इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୧

ଗୀତ ୩୮ ୱହ ତୁମ୍‌ହେ ମଜ୍‌ବୁତ୍‌ କରେଗା

ଯିହୋବାଙ୍କ ଉପରେ ଭରସା ରଖନ୍ତୁ, ଡରକୁ କାବୁ କରନ୍ତୁ

ଯିହୋବାଙ୍କ ଉପରେ ଭରସା ରଖନ୍ତୁ, ଡରକୁ କାବୁ କରନ୍ତୁ

୨୦୨୪ ମସିହାର ବାର୍ଷିକ ପଦ: “ମୁଁ ଭୀତ ହେବା ସମୟରେ ତୁମ୍ଭ ଉପରେ ନିର୍ଭର ରଖିବି ।”ଗୀତ. ୫୬:୩.

କʼଣ ଶିଖିବା ?

ଆମେ ଯିହୋବାଙ୍କ ଉପରେ ନିଜର ଭରସା କିପରି ବଢ଼ାଇପାରିବା ଓ ନିଜ ଡରକୁ କିପରି କାବୁ କରିପାରିବା ?

୧. ଅନେକଥର ହୁଏତ ଆମକୁ କାହିଁକି ଡର ଲାଗିବ ?

 ଆମ ସମସ୍ତଙ୍କୁ ବେଳେବେଳେ ଡର ଲାଗେ । ଏହା ସତ ଯେ ଆମେ ମୃତ ଲୋକମାନଙ୍କୁ କିମ୍ବା ଦୁଷ୍ଟ ସ୍ୱର୍ଗଦୂତମାନଙ୍କୁ ଡରି ନ ଥାଉ ଓ ଆମେ ଏହା ଭାବି ବି ଡରି ନ ଥାଉ ଯେ ଆଗକୁ ଯାଇ ଦୁନିଆର କʼଣ ହେବ, କାରଣ ଆମେ ଏବିଷୟରେ ସତ୍ୟ ଜାଣିଛୁ । କିନ୍ତୁ ଆଜି ଆମେ ଏପରି ସମୟରେ ବଞ୍ଚୁଛୁ ଯେବେ “ଭୟଙ୍କର ଦୃଶ୍ୟ” ଦେଖାଯାଏ: ଯୁଦ୍ଧ ହେଉଛି, ଅପରାଧ ବଢ଼ୁଛି ଓ ରୋଗଗୁଡ଼ିକ ବ୍ୟାପୁଛି । (ଲୂକ ୨୧:୧୧) କିମ୍ବା ହୁଏତ ଆମକୁ ସେହି ଅଧିକାରୀମାନଙ୍କଠାରୁ ଡର ଲାଗିପାରେ ଯେଉଁମାନେ ଆମ ଉପରେ ଅତ୍ୟାଚାର କରନ୍ତି କିମ୍ବା ପରିବାରର ସେହି ଲୋକମାନଙ୍କଠାରୁ ଆମେ ଡରିଥାଉ ଯେଉଁମାନେ ଆମ ବିରୋଧ କରନ୍ତି । କିଛି ଲୋକମାନେ ହୁଏତ ଏହା ଭାବି ଚିନ୍ତିତ ହେଉଥିବେ ଯେ ସେମାନେ ନିଜ ସମସ୍ୟାଗୁଡ଼ିକର ସାମନା କିପରି କରିବେ କିମ୍ବା ଆଗକୁ ଯାଇ ଯଦି କିଛି ହୋଇଯାଏ, ତାହେଲେ ସେସମୟରେ ସେମାନେ କʼଣ କରିବେ ।

୨. ଯେବେ ଦାଉଦ ଗାଥ୍‌ ସହରରେ ଥିଲେ, ତେବେ କʼଣ ହେଲା ?

ବେଳେବେଳେ ଦାଉଦ ମଧ୍ୟ ବହୁତ ଡରିଗଲେ । ଥରେ ଯେବେ ସେ ରାଜା ଶାଉଲଙ୍କଠାରୁ ନିଜ ଜୀବନ ବଞ୍ଚାଇ ପଳାଉଥିଲେ, ତେବେ ସେ ପଲେଷ୍ଟୀୟମାନଙ୍କ ସହର ଗାଥ୍‌କୁ ପହଞ୍ଚିଗଲେ । କିଛି ସମୟ ପରେ ଗାଥ୍‌ର ରାଜା ଆଖୀଶ୍‌କୁ ଜଣାପଡ଼ିଲା ଯେ ଦାଉଦ ଜଣେ ସାହସୀ ଯୋଦ୍ଧା ଅଟନ୍ତି ଆଉ ଲୋକମାନେ ତାଙ୍କ ପ୍ରଶଂସାରେ ଏପରି ଗୀତ ଗାଇଥିଲେ ଯେ ‘ଦାଉଦ ବଧ କଲେ ଅୟୁତ ପଲେଷ୍ଟୀୟମାନଙ୍କୁ ।’ ସେସମୟରେ ଦାଉଦଙ୍କୁ ଆହୁରି ଡର ଲାଗିଲା । (୧ ଶାମୁ. ୨୧:୧୦-୧୨) ସେ ଚିନ୍ତିତ ହୋଇଗଲେ ଯେ ଏବେ କେଜାଣେ ଆଖୀଶ୍‌ ତାଙ୍କ ସହ କʼଣ କରିବେ । ଦାଉଦ ନିଜ ଡର ଉପରେ କିପରି କାବୁ କରିପାରିଲେ ?

୩. ଗୀତସଂହିତା ୫୬:୧-୩, ୧୧ ପଦ ଅନୁସାରେ ଦାଉଦ ନିଜ ଡରକୁ କିପରି କାବୁ କରିପାରିଲେ ?

ଗୀତସଂହିତା ୫୬ ଅଧ୍ୟାୟରେ ଆମେ ପଢ଼ୁ ଯେ ଯେବେ ଦାଉଦ ଗାଥ୍‌ରେ ଥିଲେ, ତେବେ ତାଙ୍କୁ କିପରି ଲାଗିଲା । ସେହି ଗୀତସଂହିତାରେ ଦାଉଦ ଏହା ବି କହିଲେ ଯେ ସେ କାହିଁକି ଡରି ଯାଇଥିଲେ ଓ କିପରି ନିଜ ଡରକୁ କାବୁ କରିପାରିଲେ । ଯେବେ ଦାଉଦ ଡରି ଯାଇଥିଲେ, ତେବେ ସେ ଯିହୋବାଙ୍କ ଉପରେ ଭରସା ରଖିଲେ । (ଗୀତସଂହିତା ୫୬:୧-୩, ୧୧ ପଢ଼ନ୍ତୁ ।) ଆଉ ଯିହୋବା ତାଙ୍କ ଭରସା ଭାଙ୍ଗିଲେ ନାହିଁ । ଯିହୋବାଙ୍କ ସାହାଯ୍ୟରେ ଦାଉଦଙ୍କୁ ଗୋଟିଏ ଉପାୟ ମିଳିଲା । ସେହି ଉପାୟ ଟିକେ ଅଜବ ଥିଲା, କିନ୍ତୁ ତାହା ସଫଳ ହେଲା: ଦାଉଦ ପାଗଳ ହେବାର ନାଟକ କଲେ । ସେଥିପାଇଁ ଆଖୀଶ୍‌ ଭାରି ବିରକ୍ତ ହେଲେ ଆଉ ସେ ଚାହିଁଲେ ଯେ ଦାଉଦ ସେଠାରୁ ଚାଲିଯାʼନ୍ତୁ ।—୧ ଶାମୁ. ୨୧:୧୩–୨୨:୧.

୪. ଯିହୋବାଙ୍କ ଉପରେ ନିଜର ଭରସା ବଢ଼ାଇବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ? ଉଦାହରଣ ଦେଇ ବୁଝାନ୍ତୁ ।

ଆମେ ବି ଯିହୋବାଙ୍କ ଉପରେ ଭରସା କରି ନିଜ ଡରକୁ କାବୁ କରିପାରିବା । କିନ୍ତୁ ଯେବେ ଆମେ ଡରିଯାଉ, ତେବେ ତାଙ୍କ ଉପରେ ଭରସା କରିବା କଠିନ ହୋଇଯାଏ । ଏପରି ସମୟରେ ଆମେ କିପରି ଯିହୋବାଙ୍କ ଉପରେ ନିଜ ଭରସା ବଢ଼ାଇପାରିବା ? ଟିକେ ଏହି ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଭାବନ୍ତୁ ଆପଣଙ୍କୁ ଜଣାପଡ଼େ ଯେ ଆପଣଙ୍କୁ ଗୋଟିଏ ରୋଗ ହୋଇଛି । ଆରମ୍ଭରେ ହୁଏତ ଆପଣ ବହୁତ ଡରିଯିବେ । କିନ୍ତୁ ଯଦି ଆପଣଙ୍କୁ ନିଜ ଡାକ୍ତରଙ୍କ ଉପରେ ଭରସା ଥିବ, ତେବେ ଆପଣଙ୍କ ଡର କମ୍‌ ହୋଇଯିବ । କାରଣ ହୁଏତ ସେହି ଡାକ୍ତର ଆଗରୁ ଏପରି ଅନେକ ରୋଗୀଙ୍କୁ ଠିକ୍‌ କରିଥିବେ । ସେ ଆପଣଙ୍କ କଥା ଧ୍ୟାନର ସହ ଶୁଣନ୍ତି ଓ ଭରସା ଦିଅନ୍ତି ଯେ ସେ ଆପଣଙ୍କ ଚିନ୍ତା କରନ୍ତି । ହୁଏତ ସେ ଆପଣଙ୍କୁ ଏପରି ଚିକିତ୍ସା ବିଷୟରେ କହିବେ, ଯାହାଦ୍ୱାରା ଅନେକଙ୍କୁ ଲାଭ ହୋଇଛି । ଏବେ ହୁଏତ ଆପଣଙ୍କ ଡର କମ୍‌ ହୋଇଯିବ । ସେହିପରି ଯେବେ ଆମେ ଏହା ଭାବିବା ଯେ ଯିହୋବା ଏବେ ଯାଏଁ କʼଣ କʼଣ କରିଛନ୍ତି, ଆଜି କʼଣ କରୁଛନ୍ତି ଓ ଭବିଷ୍ୟତରେ କʼଣ କʼଣ କରିବେ, ତେବେ ତାଙ୍କ ଉପରେ ଆମ ଭରସା ବଢ଼ିଯିବ । ଦାଉଦ ବି ଏପରି ହିଁ କିଛି କରିଥିଲେ । ତେଣୁ ଯେବେ ଆମେ ଗୀତସଂହିତା ୫୬ ଅଧ୍ୟାୟରେ ଲେଖାଥିବା କଥାଗୁଡ଼ିକ ଉପରେ ଧ୍ୟାନ ଦେଉ, ତେବେ ଭାବନ୍ତୁ ଯେ ଆପଣ ଯିହୋବାଙ୍କ ଉପରେ ନିଜର ଭରସା କିପରି ବଢ଼ାଇପାରିବେ ଓ ନିଜ ଡରକୁ କାବୁ କରିପାରିବେ ।

ଯିହୋବା ଏବେ ଯାଏଁ କʼଣ କʼଣ କରିଛନ୍ତି ?

୫. ନିଜ ଡରକୁ କାବୁ କରିବା ପାଇଁ ଦାଉଦ କେଉଁ ବିଷୟରେ ଭାବିଲେ ? (ଗୀତସଂହିତା ୫୬:୧୨, ୧୩)

ଯେବେ ଦାଉଦଙ୍କ ଜୀବନ ବିପଦରେ ଥିଲା, ତେବେ ସେ ଏକଥା ଉପରେ ଧ୍ୟାନ ଦେଲେ ଯେ ଯିହୋବା ଏବେ ଯାଏଁ କʼଣ କʼଣ ଭଲ କାମ କରିଛନ୍ତି । (ଗୀତସଂହିତା ୫୬:୧୨, ୧୩ ପଢ଼ନ୍ତୁ ।) ଆଉ ସେ ସବୁବେଳେ ଏପରି କଥାଗୁଡ଼ିକ ବିଷୟରେ ଭାବୁଥିଲେ । ଯେପରି, ଅନେକଥର ସେ ଯିହୋବାଙ୍କ ସୃଷ୍ଟି ଉପରେ ଚିନ୍ତନ କରୁଥିଲେ । ଏଥିରୁ ତାଙ୍କୁ ଅନୁଭବ ହେଉଥିଲା ଯେ ଯିହୋବା କେତେ ଶକ୍ତିଶାଳୀ ଅଟନ୍ତି ଓ ଲୋକମାନଙ୍କୁ କେତେ ପ୍ରେମ କରନ୍ତି । (ଗୀତ. ୬୫:୬-୯) ଦାଉଦ ଏବିଷୟରେ ବି ଭାବୁଥିଲେ ଯେ ଯିହୋବା ଅନ୍ୟମାନଙ୍କ ପାଇଁ କʼଣ କʼଣ କରିଛନ୍ତି । (ଗୀତ. ୩୧:୧୯; ୩୭:୨୫, ୨୬) ଆଉ ସେ ବିଶେଷ କରି ଏକଥା ଉପରେ ଚିନ୍ତନ କରୁଥିଲେ ଯେ ଯିହୋବା ତାଙ୍କ ପାଇଁ କʼଣ କʼଣ କରିଛନ୍ତି । ଯେବେ ସେ ନିଜ ମାଆଙ୍କ ଗର୍ଭରେ ଥିଲେ, ସେସମୟରୁ ଯିହୋବା ତାଙ୍କୁ ସମ୍ଭାଳିଲେ ଓ ତାଙ୍କ ସୁରକ୍ଷା କଲେ । (ଗୀତ. ୨୨:୯, ୧୦) ଭାବନ୍ତୁ ଯେବେ ଦାଉଦ ଏକଥାଗୁଡ଼ିକ ଉପରେ ଚିନ୍ତନ କରୁଥିବେ, ତେବେ ଯିହୋବାଙ୍କ ଉପରେ ତାଙ୍କର ଭରସା କେତେ ବଢ଼ି ଯାଉଥିବ !

ଦାଉଦ ଏବିଷୟରେ ଭାବିଲେ ଯେ ଯିହୋବା ଏବେ ଯାଏଁ କʼଣ କʼଣ କରିଛନ୍ତି, ଆଜି କʼଣ କରୁଛନ୍ତି ଓ ଭବିଷ୍ୟତରେ କʼଣ କରିବେ, ତେଣୁ ଯିହୋବାଙ୍କ ଉପରେ ତାଙ୍କ ଭରସା ବଢ଼ିଗଲା (ପାରାଗ୍ରାଫ ୫, ୮, ୧୨) d


୬. ଯେବେ ଆମକୁ ଡର ଲାଗେ, ତେବେ ଆମେ କିପରି ଯିହୋବାଙ୍କ ଉପରେ ନିଜର ଭରସା ବଢ଼ାଇପାରିବା ?

ଯେବେ ଆପଣଙ୍କୁ ଡର ଲାଗେ ତେବେ ନିଜକୁ ପଚାରନ୍ତୁ, ‘ଯିହୋବା ଏବେ ଯାଏଁ କʼଣ କʼଣ କରିଛନ୍ତି ?’ ଆପଣ ତାଙ୍କ ସୃଷ୍ଟି ବିଷୟରେ ଭାବିପାରିବେ । ଯେପରି ପକ୍ଷୀ ଓ ଫୁଲଗୁଡ଼ିକୁ ‘ଦେଖନ୍ତୁ ।’ ସେଗୁଡ଼ିକ ଯିହୋବାଙ୍କ ଭଳି ଗୁଣ ଦେଖାନ୍ତି ନାହିଁ ଓ ତାଙ୍କ ଉପାସନା ବି କରନ୍ତି ନାହିଁ, ତଥାପି ଯିହୋବା ସେମାନଙ୍କର ଯତ୍ନ ନିଅନ୍ତି । ତାହେଲେ କʼଣ ଯିହୋବା ଆପଣଙ୍କର ଆହୁରି ଅଧିକ ଯତ୍ନ ନେବେନି ? ଏପରି ଭାବରେ ଯଦି ଆପଣ ସୃଷ୍ଟି ଉପରେ ଚିନ୍ତନ କରିବେ, ତେବେ ଯିହୋବାଙ୍କ ଉପରେ ଆପଣଙ୍କ ଭରସା ବଢ଼ିପାରେ । (ମାଥି. ୬:୨୫-୩୨) ଏହା ବି ଭାବନ୍ତୁ ଯେ ଯିହୋବା ନିଜ ସେବକମାନଙ୍କ ପାଇଁ ଏବେ ଯାଏଁ କʼଣ କʼଣ କରିଛନ୍ତି । ଆପଣ ବାଇବଲରେ ଦିଆଯାଇଥିବା ଏପରି କୌଣସି ବ୍ୟକ୍ତି ବିଷୟରେ ବି ପଢ଼ିପାରିବେ ଯାହାର ଈଶ୍ୱରଙ୍କ ଉପରେ ଦୃଢ଼ ବିଶ୍ୱାସ ଥିଲା କିମ୍ବା ଆମ ସମୟର କୌଣସି ଭାଇଭଉଣୀଙ୍କ ଅନୁଭବ ପଢ଼ିପାରିବେ । a ଏହାଛଡ଼ା ଆପଣ ଏହା ବି ଭାବିପାରିବେ ଯେ ଯିହୋବା ଆପଣଙ୍କ ପାଇଁ କʼଣ କʼଣ କରିଛନ୍ତି । ଯେପରି, ସେ କିପରି ଭାବେ ଆପଣଙ୍କୁ ସତ୍ୟ ଆଡ଼କୁ ଆକର୍ଷିତ କଲେ ? (ଯୋହ. ୬:୪୪) କିପରି ଆପଣଙ୍କ ପ୍ରାର୍ଥନାର ଉତ୍ତର ଦେଲେ ? (୧ ଯୋହ. ୫:୧୪) ଆଉ ସେ ନିଜ ପୁତ୍ରର ଯେଉଁ ବଳିଦାନ ଦେଲେ, ସେଥିରୁ ଆପଣଙ୍କୁ ପ୍ରତିଦିନ କିପରି ଲାଭ ହେଉଛି ?—ଏଫି. ୧:୭; ଏବ୍ରୀ ୪:୧୪-୧୬.

ଯେବେ ଆମେ ଏବିଷୟରେ ଭାବିବା ଯେ ଯିହୋବା ଏବେ ଯାଏଁ କʼଣ କʼଣ କରିଛନ୍ତି, ଆଜି କʼଣ କରୁଛନ୍ତି ଓ ଭବିଷ୍ୟତରେ କʼଣ କରିବେ, ତେବେ ତାଙ୍କ ଉପରେ ଆମ ଭରସା ବଢ଼ିଯିବ (ପାରାଗ୍ରାଫ ୬, ୯-୧୦, ୧୩-୧୪) e


୭. ଭବିଷ୍ୟଦ୍‌ବକ୍ତା ଦାନିୟେଲଙ୍କ ବିଷୟରେ ଭାବିବା ଯୋଗୁଁ ଭଉଣୀ ୱନେସା କିପରି ନିଜ ଡରକୁ କାବୁ କରିପାରିଲେ ?

ହୈତିରେ ରହୁଥିବା ଭଉଣୀ ୱନେସାଙ୍କ b ସହ ଥରେ ଏପରି ହିଁ କିଛି ହେଲା, ଯାହାଯୋଗୁଁ ସେ ବହୁତ ଡରି ଗଲେ । ତାଙ୍କ ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କୁ ପ୍ରତିଦିନ ଫୋନ୍‌ କରିବାକୁ ଲାଗିଲା ଓ ମେସେଜ୍‌ ପଠାଇବାକୁ ଲାଗିଲା । ସେ ଭଉଣୀଙ୍କ ସହ ସମ୍ପର୍କ ରଖିବାକୁ ଚାହୁଁଥିଲା । କିନ୍ତୁ ଭଉଣୀ ମନା କରିଦେଲେ । ତାʼପରେ ସେହି ବ୍ୟକ୍ତି ତାଙ୍କୁ ଆହୁରି ବେଶି ହଇରାଣ କରିବାକୁ ଲାଗିଲା, ଏପରିକି ସେ ତାଙ୍କୁ ଧମକ ଦେବାକୁ ଲାଗିଲା । ଭଉଣୀ ୱନେସା କହନ୍ତି, “ମୁଁ ବହୁତ ଡରି ଯାଇଥିଲି ।” ସେ ନିଜ ଡରକୁ କିପରି କାବୁ କରିପାରିଲେ ? ସେ ନିଜର ରକ୍ଷା ପାଇଁ କିଛି ପଦକ୍ଷେପ ନେଲେ । ସେ ଜଣେ ପ୍ରାଚୀନଙ୍କ ସାହାଯ୍ୟ ନେଇ ପୋଲିସକୁ ଏବିଷୟରେ ଜଣାଇଲେ । ତାʼଛଡ଼ା ସେ ଏବିଷୟରେ ବି ଭାବିଲେ ଯେ ଯିହୋବା ପ୍ରାଚୀନ ସମୟରେ ନିଜ ସେବକମାନଙ୍କ କିପରି ରକ୍ଷା କରିଥିଲେ । ସେ କହନ୍ତି, “ପ୍ରଥମେ ମୋ ମନରେ ଭବିଷ୍ୟଦ୍‌ବକ୍ତା ଦାନିୟେଲଙ୍କ ଚିନ୍ତା ଆସିଲା । ତାଙ୍କର କୌଣସି ଦୋଷ ନ ଥିଲା, ତଥାପି ତାଙ୍କୁ ଭୋକିଲା ସିଂହମାନଙ୍କ ଗର୍ତ୍ତରେ ଫିଙ୍ଗି ଦିଆଯାଇଥିଲା । କିନ୍ତୁ ଯିହୋବା ତାଙ୍କୁ ରକ୍ଷା କଲେ । ମୁଁ ବି ସବୁକିଛି ଯିହୋବାଙ୍କ ଉପରେ ଛାଡ଼ିଦେଲି ଓ ତାଙ୍କୁ କହିଲି ଯେ ସେ ପରିସ୍ଥିତିକୁ ସମ୍ଭାଳନ୍ତୁ । ତାʼପରେ ମୋତେ ଜମା ବି ଡର ଲାଗିଲାନି ।”—ଦାନି. ୬:୧୨-୨୨.

ଯିହୋବା ଆଜି କʼଣ କରୁଛନ୍ତି ?

୮. ଦାଉଦଙ୍କୁ କେଉଁ କଥାର ଭରସା ଥିଲା ? (ଗୀତସଂହିତା ୫୬:୮)

ଯେବେ ଦାଉଦ ଗାଥ୍‌ରେ ଥିଲେ, ତେବେ ତାଙ୍କ ଜୀବନ ବିପଦରେ ଥିଲା, ତଥାପି ସେ ଡରିଲେ ନାହିଁ । ତାʼ ପରିବର୍ତ୍ତେ ସେ ଏବିଷୟରେ ଭାବିଲେ ଯେ ଯିହୋବା ସେସମୟରେ ତାଙ୍କ ପାଇଁ କʼଣ କରୁଛନ୍ତି । ଦାଉଦ ବୁଝିଗଲେ ଯେ ଯିହୋବା ତାଙ୍କୁ ସୁରକ୍ଷା ଦେଉଛନ୍ତି, ସଠିକ୍‌ ରାସ୍ତା ଦେଖାଉଛନ୍ତି ଓ ସେ ଜାଣନ୍ତି ଯେ ତାଙ୍କୁ କିପରି ଲାଗୁଛି । (ଗୀତସଂହିତା ୫୬:୮ ପଢ଼ନ୍ତୁ ।) ଦାଉଦଙ୍କ କିଛି ବିଶ୍ୱସ୍ତ ସାଙ୍ଗ ବି ଥିଲେ, ଯେପରି ଯୋନାଥନ ଓ ମହାଯାଜକ ଅହୀମେଲକ୍‌, ଯେଉଁମାନେ ତାଙ୍କର ଉତ୍ସାହ ବଢ଼ାଇଲେ ଓ ସାହାଯ୍ୟ କଲେ । (୧ ଶାମୁ. ୨୦:୪୧, ୪୨; ୨୧:୬, ୮, ୯) ଯିହୋବା ରାଜା ଶାଉଲଙ୍କଠାରୁ ମଧ୍ୟ ଦାଉଦଙ୍କର ରକ୍ଷା କଲେ ଯିଏ ତାଙ୍କ ଜୀବନ ନେବା ପାଇଁ ଚାହୁଁଥିଲେ । ଦାଉଦଙ୍କୁ ପୂରା ଭରସା ଥିଲା ଯେ ଯିହୋବା ଭଲଭାବେ ଜାଣନ୍ତି ଯେ ସେ କେଉଁ ସମସ୍ୟାଗୁଡ଼ିକର ସାମନା କରୁଛନ୍ତି ଓ ତାଙ୍କୁ କିପରି ଲାଗୁଛି ।

୯. ଯେବେ ଆପଣଙ୍କୁ ଡର ଲାଗେ, ତେବେ ଯିହୋବା କʼଣ ଧ୍ୟାନ ଦିଅନ୍ତି ?

ଯେବେ ଆପଣଙ୍କୁ କୌଣସି ସମସ୍ୟାର ସାମନା କରିବାକୁ ପଡ଼େ ଆଉ ଆପଣ ବହୁତ ଡରିଯାʼନ୍ତି, ତେବେ ମନେରଖନ୍ତୁ ଯେ ଯିହୋବା ଆପଣଙ୍କ ସମସ୍ୟାଗୁଡ଼ିକୁ ଧ୍ୟାନ ଦିଅନ୍ତି ଓ ସେ ବୁଝନ୍ତି ଯେ ଆପଣଙ୍କୁ କିପରି ଲାଗୁଛି । ଯେପରି, ଯେବେ ପ୍ରାଚୀନ ସମୟରେ ଇସ୍ରାଏଲୀ ମିସରରେ ଦାସ ଥିଲେ, ତେବେ ଯିହୋବା କେବଳ ଏହା ଦେଖିଲେ ନାହିଁ ଯେ ତାଙ୍କ ଉପରେ କିପରି ଭାବେ ଅତ୍ୟାଚାର କରାଯାଉଛି, ବରଂ ସେ ସେମାନଙ୍କ “ଯନ୍ତ୍ରଣା” ବି ଦେଖିଲେ । (ଯାତ୍ରା. ୩:୭) ଦାଉଦ ବି ଗୋଟିଏ ଗୀତରେ ଗାଇଲେ ଯେ ଯିହୋବା ତାଙ୍କ କଷ୍ଟଗୁଡ଼ିକୁ ଦେଖିବା ସହ ତାଙ୍କ “ପ୍ରାଣର ତତ୍ତ୍ୱ” ଅର୍ଥାତ୍‌ ମନର କଷ୍ଟକୁ ବି ଜାଣନ୍ତି । (ଗୀତ. ୩୧:୭) ଅନେକଥର ଯେବେ ଯିହୋବାଙ୍କ ଲୋକମାନଙ୍କୁ ନିଜ ଭୁଲ ଯୋଗୁଁ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼ିଲା, ତେବେ ସେମାନଙ୍କ ସେହି କଷ୍ଟକୁ ଦେଖି ଯିହୋବା ବି “ଦୁଃଖିତ ହେଲେ ।” (ଯିଶା. ୬୩:୯) ତାହେଲେ ଯେବେ ବି ଆପଣଙ୍କୁ ଡର ଲାଗେ, ତେବେ ଏକଥାକୁ ମନେରଖନ୍ତୁ ଯେ ଏପରି ପରିସ୍ଥିତିରେ ଆପଣଙ୍କୁ କିପରି ଲାଗେ ତାହା ଯିହୋବା ଭଲଭାବେ ଜାଣନ୍ତି । ଆଉ ଆପଣଙ୍କ ଡରକୁ କାବୁ କରିବା ପାଇଁ ସେ ସାହାଯ୍ୟ କରନ୍ତି ।

୧୦. ଆପଣଙ୍କୁ କାହିଁକି ଭରସା ଅଛି ଯେ ଯିହୋବା ଆପଣଙ୍କ ଉପରେ ଧ୍ୟାନ ଦିଅନ୍ତି ଓ ଆପଣଙ୍କୁ ଯେକୌଣସି ବି ସମସ୍ୟାର ସାମନା କରିବା ପାଇଁ ସାହାଯ୍ୟ କରିବେ ?

୧୦ ଯଦି ଆପଣ କୌଣସି ସମସ୍ୟାର ସାମନା କରୁଛନ୍ତି ଓ ଆପଣଙ୍କୁ ଡର ଲାଗୁଛି, ତେବେ ହୁଏତ ଆପଣ ଏହା ଦେଖିପାରିବେନି ଯେ ଯିହୋବା କିପରି ଆପଣଙ୍କ ସାହାଯ୍ୟ କରୁଛନ୍ତି । ଏପରି ସମୟରେ ଆପଣ କʼଣ କରିପାରିବେ ? ଯିହୋବା ଆପଣଙ୍କୁ କିପରି ସାହାଯ୍ୟ କରୁଛନ୍ତି, ତାହା ଦେଖିପାରିବା ପାଇଁ ତାଙ୍କୁ ପ୍ରାର୍ଥନା କରନ୍ତୁ । (୨ ରାଜା. ୬:୧୫-୧୭) ତାʼପରେ ଭାବନ୍ତୁ: କʼଣ କୌଣସି ସଭାରେ ଯେକୌଣସି ଭାଷଣ ଶୁଣି କିମ୍ବା କାହାରି ଉତ୍ତର ଶୁଣି ଆପଣଙ୍କର ଉତ୍ସାହ ବଢ଼ିଛି ? କʼଣ କୌଣସି ପ୍ରକାଶନ ପଢ଼ି, ଭିଡିଓ ଦେଖି କିମ୍ବା ବ୍ରୋଡକାଷ୍ଟିଙ୍ଗ୍‌ର କୌଣସି ଗୀତ ଶୁଣି ଆପଣଙ୍କ ସାହସ ବଢ଼ିଛି ? କʼଣ କେହି ଭାଇ କିମ୍ବା ଭଉଣୀ ଆପଣଙ୍କୁ କୌଣସି ଏପରି କଥା କହିଛନ୍ତି କିମ୍ବା କୌଣସି ପଦ ଦେଖାଇଛନ୍ତି, ଯାହା ଆପଣଙ୍କୁ ବହୁତ ଭଲ ଲାଗିଲା ? ଭାଇଭଉଣୀମାନେ ଆମକୁ ଯେପରି ଭାବେ ପ୍ରେମ କରନ୍ତି ଓ ବାଇବଲରୁ ଆମକୁ ଯେଉଁ ସାହସ ମିଳେ, ତାହାକୁ ହୁଏତ ଆମେ ଛୋଟ କଥା ବୋଲି ଭାବିବା । କିନ୍ତୁ ଏଗୁଡ଼ିକ ଯିହୋବାଙ୍କ ତରଫରୁ ମିଳିଥିବା କୌଣସି ଉପହାରରୁ କମ୍‌ ନୁହେଁ । (ଯିଶା. ୬୫:୧୩; ମାର୍କ ୧୦:୨୯, ୩୦) ଏଥିରୁ ପ୍ରମାଣିତ ହୁଏ ଯେ ଯିହୋବା ଆପଣଙ୍କ ଚିନ୍ତା କରନ୍ତି । (ଯିଶା. ୪୯:୧୪-୧୬) ଆଉ ଏହା ବି ପ୍ରମାଣିତ ହୁଏ ଯେ ଆପଣ ତାଙ୍କ ଉପରେ ପୂରା ଭରସା ରଖିପାରିବେ ।

୧୧. ଭଉଣୀ ଆଇଡା କିପରି ନିଜ ଡରକୁ କାବୁ କରିପାରିଲେ ?

୧୧ ଟିକେ ଭଉଣୀ ଆଇଡାଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ ଯିଏ ସେନେଗାଲ ଦେଶରେ ରହନ୍ତି । ସେ ଧ୍ୟାନ ଦେଲେ ଯେ ଯିହୋବା କିପରି କୌଣସି ସମସ୍ୟାର ସାମନା କରିବା ପାଇଁ ତାଙ୍କୁ ସାହାଯ୍ୟ କଲେ । ସେ ନିଜ ଭାଇଭଉଣୀମାନଙ୍କ ମଧ୍ୟରୁ ସବୁଠୁ ବଡ଼ ଥିଲେ, ତେଣୁ ତାଙ୍କ ବାପାମାଆ ଚାହୁଁଥିଲେ ଯେ ସେ ପଇସା ରୋଜଗାର କରନ୍ତୁ ଓ ଘରର ଦାୟିତ୍ୱ ତୁଲାନ୍ତୁ । କିନ୍ତୁ ଯେବେ ଭଉଣୀ ଅଗ୍ରଦୂତ ସେବା କରିବା ପାଇଁ ନିଜ ଜୀବନ ସାଦା କଲେ, ତେବେ ତାଙ୍କୁ ପଇସାର ଅସୁବିଧା ହେବାକୁ ଲାଗିଲା । ତେଣୁ ପରିବାରର ଲୋକେ ତାଙ୍କଠାରୁ ଖୁସି ନ ଥିଲେ ଓ ତାଙ୍କୁ ଓଲଟା ସିଧା କଥା କହିଲେ । ଭଉଣୀ ଆଇଡା କହନ୍ତି, “ମୋତେ ଡର ଲାଗୁଥିଲା ଯେ ମୁଁ ବାପାମାଆଙ୍କ ସାହାଯ୍ୟ କରିପାରିବିନି ଓ ସମସ୍ତେ ମୋତେ ଓଲଟା ସିଧା କଥା କହିବେ । ମୁଁ ଯିହୋବାଙ୍କୁ ବି ଦୋଷ ଦେବାକୁ ଲାଗିଲି ଯେ ସେ କାହିଁକି ମୋ ସହିତ ଏପରି ହେବାକୁ ଦେଲେ ।” କିନ୍ତୁ ପରେ ଭଉଣୀ ଗୋଟିଏ ସଭାରେ ଏକ ଭାଷଣ ଶୁଣିଲେ । ସେ କହନ୍ତି, “ଭାଇ ଭାଷଣରେ କହିଲେ ଯେ ଆମ ହୃଦୟକୁ ଯାହା ବି କଷ୍ଟ ପହଞ୍ଚିଛି, ତାହା ଯିହୋବା ଭଲଭାବେ ଜାଣନ୍ତି । ପ୍ରାଚୀନ ଓ ଅନ୍ୟ ଭାଇଭଉଣୀମାନେ ବି ମୋତେ ବହୁତ ବଢ଼ିଆ ପରାମର୍ଶ ଦେଲେ । ଧିରେ ଧିରେ ମୋତେ ପୁଣିଥରେ ଭରସା ହେବାକୁ ଲାଗିଲା ଯେ ଯିହୋବା ମୋତେ ପ୍ରେମ କରନ୍ତି । ଆଉ ତାʼପରେ ଯେବେ ବି ମୁଁ ପ୍ରାର୍ଥନା କରୁଥିଲି, ତେବେ ମୋତେ ଭରସା ହୋଇଯାଉଥିଲା ଯେ ଯିହୋବା ମୋତେ ସାହାଯ୍ୟ କରିବେ । ଆଉ ଯେବେ ମୁଁ ଦେଖିଲି ଯେ ଯିହୋବା କିପରି ମୋ ପ୍ରାର୍ଥନାଗୁଡ଼ିକର ଉତ୍ତର ଦେଇଛନ୍ତି, ତେବେ ମୋତେ ବହୁତ ଶାନ୍ତି ମିଳିଲା ।” କିଛି ସମୟ ପରେ ଭଉଣୀଙ୍କୁ ଏପରି ଚାକିରି ମିଳିଲା ଯାହାଯୋଗୁଁ ସେ ଭଲଭାବେ ଅଗ୍ରଦୂତ ସେବା କରିବା ସହ ନିଜ ବାପାମାଆ ଓ ଅନ୍ୟମାନଙ୍କୁ ମଧ୍ୟ ସାହାଯ୍ୟ କରିପାରିଲେ । ଭଉଣୀ କହନ୍ତି, “ମୁଁ ଯିହୋବାଙ୍କ ଉପରେ ଭରସା କରିବା ଶିଖିଛି । ଏବେ ପ୍ରାୟ ଏପରି ହୁଏ ଯେ ଯେବେ ବି ମୁଁ ପ୍ରାର୍ଥନା କରେ, ତେବେ ମୋର ଡର ଦୂର ହୋଇଯାଏ ।”

ଯିହୋବା ଭବିଷ୍ୟତରେ କʼଣ କରିବେ ?

୧୨. ଗୀତସଂହିତା ୫୬:୯ ପଦ ଅନୁସାରେ ଦାଉଦଙ୍କୁ କେଉଁ କଥାର ଭରସା ଥିଲା ?

୧୨ ଗୀତସଂହିତା ୫୬:୯ ପଢ଼ନ୍ତୁ । ଏହି ପଦରେ ଆଉ ଗୋଟିଏ ଉପାୟ ବିଷୟରେ କୁହାଯାଇଛି, ଯାହାଯୋଗୁଁ ଦାଉଦ ନିଜ ଡରକୁ କାବୁ କରିପାରିଲେ । ଯେବେ ଦାଉଦଙ୍କ ଜୀବନ ବିପଦରେ ଥିଲା, ତେବେ ସେ ଏକଥା ଉପରେ ବି ଚିନ୍ତନ କଲେ ଯେ ଯିହୋବା ଭବିଷ୍ୟତରେ ତାଙ୍କ ପାଇଁ କʼଣ କରିବେ । ଦାଉଦ ଜାଣିଥିଲେ ଯେ ଯିହୋବା ସଠିକ୍‌ ସମୟରେ ତାଙ୍କୁ ନିଶ୍ଚୟ ବଞ୍ଚାଇବେ, କାରଣ ଯିହୋବା ହିଁ ତାଙ୍କୁ ଇସ୍ରାଏଲର ପରବର୍ତ୍ତୀ ରାଜା ହେବା ପାଇଁ ବାଛିଥିଲେ । (୧ ଶାମୁ. ୧୬:୧, ୧୩) ଆଉ ଦାଉଦଙ୍କୁ ଭରସା ଥିଲା ଯେ ଥରେ ଯଦି ଯିହୋବା କିଛି କହନ୍ତି, ତେବେ ତାହା ନିଶ୍ଚୟ ପୂରା ହୁଏ ।

୧୩. ଆମେ କେଉଁ କଥାର ଭରସା ରଖିପାରିବା ?

୧୩ ଯିହୋବା ଆପଣଙ୍କ ପାଇଁ କʼଣ ପ୍ରତିଜ୍ଞା କରିଛନ୍ତି ? ଆମେ ଏହା ଆଶା କରି ନ ଥାଉ ଯେ ସେ ଆମ ଉପରେ କୌଣସି କଷ୍ଟ ଆସିବାକୁ ଦେବେନି, କିନ୍ତୁ ସେ ପ୍ରତିଜ୍ଞା କରିଛନ୍ତି ଯେ ନୂଆ ଦୁନିଆରେ ସେ ଆମର ପ୍ରତ୍ୟେକ ଚିନ୍ତା ଦୂର କରିଦେବେ । c ଏପରି କୌଣସି ବି ସମସ୍ୟା ନାହିଁ ଯାହାକୁ ସେ ଦୂର କରିପାରିବେ ନାହିଁ । (ଯିଶା. ୨୫:୭-୯) ଯିହୋବା ଈଶ୍ୱରଙ୍କ ପାଖରେ ବହୁତ ଶକ୍ତି ଅଛି, ତେଣୁ ସେ ଆମକୁ ପୂରାପୂରି ସୁସ୍ଥ କରିପାରିବେ ଓ ଆମ ହୃଦୟକୁ ଯାହା ବି କଷ୍ଟ ପହଞ୍ଚିଛି, ତାହାକୁ ସେ ଠିକ୍‌ କରିପାରିବେ । ସେସମୟରେ କେହି ବି ଆମର ବିରୋଧ କରିବେ ନାହିଁ, ଏପରିକି ମୃତ ଲୋକମାନଙ୍କୁ ମଧ୍ୟ ଯିହୋବା ଜୀବିତ କରିଦେବେ ।—୧ ଯୋହ. ୪:୪.

୧୪. ଆମେ କେଉଁ ବିଷୟରେ ଭାବିପାରିବା ?

୧୪ ଯେବେ ଆପଣଙ୍କୁ ଡର ଲାଗେ, ତେବେ ଭାବନ୍ତୁ ଯେ ଯିହୋବା ଭବିଷ୍ୟତରେ କʼଣ କʼଣ କରିବେ । ସେସମୟ ବିଷୟରେ ଭାବନ୍ତୁ ଯେବେ ଶୟତାନକୁ ବିନାଶ କରିଦିଆଯିବ, ଦୁଷ୍ଟ ଲୋକମାନଙ୍କ ବଦଳରେ ଧାର୍ମିକ ଲୋକମାନେ ଥିବେ ଓ ଆମେ ଦିନକୁ ଦିନ ପରିପୂର୍ଣ୍ଣ ହୋଇ ହୋଇଯିବା, ତେବେ ଆପଣଙ୍କୁ କିପରି ଲାଗିବ । ଆମେ ଭବିଷ୍ୟତରେ ମିଳିବାକୁ ଯାଉଥିବା ଆଶିଷଗୁଡ଼ିକ ବିଷୟରେ କିପରି ଭାବିପାରିବା, ଏବିଷୟରେ ୨୦୧୪ ମସିହାର ଆଞ୍ଚଳିକ ଅଧିବେଶନରେ ଗୋଟିଏ ପ୍ରଦର୍ଶନୀରେ ଦେଖାଇ ଦିଆଯାଇଥିଲା । ସେ ପ୍ରଦର୍ଶନୀରେ ଜଣେ ବାପା ନିଜ ପରିବାର ସହିତ ଚର୍ଚ୍ଚା କଲେ ଯେ ୨ ତୀମଥି ୩:୧-୫ ପଦରେ ଯଦି ପାରଦୀଶ ବିଷୟରେ କୁହାଯାଇଥାʼନ୍ତା, ତାହେଲେ ହୁଏତ କିଛି ଏପରି ଲେଖାଯାଇଥାʼନ୍ତା, “ନୂଆ ଦୁନିଆରେ ଖୁସିଭରା ସମୟ ଥିବ । ତେଣୁ ଲୋକମାନେ ଅନ୍ୟମାନଙ୍କୁ ପ୍ରେମ କରିବେ, ସତ୍ୟପ୍ରିୟ ହେବେ, ଆତ୍ମଗର୍ବୀ ନ ଥିବେ, ନମ୍ର, ଈଶ୍ୱରଙ୍କ ମହିମା କରିବେ, ବାପାମାଆଙ୍କ ଆଜ୍ଞା ମାନିବେ, କୃତଜ୍ଞ, ବିଶ୍ୱସ୍ତ, ନିଜ ପରିବାରକୁ ପ୍ରେମ କରିବେ, ମିଳନପ୍ରିୟ, ଅନ୍ୟମାନଙ୍କ ବିଷୟରେ ସବୁବେଳେ ଭଲ କଥା କହିବେ, ସଞ୍ଜମ ରଖିବେ, କୋମଳ, ମଙ୍ଗଳ ବିଷୟ ପ୍ରେମ କରିବେ, ଭରସାଯୋଗ୍ୟ, ମୃଦୁଶୀଳ, ଦୟାଳୁ, ବିଳାସପ୍ରିୟ ନ ହୋଇ ଈଶ୍ୱରପ୍ରିୟ ହେବେ, ସେମାନେ ଭକ୍ତିର ଭେଖ ଧରିବେ ନାହିଁ, ବରଂ ତାʼ ଅନୁସାରେ ବଞ୍ଚିବେ । ଏପରି ଲୋକମାନଙ୍କର ନିକଟତର ହୁଅ ।” କʼଣ ଆପଣ ନିଜ ପରିବାର ଲୋକେ କିମ୍ବା ଭାଇଭଉଣୀମାନଙ୍କ ସହ ଚର୍ଚ୍ଚା କରନ୍ତି ଯେ ନୂଆ ଦୁନିଆରେ ଜୀବନ କିପରି ଥିବ ?

୧୫. ଭଉଣୀ ତାନ୍ୟା କିପରି ନିଜ ଡରକୁ କାବୁ କରିପାରିଲେ ?

୧୫ ଟିକେ ଉତ୍ତର ମାସିଡୋନିଆରେ ରହୁଥିବା ଭଉଣୀ ତାନ୍ୟାଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଯେବେ ଭଉଣୀ ତାନ୍ୟା ବାଇବଲ ଅଧ୍ୟୟନ କରିବା ଆରମ୍ଭ କଲେ, ତେବେ ତାଙ୍କ ବାପାମାଆ ତାଙ୍କ ବହୁତ ବିରୋଧ କଲେ । କିନ୍ତୁ ଭଉଣୀ ଏବିଷୟରେ ଭାବିଲେ ଯେ ଯିହୋବା ଭବିଷ୍ୟତରେ ତାଙ୍କ ପାଇଁ କʼଣ କʼଣ କରିବେ । ଏପରି ଭାବେ ସେ ନିଜ ଡରକୁ କାବୁ କରିପାରିଲେ ଓ ଯିହୋବାଙ୍କ ବିଶ୍ୱସ୍ତ ରହିପାରିଲେ । ଭଉଣୀ ତାନ୍ୟା କହନ୍ତି, “ମୋତେ ଯେଉଁ କଥାର ଡର ଥିଲା, ତାହା ହିଁ ହେଲା । ପ୍ରତି ସଭା ପରେ ମାଆ ମୋତେ ମାରୁଥିଲେ । ବାପାମାଆ ମୋତେ ଏହା ବି ଧମକ ଦେଉଥିଲେ ଯେ ଯଦି ମୁଁ ଯିହୋବାଙ୍କ ସାକ୍ଷୀ ହୋଇଯାଏ, ତେବେ ସେମାନେ ମୋତେ ଜୀବନରୁ ମାରିଦେବେ ।” ସେମାନେ ଭଉଣୀଙ୍କୁ ଘରୁ ବାହାର କରିଦେଲେ । ତେବେ ଭଉଣୀ କʼଣ କଲେ ? ସେ କହନ୍ତି, “ମୁଁ ଭାବିଲି ଯେ ଯଦି ମୁଁ ଯିହୋବାଙ୍କ ବିଶ୍ୱସ୍ତ ରହିବି, ତେବେ ମୋତେ ଏତେ ଖୁସି ମିଳିବ ଯେ ମୁଁ ତାହା କଳ୍ପନା ବି କରିପାରିବିନି । ଆଉ ମୋ ଖୁସି ସବୁଦିନ ଯାଏ ବଜାୟ ରହିବ । ମୁଁ ଏହା ବି ଭାବିଲି ଯେ ଯଦି ଆଜି ମୋତେ କିଛି ତ୍ୟାଗ କରିବାକୁ ପଡ଼େ, ତେବେ ନୂଆ ଦୁନିଆରେ ଯିହୋବା ମୋତେ ତାʼଠାରୁ ବି ଅଧିକ ଆଶିଷ ଦେବେ ଆଉ ସେସମୟରେ ଖରାପ ସ୍ମୃତିଗୁଡ଼ିକ ମନେପଡ଼ିବନି ।” ଭଉଣୀ ତାନ୍ୟା ଯିହୋବାଙ୍କ ବିଶ୍ୱସ୍ତ ରହିଲେ ଓ ତାଙ୍କ ସାହାଯ୍ୟରୁ ଭଉଣୀଙ୍କୁ ରହିବା ପାଇଁ ଗୋଟିଏ ଜାଗା ବି ମିଳିଗଲା । ଏବେ ଭଉଣୀ ତାନ୍ୟାଙ୍କ ଜଣେ ବହୁତ ଭଲ ଭାଇଙ୍କ ସହ ବାହା ହୋଇଗଲା ଆଉ ସେ ଦୁହେଁ ଖୁସିରେ ପୂର୍ଣ୍ଣ ସମୟର ସେବା କରୁଛନ୍ତି ।

ଏବେଠାରୁ ହିଁ ଯିହୋବାଙ୍କ ଉପରେ ନିଜ ଭରସା ବଢ଼ାନ୍ତୁ

୧୬. ଯେବେ ଆମେ ଲୂକ ୨୧:୨୬-୨୮ ପଦରେ ଲେଖାଥିବା କଥାଗୁଡ଼ିକୁ ପୂରା ହେବାର ଦେଖିବା, ତେବେ ଆମେ କାହିଁକି ସାହସର ସହ କାମ କରିପାରିବା ?

୧୬ ମହାକ୍ଳେଶ ସମୟରେ ଡର ଯୋଗୁଁ “ଲୋକେ ମୂର୍ଚ୍ଛିତ ହେବେ ।” କିନ୍ତୁ ଈଶ୍ୱରଙ୍କ ଲୋକମାନେ ସାହସ ହରାଇବେନି । (ଲୂକ ୨୧:୨୬-୨୮ ପଢ଼ନ୍ତୁ ।) ଆମେ କାହିଁକି ସାହସର ସହ କାମ କରିପାରିବା ? କାରଣ ଆମେ ଆଗରୁ ହିଁ ଯିହୋବାଙ୍କ ଉପରେ ଭରସା କରିବା ଶିଖିଥିବା । ପୂର୍ବ ପାରାଗ୍ରାଫରେ ଆମେ ଭଉଣୀ ତାନ୍ୟାଙ୍କ ବିଷୟରେ ଦେଖିଥିଲୁ । ସେ କହନ୍ତି ଯେ ପୂର୍ବେ ସେ ଯେଉଁ ସମସ୍ୟାଗୁଡ଼ିକର ସାମନା କରିଲେ, ତାʼ ଯୋଗୁଁ ହିଁ ସେ ଅନ୍ୟ ସମସ୍ୟାଗୁଡ଼ିକର ସାମନା କରିପାରୁଛନ୍ତି । ସେ କହନ୍ତି, “ମୁଁ ଦେଖିଛି ଯେ ଖରାପରୁ ଖରାପ ପରିସ୍ଥିତିରେ ବି ଯିହୋବା ଆମ ପାଇଁ କିଛି ଭଲ କରିପାରିବେ । ହୁଏତ ବେଳେବେଳେ ଆମକୁ ଲାଗିପାରେ ଯେ ଲୋକେ ଆମ ସହିତ କିଛି ବି କରିପାରିବେ । କିନ୍ତୁ ମନେରଖନ୍ତୁ ଯେ ଯିହୋବା ସେମାନଙ୍କଠାରୁ ବହୁତ ଶକ୍ତିଶାଳୀ ଅଟନ୍ତି । ଆମ ସମସ୍ୟା ଯେତେ ବଡ଼ ହେଉ ନା କାହିଁକି ଯିହୋବା ଦିନେ ନା ଦିନେ ତାହାକୁ ନିଶ୍ଚୟ ଶେଷ କରିଦେବେ ।”

୧୭. ୨୦୨୪ ମସିହାର ବାର୍ଷିକ ପଦରୁ ଆମକୁ କିପରି ସାହାଯ୍ୟ ମିଳିବ ? (ବାହାରେ ଦିଆଯାଇଥିବା ଚିତ୍ର ଦେଖନ୍ତୁ ।)

୧୭ ଆଜି ଆମ ସମସ୍ତଙ୍କୁ କିଛି ନା କିଛି କଥାକୁ ନେଇ ଡର ଲାଗି ରହେ । କିନ୍ତୁ ଦାଉଦଙ୍କ ଭଳି ଆମେ ନିଜ ଡରକୁ କାବୁ କରିପାରିବା । ଦାଉଦ ଯିହୋବାଙ୍କୁ ପ୍ରାର୍ଥନା କରିଥିଲେ, “ମୁଁ ଭୀତ ହେବା ସମୟରେ ତୁମ୍ଭ ଉପରେ ନିର୍ଭର ରଖିବି ।” ତାଙ୍କ ଏହି ପ୍ରାର୍ଥନା ୨୦୨୪ ମସିହାର ବାର୍ଷିକ ପଦ ଅଟେ । (ଗୀତ. ୫୬:୩) ବାଇବଲ ପଦଗୁଡ଼ିକର ଜ୍ଞାନ ଦେଉଥିବା ଗୋଟିଏ ବହିରେ ଏହି ପଦ ବିଷୟରେ ଲେଖାଅଛି: “ଦାଉଦ ସେହି କଥାଗୁଡ଼ିକ ବିଷୟରେ ଭାବିଲେ ନାହିଁ, ଯେଉଁଥିରୁ ସେ ଡରିଯାʼନ୍ତେ ଆଉ ସେ ସମସ୍ୟାଗୁଡ଼ିକ ଉପରେ ବି ନିଜ ଧ୍ୟାନ ଲଗାଇ ରଖିଲେ ନାହିଁ, ବରଂ ସେ ସେଗୁଡ଼ିକ ଉପରେ ଧ୍ୟାନ ଲଗାଇ ରଖିଲେ ଯାହାଦ୍ୱାରା ତାଙ୍କର ରକ୍ଷା ହୋଇପାରନ୍ତା ।” ଆସନ୍ତା ମାସଗୁଡ଼ିକରେ ଆମ ବାର୍ଷିକ ପଦ ବିଷୟରେ ଭାବନ୍ତୁ, ବିଶେଷ କରି ଯେବେ ଆପଣଙ୍କୁ ବହୁତ ଡର ଲାଗେ । ଟିକେ ସମୟ ବାହାର କରି ଏବିଷୟରେ ଭାବନ୍ତୁ ଯେ ଯିହୋବା ଏବେ ଯାଏଁ କʼଣ କʼଣ କରିଛନ୍ତି, ଆଜି କʼଣ କରୁଛନ୍ତି ଓ ଭବିଷ୍ୟତରେ କʼଣ କʼଣ କରିବେ । ତେବେ ଦାଉଦଙ୍କ ଭଳି ଆପଣ ବି କହିପାରିବେ, “ପରମେଶ୍ୱରଙ୍କ ଉପରେ ମୁଁ ନିର୍ଭର ରଖିଅଛି, ମୁଁ ଭୀତ ହେବି ନାହିଁ ।”—ଗୀତ. ୫୬:୪.

ଗୋଟିଏ ପ୍ରାକୃତିକ ବିପତ୍ତି ଆସିଛି ଓ ଜଣେ ଭଉଣୀ ବାର୍ଷିକ ପଦ ବିଷୟରେ ଭାବୁଛନ୍ତି (ପାରାଗ୍ରାଫ ୧୭)

ଏବିଷୟରେ ଭାବିବା ଦ୍ୱାରା ଆପଣ ଡରକୁ କିପରି କାବୁ କରିପାରିବେ:

  • ଯିହୋବା ଏବେ ଯାଏଁ କʼଣ କʼଣ କରିଛନ୍ତି ?

  • ଯିହୋବା ଆଜି କʼଣ କରୁଛନ୍ତି ?

  • ଯିହୋବା ଭବିଷ୍ୟତରେ କʼଣ କରିବେ ?

ଗୀତ ୩୩ ଅପନା ବୋଝ ୟହୋୱା ପର୍‌ ଡାଲ୍‌ ଦେ !

a ଯଦି ଆପଣ jw.org ୱେବସାଇଟ୍‌ରେ ଖୋଜନ୍ତୁ ବକ୍ସରେ “ସେମାନଙ୍କ ବିଶ୍ୱାସକୁ ଅନୁକରଣ କରନ୍ତୁ” କିମ୍ବା “ଅନୁଭବ” ଟାଇପ୍‌ କରନ୍ତି, ତେବେ ଆପଣଙ୍କୁ ଏପରି ଅନେକ ତଥ୍ୟ ମିଳିବ ଯାହାଯୋଗୁଁ ଆପଣଙ୍କ ବିଶ୍ୱାସ ବଢ଼ିବ । ଆପଣ JW ଲାଇବ୍ରେରୀ ଆପ୍‌ରେ “ଆଉ କିଛି ଲେଖା” ଭାଗରେ “ସେମାନଙ୍କ ବିଶ୍ୱାସକୁ ଅନୁକରଣ କରନ୍ତୁ” କିମ୍ବା “ୟହୋୱା କେ ସାକ୍ଷୀୟୋ କି ଜୀୱାନ କାହାନି” ସିରିଜ୍‌ରେ ଦିଆଯାଇଥିବା ଲେଖା ବି ପଢ଼ିପାରିବେ ।

b ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ ।

d ଚିତ୍ର ବିଷୟରେ: ଦାଉଦ ଏବିଷୟରେ ଭାବିଲେ ଯେ ଯିହୋବା ତାଙ୍କୁ କିପରି ଗୋଟିଏ ଭାଲୁକୁ ମାରିବା ପାଇଁ ଶକ୍ତି ଦେଇଥିଲେ, ସେ ଅହୀମେଲକ୍‌ଙ୍କ ଜରିଆରେ ତାଙ୍କ ସାହାଯ୍ୟ କରୁଛନ୍ତି ଓ ଆଗକୁ ଯାଇ ସେ ତାଙ୍କୁ ରାଜା ନିଯୁକ୍ତି କରିବେ ।

e ଚିତ୍ର ବିଷୟରେ: ଜେଲରେ ବନ୍ଦୀ ଥିବା ଜଣେ ଭାଇ ଭାବୁଛନ୍ତି ଯେ ଯିହୋବା ତାଙ୍କୁ କିପରି ସିଗାରେଟ୍‌ ପିଇବାର ଅଭ୍ୟାସ ଛାଡ଼ିବା ପାଇଁ ସାହାଯ୍ୟ କରିଥିଲେ, ଆଜି ସେ ତାଙ୍କ ପରିବାର ଲୋକ ଓ ସାଙ୍ଗମାନଙ୍କ ଚିଠିଗୁଡ଼ିକ ଦ୍ୱାରା ତାଙ୍କର ଉତ୍ସାହ ବଢ଼ାଉଛନ୍ତି ଓ ଆଗକୁ ଯାଇ ପାରଦୀଶରେ ସେ ତାଙ୍କୁ ଅନନ୍ତ ଜୀବନ ଦେବେ ।