इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୪୪

ଈଶ୍ୱରଙ୍କ ବାକ୍ୟର ଦୈର୍ଘ୍ୟ, ପ୍ରସ୍ଥ, ଉଚ୍ଚତା ଓ ଗଭୀରତା ଜାଣନ୍ତୁ !

ଈଶ୍ୱରଙ୍କ ବାକ୍ୟର ଦୈର୍ଘ୍ୟ, ପ୍ରସ୍ଥ, ଉଚ୍ଚତା ଓ ଗଭୀରତା ଜାଣନ୍ତୁ !

‘ଦୈର୍ଘ୍ୟ ଓ ପ୍ରସ୍ଥ, ଉଚ୍ଚତା ଓ ଗଭୀରତାକୁ ଭଲଭାବେ ବୁଝ ।’—ଏଫି. ୩:୧୮.

ଗୀତ ୯୫ ବଢ଼ତି ହୈ ରୌଶନି ସଚ୍ଚାଇ କି

ଲେଖାର ଝଲକ a

୧-୨. ବାଇବଲ ପଢ଼ିବା ଏବଂ ତାʼର ଅଧ୍ୟୟନ କରିବାର ସବୁଠୁ ବଢ଼ିଆ ଉପାୟ କʼଣ ଅଟେ ? ଗୋଟିଏ ଉଦାହରଣ ଦିଅନ୍ତୁ ।

 ଭାବନ୍ତୁ, ଆପଣ ଗୋଟିଏ ଘର କିଣିବାକୁ ଚାହାନ୍ତି । ତାହା କିଣିବା ପୂର୍ବରୁ ଆପଣ କʼଣ କରିବାକୁ ଚାହିଁବେ ? କʼଣ ଆପଣ କେବଳ ଫଟୋ ଦେଖି ସେହି ଘର କିଣି ନେବେ ? ନା । ଆପଣ ନିଜେ ଯାଇକି ସେହି ଘରକୁ ଦେଖିବେ । ଆପଣ ତାʼ ଭିତରକୁ ଯିବେ, ପ୍ରତ୍ୟେକ ରୁମ୍‌କୁ ଧ୍ୟାନର ସହ ଦେଖିବେ, ତାʼର ଦୈର୍ଘ୍ୟ, ପ୍ରସ୍ଥ, ଉଚ୍ଚତା, ପ୍ରତ୍ୟେକ ଜିନିଷକୁ ଧ୍ୟାନ ଦେବେ । ସେହି ଘର ବିଷୟରେ ଭଲଭାବେ ଜାଣିବା ପାଇଁ କିଛି ଲୋକମାନେ ହୁଏତ ଘରମାଲିକ ସହ କଥା ହେବା ପାଇଁ ଚାହିଁବେ କିମ୍ବା ସେହି ଘରର ନକ୍ସା ଦେଖିବାକୁ ଚାହିଁବେ । ସବୁକିଛି ଭଲଭାବେ ଦେଖିବା ପରେ ହିଁ ହୁଏତ ଆପଣ ସେହି ଘର କିଣିବା ପାଇଁ ନିଷ୍ପତ୍ତି ନେବେ ।

ଯେବେ ଆମେ ବାଇବଲ ପଢ଼ୁ ଏବଂ ତାʼର ଅଧ୍ୟୟନ କରୁ, ତେବେ ଆମେ ବି ଏପରି ହିଁ କିଛି କରିପାରିବା । ଜଣେ ବିଦ୍ୱାନ କହିଲେ ଯେ ବାଇବଲ “ଗୋଟିଏ ବଡ଼ ବିଲ୍‌ଡିଙ୍ଗ ଭଳି ଅଟେ ଯାହା ବହୁତ ଉଚ୍ଚ ଏବଂ ତାʼର ମୂଳଦୁଆ ବହୁତ ଗଭୀର ଅଟେ ।” ବାଇବଲରେ ଲେଖାଥିବା କଥାଗୁଡ଼ିକୁ ଭଲଭାବେ ଜାଣିବା ପାଇଁ ଆମେ କʼଣ କରିପାରିବା ? ଯଦି ଆପଣ ଏହାକୁ ଶୀଘ୍ର ଶୀଘ୍ର ପଢ଼ିବେ, ତାହେଲେ ଏହାର କିଛି କଥା ହିଁ ଜାଣିପାରିବେ, ଅର୍ଥାତ୍‌ କେବଳ “ଈଶ୍ୱରଙ୍କ ବାକ୍ୟର ପ୍ରାଥମିକ ମୌଳିକ” କଥାଗୁଡ଼ିକୁ ଜାଣିପାରିବେ । (ଏବ୍ରୀ ୫:୧୨) କିନ୍ତୁ ଆମେ ଏପରି କରିବା ପାଇଁ ଚାହୁଁନୁ । ଆମେ ଯେପରି ଏହି ବିଲ୍‌ଡିଙ୍ଗର “ଭିତରକୁ” ଯିବା ପାଇଁ ଚାହୁଁ, ଅର୍ଥାତ୍‌ ଏହାର ଛୋଟ ଛୋଟ କଥାଗୁଡ଼ିକୁ ବୁଝିବା ପାଇଁ ଚାହୁଁ । ଏପରି କରିବା ପାଇଁ ସବୁଠୁ ଆଗ ଆମକୁ ଏହା ଭାବିବାକୁ ପଡ଼ିବ ଯେ ଆମେ କେଉଁ ସତ୍ୟଗୁଡ଼ିକୁ ବିଶ୍ୱାସ କରୁ ଏବଂ ସେଗୁଡ଼ିକୁ ଭଲଭାବେ ବୁଝିବାକୁ ପଡ଼ିବ । ତାʼପରେ ଆମକୁ ଏହା ଜାଣିବା ପାଇଁ ଚେଷ୍ଟା କରିବାକୁ ପଡ଼ିବ ଯେ ଆମେ ଏଗୁଡ଼ିକୁ କାହିଁକି ବିଶ୍ୱାସ କରୁ । ତାʼଛଡ଼ା ଆମକୁ ଏହା ବୁଝିବାକୁ ପଡ଼ିବ ଯେ ବାଇବଲର ଅଲଗା ଅଲଗା ଭାଗଗୁଡ଼ିକରେ ଲେଖାଥିବା କଥାଗୁଡ଼ିକ କିପରି ପରସ୍ପର ସହ ଜଡ଼ିତ ଅଛି ।

୩. ପ୍ରେରିତ ପାଉଲ ଖ୍ରୀଷ୍ଟିୟାନମାନଙ୍କୁ କʼଣ କରିବା ପାଇଁ ଅନୁରୋଧ କଲେ ଏବଂ କାହିଁକି ? (ଏଫିସୀୟ ୩:୧୪-୧୯)

ଈଶ୍ୱରଙ୍କ ବାକ୍ୟକୁ ଭଲଭାବେ ବୁଝିବା ପାଇଁ ଆମକୁ ସେଥିରେ ଲେଖାଥିବା ଗଭୀର କଥାଗୁଡ଼ିକୁ ଏବଂ ସତ୍ୟଗୁଡ଼ିକୁ ଜାଣିବାକୁ ପଡ଼ିବ । ପ୍ରେରିତ ପାଉଲ ଖ୍ରୀଷ୍ଟିୟାନ ଭାଇଭଉଣୀମାନଙ୍କୁ ଅନୁରୋଧ କଲେ ଯେ ସେମାନେ ସତ୍ୟର ‘ଦୈର୍ଘ୍ୟପ୍ରସ୍ଥ, ଉଚ୍ଚତାଗଭୀରତାକୁ’ ଭଲଭାବେ ବୁଝିବା ପାଇଁ ଈଶ୍ୱରଙ୍କ ବାକ୍ୟର ଭଲଭାବେ ଅଧ୍ୟୟନ କରନ୍ତୁ । ଏପରି କରିବା ଦ୍ୱାରା ସେମାନଙ୍କ ବିଶ୍ୱାସ ଆହୁରି “ବଦ୍ଧମୂଳ” ଅର୍ଥାତ୍‌ ଗଭୀର ଓ “ଦୃଢ଼” ହୁଅନ୍ତା । (ଏଫିସୀୟ ୩:୧୪-୧୯ ପଢ଼ନ୍ତୁ ।) ଆମକୁ ବି ଏପରି ହିଁ କରିବାର ଅଛି । ଆସନ୍ତୁ ଦେଖିବା ଯେ ଆମେ ଈଶ୍ୱରଙ୍କ ବାକ୍ୟର କିପରି ଭଲଭାବେ ଅଧ୍ୟୟନ କରିପାରିବା, ଯାହାଦ୍ୱାରା ଆମେ ତାʼର ଛୋଟ ଛୋଟ କଥାକୁ ଜାଣିପାରିବା ଏବଂ ତାʼର ପ୍ରତ୍ୟେକ କୋଣକୁ ଦେଖିପାରିବା ।

ବାଇବଲର ସତ୍ୟଗୁଡ଼ିକ ବିଷୟରେ ଗଭୀରତାର ସହ ଭାବନ୍ତୁ

୪. ଯିହୋବାଙ୍କ ଆହୁରି ନିକଟତର ହେବା ପାଇଁ ଆମେ କʼଣ କରିପାରିବା ? କିଛି ଉଦାହରଣ ଦିଅନ୍ତୁ ।

ଆମେ ଖ୍ରୀଷ୍ଟିୟାନମାନେ ବାଇବଲର କେବଳ ମୌଳିକ ବିଷୟଗୁଡ଼ିକୁ ଜାଣି ସନ୍ତୁଷ୍ଟ ହୋଇ ନ ଥାଉ । ଆମେ ପବିତ୍ର ଶକ୍ତିର ସାହାଯ୍ୟରୁ “ଈଶ୍ୱରଙ୍କର ଗଭୀର ବିଷୟସବୁ” ବି ଜାଣିବାକୁ ଚାହୁଁ । (୧ କରି. ୨:୯, ୧୦) ତାହେଲେ କʼଣ ଆପଣ ନିଜ ବ୍ୟକ୍ତିଗତ ଅଧ୍ୟୟନ ସମୟରେ ଏପରି ବିଷୟଗୁଡ଼ିକ ଉପରେ ଅଧ୍ୟୟନ କରିପାରିବେ, ଯାହାଦ୍ୱାରା ଆପଣ ଯିହୋବାଙ୍କର ଆହୁରି ନିକଟତର ହୋଇପାରିବେ ? ଯେପରି, ଆପଣ ଚାହିଁଲେ ଏବିଷୟରେ ଅନୁସନ୍ଧାନ କରିପାରିବେ ଯେ ଯିହୋବା ପ୍ରାଚୀନ ସମୟରେ ନିଜ ସେବକମାନଙ୍କ ପାଇଁ କିପରି ନିଜ ପ୍ରେମ ଦେଖାଇଲେ ଏବଂ ଏଥିରୁ ଏହା କିପରି ପ୍ରମାଣିତ ହୁଏ ଯେ ସେ ଆପଣଙ୍କୁ ବି ପ୍ରେମ କରନ୍ତି । କିମ୍ବା ଆପଣ ଏବିଷୟରେ ଅଧ୍ୟୟନ କରିପାରିବେ ଯେ ପ୍ରାଚୀନ ସମୟରେ ଯିହୋବା ଇସ୍ରାଏଲୀୟମାନଙ୍କୁ ଉପାସନା କରିବାର ଯେଉଁ ଉପାୟ ବିଷୟରେ କହିଥିଲେ ଏବଂ ଆଜି ସେ ଖ୍ରୀଷ୍ଟିୟାନମାନଙ୍କୁ ଯେପରି ଭାବେ ଉପାସନା କରିବା ପାଇଁ କହିଛନ୍ତି, ସେଥିରେ କେଉଁ କଥାଗୁଡ଼ିକ ଏକାଭଳି ଅଟେ । କିମ୍ବା ଆପଣ ସେହି ଭବିଷ୍ୟତବାଣୀଗୁଡ଼ିକ ଉପରେ ଗଭୀର ଭାବେ ଅଧ୍ୟୟନ କରିପାରିବେ, ଯାହା ଯୀଶୁ ପୃଥିବୀରେ ସେବା କରିବା ସମୟରେ ପୂରା କରିଥିଲେ ।

୫. ଆପଣ କେଉଁ ବିଷୟରେ ବ୍ୟକ୍ତିଗତ ଅଧ୍ୟୟନ ସମୟରେ ଅନୁସନ୍ଧାନ କରିବା ପାଇଁ ଚାହାନ୍ତି ?

ବାଇବଲର ଭଲଭାବେ ଅଧ୍ୟୟନ କରୁଥିବା କିଛି ଭାଇଭଉଣୀଙ୍କୁ ପଚରାଗଲା ଯେ ସେମାନେ ବାଇବଲର କେଉଁ ବିଷୟଗୁଡ଼ିକ ଉପରେ ଗଭୀରତାର ସହ ଅନୁସନ୍ଧାନ କରିବାକୁ ଚାହାନ୍ତି । ସେମାନେ ଯେଉଁ କଥାଗୁଡ଼ିକ ବିଷୟରେ କହିଲେ, ସେଥିରୁ କିଛି କଥାଗୁଡ଼ିକ “ ବ୍ୟକ୍ତିଗତ ଅଧ୍ୟୟନ ପାଇଁ କିଛି ବିଷୟ” ନାମର ବକ୍ସରେ ଦିଆଯାଇଛି । ଆପଣ ସେହି ବିଷୟଗୁଡ଼ିକ ଉପରେ ଅନୁସନ୍ଧାନ କରିବା ପାଇଁ ଯିହୋବାଙ୍କ ସାକ୍ଷୀମାନଙ୍କ ପାଇଁ ଗବେଷଣା ଗାଇଡ୍‌ର ବ୍ୟବହାର କରିପାରିବେ । ଏପରି ଭାବେ ଅଧ୍ୟୟନ କରିବା ଦ୍ୱାରା ଆପଣଙ୍କୁ ବହୁତ ଖୁସି ମିଳିବ । ଯେବେ ଆପଣ ବାଇବଲର ଗଭୀର ଭାବେ ଅଧ୍ୟୟନ କରିବେ, ତେବେ ଆପଣଙ୍କ ବିଶ୍ୱାସ ଦୃଢ଼ ହେବ ଏବଂ ଆପଣଙ୍କୁ “ପରମେଶ୍ୱରଙ୍କ ବିଷୟକ ତତ୍ତ୍ୱଜ୍ଞାନ” ମିଳିବ । (ହିତୋ. ୨:୪, ୫) ଏବେ ଆସନ୍ତୁ ବାଇବଲର କିଛି ଗଭୀର କଥାଗୁଡ଼ିକ ଉପରେ ଧ୍ୟାନ ଦେବା, ଯାହାର ଆମେ ଆହୁରି ଭଲଭାବେ ଅଧ୍ୟୟନ କରିପାରିବା ।

ଈଶ୍ୱରଙ୍କ ଉଦ୍ଦେଶ୍ୟ ବିଷୟରେ ଗଭୀରତାର ସହ ଭାବନ୍ତୁ

୬. (କ) ଯିହୋବାଙ୍କ ଉଦ୍ଦେଶ୍ୟ ସବୁବେଳେ କାହିଁକି ସଫଳ ହୁଏ ? ଉଦାହରଣ ଦେଇ ବୁଝାନ୍ତୁ । (ଖ) ଆମେ ଏପରି କାହିଁକି କହିପାରିବା ଯେ ପୃଥିବୀ ଏବଂ ମଣିଷମାନଙ୍କ ପାଇଁ ଯିହୋବାଙ୍କ ଉଦ୍ଦେଶ୍ୟ “ଚିରନ୍ତନ” ପାଇଁ ଅଟେ ?

ଆସନ୍ତୁ ଧ୍ୟାନ ଦେବା ଯେ ବାଇବଲରେ ଈଶ୍ୱରଙ୍କ ଉଦ୍ଦେଶ୍ୟ ବିଷୟରେ କʼଣ କୁହାଯାଇଛି । ଭାବନ୍ତୁ, ଆପଣ କୌଣସି ଜାଗା ଯିବା ପାଇଁ ଚାହାନ୍ତି । ଆଉ ତାʼପାଇଁ ହୁଏତ ଆପଣ ଗୋଟିଏ ଯୋଜନା କରିବେ ଏବଂ ସବୁକିଛି ଭାବିକି ରଖିବେ । ଯେପରି, ଆପଣ କେଉଁଠି ଯିବେ ଏବଂ କେଉଁ ରାସ୍ତା ଦେଇ ଯିବେ । ଏପରି ବି ହୋଇପାରେ ଯେ ଆଗକୁ ଯାଇ ରାସ୍ତାରେ କୌଣସି ବାଧା ଆସେ ଏବଂ ଆପଣଙ୍କ ଯୋଜନା ସଫଳ ହୋଇପାରେନି । କିନ୍ତୁ ଯେବେ ଯିହୋବା କିଛି କରିବା ପାଇଁ ଚାହାନ୍ତି, ତେବେ ସେ ଏପରି ଭାବନ୍ତିନି । ସେ ଗୋଟିଏ ଲକ୍ଷ୍ୟସ୍ଥଳ ନିର୍ଣ୍ଣୟ କରନ୍ତି ଏବଂ ଗୋଟିଏ ଉଦ୍ଦେଶ୍ୟ ନିର୍ଦ୍ଧାରିତ କରନ୍ତି । ଆଉ ସେ ସେହି ଲକ୍ଷ୍ୟସ୍ଥଳ ଯାଏଁ ପହଞ୍ଚିବା ପାଇଁ କୌଣସି ବି ରାସ୍ତା ଆପଣାଇପାରନ୍ତି । ବାଇବଲରେ ସେ ଆମକୁ ଟିକେ ଟିକେ କରି କହିଛନ୍ତି ଯେ ତାଙ୍କ “ଚିରନ୍ତନ ସଂକଳ୍ପ” କʼଣ ଅଟେ । (ଏଫି. ୩:୧୦) ଯିହୋବା ନିଜ ଉଦ୍ଦେଶ୍ୟ ପୂରା କରିବା ପାଇଁ କୌଣସି ବି ଉପାୟ ଆପଣାଇପାରିବେ ଏବଂ ସେ ସବୁବେଳେ ସଫଳ ହୁଅନ୍ତି । କାରଣ ସେ “ପ୍ରତ୍ୟେକ ବିଷୟକୁ ତହିଁର ନିଜ ଉଦ୍ଦେଶ୍ୟ ସାଧନ ନିମନ୍ତେ” କରନ୍ତି । (ହିତୋ. ୧୬:୪) ତାଙ୍କ ଉଦ୍ଦେଶ୍ୟ “ଚିରନ୍ତନ” ପାଇଁ ଅଟେ, କାରଣ ନିଜ ଉଦ୍ଦେଶ୍ୟ ପୂରା କରିବା ପାଇଁ ସେ ଯାହା ବି କରନ୍ତି, ସେଥିରୁ ସବୁବେଳେ ଲାଭ ହେଉଥିବ । ତେଣୁ ଆସନ୍ତୁ ଜାଣିବା ଯେ ପ୍ରକୃତରେ ଯିହୋବାଙ୍କ ଉଦ୍ଦେଶ୍ୟ କʼଣ ଅଟେ ଏବଂ ତାହା ପୂରା କରିବା ପାଇଁ ସେ କʼଣ କʼଣ ପରିବର୍ତ୍ତନ କରିଛନ୍ତି ।

୭. ଯେବେ ଆଦମ ଓ ହବା ଯିହୋବାଙ୍କ ଆଜ୍ଞା ମାନିଲେ ନାହିଁ, ତେବେ ନିଜ ଉଦ୍ଦେଶ୍ୟ ପୂରା କରିବା ପାଇଁ ସେ କʼଣ ପରିବର୍ତ୍ତନ କଲେ ? (ମାଥିଉ ୨୫:୩୪)

ଯିହୋବା ଆଦମ ଓ ହବାକୁ କହିଥିଲେ ଯେ ମଣିଷମାନଙ୍କ ପାଇଁ ତାଙ୍କ ଉଦ୍ଦେଶ୍ୟ କʼଣ । ସେ ସେମାନଙ୍କୁ କହିଲେ, “ପ୍ରଜାବନ୍ତ ଓ ବହୁବଂଶ ହୁଅ, ପୁଣି ପୃଥିବୀକି ପରିପୂର୍ଣ୍ଣ କରି ବଶୀଭୂତ କର, ଆଉ . . . ଜନ୍ତୁଗଣ ଉପରେ କର୍ତ୍ତୃତ୍ୱ କର ।” (ଆଦି. ୧:୨୮) କିନ୍ତୁ ଯେବେ ଆଦମ ଓ ହବା ଯିହୋବାଙ୍କ ଆଜ୍ଞା ମାନିଲେନି, ତେବେ ସମସ୍ତ ମଣିଷମାନଙ୍କଠାରେ ପାପ ଆସିଗଲା । କିନ୍ତୁ ତାʼଅର୍ଥ ଏହା ନୁହେଁ ଯେ ଯିହୋବାଙ୍କ ଉଦ୍ଦେଶ୍ୟ ପୂରା ହେବନି । ଯିହୋବା ତାଙ୍କ ଉଦ୍ଦେଶ୍ୟ ପୂରା କରିବା ପାଇଁ କିଛି ପରିବର୍ତ୍ତନ କଲେ । ସେ ତୁରନ୍ତ ସେସମୟରେ ହିଁ ନିର୍ଦ୍ଧାରିତ କରିଦେଇଥିଲେ ଯେ ସେ ସ୍ୱର୍ଗରେ ଗୋଟିଏ ଶାସନ ଆରମ୍ଭ କରିବେ, ଯାହା ଜରିଆରେ ସେ ପୃଥିବୀ ଏବଂ ମଣିଷମାନଙ୍କ ପାଇଁ ନିଜ ଉଦ୍ଦେଶ୍ୟ ପୂରା କରିବେ । (ମାଥିଉ ୨୫:୩୪ ପଢ଼ନ୍ତୁ ।) ତାʼପରେ ନିର୍ଦ୍ଧାରିତ ସମୟରେ ଯିହୋବା ନିଜ ପ୍ରଥମ ଜାତ ପୁତ୍ରକୁ ପୃଥିବୀରେ ପଠାଇଲେ, ଯାହାଦ୍ୱାରା ସେ ଆମମାନଙ୍କୁ ଏହି ରାଜ୍ୟ ବିଷୟରେ ଶିଖାନ୍ତୁ ଏବଂ ଆମକୁ ପାପ ଓ ମୃତ୍ୟୁରୁ ଉଦ୍ଧାର କରିବା ପାଇଁ ନିଜ ଜୀବନ ଦିଅନ୍ତୁ । ତାʼପରେ ଯିହୋବା ଯୀଶୁଙ୍କୁ ଜୀବିତ କଲେ ଏବଂ ତାଙ୍କୁ ସ୍ୱର୍ଗରେ ନିଜ ରାଜ୍ୟର ରାଜା ନିଯୁକ୍ତ କଲେ । କିନ୍ତୁ ଯିହୋବାଙ୍କ କେବଳ ଏହା ହିଁ ଉଦ୍ଦେଶ୍ୟ ନ ଥିଲା, ଏଥିରେ ଆହୁରି କିଛି କଥା ସାମିଲ୍‌ ଅଛି ଯାହା ଉପରେ ଆମେ ଧ୍ୟାନ ଦେଇପାରିବା ।

ସେସମୟ ବିଷୟରେ ଭାବନ୍ତୁ ଯେବେ ସ୍ୱର୍ଗ ଏବଂ ପୃଥିବୀରେ ଯିହୋବାଙ୍କ ସମସ୍ତ ସେବକମାନେ ଏକାଠି ହୋଇ ବିଶ୍ୱସ୍ତତାର ସହ ତାଙ୍କ ସେବା କରିବେ (ପାରାଗ୍ରାଫ ୮)

୮. (କ) ବାଇବଲର ମୁଖ୍ୟ ବିଷୟ କʼଣ ଅଟେ ? (ଖ) ଯେପରି ଏଫିସୀୟ ୧:୮-୧୧ ପଦରେ କୁହାଯାଇଛି, ଶେଷରେ ଯିହୋବା କʼଣ କରିବେ ? (ବାହାରେ ଦିଆଯାଇଥିବା ଚିତ୍ର ଦେଖନ୍ତୁ ।)

ବାଇବଲର ମୁଖ୍ୟ ବିଷୟ ହେଉଛି, ଯିହୋବାଙ୍କ ନାମକୁ ପବିତ୍ର କରିବା ଏବଂ ଏହା ସେସମୟରେ ହେବ ଯେବେ ସେ ନିଜ ରାଜ୍ୟ ଜରିଆରେ ଯାହାର ରାଜା ଯୀଶୁ ଖ୍ରୀଷ୍ଟ ଅଟନ୍ତି, ପୃଥିବୀରେ ନିଜ ଉଦ୍ଦେଶ୍ୟ ପୂରା କରିବେ । ଯିହୋବାଙ୍କ ଉଦ୍ଦେଶ୍ୟ କେବେ ବି ବଦଳିପାରିବନି । ସେ ଗ୍ୟାରେଣ୍ଟି ଦେଇଛନ୍ତି ଯେ ତାଙ୍କ ଉଦ୍ଦେଶ୍ୟ ଯେକୌଣସି ପରିସ୍ଥିତିରେ ବି ପୂରା ହେବ । (ଯିଶା. ୪୬:୧୦, ୧୧; ଏବ୍ରୀ ୬:୧୭, ୧୮) ଆଗକୁ ଯାଇ ପୃଥିବୀରେ ଗୋଟିଏ ସୁନ୍ଦର ପାରଦୀଶ ହେବ ଆଉ ଏଥିରେ ଆଦମ ଏବଂ ହବାର ନମ୍ର ଓ ପରିପୂର୍ଣ୍ଣ ପିଲାମାନେ “ନିତ୍ୟଜୀବୀ” ହେବେ । (ଗୀତ ୨୨:୨୬) କିନ୍ତୁ ତାଙ୍କ ଉଦ୍ଦେଶ୍ୟ କେବଳ ଏତିକି ନୁହେଁ । ଶେଷରେ ସେ ସମସ୍ତ ସ୍ୱର୍ଗଦୂତ ଏବଂ ମଣିଷମାନଙ୍କୁ ଏକାଠି କରିବେ । ସେସମୟରେ ସେସମସ୍ତେ ଯିହୋବାଙ୍କୁ ନିଜ ରାଜା ସ୍ୱୀକାର କରି ବିଶ୍ୱସ୍ତତାର ସହ ତାଙ୍କ ସେବା କରିବେ । (ଏଫିସୀୟ ୧:୮-୧୧ ପଢ଼ନ୍ତୁ ।) କʼଣ ଆପଣଙ୍କୁ ଲାଗେନି ଯେ ଯିହୋବା ଯେପରି ଭାବେ ନିଜ ଉଦ୍ଦେଶ୍ୟ ପୂରା କରନ୍ତି, ତାହା ସତରେ ବଢ଼ିଆ ଅଟେ ?

ଭବିଷ୍ୟତ ବିଷୟରେ ଗଭୀରତାର ସହ ଭାବନ୍ତୁ

୯. ବାଇବଲ ପଢ଼ିବା ଦ୍ୱାରା ଆମେ ଭବିଷ୍ୟତକୁ କେତେ ଦୂର ଯାଏଁ ଦେଖିପାରିବା ?

ଏବେ ସେହି ଭବିଷ୍ୟତବାଣୀ ଉପରେ ଧ୍ୟାନ ଦିଅନ୍ତୁ ଯାହା ଯିହୋବା ଏଦନ ବଗିଚାରେ କରିଥିଲେ । ଏହା ଆମେ ଆଦି ପୁସ୍ତକ ୩:୧୫ ପଦରେ ପଢ଼ିପାରିବା । b ଏହି ଭବିଷ୍ୟତବାଣୀରେ ଏପରି ହିଁ ଅନେକ କଥା କୁହାଯାଇଛି, ଯାହାଯୋଗୁଁ ଯିହୋବାଙ୍କ ଉଦ୍ଦେଶ୍ୟ ପୂରା ହୁଅନ୍ତା । କିନ୍ତୁ ଏସବୁ କଥାଗୁଡ଼ିକ ହଜାର ହଜାର ବର୍ଷ ପରେ ପୂରା ହୁଅନ୍ତା । ଯେପରି ପ୍ରତିଜ୍ଞା କରାଯାଇଥିବା ବଂଶ କିମ୍ବା ମସୀହ ଅବ୍ରହାମଙ୍କ ବଂଶରୁ ଆସନ୍ତେ । (ଆଦି. ୨୨:୧୫-୧୮) ଆଉ ଏଥିରେ କୁହାଯାଇଥିବା ବଂଶ କିମ୍ବା ମସୀହଙ୍କ ଗୋଇଠିକି ଆଘାତ କରାଯାʼନ୍ତା । ଏହା ୩୩ ଖ୍ରୀଷ୍ଟାବ୍ଦରେ ହେଲା, ଯେବେ ଯୀଶୁଙ୍କ ମୃତ୍ୟୁ ହେଲା । (ପ୍ରେରି. ୩:୧୩-୧୫) ଏହାଛଡ଼ା ଭବିଷ୍ୟତବାଣୀରେ ଏହା ବି କୁହାଯାଇଥିଲା ଯେ ଶେଷରେ ଶୟତାନର ମସ୍ତକକୁ ଆଘାତ କରିଦିଆଯିବ । ଏହି କଥା ଭବିଷ୍ୟତରେ ୧,୦୦୦ ବର୍ଷରୁ ବି ଅଧିକ ସମୟ ପରେ ପୂରା ହେବ । (ପ୍ରକା. ୨୦:୭-୧୦) ବାଇବଲରେ ଏବିଷୟରେ ବି ବହୁତ କିଛି କୁହାଯାଇଛି ଯେ ଯେବେ ଶୟତାନର ଦୁନିଆ ଏବଂ ଯିହୋବାଙ୍କ ସଂଗଠନ ମଧ୍ୟରେ ଶତ୍ରୁତା ଶେଷ ହୋଇଯିବ, ତେବେ କେଉଁ କେଉଁ ଘଟଣାଗୁଡ଼ିକ ଘଟିବ ।

୧୦. (କ) ଖୁବ୍‌ ଶୀଘ୍ର ଭବିଷ୍ୟତରେ କେଉଁ ଘଟଣାଗୁଡ଼ିକ ଘଟିବ ? (ଖ) ଏହି ଘଟଣାଗୁଡ଼ିକର ସାମନା କରିବା ପାଇଁ ଆମେ ଆଗରୁ ନିଜକୁ କିପରି ପ୍ରସ୍ତୁତ କରିପାରିବା ? (ଫୁଟନୋଟ୍‌ ଦେଖନ୍ତୁ ।)

୧୦ ବାଇବଲରେ କୁହାଯାଇଥିବା ଏହି ଘଟଣାଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ ଯାହାର ଦୁନିଆ ଉପରେ ବହୁତ ପ୍ରଭାବ ପଡ଼ିବ । ସବୁଠୁ ଆଗ, ଦୁନିଆର ରାଷ୍ଟ୍ର ‘ଶାନ୍ତି ଓ ନିରାପଦର’ ଘୋଷଣା କରିବ । (୧ ଥେସ. ୫:୨, ୩) “ସେତେବେଳେ” ଦୁନିଆର ରାଷ୍ଟ୍ର ସମସ୍ତ ମିଥ୍ୟା ଧର୍ମଗୁଡ଼ିକ ଉପରେ ଆକ୍ରମଣ କରିବ ଏବଂ ମହାକ୍ଳେଶ ଆରମ୍ଭ ହୋଇଯିବ । (ପ୍ରକା. ୧୭:୧୬) ତାʼପରେ ହୁଏତ ଅଦ୍ଭୁତ ଭାବରେ “ମନୁଷ୍ୟପୁତ୍ରଙ୍କୁ ମହା-ପରାକ୍ରମ ଓ ମହାମହିମା ସହ ଆକାଶର ମେଘମାଳାରେ ଆଗମନ କରିବା” ଦେଖାଯିବ । (ମାଥି. ୨୪:୩୦) ଯୀଶୁ ସମସ୍ତ ମଣିଷମାନଙ୍କ ନ୍ୟାୟ କରିବେ ଅର୍ଥାତ୍‌ ଛାଗଠାରୁ ମେଷମାନଙ୍କୁ ଅଲଗା କରିବେ । (ମାଥି. ୨୫:୩୧-୩୩, ୪୬) କିନ୍ତୁ ସେହି ସମୟରେ ଶୟତାନ ଚୁପ୍‌ ରହିବନି । ସେ ରାଗରେ ଆସି ମାଗୋଗ୍‌ ଦେଶୀୟ ଗୋଗ୍‌ (ରାଷ୍ଟ୍ରଗୁଡ଼ିକର ଏକତ୍ରିକରଣ କିମ୍ବା ସମୂହକୁ) ଯିହୋବାଙ୍କ ଲୋକମାନଙ୍କ ଉପରେ ଆକ୍ରମଣ କରିବା ପାଇଁ ଉତ୍ତେଜିତ କରିବ । (ଯିହି. ୩୮:୨, ୧୦, ୧୧) ସେହି ସମୟରେ ବଞ୍ଚିଯାଇଥିବା ଅଭିଷିକ୍ତ ଖ୍ରୀଷ୍ଟିୟାନ ସ୍ୱର୍ଗ ଚାଲିଯିବେ ଏବଂ ମହାକ୍ଳେଶର ଶେଷରେ ଯୀଶୁ ଏବଂ ତାଙ୍କ ସ୍ୱର୍ଗୀୟ ସେନା ସହ ମିଶି ହର୍ମିଗିଦ୍ଦୋନ୍‌ ଯୁଦ୍ଧ କରିବେ । c (ମାଥି. ୨୪:୩୧; ପ୍ରକା. ୧୬:୧୪, ୧୬) ତାʼପରେ ପୃଥିବୀରେ ମସୀହଙ୍କ ୧,୦୦୦ ବର୍ଷର ଶାସନ ଆରମ୍ଭ ହେବ ।—ପ୍ରକା. ୨୦:୬.

ଆପଣଙ୍କୁ କʼଣ ଲାଗେ, କୋଟି କୋଟି ବର୍ଷ ଯାଏଁ ଯିହୋବାଙ୍କ ବିଷୟରେ ଜାଣିବା ପରେ ତାଙ୍କ ସହ ଆପଣଙ୍କ ସମ୍ପର୍କ କିପରି ଥିବ ? (ପାରାଗ୍ରାଫ ୧୧)

୧୧. ଆପଣଙ୍କ ପାଖରେ ସବୁଦିନ ବଞ୍ଚିବାର ଯେଉଁ ଆଶା ଅଛି, ସେଥିରୁ ଆପଣଙ୍କ ପାଇଁ କʼଣ କʼଣ ସମ୍ଭବ ହୋଇପାରିବ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୧ ଏବେ ଟିକେ ଦୂର ଭବିଷ୍ୟତ ବିଷୟରେ ଭାବନ୍ତୁ ଯେ ୧,୦୦୦ ବର୍ଷ ପରେ କʼଣ କʼଣ ହେବ । ବାଇବଲରେ ଲେଖାଅଛି ଯେ ଆମ ସୃଷ୍ଟିକର୍ତ୍ତା ଆମ ମନରେ “ଅନନ୍ତ କାଳ” ବଞ୍ଚିବାର ଇଚ୍ଛା ଦେଇଛନ୍ତି । (ଉପ. ୩:୧୧) ଭାବନ୍ତୁ ସେସମୟରେ ଆପଣଙ୍କ ଜୀବନ କିପରି ଥିବ ଏବଂ ଯିହୋବାଙ୍କ ସହ ଆପଣଙ୍କ ସମ୍ପର୍କ କେତେ ଗଭୀର ହେବ । ଯିହୋବାଙ୍କ ନିକଟବର୍ତ୍ତୀ ହୁଅ ବହିର ପୃଷ୍ଠା ୩୧୯ରେ ଏବିଷୟରେ ବଢ଼ିଆ କଥା ଲେଖାଅଛି, “ଏବେଠୁ ଶହ ଶହ, ହଜାର ହଜାର, ଲକ୍ଷ ଲକ୍ଷ ଏପରିକି କୋଟି କୋଟି ବର୍ଷ ବଞ୍ଚିବା ପରେ ଆମେ ଯିହୋବାଙ୍କ ବିଷୟରେ ଏବେଠୁ ଆହୁରି ବେଶି ଜାଣିପାରିବା । କିନ୍ତୁ ପରେ ଆମକୁ ଅନୁଭବ ହେବ ଯେ ଏବେ ବି ଏପରି ଅନେକ କଥା ଅଛି ଯାହା ଆମକୁ ଜାଣିବାର ଅଛି । . . . ଅନନ୍ତ ଜୀବନ କେତେ ବଢ଼ିଆ ଥିବ ଏହା ଆମେ କଳ୍ପନା କରିପାରିବାନି । ଆଉ ଆମେ ଏହା ବି ଭାବିପାରିବାନି ଯେ ସେସମୟରେ ଆମେ କʼଣ କʼଣ କରିପାରିବା । କିନ୍ତୁ ଯିହୋବାଙ୍କ ଆହୁରି ନିକଟତର ହେବା, ସେହି ଜୀବନର ସବୁଠୁ ବଢ଼ିଆ ସମୟ ଥିବ ।” କିନ୍ତୁ ସେସମୟ ଯାଏଁ ଈଶ୍ୱରଙ୍କ ବାକ୍ୟର ଅଧ୍ୟୟନ କରିବା ସମୟରେ ଆମେ ଆହୁରି କʼଣ କʼଣ ଜାଣିପାରିବା ?

ସ୍ୱର୍ଗ ଆଡ଼କୁ ଧ୍ୟାନର ସହ ଦେଖନ୍ତୁ

୧୨. ଆମେ ସ୍ୱର୍ଗକୁ କିପରି ଦେଖିପାରିବା ? ଗୋଟିଏ ଉଦାହରଣ ଦେଇ ବୁଝାନ୍ତୁ ।

୧୨ ବାଇବଲରେ କୁହାଯାଇଛି ଯେ ଯିହୋବା “ଉର୍ଦ୍ଧ୍ୱଲୋକରେ ବାସ” କରନ୍ତି । ଆଉ ଏଥିରୁ ଏକଥାର ବି ଗୋଟିଏ ଝଲକ ମିଳେ ଯେ ତାଙ୍କ ଆଖପାଖର ଦୃଶ୍ୟ କେତେ ବଢ଼ିଆ ଅଛି । (ଯିଶା. ୩୩:୫) ଯିହୋବା ଏବଂ ତାଙ୍କ ସଂଗଠନର ଯେଉଁ ଭାଗ ସ୍ୱର୍ଗରେ ଅଛି, ସେବିଷୟରେ ଅନେକଗୁଡ଼ିକ ବଢ଼ିଆ କଥା କୁହାଯାଇଛି । (ଯିଶା. ୬:୧-୪; ଦାନି. ୭:୯, ୧୦; ପ୍ରକା. ୪:୧-୬) ଯେପରି, ଆମେ ବାଇବଲରେ ସେହି ଆଶ୍ଚର୍ଯ୍ୟନ୍ୱିତ କଥାଗୁଡ଼ିକ ବିଷୟରେ ପଢ଼ିପାରିବା ଯାହା ଯିହିଜିକଲ ସେସମୟରେ ଦେଖିଲେ, ଯେବେ ‘ସ୍ୱର୍ଗ ମୁକ୍ତ ହେଲା, ତହିଁରେ [ସେ] ଈଶ୍ୱରୀୟ ଦର୍ଶନମାନ ପାଇଲେ ।’—ଯିହି. ୧:୧.

୧୩. ଯେପରି ଏବ୍ରୀ ୪:୧୪-୧୬ ପଦରେ କୁହାଯାଇଛି, ଆଜି ଯୀଶୁ ସ୍ୱର୍ଗରୁ ଯାହା କରୁଛନ୍ତି ସେଥିରୁ କେଉଁ କଥା ଆପଣଙ୍କୁ ଭଲ ଲାଗେ ?

୧୩ ଏବେ ଯୀଶୁଙ୍କ ଉପରେ ଧ୍ୟାନ ଦିଅନ୍ତୁ । ଭାବନ୍ତୁ ଯେ ସେ କିପରି ଜଣେ ମହାଯାଜକ ଭାବେ ଆମକୁ ସହାନୁଭୂତି ଦେଖାନ୍ତି ଏବଂ ସ୍ୱର୍ଗରେ ଶାସନ କରୁଛନ୍ତି । ଯୀଶୁଙ୍କ ନାମରେ ପ୍ରାର୍ଥନା କରିବା ଦ୍ୱାରା ଆମେ “ଅନୁଗ୍ରହ ସିଂହାସନ ନିକଟକୁ” ଯାଇପାରୁ ଏବଂ ଯିହୋବାଙ୍କୁ ବିନତି କରିପାରୁ ଯେ ସେ ଆମ ଉପରେ ଦୟା କରନ୍ତୁ ଏବଂ “ଉପଯୁକ୍ତ ସମୟରେ” ଆମକୁ ସାହାଯ୍ୟ କରନ୍ତୁ । (ଏବ୍ରୀ ୪:୧୪-୧୬ ପଢ଼ନ୍ତୁ ।) ପ୍ରତିଦିନ ଏବିଷୟରେ ଭାବିବା ପାଇଁ ଚେଷ୍ଟା କରନ୍ତୁ ଯେ ଯିହୋବା ଓ ଯୀଶୁ ଆପଣଙ୍କ ପାଇଁ କʼଣ କରିଛନ୍ତି ଏବଂ ଆଜି ସ୍ୱର୍ଗରେ ସେମାନେ କʼଣ କରୁଛନ୍ତି । ସେମାନେ ଯେପରି ଭାବେ ଆମକୁ ପ୍ରେମ କରିଛନ୍ତି, କʼଣ ତାହା ଆମ ହୃଦୟକୁ ଛୁଇଁ ଯାଏନି ? କʼଣ ଆମକୁ ଆହୁରି ଉତ୍ସାହର ସହ ଯିହୋବାଙ୍କ ସେବା କରିବା ପାଇଁ ଇଚ୍ଛା ହୁଏନି ?—୨ କରି. ୫:୧୪, ୧୫.

ଭାବନ୍ତୁ, ନୂଆ ଦୁନିଆରେ ଆପଣଙ୍କୁ ଏକଥାରୁ କେତେ ଖୁସି ମିଳିବ ଯେ ଆପଣ ଲୋକମାନଙ୍କୁ ଯିହୋବାଙ୍କ ସାକ୍ଷୀ ଏବଂ ଯୀଶୁଙ୍କ ଶିଷ୍ୟ ହେବା ପାଇଁ ସାହାଯ୍ୟ କରିଥିଲେ ! (ପାରାଗ୍ରାଫ ୧୪)

୧୪. ଯିହୋବା ଏବଂ ଯୀଶୁଙ୍କ ପାଇଁ ନିଜର କୃତଜ୍ଞତା ଦେଖାଇବାର ଗୋଟିଏ ବଢ଼ିଆ ଉପାୟ କʼଣ ଅଟେ ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

୧୪ ଈଶ୍ୱର ଏବଂ ତାଙ୍କ ପୁତ୍ରଙ୍କ ପାଇଁ ନିଜ କୃତଜ୍ଞତା ଦେଖାଇବାର ଗୋଟିଏ ଉପାୟ କʼଣ ଅଟେ ? ତାହା ହେଉଛି ଯେ ଆମେ ଯିହୋବାଙ୍କ ସାକ୍ଷୀ ଏବଂ ଯୀଶୁଙ୍କ ଶିଷ୍ୟ ହେବା ପାଇଁ ଲୋକମାନଙ୍କୁ ସାହାଯ୍ୟ କରୁ । (ମାଥି. ୨୮:୧୯, ୨୦) ପ୍ରେରିତ ପାଉଲ ମଧ୍ୟ ଈଶ୍ୱର ଏବଂ ଖ୍ରୀଷ୍ଟଙ୍କୁ ନିଜ କୃତଜ୍ଞତା ଦେଖାଇବା ପାଇଁ ଏପରି ହିଁ କଲେ । ସେ ଜାଣିଥିଲେ ଯେ ଯିହୋବାଙ୍କ ଇଚ୍ଛା ଏହା ଯେ “ସମସ୍ତେ ଯେପରି ପରିତ୍ରାଣ ଓ ସତ୍ୟ ସମ୍ବନ୍ଧରେ ଜ୍ଞାନ ପ୍ରାପ୍ତ ହୁଅନ୍ତି ।” (୧ ତୀମ. ୨:୩, ୪) ତେଣୁ ସେ ପ୍ରଚାର କରିବା ପାଇଁ ବହୁତ ପରିଶ୍ରମ କଲେ ଏବଂ ଅଧିକରୁ ଅଧିକ ଲୋକମାନଙ୍କୁ ସୁସମାଚାର ଶୁଣାଇବା ପାଇଁ ଚେଷ୍ଟା କଲେ, ଯାହାଦ୍ୱାରା ସେ “ଯେକୌଣସି ପ୍ରକାରେ କେତେକଙ୍କୁ ରକ୍ଷା” କରିପାରନ୍ତୁ ।—୧ କରି. ୯:୨୨, ୨୩.

ଗଭୀରତାର ସହ ଅଧ୍ୟୟନ କରି ଈଶ୍ୱରଙ୍କ ବାକ୍ୟରୁ ଖୁସି ପାଆନ୍ତୁ

୧୫. ଗୀତସଂହିତା ୧:୨ ପଦ ଅନୁସାରେ କʼଣ କରିବା ଦ୍ୱାରା ଆମକୁ ଖୁସି ମିଳିବ ?

୧୫ ଗୀତସଂହିତାର ଜଣେ ଲେଖକ କହିଲେ ଯେ “ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଯାହାର ଆମୋଦ ଥାଏ” ଏବଂ “ଯେ ଦିବାରାତ୍ର ତାହାଙ୍କର ବ୍ୟବସ୍ଥା ଧ୍ୟାନ କରେ” ସେ ହିଁ ପ୍ରକୃତରେ ଖୁସି ଥାଏ ଏବଂ ନିଜ ଜୀବନରେ ସଫଳ ହୁଏ । (ଗୀତ. ୧:୧-୩) ବାଇବଲର ଜଣେ ଅନୁବାଦକ ଜୋଷେଫ୍‌ ରଦରହ୍ୟାମ ଏହି ଗୀତସଂହିତା ବିଷୟରେ ନିଜର ଗୋଟିଏ ବହିରେ ଲେଖିଲେ ଯେ ଜଣେ ବ୍ୟକ୍ତିଠାରେ “ଈଶ୍ୱରଙ୍କଠାରୁ ମାର୍ଗଦର୍ଶନ ପାଇବା ପାଇଁ ଅତ୍ୟଧିକ ଇଚ୍ଛା ହେବା ଦରକାର, ଯାହାଯୋଗୁଁ ସେ ତାʼପାଇଁ ଅନୁସନ୍ଧାନ କରିବ, ଅଧ୍ୟୟନ କରିବ ଏବଂ ଅନେକ ସମୟ ଯାଏଁ ସେବିଷୟରେ ଭାବିବ ।” ସେ ଏହା ବି ଲେଖିଲେ ଯେ “ଯଦି କେହି ଦିନେ ବାଇବଲ ନ ପଢ଼େ, ତେବେ ଏହା ଏପରି ହେବ ଯେପରି ତାʼର ସେହି ଦିନ ବେକାର ହୋଇଗଲା ।” ବାଇବଲ ଅଧ୍ୟୟନ କରିବା ସମୟରେ ତାʼର ଛୋଟ ଛୋଟ କଥାଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ । ଆଉ ଏହା ବୁଝିବା ପାଇଁ ଚେଷ୍ଟା କରନ୍ତୁ ଯେ ଏହାର ଅଲଗା ଅଲଗା ଭାଗଗୁଡ଼ିକରେ ଲେଖା ଯାଇଥିବା କଥାଗୁଡ଼ିକ କିପରି ପରସ୍ପର ସହ ଜଡ଼ିତ ଅଛି ? ଏପରି ଭାବେ ଯେବେ ଆପଣ ଈଶ୍ୱରଙ୍କ ବାକ୍ୟର ଦୈର୍ଘ୍ୟ ଓ ପ୍ରସ୍ଥ, ଉଚ୍ଚତା ଓ ଗଭୀରତାକୁ ଭଲଭାବେ ବୁଝିବା ପାଇଁ ଚେଷ୍ଟା କରିବେ, ତେବେ ଆପଣଙ୍କୁ ବହୁତ ଖୁସି ମିଳିବ ।

୧୬. ପରବର୍ତ୍ତୀ ଲେଖାରେ ଆମେ କʼଣ ଚର୍ଚ୍ଚା କରିବା ?

୧୬ ଯିହୋବା ନିଜ ବାକ୍ୟରେ ଯେଉଁ ଗଭୀର କଥାଗୁଡ଼ିକ ଲେଖାଇଛନ୍ତି, ତାହା ବୁଝିବା ଏତେ ବି କଠିନ ନୁହେଁ । ପରବର୍ତ୍ତୀ ଲେଖାରେ ଆମେ ଏପରି ହିଁ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ସତ୍ୟ ବିଷୟରେ ଚର୍ଚ୍ଚା କରିବା । ତାହା ହେଉଛି, ଯିହୋବାଙ୍କ ମହାନ ଲାକ୍ଷଣିକ ମନ୍ଦିର, ଯାହା ବିଷୟରେ ପାଉଲ ଏବ୍ରୀ ଖ୍ରୀଷ୍ଟିୟାନମାନଙ୍କୁ ଲେଖିଥିବା ନିଜ ଚିଠିରେ କହିଥିଲେ । ଆମେ ଆଶା କରୁ ଯେ ଏହି ବିଷୟ ଉପରେ ଅଧ୍ୟୟନ କରିବା ଦ୍ୱାରା ଆପଣଙ୍କୁ ଖୁସି ମିଳିବ ।

ଗୀତ ୯୪ ୟହୋୱା କେ ୱଚନ୍‌ କେ ଲିଏ ଏହସାନ୍‌ମନ୍ଦ

a ବାଇବଲ ଅଧ୍ୟୟନ କରିବା ଦ୍ୱାରା ଆମକୁ ସାରା ଜୀବନ ଖୁସି ମିଳିପାରିବ । ଏଥିରୁ ଆମକୁ ଅନେକ ଲାଭ ହୋଇପାରିବ ଏବଂ ଆମେ ଯିହୋବାଙ୍କ ଆହୁରି ନିକଟତର ହୋଇପାରିବା । ଏହି ଲେଖାରେ ଆମେ ଜାଣିବା ଯେ ଈଶ୍ୱରଙ୍କ ବାକ୍ୟର “ଦୈର୍ଘ୍ୟ ଓ ପ୍ରସ୍ଥ, ଉଚ୍ଚତା ଓ ଗଭୀରତା” ଆମେ କିପରି ଜାଣିପାରିବା ।

b ଜୁଲାଇ ୨୦୨୨ ମସିହାର ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା, “ବାଇବଲର ପ୍ରଥମ ଭବିଷ୍ୟତବାଣୀ ଆପଣଙ୍କ ପାଇଁ କʼଣ ମହତ୍ତ୍ୱ ରଖେ ?” ପଢ଼ନ୍ତୁ ।

c ଭବିଷ୍ୟତରେ ଯେଉଁ ଘଟଣାଗୁଡ଼ିକ ଘଟିବ, ତାହାର ଦୁନିଆ ଉପରେ ବହୁତ ପ୍ରଭାବ ପଡ଼ିବ । ତାʼପାଇଁ ଆପଣ ନିଜକୁ କିପରି ପ୍ରସ୍ତୁତ କରିପାରିବେ, ଏହା ଜାଣିବା ପାଇଁ ପରମେଶ୍ୱର କା ରାଜ ହୁକୁମତ୍‌ କର ରାହା ହୈ ! ବହିର ପୃଷ୍ଠା ୨୩୦ ପଢ଼ନ୍ତୁ ।