इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୩୫

ଧୈର୍ଯ୍ୟ ଧରିବା ଜାରି ରଖନ୍ତୁ

ଧୈର୍ଯ୍ୟ ଧରିବା ଜାରି ରଖନ୍ତୁ

‘ଦୀର୍ଘସହିଷ୍ଣୁତାର [“ଧୈର୍ଯ୍ୟ,” NWT] ଗୁଣ ପରିଧାନ କର ।’—କଲ. ୩:୧୨.

ଗୀତ ୧୧୪ “ସବ୍ର ରଖୋ”

ଲେଖାର ଝଲକ a

୧. ଆମେ ସେହି ଲୋକମାନଙ୍କୁ କାହିଁକି ପସନ୍ଦ କରୁ, ଯେଉଁମାନେ ଧୈର୍ଯ୍ୟ ଧରନ୍ତି ?

 ଆମେ ସେହି ଲୋକମାନଙ୍କୁ ପସନ୍ଦ କରୁ ଯେଉଁମାନେ ଧୈର୍ଯ୍ୟ ଧରନ୍ତି । କାହିଁକି ? କାରଣ ଯଦି ସେମାନଙ୍କୁ କୌଣସି କଥା ପାଇଁ ଅପେକ୍ଷା କରିବାକୁ ପଡ଼େ, ତେବେ ସେମାନେ ବ୍ୟସ୍ତ ହୁଅନ୍ତିନି । କିମ୍ବା ଆମ ଦ୍ୱାରା କୌଣସି ଭୁଲ ହୋଇଯାଏ, ତେବେ ସେମାନେ ଆମ ଉପରେ ରାଗନ୍ତିନି । ଯଦି ଆମକୁ କୌଣସି କଥା ବୁଝିବା ପାଇଁ ସମୟ ଲାଗେ, ତେବେ ବି ସେମାନେ ଧୈର୍ଯ୍ୟ ଧରନ୍ତି । ଯେପରି ଆମ ମଧ୍ୟରୁ କିଛି ଭାଇଭଉଣୀଙ୍କୁ ବାଇବଲର କୌଣସି ସତ୍ୟ ବୁଝିବା, ତାହା ମାନିବା କିମ୍ବା ତାʼଅନୁସାରେ ଚାଲିବାରେ ସମୟ ଲାଗିଥିଲା । କିନ୍ତୁ ଯେଉଁ ଭାଇ କିମ୍ବା ଭଉଣୀ ଆମକୁ ଶିଖାଉଥିଲେ, ସେମାନେ ହାର୍‌ ମାନିଲେନି । ଆଉ ସବୁଠୁ ବଡ଼ କଥା, ଆମେ ଯିହୋବାଙ୍କ କୃତଜ୍ଞ ଅଟୁ, କାରଣ ସେ ଆମ ପାଇଁ ଧୈର୍ଯ୍ୟ ଧରନ୍ତି ।—ରୋମୀ. ୨:୪.

୨. ଆମକୁ ଧୈର୍ଯ୍ୟ ଧରିବା ହୁଏତ କେବେ କଷ୍ଟ ଲାଗିପାରେ ?

ଯେବେ ଅନ୍ୟ ଲୋକମାନେ ଧୈର୍ଯ୍ୟ ଧରନ୍ତି, ତେବେ ଆମକୁ ବହୁତ ଭଲ ଲାଗେ, କିନ୍ତୁ ହୁଏତ ବେଳେବେଳେ ଆମକୁ ଧୈର୍ଯ୍ୟ ଧରିବା କଷ୍ଟ ଲାଗିପାରେ । ଯେପରି, ଯଦି ଆମେ ଟ୍ରାଫିକ୍‌ରେ ଫସିଯାଉ ଓ ଆମକୁ ଡେରି ବି ହୋଇଯାଉଛି, ତେବେ ହୁଏତ ଆମେ ଶାନ୍ତ ରହିପାରିବାନି । କିମ୍ବା କେହି ଆମକୁ ହଇରାଣ କରୁଥିବ, ତେବେ ହୁଏତ ଆମେ ନିଜକୁ କାବୁରେ ରଖିପାରିବାନି । ଆଉ ଅନେକଥର ହୁଏତ ଆମକୁ ନୂଆ ଦୁନିଆର ଅପେକ୍ଷା କରିବା ପାଇଁ ମଧ୍ୟ କଠିନ ଲାଗିପାରେ । ତାହେଲେ କʼଣ ଆପଣ ଆହୁରି ଧୈର୍ଯ୍ୟର ସହ କାମ କରିବା ପାଇଁ ଚାହାନ୍ତି ? ଏହି ଲେଖାରେ ଆମେ ଜାଣିବା ଯେ ଧୈର୍ଯ୍ୟ ଧରିବାର ଅର୍ଥ କʼଣ ଓ ଧୈର୍ଯ୍ୟ ଧରିବା କାହିଁକି ବହୁତ ଜରୁରୀ ଅଟେ । ତାʼପରେ ଆମେ ଏପରି କିଛି ଉପାୟ ଉପରେ ଚର୍ଚ୍ଚା କରିବା, ଯାହାକୁ ଧ୍ୟାନରେ ରଖିଲେ ଆମେ ଆହୁରି ଧୈର୍ଯ୍ୟ ଧରିପାରିବା ।

ଧୈର୍ଯ୍ୟ ଧରିବାର ଅର୍ଥ କʼଣ ?

୩. ଯେଉଁ ବ୍ୟକ୍ତି ଧୈର୍ଯ୍ୟ ଧରେ ତାକୁ ଯଦି କେହି ରଗାନ୍ତି, ତେବେ ସେ କʼଣ କରେ ?

ଆସନ୍ତୁ ଧ୍ୟାନ ଦେବା ଯେ ଯେଉଁ ବ୍ୟକ୍ତି ଧୈର୍ଯ୍ୟର ସହ କାମ କରେ, ତାଙ୍କଠାରେ କେଉଁ ଚାରୋଟି ବିଶେଷ କଥା ଦେଖିବାକୁ ମିଳେ । ପ୍ରଥମ କଥା, ଯେଉଁ ବ୍ୟକ୍ତି ଧୈର୍ଯ୍ୟ ଧରେ ସେ “କ୍ରୋଧରେ ଧୀର” ଥାଏ, ସେ ଶୀଘ୍ର ରାଗେନି ।  ଯେବେ ତାକୁ କେହି ରଗାନ୍ତି କିମ୍ବା ସେ ବହୁତ ଚିନ୍ତିତ ଥାଏ, ତେବେ ସେ ଶାନ୍ତ ରହେ ଓ ପ୍ରତିଶୋଧ ନେବା ପାଇଁ ଚେଷ୍ଟା କରେନି । କʼଣ ଆପଣ ଜାଣିଛନ୍ତି “କ୍ରୋଧରେ ଧୀର” ହେବାର କଥା ବାଇବଲରେ ପ୍ରଥମ ଥର ସେସମୟରେ ଲେଖାଗଲା, ଯେବେ ଯିହୋବାଙ୍କ ବିଷୟରେ କୁହାଗଲା ଯେ ସେ ‘ସ୍ନେହଶୀଳ ଓ କୃପାମୟ, କ୍ରୋଧରେ ଧୀର, ଅଟଳ ପ୍ରେମ ଓ ସତ୍ୟତାରେ ପରିପୂର୍ଣ୍ଣ’ ଅଟନ୍ତି ।—ଯାତ୍ରା. ୩୪:୬.

୪. ଯେଉଁ ବ୍ୟକ୍ତି ଧୈର୍ଯ୍ୟ ଧରେ ଯଦି ତାକୁ ଅପେକ୍ଷା କରିବାକୁ ପଡ଼େ, ତେବେ ସେ କʼଣ କରେ ?

ଦ୍ୱିତୀୟ କଥା, ଯେଉଁ ବ୍ୟକ୍ତି ଧୈର୍ଯ୍ୟ ଧରେ, ଯଦି କେବେ ତାକୁ ଅପେକ୍ଷା କରିବାକୁ ପଡ଼େ, ତେବେ ବି ସେ ଶାନ୍ତ ରହେ । ଯଦି କୌଣସି ଜିନିଷ ପାଇଁ ସେ ଯେତେ ଭାବିଥିଲା ତାʼଠାରୁ ଅଧିକ ସମୟ ଲାଗେ, ତେବେ ବି ସେ ଧୈର୍ଯ୍ୟ ଧରିବା ଛାଡ଼େନି କିମ୍ବା ଚିଡ଼ି ଯାଏନି । (ମାଥି. ୧୮:୨୬, ୨୭) ଏପରି ଅନେକ ପରିସ୍ଥିତି ହୋଇପାରେ ଯେବେ ଆମକୁ ଶାନ୍ତ ରହି ଅପେକ୍ଷା କରିବାର ଆବଶ୍ୟକ ପଡ଼େ । ଯେପରି, ଯଦି କେହି ଆମ ସହିତ କଥା ହେଉଛନ୍ତି, ତେବେ ଆମେ ଧ୍ୟାନର ସହ ତାଙ୍କ କଥା ଶୁଣିବା ଉଚିତ୍‌ ଓ ମଝିରେ କିଛି କହିବା ଉଚିତ୍‌ ନୁହେଁ । (ଆୟୁ. ୩୬:୨) କିମ୍ବା ଆମେ ବାଇବଲର କୌଣସି ଶିକ୍ଷା ବୁଝିବା କିମ୍ବା କୌଣସି ଖରାପ ଅଭ୍ୟାସ ଛାଡ଼ିବା ପାଇଁ ବିଦ୍ୟାର୍ଥୀକୁ ସାହାଯ୍ୟ କରୁଛୁ, ତେବେ ବି ହୁଏତ ଆମକୁ ଧୈର୍ଯ୍ୟ ଧରିବାକୁ ପଡ଼ିପାରେ ।

୫. ଯେଉଁ ବ୍ୟକ୍ତି ଧୈର୍ଯ୍ୟ ଧରେ, ସେ ଆଉ କʼଣ କରେ ?

ତୃତୀୟ କଥା, ଯେଉଁ ବ୍ୟକ୍ତି ଧୈର୍ଯ୍ୟ ଧରେ, ସେ ତରତର ହୋଇ କାମ କରେନି । ଏହା ସତ ଅଟେ ଯେ ଆମକୁ କିଛି କାମଗୁଡ଼ିକୁ ଶୀଘ୍ର ପୂରା କରିବାର ଥାଏ । କିନ୍ତୁ ଯେଉଁ ବ୍ୟକ୍ତି ଧୈର୍ଯ୍ୟ ଧରେ, ଯଦି ତାକୁ କୌଣସି ଜରୁରୀ କାମ କରିବାର ଅଛି, ତାହେଲେ ସେ ବିନା ଭାବିଚିନ୍ତି ତାହା ଆରମ୍ଭ କରିଦିଏନି ଓ ତରତର ହୋଇ ତାହାକୁ ପୂରା କରେନି । ତାʼପରିବର୍ତ୍ତେ ସେ ଟିକେ ସମୟ ବାହାର କରି ଭାବେ ଯେ ସେହି କାମକୁ ଭଲଭାବେ ପୂରା କରିବା ପାଇଁ କେତେ ସମୟ ଲାଗିବ । ଆଉ ତାʼପରେ ତାହାକୁ ପୂରା କରିବା ପାଇଁ ସେ ସେତେ ହିଁ ସମୟ ଦିଏ ।

୬. ଯେଉଁ ବ୍ୟକ୍ତି ଧୈର୍ଯ୍ୟ ଧରେ, ସେ ସମସ୍ୟାଗୁଡ଼ିକ ସମୟରେ କʼଣ କରେ ?

ଚତୁର୍ଥ କଥା, ଯେଉଁ ବ୍ୟକ୍ତି ଧୈର୍ଯ୍ୟ ଧରେ, ସେ ସମସ୍ୟାଗୁଡ଼ିକ ସମୟରେ ଅଭିଯୋଗ କରେନି । ପରିସ୍ଥିତି ଯେପରି ବି ଥାଉ ନା କାହିଁକି ସେ ଧୈର୍ଯ୍ୟ ଧରେ ଓ ସବୁକିଛି ଖୁସି ଖୁସି ସହିନିଏ । ଯେବେ ଆମେ କୌଣସି ସମସ୍ୟାର ସାମନା କରୁ, ତେବେ ହୁଏତ ଆମେ ନିଜ କୌଣସି ସାଙ୍ଗକୁ ଏହା କହିବା ପାଇଁ ଚାହୁଁଥିବା ଯେ ଆମେ କିପରି ଅନୁଭବ କରୁଛୁ । ଆଉ ଏପରି କରିବା ଭୁଲ ନୁହେଁ । କିନ୍ତୁ ଯଦି ଆମ ଭିତରେ ଧୈର୍ଯ୍ୟର ଗୁଣ ଥିବ, ତେବେ ଆମେ କେବଳ ନିଜର ସମସ୍ୟାଗୁଡ଼ିକ ବିଷୟରେ ଭାବୁ ନ ଥିବା, ବରଂ ଭଲ କଥାଗୁଡ଼ିକ ଉପରେ ଧ୍ୟାନ ଦେବା ଓ ଖୁସି ଖୁସି ଯିହୋବାଙ୍କ ସେବା କରିବା ପାଇଁ ପୂରା ଚେଷ୍ଟା କରିବା । (କଲ. ୧:୧୧) ଏବେ ଆମେ ଯେଉଁ କଥାଗୁଡ଼ିକ ଚର୍ଚ୍ଚା କଲୁ, ସେହି କଥାଗୁଡ଼ିକ ଉପରେ ଧ୍ୟାନ ଦେଇ ଆମ ଖ୍ରୀଷ୍ଟିୟାନମାନଙ୍କୁ ଧୈର୍ଯ୍ୟ ଧରିବା ଉଚିତ୍‌ । କିନ୍ତୁ ଧୈର୍ଯ୍ୟ ଧରିବା ଏତେ ଜରୁରୀ କାହିଁକି ଅଟେ ? ଆସନ୍ତୁ କିଛି କାରଣ ଉପରେ ଧ୍ୟାନ ଦେବା ।

ଧୈର୍ଯ୍ୟ ଧରିବା କାହିଁକି ବହୁତ ଜରୁରୀ ?

ଜଣେ ଚାଷୀ ଧୈର୍ଯ୍ୟ ଧରେ ଓ ତାକୁ ଭରସା ଥାଏ ଯେ ସମୟ ଆସିଲେ ତାକୁ ନିଶ୍ଚୟ ଫଳ ମିଳିବ । ସେହିପରି ଆମେ ବି ଧୈର୍ଯ୍ୟ ଧରୁ ଓ ଆମକୁ ଭରସା ଅଛି ଯେ ଯିହୋବା ସଠିକ୍‌ ସମୟରେ ନିଜର ସମସ୍ତ ପ୍ରତିଜ୍ଞା ପୂରା କରିବେ (ପାରାଗ୍ରାଫ ୭)

୭. ଯାକୁବ ୫:୭, ୮ ପଦ ଅନୁସାରେ ଧୈର୍ଯ୍ୟ ଧରିବା କାହିଁକି ବହୁତ ଜରୁରୀ ଅଟେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

ଧୈର୍ଯ୍ୟ ଧରିବା ଦ୍ୱାରା ହିଁ ଆମକୁ ଅନନ୍ତ ଜୀବନ ମିଳିପାରିବ । ପ୍ରାଚୀନ ସମୟରେ ଈଶ୍ୱରଙ୍କ ସେବକମାନେ ଯିହୋବାଙ୍କ ପ୍ରତିଜ୍ଞା ପୂରା ହେବାର ଅପେକ୍ଷା କଲେ । ସେମାନଙ୍କ ଭଳି ଆମକୁ ବି ଧୈର୍ଯ୍ୟ ଧରିବାର ଅଛି । (ଏବ୍ରୀ ୬:୧୧, ୧୨) ବାଇବଲରେ କୁହାଯାଇଛି ଯେ ଆମେ ଜଣେ ଚାଷୀ ଭଳି ଅଟୁ । (ଯାକୁବ ୫:୭, ୮ ପଢ଼ନ୍ତୁ ।) ଜଣେ ଚାଷୀ ବୀଜ ବୁଣିବା ପାଇଁ ବହୁତ ପରିଶ୍ରମ କରେ ଓ ଲଗାତାର ସେଥିରେ ପାଣି ମଧ୍ୟ ଦିଏ । କିନ୍ତୁ ତାକୁ ଏହାଜଣା ନ ଥାଏ ଯେ ସେହି ବୀଜଟି କେବେ ବଢ଼ିବ, ତେଣୁ ସେ ଧୈର୍ଯ୍ୟ ଧରେ । ତାକୁ ଭରସା ଥାଏ ଯେ ଦିନେ ତାʼପରିଶ୍ରମର ଫଳ ମିଳିବ । ସେହିପରି ଆଜି ଆମେ ବି ‘[ଆମ] ପ୍ରଭୁ କେଉଁ ଦିନ ଆସିବେ, ତାହା ଜାଣି ନାହୁଁ ।’ ତଥାପି ଆମେ ଈଶ୍ୱରଙ୍କ ଲଗାତାର ସେବା କରୁ । (ମାଥି. ୨୪:୪୨) ଆମେ ଧୈର୍ଯ୍ୟ ଧରୁ ଓ ଆମକୁ ପୂରା ଭରସା ଅଛି ଯେ ଯିହୋବା ସଠିକ୍‌ ସମୟରେ ନିଜର ସମସ୍ତ ପ୍ରତିଜ୍ଞା ପୂରା କରିବେ । ଯଦି ଆମେ ଧୈର୍ଯ୍ୟ ଧରିବାନି, ତେବେ ହୁଏତ ଆମକୁ ଅପେକ୍ଷା କରିବା କଷ୍ଟ ଲାଗିପାରେ ଓ ଆମେ ଧୀରେ ଧୀରେ ଯିହୋବାଙ୍କଠାରୁ ଦୂରେଇ ଯାଇପାରୁ । ହୋଇପାରେ, ଆମେ ଏପରି ଜିନିଷଗୁଡ଼ିକ ପଛରେ ଗଡ଼ାଇବାକୁ ଲାଗିବା, ଯେଉଁଥିରୁ ଲାଗିପାରେ ଯେ ଏବେ ଆମକୁ ସବୁ ଖୁସି ମିଳିଯିବ । କିନ୍ତୁ ଯଦି ଆମେ ଧୈର୍ଯ୍ୟ ଧରିବା, ତେବେ ଶେଷ ପର୍ଯ୍ୟନ୍ତ ସାହସର ସହ ସବୁ ସମସ୍ୟାର ସାମନା କରିପାରିବା ଓ ଉଦ୍ଧାର ପାଇପାରିବା ।—ମୀଖା ୭:୭; ମାଥି. ୨୪:୧୩.

୮. ଧୈର୍ଯ୍ୟ ଧରିବା ଦ୍ୱାରା ଆମେ ଅନ୍ୟମାନଙ୍କ ସହ କିପରି ବ୍ୟବହାର କରିପାରିବା ? (କଲସୀୟ ୩:୧୨, ୧୩)

ଧୈର୍ଯ୍ୟ ଧରିବା ଦ୍ୱାରା ଅନ୍ୟମାନଙ୍କ ସହ ଆମ ସମ୍ପର୍କ ଭଲ ରହେ । ଧୈର୍ଯ୍ୟ ଧରିବା ଦ୍ୱାରା ଆମେ ଧ୍ୟାନର ସହ ଅନ୍ୟମାନଙ୍କ କଥା ଶୁଣିବା । (ଯାକୁ. ୧:୧୯) ଆମ ମଧ୍ୟରେ ଶାନ୍ତି ବି ବଜାଏ ରହିବ । ଯେବେ ଆମେ ଚିନ୍ତିତ ହେବା, ତେବେ ଆମେ ବିନା ଭାବିଚିନ୍ତି କିଛି ବି କରିବାନି ଓ କାହାରିକୁ ବି ଓଲଟା ସିଧା କଥା କହିବାନି । ତାʼଛଡ଼ା ଯଦି କେହି ଆମକୁ ଆଘାତ ପହଞ୍ଚାଏ ତେବେ ଆମେ ଶୀଘ୍ର ରାଗିବାନି, କିମ୍ବା ପ୍ରତିଶୋଧ ନେବା ପାଇଁ ଚେଷ୍ଟା କରିବାନି । ତାʼପରିବର୍ତ୍ତେ ‘ପରସ୍ପର ପ୍ରତି ସହନଶୀଳ ହେବା, ଆଉ ଏକକୁଆରେକ କ୍ଷମା କରିବା ।’କଲସୀୟ ୩:୧୨, ୧୩ ପଢ଼ନ୍ତୁ ।

୯. ଧୈର୍ଯ୍ୟ ଧରିବା ଦ୍ୱାରା ଆମେ କିପରି ସଠିକ୍‌ ନିଷ୍ପତ୍ତି ନେଇପାରିବା ? (ହିତୋପଦେଶ ୨୧:୫)

ଧୈର୍ଯ୍ୟ ଧରିବା ଦ୍ୱାରା ଆମେ ଭଲ ନିଷ୍ପତ୍ତି ବି ନେଇପାରୁ । ଆମେ ବିନା ଭାବିଚିନ୍ତି କିମ୍ବା ତରତର ହୋଇ କିଛି ବି କରି ନ ଥାଉ, ବରଂ ଆମେ ସମୟ ବାହାର କରି ଅନୁସନ୍ଧାନ କରୁ ଯେ କʼଣ କରିବା ସବୁଠୁ ଭଲ ରହିବ । (ହିତୋପଦେଶ ୨୧:୫ ପଢ଼ନ୍ତୁ ।) ଉଦାହରଣ ପାଇଁ, ଯଦି ଆମେ କୌଣସି ଚାକିରି ଖୋଜୁଛୁ, ତେବେ ହୁଏତ ଆମକୁ ଇଛା ହେବ ଯେ ଆମକୁ ଯାହା ବି ଚାକିରି ମିଳୁଛି ଆମେ ତାହା କରି ନେଉ, ଯଦିଓ ତାʼଯୋଗୁଁ ସଭା ଓ ପ୍ରଚାର ପାଇଁ ଆମ ପାଖରେ ସମୟ ହିଁ ବଞ୍ଚିବନି । କିନ୍ତୁ ଯଦି ଆମେ ଧୈର୍ଯ୍ୟ ଧରିବା, ତେବେ ସମୟ ବାହାର କରି ଭାବିବା ଯେ ସେହି ଚାକିରି ପାଇଁ ଆମକୁ କେତେ ଦୂର ଯିବାକୁ ପଡ଼ିବ, କେତେ ସମୟ ଦେବାକୁ ପଡ଼ିବ ଓ ସେହି ଚାକିରି ଯୋଗୁଁ ଆମ ପରିବାର ଓ ଯିହୋବାଙ୍କ ସହ ଆମ ସମ୍ପର୍କ ଉପରେ କʼଣ ପ୍ରଭାବ ପଡ଼ିବ । ଯଦି ଆମେ ଧୈର୍ଯ୍ୟ ଧରିବା, ତେବେ ହୁଏତ ଆମେ ଏପରି କୌଣସି ନିଷ୍ପତ୍ତି ନେବାନି ଯାହାଦ୍ୱାରା ପରେ ଆମକୁ ଅବଶୋଷ ହେବ ।

ଆମେ ଧୈର୍ଯ୍ୟ ଧରିବାର ଗୁଣକୁ ଆହୁରି କିପରି ବଢ଼ାଇପାରିବା ?

୧୦. ଜଣେ ଖ୍ରୀଷ୍ଟିୟାନ ଲଗାତାର ଧୈର୍ଯ୍ୟ ଧରିବା ଓ ତାହାକୁ ନିଜର ଅଭ୍ୟାସ କରିବା ପାଇଁ କʼଣ କରିପାରିବ ?

୧୦ ଆହୁରି ଧୈର୍ଯ୍ୟର ସହ କାମ କରିବା ପାଇଁ ପ୍ରାର୍ଥନା କରନ୍ତୁ । ଧୈର୍ଯ୍ୟ ପବିତ୍ର ଶକ୍ତିର ଫଳର ଏକ ଅଂଶ ଅଟେ । (ଗାଲା. ୫:୨୨, ୨୩) ତେଣୁ ଯିହୋବାଙ୍କୁ ପବିତ୍ର ଶକ୍ତି ମାଗନ୍ତୁ ଓ ବିନତି କରନ୍ତୁ ଯେ ଆପଣ ଧୈର୍ଯ୍ୟ ଧରିପାରିବେ । ଯଦି ଆପଣଙ୍କ ଆଗରେ କେବେ ଏପରି ପରିସ୍ଥିତି ଆସେ, ଯେବେ ଆପଣଙ୍କୁ ଧୈର୍ଯ୍ୟ ଧରିବା କଠିନ ଲାଗେ, ତେବେ ଲଗାତାର ପବିତ୍ର ଶକ୍ତି ‘ମାଗନ୍ତୁ ।’ (ଲୂକ ୧୧:୯, ୧୩) ଆମେ ଯିହୋବାଙ୍କୁ ଏହା ବି ବିନତି କରିବା ଯେ ଆମେ ପରିସ୍ଥିତିକୁ ସେହିପରି ଦେଖିପାରୁ, ଯେପରି ସେ ଦେଖନ୍ତି । ଆଉ ପ୍ରାର୍ଥନା କରିସାରିଲା ପରେ ପ୍ରତିଦିନ ଆମକୁ ଧୈର୍ଯ୍ୟ ଧରିବା ପାଇଁ ଚେଷ୍ଟା କରିବା ଉଚିତ୍‌ । ଧୈର୍ଯ୍ୟ ଧରିବା ପାଇଁ ଆମେ ଯେତେ ଅଧିକ ପ୍ରାର୍ଥନା କରିବା ଓ ଏପରି କରିବା ପାଇଁ ଚେଷ୍ଟା କରିବା, ସେତେ ଅଧିକ ଆମେ ଧୈର୍ଯ୍ୟ ଧରିପାରିବା ଓ ତାʼପରେ ଏପରି କରିବାର ଆମକୁ ଅଭ୍ୟାସ ହୋଇଯିବ ।

୧୧-୧୨. ଯିହୋବା କିପରି ଧୈର୍ଯ୍ୟ ଧରିଛନ୍ତି ?

୧୧ ବାଇବଲରେ ଦିଆଯାଇଥିବା ଉଦାହରଣଗୁଡ଼ିକ ଉପରେ ଚିନ୍ତନ କରନ୍ତୁ । ବାଇବଲରେ ଏପରି ଲୋକମାନଙ୍କ ବିଷୟରେ କୁହାଯାଇଛି, ଯେଉଁମାନେ ଧୈର୍ଯ୍ୟର ସହ କାମ କଲେ । ସେହି ଲୋକମାନଙ୍କ ଘଟଣାଗୁଡ଼ିକୁ ପଢ଼ି ଓ ତାʼଉପରେ ଚିନ୍ତନ କରି ଆମେ ଜାଣିପାରିବା ଯେ ଆମେ କିପରି ଅଲଗା ଅଲଗା ପରିସ୍ଥିତିରେ ଧୈର୍ଯ୍ୟର ସହ କାମ କରିପାରିବା । ଆସନ୍ତୁ ସେମଧ୍ୟରୁ କିଛି ଲୋକମାନଙ୍କ ଉଦାହରଣ ଉପରେ ଧ୍ୟାନ ଦେବା । ସବୁଠୁ ଆଗ ଆମେ ଯିହୋବାଙ୍କ ଉଦାହରଣ ଉପରେ ଧ୍ୟାନ ଦେବା, ଯିଏ ଧୈର୍ଯ୍ୟ ଧରିବାର ସବୁଠୁ ବଢ଼ିଆ ଉଦାହରଣ ଅଟନ୍ତି ।

୧୨ ଏଦନ ଉଦ୍ୟାନରେ ଶୟତାନ ଯିହୋବାଙ୍କୁ ବଦନାମ କଲା ଓ ଏହି ଆରୋପ ଲଗାଇଲା ଯେ ଯିହୋବା ଭଲ ରାଜା ନୁହନ୍ତି ଓ ସେ ମଣିଷମାନଙ୍କୁ ପ୍ରେମ କରନ୍ତି ନାହିଁ । ଯିହୋବା ଚାହିଁଥିଲେ ସେସମୟରେ ହିଁ ଶୟତାନକୁ ଶେଷ କରିପାରିଥାନ୍ତେ । କିନ୍ତୁ ସେ ସଂଯମ ରଖିଲେ ଓ ଧୈର୍ଯ୍ୟର ସହ କାମ କଲେ । କାରଣ ସେ ଜାଣିଥିଲେ ଯେ ତାଙ୍କ ଶାସନ ସବୁଠୁ ଭଲ ଅଟେ, ଏହା ପ୍ରମାଣିତ କରିବା ପାଇଁ ସମୟ ଲାଗିବ । ଆଉ ଭାବନ୍ତୁ ଯେ ଯିହୋବା ଏତେ ବର୍ଷରୁ ଧୈର୍ଯ୍ୟ ଧରୁଛନ୍ତି ଓ ତାଙ୍କ ନାମରେ ଲାଗିଥିବା କଳଙ୍କକୁ ସହୁଛନ୍ତି । ଯିହୋବା ଏଥିପାଇଁ ଧୈର୍ଯ୍ୟ ଧରୁଛନ୍ତି, କାରଣ ସେ ଚାହାନ୍ତି ଯେ ଅଧିକାଂଶ ଲୋକମାନଙ୍କୁ ଅନନ୍ତ ଜୀବନର ସୁଯୋଗ ମିଳୁ । (୨ ପିତ. ୩:୯, ୧୫) ତେଣୁ ଲକ୍ଷ ଲକ୍ଷ ଲୋକମାନେ ତାଙ୍କୁ ଜାଣିପାରିଛନ୍ତି । ଯଦି ଆମେ ଏହା ଧ୍ୟାନ ଦେବା ଯେ ଯିହୋବାଙ୍କ ଧୈର୍ଯ୍ୟ ଧରିବାର ଅନେକ ଲାଭ ଅଛି, ତେବେ ଆମକୁ ସେହି ସମୟ ଯାଏ ଅପେକ୍ଷା କରିବା ଆହୁରି ସହଜ ହୋଇଯିବ, ଯେବେ ଯିହୋବା ଦୁଷ୍ଟ ଦୁନିଆର ବିନାଶ କରିବେ ।

ଯଦି ଆମ ଭିତରେ ଧୈର୍ଯ୍ୟର ଗୁଣ ଥିବ, ତେବେ ଆମକୁ ବିରକ୍ତ କରାଗଲେ ବି ଆମେ ରାଗିବାନି (ପାରାଗ୍ରାଫ ୧୩)

୧୩. ଯୀଶୁ କିଭଳି ନିଜ ପିତାଙ୍କ ଭଳି ଧୈର୍ଯ୍ୟ ଧରିଲେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୩ ଯୀଶୁ ନିଜ ପିତାଙ୍କ ଭଳି ଧୈର୍ଯ୍ୟ ଧରିଲେ । ପୃଥିବୀରେ ଥିବା ବେଳେ ସେ ଏହା ଅନେକଥର ପ୍ରମାଣିତ କଲେ । କିନ୍ତୁ ସବୁବେଳେ ତାଙ୍କ ପାଇଁ ଧୈର୍ଯ୍ୟର ସହ କାମ କରିବା ସହଜ ହୋଇ ନ ଥିବ, ବିଶେଷ କରି ଶାସ୍ତ୍ରୀ ଓ ଫାରୂଶୀମାନଙ୍କ ସହ ବ୍ୟବହାର କରିବା ସମୟରେ । (ଯୋହ. ୮:୨୫-୨୭) ତଥାପି ଯୀଶୁ ନିଜ ପିତାଙ୍କ ଭଳି ଶୀଘ୍ର ରାଗୁ ନ ଥିଲେ । ଯେବେ ବିରୋଧୀମାନେ ତାଙ୍କ ଅପମାନ କଲେ କିମ୍ବା ତାଙ୍କୁ ରଗାଇଲେ, ତେବେ ସେ ପ୍ରତିଶୋଧ ନେଲେନି । (୧ ପିତ. ୨:୨୩) ଆଉ ଯେବେ ସମସ୍ୟାଗୁଡ଼ିକ ଆସିଲା, ତେବେ ସେ ଅଭିଯୋଗ କଲେନି । ସେ ଧୈର୍ଯ୍ୟର ସହ ସବୁକିଛି ସହି ନେଲେ । ତେଣୁ ବାଇବଲରେ ଆମକୁ କୁହାଯାଇଛି, ଯୀଶୁ ‘ପାପୀମାନଙ୍କଠାରୁ ଆପଣା ବିରୁଦ୍ଧରେ ଏଡ଼େ ପ୍ରତିକୂଳାଚରଣ ସହ୍ୟ କଲେ, ତାହାଙ୍କ ବିଷୟ ଚିନ୍ତନ କର ।’ (ଏବ୍ରୀ ୧୨:୨, ୩) ଯିହୋବାଙ୍କ ସାହାଯ୍ୟରୁ ଆମେ ବି ଧୈର୍ଯ୍ୟ ଧରିପାରିବା ଓ ଆମ ଉପରେ ଯେକୌଣସି ସମସ୍ୟା ଆସିଲେ ମଧ୍ୟ ଆମେ ତାହା ଧୈର୍ଯ୍ୟର ସହ ସହିନେବା ।

ଯଦି ଅବ୍ରହାମଙ୍କ ପରି ଆମେ ବି ଧୈର୍ଯ୍ୟ ଧରିବା, ତେବେ ଆମେ ଭରସା ରଖିପାରିବା ଯେ ଯିହୋବା ଆମକୁ ଆଜି ପୁରସ୍କାର ଦେବେ ଓ ନୂଆ ଦୂନିଆରେ ମଧ୍ୟ ଅନେକ ଆଶିଷ ଦେବେ (ପାରାଗ୍ରାଫ ୧୪)

୧୪. ଅବ୍ରହାମ ଯେପରି ଭାବେ ଧୈର୍ଯ୍ୟ ଧରିଲେ, ସେଥିରୁ ଆମେ କʼଣ ଶିଖିପାରିବା ? (ଏବ୍ରୀ ୬:୧୫) (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୪ ହୋଇପାରେ, ଆମ ମଧ୍ୟରୁ ଅନେକେ ଲମ୍ବା ସମୟରୁ ଶେଷ ସମୟର ଅପେକ୍ଷା କରୁଥିବା । ଆଉ ଏବେ ଆମକୁ ଲାଗୁଥିବ ଯେ ଆମ ବଞ୍ଚିଥିବା ଯାଏ ବିନାଶ ଆସିବନି । ଏପରି ସମୟରେ ଧୈର୍ଯ୍ୟର ସହ କାମ କରିବା ପାଇଁ ଆମକୁ କେଉଁ କଥା ସାହାଯ୍ୟ କରିପାରିବ ? ଟିକେ ଅବ୍ରହାମଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଏହା ସେସମୟର କଥା ଅଟେ, ଯେବେ ସେ ୭୫ ବର୍ଷର ଥିଲେ । ଅବ୍ରହାମଙ୍କ କୌଣସି ସନ୍ତାନ ନ ଥିଲେ । କିନ୍ତୁ ଯିହୋବା ତାଙ୍କୁ ପ୍ରତିଜ୍ଞା କଲେ, “ଆମ୍ଭେ ତୁମ୍ଭଠାରୁ ଏକ ମହାଗୋଷ୍ଠୀ ଉତ୍ପନ୍ନ କରିବା ।” (ଆଦି. ୧୨:୧-୪) କʼଣ ଅବ୍ରହାମ ଏହି ପ୍ରତିଜ୍ଞା ପୂରା ହେବାର ଦେଖିଲେ ? ପୂରାପୂରି ନୁହେଁ । ଫରାତ ନଦୀ ପାର କରିବା ପରେ ସେ ୨୫ ବର୍ଷ ଅପେକ୍ଷା କଲେ । ତାʼପରେ ଯିହୋବା ଚମତ୍କାର କଲେ ଓ ଅବ୍ରହାମଙ୍କ ପୁଅ ଇସ୍‌ହାକ ଜନ୍ମ ହେଲା । ୬୦ ବର୍ଷ ପରେ ତାଙ୍କ ଦୁଇଜଣ ନାତି ଏସାବ ଓ ଯାକୁବ ଜନ୍ମ ହେଲେ । (ଏବ୍ରୀ ୬:୧୫ ପଢ଼ନ୍ତୁ ।) ଅବ୍ରହାମ ନିଜ ବଂଶକୁ ଗୋଟିଏ ବଡ଼ ରାଷ୍ଟ୍ର ହେବାର ଦେଖିଲେନି । ଆଉ ତାଙ୍କ ବଞ୍ଚିଥିବା ଯାଏ ସେ ପ୍ରତିଜ୍ଞାତ ଦେଶରେ ବି ଯାଇ ରହିପାରିଲେନି । କିନ୍ତୁ ଅବ୍ରହାମ ଯିହୋବାଙ୍କ ବିଶ୍ୱସ୍ତ ରହିଲେ ଓ ଏହି କାରଣ ଯୋଗୁଁ ସେ ଯିହୋବାଙ୍କ ଭଲ ସାଙ୍ଗ ଥିଲେ । (ଯାକୁ. ୨:୨୩) ଭାବନ୍ତୁ, ଯେବେ ସେ ଜୀବିତ ହେବେ, ତେବେ ଏହାଜାଣି ତାଙ୍କୁ କେତେ ଖୁସି ହେବ ଯେ ତାଙ୍କ ବିଶ୍ୱାସ ଓ ଧୈର୍ଯ୍ୟ ଧରିବା ଯୋଗୁଁ ସବୁ ରାଷ୍ଟ୍ରକୁ ଆଶିଷ ମିଳିଲା । (ଆଦି. ୨୨:୧୮) ଏଥିରୁ ଆମେ କʼଣ ଶିଖୁ ? ହୋଇପାରେ, ଆମେ ତୁରନ୍ତ ଯିହୋବାଙ୍କ ପ୍ରତିଜ୍ଞା ପୂରା ହେବାର ଦେଖିପାରିବାନି । କିନ୍ତୁ ଅବ୍ରହାମଙ୍କ ଭଳି ଯଦି ଆମେ ଧୈର୍ଯ୍ୟ ଧରିବା, ତେବେ ଭରସା ରଖିପାରିବା ଯେ ଯିହୋବା କେବଳ ଆଜି ଆମକୁ ପୁରସ୍କାର ଦେବେନି, ବରଂ ନୂଆ ଦୁନିଆରେ ଅନେକ ଆଶିଷ ଦେବେ ।—ମାର୍କ ୧୦:୨୯, ୩୦.

୧୫. ଆମେ କେଉଁ ବିଷୟରେ ବ୍ୟକ୍ତିଗତ ଅଧ୍ୟୟନ କରିପାରିବା ?

୧୫ ବାଇବଲରେ ଏପରି ଅନେକ ଲୋକଙ୍କ ଉଦାହରଣ ଦିଆଯାଇଛି, ଯେଉଁମାନେ ଧୈର୍ଯ୍ୟର ସହ କାମ କଲେ । (ଯାକୁ. ୫:୧୦) ତାʼହେଲେ ଭଲ ହେବ ଯେ ଆମେ ବ୍ୟକ୍ତିଗତ ଅଧ୍ୟୟନ କରିବା ସମୟରେ ଏପରି ବ୍ୟକ୍ତିମାନଙ୍କ ବିଷୟରେ ଅନୁସନ୍ଧାନ କରୁ ଓ ତାଙ୍କଠାରୁ ଶିଖୁ । b ଯେପରି, ଆପଣ ଦାଉଦଙ୍କ ବିଷୟରେ ଅଧ୍ୟୟନ କରିପାରିବେ । ଯେବେ ସେ ଛୋଟ ଥିଲେ ସେସମୟରେ ହିଁ ତାଙ୍କୁ ଇସ୍ରାଏଲର ରାଜା ହେବା ପାଇଁ ଅଭିଷେକ କରାଯାଇଥିଲା । କିନ୍ତୁ ରାଜା ହେବା ପାଇଁ ତାଙ୍କୁ ଅନେକ ବର୍ଷ ଯାଏ ଅପେକ୍ଷା କରିବାକୁ ପଡ଼ିଲା । ଶିମୀୟୋନ ଓ ହାନ୍ନା ଅନେକ ବର୍ଷରୁ ମସୀହଙ୍କୁ ଦେଖିବା ପାଇଁ ଅପେକ୍ଷା କଲେ । ଆଉ ସେସମୟ ଯାଏ ସେମାନେ ବିଶ୍ୱସ୍ତତାର ସହ ଲଗାତାର ଯିହୋବାଙ୍କ ସେବା କଲେ । (ଲୂକ ୨:୨୫, ୩୬-୩୮) ଯେବେ ଆପଣ ସେହି ଘଟଣାଗୁଡ଼ିକୁ ପଢ଼ନ୍ତି, ତେବେ ଏହି ପ୍ରଶ୍ନଗୁଡ଼ିକ ବିଷୟରେ ଭାବନ୍ତୁ: ‘ଏହି ବ୍ୟକ୍ତି କାହିଁକି ଧୈର୍ଯ୍ୟର ସହ କାମ କରିପାରିଲେ ? ଧୈର୍ଯ୍ୟ ଧରିବା ଯୋଗୁଁ ତାଙ୍କୁ କʼଣ ଲାଭ ହେଲା ? ମୁଁ ତାଙ୍କ ଭଳି କିପରି ହୋଇପାରିବି ?’ ସେହି ଲୋକମାନଙ୍କ ବିଷୟରେ ବି ଆପଣ ପଢ଼ିପାରିବେ, ଯେଉଁମାନେ ଧୈର୍ଯ୍ୟର ସହ କାମ କଲେନି । (୧ ଶାମୁ. ୧୩:୮-୧୪) ସେମାନଙ୍କ ବିଷୟରେ ଅଧ୍ୟୟନ କରିବା ସମୟରେ ଭାବନ୍ତୁ: ‘ଏହି ବ୍ୟକ୍ତି କାହିଁକି ଧୈର୍ଯ୍ୟ ଧରିପାରିଲାନି ? ଏହା ଯୋଗୁଁ ତାକୁ କେଉଁ ପରିଣାମଗୁଡ଼ିକ ଭୋଗିବାକୁ ପଡ଼ିଲା ?’

୧୬. ଧୈର୍ଯ୍ୟ ଧରିବାର ଲାଭଗୁଡ଼ିକ ବିଷୟରେ କହନ୍ତୁ ।

୧୬ ଧୈର୍ଯ୍ୟ ଧରିବାର ଲାଭଗୁଡ଼ିକ ବିଷୟରେ ଭାବନ୍ତୁ । ଯେବେ ଆମେ ଧୈର୍ଯ୍ୟ ଧରୁ, ତେବେ ଆହୁରି ଖୁସି ରହିପାରୁ ଓ ଶାନ୍ତ ରହୁ । ଏହା ଯୋଗୁଁ ଆମେ ଶାରୀରିକ ଓ ମାନସିକ ଭାବେ ଭଲ ରହୁ ଓ ଅଯଥା କଥାଗୁଡ଼ିକୁ ନେଇ ଚିନ୍ତିତ ହୋଇ ନ ଥାଉ । ଧୈର୍ଯ୍ୟ ଧରିବା ଯୋଗୁଁ ଅନ୍ୟମାନଙ୍କ ସହ ଆମ ସମ୍ପର୍କ ମଧ୍ୟ ଭଲ ହୋଇଯାଏ । ମଣ୍ଡଳୀରେ ଏକତାର ବନ୍ଧନ ଆହୁରି ଦୃଢ଼ ହୋଇଯାଏ । ଆଉ ଯଦି କେହି ଆମକୁ ବିରକ୍ତ କରାଇବା ପାଇଁ ଚେଷ୍ଟା କରେ, ତେବେ ଆମେ ଶୀଘ୍ର ରାଗି ନ ଥାଉ, ଆଉ ତାʼଯୋଗୁଁ କୌଣସି ବଡ଼ ସମସ୍ୟା ସୃଷ୍ଟି ହୁଏନି । (ଗୀତ. ୩୭:୮; ହିତୋ. ୧୪:୨୯) ସବୁଠୁ ବଡ଼ କଥା, ଧୈର୍ଯ୍ୟ ଧରିବା ଦ୍ୱାରା ଆମେ ନିଜ ପିତା ଯିହୋବାଙ୍କ ଭଳି ହେଉ ଓ ତାଙ୍କ ଆହୁରି ନିକଟତର ହୋଇଯାଉ ।

୧୭. ଆମେ କʼଣ ଦୃଢ଼ ନିଷ୍ପତ୍ତି ନେବା ଉଚିତ୍‌ ?

୧୭ ସତରେ, ଧୈର୍ଯ୍ୟ ବହୁତ ବଢ଼ିଆ ଗୁଣ ଅଟେ ଓ ଏହି ଗୁଣ ଦ୍ୱାରା ଅନେକ ଲାଭ ହୁଏ । ଧୈର୍ଯ୍ୟ ଧରିବା ସବୁବେଳେ ସହଜ ହୋଇ ନ ଥାଏ, କିନ୍ତୁ ଯିହୋବାଙ୍କ ସାହାଯ୍ୟରୁ ଆମେ ଆହୁରି ଧୈର୍ଯ୍ୟର ସହ କାମ କରିପାରିବା । ଆଉ ଯେବେ ଯାଏ ଆମେ ‘ଯିହୋବାଙ୍କ ପ୍ରତି ଦୃଷ୍ଟି ରଖୁଛୁ’ ଓ ନୂଆ ଦୁନିଆର “ଅପେକ୍ଷା” କରୁଛୁ, ସେସମୟ ଯାଏ ଆମେ ଭରସା ରଖିପାରିବା ଯେ ଯିହୋବା ଆମ ସାହାଯ୍ୟ କରିବେ ଓ ଆମ ରକ୍ଷା କରିବେ । (ମୀଖା ୭:୭) ତାହେଲେ ଆସନ୍ତୁ ଦୃଢ଼ ନିଷ୍ପତ୍ତି ନେବା ଯେ ଆମେ ସବୁବେଳେ ‘ଧୈର୍ଯ୍ୟର ଗୁଣ ପରିଧାନ’ କରି ରହିବା ।

ଗୀତ ୪୧ ମେରି ଦୁଆ ଶୁନ !

a ଆଜି ଶୟତାନର ଏହି ଦୁନିଆରେ ଅଧିକାଂଶ ଲୋକ ଧୈର୍ଯ୍ୟ ଧରନ୍ତିନି । କିନ୍ତୁ ବାଇବଲରେ ଲେଖାଅଛି ଯେ ଆମକୁ ‘ଧୈର୍ଯ୍ୟର ଗୁଣ ପରିଧାନ’ କରିବାର ଅଛି । ଏହି ଲେଖାରେ ଆମେ ଜାଣିବା ଯେ ଧୈର୍ଯ୍ୟ ଧରିବା କାହିଁକି ବହୁତ ଜରୁରୀ । ଆଉ ଆମେ କିପରି ଆହୁରି ଧୈର୍ଯ୍ୟର ସହ କାମ କରିପାରିବା ।

b ଧୈର୍ଯ୍ୟ ଧରିବା ବିଷୟରେ ବାଇବଲରେ ଥିବା ଘଟଣାଗୁଡ଼ିକୁ ଖୋଜିବା ପାଇଁ ଯିହୋବାଙ୍କ ସାକ୍ଷୀମାନଙ୍କ ପାଇଁ ଗବେଷଣା ଗାଇଡ୍‌ରେ “ଭାୱନାଏଁ, ଗୁଣ ଔର୍‌ ବ୍ୟବହାର୍‌” ବିଷୟ ତଳେ ଦିଆଯାଇଥିବା ଉପଶୀର୍ଷକ “ସବ୍ର” ଦେଖନ୍ତୁ ।