ୍କର ଅଦୃଶ୍ୟ ଗୁଣସମୂହ, . . . ସୃଷ୍ଟ ବସ୍ତୁଗୁଡ଼ିକ ଦ୍ୱାରା ବୋଧଗମ୍ୟ ହୋଇ ସ୍ପଷ୍ଟ ରୂପେ ପ୍ରତୀୟମାନ ହେଉଅଛି ।”—ରୋମୀ. ୧:୨୦.

ଗୀତ ୬ ୟହୋୱା କି ଶାନ୍‌ ଆସମାଁ କରେ ବୟାନ୍‌

ଲେଖାର ଝଲକ a

୧. ଏପରି ଗୋଟିଏ ଉପାୟ କହନ୍ତୁ ଯାହାଦ୍ୱାରା ଆୟୁବ ଯିହୋବାଙ୍କୁ ଆହୁରି ଭଲଭାବେ ଜାଣିପାରିଲେ ।

 ଆୟୁବ ନିଜ ଜୀବନରେ ଅନେକ ଲୋକଙ୍କ ସହ କଥା ହୋଇଥିବେ । କିନ୍ତୁ ଯିହୋବାଙ୍କ ସହ ହୋଇଥିବା କଥାବାର୍ତ୍ତାକୁ ସେ କେବେ ବି ଭୁଲି ନ ଥିବେ । ଯିହୋବା ତାଙ୍କୁ କହିଲେ ଯେ ସେ ତାଙ୍କ ନିଆରା ସୃଷ୍ଟି ଉପରେ ଧ୍ୟାନ ଦିଅନ୍ତୁ । ଏପରି କରିବା ଯୋଗୁଁ ଆୟୁବ ଜାଣିପାରନ୍ତେ ଯେ ଯିହୋବା କେତେ ବୁଦ୍ଧିମାନ ଅଟନ୍ତି ଓ ତାଙ୍କୁ ଭରସା ହୋଇଯାନ୍ତା ଯେ ସେ ନିଜ ସେବକମାନଙ୍କ ଆବଶ୍ୟକତାଗୁଡ଼ିକୁ ପୂରା କରିପାରିବେ । ଯେପରି ଯିହୋବା ଜୀବଜନ୍ତୁଗୁଡ଼ିକର ଯତ୍ନ ନିଅନ୍ତି, ଠିକ୍‌ ସେହିପରି ସେ ଆୟୁବଙ୍କର ବି ଯତ୍ନ ନେଇପାରିବେ । (ଆୟୁ. ୩୮:୩୯-୪୧; ୩୯:୧, ୫, ୧୩-୧୬) ଏପରି କରିବା ଯୋଗୁଁ ଆୟୁବ ଯିହୋବାଙ୍କ ବିଷୟରେ ବହୁତ କିଛି ଜାଣିପାରିଲେ ।

୨. ଅନେକଥର ଯିହୋବାଙ୍କ ସୃଷ୍ଟି ଉପରେ ଧ୍ୟାନ ଦେବା ଆମକୁ କାହିଁକି କଠିନ ଲାଗିପାରେ ?

ଆମେ ବି ଯିହୋବାଙ୍କ ସୃଷ୍ଟିରୁ ତାଙ୍କ ବିଷୟରେ ଅନେକ କଥା ଶିଖିପାରିବା । କିନ୍ତୁ ବେଳେବେଳେ ଏପରି କରିବା କଠିନ ଲାଗେ । ହୋଇପାରେ, ଆମେ ସହରରେ ରହୁଥିବା ଯୋଗୁଁ ପ୍ରାକୃତିକ ଜିନିଷଗୁଡ଼ିକ ଦେଖିବାକୁ ମିଳୁ ନ ଥିବ । କିମ୍ବା ଆମକୁ ଲାଗିପାରେ ଯେ ଆମ ଚାରିପାଖରେ ଥିବା ପ୍ରାକୃତିକ ଜିନିଷଗୁଡ଼ିକୁ ଦେଖିବା ପାଇଁ ଆମ ପାଖରେ ସମୟ ହିଁ ନାହିଁ । ଏହି ଲେଖାରେ ଆମେ ଜାଣିବା ଯେ ସମୟ ବାହାର କରି ଯିହୋବାଙ୍କ ସୃଷ୍ଟି ଉପରେ ଧ୍ୟାନ ଦେବା କାହିଁକି ଜରୁରୀ । ଆମେ ଏହା ବି ଜାଣିବା ଯେ ଯିହୋବା ଓ ଯୀଶୁ ସୃଷ୍ଟିରୁ କିପରି ଆମକୁ ଶିଖାଇଲେ ଓ ଯିହୋବାଙ୍କ ସୃଷ୍ଟି ଉପରେ ଧ୍ୟାନ ଦେବା ଯୋଗୁଁ ଆମେ କିପରି ଆହୁରି କଥାଗୁଡ଼ିକୁ ଶିଖିପାରିବା ?

ସୃଷ୍ଟି ଉପରେ କାହିଁକି ଧ୍ୟାନ ଦେବା ?

ଯିହୋବା ଚାହୁଁଥିଲେ ଯେ ଆଦମ ତାଙ୍କ ସୃଷ୍ଟିରୁ ଖୁସି ପାଉ ଓ ଜୀବଜନ୍ତୁଗୁଡ଼ିକର ନାମ ରଖୁ (ପାରାଗ୍ରାଫ ୩)

୩. ଆମେ ଏହା କାହିଁକି କହିପାରିବା ଯେ ଯିହୋବା ଚାହୁଁଥିଲେ ଯେ ଆଦମ ତାଙ୍କ ସୃଷ୍ଟିକୁ ଦେଖି ଖୁସି ପାଉ ?

ଯେବେ ଯିହୋବା ପ୍ରଥମ ମଣିଷ ଆଦମକୁ ସୃଷ୍ଟି କଲେ, ତେବେ ସେ ଚାହିଁଥିବେ ଯେ ଆଦମ ତାଙ୍କ ସୃଷ୍ଟିରୁ ଖୁସି ପାଉ । ସେ ଆଦମର ରହିବା ପାଇଁ ଗୋଟିଏ ସୁନ୍ଦର ପାରଦୀଶ ତିଆରି କଲେ ଓ ସେ କହିଲେ ଯେ ସେ ତାʼର ଯତ୍ନ ନେଉ ଓ ସାରା ପୃଥିବୀକୁ ଏହି ବଗିଚା ଭଳି କରିଦେଉ । (ଆଦି. ୨:୮, ୯, ୧୫) ଭାବନ୍ତୁ, ଆଦମ ପାଇଁ ଏହା କେତେ ବଡ଼ କଥା ଥିଲା ! ଯେବେ ସେ ଦେଖୁଥିବ ଯେ କିପରି ମଞ୍ଜି ଅଙ୍କୁରିତ ହୁଏ ଓ ଫୁଲ ଫୁଟେ, ତେବେ ତାକୁ କେତେ ଭଲ ଲାଗୁଥିବ । ଯିହୋବା ଆଦମକୁ ଆଉ ଗୋଟିଏ କାମ ଦେଲେ । ସେ ତାକୁ କହିଲେ ଯେ ସେ ସମସ୍ତ ଜୀବଜନ୍ତୁଗୁଡ଼ିକର ନାମ ରଖୁ । (ଆଦି. ୨:୧୯, ୨୦) ଯିହୋବା ଚାହିଁଥିଲେ ନିଜେ ବି ଏପରି କରିପାରନ୍ତେ, କିନ୍ତୁ ସେ ଏହି କାମ ଆଦମକୁ ଦେଲେ । କୌଣସି ଜୀବଜନ୍ତୁଗୁଡ଼ିକର ନାମ ରଖିବା ପାଇଁ ପୂର୍ବେ ଆଦମ ଦେଖୁଥିବ ଯେ ସେ କିପରି ଦେଖାଯାଏ ଓ କିପରି ବ୍ୟବହାର କରେ, ତାʼପରେ ହିଁ ଯାଇ ସେ ତାʼପାଇଁ ସଠିକ୍‌ ନାମ ବାଛୁଥିବ । ଏପରି କରି ତାକୁ କେତେ ମଜା ଲାଗିଥିବ ! ସେ ଏହା ବି ଦେଖିପାରି ଥିବ ଯେ ଯିହୋବା କେତେ ବୁଦ୍ଧିମାନ ଅଟନ୍ତି ଓ ତାଙ୍କ ସୃଷ୍ଟି କେତେ ସୁନ୍ଦର ଓ ବଢ଼ିଆ ଅଛି ।

୪. (କ) ଆମେ କାହିଁକି ଯିହୋବାଙ୍କ ସୃଷ୍ଟି ଉପରେ ଧ୍ୟାନ ଦେବା ଉଚିତ୍‌ ? (ଖ) ଆପଣଙ୍କୁ ଯିହୋବାଙ୍କ ସୃଷ୍ଟିର କେଉଁ ଜିନିଷଗୁଡ଼ିକ ବହୁତ ଭଲ ଲାଗେ ?

ଆମେ ସୃଷ୍ଟି ଉପରେ ଧ୍ୟାନ ଦେବାର ଗୋଟିଏ କାରଣ ହେଉଛି, ଯିହୋବା ନିଜେ ଚାହାନ୍ତି ଯେ ଆମେ ଏପରି କରୁ । ସେ ଆମକୁ କହିଲେ, “ଊର୍ଦ୍ଧ୍ୱଦୃଷ୍ଟି କରି ଦେଖ, ଏସମସ୍ତକୁ କିଏ ସୃଷ୍ଟି କରିଅଛନ୍ତି ?” (ଯିଶା. ୪୦:୨୬) ଯିହୋବା କେବଳ ଆକାଶରେ ନୁହେଁ, ବରଂ ସମୁଦ୍ର ଓ ପୃଥିବୀରେ ମଧ୍ୟ ଏପରି ନିଆରା ଜିନିଷଗୁଡ଼ିକୁ ତିଆରି କରିଛନ୍ତି ଯାହାଦ୍ୱାରା ଆମେ ତାଙ୍କ ବିଷୟରେ ଅନେକ କଥା ଶିଖିପାରିବା । (ଗୀତ. ୧୦୪:୨୪, ୨୫) ଟିକେ ଏହା ବି ଭାବନ୍ତୁ ଯେ ଆମ ମଣିଷମାନଙ୍କୁ ସେ କିପରି ସୃଷ୍ଟି କରିଛନ୍ତି । ଯେବେ ଆମେ ନିଜ ଆଖପାଖର ପ୍ରାକୃତିକ ଜିନିଷଗୁଡ଼ିକୁ ଦେଖୁ, ତେବେ ଆମକୁ ବହୁତ ଭଲ ଲାଗେ । ଆମେ ସୁନ୍ଦର ଦୃଶ୍ୟଗୁଡ଼ିକୁ ଦେଖିପାରୁ, ବିଭିନ୍ନ ପ୍ରକାରର ଶବ୍ଦ ଶୁଣିପାରୁ, ଅଲଗା ଅଲଗା ଖାଇବା ଜିନିଷଗୁଡ଼ିକର ସ୍ୱାଦ ଚାଖିପାରୁ, ସେଗୁଡ଼ିକର ସୁଗନ୍ଧ ନେଇପାରୁ ଓ ସେଗୁଡ଼ିକୁ ଛୁଇଁ ଅନୁଭବ କରିପାରୁ । ଏପରି ଭାବେ ଆମେ ସୃଷ୍ଟିକୁ ଦେଖି ମଜା ନେଇପାରୁ ।

୫. ରୋମୀୟ ୧:୨୦ ପଦ ଅନୁସାରେ ଆମେ ଯିହୋବାଙ୍କ ସୃଷ୍ଟି ଉପରେ କାହିଁକି ଧ୍ୟାନ ଦେବା ଉଚିତ୍‌ ?

ବାଇବଲରେ ଆଉ ଗୋଟିଏ କାରଣ କୁହାଯାଇଛି ଯେ ଆମେ କାହିଁକି ଯିହୋବାଙ୍କ ସୃଷ୍ଟି ଉପରେ ଧ୍ୟାନ ଦେବା ଉଚିତ୍‌ । ତାହା ହେଉଛି, ଏଥିରୁ ଆମେ ଜାଣିପାରୁ ଯେ ଯିହୋବା କିପରି ଈଶ୍ୱର ଅଟନ୍ତି ଓ ତାଙ୍କ ଭିତରେ କେଉଁ କେଉଁ ଗୁଣ ରହିଛି । (ରୋମୀୟ ୧:୨୦ ପଢ଼ନ୍ତୁ ।) ଟିକେ ଯିହୋବା ସୃଷ୍ଟି କରିଥିବା କୌଣସି ଜିନିଷକୁ ଦେଖନ୍ତୁ ଓ ତାʼର ଗଠନ ଉପରେ ଧ୍ୟାନ ଦିଅନ୍ତୁ । ତାହାକୁ ଦେଖି କʼଣ ଆପଣଙ୍କୁ ଲାଗେନି ଯେ ଯିହୋବା ବହୁତ ବୁଦ୍ଧିମାନ ଅଟନ୍ତି ? ଆଉ ଭାବନ୍ତୁ ଯେ ସେ ଆପଣଙ୍କୁ ଖାଇବା ପାଇଁ ବିଭିନ୍ନ ପ୍ରକାରର ଜିନିଷ ଦେଇଛନ୍ତି ! ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ ସେ ଆମକୁ କେତେ ପ୍ରେମ କରନ୍ତି । ଯେବେ ଆମେ ସୃଷ୍ଟିକୁ ଦେଖି ତାଙ୍କ ବିଷୟରେ ଭାବୁ, ତେବେ ଆମେ ତାଙ୍କୁ ଆହୁରି ଭଲଭାବେ ଜାଣିପାରୁ ଓ ତାଙ୍କର ଆହୁରି ନିକଟତର ହୋଇପାରୁ । ଏବେ ଆସନ୍ତୁ ଆମେ ଦେଖିବା ଯେ ଯିହୋବା କିପରି ସୃଷ୍ଟିରୁ ଅନେକ ଜରୁରୀ କଥା ଶିଖାନ୍ତି ।

ଯିହୋବା ସୃଷ୍ଟିରୁ ନିଜ ବିଷୟରେ ଶିଖାନ୍ତି

୬. ପ୍ରବାସୀ ପକ୍ଷୀମାନଙ୍କ ଉପରେ ଧ୍ୟାନ ଦେଲେ ଆମେ କʼଣ ଶିଖିପାରିବା ?

ଯିହୋବା ପ୍ରତ୍ୟେକ ଜିନିଷର ଗୋଟିଏ ସମୟ ସ୍ଥିର କରିଛନ୍ତି । ପ୍ରତି ବର୍ଷ ଇସ୍ରାଏଲୀୟମାନେ ଫେବୃଆରୀରୁ ମେ ମାସ ମଧ୍ୟରେ ସାରସ ପକ୍ଷୀମାନଙ୍କୁ ଉତ୍ତର ଦିଗକୁ ଯିବାର ଦେଖୁଥିଲେ । ଯିହୋବା ଇସ୍ରାଏଲୀୟମାନଙ୍କୁ କହିଥିଲେ, ‘ଆକାଶଗାମିନୀ ଚରଳ ବା ସାରସ ଆପଣାର ନିରୂପିତ ସମୟ ଜାଣେ ।’ (ଯିରି. ୮:୭) ଠିକ୍‌ ଯେପରି ଯିହୋବା ଏହା ସ୍ଥିର କରିଛନ୍ତି ଯେ ଏହି ପ୍ରବାସୀ ପକ୍ଷୀମାନେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ କେବେ ଯିବେ, ଠିକ୍‌ ସେହିପରି ସେ ଦୁଷ୍ଟ ଲୋକମାନଙ୍କର ନ୍ୟାୟ କେବେ କରିବେ ତାହା ବି ପୂର୍ବରୁ ହିଁ ସ୍ଥିର କରିଛନ୍ତି । ଆଜି ଯେବେ ଆମେ ପ୍ରବାସୀ ପକ୍ଷୀମାନଙ୍କୁ ଉଡ଼ିବାର ଦେଖୁ, ତେବେ ଆମକୁ ଭରସା ହେବା ଉଚିତ୍‌ ଯେ ଯିହୋବା ‘ନିରୂପିତ ସମୟରେ’ ଏହି ଦୁଷ୍ଟ ଦୁନିଆର ବିନାଶ କରିବେ ।—ହବ. ୨:୩.

୭. ଉପରକୁ ଉଡ଼ୁଥିବା ଗୋଟିଏ ପକ୍ଷୀକୁ ଦେଖି ଆମେ କʼଣ ଶିଖିପାରିବା ? (ଯିଶାଇୟ ୪୦:୩୧)

ଯିହୋବା ନିଜ ଲୋକମାନଙ୍କୁ ଶକ୍ତି ଦିଅନ୍ତି । ଭବିଷ୍ୟଦ୍‌ବକ୍ତା ଯିଶାଇୟଙ୍କ ଜରିଆରେ ଯିହୋବା ନିଜ ଲୋକମାନଙ୍କୁ ପ୍ରତିଜ୍ଞା କରିଥିଲେ ଯେ ଯେବେ ବି ସେମାନେ ଦୁର୍ବଳ କିମ୍ବା ନିରାଶ ଅନୁଭବ କରିବେ, ତେବେ ଯିହୋବା ସେମାନଙ୍କୁ ଶକ୍ତି ଦେବେ । ସେମାନେ ଯେପରି “ଉତ୍କ୍ରୋଶ ପକ୍ଷୀ ପରି ପକ୍ଷରେ ଉପରକୁ ଉଠିବେ ।” (ଯିଶାଇୟ ୪୦:୩୧ ପଢ଼ନ୍ତୁ ।) ଇସ୍ରାଏଲୀୟମାନେ ଅନେକଥର ଦେଖୁଥିବେ ଯେ ଚିଲ ନିଜ ଡ଼େଣା ଅଧିକ ଥର ନ ହଲାଇ ମଧ୍ୟ କିପରି ଗରମ ପବନର ସାହାଯ୍ୟରେ ଉପରକୁ ଉଡ଼େ । ଯେପରି ଯିହୋବା ଏହି ପକ୍ଷୀମାନଙ୍କୁ ଉଡ଼ିବାର ଶକ୍ତି ଦିଅନ୍ତି, ସେ ଆମକୁ ମଧ୍ୟ ଶକ୍ତି ଦେଇପାରିବେ । ତାହେଲେ ଆପଣ ଯେବେ ଆର ଥରକୁ କୌଣସି ବଡ଼ ପକ୍ଷୀକୁ ଉଡ଼ିବାର ଦେଖନ୍ତି, ତେବେ ମନେରଖନ୍ତୁ ଯେ ଯିହୋବା ଆପଣଙ୍କୁ ବି ଉପରକୁ ଉଠାଇପାରିବେ, ଅର୍ଥାତ୍‌ ସମସ୍ୟାଗୁଡ଼ିକର ସାମନା କରିବାର ଶକ୍ତି ଦେଇପାରିବେ ।

୮. ଯିହୋବାଙ୍କ ସୃଷ୍ଟି ଉପରେ ଧ୍ୟାନ ଦେଇ ଆୟୁବ କʼଣ ଶିଖିଲେ ଓ ଆଜି ଆମେ କʼଣ ଶିଖିପାରିବା ?

ଯିହୋବାଙ୍କ ଉପରେ ଆମେ ପୂରା ଭରସା କରିପାରିବା । ଯିହୋବା ଆୟୁବଙ୍କୁ ଏପରି ଅନେକ କଥା କହିଲେ ଯେଉଁଥିରୁ ସେ ଯିହୋବାଙ୍କ ଉପରେ ଆହୁରି ଭରସା କରିପାରିଲେ । (ଆୟୁ. ୩୨:୨; ୪୦:୬-୮) ଯିହୋବା ତାଙ୍କୁ ଅନେକ ସୃଷ୍ଟି ବିଷୟରେ କହିଲେ, ଯେପରିକି ତାରା, ବିଜୁଳୀ ଓ ମେଘ । ଯିହୋବା ତାଙ୍କୁ ଅନେକ ପଶୁ ବିଷୟରେ ମଧ୍ୟ କହିଲେ, ଯେପରିକି ଜଙ୍ଗଲି ଷଣ୍ଢ ଓ ଅଶ୍ୱ । (ଆୟୁ. ୩୮:୩୨-୩୫; ୩୯:୯, ୧୯, ୨୦) ଏହିସବୁ କଥାଗୁଡ଼ିକ ବିଷୟରେ ଭାବି ଆୟୁବ ବୁଝିପାରିଲେ ଯେ ଯିହୋବା କେବଳ ଶକ୍ତିଶାଳୀ ନୁହଁନ୍ତି, ବରଂ ସେ ବହୁତ ବୁଦ୍ଧିମାନ ମଧ୍ୟ ଅଟନ୍ତି ଓ ଆମକୁ ବହୁତ ପ୍ରେମ କରନ୍ତି । ଏପରି ଭାବେ ଆୟୁବ ଯିହୋବାଙ୍କ ଉପରେ ଆହୁରି ଭରସା କରିବାକୁ ଲାଗିଲେ । (ଆୟୁ. ୪୨:୧-୬) ଆଜି ଯେବେ ବି ଆମେ ଯିହୋବାଙ୍କ ସୃଷ୍ଟିକୁ ଧ୍ୟାନ ଦେଉ, ତେବେ ଜାଣିପାରୁ ଯେ ସେ ଆମଠାରୁ କେତେ ବୁଦ୍ଧିମାନ ଓ ଶକ୍ତିଶାଳୀ ଅଟନ୍ତି । ସେ ଆମ ପ୍ରତ୍ୟେକ ସମସ୍ୟାଗୁଡ଼ିକୁ ନିଶ୍ଚୟ ଦୂର କରିବେ । ଏକଥାକୁ ଧ୍ୟାନ ଦେଲେ ଆମେ ଯିହୋବାଙ୍କ ଉପରେ ଆହୁରି ଭରସା କରିପାରିବା ।

ଯୀଶୁ ସୃଷ୍ଟିରୁ ନିଜ ପିତାଙ୍କ ବିଷୟରେ ଶିଖାଇଲେ

୯-୧୦. ଆମେ ଖରା ଓ ବର୍ଷାରୁ ଯିହୋବାଙ୍କ ବିଷୟରେ କʼଣ ଶିଖୁ ?

ଯୀଶୁ ସୃଷ୍ଟି ବିଷୟରେ ଅନେକ କଥା ଜାଣିଥିଲେ । ଯେବେ ଯିହୋବା ସବୁ ସୃଷ୍ଟି କରୁଥିଲେ, ତେବେ ସେ “କର୍ମକର୍ତ୍ତା” ଭାବେ ଯିହୋବାଙ୍କ ସାହାଯ୍ୟ କଲେ । (ହିତୋ. ୮:୩୦) ପରେ ଯେବେ ଯୀଶୁ ପୃଥିବୀରେ ଆସିଲେ, ତେବେ ସେ ନିଜ ଶିଷ୍ୟମାନଙ୍କୁ ସୃଷ୍ଟିର ଉଦାହରଣ ଦେଇ ନିଜ ପିତାଙ୍କ ବିଷୟରେ ବହୁତ କିଛି ଶିଖାଇଲେ । ଆସନ୍ତୁ ସେମଧ୍ୟରୁ କିଛି କଥା ଉପରେ ଧ୍ୟାନ ଦେବା ।

୧୦ ଯିହୋବା ପ୍ରତ୍ୟେକଙ୍କୁ ପ୍ରେମ କରନ୍ତି । ପାର୍ବତ୍ୟ ଉପଦେଶ ଦେବା ସମୟରେ ଯୀଶୁ ନିଜ ଶିଷ୍ୟମାନଙ୍କୁ ଖରା ଓ ବର୍ଷା ବିଷୟରେ କହିଲେ । ଏଗୁଡ଼ିକ ଉପରେ ଲୋକମାନେ ଅଧିକ ଧ୍ୟାନ ଦିଅନ୍ତିନି, କିନ୍ତୁ ଜୀବିତ ରହିବା ପାଇଁ ଏହା ବହୁତ ଜରୁରୀ ଅଟେ । ଯିହୋବା ଚାହିଁଥିଲେ ଏପରି କିଛି କରନ୍ତେ ଯେଉଁଥିରୁ ଦୁଷ୍ଟ ଲୋକମାନଙ୍କୁ ଖରା ଓ ବର୍ଷା ମିଳନ୍ତାନି । କିନ୍ତୁ ସେ ଏପରି କଲେନି । ସେ ପ୍ରତ୍ୟେକଙ୍କୁ ସୂର୍ଯ୍ୟର କିରଣ ଓ ବର୍ଷା ଦିଅନ୍ତି । (ମାଥି. ୫:୪୩-୪୫) ଏପରି ଭାବେ ଯୀଶୁ ନିଜ ଶିଷ୍ୟମାନଙ୍କୁ ଶିଖାଇଲେ ଯେ ଯିହୋବା ସମସ୍ତଙ୍କୁ ପ୍ରେମ କରନ୍ତି । ତାହେଲେ ଯେବେ ବି ଆମେ ସୂର୍ଯ୍ୟାସ୍ତର ସୁନ୍ଦର ଦୃଶ୍ୟକୁ ଦେଖୁ କିମ୍ବା ବର୍ଷାର ମଜା ନେଉ, ତେବେ ଆସନ୍ତୁ ମନେରଖିବା ଯେ ଯିହୋବା ସବୁଲୋକଙ୍କୁ ବହୁତ ପ୍ରେମ କରନ୍ତି । ତାʼପରେ ଆମକୁ ବି ଇଚ୍ଛା ହେବ ଯେ ଆମେ ପ୍ରତ୍ୟେକ ଲୋକଙ୍କୁ ପ୍ରଚାର କରୁ ଓ ଏପରି କରି ଦେଖାଉ ଯେ ଆମେ ପ୍ରତ୍ୟେକଙ୍କୁ ପ୍ରେମ କରୁ ।

୧୧. ଚଢ଼େଇମାନଙ୍କୁ ଦେଖି ଆମକୁ କିପରି ସାହସ ମିଳିପାରେ ?

୧୧ ଯିହୋବା ଆମ ପ୍ରତ୍ୟେକ ଆବଶ୍ୟକତାକୁ ପୂରା କରନ୍ତି । ପାର୍ବତ୍ୟ ଉପଦେଶ ଦେବା ସମୟରେ ଯୀଶୁ ଏହା ବି କହିଲେ, “ଆକାଶର ପକ୍ଷୀଙ୍କି ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ କିଅବା ଅମାରରେ ସଞ୍ଚୟ କରନ୍ତି ନାହିଁ, ଆଉ ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ସେମାନଙ୍କୁ ଆହାର ଦିଅନ୍ତି ।” ହୋଇପାରେ, ଯେବେ ଯୀଶୁ ଏକଥା କହିଲେ, ତେବେ ଲୋକମାନେ ଆକାଶରେ ପକ୍ଷୀମାନଙ୍କୁ ଉଡ଼ିବାର ଦେଖିଥିବେ । ତାʼପରେ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ କଅଣ ସେମାନଙ୍କଠାରୁ ଶ୍ରେଷ୍ଠ ନୁହଁ ?” (ମାଥି. ୬:୨୬) ଯୀଶୁ କେତେ ବଢ଼ିଆ ଉପାୟ ଆପଣାଇ ଲୋକମାନଙ୍କୁ ଏକଥା ଉପରେ ଭରସା କରାଇଲେ ଯେ ଯିହୋବା ନିଜ ସେବକମାନଙ୍କ ଆବଶ୍ୟକତା ପୂରା କରିବେ । (ମାଥି. ୬:୩୧, ୩୨) ଏକଥାକୁ ମନେରଖିଲେ ଆଜି ଆମକୁ ମଧ୍ୟ ବହୁତ ସାହସ ମିଳେ । ସ୍ପେନ୍‌ରେ ରହୁଥିବା ଜଣେ ଯୁବା ଅଗ୍ରଦୂତ ଭଉଣୀଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ତାଙ୍କୁ ରହିବା ପାଇଁ ଘର ମିଳୁ ନ ଥିଲା, ତେଣୁ ସେ ବହୁତ ଚିନ୍ତିତ ହୋଇଯାଇଥିଲେ । କିନ୍ତୁ ତାʼପରେ ସେ କିଛି ଚଢ଼େଇକୁ ଚାରା ବାଛିବାର ଓ ଫଳ ଖାଇବାର ଦେଖିଲେ । ସେମାନଙ୍କୁ ଦେଖି ଭଉଣୀଙ୍କୁ ବହୁତ ସାହସ ମିଳିଲା । ସେ କହନ୍ତି, “ସେହି ଚଢ଼େଇମାନଙ୍କୁ ଦେଖି ମୋତେ ମନେପଡ଼ିଲା ଯେ ଯିହୋବା ଯେପରି ସେମାନଙ୍କ ଯତ୍ନ ନିଅନ୍ତି, ସେହିପରି ସେ ଆମର ବି ଯତ୍ନ ନେବେ ।” ଆଉ ଏପରି ହିଁ ହେଲା । କିଛି ସମୟ ପରେ ଭଉଣୀଙ୍କୁ ରହିବା ପାଇଁ ଗୋଟିଏ ଜାଗା ମିଳିଗଲା ।

୧୨. ମାଥିଉ ୧୦:୨୯-୩୧ ପଦରେ ଚଢ଼େଇମାନଙ୍କ ବିଷୟରେ ଯାହା କୁହାଯାଇଛି, ସେଥିରୁ ଆମେ ଯିହୋବାଙ୍କ ବିଷୟରେ କʼଣ ଶିଖୁ ?

୧୨ ଯିହୋବା ଆମ ମଧ୍ୟରୁ ପ୍ରତ୍ୟେକଙ୍କୁ ବହୁମୂଲ୍ୟ ମନେକରନ୍ତି । ଯେବେ ଯୀଶୁ ପ୍ରେରିତମାନଙ୍କୁ ପ୍ରଚାର କରିବା ପାଇଁ ପଠାଇଲେ, ତେବେ ସେ ସେମାନଙ୍କର ସାହସ ବଢ଼ାଇଲେ, ଯାହାଦ୍ୱାରା ବିରୋଧ ସମୟରେ ସେମାନେ ଡରନ୍ତୁ ନାହିଁ । (ମାଥିଉ ୧୦:୨୯-୩୧ ପଢ଼ନ୍ତୁ ।) ଏପରି କରିବା ସମୟରେ ଯୀଶୁ ସେମାନଙ୍କୁ ଛୋଟ ଚଢ଼େଇମାନଙ୍କ ଉଦାହରଣ ଦେଲେ । ଏହି ଚଢ଼େଇମାନେ ପ୍ରାୟ ଇସ୍ରାଏଲରେ ଦେଖିବାକୁ ମିଳୁଥିଲେ । ଯୀଶୁଙ୍କ ସମୟରେ ସେହି ଚଢ଼େଇମାନଙ୍କ ବେଶି ମୂଲ୍ୟ ନ ଥିଲା । କିନ୍ତୁ ଯୀଶୁ ନିଜ ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭମାନଙ୍କର ପିତାଙ୍କର ଅନୁମତି ବିନା ସେମାନଙ୍କ ମଧ୍ୟରୁ ଗୋଟିଏ ହେଲେ ତଳେ ପଡ଼େ ନାହିଁ ।” ତାʼପରେ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଅନେକ ଘରଚଟିଆଠାରୁ ଶ୍ରେଷ୍ଠ ।” ଏପରି ଭାବେ ଯୀଶୁ ନିଜ ଶିଷ୍ୟମାନଙ୍କୁ ଭରସା କରାଇଲେ ଯେ ଯିହୋବା ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ବହୁମୂଲ୍ୟ ମନେକରନ୍ତି, ତେଣୁ ଯଦି ସେମାନଙ୍କ ବିରୋଧ ହୁଏ ତେବେ ବି ସେମାନେ ଡରିବା ଉଚିତ୍‌ ନୁହେଁ । ଶିଷ୍ୟମାନେ ଯେବେ ବି ଗାଁ କିମ୍ବା ବସ୍ତିଗୁଡ଼ିକରେ ପ୍ରଚାର କରିବା ସମୟରେ କୌଣସି ଚଢ଼େଇକୁ ଦେଖୁଥିବେ, ତେବେ ଯୀଶୁଙ୍କ ଏହି ଶବ୍ଦ ସେମାନଙ୍କୁ ମନେ ପଡ଼ୁଥିବ । ତାହେଲେ ଆପଣ ଯେବେ ବି କୌଣସି ଛୋଟ ଚଢ଼େଇକୁ ଦେଖିବେ, ତେବେ ଏକଥାକୁ ମନେରଖନ୍ତୁ ଯେ ଆପଣ ଯିହୋବାଙ୍କ ପାଇଁ ବହୁତ ବହୁମୂଲ୍ୟ ଅଟନ୍ତି । କାରଣ ଆପଣ ମଧ୍ୟ ତାଙ୍କ ପାଇଁ “ଅନେକ ଘରଚଟିଆଠାରୁ ଶ୍ରେଷ୍ଠ ।” ଯିହୋବା ଆପଣଙ୍କ ସାଙ୍ଗରେ ଅଛନ୍ତି, ତେଣୁ ବିରୋଧ ସତ୍ତ୍ୱେ ମଧ୍ୟ ଆପଣ ଏହାର ସାମନା କରିପାରିବେ ।—ଗୀତ. ୧୧୮:୬.

ସୃଷ୍ଟିରୁ ଈଶ୍ୱରଙ୍କ ବିଷୟରେ ଆହୁରି କିପରି ଶିଖିପାରିବା ?

୧୩. ଯିହୋବାଙ୍କ ସୃଷ୍ଟିରୁ ଆମକୁ ଆହୁରି ଅଧିକ ଶିଖିବା ପାଇଁ କʼଣ କରିବାକୁ ପଡ଼ିବ ?

୧୩ ଆମେ ଯିହୋବାଙ୍କ ସୃଷ୍ଟିରୁ ତାଙ୍କ ବିଷୟରେ ଆହୁରି ଅନେକ କଥା ଜାଣିପାରିବା । ତାʼପାଇଁ ଆମକୁ କʼଣ କରିବାକୁ ପଡ଼ିବ ? ପ୍ରଥମେ ଆମକୁ ଯିହୋବାଙ୍କ ସୃଷ୍ଟି ଉପରେ ଧ୍ୟାନ ଦେବା ପାଇଁ ସମୟ କାଢ଼ିବାକୁ ପଡ଼ିବ । ତାʼପରେ ଆମକୁ ଭାବିବାକୁ ପଡ଼ିବ ଯେ ଏହି ସୃଷ୍ଟିରୁ ଆମକୁ ଯିହୋବାଙ୍କ ବିଷୟରେ କʼଣ ଜଣାପଡ଼େ । ଏପରି କରିବା ହୁଏତ ସବୁବେଳେ ସହଜ ହୋଇ ନ ଥାଏ । କେମେରୁନ୍‌ରେ ରହୁଥିବା ଭଉଣୀ ଜେରଲଡ଼ିନ୍‌ କହନ୍ତି, “ମୋର ଲାଳନପାଳନ ଗୋଟିଏ ସହରରେ ହୋଇଛି, ତେଣୁ ମୁଁ ଜାଣେ ଯେ ପ୍ରକୃତି ଉପରେ ଧ୍ୟାନ ଦେବା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼େ ।” ଏଲଫାନ୍‌ସୋ ନାମକ ପ୍ରାଚୀନ କହନ୍ତି, “ମୁଁ ଦେଖିଛି ଯେ ସୃଷ୍ଟି ଉପରେ ଧ୍ୟାନ ଦେବା ପୂର୍ବରୁ ଗୋଟିଏ ସମୟ ସ୍ଥିର କରିବା ବହୁତ ଜରୁରୀ ଅଟେ । ସେସମୟରେ ମୁଁ ଏକୁଟିଆରେ ବସି ବହୁତ ଭଲଭାବେ ଭାବିପାରେ ଯେ ସେହି ସୃଷ୍ଟିରୁ ମୋତେ ଯିହୋବାଙ୍କ ବିଷୟରେ କʼଣ ଜଣାପଡ଼େ ।”

ଯେବେ ଦାଉଦ ନିଜ ଆଖପାଖର ସୃଷ୍ଟିକୁ ଦେଖୁଥିଲେ, ତେବେ ଭାବୁଥିଲେ ଯେ ସେଥିରୁ ସେ ଯିହୋବାଙ୍କ ବିଷୟରେ କʼଣ ଶିଖନ୍ତି (ପାରାଗ୍ରାଫ ୧୪)

୧୪. ଯିହୋବାଙ୍କ ସୃଷ୍ଟି ଉପରେ ଚିନ୍ତନ କରିବା ଦ୍ୱାରା ଦାଉଦ କʼଣ ବୁଝିପାରିଲେ ?

୧୪ ଦାଉଦ ଯିହୋବାଙ୍କ ସୃଷ୍ଟି ବିଷୟରେ ବହୁତ ଗଭୀରତାର ସହ ଭାବୁଥିଲେ । ଥରେ ସେ ଯିହୋବାଙ୍କୁ କହିଲେ, “ମୁଁ ତୁମ୍ଭ ଅଙ୍ଗୁଳିକୃତ ତୁମ୍ଭ ଆକାଶମଣ୍ଡଳ, ତୁମ୍ଭର ନିରୂପିତ ଚନ୍ଦ୍ର ଓ ନକ୍ଷତ୍ରଗଣକୁ ବିବେଚନା କଲେ, ମନୁଷ୍ୟ କିଏ ଯେ, ତୁମ୍ଭେ ତାହା ବିଷୟରେ ମନୋଯୋଗୀ ହେଉଅଛ ?” (ଗୀତ. ୮:୩, ୪) ଦାଉଦ ରାତିରେ ଯେବେ ବି ତାରାଭରା ଆକାଶକୁ ଦେଖୁଥିଲେ, ତେବେ ସେ କେବଳ ତାʼର ସୁନ୍ଦରତାକୁ ନୁହେଁ, ବରଂ ଏବିଷୟରେ ବି ଭାବୁଥିଲେ ଯେ ସେ ଏଥିରୁ ଯିହୋବାଙ୍କ ବିଷୟରେ କʼଣ ଶିଖନ୍ତି । ଏପରି କରିବା ଦ୍ୱାରା ସେ ବୁଝିପାରିଲେ ଯେ ଯିହୋବା କେତେ ମହାନ ଅଟନ୍ତି । ଦାଉଦ ଏବିଷୟରେ ବି ଚିନ୍ତନ କଲେ ଯେ ଯେବେ ସେ ନିଜ ମାଆ ପେଟରେ ଥିଲେ, ତେବେ ସେ କିପରି ବଢ଼ୁଥିବେ । ଯେବେ ସେ ଏବିଷୟରେ ଭାବିଲେ ଯେ ତାଙ୍କୁ କେତେ ଅଦ୍ଭୁତ ଭାବେ ସୃଷ୍ଟି କରାଯାଇଛି, ତେବେ ସେ ବୁଝିପାରିଲେ ଯେ ଯିହୋବା କେତେ ବୁଦ୍ଧିମାନ ଅଟନ୍ତି ଓ ଯିହୋବାଙ୍କ ପାଇଁ ତାଙ୍କ ହୃଦୟ କୃତଜ୍ଞତାରେ ଭରିଗଲା ।—ଗୀତ. ୧୩୯:୧୪-୧୭.

୧୫. ଆପଣ ସୃଷ୍ଟିରୁ ଯିହୋବାଙ୍କ କେଉଁ କେଉଁ ଗୁଣ ବିଷୟରେ ଜାଣିଲେ ? (ଗୀତସଂହିତା ୧୪୮:୭-୧୦)

୧୫ ଆପଣଙ୍କ ଆଖପାଖରେ ସୃଷ୍ଟିର ଅନେକ ଜିନିଷ ଥିବ ଯାହା ବିଷୟରେ ଆପଣ ଭାବିପାରିବେ ଓ ଦାଉଦଙ୍କ ଭଳି ସେଗୁଡ଼ିକ ବିଷୟରେ ଚିନ୍ତନ କରିପାରିବେ । ଏପରି ଭାବେ ଆପଣ ଆହୁରି ଭଲଭାବେ ଜାଣିପାରିବେ ଯେ ଯିହୋବାଙ୍କ ଭିତରେ କେଉଁ କେଉଁ ଗୁଣ ରହିଛି । ଯେପରି, ଯେବେ ବି ଆପଣ ସୂର୍ଯ୍ୟର କିରଣକୁ ଅନୁଭବ କରନ୍ତି, ତେବେ ଭାବନ୍ତୁ ଯେ ଯିହୋବା କେତେ ଶକ୍ତିଶାଳୀ ଅଟନ୍ତି । (ଯିରି. ୩୧:୩୫) କିମ୍ବା ଯେବେ ଆପଣ କୌଣସି ଚଢ଼େଇକୁ ବସା ବାନ୍ଧିବାର ଦେଖନ୍ତି, ତେବେ ଭାବନ୍ତୁ ଯେ ଯିହୋବା କେତେ ବୁଦ୍ଧିମାନ ଅଟନ୍ତି । କିମ୍ବା ଯେବେ ଆପଣ କୌଣସି କୁକୁର ଛୁଆକୁ ନିଜ ଲାଞ୍ଜ ଧରିବା ପାଇଁ ଚେଷ୍ଟା କରିବାର ଦେଖନ୍ତି, ତେବେ କʼଣ ସେଥିରୁ ଜଣାପଡ଼େନି ଯେ ଯିହୋବା ଆନନ୍ଦିତ ଈଶ୍ୱର ଅଟନ୍ତି । ଆଉ ଯେବେ ଆପଣ ଦେଖନ୍ତି ଯେ ଜଣେ ମାଆ ନିଜ ପୁଅ ସହିତ ଖେଳୁଛି, ତେବେ ଯିହୋବାଙ୍କୁ ଧନ୍ୟବାଦ ଦିଅନ୍ତୁ ଯେ ସେ ଆପଣଙ୍କୁ ପ୍ରେମ କରନ୍ତି । ଯିହୋବା ସୃଷ୍ଟି କରିଥିବା ସବୁ ଜିନିଷଗୁଡ଼ିକରୁ ତାଙ୍କର ପ୍ରଶଂସା ହୁଏ, ତାହା ଛୋଟ ହେଉ କିମ୍ବା ବଡ଼, ଆମଠାରୁ ଦୂରରେ ଥାଉ କିମ୍ବା ପାଖରେ । ଆମକୁ କେବଳ ସେଗୁଡ଼ିକୁ ଦେଖିବାର ଓ ଚିନ୍ତନ କରିବାର ଅଛି, ତେବେ ଆମେ ଯିହୋବାଙ୍କ ବିଷୟରେ ଆହୁରି ଜାଣିପାରିବା ।ଗୀତସଂହିତା ୧୪୮:୭-୧୦ ପଢ଼ନ୍ତୁ ।

୧୬. ଆମେ କʼଣ କରିବା ପାଇଁ ଦୃଢ଼ ନିଷ୍ପତ୍ତି ନେବା ଉଚିତ୍‌ ?

୧୬ ଆମ ଈଶ୍ୱର ବହୁତ ବୁଦ୍ଧିମାନ ଅଟନ୍ତି, ଶକ୍ତିଶାଳୀ ଅଟନ୍ତି, ଆମକୁ ବହୁତ ପ୍ରେମ କରନ୍ତି ଓ ସେ ସବୁକିଛି ବହୁତ ସୁନ୍ଦରତାର ସହ ସୃଷ୍ଟି କରିଛନ୍ତି । ଯଦି ଆମେ ନିଜ ଆଖପାଖର ସୃଷ୍ଟିକୁ ଦେଖିବା, ତେବେ ଆମେ ତାଙ୍କ ଏହି ଗୁଣଗୁଡ଼ିକୁ ସ୍ପଷ୍ଟ ଭାବେ ଦେଖିପାରିବା ଓ ତାଙ୍କ ବିଷୟରେ ଆହୁରି ବହୁତ କିଛି ଜାଣିପାରିବା । ତେବେ ଆସନ୍ତୁ ଆମେ ଯିହୋବାଙ୍କ ସୃଷ୍ଟିକୁ ଦେଖିବା ପାଇଁ ସମୟ କାଢ଼ିବା ଓ ଭାବିବା ଯେ ଆମେ ସେଗୁଡ଼ିକରୁ ତାଙ୍କ ବିଷୟରେ କʼଣ ଶିଖିପାରିବା । ଏପରି ଭାବେ ଆମେ ତାଙ୍କର ଆହୁରି ନିକଟତର ହୋଇପାରିବା । (ଯାକୁ. ୪:୮) ପରବର୍ତ୍ତୀ ଲେଖାରେ ଆମେ ଜାଣିବା ଯେ ବାପାମାଆ ନିଜ ପିଲାମାନଙ୍କୁ ସୃଷ୍ଟିକୁ ଦେଖାଇ କିପରି ଶିଖାଇପାରିବେ, ଯାହାଦ୍ୱାରା ସେମାନେ ମଧ୍ୟ ଯିହୋବାଙ୍କ ନିକଟତର ହୋଇପାରିବେ ।

ଗୀତ ୫ ୟହୋୱା କେ ବେଜୋଡ଼ କାମ୍‌

a ଯିହୋବା ଯାହା ବି ସୃଷ୍ଟି କରିଛନ୍ତି, ତାହା ବହୁତ ନିଆରା । ତାଙ୍କ ସୃଷ୍ଟିକୁ ଦେଖି ଆମେ ବହୁତ ଆଶ୍ଚର୍ଯ୍ୟ । ଯେପରିକି ଆଲୋକ ଶକ୍ତିରେ ଭରା ସୂର୍ଯ୍ୟ କିମ୍ବା ଫୁଲର କଢ଼ । ଯିହୋବାଙ୍କ ସୃଷ୍ଟିକୁ ଦେଖି ଆମେ ଏହା ବି ଜାଣିପାରୁ ଯେ ସେ କିପରି ଈଶ୍ୱର ଅଟନ୍ତି ଓ ତାଙ୍କ ଭିତରେ କେଉଁ କେଉଁ ଗୁଣ ରହିଛି । ଏହି ଲେଖାରେ ଆମେ ଜାଣିବା ଯେ ଆମେ କାହିଁକି ସମୟ ବାହାର କରି ସୃଷ୍ଟିକୁ ଦେଖିବା ଉଚିତ୍‌ ଓ ଏପରି କରିବା ଦ୍ୱାରା ଆମେ କିପରି ଯିହୋବାଙ୍କ ଆହୁରି ନିକଟତର ହୋଇପାରିବା ।