इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୨

ଗୀତ ୧୯ ପ୍ରଭୁ କା ସନ୍ଧ୍ୟା-ଭୋଜ୍‌

ନିଜକୁ ସ୍ମାରକ ଦିନ ପାଇଁ ପ୍ରସ୍ତୁତ କରନ୍ତୁ

ନିଜକୁ ସ୍ମାରକ ଦିନ ପାଇଁ ପ୍ରସ୍ତୁତ କରନ୍ତୁ

“ମୋତେ ସ୍ମରଣ କରିବା ନିମନ୍ତେ ଏହା କର ।”ଲୂକ ୨୨:୧୯.

କʼଣ ଶିଖିବା ?

ସ୍ମାରକ କାହିଁକି ଆମ ପାଇଁ ଗୋଟିଏ ବିଶେଷ ଦିନ ଅଟେ, ଏହା ପାଇଁ ଆମେ କିପରି ପ୍ରସ୍ତୁତି କରିପାରିବା ଆଉ ଏଠାରେ ଆସିବା ପାଇଁ ଅନ୍ୟମାନଙ୍କୁ କିପରି ସାହାଯ୍ୟ କରିପାରିବା ?

୧. ସ୍ମାରକର ଦିନ, ବର୍ଷର ସବୁଠୁ ବିଶେଷ ଦିନ କାହିଁକି ଅଟେ ? (ଲୂକ ୨୨:୧୯, ୨୦)

 ପ୍ରତିବର୍ଷ ଯିହୋବାଙ୍କ ସାକ୍ଷୀମାନେ ଯୀଶୁଙ୍କ ବଳିଦାନକୁ ମନେପକାନ୍ତି । ଏହାକୁ ସ୍ମାରକ ବି କୁହାଯାଏ । କେବଳ ଏହି ଦିନକୁ ହିଁ ମନେ ପକାଇବା ପାଇଁ ଯୀଶୁ ନିଜ ଶିଷ୍ୟମାନଙ୍କୁ ଆଜ୍ଞା ଦେଇଥିଲେ । ଏହା ଆମ ପାଇଁ ବର୍ଷର ସବୁଠାରୁ ବିଶେଷ ଦିନ ଅଟେ । (ଲୂକ ୨୨:୧୯, ୨୦ ପଢ଼ନ୍ତୁ ।) ଆଉ ଏହି ଦିନକୁ ଆମେ ଆଗ୍ରହର ସହ ଅପେକ୍ଷା କରିଥାଉ । ଆସନ୍ତୁ ଏହାର କେତୋଟି କାରଣ ଉପରେ ଧ୍ୟାନ ଦେବା ।

୨. ଆମେ ସ୍ମାରକ ଦିନକୁ କାହିଁକି ଆଗ୍ରହର ସହ ଅପେକ୍ଷା କରିଥାଉ ?

ସ୍ମାରକ ଯୋଗୁଁ ଆମେ ଏହି କଥା ଉପରେ ଧ୍ୟାନ ଦେଇପାରୁ ଯେ ମୁକ୍ତିର ମୂଲ୍ୟ ଆମ ପାଇଁ ବହୁମୂଲ୍ୟ ଅଟେ ଓ ଆମକୁ ଏଥିରୁ କେତେ ଲାଭ ହୁଏ । ତାʼ ସହିତ ଏହା ବି ଭାବିପାରୁ ଯେ ଆମେ ଯୀଶୁଙ୍କ ବଳିଦାନ ପାଇଁ କିପରି ନିଜର କୃତଜ୍ଞତା ଦେଖାଇପାରିବା । (୨ କରି. ୫:୧୪, ୧୫) ଆମକୁ ପରସ୍ପରର “ଉତ୍ସାହ” ବଢ଼ାଇବା ପାଇଁ ବି ସୁଯୋଗ ମିଳେ । (ରୋମୀ. ୧:୧୨) ପ୍ରତି ବର୍ଷ ଏପରି ଅନେକ ଭାଇଭଉଣୀ ସ୍ମାରକରେ ଆସନ୍ତି, ଯେଉଁମାନେ କିଛି ସମୟରୁ ସଭାରେ ଆସୁ ନାହାନ୍ତି । ସେମାନଙ୍କ ମଧ୍ୟରୁ କେତେକ ଯିହୋବାଙ୍କ ପାଖକୁ ଫେରି ଆସନ୍ତି । କାରଣ ଏହି ଅବସରରେ ଭାଇଭଉଣୀମାନେ ଅତି ପ୍ରେମର ସହ ସେମାନଙ୍କୁ ସ୍ୱାଗତ କରନ୍ତି । ଆଉ ଯେଉଁମାନେ ଆଗ୍ରହ ଦେଖାଇ ସ୍ମାରକରେ ଆସନ୍ତି ଆଉ ସେଠାରେ ଯାହା ଦେଖନ୍ତି ଓ ଶୁଣନ୍ତି, ତାʼଯୋଗୁଁ ସେମାନେ ବାଇବଲ ଅଧ୍ୟୟନ କରିବା ଆରମ୍ଭ କରିଦିଅନ୍ତି ଏବଂ ଜୀବନର ପଥରେ ଚାଲିବାକୁ ଲାଗନ୍ତି । ଏହି ସବୁ କାରଣ ଯୋଗୁଁ ସ୍ମାରକ ଦିନ ଆମ ପାଇଁ ବିଶେଷ ଦିନ ଅଟେ !

୩. ସ୍ମାରକ ଯୋଗୁଁ ସାରା ଦୁନିଆରେ ଥିବା ଯିହୋବାଙ୍କ ଲୋକଙ୍କ ମଧ୍ୟରେ କିପରି ଏକତାର ବନ୍ଧନ ଦୃଢ଼ ହୁଏ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

ଆମେ ସ୍ମାରକ ଦିନକୁ ଏଥିପାଇଁ ବି ଆଗ୍ରହର ସହ ଅପେକ୍ଷା କରିଥାଉ, କାରଣ ଏଥିରୁ ଆମ ସମସ୍ତଙ୍କ ମଧ୍ୟରେ ଏକତାର ବନ୍ଧନ ଦୃଢ଼ ହୁଏ । ଦୁନିଆର ଅଲଗା ଅଲଗା ଜାଗାରେ ସୂର୍ଯ୍ୟ ଅସ୍ତ ହେବା ମାତ୍ରେ ଯିହୋବାଙ୍କ ଲୋକମାନେ ସ୍ମାରକ ପାଳନ କରିବା ପାଇଁ ଏକାଠି ହୁଅନ୍ତି । ଆମେ ସମସ୍ତେ ଗୋଟିଏ ବିଷୟରେ ଭାଷଣ ଶୁଣୁ, ଯେଉଁଥିରେ ବୁଝାଇ ଦିଆଯାଏ ଯେ ମୁକ୍ତିର ମୂଲ୍ୟ ଆମ ପାଇଁ କାହିଁକି ମହତ୍ତ୍ୱପୂର୍ଣ୍ଣ ଅଟେ । ଆମେ ଯିହୋବାଙ୍କ ମହିମା କରିବା ପାଇଁ ଦୁଇଟି ଗୀତ ଗାଉ ଆଉ ଲୋକମାନଙ୍କ ମଧ୍ୟରେ ରୋଟୀ ଓ ଦ୍ରାକ୍ଷାରସ ବୁଲାଇ ଦିଆଯାଏ । ଏହି ଅବସରରେ ଯେଉଁ ଚାରୋଟି ପ୍ରାର୍ଥନା କରାଯାଏ, ତାʼର ଶେଷରେ ଆମେ ସମସ୍ତେ ହୃଦୟରୁ “ଆମେନ୍‌” କହୁ । ୨୪ ଘଣ୍ଟା ମଧ୍ୟରେ ସାରା ଦୁନିଆରେ ଥିବା ମଣ୍ଡଳୀଗୁଡ଼ିକରେ ଏକାଭଳି ସ୍ମାରକ ପାଳନ କରାଯାଏ । ତାହେଲେ ଭାବନ୍ତୁ, ଯେବେ ଯିହୋବା ଓ ଯୀଶୁ ସ୍ୱର୍ଗରୁ ଦେଖନ୍ତି ଯେ ଆମେ ସମସ୍ତେ କିପରି ଏକାଠି ହୋଇ ତାଙ୍କ ପାଇଁ ନିଜ କୃତଜ୍ଞତା ଦେଖାଉଛୁ, ତେବେ ସେମାନଙ୍କୁ କେତେ ଖୁସି ଲାଗୁଥିବ !

ସ୍ମାରକ ସାରା ଦୁନିଆରେ ଭାଇଭଉଣୀମାନଙ୍କ ଏକତାର ବନ୍ଧନକୁ ଦୃଢ଼ କରେ (ପାରାଗ୍ରାଫ ୩) f


୪. ଏହି ଲେଖାରେ ଆମେ କʼଣ ଜାଣିବା ?

ଏହି ଲେଖାରେ ଆମେ ତିନୋଟି ପ୍ରଶ୍ନର ଉତ୍ତର ଜାଣିବା: ଆମେ ସ୍ମାରକ ପାଇଁ କିପରି ନିଜର ହୃଦୟକୁ ପ୍ରସ୍ତୁତ କରିପାରିବା ? ଏଥିରୁ ଲାଭ ପାଇବା ପାଇଁ ଆମେ କିପରି ଅନ୍ୟମାନଙ୍କୁ ସାହାଯ୍ୟ କରିପାରିବା ? ଆଉ ଯେଉଁ ଭାଇଭଉଣୀମାନେ କିଛି ସମୟରୁ ସଭାରେ ଆସୁ ନାହାନ୍ତି, ଆମେ ତାଙ୍କୁ କିପରି ସାହାଯ୍ୟ କରିପାରିବା ? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିଲେ ଆମେ ସେହି ବିଶେଷ ଦିନ ପାଇଁ ପ୍ରସ୍ତୁତ ହୋଇପାରିବା ।

ସ୍ମାରକ ପାଇଁ ନିଜ ହୃଦୟ ପ୍ରସ୍ତୁତ କରନ୍ତୁ

୫. (କ) ଆମେ କାହିଁକି ଏବିଷୟରେ ଭାବିବା ଉଚିତ୍‌ ଯେ ମୁକ୍ତିର ମୂଲ୍ୟ ଆମ ପାଇଁ ବହୁମୂଲ୍ୟ ଅଟେ ? (ଗୀତସଂହିତା ୪୯:୭, ୮) (ଖ) ଯୀଶୁ କାହିଁକି ଜୀବନ ଦେଲେ ? ଭିଡିଓରୁ ଆପଣ କʼଣ ଶିଖିଲେ ?

ସ୍ମାରକ ପାଇଁ ନିଜ ହୃଦୟ ପ୍ରସ୍ତୁତ କରିବାର ଅନେକ ଉପାୟ ରହିଛି । ଗୋଟିଏ ବିଶେଷ ଉପାୟ ହେଉଛି, ଏବିଷୟରେ ଭାବିବା ଯେ ମୁକ୍ତିର ମୂଲ୍ୟ ଆମ ପାଇଁ ବହୁମୂଲ୍ୟ ଅଟେ ଓ ଏହା ଦ୍ୱାରା କେତେ କିଛି ସମ୍ଭବ ହୋଇପାରିଛି । ଦେଖିବାକୁ ଗଲେ ପାପ ଓ ମୃତ୍ୟୁରୁ ମୁକ୍ତ ହେବା ପାଇଁ ଆମେ ନିଜ ତରଫରୁ କିଛି ବି କରିପାରିବାନି । (ଗୀତସଂହିତା ୪୯:୭, ୮ ପଢ଼ନ୍ତୁ; ଯୀଶୁ କାହିଁକି ଜୀବନ ଦେଲେ ? ଭିଡିଓ ମଧ୍ୟ ଦେଖନ୍ତୁ ।) a ତେଣୁ ଯିହୋବା ଓ ଯୀଶୁ ଏସବୁରୁ ଆମକୁ ମୁକ୍ତ କରିବା ପାଇଁ ବହୁତ ବଡ଼ ମୂଲ୍ୟ ଦେଲେ । ଯିହୋବା ଆମକୁ ମୁକ୍ତ କରିବା ପାଇଁ ନିଜ ପୁଅକୁ ବଳି କରିଦେଲେ । (ରୋମୀ. ୬:୨୩) ଭାବନ୍ତୁ ଯିହୋବା ଓ ଯୀଶୁ ଆମ ପାଇଁ କେତେ କଷ୍ଟ ସହିଲେ ! ଯେତେ ଅଧିକ ଆମେ ଏବିଷୟରେ ଭାବିବା, ସେତେ ଅଧିକ ଏହି ମୁକ୍ତିର ମୂଲ୍ୟ ପାଇଁ ଆମର କୃତଜ୍ଞତା ବଢ଼ିଯିବ । ଯିହୋବା ଓ ଯୀଶୁ ଆମ ପାଇଁ ଯାହା ବି ତ୍ୟାଗ କରିଛନ୍ତି, ଆସନ୍ତୁ ସେମଧ୍ୟରୁ କେତୋଟି କଥା ଉପରେ ଧ୍ୟାନ ଦେବା । କିନ୍ତୁ ପ୍ରଥମେ ଆମେ ମୁକ୍ତିର ମୂଲ୍ୟ ଉପରେ ଧ୍ୟାନ ଦେବା ।

୬. ମୁକ୍ତିର ମୂଲ୍ୟର ଅର୍ଥ କʼଣ ଏବଂ ଯୀଶୁ କାହିଁକି ନିଜ ଜୀବନ ମୁକ୍ତିର ମୂଲ୍ୟ ରୂପେ ଦେଲେ ?

କାହାରିକୁ ମୁକ୍ତ କରିବା ପାଇଁ କିମ୍ବା କୌଣସି ଜିନିଷକୁ ଫେରାଇ ଆଣିବା ପାଇଁ ଆମେ ଯେଉଁ ମୂଲ୍ୟ ଦେଇଥାଉ, ତାହାକୁ ମୁକ୍ତିର ମୂଲ୍ୟ କୁହାଯାଏ । ଯେବେ ଆଦମକୁ ସୃଷ୍ଟି କରାଯାଇଥିଲା, ତେବେ ସେ ପରିପୂର୍ଣ୍ଣ ଥିଲା ଓ ତାʼ ପାଖରେ ସବୁଦିନ ଯାଏ ବଞ୍ଚିବାର ସୁଯୋଗ ଥିଲା । କିନ୍ତୁ ପାପ କରିବା ଯୋଗୁଁ ସେ ସବୁଦିନ ବଞ୍ଚିବାର ଏହି ସୁଯୋଗକୁ ହରାଇ ଦେଲା ଏବଂ ତାʼଯୋଗୁଁ ତାଙ୍କ ପିଲାମାନଙ୍କୁ ମଧ୍ୟ ଏହି ସୁଯୋଗ ମିଳିପାରିଲାନି । ଆଦମ ଯାହା ବି ହରାଇଥିଲା, ସେଗୁଡ଼ିକୁ ପୁଣିଥରେ ହାସଲ କରିବା ପାଇଁ ଯୀଶୁଙ୍କୁ ନିଜ ପରିପୂର୍ଣ୍ଣ ଜୀବନକୁ ବଳି କରିବାର ଥିଲା । ଯେବେ ଯୀଶୁ ପୃଥିବୀରେ ଥିଲେ, ତେବେ “ସେ କୌଣସି ପାପ କଲେ ନାହିଁ” ଓ “ଛଳକଥା” ବି କହିଲେ ନାହିଁ । (୧ ପିତ. ୨:୨୨) ଯେବେ ଯୀଶୁଙ୍କ ମୃତ୍ୟୁ ହେଲା, ସେସମୟରେ ସେ ପରିପୂର୍ଣ୍ଣ ଥିଲେ, ଠିକ୍‌ ଯେପରି ଆଦମ ପାପ କରିବା ପୂର୍ବରୁ ପରିପୂର୍ଣ୍ଣ ଥିଲା । ତେଣୁ ଆମେ କହିପାରିବା ଯେ ଯୀଶୁ ନିଜ ପରିପୂର୍ଣ୍ଣ ଜୀବନ ବଳିଦାନ କରି ମୁକ୍ତିର ମୂଲ୍ୟର ବରାବର ଦାମ ଦେଲେ ।—୧ କରି. ୧୫:୪୫; ୧ ତୀମ. ୨:୬.

୭. ଯେବେ ଯୀଶୁ ପୃଥିବୀରେ ଥିଲେ, ତେବେ ସେ କେଉଁ ସମସ୍ୟାଗୁଡ଼ିକର ସାମନା କଲେ ?

ଯେବେ ଯୀଶୁ ପୃଥିବୀରେ ଥିଲେ ତେବେ ସେ ଅନେକ ସମସ୍ୟାର ସାମନା କଲେ, ତଥାପି ସେ ସବୁବେଳେ ଯିହୋବାଙ୍କ ଆଜ୍ଞା ମାନିଲେ । ଯୀଶୁ ଜନ୍ମରୁ ହିଁ ପରିପୂର୍ଣ୍ଣ ଥିଲେ କିନ୍ତୁ ତାଙ୍କ ବାପାମାଆ ଅପରିପୂର୍ଣ୍ଣ ଥିଲେ, ତଥାପି ସେ ନିଜ ବାପାମାଆଙ୍କ ଅଧୀନରେ ରହୁଥିଲେ । (ଲୂକ ୨:୫୧) ଆଉ ଯେବେ ଯୀଶୁ ଯୁବା ଥିଲେ, ସେସମୟରେ ତାଙ୍କ ଉପରେ ଚାପ ଆସିଥିବ ଯେ ସେ ନିଜ ବାପାମାଆଙ୍କ କଥା ଶୁଣନ୍ତୁ ନାହିଁ କିମ୍ବା ଯିହୋବାଙ୍କ ବିଶ୍ୱସ୍ତ ରହନ୍ତୁ ନାହିଁ । ତାʼପରେ ଯେବେ ଯୀଶୁ ବଡ଼ ହେଲେ, ତେବେ ଶୟତାନ ତାଙ୍କୁ ନିଜ ଫାନ୍ଦରେ ପକାଇବା ପାଇଁ ଚେଷ୍ଟା କଲା, ଏପରିକି ଶୟତାନ ଯୀଶୁଙ୍କୁ ଯିହୋବାଙ୍କ ବିଶ୍ୱସ୍ତ ନ ରହିବା ପାଇଁ ଚାପ ପକାଇଲା । (ମାଥି. ୪:୧-୧୧) ଶୟତାନ ଯେପରି ଭାବି ନେଇଥିଲା ଯେ ସେ ଯୀଶୁଙ୍କଠାରୁ ପାପ କରାଇବ, ଯାହାଫଳରେ ସେ ମୁକ୍ତିର ମୂଲ୍ୟ ଦେଇ ନ ପାରନ୍ତୁ ।

୮. ଯୀଶୁଙ୍କୁ ଆଉ କେଉଁ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼ିଲା ?

ଯେବେ ଯୀଶୁ ପୃଥିବୀରେ ନିଜ ସେବା ଆରମ୍ଭ କଲେ, ତେବେ ତାଙ୍କୁ ଆଉ କିଛି ସମସ୍ୟାର ସାମନା କରିବାକୁ ପଡ଼ିଲା । ଶତ୍ରୁମାନେ ତାଙ୍କ ଉପରେ ଅତ୍ୟାଚାର କଲେ, ଏପରିକି ତାଙ୍କୁ ଜୀବନରୁ ବି ମାରିଦେବା ପାଇଁ ଚେଷ୍ଟା କଲେ । (ଲୂକ ୪:୨୮, ୨୯; ୧୩:୩୧) ଆଉ ଯୀଶୁଙ୍କୁ ନିଜ ଶିଷ୍ୟମାନଙ୍କ ଦୁର୍ବଳତାଗୁଡ଼ିକୁ ମଧ୍ୟ ସହିବାକୁ ପଡ଼ିଲା । (ମାର୍କ ୯:୩୩, ୩୪) ଯେବେ ଯୀଶୁଙ୍କ ମକଦ୍ଦମା ଚାଲିଲା, ସେସମୟରେ ଲୋକମାନେ ତାଙ୍କର ଥଟ୍ଟା କଲେ ଓ ତାଙ୍କୁ ଯନ୍ତ୍ରଣା ଦେଲେ । ଯୀଶୁଙ୍କ ଉପରେ ଜଣେ ଅପରାଧୀ ଭଳି ନିର୍ଦ୍ଦୟୀ ଭାବେ ଅତ୍ୟାଚାର କରାଗଲା । (ଏବ୍ରୀ ୧୨:୧-୩) ନିଜ ଜୀବନର ଶେଷ ସମୟରେ ଯୀଶୁ ଯେଉଁ କଷ୍ଟ ଓ ଯନ୍ତ୍ରଣା ସହିଲେ, ସେସବୁ ତାଙ୍କୁ ନିଜେ ହିଁ ସହିବାକୁ ପଡ଼ିଲା, କାରଣ ସେସମୟରେ ଯିହୋବା ତାଙ୍କ ସୁରକ୍ଷା କରିବା ଛାଡ଼ି ଦେଇଥିଲେ । b (ମାଥି. ୨୭:୪୬) ଏସବୁ ହେଲା ପରେ ଯୀଶୁ ନିଜ ଜୀବନ ହରାଇଦେଲେ ।

୯. ଯୀଶୁ ଆମ ପାଇଁ ଯେଉଁ ବଳିଦାନ ଦେଲେ, ସେବିଷୟରେ ଭାବି ଆମକୁ କିପରି ଲାଗେ ? (୧ ପିତର ୧:୮)

ମୁକ୍ତିର ମୂଲ୍ୟ ଦେବା ପାଇଁ ଯୀଶୁଙ୍କୁ ସତରେ ବହୁତ କଷ୍ଟ ସହିବାକୁ ପଡ଼ିଲା ! ଯେବେ ଆମେ ଏବିଷୟରେ ଭାବୁ ଯେ ଯୀଶୁ ଆମ ପାଇଁ କେତେ କʼଣ ସହିଲେ, ତେବେ ଆମ ହୃଦୟ ତାଙ୍କ ପାଇଁ ପ୍ରେମ ଓ କୃତଜ୍ଞତାରେ ଭରିଯାଏ ।—୧ ପିତର ୧:୮ ପଢ଼ନ୍ତୁ ।

୧୦. ମୁକ୍ତିର ମୂଲ୍ୟ ଦେବା ପାଇଁ ଯିହୋବାଙ୍କୁ କʼଣ ସହିବାକୁ ପଡ଼ିଲା ?

୧୦ ଏବେ ଏକଥା ଉପରେ ଧ୍ୟାନ ଦିଅନ୍ତୁ ଯେ ଯିହୋବାଙ୍କୁ କʼଣ ସହିବାକୁ ପଡ଼ିଲା, ଯାହାଫଳରେ ଯୀଶୁ ମୁକ୍ତିର ମୂଲ୍ୟ ଦେଇପାରନ୍ତୁ । ଭାବନ୍ତୁ ଜଣେ ବାପା ଓ ପୁଅର ସମ୍ପର୍କ କେତେ ଦୃଢ଼ ଥାଏ ! ତାହେଲେ କଳ୍ପନା କରନ୍ତୁ ଯେ ଯିହୋବା ଓ ଯୀଶୁଙ୍କ ସମ୍ପର୍କ କେତେ ଦୃଢ଼ ହୋଇଥିବ ! (ହିତୋ. ୮:୩୦) ଟିକେ ଭାବନ୍ତୁ, ଯେବେ ଯିହୋବା ଦେଖିଥିବେ ଯେ ଯୀଶୁ ପୃଥିବୀରେ କେତେ ସମସ୍ୟାଗୁଡ଼ିକ ସହୁଛନ୍ତି, ତେବେ ତାଙ୍କ ଉପରେ କʼଣ ଘଟିଥିବ ! ଯେବେ ସେ ଦେଖିଥିବେ ଯେ ଲୋକମାନେ କିପରି ତାଙ୍କ ପୁତ୍ରଙ୍କ ସହ ଖରାପ ବ୍ୟବହାର କରୁଛନ୍ତି, ତାଙ୍କୁ ପରିତ୍ୟାଗ କରୁଛନ୍ତି ଓ ତାଙ୍କ ଉପରେ ଅତ୍ୟାଚାର କରୁଛନ୍ତି, ତେବେ ତାଙ୍କୁ କେତେ କଷ୍ଟ ପହଞ୍ଚିଥିବ !

୧୧. ଯେବେ ଯୀଶୁଙ୍କୁ ଜୀବନରୁ ମାରି ଦିଆଗଲା, ତେବେ ଯିହୋବାଙ୍କୁ କିପରି ଲାଗିଥିବ ? ବୁଝାନ୍ତୁ ।

୧୧ ଯେଉଁ ବାପାମାଆ ନିଜ ପିଲାକୁ ମୃତ୍ୟୁରେ ହରାଇଛନ୍ତି, ସେମାନେ ଭଲଭାବେ ଜାଣନ୍ତି ଯେ ନିଜ ପିଲାକୁ ମୃତ୍ୟୁରେ ହରାଇବାର ଦୁଃଖ କʼଣ ଥାଏ । ଆମକୁ ପୂରା ବିଶ୍ୱାସ ଅଛି ଯେ ଯେଉଁମାନଙ୍କ ମୃତ୍ୟୁ ହୋଇଯାଇଛି, ଯିହୋବା ଦିନେ ସେମାନଙ୍କୁ ଜୀବିତ କରିଦେବେ । ଏହା ଜାଣିବା ପରେ ବି ନିଜ ପ୍ରିୟଜନଙ୍କୁ ମୃତ୍ୟୁରେ ହରାଇବାର ଦୁଃଖ ସହିବା ବହୁତ କଷ୍ଟକର ହୋଇଥାଏ । ତାହେଲେ ଭାବନ୍ତୁ, ୩୩ ଖ୍ରୀଷ୍ଟାବ୍ଦ ନୀସନ୍‌ ୧୪ ତାରିଖରେ ଯେବେ ଯିହୋବା ଦେଖିଥିବେ ଯେ କିଭଳି ଭାବରେ ତାଙ୍କ ପ୍ରିୟ ପୁତ୍ରଙ୍କୁ ଯନ୍ତ୍ରଣା ଦେଇ ମାରି ଦିଆଯାଉଛି, ତେବେ ତାଙ୍କୁ କେତେ କଷ୍ଟ ପହଞ୍ଚିଥିବ ! cମାଥି. ୩:୧୭.

୧୨. ଆମେ ସ୍ମାରକ ପାଇଁ ନିଜ ହୃଦୟ କିପରି ପ୍ରସ୍ତୁତ କରିପାରିବା ?

୧୨ ସ୍ମାରକ ଆସିବା ଯାଏଁ କେତେ ଭଲ ହେବ ଯଦି ଆପଣ ନିଜ ବ୍ୟକ୍ତିଗତ ଅଧ୍ୟୟନ କିମ୍ବା ପାରିବାରିକ ଉପାସନାରେ ମୁକ୍ତିର ମୂଲ୍ୟ ବିଷୟରେ ଆହୁରି ଭଲଭାବେ ଅଧ୍ୟୟନ କରିବେ । ଆପଣ ଚାହିଁଲେ ଏହାକୁ ଆହୁରି ଭଲଭାବେ ବୁଝିବା ପାଇଁ ଯିହୋବାଙ୍କ ସାକ୍ଷୀମାନଙ୍କ ପାଇଁ ଗବେଷଣା ଗାଇଡ୍‌ କିମ୍ବା ଅନ୍ୟ ପ୍ରକାଶନଗୁଡ଼ିକ ସାହାଯ୍ୟରେ ଏହି ବିଷୟ ଉପରେ ଅନୁସନ୍ଧାନ କରିପାରିବେ । d ତାʼଛଡ଼ା ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକାରେ ସ୍ମାରକ ବାଇବଲ ପଠନର ଯେଉଁ ସେଡ୍ୟୁଲ ଦିଆଯାଇଛି, ତାʼ ଅନୁସାରେ ବାଇବଲ ପଢ଼ନ୍ତୁ । ଆଉ ସ୍ମାରକ ଦିନ ଯେଉଁ ‘ସକାଳ ଉପାସନାର’ ବିଶେଷ କାର୍ଯ୍ୟକ୍ରମ ଥାଏ, ତାକୁ ବି ନିଶ୍ଚୟ ଦେଖନ୍ତୁ । ଯେବେ ଆମେ ଏପରି ଭାବେ ନିଜ ହୃଦୟ ପ୍ରସ୍ତୁତ କରିବା, ତେବେ ଆମେ ସ୍ମାରକରୁ ଲାଭ ପାଇବା ପାଇଁ ଅନ୍ୟମାନଙ୍କୁ ମଧ୍ୟ ସାହାଯ୍ୟ କରିପାରିବା ।—ଏଜ୍ରା ୭:୧୦.

ସ୍ମାରକରୁ ଲାଭ ପାଇବା ପାଇଁ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତୁ

୧୩. ଲୋକମାନଙ୍କୁ ସ୍ମାରକ ସଭାରୁ ଲାଭ ହେଉ, ତାʼପାଇଁ ଆମକୁ ସବୁଠୁ ଆଗ କʼଣ କରିବାକୁ ପଡ଼ିବ ?

୧୩ ସ୍ମାରକରୁ ଲାଭ ପାଇବା ପାଇଁ ଆମେ ଅନ୍ୟମାନଙ୍କୁ କିପରି ସାହାଯ୍ୟ କରିପାରିବା ? ସବୁଠୁ ଆଗ ଆମକୁ ଲୋକମାନଙ୍କୁ ତାʼପାଇଁ ନିମନ୍ତ୍ରଣ ଦେବାକୁ ପଡ଼ିବ । ଏହା ସତ ଯେ ଆମେ ପ୍ରଚାରରେ ଲୋକମାନଙ୍କୁ ନିମନ୍ତ୍ରଣ ଦେବା, କିନ୍ତୁ ତାʼ ସହିତ ଆମେ ଆଉ କିଛି ଲୋକମାନଙ୍କ ନାମ ବି ଲେଖିପାରିବା ଯେଉଁମାନଙ୍କୁ ଆମେ ଡାକିବା ପାଇଁ ଚାହୁଁଛୁ । ଯେପରି, ଆମ ସମ୍ପର୍କୀୟ, ସାଙ୍ଗରେ କାମ କରୁଥିବା ଲୋକ, ସାଙ୍ଗରେ ପଢ଼ୁଥିବା ପିଲାମାନେ ଓ ଅନ୍ୟ ଲୋକମାନେ । ଯଦି ଆମ ପାଖରେ ଛପା ଯାଇଥିବା ନିମନ୍ତ୍ରଣ ଅଧିକ ନାହିଁ, ତେବେ ଆମେ ନିଜ ଫୋନ୍‌ କିମ୍ବା ଟ୍ୟାବଲେଟ ଜରିଆରେ ଲୋକମାନଙ୍କୁ ନିମନ୍ତ୍ରଣ ପଠାଇପାରିବା । ଆସନ୍ତୁ ଆମେ ଯେତେ ହୋଇପାରେ ଅଧିକରୁ ଅଧିକ ଲୋକମାନଙ୍କୁ ନିମନ୍ତ୍ରଣ ଦେବା, କାରଣ ଆମକୁ ଜଣାନାହିଁ ଯେ ଆମ ସ୍ମାରକ ସଭାରେ କିଏ ଆସିବେ !—ଉପ. ୧୧:୬.

୧୪. ଯେବେ ଆମେ ଯାହାକୁ ଜାଣିଛୁ ତାଙ୍କୁ ବ୍ୟକ୍ତିଗତ ଭାବରେ ନିମନ୍ତ୍ରଣ ଦେଉ, ତେବେ କʼଣ ଲାଭ ହୋଇପାରେ ? ଗୋଟିଏ ଉଦାହରଣ ଦେଇ ବୁଝାନ୍ତୁ ।

୧୪ ଆମେ ଯେଉଁ ଲୋକମାନଙ୍କୁ ଜାଣିଛୁ, ସେମାନଙ୍କୁ ବ୍ୟକ୍ତିଗତ ଭାବେ କହିପାରିବା ଯେ ଏହି ନିମନ୍ତ୍ରଣ ବିଶେଷ ଆପଣଙ୍କ ପାଇଁ, ତେବେ ହୁଏତ ଏହି କଥା ସେମାନଙ୍କ ହୃଦୟକୁ ଛୁଇଁଯିବ ଓ ସେମାନଙ୍କୁ ସ୍ମାରକରେ ଆସିବା ପାଇଁ ଇଚ୍ଛା ହେବ । ଧ୍ୟାନ ଦିଅନ୍ତୁ ଯେ ଜଣେ ଭଉଣୀଙ୍କ ସହ କʼଣ ହେଲା । ତାଙ୍କ ସ୍ୱାମୀ ସତ୍ୟରେ ନାହାନ୍ତି । ଦିନେ ତାଙ୍କ ସ୍ୱାମୀ ଖୁସିର ସହ ତାଙ୍କୁ କହିଲେ ଯେ ସେ ବି ତାଙ୍କ ସହ ସ୍ମାରକରେ ଯିବେ । ଏହା ଶୁଣି ଭଉଣୀ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ଭଉଣୀ ତାଙ୍କୁ ଆଗରୁ ବି କେତେଥର ଡାକିଥିଲେ, କିନ୍ତୁ ସେ କେବେ ବି ଆସି ନ ଥିଲେ । ତାହେଲେ ଏଥର ଏପରି କʼଣ ହେଲା ଯେ ତାଙ୍କ ସ୍ୱାମୀ ସ୍ମାରକରେ ଆସିଲେ ? ସେ କହିଲେ, “ମୋତେ ବ୍ୟକ୍ତିଗତ ଭାବରେ ନିମନ୍ତ୍ରଣ ମିଳିଛି ।” ସେ କହିଲେ ଯେ ମଣ୍ଡଳୀର ଜଣେ ପ୍ରାଚୀନ, ଯାହାଙ୍କୁ ସେ ଭଲଭାବେ ଜାଣନ୍ତି, ସେ ବ୍ୟକ୍ତିଗତ ଭାବରେ ତାଙ୍କୁ ସ୍ମାରକର ନିମନ୍ତ୍ରଣ ଦେଇଛନ୍ତି । ଭଉଣୀଙ୍କ ସ୍ୱାମୀ ସେହି ବର୍ଷ ସ୍ମାରକରେ ଆସିଲେ ଆଉ ତାʼପରେ ଲଗାତାର ସେ ସ୍ମାରକରେ ଗଲେ ।

୧୫. ଯେବେ ଆମେ ଲୋକମାନଙ୍କୁ ସ୍ମାରକ ପାଇଁ ଡାକୁ, ତେବେ ଆମେ କʼଣ ଧ୍ୟାନରେ ରଖିପାରିବା ?

୧୫ ଆଉ ଗୋଟିଏ କଥା: ଧ୍ୟାନ ରଖନ୍ତୁ ଯେ ଯେବେ ଆମେ କାହାରିକୁ ସ୍ମାରକରେ ଡାକୁ, ତେବେ ହୁଏତ ତାଙ୍କ ମନରେ କିଛି ପ୍ରଶ୍ନ ଥିବ, ବିଶେଷ କରି ଯଦି ସେମାନେ କେବେ ବି ଆମ ସଭାରେ ଆସି ନାହାନ୍ତି । ତେଣୁ ପୂର୍ବରୁ ଭାବନ୍ତୁ ଯେ ଲୋକମାନେ କʼଣ କʼଣ ପ୍ରଶ୍ନ ପଚାରିପାରିବେ ଆଉ ଆପଣ ସେଗୁଡ଼ିକର କିପରି ଉତ୍ତର ଦେବେ । (କଲ. ୪:୬) ଯେପରି, ହୁଏତ କିଛି ଲୋକମାନଙ୍କ ମନରେ ଏହି ପ୍ରଶ୍ନ ଉଠିବ, ‘ଏହି କାର୍ଯ୍ୟକ୍ରମରେ କʼଣ ହେବ ?’ ‘ଏହା କେତେ ସମୟ ଯାଏଁ ଚାଲିବ ?’ ‘କିପରି କପଡ଼ା ପିନ୍ଧିକି ଆସିବାକୁ ପଡ଼ିବ ?’ ‘କିନ୍ତୁ ଏଥିରେ ଆସିବା ପାଇଁ କʼଣ ପଇସା ଦେବାକୁ ପଡ଼ିବ ?’ ‘କʼଣ ସେଠାରେ କିଛି ଚାନ୍ଦା ମଗାଯିବ ?’ ଯେବେ ଆପଣ କାହାରିକୁ ସ୍ମାରକ ପାଇଁ ଡାକନ୍ତି, ତେବେ ଆପଣ ସେମାନଙ୍କୁ ପଚାରିପାରିବେ, “କʼଣ ଆପଣ ଏବିଷୟରେ ଆହୁରି କିଛି ଜାଣିବା ପାଇଁ ଚାହାଁନ୍ତି ?” ତାʼପରେ ଆପଣ ସେମାନଙ୍କ ମନରେ ଯାହା ବି ପ୍ରଶ୍ନ ଅଛି, ସେଗୁଡ଼ିକର ଉତ୍ତର ଦେଇପାରିବେ । ଆପଣ ସେମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ସ୍ମରଣ କରନ୍ତୁରାଜ୍ୟଘରେ କʼଣ ହୁଏ ? ଭିଡିଓ ବି ଦେଖାଇପାରିବେ । ଏହା ଦ୍ୱାରା ସେମାନେ ବୁଝିପାରିବେ ଯେ ଆମ ସଭା କିପରି ସଞ୍ଚାଳିତ କରାଯାଏ । ତାʼଛଡ଼ା ଆପଣ ସେମାନଙ୍କୁ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିର ପାଠ ୨୮ରେ ଦିଆଯାଇଥିବା କିଛି କଥାଗୁଡ଼ିକ ବିଷୟରେ ବି କହିପାରିବେ ।

୧୬. ଯେଉଁ ଲୋକମାନେ ସ୍ମାରକରେ ଆସିବେ, ହୁଏତ ସେମାନଙ୍କ ମନରେ ଆଉ କେଉଁ ପ୍ରଶ୍ନ ଉଠିପାରେ ?

୧୬ ଯେଉଁ ନୂଆ ଲୋକମାନେ ସ୍ମାରକରେ ଆସିବେ, ହୁଏତ ସେମାନଙ୍କ ମନରେ ଆହୁରି କିଛି ପ୍ରଶ୍ନ ଉଠିପାରେ । ହୁଏତ, ସେମାନେ ଜାଣିବାକୁ ଚାହିଁବେ ଯେ କାହିଁକି କେହି ବି ରୋଟୀ ବା ଦ୍ରାକ୍ଷାରସ ନେଲେନି କିମ୍ବା କେବଳ କିଛି ଲୋକମାନେ ହିଁ କାହିଁକି ନେଲେ ? କିମ୍ବା ହୁଏତ ସେମାନେ ଏହା ଜାଣିବା ପାଇଁ ଚାହିଁବେ ଯେ ଆମେ କେବେ ସ୍ମାରକ ପାଳନ କରୁ କିମ୍ବା କʼଣ ଆମର ସବୁ ସଭା ଏପରି ହିଁ ହୁଏ । ଦେଖିବାକୁ ଗଲେ ଏମଧ୍ୟରୁ କିଛି କଥାଗୁଡ଼ିକ ବିଷୟରେ ସ୍ମାରକ ଭାଷଣରେ ଜଣାଇ ଦିଆଯାଏ, କିନ୍ତୁ ହୁଏତ ନୂଆ ଲୋକମାନଙ୍କୁ ଏବିଷୟରେ ଆହୁରି ଭଲଭାବେ ବୁଝାଇବାକୁ ପଡ଼ିପାରେ । ଏହିପରି କିଛି ପ୍ରଶ୍ନଗୁଡ଼ିକର ଉତ୍ତର jw.org ୱେବସାଇଟ୍‌ରେ ଦିଆଯାଇଥିବା ଲେଖା ଯିହୋବାଙ୍କ ସାକ୍ଷୀମାନେ କାହିଁକି ଯୀଶୁଙ୍କ ମୃତ୍ୟୁର ଦିନକୁ ଅନ୍ୟ ଧର୍ମଗୁଡ଼ିକଠାରୁ ଅଲଗା ଉପାୟରେ ପାଳନ କରନ୍ତି ? ଲେଖାରେ ଦିଆଯାଇଛି । ଆପଣ ଏହି ଲେଖାରୁ ସେମାନଙ୍କୁ ବୁଝାଇପାରିବେ । ଆମେ ଚାହୁଁ ଯେ “ଅନନ୍ତ ଜୀବନ ନିମନ୍ତେ ନିରୂପିତ” ଲୋକମାନଙ୍କୁ ସ୍ମାରକରୁ ପୂରା ଲାଭ ମିଳୁ, ସେଥିପାଇଁ ଆମେ ସ୍ମାରକ ପୂର୍ବରୁ ଓ ସ୍ମାରକ ସମୟରେ ଆଉ ତାʼପରେ ବି ସେମାନଙ୍କ ସାହାଯ୍ୟ କରିବା ପାଇଁ ପୂରା ଚେଷ୍ଟା କରିବା ।—ପ୍ରେରି. ୧୩:୪୮.

ଯେଉଁ ଭାଇଭଉଣୀମାନେ ସଭାରେ ଆସୁ ନାହାନ୍ତି, ସେମାନଙ୍କୁ ସାହାଯ୍ୟ କରନ୍ତୁ

୧୭. ପ୍ରାଚୀନମାନେ ସେହି ଲୋକମାନଙ୍କୁ କିପରି ସାହାଯ୍ୟ କରିପାରିବେ, ଯେଉଁମାନେ କିଛି ସମୟରୁ ସଭାରେ ଆସୁ ନାହାନ୍ତି ? (ଯିହିଜିକଲ ୩୪:୧୨, ୧୬)

୧୭ ସ୍ମାରକର ଆଖପାଖ ମାସଗୁଡ଼ିକରେ ପ୍ରାଚୀନମାନେ ସେହି ଭାଇଭଉଣୀମାନଙ୍କୁ କିପରି ସାହାଯ୍ୟ କରିପାରିବେ, ଯେଉଁମାନେ କିଛି ସମୟରୁ ସଭାରେ ଆସୁ ନାହାନ୍ତି ? ଆପଣ ସେମାନଙ୍କୁ ଅନୁଭବ କରାଇପାରିବେ ଯେ ଆପଣ ସେମାନଙ୍କର ଚିନ୍ତା କରନ୍ତି । (ଯିହିଜିକଲ ୩୪:୧୨, ୧୬ ପଢ଼ନ୍ତୁ ।) ସ୍ମାରକ ପୂର୍ବରୁ ଯେତେ ହୋଇପାରେ ଏପରି ଅଧିକରୁ ଅଧିକ ଭାଇଭଉଣୀମାନଙ୍କ ସହିତ କଥା ହେବା ପାଇଁ ଚେଷ୍ଟା କରନ୍ତୁ । ସେମାନଙ୍କୁ ଭରସା କରାନ୍ତୁ ଯେ ଆପଣ ସେମାନଙ୍କୁ କେତେ ପ୍ରେମ କରନ୍ତି ଓ ସେମାନଙ୍କ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ସେମାନଙ୍କୁ ସ୍ମାରକ ପାଇଁ ଡାକନ୍ତୁ । ଆଉ ଯଦି ସେମାନେ ଆସନ୍ତି, ତାହେଲେ ତାଙ୍କୁ ଅତି ପ୍ରେମର ସହିତ ସ୍ୱାଗତ କରନ୍ତୁ । ସ୍ମାରକ ପରେ ବି ଏହି ଭାଇଭଉଣୀମାନଙ୍କ ସହିତ ଭେଟିବା ଓ କଥା ହେବା ଜାରି ରଖନ୍ତୁ । ଯିହୋବାଙ୍କ ପାଖକୁ ଫେରି ଆସିବା ପାଇଁ ସେମାନଙ୍କୁ ଯାହା ବି ସାହାଯ୍ୟର ଆବଶ୍ୟକ, ତାହା କରନ୍ତୁ ।—୧ ପିତ. ୨:୨୫.

୧୮. ଆମେ ସେହି ଭାଇଭଉଣୀମାନଙ୍କୁ କିପରି ସାହାଯ୍ୟ କରିପାରିବା, ଯେଉଁମାନେ କିଛି ସମୟରୁ ସଭାରେ ଆସୁ ନାହାନ୍ତି ? (ରୋମୀୟ ୧୨:୧୦)

୧୮ ଯେବେ ସ୍ମାରକରେ ଏପରି ଭାଇଭଉଣୀମାନେ ଆସନ୍ତି, ଯେଉଁମାନେ କିଛି ସମୟରୁ ସଭାରେ ଆସୁ ନାହାନ୍ତି, ସେସମୟରେ ମଣ୍ଡଳୀର ପ୍ରତ୍ୟେକ ଜଣ ତାଙ୍କୁ ସାହାଯ୍ୟ କରିପାରିବେ, ତାହା କିପରି ? ଅତି ପ୍ରେମର ସହିତ ତାଙ୍କର ସ୍ୱାଗତ କରନ୍ତୁ, ତାଙ୍କ ସହ ଭଲ ବ୍ୟବହାର କରନ୍ତୁ ଓ ତାଙ୍କର ଆଦର କରନ୍ତୁ । (ରୋମୀୟ ୧୨:୧୦ ପଢ଼ନ୍ତୁ ।) ଭାବନ୍ତୁ, ସଭାରେ ଆସିବା ପୂର୍ବରୁ ସେମାନଙ୍କୁ କେତେ ସଙ୍କୋଚ ଲାଗିଥିବ । ହୁଏତ ସେମାନେ ଭାବୁଥିବେ ଯେ ଭାଇଭଉଣୀମାନେ ତାଙ୍କ ବିଷୟରେ କʼଣ ଭାବିବେ, ତାଙ୍କୁ ଦେଖିକି କʼଣ କହିବେ । e ସେଥିପାଇଁ ସେମାନଙ୍କୁ ଏପରି କିଛି କହନ୍ତୁ ନାହିଁ, କିମ୍ବା କୌଣସି ଏପରି କଥା ପଚାରନ୍ତୁ ନାହିଁ ଯେଉଁଥିରୁ ସେମାନଙ୍କୁ ଲଜ୍ଜା ଲାଗିବ କିମ୍ବା ଖରାପ ଲାଗିପାରେ । (୧ ଥେସ. ୫:୧୧) ମନେରଖନ୍ତୁ ଯେ ସେମାନେ ଆମ ଭାଇଭଉଣୀ ଆଉ ଯିହୋବାଙ୍କ ବହୁମୂଲ୍ୟ ମେଷ ଅଟନ୍ତି । ସେମାନଙ୍କ ସହିତ ପୁଣିଥରେ ମିଶି ଯିହୋବାଙ୍କ ଉପାସନା କରିବା ପାଇଁ ଆମକୁ ବହୁତ ଖୁସି ଲାଗିବ ।—ଗୀତ. ୧୧୯:୧୭୬; ପ୍ରେରି. ୨୦:୩୫.

୧୯. ଯୀଶୁଙ୍କ ବଳିଦାନକୁ ମନେ ପକାଇଲେ ଆମକୁ କʼଣ କʼଣ ଲାଭ ହୁଏ ?

୧୯ ଯୀଶୁ କହିଲେ ଯେ ଆମେ ପ୍ରତିବର୍ଷ ତାଙ୍କ ବଳିଦାନକୁ ମନେପକାଉ ଆଉ ତାʼପାଇଁ ଆମେ ବହୁତ କୃତଜ୍ଞ ଅଟୁ । ଯେବେ ଆମେ ଏପରି କରୁ, ତେବେ ଏଥିରୁ ଆମକୁ ବି ଲାଭ ହୁଏ ଆଉ ଅନ୍ୟମାନଙ୍କୁ ବି ଆମେ ସାହାଯ୍ୟ କରିପାରୁ । (ଯିଶା. ୪୮:୧୭, ୧୮) ଆମେ ଯିହୋବା ଓ ଯୀଶୁଙ୍କୁ ଆହୁରି ଅଧିକ ପ୍ରେମ କରିବାକୁ ଲାଗୁ ତାʼସହ ଆମକୁ ଏହା ବି ଦେଖାଇବାର ସୁଯୋଗ ମିଳେ ଯେ ଯିହୋବା ଓ ଯୀଶୁ ଆମ ପାଇଁ ଯାହା କଲେ, ତାʼପାଇଁ ଆମେ ବହୁତ କୃତଜ୍ଞ ଅଟୁ । ଭାଇଭଉଣୀଙ୍କ ସହିତ ଆମ ସମ୍ପର୍କ ବି ଦୃଢ଼ ହୋଇଯାଏ । ଆଉ ହୁଏତ ଆମକୁ ଅନ୍ୟମାନଙ୍କୁ ବି ଏହା ଶିଖାଇବା ପାଇଁ ସୁଯୋଗ ମିଳେ ଯେ ସେମାନେ ବି ମୁକ୍ତିର ମୂଲ୍ୟରୁ ବହୁତ ଆଶିଷ ପାଇପାରିବେ । ତାହେଲେ ଆସନ୍ତୁ ଆମ ଦ୍ୱାରା ଯେତେ ହୋଇପାରିବ, ସେତେ ଅଧିକ ସ୍ମାରକର ପ୍ରସ୍ତୁତି କରିବା କାରଣ ଏହା ଆମ ପାଇଁ ବର୍ଷର ସବୁଠୁ ବିଶେଷ ଦିନ ଅଟେ !

ଆପଣ କʼଣ ଉତ୍ତର ଦେବେ ?

  • ଆମେ ସ୍ମାରକ ପାଇଁ ନିଜ ହୃଦୟ କିପରି ପ୍ରସ୍ତୁତ କରିପାରିବା ?

  • ସ୍ମାରକରୁ ଲାଭ ପାଇବା ପାଇଁ ଆମେ ଅନ୍ୟମାନଙ୍କୁ କିପରି ସାହାଯ୍ୟ କରିପାରିବା ?

  • ଆମେ ସେହି ଭାଇଭଉଣୀମାନଙ୍କୁ କିପରି ସାହାଯ୍ୟ କରିପାରିବା, ଯେଉଁମାନେ କିଛି ସମୟରୁ ସଭାରେ ଆସୁ ନାହାନ୍ତି ?

ଗୀତ ୧୮ ଫିରୌତି କେ ଲିଏ ଏହସାନମନ୍ଦ

a ଏହି ଲେଖାରେ ଯେଉଁ ଭିଡିଓ ଓ ଲେଖାଗୁଡ଼ିକ ବିଷୟରେ କୁହାଯାଇଛି, ସେଗୁଡ଼ିକୁ ଦେଖିବା ପାଇଁ jw.org ୱେବସାଇଟ୍‌ରେ ଖୋଜନ୍ତୁ ବକ୍ସରେ ସେଗୁଡ଼ିକର ନାମ ଟାଇପ୍‌ କରନ୍ତୁ ।

b ଏପ୍ରିଲ୍‌ ୨୦୨୧ ମସିହାର ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା “ଆପଣଙ୍କ ପ୍ରଶ୍ନ” ପଢ଼ନ୍ତୁ ।

e ଭାଇଭଉଣୀମାନେ କିପରି ବ୍ୟବହାର କଲେ ?” ନାମକ ବକ୍ସ ଓ ଚିତ୍ରଗୁଡ଼ିକ ଦେଖନ୍ତୁ । ଜଣେ ଭାଇ କିଛି ସମୟରୁ ସଭାରେ ଆସୁ ନ ଥିଲେ । ସେ ରାଜ୍ୟଘରେ ଯିବା ପାଇଁ ସଙ୍କୋଚ କରୁଛନ୍ତି, କିନ୍ତୁ ସେ ସାହସ କରି ଭିତରକୁ ଯାʼନ୍ତି । ସେଠାରେ ଭାଇଭଉଣୀମାନେ ଅତି ପ୍ରେମର ସହିତ ତାଙ୍କୁ ସ୍ୱାଗତ କରନ୍ତି ଆଉ ସେମାନଙ୍କ ସହ ଭେଟି ସେ ବହୁତ ଖୁସି ହୁଅନ୍ତି ।

f ଚିତ୍ର ବିଷୟରେ: ଦୁନିଆର ଗୋଟିଏ ଭାଗରେ ଯିହୋବାଙ୍କ ସାକ୍ଷୀ ସ୍ମାରକ ପାଳନ କରୁଛନ୍ତି ଓ ଅନ୍ୟ ଦେଶଗୁଡ଼ିକରେ ଭାଇଭଉଣୀମାନେ ଏହି ବିଶେଷ ସମାରୋହ ପାଳନ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି ।