इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଭଉଣୀମାନଙ୍କ ସହ କିପରି ବ୍ୟବହାର କରିବା ଉଚିତ୍‌ ?

ଭଉଣୀମାନଙ୍କ ସହ କିପରି ବ୍ୟବହାର କରିବା ଉଚିତ୍‌ ?

ଆମ ଭାଇମାନଙ୍କ ପାଇଁ ଏହା କେତେ ଖୁସିର କଥା ଯେ ଆମେ ଅନେକ ବିଶ୍ୱସ୍ତ ଭଉଣୀମାନଙ୍କ ସହ ମିଶି କାମ କରିପାରୁ । ଏହି ଭଉଣୀମାନେ ଯିହୋବାଙ୍କ ସେବାରେ କଠିନ ପରିଶ୍ରମ କରନ୍ତି, ତେଣୁ ଏହି ଭଉଣୀମାନଙ୍କୁ ଆମେ ବହୁତ ପ୍ରେମ କରୁ ଓ ବହୁମୂଲ୍ୟ ମନେକରୁ ! a ତାହେଲେ ଭାଇମାନେ, ଭଉଣୀମାନଙ୍କ ସହ କେବେ ବି ଭେଦଭାବ କରନ୍ତୁ ନାହିଁ, ତାଙ୍କ ସହିତ ପ୍ରେମର ସହ ବ୍ୟବହାର କରନ୍ତୁ ଓ ସେମାନଙ୍କ ଆଦର କରନ୍ତୁ । କିନ୍ତୁ ହୁଏତ ଅପରିପୂର୍ଣ୍ଣ ହେବା ଯୋଗୁଁ ଅନେକଥର ଏପରି କରିବା ସହଜ ହୋଇ ନ ଥାଏ । ଆଉ ଅନେକ ଭାଇମାନଙ୍କ ପାଇଁ କିଛି ଅନ୍ୟ କାରଣ ଯୋଗୁଁ ବି ଏପରି କରିବା ସହଜ ହୋଇ ନ ଥାଏ ।

ଆମର କିଛି ଭାଇମାନଙ୍କର ଲାଳନପାଳନ ଏପରି ସଂସ୍କୃତିରେ ହୋଇଛି, ଯେଉଁଠି ସ୍ତ୍ରୀମାନଙ୍କୁ ପୁରୁଷମାନଙ୍କଠାରୁ ବହୁତ ନୀଚ ମନେ କରାଯାଏ । ଉଦାହରଣ ପାଇଁ ବୋଲିଭିଆର ଜଣେ ସର୍କିଟ ଅଧ୍ୟକ୍ଷ ଭାଇ ହାଞ୍ଜ କହନ୍ତି ଯେ କିଛି ପୁରୁଷମାନଙ୍କର ଲାଳନପାଳନ ଏପରି ଜାଗାରେ ହୋଇଛି, ଯେଉଁଠି ପୁରୁଷମାନଙ୍କୁ ସ୍ତ୍ରୀମାନଙ୍କଠାରୁ ବହୁତ ଶ୍ରେଷ୍ଠ ମନେ କରାଯାଏ । ତେଣୁ ସେମାନେ ସ୍ତ୍ରୀମାନଙ୍କ ସହିତ ଖରାପ ବ୍ୟବହାର କରନ୍ତି । ତାଇୱାନର ଜଣେ ଭାଇ ସିଙ୍ଗସିଆଙ୍ଗ କହନ୍ତି, “ମୁଁ ଯେଉଁ ଜାଗାରେ ରହେ, ସେଠାରେ ଅଧିକାଂଶ ଲୋକମାନେ ମାନନ୍ତି ଯେ ପୁରୁଷମାନେ କଥା ହେଉଥିଲା ବେଳେ ମଝିରେ ସ୍ତ୍ରୀମାନଙ୍କୁ କହିବା ଉଚିତ୍‌ ନୁହଁ । ଆଉ ଯଦି କେହି ପୁରୁଷ ସ୍ତ୍ରୀ ପକ୍ଷରେ କିଛି କହି ଦିଅନ୍ତି ତାହେଲେ ତାଙ୍କ ସାଙ୍ଗମାନେ ତାଙ୍କୁ ନୀଚ ଭାବନ୍ତି ।” କିଛି ପୁରୁଷ ଅନ୍ୟମାନଙ୍କ ସାମନାରେ ସିଧା ସିଧା ସ୍ତ୍ରୀମାନଙ୍କ ବିଷୟରେ କିଛି କହନ୍ତି ନାହିଁ କିନ୍ତୁ ବେଳେବେଳେ ସେମାନେ ସ୍ତ୍ରୀମାନଙ୍କର ଥଟ୍ଟା କରି ସେମାନଙ୍କୁ ନୀଚ ଦେଖାନ୍ତି ।

କିନ୍ତୁ ଖୁସିର କଥା ଏହା ଯେ ଜଣେ ପୁରୁଷର ଲାଳନପାଳନ କୌଣସି ବି ଜାଗାରେ ହୋଇଥାଉ ନା କାହିଁକି ସେ ନିଜକୁ ପରିବର୍ତ୍ତନ କରିପାରିବେ । ସେ ଯିହୋବାଙ୍କ ଏହି ଦୃଷ୍ଟିକୋଣକୁ ଆପଣାଇପାରିବେ ଯେ ଯିହୋବା ସ୍ତ୍ରୀ ଓ ପୁରୁଷ ଉଭୟଙ୍କୁ ସମାନ ଭାବନ୍ତି । (ଏଫି. ୪:୨୨-୨୪) ଏପରି କରିବା ପାଇଁ ଜରୁରୀ ଯେ ସେ ଯିହୋବାଙ୍କ ଭଳି ହେବା ପାଇଁ ଚେଷ୍ଟା କରନ୍ତୁ । ଏହି ଲେଖାରେ ଆମେ ଜାଣିବା ଯେ ଯିହୋବା କିପରି ସ୍ତ୍ରୀମାନଙ୍କ ସହ ବ୍ୟବହାର କରନ୍ତି, ଭାଇମାନେ କିପରି ଯିହୋବାଙ୍କ ଭଳି ଚିନ୍ତାଧାରା ଆପଣାଇପାରିବେ ଆଉ ଭଉଣୀମାନଙ୍କ ଆଦର କରିବା ମାମଲାରେ ପ୍ରାଚୀନମାନେ କିପରି ଗୋଟିଏ ଭଲ ଉଦାହରଣ ରଖିପାରିବେ ।

ଯିହୋବା ସ୍ତ୍ରୀମାନଙ୍କ ସହିତ କିପରି ବ୍ୟବହାର କରନ୍ତି ?

ସ୍ତ୍ରୀମାନଙ୍କ ସହିତ କିପରି ବ୍ୟବହାର କରିବାର ଅଛି, ଏହି ମାମଲାରେ ସବୁଠୁ ବଢ଼ିଆ ଉଦାହରଣ ଯିହୋବା ଅଟନ୍ତି । ଯିହୋବା ପୃଥିବୀରେ ଥିବା ନିଜ ସମସ୍ତ ପିଲାମାନଙ୍କର ବହୁତ ଚିନ୍ତା କରନ୍ତି ଓ ପ୍ରେମ କରନ୍ତି । (ଯୋହ. ୩:୧୬) ଆଉ ଯେଉଁ ସ୍ତ୍ରୀମାନେ ବିଶ୍ୱସ୍ତତାର ସହ ତାଙ୍କ ସେବା କରନ୍ତି ସେମାନେ ତାଙ୍କ ଦୃଷ୍ଟିରେ ବହୁମୂଲ୍ୟ ଅଟନ୍ତି । ଆସନ୍ତୁ ଧ୍ୟାନ ଦେବା ଯେ ଯିହୋବା କେଉଁ ଉପାୟଗୁଡ଼ିକରୁ ସ୍ତ୍ରୀମାନଙ୍କର ଆଦର କଲେ ।

ଯିହୋବା ସେମାନଙ୍କ ସହ ଭେଦଭାବ କରନ୍ତି ନାହିଁ । ସେ ପୁରୁଷ ଓ ସ୍ତ୍ରୀ ଉଭୟଙ୍କୁ ନିଜ ପ୍ରତିମୂର୍ତ୍ତିରେ ସୃଷ୍ଟି କଲେ । (ଆଦି. ୧:୨୭) ଆଉ ଏପରି ନୁହେଁ ଯେ ଯିହୋବା ପୁରୁଷମାନଙ୍କୁ ସ୍ତ୍ରୀମାନଙ୍କଠାରୁ ଅଧିକ ପସନ୍ଦ କରନ୍ତି, କିମ୍ବା ସେମାନଙ୍କୁ ସ୍ତ୍ରୀମାନଙ୍କଠାରୁ ଅଧିକ ବୁଦ୍ଧି ବା ଦକ୍ଷତା ଦେଇଛନ୍ତି । (୨ ବଂଶା. ୧୯:୭) ଯିହୋବା ପୁରୁଷ ଓ ସ୍ତ୍ରୀ ଉଭୟଙ୍କୁ ବାଇବଲର ସତ୍ୟଗୁଡ଼ିକୁ ବୁଝିବା ପାଇଁ ଏବଂ ତାଙ୍କ ଭଳି ଗୁଣ ଦେଖାଇବା ପାଇଁ ଦକ୍ଷତା ଦେଇଛନ୍ତି । ଯିହୋବା ଏପରି ପ୍ରତ୍ୟେକ ସ୍ତ୍ରୀ ଓ ପୁରୁଷଙ୍କୁ ପ୍ରେମ କରନ୍ତି ଯେଉଁମାନେ ତାଙ୍କ ଉପରେ ବିଶ୍ୱାସ କରନ୍ତି । ଆଉ ପୃଥିବୀରେ ସବୁଦିନ ବଞ୍ଚିବାର ଆଶା ଓ ସ୍ୱର୍ଗରେ ରାଜା ଓ ଯାଜକ ଭାବେ ସେବା କରିବାର ଆଶା ଯିହୋବା ପୁରୁଷ ଓ ସ୍ତ୍ରୀ ଉଭୟଙ୍କୁ ଦେଇଛନ୍ତି । (୨ ପିତ. ୧:୧) ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ ଯିହୋବା ସ୍ତ୍ରୀମାନଙ୍କ ସହ କେବେ ବି ଭେଦଭାବ କରନ୍ତି ନାହିଁ ।

ଯିହୋବା ସେମାନଙ୍କ ଶୁଣନ୍ତି । ଯିହୋବା ଏହି କଥା ଉପରେ ଧ୍ୟାନ ଦିଅନ୍ତି ଯେ ସ୍ତ୍ରୀମାନେ କିପରି ଅନୁଭବ କରନ୍ତି ଓ ତାଙ୍କର କେଉଁ ଚିନ୍ତା ଓ ସମସ୍ୟାଗୁଡ଼ିକ ରହିଛି । ଉଦାହରଣ ପାଇଁ, ଯେବେ ରାହେଲ ଓ ହାନ୍ନା ଯିହୋବାଙ୍କୁ ଖୋଲିକି କହିଲେ ଯେ ସେମାନଙ୍କୁ କିପରି ଲାଗୁଛି, ତେବେ ଯିହୋବା ତାଙ୍କ ପ୍ରାର୍ଥନା ଶୁଣିଲେ ଓ ଉତ୍ତର ମଧ୍ୟ ଦେଲେ । (ଆଦି. ୩୦:୨୨; ୧ ଶାମୁ. ୧:୧୦, ୧୧, ୧୯, ୨୦) ଯିହୋବା ବାଇବଲରେ ଏପରି ଘଟଣାଗୁଡ଼ିକ ଲେଖାଇଛନ୍ତି ଯେଉଁଠି କୁହାଯାଇଛି ଯେ ପୁରୁଷମାନେ ସ୍ତ୍ରୀମାନଙ୍କ କଥା ଶୁଣିଲେ । ଯେପରି ବାଇବଲରେ ଆମେ ପଢ଼ୁ ଯେ ଯିହୋବାଙ୍କ ପରାମର୍ଶ ମାନି ଅବ୍ରହାମ ନିଜ ସ୍ତ୍ରୀ ସାରାଙ୍କ କଥା ଶୁଣିଲେ । (ଆଦି. ୨୧:୧୨-୧୪) ରାଜା ଦାଉଦ ମଧ୍ୟ ଅବୀଗଲଙ୍କ କଥା ଶୁଣିଲେ । ଦାଉଦ ଏହା ମଧ୍ୟ କହିଲେ ଯେ ଯିହୋବା ହିଁ ଅବୀଗଲଙ୍କୁ ତାଙ୍କ ସହ କଥା ହେବା ପାଇଁ ପଠାଇଛନ୍ତି । (୧ ଶାମୁ. ୨୫:୩୨-୩୫) ଆଉ ଯୀଶୁ ବି ପୂରାପୂରି ତାଙ୍କ ବାପା ଯିହୋବାଙ୍କ ଭଳି ଅଟନ୍ତି, ତଥାପି ସେ ନିଜ ମାଆ ମରୀୟମଙ୍କ କଥା ଶୁଣିଲେ । (ଯୋହ. ୨:୩-୧୦) ଏହି ଉଦାହରଣଗୁଡ଼ିକରୁ ସ୍ପଷ୍ଟ ଜଣାପଡ଼େ ଯେ ଯିହୋବା ସ୍ତ୍ରୀମାନଙ୍କର ଆଦର କରନ୍ତି ।

ଯିହୋବା ସେମାନଙ୍କ ଉପରେ ଭରସା କରନ୍ତି । ଯିହୋବାଙ୍କୁ ହବା ଉପରେ ଭରସା ଥିଲା ତେଣୁ ଏହି ପୃଥିବୀର ଦେଖାରେଖା କରିବା ପାଇଁ ସେ ଆଦମ ସହ ହବାଙ୍କୁ ବି ଦାୟିତ୍ୱ ଦେଇଥିଲେ । (ଆଦି. ୧:୨୮) ଏହି ଦାୟିତ୍ୱ ଦେଇ ଯିହୋବା ଦେଖାଇଲେ ଯେ ହବା ଆଦମର ଜଣେ ଭଲ ସହଯୋଗୀ ଅଟନ୍ତି ଆଉ ଏଥିରୁ ଜଣାପଡ଼େ ଯେ ଯିହୋବା ହବାଙ୍କୁ ଆଦମଠାରୁ ନୀଚ ମନେ କଲେ ନାହିଁ । ଯିହୋବାଙ୍କୁ ଦବୋରା ଓ ହୁଲ୍‌ଦାଙ୍କ ଉପରେ ମଧ୍ୟ ଭରସା ଥିଲା ତେଣୁ ସେ ସେମାନଙ୍କୁ ଭବିଷ୍ୟଦ୍‌ବକ୍ତ୍ରୀ ନିଯୁକ୍ତ କରିଥିଲେ, ଯଦ୍ୱାରା ସେମାନେ ଯିହୋବାଙ୍କ ଲୋକମାନଙ୍କୁ ଆଉ ନ୍ୟାୟୀ ଓ ରାଜାମାନଙ୍କୁ ବି ପରାମର୍ଶ ଦେଇପାରନ୍ତେ । (ବିଚା. ୪:୪-୯; ୨ ରାଜା. ୨୨:୧୪-୨୦) ଆଜି ବି ଯିହୋବା ଖ୍ରୀଷ୍ଟିୟାନ ଭଉଣୀମାନଙ୍କ ଉପରେ ପୂରା ଭରସା କରନ୍ତି, ତେଣୁ ସେ ସେମାନଙ୍କୁ ଅଲଗା ଅଲଗା କାମ ଦିଅନ୍ତି । ଆଜି ଅନେକ ବିଶ୍ୱସ୍ତ ଭଉଣୀମାନେ ପ୍ରଚାରକ ଅଟନ୍ତି, ଅଗ୍ରଦୂତ ସେବା କରନ୍ତି ଓ ମିଶନାରୀ ଭାବେ ମଧ୍ୟ ସେବା କରନ୍ତି । ସେମାନେ ରାଜ୍ୟଘରର ଓ ଶାଖା କାର୍ଯ୍ୟାଳୟର ଡିଜାଇନ୍‌ କରିବା, ନିର୍ମାଣ କାମ କରିବା ଓ ମରାମତି କାମରେ ମଧ୍ୟ ସହଯୋଗ କରନ୍ତି । ଆଉ କିଛି ଭଉଣୀ ବୈଥେଲରେ ଏବଂ ଅନୁବାଦ ଅଫିସରେ ମଧ୍ୟ ସେବା କରନ୍ତି । ଏହି ଭଉଣୀମାନେ ଗୋଟିଏ ବଡ଼ ସୈନ୍ୟ ଭଳି ଅଟନ୍ତି, ଯାହାଙ୍କ ଦ୍ୱାରା ଯିହୋବା ନିଜ ଇଚ୍ଛା ପୂରା କରନ୍ତି । (ଗୀତ. ୬୮:୧୧) ଏଥିରୁ ଜଣାପଡ଼େ ଯେ ଯିହୋବା କେବେ ବି ସ୍ତ୍ରୀମାନଙ୍କୁ ଦୁର୍ବଳ କିମ୍ବା ଅଯୋଗ୍ୟ ମନେକରନ୍ତି ନାହିଁ ।

ଭାଇମାନେ କିପରି ଯିହୋବାଙ୍କ ଭଳି ଭଉଣୀମାନଙ୍କ ସହ ବ୍ୟବହାର କରିପାରିବେ ?

ଭାଇମାନେ, କʼଣ ଆପଣ ଭଉଣୀମାନଙ୍କ ସହ ସେପରି ବ୍ୟବହାର କରନ୍ତି, ଯେପରି ଯିହୋବା କରନ୍ତି ? ଏହା ଜାଣିବା ପାଇଁ ଆପଣ କʼଣ କରିପାରିବେ ? ଆପଣ ସ୍ତ୍ରୀମାନଙ୍କ ବିଷୟରେ କʼଣ ଭାବନ୍ତି ଓ ତାଙ୍କ ସହ କିପରି ବ୍ୟବହାର କରନ୍ତି, ତାହା ଧ୍ୟାନର ସହ ଭାବିବାକୁ ପଡ଼ିବ । ହୁଏତ ଏଥିପାଇଁ ଆପଣଙ୍କୁ କାହାରି ସାହାଯ୍ୟ ନେବାକୁ ପଡ଼ିପାରେ । ଯେପରି ଜଣେ ଡାକ୍ତର ମେସିନ୍‌ର ସାହାଯ୍ୟରେ ଜାଣିପାରନ୍ତି ଯେ ଜଣେ ମଣିଷର ହୃଦୟର ଅବସ୍ଥା କିପରି ଅଛି, ସେହିପରି ଜଣେ ଭଲ ସାଙ୍ଗ ଓ ଈଶ୍ୱରଙ୍କ ବାକ୍ୟର ସାହାଯ୍ୟରେ ଆପଣ ଜାଣିପାରିବେ ଯେ ଆପଣ ସ୍ତ୍ରୀମାନଙ୍କ ବିଷୟରେ କʼଣ ଭାବନ୍ତି ଓ ଆପଣଙ୍କ ଦୃଷ୍ଟିକୋଣ ଯିହୋବାଙ୍କ ଭଳି ଅଛି ନା ନାହିଁ ।

ଜଣେ ଭଲ ସାଙ୍ଗକୁ ପଚାରନ୍ତୁ । (ହିତୋ. ୧୮:୧୭) ଆମକୁ ଜଣେ ଏପରି ସାଙ୍ଗ ସହ କଥା ହେବା ଉଚିତ୍‌ ଯାହାକୁ ଆମେ ଭରସା ଓ ପ୍ରେମ କରୁ ଆଉ ଯିଏ ଆମ ବିଷୟରେ ସତ ସତ କହେ । ତାକୁ ପଚାରନ୍ତୁ, “ତତେ କʼଣ ଲାଗେ ମୁଁ ଭଉଣୀମାନଙ୍କ ସହ କିପରି ବ୍ୟବହାର କରେ ? କʼଣ ମୋ ବ୍ୟବହାରରୁ ଲାଗେ ଯେ ମୁଁ ସେମାନଙ୍କର ଆଦର କରେ ? ଏହି ମାମଲାରେ ମୋତେ କେଉଁ ଜାଗାରେ ସୁଧାର କରିବାକୁ ପଡ଼ିବ ?” ଯଦି ଆପଣଙ୍କ ସାଙ୍ଗ ଆପଣଙ୍କୁ କହେ ଯେ ଆପଣଙ୍କୁ କେଉଁ ଜାଗାରେ ସୁଧାର କରିବାର ଅଛି ତାହେଲେ ନିଜକୁ ଠିକ୍‌ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା ନ କରି ଖୁସି ଖୁସି ପରିବର୍ତ୍ତନ କରନ୍ତୁ ।

ଈଶ୍ୱରଙ୍କ ବାକ୍ୟର ଅଧ୍ୟୟନ କରନ୍ତୁ । ଭଉଣୀମାନଙ୍କ ବିଷୟରେ ଆମେ କʼଣ ଭାବୁ ଓ ସେମାନଙ୍କ ସହ କିପରି ବ୍ୟବହାର କରୁ, ଏହା ଜାଣିବାର ସବୁଠୁ ଭଲ ଉପାୟ ହେଉଛି, ଈଶ୍ୱରଙ୍କ ବାକ୍ୟର ଭଲଭାବେ ଅଧ୍ୟୟନ କରିବା । (ଏବ୍ରୀ ୪:୧୨) ଯେବେ ଆମେ ବାଇବଲ ଅଧ୍ୟୟନ କରିବା, ତେବେ ଆମେ ଏପରି ପୁରୁଷମାନଙ୍କ ବିଷୟରେ ଜାଣିପାରିବା ଯେଉଁମାନେ ସ୍ତ୍ରୀମାନଙ୍କ ସହିତ ଭଲ ବ୍ୟବହାର କଲେ ଆଉ ଏପରି ପୁରୁଷମାନଙ୍କ ବିଷୟରେ ବି ଯେଉଁମାନେ ଏପରି କଲେନି । ଏବିଷୟରେ ଅଧ୍ୟୟନ କଲେ ଆମେ ନିଜ ତୁଳନା ତାଙ୍କ ସହିତ କରିପାରିବା । ଏଥିରୁ ଆମେ ଜାଣିପାରିବା ଯେ ଆମ ବ୍ୟବହାର ଭଲ ଅଛି ନା ନାହିଁ । ତାʼ ବ୍ୟତୀତ କୌଣସି ମାମଲାକୁ ନେଇ ଆମେ କେବଳ ଗୋଟିଏ ପଦକୁ ଧ୍ୟାନରେ ରଖି ନିଷ୍ପତ୍ତି ନେବାନି, କାରଣ ଏପରି କଲେ ହୁଏତ ଆମେ ଭୁଲ ଅର୍ଥ ବାହାର କରିପାରିବା । ତାʼ ବଦଳରେ ଆମକୁ ଆହୁରି ପଦଗୁଡ଼ିକ ଉପରେ ଧ୍ୟାନ ଦେବା ଉଚିତ୍‌ । ଉଦାହରଣ ପାଇଁ, ୧ ପିତର ୩:୭ ପଦରେ ସ୍ତ୍ରୀମାନଙ୍କୁ “ଦୁର୍ବଳା ପାତ୍ରୀ” କୁହାଯାଇଛି । b ତାହେଲେ ଏହାର ଅର୍ଥ କʼଣ ସ୍ତ୍ରୀମାନେ ସ୍ୱାମୀମାନଙ୍କଠାରୁ କୌଣସି କ୍ଷେତ୍ରରେ ଅଯୋଗ୍ୟ କିମ୍ବା କମ୍‌ ବୁଦ୍ଧିମାନ ଅଟନ୍ତି ? ନା, ଏପରି ନୁହଁ । କାରଣ ଯଦି ଆମେ ଗାଲାତୀୟ ୩:୨୬-୨୯ ପଦ ପଢ଼ିବା, ତାହେଲେ ସେଠାରେ କୁହାଯାଇଛି ଯେ ଯିହୋବା ପୁରୁଷମାନଙ୍କ ସହ ସ୍ତ୍ରୀମାନଙ୍କୁ ମଧ୍ୟ ଯୀଶୁଙ୍କ ସହ ସ୍ୱର୍ଗରେ ଶାସନ କରିବା ପାଇଁ ବାଛିଛନ୍ତି । ଏହିପରି ଭାବରେ ଯେବେ ଆମେ ଈଶ୍ୱରଙ୍କ ବାକ୍ୟର ଅଧ୍ୟୟନ କରିବା ଓ କୌଣସି ଭଲ ସାଙ୍ଗକୁ ପଚାରିବା ଯେ ସ୍ତ୍ରୀମାନଙ୍କ ସହ ଆମ ବ୍ୟବହାର କିପରି, ତେବେ ଆମେ ଭଉଣୀମାନଙ୍କୁ ଆଦର କରିପାରିବା ।

ପ୍ରାଚୀନମାନେ ଭଉଣୀମାନଙ୍କ ସହ କିପରି ବ୍ୟବହାର କରନ୍ତି ?

ମଣ୍ଡଳୀର ଭାଇମାନେ, ପ୍ରାଚୀନମାନଙ୍କଠାରୁ ଭଉଣୀମାନଙ୍କ ଆଦର କରିବା ଶିଖିପାରିବେ । ଏହି ମାମଲାରେ ପ୍ରାଚୀନମାନେ ଭଲ ଉଦାହରଣ ଅଟନ୍ତି । ସେମାନେ କେଉଁ ଉପାୟଗୁଡ଼ିକରୁ ଏପରି କରନ୍ତି ? ଆସନ୍ତୁ କିଛି କଥା ଉପରେ ଧ୍ୟାନ ଦେବା ।

ସେମାନେ ଭଉଣୀମାନଙ୍କର ପ୍ରଶଂସା କରନ୍ତି । ଏହି ମାମଲାରେ ପ୍ରେରିତ ପାଉଲ ପ୍ରାଚୀନମାନଙ୍କ ପାଇଁ ଭଲ ଉଦାହରଣ ଅଟନ୍ତି । ଯେବେ ସେ ରୋମ ମଣ୍ଡଳୀକୁ ଚିଠି ଲେଖିଲେ, ତେବେ ପାଉଲ ଅନେକ ଭଉଣୀମାନଙ୍କ ନାମ ନେଇ ସେମାନଙ୍କ ପ୍ରଶଂସା କଲେ । (ରୋମୀ. ୧୬:୧୨) ଭାବନ୍ତୁ, ଯେବେ ପାଉଲଙ୍କ ଚିଠି ସେହି ମଣ୍ଡଳୀରେ ପଢ଼ା ଯାଇଥିବ, ତେବେ ସେହି ଭଉଣୀମାନଙ୍କୁ କେତେ ଖୁସି ଲାଗିଥିବ ! ଠିକ୍‌ ସେହିପରି ଆଜି ଯେବେ ପ୍ରାଚୀନମାନେ ଭଉଣୀମାନଙ୍କ ଭଲ ଗୁଣଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତି ଓ ଦେଖନ୍ତି ଯେ ସେମାନେ ଯିହୋବାଙ୍କ ପାଇଁ କେତେ କʼଣ କରୁଛନ୍ତି, ତେବେ ସେମାନେ ହୃଦୟରୁ ତାଙ୍କର ପ୍ରଶଂସା କରନ୍ତି । ଏଥିରୁ ଭଉଣୀମାନଙ୍କୁ ଅନୁଭବ ହୁଏ ଯେ ଭାଇମାନେ ତାଙ୍କର କେତେ ଆଦର କରନ୍ତି ଓ ବହୁମୂଲ୍ୟ ମନେକରନ୍ତି । ଅନେକଥର ଯେତେବେଳେ ପ୍ରାଚୀନମାନେ ଭଉଣୀମାନଙ୍କୁ ପ୍ରୋତ୍ସାହନ ଦେବା ଭଳି କଥା କହନ୍ତି, ତେବେ ହୁଏତ ଏଥିରୁ ଜଣେ ଭଉଣୀଙ୍କୁ ବହୁତ ସାହସ ମିଳିପାରେ । ଆଉ ସେସମୟରେ ଯିହୋବାଙ୍କ ବିଶ୍ୱସ୍ତତାର ସହ ସେବା କରିବା ପାଇଁ ତାଙ୍କୁ ହୁଏତ ସେହି ପ୍ରୋତ୍ସାହନର ହିଁ ଆବଶ୍ୟକ ଥାଏ ।—ହିତୋ. ୧୫:୨୩.

ପ୍ରଶଂସା କରନ୍ତୁ

ପ୍ରାଚୀନମାନେ ଭଉଣୀମାନଙ୍କୁ ହୃଦୟରୁ ପ୍ରଶଂସା କରନ୍ତି ଓ ଖୋଲିକି କହନ୍ତି ଯେ ସେମାନଙ୍କର କେଉଁ କଥା ସେମାନଙ୍କୁ ଭଲ ଲାଗେ । ଏପରି କରିବା କାହିଁକି ଠିକ୍‌ ଅଟେ ? ଭଉଣୀ ଜେସିକା କହନ୍ତି, “ଯେବେ ଭାଇମାନେ କୌଣସି ଭଉଣୀଙ୍କୁ କହନ୍ତି ଯେ ସେ ‘ବହୁତ ଭଲ କାମ କଲେ,’ ତେବେ ଏହା ଶୁଣି ଭଲ ଲାଗେ । କିନ୍ତୁ ଯେବେ ଭାଇମାନେ ମନଖୋଲି କହନ୍ତି ଯେ ସେମାନଙ୍କୁ କେଉଁ କଥା ଭଲ ଲାଗିଲା, ତେବେ ଆମକୁ ଆହୁରି ଅଧିକ ଖୁସି ଲାଗେ । ଯଦି ହୁଏତ ସେମାନେ କହନ୍ତି ଯେ ଆମେ ନିଜ ପିଲାମାନଙ୍କୁ ସଭାରେ ଶାନ୍ତ ବସିବା ପାଇଁ ଶିଖାଉ କିମ୍ବା ନିଜ ବାଇବଲ ବିଦ୍ୟାର୍ଥୀମାନଙ୍କୁ ସମୟ ବାହାର କରି ସଭାରେ ନେଇ ଯାଉ । ଏପରି କଥାଗୁଡ଼ିକ ଶୁଣିଲେ ଆମକୁ ଆହୁରି ଭଲ ଲାଗେ ।” ଯେବେ ପ୍ରାଚୀନମାନେ ମନଖୋଲି ଭଉଣୀମାନଙ୍କୁ କହନ୍ତି ଯେ ସେମାନଙ୍କୁ ତାଙ୍କର କେଉଁ କଥା ଭଲ ଲାଗିଲା, ତେବେ ଭଉଣୀମାନଙ୍କୁ ଏହା ଅନୁଭବ ହୁଏ ଯେ ମଣ୍ଡଳୀରେ ସେମାନେ ବହୁମୂଲ୍ୟ ଅଟନ୍ତି ଓ ସମସ୍ତେ ସେମାନଙ୍କର ଆଦର କରନ୍ତି ।

ସେମାନେ ଭଉଣୀମାନଙ୍କର ଶୁଣନ୍ତି । ପ୍ରାଚୀନମାନେ ନମ୍ର ଥାʼନ୍ତି, ତେଣୁ ସେମାନେ ଏପରି ଭାବନ୍ତି ନାହିଁ ଯେ ସେମାନଙ୍କଠାରେ ହିଁ ଭଲ ପରାମର୍ଶ ଅଛି । ସେମାନେ ଭଉଣୀମାନଙ୍କଠାରୁ ବି ପରାମର୍ଶ ନିଅନ୍ତି ଆଉ ଯେବେ ଭଉଣୀମାନେ କିଛି କହନ୍ତି, ତେବେ ଧ୍ୟାନର ସହ ଶୁଣନ୍ତି । ଏପରି କରି ପ୍ରାଚୀନମାନେ ଭଉଣୀମାନଙ୍କର ଉତ୍ସାହ ବଢ଼ାନ୍ତି ଆଉ ଏଥିରୁ ସେମାନଙ୍କର ବି ଲାଭ ହୁଏ । ତାହା କିପରି ? ହେରାର୍ଡୋ ନାମକ ଜଣେ ଭାଇ ଯିଏ ବୈଥେଲରେ ସେବା କରନ୍ତି ଓ ଜଣେ ପ୍ରାଚୀନ ଅଟନ୍ତି, ସେ କହନ୍ତି, “ଏପରି ଅନେକ କାମ ଅଛି ଯେଉଁଥିରେ ଭଉଣୀମାନଙ୍କର ଦକ୍ଷତା ଭାଇମାନଙ୍କଠାରୁ ଅଧିକ ଅଛି । ତେଣୁ ମୁଁ ପ୍ରାୟ ଭଉଣୀମାନଙ୍କଠାରୁ ବି ପରାମର୍ଶ ନିଏ, ଯାହାଫଳରେ ମୁଁ ମୋ ନିଜ କାମ ଆହୁରି ଭଲଭାବେ କରିପାରେ ।” ମଣ୍ଡଳୀରେ ଅନେକ ଭଉଣୀମାନେ ଅଗ୍ରଦୂତ ସେବା କରନ୍ତି, ସେଥିପାଇଁ ସେମାନେ ନିଜ ଅଞ୍ଚଳର ଲୋକମାନଙ୍କୁ ଭଲଭାବେ ଜାଣନ୍ତି । ଜଣେ ପ୍ରାଚୀନ, ଭାଇ ବ୍ରାଏନ୍‌ କହନ୍ତି, “ଆମ ଭଉଣୀମାନଙ୍କଠାରେ ଏପରି ଅନେକ ଭଲ ଗୁଣ ଓ ଦକ୍ଷତା ରହିଛି, ଯାହାଫଳରେ ସଙ୍ଗଠନକୁ ବହୁତ ଲାଭ ହୁଏ । ତେଣୁ ଭଉଣୀମାନଙ୍କ ଅନୁଭବରୁ ଶିଖନ୍ତୁ ।”

ଶୁଣନ୍ତୁ

ଅନୁଭବୀ ପ୍ରାଚୀନମାନେ ଭଉଣୀମାନଙ୍କର ପରାମର୍ଶକୁ ଶୁଣି ତୁରନ୍ତ ଅଣଦେଖା କରନ୍ତି ନାହିଁ । କାହିଁକି ? ଏବିଷୟରେ ଜଣେ ପ୍ରାଚୀନ ଭାଇ ଏଡୱର୍ଡ କହନ୍ତି, “ଅନେକଥର ହୋଇପାରେ କୌଣସି ଭଉଣୀର ପରାମର୍ଶ ଆଉ ତାଙ୍କ ଅନୁଭୂତିରୁ ଜଣେ ଭାଇଙ୍କୁ କୌଣସି ମାମଲାକୁ ଆହୁରି ଭଲଭାବେ ବୁଝିବା ପାଇଁ ଓ ଅନ୍ୟମାନଙ୍କର କଷ୍ଟ ଏବଂ ଭାବନାକୁ ବି ଭଲଭାବେ ବୁଝିବା ପାଇଁ ସାହାଯ୍ୟ ମିଳିପାରେ ।” (ହିତୋ. ୧:୫) ଯଦି ଜଣେ ପ୍ରାଚୀନଙ୍କୁ ଲାଗେ ଯେ କୌଣସି ଭଉଣୀର ପରାମର୍ଶ ମାନିବା ଠିକ୍‌ ହେବ ନାହିଁ, ତଥାପି ସେ ସେହି ଭଉଣୀଙ୍କୁ ତାଙ୍କ ମତ ପାଇଁ ଧନ୍ୟବାଦ କହିପାରିବେ ।

ସେମାନେ ଭଉଣୀମାନଙ୍କୁ ଟ୍ରେନିଙ୍ଗ ଦିଅନ୍ତି । ପ୍ରାଚୀନମାନେ ଆଗ ପାଇଁ ଭାବନ୍ତି, ତେଣୁ ସେମାନେ ଭଉଣୀମାନଙ୍କୁ ବିଭିନ୍ନ ପ୍ରକାରର କାମ ଶିଖାନ୍ତି । ଯେପରି, ହୁଏତ ସେମାନେ ଭଉଣୀମାନଙ୍କୁ ପ୍ରଚାର ସଭା ଚଲାଇବା ପାଇଁ ଶିଖାନ୍ତି ଯାହାଫଳରେ ଯଦି କୌଣସି ବାପ୍ତିସ୍ମ ପ୍ରାପ୍ତ ଭାଇ ନ ଥାʼନ୍ତି, ସେସମୟରେ ସେମାନେ ସଭା ଚଲାଇପାରିବେ । ତାʼ ବ୍ୟତୀତ ସଙ୍ଗଠନର ନିର୍ମାଣ କାମ ଓ ତାʼର ଦେଖାରେଖା କାମରେ ସାହାଯ୍ୟ କରିବା ପାଇଁ ହୁଏତ ଭଉଣୀମାନଙ୍କୁ କିଛି ଉପକରଣ ଆଉ ମେସିନ୍‌ଗୁଡ଼ିକ ବି ଚଲାଇବା ଶିଖାନ୍ତି । ବୈଥେଲରେ ବି ଭଉଣୀମାନଙ୍କୁ ଅଲଗା ଅଲଗା ବିଭାଗରେ କାମ କରିବା ପାଇଁ ଟ୍ରେନିଙ୍ଗ ଦିଆଯାଏ । ଯେପରି, ଦେଖାରେଖା କରିବାରେ, କିଣାକିଣି କରିବାରେ, ଆକାଉଣ୍ଟସ, କମ୍ପ୍ୟୁଟର୍‌ ପ୍ରୋଗ୍ରାମିଙ୍ଗ ଆଉ ଏପରି ହିଁ ଅନ୍ୟ ବିଭାଗଗୁଡ଼ିକରେ । ଯେବେ ପ୍ରାଚୀନମାନେ ଭଉଣୀମାନଙ୍କୁ କୌଣସି କାମ ପାଇଁ ଟ୍ରେନିଙ୍ଗ ଦିଅନ୍ତି, ତେବେ ସେମାନେ ଦେଖାନ୍ତି ଯେ ସେମାନଙ୍କୁ ଭଉଣୀମାନଙ୍କ ଉପରେ ଭରସା ଅଛି ଯେ ସେମାନେ ଏହି କାମ ଭଲଭାବେ କରିପାରିବେ ।

ଟ୍ରେନିଙ୍ଗ ଦିଅନ୍ତୁ

ଯେଉଁ ଭଉଣୀମାନଙ୍କୁ ପ୍ରାଚୀନମାନେ ଟ୍ରେନିଙ୍ଗ ଦେଇଛନ୍ତି, ସେମାନେ ଅନ୍ୟମାନଙ୍କୁ ବି ସାହାଯ୍ୟ କରିପାରନ୍ତି । ଯେଉଁ ଭଉଣୀମାନଙ୍କୁ ନିର୍ମାଣ କାମ ପାଇଁ ଟ୍ରେନିଙ୍ଗ ଦିଆଯାଇଛି, ସେମାନେ କୌଣସି ପ୍ରାକୃତ୍ତିକ ବିପର୍ଯ୍ୟୟ ପରେ ଅନ୍ୟମାନଙ୍କୁ ନିଜ ଘର ତିଆରି କରିବା ପାଇଁ ସାହାଯ୍ୟ କରିପାରନ୍ତି । ଆଉ ଯେଉଁ ଭଉଣୀମାନଙ୍କୁ ଭଲଭାବେ ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା ପାଇଁ ଶିଖାଇ ଦିଆଯାଇଛି, ସେମାନେ ଅନ୍ୟ ଭଉଣୀମାନଙ୍କୁ ଏହି ଦକ୍ଷତା ବଢ଼ାଇବାରେ ସାହାଯ୍ୟ କରିପାରନ୍ତି । ତାହେଲେ ଯେଉଁ ଭଉଣୀମାନଙ୍କୁ ପ୍ରାଚୀନମାନେ ସମୟ କାଢ଼ି ଟ୍ରେନିଙ୍ଗ ଦିଅନ୍ତି, ସେମାନଙ୍କୁ କେମିତି ଲାଗେ ? ଭଉଣୀ ଜେନିଫର କହନ୍ତି, “ଯେବେ ମୁଁ ରାଜ୍ୟଘର ନିର୍ମାଣ କାମରେ ସହଯୋଗ କରୁଥିଲି, ତେବେ ଆମର ଜଣେ ଓଭରସିୟର ସମୟ କାଢ଼ି ମୋତେ ଟ୍ରେନିଙ୍ଗ ଦେଲେ । ଯେବେ ମୁଁ କୌଣସି କାମ କରୁଥିଲି, ସେସମୟରେ ସେ ତାʼ ଉପରେ ଧ୍ୟାନ ଦେଉଥିଲେ ଓ ମୋର ପ୍ରଶଂସା କରୁଥିଲେ । ସେ ମୋ ଉପରେ ଭରସା କରୁଥିଲେ, ତେଣୁ ମୋତେ ଲାଗୁଥିଲା ଯେ ମୁଁ ବି ଯିହୋବାଙ୍କ କାମରେ ଆସିପାରିବି । ମୋତେ ତାଙ୍କ ସହ କାମ କରି ବହୁତ ଭଲ ଲାଗିଲା ।”

ଭଉଣୀମାନଙ୍କ ସହ ନିଜ ପରିବାରର ସଦସ୍ୟ ଭଳି ବ୍ୟବହାର କରନ୍ତୁ

ଆମେ ନିଜ ଭଉଣୀମାନଙ୍କୁ ବହୁତ ପ୍ରେମ କରୁ, ଠିକ୍‌ ଯେପରି ଯିହୋବା କରନ୍ତି । ସେମାନେ ଆମ ପରିବାରର ସଦସ୍ୟ ଅଟନ୍ତି । (୧ ତୀମ. ୫:୧, ୨) ଆମେ ନିଜ ଭଉଣୀମାନଙ୍କ ଉପରେ ଗର୍ବ କରୁ ଓ ତାଙ୍କ ସହ କାମ କରି ଆମକୁ ବହୁତ ଖୁସି ଲାଗେ । ଆମକୁ ଏହା ଜାଣି ବି ବହୁତ ଭଲ ଲାଗେ ଯେ ଆମ ଭଉଣୀମାନେ ଏହା ଅନୁଭବ କରିପାରନ୍ତି ଯେ ଆମେ ସେମାନଙ୍କୁ ପ୍ରେମ କରୁ ଓ ସେମାନଙ୍କୁ ସହଯୋଗ ଦେଉ । ଭଉଣୀ ୱନେସା କହନ୍ତି, “ମୁଁ ଯିହୋବାଙ୍କ କେତେ କୃତଜ୍ଞ ଯେ ସେ ମୋତେ ନିଜ ସଙ୍ଗଠନର ସଦସ୍ୟ ହେବା ପାଇଁ ସୁଯୋଗ ଦେଲେ । ତାଙ୍କ ସଙ୍ଗଠନରେ ଏପରି ଅନେକ ଭାଇ ଅଛନ୍ତି ଯେଉଁମାନେ ମୋର ଉତ୍ସାହ ବଢ଼ାନ୍ତି ।” ତାଇୱାନରେ ରହୁଥିବା ଜଣେ ଭଉଣୀ କହନ୍ତି, “ମୁଁ ଏହି କଥା ପାଇଁ କେତେ କୃତଜ୍ଞ ଯେ ଯିହୋବା ଓ ତାଙ୍କ ସଙ୍ଗଠନ ସ୍ତ୍ରୀମାନଙ୍କୁ କେତେ ଆଦର କରନ୍ତି ଆଉ ଆମ ଭାବନାଗୁଡ଼ିକୁ ବୁଝନ୍ତି । ଏହି କାରଣ ଯୋଗୁଁ ଈଶ୍ୱରଙ୍କ ଉପରେ ମୋର ବିଶ୍ୱାସ ବଢ଼ିଯାଏ । ଆଉ ମୋତେ ଏହି କଥା ପାଇଁ ଆହୁରି ଅଧିକ ଖୁସି ଲାଗେ ଯେ ମୁଁ ଯିହୋବାଙ୍କ ସଙ୍ଗଠନର ସଦସ୍ୟ ଅଟେ ।”

ଯେବେ ଭାଇମାନେ ଯିହୋବାଙ୍କ ଭଳି ଭଉଣୀମାନଙ୍କ ସହ ବ୍ୟବହାର କରନ୍ତି, ତେବେ ଯିହୋବାଙ୍କୁ କେତେ ଖୁସି ଲାଗୁଥିବ ! (ହିତୋ. ୨୭:୧୧) ସ୍କଟଲ୍ୟାଣ୍ଡର ଜଣେ ପ୍ରାଚୀନ ଭାଇ ବେନଜାମିନ୍‌ କହନ୍ତି, “ଆଜିର ଦୁନିଆରେ ଅନେକ ପୁରୁଷମାନେ ସ୍ତ୍ରୀମାନଙ୍କୁ ବିଲକୁଲ୍‌ ଆଦର କରନ୍ତି ନାହିଁ । ସେଥିପାଇଁ ଆମେ ଚାହୁଁ ଯେ ଯେବେ ଆମ ଭଉଣୀମାନେ ରାଜ୍ୟଘର ଆସନ୍ତି ସେସମୟରେ ସେମାନେ ଅନୁଭବ କରିପାରନ୍ତୁ ଯେ ଆମେ ସେମାନଙ୍କୁ କେତେ ପ୍ରେମ କରୁ ଓ ତାଙ୍କର ଆଦର ବି କରୁ ।” ତାହେଲେ ଆସନ୍ତୁ ଆମେ ସମସ୍ତେ ଯିହୋବାଙ୍କ ଭଳି ହେବା ପାଇଁ ଚେଷ୍ଟା କରିବା ଆଉ ନିଜ ପ୍ରିୟ ଭଉଣୀମାନଙ୍କୁ ପ୍ରେମ ଓ ଆଦର କରିବା ।—ରୋମୀ. ୧୨:୧୦.

a ଏହି ଲେଖାରେ “ଭଉଣୀ” ଶବ୍ଦ ରକ୍ତ ସମ୍ପର୍କିୟ ଭଉଣୀମାନଙ୍କ ପାଇଁ ନୁହେଁ, ବରଂ ଖ୍ରୀଷ୍ଟିୟାନ୍‌ ଭଉଣୀମାନଙ୍କ ପାଇଁ ବ୍ୟବହାର କରାଯାଇଛି ।

b “ଦୁର୍ବଳା ପାତ୍ରୀ” ଶବ୍ଦର ଅର୍ଥ ଆହୁରି ଭଲଭାବେ ବୁଝିବା ପାଇଁ ୧୫ ମେ, ୨୦୦୬ର ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା “ନିର୍ବଲ୍‌ ପାତ୍ର କା ମୋଲ୍‌” ଆଉ ୧ ମାର୍ଚ୍ଚ, ୨୦୦୫ର ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା “ଶାଦୀଶୁଦା ଜୋଡ଼ୋ କେ ଲିଏ ବୁଦ୍ଧିଭରି ହିଦାୟତେ” ପଢ଼ନ୍ତୁ ।