इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୬

ଗୀତ ୧୦ ୟହୋବା କି ଜୟଜୟକାର କରେଁ !

‘ଯିହୋବାଙ୍କ ନାମର ପ୍ରଶଂସା କର’

‘ଯିହୋବାଙ୍କ ନାମର ପ୍ରଶଂସା କର’

“ହେ ସଦାପ୍ରଭୁଙ୍କ ଦାସଗଣ, ତୁମ୍ଭେମାନେ ପ୍ରଶଂସା କର, ସଦାପ୍ରଭୁଙ୍କ ନାମର ପ୍ରଶଂସା କର ।”ଗୀତ. ୧୧୩:୧.

କʼଣ ଶିଖିବା ?

କେଉଁ କଥା ଆମକୁ ସବୁବେଳେ ଯିହୋବାଙ୍କ ପବିତ୍ର ନାମର ପ୍ରଶଂସା କରିବା ପାଇଁ ପ୍ରେରିତ କରେ ?

୧-୨. ଯେବେ ଯିହୋବାଙ୍କ ନାମକୁ ବଦନାମ କରାଯାଇଥିବ ତେବେ ତାଙ୍କୁ କିପରି ଲାଗିଥିବ ? ବୁଝାନ୍ତୁ ।

 ଭାବନ୍ତୁ, ଆପଣ ଯାହାକୁ ବହୁତ ପ୍ରେମ କରନ୍ତି, ସେ ଆପଣଙ୍କ ଉପରେ ଏକ ବଡ଼ ଦୋଷ ଲଗାଏ ଓ କିଛି ଲୋକ ତାʼ କଥାକୁ ସତ ଭାବିନିଅନ୍ତି । କେବଳ ଏତିକି ନୁହେଁ, ସେମାନେ ଅନ୍ୟମାନଙ୍କୁ ମଧ୍ୟ ସେବିଷୟରେ କହନ୍ତି । ଆଉ ସେହି ଲୋକମାନେ ମଧ୍ୟ ସେକଥାକୁ ସତ ଭାବିନିଅନ୍ତି । ଏହା ଦେଖି ଆପଣଙ୍କୁ କିପରି ଲାଗିବ ? ଯଦି ଆପଣ ସେମାନଙ୍କୁ ପ୍ରେମ କରନ୍ତି, ତେବେ ଏହା ଭାବି ଆପଣଙ୍କୁ ବହୁତ ଖରାପ ଲାଗିବ ଯେ ସେମାନେ ଆପଣଙ୍କ ବିଷୟରେ କ’ଣ ଭାବିବେ ।—ହିତୋ. ୨୨:୧.

ଏହି ଉଦାହରଣରୁ ଆମେ ବୁଝିପାରୁ ଯେ ଯେବେ ଯିହୋବାଙ୍କ ନାମକୁ ବଦନାମ୍‌ କରାଯାଇଥିବ, ତେବେ ତାଙ୍କୁ କିପରି ଲାଗିଥିବ । ସ୍ୱର୍ଗରେ ରହୁଥିବା ତାଙ୍କର ଜଣେ ପୁତ୍ର, ତାଙ୍କ ବିଷୟରେ ପ୍ରଥମ ସ୍ତ୍ରୀ ହବାକୁ ମିଛ କହିଲା ଓ ହବା ତାʼ କଥା ଉପରେ ଭରସା କରିନେଲା । ଆଉ ତାʼଯୋଗୁଁ ଆମ ପ୍ରଥମ ବାପାମାଆ ଆଦମ ଓ ହବା ଯିହୋବାଙ୍କ ବିରୁଦ୍ଧରେ ବିଦ୍ରୋହ କଲେ । ଏପରି ଭାବରେ ସାରା ଜଗତରେ ପାପ ଓ ମୃତ୍ୟୁ ଆସିଗଲା । (ଆଦି. ୩:୧-୬; ରୋମୀ. ୫:୧୨) ଶୟତାନ ଏଦନ ଉଦ୍ୟାନରେ ଯେଉଁ ମିଛ କହିଥିଲା, ତାʼଯୋଗୁଁ ହିଁ ଆଜି ସମସ୍ତଙ୍କୁ ଏତେ ଦୁଃଖ ସହିବାକୁ ପଡ଼ୁଛି । ଯେପରି, ଆଜି ମଣିଷମାନଙ୍କୁ ଅନେକ କଷ୍ଟ ସହିବାକୁ ପଡ଼େ, ଯୁଦ୍ଧ ହୁଏ ଆଉ ଲୋକମାନଙ୍କ ମୃତ୍ୟୁ ହୋଇଯାଏ । ଏସବୁ ଦେଖି ଯିହୋବାଙ୍କୁ ବହୁତ ଦୁଃଖ ଲାଗେ । କʼଣ ଏସବୁ ଦେଖି ଯିହୋବାଙ୍କ ଖୁସି ଚାଲିଗଲା ? ନୁହଁ । ବାଇବଲରେ ତାଙ୍କୁ “ଆନନ୍ଦିତ ଈଶ୍ୱର” କୁହାଯାଇଛି ।—୧ ତୀମ. ୧:୧୧, NWT.

୩. ଆମ ପାଖରେ କʼଣ ବିଶେଷ ସୁଯୋଗ ରହିଛି ?

ଆମ ପାଖରେ ଯିହୋବାଙ୍କ ନାମକୁ ପବିତ୍ର କରିବା ପାଇଁ ଏକ ବିଶେଷ ସୁଯୋଗ ରହିଛି । ତାହା କିପରି ? ଆମେ ଏହି ଆଜ୍ଞା ମାନିପାରିବା: ‘ଯିହୋବାଙ୍କ ନାମର ପ୍ରଶଂସା କର ।’ (ଗୀତ. ୧୧୩:୧) ଯେତେବେଳେ ଆମେ ଲୋକମାନଙ୍କୁ କହୁ ଯେ ଯିହୋବା କିଏ ଓ ସେ କିପରି ଈଶ୍ୱର ଅଟନ୍ତି, ତେବେ ଆମେ ତାଙ୍କ ପବିତ୍ର ନାମକୁ ପ୍ରଶଂସା କରିଥାଉ । କʼଣ ଆପଣ ଏପରି କରିବେ ? ଆସନ୍ତୁ ଆମେ ଏପରି ତିନୋଟି କାରଣ ଉପରେ ଧ୍ୟାନ ଦେବା, ଯାହାକୁ ମାନି ଆମେ ହୃଦୟର ସହ ଈଶ୍ୱରଙ୍କ ନାମକୁ ପ୍ରଶଂସା କରିପାରିବା ।

ଯିହୋବାଙ୍କ ନାମକୁ ପ୍ରଶଂସା କଲେ ସେ ଖୁସି ହୁଅନ୍ତି

୪. ଉଦାହରଣ ଦେଇ ବୁଝାନ୍ତୁ ଯେ ଯେବେ ଆମେ ଯିହୋବାଙ୍କ ପ୍ରଶଂସା କରୁ ତେବେ ସେ କାହିଁକି ଖୁସି ହୁଅନ୍ତି ? (ଚିତ୍ର ମଧ୍ୟ ଦେଖନ୍ତୁ ।)

ଯେବେ ଆମେ ସ୍ୱର୍ଗରେ ରହୁଥିବା ନିଜ ପିତା ଯିହୋବାଙ୍କ ନାମର ପ୍ରଶଂସା କରୁ, ତେବେ ସେ ବହୁତ ଖୁସି ହୁଅନ୍ତି । (ଗୀତ. ୧୧୯:୧୦୮) ଦେଖିବାକୁ ଗଲେ ମଣିଷମାନଙ୍କୁ ପ୍ରଶଂସା ଓ ଉତ୍ସାହ ଦରକାର ପଡ଼ିଥାଏ, କିନ୍ତୁ କʼଣ ଈଶ୍ୱରଙ୍କୁ ବି ଆମ ଭଳି ପ୍ରୋତ୍ସାହନ ପାଇବା ପାଇଁ ପ୍ରଶଂସା ଦରକାର ? ନୁହଁ, ଯେବେ ଆମେ ତାଙ୍କ ପ୍ରଶଂସା କରୁ, ତେବେ ତାଙ୍କୁ ଭଲ ଲାଗେ । ଏହାକୁ ବୁଝିବା ପାଇଁ ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଜଣେ ଛୋଟ ଝିଅ ଦୌଡ଼ି ଦୌଡ଼ି ନିଜ ବାପାଙ୍କ ପାଖକୁ ଯାଏ ଆଉ ତାଙ୍କୁ ଆଲିଙ୍ଗନ କରି କହେ, “ଆପଣ ଦୁନିଆର ସବୁଠୁ ଭଲ ବାପା !” ଏହା ଶୁଣି ବାପା ବହୁତ ଖୁସି ହୋଇଯାଆନ୍ତି । ତାଙ୍କ ଝିଅର କଥା ତାଙ୍କ ହୃଦୟକୁ ଛୁଇଁଯାଏ । କିନ୍ତୁ ଏପରି ନ ଥିଲା ଯେ ସେ ଝିଅର ବାପାଙ୍କୁ ତାଙ୍କ ଝିଅର ପ୍ରଶଂସା ଦରକାର ଥିଲା । ତାʼ ପରିବର୍ତ୍ତେ ସେ ଏଥିପାଇଁ ଖୁସି ହେଲେ କାରଣ ସେ ନିଜ ଝିଅକୁ ବହୁତ ପ୍ରେମ କରନ୍ତି ଓ ତାଙ୍କୁ ଏହା ଦେଖି ବହୁତ ଭଲ ଲାଗିଲା ଯେ ତାଙ୍କ ଝିଅ ମଧ୍ୟ ତାଙ୍କୁ ବହୁତ ପ୍ରେମ କରେ ଓ ତାଙ୍କ ଆଦର କରେ । ତାʼସହ ସେ ଏକଥାକୁ ବି ଜାଣନ୍ତି ଯେ ତାଙ୍କ ଝିଅର ଯେଉଁ ଭଲ ଗୁଣଗୁଡ଼ିକ ଅଛି, ତା ଯୋଗୁଁ ସେ ଆଗକୁ ଯାଇ ଖୁସିରେ ରହିପାରିବ । ଏପରି ଭାବେ ଆମେ ବୁଝିପାରୁ ଯେ ଯେବେ ଆମେ ମହାନ ପିତା ଯିହୋବାଙ୍କ ପ୍ରଶଂସା କରୁ, ତେବେ ତାଙ୍କୁ କାହିଁକି ଖୁସି ଲାଗେ ।

ଯେବେ ଗୋଟେ ପିଲା ନିଜ ବାପାଙ୍କୁ ବହୁତ ଭଲ ପାଏ ଓ ତାଙ୍କ ପ୍ରଶଂସା କରେ ତେବେ ବାପା ବହୁତ ଖୁସି ହୋଇଯାʼନ୍ତି । ଠିକ୍‌ ସେହିଭଳି ଯେବେ ଆମେ ଯିହୋବାଙ୍କ ନାମର ପ୍ରଶଂସା କରୁ ତେବେ ସେ ବହୁତ ଖୁସି ହୁଅନ୍ତି (ପାରାଗ୍ରାଫ ୪)


୫. ଈଶ୍ୱରଙ୍କ ନାମର ପ୍ରଶଂସା କରି ଆମେ ଶୟତାନର କେଉଁ ଆରୋପକୁ ମିଛ ସାବ୍ୟସ୍ତ କରିପାରିବା ?

ଯେବେ ଆମେ ସ୍ୱର୍ଗରେ ରହୁଥିବା ନିଜ ପିତା ଯିହୋବାଙ୍କ ପ୍ରଶଂସା କରୁ, ତେବେ ଆମେ ଶୟତାନର ଆଉ ଗୋଟିଏ ଆରୋପକୁ ମିଛ ସାବ୍ୟସ୍ତ କରୁଥାଉ । ସେ ଦାବି କରିଛି ଯେ କେହି ବି ମଣିଷ ସବୁଦିନ ପାଇଁ ଈଶ୍ୱରଙ୍କ ନାମକୁ ପବିତ୍ର କରିପାରିବ ନାହିଁ । ସେ କହେ, ଯଦି ଜଣେ ମଣିଷ ଉପରେ କୌଣସି ବିପଦ ଆସେ କିମ୍ବା ତାକୁ ଲାଗେ ଯେ ଈଶ୍ୱରଙ୍କ କଥା ଶୁଣିଲେ ତାକୁ କୌଣସି ଲାଭ ହେବନାହିଁ, ତାହେଲେ ସେ ତାଙ୍କ ସେବା କରିବା ଛାଡ଼ିଦେବ । (ଆୟୁ. ୧:୯-୧୧; ୨:୪) କିନ୍ତୁ ଈଶ୍ୱରଙ୍କ ଜଣେ ବିଶ୍ୱସ୍ତ ସେବକ ଆୟୁବ ଏହି କଥାକୁ ମିଛ ସାବ୍ୟସ୍ତ କରିଦେଲେ । କʼଣ ଆପଣ ମଧ୍ୟ ଏପରି କରିବେ ? ଆମ ସମସ୍ତଙ୍କ ପାଖରେ ସୁଯୋଗ ଅଛି ଯେ ଆମେ ନିଜ ପିତା ଯିହୋବାଙ୍କ ନାମକୁ ବଦନାମ ହେବାରୁ ରୋକି ପାରିବା ଓ ସବୁଦିନ ବିଶ୍ୱସ୍ତତାର ସହ ତାଙ୍କ ସେବା କରି ତାଙ୍କ ହୃଦୟକୁ ଖୁସି କରିପାରିବା । (ହିତୋ. ୨୭:୧୧) ସତରେ ଏହା କେତେ ବଡ଼ ସମ୍ମାନ ଅଟେ !

୬. ଆମେ କିପରି ରାଜା ଦାଉଦ ଓ ଲେବୀୟମାନଙ୍କ ଭଳି ହୋଇପାରିବା ? (ନିହିମୀୟା ୯:୫)

ଯିହୋବାଙ୍କ ବିଶ୍ୱସ୍ତ ସେବକମାନେ ତାଙ୍କୁ ପ୍ରେମ କରନ୍ତି, ତେଣୁ ସେମାନେ ସମ୍ପୂର୍ଣ୍ଣ ହୃଦୟର ସହ ତାଙ୍କ ନାମକୁ ପ୍ରଶଂସା କରନ୍ତି । ରାଜା ଦାଉଦ ଲେଖିଲେ, “ହେ ମୋହର ଅନ୍ତରସ୍ଥସମସ୍ତ, ତାହାଙ୍କ ପବିତ୍ର ନାମର ଧନ୍ୟବାଦ କର ।” (ଗୀତ. ୧୦୩:୧) ଦାଉଦ ଜାଣିଥିଲେ ଯେ ଯିହୋବାଙ୍କ ନାମର ପ୍ରଶଂସା କରିବାର ଅର୍ଥ ହେଉଛି, ଯିହୋବାଙ୍କର ହିଁ ପ୍ରଶଂସା କରିବା । କାରଣ ଯିହୋବାଙ୍କ ନାମ ଶୁଣିଲେ ହିଁ ଆମେ ଜଣେ ଏପରି ମହାନ ବ୍ୟକ୍ତି ବିଷୟରେ ଭାବିବାକୁ ଲାଗୁ ଯାହା ଭିତରେ ଅନେକ ଭଲ ଗୁଣ ରହିଛି ଓ ଯିଏ ବହୁତ ଭଲ ଭଲ କାମ କରିଛି । ତେଣୁ ଦାଉଦ ନିଜ ପିତାଙ୍କ ନାମକୁ ପବିତ୍ର କରିବାକୁ ଚାହୁଁଥିଲେ ଓ ହୃଦୟରୁ ତାଙ୍କ ପ୍ରଶଂସା କରିବାକୁ ଚାହୁଁଥିଲେ । ସେ ଚାହୁଁଥିଲେ ଯେ ତାଙ୍କ “ଅନ୍ତରସ୍ଥସମସ୍ତ” ଯିହୋବାଙ୍କର ପ୍ରଶଂସା କରୁ । ଦାଉଦଙ୍କ ଭଳି ଲେବୀୟମାନେ ମଧ୍ୟ ଜୋରସୋର୍‌ରେ ଯିହୋବାଙ୍କ ପ୍ରଶଂସା କଲେ । ସେମାନେ ନମ୍ର ଥିଲେ, ତେଣୁ ସେମାନେ କହିଲେ ଯେ ଯିହୋବାଙ୍କ ପବିତ୍ର ନାମର ଯେତେ ବି ପ୍ରଶଂସା କଲେ, ତାହା କମ୍‌ । (ନିହିମୀୟା ୯:୫ ପଢ଼ନ୍ତୁ ।) ଏଥିରେ କୌଣସି ସନ୍ଦେହ ନାହିଁ ଯେ ଲେବୀୟମାନେ ହୃଦୟରୁ ଯିହୋବାଙ୍କ ପ୍ରଶଂସା କଲେ ଓ ତାହା ଶୁଣି ଯିହୋବା ବହୁତ ଖୁସି ହୋଇଥିବେ ।

୭. ଆମେ ପ୍ରଚାର କରିବା ସମୟରେ ଓ ପ୍ରତିଦିନର କାମ କରିବା ସମୟରେ କିପରି ଯିହୋବାଙ୍କ ପ୍ରଶଂସା କରିପାରିବା ?

ଆଜି ଆମେ କିପରି ଯିହୋବାଙ୍କ ହୃଦୟକୁ ଖୁସି କରିପାରିବା ? ଲୋକମାନଙ୍କ ସହ କଥା ହେବା ସମୟରେ ଆମେ ଯିହୋବାଙ୍କ ବିଷୟରେ ଯେପରି ଭାବେ କଥା ହେଉ, ସେଥିରୁ ଆମେ ଦେଖାଉ ଯେ ଆମେ ଯିହୋବାଙ୍କୁ କେତେ ଭଲ ପାଉ ଆଉ ହୃଦୟରୁ କେତେ କୃତଜ୍ଞ ଅଟୁ । ପ୍ରଚାର କରିବା ସମୟରେ ଆମେ ଚେଷ୍ଟା କରୁ ଯେ ଲୋକମାନେ ଯିହୋବାଙ୍କ ବିଷୟରେ ଜାଣନ୍ତୁ, ତାଙ୍କୁ ପ୍ରେମ କରନ୍ତୁ ଓ ତାଙ୍କ ଆଡ଼କୁ ଆକର୍ଷିତ ହୁଅନ୍ତୁ । (ଯାକୁ. ୪:୮) ଆମକୁ ଯିହୋବାଙ୍କ ଗୁଣ ବିଷୟରେ କହିବାକୁ ମଧ୍ୟ ଭଲ ଲାଗେ । ଯେପରି ଯିହୋବାଙ୍କ ବିଶେଷ ଗୁଣ ପ୍ରେମ, ନ୍ୟାୟ, ବୁଦ୍ଧି, ଶକ୍ତି ଓ ଏପରି ହିଁ ଅନ୍ୟ ଗୁଣ । ଏପରି ଭାବେ ଆମେ ଯିହୋବାଙ୍କ ନାମର ପ୍ରଶଂସା କରୁ । ତାʼଛଡ଼ା ଯେବେ ଆମେ ଯିହୋବାଙ୍କ ଭଳି ହେବା ପାଇଁ ଚେଷ୍ଟା କରୁ, ତେବେ ମଧ୍ୟ ଆମେ ତାଙ୍କ ନାମର ପ୍ରଶଂସା କରୁ ଓ ତାଙ୍କ ହୃଦୟକୁ ଖୁସି କରୁ । (ଏଫି. ୫:୧) ଆଉ ଯେବେ ଆମେ ଏପରି କରୁ, ତେବେ ହୁଏତ କିଛି ଲୋକ ଏକଥା ଉପରେ ଧ୍ୟାନ ଦେବେ ଯେ ଆମେ ଦୁନିଆର ଲୋକଙ୍କଠାରୁ କେତେ ଅଲଗା । (ମାଥି. ୫:୧୪-୧୬) ଯେବେ ଆମେ ପ୍ରତିଦିନର କାମ କଲାବେଳେ ଏପରି ଲୋକଙ୍କ ସହ ଭେଟୁ ଯେଉଁମାନେ ଭଲ ମନ ରଖନ୍ତି, ତେବେ ହୁଏତ ଆମକୁ ସେମାନଙ୍କୁ ଏହା କହିବାର ସୁଯୋଗ ମିଳିପାରେ ଯେ ଆମେ କାହିଁକି ଦୁନିଆର ଲୋକମାନଙ୍କ ଭଳି ନାହୁଁ । ତେଣୁ ଭଲ ମନ ରଖୁଥିବା ଲୋକମାନେ ତାଙ୍କ ଆଡ଼କୁ ଆକର୍ଷିତ ହୋଇଯାʼନ୍ତି । ଏସବୁ ଉପାୟରେ ଯେବେ ଆମେ ଯିହୋବାଙ୍କ ନାମର ପ୍ରଶଂସା କରୁ, ତେବେ ଆମେ ତାଙ୍କ ହୃଦୟକୁ ଖୁସି କରୁ ।—୧ ତୀମ. ୨:୩, ୪.

ଯିହୋବାଙ୍କ ନାମକୁ ପ୍ରଶଂସା କଲେ ଯୀଶୁ ଖୁସି ହୁଅନ୍ତି

୮. ଆମେ କାହିଁକି କହିପାରିବା ଯେ ଯୀଶୁ ସମସ୍ତଙ୍କଠାରୁ ଅଧିକ ଜୋରସୋର୍‌ରେ ଯିହୋବାଙ୍କ ନାମର ପ୍ରଶଂସା କଲେ ?

ସ୍ୱର୍ଗରେ ଥିବା ସ୍ୱର୍ଗଦୂତ ହେଉ କିମ୍ବା ପୃଥିବୀରେ ଥିବା ମଣିଷ, କେହି ବି ଯିହୋବାଙ୍କ ବିଷୟରେ ସେତେ ଜାଣିପାରିବେ ନାହିଁ, ଯେତେ ଯୀଶୁ ଜାଣନ୍ତି । (ମାଥି. ୧୧:୨୭) ସେ ନିଜ ପିତାଙ୍କୁ ବହୁତ ପ୍ରେମ କରୁଥିଲେ । ଆଉ ସେ ସବୁବେଳେ ଜୋରସୋର୍‌ରେ ଯିହୋବାଙ୍କ ନାମର ପ୍ରଶଂସା କଲେ । (ଯୋହ. ୧୪:୩୧) ନିଜ ମୃତ୍ୟୁ ପୂର୍ବରୁ ଯୀଶୁ ପ୍ରାର୍ଥନାରେ ନିଜ ପିତାଙ୍କୁ କହିଲେ ‘ମୁଁ ଲୋକମାନଙ୍କୁ ତୁମ୍ଭ ନାମ ଜଣାଇଅଛି ।’ (ଯୋହ. ୧୭:୨୬) ପୃଥିବୀରେ ସାଢ଼େ ତିନି ବର୍ଷ ସେବା କରିବା ସମୟରେ ମଧ୍ୟ ଯୀଶୁ ଏହି କାମକୁ ସବୁଠୁ ଅଧିକ ମହତ୍ତ୍ୱ ଦେଲେ । ଆସନ୍ତୁ ଧ୍ୟାନ ଦେବା ଯେ ସେ ଏହା କିପରି କଲେ ।

୯. ଯୀଶୁ କିପରି ଗୋଟିଏ ଉଦାହରଣ ଦେଇ ନିଜ ପିତାଙ୍କ ବିଷୟରେ ଆହୁରି ଭଲଭାବେ ବୁଝାଇଲେ ?

ଯୀଶୁ ଲୋକମାନଙ୍କୁ କେବଳ ଏହା କହିଲେ ନାହିଁ ଯେ ଈଶ୍ୱରଙ୍କ ନାମ ଯିହୋବା । ସେ ଯେଉଁ ଯିହୁଦୀମାନଙ୍କୁ ଶିଖାଉଥିଲେ ସେମାନେ ଆଗରୁ ହିଁ ଈଶ୍ୱରଙ୍କ ନାମ ଜାଣିଥିଲେ । ତଥାପି ସେ ସେମାନଙ୍କୁ ‘ପିତାଙ୍କ ବିଷୟରେ ପ୍ରକାଶ କଲେ’ ବା ଜଣାଇଲେ । (ଯୋହ. ୧:୧୭, ୧୮) ଯେପରି, ଏବ୍ରୀ ଶାସ୍ତ୍ରରେ କୁହାଯାଇଛି ଯେ ଯିହୋବା ଦୟା ଓ କରୁଣା କରୁଥିବା ଈଶ୍ୱର ଅଟନ୍ତି । (ଯାତ୍ରା. ୩୪:୫-୭) କିନ୍ତୁ ଏହି କଥାକୁ ଆହୁରି ଭଲଭାବେ ବୁଝିବା ପାଇଁ ଯୀଶୁ, ହଜିଯାଇଥିବା ପୁଅ ଓ ତାʼ ବାପାର ଉଦାହରଣ ଦିଅନ୍ତି । ବାଇବଲରେ ଆମେ ପଢ଼ୁ ଯେ ପୁଅଟି ପଶ୍ଚାତାପ କରେ ଓ ନିଜ ବାପାଙ୍କ ଘରକୁ ଫେରି ଆସେ । କିନ୍ତୁ ସେ “ଦୂରରେ ଥାଉ ଥାଉ” ହିଁ ତାʼ ବାପା ତାହାକୁ ଦେଖି ଦୌଡ଼ି ଯାଇ ଆଲିଙ୍ଗନ କରନ୍ତି । ତାକୁ ହୃଦୟରୁ କ୍ଷମା କରନ୍ତି । ଏପରି ଭାବେ ଆମେ ସ୍ପଷ୍ଟ ବୁଝିପାରୁ ଯେ ଯିହୋବା କେତେ ଦୟାଳୁ ଈଶ୍ୱର ଓ ତାଙ୍କ ଭିତରେ କେତେ କରୁଣା ଭରି ରହିଛି । (ଲୂକ ୧୫:୧୧-୩୨) ଏପରି କରି ଯୀଶୁ ଆମକୁ ଯିହୋବାଙ୍କୁ ଆହୁରି ଭଲଭାବେ ବୁଝିବା ପାଇଁ ସାହାଯ୍ୟ କଲେ ।

୧୦. (କ) ଆମେ କିପରି ଜାଣିପାରୁ ଯେ ଯୀଶୁ ନିଜ ପିତାଙ୍କ ନାମ ନେଲେ ଓ ସେ ଚାହୁଁଥିଲେ ଯେ ଅନ୍ୟମାନେ ବି ଏପରି ହିଁ କରନ୍ତୁ ? (ମାର୍କ ୫:୧୯) (ଚିତ୍ର ମଧ୍ୟ ଦେଖନ୍ତୁ ।) (ଖ) ଆଜି ଯୀଶୁ ଆମଠାରୁ କʼଣ ଚାହାନ୍ତି ?

୧୦ ଯୀଶୁ ଚାହୁଁଥିଲେ ଯେ ଅନ୍ୟ ଲୋକମାନେ ବି ଯିହୋବାଙ୍କ ନାମ ଜାଣନ୍ତୁ ଓ ତାଙ୍କ ନାମ ନିଅନ୍ତୁ । ତାଙ୍କ ସମୟର କିଛି ଧର୍ମଗୁରୁମାନେ ବିଶ୍ୱାସ କରୁଥିଲେ ଯେ ଯିହୋବାଙ୍କ ନାମ ବହୁତ ପବିତ୍ର ଅଟେ, ତେଣୁ ତାଙ୍କ ନାମ ନେବା ଉଚିତ୍‌ ନୁହେଁ । କିନ୍ତୁ ଯୀଶୁ ଏପରି ପରମ୍ପରାଗୁଡ଼ିକର ନିଜ ଉପରେ ପ୍ରଭାବ ପଡ଼ିବାକୁ ଦେଲେନାହିଁ । ସେ ଯିହୋବାଙ୍କ ନାମ ପବିତ୍ର କରିବାରେ ଲାଗି ରହିଲେ । ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଥରେ ସେ ଗରାଶୀୟମାନଙ୍କ ଅଞ୍ଚଳରେ ଏପରି ଜଣେ ଲୋକକୁ ଠିକ୍‌ କଲେ, ଯିଏ ଦୁଷ୍ଟ ସ୍ୱର୍ଗଦୂତମାନଙ୍କ କବଳରେ ଥିଲା । ଏହା ଦେଖି ଲୋକମାନେ ବହୁତ ଡରିଗଲେ ଓ ଯୀଶୁଙ୍କୁ ବିନତି କରିବାକୁ ଲାଗିଲେ ଯେ ସେ ତାଙ୍କ ଅଞ୍ଚଳ ଛାଡ଼ି ଚାଲିଯାʼନ୍ତୁ । (ମାର୍କ ୫:୧୬, ୧୭) କିନ୍ତୁ ଯୀଶୁ ଚାହୁଁଥିଲେ ଯେ ସେଠାକାର ଲୋକମାନେ ମଧ୍ୟ ଯିହୋବାଙ୍କ ନାମ ଜାଣନ୍ତୁ । ତେଣୁ ସେଠାରୁ ଯିବା ପୂର୍ବରୁ ସେ ଯେଉଁ ବ୍ୟକ୍ତିକୁ ଠିକ୍‌ କରିଥିଲେ, ତାକୁ କହିଲେ ଯେ ସେ ଯାଇ ଲୋକମାନଙ୍କୁ କହୁ ଯେ ତାଙ୍କୁ ଯୀଶୁ ନୁହଁ ବରଂ ଯିହୋବା ଠିକ୍‌ କରିଛନ୍ତି । (ମାର୍କ ୫:୧୯ ପଢ଼ନ୍ତୁ ।) a ଯୀଶୁ ଆଜି ବି ଏହା ହିଁ ଚାହାନ୍ତି । ସେ ଚାହାନ୍ତି ଯେ ପୂରା ଦୁନିଆରେ ଯିହୋବାଙ୍କ ନାମ ଲୋକମାନେ ଜାଣନ୍ତୁ । (ମାଥି. ୨୪:୧୪; ୨୮:୧୯, ୨୦) ଯେବେ ଆମେ ଏହି କାମରେ ଭାଗ ନେଉ, ତେବେ ଆମ ରାଜା ଯୀଶୁ ବହୁତ ଖୁସି ହୁଅନ୍ତି ।

ଯେଉଁ ଲୋକ ଆଗରୁ ଦୁଷ୍ଟ ସ୍ୱର୍ଗଦୂତମାନଙ୍କ କବଳରେ ଥିଲା ତାକୁ ଯୀଶୁ କହୁଛନ୍ତି ଯେ ଲୋକମାନଙ୍କୁ ସେ ଯାଇ କହୁ ଯେ ଯିହୋବା ତା ପାଇଁ କʼଣ କʼଣ କରିଛନ୍ତି (ପାରାଗ୍ରାଫ ୧୦)


୧୧. ଯୀଶୁ ନିଜ ଶିଷ୍ୟମାନଙ୍କୁ କʼଣ ପ୍ରାର୍ଥନା କରିବା ଶିଖାଇଲେ ? ଓ ଏହି ପ୍ରାର୍ଥନା କରିବା କାହିଁକି ଏତେ ଜରୁରୀ ଅଟେ ? (ଯିହିଜିକଲ ୩୬:୨୩)

୧୧ ଯୀଶୁ ଜାଣିଥିଲେ ଯେ ଯିହୋବାଙ୍କ ଉଦ୍ଦେଶ୍ୟ କʼଣ । ତାହା ହେଉଛି, ଯିହୋବାଙ୍କ ନାମ ପବିତ୍ର କରାଯାଉ ଓ ତାଙ୍କ ନାମରେ ଲାଗିଥିବା କଳଙ୍କ ହଟିଯାଉ । ଆଉ ଏହି କାରଣ ଯୋଗୁଁ ଆମ ଗୁରୁ ଆମକୁ ଏପରି ପ୍ରାର୍ଥନା କରିବା ଶିଖାଇଲେ, “ହେ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ ।” (ମାଥି. ୬:୯) ଯୀଶୁ ଜାଣିଥିଲେ ଯେ ଯିହୋବାଙ୍କ ନାମକୁ ପବିତ୍ର କରାଯିବା ବିଶ୍ୱରେ ସବୁଠୁ ଜରୁରୀ ବିଷୟ ଅଟେ । (ଯିହିଜିକଲ ୩୬:୨୩ ପଢ଼ନ୍ତୁ ।) ଆଉ ସେ ଏହି ନାମକୁ ପବିତ୍ର କରିବା ପାଇଁ ଯାହାକିଛି କଲେ, ସେତିକି ପୂରା ଦୁନିଆରେ କେହି କରି ନାହାନ୍ତି । ତଥାପି ଯେବେ ଯୀଶୁଙ୍କୁ ଗିରଫ କରାଗଲା, ତେବେ ଶତ୍ରୁମାନେ ତାଙ୍କ ଉପରେ ଈଶ୍ୱରଙ୍କ ନିନ୍ଦା କରିବାର ଆରୋପ ଲଗାଇଲେ । ଯୀଶୁ ଜାଣିଥିଲେ ଯେ ନିଜ ପିତାଙ୍କ ନାମକୁ ବଦନାମ୍‌ କରିବା ସବୁଠାରୁ ବଡ଼ ପାପ ଅଟେ । ଆଉ ସେ ଜାଣିଥିଲେ ଯେ ତାଙ୍କ ଉପରେ ହିଁ ଏହି ଆରୋପ ଲଗାଯିବ । ହୁଏତ ଏହି କାରଣ ଯୋଗୁଁ ଗିରଫ ହେବାର କିଛି ସମୟ ପୂର୍ବରୁ ଯୀଶୁଙ୍କ ହୃଦୟ “ମର୍ମାନ୍ତିକ ଦୁଃଖରେ ମଗ୍ନ” ହୋଇଯାଇଥିଲା ।—ଲୂକ ୨୨:୪୧-୪୪.

୧୨. ଯୀଶୁ କିପରି କଠିନ ପରିସ୍ଥିତିରେ ମଧ୍ୟ ନିଜ ପିତାଙ୍କ ନାମକୁ ପବିତ୍ର କଲେ ?

୧୨ ନିଜ ପିତାଙ୍କ ନାମକୁ ପବିତ୍ର କରିବା ପାଇଁ ଯୀଶୁ ସବୁ ଅତ୍ୟାଚାର, ଅପମାନ ଓ ମିଛ ଆରୋପକୁ ସହିଗଲେ । କିନ୍ତୁ ତାʼଯୋଗୁଁ ସେ କେବେ ବି ନିଜକୁ ଅପମାନିତ ମନେ କଲେ ନାହିଁ । କାରଣ ସେ ଜାଣିଥିଲେ ଯେ ସେ ସବୁବେଳେ ନିଜ ପିତାଙ୍କ ଆଜ୍ଞା ମାନନ୍ତି । (ଏବ୍ରୀ ୧୨:୨) ଆଉ ତାଙ୍କୁ ଏହା ବି ଜଣାଥିଲା ଯେ ସେହି କଠିନ ପରିସ୍ଥିତିରେ ଶୟତାନ ତାଙ୍କ ଉପରେ ସିଧାସଳଖ ଆକ୍ରମଣ କରୁଛି । (ଲୂକ ୨୨:୨-୪; ୨୩:୩୩, ୩୪) ଶୟତାନକୁ ପୂରା ଭରସା ଥିଲା ଯେ ଯୀଶୁ, ଯିହୋବାଙ୍କର ବିଶ୍ୱସ୍ତ ରହିବେ ନାହିଁ । କିନ୍ତୁ ଶୟତାନକୁ ହାର ମାନିବାକୁ ପଡ଼ିଲା । ଯୀଶୁ ଏହା ପ୍ରମାଣିତ କରିଦେଲେ ଯେ ଶୟତାନ କେତେ ନିଷ୍ଠୁର ଅଟେ ଓ କେତେ ମିଛ କହେ । ସେ ଏହା ମଧ୍ୟ ପ୍ରମାଣିତ କରିଦେଲେ ଯେ ଜଣେ ଯିହୋବାଙ୍କ ସେବକ ଯେକୌଣସି ପରିସ୍ଥିତିରେ ବି ଯିହୋବାଙ୍କର ବିଶ୍ୱସ୍ତ ରହେ ।

୧୩. ଆପଣ ନିଜ ରାଜା ଯୀଶୁଙ୍କୁ ଖୁସି କରିବା ପାଇଁ କʼଣ କରିପାରିବେ ?

୧୩ କʼଣ ଆପଣ ନିଜ ରାଜା ଯୀଶୁଙ୍କୁ ଖୁସି କରିବା ପାଇଁ ଚାହାନ୍ତି ? ଯଦି ହଁ, ତାହେଲେ ଯିହୋବାଙ୍କ ନାମକୁ ପ୍ରଶଂସା କରିବା ଜାରି ରଖନ୍ତୁ, ଅନ୍ୟମାନଙ୍କୁ କହନ୍ତୁ ଯେ ସେ ପ୍ରକୃତରେ କିପରି ଅଟନ୍ତି । ଯେବେ ଆପଣ ଏପରି କରିବେ, ତେବେ ଆପଣ ଯୀଶୁଙ୍କ ଉଦାହରଣରେ ଚାଲୁଥିବେ । (୧ ପିତ. ୨:୨୧) ଯୀଶୁଙ୍କ ପରି ଆପଣ ଯିହୋବାଙ୍କର ହୃଦୟ ଖୁସି କରୁଥିବେ । ଆଉ ଏହା ପ୍ରମାଣିତ କରୁଥିବେ ଯେ ତାଙ୍କ ଶତ୍ରୁ ଶୟତାନ ଯେଉଁ ଆରୋପ ଲଗାଇଛି, ତାହା ପୂରାପୂରି ମିଛ ।

ଯିହୋବାଙ୍କ ନାମର ପ୍ରଶଂସା କଲେ ଲୋକମାନଙ୍କର ଜୀବନ ରକ୍ଷା ହୋଇପାରେ

୧୪-୧୫. ଯେବେ ଆମେ ଲୋକମାନଙ୍କୁ ଯିହୋବାଙ୍କ ବିଷୟରେ ସତ୍ୟ କହୁ, ତେବେ ଏଥିରୁ କʼଣ ଲାଭ ହୁଏ ?

୧୪ ଯିହୋବାଙ୍କ ନାମର ପ୍ରଶଂସା କଲେ, ଲୋକମାନଙ୍କର ଜୀବନ ରକ୍ଷା ହୋଇପାରେ । ତାହା କିପରି ? ଶୟତାନ “ଅବିଶ୍ୱାସୀମାନଙ୍କର ଜ୍ଞାନଚକ୍ଷୁ ଅନ୍ଧ” କରିଅଛି । (୨ କରି. ୪:୪) ତେଣୁ ଲୋକମାନେ ଶୟତାନର ମିଥ୍ୟା ଶିକ୍ଷାଗୁଡ଼ିକ ଉପରେ ବିଶ୍ୱାସ କରିନିଅନ୍ତି । ଯେପରି, ସେମାନେ ବିଶ୍ୱାସ କରନ୍ତି ଯେ କେହି ଈଶ୍ୱର ନାହାନ୍ତି କିମ୍ବା ଯଦି କେହି ଈଶ୍ୱର ଅଛନ୍ତି, ତାହେଲେ ବି ତାଙ୍କୁ କାହାରି ଚିନ୍ତା ନାହିଁ, ଈଶ୍ୱର ବହୁତ ନିର୍ଦ୍ଦୟୀ ଅଟନ୍ତି ଓ ପାପୀ ଲୋକମାନଙ୍କୁ ସବୁବେଳେ ଦଣ୍ଡ ଦିଅନ୍ତି । ଶୟତାନ ଏହି ମିଛ କଥାଗୁଡ଼ିକ କହି ଯିହୋବାଙ୍କ ପବିତ୍ର ନାମକୁ ବଦନାମ୍‌ କରିବାକୁ ଚାହେଁ, ଯାହାଫଳରେ ଲୋକମାନେ ଯିହୋବାଙ୍କଠାରୁ ଦୂରେଇ ଯାଆନ୍ତୁ । କିନ୍ତୁ ଯେବେ ଆମେ ପ୍ରଚାର କରୁ, ତେବେ ଆମେ ଶୟତାନର ଉଦ୍ଦେଶ୍ୟକୁ ବିଫଳ କରିଦେଉ । ଆମେ ଲୋକମାନଙ୍କୁ ନିଜ ପିତାଙ୍କ ବିଷୟରେ ସତ୍ୟ କହୁ ଓ ଏପରି କରି ତାଙ୍କ ପବିତ୍ର ନାମର ପ୍ରଶଂସା କରୁ । ଏଥିରୁ ଆଉ କʼଣ ଲାଭ ହୁଏ ?

୧୫ ଈଶ୍ୱରଙ୍କ ବାକ୍ୟରେ ବହୁତ ଶକ୍ତି ଅଛି । ଯେବେ ଆମେ ଲୋକମାନଙ୍କୁ ଯିହୋବାଙ୍କ ବିଷୟରେ ଶିଖାଉ ଓ ସେମାନଙ୍କୁ କହୁ ଯେ ପରମେଶ୍ୱର ପ୍ରକୃତରେ କିପରି, ତେବେ ଏଥିରୁ ବହୁତ ଲାଭ ହୁଏ । ଯେଉଁମାନେ ଶୟତାନର ମିଛ ଯୋଗୁଁ ଅନ୍ଧ ଥିଲେ, ସେମାନଙ୍କର ଆଖି ଖୋଲିଯାଏ ଓ ସେମାନେ ଯିହୋବାଙ୍କୁ ପ୍ରେମ କରିବାକୁ ଲାଗନ୍ତି । ଯେବେ ସେମାନଙ୍କୁ ଯିହୋବାଙ୍କ ଶକ୍ତି ବିଷୟରେ ଜଣାପଡ଼େ, ତେବେ ସେମାନେ ଆଶ୍ଚର୍ଯ୍ୟ ହୋଇଯାʼନ୍ତି । (ଯିଶା. ୪୦:୨୬) ଯିହୋବାଙ୍କ ନ୍ୟାୟ ବିଷୟରେ ଜାଣି ସେମାନଙ୍କୁ ବହୁତ ସାନ୍ତ୍ୱନା ମିଳେ । (ଦ୍ୱିବି. ୩୨:୪) ଆଉ ଯେବେ ସେମାନଙ୍କୁ ଯିହୋବାଙ୍କ ବୁଦ୍ଧି ବିଷୟରେ ଜଣାପଡ଼େ, ତେବେ ସେମାନଙ୍କର ଆଖି ଖୋଲିଯାଏ ଓ ଯେବେ ସେମାନେ ବାଇବଲରୁ ଶିଖନ୍ତି ଯେ ଯିହୋବା ଅନ୍ୟମାନଙ୍କୁ କେତେ ପ୍ରେମ କରନ୍ତି, ତେବେ ଏଥିରୁ ସେମାନଙ୍କୁ ବହୁତ ସାନ୍ତ୍ୱନା ମିଳେ । (୧ ଯୋହ. ୪:୮) ସେମାନେ ଯିହୋବାଙ୍କ ଆଡ଼କୁ ଆକର୍ଷିତ ହୁଅନ୍ତି, ତାଙ୍କ ସହ ସେମାନଙ୍କର ଏକ ମଜବୁତ୍‌ ସମ୍ପର୍କ ହୋଇଯାଏ ଓ ସେମାନଙ୍କୁ ଏହି ଆଶା ଉପରେ ପୂରା ଭରସା ହୋଇଯାଏ ଯେ ସେମାନେ ତାଙ୍କ ପିଲା ଭାବେ ସବୁଦିନ ଯାଏ ବଞ୍ଚିବେ । ସତରେ, ନିଜ ପିତା ଯିହୋବାଙ୍କ ନିକଟକୁ ଆସିବା ପାଇଁ ଅନ୍ୟମାନଙ୍କୁ ସାହାଯ୍ୟ କରିବା କେତେ ବଡ଼ ସମ୍ମାନର କଥା ଅଟେ । ଯେବେ ଆମେ ଏହି ଦାୟିତ୍ୱ ତୁଲାଉ, ତେବେ ଯିହୋବା ଆମକୁ ନିଜ “ସହକର୍ମୀ” ମନେ କରନ୍ତି ।—୧ କରି. ୩:୫,.

୧୬. ଈଶ୍ୱରଙ୍କ ନାମ ବିଷୟରେ ଜାଣି କିଛି ଲୋକମାନଙ୍କୁ କିପରି ଲାଗିଲା ?

୧୬ ହୁଏତ ଆରମ୍ଭରେ ଆମେ ଲୋକମାନଙ୍କୁ କେବଳ ଏତିକି କହିବା ଯେ ଈଶ୍ୱରଙ୍କ ନାମ ଯିହୋବା । କେବଳ ଏତିକି କଥା ହିଁ ଭଲ ମନ ରଖୁଥିବା ଲୋକଙ୍କ ହୃଦୟକୁ ଛୁଇଁଯାଏ । ଆଲିଆ b ନାମକ ଜଣେ ଯୁବା ଝିଅର ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ସେ ଏପରି ପରିବାରରେ ବଢ଼ିଥିଲା, ଯେଉଁଠି କେହି ବାଇବଲ ଉପରେ ବିଶ୍ୱାସ କରୁ ନ ଥିଲେ । ସେ ନିଜ ଧର୍ମରୁ ମଧ୍ୟ ଖୁସି ନ ଥିଲା ଓ ତାକୁ ଲାଗୁଥିଲା ଯେ ଈଶ୍ୱର ତାʼଠାରୁ ବହୁତ ଦୂରରେ ଅଛନ୍ତି । କିନ୍ତୁ ଯେବେ ସେ ଯିହୋବାଙ୍କ ସାକ୍ଷୀମାନଙ୍କ ସହ ବାଇବଲ ଅଧ୍ୟୟନ କଲା, ତେବେ ତାʼ ଚିନ୍ତାଧାରା ବଦଳିଗଲା । ସେ ବୁଝିପାରିଲା ଯେ ଈଶ୍ୱର ତାʼ ସାଙ୍ଗ ହୋଇପାରିବେ । ସେ ଏକଥା ଜାଣି ବି ଆଶ୍ଚର୍ଯ୍ୟ ହୋଇଗଲା ଯେ ବାଇବଲର ଅନେକ ଅନୁବାଦରେ ଈଶ୍ୱରଙ୍କ ନାମକୁ ବାହାର କରି ଦିଆଯାଇଛି ଓ ତାʼ ଜାଗାରେ ପ୍ରଭୁ ଭଳି ଉପାଧି ଦିଆଯାଇଛି । ଯିହୋବାଙ୍କ ନାମ ଜାଣି ତାʼ ପୂରା ଜୀବନ ବଦଳିଗଲା । ସେ ଖୁସିର ସହ କହେ, “ମୋର ସବୁଠୁ ଭଲ ସାଙ୍ଗର ବି ଗୋଟିଏ ନାମ ଅଛି ।” ଏହି ସତ୍ୟ ଜାଣି ତାକୁ କʼଣ ଲାଭ ହେଲା ? ସେ କହେ, “ଏବେ ମୁଁ ବହୁତ ଶାନ୍ତି ଅନୁଭବ କରେ । ମୁଁ ବହୁତ ଖୁସି ଯେ ମୋତେ ଯିହୋବାଙ୍କୁ ଜାଣିବା ପାଇଁ ସୁଯୋଗ ମିଳିଲା ।” ଷ୍ଟିଭ୍‌ ନାମକ ଜଣେ ବ୍ୟକ୍ତିର ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ, ଯିଏ ଜଣେ ସଙ୍ଗୀତକାର ଥିଲେ । ସେ ଏପରି ପରିବାରରେ ବଢ଼ିଥିଲେ ଯେଉଁଠି ଯିହୁଦୀ ଧର୍ମକୁ ବହୁତ ମହତ୍ତ୍ୱ ଦିଆଯାଉଥିଲା । କିନ୍ତୁ ଧୀରେ ଧୀରେ ସେ ନିଜ ଧର୍ମକୁ ଛାଡ଼ିଦେଲେ, କାରଣ ସେ ଦେଖିଲେ ଯେ ଧର୍ମରେ ଯାହା ଶିଖାଯାଉଛି, ଲୋକମାନେ ତାହା ମାନୁନାହାନ୍ତି । କିଛି ସମୟ ପରେ ତାଙ୍କ ମାଆଙ୍କର ମୃତ୍ୟୁ ହୋଇଗଲା । ସେହି ଦୁଃଖରେ ହିଁ ଥିବା ବେଳେ ସେ ଗୋଟିଏ ବାଇବଲ ଅଧ୍ୟୟନରେ ଯାଇଥିଲେ, ଯାହା ଜଣେ ଯିହୋବାଙ୍କ ସାକ୍ଷୀ ଚଳାଉଥିଲେ । ଯେବେ ସେ ଈଶ୍ୱରଙ୍କ ନାମ ବିଷୟରେ ଜାଣିଲେ, ତେବେ ତାଙ୍କୁ ଏହା ଜାଣି ବହୁତ ଭଲ ଲାଗିଲା । ସେ କହିଲେ, “ମୁଁ ଆଗରୁ କେବେ ଈଶ୍ୱରଙ୍କ ନାମ ଶୁଣି ନ ଥିଲି ।” ସେ ଏହା ବି କହିଲେ, “ମୁଁ ପ୍ରଥମ ଥର ଜାଣିଲି ଯେ ଈଶ୍ୱର ସତରେ ଅଛନ୍ତି ଓ ତାଙ୍କ ଭିତରେ ଆମ ଭଳି ଭାବନା ଅଛି । ମୁଁ ବୁଝିଗଲି ମୋତେ ଗୋଟିଏ ଭଲ ସାଙ୍ଗ ମିଳିଯାଇଛି ।”

୧୭. ଆପଣ କାହିଁକି ଦୃଢ଼ ନିଷ୍ପତ୍ତି ନେଇଛନ୍ତି ଯେ ଆପଣ ସବୁବେଳେ ଯିହୋବାଙ୍କ ନାମର ପ୍ରଶଂସା କରିବେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୭ କʼଣ ଆପଣ ପ୍ରଚାର କରିବା ଓ ଶିଖାଇବା ସମୟରେ ଲୋକମାନଙ୍କୁ କହନ୍ତି ଯେ ଈଶ୍ୱରଙ୍କ ନାମ ଯିହୋବା ? କʼଣ ଆପଣ ସେମାନଙ୍କୁ ଏହା ବୁଝିବା ପାଇଁ ସାହାଯ୍ୟ କରନ୍ତି ଯେ ଆମ ଈଶ୍ୱର ପ୍ରକୃତରେ କିପରି ? ଏପରି କରିବା ଦ୍ୱାରା ଆପଣ ଈଶ୍ୱରଙ୍କ ନାମର ପ୍ରଶଂସା କରୁଥାʼନ୍ତି ଓ ଲୋକମାନଙ୍କୁ ତାଙ୍କ ବିଷୟରେ ଲଗାତାର ଜାଣିବା ପାଇଁ ସାହାଯ୍ୟ କରୁଥାʼନ୍ତି । ଏପରି ଭାବେ ଆପଣ ଆମ ରାଜା ଯୀଶୁଙ୍କ ଉଦାହରଣରେ ଚାଲୁଥିବେ, ଆପଣ ଲୋକମାନଙ୍କ ଜୀବନ ରକ୍ଷା କରିପାରିବେ । ଆଉ ସବୁଠୁ ବଡ଼ କଥା ଏଥିରୁ ଆପଣ ଯିହୋବାଙ୍କ ହୃଦୟ ଖୁସି କରିପାରିବେ ଯିଏ ଆମକୁ ବହୁତ ପ୍ରେମ କରନ୍ତି । ତେଣୁ ଆସନ୍ତୁ, ଆମେ ‘ସଦାସର୍ବଦା ତାଙ୍କ ନାମର ପ୍ରଶଂସା କରିବା ।’—ଗୀତ. ୧୪୫:୨.

ଯେବେ ଆମେ ଲୋକମାନଙ୍କୁ ଈଶ୍ୱରଙ୍କ ନାମ ବିଷୟରେ କହୁ ଓ ଜଣାଉ ଯେ ସେ କିପରି ଈଶ୍ୱର ଅଟନ୍ତି ତେବେ ଆମେ ତାଙ୍କ ନାମର ପ୍ରଶଂସା କରୁ (ପାରାଗ୍ରାଫ ୧୭)

ଯେବେ ଆମେ ଯିହୋବାଙ୍କ ନାମର ପ୍ରଶଂସା କରୁ, ତେବେ ଏଥିରୁ କିପରି . . .

  • ଯିହୋବା ଖୁସି ହୁଅନ୍ତି ?

  • ଯୀଶୁ ଖୁସି ହୁଅନ୍ତି ?

  • ଲୋକମାନଙ୍କ ଜୀବନ ରକ୍ଷା ହୁଏ ?

ଗୀତ ୨ ୟହୋବା ତେରା ନାମ୍‌

a ପ୍ରମାଣଗୁଡ଼ିକରୁ ଜଣାପଡ଼େ ଯେ ଆରମ୍ଭରେ ଯେବେ ମାର୍କ ଯୀଶୁଙ୍କ ବିଷୟରେ ଏହି କଥା ଲେଖିଲେ ସେତେବେଳେ ସେ ଈଶ୍ୱରଙ୍କ ନାମ ଲେଖିଥିଲେ । ତେଣୁ ପବିତ୍ର ଶାସ୍ତ୍ରର ନୂତନ ଜଗତ ଅନୁବାଦ ବାଇବଲରେ ଏହି ପଦରେ ଯିହୋବାଙ୍କ ନାମ ଲେଖାଯାଇଛି । ଏହି ପଦରେ ଦିଆଯାଇଥିବା ଅଧ୍ୟୟନ ନୋଟ୍‌ ଦେଖନ୍ତୁ

b ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ ।