इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୧୯୨୩—ଶହେ ବର୍ଷ ପୂର୍ବେ

୧୯୨୩—ଶହେ ବର୍ଷ ପୂର୍ବେ

‘ଏପରି ଲାଗେ ଯେ ୧୯୨୩ ବଡ଼ ରୋମାଞ୍ଚକ ବର୍ଷ ହେବ । ଆମ ପାଖରେ ଏକ ସୁବର୍ଣ୍ଣ ସୁଯୋଗ ଥିବ ଯେ ଆମେ ଦୁଃଖୀ ଲୋକମାନଙ୍କୁ ଏହା ସାକ୍ଷ୍ୟ ଦେବା ଯେ ଖୁବ୍‌ ଶୀଘ୍ର ପରିସ୍ଥିତି ଠିକ୍‌ ହୋଇଯିବ ।’ ଏହି କଥା ୧ ଜାନୁୟାରୀ, ୧୯୨୩ ମସିହାର ପ୍ରହରୀଦୁର୍ଗରେ ଲେଖା ହୋଇଥିଲା । ଆଉ ସତରେ ସେହି ବର୍ଷ ବହୁତ ରୋମାଞ୍ଚକ ଥିଲା । ବାଇବଲ ବିଦ୍ୟାର୍ଥୀମାନେ ନିଜ ସଭାଗୁଡ଼ିକରେ, ଅଧିବେଶନଗୁଡ଼ିକରେ ଆଉ ପ୍ରଚାର କରିବାର ଉପାୟରେ ଅନେକ ପରିବର୍ତ୍ତନ କଲେ, ଯାହାଦ୍ୱାରା ସମସ୍ତଙ୍କ ମଧ୍ୟରେ ଏକତା ଆହୁରି ବଢ଼ିଗଲା । ଆଜି ବି ଏହି ଏକତା ସ୍ପଷ୍ଟଭାବେ ଦେଖାଯାଇପାରେ ।

ସଭାଗୁଡ଼ିକରୁ ଏକତା ବଢ଼ିଲା

କ୍ୟାଲଣ୍ଡର ଯେଉଁଥିରେ ପଦଗୁଡ଼ିକ ଏବଂ ଗୀତ ନମ୍ବର ଦିଆଯାଇଛି

ସେହି ବର୍ଷ ସଂଗଠନ କିଛି ପରିବର୍ତ୍ତନ କଲା, ଯେଉଁଥିରୁ ବାଇବଲ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଏକତା ବଢ଼ିଗଲା । ପ୍ରତ୍ୟେକ ସପ୍ତାହ ‘ପ୍ରାର୍ଥନା, ପ୍ରଶଂସା ଓ ସାକ୍ଷ୍ୟ ସଭାରେ’ ଯେଉଁ ପଦ ଉପରେ ଚର୍ଚ୍ଚା ହେବାକୁ ଯାଉଥିଲା, ସେହି ପଦକୁ ପ୍ରହରୀଦୁର୍ଗ ପତ୍ରିକାରେ ବୁଝାଇବା ଆରମ୍ଭ କରାଗଲା । ଏହାଛଡ଼ା ବାଇବଲ ବିଦ୍ୟାର୍ଥୀ ଗୋଟିଏ କ୍ୟାଲଣ୍ଡର ମଧ୍ୟ ଛାପିବାକୁ ଲାଗିଲେ, ଯେଉଁଥିରେ ପ୍ରତ୍ୟେକ ସପ୍ତାହ ସଭାରେ ଯେଉଁ ପଦ ଉପରେ ଚର୍ଚ୍ଚା ହେବ ସେହି ପଦ ଦିଆଯାଉଥିଲା, ଆଉ ପ୍ରତିଦିନ ଗୋଟିଏ ଗୀତ ବି ଦିଆଯାଉଥିଲା, ଯାହାକୁ ଲୋକମାନେ ନିଜ ବ୍ୟକ୍ତିଗତ ଅଧ୍ୟୟନରେ କିମ୍ବା ପାରିବାରିକ ଉପାସନାରେ ଗାଇପାରନ୍ତେ ।

ବାଇବଲ ବିଦ୍ୟାର୍ଥୀ ନିଜ ସଭାଗୁଡ଼ିକରେ “ସାକ୍ଷ୍ୟ” ମଧ୍ୟ ଦେଉଥିଲେ । ଅନେକଥର ସେମାନେ ପ୍ରଚାରର କୌଣସି ଅନୁଭୂତି କହୁଥିଲେ, ଯିହୋବାଙ୍କୁ ଧନ୍ୟବାଦ ଦେଉଥିଲେ, କୌଣସି ଗୀତ ଗାଉଥିଲେ କିମ୍ବା ଅନେକଥର ପ୍ରାର୍ଥନା ମଧ୍ୟ କରୁଥିଲେ । ଭଉଣୀ ଇବା ବାର୍ନିଙ୍କ ବାପ୍ତିସ୍ମ ୧୯୨୩ ଖ୍ରୀଷ୍ଟାବ୍ଦରେ ହେଲା । ଯେବେ ସେ ୧୫ ବର୍ଷର ଥିଲେ । ସେ କହିଲେ, “ଯଦି କାହାରିକୁ ‘ସାକ୍ଷ୍ୟ’ ଦେବାର ଥିଲା ତେବେ ସେ ଛିଡ଼ା ହେଉଥିଲେ ଆଉ ଏପରି କିଛି କହୁଥିଲେ, ‘ପ୍ରଭୁ ମୋ ପାଇଁ ଯାହା ବି ମଙ୍ଗଳ କାମ କରିଛନ୍ତି ତାʼପାଇଁ ମୁଁ ତାଙ୍କୁ ଧନ୍ୟବାଦ ଦେବାକୁ ଚାହେଁ ।’” କିଛି ଭାଇମାନଙ୍କୁ ଏପରି “ସାକ୍ଷ୍ୟ” ଦେବା ବହୁତ ଭଲ ଲାଗୁଥିଲା । ଭଉଣୀ ବାର୍ନି ଜଣେ ବୃଦ୍ଧ ଭାଇଙ୍କ ବିଷୟରେ କହିଲେ, “ଭାଇ ଗର୍ଡୱିନଙ୍କ ପାଖରେ ପ୍ରଭୁଙ୍କୁ ଧନ୍ୟବାଦ ଦେବା ପାଇଁ ଅନେକ କିଛି ରହୁଥିଲା । କିନ୍ତୁ ଯେବେ ତାଙ୍କ ସ୍ତ୍ରୀ ଦେଖୁଥିଲେ ଯେ ସଭା ଚଲାଉଥିବା ଭାଇ ହଇରାଣ ହେଉଛନ୍ତି, ତେବେ ସେ ପଛପଟୁ ତାଙ୍କ ସ୍ୱାମୀଙ୍କ କୋର୍ଟକୁ ଟାଣୁଥିଲେ ଓ ତାଙ୍କ ସ୍ୱାମୀ ବସିଯାଉଥିଲେ ।”

ପ୍ରତ୍ୟେକ ମଣ୍ଡଳୀରେ ମାସରେ ଥରେ ‘ପ୍ରାର୍ଥନା, ପ୍ରଶଂସା ଓ ସାକ୍ଷ୍ୟର’ ବିଶେଷ ସଭା ହେଉଥିଲା । ୧ ଏପ୍ରିଲ୍‌, ୧୯୨୩ ମସିହାର ପ୍ରହରୀଦୁର୍ଗରେ ଏହି ସଭା ବିଷୟରେ ଏପରି କୁହାଯାଇଥିଲା, “ସଭାର ଅଧା ସମୟ ଭାଇଭଉଣୀଙ୍କୁ ପ୍ରଚାରରେ ହୋଇଥିବା ଅନୁଭୂତି କହିବା ଉଚିତ୍‌ ଆଉ ପରସ୍ପରର ଉତ୍ସାହ ବଢ଼ାଇବା ପାଇଁ ‘ସାକ୍ଷ୍ୟ’ ଦେବା ଉଚିତ୍‌ । . . . ଆମକୁ ଭରସା ଅଛି ଯେ ଏପରି ସଭାଗୁଡ଼ିକରୁ ଭାଇଭଉଣୀ ପରସ୍ପରର ଆହୁରି ନିକଟତର ହୋଇଯିବେ ।”

କାନାଡ଼ାର ୱେଙ୍କୁୱର ସହରରେ ରହୁଥିବା ଭାଇ ଚାଲ୍ସ ମାର୍ଟିନ୍‌ଙ୍କୁ ଏହି ସଭାଗୁଡ଼ିକରୁ ବହୁତ ଲାଭ ହେଲା । ସେସମୟରେ ସେ ୧୯ ବର୍ଷର ଥିଲେ ଓ ଜଣେ ପ୍ରଚାରକ ଥିଲେ । ପରେ ସେ କହନ୍ତି, “ଏହି ସଭାଗୁଡ଼ିକରୁ ହିଁ ମୁଁ ପ୍ରଥମ ଥର ଜାଣିପାରିଲି ଯେ ଘର ଘର ପ୍ରଚାର କରିବା ସମୟରେ ମୋତେ କʼଣ କହିବା ଉଚିତ୍‌ । ପ୍ରାୟ ଏପରି ହେଉଥିଲା ଯେ ଭାଇଭଉଣୀଙ୍କୁ ଘର ଘର ପ୍ରଚାରରେ ଯାହା ଅନୁଭୂତି ମିଳୁଥିଲା ତାହା କହୁଥିଲେ । ଏଥିରୁ ମୁଁ ଜାଣିପାରୁଥିଲି ଯେ ଲୋକମାନଙ୍କ ସହ କିପରି କଥା ହୋଇପାରିବି, ଆଉ ଯଦି କେହି ମୋତେ ପ୍ରଶ୍ନ ପଚାରନ୍ତି, ତେବେ ମୁଁ ସେମାନଙ୍କୁ କିପରି ଉତ୍ତର ଦେଇପାରିବି ।”

ପ୍ରଚାର କାମରୁ ଏକତା ବଢ଼ିଲା

୧ ମେ, ୧୯୨୩ ମସିହାର ବୁଲେଟିନ୍‌

ପ୍ରଚାର କରିବା ପାଇଁ “ସେବା ଦିବସ” ରଖିବାକୁ ଲାଗିଲେ । ଏଥିରୁ ବି ସଂଗଠନର ଭାଇଭଉଣୀଙ୍କ ଏକତା ବଢ଼ିଲା । ୧ ଏପ୍ରିଲ୍‌, ୧୯୨୩ ମସିହାର ପ୍ରହରୀଦୁର୍ଗରେ ଏହା ଘୋଷଣା କରାଗଲା, ‘ମଙ୍ଗଳବାର, ୧ ମେ, ୧୯୨୩ ମସିହାକୁ ସେବା ଦିବସ ରଖାଯାଉଛି, ଯାହାଦ୍ୱାରା ଆମେ ସମସ୍ତେ ଗୋଟିଏ ହିଁ କାମ କରିବା ଏବଂ ଆମ ମଧ୍ୟରେ ଏକତା ଥିବ । ଏବେଠୁ ପ୍ରତ୍ୟେକ ମାସର ପ୍ରଥମ ମଙ୍ଗଳବାର ସେବା ଦିବସ ହେବ । ପ୍ରତ୍ୟେକ ମଣ୍ଡଳୀର ପ୍ରତ୍ୟେକ ଜଣଙ୍କୁ ଏହି ଦିନ ଟିକେ ନା ଟିକେ ପ୍ରଚାର ନିଶ୍ଚୟ କରିବା ଉଚିତ୍‌ ।’

ଯୁବା ବାଇବଲ ବିଦ୍ୟାର୍ଥୀମାନେ ବି ଏହି କାମରେ ଭାଗ ନେଲେ । ସେସମୟରେ ଭଉଣୀ ହେଜଲ୍‌ ବରଫର୍ଡ ୧୬ ବର୍ଷର ଥିଲେ । ସେ କହିଲେ, “ବୁଲେଟିନ୍‌ରେ ଲୋକମାନଙ୍କ ସହ କଥା ହେବାର ଉପାୟ କୁହାଯାଉଥିଲା । ଯାହାକୁ ଆମକୁ ମନେ ରଖିବାକୁ ପଡ଼ୁଥିଲା । a ମୁଁ ଓ ମୋ ଅଜା ଉତ୍ସାହର ସହ ଏଥିରେ ଭାଗ ନେଉଥିଲୁ ।” କିନ୍ତୁ ପରେ କେହି ଭଉଣୀ ବରଫର୍ଡକୁ ରୋକିବା ପାଇଁ ଚେଷ୍ଟା କଲେ । ଜାଣିଛନ୍ତି ସେ କିଏ ? ଜଣେ ବୃଦ୍ଧ ଭାଇ ! ସେ କହିଲେ, “[ସେ] କଡ଼ା ଶବ୍ଦରେ କହିଲେ ଯେ ମୋତେ ଯାଇ ଲୋକମାନଙ୍କ ସହ କଥା ହେବା ଉଚିତ୍‌ ନୁହେଁ । କାରଣ ସେସମୟରେ ପ୍ରତ୍ୟେକ ଜଣ ଏହି କଥା ବୁଝିପାରୁ ନ ଥିଲେ ଯେ ସମସ୍ତ ବାଇବଲ ବିଦ୍ୟାର୍ଥୀଙ୍କୁ ‘ଯୁବକ ଓ ଯୁବତୀମାନଙ୍କୁ’ ବି ନିଜ ମହାନ ସୃଷ୍ଟିକର୍ତ୍ତାଙ୍କ ମହିମା କରିବା ଉଚିତ୍‌ ।” (ଗୀତ. ୧୪୮:୧୨, ୧୩) ଭଉଣୀ ବରଫର୍ଡକୁ ଏହା ଶୁଣି ଟିକେ ଧକ୍କା ଲାଗିଲା, କିନ୍ତୁ ସେ ହାର୍‌ ମାନିଲେନି ଆଉ ପ୍ରଚାର କରିବା ଜାରି ରଖିଲେ । ପରେ ସେ ଗିଲିଅଡ୍‌ ସ୍କୁଲର ଦ୍ୱିତୀୟ କ୍ଲାସରେ ଗଲେ । ଆଉ ପରେ ସେ ପାନାମାରେ ମିଶନାରୀ ସେବା ମଧ୍ୟ କଲେ । ଆଗକୁ ଯାଇ ଭାଇମାନଙ୍କ ଦୃଷ୍ଟିକୋଣ ବଦଳିଲା । ଆଉ ସେମାନେ ବୁଝିଗଲେ ଯେ ଯୁବାମାନଙ୍କୁ ବି ପ୍ରଚାର କରିବା ଉଚିତ୍‌ ।

ଅଧିବେଶନଗୁଡ଼ିକରୁ ଏକତା ବଢ଼ିଲା

ସ୍ଥାନୀୟ ଓ ଆଞ୍ଚଳିକ ଅଧିବେଶନରୁ ବି ଭାଇଭଉଣୀଙ୍କ ମଧ୍ୟରେ ଏକତା ବଢ଼ିଲା । ଏମଧ୍ୟରୁ ଅନେକ ଅଧିବେଶନରେ ପ୍ରଚାର ପାଇଁ ସେବା ଦିବସ ରଖାଯାଉଥିଲା । ଯେପରି ଥରେ ଯେବେ କାନାଡ଼ାର ୱିନିପେଗ୍‌ ସହରରେ ଗୋଟିଏ ଅଧିବେଶନ ହେଲା, ସେଠାରେ ବି ୩୧ ମାର୍ଚ୍ଚକୁ ସେବା ଦିବସ ରଖାଗଲା । ଏହାକୁ “ୱିନିପେଗ୍‌ରେ ଜୋର୍‌ଦାର ଧମାକା” ନାମ ଦିଆଗଲା । ଅଧିବେଶନରେ ଆସିଥିବା ସମସ୍ତ ଲୋକଙ୍କୁ ପ୍ରୋତ୍ସାହନ ଦିଆଗଲା ଯେ ସେମାନେ ଏହି ଦିନ ସହରରେ ପ୍ରଚାର କରନ୍ତୁ । ଏହି ସେବା ଦିବସଗୁଡ଼ିକରେ ଭାଇଭଉଣୀ ଅନେକ ଲୋକଙ୍କୁ ଭେଟିପାରୁଥିଲେ, ଯାହାଯୋଗୁଁ ଆମ କାମ ଆହୁରି ବଢ଼ିବାକୁ ଲାଗିଲା । ୫ ଅଗଷ୍ଟକୁ ୱିନିପେଗ୍‌ରେ ଆଉ ଗୋଟିଏ ଅଧିବେଶନ ରଖାଗଲା, ଯେଉଁଥିରେ ପ୍ରାୟ ୭,୦୦୦ ଲୋକ ଆସିଥିଲେ । ଏହା ପୂର୍ବରୁ କାନାଡ଼ାରେ ରଖାଯାଇଥିବା କୌଣସି ଅଧିବେଶନରେ ଏତେ ଲୋକ ଆସି ନ ଥିଲେ ।

୧୯୨୩ ମସିହାରେ ଯିହୋବାଙ୍କ ଲୋକମାନଙ୍କ ଗୋଟିଏ ବିଶେଷ ଅଧିବେଶନ ହେଲା । ଏହା କାଲିଫର୍ନିଆର ଲସ୍‌ ଏଞ୍ଜେଲସ୍‌ ସହରରେ ୧୮-୨୬ ଅଗଷ୍ଟରେ ରଖାଗଲା । ଅଧିବେଶନର କିଛି ସପ୍ତାହ ପୂର୍ବରୁ ହିଁ ଖବରକାଗଜଗୁଡ଼ିକରେ ଅଧିବେଶନ ବିଷୟରେ ଛପାଯାଇଥିଲା ଏବଂ ବାଇବଲ ବିଦ୍ୟାର୍ଥୀମାନେ ଲୋକମାନଙ୍କୁ ଅଧିବେଶନରେ ଡାକିବା ପାଇଁ ୫,୦୦,୦୦୦ରୁ ବି ଅଧିକ କାଗଜ ବାଣ୍ଟିଲେ । ସାର୍ବଜନିକ ଓ ଲୋକମାନଙ୍କ ଗାଡ଼ିଗୁଡ଼ିକରେ ମଧ୍ୟ ଅଧିବେଶନର ବ୍ୟାନର ଲଗାଗଲା ।

୧୯୨୩ ମସିହାରେ ଲସ୍‌ ଏଞ୍ଜେଲସ୍‌ ସହରରେ ବାଇବଲ ବିଦ୍ୟାର୍ଥୀମାନଙ୍କ ଅଧିବେଶନ

ଶନିବାର, ୨୫ ଅଗଷ୍ଟକୁ ଭାଇ ରଦରଫୋର୍ଡ ଗୋଟିଏ ଭାଷଣ ଦେଲେ ଯାହାର ବିଷୟ ଥିଲା, “ମେଷଗୁଡ଼ିକ ଏବଂ ଛାଗଗୁଡ଼ିକ ।” ଏହି ଭାଷଣରେ ସେ ସ୍ପଷ୍ଟଭାବେ କହିଲେ ଯେ ‘ମେଷଗୁଡ଼ିକର’ ଅର୍ଥ ହେଉଛି, ଭଲ ମନ ରଖୁଥିବା ଲୋକମାନେ ଯେଉଁମାନେ ଏହି ପୃଥିବୀରେ ପାରଦୀଶରେ ରହିବେ । ସେମାନଙ୍କୁ ଗୋଟିଏ ପ୍ରସ୍ତାବ ମଧ୍ୟ ଦିଆଗଲା ଯାହାର ନାମ ଥିଲା, “ଚେତାବନୀ ।” ଏହି ପ୍ରସ୍ତାବରେ ସେମାନେ ଚର୍ଚ୍ଚକୁ ନିନ୍ଦା କଲେ ଏବଂ ଭଲ ମନ ରଖୁଥିବା ଲୋକଙ୍କୁ ଅନୁରୋଧ କଲେ ଯେ ସେମାନେ ‘ମହାନଗରୀ ବାବିଲରୁ’ ବାହାରି ଆସନ୍ତୁ । (ପ୍ରକା. ୧୮:୨,) ଆଗକୁ ଯାଇ ସାରା ଦୁନିଆରେ ବାଇବଲ ବିଦ୍ୟାର୍ଥୀମାନେ ଉତ୍ସାହର ସହ ଏହି ପ୍ରସ୍ତାବର ଲକ୍ଷ ଲକ୍ଷ କାଗଜ ବାଣ୍ଟିଲେ ।

“ଏପରି ସଭାଗୁଡ଼ିକରୁ ଭାଇଭଉଣୀ ପରସ୍ପରର ଆହୁରି ନିକଟତର ହୋଇଯିବେ ।”

ଅଧିବେଶନର ଶେଷ ଦିନ ୩୦,୦୦୦ରୁ ବି ଅଧିକ ଲୋକ ଭାଇ ରଦରଫୋର୍ଡଙ୍କ ଜନଭାଷଣ ଶୁଣିବା ପାଇଁ ଆସିଲେ । ତାଙ୍କ ବିଷୟ ଥିଲା, “ସମସ୍ତ ରାଷ୍ଟ୍ର ହର୍ମିଗିଦ୍ଦୋନ୍‌ ଆଡ଼କୁ ବଢ଼ି ଚାଲିଛି, କିନ୍ତୁ ଆଜି ଜୀବିତ ଥିବା ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ କେବେ ବି ହେବ ନାହିଁ ।” ବାଇବଲ ବିଦ୍ୟାର୍ଥୀମାନଙ୍କୁ ଆଶା ଥିଲା ଯେ ଏହି ଅଧିବେଶନରେ ହଜାର ହଜାର ଲୋକ ଆସିବେ । ତେଣୁ ସେମାନେ କିଛି ସମୟ ପୂର୍ବେ ତିଆରି ଲସ୍‌ ଏଞ୍ଜେଲସ୍‌ କୋଲିଜିୟମ୍‌ ନାମକ ଷ୍ଟାଡିୟମ ଭଡ଼ାରେ ନେଲେ । ସେମାନେ ଚାହୁଁଥିଲେ ଯେ ପ୍ରତ୍ୟେକ ଜଣ ଭାଷଣକୁ ଭଲଭାବେ ଶୁଣିପାରନ୍ତୁ । ତେଣୁ ସେମାନେ ସେହି ଷ୍ଟାଡିୟମରେ ଲାଉଡ୍‌ସ୍ପିକର ବ୍ୟବହାର କଲେ । ସେସମୟରେ ଏହା ନୂଆ ନୂଆ ଆସିଥିଲା । ଏହାଛଡ଼ା, ଅନେକ ଲୋକ ରେଡିଓରେ ବି ଏହି କାର୍ଯ୍ୟକ୍ରମ ଶୁଣିଲେ ।

ଦୂର ଦୂର ଯାଏ କାମ ପ୍ରସାର ହେବାକୁ ଲାଗିଲା

୧୯୨୩ ଖ୍ରୀଷ୍ଟାବ୍ଦରେ ପ୍ରଚାର କାମ ଆଫ୍ରିକା, ୟୁରୋପ, ଭାରତ ଓ ଦକ୍ଷିଣ ଆମେରିକା ଭଳି ଦୂର ଦୂର ଜାଗାରେ ମଧ୍ୟ ହେବାକୁ ଲାଗିଲା । ଭାରତରେ ଭାଇ ଏ. ଜେ. ଯୋଷେଫ ନିଜ ସ୍ତ୍ରୀ ଓ ଛଅଜଣ ପିଲାଙ୍କ ଯତ୍ନ ନେବା ସହ ହିନ୍ଦୀ, ମାଲୟାଲମ୍‌, ତାମିଲ, ତେଲଗୁ ଓ ଉର୍ଦ୍ଦୁରେ ପ୍ରକାଶନ ଛାପିବାର କାମର ଦେଖାରେଖା କରିବାକୁ ଲାଗିଲେ ।

ୱିଲିୟମ୍‌ ଆର୍‌. ବ୍ରାଉନ ଏବଂ ତାଙ୍କ ପରିବାର

ସିଏରା ଲିଓନରେ ଏଲଫ୍ରେଡ ଯୋଷେଫ ଓ ଲେନାର୍ଡ ବ୍ଲାକମେନ୍‌ ନାମକ ଦୁଇଜଣ ବାଇବଲ ବିଦ୍ୟାର୍ଥୀ ଥିଲେ । ସେମାନେ ନ୍ୟୁୟର୍କର ବ୍ରକୁଲିନ୍‌ ସହରରେ ଥିବା ଆମ ବିଶ୍ୱ ମୁଖ୍ୟାଳୟରେ ଗୋଟିଏ ଚିଠି ଲେଖିଲେ ଓ ସାହାଯ୍ୟ ପାଇଁ ଅନୁରୋଧ କଲେ । ସେମାନଙ୍କୁ ୧୪ ଏପ୍ରିଲ୍‌, ୧୯୨୩ ମସିହାରେ ନିଜ ଚିଠିର ଉତ୍ତର ମିଳିଗଲା । ଭାଇ ଏଲଫ୍ରେଡ କହନ୍ତି, “ଦିନେ ଶନିବାର ରାତିରେ ହଠାତ୍‌ ଫୋନ୍‌ର ଘଣ୍ଟି ବାଜିଲା ।” ଯେବେ ସେ ଫୋନ୍‌ ଉଠାଇଲେ, ତେବେ କେହି ତାଙ୍କୁ ବହୁତ ଉତ୍ସାହର ସହ ପଚାରିଲେ, “କʼଣ ଆପଣ ହିଁ ୱାଚଟାୱର ସୋସାଇଟିକୁ ଚିଠି ଲେଖି ପ୍ରଚାରକଙ୍କ ପାଇଁ ଅନୁରୋଧ କରିଥିଲେ ?” ଭାଇ ଏଲଫ୍ରେଡ କହିଲେ, “ହଁ ।” ତେବେ ତାଙ୍କୁ ଉତ୍ତର ମିଲିଲା, “ସେମାନେ ମୋତେ ପଠାଇଛନ୍ତି ।” ଏହି ଆବାଜ୍‌ ଭାଇ ୱିଲିୟମ୍‌ ଆର୍‌. ବ୍ରାଉନଙ୍କ ଥିଲା । ସେ ସେହିଦିନ କାରିବିଆନ୍‌ରୁ ନିଜ ସ୍ତ୍ରୀ ଆଣ୍ଟୋନ୍ୟା ଓ ଦୁଇ ଝିଅ ଲୁଇଜ୍‌ ଓ ଲୁସିକୁ ନେଇ ସିଏରା ଲିଓନ ପହଞ୍ଚିଥିଲେ । ଭାଇମାନଙ୍କୁ ସେହି ପରିବାରକୁ ଭେଟିବା ପାଇଁ ବେଶି ଅପେକ୍ଷା କରିବାକୁ ପଡ଼ିଲା ନାହିଁ ।

ଭାଇ ଏଲଫ୍ରେଡ ଏହା ବି କହିଲେ, “ତାʼର ଆର ଦିନ ସକାଳେ ମୁଁ ଓ ଲେନାର୍ଡ ବାଇବଲ ଉପରେ ଚର୍ଚ୍ଚା କରୁଥିଲୁ, ଯେପରି ଆମେ ପ୍ରତ୍ୟେକ ସପ୍ତାହ କରିଥାଉ । ଠିକ୍‌ ସେତିକି ବେଳେ ଆମେ କବାଟରେ ଜଣେ ଲମ୍ବା ଚୌଡ଼ା ଲୋକକୁ ଦେଖିଲୁ । ସେ ଭାଇ ବ୍ରାଉନ ଥିଲେ । ସତ୍ୟ ପାଇଁ ତାଙ୍କର ଏତେ ଉତ୍ସାହ ଥିଲା ଯେ ସେ ତାʼର ଆର ଦିନ ହିଁ ଗୋଟିଏ ଜନଭାଷଣ ଦେବା ପାଇଁ ଚାହୁଁଥିଲେ ।” ଭାଇ ବ୍ରାଉନ ନିଜ ସହିତ ଯେତେ ବି ପ୍ରକାଶନ ଆଣିଥିଲେ, ସେସବୁକୁ ସେ ଗୋଟେ ମାସ ଭିତରେ ହିଁ ଲୋକମାନଙ୍କୁ ବାଣ୍ଟି ଦେଲେ । ତାʼର କିଛି ସମୟ ପରେ ତାଙ୍କୁ ଆହୁରି ୫,୦୦୦ଟି ବହି ମିଳିଲା ଆଉ ତାହା ବି ଶୀଘ୍ର ଶେଷ ହୋଇଗଲା । ଏବେ ତାଙ୍କୁ ଆହୁରି ବହି ଦରକାର ଥିଲା । କିନ୍ତୁ ଭାଇ ବ୍ରାଉନ ବହି ବିକ୍ରିବାଲା ଭାବେ ପରିଚିତ ନ ଥିଲେ, ବରଂ ତାଙ୍କୁ ଲୋକମାନେ ପ୍ରେମରେ “ବାଇବଲ ବ୍ରାଉନ” ଡାକୁଥିଲେ । ତାହା ଏଥିପାଇଁ କାରଣ ସେ ସଦାବେଳେ ନିଜ ଭାଷଣରେ ବାଇବଲର ପଦଗୁଡ଼ିକର ବ୍ୟବହାର କରୁଥିଲେ । ସେ ଲମ୍ବା ସମୟ ଯାଏଁ ଉତ୍ସାହର ସହ ଯିହୋବାଙ୍କ ସେବା କଲେ ।

୧୯୨୩ ମସିହାର ଆଖପାଖରେ ମ୍ୟାଗଡେବର୍ଗ ବୈଥେଲର ଚିତ୍ର

ଏହି ସମୟ ମଧ୍ୟରେ ଜର୍ମାନୀର ବେରମେନ୍‌ ସହରରେ ଯେଉଁ ଶାଖା କାର୍ଯ୍ୟାଳୟ ଥିଲା, ସେଠାରେ ଭାଇଭଉଣୀଙ୍କ ପାଇଁ ଜାଗା କମ୍‌ ପଡ଼ିବାକୁ ଲାଗିଲା । ଆଉ ଏହା ବି ଶୁଣିବାକୁ ମିଳୁଥିଲା ଯେ ଖୁବ୍‌ ଶୀଘ୍ର ଫ୍ରାନ୍‌ସର ସେନା ସେହି ସହରକୁ କବ୍ଜା କରିବାକୁ ଯାଉଛି । ତାʼପରେ ବାଇବଲ ବିଦ୍ୟାର୍ଥୀମାନେ ମ୍ୟାଗଡେବର୍ଗରେ ଗୋଟିଏ ଜାଗା ଖୋଜିଲେ, ଯାହା ଛପା କାମ ପାଇଁ ବିଲକୁଲ୍‌ ଠିକ୍‌ ଲାଗୁଥିଲା । ୧୯ ଜୁନ୍‌କୁ ଭାଇମାନେ ଛପା ମେସିନ୍‌ଗୁଡ଼ିକ ଏବଂ ଶାଖା କାର୍ଯ୍ୟାଳୟର ଅନ୍ୟ ଜିନିଷ ନେଇ ମ୍ୟାଗଡେବର୍ଗର ନୂଆ ବୈଥେଲକୁ ଚାଲିଗଲେ । ଯେଉଁଦିନ ସେମାନେ ବିଶ୍ୱ ମୁଖ୍ୟାଳୟକୁ ଏହି ଖବର ଦେଲେ ଯେ ସବୁ ଜିନିଷ ଏବଂ ଭାଇଭଉଣୀମାନେ ସୁରକ୍ଷିତ ଭାବେ ନୂଆ ବୈଥେଲକୁ ପହଞ୍ଚି ଯାଇଛନ୍ତି, ଠିକ୍‌ ତାʼର ଆର ଦିନ ଖବରକାଗଜରେ ଏହା ଖବର ଆସିଲା ଯେ ଫ୍ରାନ୍‌ସ ବେରମେନ୍‌ ସହରକୁ କବ୍ଜା କରିନେଇଛି । ଭାଇମାନେ ଯିହୋବାଙ୍କୁ ଧନ୍ୟବାଦ ଦେଲେ ଯେ ସେ ଭାଇମାନଙ୍କୁ ସୁରକ୍ଷା କଲେ ଏବଂ ସେମାନଙ୍କୁ ସମ୍ଭାଳି ରଖିଲେ ।

ଭାଇ ଜର୍ଜ ୟାଙ୍ଗ୍‌; ଭଉଣୀ ସେରାହ୍‌ ଫରଗିସନ୍‌ (ଡାହାଣ ପଟେ) ଏବଂ ତାଙ୍କ ଭଉଣୀ

ଦୁନିଆର ଅନ୍ୟ ଭାଗରେ ଭାଇ ଜର୍ଜ ୟାଙ୍ଗ୍‌ ବହୁତ ପରିଶ୍ରମ କଲେ । ସେ ଲୋକମାନଙ୍କୁ ଖୁସିର ଖବର ଶୁଣାଇବା ପାଇଁ ଦୂର ଦୂର ଜାଗାରେ ଯାତ୍ରା କରୁଥିଲେ । ଯେବେ ସେ ବ୍ରାଜିଲ ପହଞ୍ଚିଲେ, ତେବେ ସେ ସେଠାରେ ଏକ ନୂଆ ଶାଖା କାର୍ଯ୍ୟାଳୟ ସ୍ଥାପନ କଲେ ଏବଂ ପର୍ତ୍ତୁଗୀଜ୍‌ ଭାଷାରେ ପ୍ରହରୀଦୁର୍ଗ ପତ୍ରିକା ଛାପିବାକୁ ଲାଗିଲେ । କିଛି ମାସ ଭିତରେ ହିଁ ସେମାନେ ୭,୦୦୦ରୁ ବି ଅଧିକ ପ୍ରକାଶନ ଲୋକମାନଙ୍କୁ ବାଣ୍ଟିଥିଲେ । ଯେବେ ସେ ବ୍ରାଜିଲ ଆସିଲେ ତେବେ ଭଉଣୀ ସେରାହ୍‌ ଫରଗିସନ୍‌ ବହୁତ ଖୁସି ହେଲେ । କାରଣ ଭଉଣୀ ୧୮୯୯ ମସିହାରୁ ପ୍ରହରୀଦୁର୍ଗ ପତ୍ରିକା ପଢ଼ୁଥିଲେ, କିନ୍ତୁ ଏବେ ଯାଏଁ ସେ ବାପ୍ତିସ୍ମ ନେଇ ନିଜ ସମର୍ପଣ ସମସ୍ତଙ୍କ ଆଗରେ ଦେଖାଇପାରି ନ ଥିଲେ । ତାʼର କିଛି ମାସ ଭିତରେ ଭଉଣୀ ସେରାହ୍‌ ଏବଂ ତାଙ୍କ ଚାରିଜଣ ପିଲା ବାପ୍ତିସ୍ମ ନେଲେ ।

“ଆମେ ଆହୁରି ଉତ୍ସାହ ଓ ଖୁସିର ସହ ସେବା କରିବା”

ବର୍ଷର ଶେଷରେ ୧୫ ଡିସେମ୍ବର, ୧୯୨୩ ମସିହାର ପ୍ରହରୀଦୁର୍ଗରେ କୁହାଯାଇଥିଲା ଯେ ସଭାଗୁଡ଼ିକ, ପ୍ରଚାର କାମ ଓ ଅଧିବେଶନଗୁଡ଼ିକରେ ଯେଉଁ ପରିବର୍ତ୍ତନ କରାଗଲା, ସେଥିରୁ ବାଇବଲ ବିଦ୍ୟାର୍ଥୀମାନଙ୍କୁ କʼଣ ଲାଭ ହେଲା । ସେଠାରେ ଲେଖାଥିଲା, ‘ଏହା ସ୍ପଷ୍ଟ ଦେଖାଯାଇପାରିବ ଯେ ମଣ୍ଡଳୀଗୁଡ଼ିକରେ ଭାଇଭଉଣୀମାନଙ୍କର ବିଶ୍ୱାସ ଆହୁରି ବଢ଼ିଯାଇଛି । ତେଣୁ ଆସନ୍ତୁ ସବୁ ଅସ୍ତ୍ରଶସ୍ତ୍ର ବାନ୍ଧିନେବା ଓ ଦୃଢ଼ ନିଷ୍ପତ୍ତି ନେବା ଯେ ଆଗାମୀ ବର୍ଷରେ ଆମେ ଆହୁରି ଉତ୍ସାହ ଓ ଖୁସିର ସହ ସେବା କରିବା ।’

ତାʼ ପରବର୍ଷ ବାଇବଲ ବିଦ୍ୟାର୍ଥୀମାନଙ୍କ ପାଇଁ ବହୁତ ରୋମାଞ୍ଚକ ହୁଅନ୍ତା । ବୈଥେଲର ଭାଇମାନେ ଷ୍ଟାଏଟନ୍‌ ଆଇଲାଣ୍ଡରେ ଗୋଟିଏ ଜମି କିଣିଥିଲେ । ଯାହା ଉପରେ ସେମାନେ ଅନେକ ମାସରୁ କାମ କରୁଥିଲେ । ସେହି ଜାଗା ବ୍ରୁକଲିନ୍‌ରେ ଥିବା ଆମ ବିଶ୍ୱ ମୁଖ୍ୟାଳୟରୁ ବେଶି ଦୂର ନ ଥିଲା । ସେଠାରେ ଯାହା କାମ ହେଉଥିଲା ତାହା ୧୯୨୪ ମସିହାର ଆରମ୍ଭରେ ପୂରା ହୋଇଗଲା । ସେ ଜାଗାରେ ଯାହା ହୁଅନ୍ତା ସେଥିରୁ ଭାଇମାନଙ୍କ ମଧ୍ୟରେ ଏକତା ଆହୁରି ବଢ଼ିଯାʼନ୍ତା ଏବଂ ଖୁସିର ଖବର ଏତେ ଦୂର ଦୂର ଯାଏ ଓ ଏତେ ବଡ଼ ମାତ୍ରାରେ ଲୋକମାନଙ୍କ ପାଖରେ ପହଞ୍ଚନ୍ତା, ଯେତେ ପୂର୍ବେ କେବେ ହୋଇ ନ ଥିଲା ।

ଷ୍ଟାଏଟନ୍‌ ଆଇଲାଣ୍ଡରେ ନିର୍ମାଣ କରୁଥିବା ଭାଇ

a ଏବେ ଏହାକୁ ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା କୁହାଯାଏ ।